Unknown

 

 

 

 

 

 

 

ଗୋଦାନ

ଲେଖକ

ପ୍ରେମଚନ୍ଦ୍

 

ଅନୁବାଦକ

ଶ୍ରୀ ଗୋଲୋକ ବିହାରୀ ଧଳ

 

ପ୍ରଥମ ପରିଚ୍ଛେଦ

 

ବଳଦ ଦି’ଟାକୁ କୁଣ୍ଡାପାଣି ଦେଇସାରି ହୋରୀରାମ ତା ସ୍ତ୍ରୀ ଧନିୟାକୁ କହିଲା–ଗୋବରାକୁ ଆଜି ଆଖୁ କୋଡ଼ିବାକୁ ପଠାଇଦେବୁ, ମୁଁ ତ ଯାଉଛି, କେତେବେଳେ ଫେରିବି କିଛି ଠିକଣା ନାହିଁ । ଆଣ୍, ମୋ ଠେଙ୍ଗାଟା ଦେ, ମୁଁ ଯାଏଁ ।

 

ଧନିୟା ସେତେବେଳକୁ ଘଷି ପାରୁଥିଲା ଯେ ତା ଦି’ ହାତଯାକ ଗୋବର ହୋଇଥିଲା, କହିଲା–ମଲା, ଏମିତି ତରତର ପଡ଼ିଛି କିଆଁ, ଯିବ ଯଦି ଯାହି ତାହି ଢୋକେ ପିଇଦେଇ ଯା ।

 

ହୋରୀ କ’ଣ ଟିକିଏ ଭାବିଲାପରି ହୋଇ କହିଲା–ହଁ, ତୋର ତ ଆଉ କିଛି ଚିନ୍ତା ନାହିଁ, ଖାଲି ଖାଇବା ପିଇବା ଚିନ୍ତା । ମୁଁ ତ ଏଣେ ତରତର ହେଉଛି କେମିତି ଚଞ୍ଚଳ ଗଲେ ଜମିଦାରଙ୍କ ସଙ୍ଗେ ଦେଖାହେବ । ନାହିଁ ଯଦି ସେ ଗାଧୋଇ ପାଧୋଇ ପୂଜାରେ ବସିଯା’ନ୍ତି, ତେବେ ତ ଦେଖା ହେଉ ହେଉ କେତେବେଳ ହେବ କିଛି ଠିକଣା ନାହିଁ ।

 

‘ସେଇଥିପାଇଁ ତ କହୁଛି ଯାହି ତାହି ଢୋକେ ପିଇଦେଇ ଯା । ପଅର ଦିନ ତ ଯାଇଥିଲ, ଆଜି ଏବେ ନ ଗଲେ ଆମର କଣ ହୋଇଯାଉଛି ?’

 

‘ହଁ, ନ ଗଲେ କ’ଣ ହେବ ସେ କଥା ତୁ ଜାଣିବୁ କୁଆଡ଼ୁ ? ଜମିଦାରଙ୍କ ଦୁଆରକୁ ଧାଁ ଧପଡ଼ ଲାଗିଛି ବୋଲି ତ ଏ ଜୀବନ ଆଜିଯାଏ ରହିଛି, ନାହିଁ ତ କେଉଁ ଦିନୁ କ’ଣ ହ’ନ୍ତାଣି ତାର ଠିକଣା ନାହିଁ । ଏଇ ଗାଁରେ କେତେ ଲୋକଙ୍କର ଘରଦ୍ଵାର କୋରଖ ନ ହୋଇଛି, କେତେ ଜମିବାଡ଼ି ବେଦଖଲ ନ ହୋଇଛି, କିନ୍ତୁ କାହିଁ ଆମର ତ କିଛି ହୋଇ ନାହିଁ । ଆରେ ବାବୁ, ଯେତେ ଦିନଯାଏ ତାଙ୍କ ହାତରେ ଚୁଟି ଅଛି, ବୋପାରାଣ, ଢିଙ୍କିଗିଳ, ନ ଯାଇ କରି ଆଉ ଚାରା କ’ଣ ?’

 

ଧନିୟାର ଟିକିଏ ବୁଦ୍ଧି କମ୍ । ବାହାର ସଂସାର କଥା ସେ କିଛି ଜାଣେ ନାହିଁ । ସେ ଭାବେ, ଜମି ତ ଚଷିବ ଖଜଣା ଦେବ, ପୁଣି ଖୁସାମତି କରିବାକୁ ଯିବ କିଆଁ ? ଆଉ ଖୁସାମତି କରି ବା ଲାଭ କ’ଣ ? କୋଡ଼ିଏ ବର୍ଷ ହେଲା ତ ବାହା ହେଲାଣି ଯେ ଦିନେ ହେଲେ ମୁଠେ ପେଟ ପୂରେଇ ଖାଇବାକୁ ମିଳି ନାହିଁ । ଯେତେ ଖେଣ୍ଟିଲେ, ଯେତେ ପେଟକୁ କାଟିଲେ ବି ଏକା ଜମିଦାରଙ୍କ ଖଜଣା ଗଣ୍ଡାକ ଦେବାକୁ ପଇସା ଅଣ୍ଟୁ ନାହିଁ । ଛ’ ଛ’ଟା ଛୁଆ ଜନମ ହେଲେ ଯେ ତିନି ତିନିଟା ସେଥିରୁ ମଲେ । ଓଷଧ ମଉସୁଧ କରିବାକୁ ଅଧଲାଟାଏ ମିଳିଲା ନାହିଁ । ଆଜି ଯେମିତି ସୁନା, ରୂପା, ଗୋବରା ବଞ୍ଚି ରହିଛନ୍ତି, ପଇସା ଥିଲେ ଆର ତିନିଟା ଛୁଆ ବି ସେମିତି ବଞ୍ଚିଥାନ୍ତେ । ଆଜି ଏବେ ତା’ର ନିଜର କେଉଁ ସୁଖଟା ଅଛି ! ଚାଳିଶ ନ ପଶୁଣୁ ତ ଚମ ଧୁଡ଼ୁକୀ ଗଲାଣି, ହାଡ଼ ଦିଶିଲାଣି, ବାଳ ପାଚି ଗଲାଣି, ଆଖିକୁ ତ ସହଜେ ଦିଶିବାକୁ ନାହିଁ । ଏଇମିତିଆ ଅରକ୍ଷିତ ଜୀବନରେ ପୁଣି ମାନସମ୍ମାନ ଗୋଟେ କ’ଣ ଯେ ଜମିଦାର ଦୁଆରକୁ ଏତେ ଧାଁ ଧପଡ଼-? ଏହି ସବୁ କଥା ଭାବି ଭାବି ଧନିୟା ଅନେକ ସମୟରେ ପାଟିକରେ, ପ୍ରତିବାଦ କରେ-। ହୋରୀଠାରୁ ଦି’ ଚାରିପଦ ଗାଳି ଶୁଣିଲେ ଯାଇ ତୁନି ହୁଏ ।

 

ଶେଷରେ ଧନିୟା ବାଡ଼ି, ପଗଡ଼ି, କୁର୍ତ୍ତା, ବଟୁଆ ସବୁ ଆଣି ହୋରୀ ଆଗରେ ପକାଇଦେଲା । ହୋରୀ ଟିକିଏ ବିରକ୍ତ ହେଲା ପରି କହିଲା–କ’ଣ ଶଶୁର ଘରକୁ ଯାଉଛି ଯେ ଏତେ ସଜ ଆଣି ଥୋଇଛୁ ? ନା ଶଶୁର ଘରେ କେଉଁ ଶାଳୀ ଶଳାଭାଉଜ ଅଛନ୍ତି ଯେ ଯାଇ କାହାକୁ ଦେଖାଇବି ? ଏତିକି କହିସାରି ହୋରୀ ଟିକିଏ ହସିଦେଲା ।

 

ଧନିୟା ଟିକିଏ ଲାଜ ଲାଜ ହୋଇ କହିଲା–ହଁ ଯେଉଁ ଚହଟ ଚିକ୍‍କଣ ଭେଣ୍ଡିଆ କିନା, ଶାଳୀ ଶଳାଭାଉଜ ତ ଦେଖିଲା ମାତ୍ରେ ଖାଲି ରସିଯିବେ !

 

‘ଆଉ ତୁ କ’ଣ ଭାବୁଛୁ ମୁଁ ବୁଢ଼ା ହୋଇଗଲିଣି ବୋଲି ? ଷାଠିଏ ପରେ ଲୋକେ ବୁଢ଼ା ହୁଅନ୍ତି ନା ଏଇନେ ?’

 

‘ହଁ, ବୁଢ଼ା କି ଭେଣ୍ଡିଆ ଦର୍ପଣରେ ଯାଇ ଟିକିଏ ମୁହଁ ଦେଖିଆସ । ଯା’ର ସିନା ଖାଇବା ପିଇବାକୁ ଥାଏ ସେ ସିନା ଷାଠିଏ ବରଷ ଯାଏ ଭେଣ୍ଡିଆ ହୋଇଥାଏ । ଆମକୁ ତ ସୁନ୍ଦର ଗୋଳିବାକୁ ଦୁଧ ଟୋପେ ମିଳୁନାହିଁ, ତମେ ଭେଣ୍ଡିଆ ହବ କୁଆଡ଼ୁ ? ମୁଁ ତମରି ଅବସ୍ଥା ଦେଖି ଦେଖି ବଢ଼େ ମରୁଛି । ଭଗବାନ ଜାଣନ୍ତି, ଆମ ବୁଢ଼ାକାଳ କେମିତି କଟିବ, କା ଦୁଆରକୁ ପୁଣି ମଣିଷ ଭିକ ମାଗିବାକୁ ଯିବ !’

 

ବୁଢ଼ାକାଳ କଥା ଶୁଣି ହୋରୀ ମନ ଟିକିଏ ଫିକା ପଡ଼ିଗଲା । ବାଡ଼ିଟା ଧରି ଉଠୁ ଉଠୁ କହିଲା–ନାଇଁ ମ ଧନିୟା, ଷାଠିଏ ଯାଏ ଯିବ ନାଇଁ, ତା ଆଗରୁ ମୁଁ ଚାଲିଯାଇଥିବି ! ଧନିୟା ଟିକିଏ ସୁଆଗି ହୋଇ କହିଲା–ହଁ, ତମ ସେଇ ଅମଙ୍ଗୁଳିଆ କଥାଗୁଡ଼ା ସେତିକି ଥାଉ । ଯେଡ଼େ ଭଲ କଥାଟାଏ କହିଲେ ୟାଙ୍କର ଖାଲି ଅମଙ୍ଗଳ କଥା ।

 

ହୋରୀ ଆଉ କିଛି ନ କହି କାନ୍ଧରେ ଠେଙ୍ଗା ପକାଇ ଘରୁ ବାହାରିଗଲା । ସେ ବହୁତ ଦୂର ଯିବାଯାଏ ଧନିୟା ଦୁଆରବନ୍ଧରେ ଠିଆହୋଇ ତାକୁ ଏକା ଆଖିରେ ଅନାଇ ରହିଲା । ହୋରୀର କେମିତି ମଙ୍ଗଳ ହେବ, ପାଦରେ କଣ୍ଟା ନ ବାଜିବ, ସେଥିପାଇଁ ସେ ସବୁ ଦିଅଁ ଦେବତାଙ୍କୁ ଜଣାଇ, ଅନ୍ତରର ସବୁ ଆଶୀର୍ବାଦ ତା ଉପରେ ଢାଳିଦେଲା । ଏହି ଦୁଃଖର ଦୁନିଆରେ ସ୍ଵାମୀ ଛଡ଼ା ତା’ର ଆଉ କିଏ ଥିଲା ! ସ୍ଵାମୀ ପାଟିରୁ ଅମଙ୍ଗଳ କଥା ଶୁଣି ତା ମନଟା ଭାରି ଦବିଗଲା । ଷାଠିଏ ବର୍ଷ ଆଗରୁ ହୋରୀ ଚାଲିଯିବ, ଏକଥା ସତ ହୋଇପାରେ, କିନ୍ତୁ ସତକଥା ଭଲଲାଗେ କାହାକୁ ? କଣାକୁ କଣା କହିଲେ ଯେମିତି ବାଧେ, ତା ଆଖିଥିବା ଲୋକ ଜାଣିବ କୁଆଡ଼ୁ ?

 

ହୋରୀ ଆଗେଇ ଚାଲିଲା । ରାସ୍ତା ଦି’ ପାଖରେ ନେଳିଆ ଆଖୁ କିଆରୀ ଦେଖି ମନେ ମନେ ଭାବିଲା, ଏ ବର୍ଷ ଯଦି ଭଲ ବର୍ଷା ହୁଅନ୍ତା ଆଉ ଆଖୁ ଫସଲଟା ଉଠିଆ ହୋଇଯାନ୍ତା, ତେବେ ସେ ନିଶ୍ଚୟ ଗୋଟାଏ ଗାଈ କିଣନ୍ତା । ଦେଶୀ ଗାଈ ତ ଆଉ କିଣିବ ନାହିଁ, କିଣିଲେ ପଶ୍ଚିମା ଗାଈ କିଣିବ । ଦେଶୀ ଗାଈଗୁଡ଼ାକରେ କିଛି ଲାଭ ନାହିଁ । ଏକେ ତ ଦୁଧ ନାହିଁ ତା’ଛଡ଼ା ବାଛୁରୀଗୁଡ଼ା ଘଣା ପେଲିବା ଛଡ଼ା ଆଉ କେଉଁ କାମକୁ ନୁହନ୍ତି । କିନ୍ତୁ ପଶ୍ଚିମା ଗାଈକୁ ଟିକିଏ ହିପାଦସ୍ତ କରିଦେଲେ ଯେମିତି ହେଲେ ପାଞ୍ଚସେର ଦୁଧ ମିଳିବ, ତା’ ଛଡ଼ା ବାଛୁରୀଗୁଡ଼ାକ କି ବଢ଼ିଆ ବଳଦ ହେବେ । ଆଜି ଗୋବରା ଦୁଧ ଟୋପେ ପାଉ ନାହିଁ । କିନ୍ତୁ ଗାଈ ଆସିଲେ ଦୁଧ ପିଇ ଯେମିତି ଚାହି ସେମିତି ଭେଣ୍ଡିଆ ହୋଇଯିବ । କିନ୍ତୁ ଅସଲ କଥା ହେଉଛି ଟଙ୍କା । ଦି’ଶରୁ କମରେ ତ ପଶ୍ଚିମା ଗାଈ ମିଳିବ ନାହିଁ । କିନ୍ତୁ ଟଙ୍କା ହେଲେ କ’ଣ ହେବ । ସେମିତିଆ ଗାଈପଟେ ଥିଲେ ଦୁଆର ପୂରି ଉଠିବ । ଭାଗ୍ୟରେ ଥିଲେ ସକାଳୁ ଉଠି ସେମିତିଆ ଗାଈମୁହଁ ଚାହିଁବାକୁ ମିଳିବ । କିନ୍ତୁ ସେ ସୌଭାଗ୍ୟ କେବେ ଆସିବ ଏକା ଭଗବାନ ଜାଣନ୍ତି ।

 

ଚାଷୀ ମାତ୍ରକେ ଯେମିତି ଗାଈଟିଏ ରଖିବାକୁ ଚାହାଁନ୍ତି, ହୋରୀ ବି ସେମିତି ଚାହେଁ । ତା ଜୀବନର ସବୁ ଆଶା ସବୁ ସ୍ଵପ୍ନ ହେଉଛି ଗୋଟିଏ ଗାଈ । ଛୋଟ ମନରେ ଅବା ବଡ଼ ଆଶା ଆସିବ କୁଆଡ଼ୁ ? ସେ ତ ଆଉ ଏମିତିଆ ବଡ଼ଲୋକ ନୁହେଁ ଯେ ବ୍ୟାଙ୍କରେ ଟଙ୍କା ରଖି, ଟଙ୍କା ସୁଧରେ ଜମିବାଡ଼ି କିଣିବା କଥା ଭାବିବ, କୋଠାମହଲା ତୋଳିବା କଥା ଭାବିବ ! ତାର ଛୋଟ ମନର ସବୁଠୁ ବଡ଼ ଆଶା ହେଉଛି କେବଳ ଗୋଟାଏ ଗାଈ ।

 

ହୋରୀ ଚାଲିଥାଏ । ଜ୍ୟେଷ୍ଠମାସିଆ ଦିନ । ସୂର୍ଯ୍ୟ ସେତେବେଳକୁ ରୂପେଲୀ ଆଲୁଅରେ ଆକାଶକୁ ତତାଇ କରି ଉପରକୁ ଉଠୁଥାଏ । ପବନ ବି ଟିକିଏ ଟିକିଏ ଗରମ ଲାଗୁଥାଏ । ଦି’ ପାଖ ଖେତରେ ଚାଷୀମାନେ କାମ କରୁଥାନ୍ତି । ହୋରୀକୁ ଦେଖିଲା ମାତ୍ରେ ସମସ୍ତେ ଆଦର କରି ପାଖକୁ ଡାକିଲେ । ମାତ୍ର ତାକୁ ବେଳ ଥିଲା କେଉଁଠି ଯେ ସେ ରହନ୍ତା ! ଆଦର ଅଭ୍ୟର୍ଥନା ପାଇ ଗର୍ବରେ ତା ଛାତି ଫୁଲି ଉଠିଲା । ମନେ ମନେ ସେ ଭାବିଲା, ଜମିଦାରଙ୍କ ପାଖକୁ ଧାଁ ଧପଡ଼ କରିବାରେ ଏଇସିନା ମଜା ! ଜମିବୋଲି ତ ତା’ର ପାଞ୍ଚବିଘା । ଜମିଦାରଙ୍କ ଅନୁଗ୍ରହ ନ ହୋଇଥିଲେ ତାକୁ ବାସୀରେ ପଚାରନ୍ତା କିଏ ? ଯେଉଁ ଚାଷୀମାନେ ଆଜି ତିନି ତିନିଟା ଚାରି ଚାରିଟା ହଳ ବାନ୍ଧିଛନ୍ତି ସେମାନେ ବି ତାକୁ ଦେଖିଲେ ଶଙ୍କି ଯାଉଛନ୍ତି, ମୁଣ୍ଡ ନୁଆଇଁ ଜୁହାର କରୁଛନ୍ତି ।

 

ହୋରୀ ଯାଇ ଯାଇ ଗୋଟେ ବଡ଼ ପଡ଼ିଆ ଭିତରେ ପହଞ୍ଚିଲା । ସେଠି ବର୍ଷାପାଣି ଜମାହୋଇ ଟିକିଏ ନେଳିଆ ଦେଖା ଯାଉଥିଲା । ପବନ ବି ଟିକିଏ ଭାରୀ ଥଣ୍ଡା ଲାଗୁଥିଲା । ଭାବିଲା, ସେଠି ଥଣ୍ଡାରେ ବସି ଟିକିଏ ଆରାମ କରିବ । ସେହି ପଡ଼ିଆଟାକୁ କିଣିନେବା ପାଇଁ ବହୁତ ଲୋକ ଚେଷ୍ଟା କରିଥିଲେ । ଜମିଦାରଙ୍କ ପାଖକୁ ଖୁବ୍ ଧାଇଁଥିଲେ । ଲାଞ୍ଚମିଛ ବି ଖୁବ୍ ଦେଇଥିଲେ, କିନ୍ତୁ ହୋଇପାରିଲା ନାହିଁ । ଜମିଦାର କହିଲେ, ଯେତେ ଟଙ୍କା ଦେଲେ ବି ସେ ଜାଗା କାହାକୁ ଦିଆଯିବ ନାହିଁ । ଗୋରୁଗାଈ ଚରିବାପାଇଁ ସେଟା ରହିବ । ଆଉ କେଉଁ ଜମିଦାର ହୋଇଥିଲେ ଟଙ୍କା ଲୋଭରେ ଦେଇଦେଇ ଥା’ନ୍ତେ, କିନ୍ତୁ ରାୟସାହେବ ସେମିତି ଲୋକ ନୁହନ୍ତି । ବାପ ଅଜାଙ୍କ ବଂଶମର୍ଯ୍ୟାଦା ସେ ଏବେ ବି ରଖିଛନ୍ତି । ରଜାହୋଇ ଯଦି ପ୍ରଜା ନ ପାଳିଲା ତେବେ ସେ କେଉଁ ରଜାରେ ଲେଖା ?

 

ହୋରୀ ବସି ଏମିତି ସବୁ ଭାବୁଛି, ଦେଖିଲା ଭୋଳା ଗାଈ ପଲେ ନେଇ ସେ ପଡ଼ିଆ ଆଡ଼କୁ ଆସୁଛି । ଭୋଳା ହେଉଛି ପାଖ ଗାଁର ଜଣେ ଗଉଡ଼ । ଦୁଧ ଦହି ତାର ବ୍ୟବସାୟ, ମଝିରେ ମଝିରେ ଗାଈ ବଳଦ ବି ବିକ୍ରୀକରେ । ତା ଗାଈ ପଲରେ ଆଗରେ ଯେଉଁ ଗାଈଟା ଆସୁଥିଲା ତାକୁ ଦେଖି ହୋରୀର ଭାରି ଲୋଭ ହେଲା । ଭାବିଲା, ଭୋଳା ଯଦି ସେଇ ଗାଈଟା ତାକୁ ଦେଇଦିଅନ୍ତା ତେବେ ତା’ର ସବୁ ଚିନ୍ତା ଉଭେଇଯା’ନ୍ତା । ସାଙ୍ଗେ ସାଙ୍ଗେ ଦାମଟା ଦେଇ ନ ପାରିଲେ ବି ଆସ୍ତେ ଆସ୍ତେ ତ ଶୁଝି ଦିଅନ୍ତା । ପ୍ରକୃତରେ ହୋରୀ ଗୋଟାଏ ବଡ଼ ବିଚିତ୍ର ଲୋକ । ହାତରେ ପଇସାଟିଏ ନାଇଁ । ଖଜଣା ମାଗଣ ବାକି, ହଜାରେ ମହାଜନଙ୍କର ବାକି ଯେ ଟଙ୍କାକେ ଅଣାଏ ସୁଧ ବଢ଼ି ଚାଲିଛି, ସେଥିରେ ପୁଣି ତା’ର ଗାଈ କିଣିବାକୁ ମନ । ଗରିବ ହେଲେ ବୋଧହୁଏ ଲୋକ ଆଗ ପଛ, ଲଜ୍ଜା ଅପମାନ ସବୁ ଭୁଲିଯାଏ । କେତେ ସାହୁ ମହାଜନ ଆସି ଟଙ୍କା ମାଗନ୍ତି, କିନ୍ତୁ ହୋରୀ ମୋଟେ ଶୁଣେ ନାହିଁ । ମାଗିବା କଥା କିଏ ପଚାରୁଛି, ମାଡ଼ଗାଳିକୁ ବି ତାର ଖାତର ନ ଥାଏ । ବଡ଼ ଆଶ୍ଚର୍ଯ୍ୟ ଲାଗେ, ହାତରେ ଧନ ନ ଥାଇ ଲୋକେ କେମିତି ପୁଅ ବାହାଘର ପାଇଁ ମନ କରନ୍ତି । ତଥାପି ହୋରୀ ଭଳିଆ ଲୋକଙ୍କର ତ ଏଗୁଡ଼ା ଅଭ୍ୟାସ । ଆଜିଯାଏ ତା ମନରେ ଯେଉଁ ଚିନ୍ତା ଶୋଇ ରହିଥିଲା, ଭୋଳାର ଗାଈକୁ ଦେଖିଲା ପରେ ସେହି ଚିନ୍ତା ତାକୁ ଅଥୟ କରି ପକାଇଲା ।

 

ତା ପରେ ସେ ଭୋଳା ପାଖକୁ ଆଗେଇ ଯାଇ କହିଲା—ଦଣ୍ଡବତ ଭୋଳା ଭାଇ, ଆଜିକାଲି ହାଲଚାଲ ସବୁ କ’ଣ ? ଶୁଣୁଥିଲି, ତମେ ମେଳାରୁ ଗୋଟେ ଗାଈ ଆଣିଛ ? ହୋରୀକଥା ତ ଭୋଳାକୁ ଅଛପା ନଥିଲା । ଟିକିଏ ଆଡ଼ଛଡ଼ ହୋଇ କହିଲା—ହଁ ପୁରୁଣା ଗାଈ ତ ସବୁ ପଡ଼ିଆ ହୋଇଗଲେ, ନାଗୁଆ ଗରାକଙ୍କୁ ତ ଦୁଧ ନ ଦେଲେ ନ ଚଳେ । ଆଉ ଉପାୟ କଣ-? ସେଥିପାଇଁ ଗାଈ ଦି’ଟା, ଆଉ ବାଛୁରୀ ଦି’ଟା ନେଇଆସିଛି ।

 

ଆଗରେ ଯେଉଁ ଗାଈ ଚାଲି ଆସୁଥିଲା ତା ପିଠିରେ ହାତ ପକାଇଦେଇ ହୋରୀ କହିଲା–ଇଏ ତ ଭାରି ଦୁଧିଆଳୀ ଜଣାପଡ଼ୁଛି, କେଇ ଟଙ୍କାକୁ ଆଣିଲ ?

 

‘ଦେଖୁଛ ତ ଆଜିକାଲି ବଜାର ଭାଉ କେମିତି ଚଢ଼ା, ଖାଲି ଗାଈଗୋଟାକୁ ଅଶୀଟଙ୍କା ପଡ଼ିଲା; ବାଛୁରୀ ଦି’ଟାକୁ ତିରିଶ ତିରିଶ ଷାଠିଏ । ଗୋରୁଗାଈ ଆଜିକାଲି ଯେଉଁ ଦାମ୍ ସେଥିରେ ପୁଣି ଗରାକଙ୍କର ଟଙ୍କାରେ ଆଠସେର ଦୁଧ ଚାହି ।’

 

‘ତମର ସେମିତିଆ ସାହସ ବୋଲି ତମେ ଆଣିଲ ନା ! ଦାମ୍ ବହୁତ ହୋଇଛି ସତ, କିନ୍ତୁ ଏ ଖଣ୍ଡ ଚକଡ଼ାରେ ଏମିତିଆ ଗାଈ ଆଉ କାହାରି ନାହାନ୍ତି ।’

 

ପ୍ରଶଂସା ଶୁଣି ଭୋଳା ମନ ଟିକିଏ ଫୁଲିଗଲା । କହିଲା—ରାୟସାହେବ ପରା ଏଇ ଗାଈକି ଶହେଟଙ୍କା, ଆଉ ବାଛୁରୀ ଦିଟାକୁ ପଚାଶ ପଚାଶ ଶହେ ଟଙ୍କା ଯାଚୁଥିଲେ, ମୁଁ ନାହିଁ କଲି-। ଭଗବାନ ଚାହିଁଲେ ଗାଈ ଥରେ କଅଁଳେଇଲେ କାଲିକି କାଲି ଶହେଟଙ୍କା, ମିଛରେ ଦେଇକରି ଲାଭ କ’ଣ ?

 

‘ଏଥିରେ ଆଉ ଭୁଲ ଅଛି ନା ! ତା ଛଡ଼ା ମାଲିକ କେଉଁଠି ପଇସା ଦେଇ ଜିନିଷ ନେଲେଣି ? ମାହୁଳିଆ ମିଳିଲେ ନେଇଯା’ନ୍ତେ । ତମେସିନା ଲୋଭ ଛଡ଼େଇ ଟଙ୍କା ଗଣିଦେଉଛ, ସେମାନେ ଦେବେ କୁଆଡ଼ୁ ? ତମ ଗାଈ ଦେଖି ଏମିତି ମନ ହେଉଛି ସବୁବେଳେ ବସି ତାକୁ ଦେଖୁଥାନ୍ତି । ତମେ ଭାରି କପାଳିଆ ଲୋକ ନା, ସେଥିପାଇଁ ଗାଈଗୋରୁଙ୍କ ସେବାରେ ତମ ଦିନ କଟିଯାଉଛି । ଆମକୁ ତ ଗୋବର ଟିକିଏ ଦେଖିବା ସାତସପନ । ଘରକରି ଯଦି ଗାଈଟାଏ ନାହିଁ, ତେବେ ସେ କେଉଁ ଘରକୁ ଲେଖା ? ବର୍ଷକୁ ବର୍ଷ ଏମିତି ଗଡ଼ି ଚାଲିଛି, ଦୁଧ ଟୋପାକର ଦର୍ଶନ ମିଳୁ ନାହିଁ, ଗୋବରା ମା ସବୁଦିନ ଲଗାଏ, ଗାଈଟାଏ ପାଇଁ ଭୋଳା ଭାଇକୁ କହୁନ କାହିଁକି ? ମୁଁ କହେ ‘ହଁ ଦେଖା ହେଲେ କେବେ କହିବି ।’ କେଜାଣି କାହିଁକି ତମକୁ ତା’ର ଭାରି ପ୍ରଶଂସା । ସେ ବରାବର କହେ, ଏମିତି ମରଦ ମୁଁ କେଉଁଠି ହେଲେ ଦେଖି ନାହିଁ । କଥା କହୁଥିବେ ତ, ତଳକୁ ଅନାଇ, କେବେହେଲେ ଟିକିଏ ମୁହଁ ଟେକି ଅନାଇବେ ନାହିଁ ।’ ଭୋଳାକୁ ତ ପ୍ରଶଂସା ନିଶା ଖୁବ୍ ଲାଗିଥିଲା । ଏସବୁ କଥା ଶୁଣି ଆହୁରି ବଢ଼ିଗଲା । କହିଲା-ପର କଣ ଆପଣା କଣ ବୋହୂଝିଅ ତ ସମସ୍ତଙ୍କର ସମାନ । ମୋର ତ ମନହୁଏ ପର ବୋହୂଝିଅଙ୍କୁ ଯେ ଅନାଏ ତାଙ୍କୁ ଗୁଳି ମାରିଦେବା ଦରକାର ।

 

ହୋରୀ କହିଲା–ଏଇ ଯେଉଁ ପଦକ କହିଲ ୟେ ଜାଣି ଲକ୍ଷେ ଟଙ୍କା । ପର ଇଜ୍ଜତକୁ ଯେ ଆପଣା ଇଜ୍ଜତ ପରି ମନେକରେ, ସେ ପ୍ରକୃତରେ ଠିକ୍ ଲୋକ ।

 

ଭୋଳା କହିଲା–ବୁଝିଲ ହୋରୀ, ପୁରୁଷ ମରିଗଲେ ସ୍ତ୍ରୀ ଯେମିତି ଅନାସ୍ଥା, ସ୍ତ୍ରୀ ମରିଗଲେ ପୁରୁଷ ବି ସେମିତି ଅନାସ୍ଥା । ଝୁନିଆମା ମଲା ଦିନୁ ମୋ ସଂସାର ସରିଗଲା । ଆଜି ଆଉ ମୋତେ ପାଣିଢ଼ାଳେ ଦେବାକୁ କେହି ନାହିଁ ।

 

ହୋରୀ ଆଗରୁ ଜାଣିଥିଲା, ଭୋଳାର ସ୍ତ୍ରୀ ଝାଞ୍ଜିଲଗା ହୋଇ ମରି ଯାଇଥିଲା । କିନ୍ତୁ ସେ ଜାଣି ନଥିଲା ଯେ ଲେଙ୍ଗଡ଼ା ବୁଢ଼ା ଭୋଳା ଭିତରେ ଏତେ ପ୍ରେମ ଅଛି । ସ୍ତ୍ରୀଲାଳସା ଜଳଜଳ ହୋଇ ତା ଆଖିରେ ଫୁଟି ଦିଶୁଥିଲା । ହୋରୀକୁ ଗୋଟାଏ ପଟ ମିଳିଗଲା, ଟିକିଏ ଚଲାକି କରି କହିଲା–ହଁ, ବଡ଼ ବଡ଼ଙ୍କ କଥା କ’ଣ ଆଉ ମିଛ ? କଥା ଅଛି ପରା, ‘ଘରଣୀ ନଥିଲେ ଘର ଭୂତଆଖଡ଼ା !’ ବାହାଘର କ’ଣ ତମର ଆଜିଯାଏ ଆଉ କେଉଁଠି ଠିକ୍ ହୋଇନି ?

 

‘କାହିଁ, ଯୋଗାଡ଼ ତ କରୁଛି, କେହି ତ ଧରାଛୁଆଁ ଦେବାକୁ ନାହିଁ–ପଡ଼ିଲେ ଶହେ ପଚାଶ ଖର୍ଚ୍ଚ କରିବାକୁ ବି ତିଆର, କିନ୍ତୁ ହେଉଛି କାହିଁ ? ଭଗବାନଙ୍କର ଯାହା ବରାଦ ଥିବ ।’

 

‘ଆଚ୍ଛା, ମୁଁ ଟିକିଏ ଏଥର ଦେଖେଁ । ଭଗବାନ ଚାହିଁଲେ ଘର ଦିନକେ ଯୋଡ଼ି ହୋଇଯିବ, କ’ଣ ଅଛି ।’

 

“କାହିଁ ହେଉଛି, ହୋଇଗଲେ ତ ମୁଁ ସବୁ ଜଞ୍ଜାଳରୁ ଉଦ୍ଧାର ପାଇଯା’ନ୍ତି । ଭଗବାନ ଅବା କ’ଣ ନ ଦେଇଛନ୍ତି । ଦିନକୁ ଦଶ କୋଡ଼ିଏ ସେର ଦୁଧ ହେଉଛି, କିନ୍ତୁ ଘରଣୀ ନଥିବାରୁ ସବୁ ଅକାରଣ ।’

 

ହୋରୀ କହିଲା—ଶୁଣୁଛି, ଆମ ଶଶୁରଘରଠାରେ ଜଣେ ସ୍ତ୍ରୀଲୋକ ଅଛି । ତା ଘରଲୋକ ତାକୁ ଛାଡ଼ି ଅନେକ ଦିନୁ କଲିକତା ଚାଲିଗଲାଣି । ବିଚରୀର ପିଲା ପିଚିକା କେହି ନାହାନ୍ତି, କୁଟାକଣ୍ଡା କରି ଚଳାଚଳ ହେଉଛି । କହୁଛନ୍ତି, ଦେଖିବାକୁ ବି ଭାରି ସୁନ୍ଦର । ଆଚ୍ଛା ମୁଁ ଆଗ ବୁଝେଁ ।

 

କଥା ଶୁଣୁ ଶୁଣୁ ଭୋଳାର ନୀରସ ଚେହେରାଟା ସରସ ହୋଇ ଉଠିଲା । ! ଆଶାରେ ପ୍ରାଣ ପୂରି ଉଠିଲା । ଭୋଳା ଚଟକରି କହି ପକାଇଲା–ତମ ଉପରେ ଜାଣି ମୋର ସବୁ ଭରସା, ଦିନଟେ ଚାଲନ୍ତ ବୋଲେ ଯାଇ ଦେଖି ଆସନ୍ତେ ।

 

‘ଆଗ ମୁଁ ସବୁ କଥା ବୁଝେ, ତା’ପରେ ଯିବା ନା ! ତରତର ହେଲେ କାମ ବିଗିଡ଼ିଯିବ ଯେ ।’

 

ନାହିଁ ତରତର ନାହିଁ ଯେ, ତମେ ଯେବେ ଠିକ କରିବ ଯିବା । କଥା ତ ରହିଲା, ଆଚ୍ଛା ଗାଈକଥା କଣ କରିବା କହିଲ ? ଯଦି ଭାବୁଛ, ତେବେ ଏ ଛଇଲି ଗାଈଟାକୁ ଆଜି ନେଇଯା ।’

 

‘ଆଲୋ ବାପ, ଆମ ଭଳିଆ ଗରିବଙ୍କ ପାଇଁ ଏ ଭଳିଆ ଗାଈ ! ୟାକୁ ନେଇ ଆମେ ସମ୍ଭାଳିବୁ କେଉଁଠି ? ଏମିତିଆ ଗାଈ କାହାଠାରୁ ନେଇଯିବା ମାନେ ତା ତଣ୍ଟିରେ ଛୁରୀ ଦେବା । ଆପଣା ଲୋକଙ୍କ ତଣ୍ଟି କାଟିବା ଧର୍ମ ନୁହେଁ । ଏମିତି ତ ଦିହକ ଗଲାଣି, ଆଉ କେଇଟା ଦିନ କ’ଣ ଯାଉ ନାହିଁ ।’

 

‘ତମେ ତ ହୋରୀ ଏମିତିଆ କଥା କହୁଛ ସତେ ଯେମିତି ତମେ ଆମେ ସାତପର । ଗାଈ ଆଗ ନେଇଯା, ତେଣିକି ଯାହା ମନପାଇବ ଦବ । ତମ ଘରେ ରହିଲେ କିଏ ଆମ ଘରେ ରହିଲେ କିଏ ? ସେଥିରେ ଗୋଟାଏ କ’ଣ କଥା ଅଛି । ଦବାକଥା ଯଦି, ମୁଁ ଯେଉଁ ଦାମରେ କିଣିଛି, ତମେ ସେହି ଦାମ ଦେଇଦେବ ।’

 

‘ମୋ ପାଖେ ଏଇନେ ନଗଦ ଟଙ୍କା କାହିଁ ?’

 

‘ନଗଦ ଟଙ୍କା ତମକୁ ମାଗୁଛି କିଏ ?’

 

ଗାଈକଥା ଶୁଣି ହୋରୀମନ କାହିଁରେ କ’ଣ ଖୁସୀ । ଏମିତିଆ ଗାଈକୁ ତ ଅଶୀଟଙ୍କା କିଛି ନୁହେଁ । ଗାଈ ଦେଖିବାକୁ ଯେମିତି, ଗୁଣର ବି ସେମିତି, ଓଳି ମିଶି ଛ’ ସାତ ସେର ଦୁଧ । ତହିଁକି ଏମିତି ସୁବିଧା ଯେ ପିଲାଟାଏ ହେଲେ ବି ଦୁହିଁଦେବ । ଏକା ବାଛୁରୀଟାଏ ହେଲେ ତ ଶହେଟଙ୍କା, ଆଉ କଥା ପଚରୁଛି କିଏ ? କିନ୍ତୁ ହୋରୀସିନା ଗାଈ କିଣିବ, ଟଙ୍କା ଆଣିବ କେଉଁଠୁ ? ଏମିତି ତ ଧାର ଉଧାର ପଣପଣ । କିନ୍ତୁ ହୋରୀ ପକ୍ଷରେ ଏ କିଛି ନୂଆକଥା ନୁହେଁ । ଉଧାର ଟଙ୍କାକୁ ସେ ମାହୁଳିଆ ବୋଲି ମନେକରେ । ଭୋଳାର ବାହାଘରଟା ଯଦି କେଉଁଠି ଜୁଟେଇଦିଏ, ତେବେ ଶୁଝିବାପାଇଁ ଦି’ ବର୍ଷ ଚାଲିଗଲେ ବି କିଏ ପଚାରୁଛି ।

 

ବାହାଘର ନ ହେଲେ ଏବେ ଭୋଳା କ’ଣଟାଏ କରିପକାଇବ ? ଥରକୁ ଦି’ଥର ମାଗିବ, ଖୁବ୍ ହେଲେ ଗାଳିଦେବ, ଆଉ କ’ଣ କରିବ ? ହୋରୀକୁ ଅବା କେଉଁ ଲାଜମାଡ଼ଛି, ଏ ଗୁଡ଼ା ତ ତା’ର ଦେହର ମଳି । ଭୋଳାଠାରୁ ଗାଈ ନେଇଯିବ ଅଥଚ ପଇସା ଦେବ ନାହିଁ, ଏମିତିଆ ଧପାବାଜି ତ ଜୀବନରେ ସେ କେତେ କରିଛି । ଏମିତି କରେ ସିନା କିନ୍ତୁ ବେଳେ ବେଳେ ମନେ ମନେ ଭାରି ଡରେ, କାଳେ ଅନ୍ୟାୟ କଲେ ଭଗବାନ ଦଣ୍ଡ ଦେବେ, କିମ୍ବା ବଢ଼ି ମରୁଡ଼ି କାଳେ ପଡ଼ିଯିବ, କିନ୍ତୁ ଭୋଳା ସଙ୍ଗେ ଠକାଠକି କାରବାର କରିବା ପାଇଁ ତା ମନରେ ଏତେ ଟିକିଏ ହେଲେ ସଂକୋଚ ନଥାଏ । କାରଣ ସେ ଭାବେ, ଏଗୁଡ଼ା ତ ଅନ୍ୟାୟ ନୁହେ ବରଂ ସ୍ଵାର୍ଥ ସିଦ୍ଧି । ସେ ତ ଏମିତି କେତେ ଅନ୍ୟାୟ କରିଛି, ଘରେ ପଇସା ଥାଇ ବି ମହାଜନକୁ ମନାକରି ଦେଇଛି; କେତେବେଳେ, ଝୋଟକୁ ଓଦା କରି, କେତେବେଳେ ତୁଳାରେ ମଞ୍ଜି ପୂରେଇ ଓଜନ କରି ବିକିଛି । ଏଗୁଡ଼ା ତ ଖାଲି ପଇସା ପାଇଁ ସେ କରେ ନାହିଁ, ପରକୁ ଠକି ବାହାଦୁରୀ ନେଇ ଟିକିଏ ମନଖୁସି କରିବାପାଇଁ ବି କରେ । ତା’ଛଡ଼ା ଭୋଳା ଯେମିତିଆ ବେହିୟା ଲୋକ, ସେ ବୁଢ଼ାକାଳରେ ଆହୁରି ବାହାହେବା ପାଇଁ ଯାଉଛି, ତା ଠାରୁ କିଛି ମାରିନେଲେ କ୍ଷତି କ’ଣ ?

 

ନଗଦ ଟଙ୍କା ଦରକାର ନାହିଁ କହି ହୋରୀ ହାତକୁ ପଘା ବଢ଼େଇ ଦେଇ ଭୋଳା କହିଲା,–ଗାଈ ଆଗ ନେଇ ଯା, ପୁଣି ମନେ କରୁଥିବ କେମିତିଆ ଗାଈ । କଅଁଳାଇଲା ମାତ୍ରେ ଛ’ସେର ଦୁଧ । ଆଚ୍ଛା ଚାଲ, ମୁଁ ନେଇ ଛାଡ଼ି ଦେଇ ଆସିବି, ତମକୁ କାଳେ ଅଚିହ୍ନା ଦେଖି ବାଟରେ ହଇରାଣ କରିବ । ଜମିଦାର, ସତରେ ମତେ ନବେ ଟଙ୍କା ଯାଚୁଥିଲେ, କିନ୍ତୁ ମୁଁ ଦେଲି ନାହିଁ । କାହିଁକି ନା ତାଙ୍କ ଘରେ ଗାଈକୁ ପଚାରିବ କିଏ ? ଆମଠୁ ନେବେ, ନେଇକରି କେଉଁ ହାକିମ ହୁକୁମାକୁ ଦେଇଦେବେ । ହାକିମ ସିନା ଖାଲି ରକ୍ତ ଶୋଷି ଜାଣନ୍ତି, କିନ୍ତୁ ଗାଈ ପୋଷିବ କିଏ ? ଦୁଧ ଦେବାଯାକେ ରଖିବେ, ଦୁଧ ସରିଗଲେ କାହାକୁ ବିକି ଦେବେ । ଗାଈ ଯାଇ କାହା ହାତରେ ପଡ଼ିବ କିଛି ଠିକଣା ନାହିଁ । ସଂସାରରେ ଟଙ୍କା ପଇସା ତ ଖାଲି ସବୁ ନୁହେଁ, ମଣିଷର ତ ପୁଣି ଧରମ ବୋଲି ଗୋଟେ ଅଛି । ତମ ପାଖରେ ରହିଲେ ଗାଈ କେଡ଼େ ଆରାମରେ ରହିବ, ତମେ ତା ଖାଇବା ପିଇବା କଥା ବୁଝିବ, ତାକୁ ଆଉଁସା ପାଉଁସା କରିବ । ସେ ଭଲରେ ରହିଲେ ମୋତେ ଆଶୀର୍ବାଦ କରିବ । କ’ଣ କହିବି ଭାଇ, ଆଜିକାଲି ଘରେ ମୁଠେ ହେଲେ ଭୁଷୀ ନାହିଁ । ଗାଈ ଗୋରୁ ଭାରୀ କଲବଲ ହେଉଛନ୍ତି । ହାତରେ କେଉଁ ପଇସା ଅଛି ଯେ କିଣି ପକାଇବି । ଯାହା ତ ରୋଜଗାର ହେଲା ତା ହାଟ ବଜାରକୁ ନିଅଣ୍ଟ । ମହାଜନର ବାକି ପାଉଣା ଅଛି ବୋଲି ସେ ବି ପଇସା ଦେବାକୁ ମନାକଲା । ଏତେଗୁଡ଼ା ଜୀବଙ୍କୁ ବଞ୍ଚେଇବି କେମିତି ସେହି ଚିନ୍ତା ମତେ ମାରୁଛି । ମୁଠେ ମୁଠେ ତ ଖାଇବାକୁ ଦେଲେ ମହଣେ । ଭଗବାନଙ୍କର ଯାହା ବରାଦ ଥିବ ।

 

ହୋରୀ ସହାନୁଭୂତି ଦେଖାଇ କହିଲା, ମତେ ତମେ ଆଗରୁ କହିଲ ନାହିଁ, ମୁଁ ଗାଡ଼ିଏ ଭୁଷୀ ବିକ୍ରୀ କରିଦେଲି ।

 

ଭୋଳା ମୁଣ୍ଡରେ ହାତଦେଇ କହିଲା–ଆରେ ଭାଇ, ଆପଣା ଦୁଃଖ ପର ଆଗରେ ଗାଇ ଲାଭ କ’ଣ ? ଦୁଃଖ ତ କେହି ନେବେ ନାହିଁ, ଖାଲି ଭଗାରୀ ହସିବେ । ପଡ଼ିଆ ଗାଈଙ୍କି ସିନା ଯାହି ତାହି ବଞ୍ଚାଇ ଦେବି, ଦୁହାଁ ଗାଈଙ୍କି ଦାନା ନ ଦେଲେ ବଞ୍ଚିବେ କେମିତି ? ପାଖରେ ଯଦି ଭୁଷୀ ଅଛି କିଣିବା ପାଇଁ ମୋତେ ଦଶ କୋଡ଼ିଏ ଟଙ୍କା ଦେଇଥା ।

 

ଚାଷୀ ଲୋକେ ମହା ଚଲାକ, ନେଲାବେଳକୁ ସିନା ଆଗ କିନ୍ତୁ ଦେଲା ବେଳକୁ ଭାରି କସାକସି । ମହାଜନଠାରୁ ଅଧଲାଟାଏ କଟାଇ ଦେବାପାଇଁ ଦିନଯାକ ଲାଗିଥିବେ । ତାଙ୍କ ମନ ନ ବୁଝିଲା ଯାକ ତାଙ୍କୁ ହାତର କରିବା ମହାକଷ୍ଟ । ସେମାନେ ଭାରି ସ୍ଵାର୍ଥପର, ତଥାପି ବେଳେବେଳେ ସେମାନେ ପ୍ରକୃତି ପରି ଉଦାର । ଗଛରେ ଫଳ ଫଳେ, ଗଛ ତ ଖାଏ ନାହିଁ, ଲୋକେ ଖା’ନ୍ତି । ମେଘରୁ ପାଣି ବରଷା ହୁଏ, ମେଘ ତ ଶୀତଳ ହୁଏ ନାହିଁ, ପୃଥିବୀ ଶୀତଳ ହୁଏ । ସେମିତି ଚାଷୀ ତ ଫସଲ କରେ, କିନ୍ତୁ ତାର କିଛି ହୁଏ ନାହିଁ, ଦୁନିଆ ଲୋକେ ଖାଇ ସୁସ୍ଥ ହୁଅନ୍ତି । ହୋରୀ ତ ସେହିପରି ଜଣେ ଚାଷୀ । ପର ଘରପୋଡ଼ି ନିଆଁରେ ହାତ ସେକିବା ତାର ଅଭ୍ୟାସ ନୁହେଁ । ଭୋଳାର ଅଭାବ କଥା ଶୁଣିଲାମାତ୍ରେ ସେ ସାଙ୍ଗେ ସାଙ୍ଗେ ଭୋଳା ହାତକୁ ପଘା ବଢ଼ାଇ ଦେଇ କହିଲା–ନାହିଁ, ଗାଈ ନବାକଥା ହେବ ନାହିଁ ଏକେତ ମୋ ପାଖେ ପଇସା ନାହିଁ, ତାଛଡ଼ା ତମେ ଭୁଷୀ କିଣିବାପାଇଁ ଗାଈ ବିକିବ, ଆଉ ମୁଁ ସେ ଗାଈକୁ ନେବି, ମୋ ହାତଗୋଡ଼ ଛିଡ଼ି ପଡ଼ିବ ନାହିଁ-? ଗାଈ ବିକିବ କାହିଁକି, ମୋ ପାଖେ ଅଳ୍ପ ଗଣ୍ଡେ ଭୁଷୀ ଅଛି ନେଇକରି ଆଗ କାମ ଚଳେଇ ଦିଅ-

 

‘ତମର ଏମିତି କେତେ ଭୁଷୀ ଅଛି ଯେ ଦେବ, ତମ ଗୋରୁ ପୁଣି ଖାଇବେ କ’ଣ ?’

 

‘ହଁ ସେ କଥା ତ ଦେଖାଯିବ, ଆମର ଏ ବର୍ଷ ଭୁଷୀଗଣ୍ଡେ ବେଶୀ କରି ହୋଇଥିଲା ।’

 

ଭୋଳା ଟିକିଏ ମନ ଦୁଃଖ କଲାଭଳି କହିଲା–ଛି, ମିଛରେ କାହିଁକି ତମକୁ ଏସବୁ କଥା କହି ଏତେ ହଇରାଣ କରନ୍ତି ।

 

‘ହଁ ତମେ ନ କହିଥିଲେ ବି ପଛରେ ପୁଣି ତ ମୁଁ ଜାଣିଥାନ୍ତି, ମୋତେ କେଡ଼େ ଖରାପ ଲାଗିଥାନ୍ତା । ଦରକାର ବେଳେ ଭାଇ ଭାଇକୁ ସାହାଯ୍ୟ ନ କଲେ ଦୁନିଆ ଚଳିବ କେମିତି ?’

 

ଭୋଳା ମନ ଏକଦମ ତରଳିପଡ଼ିଲା । ସେ ସାଙ୍ଗେ ସାଙ୍ଗେ କହିଲା–ନାହିଁ, ଆଉ ଗାଈ ନ ନେବା କଥା ହେବ ନାହିଁ, ତମେ ଆଜି ଗାଈ ନେଇ ଯା ।

 

‘ନାହିଁ, ଆଜି ନେବି ନାହିଁ, ଆଉ ଦିନେ ଆସି ନେଇଯିବି ।’

 

‘ତା’ ହେଲେ ଭୁଷୀ ପଇସା ତମ ଦୁଧ ହିସାବରୁ କଟାଇନେବ ।’

 

‘ଭୁଷୀ ଗଣ୍ଡାକ ପାଇଁ ପଇସା ଗୋଟେ କ’ଣ ମ । ତମ ଘରେ ଦି’ ବତକ ଖାଇଦେଲେ କ’ଣ ତମେ ମୋଠୁ ପଇସା ନିଅନ୍ତ ?’

 

‘ନାହିଁ ସେ କଥା ନୁହେଁ ଯେ, ତମ ଗୋରୁ ପୁଣି ଖାଇବେ କ’ଣ ?’

 

‘ଭଗବାନ ସେଥିପାଇଁ ଅଛନ୍ତି, ସେ କ’ଣ କୌଣସି ଉପାୟ ଜୁଟାଇ ଦେବେନି । ଆଷାଢ଼ ତ ଆସି ମୁଣ୍ଡ ଉପରେ ହେଲାଣି, ଏଥର କ’ଣ ଭୁଷୀ ହୋଇଯିବନି ?’

 

‘ଆଚ୍ଛା, ସେ ଯାହାହେଉ ଏ ଗାଈ ଆଜିଠାରୁ ତମର ହେଲା, ଏଣିକି ତମ ମନ ଯେଉଁଦିନ ହେବ ଆସି ନେଇଯିବ ?’

 

‘ନାହିଁ, ୟା ଭିତରେ ନେବା କଥା ହେବନାହିଁ । ନିଲାମରେ ଗାଈଗୋରୁ ଧରିବା ଯେଉଁ ପାପ, ତମ ଅଭାବ ବେଳେ ତମଠୁ ଗାଈ ନେଇଯିବା ସେହି ପାପ । ମୁଁ ସେ ପାପ କେଭେଁ କରିବାପାଇଁ ଯିବି ନାହିଁ ।’

 

ଅସଲ କଥା ହେଉଛି, ଭୋଳା କି ଗାଈ ଦେବା ଲୋକ ! ହୋରୀ କେମିତି ତା ବାହାଘରଟା ଜୁଟାଇଦେବ, ସେଥିପାଇଁ ସେ ଗାଈଟା ଦେବ ବୋଲି ମଙ୍ଗିଯାଇଥିଲା । ହୋରୀ ଯଦି ଏ ମରମଟା ବୁଝି ପାରିଥାନ୍ତା, ତେବେ ସେ ଗାଈ ଧରି ସିଧା ବାଟେ ବାଟେ ଘରକୁ ଯାଇଥାନ୍ତା । ତାର ଜାଣିବା ଉଚିତ ଥିଲା ଯେ ଭୋଳା ଭଳିଆ ଲୋକ ଯେତେବେଳେ ନଗଦ ଟଙ୍କା ନ ନେଇ ଗାଈ ଦେଉଛି, ନିଶ୍ଚୟ ସେଥିରେ କିଛି ମତଲବ ଅଛି । ପତର ଖଡ଼୍ କିନା ହେଲେ ଘୋଡ଼ା ଯେମିତି ଚମକି ପଡ଼େ, ଡରରେ ଆଉ ଆଗକୁ ପାଦ କାଢ଼େ ନାହିଁ, ହୋରୀ ସେମିତି ଭୋଳାର ବିପତ୍ତି କଥା ଶୁଣିଲା ମାତ୍ରେ ଗାଈ ନେବାକୁ ଆଉ ମଙ୍ଗିଲା ନାହିଁ । କୌଣସି ଲୋକ ବିପଦରେ ପଡ଼ିଥିଲା ବେଳେ ତା ଜିନିଷ ନେବା ହୋରୀ ପକ୍ଷରେ ଅସମ୍ଭବ । ଏହା ତାର ଜନ୍ମଗତ ପ୍ରକୃତି ।

 

ହୋରୀ କଥା ଶୁଣି ଭୋଳା ଖୁସି ହୋଇ କହିଲା–ଆଚ୍ଛା, ତାହା ହେଲେ ଭୁଷୀ ପାଇଁ ତମ ପାଖକୁ କାହାକୁ ପଠାଇ ଦେବି ନା କ’ଣ ?

 

‘ହଁ, ପଠାଇ ଦେବ । ମୁଁ ତ ଏଇତି ଜମିଦାରଙ୍କ ପାଖକୁ ଯାଉଛି । ଘଣ୍ଟା ଗୋଟାକରେ ଫେରି ଆସିବି । ତା’ ପରେ କେହି ଆସିଲେ ନେଇଯିବ ।’

 

କୃତଜ୍ଞତାରେ ଭୋଳାର ଆଖି ଭରି ଉଠିଲା । ସେ କହିଲା,–ହୋରୀ ଭାଇ, ତମେ ଜାଣି ମୋର ମହତ ରଖିଲ । ଏବେ ମୁଁ ଜାଣିଲି ମୋ ଭଳିଆ ଲୋକଙ୍କୁ ବି ଆଶ୍ରା ଦେବାପାଇଁ ଦୁନିଆରେ ଲୋକ ଅଛନ୍ତି । ଟିକିଏ ଅଟକି ଯାଇ ପୁଣି କହିଲା,–ଆଉ ଦେଖ, ସେ କଥାଟା ଯେମିତି ଟିକିଏ ଭୁଲି ନ ଯା ।

 

ହୋରୀ ଚାଲିଗଲା । ମନରେ ତାର ଭାରି ଆନନ୍ଦ, ଭାରି ଫୁର୍ତ୍ତି । ଭାବିଲା, ଭୁଷୀ ଦି’ଚାରି ମହଣ ଚାଲିଯିବ ସିନା ଲୋକଟା ତା ବିପଦରୁ ଉଦ୍ଧାର ପାଇଯିବ । ପୁଣି ହାତରେ ପଇସା ହୋଇଗଲେ ଯାଇ ଗାଈ ନେଇ ଆସିବ । ଭଗବାନଙ୍କ ଦୟାରୁ ଭୋଳାପାଇଁ ମାଇପିଟାଏ କେଉଁଠୁ ଜୁଟିଗଲେ ଆଉ ପରୁଆ କ’ଣ ?

 

ହୋରୀ ପଛକୁ ଅନାଇ ଦେଖିଲା, ଛଇଲି ଗାଈ ଲାଞ୍ଜ ବିଞ୍ଚି ବିଞ୍ଚି ମୁଣ୍ଡ ହଲେଇ ହଲେଇ ବଡ଼ ସରାଗରେ ଚାଲି ଯାଉଛି, ସତେ ଯେମିତି ଦାସୀଙ୍କ ମେଳରେ ରାଣୀ । ରାଣୀ ଯେଉଁଦିନ ଆସି ତା ଦୁଆରେ ବନ୍ଧା ହେବ ସେଦିନ କେଡ଼େ ସୌଭାଗ୍ୟ ତାର ନ ହବ ସତେ !

Image

 

ଦ୍ଵିତୀୟ ପରିଚ୍ଛେଦ

 

ସୋମପୁର ଆଉ ବୋଲପୁର ଦୁଇଟି ଗାଁ । ଦି’ ଗାଁ ଭିତରେ ମୋଟେ ପାଞ୍ଚ ମାଇଲ ଅନ୍ତର । ହୋରୀ ରହେ ବୋଲପୁରରେ ଆଉ ସୋମପୁରରେ ରହନ୍ତି ଜମିଦାର ରାୟସାହେବ ଅମରପାଳ ସିଂ । ଗଲା ସତ୍ୟାଗ୍ରହ ଆନ୍ଦୋଳନ ଠାରୁ ରାୟସାହେବଙ୍କର ଭାରି ନାଁ । ଲାଟସଭାରୁ ଇସ୍ତଫା ଦେଇ ଯେତେବେଳେ ସେ ଜେଲ୍ ଢୁକିଲେ ସେତେବେଳେ ତାଙ୍କ ଖାତିର ଆହୁରି ବଢ଼ିଗଲା-। ତାଙ୍କ ରାଜ୍ୟରେ ଖଜଣା, ମାଗଣ, ବେଠି ବେଗାରୀ, ଅତ୍ୟାଚାର ଯେ କମ୍ ଥିଲା ଏମିତି କିଛି ନୁହେଁ, କିନ୍ତୁ ସେସବୁ ହାକିମ ହୁକୁମାଙ୍କ ମୁଣ୍ଡରେ ଯାଉଥିଲା । ରାୟସାହେବଙ୍କୁ ସେଥିପାଇଁ କେହି ଦାୟୀ କରୁ ନଥିଲେ, ବରଂ ଲୋକେ ଭାବୁଥିଲେ ଜମିଦାରଙ୍କର କଣ ଚାରା ଅଛି, ସେ ତ ହୁକୁମର ଚାକର । ଇଲାକା ପୂର୍ବ ପୁରୁଷରୁ ଯେମିତି ଚଳି ଆସୁଛି, ସେମିତି ଚଳିବ । ଜମିଦାର ଯେଡ଼େ ଭଲ ଲୋକ ହେଲେ ବି ସରକାରୀ ଆଇନ ତ ବଦଳାଇ ପାରିବେ ନାହିଁ । ସେଥିପାଇଁ ଏଣେ ଜମିଦାରଙ୍କର ନାଁକୁ ନାଁ, ତେଣେ ରୋଜଗାରକୁ ରୋଜଗାର, ଅଧଲାଟାଏ ବି କୁଆଡ଼େ କମିବାର ନଥିଲା । ବରଂ ଜମିଦାରଙ୍କୁ ଲୋକଙ୍କର ଭାରି ଟେକ, କାରଣ ସେ ଲୋକଙ୍କୁ ହସିକରି କଥା କହନ୍ତି-। ଜମିଦାର ହସିକରି କଥା କହିବେ, ୟେ ତ କିଛି କମ୍ କଥା ନୁହେଁ ! ଶିକାର କରିବା ତ ସିଂହର କାମ-। କିନ୍ତୁ ସିଂହ ଯଦି ହସି ହସି ମିଠାକଥା କହିପାରୁଥାନ୍ତା, ତେବେ ଘରେ ବସି ବି ମନଇଚ୍ଛା ଶିକାର ଖାଇପାରିଥାନ୍ତା, ବଣ ଜଙ୍ଗଲରେ ତାକୁ ଧାଇଁବାକୁ ପଡ଼ୁ ନଥାନ୍ତା ।

 

ରାୟସାହେବ ପ୍ରଜାଙ୍କ ସଙ୍ଗେ ଯେମିତି, ତେଣେ ହାକିମଙ୍କ ସଙ୍ଗେ ସେମିତି । ପ୍ରଜାଙ୍କର ଯେମିତି ସେ ହିତ ଚାହାନ୍ତି, ହାକିମମାନଙ୍କୁ ସେମିତି ହାତରେ ରଖିବାକୁ ଚାହାନ୍ତି । ତେଣୁ ହାକିମଲୋକଙ୍କ ଡାଲା ପାଉଣା ଯାହାସବୁ ତାଙ୍କୁ ଠିକ୍‍ ଠିକ୍‍ ବୁଝେଇ ଦିଅନ୍ତି । ସାହିତ୍ୟ, ସଙ୍ଗୀତ, ଡ୍ରାମା ସବୁଥିରେ ତାଙ୍କର ଭାରି ସଉକ । ସେଥିପାଇଁ ଦଶବର୍ଷ ହେଲା ସ୍ତ୍ରୀ ମଲେଣି ପଛେ, ସେ ଆଉ ବାହାହେବାକୁ ମନକରୁ ନାହାନ୍ତି । ବରଂ ଲୋକଙ୍କ ସଙ୍ଗେ ମିଳିମିଶି ହସଖୁସିରେ କୌଣସିମତେ ଦିନ କଟାଇ ଦେଉଛନ୍ତି ।

 

ହୋରୀ ଯାଇ ଯେତେବେଳେ ଜମିଦାରଙ୍କ ଫାଟକ ପାଖରେ ପହଞ୍ଚିଲା, ଦେଖିଲା ଧନୁଯଜ୍ଞ ଯାତ୍ରା ପାଇଁ ଭାରି କାମଦାମ ଲାଗିଛି । କେଉଁଠି ରଙ୍ଗମଞ୍ଚ ତ କେଉଁଠି ମଣ୍ଡପ ତିଆରି ହେଉଛି, କେଉଁଠି ଅତିଥି ଅଭ୍ୟାଗତଙ୍କ ପାଇଁ ଅବା କେଉଁଠି ଦୋକାନୀଙ୍କ ପାଇଁ ଘର ତିଆରି ଲାଗିଛି । ରାୟସାହେବ, ବାପ ଅଜାଙ୍କଠାରୁ ରାଜ୍ୟ ଯେମିତି ପାଇଥିଲେ ରାମଭକ୍ତି ବି ସେମିତି ଶିଖିଥିଲେ । ରାମଚନ୍ଦ୍ର ମହାପ୍ରଭୁଙ୍କଠାରେ ତାଙ୍କର ପ୍ରଗାଢ଼ ଭକ୍ତି । ପ୍ରତିବର୍ଷ ଜ୍ୟେଷ୍ଠ ମାସରେ ସେ ଧନୁଯଜ୍ଞ ଯାତ୍ରା କରାନ୍ତି । ଇଲାକା ଲୋକେ ଦେଖି ଭାରି ଖୁସି ହୁଅନ୍ତି । ଧନୁଯାତ୍ରାକୁ ଜମିଦାରଙ୍କ ବନ୍ଧୁବାନ୍ଧବ ସବୁ ଆସି ଜମା ହୁଅନ୍ତି, ଦୁଇଦିନ ଯାଏ ଖୁବ୍ ଧୁମଧାମ୍ ଲାଗେ ।

 

ରାୟସାହେବଙ୍କର ମସ୍ତବଡ଼ ପରିବାର । ଏକାଥରକେ ପ୍ରାୟ ଦେଢ଼ଶ ଲୋକ ଖାଇ ବସନ୍ତି; କିଏ ଦାଦା, କିଏ ଦାଦିପୁଅ, କିଏ ନିଜ ଭାଇ, କିଏ ଅବା ଲେଖାଯୋଖା ଭାଇ । ଜଣେ ଦାଦା ତାଙ୍କର ଭାରି ରାଧାଭକ୍ତ, ସବୁବେଳେ ସେ ବୃନ୍ଦାବନରେ ରହନ୍ତି । ସେ ରାଧାକୃଷ୍ଣଙ୍କ ନାଁ ରେ ଶହ ଶହ ଗୀତ ଛପେଇ ଆପଣା ସାଙ୍ଗସାଥିଙ୍କ ଭିତରେ ବାଣ୍ଟନ୍ତି । ଆଉ ଜଣେ ଦାଦା ତାଙ୍କୁ ବଳିକରି ରାମଭକ୍ତ । ସେ ବସି ବସି ହିନ୍ଦୀ ରାମାୟଣକୁ ପାର୍ସୀ ଭାଷାରେ ଲେଖନ୍ତି । କାହାରି ତ କିଛି କାମ ନଥାଏ । ସମସ୍ତେ ଜମିଦାରୀ ଟଙ୍କାରୁ ମାସକୁ ମାସ ଭତ୍ତା ପାଇ ଆରାମରେ ଥା’ନ୍ତି । ଭତ୍ତାରେ ମଳିଧୂଳି ଲାଗେ ନାହିଁ, କି ଦେହରୁ ଝାଳ ବି ବୁହେ ନାହିଁ ।

 

ହୋରୀ ମଣ୍ଡପ ପାଖରେ ଛିଡ଼ାହୋଇ ଜମିଦାରଙ୍କୁ ଦର୍ଶନ କରିବ ବୋଲି ମନେ ମନେ ଭାବୁଛି, ହଠାତ୍ ଜମିଦାର ଆସି ପହଞ୍ଚିଗଲେ । ହୋରୀକୁ ଦେଖିଲା ମାତ୍ରେ କହିଲେ–ଆରେ, ତୁ ଆସିଗଲୁଣି, ମୁଁ ତ ଏଇନେ ତୋ ପାଖକୁ ଲୋକ ପଠାଉଥିଲି । ଦେଖ, ଏଥର ଧନୁଯାତ୍ରାରେ ତତେ ଜନକ ରଜାଙ୍କ ମାଳି ପାର୍ଟ ନେବାକୁ ହେବ । ତୁ ଫୁଲଡ଼ାଲା ଧରି ମନ୍ଦିର ଭିତରେ ଠିଆ ହୋଇଥିବୁ-। ସୀତା ଯେତେବେଳେ ପୂଜା କରିବାପାଇଁ ମନ୍ଦିରକୁ ଆସିବେ ସେତେବେଳେ ତାଙ୍କ ହାତକୁ ଡାଲା ବଢ଼ାଇ ଦେବୁ । ସାବଧାନ, ଭୁଲବଟକା ଯେମିତି ନ କରୁ । ହଁ, ଆଉ ଗୋଟାଏ କଥା, ଗାଁରେ ପ୍ରଜାମାନଙ୍କୁ ତାଗିଦ କରିଦେବୁ ଭେଟି କରିବାପାଇଁ ସମସ୍ତେ ଯେମିତି ଆସିବେ । ଆଚ୍ଛା, ହେଉ ମୋ ସାଙ୍ଗରେ ଆ, ତୋ ସଙ୍ଗେ ଆଉ ଟିକିଏ କଥାବାର୍ତ୍ତା ଅଛି ।

 

ଜମିଦାର ଗଲେ, ତାଙ୍କ ପଛେ ପଛେ ହୋରୀ ବି ଗଲା । ଘର ପାଖରେ ଗୋଟାଏ ଗଛ ଛାଇରେ ଜମିଦାର ସାହେବ ଚଉକୀ ପକାଇ ବସିଲେ ଆଉ ଭୂଇଁରେ ବସିବାପାଇଁ ହୋରୀକୁ ଠାରିଦେଲେ । ହୋରୀ ବସିଲା ମାତ୍ରେ ଜମିଦାର କହିଲେ,–ମୁଁ ତତେ କ’ଣ କହିଲି ବୁଝିଲୁ ତ ? ଗୁମାସ୍ତା ତ ଗାଁ ଭିତରକୁ ଯିବ, ଲୋକଙ୍କୁ ସବୁ କହିବ, ତଥାପି ପ୍ରଜାଙ୍କ କଥା ପ୍ରଜାଲୋକେ ଯେମିତି ଶୁଣିବେ, ଗୁମାସ୍ତା କଥା କ’ଣ ଶୁଣିବେ ? ତୁ ତ ଜାଣୁ ଏଇ ପାଞ୍ଚ ସାତଦିନ ଭିତରେ ମୋର କୋଡ଼ିଏ ହଜାର ଟଙ୍କା ଦରକାର, କିନ୍ତୁ ଏତେ ଟଙ୍କା କେଉଁଠୁ ଆସିବ ମୁଁ ତ ଭାବିପାରୁ ନାହିଁ । ତୁ ଅବା ଭାବୁଥିବୁ ଜମିଦାର ଏଡ଼େ ବଡ଼ ଲୋକ ହୋଇ ମୋଭଳିଆ ଅରକ୍ଷିତଙ୍କ ଆଗରେ ଦୁଃଖ କହୁଛନ୍ତି କାହିଁକି ? କିନ୍ତୁ ତୋ ଆଗରେ କହିବି ନାହିଁ ତ ଆଉ କାହା ଆଗରେ ମନକଥା କହିବି, କିଏ ଅଛି କିଏ ଶୁଣିବ ? କେଜାଣି କାହିଁକି ତୋ ଉପରେ ମୋର ଭାରି ବିଶ୍ଵାସ, ତୋ ପାଖରେ ମୋର ଲୁଚାଛପା କିଛି ନାହିଁ । ତୁ ହୁଏତ ମୋ ଦୁଃଖ ଶୁଣି ମନେ ମନେ ହସିବୁ । କିନ୍ତୁ ତୋ ହସକୁ ମୋର ଡର ନାହିଁ, ତୋ ପରିହାସ ମୁଁ ବରଦାସ୍ତ କରିବାପାଇଁ ରାଜି । କିନ୍ତୁ ଅନ୍ୟ କୌଣସି ଜମିଦାରଙ୍କ ହସ ପରିହାସ ବରଦାସ୍ତ କରିବାପାଇଁ ମୁଁ ରାଜି ନୁହେଁ । ସେମାନେ ଆମ ସମାସ୍କନ୍ଦ ଲୋକ ନା, ସେଥିପାଇଁ ତାଙ୍କ ଥଟ୍ଟାପରିହାସ ଆମକୁ ଭାରି ବାଧେ । ତାଙ୍କ ପରିହାସ ଭିତରେ ଈର୍ଷା ଥାଏ । ସେହି ଈର୍ଷା ମଣିଷକୁ ଜାଳିପୋଡ଼ି ମାରିପକାଏ । ଆଉ ବଡ଼ ଗୋଟିଏ କଥା,–ସେମାନେ ଆମକୁ ଏବେ ନ ହସିବେ କିଆଁ, ତାଙ୍କର ବିପତ୍ତି ପଡ଼ିଲେ ଆମେ ତ ପୁଣି ତାଳିମାରି ହସୁଁ । ଜାଣିଥିବୁ, ସମ୍ପତ୍ତି ଆଉ ସହାନୁଭୂତି ଏମାନେ କେବେ ଏକାଠି ରହିପାରିବେ ନାହିଁ । ତୁ ଏବେ କହିବୁ, ସହାନୁଭୂତି ନାହିଁ ତ ଆମେ ପୁଣି ଏତେ ଦାନଧର୍ମ କରୁଛୁଁ କେମିତି ? କିନ୍ତୁ ତୁ ଜାଣୁ ଆମେ ପ୍ରକୃତରେ ଦାନଧର୍ମ କରୁ କାହିଁକି ? ଖାଲି ଆମ ସମାସ୍କନ୍ଦ ଲୋକଙ୍କ ଠାରୁ ବଡ଼ ହେବାପାଇଁ । ଆମେ ଯେଉଁ ଦାନଧର୍ମ କରୁ ସେ ଖାଲି ଲୋକଦେଖାଣ, ଖାଲି ଅହଙ୍କାର, ତା ଛଡ଼ା ଆଉ କିଛି ନୁହେଁ । ଆମ ଭିତରୁ ଯଦି କୌଣସି ଜମିଦାର ଉପରେ କେବେ କୋରଖ ଡିଗ୍ରୀଜାରୀ ଆସିଯାଏ, ପାଉଣା ଦେଇ ନ ପାରି କେହି ହାଜତରେ ଢୁକିଯାଏ, ଯଦି କାହାର ଭେଣ୍ଡାପୁଅ ମରିଯାଏ, କିମ୍ବା ବିଧବାବୋହୂ ଘରଛାଡ଼ି ପଳାଏ, କିମ୍ବା କାହା ଘରେ ନିଆଁ ଲାଗିଯାଏ, କିମ୍ବା କେହି ବେଶ୍ୟା ପାଖରେ ଠକେଇରେ ପଡ଼ିଯାଏ ବା ପ୍ରଜାଙ୍କ ହାତରେ ମାଡ଼ଖାଏ, ତେବେ ଆମ ଆନନ୍ଦ ଦେଖେ କିଏ । ସତେ ଯେମିତି କୋଟିଏ ଟଙ୍କା ଆମକୁ ମିଳିଗଲା ! ଭିତରେ ସିନା ଆମର ଏମିତି, କିନ୍ତୁ ବାହାରେ ଯଦି କିଏ ଆମକୁ ଦେଖିବ, ତେବେ ସେ ଭାବିବ ସତେ ଯେମିତି ଆମ ଦେହରୁ ଝାଳଟୋପେ ବୋହିଗଲେ ଆମ ଭାଇମାନଙ୍କ ଦେହରୁ ରକତ ବୋହିଯାଉଛି । ଆରେ ଆଉ ଲୋକଙ୍କ କଥା କ’ଣ କହିବି, ଯେଉଁ ମାଉସୀ–ପୁଅ, ପିଉସୀ ପୁଅ, ଦାଦିପୁଅ, ମାମୁଁ ପୁଅ ଭାଇସବୁ ମୋ’ରି ଜମିଦାରୀ ଟଙ୍କାରେ ମଜା ଉଠାଉଛନ୍ତି, ଜୁଆ ଖେଳୁଛନ୍ତି, ମଦ ପିଉଛନ୍ତି, ଅଏଶୀ କରୁଛନ୍ତି ସେମାନେ ବି ମତେ ଦେଖି ସହିପାରନ୍ତି ନାହିଁ । ମୁଁ ଆଜି ମରିଗଲେ ସେମାନେ ବୋଧହୁଏ ଆନନ୍ଦରେ ବସି ଘିଅଦୀପ ଜାଳେନ୍ତେ । ମୋ ଦୁଃଖକୁ ଦୁଃଖ ବୋଲି ବୁଝିବାକୁ ଦୁନିଆରେ କେହି ନାହିଁ । ମୁଁ କାନ୍ଦିଲେ ସେମାନେ ଭାବନ୍ତି ମୁଁ ଛଳନା କରୁଛି, ମୋତେ ରୋଗ ହେଲେ ସେମାନେ କହନ୍ତି ମୁଁ ଭୋଗ କରୁଛି । ଘରେ କେମିତି କଳି ଅନର୍ଥ ନ ହେଉ, ସେଥିପାଇଁ ମୁଁ ଆଉଥରେ ବାହା ହେଲି ନାହିଁ । ସେମାନେ କହନ୍ତି ମୁଁ ଭାରୀ ସ୍ୱାର୍ଥପର ! ଯଦି ଏଇନେ ମୁଁ ବାହା ହୋଇ ପଡ଼ନ୍ତି, ତେବେ କହନ୍ତେ ନୀଚବ୍ୟସନୀ । କେଉଁ କଥାରେ ଏବେ ମଣିଷ ମରିବ ! ଯଦି ମଦ ନ ପିଉଛି ତେବେ କହୁଛନ୍ତି କୃପଣ, ଯଦି ପିଉଛି ତେବେ କହିବେ ପ୍ରଜାଙ୍କ ରକ୍ତ ପିଉଛି । ଅଏଶୀ କରୁନାହିଁ ବୋଲି ତ କହୁଛନ୍ତି ବେରସିକ, ପୁଣି କରିବସିଲେ କ’ଣ କୁହନ୍ତେ କିଛି ଠିକଣା ନାହିଁ । ମୋତେ ତ ଭୋଗବିଳାସରେ ଫସେଇବା ପାଇଁ ଲୋକେ କମ୍ ଚେଷ୍ଟା କରି ନାହାନ୍ତି, ଏବେ ବି କରୁଛନ୍ତି । ଏମାନଙ୍କର ଇଚ୍ଛା, ମୁଁ ଅନ୍ଧ ହୋଇଯା’ନ୍ତି, ଆଉ ଏମାନେ ଲୁଟି କରି ମୋତେ ଖାଆନ୍ତେ । ସବୁ କଥାକୁ ଏବେ ମୁଁ ଆଖି ବୁଜି ଦେଇଛି, ଦେଖି ନ ଦେଖିଲା ପରି, ଜାଣି ନ ଜାଣିଲା ପରି ରହିଯାଉଛି-। ୟା ଛଡ଼ା ମୋର ଆଉ ଉପାୟ ଅଛି କ’ଣ ?

ଏତିକି କହି ଜମିଦାର ସାହେବ ପାନଖଣ୍ଡେ ପାଟିରେ ପୁରାଇ ହୋରୀ ଆଡ଼କୁ ଅନେଇ ରହିଲା ହୋରୀ କ’ଣ କହିବ ।

ଜମିଦାରଙ୍କଠୁ ଆଦର ପାଇ ହୋରୀ ମନରେ ଟିକିଏ ସାହସ ଆସିଲା; କହିଲା,–ହଜୁର, ଆମେ ସବୁ ଭାବୁ ଖାଲି ଆମ ଗରିବଙ୍କ ଘରେ କଳିକଜିଆ, ବାଡ଼ିଆପିଟା, ବାଦ ବିବାଦ ସବୁ ଅଛି-। ହେଲେ, ଦେଖୁଛି ବଡ଼ବଡ଼ିଆଙ୍କ ଘରେ ତ କମ୍ ନାହିଁ !

ପାନଖଣ୍ଡକ କଳରେ ଯାକିଦେଇ ରାୟ ସାହେବ କହିଲେ,–ଆରେ, ବଡ଼ଲୋକ କିଏ ମ-! ତମେ ସିନା ଭାବ ଆମେ ସବୁ ବଡ଼ଲୋକ, ନହିଲେ, ଆମର ଖାଲି ନାମବଡ଼ା, କିନ୍ତୁ ଦର୍ଶନ ଥୋଡ଼ା ! ତମ ଗରିବଙ୍କ ଭିତରେ ଯେଉଁ ବାଦ ଅହଂକାର, ଯେଉଁ ଈର୍ଷା ସେ’ତ ଆପଣା ପେଟ ପାଇଁ, ଆପଣା ସ୍ଵାର୍ଥ ପାଇଁ, ସେମିତିକା ବାଦ ଅହଂକାରକୁ ଲୋକ କ୍ଷମା କରିପାରେ । କେହି ଯଦି ମୋ ପାଟିରୁ ମୋ ଖାଇବା ଆହାର ଛଡ଼ାଇ ନିଏ, ତେବେ ତାକୁ ଧକାମାରି ବାହାର କରିଦେବା ତ ମୋର ଧର୍ମ । ତା ଯଦି ମୁଁ ନ କରେ, ତେବେ ତ ମୋତେ ଦେବତା ବୋଲି କହିବାକୁ ହେବ । କିନ୍ତୁ ଆମ ବଡ଼ଲୋକଙ୍କ ଭିତରେ ଯେଉଁ ଈର୍ଷା, ଯେଉଁ ଶତ୍ରୁତା, ସେ ତ ପେଟ ପାଇଁ ନୁହେଁ, ସେ ଖାଲି ମନଖୁସି କରିବା ପାଇଁ । ନୀଚ କୁଟୀଳତାରୁ ଆମକୁ ମିଳେ ପରମ ଆନନ୍ଦ । ଆମେ ସବୁ ଏମିତି ପାଲଟିଗଲୁଣି ଯେ ପର କାନ୍ଦ ଶୁଣିଲେ ଆମକୁ ହସ ମାଡ଼େ । ଏ’ତ କିଛି କମ୍ ସାଧନା ନୁହେଁ !

ଆହୁରି ଗୋଟାଏ କଥା ଶୁଣିଛୁ–ଆମର ତ ପୁଣି ବଡ଼ କୁଟୁମ୍ବ; ସବୁବେଳେ କେହି ନା କେହି ଜଣେ ରୋଗରେ ପଡ଼ିଥିବ । ବଡ଼ଲୋକର ପୁଣି ରୋଗ ବଡ଼ । ଛୋଟିଆ ରୋଗ ଥାଇ କେହି କେବେ ବଡ଼ଲୋକ ହୋଇ ନାହିଁ । ବଡ଼ଲୋକ ନା; ଆମକୁ ସାମାନ୍ୟ ଜର ହେଲେ ସେ ସନିପାତ ହୋଇଯାଏ, ବଥଟାଏ ହେଲେ ସେପଟିକ ହୋଇଯାଏ । ସାନ ବଡ଼ ସବୁ ରକମ ଡାକ୍ତର ଡାକିବା ପାଇଁ ଲୋକେ ଦିଲ୍ଲୀ, କଲିକତା ଦଉଡ଼ନ୍ତି । ମନ୍ଦିରରେ ଚଣ୍ଡୀପାଠ ହୁଏ, ଜ୍ୟୋତିଷ ଖଡ଼ୀ ପକାଏ, ଗୁଣିଆ ମନ୍ତ୍ର ପଢ଼େ । ଆମକୁ ଯମ ମୁହଁରୁ ରଖିବା ପାଇଁ ଧାଁ ଧପଡ଼ ଲାଗିଯାଏ । ଡାକ୍ତର କବିରାଜ ତ ସବୁବେଳେ ଅନାଇ ବସିଥାନ୍ତି, ଆମ ଘରେ କେମିତି ବେମାରୀ ହୁଅନ୍ତା ଆଉ ତାଙ୍କ ଘରେ ସୁନା ବରଷନ୍ତା । ଆଉ ଜାଣୁ, ଡାକ୍ତର କବିରାଜଙ୍କୁ ଯେଉଁ ଟଙ୍କା ଦିଆଯାଏ ସେ ଟଙ୍କା ଆସେ କେଉଁଠୁ–ତାହା ତମ ପ୍ରଜାଭାଇମାନଙ୍କଠାରୁ, ସଙ୍ଗିନ୍ ସିପାହୀର ଭୟ ଦେଖାଇ ତାଙ୍କଠୁ ଅସୁଲ କରାଯାଏ । ମୁଁ ତ ବରାବର ଆଶ୍ଚର୍ଯ୍ୟ ହୁଏ, ତମ ପ୍ରଜାଙ୍କ ନିଶ୍ୱାସରେ ଆମେ କେମିତି ପୋଡ଼ି ପାଉଁଶ ହୋଇ ଯାଉନୁ ! ହଁ, ଆଶ୍ଚର୍ଯ୍ୟ ହେବାର ବି କିଛି ନାହିଁ, କାହିଁକି ନା ପାଉଁଶ ହୋଇଗଲେ ତ ମୁହୂର୍ତ୍ତକେ କାମ ଛିଣ୍ଡିଯାନ୍ତା; ଏମିତି ଯେ ଆମେ ତିଳ ତିଳ କରି ପୋଡ଼ି ମରୁଛୁ । ଏହି ହାହାକାରରୁ ବଞ୍ଚିବା ପାଇଁ ଆମେ ପୁଲିସ୍, ଅଦାଲତ, ହାକିମ ସମସ୍ତଙ୍କଠାରୁ ସାହାଯ୍ୟ ନେଉଛୁ । ଆଉ ସୁନ୍ଦରୀ ସ୍ତ୍ରୀଙ୍କ ପରି ସମସ୍ତଙ୍କ ହାତର କଣ୍ଢେଇ ହୋଇ ବସିଛୁ । ଲୋକେ ଦେଖନ୍ତି ଆମେ ବଡ଼ ସୁଖୀ । ଆମ ପାଖରେ ଜମିବାଡ଼ି, କୋଠାମହଲା, ନୌକର ଚାକର, ଟଙ୍କା ପଇସା, ବେଶ୍ୟା କ’ଣ ନାହିଁ ? ସବୁ ଅଛି । କିନ୍ତୁ ହୋରୀ, ମନେ ରଖିଆ, ଯାର ମନର ବଳ ନାହିଁ, ନିଜର ନିଜତ୍ଵ ନାହିଁ, ସେ ଆଉ ଯାହାହେଉ ପଛେ ମଣିଷ ନୁହେଁ । ଚିନ୍ତାରେ ଯେଉଁ ଲୋକକୁ ରାତିରେ ନିଦ ହୁଏ ନାହିଁ, ଯାହାର ଦୁଃଖ ଦେଖିଲେ ଲୋକେ ସୁଖୀ ହୁଅନ୍ତି, ଭୋଗ ବିଳାସ ନିଶାରେ ଯେଉଁ ଲୋକ ନିଜକୁ ସଂପୂର୍ଣ୍ଣ ଭୁଲିଯାଏ, ସେମିତି ଲୋକଙ୍କୁ ମୁଁ ସୁଖୀ ବୋଲି ଭାବେ ନାହିଁ । ଯେଉଁଲୋକ ଏଣେ ପ୍ରଜାଙ୍କ ରକ୍ତ ଶୋଷୁଥିବ, ଅଥଚ ତେଣେ ହାକିମ ହୁକୁମାଙ୍କ ପାଦ ଚାଟୁଥିବ ତା’ଠୁ ବଳି ହତଭାଗ୍ୟ ଜୀବ ଏ ଦୁନିଆରେ ଆଉ କିଏ ଅଛି ? ଉପର ହାକିମ ଟୁରରେ ଆସନ୍ତୁ କିମ୍ବା ମନଖୁସିରେ ଶିକାର କରି ଆସନ୍ତୁ, ଆମର କାମ ହେଉଛି, ତାଙ୍କ ପଛେ ପଛେ ଗୋଡ଼ାଇବା । ସେ କୌଣସି କଥାରେ ଏତେ ଟିକିଏ ବିରକ୍ତ ହେଲେ ଆମର ହାଲତ ଶୁଖିଲା । ସେ ସବୁ କଥା ତୋତେ କ’ଣ କହିବି ? ଡାଲା ଯୋଗାଇବା ଲାଞ୍ଚ ରିସିପତ୍ ଦେବା ତ ମାମୁଲି କଥା, ଦରକାର ପଡ଼ିଲେ ତାଙ୍କ ପାଦତଳେ ପଡ଼ିବାକୁ ବି ଆମେ ତିଆର । ଏଗୁଡ଼ା ମଣିଷ ସହନ୍ତା କାହିଁକି ? ଆମ ମାହୁଳିଆ ଖିଆ ଢଙ୍ଗ ଆମକୁ ଏମିତି କରିଦେଇଛି । ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ବିଶ୍ୱାସ ପର୍ଯ୍ୟନ୍ତ ଆମର ନାହିଁ-। ଆମର କାମ ହେଉଛି ବଡ଼ ହାକିମଙ୍କ ପାଖରେ କୁକୁରଙ୍କ ପରି ଲାଞ୍ଜ ହଲେଇ ତାଙ୍କ ଅନୁଗ୍ରହ ଭିକ୍ଷା କରିବା, ଆଉ ତାଙ୍କରି ଅନୁଗ୍ରହ ପାଇ, ପ୍ରଜାଙ୍କ ଉପରେ ଅତ୍ୟାଚାର କରିବା । ଖୁସାମତିଆଙ୍କ ଖୁସାମତ ଶୁଣି ଶୁଣି ଆମ ମନ ଏମିତି ଫୁଲିଯାଇଛି ଯେ ଆମେ ସବୁ ପ୍ରକାର ବିନୟ, ସବୁ ପ୍ରକାର ଭଦ୍ରତା ଭୁଲିଯାଇଛୁ । ମୁଁ ତ ବେଳେ ବେଳେ ଭାବେ ସରକାର ଯଦି ଆମର ସବୁ ଜମିବାଡ଼ି ଛଡ଼ାଇ ନେଇ ଆମକୁ ହାତରେ ରୋଜଗାର କରିବାକୁ ଶିଖାଇ ଦିଅନ୍ତେ, ତେବେ ଆମର ବହୁତ ଉପକାର କରନ୍ତେ । ଇଏ ତ ନିଶ୍ଚୟ କଥା–ସରକାର ଆଉ ଜମିଦାରମାନଙ୍କୁ ରକ୍ଷା କରିବେ ନାହିଁ । କାହିଁକି ନା ଜମିଦାରଙ୍କ ଠାରୁ ତାଙ୍କର ଆଉ କିଛି ଲାଭ ହେଉନାହିଁ । ଜମିଦାରମାନେ ଯେ ଶୀଘ୍ର ଶେଷ ପାଇଯିବେ, ତା’ର ଲକ୍ଷଣ ସବୁ ଦେଖାଗଲାଣି । ସେହି ଦିନକୁ ସ୍ୱାଗତ କରିବା ପାଇଁ ମୁଁ ଅନାଇ ବସିଛି । ଭଗବାନ ଶୀଘ୍ର ସେହି ଶୁଭଦିନ ଆଣନ୍ତୁ, ଆଉ ଆମମାନଙ୍କୁ ମୁକ୍ତି ମିଳିଯାଉ-। ଆମେମାନେ ଏପରି ଏକ ଅବସ୍ଥାର ଦାସ ହୋଇ ରହିଛୁ ଯେ ଆମର ସର୍ବନାଶ ହୋଇଯାଉଛି-। ଯେତେ ଦିନଯାଏ ଧନର ଶିକୁଳି ଆମର ପାଦରୁ ନ ଛିଣ୍ଡୁଛି, ଧନର ଅଭିଶାପ ଆମ ମୁଣ୍ଡରୁ ନ ଓହ୍ଲାଇଛି, ସେତେ ଦିନଯାଏ ମନୁଷ୍ୟତା ହାସଲ କରିବା ଆମ ପକ୍ଷରେ ଅସମ୍ଭବ ।

ରାୟସାହେବ ପାନବଟା ଫିଟାଇ, ପାଟିରେ ଖଣ୍ଡେ ପାନ ପୂରେଇ ପୁଣି କ’ଣ କହିବାକୁ ଯାଉଥିଲେ, ହଠାତ୍ ଜଣେ ପିଆଦା ଆସି କହିଲା,–ହଜୁର, ମୂଲିଆମାନେ କାମ କରିବାକୁ ମନା କରୁଛନ୍ତି, କହୁଛନ୍ତି, ତାଙ୍କୁ ଖୋରାକ ନ ମିଳିଲେ ସେମାନେ ଆଉ କାମ କରିବେ ନାହିଁ । ମୁଁ ତାଙ୍କୁ ଖୁବ୍ ଧମକ ଦେଲି, ତେବେ ବି ସେମାନେ କାମ କରିବାକୁ ନାରାଜ ।

କଥା ଶୁଣୁ ଶୁଣୁ ରାୟସାହେବଙ୍କ ମୁଣ୍ଡରେ ପୋକ ଚଢ଼ିଗଲା । ଆଖି ଲାଲ ଲାଲ କରି କହିଲେ,–ଚାଲ, ସେ ବଦମାସଙ୍କୁ ସବୁ ମୁଁ ଠିକ୍ କରି ଦେଉଛି । ଆଗରୁ ତ କେବେ ଖୋରାକ ଦିଆଯାଉ ନ ଥିଲା, ଆଜି ପୁଣି ଏ ନୂଆ ଭିଆଣ କାହିଁକି ? ସବୁଦିନେ ଯେମିତି ଦିନକୁ ଅଣାଏ ମଜୁରୀ ମିଳୁଥିଲା, ଆଜି ବି ସେମିତି ମିଳିବ । ମଜୁରୀ ତାଙ୍କ ମନକୁ ପାଉ ବା ନ ପାଉ କିନ୍ତୁ ତାଙ୍କୁ କାମ କରିବାକୁ ପଡ଼ିବ ।

ରାୟସାହେବ ହୋରୀ ଆଡ଼କୁ ଟିକିଏ ଅନାଇ ଦେଇ କହିଲେ,–ଆଚ୍ଛା ହୋରୀ, ତୁ ଆଜି ଯା, ଟଙ୍କା କଥାଟା କିନ୍ତୁ ମନେ ରଖିଥିବୁ । ତମ ଗାଁରୁ ଅନ୍ତତଃ ମୋର ପାଞ୍ଚଶ ଟଙ୍କା ପାଇବାର ଆଶା ।

ରାୟସାହେବ ମନକୁ ମନ କ’ଣଗୁଡ଼ାଏ ବକି ବକି ଚାଲିଗଲେ । ହୋରୀ ମନେ ମନେ ଭାବିଲା, ମଲା, ଏଇନେ ଗୋଟା ପଣେ ବାବାଜି ହୋଇ ଯାଉଥିଲେ, ଆଉ କଥା ପଦେ ଶୁଣୁ ଶୁଣୁ ଏଡ଼େ ଗରମ !

ଦିନ ସେତେବେଳକୁ ଦି’ପହର, ଛାଇ ଗଛମୂଳକୁ ଚାଲି ଆସିଥିଲା । ଆକାଶ ଧୂସର ଦେଖା ଯାଉଥିଲା । ଟାଇଁ ଟାଇଁ ଖରାରେ ପୃଥିବୀ ଥରିଲା ପରି ଦିଶୁଥିଲା ।

ହୋରୀ କାନ୍ଧରେ ଠେଙ୍ଗା ପକାଇ ଘରକୁ ଫେରିଲା । ଜମିଦାରଙ୍କ ଭେଟି ଟଙ୍କା କେଉଁଠୁ ଆସିବ, ସେଇ ଚିନ୍ତା ତା ମୁଣ୍ଡକୁ ଘାରୁଥିଲା ।

Image

 

ତୃତୀୟ ପରିଚ୍ଛେଦ

 

ହୋରୀ ଫେରିଯାଇ ଗାଁ ପାଖରେ ପହଞ୍ଚି ଦେଖିଲା, ଗୋବରା ଏ ପର୍ଯ୍ୟନ୍ତ ଆଖୁ କୋଡ଼ାରେ ଲାଗିଛି । ଝିଅ ଦିହେଁ ବି ତା’ ସାଙ୍ଗରେ କାମରେ ଲାଗିଛନ୍ତି । ଝାଞ୍ଜି ପିଟୁଛି, ଖଣ୍ଡିଆଭୂତ ଉଠୁଛି, ଭୂଇଁ ପୋଡ଼ି ଯାଉଛି । ସତେ ଯେମିତି ପବନରେ କିଏ ନିଆଁ ଗୋଳି ଦେଇଛି । ପିଲାଗୁଡ଼ା ଏତେବେଳଯାଏ କ’ଣ କରୁଛନ୍ତି ଦେଖିବା ପାଇଁ ହୋରୀ କ୍ଷେତଆଡ଼କୁ ମୁହାଁଇଲା, ଆଉ ଖଣ୍ଡେ ଦୂରରୁ ଡାକିଲା—ଆରେ ଗୋବରା ! ଆସୁନ କାହିଁକି କିରେ ? ଦିନଯାକ କ’ଣ କାମ କରୁଥିବ ! ବେଳ ଆସି ମୁଣ୍ଡ ଉପରୁ ଗଡ଼ିଲାଣି, ତମକୁ କ’ଣ ଦେଖାଯାଉ ନାହିଁ !

 

ହୋରୀକୁ ଦେଖିବାମାତ୍ରେ ତିନିହେଁଯାକ କାମ ଛାଡ଼ି କୋଦାଳ ଧରି ତା’ ପଛେ ପଛେ ଚାଲିଲେ । ପୁଅ ଝିଅ ତିନିଙ୍କ ଭିତରେ ଗୋବରା ସବୁଠୁ ବଡ଼ । ଏବକୁ ଭେଣ୍ଡିଆଟାଏ ହୋଇଗଲାଣି । ଦେଖିବାକୁ ସାବନ ଓ ଡେଙ୍ଗା । କ୍ଷେତବାଡ଼ି କାମ ତାକୁ ମୋଟେ ଭଲ ଲାଗେ ନାହିଁ, ସେଥିପାଇଁ ତା’ ମନରେ କେବେ ସୁଖ ନଥାଏ । ଆଜି ସେ ଏତେବେଳଯାଏ କାମ କରୁଥିଲା ଖାଲି ଦେଖାଇ ହେବା ପାଇଁ—କାମ ପଡ଼ିଲେ ଭୋକ ଉପାସ ବି ସେ ଭୁଲିଯାଏ । ଗୋବରା ତଳକୁ ସୁନା । ଦେଖିବାକୁ ବଡ଼ଟିଏ ହୋଇଗଲାଣି । ଭାଇ ପରି ଭଉଣୀ ବି ସାବନ ରଙ୍ଗ-। ଯେମିତି ସୁନ୍ଦରୀ ସେମିତି ପ୍ରସନ୍ନ ମୁହୀଁ, ଭାରୀ ଚଞ୍ଚଳୀ । ଲାଲ ଚିହି ଚିହି ଶାଢ଼ି ଟାକୁ ସବୁବେଳେ ସେ ଆଣ୍ଠୁ ଉପରକୁ ଟେକି ଦେଇ ଅଣ୍ଟାରେ ଗୁରାଇ ଦେଇଥାଏ । ଦିଶୁଥାଏ, ସତେ ଯେମିତି ଗୋଟାଏ ପୁରୁଖା ମାଇପି । ସାନ ଝିଅ ରୂପା ମୋଟେ ପାଞ୍ଚ ଛ ବର୍ଷର, ଭାରି ଅପରୀଚ୍ଛନୀ-। ମୁଣ୍ଡରେ ଚଡ଼େଇ ବସାପରି ଆବୁର ଜାବୁର ବାଳ, ଅଣ୍ଟାରେ ଖାଲି ଖଣ୍ଡେ କଉପିନି-। ଯେମିତି ଅଭିମାନୀ ସେମିତି କାନ୍ଦୁରୀ ।

 

ବାପାକୁ ଦେଖିବା ମାତ୍ରେ ରୂପା ଧାଇଁଆସି ଉପରେ ଲଟେଇ ହୋଇପଡ଼ି କହିଲା–“ବାପା, ଆଜି ମୁଁ ଟେଳାଟାଏ ହେଲେ ଛାଡ଼ି ନାହିଁ । ନାନୀ କହୁଥିଲା—ଛାଇରେ ବସ, ମୁଁ ନାହିଁ କଲି, ମୁଁ କାମ ନ କରିଥିଲେ ଏତେ ଟେଳା ସମାନ କରିଥାନ୍ତା କିଏ ?”

 

ହୋରୀ ତାକୁ କୋଳକୁ ଟାଣିନେଇ ଗେଲ କରି କହିଲା—ହଉ, ଖୁବ୍ ଭଲ କଲୁ, ଚାଲ ଘରକୁ ଯିବା ।

 

ସମସ୍ତେ ଚାଲିଲେ । ଗୋବରା ତ ମନେ ମନେ ରବେଇ ଖବେଇ ହେଉଥିଲା । କିଛି ସମୟ ଯିବା ପରେ ସମ୍ଭାଳି ନ ପାରି କହିଲା—ଜମିଦାରଙ୍କୁ ଖୁସାମତି କରିବା ପାଇଁ ନିତି କାହିଁକି ତୁ ଧାଉଁଛୁ ? ଆମକୁ ସେଥିରୁ କ’ଣ ଲାଭ ମିଳୁଛି ? ଖଜଣା ମାଗଣ ତ ଦିଆ ହେଉଛି, ବେଠି ବେଗାରୀ ତ କରା ହେଉଛି । ଖଜଣା ମାଗଣ ବାକି ରହିଲେ ତ ପିଆଦା ଆସି ବେଜିତ୍ କରୁଛି, ସେଥିରେ ପୁଣି ଏତେ ଖୁସାମତି ବରାମଦ କାହିଁକି ?

 

ଗୋବରା ଯାହା କହିଲା ହୋରୀ ବି ଠିକ୍ ସେୟା ଭାବୁଥିଲା । ତଥାପି ପୁଅକୁ ବାଆଁରେଇ ଦେବା ପାଇଁ କହିଲା—ହଁ, ଖୁସାମତି ନ କଲେ ପୁଣି ରହିବା କେମିତି ? ଭଗବାନ ତ ଗୋଲାମ କରି ଜନ୍ମ ଦେଇଛନ୍ତି, ଖୁସାମତି ନ କଲେ ଚଳୁଛି କେଉଁଠି ? ଖୁସାମତି କରୁଛି ବୋଲି ତ ପାଚେରୀ ତୋଳି ଦେଲି, କେହି ପାଟି ଫିଟାଇଲେ ନାହିଁ । ଦେଖୁଛୁ ପରା ଘନିଆ ତା’ ଦୁଆରେ ଖୁଣ୍ଟ ପକାଉ ପକାଉ ହାକିମ ଆସି ଜୋରିମାନା କରିଦେଲା । କିନ୍ତୁ ଗାଡ଼ିଆରୁ ମୁଁ ତ ଏତେ ମାଟି ଖୋଳିନେଲି, କେହି ତ ପାଟି ଫିଟେଇଲେ ନାହିଁ; ଆଉ କିଏ ହୋଇଥିଲେ ସାଙ୍ଗେ ସାଙ୍ଗେ ଜୋରିମାନା ଗଣିବାକୁ ପଡ଼ିଥାନ୍ତା । ନିଜ ଲାଭ ପାଇଁ ଖୁସାମତି କରାହେଉଛି ନା, ନୋହିଲେ ନିତି ଦଉଡ଼ିବା ପାଇଁ କାହାକୁ ସୁଖ ଲାଗୁଛି ନା ଖୁସାମତି କାହାକୁ ସୁଆଦ ଲାଗୁଛି ? ତା’ ଛଡ଼ା ଖୁସାମତି କରିବା ତ ସହଜ କାମ ନୁହେଁ ! ଯିବ, ସେଠେଇ ଯାଇଁ ଘଣ୍ଟା ଘଣ୍ଟା ବସିଲେ ପୁଣି ମାଲିକଙ୍କୁ ଖବର ମିଳିବ । ମନ ହେଲେ ତ ଦେଖାଦେବେ, ନୋହିଲେ ନାହିଁ କରିଦେବେ—ବେଳ ନାହିଁ, ତମେ ବସି ବସି ଲେଉଟି ଆସିବ ।

 

ଗୋବରା କହିଲା—ହଁ, ସେ କଥା ଠିକ୍ ଯେ, କିନ୍ତୁ ବଡ଼ଲୋକଙ୍କୁ ଖୁସାମତି କରିବାରେ ଯାହିହେଲେ ଗୋଟାଏ ସୁଖ ଥିବ, ନୋହିଲେ ଲୋକେ ସରକାରଙ୍କ କଥାରେ ଖାଲି ହଁ, ହାଁ ମାରିବା ପାଇଁ ମେମ୍ବର ହେଉଥାନ୍ତେ କାହିଁକି ?

 

ହଁ, ତୋର ତ ଏବେ କହିବା ବେଳ, କହିବୁ ନାହିଁ କାହିଁକି ? ମୁଣ୍ଡ ଉପରେ ପଡ଼ିଲେ ସିନା ଜାଣିବୁ । ମୁଁ ବି ପିଲା ଦିନେ ସେମିତି କହୁଥିଲି । ଆରେ ବାବୁ, ପରହାତରେ ଚୁଟିଥିବାଯାକ ଟାଣ କଲେ ଚଳିବ କୁଆଡ଼ୁ ?

 

ବାପକୁ ଏମିତି ଦି’ ଚାରି ପଦ ଶୁଣାଇଦେଇ ଗୋବରାର ମନ ଟିକିଏ ଥଣ୍ଡା ପଡ଼ିଗଲା । ସେ ଆଉ କିଛି ନ କହି ଚୁପଚାପ୍ ଚାଲିଲା । ସୁନା ଦେଖିଲା, ରୂପା ବାପ କାଖରେ କାଖ ହୋଇକରି ଯାଉଛି । ତା’ର ଭାରି ଈର୍ଷା ହେଲା; କହିଲା—ଓହ୍ଲାଇ କରି ଚାଲୁ ନାହୁଁ କାହିଁକି ? ତୋ ଗୋଡ଼ କ’ଣ ଛିଣ୍ଡି ପଡ଼ିଛି ?

 

ରୂପା ବାପ ବେକକୁ ଜାବୁଡ଼ି ଧରି କହିଲା—ତୋର କ’ଣ ଯାଉଛି ? ମୁଁ ଓହ୍ଲେଇବି ନାହିଁ ଯା; ଦେଖିଲୁ ବାପା, ନାନୀ କେମିତି ମତେ ନିତି ଚିଡ଼ାଉଛି, କହୁଛି ମୁଁ ସୁନା, ତୁ ରୂପାଟା । ସେ ମୋତେ ନିତି ଏମିତି ଚିଡ଼ାଉଛି । ମୋତେ ଆଉ ଯାହିହେଲେ ଗୋଟେ ନାଁ ଦେଇ ଦେ ।

 

ହୋରୀ ଟିକିଏ ମିଛ ରାଗ ଦେଖାଇ କହିଲା—କାହିଁକି ଚିଡ଼ାଉଛି ତାକୁ ? ସୁନାଟା ସିନା ଖାଲି ଦେଖିବାକୁ, ରୂପାରେ ତ ଅସଲ କାମ । କହିଲୁ ଦେଖି—ରୂପା ନଥିଲେ ଟଙ୍କା ଆସନ୍ତା କୁଆଡ଼ୁ-?

 

ସୁନା କହିଲା—ମଲା, ସୁନା ନଥିଲେ ପୁଣି ଗହଣା ଗଢ଼ା ହୁଅନ୍ତା କେମିତି; ନୋଥ, ଫୁଲଗୁଣା ଆସନ୍ତା କେଉଁଠୁ ? କଣ୍ଠିମାଳୀ ତିଆରି ହୁଅନ୍ତା କେମିତି ? ସୁନା ନଥିଲେ ମୋହର ପୁଣି ଆସନ୍ତା କୁଆଡ଼ୁ ?

 

ଗୋବରା ଟିକିଏ ମଜା ଦେଖିବାପାଇଁ ରୂପାକୁ ଟିକେ ଟିହାଇ ଦେଲା । କହିଲା—ତୁ କହୁନୁ, ସୁନାଟା ତ ଶୁଖିଲା ପତର ପରି ହଳଦିଆ; ରୂପା ସିନା ସୂର୍ଯ୍ୟଙ୍କପରି ଧଳା ଚକ୍ ଚକ୍ ।

 

ସୁନା କହିଲା—ହଁ, ସେ କଥା ସତ ଯେ, ହେଲେ ବାହା ପୁଆଣିରେ ଭଲମନ୍ଦରେ କେହି ଧଳାଶାଢ଼ି ପିନ୍ଧନ୍ତି ନାହଁ । ସମସ୍ତେ ହଳଦିଆ ପିନ୍ଧନ୍ତି ।

 

ରୂପା ଏହି କଥାରେ ହଟିଗଲା । କେହି ଆଉ କିଛି ଜବାବ ଦେଇ ପାରିଲେ ନାହିଁ । ନିରାଶ ହୋଇ ସେ ବାପ ମୁହଁକୁ ଅନାଇ ରହିଲା । ଶେଷକୁ ହୋରୀକୁ ଗୋଟାଏ ବୁଦ୍ଧି ଦିଶିଗଲା । ସେ କହିଲା—ହଁ, ସେ କଥା ସତ ଯେ, କିନ୍ତୁ ଆଉ ଗୋଟେ କଥା ଦେଖ; ସୁନା ହେଉଛି ବଡ଼ ଲୋକଙ୍କ ଜିନିଷ, କିନ୍ତୁ ରୂପା ହେଉଛି, ଆମ ଗରିବଙ୍କ ଜିନିଷ । ଏ ସଂସାରରେ ଗରିବ ଲୋକ ବେଶୀ ବୋଲି, ଗରିବଙ୍କ ଜିନିଷ ହେଉଛି ‘ବାହ୍ମୁଣ’; ବଡ଼ଲୋକ ଅଳ୍ପ ବୋଲି, ତାଙ୍କ ଜିନିଷ ହେଉଛି ‘ହାଡ଼ି’ ।

 

ସୁନା ଆଉ ଏ କଥାର କିଛି ଜବାବ ଦେଇ ପାରିଲା ନାହିଁ । ହାରିଯାଇ କହିଲା—ହଁ, ତମେ ତିନିହେଁ ଆଜି ଟିକିଏ ଏକାପଟ ହୋଇଗଲ ବୋଲି, ନୋହିଲେ କଣ ଆଜି ରୂପାକୁ ନ କନ୍ଦାଇ ଛାଡ଼ିଥାନ୍ତି ?

 

ଜିତାପଟ ଦେଖି ରୂପା ବାପ କାଖରୁ ଡେଇଁପଡ଼ି ନାଚି ନାଚି ଚିଗୁଲେଇ ହୋଇ କହିଲା–ଇଏ ଭାଇ ! ମୁଁ ହେଉଛି ବାହ୍ମୁଣ ଗୋଟିଏ ପିଲା ହାଡ଼ି ଗୋଟିଏ ପିଲା ହାଡ଼ି ।

 

ଏମିତି ହେଉ ହେଉ ସମସ୍ତେ ଯାଇ ଘରେ ପହଞ୍ଚିଗଲେ । ଧନିୟା ସେମାନଙ୍କ ବାଟ ଜଗି ବସିଥିଲା । ସେମାନଙ୍କୁ ଦେଖିଲା ମାତ୍ରେ ବିରକ୍ତ ହୋଇ କହିଲା—କିରେ ଆଜି ଏତେ ଉଛୁର କିଆଁ, କାମ କରିବ ବୋଲି କ’ଣ ଆଉ ଜୀବନ ଯିବ ? ହଁ, ଇଏ ବି ଜଣେ ସେମିତିଆ । ଜମିଦାର ଘରୁ ଆସି ପୁଣି ବିଲରେ ଜୁଟିଗଲେ, ସତେ ଯେମିତି ବିଲ କୁଆଡ଼େ ପଳେଇ ଯାଉଥିଲା !

 

ଦୁଆର ପାଖ କୂଅରେ ସମସ୍ତେ ଲୋଟାଏ ଲେଖା ପାଣି ଢାଳି ହୋଇପଡ଼ି ଖାଇବାକୁ ଗଲେ । ହରଡ଼ ଡାଲିରେ କଞ୍ଚା ଆମ୍ବ ପଡ଼ି ବଢ଼ିଆ ଆମ୍ବିଳ ହୋଇଥିଲା । ରୂପା ବାପ ଥାଳୀରେ ଖାଇବାକୁ ବସିଗଲା । ସୁନାର ଏମିତି ଈର୍ଷା ହେଲା, ମନ ହେଉଥିଲା କହି ଦିଅନ୍ତା—‘ବାଃରେ ଗେଲେଇ’ ।

 

ଧନିୟା ପଚାରିଲା—ଜମିଦାରଙ୍କ ସଙ୍ଗେ କ’ଣ କଥାବାର୍ତ୍ତା ହେଲ ? ହଁ, ଏହି ଖଜଣା ମାଗଣ କଥା ତ, ଆଉ କ’ଣ ? ସତରେ ଆମେ ସିନା ଭାବୁ ବଡ଼ଲୋକ ଭାରି ସୁଖୀ, କିନ୍ତୁ ତାଙ୍କଠୁ ବଳି ଦୁଃଖୀ ଦୁନିଆରେ କେହି ନାହିଁ । ଆମର ସିନା ଖାଲି ପେଟଚିନ୍ତା ତାଙ୍କର ହେଉଛି ହଜାର ରକମ ଚିନ୍ତା ।

 

ରାୟସାହେବ ଆଉସବୁ କ’ଣ କ’ଣ କହିଥିଲେ ତାର କିଛି ମନେ ନଥିଲା । ଠିକ୍‍ ଠିକ୍‍ ଦି’ ଚାରି କଥା ଯାହା ମନେ ଥିଲା କହିଦେଲା ।

 

ଗୋବରା ଚଟ୍‍କରି କଥାକୁ ଧରିପକାଇ ଛିଗୁଲେଇ ହୋଇ କହିଲା—ହଁ, ବଡ଼ଲୋକେ ଦୁଃଖୀ ନୁହନ୍ତି ଆଉ କ’ଣ ? ଏତେ ଦୁଃଖ ଯଦି; ଆମକୁ ତାଙ୍କ ଜମିବାଡ଼ି ଦେଇ ଆମଠୁଁ କୋଡ଼ି କୋଦାଳ ବଦଳ ନେଇ ଯାଉ ନାହାନ୍ତି କାହିଁକି ? ଏଗୁଡ଼ା ଖାଲି ଠକାମି, ଖାଲି ଦେଖାଣ କଥା । ଯା’ର ଦୁଃଖ ହେଉଥାଏ, ସେ ପୁଞ୍ଜା ପୁଞ୍ଜା ମଟରଗାଡ଼ି ରଖେ ନାହିଁ କି କୋଠା ମହଲାରେ ରହେ ନାହିଁ, ପୁରୀ ମିଠାଇ ଖାଇ ନାଚ ତାମସାରେ ଦିନ କାଟେ ନାହିଁ । ମଜାରେ ରହି ରାଜଭୋଗ କରୁଛନ୍ତି ନା, ସେଇଥିପାଇଁ ଭାରି ଦୁଃଖ !

 

ହୋରୀ ଟିକିଏ ବିରକ୍ତ ହୋଇ କହିଲା—ଆରେ ବାବୁ, ତୋ ସଙ୍ଗେ କିଏ କଥା କହିବ । ଆପଣା ଜମି ଜାଗେରୀ କିଏ ଛାଡ଼ିଲାଣି ଯେ ସେ ଛାଡ଼ନ୍ତେ ! ଆମକୁ ଜମିରୁ ଯାହା ମିଳୁଛି, ଦିନକୁ ଅଣାଏ ବି ମଜୁରୀ ପଡ଼ୁନାହିଁ । ମାସକୁ ଦଶଟଙ୍କାରେ ଖଣ୍ଡେ ଚାକିରି ଯେ କରିଛି, ସେ ବି ଆମଠୁଁ ଭଲ ଖାଉଛି, ଭଲ ପିନ୍ଧୁଛି । ତେବେକେ ତ ଆମେ ଜମି ଛାଡ଼ି ଦେଉନୁ । କଥା ହେଉଛି, ଜମିବାଡ଼ି ଛାଡ଼ିଦେଲେ କରିବା କ’ଣ । ଚାକିରି ଅବା ମିଳୁଛି କେଉଁଠି ? ତା ଛଡ଼ା ଜମିବାଡ଼ି ହେଉଛି ଗୋଟେ ପତିଆରା, ମାନ ସମ୍ମାନର କଥା । ଜମିବାଡ଼ିରେ ଯେଉଁ ମାନ ସମ୍ମାନ ଅଛି, ସେ ତ ଆଉ ଚାକିରିରେ ନାହିଁ ? ଆମ କଥା ଯେମିତି ଜମିଦାରଙ୍କ କଥା ସେମିତି । ତାଙ୍କର ତ ପୁଣି ହଜାର ପ୍ରକାର କଥା—ଉପର ହାକିମଙ୍କୁ ଖୁସାମତି କରିବାକୁ ହେବ, ତଳ ହାକିମଙ୍କୁ ଖୁସି କରିବାକୁ ହେବ, ଠିକ୍ ସମୟରେ ସରକାରୀ ପାଉଣା ଦେଇ ନ ପାରିଲେ କୋରଖ ଆସିଯିବ, ହାଜତ ହୋଇଯିବ । ଖଜଣା ନ ଦେଇ ପାରିଲେ ଆମକୁ ତ କେହି ହାଜତ ଢୁକେଇ ଦେଉ ନାହିଁ, ଖୁବ୍ ହେଲେ ଦି’ ଚାରି ପଦ ଗାଳି ଶୁଣିଗଲେ, ଗଲା ।

 

‘ହଁ, ହଁ, ସେ ଗୁଡ଼ା ଖାଲି କହିବା କଥା । ଧାନ ମୁଣ୍ଡିଟାଏ ଦେଖିବା ପାଇଁ ଜୀବନସାରା ଆମେ ଖାଟି ମରୁଛୁ । ପେଟକୁ ଦାନା ନାହିଁ, କି ପିଠିକି ଖଣ୍ଡେ କନା ନାହିଁ । ମୁଣ୍ଡଝାଳ ତୁଣ୍ଡରେ ପଶି ଯାଉଛି, ତେବେ ବି ଗୁଜରାଣ ମେଣ୍ଟୁ ନାହିଁ । କିନ୍ତୁ ଜମିଦାରଙ୍କର ଯାଉଛି ଆସୁଛି କେତେ ? ଆରାମରେ ଗଦି ଉପରେ ବସିଛନ୍ତି । ଶହ ଶହ ଚାକର, ହଜାରେ ଲୋକଙ୍କ ଉପରେ ହାକିମି—ହଁ, ବହୁତ ଅବା ଟଙ୍କା ଜମା ନ ହେଉଛି; ଭୋଗବିଳାସ ତ କମ୍ ନାହିଁ । ଭୋଗ କରିବା ପାଇଁ ଲୋକେ ଟଙ୍କା ଜମାନ୍ତି ନା, ଆଉ କାହିଁକି ?’

 

‘ଜମିଦାର ହୋଇଛନ୍ତି, ଆଉ ଭୋଗ କରନ୍ତେ ନାହିଁ ! ତୁ କ’ଣ ଭାବୁଛୁ ସେ ଆଉ ଆମେ ସମାନ ?’

 

‘ମଲା, ସମାନ ନୁହଁ, ଆଉ କଣ ? ଭଗବାନ ତ ସମସ୍ତଙ୍କୁ ସମାନ କରି ଗଢ଼ିଛନ୍ତି ।’

 

‘ନାହିଁରେ ବାବୁ, ଏ ସବୁ ଖାଲି ଝୁଟା କଥା । ସଂସାରେ ଯେତେ ସାନବଡ଼ ସବୁ ଭଗବାନଙ୍କ ଘରୁ ସେମିତି ସାନ ବଡ଼ ତିଆରି ହୋଇ ଆସିଛନ୍ତି । ବହୁତ ତପସ୍ୟାରେ ସମ୍ପତ୍ତି ମିଳେ-। ପୂର୍ବଜନ୍ମରେ ସେମାନେ ତପସ୍ୟା କରିଛନ୍ତି ବୋଲି ଏବେ ଭୋଗ କରୁଛନ୍ତି; ଆମେ ତ କରି ନାହିଁ, ଆଉ ଭୋଗ କରିବା କୁଆଡ଼ୁ ।’

 

ଗୋବରା କହିଲା,–ଏ ଗୁଡ଼ା ଖାଲି ବାଜେ, ମନ ଭୁଲାଣିଆ କଥା । ଭଗବାନ କାହାକୁ ସାନବଡ଼ ଗଢ଼ି ନାହାନ୍ତି, ସମସ୍ତଙ୍କୁ ସେ ସମାନ କରି ଗଢ଼ିଛନ୍ତି । ଆଜିକାଲି ଜୋର ଯା’ର ମୂଲକ ତା’ର । ଯା’ ହାତରେ ଲାଠି ଅଛି, ସେ ସମସ୍ତଙ୍କୁ ପିଟି ବଡ଼ ହୋଇ ଯାଉଛି ।

 

‘ଆରେ ବାବୁ, ଏଗୁଡ଼ା ଖାଲି ବୁଝିବା ଭୁଲ । ପୂର୍ବଜନ୍ମ ତପସ୍ୟା କଥା ତ ଛାଡ଼ । ଆଜିକାଲି ବି ଜମିଦାର ଦି ଦି ଘଣ୍ଟା, ଚାରି ଚାରି ଘଣ୍ଟା ବସି ପୂଜା କରନ୍ତି ।’

 

‘ହଁ, ପୂଜା କରନ୍ତି ଯେ, କା’ ବଳରେ କରନ୍ତି ?’

 

‘କା’ ବଳରେ କ’ଣ ? ନିଜ ବଳରେ କରନ୍ତି ।’

 

‘ହୁଁ–ନିଜ ବଳରେ ଭାରି କଲାବାଲା । ନିଜ ବଳରେ ନୁହେଁ ଯେ, ଚାଷୀ ମୂଲିଆଙ୍କ ବଳରେ । ପାପଧନ ଆଉ ପଚିବ କିମିତି ? ସେଇଥିପାଇଁ ଏତେ ଦାନଧର୍ମ ଏତେ ପୂଜାହଜା । ଆମକୁ କିଏ ଦିନକୁ ଦି’ ବକତ ଖାଇବାକୁ ଦିଅନ୍ତା ବୋଲେ ଆମେ ଦିନଯାକ ବସି ପୂଜା କରୁଥାନ୍ତୁ । ଦିନେ ବିଲରେ ଆଖୁ କୋଡ଼ିବାକୁ ପଡ଼ନ୍ତା ବୋଲେ, ସବୁ ଭକତି ଏକାଥରେ ଛାଡ଼ିଯା’ନ୍ତା ।’

 

ହୋରୀ ଆଉ କିଛି ଜବାବ ଦେଇ ପାରିଲା ନାହିଁ, କହିଲା,–ଆରେ ବାବୁ, ତୋ ସାଙ୍ଗେ କିଏ କଥା କହି ପାରିବ । ତୁ ତ ଭଗବାନଙ୍କ ଲୀଳାକୁ ବି ଉଡ଼ାଇ ଦେଉଛୁ ! !

 

କଥା ଏତିକିରେ ବନ୍ଦ ହେଲା । ଗୋବରା କୋଦାଳ ଧରି ବିଲକୁ ଯିବାକୁ ବାହାରିବା ମାତ୍ରେ ହୋରୀ କହିଲା,–ରହ, ସାଙ୍ଗ ହୋଇ ଯିବା । ଆଗ ମହଣେ ଦି’ ମହଣ ଭୁଷୀ ବାହାର କରି ଦେବୁଟି, ଭୋଳା ବଡ଼ ଅସୁବିଧାରେ ପଡ଼ିଛି, ତାକୁ ଦେବି ବୋଲି ମୁଁ କହି ଆସିଛି ।

 

ଗୋବରା ଟିକିଏ ବେଖାତର କରି କହିଲା,–ଆମ ଘରେ ତ ବିକିଲା ଭଳିଆ ଭୁଷୀ ନାହିଁ-

 

‘ବିକୁଛି କିଏ ମ ! ଗଣ୍ଡେ ଦେଇଦେବା କଥା ନା । ସେ ଟିକିଏ ଅସୁବିଧାରେ ପଡ଼ିଯାଇଛି ବୋଲି ତାକୁ ସାହାଯ୍ୟ କରିବା କଥା ନା ।’

 

‘ହଁ, ସାହାଯ୍ୟ କରିବା କଥା ଯେ, ଆମର ତ ଗାଈଟିଏ ନାହିଁ ଆମକୁ ତ କାହିଁ ସେ ସାହାଯ୍ୟ କରୁନାହିଁ । ତା ଗାଈରୁ ଗୋଟେ ଆମକୁ ଦେଇ ଦେଉ ନାହିଁ ।’

 

‘ଆରେ ଦୋଇଥିଲା ମ, ମୁଁ ତ ଆଣିଲି ନାହିଁ ।’

 

ଧନିୟା ଛାଉଲେଇ ହୋଇ କହିଲା,—ହଁ, ଭାରି ଦେଲାବାଲା ନା ପୁଣି ଦୋଉଥିଲା ଯେ ଇଏ ଆଣିଲେ ନାହିଁ । ଗାଈ ଦୋଉଥିଲା ନା ଆଉ କ’ଣ ଦୋଉଥିଲା । ସୁନ୍ଦର ଗୋଳିବାକୁ ତ ଦୁଧ ଟୋପେ କେବେ ଦେଇନି, ଆଜି ଗାଈଟାଏ ଦେଇଦେବ !

 

‘ନାଇଁ ମ, ତା ପଛିମା ଗାଈଟାକୁ ଦେଉଥିଲା ପରା । ଭୁଷୀ କିଣିବାକୁ ଟଙ୍କା ନାଇଁ ବୋଲି ସେ ଗାଈ ବିକିବାକୁ ଚାହୁଁଥିଲା । ଏମିତିଆ ବିପଦରେ ତା’ଠୁ ଗାଈ ଆଣିବା ପାଇଁ ମନ ହେଲା ନାହିଁ । ଏବେ ଭୁଷୀ ମେଞ୍ଚାଏ ଦେଇ ଦେଉଛି । ପୁଣି ହାତରେ ପଇସା ହେଲେ ଯାଇ ଗାଈ ନେଇ ଆସିବା । ଟଙ୍କା ଆସ୍ତେ ଆସ୍ତେ ଶୁଝିଦେବା । ଅଶୀ ଟଙ୍କାର ଗାଈ, କିନ୍ତୁ ଦେଖିଲେ ଆଖି ଲାଖି ରହିବ ।’

 

ଗୋବରା ବିରକ୍ତ ହୋଇ କହିଲା,—ଆମ ଦାତାପଣିଆ ତ ଆମକୁ ଖାଉଛି । ସଫା କଥା ତ ହେଉଛି ଗାଈର ଦାମ ଅଶୀ ଟଙ୍କା । ଆମଠୁ ଏଇନେ କୋଡ଼ିଏ ଟଙ୍କାର ଭୁଷୀ ନେଇ ସେ ଗାଈ ଦେଇ ଦେଉ । ବାକି ଷାଠିଏ ଟଙ୍କା କ’ଣ ଆମେ ଆସ୍ତେ ଆସ୍ତେ ଶୁଝିଦେବା ନାଇଁ ?

 

ହୋରୀ ଟିକିଏ ହସି ଦେଇ କହିଲା,—ଆରେ, ତୁ ସେଗୁଡ଼ା କ’ଣ କହୁଛୁ । ମୁଁ ତ ଉପାୟ କରୁଛି ଗାଈ କେମିତି ମାହାଳିଆ ମିଳିଯିବ । ଖାଲି ଭୋଳାପାଇଁ ଗୋଟେ ବାହାଘର ଜୁଟାଇ ଦେଲେ ହେଲା । ଲୋକ ଦେଖାଣ ପାଇଁ ଦି’ ଚାରି ମହଣ ଭୁଷୀ ଦେଇଦେବା କଥା ନା ।

 

ଗୋବରା ତିରସ୍କାର କରି କହିଲା,—ତୁ କ’ଣ ଆଜିକାଲି ସମସ୍ତଙ୍କର ବାହାଘର ଖାଲି ଜୁଟାଉଥିବୁ ନା କ’ଣ ?

 

ଧନିୟା କଟମଟ କରି ଅନାଇ କହିଲା,–ହଁ, ଏଇ ଗୋଟାକ ବେଉସା ତ ଖାଲି ଆମର ବାକି ରହି ଯାଇଥିଲା । ନାହିଁ—ଆମେ କାହାକୁ ଭୁଷୀ ଦେବୁ ନାହିଁ । ଭୋଳା ଫୋଳା କାହାରି, ଆମେ କିଛି ଖାଇନୁ—ଯା ।

 

ହୋରୀ କହିଲା,–ନାହିଁ ସେ କଥା ନୁହେଁ ଯେ, ଆମ ଉପକାରରେ ଯଦି କାହାରି ଘର ସଜାଡ଼ି ହୋଇଗଲା, ସେଥିରେ ଆମର କ୍ଷତି କ’ଣ ?

 

ଗୋବରାକୁ ଏ ସବୁ ପାଲା ଭଲ ଲାଗୁ ନଥିଲା । ସେ ପିକା ଖାଇବା ପାଇଁ ଉଠି ଚାଲିଗଲା ।

 

ଧନିୟା କହିଲା,—ହଁ, ଯେ ପରର ଘର ସଜାଡ଼ି ଦେବ ସେ ଖାଲି ଗାଈଟାଏ ନେବ କିଆଁ, ଟଙ୍କା ଥଳୀଟାଏ ତା’ଠୁ ନ ଝଡ଼େଇବ କିଆଁ ?

 

ହୋରୀ ଟିକିଏ ଗେଲେଇ ହୋଇ କହିଲା,—ହଁ, ମୁଁ କ’ଣ ନ ଝଡ଼େଇ କରି ଛାଡ଼ିବି । ତା’ ଛଡ଼ା ଟଙ୍କା ତ ଖାଲି ବଡ଼ ଜିନିଷ ନୁହେଁ, ଲୋକଙ୍କର ଗୁଣ ବି ଦେଖିବା କଥା । ଭୋଳାର, ତତେ ଭାରି ପ୍ରଶଂସା, ଦେଖାହେଲା ମାତ୍ରେ ଖାଲି ତୋରି କଥା କହିବ । କେତେଥର ସେ ମୋତେ କହିଲାଣି—’ଗୋବରା ମା ଜଣେ ଭାରି ମହତକିଆ ଲୋକ, ଲକ୍ଷ୍ମୀଟିଏ ତ !’

 

ଧନିୟା ମନକୁ କଥାଟା ଖୁବ୍ ପାଇଗଲା । ମନ ଏକଦମ୍ କାହିଁରେ କ’ଣ ଖୁସି । କିନ୍ତୁ ମିଛରେ ମୁଣ୍ଡ ହଲାଇ କହିଲା,–ମୁଁ କାହାରି ପ୍ରଶଂସା ଶୁଣିବାକୁ ଅନାଇଁ ବସିନି । ତାଙ୍କ ପ୍ରଶଂସା ସେ ରଖିଥା’ନ୍ତୁ ।

 

ହୋରୀ ଆହୁରି ଟିକିଏ ଗେଲେଇ ହୋଇ କହିଲା,–ମୁଁ ତ ବରାବର କହେ, ଗୋବରା ମା ଏମିତି ଲଢ଼ୁଆ ମାଇପି ଯେ ନାକରେ ମାଛିଟାଏ ବସାଇ ଦେବ ନାହିଁ । କଥା କଥାକେ ତାର ଜବାବ । କିନ୍ତୁ ସେ କହେ— ‘ନାହିଁ, ସେ ତ ସ୍ତ୍ରୀ ନୁହନ୍ତି, ସେ ଗୋଟାଏ ଲକ୍ଷ୍ମୀ । ଯେଉଁଦିନ ତାଙ୍କ ମୁହଁ ଚାହିଁଥିବ, ସେ ସେଦିନ ଯୁଆଡ଼ୁ ହେଲେ ଦି ପଇସା ହାତକୁ ଆସିଯିବ । ମୁଁ କହିଲି, ହଁ ତମ ହାତକୁ ପଇସା ଆସୁଥିଲେ ଆସୁଥିବ । ମୁଁ ତ ନିତି ଦେଖୁଛି, କାହିଁ ମୋ ହାତକୁ ଅଧାଲାଟାଏ ଆସିବାକୁ ନାହିଁ !

 

ଧନିୟା କହିଲା,–ମଲା, ତମ କପାଳ ଏବେ ଛୋଟିଆ ହୋଇଥିବ । ମୁଁ କଣ ସେଥିପାଇଁ ଦାୟୀ ?

 

ହୋରୀ ପୁଣି କହିଲା, ଭୋଳା ତା ଭାରିଜା କଥା ବରାବର ମୋ ଆଗରେ ଗପେ । ଭିକାରୀକୁ ତା ଭାରିଯା ଭିକ ପର୍ଯ୍ୟନ୍ତ ଦିଏ ନାହିଁ, ଛାଞ୍ଚୁଣି ଧରି ଗୋଡ଼ାଏ । ଏମିତି ଲୋଭି ଯେ ଲୁଣ ପାଇଁ ପର ଘରକୁ ଅନେଇଥାଏ । ମଲା ମଣିଷର ପଛରେ ନିନ୍ଦା କରି ଲାଭ ନାହିଁ, ନୋହିଲେ ଭୋଳାକୁ ଦେଖିଲେ ତା ଦେହରେ ନିଆଁ ଲାଗିଯାଏ । ଭୋଳା ଭଲ ଲୋକ ବୋଲି ସହି ଯାଉଥିଲା-। ମୋଠୁ ଦଶବର୍ଷ ବଡ଼, ହେଲେ ବି ଦେଖିଲା ମାତ୍ରେ ମୋତେ ଆଗେ ଦଣ୍ଡବତ କରିବ ।

 

ଧନୀୟା ପଚାରିଲା, —ହଁ ଭୋଳା କଣ କହୁଥିଲେ, ଯେଉଁଦିନ ମୁହଁ ଚାହିଁଥିବେ କଣ ହୋଇଯିବ ?

 

ହଁ, କହୁଥିଲା, ତମ ମୁହଁ ଦେଖିଲା ଦିନ ଯୁଆଡ଼ୁ ହେଲେ ତାକୁ ଦି ପଇସା ମିଳିଯାଏ ।

 

ବୋହୂଗୁଡ଼ା ଯେ ତା’ର ଆସିଛନ୍ତି, ସେ ବି ସେହିମିତି ଢକରୀ ଉଧାର ପାଇଲେ ପାଞ୍ଚ ଟଙ୍କାର ଖାଇଦେବେ, ଶୁଝିବା ପାଇଁ ଟିକିଏ ଚିନ୍ତା ନଥିବ ।

 

ସେଇଥିପାଇଁ ଭୋଳା କାନ୍ଦୁଛି ନା, ନହିଲେ କାହିଁକି ?

 

ଠିକ୍ ଏତିକିବେଳେ ଗୋବରା ପହଞ୍ଚି ଯାଇ କହିଲା, ହେଇଟି ଭୋଳା ଦାଦି ଆସିଗଲାଣି । ମହଣେ ଦି ମହଣ ଭୂଷି ବାହାର କରିଦିଅ ଆଉ ତାଙ୍କ ପାଇଁ କନ୍ୟା ଖୋଜିବାକୁ ବାହାରିପଡ଼ ।

 

ଧନିୟା କହିଲା, ତୁ କେମିତି କିରେ, ଜଣେ ଆସି ଦୁଆରେ ବସିଛନ୍ତି ତାଙ୍କୁ ବସିବାକୁ ଜାଗା ନ ଦେଇ ଆସି କଥା କହୁଛୁ ? ମଣିଷପଣିଆ ଟିକିଏ ଶିଖ । ଲୋଟା ନେଇଯା, ପାଣି ଲୋଟ ରଖିଦେ, ମୁହଁ ହାତ ସେ ଧୁଅନ୍ତୁ, ପଣା ପାଣି ମୁନ୍ଦେ ପିଆଇ ଦେ । ବିପଦ ଆପଦରେ ଲୋକେସିନା ପର ଦୁଆରକୁ ଆସନ୍ତି ! ନହେଲେ କାହିଁକି ଆସନ୍ତେ ?

 

ହୋରୀ କହିଲା, —ପଣା ପାଣି କଣ ହେବ, ସେ କେଉଁ କୁଣିଆ ହୋଇଛନ୍ତି ।

 

ଧନିୟା ବିଗିଡ଼ି ଯାଇ କହିଲା,–କୁଣିଆ ନୁହନ୍ତି ଆଉ କଣ ? ନିତି କେତେ ସେ ତମ ଦୁଆରକୁ ଆସୁଛନ୍ତି ! ଏଡ଼େ ଖରାରେ ଆସିଛନ୍ତି, ଶୋଷ ହେଉଥିବ; ଦେଖିଲୁ ରୂପା–ଡବାରେ ଗୁଡ଼ାଖୁ ଅଛି କି ନାହିଁ । ଗୋବରା ଯୋଗୁଁ କଣ କିଛି ଥିବ ଯେ । ଧାଇଁ ଯା ସହୁଆଣୀଠୁଁ ଦି’ ପଇସାର ଗୁଡ଼ାଖୁ ନେଇ ଆସିବୁ ।

 

ଭୋଳାକୁ ଆଜି ଯେମିତି ଖାତିରି ଆଉ କେବେ ଏମିତି ହୋଇ ନଥିଲା । ଗୋବରା ଖଟ ପକାଇ ଦେଲା । ସୁନା ପଣା ଆଣିଦେଲା । ରୂପା ଚିଲମରେ ଗୁଡ଼ାଖୁ ଭରିଦେଲା । ଧନିୟା ଟିକିଏ ପ୍ରଶଂସା ଶୁଣିବ ବୋଲି କବାଟକଣରେ କାନ ଡେରି ଠିଆ ହୋଇ ରହିଲା ।

 

ଚିଲମ ଉଠାଉ ଉଠାଉ ଭୋଳା କହିଲା, —ଏ ଘରେ ଲକ୍ଷ୍ମୀଟିଏ ଅଛନ୍ତି ବୋଲି ସିନା ସାନ ବଡ଼ ସମସ୍ତଙ୍କ ଚରଚା କରୁଛନ୍ତି ।

 

ପ୍ରଶଂସା ଶୁଣି ଧନିୟାର ଆନନ୍ଦ ଉଛୁଳି ପଡ଼ିଲା । ଜୀବନ ଯାକ ଅଭାବ ଅସୁବିଧାରେ ଯେଉଁ ମନ ପିତା ହୋଇ ଯାଇଥିଲା, ସେ ପୁଣି ପ୍ରଶଂସା ଶୁଣି ଟିକିଏ ମଧୁର ହୋଇ ଉଠିଲା ।

 

ଭୁଷୀ ଆଣିବା ପାଇଁ ହୋରୀ ଯେତେବେଳେ ବୋଝ ଧରି ଘର ଭିତରକୁ ଗଲା, ଧନିୟା ତା’ ପଛେ ପଛେ ଚାଲିଲା । ହୋରୀ କହିଲା, ଏଡ଼େ ବଡ଼ ବୋଝଟାଏ ଇଏ ପାଇଲା କୋଉଁଠୁ ? କେଉଁ ଗୁଡ଼ିଆ ଘରୁ ମାଗି ଆଣିଥିବ ? ଏଥିରେ ତ ବୋଝେ ଦେଲେ ଦି’ ମହଣ ଚାଲିଯିବ !

 

ଧନିୟା ମନ ତ ପ୍ରଶଂସା ଶୁଣି ଖୁସି ହୋଇ ଯାଇଥିଲା । ହୋରୀ ଉପରେ ଟିକିଏ ବିରକ୍ତ ହୋଇ କହିଲା,–ନ ଦବ ତ ନାହିଁ, ଦେଲେ ପେଟପୂରା କରି ଦିଅ । ବୋଝେ ଭୂଷୀ ଦେବ ଯେ ନେଇକରି କଣ ସେ ଶୁଙ୍ଘିବେ ? ଦବ ଯଦି ଦି ତିନି ବୋଝ ଦିଅ, ନୋହିଲେ ତ ନାହିଁ । ସେ ବି ସେମିତି ଲୋକ, ପୁଅ ଫୁଅ କାହାକୁ ହେଲେ ଜଣକୁ ସାଙ୍ଗରେ ଆଣି ନାହାନ୍ତି । ଏକୁଟିଆ କେତେ ବୋହିବେ–ପ୍ରାଣ ଉଡ଼ିଯିବ ।

 

‘ମୁଁ ଆଗ ବୋଝକରୁ ବେଶି ଦେଉଛି କି ନାହିଁ ଦେଖ !’

 

ଆଉ କଣ ବୋଝୁଟାଏ ଦେଇ ଫେରାଇ ଦେବ ? ନାହିଁ–ସୁନ୍ଦର ଦିଶିବ ନାହିଁ, ଗୋବରାକୁ କହ ସେ ବୋଝୁଟାଏ ନେଇ ଯାଉ, ଛାଡ଼ିଦେଇ ଆସିବ ।

 

‘ଗୋବରା ତ ଆଖୁ କୋଡ଼ିବାକୁ ଯିବ ।

 

‘ଦିନେ ନ ଗଲେ, କଣ ହୋଇ ଯାଉଛି ?

 

‘ଭଗବାନ ତ ଦି’ ଦିଟା ପୁଅ ଦେଇଚନ୍ତି, ସେ ସିନା ଜଣକୁ ସାଙ୍ଗରେ ନେଇ ଆସିଥିଲେ ହୋଇଥାନ୍ତା ।’

 

‘ହଁ, କାଳେ ପୁଏ ଘରେ ନ ଥିବେ । ଦୁଧ ଦହି ନେଇ ବଜାର ଯାଇଥିବେ ।’

 

‘ଇଏତ ବଡ଼ ମଜାକଥା, ନିଜ ଜିନିଷ ଦେବ, ପୁଣି ନିଜେ ନେଇ ଦେଇ ଆସିବ । ନିଜେ ନଦିବ, ନଦେଇବ, ନଦିକରି ନେଇ ଦେଇ ଆସିବ ।’

 

ଧନିୟା କହିଲା,—ତେବେ, ତମେ କେହି ନ ଯା । ମୁଁ ନିଜେ ନେଇ ଦେଇ ଆସିବି । ବଡ଼ଲୋକଙ୍କର କାମ କରିଦେଲେ କ’ଣ ନାଜ ମାଡ଼ୁଛି ?

 

ମୁଁ ଯଦି ତିନି ବୋଝ ଭୂଷୀ ଦେଇ ଦେବି, ତେବେ ଆମ ବଳଦ ଖାଇବେ କ’ଣ ?

 

‘ମଲା, ଆଗରୁ ସିନା ତମେ ସେ କଥା ବିଚାରିଥା’ନ୍ତ । ଏଇନେ କହିଲେ କ’ଣ ହେବ ? ଯାହାତ ହେବାର ହେଲାଣି ଗୋବରାର ତମର ଦିହିଁଯାକ ଯାଇ ଦି’ ବୋଝ ଦେଇ ଆସ ।’

 

‘ସ୍ନେହ ସହାନୁଭୂତିରେ ଜଣକୁ ଯେତିକି ଦେଇ ହେବ ଦେବ ନା, ଆଉ କ’ଣ ଦେବ ବୋଲି ଘରଯାକ ବୁହାଇ ଦେବ !’

 

‘ନାହିଁ, ଘରଯାକ ବୁହାଇ ଦେବ ନାହିଁ ଯେ, ଏଇନେ ଯଦି ଜମିଦାରଙ୍କ ପିଆଦା ଆସିଯାନ୍ତା ତେବେ ବଂଶଯାକ ବାପ, ପୁଅ, ଝିଅ ସମସ୍ତେ ନାଗିକରି ବୁହନ୍ତ କି ନାହିଁ ଦେଖନ୍ତି । ଖାଲି ତ ବୁହନ୍ତ ନାହିଁ । ଯାଇକରି ସେଠେଇ ମହାଣେ ଦି ମହଣ କାଠ ବି ଆହୁରି ଚିରିଦେଇ ଆସନ୍ତ ।’

 

‘ଜମିଦାରଙ୍କ କଥା ଯାହା କହିଲୁ, ସେ ଅଲଗା କଥା ।’

 

‘ହଁ, ସେଇଠି ମାଡ଼ ଡରରେ ମାଙ୍କଡ଼ ନାଚେ କିନ !’

 

‘ମଲା, ମାଡ଼ ଡର କ’ଣ ? ଆମେ ତ ପୁଣି ତାଙ୍କ ଜମି ଚଷୁଛେ ।’

 

‘ହଁ, ଜମି ଚଷିଲେ ସେଠୁ କ’ଣ ହେଲା ? ଜମି ଚଷୁଛେ ଯେମିତି ଖଜଣା ଦେଉଛେ ସେମିତି । କେହି ତ ମାହୁଳିଆ ଚଷୁ ନାହିଁ । ସେଥିରେ ପୁଣି ଏବେ ବେଠି ବେଗାରୀ କିଆଁ ?

 

‘ହଉ ଥାଉ, ଯାହା ହେଲାଣି ତ ହେଲାଣି । ଆଉ ମୋ ଜୀବନ ଖାଆ ନାହିଁ । ଗୋବାରାର ମୋର ଯାଇ ଦେଇ ଆସିବୁ । ହୋରୀ ମନେ ମନେ ଭାବିଲା, ‘କାହିଁକି ଅବା ସେ ଧନୀୟାକୁ ଭୂଷୀ କଥା କହିଲା । ମୋଟେ ତ ଆଗ ଦେଉ ନଥିଲା । ଏବେ ଘର ଉଜାଡ଼ି ଦେବାକୁ ବସିଛି । ମୋଟେ ଚାଲୁ ନଥିବଟି, ପୁଣି ଚାଲିବାକୁ କହିଲେ ଧାଉଁଥିବ । ଆଚ୍ଛା ଲୋକ ସତେ ।’

 

ତିନି ବୋଝ ଭୁଷୀ ପୁରା ହେଲା । ଗୋବରା ମନେ ମନେ ଭାରି ଚିଡ଼ୁଥାଏ । ସେ ଜଣେ ତା ବାପା ଯେଉଁଠିକି ଯିବ କିଛି ନା କିଛି କ୍ଷତିରେ ପକାଇବ । ଧନିୟା ମନ ଭାରି ଖୁସି । କିନ୍ତୁ ହୋରୀ ଖାଲି ଧର୍ମ ଆଉ ସ୍ଵାର୍ଥ ଭିତରେ ଉବେଇ ଟୁବେଇ ହେଉଥାଏ ।

 

ହୋରୀ ଆଉ ଗୋବରା ଦୁହେଁ ମିଶି ବୋଝୁଟାଏ ଭୁଷୀ ବାହାରକୁ ନେଇ ଆସିଲେ । ଭୋଳା ସାଙ୍ଗେ ସାଙ୍ଗେ ଗାମୁଛାରେ ବାନ୍ଧି ପକାଇ ମୁଣ୍ଡେଇ କରି କହିଲା—ଯାଉଛି, ୟାକୁ ରଖିଦେଇ ଆସିବି । ପୁଣି ଆଉ ଥରେ ଆସି ନେଇଯିବି ।

 

କିନ୍ତୁ ହୋରୀ କହିଲା—ଆଉ ବୋଝେ ନୁହେଁ ଯେ, ଆହୁରି ଦି’ ବୋଝ ଅଛି । କିନ୍ତୁ ତମକୁ ଆସିବାକୁ ପଡ଼ିବ ନାହିଁ । ଗୋବରାର ମୋର ତମ ସଙ୍ଗରେ ଯାଇ ଦେଇ ଆସିବୁ ।

 

ଏକଥା ଶୁଣି ଭୋଳା ଆଶ୍ଚର୍ଯ୍ୟ ହୋଇଗଲା । ତାକୁ ଜଣାଗଲା, ହୋରୀ ଯେମିତି ତା ନିଜ ଭାଇଠାରୁ ବି ଆହୁରି ଆପଣାର । ତାକୁ ଏମିତି ଲାଗିଲା, ସତେ ଯେମିତି ତା ଜୀବନଟା ନୂଆ ପାଲଟି ଗଲା ।

 

ତିନିହେଁଯାକ ଭୁଷୀ ମୁଣ୍ଡେଇ କଥାବାର୍ତ୍ତା ହୋଇ, ଆଗପଛ ଚାଲିଲେ ।

 

ଭୋଳା ପଚାରିଲା,–ଦଶରା ତ ପାଖେଇ ଆସିଲାଣି, ଜମିଦାରଙ୍କ ଦୁଆରେ ଏଥର ଭାରି ଧୂମଧାମ୍ ଲାଗିବ ?

 

‘ହଁ, ଲାଗିବ ନାହିଁ ଆଉ କ’ଣ । ତମ୍ବୁ, ସାମିଆନା ତ ସବୁ ଟଣା ସରିଲାଣି । ଏଥର ମୁଁ ଧନୁଯାତ୍ରାରେ ପାର୍ଟ ନେବି । ରାୟସାହେବ କହିଛନ୍ତି, ଜନକରଜାଙ୍କ ମାଳି ହୋଇ ବାହାରିବା ପାଇଁ-।’

 

‘ହଁ, ବାହାରିବ ନାହିଁ କାହିଁକି । ମାଲିକ ତ ତମ ଉପରେ ଭାରି ଖୁସି ।’

 

‘ବଡ଼ଲୋକ ସେ, ତାଙ୍କ ଦୟା ।’

 

ଟିକିଏ ଛାଡ଼ି ଭୋଳା ପଚାରିଲା,–ପାର୍ଟ ତ ନବ ପଛେ, ଭେଟି ପାଇଁ ଆଗ ଟଙ୍କା ଯୋଗାଡ଼ କଲଣି କି ନାହିଁ ? ପାର୍ଟ ନେଇଗଲେ ତ ଆଉ ଭେଟି ଟଙ୍କାରୁ ଛାଡ଼ ମିଳିବ ନାହିଁ ?

 

ମୁଁହରୁ ଝାଳ ପୋଛୁ ପୋଛୁ ହୋରୀ କହିଲା,–ହିଁ, ସେଇ ଭେଟିଟଙ୍କା ତ ମାରୁଛି । ଫସଲ ଯାହା ଆମଦାନୀ ହୋଇଥିଲା ସେ ତ ଖଳାମୁଣ୍ଡକୁ ନିଅଣ୍ଟ । ଜମିଦାର, ମହାଜନ ଯେ ଯାହା ପାଉଣା ନେଇଗଲେ, ଆମ ପାଇଁ ବଳିଥିଲା ମୋଟେ ପାଞ୍ଚସେର । ଭୁଷୀ ଗଣ୍ଡାକ ରାତାରାତି ଆଣି ଛପେଇ ଦେଇଥିଲି ବୋଲି, ନହିଲେ ସେତକ ବି ନଥାନ୍ତା । ଜମିଦାର ସିନା ଜଣେ, ମହାଜନ ତ ତିନିଜଣ । ସାହୁଆଣୀ ଜଣେ, ମଙ୍ଗୁରୁ ଜଣେ, ଦାତା ଦୀନ ପଣ୍ଡିତ ଜଣେ, କାହାରି ସୁଧ ପର୍ଯ୍ୟନ୍ତ ପୂରା ହୋଇ ନାହିଁ । ଜମିଦାରଙ୍କ ଖଜଣା ଟଙ୍କା ବି ଅଧା ବାକି ପଡ଼ିଛି । ସାହୁଆଣୀ ଠାରୁ ପୁଣି ଟଙ୍କା ଧାର ଆଣିବାରେ ଯାଇ କାମ ଚଳିଲା । ଯେତେ ଯୁଆଡ଼ୁ ଖେଣ୍ଟିଲେ ବି କୁଆଡ଼କୁ ତ ଅଣ୍ଟୁ ନାହିଁ । ନିଜ ଦେହରୁ ରକ୍ତ ନିଗାଡ଼ି ପରକୁ ପୋଷିବା ପାଇଁ ଜାଣି ଆମ ଜନ୍ମ । ମୂଳ ଟଙ୍କାର ଦି’ ଗୁଣା ପଛେ ସୁଧ ଦିଆ ସରିଲାଣି, ମୂଳ ଟଙ୍କା ଯେମିତିକି ସେମିତି ରହିଛି । ସମସ୍ତେ କହୁଛନ୍ତି, ବାହା ବନ୍ଦାପନାରେ, ମଲାଘରେ କମେଇ କରି ଖର୍ଚ୍ଚ କର । ସମସ୍ତେ କହୁଛନ୍ତି ସିନା, କରୁଛି କିଏ-? ଜମିଦାରଙ୍କ ପୁଅ ବାହାଘର ହେଲା ଯେ ସେ କୋଡ଼ିଏ ହଜାର ଟଙ୍କା ଖରଚ କଲେ । ମଙ୍ଗୁରୁ ତା’ ବାପ କାମରେ ପାଞ୍ଚହଜାର ଟଙ୍କା ଖରଚ କରିଦେଲା । କାହିଁ, ତାକୁ ତ କେହି କିଛି କହିଲେ ନାହିଁ-। ସେମିତି ସମସ୍ତଙ୍କର ତ ପୁଣି ମାନମର୍ଯ୍ୟାଦା ଗୋଟେ ଅଛି ।

 

ଭୋଳା ଦୁଃଖ କରି କହିଲା,–ହଁ ଭାଇ, ବଡ଼ଲୋକଙ୍କ ସଙ୍ଗେ ଆମେ ସମାନ ହେବା କୁଆଡ଼ୁ ?

 

‘ମଲା, ଆମେ ତ ପୁଣି ମଣିଷ !’

 

ଆମେ ମଣିଷ ବୋଲି କିଏ କହିଲା ! ଆମେ ପୁଣି ମଣିଷ ହେଲେ କେଉଁ ଦିନ ! ଯା’ ପାଖରେ ଧନ ଅଛି, କ୍ଷମତା ଅଛି, ବିଦ୍ୟା ଅଛି ସେ ସିନା ମଣିଷ; ଆମେ ତ ଗୋରୁଗାଈ, ଯୁଚା ହେବା ପାଇଁ ଆମର ଜନ୍ମ । ସେଥିରେ ପୁଣି ଆମେ କେହି କାହାକୁ ଦେଖିପାରୁ ନାହିଁ । ଆମ ଭିତରେ ବାଡ଼ିଆ ପିଟା ଯୋଗୁ ଜମିବାଡ଼ି ଦାମ୍ ବଢ଼ି ଯାଉଛି । ସଂସାରୁ ତ ଏବେ ମାୟା ମମତା ସବୁ ଉଡ଼ିଗଲାଣି ଆଉ କିଛି ନାହିଁ ।

 

ବୁଢ଼ାଲୋକଙ୍କର ସବୁଠୁ ମଜାଗପ ହେଉଛି,–ଅତୀତ କଥା ମନେ ପକାଇବା, ବର୍ତ୍ତମାନର ଦୁଃଖ ଗାଇବା ଆଉ ଭବିଷ୍ୟତର ସର୍ବନାଶ ଆଶଙ୍କା କରିବା । ଦି’ବନ୍ଧୁ ଯାକ ଆପଣା ଆପଣା ଦୁଃଖ ଗାଇ ଚାଲିଲେ । ହୋରୀ କହିଲା ତା ଭାଇଙ୍କ କଥା । ଭୋଳା କହିଲା ତା ପୁଅଙ୍କ କଥା । ଯାଇ ଯାଇ ଗୋଟେ କୂଅ ପାଖରେ ପାଣି ପିଇବାକୁ ବସିଗଲେ । ଗୋବରା ଜଣେ ବଣିଆ ଠାରୁ ଲୋଟା ଆଣି ପାଣି କାଢ଼ିଲା ।

 

ଭୋଳା ସହାନୁଭୂତି ଦେଖାଇ ପଚାରିଲା,–ଭାଇମାନଙ୍କୁ ତମେ ପୁଅ ପରି ପାଳିଥିଲ । ସେମାନେ ଯେତେବେଳେ ଆଜି ଭିନ୍ନେ ହୋଇଗଲେ, ତୁମକୁ ତ ଖରାପ ଲାଗିଥିବ ?

 

‘ଖରାପ ଲାଗିବା କଥା ଆଉ ପଚାରୁଛ ? ମନ ହେଉଥିଲା କେଉଁଠି ଯାଇ ବୁଡ଼ି ମରିଥାନ୍ତି । ଜୀଇ ଥାଉଁ ଥାଉଁ ଆଖି ଆଗରେ ସବୁ ହୋଇଗଲା । ଯେଉଁମାନଙ୍କ ସୁଖ ଦେଖିବି ବୋଲି ଯଉବନଟାକୁ ମାଟିରେ ମିଶାଇ ଦେଲି, ସେଇମାନେ ଆଜି ଶତୁରୁ ହୋଇ ଠିଆହେଲେ । ଆଉ ଆମ ଗଣ୍ଡଗୋଳର ଅସଲ କାରଣ କ’ଣ ଜାଣ ? ମୋ ସ୍ତ୍ରୀ କାହିଁକି ବିଲକୁ କାମ କରିବାକୁ ଗଲା ନାହିଁ । ଆରେ ବାବୁ, ବିଲକୁ ନ ଗଲା ଏବେ, ଘର କାମ ତ କଲା । ଘର କାମ ତ ପୁଣି କିଏ ଜଣେ ହେଲେ କରନ୍ତା । ଦିଆନିଆ, ରଖାଥୁଆ, ଗଲା ଆଇଲା କିଏ ତ ଜଣେ ପୁଣି ବୁଝନ୍ତା । ଘରେ ତ ସେ କିଛି ବସି ରହି ନଥିଲା ! ଲିପା ପୋଛା, ବାସନବରତନ, ରୋଷେଇବାସ, ପିଲାଛୁଆଙ୍କ ଅରଦଳି ସବୁ ତ ପୁଣି ବୁଝୁଥିଲା । ଶୋଭା ସ୍ତ୍ରୀ କ’ଣ ଏ କାମ କରି ପାରିଥାନ୍ତା, ନା ହୀରା ସ୍ତ୍ରୀ ଏ କାମ କରିବାକୁ ଲାଏକ ? ଏକାଠି ଥିଲାବେଳେ ତ ଚାରି ବକତ ଖାଉଥିଲେ, ଏବେ ଖାଉ ନାହାନ୍ତି ? ଆଜିକାଲି ତ ଦିନକେ ଓଳିଏ ଚୁଲି ଜଳିବା କଷ୍ଟ । ଘରେ ମାଲିକ ହୋଇ ଗୋବରା ମା’ ଯେଉଁ ହିନସ୍ଥା ହେଉଥିଲା, ସେ କଥା ଏକା ମୁଁ ଜାଣେ । ଯା’ମାନଙ୍କର ଛିଣ୍ଡା କବଟା ପିନ୍ଧି ଦିନ ସାରୁଥିଲା । ଘରେ ନଥିଲେ ନିଜେ ଉପାସ ରହିବ ପଛେ, ଯା’ମାନଙ୍କ ପାଇଁ ଜଳଖିଆ ପର୍ଯ୍ୟନ୍ତ ଯୋଗାଇ ଦେଉଥିଲା । ନିଜ ଦେହରେ ସୂତା ଖିଏ ନଥିଲା ପଛେ ଯା’ଙ୍କ ପାଇଁ ପାଞ୍ଚ ପାଞ୍ଚଟା ଗହଣା ଗଢ଼େଇ ଦେଇଥିଲା । ଏତେ କଲା ପଛେ କେହି ଜାଣିଲେ ନାହିଁ । ସମସ୍ତେ ଖାଲି ବୁଝିଲେ, ସେ ମାଲିକ । ସେଇଥିପାଇଁ ସମସ୍ତଙ୍କର ରାଗ । ଭିନ୍ନେ ହୋଇଗଲେ, ଭଲ ହେଲା । ମୋ ମୁଣ୍ଡରୁ ବୋଝ ଗଲା ।’

 

ଭୋଳା ଢକ ଢକ ଢାଳେ ପାଣି ପିଇଦେଇ କହିଲା,–ତମେ କ’ଣ ଆମେ କ’ଣ ଆଜିକାଲି ଭାଇ, ସମସ୍ତଙ୍କ ଘରେ ଏକା ହାଲ । ଭାଇଙ୍କ କଥା କ’ଣ କହୁଛ ? ଆମର ତ ବାପପୁଅରେ ବି ପଡ଼ୁନାହିଁ । ଅସଲ କଥା ହେଉଛି କାହାରି ଖରାପ କଥା ଦେଖିଲେ ମୋ ପାଟି ରହେ ନାହିଁ । ତମେ ଜୁଆ ଖେଳିବ, ଭାଙ୍ଗ ପିଇବ, ଗଞ୍ଜେଇ ଖାଇବ କିନ୍ତୁ ପଇସା ଆସିବ କେଉଁଠୁ-? ଯେ ଖରଚ କରିବ ସେ ରୋଜଗାର କଲେ ସିନା ହେବ । ବଡ଼ପୁଅ କାନ୍ତା ଯଦି ସଉଦା କରିବା ପାଇଁ ବଜାର ଗଲା, ତେବେ ଅଧା ପଇସା ସିଆଡ଼େ । ପଚାରିଲେ ଉତ୍ତର ନାହିଁ । ସାନ ଟୋକା ଜଙ୍ଗୀ, ସେତ ନାଟ ତାମସାରେ ପାଗଳ । ସଞ୍ଜହେଲେ ଖୋଳ କରତାଳ ଧରି ବସିଲା । ନାଟ ତାମସା, ଗାଆଣ ବାଜଣା ତ କିଛି ଖରାପ କଥା ନୁହେଁ କିନ୍ତୁ ସେଗୁଡ଼ା ସିନା ଫୁରୁସତ ବେଳର କଥା । ସବୁ ଧନ୍ଦା ଛାଡ଼ି ସେଥିରେ ଦିନ ରାତି ମାତିଲେ କାମ ଚଳିବ କେମିତି ? ସବୁ କାମ ଏବେ ମୋରି ମୁଣ୍ଡରେ । କୁଣ୍ଡା ତୋରାଣି ଦେବି ମୁଁ, ଗାଈ ମଇଁଷି ଦୁହିଁବି ମୁଁ, ଦୁଧ ନେଇକରି ବଜାର ଯିବି ମୁଁ । ଏମିତିଆ ଜୀବନ ଆଉ କିଛି ନୁହେଁ ଯେ, ଖାଲି ଗୋଟେ ଜଞ୍ଜାଳ । ସୁନାପାତିଆ ପରି ଉପର ଚକ ଚକ । ତାକୁ ଗିଳିହେବ ନାହିଁ, କି ଗିଳିଦେଲେ ପୁଣି ଓକାଳି ହେବ ନାହିଁ । ଝୁନିଆ ଯେ, ସେ ତ ଆହୁରି ଦୁର୍ଭାଗ୍ୟର କଥା । ତମେ ତ ତା ବାହାଘରକୁ ଥିଲ । ଦେଖିଛ କେମିତିଆ ବର, କେମିତିଆ ଘର । ସ୍ୱାମୀ ତାର ବମ୍ବେଇରେ ଦୁଧ ଦୋକାନ କରିଥିଲା । ହିନ୍ଦୁ ମୁସଲମାନ ଗଣ୍ଡଗୋଳ ହେଲା ଯେ, କିଏ ଜଣେ ତା ପେଟରେ ଛୁରୀ ଭୂଷିଦେଲା । ସେଇଥିରେ ତାର ଘରସଂସାର ଉଜୁଡ଼ି ଗଲା-। ଝୁନିଆ ଆଉ ସେଠି ରହି ପାରିଲା ନାହିଁ । ଯାହିତାହି ଅବା ଆଉଥରେ ତାକୁ କେଉଁଠି ଛନ୍ଦି ଦିଅନ୍ତି-। କିନ୍ତୁ ସେ ତ ମଙ୍ଗୁ ନାହିଁ । ଭାଉଜ ବୋଲି ଯେଉଁ ଦି’ଟା ଅଛନ୍ତି, ସେ ତ ତାକୁ ଦିନରାତି ଜଳେଇ ପୋଡ଼େଇ ମାରୁଛନ୍ତି । ଘରେ ତ ଦିନ ରାତି ମହାଭାରତ ଲାଗିଛି । ବିପତ୍ତି ପଡ଼ିଲା ବୋଲି ଏଠିକି ଆସିଲା ଯେ, ଏଠେଇ ଅବା କେଉଁ ସୁଖ ଅଛି ?

 

ଏମିତି ଦୁଃଖ ସୁଖ ହୋଇ ବାଟ ସରିଗଲା । ସେମାନେ ଯାଇ ଭୋଳା ଗାଁରେ ପହଞ୍ଚିଗଲେ । ଛୋଟିଆ ଗାଁଟିଏ କିନ୍ତୁ ଭାରୀ ସୁନ୍ଦର । ଚଷାଙ୍କୁ ଅନାଇଁଲା ବେଳକୁ ଗଉଡ଼ଙ୍କ ଅବସ୍ଥା ଖୁବ୍ ଭଲ । ଭୋଳା ହେଉଛି ସେ ଗାଁର ମୁଖିଆ । ତା ଘର ଆଗରେ ଖଣ୍ଡେ ବଡ଼ ପଡ଼ିଆ । ସେଠି ଦଶ ବାରଟା ଗାଈ ମଇଁଷି ଠିଆହୋଇ ନଡ଼ାକୁଟା ଚୋବାଉଥିଲେ । ତା ଘର ବାରଣ୍ଡାରେ ଖଣ୍ଡେ ଖଟ ପଡ଼ିଥିଲା, ଯାହାକୁ ଦଶଜଣ ମଣିଷ ବି ଉଠାଇ ପାରିବେ ନାହିଁ । କେଉଁ ଖୁଣ୍ଟରେ ଢୋଲକୀ ତ, କେଉଁ ଖୁଣ୍ଟରେ ଝାଞ୍ଜ କରତାଳ ଓହଳିଥିଲା । ରାମାୟଣ ଭଳିଆ ଖଣ୍ଡେ ଅଧେ ବହି କଣ ଗଛାରେ ବନ୍ଧାହୋଇ ପଡ଼ିଥିଲା । ବୋହୂ ଦି’ଜଣ ବସି ଘର ଆଗରେ ଘଷି ପାରୁଥିଲେ । ଝୁନିଆ ଦୁଆରବନ୍ଧକୁ ଧରି ଠିଆ ହୋଇଥିଲା । ତାର ଆଖି ନାକ ସବୁ ଏମିତି ଲାଲ ଦିଶୁଥିଲା ସତେ ଯେମିତି କିଛି ସମୟ ଆଗରୁ ସେ କାନ୍ଦୁଥିଲା । ଝୁନିଆର ସୁସ୍ଥ ଦିଶୁଥିଲା ସତେ ଯେମିତି କିଛି ସମୟ ଆଗରୁ ସେ କାନ୍ଦୁଥିଲା । ଝୁନିଆର ସୁସ୍ଥ ସୁନ୍ଦର ଦେହରେ ଯୌବନ ଲହଡ଼ା ମାରୁଥିଲା । ଥାଳୀପଟ ପରି ମୁହଁ, ଫୁଲକା ଫୁଲକା ଗାଲ, ଛୋଟ ଛୋଟ ଗହୀର ଗହୀର ଆଖି, ସରୁ କପାଳ, ସୁଢ଼ଳ ଦେହକୁ ପୁଣି ଘଞ୍ଚ ଉଚ୍ଚ ଛାତି । ତା’ ଉପରକୁ ଛପା ଗୋଲାପୀ ଶାଢ଼ି ତାକୁ ସବୁଠୁ ବେଶି ମାନୁଥିଲା ।

 

ଦୁଆରେ ପହଞ୍ଚିବା ମାତ୍ରେ ଝୁନିଆ ଭୋଳା ମୁଣ୍ଡରୁ ବୋଝ ଉତ୍ତାରି ଦେଲା । ତା’ ପରେ ଭୋଳା, ହୋରୀ ଆଉ ଗୋବରାର ବୋଝ ଉତ୍ତାରି ଦେଇ ଝୁନିଆକୁ କହିଲା—ହୋରୀଦାଦିକୁ ଚିହିଁଛୁ କି ନାହିଁ ? ଯା’ ଚଞ୍ଚଳ ଆଗ ଚିଲମ ଠିକ୍ କରି ନେଇଆ । ତା’ପରେ ପଣା ଟିକିଏ କରିଦେ । ପାଣି ନାହିଁ ଯଦି ମାଠିଆ ଆଣ, ମୁଁ ପାଣି ଆଣିଦେବି ।

 

‘ଦେଖୁଚ ହୋରୀ ଭାଇ, ପୁଁ ପରା କହୁଥିଲି ଘରଣୀ ନଥିଲେ ଘର ଚଳିବା ବଡ଼ ମୁସ୍କିଲ୍-। ବଡ଼ବଡ଼ିଆ କ’ଣ ମିଛରେ କହିଛନ୍ତି ? —ଠୁରା ବଳଦରେ ଖେତ ହୁଏ ନାହିଁ, କି ବୋହୂଙ୍କ ହାତରେ ଘର ଚଳେ ନାହିଁ । ଯେଉଁଦିନୁ ଝୁନିଆ ମା ଗଲାଣି, ସେ ଦିନୁ ସବୁ ଗଲାଣି । ବୋହୂଏ ସିନା ରୋଷାଇ ଗଣ୍ଡାକ କରି ଦେଉଛନ୍ତି, ହେଲେ ଘର ଚଳେଇ ଜାଣିବେ କେଉଁଠୁ ?

 

କିନ୍ତୁ ପାଟି ଖୁବ୍ ଚଳେଇ ଜାଣନ୍ତି । ପୁଏ ତ ଏଇନେ କେଉଁଠି ଜୁଆଖେଳରେ ମାତିଥିବେ । ସବୁଗୁଡ଼ା ଯେମିତି ଅଳୁସୁଆ ସେମିତି କାମଚୋର । ଜୀଇଥିବା ଯାକ ତ ଏଗୁଡ଼ାଙ୍କ ପଛରେ ମରୁଥିବି, ମଲା ବାସୀଦିନ ମୁଣ୍ଡରେ ହାତଦେଇ କାନ୍ଦୁଥିବେ । ପୁଅ ଯେମିତିଆକୁ ଝିଅ ବି ସେମିତିଆ । ବୋଲଟାଏ କରିଦେବ ବୋଲେ ଦିନଯାକ ଗରଗର ହେଉଥିବ । ମୁଁ ସିନା ସହି ଯାଉଛି, ପରପୁଅ ସହିବ କାହିଁକି ?’

 

ଝୁନିଆ ହାତକେ ଚିଲମ ଆଉ ହାତକେ ପାଣି ଲୋଟାଏ ଧରିଆସି ସଙ୍ଗେ ସଙ୍ଗେ ପହଞ୍ଚିଗଲା । ଗରା ଦଉଡ଼ି ଧରି ପାଣିପାଇଁ ପୁଣି ବାହାରିଗଲା । ଗୋବରା ତା’ଠୁ ଗରା ନେବାପାଇଁ ହାତ ବଢ଼େଇ ଲାଜଲାଜ ହୋଇ କହିଲା—ଆଚ୍ଛା ତମେ ରହ, ମୁଁ ନେଇ ଆସୁଛି ।

 

ଝୁନିଆ ଗରା ଦେଲାନାହିଁ । କୂଅ ଚାନ୍ଦିନୀ ଉପରକୁ ଉଠିଯାଇ ମୁରୁକି ହସା ଦେଇ କହିଲା—ତମେ ଆମର କୁଣିଆ ହୋଇ କେମିତି ପାଣି କାଢ଼ିବ ? ପଛରେ କହିବ କଣ ନା’ ଯାଇଥିଲୁ ଯେ ପାଣି ଲୋଟେ ଦେଲେ ନାହିଁ ।

 

‘ଆମେ ତମର କେଉଁ କୁଣିଆ, ଆମେ ତମର ସାଇପଡ଼ିଶା ।’ ‘ସାଇପଡ଼ିଶା ହେଲେ କ’ଣ ହେବ । ବାରମାସରେ ଯେ ଥରେ ଆସିବ ସେ କୁଣିଆ ନୁହେଁ ଆଉ କ’ଣ ?’

 

‘ସାଇପଡ଼ିଶା ହେଲେ ବି ନିତି ଆସିବ କିଏ ? ନିତି ଆସିଲେ ତ ଘଷରା ହୋଇଯିବ, ପଚାରି ଯିବ କିଏ ?’

 

ଝୁନିଆ ଟିକିଏ କଣେଇ ଚାହିଁ ହସିଦେଇ କହିଲା,—ହଁ ସତକଥା, ନିତି ଆସିଲେ ପଚାରିବ କିଏ ? ମାସକରେ ଥରେ ଆସିଲେ ସିନା ପଣା ମିଳିବ, ପନ୍ଦର ଦିନରେ ଥରେ ଆସିଲେ ଚିଲମ ପାଇବ, ସାତଦିନରେ ଥରେ ଆସିଲେ ବସିବା ପାଇଁ ପୀଢ଼ାଖଣ୍ଡେ ମିଳିବ । କିନ୍ତୁ ନିତି ଆସିଲେ, କିଛି ମିଳିବ ନାହିଁ ।

 

‘କ’ଣ ଦରଶନ ବି ମିଳିବ ନାହିଁ ?’

 

‘ମିଳିବ ନାହିଁ କାହିଁକି ? କିନ୍ତୁ ଦରଶନ ପାଇଁ ପୂଜା ତ ଦରକାର ।’

 

ଏମିତି କଥା ହେଉ ହେଉ ଝୁନିଆର ପାସୋର ସ୍ମୃତି ସବୁ ମନେ ପଡ଼ିଗଲା । ହଠାତ୍ ତାର ମନେ ପଡ଼ିଲା ସେ ବିଧବା । ଆଗେ ସିନା ସ୍ଵାମୀ ତା’ର ସତୀତ୍ଵ ଦ୍ଵାର ଜଗି ବସିଥିଲା ବୋଲି ତାର କିଛି ପରୁଆ ନଥିଲା କିନ୍ତୁ ଆଜି ଯେ ଦୁଆର ଖୋଲା । କେହି ତାର ଜଗୁଆଳୀ ନାହିଁ । ସେଥିପାଇଁ ସେ ସବୁବେଳେ ଦୁଆର ବନ୍ଦ କରି ବସିଥିଲା । କିନ୍ତୁ ଏକା ବସି ବସି ଅତି ବିରକ୍ତ ଲାଗିଲେ କେତେବେଳେ କେମିତି ଦୁଆର ଖୋଲି ଦେଉଥିଲା । କିନ୍ତୁ କାହାକୁ ଆସିବାର ଦେଖିଲେ ସାଙ୍ଗେ ସାଙ୍ଗେ ଦରଜା ବନ୍ଦ କରି ଦେଉଥିଲା ।

 

ଗୋବରା ପାଣି ମାଠିଆ ଧରି ଚାଲି ଆସିଲା । ତାପରେ ପଣା ପିଇ ଚିଲମଟାଣି ବାପପୁଅ ଦିହେଁ ଘରକୁ ବାହାରିଲେ । ଭୋଳା କହିଲା,–ଗୋବରା, କାଲି ଆସି ତୁ ଗାଈ ନେଇଯିବୁ-। ଏଇନେ ତ ସେମାନେ ଖାଉଛନ୍ତି ।

 

ଗାଈ ଦେଖି ଗୋବରା ମନ କାହିଁରେ କ’ଣ ଖୁସି । ଅଶୀ ଟଙ୍କାକୁ ଏମିତିଆ ବଢ଼ିଆ ଗାଈ ମିଳିପାରେ, ସେ କେବେ ସପନରେ ବି ଭାବି ନଥିଲା ।

 

ହୋରୀ କହିଲା,—

 

‘ହଁ, ସୁବିଧା ଦେଖି ମଗାଇ ନେବି, ତରତର ପଡ଼ିଛି କିଆଁ ?’

 

‘ନାହିଁ, ତମକୁ ତରତର ପଡ଼ିନାହିଁ ଯେ ମୋତେ ତରତର ପଡ଼ିଛି । ଗାଈ ତମ ଦୁଆରେ ବନ୍ଧା ହେଲେ ଯାଇ ମୋ କଥା ତମର ମନେ ରହିବ ।’

 

‘ନାହିଁମ, ତମ କଥା ତ ମୋର ସବୁବେଳେ ମନରେ ଅଛି, ଗାଈ ସଙ୍ଗେ କ’ଣ କଥା ଅଛି-?’

 

‘ଆଚ୍ଛା, ତା’ହେଲେ ଗୋବରାକୁ କାଲି ପଠାଇଦେବ ।’

 

କଥାବାର୍ତ୍ତା ସବୁ ଛିଣ୍ଡିଲା । ଖାଲିବୋଝ ମୁଣ୍ଡେଇ ବାପ ପୁଅ ଦିହେଁ ଘରକୁ ଫେରିଲେ । ଦୁହିଁଙ୍କ ମନ ଭାରୀ ଖୁସି, ସତେ ଯେମିତି କେଉଁ ବାହାଘରରୁ ଫେରୁଛନ୍ତି । ହୋରୀର ତ ଆଜି ଆନନ୍ଦର ସୀମା ନାହିଁ, କାରଣ ତାର ମନ କାମନା ପୂରି ଯାଇଛି, ପୁଣି ବିନା ପଇସାରେ । ଗୋବରାକୁ ତ ତାଠୁ ବଳି ମୂଲ୍ୟବାନ ଜିନିଷ ମିଳିଛି । ତାର ପ୍ରାଣର ଆଶା ଆଜି ଜାଗି ଉଠିଛି ।

 

କିଛି ଦୂର ଯାଇ ଗୋବରା ପଛକୁ ଚାହିଁ ଦେଖିଲା ଝୁନିଆ ଦୁଆର ବନ୍ଧରେ ସେମିତି ଛିଡ଼ା ହୋଇଛି, ଉନ୍ମତ୍ତ ଆଶା ପରି ଅଧୀର, ଚଞ୍ଚଳ ।

Image

 

Unknown

ଚତୁର୍ଥ ପରିଚ୍ଛେଦ

 

ହୋରୀକୁ ଆଜି ରାତିସାରା ନିଦ ନାହିଁ । ନିମଗଛ ମୂଳେ ଖଣ୍ଡେ ଖଟିଆରେ ପଡ଼ି ଏପାଖ ସେପାଖ ହେଉଛି । ଥରକୁ ଥର ଉଠି ତାରା ଦେଖୁଛି, କେତେବେଳେ ରାତି ପାଇବ ସେ ଗାଈପାଇଁ ଗୋଟିଏ କୁଣ୍ଡ ବସେଇବ । ବଳଦଙ୍କଠାରୁ ଗାଈକୁଣ୍ତ ଅଲଗା କରିବ । ଗାଈକୁ ଏବେ ପଦାରେ ବାନ୍ଧିବ । ଚତୁର୍ମାସ୍ୟା ହେଲେ ତେଣିକି ଦେଖାଯିବ । ଅବଶ୍ୟ ପଦାରେ ବାନ୍ଧିବା ଖରାପ । ପଦାରେ ବାନ୍ଧିଲେ ଗାଈ ବେଳେବେଳେ ଦୃଷ୍ଟିଆ ହୋଇଯାନ୍ତି । ଦୁଧ ଦିଅନ୍ତି ନାହିଁ କି ପହ୍ନାରେ ହାତ ମରେଇ ଦିଅନ୍ତି ନାହିଁ । ପଦାରେ ବାନ୍ଧିଲା ମାତ୍ରେ ଜମିଦାରଙ୍କ ଗୁମାସ୍ତା ଦେଖିବ ଆଉ ଦେଖିଲା ମାତ୍ରେ ବିଗିଡ଼ିବ; ତା ନାଁରେ ପୁଣି ଗୁହାରୀ କରିବାପାଇଁ ଜମିଦାରଙ୍କ ପାଖକୁ କିଏ ଯିବ । ସେ ତ କାହା କଥା ଶୁଣିବ ନାହିଁ । ପୁଣି ତା ସଙ୍ଗେ କଳି କରିବା ମାନେ, ପାଣିରେ ରହି କୁମ୍ଭୀର ସଙ୍ଗେ କଳି କରିବା କଥା ହେବ ।

 

ତା’ ପରେ ହୋରୀ ଭାବିଲା ଗାଈକୁ ପଦାରେ ନ ବାନ୍ଧି ଦୁଆରେ ବାନ୍ଧିବ । ଦୁଆର ବୋଲି ତ ଚାଖଣ୍ଡେ ସେଥିରେ ଜାଗା ଅଣ୍ଟିବ କୁଆଡ଼ୁ ? ପୁଣି ଭାବିଲା ଯାହିତାହି ଚାଳିଆଖଣ୍ଡେ କରିଦେଲେ ଚଳିବ । ଗାଈର ତ ଏଟା ପୋରୁହାଁ ପୋଖତ, କଅଁଳେଇଲା ମାତ୍ରେ ପାଞ୍ଚସେର ଦୁଧ ଦେବ । ଏକା ଗୋବରାକୁ ତ ସେରେ ନିଅଣ୍ଟ, ରୂପା ତ ଦୁଧ ପାଇଁ ଏତେ ହାଇଁପୁଇଁ ହୁଏ, ଏବେ ପିଇବ କେତେ ପିଉ । ମଝିରେ ମଝିରେ ଜମିଦାରଙ୍କୁ ଦି’ଚାରି ସେର ଦେଇ ଆସିବାକୁ ହେବ । ଗୁମାସ୍ତା କଥା ତ ପୁଣି ଅଛି । ଦୁଧରୁ ଯେଉଁ ପଇସା ହେବ ଭୋଳାକୁ ଆସ୍ତେ ଆସ୍ତେ ସୁଝି ଦେବାକୁ ହେବ । ତାକୁ ମିଛରେ ବାହା କରେଇଦେବା ଆଶାଦେଇ ଧୋକା ଦେବା ଠିକ୍ ହେବ ନାହିଁ । ନିଜର ତ କେଉଁଠି ଅଧଲାଟାକର ହେଲେ ପତିଆରା ନାହିଁ, ତଥାପି ସେ ତ ବିଶ୍ଵାସ ରଖି ଅଶୀ ଟଙ୍କାର ଗାଈଟାଏ ଦେଇ ଦେଇଛି । ଛଣରୁ ଦଶ ପଚାଶ ଟଙ୍କା ମିଳିଯାନ୍ତା ବୋଲେ ନେଇ ଭୋଳାକୁ ଦେଇ ଆସନ୍ତା । ଅନ୍ତତଃ ତାର ବିଶ୍ଵାସ ହୁଅନ୍ତା ଯେ ହୋରୀ ନିଶ୍ଚୟ ଟଙ୍କା ସୁଝିବ ।

 

ପୁଣି ହୋରୀ ଭାବିଲା, ଆଗରୁ ଧନିୟାକୁ ଗାଈ କଥା କହିଦେଇ ସେ ଭୁଲ୍ କରିଛି । ଏକାବେଳେ ଗାଈ ଆସିଲା ପରେ କହିଥିଲେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତା, ଖୋଳିତାଡ଼ି କେତେ କ’ଣ ପଚାରିଥାନ୍ତା ତେବେ ଯାଇଁ ସେ କହିଥାନ୍ତା । କିନ୍ତୁ କଥା ପେଟରେ ରହିଲେ ସିନା ! ଅଧଲାଟାଏ ତ କେଉଁଠି ମିଳିଗଲେ ସେ ଲୁଚାଇ ପାରେ ନାହିଁ, କହିଦିଏ । ଧନିୟା ବି ତାକୁ ବଳି ଆରକ । ଜାଣିଲା ଯଦି କେଉଁଠୁ ଦି’ପଇସା ଆସିଛି, ବିନା ସେତକ ହାତକୁ ନ ଆସିବା ଯାକେ ସେ ଗୁଁ ଗୁଁ ହେଉଥିବ ।

 

ହୋରୀର ମନେପଡ଼ିଲା ଗୋବରା କଥା । ଭାବିଲା ଗୋବରାଟା ତ ଅଳସୁଆଟାଏ, ନହିଲେ ସେ ଗାଈକୁ ଯେମିତି ଇଚ୍ଛା ସେମିତି ସାଇତି ରଖି ପାରନ୍ତା । ପୁଣି ବି’ ମନେ ମନେ ଭାବେ ଅଳସୁଆ ବା କ’ଣ ? ଏହି ବୟସରେ ତ ସମସ୍ତେ ଟିକିଏ ଅଳସୁଆ ହୋଇଥାନ୍ତି । ବାପ ଥିଲାବେଳେ ହୋରୀ ବି ସେମିତି ହୋଇଥିଲା । ବାପ ତାର ରାତିରୁ ଉଠି ଗୋରୁଙ୍କ ମୁହଁରେ ନଡ଼ାକୁଟା ଦିଏ, ଦୁଆର ଓଳାଏ, ଖତ ପକାଏ, କିନ୍ତୁ ହୋରୀ ଆରାମରେ ଶୋଇଥାଏ । କେହି ଉଠେଇ ଦେଲେ ବିଗିଡ଼ି ଯାଏ । ଘର ଛାଡ଼ି ପଳାଇବ ବୋଲି ଧମକ ଦିଏ । ପ୍ରକୃତରେ ବାପଥିଲା ପୁଅ ଯଦି ସୁଖ ନପାଏ, ଆଉ ସୁଖ ପାଇବ କିଏ ? ଲୋକେ ତ ସେତେବେଳେ କହୁଥିଲେ ବାପ ପଛେ ପଛେ ହୋରୀ ଘର ଉଜାଡ଼ି ଦେବ । କିନ୍ତୁ ବାପ ମଲା ପରେ ହୋରୀର କାମଧନ୍ଦା ଦେଖି ଲୋକେ ତାଜୁବ ହୋଇଗଲେ । ହୋରୀ ଆଉ ଶୋଭା ଯଦି ଭିନ୍ନେ ନ ହୋଇଥାନ୍ତେ ତେବେ ଘର ଆହୁରି ଉଠି ଯାଇଥାନ୍ତା । ଆଜି ଯେଉଁଠି ଗୋଟେ ହଳ ବୁଲୁଛି ସେଠି ତିନିଟା ହଳ ବୁଲୁଥାନ୍ତା । ହୋରୀ ପୁଣି ଭାବିଲା, ଗଲାକଥା ଭାବି ଏବେ ଲାଭ କ’ଣ ? ସଂସାରେ ସବୁ ତ ବେଳକାଳନେଇ କଥା । ଧନିୟାର ବା ଭିନ୍ନେ ହେବାରେ ଦୋଷ କ’ଣ ? ଘରେ ତ ପାଦଦେଲା ଦିନୁ ଦଣ୍ଡେ ହେଲେ ତାକୁ ତର ନଥିଲା । ଘରଯାକର କାମ, ତା ଉପରେ ପୁଣି ଶାଶୁ ଶଶୁରଙ୍କ ସେବା । ସବୁଯାକ କାମ ତ ପୁଣି ହାତରେ ଉଠାଉଥିଲା । ଯା’ମାନଙ୍କୁ ଏବେ କାମ କରିବାକୁ କହିଲା ଯେ କେଉଁ ପାପଟେ କରି ପକାଇଲା ! ଜୀବନଯାକ ଯେ କଷ୍ଟ କରିଛି, ତାର ତ ପୁଣି ଟିକିଏ ସୁଖ ଦରକାର । ହଁ, ୟେ ବି ଆହୁରି ଗୋଟେ କଥା; ଯା କପାଳରେ ସୁଖ ଲେଖା ନାହିଁ, ତାକୁ ଅବା ମିଳିବ କୁଆଡ଼ୁ ? ସେତେବେଳେ ଦିଅରଙ୍କ ପାଇଁ ମରୁଥିଲା, ଏବେ ପିଲାଛୁଆଙ୍କ ପାଇଁ ମରୁଛି । ଧନିୟା ଯଦି ସହିବା ଲୋକ ନ ହୋଇଥାନ୍ତା; ନିଛଳୁଆ ନ ହୋଇଥାନ୍ତା, ଯେଉଁ ଭାଇମାନେ ଆଜି ନିଶରେ ହାତମାରି ଛାତି ଫୁଲେଇ ଦାଣ୍ଡରେ ଚାଲୁଛନ୍ତି, ସେ ଆଜି କେଉଁଠି ଭିକ ମାଗୁଥାନ୍ତେ; ଢମ କାଢ଼ୁଥାନ୍ତେ କେଉଁଠି-? ଦୁନିଆ ସତେ କେଡ଼େ ସ୍ୱାର୍ଥପର ! ତୁମେ ଯାହାଙ୍କ ପାଇଁ ଜୀବନ ଦେବ ସେହି ପୁଣି ତମର ଶତ୍ରୁ ହୋଇ ବସିବେ !

 

ହୋରୀ ପୁଣି ଉଠି ପୂର୍ବଦିଗକୁ ଅନାଇଲା, କାଳେ ରାତି ପାଇବଣି; କାଳେ ଗୋବରା ଗାଈ ପାଇଁ ଚାଲିଯିବଣି । ସେ ପାହାନ୍ତାରୁ ଚାଲିଯିବ ବୋଲି କହିକରି ଶୋଇଥିଲା । ହୋରୀ ଭାବିଥିଲା କୁଣ୍ଡଟା ବସାଇ ଦେବବୋଲି, ପୁଣି ଭାବିଲା ନାହିଁ, ଗାଈ ନ ଆସିବା ଯାଏ ବସେଇବ ନାହିଁ । କାଳେ ଯଦି କେଉଁ ଅସୁବିଧା ହୋଇଯାଏ, ଭୋଳା ଗାଈ ନ ଦିଏ, ତେବେ ଲୋକେ ତାଳିମାରି ଉଡ଼ାଇ ଦେବେ । କହିବେ ପୁଅ ନଈ ନ ଦେଖୁଣୁ ଲଙ୍ଗଳା ହୋଇ ପଡ଼ୁଥିଲା; ଗାଈ ନ ଆସୁଣୁ କୁଣ୍ଡ ବସେଇ ପକାଉଥିଲା । ଭୋଳା ସିନା ଏବେ ଖାଲି ନାଁକୁ ମାଲିକ, ପୁଅମାନେ ତ ସବୁ-। କାନ୍ତା ଆଉ ଜଙ୍ଗୀ ଯଦି ନାହିଁ କରିବେ ଭୋଳା କ’ଣ ଗାଈ ଦେଇ ପାରିବ ? କେବେ ନୁହେଁ-

 

ହୋରୀ ଏମିତି ଭାବୁଛି ଗୋବରା ଚମକିକରି ଉଠି ପଡ଼ିଲା । କୁଣ୍ଡ ବସାହେଲାଣି କି ନାହିଁ ବାପକୁ ପଚାରିଲା । ହୋରୀ କହିଲା,—ନାହିଁ, ବସାହୋଇନି । ଗାଈ ନ ଦେଖି କୁଣ୍ଡ ବସେଇବା ଠିକ୍ ହେବ ନାହିଁ । ଯଦି ଯୋଗକୁ ଗାଈ ନ ମିଳିଲା, ଖାଲି ଲୋକେ ହସିବେ ସିନା ।

 

‘ମିଳିବ ନାହିଁ ପୁଣି କାହିଁକି ?’

 

‘ଆରେ ମଣିଷ ମନ ତ, ପୁଣି କ’ଣ ବିଚାରି ନାହିଁ କରିଦେବ ଯଦି ।’

 

‘ବିଚାର ଫିଚାର ମୁଁ କିଛି ଜାଣେ ନାହିଁ, ସେ କହିଛି ଯେତେବେଳେ ତାକୁ ନିଶ୍ଚୟ ଦେବାକୁ ପଡ଼ିବ ।’

 

ଏତିକି କହି ଗୋବରା କାନ୍ଧରେ ଠେଙ୍ଗା ପକାଇ ଚାଲିଲା । ତାକୁ ଯିବାର ଦେଖି ହୋରୀ ମନେ ମନେ ଭାବିଲା ଗୋବରାକୁ ଆସି ସତର ହେଲାଣି ଆଉ ଡେରି କଲେ ଚଳିବ ନାହିଁ । ଯେମିତି ହେଲେ ତା ବାହାଘର କରିବାକୁ ହେବ । କିନ୍ତୁ କରିବ କ’ଣ, ହାତରେ ତ ଟଙ୍କା ପଇସା ଗୋଟିଏ ବୋଲି ନାହିଁ । ତା ଛଡ଼ା ଭିନ୍ନେ ହେଲା ଦିନୁ ଘରର ମାନମର୍ଯ୍ୟାଦା କମି କମି ଯାଉଛି । ଯେ ବର ଦେଖିବାକୁ ଆସୁଛନ୍ତି, ସେ ଘର ଦେଖି ମୁହଁ ମୋଡ଼ିଦେଇ ଚାଲିଯାଉଛନ୍ତି । ବାହାଘର କରିବାକୁ ହେଲେ କନ୍ୟାପକ୍ଷକୁ ନଗଦ ତିନିଶ ଟଙ୍କା ଦେବାକୁ ହେବ । ତା’ ଛଡ଼ା ବାହାଘରରେ ଦି’ଶ ତିନିଶ ଲାଗିବ । ଏତେ ଟଙ୍କା ଆସିବ କୁଆଡ଼ୁ ! ବରଷକର ଆମଦାନୀ ତ ଖଳାମୁଣ୍ଡକୁ ନିଅଣ୍ଟ-। ଗୋବରା କଥା ତ ଯାହାତାହା, ସୁନା ତ ପୁଣି ବାହା ହେବାକୁ ହୋଇଗଲାଣି । ପୁଅ ବାହାଘର ସିନା ରହିଯିବ, ଝିଅ ବାହାଘର ତ ରହିବ ନାହିଁ । ଜାତିଭାଇ ଖାଇ ପକାଇବେ । ଦେଖାଯାଉ, ଆଗ ସୁନା ବାହାଘର ସରୁ, ତେଣିକି କଥା ଦେଖିବା ।

 

ହୋରୀ ବସି ଏଇମିତି ମନେ ମନେ ଭାବୁଛି ଠିକ୍ ସେତିକି ବେଳକୁ କିଏ ଜଣେ ଆସି ପହଞ୍ଚିଗଲା । ଦଣ୍ଡବତ ହୋଇ ହୋରୀକୁ ପଚାରିଲା,—ଆପଣଙ୍କ ବାଡ଼ିରେ ବାଉଁଶ ଅଛି ଦେବେ ?

 

ହୋରୀ ଯେମିତି ଚାହିଁଦେଲା ଦେଖିଲା ତା ଆଗରେ ଠିଆ ହୋଇଛି ବାଉଁଶ ବେପାରୀ ଦାମିଆ ଚୌଧୁରୀ । କଳା ମସମସ, ଏଡ଼େ ମୁହିଁ, ଏଡ଼େ ଏଡ଼େ ନିଶ, ନାଲ ନାଲ ଆଖି, ଦେଖିଲେ ଡର ମାଡ଼ିବ । ସେମିତିଆ ଚେହେରାକୁ ପୁଣି ଅଣ୍ଟାରେ ଏଡ଼େ ବଡ଼ ବାଉଁଶହଣା କାତି । ସବୁ ବର୍ଷ ଏମିତି ଦାମ ଚୌଧୁରୀ ଥରେ ଅଧେ ଆସେ, ବୋଝ ଟୋକେଇ ବୁଣିବାପାଇଁ ବାଉଁଶ କାଟିନିଏ ।

 

ଦାମିଆକୁ ଦେଖି ହୋରୀ ମନ ଟିକିଏ ଖୁସି ହୋଇଗଲା । ଭାବିଲା, ଦାମିଆ ଆସିଲାଣି ବାଉଁଶ କାଟିବାକୁ, କିଛି ହେଲେ ପଇସା ମିଳିଯିବ । ତାକୁ ସଙ୍ଗେ ସଙ୍ଗେ ନେଇ ବାଡ଼ିପଟ ବାଉଁଶ ଦେଖାଇ ଦେଲା ଆଉ ଶହ ପଚିଶ ଟଙ୍କା ହିସାବରେ ପଚାଶ ବାଉଁଶ ବହିନା କରିଦେଲା । ତା’ ପରେ ଦିହେଁ ଘରଠିକି ଫେରି ଆସିଲେ । ହୋରୀ ଦାମିଆକୁ ପଣାପାଣି ମୁନ୍ଦେ ପିଆଇ ଚିଲମ ଟାଣିବାକୁ ଦେଲା । କିଛି ସମୟ ପରେ ଟିକିଏ ବୁଲେଇ କରି କହିଲା,—ଜାଣିଲ ଦାମ, ଆମ ବାଉଁଶ ତ କେବେ ତିରିଶି ଟଙ୍କାରୁ କମରେ ଯାଏ ନାହିଁ, କିନ୍ତୁ ତମେ ତ ଆମର ଜଣେ ଜଣାଶୁଣା ଲୋକ, ତମ ସଙ୍ଗେ ଗୋଟେ ଭାଉ ଫାଉ କ’ଣ ? ହଁ, ବାଉଁଶ କଥା ତ ଅଛି, କହିବଟି ତମ ଯେଉଁ ପୁଅ ବାହାହୋଇ ବିଦେଶ ଚାଲି ଯାଇଥିଲା ସେ ଆସିଲାଣି କି ନାହିଁ ?

 

ଚିଲମ ଟାଣୁ ଟାଣୁ ଚୌଧୁରୀ ଟିକିଏ ଖାସିଦେଇ କହିଲା,–ଆଜ୍ଞା, ସେ ପୁଅ କଥା ଆଉ କ’ଣ ପଚାରୁଛନ୍ତି, ତା ଯୋଗୁ ତ ମୁଁ ଉଚ୍ଛନ୍ନ ହୋଇ ବସିଛି । ଯବାନ ବୋହୂଟା ଘରେ ଥାଉଁ ଥାଉଁ ଆଉ ଗୋଟେ ଅଜାତି ମାଇପିକୁ ସଙ୍ଗରେ ନେଇ କୁଆଡ଼େ ପଳାଇଗଲା । ବୋହୂ ବାଳୁଙ୍ଗୀ ତ ତାକୁ ବଳି । ଯେତେ କହିଲି ଯାହା ମନ ହେଉଛି ଖା, ଯାହା ମନ ହେଉଛି ପିନ୍ଧ, କୁଆଡ଼େ ଯା’ ନାହିଁ, ଘରେ ରହ । ସେ ଅବା ରହନ୍ତା କାହିଁକି ! ସେ ତ ଗୋଟେ ଟୋକା ସଙ୍ଗେ ପଡ଼ି ପଳାଇଲା । ହେ ଭଗବାନ ! ମାଇପିଙ୍କୁ ସବୁ ଦିଅ, ଏକା ରୂପ ଦିଅ ନାହିଁ । ରୂପ ଥିଲେ ସେ କେବେ ହେଲେ ହାତମୁଠାରେ ରହିବେ ନାହିଁ । ଆମ କଥା ତ ଏଇ, ଆପଣଙ୍କ କଥା କ’ଣ । ଆପଣଙ୍କ ବାଉଁଶ ତ ସବୁ ବଣ୍ଟା ହୋଇଯିବଣି ?

 

ହୋରୀ ଟିକିଏ କ’ଣ ଭାବିଲା ଭଳିଆ ଉପରକୁ ଅନାଇ କହିଲା,—ହଁ ସବୁ ବଣ୍ଟା ହୋଇଗଲାଣି । କ’ଣ କହିବି ଚୌଧୁରୀ, ସେତେବେଳେ ଯାହାଙ୍କୁ ପୁଅପରି ପାଳିଥିଲି ଏତେବେଳେ ସେମାନେ ଭାଗ ନେବାପାଇଁ ଧନୁର୍ଦ୍ଧର ହୋଇ ଛିଡ଼ା ହୋଇଛନ୍ତି । କିନ୍ତୁ ମୁଁ କେବେ କାହାରି ଭାଗରୁ ମାରି ଖାଇବାଳୁ ଚାହେଁ ନାହିଁ । ପର ଭାଗରୁ ମାରି ଖାଇକରି ବି ଦୁନିଆରେ କେହି ଭଲ ହୋଇ ନାହିଁ । ତମଠୁଁ ଏଇନେ ଯେଉଁ ଟଙ୍କା ନେବି ଭାଇମାନଙ୍କୁ ବାଣ୍ଟିଦେବି । କେଇଟା ଦିନ ମଣିଷ ଦୁନିଆରେ ବଞ୍ଚିବ ଯେ ଏତେ କୂଟକପଟ କରିବ କାହିଁକି ? ମୁଁ ଯଦି ଏଇନେ କହନ୍ତି ମୁଁ ବାଉଁଶ କୋଡ଼ିଏ ଟଙ୍କା ଭାଉରେ ବିକିଛି, ସେମାନେ କ’ଣ ସେଥିରୁ ଅନ୍ତ ପାଆନ୍ତେ ? ତମେ ତ ଆଉ ଯାଇ ତାଙ୍କୁ କହି ଦିଅନ୍ତ ନାହିଁ । ଯେତେହେଲେ ତ ମୁଁ ତମକୁ ‘ଭାଇ’ ବୋଲି ଭାବେ । ‘ଭାଇ’ ବୋଲି ଯେଉଁ କଥାଟା ଅଛି, ଆମେ ତାକୁ ଯେତେ ଖରାପ ଭାବରେ ବ୍ୟବହାର କଲେ ବି ସେ କେବେ ଖରାପ ହେବା ଜିନିଷ ନୁହେଁ ।

 

ହୋରୀ ଏଇମିତି କହିଦେଇ ଚୌଧୁରୀ ଆଡ଼କୁ ଅନାଇ ରହିଲା । ଚୌଧୁରୀ ଟିକିଏ କୃତ୍ରିମ ବିନୟ ଦେଖାଇବାକୁ ଚେଷ୍ଟାକଲା, ଯେମିତି ବଳୁଆ ଲୋକଟାଏ ଭିକ ମାଗିଲାବେଳେ ମିଛରେ ଦୁର୍ବଳିଆଙ୍କ ପରି ଛଇ ଦେଖାଏ ।

 

ହୋରୀର ଫୁସୁଲା ଫୁସୁଲି ଶୁଣିକରି ଚୌଧୁରୀ ଚଲାକି ହୋଇଯାଇ କହିଲା,—ହଁ ମ, ମୁଁ କ’ଣ ସତେ କହି ଯାଉଛି, ତମ ଆମ କେତେ ଦିନର ଭାବ । ହେଲେ ମଣିଷ ନିଜର ଇମାନ ବିକେ କାହିଁକି; ମିଛ କହେ କାହିଁକି; ପଇସା ପାଇଁ ନା ଆଉ କ’ଣ ? ଶହ କୋଡ଼ିଏ କ’ଣ ପନ୍ଦର ଟଙ୍କା ବୋଲେତ ମୁଁ ତାଙ୍କୁ କହିଦେବି । କିନ୍ତୁ ତମେ ସିନା ମୋ’ଠୁ ପନ୍ଦର ଟଙ୍କା ନେଲେ ହେବ ।

 

ହୋରୀ, ଚୌଧୁରୀର ଚାଲାକିଟା ଧରିପାରି ଟିକିଏ ମୁହଁ ଶୁଖେଇ କହିଲା,–ଚୌଧୁରୀ ପୁଅ, ତମେ ତ ନ ହେବା କଥାଗୁଡ଼ା କହୁଛ, ଏମିତିଆ ବାଉଁଶ କେଉଁଠି କୋଡ଼ିଏ ଟଙ୍କାରେ ମିଳିଲାଣି ? ହଁ, ସେମିତି କହିବାକୁ ଗଲେ ୟାଠାରୁ ଭଲ ବାଉଁଶ ବି ଦଶ ଟଙ୍କାରେ ମିଳିବ । କିନ୍ତୁ ଆଉ ଦଶ କୋଶ ଗଲେ ସିନା । ଲାଭ କରିବାପାଇଁ ବେଶି ଦୂର ଯିବା ଯାହା, ଏଠି ଅଳପ ଦୂରରେ ଟିକିଏ ବେଶି ପଇସା ଦେବା ତାହା ।

 

ଦରଦାମ୍ ଠିକ୍ ହେଲା । ଚୌଧୁରୀ ଦେହରୁ କୁର୍ତ୍ତା କାଢ଼ିଦେଇ ବାଉଁଶ କାଟିବା ଆରମ୍ଭ କରିଦେଲା । ସେତେବେଳକୁ ଆଖୁ ବିଲରେ ପାଣିମଡ଼ା ହେଉଥିଲା । ହୀରାର ସ୍ତ୍ରୀ ଗୋଟେ ଟୋପିରେ ଭାତ ନେଇ ହୀରା ପାଖକୁ ବିଲକୁ ଯାଉଥିଲା । ଦେଖିଲା, କିଏ ଜଣେ ବାଡ଼ିରୁ ବାଉଁଶ କାଟୁଛି । ସାଙ୍ଗେ ସାଙ୍ଗେ ସେ ପାଟିକରି ଡାକିଲା–କିଏ ବାଉଁଶ କାଟୁଛ, ଆଉ କାଟ ନାହିଁ, ଆମର ବାଉଁଶ ବିକ୍ରୀ ହେବ ନାହିଁ । ଚୌଧୁରୀ ଟିକିଏ ରହିଯାଇ କହିଲା,–କାହିଁକି ମୁଁ କ’ଣ ମାହୁଳିଆ କାଟୁଛି କି ? ଶହକୁ ପନ୍ଦର ଟଙ୍କା ତ ଜବାବ ଛିଡ଼ିଛି ।

 

ହୀରାର ସ୍ତ୍ରୀ ପୁନି ଛାଡ଼ିବା ମାଇପେ ନୁହେଁ । ସେହି ପ୍ରକୃତରେ ଘରର ମାଲିକ । ହୀରା ତା’ ଆଗରେ କିଛି ନୁହେଁ । ତା’ରି ଯୋଗୁ ଭାଇମାନେ ଭିନ୍ନେ ହୋଇଯାଇଥିଲେ । ଧନିୟା ସଙ୍ଗେ ଲଢ଼େଇ କରି ସେ ଷଣ୍ଢ ପାଲଟି ଯାଇଥିଲା । ହୀରା ରାଗବେଳେ ତାକୁ ଖୁବ୍ ପିଟେ । କିନ୍ତୁ ଅନ୍ୟବେଳେ ସେ ଘରର ମାଲିକ ହୋଇ ବସିଥାଏ । ଏବେ ଥରେ ଏମିତି ପିଟିଥିଲା ଯେ କେତେଦିନ ଯାଏ ଶେଯରୁ ଉଠିପାରୁ ନଥିଲା । କିନ୍ତୁ ଏବେ ଯେଉଁ କଥାକୁ ସେହିକଥା । ଘୋଡ଼ା ଯେମିତି ବେଳେ ବେଳେ ଅମଙ୍ଗ ହୋଇ ନାତ ମାରେ କିନ୍ତୁ ସବାରକୁ ବୋହିବା ଛଡ଼ା ତାର ଉପାୟ ନ ଥାଏ, ହୀରା ସେମିତି ବେଳେ ବେଳେ ପିଟେ ସିନା କିନ୍ତୁ ମାନିକରି ଥାଏ ।

 

ଚୌଧୁରୀ ଯେମିତି କିଣିବା କଥା କହିଛି ସେ ଭାତ ଟୋପିକୁ ତଳେ ଥୋଇଦେଇ କହିଲା,—ରଖ ସିଆଡ଼େ ତୋ ଟଙ୍କା, ଆମ ବାଉଁଶ କଟାହେବ ନାହିଁ ।

 

ଚୌଧୁରୀ କହିଲା, ତମେ ମାଇପି ଲୋକ, ତମ ସଙ୍ଗେ କ’ଣ ଗୋଟେ କଥାବାର୍ତ୍ତା ହେବି-। ଯା, ତମ ଘରଲୋକଙ୍କୁ କହିଦେବ, ସେ ଆସିଲେ ଯାହା ହେବ ।

 

ପୁନୀ ଦି’ଟା ପିଲାର ମା । କିନ୍ତୁ ସେତିକିରେ ସେ ସାତବୁଢ଼ୀ ପରି ଦିଶୁଥିଲା । ଭଲ ଖାଇ, ଭଲ ପିନ୍ଧି ଦେହଟାକୁ ଯେତେ ସଜାଡ଼ିବାକୁ ଚେଷ୍ଟା କଲେ ବି ହୋଇପାରୁ ନଥିଲା । ସବୁବେଳେ ଅଭାବରେ ରହି ରହି ଭାରି ଚିଡ଼ିଚିଡ଼ିଆ ହୋଇ ଯାଇଥିଲା । ଜୀବନରୁ ସମସ୍ତ ରସ ତାର ଶୁଖି ଯାଇଥିଲା । ଟାଙ୍ଗରା ଭୂଇଁରେ ବାହୁଡ଼ା ମାରିଲେ ଭୂଇଁ ଯେମିତି ଫାଉଡ଼ାକୁ ଫିଙ୍ଗିଦିଏ; ପୁନୀ ସେମିତି ଲୋକଙ୍କୁ ଫିଙ୍ଗି ଫୋପାଡ଼ି ଜବାବ ଦେଉଥିଲା ।

 

ସେ ତ କାହାକୁ ଛାଡ଼ିବାବାଲୀ ନୁହେଁ, ଚୌଧୁରୀକୁ ଛାଡ଼ନ୍ତା କାହିଁକି ? ଚୌଧୁରୀ ପାଖକୁ ଲାଗିଯାଇ ତା ହାତକୁ କଟୁରୀ ଛଡ଼ାଇବାକୁ ଚେଷ୍ଟାକଲା ଓ କହିଲା,—ଘରବାଲା କ’ଣ କରିବ ? କ’ଣ କହିବୁ ମୋତେ କହୁନୁ, ମୁଁ ତ କହୁଛି ବାଉଁଶ କଟାହେବ ନାହିଁ ।

 

ପୁନୀ ଥରକୁ ଥର ଚୌଧୁରୀ ହାତକୁ ଧରୁଥାଏ । ଚୌଧୁରୀ ହାତ ଛଡ଼ାଇ ନେଉଥାଏ । ଏମିତି କିଛି ସମୟ ଲଢ଼େଇ ଲାଗିଲାପରେ ଚୌଧୁରୀ ଟିକିଏ ପେଲିଦେବାରୁ ପୁନୀ ଭୂଇଁରେ ଖସିପଡ଼ିଲା । ଏଥର ଆଉ ପୁନୀକୁ ସମ୍ଭାଳେ କିଏ, ଉଠି ପଡ଼ି ଗୋଡ଼ରୁ ଚଟି କାଢ଼ି ଚୌଧୁରୀ ପିଠିରେ ଆଉ ମୁଣ୍ଡରେ ପାହାର ବରଷା କରି ଦେଇଗଲା । ବାଉଁଶକଟାଳୀ ହୋଇ ପୁନୀକୁ ପେଲିଦେବ, ଆଉ ସେ ତୁନି ହୋଇ ସବୁ ସହିବ, ଇଆ କେବେ ହୋଇଥିଲା ନା ହବ । ପିଟିଲା ପିଟିଲା, ଗୁରେଇ ତୁରେଇ ପିଟିଲା । ମାଇପି ମଣିଷକୁ ଧକା ମାରିଦେଇ ଚୌଧୁରୀ ଯେତେବେଳେ କାଇଲି କାମଟାଏ ଆଗ କରି ଦେଇଥିଲା, ସେତେବେଳେ ତୁନିହୋଇ ମାଡ଼ଖାଇବା ଛଡ଼ା ତା’ର ଆଉ ଉପାୟ କ’ଣ ଥିଲା ?

 

ପୁନୀର ପାଟି ଶୁଣି ହୋରୀ ଦଉଡ଼ିଲା । ହୋରୀକୁ ଦେଖିଲାମାତ୍ରେ ସେ ଆହୁରି ପାଟିକରି କାନ୍ଦିଲା । ହୋରୀ ଭାବିଲା ଚୌଧୁରୀ ତାକୁ ମାରିଛି ନିଶ୍ଚୟ । ଭିନ୍ନେହେବା କଥାସବୁ ସେ ସେଇକ୍ଷଣି ଭୁଲିଗଲା; ତା ରକତ ସଙ୍ଗେ ସଙ୍ଗେ ତାତି ଉଠିଲା । ତା ଘରବୋହୂକୁ ପୁଣି ଚୌଧୁରୀ ମାରିବ ଆଉ ସେ ସହିବ ! ହୋରୀ ରାଗିଯାଇ ଚୌଧୁରୀକୁ ଶକତ ଗୋଇଠାଏ ପକାଇ କହିଲା,–ତୋ ଭଲ ମଙ୍ଗଳକୁ ଯଦି ବାଟ ଅଛି, ଏଠୁ ପଳା, ନହିଲେ ଏଠୁ ମୁର୍ଦ୍ଦାର ଉଠିବ । ତୁ ଏମିତି କ’ଣ ପାଇଲୁଣି କି ? ତୋର ଏଡ଼େ ବହପ, ତୁ ମୋ ବୋହୂକୁ ପୁଣି ହାତ ଉଠାଇବୁ !

 

ଚୌଧୁରୀ କେତେ ରାଣ ପକାଇଲା, ଆଖି ଛୁଇଁଲା, ସଫେଇ ଦେଇ ବସିଲା । ଚଟି ପାହାରରେ ତା ମନଟା ଏକାବେଳକେ ଚପି ଯାଇଥିଲା । ବିନା ଦୋଷରେ ଏତେ ମାଡ଼ଖାଇଲା ଭାବି ଲୁହରେ ତା ଗାଲ ଭିଜିଗଲା । ପ୍ରକୃତରେ ତ ସେ ପୁନୀକୁ ଛୁଇଁ ନଥିଲା । ସେ କ’ଣ ଏଡ଼େ ମୁର୍ଖ ହୋଇଛି ଘରର ବୋହୂଟାକୁ ହାତ ଉଠାନ୍ତା !

 

ଚୌଧୁରୀ କଥାରେ ହୋରୀ ମୋଟେ ବିଶ୍ଵାସ ଗଲା ନାହିଁ । କହିଲା,–ଚୌଧୁରୀ, ତୁ ମୋ ଆଖିରେ ଧୂଳି ପକାଇବାକୁ ବାହାରିଛୁ । ତୁ ମାରିନାହୁଁ ତ ଆଉ ମାଇପିଟାଏ କ’ଣ ମିଛରେ କାନ୍ଦୁଛି । ପଇସା ଯୋଗୁ ଯଦି ତୋର ଏତେ ବଢ଼େଇ ଜାଣିଥା, ସେ ବଢ଼େଇ ଏକାବେଳକେ ଛାଡ଼ିଯିବ । ଆମେ ଭିନ୍ନେ ହେଲେ କ’ଣ ହେଲା, ଆମ ରକତ ତ ଭିନ୍ନେ ହୋଇ ଯାଇନି । ମୋ ବୋହୂଝିଅଙ୍କୁ କିଏ ଟେରେଇ କରି ଅନେଇଦେବ ବୋଲେ ତା ଆଖି ଉପାଡ଼ି ଦେବିଟି !

 

ହୋରୀର ଆଶ୍ରା ପାଇ ପୁନୀ ସେତେବେଳକୁ ପୁରା ଚଣ୍ଡୀ । ପାଟି କମ୍ପେଇ କହିଲା,–ହଇରେ ତୁ ମୋତେ ଧକାମାରି ପକାଇ ଦେଇନୁ, ଦେଖି ତୋ ପୁଅରାଣ ପକାଇଲୁ ।

 

ହୀରା କୁଆଡ଼ୁ ଖବର ପାଇଗଲା ଯେ ପୁନୀ ଆଉ ଚୌଧୁରୀ ଭିତରେ ଲଢ଼େଇ ଲାଗିଛି-। ଇଏ ତାକୁ ଧକା ମାରିଛି ଆଉ ସେ ତାକୁ ଚଟିରେ ପିଟିଛି । ଶୁଣିଲା ମାତ୍ରେ ପାଣିବୁହା ଛାଡ଼ିଦେଇ ହୀରା ଛାଟିଆ ଖଣ୍ଡେ ଧରି ଦଉଡ଼ିଲା । ହୀରା ଛୋଟିଆ ମଣିଷଟାଏ କିନ୍ତୁ ଭାରି ରାଗୀ-। ରାଗରେ ତା ଆଖି କଉଡ଼ି ପରି ବାହାରି ପଡ଼ିଲା, ବେକଶିରା ସବୁ ଲାଲ ହୋଇଗଲା । ଚୌଧୁରୀ ଉପରେ ତାର ରାଗ ନଥିଲା, ତାର ରାଗ ଥିଲା ପୁନୀ ଉପରେ । ଘରର ବୋହୂଟାଏ ସେ କାହିଁକି ଲଢ଼ାଇ କରିବାକୁ ଯା’ନ୍ତା, ଘର ଇଜ୍ଜତ ପଦାରେ ପକାନ୍ତା । ହୀରାକୁ ତ କହି ଦେଇଥିଲେ କାମ ଛିଣ୍ଡି ଯାଇଥାନ୍ତା । ସେ ଯାହା ଭାବିଥାନ୍ତା କରିଥାନ୍ତା । ପ୍ରକୃତରେ ତାର ଯଦି ଶକ୍ତି ଥା’ନ୍ତା ସେ ପୁନୀକୁ ଦଣ୍ଡେ ହେଲେ ଦାଣ୍ଡକୁ ଛାଡ଼ି ଦିଅନ୍ତା ନାହିଁ । ସେ ନିଜେ ଯେତିକି ଉଦଣ୍ଡ, ପୁନୀକୁ ସେତିକି ଚପେଇ ରଖିବାକୁ ଚାହେଁ, କିନ୍ତୁ ପାରେ ନାହିଁ । ପୁଣି ଭାବିଲା ଭାଇ ଯଦି ପନ୍ଦର ଟଙ୍କାରେ ଭାଉ ଛିଣ୍ଡାଇଥିଲା, ଉପରେ ପଡ଼ି କଥା କହିବାକୁ ଇଏ ପୁଣି କିଏ ସେ ।

 

ହୀରା ଆସି ଯେମିତି ଲଢ଼େଇ ଜାଗାରେ ପହଞ୍ଚିଗଲା, ପୁନୀକୁ ଘୋଷାରି ନେଇ ବିଧା ଚାପୁଡ଼ା ବସେଇ ଦେଇଗଲା । ଖୁବ୍ ପାଟି କମ୍ପେଇ କହିଲା,—ହାରାମଜାଦୀ ମାଇକିନିଆ, ତୁ ଆସି ଛୋଟିଆ ଲୋକଙ୍କ ସଙ୍ଗେ ଲଢ଼େଇ କରି ମୋ ନାକ ନିଶ ତଳେ ପକାଇବାକୁ ଧାଇଁଛୁ । ମୁଁ ସିଆଡ଼େ ଖାଇବି ବୋଲି ଅନେଇ ବସିଛି, ତୁ ଇଆଡ଼େ ପାଲା ଲଗେଇଛୁ । ତୁ ଏଡ଼େ ନିଲ୍ଲଜୀ, ତୋ ଆଖିରେ ଏତେ ଟିକିଏ ହେଲେ ପାଣି ନାହିଁ । ମାରିକରି ପୋତିଦେବି ଯେ, କଣ ବୋଲି ପାଇଛୁ କି-?

 

ପୁନୀର ବିକଳ କାନ୍ଦଣା ଆଉ ଦେଖିବ କ’ଣ ? ଇଆଡ଼େ କାନ୍ଦୁଥାଏ, ଇଆଡ଼େ କାଟୁଥାଏ,—“ତୁ ମରିବୁରେ, ତତେ ବାଡ଼ି ଖାଇବରେ, ତତେ ହଇଜା ହବରେ, ତତେ ଯୋଗଣୀ ଖାଇବରେ, ତତେ ବଡ଼ରୋଗ ହବରେ, ତୋ ହାତ ଗୋଡ଼ ଛିଡ଼ି ପଡ଼ିବରେ ।”

 

ହୀରା ସବୁ ସମ୍ଭାଳିଲା, କିନ୍ତୁ ବଡ଼ରୋଗ କଥା ଶୁଣି ସମ୍ଭାଳି ପାରିଲା ନାହିଁ । ହଇଜା ହେଲେ କିଛି ଯାଏ ଆସେ ନାହିଁ । ଆଜି ହେଲେ କାଲିକି ଶେଷ, କିନ୍ତୁ ବଡ଼ରୋଗ ତ ମହାମୁସ୍କିଲ କଥା । ବଡ଼ରୋଗ ନାଁ ଯେମିତି ଶୁଣିଛି, ହୀରା ସେମିତି ତେଜିଗଲା । ଚମକି ଆସି ତା ଚୁଟୀ ଧରି ତୋ ମୁହଁକୁ ଭୂଇଁରେ ମାଡ଼ିଦେଇ କହିଲା,—ମୋତେ ତ ବଡ଼ରୋଗ ହେବ, ମୋ ହାତ ଗୋଡ଼ ତ ଛିଣ୍ଡିପଡ଼ିବ, ଆଉ ତତେ ନେଇ କ’ଣ ଚାଟିବି ? ତୁ କ’ଣ ମୋ ପିଲାଛୁଆଙ୍କୁ ପାଳିବୁ । ତୁ ତ ଦୁସୁରା ଘଇତା କରି ଆରାମରେ ରହିବୁ । ତୋର ଚିନ୍ତା କ’ଣ ?

 

ପୁନୀର ଦଶା ଦେଖି ଚୌଧୁରୀର ଭାରି ଦୟା ହେଲା । ସେ ହୀରାକୁ କହିଲା—ଛାଡ଼ନ୍ତୁ ଆଜ୍ଞା, ସେ କଥା ତ ଗଲାଣି । ବୋହୂ, ଦି’ଟା ମତେ ମାରିଦେଲେ ଯେ ମୁଁ କେଉଁ ଛୋଟିଆ ହୋଇଗଲି ଅବା । କପାଳେ ଥିଲା ବୋଲି ଏମିତିଆ ଯୋଗ ଆସି ଜୁଟିଲା ।

 

ହୀରା କହିଲା, ଚୁପ୍ ରହ ଚୌଧୁରୀ, ନାହିଁତ ଫେର୍ ରାଗ ଚଢ଼ିଯିବ ବୋଲେ ତମ ଅବସ୍ଥା ବି ଖରାପ ହେବ । ଦେଖୁଛ, ମାଇକିନିଆ କେଉଁଠି ଏଇମିତି ପାଟିକରି ଗାଳି ଦିଅନ୍ତି । ଆଜି ତମ ସଙ୍ଗେ କଳିକଲା, କାଲି ଆଉ କା ସଙ୍ଗେ କରିବ । ତମେ ସିନା ଭଲ ଲୋକ ବୋଲି ସହିଗଲ ଆଉ କିଏ ଯଦି ହାତ ଲଗାଇ ଦିଏ, ତେବେ ଇଜ୍ଜତ ରହିବ କେଉଁଠି ?

 

ଏଇକଥା କହୁ କହୁ ହୀରାର ପୁଣି ରାଗ ଚଢ଼ିଗଲା । ସେ ଚମକି ଆସିଲା ବେଳକୁ ହୋରୀ ଆସି ତାକୁ ଧରିପକାଇ କହିଲା,—ଆରେ ସେତିକି ଥାଉ, ତୋ ବଳୁଆ ପଣିଆ ସମସ୍ତେ ଦେଖିଲେଣି, ଆଉ କଣ ତାକୁ ତୁ ଜୀବନରେ ମାରି ଖାଇଯିବୁ ନା କ’ଣ ?

 

ଭିନ୍ନେ ହୋଇ ଯାଇଥିଲେ ସିନା, କିନ୍ତୁ ହୀରାର ଏବେ ମଧ୍ୟ ହୋରୀ ପ୍ରତି ଡର ଥିଲା । ସାମନାସାମନି କିଛି କହିପାରିଲା ନାହିଁ । ଚୌଧୁରୀକୁ ଅନାଇ ସେ କହିଲା,—ଆଉ ଅନାଉଛ କ’ଣ, ଯାଇକରି ବାଉଁଶ କାଟ, ଶହକୁ ତ ପନ୍ଦର ଟଙ୍କା ଛିଡ଼ିଛି, ମୋର ବି ସେଇଥିରେ ରାଜି ।

 

ପୁନୀ ତ କାନ୍ଦୁଥିଲା, ବାଉଁଶ କଟା କଥା ଶୁଣିଲାମାତ୍ରେ ମୁଣ୍ଡ ପିଟିଦେଇ ଆହୁରି ପାଟି କମ୍ପାଇ କହିଲା,—ଦେ ଘରେ ନିଆଁ ନଗେଇ ଦେ, ମୋର କ’ଣ ଯାଉଛି । ପୋଡ଼ା କପାଳ ବୋଲି ତୋରିପରି କଂସେଇ ହାତରେ ପଡ଼ି ମରୁଛି ସିନା । ଦେ, ଘରେ ନିଆଁ ନଗେଇ ଦେ ।

 

ଭାତଟୋପିଟା ସେଇଠି ଛାଡ଼ିଦେଇ ପୁନୀ ଘରମୁହାଁ ଚାଲିଯାଉଥିଲା । ହୀରା ଗର୍ଜନ କରି କହିଲା,—ସିଆଡ଼େ କୁଆଡ଼େ ଯାଉଛୁ ମ, ସିଧା ବିଲଠିକି ଚାଲ’ ନହିଲେ ତୋ ରକତ ପିଇଯିବି-

 

ଆଉ ଅଧିକା ନାଟ ଲଗାଇବା ପାଇଁ ପୁନୀର ସାହସ ନଥିଲା । ଚୁପ୍‍କରି ଟୋପିଟା ଧରି କାନ୍ଦି କାନ୍ଦି ଆଖିବିଲକୁ ଚାଲିଲା, ହୀରା ବି ତା ପରେ ପରେ ଗଲା ।

 

ହୋରୀ କହିଲା,—ଏମିତି ଆଉ ମାରଧର କରିବୁ ନାହିଁ । ମାରଧର କଲେ ମାଇପେ ପିଠେଇଯା’ନ୍ତି ।

 

ଏତିକି ବେଳକୁ ଧନିୟା ଆସି ବାଡ଼ିପଟ ଦରଜା ପାଖେ ପହଞ୍ଚିଗଲା । ହୋରୀକୁ ଦେଖି କହିଲା,–ସେଠେଇ ଠିଆହୋଇ କ’ଣ ନାଟ ଦେଖୁଛ ? ତମକୁ କିଏ ଡାକିଛି, ନା ଉପରେ ପଡ଼ି ବୁଦ୍ଧି ଶିଖେଇ ହେଉଛ । ସେଦିନ କଥା ଏଡ଼େ ବେଗ ଭୁଲିଗଲଣି । ଏଇ ବୋହୂ ପରା ହାତେ ଓଢ଼ଣା ପକାଇ କେତେ କ’ଣ ନା କ’ଣ ବେଜ୍ଜିତ କରୁଥିଲା । ତା’ରି ପାଇଁ ପୁଣି ଉପରେ ପଡ଼ି କଥା କହୁଛ ! ମଲା, ମାଇକିନିଆ ହୋଇ ଯେ ଅଣ୍ଡିରାଙ୍କ ସଙ୍ଗେ ନଢ଼େଇ କରିବ, ସେ ଆଉ ମାଡ଼ ଖାଇବ ନାହିଁ ?

 

ହୋରୀ ଟିକିଏ ପରିହାସ କରି କହିଲା, ହଁ, ତା କଥା ସିନା କହି ଦେଉଛୁ, ମୁଁ ଯଦି ତତେ ଏଇନେ ମାରନ୍ତି ।

 

‘କ’ଣ ଆଜିଯାଏ ମାରିନ ଯେ, ଆହୁରି ମାରିବାକୁ ମନ ଅଛି ।’

 

‘ଏମିତିଆ ମାଡ଼ ତତେ କେଉଁଠି ହୋଇଛି, ପୁନୀ ଭାରୀ ସହଣିକ ବୋଲି ସମ୍ଭାଳିଗଲା ନା, ତୁ ହୋଇଥିଲେ ଘରଛାଡ଼ି ପଳାଇଥାନ୍ତୁ ।’

 

‘ହଁ, ହଁ ଏମିତିଆ ମାଡ଼ ତ ନହିଲେ ମୁଁ ଖାଇ ନାହିଁ । ଦେହରୁ ମନେକଲେ ଦାଗ ପଛେ ଆଜିଯାଏ ଯାଇ ନଥିବ । ହୀରା ତ ହେଲେ ଆଗ ମାରିବ ପଛେ ଆଦର କରିବ; ତମେ ତ ସେତକ ବି ଶିଖିନ । ମୁଁ ସେମିତି ବୋଲି ଏ ଘରେ ରହିଛି ନା !”

 

‘ହଁ ହଁ ସେତିକି ଥାଉ, ନିଜ ଗୁଣଗୁଡ଼ା ଆଉ ବେଶୀ ବଖାଣେ ନାହିଁ, କଥାପଦେ କହିଦେଲେ ରୁଷିକରି ଯାଇ ବାପଘରେ ମାସ ମାସ ରହୁଥିଲୁଟି ! କେତେ ଖୁସାମତିରେ ଯାଇ ଆସୁଥିଲୁ ।’

 

‘ମଲା, ଗରଜ ପଡ଼ୁଥିଲା ବୋଲି ଯାଇ ଖୁସାମତି କରୁଥିଲ ନା, ମନ ସଉକୀରେ କେତେ କରୁଥିଲ ।’

 

‘ହଁ, ସେଇଥିପାଇଁ ତୁ ଭଲଲୋକ ବୋଲି ମୁଁ ପ୍ରଶଂସା କରେନା, ନହିଲେ ଆଉ କାହିଁକି-?’

 

ବୈବାହିକ ଜୀବନରେ ପ୍ରଥମ ପ୍ରଭାତରେ ଆଶା ତାର ଗୋଲାପୀ ମାଦକତା ଧରିଆସେ । ସେହି ମାଦକତାର ସୁନେଲୀ ଆଲୁଅରେ ଜୀବନ–ଆକାଶ ଅରୁଣାୟିତ ହୋଇ ଉଠେ-। ପୁଣି ଆସେ ମଧ୍ୟାହ୍ନ । ଉତ୍ତାପ ପ୍ରଚଣ୍ଡ ହୋଇଉଠେ । କ୍ଷଣ କ୍ଷଣକେ ଖଣ୍ଡିଆଭୁତ ଉଠେ । ପୃଥିବୀ କମ୍ପିବାକୁ ଆରମ୍ଭ କରେ, ସୁନେଲୀ ଆଲୁଅ ଆପେ ଆପେ ଅପସରି ଯାଏ । ବାସ୍ତବତା ଆସି ନଗ୍ନରୂପରେ ଜୀବନଦୁଆରେ ଉଭା ହୁଏ । ମଧ୍ୟାହ୍ନ ପରେ ଆସେ ବିଶ୍ରାମର ସମୟ; ଶାନ୍ତ, ଶୀତଳ, ସଂଧ୍ୟା । କ୍ଳାନ୍ତ ପଥିକପରି ମଣିଷ ବସି ଆପଣା କଥା କହେ, ଆଉ ଶୁଣେ । ଏକପ୍ରକାର ତଟସ୍ଥଭାବ ଆସି ଦେଖାଦିଏ । ମଣିଷ ଭାବେ ସତେ ଯେମିତି ସେ କେଉଁ ଉଚ୍ଚ ପର୍ବତ ଶିଖରେ ବସିଛି ଆଉ ତଳର ଜନ କୋଳାହଳ ତା ପାଖରେ ପହଞ୍ଚି ପାରୁନାହିଁ ।

 

ପ୍ରଶଂସା କଥା ଶୁଣି ପ୍ରଣୟରସରେ ଧନିୟାର ପ୍ରାଣ ପୂରି ଉଠିଲା ! ସେ କହିଲା,–ହଁ, ଆଉ ଚାଲ, ତମ ପ୍ରଶଂସାଗୁଡ଼ା ବହୁତ ଶୁଣିଛି । ଟିକିଏ କୁଆଡ଼ୁ ଏଇନେ ବିଗିଡ଼ିଯିବ ବୋଲେ ପୁଣି ମୋ ତଣ୍ଟିରେ ଚଢ଼ି ବସିବ ।

 

ହୋରୀ ଟିକିଏ ଗେଲେଇ ହୋଇ କହିଲା, –କେଉଁଦିନ ଏମିତି ତୋ ତଣ୍ଟିରେ ଚଢ଼ି ବସିଥିଲି ? ସବୁବେଳେ ଖାଲି ତୁ ଯେଉଁ ମିଛକଥା ଗୁଡ଼ା କହୁ ମୋତେ ଭଲ ଲାଗେ ନାହିଁ । ମୁଁ ତତେ କେତେ ପ୍ରଶଂସା କରେ, ଯାଉନୁ ଭୋଳାକୁ ପଚାରି ଆସିବୁ ।

 

ଧନିୟା କଥାକୁ ବାଆଁରେଇ ଦେଇ କହିଲା,–ଯା ମ, ତେଣେ ଆଗ ଦେଖ, ଗୋବରା ଗାଈ ଆଣିକରି ଆସୁଛି ନା ଖାଲି ହାତରେ ଆସୁଛି । ଏଇ ତୁଚ୍ଛ କଥା ଗୁଡ଼ାକରୁ ଆମକୁ କ’ଣ ମିଳିବ ?

 

‘ହଁ, ଭୋଳା ସିନା ଭଲଲୋକ କିନ୍ତୁ ତା ପୁଅଗୁଡ଼ା ଭାରୀ ଖରାପ । ମତେ ତ ଡର ମାଡ଼ୁଛି କାଳେ କ’ଣ ଗଣ୍ଡଗୋଳ କରିଦେବେ ବୋଲେ କଥା ସରିଲା ।’

 

ଏତିକି ବେଳକୁ ଚୌଧୁରୀ ଝାଳନାଳ ହୋଇ ଆସି କହିଲା ଚାଲ, ଟିକିଏ ବାଉଁଶ ଗଣିଦିଅ, ମୁଁ କାଲି ଗାଡ଼ି ଆଣି ନେଇଯିବି ।

 

ହୋରୀ ଭାବିଲା ବାଉଁଶ ଗଣିବା କିଛି ଦରକାର ନାହିଁ । ଚୌଧୁରୀ ତ କିଛି ସେମିତିଆ ଲୋକ ନୁହେଁ ଯେ ଗୁଡ଼ାଏ ନେଇଯିବ । ଲୋକେ ତ ପୁଣି ସେମିତି ଆସି ବାହା ବନ୍ଦାପନା ବେଳେ କାଟିନେଇ ଯାଉଛନ୍ତି, କିଏ ତାଙ୍କୁ ପଚାରି ଯାଉଛି ।

 

ଚୌଧୁରୀ ପନ୍ଦର ଟଙ୍କା ହିସାବରେ ସାତ ଟଙ୍କା ଆଠଅଣା କାଢ଼ି ହୋରୀ ହାତରେ ରଖିଦେଲା । ହୋରୀ ଗଣିଦେଇ କହିଲା, ଆଣ, ଆଉ ଦିଅ, ହିସାବରେ ତ ଆହୁରି ଅଢ଼େଇ ଟଙ୍କା ହେଉଛି ।

 

‘କାହିଁକି, ପନ୍ଦର ଟଙ୍କାରେ ତ ସେତେବେଳେ ହିସାବ ଛିଡ଼ିଲା, ପୁଣି ଅଢ଼େଇ ଟଙ୍କା କ’ଣ-?’

 

‘ନାହିଁ ତ, ମୁଁ ତ କୋଡ଼ିଏ ଟଙ୍କା କହିଥିଲି, ପନ୍ଦର ଟଙ୍କା କିଏ କହିଲା ।’

 

‘ମଲା, ତମରି ଆଗରେ ପରା ହୀରା ପନ୍ଦର ଟଙ୍କା କହିକରି ଗଲେ କ’ଣ ଶୁଣିନ ? ନାହିଁ କହିବ ଯଦି ତାଙ୍କୁ ଏଇନେ ଡାକି ଆଣିବି ।’

 

‘ହୀରା କହିଲେ କ’ଣ ହେବ, ଆଗରୁ ତ କୋଡ଼ିଏ ଟଙ୍କାରେ ମୂଲ ଛିଡ଼ିଥିଲା । ହଁ କୁମ୍ଭୀରକୁ ତ ଗୋଳିପାଣି ସଜ ତୁ ଏବେ ନ କହିବୁ କିଆଁ ? ହିସାବରେ ତ ଆହୁରି ଅଢ଼େଇ ଟଙ୍କା ହେଉଛି । ଅଢ଼େଇ ଟଙ୍କା ନ ଦେଲେ ଦି’ଟଙ୍କା ହେଲେ ଦେ ।’

 

ଚୌଧୁରୀ ହାତରେ ତ ଏବେ ଜିତାପଟ, ସେ ଅବା ଡରିବ କାହିଁକି, ଚୋର ମା ଯେବେ କାନ୍ଦେ ଆଖି ମଳିମଳି କାନ୍ଦେ । ହୋରୀ ଆଉ କହିବ କ’ଣ । ଖାଲି ଗୁଣୁ ଗୁଣୁ ହୋଇ ଏତିକି କହିଲା,–ହଉ ନ ଦେ, କିନ୍ତୁ ଏଗୁଡ଼ା ଭଲକଥା ନୁହେ । ଦି’ଟଙ୍କାରେ କ’ଣ ତୁ ରଜା ହୋଇଯିବୁ ?

 

ଚୌଧୁରୀ ଏଡ଼େ ପାଟିରେ କହିଲା,–ନାହିଁ, ତମେ କ’ଣ ଆଉ ଭାଇମାନଙ୍କଠାରୁ ଦି’ଟା ଟଙ୍କା ମାରିନେଇ ରଜା ହୋଇଯିବ ? ତମେ ପରା ମୋଟେ ଟଙ୍କା ଅଢ଼େଇଟା ପାଇଁ ଏତେ ନଅର ଛଅର କରୁଛ, ସେଥିରେ ପୁଣି ମୋତେ ପାଠ ଶିଖାଉଛ । କଥା ଏଇନେ ପଦାରେ ପକାଇଦେବି ବୋଲେ ତମ ମୁହଁ କେଉଁଠି ରହିବ ?’

 

ଚୌଧୁରୀ ଭୂଇଁରେ ପଇସା ପକାଇଦେଇ ଚାଲିଗଲା । ସତେ ଯେମିତି ହୋରୀ ପିଠିରେ ଶହେ ଯୋତା ବସିଗଲା । ବିଚରା ନିର୍ବେଦ ହୋଇ ନିମ ଗଛମୂଳରେ ବସିରହିଲା । ଦାମିଆ ଚୌଧୁରୀ କେଡ଼େ ଲୋଭୀ, କେଡ଼େ ସ୍ୱାର୍ଥପର, ଆଜିଜାଣି ସେ ଜାଣିଲା । ଭାବିଲା ଦାମିଆ ଯଦି ଟଙ୍କା ଅଢ଼େଇଟା ଦେଇଯାଇଥାନ୍ତା ତେବେ ଅବଶ୍ୟ ଶୁଖିଲାରେ ତାକୁ ଅଢ଼େଇଟା ଟଙ୍କା ମିଳି ଯାଇଥାନ୍ତା । ନ ମିଳିଲା ତ ନାହିଁ ଏବେ ହେଉଛି କ’ଣ ? ଠୁକର ଖାଇଲେ ଯାଇଁ ସିନା ମଣିଷ ସବୁକଥା ଶିଖେ !

 

ୟା ଭିତରେ ଧନିୟା ଘର ଭିତରକୁ ଚାଲି ଯାଇଥିଲା । ଫେରିଆସି ଦେଖିଲା ଭୂଇଁରେ ଟଙ୍କା ପଡ଼ିଛି, ଗଣିଦେଇ କହିଲା, ଆଉ ଅଢ଼େଇ ଟଙ୍କା କ’ଣ ହେଲା, ଦଶ ଟଙ୍କା ପରା ?

 

ଥୋଡ଼ି ଲମ୍ବେଇଦେଇ ହୋରୀ କହିଲା,–ହୀରା ତ ଆସି ପନ୍ଦର ଟଙ୍କା କରିଦେଲା ମୁଁ ଆଉ କରନ୍ତି କଣ ?

 

‘ମଲା, ହୀରା ଏବେ ପାଞ୍ଚ ଟଙ୍କାରେ ଦେବ, ୟା ବୋଲି କ’ଣ ଆମେ ପାଞ୍ଚ ଟଙ୍କାରେ ଦେବା ।’

 

'‘ଦେଖୁଛ ତ ସେଠି କେମିତି ମାଡ଼ପିଟ ହେଉଥିଲା, ସେଥିରେ ମୁଁ ଆଉ କ’ଣ କହିଥାନ୍ତି-।’

 

ଚୋର ଯଦି ଗଛରେ ଚଢ଼ି ଆମ୍ବ ତୋଳୁ ତୋଳୁ ଖସିପଡ଼େ ତେବେ ସେ ସାଙ୍ଗେ ସାଙ୍ଗେ ଉଠି ଝାଡ଼ିଝୁଡ଼ି ହୋଇପଡ଼େ, କାଳେ ଆଉ କିଏ ତାକୁ ଦେଖି ପକାଇବ । ହୋରୀ ଅବସ୍ଥାଟା ଆଜି ଠିକ୍ ସେମିତି । ମନକଥା ମନରେ ଲୁଚେଇ ରଖିବା ଛଡ଼ା ଆଉ ଉପାୟ କଣ ? ଜିତିବା ଲୋକ ସିନା ବାହାଦୂରୀ କହି ବୁଲେ, ହାରିଲେ ତ ଚୋର ମା ଯେବେ କାନ୍ଦେ ଆଖି ମଳିମଳି କାନ୍ଦେ ।

 

ହୋରୀକୁ ତିଆରିବାକୁ ଧନିୟାକୁ ଆଜି ଯେମିତିଆ ପଟ ମିଳିଛି ଆଉ କେବେ ସେମିତି ମିଳି ନଥିଲା । ଛାତି ଫୁଲେଇ ହାତ ହଲେଇ ଧନିୟା କହିଲା,–ହଁ, ଆଉ କହିଥାନ୍ତ କ’ଣ ? ଭାଇ ଯେତେବେଳେ ପନ୍ଦର ଟଙ୍କା କହିଦେଲା ତମେ ଆଉ ପାଟି ଫିଟାନ୍ତ କେମିତି ? ଏଡ଼େ ଗେଲବସର ଭାଇର ମନ ଊଣା ହୋଇଯା’ନ୍ତା ନାହିଁ ! ପୁଣି ଏଡ଼େ ଗେଲବସର ଭାଇବୋହୂ ବେକରେ ଯେତେବେଳେ ଛୁରୀ ଚାଲି ଯାଉଥିଲା ସେତେବେଳେ ତ ସକଳ ସମ୍ପତ୍ତି କିଏ ଲୁଟି ନେଇଥିଲେ ବି ତମେ ଅନାନ୍ତ ନାହିଁ !

 

ହୋରୀ ଚୁପଚାପ ସବୁ ଶୁଣୁଥାଏ, ଉଁ ନାହିଁ କି ଚୁଁ ନାହିଁ । ମନ ଭିତର ଖାଲି ଘାଣ୍ଟି ହୋଇଗଲା । ରାଗରେ ରକ୍ତ ତାତିଗଲା, ଆଖି ଲାଲ ପଡ଼ିଗଲା, ଦାନ୍ତ କଡ଼ମଡ଼ ହୋଇଗଲା, କିନ୍ତୁ ପାଟିରୁ ଆଉ କଥା ବାହାରିଲା ନାହିଁ । ତୁନୀହୋଇ କୋଦାଳ ଧରି ଆଖୁ କୋଡ଼ିବାକୁ ବାହାରି ପଡ଼ିଲା ।

 

ଧନିୟା ସଙ୍ଗେ ସଙ୍ଗେ ହାତରୁ କୋଦାଳ ଛଡ଼େଇ ନେଇ କହିଲା,–ଏତେବେଳେ ଆଉ କ’ଣ ବିଲକୁ ଯିବ, ବେଳ ଆସି ମୁଣ୍ଡ ଉପରେ ହେଲାଣି, ଖାଇବାକୁ ତ ହେଲାଣି, ଯା ଗାଧୋଇ ଆସିବ । ହୋରୀ ବିରକ୍ତି ହୋଇ କହିଲା, ନାଇଁ, ମତେ ଏଇନେ ଭୋକ ନାହିଁ ।

 

ହଁ, ଭୋକ ହେବ କୁଆଡ଼ୁ, ଭାଇ ଆଜି ସକାଳୁ ବଡ଼ ବଡ଼ ମିଠେଇ ଖୁଆଇ ଦେଇଛି କିନା ? ଭଗବାନ ହେଲେ ସମସ୍ତଙ୍କୁ ଏମିତିଆ ଗୋଟେ ଗୋଟେ ଭାଇ ଦିଅନ୍ତେ ।

 

କଥା ଶୁଣି ହୋରୀ ଭୟଙ୍କର ବିଗିଡ଼ିଗଲା । ରାଗରେ ଅସମ୍ଭାଳ ହୋଇ କହିଲା,–‘ତୁ ଆଜି ମାଡ଼ ମୂଲାଉଛୁ ନାଁ କ’ଣ ?

 

‘ନାହିଁ ମ ଧନମାଳୀ, ଆଜି ତ ଯେଉଁ କାଣ୍ଡ କରିଦେଇଛ ମନେପଡ଼ିଲେ ମୋ ମୁଣ୍ଡ ଟେକି ନେଉଛି, ମାଡ଼ ମୂଲେଇବି କିଆଁ !’

 

‘ଆଚ୍ଛା ତୁ ମତେ ଏ ଘରେ ରଖେଇ ଦେବୁ କି ନାହିଁ କହିବୁଟି ଆଗ ।’

 

‘ମଲା ମୋର, ଘର ତମର, ଦୁଆର ତମର, ମାଲିକ ତମେ, ତମକୁ ବାହାର କରିଦେବାକୁ ମୁଁ ଗୋଟାଏ କିଏ ?’

 

ଆଜି ଯେତେ ଉପାୟ କଲେ ବି ଧନିୟାକୁ ପାରିଲା ନାହିଁ, ତା ବୁଦ୍ଧି ବଣା ହୋଇଗଲା । ଆଉ କୌଣସି ଉପାୟ ନ ଦେଖି ଗାମୁଛାଟି ଧରି ତୁନିହୋଇ ଗାଧୋଇବାକୁ ଚାଲିଗଲା । ଅଧଘଣ୍ଟା ପରେ ଫେରି ଆସିଲା । ଦେଖିଲା, ତେବେକେ ବି ଗୋବରା ଫେରି ନାହିଁ । ଭାବିଲା, ଏତେବେଳଯାଏ ଗୋବରା କଲା କ’ଣ ? ଆଉ କ’ଣ ଭୋଳାର ଝୁନିଆ ବୋଲି ଯେଉଁ ରସବତୀ ଝିଅ ଅଛି, ତାରି ସାଙ୍ଗରେ ରଙ୍ଗ ରହସ୍ୟରେ ମାତିଛି ! କାଲି ତ ସେମିତି ତା ସାଙ୍ଗରେ ଲାଗିଥିଲା । ନହେଲା ତ ଚାଲିଆସନ୍ତା, ସେଠେଇ ବସି କରୁଛି କ’ଣ ?

 

ହୋରୀ ସେମିତି ଭାବୁଛି, ଧନିୟା କହିଲା,–ଗୋବରାକୁ ଅନେଇ ଆଉ ଲାଭ କ’ଣ, ସେ ତ ଯାଇଁ ସଞ୍ଜବେଳକୁ ଆସିବ ।

 

କାଳେ ଧନିୟା ପାଟିରୁ ଆଉ କ’ଣ ବାହାରିପଡ଼ିବ ଭାବି ହୋରୀ ଚୁପ୍ କରି ଖାଇଦେଇ ନିମ ଛାଇରେ ଗଡ଼ପଡ଼ ହେବାକୁ ଲାଗିଲା ।

 

ଏତିକି ବେଳକୁ ରୂପା ଖଣ୍ଡେ କୌପୀନ ମାରି, ଦେହ ମୁଣ୍ଡ ଆବୁରଜାବୁର ମଇଳା ହୋଇ, କାନ୍ଦି କାନ୍ଦି ଆସି ହୋରୀ ପାଖରେ ପହଞ୍ଚିଲା । ତା ଛାତି ଉପରେ ଲଟେଇ ହୋଇପଡ଼ି ସୁନା ନାଁରେ ଆପତ୍ତି କଲା, ସୁନା କହୁଛି ଗାଈ ଆସିଲେ ସବୁ ଗୋବର ସେ ଏକୁଟିଆ ଘଷି ପାରିବ-। ସୁନା ରୋଷେଇ କଲେ ରୂପା ବାସନ ମାଜେ, ସୁନା ପାଣି ପାଇଁ ଗଲେ ରୂପା ଦଉଡ଼ି ନେଇଯାଏ, ସୁନା ବିଲକୁ ଗଲେ ରୂପା ଛେଳି ଚରାଇ ଯାଏ । ସବୁ କାମ ତ ଦିହେଁ ଏକାଠି କରନ୍ତି, ଆଜି କାହିଁକି ଗାଈ ଆସିଲେ ସେ ଏକୁଟିଆ ଘଷି ପାରିବ । ରୂପା ଏ କଥା ସହିବ କେମିତି ?

 

ତା ପିଲାଳିଆ କଥା ଶୁଣି ହୋରୀ କହିଲା,–ସବୁଯାକ ଗୋବର ତୁ ଏକା ଘଷି ପାରିବୁ ଯା, ସୁନା ଗାଈ ପାଖରେ ପଶିଲେ ତୁ ତାକୁ ତଡ଼ିଦେବୁ ।

 

ବାପ ବେକକୁ ଗେଲରେ କୁଣ୍ଢାଇ ଧରି ରୂପା କହିଲା,–ବାପା, ମୁଁ ଏକୁଟିଆ ଗାଈ ଦୁହିଁବି-?

 

‘ହଁ, ହଁ, ଯା ତୁ ଏକା ଦୁହିଁବୁ । ଆଉ କେହି ଦୁହିଁବେ ନାହିଁ ।’

 

‘ବାପା, ଗାଈଟା ମୋର ହେବ ।’

 

‘ହଁ ଯା, ଗାଈଟା ଗୋଟାପଣେ ତୋର ହେବ ।’

 

ରୂପା ଖୁସି ହୋଇ ଜିତାପଟ କଥା ଶୁଣାଇବା ପାଇଁ ସୁନା ପାଖକୁ ଦୌଡ଼ି ଯାଇ କହିଲା,–ବାପା କହିଲା, ଗାଈ ମୋର ହେବ, ମୁଁ ଦୁହିଁବି, ମୁଁ ଗୋବରରେ ଘଷି ପାରିବି, ଆଉ କେହି କିଛି କରିବେ ନାହିଁ ।

 

ସୁନା ଦେଖିବାକୁ ସିନା ବଡ଼ ପିଲାଟାଏ, ନୋହିଲେ ବୁଦ୍ଧି ଆଉ ବୟସରେ ନିହାତି ପିଲା-। ଯୌବନ ତାକୁ ଯେମିତି ଆଗକୁ ଟାଣୁଥିଲା, ପିଲାଦିନ ସେତିକି ପଛକୁ ଟାଣୁଥିଲା । ବେଳେ ବେଳେ ଏମିତି ଚତୁର, ଏମିତି ସିଆଣିଆ ଯେ, ବି. ଏ. ବାଲାଙ୍କୁ ପାଠ ପଢ଼େଇବ । ଆଉ ବେଳେ ବେଳେ ଏମିତି ଅଲରୀ ଯେ ସାନ ପିଲାଙ୍କଠୁ ବି ନିହାତି । ଦେଖିବାକୁ ଟିକିଏ ଡେଙ୍ଗେଇ, ଭାରୀ ପ୍ରସନ୍ନ ମୁହିଁ, ଆଖି ଦି’ଟା ଢଳ ଢଳ ଓଠଟା ଟିକିଏ ମେଲା । ବେଶଭୂଷା ତ ସହଜେ କିଛି ନାହିଁ; ଆଖିରେ କଜ୍ଜଳ ନା ମୁଣ୍ଡରେ ତେଲ ନା ଦେହରେ କେଉଁ ଗହଣାଗାଣ୍ଠି । ଘର ସଂସାରର ଦାଉ, ଧୋକା, ଅଭାବ ଅସୁବିଧାରେ ଯୌବନ ସତେ ଯେମିତି ଚିପିହୋଇ ରହି ଯାଇଥିଲା ।

 

ରୂପା କଥା ଶୁଣି ସୁନା କହିଲା, ହଁ ମ, ତୁ ଘଷି ପାରେ, ଦୁଧ ଦୁହୁଁ, ମୁଁ କ’ଣ ନାହିଁ କରୁଛି-। କିନ୍ତୁ ତୁ ଦୁଧ ଦୁହିଁକରି ରଖିଦେଲା ମାତ୍ରେ ମୁଁ ପିଇଦେବି ।

 

‘ସେମିତି ହେଲେ ମୁଁ ତାଲା ପକାଇ ଦେବି ।’

 

‘ତୁ ତାଲା ପକାଇ ଦେଲେ କ’ଣ ମୁଁ ତାଲା ଭାଙ୍ଗି ପାରିବି ନାହିଁ ?’

 

ସେତକ କହି ସୁନା ଆମ୍ବତୋଟା ଆଡ଼କୁ ଚାଲିଗଲା । ଆମ୍ବ ସେତେବେଳକୁ ପାଚି ଆସୁଥାଏ । ଗୋଟାଏ ଗୋଟାଏ ଲୋସଡ଼ି କରି ଖସି ପଡ଼ୁଥାଏ ଯେ, ପିଲେସବୁ ଗଛ ଚାରିପାଖ ଘେରି ବସିଥାନ୍ତି । ସୁନା ଯେମିତି ତୋଟା ଆଡ଼କୁ ଯାଇଛି, ରୂପା ସେମିତି ତା ପଛେ ପଛେ ଚାଲିଲା-। ତା’ର ଅଭ୍ୟାସ ହେଉଛି ସୁନା ଯାହା କରିବ ସେ ସେୟା କରିବ । ସୁନା ବାହାଘର କଥା ସମସ୍ତେ ପକାନ୍ତି, ରୂପା କଥା କେହି ପକାନ୍ତି ନାହିଁ । ରୂପା ଆପେ ଆପେ ଗପେ ସେ କେମିତି ବାହାହେବ, ତା ବର କେମିତି ଆସିବ, ତା ପାଇଁ କ’ଣ ସବୁ ଆଣିବ, ତାକୁ ସେ କ’ଣ ଖୁଆଇବ, କଣ ପିନ୍ଧାଇବ-। କେତେ ଯେ କ’ଣ ଗପେ ଠିକଣା ନାହିଁ । ବାହାହେବା ଲୋକ ଯଦି ଶୁଣନ୍ତା, ତେବେ ପାଗଳୀ ବୋଲି ତାକୁ କେବେହେଲେ ବାହା ହୁଅନ୍ତା ନାହିଁ ।

 

ସେତେବେଳକୁ ସଞ୍ଜ ସଞ୍ଜ ହୋଇ ଆସୁଥିଲା । ହୋରୀକୁ ଭାରୀ ଅଳସିଆ ଲାଗିବାରୁ ସେ ବିଲକୁ ନଯାଇ ବଳଦକୁ କୁଣ୍ଡାପାଣି ଖୁଆଇଦେଇ ବସି ଚିଲମ ଟାଣିଲା । ତାର ବର୍ତ୍ତମାନ ଅବସ୍ଥା ଏମିତି ଯେ ଖଳାମୁଣ୍ଡରେ ସବୁ ଆମଦାନି ମାପିଦେଲେ ବି ଆହୁରି ତିନିଶ ଟଙ୍କା କରଜ ବାକି । ସେଥିରେ ବର୍ଷକୁ ଶହେ ଟଙ୍କା କରି ସୁଧ ବଢ଼ି ଚାଲିଛି । ପାଞ୍ଚବର୍ଷ ତଳେ ବଳଦ କିଣିବା ପାଇଁ ମଙ୍ଗୁରୁ ସାହୁଠାରୁ ଷାଠିଏ ଟଙ୍କା କରଜ ଆଣିଥିଲା । ମୂଳ ଉପରେ ସୁଧ ପଛେ ଷାଠିଏ ଦିଆ ସରିଲାଣି, କିନ୍ତୁ ମୂଳ ଯେମିତିକି ସେମିତି ରହିଛି । ଦାତାଦୀନ ଠାରୁ ତିରିଶି ଟଙ୍କା ଆଣି ଆଳୁ ଲଗାଇଥିଲା ଯେ ଆଳୁ ତ ଚୋର ନେଲେ, ଟଙ୍କା ବଢ଼ି ବଢ଼ି ଶହେ ଟଙ୍କା ହେଲାଣି । ଦୂଲାରୀ ସାହୁଆଣୀଠାରୁ ଚାଳିଶ ଟଙ୍କା ଆଣି ଭିନ୍ନେ ହେଲାବେଳେ ଭାଇଙ୍କି ଭାଗ ବୁଝେଇଥିଲା ଯେ, ସେ ବି ବଢ଼ି ବଢ଼ି ଶହେ ହେଲାଣି । ସାହୁଆଣୀର ତ ତେଲ ଲୁଣର ଦୋକାନ; ଭାରୀ ହିସାବୀ ସେ, ଟଙ୍କାରେ ତାର ମାସକୁ ଅଣାଏ ସୁଧ । ଏଇସବୁ ଧାର ଉଧାର ବାଦ, ସରକାରୀ ଖଜଣା ପୁଣି ପଚାଶ ଟଙ୍କା ବାକି, ତା ଛଡ଼ା ଜମିଦାରଙ୍କ ଭେଟି ତ ଆସି ମୁଣ୍ଡ ଭପରେ । ବାଉଁଶ ଟଙ୍କାଟା ଭଲ ବେଳରେ ମିଳିଗଲା । ଆଉ କିଛି ନହେଲେ ଜମିଦାରଙ୍କ ଭେଟି କାମଟା ତ ଚଳିଯିବ । କିଏ ଏବେ ଜାଣିଲା କ’ଣ ହେବ । ଏ ଗାଁରେ ଅଧଲାଟାଏ ତ ହାତକୁ ଆସିଗଲେ ଚହଳ ପଡ଼ିଯାଏ, ସାଉ ମହାଜନ ଗିରିଧ ପରି ଘେରିଥାନ୍ତି ।

 

ଦେଣା ତ ଯାହା ଅଛି ଅଛି, ପୁଣି ନଗଦ ଜୁଟିଲାଣି । ଗୋବରାର ବାହାଘର, ପୁଣି ତା ପଛକୁ ସୁନା ବାହାଘର । ଯେତେ ଖେଣ୍ଟିଲେ ତ ତିନିଶ ଟଙ୍କାରୁ କମରେ ହେବ ନାହିଁ । ପୁଣି ଏ ଟଙ୍କା ଆସିବ କୁଆଡ଼ୁ ? ହୋରୀର ତ ଇଚ୍ଛା କାହାଠୁ କରଜ କରନ୍ତା ନାହିଁ; ଯଦି ଅବା କରଜ କରନ୍ତା ଅଧଲା ପାହୁଲା କରି ସୁଝି ଦିଅନ୍ତା । କିନ୍ତୁ କାହିଁ, ଯେତେ ଚେଷ୍ଟାକଲେ ତ ଅଣ୍ଟୁ ନାହିଁ । ହୁଏତ କରଜ ବଢ଼ି ବଢ଼ି ଦିନେ ଏମିତି ଅବସ୍ଥା ହେବ ଯେ, ଘରଦ୍ଵାର ସବୁ ନିଲାମ ହୋଇଯିବ, ପିଲାଛୁଆ ସବୁ ଅନାସ୍ଥା ହୋଇ ଦାଣ୍ତଘାଟରେ ଭିକ ମାଗିବେ ।

 

ହୋରୀ କାମଧନ୍ଦା ସାରି ଯେତେବେଳେ ବସେ, ଏଇସବୁ ଚିନ୍ତା ତାକୁ ପାଚେରୀ ପରି ଘେରିଯାନ୍ତି । ଯେତେ ଚେଷ୍ଟାକଲେ ବି ସେହି ପାଚେରୀରୁ ସେ ବାହାରି ପାରେ ନାହିଁ । କେବଳ ମନରେ ଏତିକି ସାନ୍ତ୍ଵନା ଥାଏ ଯେ ଏ ଦୁଖ କେବଳ ତା’ର ଏକା ନୁହେଁ, ଏ ପ୍ରକାର ଦୁଃଖ ସବୁ ଚାଷୀଙ୍କର । ତା’ର ତ ହେଲେ ରକ୍ଷା ଅଛି, ଏମିତି ବହୁତ ଚାଷୀ ଅଛନ୍ତି ଯାହାଙ୍କର ଅବସ୍ଥା ହୋରୀଠାରୁ ବି ଢେର ଖରାପ । ଶୋଭା ଆଉ ହୀରା ଭିନ୍ନେ ହେବାର ମୋଟେ ବରଷ ତିନିଟା ହେଇଛି କି ନାହିଁ, ୟା ଭିତରେ ଜଣକା ଚାରିଶ ଲେଖାଁ କରଜ । ଝିଙ୍ଗୁରର ମୋଟେ ଦି’ହଳର ଚାଷ, ସେଥିରେ ପୁଣି ତା’ର ହଜାରେ ଟଙ୍କା କରଜ । ଜିୟାବନ ଏଡ଼େ କୃପଣ ଯେ ଭିକାରୀକୁ ଭିକ ପର୍ଯ୍ୟନ୍ତ ଦିଏ ନାହିଁ । ତା’ର ବି କରଜର ସୀମା ନାହିଁ । କାହା ଅବସ୍ଥା ଭଲ ଅଛି ଯେ କାହା କଥା କହିବ । ଯାହାକୁ ଦେଖିବ ସେୟା, ସମସ୍ତେ ଖାଲି କରଜରେ ସଢ଼ୁଛନ୍ତି ।

 

ହୋରୀ ବସି ଠିକ୍ ଏମିତି ଭାବୁଛି, ସୁନା ଓ ରୂପା ଦିହେଁଯାକ ଧାଇଁ ଧାଇଁ ଆସି ଅଣନିଶ୍ଵାସୀ ହୋଇ କହିଲେ,–ବାପା, ଭାଇ ଗାଈ ଆଣିକରି ଆସିଲାଣି । ଗାଈ ଆଗେ ଆଗେ ଆସୁଛି, ଭାଇ ପଛେ ପଛେ ଆସୁଛି ।

 

ଗୋବରା ଆସୁଥିବାର ରୂପା ଆଗ ଦେଖିଥିଲା, ସେଥିପାଇଁ ତାକୁ ବାହାଦୁରୀ ମିଳିବା ଦରକାର । ସୁନାକୁ ସେ ବାହାଦୁରୀରେ ଭାଗିଦାରୀ କରିବାକୁ ଚାହେ ନାହିଁ । ଉପରେ ପଡ଼ି ରୂପା ତରତର ହୋଇ କହିଲା ବାପା ! ଭାଇକୁ ମୁଁ ଆଗ ଦେଖିଲି, ନାନୀ ମୋ ପଛରେ ଦେଖିଲା ।

 

ଏମିତିଆ ମିଛ କଥାରେ ସୁନା ଅବା ରାଜି ହୁଅନ୍ତା କାହିଁକି ? ସେ ସାଙ୍ଗେ ସାଙ୍ଗେ କହିଲା–ତୁ କେଉଁଠି ଭାଇକୁ ଚିହ୍ନିଥିଲୁ, ତୁ ତ କହୁଥିଲୁ କା’ର ଗୋଟାଏ ଗାଈ ପଳାଇ ଯାଉଛି । ମୁଁ ସିନା ଆଗ ଚିହ୍ନିଲି ଭାଇ ବୋଲି ।

 

ଏତିକି କହି ଦି’ ଭଭଣୀଯାକ ଗୋବରା ପାଖକୁ ବାଟକୁ ଧାଇଁଲେ । ହୋରୀ ଧନିୟା ଦୁହେଁ ଗାଈପାଇଁ ଯୋଗାଡ଼ଯନ୍ତ୍ର କରିବାରେ ଲାଗିଗଲେ । ହୋରୀ ଗୋଟେ କୁଣ୍ଡ ବସାଇ ଦେବାକୁ ଗଲା । ଗାଈ କଥା ଶୁଣି ଧନିୟା ଦେହରେ ଯୌବନର ବଳ ସତେ ଯେମିତି ଫେରି ଆସିଲା । ସେ ହୋରୀକୁ କହିଲା–ତମେ ଯା, କୁଣ୍ଡ ବସେଇ ଦେବ; ମୁଁ ଯାଇଛି ଗୁଡ଼ପଣା ମୁନ୍ଦେ ଗୋଳିଦେବି । ବିଚାରୀ କେଡ଼େ ଧୂପରେ ଆସିଥିବ, ଭାରୀ ଶୋଷ କରୁଥିବ ତାକୁ । ଘଣ୍ଟିଟା କେଉଁଠି ପଡ଼ିଥିଲା ଦେଖେ, ଗାଈ ବେକରେ ବାନ୍ଧି ଦିଅନ୍ତେ । ସୁନା କୁଆଡ଼େ ଗଲା ? ସାହୁଆଣୀ ଦୋକାନରୁ କଳା ଡୋର ଖଣ୍ତେ ଘିନି ଆସନ୍ତା, ଗାଈ ବେକରେ ଗୁରେଇ ଦିଅନ୍ତେ । ନ ହେଲେ ଅକାରଣରେ ଗାଈ ଦୃଷ୍ଟିଆ ହୋଇଯିବ ।

 

ହୋରୀ ଭାବିଲା ଆଜି ତାର ମନସ୍କାମନା ପୂର୍ଣ୍ଣ ହୋଇଗଲା । ଧନିୟା କିନ୍ତୁ ମନ ଖୁସିଟାକୁ ମନ ଭିତରେ ଲୁଚେଇ ରଖିବାକୁ ଚେଷ୍ଟା କରୁଥିଲା । କାଳେ ବେଶୀ ଖୁସି ହେଲେ ସମ୍ପତ୍ତି ସାଙ୍ଗକୁ କେଉଁ ବିପତ୍ତି ଆସିଯିବ । ମନେ ମନେ ଭାବିଲା, ଗାଈ ତ ଆସିଗଲା, କିନ୍ତୁ ଗାଈ ସିନା ଏଠି ସୁଖରେ ରହିଲେ ତେଣିକି ଯେଉଁ କଥା । ଭଗବାନଙ୍କର ଯାହା ବରାଦ ଥିବ ।

ଧନିୟା ଅଟା ଗୋଳୁଛି ଗୋବରା ଗାଈ ଆଣି ଆସି ହାଜର ହୋଇଗଲା । ଗାଈ ପଛେ ପଛେ ଗାଁ ଯାକର ଅଣ୍ଡାବଚା ବି ଆସି ହାଜର । ଗାଈକୁ ଦେଖି ହୋରୀ ଆନନ୍ଦରେ ତା ବେକକୁ କୁଣ୍ଢେଇ ଆଉଁଷାପାଉଁଷା କରିପକାଇଲା । ଧନିୟା ଦଉଡ଼ିଆସି ଗାଈ ବେକରେ କଳା ଧଡ଼ି ଖଣ୍ଡେ ଗୁରେଇ ଦେଲା । ହୋରୀ ଏମିତି ଆନନ୍ଦରେ ଅନାଇ ରହିଲା, ସତେ ଯେମିତି ଦୁଆରେ ଠାକୁରାଣୀ ବିଜେ କରିଛନ୍ତି । କେଉଁ ପୁଣ୍ୟବଳରେ ଏ ସୌଭାଗ୍ୟ ଆସି ଜୁଟିଛି କିଛି ଭାବିପାରିଲା ନାହିଁ ।

ଧନିୟା କହିଲା,–ଠିଆ ହୋଇ ଦେଖୁଛ କ’ଣ ଆଗ ଯାଇ କୁଣ୍ଡ ବସାଇ ଦିଅ ।

‘କ’ଣ ଦୁଆରେ ବସାଇବି ? ଦୁଆରେ ଜାଗା କାହିଁ ?’

‘ଜାଗା ନାହିଁ ଆଉ କ’ଣ ହୋଇଛି ?’

‘ନାହିଁ, ମୁଁ ବାହାରେ ବସାଇ ଦେଉଛି ।’

‘ତମ ମୁଣ୍ଡ କ’ଣ ପାଗଳ ହୋଇଗଲାଣି କି ? ଏ ଗାଁ କଥା ଜାଣିକରି ଏମିତି ଅଜଣା ହେଉଛ କିଆଁ ?’

‘ଆରେ ବାବୁ ଏଡ଼େ ଟିକେ ଦୁଆର, ଗାଈ ବନ୍ଧାହେବ କେଉଁଠି ?’

ମୁଁ କହି ଦେଉଛି, ତମେ ନ ଜାଣିବା କଥାରେ ମିଛରେ ପାଟି ଫିଟା ନାହିଁ । ତମେ ତ ଆଉ ସଂସାରଯାକ ଲୋକଙ୍କ କଥା ଜାଣି ନାହଁ ! କା ମନରେ କିଏ ପଶିଛି ?”

ଗାଈ ଦେଖି ହୋରୀର ମନ ଏମିତି ଭୋଳ ହୋଇଯାଇଥିଲା ଯେ, ନିଜ ଉପରେ ଚାର କୌଣସି ଅକତିଆର ନଥିଲା । ଭାବିଲା, ଗାଈ ହେଉଛି ଜୀବନ୍ତ ସମ୍ପତ୍ତି । ଗାଈ ଆସିବାରୁ ଘରର ଶିରୀ ଯେମିତି ବଢ଼ିଗଲା, ବାହାରର ଆଡ଼ମ୍ବର ସେମିତି ବଢ଼ିଯିବା ଦରକାର । ସେ ଭାବୁଥିଲା–ଗାଈ ବାହାରେ ବନ୍ଧା ହେଲେ ଲୋକେ ଦେଖିବେ, କା ଗାଈ ବୋଲି ପଚାରିବେ, ତାର ମାନସମ୍ମାନ ବଢ଼ିଯିବ, ଲୋକେ ତା ଘରେ ଝିଅ ଦେବାକୁ ମନ କରିବେ । ଦୁଆରେ ବାନ୍ଧିଲେ କିଏ ଦେଖିବ, କିଏ ପଚାରିବ ? କିନ୍ତୁ ଧନିୟା ଭାବୁଥିଲା ଠିକ୍ ଓଲଟା । ସେ ଗାଈକୁ ସାତ ପରସ୍ତ କନା ଭିତରେ ଗୁଡ଼ାଇ ରଖିବାକୁ ଚାହୁଁଥିଲା, ଯେମିତି କାହାରି ଛାଇ ନ ପଡ଼ନ୍ତା । ଗାଈ ଯଦି ଘର ଭିତରେ ସବୁବେଳେ ରହିବା ଜିନିଷ ହୋଇଥାନ୍ତା, ତେବେ ସେ ଦଣ୍ଡେ ହେଲେ ତାକୁ ବାହାରକୁ ଛାଡ଼ି ଦିଅନ୍ତା ନାହିଁ । ହୋରୀ ସିନା ଆଉସବୁ କଥାରେ ଧନିୟାକୁ ଚପେଇ ଦିଏ କିନ୍ତୁ ଗାଈ କଥାରେ ଧନିୟା ତାକୁ ଚପେଇ ଦେଲା । ହୋରୀକୁ ହରେଇ ଦେବାଭଳି ଆତ୍ମବିଶ୍ଵାସ ଧନିୟା ପାଖରେ ଆଜି ଯେମିତି ନୂଆ, ଧନିୟା ପାଖରେ ହୋରୀର ଏ ପ୍ରକାର ବିନୟ ବି ଆଜି ସେମିତି ନୂଆ ।

କିନ୍ତୁ ଗାଈକୁ ଯେତେ ଲୁଚାଇଲେ ବି ସେ କ’ଣ ଲୁଚିବା ଜିନିଷ ଯେ ଲୁଚିବ ! ଗାଈ ତ କିଛି ସବାରୀ ଭିତରେ ଲୁଚିକରି ଆସି ନ ଥିଲା । ଗାଁରେ ଏଡ଼େ ବଡ଼ ଘଟଣା ଘଟିଗଲେ ଲୁଚି ରହିବ କୁଆଡ଼ୁ ? ଯିଏ ଶୁଣିଲା, ସେ କାମ ଛାଡ଼ି ଦଉଡ଼ିଲା । କିଛି ମାମୁଲି ଗାଈ ନୁହେ, ଅଶୀ ଟଙ୍କାର ପଛିମା ଗାଈ । କେହି କେହି ଭାବିଲେ ହୋରୀ ଅଶୀ ଟଙ୍କା ପାଇବ କୁଆଡ଼ୁ ? ପଚାଶ ଷାଠିଏ ଟଙ୍କା ହୋଇଥିଲେ ହୋଇଥିବ । ସେ ଗାଁରେ ତ କେହି କେବେ ଅଶୀ ଟଙ୍କାର ଗାଈ କିଣିବାର ଶୁଣା ନ ଥିଲା । ବଳଦ ତ ବେଳେ ବେଳେ ପଚାଶ ଟଙ୍କାରେ ମିଳି ଯାଉଛନ୍ତି, ଅଶୀ ଟଙ୍କା ଦେଇ ଗାଈ କିଣୁଛି କିଏ ? ଗଉଡ଼େ ସିନା ଆଞ୍ଜୁଳେଲେଖା ଟଙ୍କା ଗଣି କିଣନ୍ତି, ଚଷା କିଣିବେ କାହିଁକି ? ତଥାପି ହୋରୀ ଯେଉଁ ଗାଈ ଆଣିଛି ସେ ତ ଗାଈ ନୁହେଁ, ସତେ ଯେମିତି ଦେବୀମୂର୍ତ୍ତି । ଗାଈ ଦେଖିବାକୁ ଗାଁଯାକ ତା’ ପଛକୁ ତା ପଛ ଧାର ଲାଗିଥାନ୍ତି । ହୋରୀ ସମସ୍ତଙ୍କୁ ଆଜ୍ଞା ଅବଧାନ କରି ଗାଈ ଦେଖାଉଥାଏ । ହୋରୀ ବୋଧହୁଏ ତା ଜୀବନରେ କେବେ ଏଡ଼େ ଖୁସି ହୋଇ ନ ଥିବ କିମ୍ବା ତା’ଠାରେ ଏତେ ବିନୟ ଭାବ କେହି କେବେ ଦେଖି ନଥିବେ ।

ସତୁରୀ ବର୍ଷର ବୁଢ଼ା ପଣ୍ଡିତ ଦାତାଦୀନ ବି ଗାଈ ଦେଖିବାପାଇଁ ଆସି ହାଜର । ପହଞ୍ଚିଲା ମାତ୍ରେ ବୁଢ଼ା ପାଟିକରି ଡାକିଲା,–କୁଆଡ଼େ ଗଲ ହୋରୀ ! ଆସିବ ଆଗ ତମ ଗାଈ ଦେଖିବା ।

 

ପାଟି ଶୁଣିଲାମାତ୍ରେ ହୋରୀ ଧାଇଁଆସି ପାଦତଳେ ମୁଣ୍ଡିଆ ମାରି ଅଗଣା ଭିତରକୁ ତାଙ୍କୁ ନେଇଗଲା । ଦାତାଦୀନ ଦୁଆରେ ପହଞ୍ଚି ଗାଈର ଲାଞ୍ଜ, ଶିଙ୍ଘ, ପହ୍ନା, ପିଠି ସବୁ ଟିକିନିଖି ଦେଖିସାରି କହିଲା,–ସବୁ ଠିକ୍ ଅଛି ବାବା, ଏତେ ଟିକିଏ ହେଲେ ଅସୁବିଧା ନାହିଁ । ଏମିତି ସବୁ ଲକ୍ଷଣ ଅଛି, ଭଗବାନ ଚାହିଁଲେ ତୋ କପାଳ ଫିଟିଯିବ । ଖିଆପିଆରେ ଊଣା ନହେଲେ ଏକା ବାଛୁରୀ ଗୋଟା ଗୋଟାକୁ ତ ଶହେଟଙ୍କା ।

 

ହୋରୀ ଆନନ୍ଦରେ ଉଛୁଳିପଡ଼ି କହିଲା,–ମୋର ଏଥିରେ କ’ଣ ଅଛି, ୟେ ସବୁ ଆପଣଙ୍କ ଆଶୀର୍ବାଦ ଦାଦା !

 

‘ନାହିଁରେ ବାବା, ମୋ ଆଶୀର୍ବାଦ କ’ଣ ? ସବୁ ଭଗବାନଙ୍କ ଦୟା, ଭଗବାନଙ୍କ ବିଚାର-। ଆଚ୍ଛା, ସବୁ ଟଙ୍କା କ’ଣ ନଗଦ ଦେବାକୁ ପଡ଼ିଲା, ନା କିଛି ବାକି ରହିଲା ?’

 

ହୋରୀ ତ ଆଜି ଭାରୀ ବେପରୁଆ । ନିଜ ମହାଜନ ଆଗରେ ଆପଣା ସମ୍ପତ୍ତିର ବଡ଼େଇ ଦେଖେଇବାକୁ ସୁବିଧା ମିଳିଛି ଯେତେବେଳେ ଛାଡ଼ିବ କାହିଁକି ? ଲୋକେ ତ ଦି’ ପଇସାର ଟୋପିଟେ ପିନ୍ଧିପକାଇଲେ କିମ୍ଵା ଗାଡ଼ିଘୋଡ଼ାରେ ଟିକିଏ ଚଢ଼ିଗଲେ କାହିଁରେ କ’ଣ । ହୋରୀକୁ ତ ସହଜେ ଅମୂଲ୍ୟନିଧି ମିଳିଛି, ତା ମନ ଏବେ ଆକାଶରେ ନ ଉଡ଼ିବ କିଆଁ ? ସାଙ୍ଗେ ସାଙ୍ଗେ ମନରୁ ଫାନ୍ଦି କହିଦେଲା,–ଆଜ୍ଞା ଭୋଳା ତ କିଛି ସେମିତିଆ ଲୋକ ନୁହେଁ ଯେ ଦିନେ ଅଧେ ସମ୍ଭାଳିବ । ସଙ୍ଗେ ସଙ୍ଗେ ସବୁ ପଇସା ହାତକୁ ହାତ ଗଣିନେବାରେ ଯାଇଁ ଗାଈ ଦେଲା ।

 

ହୋରୀଟା ଓଲୁ ବୋଲି ସିନା ଆପଣା ମହାଜନ ଆଗରେ ବଢ଼େଇ କରୁଥିଲା, କିନ୍ତୁ ଦାତାଦୀନକୁ କେଉଁକଥା ଅଜଣା । ଆଖିରେ ସିନା ଜ୍ୟୋତି ନଥିଲା, ଅନୁଭବ ତ କମ ନଥିଲା । ହୋରୀ କଥାରେ କେତେ ସତ କେତେ ମିଛ ଜାଣିବାପାଇଁ ତାକୁ ବେଶୀ ସମୟ ଲାଗିଲା ନାହିଁ । ଭାରୀ ପ୍ରସନ୍ନ ହେଲାପରି ଦାତାଦୀନ କହିଲା,–ନେଉପଛକେ ସେଥିରେ କିଛି କ୍ଷତି ନାହିଁ, ଭଗବାନ ତୋପାଇଁ ଅଛନ୍ତି । ବାଛୁରୀ ପିଇକରି ବି ତୋତେ ଆହୁରି ପାଞ୍ଚସେର ଦୁଧ ମିଳିବ ।

 

ଧନିୟା ଚଟକରି କହି ପକାଇଲା–ନାଇଁ ମହାପ୍ରଭୁ, ଏତେ ଦୁଧ କେଉଁଠୁ ହେବ । ଦେଖୁ ନାହାନ୍ତି, ଗାଈ ପରା ଆସି ବୁଢ଼ୀ ହେଲାଣି; ତହିଁକି ଆମର ଏତେ କେଉଁଠି ଅଛି ଯେ ଖାଇବାକୁ ଦେବୁ ?

 

ଧନିୟା କଥା ଶୁଣି ଦାତାଦୀନ ମନେ ମନେ ଭାବିଲା ୟେ ଠିକ୍ ଚାଲାକ ଘରଣୀର କାମ । ପୁରୁଷଗୁଡ଼ା ସିନା ବାହାଦୁରିଆ କଥାଗୁଡ଼ା କହନ୍ତି । ଘରଣୀ ଯେ ସେ ତ ସହିସମ୍ଭାଳି କହେ-। ତା ପରେ ଟିକିଏ ଦୋଦୋପାଞ୍ଚ ହୋଇ କହିଲା–ହଁ, ଗୋଟିଏ କଥା ମନେ ରଖିଥିବ, ଗାଈକୁ କେବେ ହେଲେ ବାହାରେ ବାନ୍ଧିବ ନାହିଁ ।

 

ଧନିୟାର ଏବେ ପୂରା ଜିତାପଟ । ଦାତାଦୀନର କଥା ଶୁଣି ସେ ହୋରୀ ଆଡ଼କୁ ଅନେଇ ରହିଲା; ସତେ ଯେମିତି ସେ କହିବାକୁ ଚାହୁଁଥିଲା ‘ମୋ କଥା ସିନା ଗନ୍ଧାଉଥିଲା ଏବେ ଯିବ କୁଆଡ଼େ ? ଦାତାଦୀନ କ’ଣ କହୁଛନ୍ତି ଶୁଣ ।’

 

ଗାଁଯାକ ଗାଈ ଦେଖିବାକୁ ଆସିଲେ ଏକା ହୀରାକୁ ଆଉ ଶୋଭାକୁ ଛାଡ଼ି । ଭିନ୍ନେ ହେଲେ ବି ଭାଇଙ୍କ ଠାରୁ ତ ମମତା ଛାଡ଼ି ନଥିଲା । ଭାଇ ଦିହେଁ ଆସି ଯଦି ଅନେଇଦେଇ ଯାଇଥାନ୍ତେ ତେବେ ହୋରୀର ସବୁ ତପସ୍ୟା ପୂରି ଯାଇଥାନ୍ତା । ସଞ୍ଜବେଳେ ଦି ଭାଇଯାକ ଯେତେବେଳେ ପାଣିବୁହାରୁ ଫେରି ଆସିଲେ, ସେଇବାଟେ ଗଲେ କିନ୍ତୁ କିଛି ଉଁ କି ଚୁଁ କହିଲେ ନାହିଁ ।

 

ହୋରୀ ଡରି ଡରି ଧନିୟାକୁ କହିଲା–ସମସ୍ତେ ଆସିଲେଣି, ବାକି ହୀରା ଆସି ନାହିଁ କି ଶୋଭା ଆସି ନାହିଁ । ସୁନା ଘରେ ଅଛି ନାଁ, କୁଆଡ଼େ ଯାଇଛି ?

 

‘କିଆଁ ମ, ସୁନା ଥିଲେ ତାଙ୍କୁ ଡାକିବାକୁ ଯା’ନ୍ତା କି ?’

 

‘ମଲା, ତୁ ତ କଥା ବୁଝିବୁ ନାହିଁ ଖାଲି କଳି କରିବୁ । ଭଗବାନ ଯେତେବେଳେ ଆମର ଭଲ କରିଛନ୍ତି, ଆମର ନଇଁସଇଁ ଚଳିବା ଦରକାର । ଆପଣା ଲୋକଙ୍କଠାରୁ ଭଲମନ୍ଦ ଶୁଣିବା କଥା ନା, ପରଠାରୁ ଶୁଣି ଲାଭ କ’ଣ ? ଲକ୍ଷେ ଖରାପ ହେଲେ ବି ତ ସେମାନେ ଆପଣା ଭାଇ । ଭାଗ ନେବାପାଇଁ ତ ସମସ୍ତେ ଲଢ଼ନ୍ତି, ସେଥିରେ କ’ଣ ଆଉ ଏକା ରକ୍ତ ଦି’ଭାଗ ହୋଇଯାଏ କି ? ଆମେ ତାଙ୍କୁ ଡାକିକରି ଟିକିଏ ଦେଖାଇ ଦେଲେ ଆମ କାମ ଛିଣ୍ଡିଗଲା । ନହିଲେ ସେମାନେ କାଇଲି କରିବେ, କହିବେ–‘ଗାଈ ଆଣିଲେ ଯେ ଆମକୁ ଟିକିଏ ପଚାରି ବି ନାହାନ୍ତି ।’

 

ଧନିୟା ମୁହଁ ମୋଡ଼ିଦେଇ କହିଲା–ମୁଁ ତମକୁ ଶହେବାର ହଜାରବାର କହୁଛି, ତମେ ତମ ଭାଇଙ୍କ କଥା ମୋ ଆଗରେ କେଭେହେଲେ କହିବ ନାହିଁ । ସେଗୁଡ଼ାଙ୍କ ନାଁ ଶୁଣିଲେ ମୋ ଦିହ ନିଆଁ ହୋଇଯାଏ । କିଆଁ ମ, ଗାଈ ଆଇଲା ଯେ ଗାଁ ଯାକ ଲୋକେ ଜାଣିଲେ, ଆଉ କ’ଣ ସେଇ ଦି’ଜଣ ଜାଣିପାରିଲେ ନାହିଁ ! ତାଙ୍କ ଗୋଡ଼ରେ ତ ମଞ୍ଜୁଆତି ବୋଳା ହୋଇଛି, ଆସିବେ କେମିତି ? ନହିଲେ ମୋ ଘରକୁ କିଆଁ ଗାଈ ଆସିଛି ବୋଲି ଜଳି ଯାଉଥିବେ, ଛାତି ଫାଟି ଯାଉଥିବ ।

 

ସେତେବେଳକୁ ପ୍ରାୟ ସଞ୍ଜ ହୋଇଯାଇଥିଲା । କିରୋସିନ ଆଣିବା ପାଇଁ ଧନିୟା ଦୋକାନକୁ ବାହାରିଲା । ନଗଦ ପଇସା ଥିଲେ ସିନା ରୁପାକୁ ପଠାଇ ଦେଇଥାନ୍ତା କିନ୍ତୁ ଯେତେବେଳେ ଉଧାର ଆଣିବାକୁ ହେବ ନିଜେ ଯାଇ କୁହାବୋଲା ନ କଲେ ଦେବ କିଏ ?

 

ଧନିୟା ଯିବାପରେ ହୋରୀ ରୂପାକୁ କୋଳରେ ବସେଇ ଗେଲ କରି କହିଲା,–ଗଲୁ ମା-! ଟିକିଏ ଦେଖିଆସିବୁ ହୀରାକକା ଆସିଲାଣି ନା ନାହିଁ । ବୁଝିଆସିବୁ, ଶୋଭାକକା ବି କେଉଁଠି ଅଛି-। ଯଦି ଦିହେଁଯାକ ଘରେ ଥିବେ ଡାକି ଆଣିବୁ, କହିବୁ ବାପା ଡାକୁଛନ୍ତି ଆସ ! ନ ଆସିଲେ, ହାତ ଧରି ଟାଣି ଆଣିବୁ ।

 

ରୂପା ଗୁଁ ଗୁଁ ହୋଇ କହିଲା, ବାପା ମୁଁ ଯାଆନ୍ତି ଯେ, ସାନଖୁଡ଼ୀ ମୋତେ ସବୁବେଳେ ଗାଳି ଦେଉଛି ।

 

‘ତୁ ତ କକା ପାଖକୁ ଯିବୁ, ଖୁଡ଼ୀଠାରୁ କ’ଣ ପାଇବୁ ? ସାନ ଖୁଡ଼ୀ ସିନା ଗାଳିଦିଏ, ବଡ଼ଖୁଡ଼ୀ ତ ପୁଣି ତୋତେ ଆଦର କରେ ?’

 

‘ଖୁଡ଼ୀ ସିନା ଆଦର କରେ, କକା ତ ମତେ ସବୁବେଳେ ଚିଡ଼ାଏ ।’

 

‘କ’ଣ ଚିଡ଼ାଏ କହିଲୁ !’

 

‘ଚିଡ଼ାଏ ତ ପୁଣି କହିବି କ’ଣ ?’

 

‘ମଲା, ଚିଡ଼ାଏ ସିନା, କ’ଣ ସେ କହିକରି ଚିଡ଼ାଏ କହୁନୁ ।’

 

‘କହେ–ତୋ ପାଇଁ ମୂଷା ଧରିକରି ରଖିଛି । ନେ, ଭାଜିକରି ଖାଇବୁ ।’

 

‘ତୁ ସେମିତି ତାକୁ କହୁନାହୁଁ, ଆଗ ତମେ ଭାଜିକରି ଖା, ତା’ପରେ ମୁଁ ଖାଇବି ।’

 

‘ମା’ ତ ପୁଣି ମନା କରିଛି, କହିଛି–କକା ଘରକୁ କେବେ ଯିବୁ ନାହିଁ ।’ ‘କହିଲୁ, ତୁ ମା ଝିଅ ନା ବାପା ଝିଅ ?

 

‘ମୁଁ ମା ଝିଅ ।

 

‘ଯା, ତା ହେଲେ ମୋ କୋଳରୁ ଯା । ତୁ ତ ମା ଝିଅ, ଆଜିଠୁ ତତେ ମୁଁ ସାଙ୍ଗରେ ଖୁଆଇବି ନାହିଁ ।

 

ଘରେ ତ ଥାଳି ବୋଲି ଖଣ୍ଡେ । ସେଥିରେ ରୂପା ବାପା ସାଙ୍ଗରେ ଖାଉଥିଲା । ସେ ଗୌରବ ଛାଡ଼ିବା ପାଇଁ ସେ ରାଜି ନୁହେଁ । ତେଣୁ ଚଟ କରି ବାପା କୋଳରୁ ଦେଇଁପଡ଼ି କହିଲା, ନାହିଁ ବାପା, ମୁଁ ତମ ଝିଅ ।

 

‘ମୋ ଝିଅ ଯଦି, ମୋ କଥା ମାନିବୁ କି ନାହିଁ କହ ?

 

‘ହଁ ମାନିବି ।

 

‘ଯା ତା ହେଲେ କକା ଦିହିଁକି ଧରି କରି ନେଇ ଆସିବୁ ।

 

‘ମା ପୁଣି ଯଦି ରାଗ ହେବ ?

 

‘ମା କୁ କିଏ କହିବ ଯେ ମା ରାଗ ହେବ ?

 

ଏତିକିରେ ରୂପା ଡେଇଁ ଡେଇଁ ଚାଲିଗଲା । ହିଂସାର ମାୟାଜାଲରେ ସିନା ବଡ଼ମାନେ ପଡ଼ନ୍ତି, ଛୋଟଙ୍କର ସେଥିରେ କଣ ଅଛି ? କେଉଟ ଜାଲକୁ ବଡ଼ମାଛ ସିନା ଡରନ୍ତି, ଛୋଟମାନଙ୍କ ପାଇଁ ତ ସେ ଖେଳ ଘର; କେତେବେଳେ ଜାଲରେ ପଡ଼ିଗଲେ ବି ପୁଣି ଖସି ବାହାରି ଯାଆନ୍ତି । ଭାଇଙ୍କ ସାଙ୍ଗରେ ସିନା ହୋରୀ ର କଥାବାର୍ତ୍ତା ନାହିଁ, ସେଥିରେ ରୂପାର ଯାଏ ଆସେ କେତେ ? ସେ ତ ବରାବର କକାମାନଙ୍କ ଘରକୁ ଯାଏ । ପିଲାଙ୍କ ପାଖରେ ପୁଣି ପର ଆପଣା କଣ ?

 

ରୂପା ଠିକ୍ ଦୁଆରବନ୍ଦ ନ ଡେଉଁଣୁ ଧନିୟା ଦୋକାନରୁ ଆସି ହାଜର । ରୂପାକୁ ଦେଖିଲା ମାତ୍ରେ କହିଲା, ସଞ୍ଜବେଳେ କୁଆଡ଼େ ଯାଉଛୁ ? ଚାଲ ଘରକୁ ଚାଲ । ଆମକୁ କାହାକୁ ଡାକିଯିବା ଦରକାର ନାହିଁ ।

 

ରୂପା ହାତକୁ ଧରି ଧନିୟା ଘର ଭିତରକୁ ଘୋଷାରି ନେଇ ହୋରୀକୁ କହିଲା ମୁଁ ତମକୁ ହଜାର ବାର କହିଲିଣି, ମୋ ଛୁଆଙ୍କୁ କାହା ଦୁଆରକୁ ପଠାଇବ ନାହିଁ । ମୋ ଛୁଆଙ୍କୁ କିଏ କଣ କରିଦେବ ବୋଲେ ତମକୁ ନେଇ କ’ଣ ମୁଁ ଚାଟିବି ? ଭାଇଙ୍କ ପାଇଁ ଏମିତି ଯଦି ସୁଆଗ ବଳି ପଡ଼ୁଛି, ନିଜେ ଚାଲିଯାଉନ, ମୋ ଛୁଆଙ୍କୁ ପଠାଉଛ କିଆଁ ? ଏତେ କଥା ହେଲାଣି ତେବେକେ ମନ ମାନି ନାହିଁ ?

 

ହୋରୀ ସେତେବେଳକୁ କୁଣ୍ଡ ବସାଉଥିଲ । ହାତ ଯାକ ମାଟି ସାଲୁବାଲୁ । ସତେ କିଛି ନ ଜାଣିଲା ପରି କହିଲା ଆରେ ବାବୁ ! କିଆଁ ସେମିତି ପାଟି କରୁଛୁ ? ଅନ୍ଧୁଣି ବୁଢ଼ୀ ପବନକୁ ଅନେଇ ଭୁକିଲା ପରି ମିଛରେ ପାଟି କରି ଲାଭ କଣ ?

 

ଡିବି ଲଗାଇବା ପାଇଁ ଧନିୟା ତର ତର ହେଉଥିବାରୁ ଆଉ କିଛି ନ କହି ତୁନି ହେଲା । ରୂପା ଡେଇଁ ଡେଇଁ ପିଲାଙ୍କ ମେଳକୁ ପଳାଇଗଲା ।

 

ହୋରୀ କୁଣ୍ଡ ବସାଉ ବସାଉ ରାତି ପହଡ଼େ । କୁଣ୍ଡରେ ପାଣି ଆଉ ପିଡ଼ିଆ ଢାଳି ଦେଇ ଦେଖିଲା ଗାଈ ମୋଟେ ଛୁଇଁବାକୁ ନାହିଁ, ସତେ ଯେମିତି ବାପଘର ଛାଡ଼ି କେଉଁଠୁ ନୂଆ ବୋହୂଟାଏ ଆସିଛି । ଖାଇ ସାରିବା ପରେ ହୋରୀ ଆଉ ଗୋବରା ଖଣ୍ଡେ ଖଣ୍ଡେ ରୁଟି ଆଣି ତା ମୁହଁରେ ଦେଲେ, ତାକୁ ବି ସେ ଛୁଇଁଲା ନାହିଁ । ପ୍ରକୃତରେ କି ଗୋରୁଗାଈ, କି ମଣିଷ, ଜାଗା ଛାଡ଼ି ଆସିଲେ ସମସ୍ତଙ୍କ ମନରେ କଷ୍ଟ ।

 

ହୋରୀ ବାହାର ଖଟରେ ବସି ହୁକା ଟାଣୁଛି, ପୁଣି ଭାଇମାନଙ୍କ କଥା ମନେ ପଡ଼ିଲା । ଭାବିଲା, ନାହିଁ ଆଜି ଏ ସୁଯୋଗ ଛାଡ଼ିବାକୁ ହେବ ନାହିଁ । ସେମାନଙ୍କୁ ଡାକିବାକୁ ହେବ । ଭାଇ ତ ଖାଲି ଅଲଗା ହୋଇ ଯାଇଛନ୍ତି, କିଛି ଶତ୍ରୁ ହୋଇଯାଇ ନାହାନ୍ତି । ତିନି ବର୍ଷ ଆଗରୁ ଯଦି ଏଇ ଗାଈ କିଣା ହୋଇଥାନ୍ତା, ତେବେ ତ ତିନି ଜଣଙ୍କର ହୋଇଥାନ୍ତା ! ଆଜି ତିନିଙ୍କର ନ ହେଲେ ବି ସତେ କଣ ଦୁଧ ଦହି ହେଲେ ସେ ତାଙ୍କୁ ଦେବନାହିଁ । ନଦେଲେ ତ ଅନ୍ୟାୟ ହେବ ନିଶ୍ଚୟ । ଭାଇମାନେ ଏବେ ତାର ମନ୍ଦ ଚିନ୍ତା କରିବେ ୟା ବୋଲି କଣ ସେ ବି ତାଙ୍କର ମନ୍ଦ ଚିନ୍ତା କରିବ ? ଭଗବାନ ବଡ଼ଲୋକ । ଯିଏ ଯାହା କରିବ ତା ଫଳ ସେ ପାଇବ । ଏହି ନୂଆ ସମ୍ପଦ ପାଇ ପ୍ରକୃତରେ ହୋରୀର ହୃଦୟ ଆଜି ନୂଆ ପାଲଟି ଯାଇଥିଲା ।

 

ହୋରୀ ଆଉ ସମ୍ଭାଳି ପାରିଲା ନାହିଁ । ଖଟ ଗୋଡ଼ ପାଖରେ ହୁକା ଥୋଇଦେଇ ହୀରା ଘର ଆଡ଼କୁ ଚାହିଁଲା । ହୀରା ଘରକୁ ଲାଗି ଶୋଭା ଘର । ଦିହଁଯାକ ଆପଣା ଆପଣା ଦୁଆରେ ଗଡ଼ପଡ଼ ହୋଇ ହୋରୀ ବିଷୟରେ କଣ କଥାବାର୍ତ୍ତା ହେଉଥିଲେ । ହୋରୀ ଟିକିଏ କାନ ଡେରି ଠିଆହେଲା । ଦୁନିଆରେ ଏମିତି କିଏ ଅଛି ଯେ ନିଜ କଥା ଶୁଣିଲେ ଟିକିଏ ନ କାନେଇ ଚାଲିଯିବ-? ତାକୁ ଶୁଭିଲା, ହୀରା କହୁଛି ଏକାଠି ଥିଲାବେଳେ ତ ଛେଳିଟାଏ କିଣିବାର ବଳ ନଥିଲା, ଏବେ ତ ପଛିମା ଗାଈ କିଣା ହେଉଛି । ଭାଇ ଭାଗରୁ ପଇସା ମାରିନେଇ ସଂସାରେ କିଏ କେଉଁଠି ଭଲ ହେଲାଣି ?’

 

ହୀରା କଥା ଶୁଣି ଶୋଭା କହିଲା,–ହୀରା ! ତୁ ବଡ଼ ଅନ୍ୟାୟ କଥା କହୁଛୁ । ଭାଇ ତ ଆମକୁ ଅଧଲା ପାହୁଲା କରି ଭାଗ ବୁଝେଇ ଦେଇଛି, ଆଉ ମାରିନେଲା କୁଆଡ଼ୁ ? ଭାଇ ଏକାଠି ଥିଲାବେଳେ ପଇସା ଲୁଚେଇ ରଖିଛି, ସେ କଥା ମୁଁ କେବେ ବିଶ୍ୱାସ କରିବି ନାହିଁ ।

 

‘ହଁ, ତମ ମନ ହେଲେ ବିଶ୍ୱାସ କର ନହେଲେ ନାହିଁ, କିନ୍ତୁ ଇଏ ପ୍ରକୃତରେ ହେଉଛି ଆଗକାର ପଇସା ।’

 

‘ସତକଥା ନ ଜାଣି ପ୍ରକୃତରେ କାହାକୁ ଦୋଷଦେବା ଠିକ୍ ନୁହେଁ ।’

 

‘ତମେ ତା ହେଲେ କହୁନ ଟଙ୍କା କେଉଁଠୁ ଆସିଲା ? କ’ଣ ଟଙ୍କା କେଉଁଠୁ ଆକାଶରୁ ଗଳି ପଡ଼ିଲା ? ଆମର ଯେତିକି ଜମି, ଯେତିକି ଆମଦାନି ତାଙ୍କର ତ ସେତିକି ଆମଦାନି, ଆମକୁ ତ ଏପାଖ ବୋଲେ ସେପାଖ ଅଣ୍ଟୁ ନାହିଁ । ତାଙ୍କର ପୁଣି ଗାଈ କିଣା ହେଉଛି କେମିତି ?’

 

‘ମଲା, ଆମେ କେମିତି ଜାଣିଲେ ? ସେ ଏବେ ନ କିଣିଥିବ, ଉଧାର ଆଣିଥିବ ।’

 

‘ହଁ, ଭୋଳା ଭାରି ଉଧାର ଦେବା ଲୋକ ନା !’

 

‘କିନ୍ତୁ ସେ କଥା ଯାହାହେଉ ପଛେ, ଗାଈଟା ଭାରି ବଢ଼ିଆ । ଗୋବରା ନେଇକରି ଆସୁଥିଲା ମୁଁ ଦେଖିଛି ।’

 

ଆଉ ତେଣିକି ଶୁଣିବା ପାଇଁ ହୋରୀର ଧୈର୍ଯ୍ୟ ରହିଲା ନାହିଁ । ସବୁକଥା ସେ ପଛରେ ପକାଇଦେଇ ଭାଇମାନଙ୍କ ପାଖକୁ ଆଗେଇ ଯାଇଥିଲା । କିନ୍ତୁ ଏକଥା ଶୁଣି ମନ ତାର ଏକା ଥରକେ ଭାଙ୍ଗି ପଡ଼ିଲା । ମନ ହେଲା, ସେଇଠି ସେ ଜବାବ ଦିଅନ୍ତା । କିନ୍ତୁ ‘କଥା ମାଜିଲେ ମୋଟ,’ ଏହି ଭୟରେ ସେ ଚୁପ୍ ରହିଲା । ପ୍ରକୃତରେ ଯଦି ସେ ଧରମ ବାଟରେ ଥିବ, ତେବେ କେହି ତାର କିଛି କରିପାରିବେ ନାହିଁ । ଯେତେଦିନ ଯାଏ ସେ ଭଗବାନଙ୍କ ପାଖରେ ନିର୍ଦ୍ଦୋଷ ରହିଛି, ଅନ୍ୟ କାହାକୁ ଡରିବ କାହିଁକି ? ଯେମିତି ଯାଇଥିଲା, ସେମିତି ଫେରି ଆସିଲା । ଖଟ ଉପରେ ବସିପଡ଼ି ହୁକା ଖାଇବାକୁ ଆରମ୍ଭ କଲା । ତାକୁ ଲାଗିଲା, ସତେ ଯେମିତି ସେହି କଥାର ବିଷ ତା’ ଶିରା ପ୍ରଶିରାରେ ଖେଳି ଯାଉଛି । ବିଚାରା ଶୋଇବାପାଇଁ ଯେତେ ଚେଷ୍ଟା କଲା ନିଦ ହେଲା ନାହିଁ । ବଳଦଙ୍କ ପାଖକୁ ଯାଇ ତାଙ୍କୁ ଆଉଁଷା ପାଉଁଷା କଲା, ସେଥିରେ ବି କିଛି ହେଲା ନାହିଁ । ପୁଣି ଆସି ହୁକା ପିଇଲା, ଯେଉଁ କଥାକୁ ସେଇକଥା । ବିଷ ଯେମିତି ତା’ ମନକୁ ଘାରି ପକାଉଥିଲା; ନିଶାରେ ତେମିତି ତା ଚେତା ହଜି ଯାଉଥିଲା । ସବୁ ପାଣି ଧାର ଏକା ଆଡ଼କୁ ବୋହିଗଲେ ଯେମିତି ସୁଅ ପ୍ରବଳ ହୋଇଯାଏ, ସବୁ ଚିନ୍ତା ତା’ର ଏକାଠି ହୋଇ ସେମିତି ପ୍ରବଳ ହୋଇଉଠିଲା । ଏହିପରି ଏକ ଉନ୍ମାଦ ଅବସ୍ଥାରେ ହୋରୀ ଯେତେବେଳେ ଖଞ୍ଜା ଭିତରକୁ ପଶେ, ଦେଖିଲା ଦୁଆର ମେଲା ହୋଇଛି । ଧନିୟା ଖଣ୍ଡେ ପଟିଆରେ ଗଡ଼ପଡ଼ ହେଉଛି, ଆଉ ସୁନା ଟିକିଏ ଦେହହାତ ତାର ଚିପି ଦେଉଛି । ରୂପା ସବୁଦିନ ସଞ୍ଜୁ ଶୁଏ । କିନ୍ତୁ ଆଜି ତା ଆଖିକୁ ନିଦ ନାହିଁ । ବସିକରି ଗାଈକୁ ସେ ଆଉଁଷିବାରେ ଲାଗିଛି । ହୋରୀ ଦୁଆରକୁ ଯାଇ ଚଟକରି ଗାଈକୁ ଖୁଣ୍ଟରୁ ଫିଟାଇ ଆଣି ଦାଣ୍ଡକୁ ବାହାରି ଆସିଲା । ତାର ଇଚ୍ଛା ସେ ଗାଈକୁ ଆଉ ରଖିବ ନାହିଁ, ଭୋଳାକୁ ନେଇ ଫେରାଇଦେଇ ଆସିବ । ଅକାରଣ କଳଙ୍କପସରା ମୁଣ୍ଡରେ ଧରି ବୁଲିବାରେ କିଛି ଲାଭ ନାହିଁ । ଯାହାହେଲେ ବି ସେ ଆଉ ଗାଈ ରଖିବ ନାହିଁ । ସେ ଠିକ୍ ବାହାରି ଆସୁଛି, ଧନିୟା ପଚାରିଲା,–ଏତେ ରାତିରେ ଗାଈଟାକୁ ନେଇ କୁଆଡ଼େ ଯାଉଛ ?

 

‘ନେଇ ଯାଉଛି ଭୋଳାକୁ ଫେରାଇଦେଇ ଆସିବି ।’

 

କଥା ଶୁଣି ଧନିୟାକୁ ବଡ଼ ବିଚିତ୍ର ଲାଗିଲା । ଚଟକରି ଉଠିପଡ଼ି ଆଗକୁ ଚାଲିଆସି କହିଲା,–ଫେରେଇ ଦବ କିଆଁ, ଫେରେଇ ଦେବାକୁ କ’ଣ ଆଣିଥିଲ ?

 

‘ନାହିଁ ଆଉ ହବ ନାହିଁ, ୟାକୁ ଫେରେଇ ଦେଲେ ଯାଇ ମଙ୍ଗଳ ।’

 

‘ମଲା, କଥା କ’ଣ କହୁନ, ଫେରେଇ ଦବ କିଆଁ ? ଭୋଳା କ’ଣ ଟଙ୍କା ପଇସା ମାଗିଲେ କି ?’

 

‘ନାହିଁ ମ, ଭୋଳା କାହିଁ ଏଠିକି ଆସିଛି ?’

 

‘ଆଉ ତେବେ କ’ଣ ହେଲା କହୁନ !’

 

‘ଜାଣିଲେ ସେଠୁ ତୁ କ’ଣ କରିବୁ ?’

 

ହୋରୀ ପାଟିରୁ କଥା ନ ସରୁଣୁ ଧନିୟା ପଘାଟା ଚଟ୍ କରି ତା ହାତରୁ ଛଡ଼େଇ ନେଲା-। ସତେ ଯେମିତି ତାକୁ ସବୁକଥା ଦିଶିଗଲା, କହିଲା—ମଲା ମଲା, ଭାଇଙ୍କ କଥାକୁ ଯଦି ଏତେ ଡର, ଯାଇକରି ତାଙ୍କ ଗୋଡ଼ ତଳେ ପଡ଼ୁନ । ମୋ ବଡ଼ତି ଦେଖିକରି ଯଦି କା’ ଛାତି ଫାଟିଯାଉଛି, ଫାଟିଯାଉ ମୋର କ’ଣ ଯାଉଛି ?

 

ହୋରୀ ନେହୁରା ହୋଇ କହିଲା,–ଏ ବାବୁ ! ଟିକିଏ ତୁନୀ ତୁନୀ ହେଲେ କଥାବାର୍ତ୍ତା କର । ଯିଏ ଗୋଟାଏ ଶୁଣିବ କହିବ, ରାତି ଅଧଯାଏ ୟାଙ୍କ ଘରେ ପାଲା ଲାଗିଛି । ତୁ କ’ଣ ଜାଣିବୁ ? ଏଇଠି ଲୋକେ କଥାବାର୍ତ୍ତା ହେଉଛନ୍ତି, ଭିନ୍ନେ ହେଲାବେଳେ ଭାଇଙ୍କଠାରୁ ଯେଉଁ ପଇସା ଲୁଚାଇ ରଖିଥିଲା, ସେଇ ପଇସାରେ ଏବେ ଗାଈ କିଣୁଛି ।

 

‘ହୀରା କହିଥିଲେ ତ କହିଥିବ, ଆଉ ପୁଣି ଏଇଠି ଲୋକ କିଏ ?’

 

‘ଗାଁ ଯାକ ତ କହୁଛନ୍ତି; ହୀରା ନାଁ କିଆଁ ମିଛରେ ଧରୁଛୁ ?’

 

ଗାଁ ଯାକ କେହି କହୁନାହାନ୍ତି ଯେ, ଏକା ସେହି ହୀରା କହୁଛି । ଏଇନେ ଯାଉଛି ପଚାରିବି, ବାପ ମଲାବେଳେ କେତେ ଟଙ୍କା ରଖିଦେଇ ଯାଇଥିଲା । ଅରକ୍ଷିତଗୁଡ଼ାଙ୍କ ପଛରେ ଲାଗି ଲାଗି ସୁନା ଦିହ ଚୁନା କରିଦେଲି । ପାଳିପୋଷି ଯେଉଁଠୁ ଭେଣ୍ଡିଆ କରିଦେଲି, ଏବେ ମୁଁ ହେଲି ଅବିଶ୍ଵାସୀ ! ଖବରଦାର ମୁଁ କହୁଛି, ଗାଈ ଯଦି ପଦାକୁ ଗଲା ମୁଁ ଘରେ ନିଆଁ ନଗେଇ ଦେବି-। ବେଶ୍ କଲି, ଖୁବ୍ କଲି, ଟଙ୍କା ପଇସା ନୁଚେଇଲି, ଧାନ ଚାଉଳ ଖପତ କଲି । କଣ ଲୁଚେଇ ଚୋରେଇ କହୁଛି, ମୁଁ ତ ବାଜା ବଜେଇ କହୁଛି, ଜାଣନ୍ତୁ ସଂସାର ଯାକ ମୁଁ ହଣ୍ଡାଏ ସୁନାମୋହର ପୋତିକରି ରଖିଛି । ହୀରା କହିଲେ କେତେ, ଶୋଭା କହିଲେ କେତେ; ସଂସାରଯାକ କହିଲେ କେତେ ? ଯା ମନ ଯାହା ପାଉଛି କହନ୍ତୁ । ଦି’ ଦି’ଟା ଭେଣ୍ଡାଙ୍କୁ କଣ ବାହା କରେଇ ନାହିଁ, ପୁଆଣି କରେଇ ନାହିଁ, ସେ ପଇସା ପୁଣି ଆଇଲା କେଉଁଠୁ ?

 

ଧନିୟା ପାଟି ଶୁଣି ହୋରୀ ଡରିଗଲା । ପଘା ଛଡ଼େଇ ନେଇ ଧନିୟା ଗାଈକୁ ନେଇ ଦୁଆର ଖୁଣ୍ଟରେ ବାନ୍ଧିଦେଲା; ଆଉ ଚଟକରି ଦାଣ୍ଡପଟକୁ ବାହାରି ଆସିଲା । ହୋରୀ ତାକୁ ଧରି ପକାଇବା ପାଇଁ ବିଚାର କରୁ କରୁ ସେ ବାହାରି ଆସି ଦାଣ୍ଡପିଣ୍ଡାରେ ଲଥକରି ବସି ପଡ଼ିଲା । ହୋରୀ ଆଉ ପାଟି ଫିଟାଇବାକୁ ସାହାସ କଲା ନାହିଁ । ସେ ଜାଣେ ଧନିୟାର କେମିତି ରାଗ । ରାଗିବ ଯଦି ଚଣ୍ଡୀ ପାଲଟିଯିବ, ତାକୁ ହାଣିପକା ମାରିପକା ଯାହା କର, ସେ ଶୁଣିବ ନାହିଁ । ହୀରା ବି ତ କମ୍ ରାଗୀ ନୁହେଁ । ସେ ଯଦି ଯୋଗକୁ ଧନିୟାଠାରେ ହାତ ଲଗାଇଦେଲା, ତେବେ ପୃଥ୍ଵୀ ପ୍ରଳୟ ହୋଇଯିବ ।

 

ହୋରୀ ମନେ ମନେ ନିଜକୁ ବହୁତ ଧିକକାରିଲା, କାହିଁକି ସେ ଧନିୟାକୁ ଏକଥା କହନ୍ତା, କିଆଁ ଏତେ କଥା ହୁଅନ୍ତା ? ସେ ଠିକ୍ ଏମିତି ଭାବୁଛି ହଠାତ୍ ଧନିୟାର ପାଟି ଶୁଭିଲା, ତେଣେ ହୀରାର ଗରଜନ ବି ଶୁଭିଲା । ପୁନୀର ପାଟି ସତେ ଯେମିତି ତା କାନ ଫଟେଇ ଦେଲା । ଦାଣ୍ଡପଟକୁ ଦୌଡ଼ିଯାଇ ହୋରୀ ଖଟଫଟ ସବୁ ଦରାଣ୍ଡି ପକାଇଲା, କାଳେ ଗୋବରା ଉଠିକରି ଚାଲି ଯାଉଥିବ । ନୂଆ ଭେଣ୍ଡିଆ ନୂଆ ରକତ, କଣ ପୁଣି କରି ବସିବ ବୋଲେ କଥା ସରିଯିବ । ହୋରୀ ଭାବିଲା ସେ ଲଢ଼େଇ ଜାଗାକୁ ଯିବ କେମିତି ? ଗଲେ ପୁଣି ହୀରା କହିବ–‘ନିଜେ ତ ପାଟି ଫିଟାଇବ ନାହିଁ, ଲଢ଼େଇ କରିବାକୁ ମାଇପକୁ ପଠାଇ ଦେଇଛି ।’ ବେଳକୁ ବେଳ ପାଟି କମ୍ପିଲା, ଲୋକ ସବୁ ଆସି ରୁଣ୍ଡ ହେଲେ । ଜଣା ପଡ଼ୁଥିଲା, ସତେ ଯେମିତି ଗାଁରେ କେଉଁଠି ନିଆଁ ଲାଗିଛି ।

 

ହୋରୀ ବେଶି ବେଳଯାଏ ସମ୍ଭାଳି ପାରିଲା ନାହିଁ । ଧନିୟା ଉପରେ ତାର ଭାରି ରାଗ ହେଲା । ମାଇପି ଲୋକଟାଏ, ସେ କାହିଁକି ଯାଇ ଉପରେ ପଡ଼ି କଳି କରିବ ? ନିଜ ଘର ଭିତରେ ବସି ଲୋକେ ହଜାର କଥା କହିବେ, ତାଙ୍କୁ ସେଥିରେ କିଏ କଣ କରିବ ? କାହା ମୁହଁରୁ ଶୁଣିଲେ ସିନା କାହାକୁ କିଛି କହିବ । ହୋରୀ ବିଚରା ସରଳିଆ ଲୋକ, ଗଣ୍ଡଗୋଳରେ ତାର ଇଚ୍ଛା ନଥାଏ-। ତାର ଇଚ୍ଛା ଆପଣା ଭିତରେ କଳି କରିବା ଅପେକ୍ଷା ଚାରିକଥା ଶୁଣି ଚୁପ୍ ହୋଇଯିବା ବରଂ ଭଲ-। ନହିଲେ ଯଦି ମାରପିଟ୍ ହୋଇଯାଏ ତେବେ ପୁଲିସ ଆସୁଥିବ, ବାନ୍ଧି ନେଉଥିବ, କଚେରୀକୁ ଦଉଡ଼ି ଦଉଡ଼ି ଗୋଡ଼ ନାଲି ପଡ଼ି ଯାଇଥିବ । ତାର ସିନା ହୀରା ଉପରେ ବଳ ନାହିଁ, ଧନିୟା ଉପରେ ତ ଅଛି । ଚାହିଲେ ସେ ତାକୁ ଘୋଷାରି ନେଇ ଆସିବ । ଖୁବ୍ ହେଲେ ଗାଳିଦେବ, ଦିନେ ଦି ଦିନ ରୁଷିକରି ବସିବ । ପୁଲିସ ହାତରୁ ତ ଅନ୍ତତଃ ରକ୍ଷା ମିଳିଯିବ । ହୋରୀ ଆଉ ସମ୍ଭାଳି ପାରିଲା ନାହିଁ । ଯାଇ ହୀରା ଘର ପାଖରେ ଛପି କରି ଠିଆ ହୋଇ ରହିଲା, ଯୁଦ୍ଧବେଳେ ସେନାପତି ଯେମିତି ଛପି ରହନ୍ତି । ଜିତାପଟ ହୋଇଥିଲେ ତ ଭଲ, ନହିଲେ ହାରିବା କଥା ହେଲେ ଯୁଦ୍ଧ ପଡ଼ିଆକୁ ଡେଇଁ ପଡ଼ିବା କଥା । ଦେଖୁ ଦେଖୁ ଗାଁ ଯାକ ଆସି ଜମିଗଲେ, ଦାତାଦୀନ, ପଟେଶ୍ୱରୀ ଆଉ ଯିଏ ଯେମିତି ମୁଖିଆ ଲୋକସବୁ ଥିଲେ ସମସ୍ତେ ଆସି ଜମା ହୋଇଗଲେ-। ସେତେବେଳକୁ ଧନିୟାର ହାରିବା ପାଳି ପଡ଼ିଥିଲା, ତା ବେଜିତ୍ ଶୁଣି ସମସ୍ତେ ତା ଉପରେ ବିଗିଡ଼ି ଯାଇଥିଲେ । ପାଟିକଲେ ତ ଖାଲି ଲଢ଼େଇରେ ଜିତାପଟ ହୁଏ ନାହିଁ ବରଂ ହାରିବା କଥା ହୁଏ-। ଧନିୟା ମାଇପି ଲୋକ ସେକଥା ଜାଣିବ କୁଆଡ଼ୁ ?

 

ଖୁବ୍ ଗରଜନ କରି ଧନିୟା କହିଲା,–ତୁ ଆମକୁ ଦେଖି ଏମିତି ଜଳି ମରୁଛୁ କିଆଁ ? ତୋ ଛାତି ଫାଟି ଯାଉଛି କିଆଁ ? ପାଳିପୋଷି କରି ଭେଣ୍ଡିଆ କଲି ବୋଲି କଣ ଏୟା ଫଳ ? ହଇରେ, ମୁଁ ନ ଅନେଇଥିଲେ କେଉଁଠି ଆଜି ଭିକ ମାଗୁଥାନ୍ତୁ ପରା ! ଗଛ ଛାଇ ବି ତତେ ମିଳି ନଥାନ୍ତା ।

 

ଏକଥାଗୁଡ଼ା ଶୁଣି ହୋରୀକୁ ଭାରି ଖରାପ ଲାଗିଲା । ଭାଇଙ୍କି ପୋଷିଲା ଯେ କଣ ହୋଇଗଲା ? ଭାଇଙ୍କ ଭାଗ ତ ପୁଣି ତା ହାତରେ ଥିଲା । ସେତେବେଳେ ନ ପୋଷିଥିଲେ ଆଜି ଦୁନିଆ ଲୋକେ କଣ କହୁଥାନ୍ତେ !

 

ହୀରା ଜବାବ ଦେଲା,–ମୁଁ କାହାରି ପାଳିବା ପୋଷିବା କଥା ଜାଣେ ନାହିଁ । ଆମେ ତ ଦିନରାତି ଖଟି ଖଟି ମରୁଥିଲୁ, ତୁ କୁକୁରଙ୍କୁ ପକାଇଦେଲା ପରି ଆମକୁ କେତେବେଳେ କେମିତି ଭାତ ମୁଠେ ପକାଇ ଦେଉଥିଲୁ ଯେ, ସେହି କଥାଗୁଡ଼ା ଆଜି ଖୋଳି ହେଉଛୁ । ତୋ ପାଖରେ ରହି ମଣିଷ ଭଲ ମନ୍ଦ କଣ ଜାଣିଲା ନାହିଁ । ଖାଲି ଗୋବର ଗୋଟେଇ ଗୋଟେଇ ଜୀବନ ବିତିଗଲା । ଦଶଥର ଗାଳି ନ ଶୁଣିଲେ ମୁଠେ ଖାଇବାକୁ ମିଳୁ ନଥିଲା । ତୋରି ପରି ରାକ୍ଷସୁଣୀ ହାତରେ ପଡ଼ି ମୋ ଜୀବନ ମାଟି ହୋଇଗଲା ।

 

ଧନିୟା ତ ନିଆଁ ହୋଇଗଲା । କହିଲା–ଜିଭ ସମ୍ଭାଳି କଥା କହ, ନହିଲେ ତୋ ଜିଭ ଉପାଡ଼ିଦେବି । ମୁଁ କାହିଁକି ହେବି, ତୋ’ରି ମାଇପ ରାକ୍ଷସୁଣୀ ହୋଇଥିବ । ତୁ ମତେ କ’ଣ ପାଇଛୁ କିରେ, ଅଇଁଠାଖିଆ ନିମକହାରାମ !

 

ଦାତାଦୀନ ବାଦ କରି କହିଲା,–ତମେ ଏମିତିଗୁଡ଼େ ଗାଳି ଦେଉଛ କିଆଁ ? ମାଇପି ଲୋକ ସିନା ଚୁପ୍ ରହନ୍ତି । ସେ ତ ଗୋଟେ ବଦମାସ, ତା ସାଙ୍ଗକୁ ତମେ ପୁଣି ସେମିତି ହେଉଛ ।

 

ଦାତାଦୀନ କଥାକୁ ପାଳିଧରି ଲାଲା ପଟେଶ୍ୱରୀ କହିଲା–କଥାକୁ କଥା ଲୋକେ ଉତ୍ତର ଦିଅନ୍ତି ନା ଗାଳି ଦିଅନ୍ତି ? ତମେ ତାକୁ ପାଳିଥିଲ ଯେ, କ’ଣ ମାହୁଳିଆ ପାଳିଥିଲ ? ତା ଭାଗ ସମ୍ପତ୍ତି ତ ପୁଣି ଖାଉଥିଲ ? ସେ କଥା ଭୁଲିଯାଉଛ କିଆଁ ?

 

ସମସ୍ତେ ମିଶିକରି ତାକୁ ଦୋଷୀ କରିବାକୁ ବାହାରିଛନ୍ତି ଭାବି, ଧନିୟା ଆହୁରି ଜୋରରେ ଲଢ଼ିବା ପାଇଁ ତିଆର ହୋଇଗଲା । କହିଲା,–ହଁ, ହଁ, ସେତିକି ଥାଉ; ଆଉ ଗୁଡ଼େ ବେଶି କହ ନାହିଁ । ଏଇ ଗାଁରେ ପରା ମୁଁ ୨୦ ବର୍ଷ ରହିଲିଣି । ମୁଁ ସମସ୍ତଙ୍କୁ ଖୁବ୍ ଭଲକରି ଚିହ୍ନିଛି । ମୁଁ ସିନା ଗାଳି ଦେଉଛି, ସେ କ’ଣ ଆଉ ଫୁଲ ବର୍ଷା କରୁଛି ?

 

ଦୁଲାରୀ ସାହୁଆଣୀ କେଉଁଆଡ଼େ ଥିଲା ଏତିକି ବେଳକୁ ଆସି ନିଆଁରେ ଘିଅ ଢାଳିଦେଇ କହିଲା,–ସତରେ, ଇଏ ବଡ଼ କଳିହୁଡ଼ି ମାଇପିଟାଏ । ଅଣ୍ଡିରାଟା ସାଙ୍ଗେ ଦେଖୁଛ, ମୁହଁକୁ ମୁହଁ ଦେଇ ଲଢ଼ାଇ କରୁଛି । ହୋରୀ ଭଲ ଲୋକ ବୋଲି ୟା ସଙ୍ଗେ ଚଳି ଯାଉଛି; ନହିଲେ ଆଉ କିଏ ହୋଇଥିଲେ ଦିନେ ବି ଚଳିପାରନ୍ତା ନାହିଁ ।

 

ହୀରା ଯଦି ଏତିକିବେଳେ ଟିକିଏ ଚପି ଯାଇଥାନ୍ତା, ତେବେ ତାର ଜିତାପଟ ହୋଇଥାନ୍ତା ନିଶ୍ଚୟ । କିନ୍ତୁ ସବୁଲୋକଙ୍କ ବଳ ପାଇ ସେ ଆଉ ଟିକିଏ ଚମକି ଉଠି କହିଲା–ଯା, ମୋ ଦୁଆରୁ ବାହାର, ନହିଲେ ଯୋତା ଦେଇ ବାହାର କରିଦେବି । ଚୁଟିଧରି ଘୋଷାରିଦେବି ଯେ, ଗାଳିଦେଉଛି ରାକ୍ଷସୁଣୀ । ପୁଅ ଲାଗି ଏତେ ବଢ଼େଇ । ରକତ......

 

ହୀରାକଥା ଶୁଣି ହୋରୀର ରକତ ତାତିଗଲା, ସତେ ଯେମିତି ବାରୁଦରେ ନିଆଁ ଲାଗିଗଲା । ସେ ଆଗକୁ ବାହାରିପଡ଼ି କହିଲା–ଆଚ୍ଛା ଯେତିକି ହେଲା ସେତିକି ଥାଉ, ଆଉ ଶୁଣେଇବା ଦରକାର ନାହିଁ । ସେ ମାଇକିନିଆଁଟାକୁ ବା ମୁଁ କ’ଣ କହିବି ? ସବୁବେଳେ ମଣିଷକୁ ବଦନାମୀ କଲା, କେବେହେଲେ ଚୁପ୍ ରହିଲା ନାହିଁ ।

 

କଥା ଏବେ ବଦଳିଗଲା; ହୀରା ଉପରେ ଚରିଆଡ଼ୁ ଗାଳି ବରଷା ହେଲା । ଦାତାଦୀନ କହିଲା ‘ନିଲଜା’, ପଟେଶ୍ୱରୀ କହିଲା ‘ଗୁଣ୍ଡା’, ଝିଙ୍ଗୁର କହିଲା ‘ସଇତାନ’ । ପଦେ ପଦେ କଥାରେ ଲୋକେ ଯେମିତି ଧନିୟା ଉପରେ ଚିଡ଼ି ଯାଇଥିଲେ, ସେମିତି ପଦେ ପଦେ କଥାରେ ହୀରା ଉପରେ ଚିଡ଼ିଗଲେ । ହୋରୀ ସହିସମ୍ଭାଳି ଯେଉଁ କଥା ଦି’ ପଦ କହିଦେଲା ସେଥିରେ ସବୁ ଲୋକ ହୋରୀ ପଟକୁ ଢଳିଗଲେ । ହୀରା ବି ଜାଣିଶୁଣି ତୁନୀ ହୋଇଗଲା, କାହିଁକି ନା ସବୁଲୋକ ଯେତେବେଳେ ବିପକ୍ଷ ହୋଇଗଲେଣି ପାଟିକରି କିଛି ଲାଭ ନାହିଁ । ଯାହାହେଉ, ଏତେ କଳିକଜିଆ ଭିତରେ ସୌଭାଗ୍ୟକୁ ତାର ଏତିକି ଚେତନା ରହି ଯାଇଥିଲା ।

 

ଲୋକଙ୍କୁ ଆପଣା ପଟିଆ ଦେଖି ଧନିୟାର ଛାତି କୁଣ୍ଢେ । ମୁହଁ ହଲେଇ ହୋରୀକୁ କହିଲା,–ଭାଇଙ୍କ ପାଇଁ ପରା ଧାଇଁ ମାରୁଥିଲ, ଏବେ କାନ ମେଲେଇ ଶୁଣ । ଏମିତିଆ ଭାଇଙ୍କ ମୁହଁ ଚାହାନ୍ତି ଆଗ ? ୟେ ପରା କୁଆଡ଼େ ମୋତେ ଯୋତା ମାରିବ, ଖୁଆଇ ପିଆଇ ଯେଉଁଠୁ......

 

ହୋରୀ ଖୁବ୍ ଗାଳି ଦେଇ କହିଲା,–ଆହୁରି ପୁଣି କିଆଁ ବକବକ୍ କରୁଛୁ ? ଘରକୁ ଯାଉନୁ ?

 

ଧନିୟା ଭୂଇଁରେ ଲଥ୍‍କରି ବସିପଡ଼ି ଛାଉଲେଇ ହୋଇ କହିଲା,–ମୁଁ ତ କେଭେ ଯିବି ନାହିଁ, ତା’ ଠାରୁ ଯୋତାମାଡ଼ ଖାଇଲେ ଯାଇଁ ଯିବି । ଗୋବରା ତ ନାହିଁ, ନହିଲେ ତା ଅଣ୍ଡିରାପଣିଆ ଏଇନେ ଦେଖି ଦିଅନ୍ତି । କେଉଁ କାଳେ ଆଉ ଗୋବରା କାମକୁ ଆସିବ । ହଇରେ ଗୋବାରା ! ତୁ କ’ଣ ଦେଖୁଥିବୁ ତୋ ମା ଏମିତି ଯୋତାମାଡ଼ ଖାଉଥିବ ?

 

ଧନିୟା ଯେତିକି କାନ୍ଦୁଥାଏ ତା ରାଗ ବି ସେତିକି ବଢ଼ୁଥାଏ । ଧନିୟାର କାନ୍ଦ ଦେଖି ହୋରୀ ବି ସେତିକି ଚିଡ଼ୁଥାଏ । ହୀରା ହାରିକରି ପଛକୁ ହଟିଗଲା, ପୁନୀ ତାକୁ ଘର ଆଡ଼କୁ ଟାଣି ନେଉଥିଲା । ଏତେବେଳକୁ ଧନିୟା ହଠାତ୍ ସିଂହ ପରି ଡେଇଁପଡ଼ି ହୀରାକୁ ଏମିତି ଏକ ଧକା ମାରିଲା ଯେ, ସେ ଦୁଲ୍‍ କରି ଗଡ଼ି ପଡ଼ିଲା । କହିଲା,–ଯାଉଛୁ କୁଆଡ଼େ, ଯୋତେ ମାରିବୁ ପରା ମାର, ଦେଖେ ତୋ ଅଣ୍ଡିରାପଣିଆ ।

 

ହୋରୀ ଧାଇଁ ଆସି ଘୋଷାରି ନେଇ ଘରକୁ ଚାଲିଗଲା ।

Image

 

ପଞ୍ଚମ ପରିଚ୍ଛେଦ

 

ଏଣେ ଗୋବରା ଯାଇ ଗଉଡ଼ ସାହିରେ ହାଜର । ସକାଳେ ଝୁନିଆ ସଙ୍ଗେ ତାର ବହୁତ କଥାବାର୍ତ୍ତା ହୋଇଥିଲା । ଗାଈ ନୂଆ ମଣିଷ ଦେଖି କାଳେ ଅମଙ୍ଗ ହେବ ବୋଲି ଝୁନିଆ ତାକୁ ବାଟେଇ ଦେବା ପାଇଁ ଆସିଥିଲା । କିଛି ଦୂର ଆସିଲା ପରେ ଝୁନିଆ ବଡ଼ ଉଦାସ ହୋଇ କହିଲା,–ଗାଈ ତ ଗଲା, କାମ ଛିଣ୍ଡିଲା, ଆଉ ତମେ ଆସିବ କିଆଁ ?

 

ଝୁନିଆ ସଙ୍ଗେ ଭେଟ ହେବାଯାଏ ଗୋବରା ଥିଲା ପିଲା । ଗାଁ ଝିଅବୋହୂଙ୍କ ଭିତରୁ କେତେ ଥିଲେ ତାର ଭଉଣୀ ଆଉ କେତେ ଥିଲେ ତାର ଭାଉଜ । ଭଉଣୀଙ୍କ ସଙ୍ଗେ ତ ଥଟ୍ଟା ପରିହାସ କରନ୍ତି । ଅବଶ୍ୟ ସମସ୍ତେ ଜାଣନ୍ତି ଗୋବରାଟା ନିହାତି ପିଲା । ଫଳ ନଥିଲେ ଫୁଲକୁ ଫୋପାଡ଼ା ମାରିବା ଯାହା, ଗୋବରା ସଙ୍ଗେ କଥାବାର୍ତ୍ତା ହେବା ତାହା । ଏଣେ ସ୍ୱାମୀ ମରିବା ଦିନୁ ଝୁନିଆର ମନଟା ମଉଳି ପଡ଼ିଥିଲା । ମଝିରେ ମଝିରେ ଭାଉଜମାନଙ୍କର ଥଟ୍ଟା ପରିହାସ ଶୁଣି ଯେଉଁ ମନଟା ଟିକିଏ ଚେଇଁ ଉଠିଥିଲା, ସେ ଆଜି ଗୋବରାର ରୂପ ଦେଖି ତରଳି ପଡ଼ିଲା । ପତର ଖଡ଼କିନା ହେଲେ ଶିକାରୀ ଯେମିତି ଜନ୍ତୁ ସନ୍ଧାନରେ ଉଠିବସେ, ଝୁନିଆର ପଦେକଥା ଶୁଣି ଗୋବରାର ଯୌବନ ବି ସେତିକି ଚମକି ଉଠିଲା ।

 

ଟିକିଏ ରସିକପଣିଆ କରି ଗୋବରା ଖୋଲାଖୋଲି କହିଲା,–ଆସିବି ନାହିଁ କାଇଁକି, ଭିକ ପାଇଲେ ତ ଭିକାରୀ ନିତି ଆସି ଦୁଆରେ ହାଜର ହେବ ।

 

‘ତାହା ହେଲେ ଭିକ ପାଇଲେ ଯାଇଁ ଆସିବ, ନହିଲେ ନାହିଁ । ଦେଖୁଛି ତମେ ତ ବଡ଼ ସ୍ୱାର୍ଥପର ।’

 

‘ହଁ ସ୍ୱାର୍ଥପର ନୁହେଁ ଆଉ କ’ଣ ? ପେଟ ପୋଡ଼ିଗଲେ ବାରଦ୍ୱାରେ ହାତ ନ ପତାଇ ଭିକାରୀର ଆଉ ଚାରା କ’ଣ ?’

 

ଝୁନିଆ ମହା ଚଲାକ । କଥାକୁ ବୁଲାଇଦେଇ ସେ କହିଲା,–ହଁ ଖାଲି ପେଟପାଇଁ ଯେ ହାତ ପତାଇବ ତାକୁ ତ ବାରଦ୍ୱାର ନିଶ୍ଚୟ ବୁଲିବାକୁ ପଡ଼ିବ । କିନ୍ତୁ ମୁଁ ସେମିତିଆ ବାରବୁଲା ଭିକାରୀଙ୍କୁ ଚାହେ ନାହିଁ । ସେଗୁଡ଼ାତ ଯେଉଁଠି ଇଚ୍ଛା ସେଠି ମିଳିବେ । ତା’ ଛଡ଼ା ଭିକାରୀ ଠାରୁ ଅବା ଲାଭ ମିଳିବ କ’ଣ ? ଖୁବ୍ ହେଲେ ସେ ଆଶୀର୍ବାଦ କରିବ । କିନ୍ତୁ ଖାଲି ଆଶୀର୍ବାଦରେ ତ ପେଟ ପୂରିବ ନାହିଁ ।

 

ଝୁନିଆ କଥା ଗୋବରା ବୁଝନ୍ତା କୁଆଡ଼ୁ ? ଝୁନିଆ ତ ଓଳିଆରୁ ଗଜା, କେତେ ଘାଟରେ ପାଣି ପିଇଛି ସେ । ପିଲାଦିନେ ବାପଘରେ ଯେମିତି ଦୁଧ ଦହି ନେଇ ସହର ବଜାର ଯାଉଥିଲା, ଶାଶୁଘରେ ବି ସେଇ କାମ କରୁଥିଲା । ଏବେ ବିଧବା ହୋଇ ବାପଘରେ ବି ସେଇ କାମ କରୁଛି । କେତେ ଲୋକ, କେତେ ରଙ୍ଗଢ଼ଙ୍ଗ କେତେ ରସିକତା ସେ ଦେଖିଛି । ଏମିତି କେତେ ଛତରା ସେ ଦେଖିଛି ଯେ ହାତରେ ଦି ପଇସା ପଡ଼ିଲା ମାତ୍ରେ ରସିକପଣିଆ କରିବାକୁ ବାହାରନ୍ତି । ମାତ୍ର ଝୁନିଆ ସେମିତିଆ ରସିକଙ୍କୁ ପସନ୍ଦ କରେ ନାହିଁ । ସେଗୁଡ଼ାତ ମାଗିଆଣିଲା ତରକାରୀ, ଏକା ହାପୁଡ଼ାକେ ଶେଷ । ସେ ଏମିତିଆ ପ୍ରେମ ଚାହେ, ଯାହା ଜୀବନଯାକ ରହିବ, ଯେଉଁଥିରେ ତାର ଅଧିକାର ରହିବ ଆଉ ଯାହାପାଇଁ ଦରକାର ପଡ଼ିଲେ ସେ ଜୀବନ ଦେଇ ପାରିବ । ଘରର ଝିଅ, ସେ ଚାହେଁ ଘର କରିବ, ଅଢ଼େଇଦିନିଆ ରସିକଙ୍କ ଫାନ୍ଦରେ ପଡ଼ି ଜୀବନ ବରବାଦ କରିବ ନାହିଁ । ସେ ଚାହେଁ ନାହିଁ ଜୁଳୁଜୁଳିଆ ପୋକର ମିଞ୍ଜି ମିଞ୍ଜି ଆଲୁଅ, ସେ ଚାହେ ଉଜ୍ଜ୍ୱଳ ପ୍ରଦୀପର ସ୍ଥିର ପ୍ରକାଶ ।

 

ଝୁନିଆ କଥା ଶୁଣି ଗୋବରା ମନରେ ଆଶା ତେଜି ଉଠିଲା । ସେ କହିଲା,–ହଁ, ଭିକାରୀ ଯଦି ଗୋଟାଏ ଜାଗାରେ ପେଟପୁରା ଖାଇବାକୁ ପା’ନ୍ତା–ସେ ବାରଦ୍ୱାର ବୁଲନ୍ତା କାହିଁକି ?

 

ଗୋବରା ପ୍ରତି ଝୁନିଆର ମନେ ମନେ ଭାରି ଦୟା ହେଲା । ଭାବିଲା କେଡ଼େ ଭଲାଟାଏ ସତେ, କିଛି ବୁଝିପାରୁ ନାହିଁ । ତାପରେ ପାଟି ଫିଟାଇ କହିଲା–ଭିକାରୀକୁ ପେଟେ ମିଳିବ କୁଆଡ଼ୁ ? ସେ ତ ମୁଠାଏ ପାଇବା ଲୋକ । ଯେ ସିନା ନିଜର ସବୁ ଦେଇଦିଏ ସେ ସିନା ପରଠୁ ସବୁ ପାଏ । ଭିକାରୀ ତ କିଛି ଦିଏ ନାହିଁ, ପାଇବ କେମିତି ?

 

‘ମୋ ପାଖରେ କ’ଣ ଅଛି ଯେ ମୁଁ ଦେଇ ପାରିବି; ଝୁନିଆ କହିଲା ?’

 

‘ତମ ପାଖରେ ନାହିଁ କ’ଣ, ସବୁ ଅଛି । ତମ ପାଖରେ ଯାହା ଅଛି ମନେକଲେ ତାହା ଲକ୍ଷପତି ସାଧବ ପାଖରେ ବି ନଥିବ । ତମ ପାଖରେ ଏମିତି ଜିନିଷ ଅଛି ଚାହିଲେ ତମେ ମୋତେ କିଣିନେଇ ପାରିବ, ଭିକ ମାଗିବାଯାଏ ଯିବ କାହିଁକି ?’

 

ଗୋବରା ତ କିଛି ବୁଝି ପାରିଲା ନାହିଁ, ଖାଲି ଆଁ କରି ଅନେଇ ରହିଲା । ଝୁନିଆ କହିଲା,–ମୋତେ କିଣି ନେବାପାଇଁ ତମକୁ ଗୋଟିଏ କାମ କରିବାକୁ ହେବ । ଜୀବନଯାକ ତମକୁ ମୋର ହୋଇ ରହିବାକୁ ହେବ, ଆଉ ଏଠେଇ ସେଠେଇ ହାତ ପତାଇବା କଥା ପଡ଼ିବ ନାହିଁ । ଯେଉଁଦିନ ଜାଣିବି ତମେ ଆଉ କେଉଁଠି ହାତ ପତାଇଛ, ସେଇଦିନ ତମକୁ ଘରୁ ବାହାର କରିଦେବି ।

 

ଗୋବରାକୁ ଲାଗିଲା ଯେମିତି ଅନ୍ଧାରରେ ଅଣ୍ଡାଳୁଥିବା ଜିନିଷ ତା ହାତରେ ପଡ଼ିଗଲା । ଭୟ ଆଉ ଆନନ୍ଦରେ ତା ରୁମ ସବୁ ଟାଙ୍କୁରି ଉଠିଲା । କିନ୍ତୁ କରିବ କ’ଣ, ସେହି କଥା ଭାବିଲା । ଝୁନିଆକୁ ଯଦି ରଖିନିୟେ, ତେବେ ରହିବ କେଉଁଠି ? ଜାତିଭାଇ ଅଜାତି କରିବେ, ଗାଁ ଲୋକେ ହାଉ ହାଉ କରିବେ । ସମସ୍ତ ଶତ୍ରୁ ହୋଇଯିବେ । ଅସଲ କଥା ହେଉଛି ମା’ ତ ଝୁନିଆକୁ ଘରେ ପୂରେଇ ଦେବ ନାହିଁ । ପୁଣି ଭାବିଲା, ଝୁନିଆ ଯଦି ମାଇପିଟାଏ ହୋଇ ତାର ଡର ନାହିଁ, ସେ ପୁରୁଷ ପିଲାଟାଏ ହୋଇ ଡରିବ କାହିଁକି ? ଖୁବ୍ ହେଲେ ଲୋକେ ତାକୁ ଅଲଗା କରିଦେବେ । କଣ ହେଉଛି, ସେ ଅଲଗା ହୋଇଯିବ । କିନ୍ତୁ ଝୁନିଆ ପରି ସ୍ତ୍ରୀଟାଏ ସେ ପାଇବ କେଉଁଠୁ ? କେମିତିଆ ବୁଦ୍ଧି, କେମିତିଆ ସମଝଦାର କଥା । ଝୁନିଆ ପାଇଁ ସେ ଅଯୋଗ୍ୟ ହେଲେବି ତା ପାଇଁ ଝୁନିଆର କେତେ ମମତା, ଜୀବନ ଦେବାପାଇଁ ବି ସେ ତିଆର । ଗାଁ ଲୋକେ ଯଦି ତାକୁ ବାହାର କରିଦେବେ ଦୁନିଆରେ କଣ ଆଉ ଗାଁ ନାହିଁ ? ତା ଛଡ଼ା ସେ ଗାଁ ଛାଡ଼ି ଯିବ କାହିଁକି ? ମାତାଦୀନ ତ ଚମାରୁଣୀଟାଏ ରଖିଛି ତାର ଏବେ କିଏ କଣ କରି ପକାଇଲା ? ତା ବାପ ଦାତାଦୀନ କୌଣସିମତେ ଦାନ୍ତକାମୁଡ଼ି ରହିଗଲା ନା କୁଆଡ଼େ ଚାଲିଗଲା ? ଆଗେ ଆଗେ ମାତାଦୀନ ଦିଓଳି ଅଲଗା ରାନ୍ଧୁଥିଲା, ଏବେ ତ ଆଉ ନାହିଁ । ବାପ ପୁଅ ଦିହିଁଯାକ ତ ଏକାଠି ବସି ଖାଇଲେଣି । ସେମିତି ଝୁଙ୍ଗୁରୁ ସିଂହ ତ ବ୍ରାହ୍ମଣୀଟାଏ ରଖିଛି, କେହି ତ ତାର କିଛି କରି ପାରୁ ନାହାନ୍ତି । ଏବେ ମାଇପ ଟଙ୍କାରେ ସେ ମହାଜନ ହୋଇ ବସିଛି । ଆଗେ ସିନା ଖାଲି ସରଦାର ଥିଲା, ଏବେ ତ ହେଲାଣି ମହାଜନ । ଦିନକୁ ଦିନ ତା ମାନ ସମ୍ମାନ ବଢ଼ୁଛି ପଛେ, କମିବାକୁ ନାହିଁ । ଗୋବରା ଏମିତି ଭାବୁ ଭାବୁ ପୁଣି ତାର ଖିଆଲ ହେଲା ଆଗେ ବୁଝିବା ଦରକାର ଝୁନିଆ କାଳେ ଥଟ୍ଟାରେ ସେମିତି କହୁଥିବ ।

 

ଗୋବରା ମୁହଁ ଖୋଲି ପଚାରିଲା,–ଝୁନ, ତମେ ସତରେ କହୁଛ ନା ମୋତେ ଖାଲି ଏମିତି ଆଶା ଦେଉଛ ? ମୁଁ ତ କେତେବେଳୁ ତମର ହୋଇ ସାରିଲିଣି । ତମେ ଖାଲି ମୋର ହେବାଟା ବାକି ରହିଛି ।

 

‘ତମେ ମୋର ହେଲଣି ବୋଲି ପ୍ରମାଣ ?

 

‘ପ୍ରମାଣ ଦେଖିବାକୁ ଚାହ ? ତମେ ଚାହିଁଲେ ମୁଁ ବର୍ତ୍ତମାନ ତମପାଇଁ ଜୀବନ ଦେଇ ପାରିବି ଏହି ହେଉଛି ମୋର ପ୍ରମାଣ ।

 

‘ଜୀବନ ଦେବା ମାନେ କଣ ବୁଝିଛ ତ ?’

 

‘ନ ବୁଝିଛି ଯଦି ବୁଝେଇ ଦେଉନ ।’

 

‘ଜୀବନ ଦେବା ମାନେ ହେଉଛି ଦେହକଯାକ ଏକାଠି ରହିବା । ଦରକାର ହେଲେ ବାପ, ମା, ଭାଇବନ୍ଧୁ ସମସ୍ତଙ୍କୁ ଛାଡ଼ିବାକୁ ପଡ଼ିବ କିନ୍ତୁ ଯାହାକୁ ଜୀବନ ଦେବ ତାକୁ ଛାଡ଼ିବା କଥା ହେବ ନାହିଁ ଭଅଁର ଫୁଲରୁ ରସ ନେଇ ଯେମିତି ଉଡ଼ିଯାଏ, ସେମିତି ଉଡ଼ିଯିବା କଥା ପଟିବ ନାହିଁ । ତମେ ତ ଆଉ ଭଅଁର ପରି ରସ ଚାଖି ଉଡ଼ିଯିବ ନାହିଁ ?

 

ଗୋବରା ଗୋଟାଏ ହାତରେ ପଘା ଧରିଥିଲା । ଆଉ ଗୋଟେ ହାତରେ ଚଟ୍‍କରି ଝୁନିଆ ହାତକୁ ଧରି ପକାଇଲା । ତାକୁ ଲାଗିଲା ସତେ ଯେମିତି ବିଜୁଳି ତାରରେ ତା ହାତ ପଡ଼ିଗଲା । ଯୌବନର ପହିଲି ପରଶରେ ତା ଦେହ ହାତ ଶୀତେଇ ଉଠିଲା । କେଡ଼େ କୋମଳ, କେଡ଼େ ମଧୁର ସତେ ସେ ହାତର ପରଶ ।

 

ଝୁନିଆ ହାତ ଛଡ଼ାଇ ନେବା ପାଇଁ ଚେଷ୍ଟା କଲା ନାହିଁ । ଭାବିଲା ଗୋବରାର ଏ ପିଲାଳିଆ ରସିକତାର ବା କେଉଁମାନେ ଅଛି । ବରଂ ଝୁନିଆ ଟିକିଏ ଗମ୍ଭୀର ହୋଇ କହିଲା–ମନେ ରଖିଥା ଏକା, ତମେ ଆଜିଠୁ ମୋ ହାତ ଧରିଲ ।

 

‘ହଁ ଝୁନ, ଖୁବ୍ ମନେ ରଖିଛି, ଜୀବନଯାକ ବି ମନେ ରଖିଥିବି ।’

 

ଝୁନିଆ କାହିଁକି ଏ ପିଲାଳିଆ କଥାଗୁଡ଼ା ବିଶ୍ୱାସ କରିବାକୁ ଯାନ୍ତା ? ଟିକିଏ ମୁରୁକି ହସି ଦେଇ କହିଲା– ସମସ୍ତେ ଏମିତି କହନ୍ତି ଗୋବରା ! ୟେ କ’ଣ ୟାଠୁ ବଳି ମିଠା, ୟାଠୁ ବଳି ଚିକଣ କଥା ବି ଲୋକେ କହନ୍ତି । ନାହିଁ, ଯଦି ତମ ମନରେ କିଛି କପଟ ଅଛି ତେବେ କହିଦିଅ, ମୁଁ ସାବଧାନ ହୋଇଯିବି । କପଟୀ ଲୋକଙ୍କ ମୁହଁରେ ସିନା ମୁଁ ହସିଦିଏ, କିନ୍ତୁ ଜୀବନ କେବେ ତାଙ୍କୁ ଦିଏ ନାହିଁ । ଦିହକଯାକ ତ ଦୁଧଦହି ନେଇ ମୁଁ ବଜାର ଯାଉଛି; କେତେ ବାବୁ, କେତେ ଅମଲା, କେତେ ଓକିଲ, ମହାଜନ, ରାତି ପାହିଲେ ଦେଖୁଛି । କେତେ କିଏ ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି । କିଏ ଟଙ୍କା ଯାଚେ, କିଏ ଗହଣା ଯାଚେ, କିଏ ଛାତିରେ ହାତ ଦେଇ ବିକଳ ହୋଇ କହେ, ଝୁନିଆ ମତେ ହତାଶ କର ନାହିଁ । କିଏ ଅବା ମୋ ପାଇଁ ପାଗଳ ହୋଇ କୁକୁର କରି ଏପଟ ସେପଟ ହେଉଥାଏ, କିଏ ପୁଣି କହେ ଝୁନିଆ, ଜୀବନ ସାରା ମୁଁ ତୋର ଚାକର ହୋଇ ରହିବି । ମୁଁ କାହାକୁ ବିଶ୍ୱାସ କରେ ନାହିଁ, କାରଣ ମୁଁ ସମସ୍ତଙ୍କୁ ଜାଣେ । ସମସ୍ତେ ହେଉଛନ୍ତି ଫୁଲଚଖା ଭଅଁର । ଫୁଲରୁ ମହୁ ସରିଗଲେ ଉଡ଼ିଯିବେ । ମୁଁ ବି ତାଙ୍କୁ ଛାଡ଼େ ନାହିଁ, ଆଖିଠାର ମାରି, ମୁରୁକି ହସି ଦେଇ ଏକଦମ ତାଙ୍କୁ ଅସ୍ତବ୍ୟସ୍ତ କରିଦିଏ । ସେମାନେ ଯେମିତି ମୋତେ ଓଲୁ ବୋଲି ଭାବନ୍ତି, ମୁଁ ବି ତାଙ୍କୁ ସେମିତି ଗଧ ବୋଲି ଭାବେ । ମୁଁ ମଲେ ସେମାନେ କେତେ କାନ୍ଦିବେ, ଆଉ ସେମାନେ ମଲେ ମୁଁ କେତେ କାନ୍ଦିବି ସେ କଥା ମତେ ବେଶି ଜଣା । ସେଗୁଡ଼ା ମଲେ ବରଂ ମୁଁ ଖୁସି ହେବି । ଜୀବନରେ କେବଳ ମୁଁ ଜଣକ ପାଖରେ ରହିବି, ଯା’ ପାଖରେ ମୋର ଦେହକ କଟିବ ଆଉ ଯାହା ସୁଖ ଦୁଃଖରେ ମୁଁ ଭାଗୀ ହେବି । ମୁଁ ତ କିଛି ବେଶ୍ୟା ନୁହେଁ ଯେ ସମସ୍ତେ ମୋ ସାଙ୍ଗେ ହେଁ ହେଁ ଫେଁ ଫେଁ ହେବେ; ମତେ ଟଙ୍କା, ସୁନା, ଗହଣାଗାଣ୍ଠି ଦେଖାଇ କିଣି ନେବେ । ମୁଁ ଜୀବନରେ କେବଳ ଜଣକୁ ଚାହେଁ, ଯେ ମୋତେ ଜୀବନ ଦେବ ଆଉ ମୋଠୁ ବି ଜୀବନ ନେବ । କେତେ ମଜା କଥା, କ’ଣ ସେଗୁଡ଼ା କହିବି ? ଥରେ ଜଣେ ପଣ୍ଡିତ ଘରକୁ ଦୁଧ ଦେବାକୁ ଯାଇଥିଲି-। ପଣ୍ଡିତ ତ ଉପରକୁ ଭାରି ଭଲ ଲୋକ । ଖୁବ୍ ଚିତା ତିଳକ ମାରି ବାହାରେ । ମତେ ଜଣା ନାହିଁ, ସେଦିନ ତା ଭାରିଜା ଘରେ ନାହିଁ ବୋଲି । ସବୁଦିନେ ଯେମିତି ଡାକି ଡାକି ଘର ଭିତରକୁ ପଶିଯାଏ, ସେଦିନ ସେମିତି ପଶିଗଲି । ଦେଖିଲା ବେଳକୁ ପଣ୍ଡିତ ମୋ ପଛଆଡ଼ୁ ଦରଜା ବନ୍ଦ କରିଦେଇ ଚାଲିଆସୁଛି । ତା ଖରାପ ମତଲବଟା ମୋତେ ଆଉ ଅଜଣା ରହିଲା ନାହିଁ । ମୁଁ ତାକୁ ଖୁବ୍ ଧମକେଇକରି ପଚାରିଲି–‘କବାଟ କିଳିଦେଲ କିଆଁ ? ଘରେ ବାବୁଆଣୀ ନାହାନ୍ତି କି ? ଭାରି ତ ନିଛାଟିଆ ଲାଗୁଛି ।’ ‘ବାବୁଆଣୀ ଜଣକ ଘରକୁ ଯାଇଛନ୍ତି’ କହି ପଣ୍ଡିତ ମୋ ଉପରକୁ ମାଡ଼ି ଆସିଲା । ମୁଁ କହିଲି–‘ଦୁଧ ରଖିବ ତ ରଖ ନହିଲେ ମୁଁ ଯାଉଛି ।’

 

ପଣ୍ଡିତ କହିଲା,–ଝୁନ, ଆଜି ଆଉ ଯିବା କଥା ହବ ନାହିଁ । ତୋତେ ଦେଖି ନିତି ମୋ ଛାତିରେ ଛୁରୀ ଚାଲିଯାଏ, କିନ୍ତୁ କିଛି ଉପାୟ ନଥାଏ । ଆଜି କିନ୍ତୁ..... ।

 

ସତ କହୁଛି ଗୋବରା ତା କଥା ଶୁଣି ତ ମୋ ଦେହ ନିଆଁ ହୋଇଗଲା ମାରିବି କି ମରିବି ।

 

ଗୋବରା ଆଉ ସମ୍ଭାଳି ନପାରି କହିଲା,–ମୋତେ ଟିକିଏ ତାକୁ ଦେଖେଇ ଦିଅନ୍ତ ନାହିଁ, ଏକାଥରକେ ତା ରକ୍ତ ପିଇ ଦିଅନ୍ତି, ମାରିକରି ମାଟିରେ ପୋତି ଦିଅନ୍ତି । ମତେ ଦିନେ ତାକୁ ଟିକିଏ ଦେଖାଇ ଦେବଟି ।

 

ଶୁଣନା ଆଗ କ’ଣ ହେଲା । ପଣ୍ଡିତ କ’ଣ ମୋତେ ବଳେଇଯା’ନ୍ତା ? ତଥାପି ମୁଁ ମାଇପି ଲୋକଟାଏ । କାଳେ କଣ ବଦମାସି କରିବ ବୋଲେ କଣ କରିବି ଭାବି ଟିକିଏ ଡର ମାଡ଼ିଲା । ଡାକିଲେ ତ କାହାକୁ ଶୁଭିବ ନାହିଁ । ତଥାପି ମନେ ମନେ ଠିକ୍ କଲି ଯଦି ସେ ମୋ ଦେହ ଛୁଏଁ ତେବେ ଦୁଧ ହାଣ୍ଡିଟାକୁ ତା ମୁଣ୍ଡ ଉପରେ କଚାଡ଼ି ଦେବି, ଯାହା ହେବ ତେଣିକି ଦେଖାଯିବ । ଗଲେ ତ ଦୁଧ ପାଞ୍ଚ ସେର ଯିବ କିନ୍ତୁ ପୁଅ ଜୀବନଯାକ ମନେ ପକାଉଥିବ । ମନେ ମନେ ଦମ୍ଭ ହୋଇ କହିଲି,–ସେ କଥା ପଟିବ ନାହିଁ ପଣ୍ଡିତଜୀ ! ମୁଁ ଗଉଡ଼ ପିଲାଟି । ଯାଣିଥା, ମୋ ସଙ୍ଗେ ଲାଗିଲେ ଗୋଟି ଗୋଟି କରି ନିଶ ଉପାଡ଼ି ଦେବି । ତମ ପୋଥି ପତରରେ ଏହି ପାଠ ଲେଖା ହୋଇଛି–ପର ବୋହୂ ଝିଅଙ୍କୁ ଘରେ ପୂରେଇ କବାଟ କିଳି ମହତ ସାରିବ । ଏଇଥିପାଇଁ ତମେ ଚିତା ତିଳକ ମାରି ବାବାଜି ହୋଇଛ ? ପଣ୍ଡିତ ବିଚାରା ହାତ ଗୋଡ଼ ଧରି କେତେ ନେହୁରା ହୋଇ କହିଲା–ଝୁନରାଣୀ, ଜଣକ ମନ ରଖିଦେଲେ କ’ଣ ତମର କେତେ ଛିଡ଼ି ଯାଉଛି ? ଗରିବଙ୍କୁ ତ ପୁଣି ଦୟା କରିବା ଦରକାର । ନହିଲେ ଭଗବାନ ଯେତେବେଳେ ତମକୁ ପଚାରିବେ,–ଏଡ଼େ ସୁନ୍ଦର ରୂପ ଦେଇଥିଲି, ଜଣେହେଲେ କାହାକୁ ଦାନ ଦେଲ ନାହିଁ, ସେତେବେଳେ ତମେ କ’ଣ ଉତ୍ତର ଦେବ ? ମୁଁ ହେଉଛି ଜଣେ ବ୍ରାହ୍ମଣ । ଟଙ୍କା ପଇସା ଦାନ ତ ମୁଁ ଅନେକ ପାଇଛି କିନ୍ତୁ ରୂପଦାନ କେବେ କାହାଠୁ ପାଇନାହିଁ । ତମଠୁ ସେ ଦାନ ଆଜି ନିଶ୍ଚୟ ପାଇବି ।

 

ପଣ୍ଡିତ ବିଚାରାର ମନ ବିଡ଼ିବା ପାଇଁ ମିଛରେ କହିଲି, ମୁଁ ପଚାଶ ଟଙ୍କା ନେବି । କ’ଣ କହିବି ଗୋବରା, ସତକୁ ସତ ଦଉଡ଼ି ଯାଇଁ ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ୍ ଆଖି ପିଛୁଳାକେ ଆଣି ମୋ ହାତରେ ଗୁଞ୍ଜିଦେଲା । ମୁଁ ଯେମିତି ନୋଟକୁ ଫିଙ୍ଗି ଦେଇଛି, ସେମିତି ଚଟକରି ମୋ ହାତକୁ ଧରି ପକାଇଲା ।

 

ମୁଁ ତ ଆଗରୁ ତିଆର ଥିଲି । ହାଣ୍ଡିଟାକୁ ତା ମୁଣ୍ଡରେ ଦେଲି କଚି ଯେ ଏକାଥରକେ ସରୁବୁଡ଼ା ହୋଇଗଲା । ମାଡ଼ ଜୋରରେ ରାମ ରାମ କହି ବସି ପଡ଼ିଲା । ଦେଖିଲି ତ ଆଉ କିଛି କରିପାରିବ ନାହିଁ, ତା ପିଠିରେ ଦୁଲ ଦୁଲ ଦି ଗୋଇଠା ଦେଇ କବାଟ ଫିଟାଇ ଚାଲି ଆସିଲି ।

 

ଗୋବରା ଠୋ ଠୋ ହସି କହିଲା,–ଆଚ୍ଛା କଲ, ପୁଅ ତ ଗୋଟାପଣେ ଗାଧୋଇ ପଡ଼ିଥିବ, ଚିତା ତିଳକ ଏକାଥରକେ ସବୁ ଲିଭି ଯାଇଥିବ । ଛାଡ଼ିଦେଲ କିଆଁ ? ଗୋଟି ଗୋଟି କରି ତା ନିଶ ଉପାଡ଼ି ଦେଇଥାନ୍ତ, ତେବେ ସିନା ସେ ଜାଣିଥାନ୍ତା ।

 

ପୁଣି ତହିଁ ଆରଦିନ ତା ଘରକୁ ଗଲି । ସେତେବେଳକୁ ତା ସ୍ତ୍ରୀ ଆସି ସାରିଥିଲା । ଗଲାବେଳକୁ ପଣ୍ଡିତ ମୁଣ୍ଡରେ ପଟି ବାନ୍ଧିକରି ବସିଛି । ପଚାରିଲି,–କ’ଣ କହୁଛ କହ, ତମ ମରମଯାକ ସବୁ ଏଇନେ ପଦାରେ ପକାଇ ଦେବି । ବିଚାରା ହାତଯୋଡ଼ି କେତେ ନେହୁରା ହେଲା-। ମୁଁ କହିଲି–ଛେପ ପକାଇ ଚାଟିଲେ ଯାଇଁ ଛାଡ଼ିବି ନହେଲେ ନାଇଁ । କଣ ଆଉ ଉପାୟ ଅଛି କରିବ ? ବିଚରା ଭୂଇଁରେ ମୁଣ୍ଡିଆ ମାରି କହିଲା,–ଝୁନ, ମୋ ମାନ ମହତ ଜାଣି ସବୁ ଏବେ ତମ ହାତରେ । ପଣ୍ଡିତାଣୀ ଜାଣିଲେ କ’ଣ ମୋତେ ଆଉ ଜୀବନରେ ରଖିବ ? ତା କଥା ଶୁଣି ମନେ ମନେ ଭାରି ଦୟା ଦେଲା, ତାକୁ ଛାଡ଼ିଦେଲି ।

 

ଝୁନିଆର ଦୟା କଥା ଗୋବରାକୁ ଭଲ ଲାଗିଲା ନାହିଁ । ସେ କହିଲା–ତାକୁ ଛାଡ଼ିଦେଇ ତମେ ଭୁଲ କଲ । ତା ସ୍ତ୍ରୀକୁ କହିଦେଇଥିଲେ ସେ ତାକୁ ଯୋତାମାରି ସିଧା କରି ଦେଇଥାନ୍ତା । ସେମିତିଆ ବଦମାସଙ୍କୁ ଦୟା କରିବା ଉଚିତ୍ ନୁହେଁ । ତମେ ତାକୁ କାଲି ଦେଖାଇ ଦିଅନ୍ତ ବୋଲେ ମୁଁ ତାକୁ ଥଣ୍ଡା କରି ଦିଅନ୍ତି ।

 

କହୁଛ ସିନା, ତମେ ତାକୁ ପାରିବ ନାହିଁ । ସେଟା ମହୁଲିଆ ଖାଇ ଖୁବ୍ ମୋଟାସୋଟା ହୋଇଛି ।

 

ମୋଟା ହେଲେ ଖାଲି କ’ଣ ହେବ, ଦେହରେ ବଳଥିଲେ ହେବ ନା ! ମୋ ଦେହରେ ୟେ ଯେଉଁ ହାଡ଼ ଦେଖୁଛ, ୟେ ହାଡ଼ ଖାଲି ଲୁହା । ମିଛରେ କଣ ମୁଁ ଆଉ ଦିନକୁ ତିନିଶ ଦଣ୍ଡ ମାରୁଥିଲି । ଦୁଧ ଦହି କିଛି ଖାଇବାକୁ ନାହିଁ ବୋଲି ନହିଲେ ଏ ଛାତି ପଥର ବନି ଯାଇଥାନ୍ତା ।

 

ଏମିତି କହୁ କହୁ ଗୋବରା ଛାତି ଖୋଲି ଦେଖାଇଦେଲା । ତାର ଚଉଡ଼ା ଛାତି ଦେଖି ଝୁନିଆ ଭାରି ଖୁସି ହୋଇ କହିଲା–ହଉ ଦିନେ ତମକୁ ଦେଖାଇ ଦେବି, କିନ୍ତୁ ଏଠି ତ ସମସ୍ତେ ସମାନ, ତମେ କାହାକୁ କ’ଣ କରିବ ? ଭଗବାନ ଜାଣନ୍ତି ପୁରୁଷଗୁଡ଼ା କାହିଁକି ଏମିତି ହୁଅନ୍ତା, ସୁନ୍ଦରୀ ବୋହୂଟାଏ ଦେଖିଲା ମାତ୍ରେ ମୁଣ୍ଡ ପିଟି ମରନ୍ତି । ଏଠି ଯେତେ ଲୋକସବୁ ବଡ଼ ବୋଲାଉଛନ୍ତି, ସବୁ ଗୁଡ଼ା ପକ୍କା ଲମ୍ଫଟ । ଦେଖୁଛ ମୋ ପଛରେ ପରା ଏତେ ଲାଗିଛନ୍ତି, ମୁଁ ଅବା କେଉଁ ସୁନ୍ଦରୀଟାଏ ହୋଇଛି !

 

ଗୋବର କହିଲା–‘ସେ କଥା କହିଲେ କିନ୍ତୁ ଚଳିବ ନାହିଁ ଝୁନ ! ତମେ ପ୍ରକୃତରେ ଏଡ଼େ ସୁନ୍ଦରୀ ଯେ ତମକୁ ଦେଖିଲା ମାତ୍ରେ ଛାତିରେ ଉଠାଇ ନେବା ପାଇଁ ମନ ହୁଏ’ ।

 

ଝୁନିଆ ଗେହ୍ଲେଇ ହୋଇ ଗୋବରା ପିଠିରେ ସରୁ ଚାପୁଡ଼ାଟାଏ ମାରିଦେଇ କହିଲା–‘ଆରେ ଲୋକଙ୍କ ପରି ତମେ ସେମିତି ମୋତେ ମିଛରେ ଟେକାଟେକି କରିବ ନାହିଁ । ମୁଁ ଯେଉଁ ସୁନ୍ଦରୀ ସେ କଥା ମୋ ମନ ଜାଣେ । ରସିକନାଗର ସିନା ରସ ନେବା ପାଇଁ ଘଡ଼ିଏ ପହଡ଼େ ଟେକାଟେକି କରି କଥା କହନ୍ତି । ସେମାନେ କ’ଣ କେବେ ଗୁଣ ଖୋଜନ୍ତି ? ଯିଏ ସିନା ହାତ ଧରେ, ପାଖରେ ରହେ, ସେ ସିନା ଗୁଣ ଖୋଜେ । ଆଜିକାଲି ତ ଯୁଗ ଅଲଗା । ମଣିଷ କେତେ କଥା ଶୁଣୁଛି କେତେ କଥା ବି ଦେଖୁଛି । ଆମ କଥା ତ ଯାହିତାହି, ବଡ଼ ଲୋକଙ୍କ କଥା ଆହୁରି ବିଚିତ୍ର । ଶୁଣିବ, ମୋ ଶାଶୁଘର ପଡ଼ାରେ କାଶ୍ମୀରର ଜଣେ ଲୋକ ଥିଲା, ଭାରି ବଡ଼ଲୋକ । ତାଙ୍କ ଘରକୁ ଆମର ଦିନକୁ ପାଞ୍ଚସେର ଦୁଧ ଯାଏ । ତାଙ୍କର ତିନିଟା ବଡ଼ ବଡ଼ ଝିଅ, ବୟସ କାହାକୁ କୋଡ଼ିଏ ତ କାହାକୁ ପଚିଶ । ଦି’ ଜଣ କଲେଜରେ ପଢ଼ନ୍ତି, ଆଉ ବଡ଼ ଜଣକ ଗୋଟାଏ ମାଷ୍ଟ୍ରାଣୀ । ଦି’ ଶ କି ତିନିଶ ଟଙ୍କା ଦରମା ପାଏ । ସମସ୍ତେ ଗାଇ ଜାଣନ୍ତି, ବଜାଇ ଜାଣନ୍ତି, ନାଚି ଜାଣନ୍ତି, କିନ୍ତୁ ସମସ୍ତେ ଅବାହାରୀ । ଭଗବାନ ଜାଣନ୍ତି ସେମାନେ ପୁରୁଷଙ୍କୁ ମନକୁ ଆଣନ୍ତି ନାହିଁ କି ପୁରୁଷମାନେ ତାଙ୍କୁ ମନକୁ ଆଣନ୍ତି ନାହିଁ । ଥରେ ମୁଁ ସେହି ବଡ଼ଝିଅ ମାଷ୍ଟ୍ରାଣୀକି ପଚାରିଲି, କାହିଁକି ସେ ବାହା ହେଉ ନାହାନ୍ତି । ସେ ହସିଦେଇ କହିଲା–‘ବାହାହେବାକୁ ମୁଁ ପସନ୍ଦ କରେ ନାହିଁ’ । କିନ୍ତୁ ଦୁନିଆରେ କାହାକଥା କାହାକୁ ଅଜଣା ? ଉପରେ ଅବାହାରୀ, କିନ୍ତୁ ଭିତରେ ଭିତରେ କିଛି ଅଭାବ ନଥାଏ । ଯେତେବେଳେ ଦେଖିବ ଦି’ ଚାରିଟା ଟୋକା ଘେରି ବସିଥିବେ । ବଡ଼କୁ ତ ସହରଯାକ ଜାଣନ୍ତି, ପେଣ୍ଟକୋଟ୍ ପିନ୍ଧି, ଘୋଡ଼ା ଚଢ଼ି ଅଣ୍ଡିରାଙ୍କ ସଙ୍ଗେ ବୁଲୁଥାଏ । ବାପ ବିଚରା ଲାଜରେ ମୁହଁ ଦେଖାଇ ପାରେ ନାହିଁ । ତିଆରି ବସିଲେ ଝିଅମାନେ ଓଲଟି ଜବାବ ଦିଅନ୍ତି ‘ଆମ ଇଚ୍ଛା, ତମେ କିଏ କହିବାକୁ ।’ ବୁଢ଼ା ବିଚରା ଆଉ କ’ଣ କରନ୍ତା, ତୁନୀ ହୋଇ ରହେ । କିନ୍ତୁ କଥା ହେଉଛି ବଡ଼ଲୋକେ ଯାହା କଲେ ବି ସୁନ୍ଦର, ‘ସ୍ଵର୍ଗକୁ ନିଶୁଣୀ ନାହିଁ କି ବଡ଼ଲୋକଙ୍କୁ ଉତ୍ତର ନାହିଁ’ । ତାଙ୍କର କେଉଁ ଜାତିକି ଡର ନା ପଞ୍ଚାୟତକୁ ଡର ? କିନ୍ତୁ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ, ବଡ଼ ବଡ଼ିଆଙ୍କ ମନ କେମିତି ଘଡ଼ିକି ଘଡ଼ି ବଦଳିଯାଏ । ସେମାନେ କ’ଣ ଗାଈ ଗୋରୁଠାରୁ ବି ନିହାତି ? କିନ୍ତୁ କାହାକୁ କିଛି କହି ଲାଭ କ’ଣ ? ଯା ମନ ଯେମିତି ଗଢ଼ା ସେ ସେମିତି କାମ କରିବ-। ଦୁନିଆରେ କେତେ ଜାତି ଲୋକ ଅଛନ୍ତି । କାହାକୁ ଭାତ ଡାଲି ଖାଇ ଚିଡ଼ା ଲାଗୁଛି ଯେ ସେ ପୁରୀ ମିଠାଇ ଖୋଜୁଛି, କାହାକୁ ପୁଣି ଘର ଭାତ ଡାଲି ଦେଖିଲା ମାତ୍ରେ ଜର ଆସି ଯାଉଛି । ପୁଣି ଏମିତି ଲୋକ ବି ଅଛନ୍ତି ଯେ ଜୀବନଯାକ ବି ଭାତ ଡାଲି ଖାଇ ମୁହଁ ମାଡ଼ିକରି ପଡ଼ିଛନ୍ତି, ଆଉ କେଉଁଥିରେ ତାଙ୍କର ମନ ନାହିଁ । ଆଉ ଲୋକଙ୍କ କଥା ତେଣିକି ଥାଉ ମୋ ଭାଉଜଙ୍କ କଥା ଦେଖୁନ ! ମୋ ଭାଇମାନେ କ’ଣ କଣା କୁଜା ହୋଇଛନ୍ତି ? ଯେମିତି ଚାହି ସେମିତି ଭେଣ୍ଡିଆ କିନ୍ତୁ ଭାଉଜମାନେ ତାଙ୍କୁ ମନକୁ ଆଣନ୍ତି ନାହିଁ । ତାଙ୍କର ସବୁ ଏମିତିଆ ଲୋକ ଦରକାର, ଯିଏ ନୂଆ ନୂଆ ଗହଣା ଗଢ଼ି ଦିଅନ୍ତା, ନୂଆ ନୂଆ ଶାଢ଼ି ପିନ୍ଧାନ୍ତା, ନିତି ନୂଆ ନୂଆ ସୁଆଦ ଚଖାଉଥାନ୍ତା । ହଁ, ଭଲ ଖାଇବାକୁ, ଭଲ ପିନ୍ଧିବାକୁ ସଂସାରେ କିଏ ଚାହେ ନାହିଁ ? ୟା ବୋଲି କ’ଣ ଲାଜ ସରମ ପୋଡ଼ି ଖାଇବାକୁ ହେବ । ମୁଁ ତ ଭାବେ ମୋଟା ଖାଇବ ମୋଟା ପିନ୍ଧିବ ପଛେ, ଜଣକୁ ଆଦର କରି ଘର କରିବ । ପ୍ରକୃତରେ ଦେଖିବାକୁ ଗଲେ ପୁରୁଷମାନେ ମାଇପିମାନଙ୍କୁ ବିଗାଡ଼ି ଦିଅନ୍ତି-। ପୁରୁଷଗୁଡ଼ା ଏଣେ ତେଣେ ହେଲାରୁ ମଇପିମାନେ ଏଣେ ତେଣେ ହେବାକୁ ବାଧ୍ୟ ହୁଅନ୍ତି । ୟାଙ୍କ କଥା ତାଙ୍କୁ ଯେମିତି ଭଲ ଲାଗେ ନାହିଁ, ତାଙ୍କ କଥା ୟାଙ୍କୁ ସେମିତି ଭଲ ଲାଗେ ନାହିଁ, ଘରସଂସାର ଭାଙ୍ଗି ଯାଏ ମୁଁ ତ ସଫା ସଫା ମୋ ସ୍ଵାମୀଙ୍କୁ କହି ଦେଇଥିଲି–‘ତମେ ଯଦି ଅନ୍ୟଆଡ଼େ ଯିବ, ମୁଁ ବି ଅନ୍ୟ ଆଡ଼େ ଯିବି । ତମେ ଯାଇ ଏଠି ସେଠି ହେବ ଆଉ ମୁଁ ମାଡ଼ ଡରରେ ଜବତ ହୋଇ ରହିବି, ସେ କଥା ପଟିବ ନାହିଁ, । ପୁରୁଷର ବଳ ଅଛି ବୋଲି ସେ ଦେଖେଇକରି କରିବ, ସ୍ତ୍ରୀ ଲୋକ ତ ଲୁଚେଇ କରି କରିବ । ଯେଉଁ ପୁରୁଷ ପର ସ୍ତ୍ରୀ ପଛରେ ଗୋଡ଼ାଇ ଆପଣା ସ୍ତ୍ରୀକୁ ଜଳେଇ ପୋଡ଼େଇ ମାରେ, ଭଗବାନ କେବେ ହେଲେ ତାର ମଙ୍ଗଳ କରନ୍ତି ନାହିଁ ।

 

ଝୁନିଆ କହି ଚାଲିଥାଏ, ଗୋବରା ଶୁଣି ଯାଉଥାଏ । ଏମିତି କଥା ସେ ଆଗରୁ କେବେହେଲେ ଶୁଣି ନଥିଲା । ତା ପାଇଁ ଏଗୁଡ଼ା ସଂପୂର୍ଣ୍ଣ ନୂଆ । ଆଗେ ସିନା ସେ ଝୁନିଆର ରୂପ ଦେଖି ଟଳି ପଡ଼ିଥିଲା, ଏବେ ତା ଗୁଣ ଦେଖି, ତା ଅନୁଭବ ଶୁଣି ଗୋଟାପଣେ କିଣି ହୋଇଗଲା । ଭାବିଲା, ଏମିତି ସ୍ତ୍ରୀ କେବଳ କପାଳେ ଥିଲେ ମିଳେ । ଏମିତିଆ ସ୍ତ୍ରୀ ପାଇଁ ସେ ବି, ଜାତି କି ପଞ୍ଚାୟତ କାହାକୁ ହେଲେ ଡରିବ ନାହିଁ ।

 

ଝୁନିଆ ଦେଖିଲା କଥା ଯେମିତି ଆଗେଇ ଗଲାଣି, ଗୋବରାର ଗାଁ ବି ସେମିତି ପାଖ ହୋଇଗଲାଣି । ହଠାତ୍ ସେ ଜିଭ କାମୁଡ଼ି ପକାଇ କହିଲା ମଲା, ତମେ ଏମିତି ଲୋକ, ତମ ଗାଁ ଆସି ପାଖ ହେଲାଣି, ମତେ କହନ୍ତି ନାହିଁ ଫେରିଯାଅ ବୋଲି । ଏତିକି କହି ଝୁନିଆ ଚଟ୍‍କରି ବୁଲି ପଡ଼ିଲା ।

 

ଗୋବରା ଭାରି ଆଦର କରି କହିଲା ଆମ ଘର ଯାଏ ତମେ ଚାଲନ୍ତ ବୋଲେ, ମା ବି ଟିକିଏ ତମକୁ ଦେଖନ୍ତା ।

 

ଝୁନିଆ ଟିକିଏ ଲାଜରା ହୋଇ କହିଲା–‘ନାହିଁ, ତମ ଘରକୁ ମୁଁ ଏମିତି ଯିବି ନାହିଁ । ମତେ ତ କାବା ଲାଗୁଛି, ମୁଁ ଏତେ ବାଟ କେମିତି ଚାଲି ଆସିଲି । ଆଚ୍ଛା, ତମେ କହ ଆଉ ପୁଣି କେବେ ଆସିବ । ଆଜି ସଞ୍ଜବେଳେ ଆମ ଦୁଆରେ ମେଳା ହେବ । ତମେ ଆସନ୍ତ ବୋଲେ ଆମ ବାଡ଼ିପଟ ଦେଖା ହୁଅନ୍ତା ।

 

‘ପୁଣି ଦେଖା ନହେବ ଯଦି ?’

 

‘ନ ହେଲେ ଫେରିଯିବ ।’

 

‘ନାହିଁ, ତାହା ହେଲେ ମୁଁ ଆସିବି ନାହିଁ ।

 

‘ମୁଁ ତ କହୁଛି ତମକୁ ଆସିବାକୁ ପଡ଼ିବ ।’

 

‘ତାହା ହେଲେ ତମେ ଜବାବ ଦିଅ ନିଶ୍ଚୟ ଦେଖାହେବ ବୋଲି ।’

 

‘ନାହିଁ, ସେ ଜବାବ ମୁଁ ଦେଇ ପାରିବି ନାହିଁ ।’

 

‘ତାହା ହେଲେ ତ ମୁଁ ଆସିବି ନାହିଁ ।’

 

‘ତମ ଇଚ୍ଛା ।

 

ଝୁନିଆ ହାତଠାରି ଦେଇ ଚାଲିଗଲା । ପହିଲି ଦେଖାରେ ଦିହିଁଙ୍କ ଯାକର ମାୟାମମତା ଖୁବ୍ ଜମି ଯାଇଥିଲା । ଝୁନିଆ ଜାଣିଥିଲା ଗୋବରା ନିଶ୍ଚୟ ଆସିବ । ନ ଆସି ଯିବ କୁଆଡ଼େ ? ଗୋବରା ବି ଜାଣିଥିଲା ଝୁନିଆ ନିଶ୍ଚୟ ଦେଖାଦେବ, ନ ଦେଇ ଯିବ କୁଆଡ଼େ ?

Image

 

Unknown

ଷଷ୍ଠ ପରିଚ୍ଛେଦ

 

ଝୁନିଆ ଫେରିଗଲା, ଗୋବରା ଗାଈ ଧରି ଘରମୁହାଁ ଚାଲିଲା । ମନ ତାର ଆଜି ଏମିତି ଖୁସି ସତେ ଯେମିତି ତାକୁ ସରଗ ମିଳିଯାଇଛି ।

 

ଜ୍ୟେଷ୍ଠମାସିଆ ସନ୍ଧ୍ୟା । ସମେରୀ ଗାଁର ଦାଣ୍ଡ ଘାଟ ସବୁଆଡ଼ ପାଣି ପଡ଼ି ଶୀତଳ ହୋଇଯାଇଛି, ବିଜୁଳିବତୀ ଲାଗିଛି, ପଙ୍ଖା ଘୂରୁଛି । ମଫସଲ ଗାଁ ହେଲେ ବି ଜମିଦାରଙ୍କ ସିପାହୀମାନେ ପଗଡ଼ି ପିନ୍ଧି ଲୋକଙ୍କ ଉପରେ ହାକିମ ଦେଖାଇବାରେ ଲାଗିଛନ୍ତି । ଆଉ ଆଉ ଚାକର ବାକର ସଫା ସୁତୁରା ଲୁଗା ପଟା ପିନ୍ଧି ଅତିଥି ଅଭ୍ୟାଗତ ଚର୍ଚ୍ଚା କରୁଛନ୍ତି । ଏତିକିବେଳେ ଗୋଟାଏ ମଟର ଗାଡ଼ି ଆସି ପହଁଚିଲା । ସେଥିରୁ ଧୋବ ଧଉଳିଆ ତିନିଜଣ ବାହାରି ପଡ଼ିଲେ । ତାଙ୍କ ଭିତରୁ ଯେଉଁ ଜଣକ ଖଦଡ଼ ଲୁଗା ଆଉ ଚୁପୁଲି ପିନ୍ଧିଥିଲେ ସେ ହେଉଛନ୍ତି ଦୈନିକ କାଗଜ ବିଜୁଳିର ସଂପାଦକ ପଣ୍ଡିତ ଓଁ କାରନାଥ । ଦିନ ରାତି ଖାଲି ତାଙ୍କର ଦେଶ ଚିନ୍ତା । ଆଉ ଜଣେ ଯେ ପେଣ୍ଟକୋଟ ପିନ୍ଧିଥିଲେ ସେ ହେଉଛନ୍ତି ଜଣେ ଓକିଲ । ତାଙ୍କ ନାଁ ଶ୍ୟାମବିହାରୀ । ଓକିଲାତିରେ ଭଲ ପଇସା ନ ହେବାରୁ ସେ ଏବେ ଜୀବନ ବୀମା କମ୍ପାନୀର ଏଜେଣ୍ଟ ହୋଇଛନ୍ତି । ଦରକାର ବେଳେ ମହାଜନଙ୍କ ଠାରୁ କିମ୍ବା ବ୍ୟାଙ୍କରୁ ଲୋକଙ୍କୁ ଟଙ୍କା ପଇସା କରାଇଦେଇ ତାଙ୍କଠୁ କିଛି ପାଆନ୍ତି । ଆଉ ଜଣେ ହେଉଛନ୍ତି ପ୍ରଫେସର ମେହତା । ସେ କଲେଜରେ ଦର୍ଶନଶାସ୍ତ୍ର ପଢ଼ାନ୍ତି-। ଏମାନେ ସମସ୍ତେ ରାୟସାହେବଙ୍କ ପାଠପଢ଼ୁଆ ସାଥୀ । ନିମନ୍ତ୍ରଣ ପାଇ ଆସିଛନ୍ତି-। ରାତିରେ ସେମାନଙ୍କ ପାଇଁ ଧନୁଯଜ୍ଞ ନାଟକ ହେବ ଏବଂ ଭୋଜିଭାତ ମଧ୍ୟ ହେବ ।

 

ଏଣେ ହୋରୀ ପାଞ୍ଚଟଙ୍କା ଭେଟି ଦେଇସାରି ନାଲି କୁର୍ତ୍ତା ନାଲି ପଗଡ଼ି ପିନ୍ଧି ପାଇକଛା ମାରି ଏପାଖ ସେପାଖ ବୁଲୁଥାଏ; ନାଟବେଳ ହେଲେ ମାଳୀ ହୋଇ ବାହାରିବ ବୋଲି ଅପେକ୍ଷା କରି ରହିଥାଏ । ଜଣାପଡ଼ୁଥାଏ ସତେ ଯେମିତି ଉତ୍ସବ ଗୋଟାଯାକ ତା’ର ।

 

ବନ୍ଧୁମାନେ ଗାଡ଼ିରୁ ଓହ୍ଲାଇଲାମାତ୍ରେ ରାୟସାହେବ ଆସି ପାଛୋଟି ନେଇଗଲେ । ରାୟସାହେବ ଦେଖିବାକୁ ଭାରି ସୁନ୍ଦର, ମୋଟାସୋଟା ହୋଇ ବେଶି ଡେଙ୍ଗା । ତାଙ୍କ ଗୋରା ଚକଚକ ଦେହକୁ ସିଲକ ଚଦର ଭାରି ମାନୁଥାଏ । ଦେଖାହେଲା ମାତ୍ରେ ଓଁକାରନାଥ ପଚାରିଲେ–‘ଆଜି କି ନାଟ ହେବ ? ନାଟ ତ ହେଉଛି ମୋର ଅସଲ’ ।

 

ରାୟସାହେବ ସେମାନଙ୍କୁ ଯଥାସ୍ଥାନରେ ବସାଇ ଦେଇ କହିଲେ,–ଆଗ ତ ଧନୁଯଜ୍ଞ ଯାତ୍ରା ହେବ, ତା ପରେ ଗୋଟେ ଫାର୍ଶ ହେବ । ସେମିତି ଭଲ ଫାର୍ଶ ତ କିଛି ମିଳିଲା ନାହିଁ । ଯାହା ମିଳିଲା କେଉଁଟା ବଡ଼ ତ, କେଉଁଟା ଲୋକଙ୍କ ପକ୍ଷରେ ବୁଝିବା କଠିନ । ସେଥିପାଇଁ ମୁଁ ନିଜେ ଗୋଟାଏ ଫାର୍ଶ ଲେଖି ଦେଇଛି, ଦି’ଘଣ୍ଟା ଖଣ୍ଡେ ଲାଗିବ ।

 

ରାୟସାହେବଙ୍କ କଥା ଶୁଣିଲା ମାତ୍ରେ ଓଁକାରନାଥ ମୁହଁ ବୁଲେଇ ଦେଲେ । ରାୟସାହେବ ପୁଣି ଫାର୍ଶ ଲେଖିବେ, ତାକୁ ପୁଣି ଲୋକେ ଦେଖିବେ । ରଜାମହାରଜାଙ୍କ ହାତରେ ଲେଖାପଢ଼ା କାମ ହୁଏ ନାହିଁ । ଲେଖାପଢ଼ା କାମ ହେଉଛି ଗରିବଙ୍କର, ଯାହାଙ୍କର ବେଶି ବୁଦ୍ଧି ଥାଏ । ଏସବୁ ବାଜେ କଥାରେ ପାଟି ଫିଟାଇବା ପାଇଁ ଓକିଲ ଶ୍ୟାମବିହାରୀଙ୍କର ଇଚ୍ଛା ନୁହେଁ । ତଥାପି ନିଜର ଯୋଗ୍ୟତା ଦେଖାଇବା ପାଇଁ କିଛି କହିବା ଦରକାର ଭାବି ସେ କହିଲେ–‘ନାଟକ ଯେମିତି ଇଚ୍ଛା ସେମିତି ଲେଖାହେଲେ କିଛି ଯାଏ ଆସେ ନାହିଁ, ଅସଲ ହେଉଛି ଲୋକ ଭଲ ହେଲେ ହେଲା । ଲେଖା ଯେତେ ବଢ଼ିଆ ହେଲେ ବି କରିବାବାଲା ଭଲ ନହେଲେ ତାର କୌଣସି ମୂଲ୍ୟ ରହେ ନାହିଁ । ଶିକ୍ଷିତ ଲୋକେ ଯେତେଦିନ ପର୍ଯ୍ୟନ୍ତ ଷ୍ଟେଜ୍ ଉପରକୁ ନ ଆସିଛନ୍ତି, ସେତେଦିନ ପର୍ଯ୍ୟନ୍ତ ନାଟ୍ୟକଳାର ଉନ୍ନତି ଅସମ୍ଭବ । ଫାର୍ଶ କଥା ଯାହାହେଉ, ଏବେ ତ ଆମେ ଶୁଣିଲୁ କାଉନସିଲରେ ନାନାପ୍ରକାର ପ୍ରଶ୍ନ ଉଠାଇ ଆପଣ ଖୁବ୍ ଚହଳ ପକାଇଛନ୍ତି । ଆଗରୁ ଏମିତି କେବେ ଆମେ ଶୁଣି ନଥିଲୁ ।’

 

ପ୍ରଫେସର ମେହେତା ମିଛ ପ୍ରଶଂସା ଶୁଣି ଚୁପ୍ ରହିବା ଲୋକ ନୁହନ୍ତି । ଠିକ୍ କଥା ସେ ମୁହେଁ ମୁହେଁ ବତେଇ ଦିଅନ୍ତି । ସେ ନିଜେ ଖଣ୍ଡେ ଖୁବ୍ ଭଲ ବହି ଲେଖିଥିଲେ । ଭାବିଥିଲେ ବହୁତ ପ୍ରଶଂସା ପାଇବେ କିନ୍ତୁ କିଛି ମିଳିଲା ନାହିଁ । ରାୟସାହେବଙ୍କ ମିଛ ପ୍ରଶଂସା ଶୁଣିଲା ମାତ୍ରେ ଚଟକରି ସେ କହିପକାଇଲେ, ହଁ, ଖାଲି ଗୁଡ଼େ ପ୍ରଶ୍ନ ପଚାରିଲେ କ’ଣ ହେବ ? ପ୍ରଶ୍ନ ତ ଯେ କେହି ପଚାରି ପାରିବ । ଖାଲି ପ୍ରଶ୍ନ ପଚାରିବା ଲୋକଙ୍କୁ ମୁଁ ପସନ୍ଦ କରେ ନାହିଁ । ଯେଉଁଲୋକ ନିଜ କହିବା ଅନୁସାରେ କାମ କରେ ମୁଁ କେବଳ ସେହିପରି ଲୋକଙ୍କୁ ପସନ୍ଦ କରେ । ରାୟସାହେବ ଯଦି ପ୍ରକୃତରେ ପ୍ରଜାଙ୍କର ମଙ୍ଗଳ ଚାହାନ୍ତି, ଆଉ ଜମିଦାରମାନଙ୍କର ଅଯଥା ଅଧିକାର ଉଠାଇ ଦେବାକୁ ଚାହାନ୍ତି, ତେବେ ନିଜେ ଆଗ ସେ ଆଦର୍ଶ ଦେଖାଉ ନାହାନ୍ତି କାହିଁକି ?

 

ଖାଲି କାଉନସିଲରେ କହୁଛନ୍ତି ନା, କରୁଛନ୍ତି କାହିଁ ? ସବୁ ଜମିଦାର ଯାହା କରୁଛନ୍ତି ସେ ବି ସେୟା କରୁଛନ୍ତି । ପ୍ରକୃତରେ ଯଦି ସେ ପ୍ରଜାଙ୍କର ମଙ୍ଗଳ ଚାହାନ୍ତି ତେବେ ଖଜଣା ମାଗଣା, ବେଠୀ ବେଗାରୀ ସବୁ ଉଠାଇଦେବା ଉଚିତ; ପଡ଼ିଆ ପଙ୍କାଳ ସବୁ ଗୋରୁଗାଈଙ୍କ ପାଇଁ ଛାଡ଼ିଦେବା ଉଚିତ । ଯେଉଁମାନେ ଜାତିଏ କହି ଜାତିଏ କରନ୍ତି ସେମାନଙ୍କ ପ୍ରତି ମୋର ଏତେ ଟିକିଏ ହେଲେ ସହାନୁଭୂତି ନଥାଏ । ଏଣେ କଥା କହୁଥିବ କମୁନିଷ୍ଟଙ୍କ ପରି, ତେଣେ ଭୋଗ ବିଳାସରେ ଭାସୁଥିବ ରଜା ମହାରଜାଙ୍କ ପରି ।

 

ମେହେତାଙ୍କ କଥା ଶୁଣି ରାୟସାହେବଙ୍କୁ ଟିକିଏ ଭାରି ଖରାପ ଲାଗିଲା । ଓକିଲ ବିଚାରା ମନେ ମନେ ଭାରି ରାଗିଗଲେ । ଓଁକାରନାଥଙ୍କ ମୁହଁରେ ସତେ ଯେମିତି କାଳି ବୋଳି ହୋଇଗଲା । ସାମ୍ୟବାଦୀ ହେଲେ ବି ମୁହେଁ ମୁହେଁ କାହାକୁ ଏମିତି କହିବା ତାଙ୍କର ଇଚ୍ଛା ନୁହେଁ ।

 

ଟିକିଏ ଓକିଲାତି ବୁଦ୍ଧି ଖର୍ଚ୍ଚ କରି ଶ୍ୟାମବିହାରୀ କହିଲେ–ମୋର ତ ଧାରଣା ରାୟସାହେବ ତାଙ୍କ ପ୍ରଜାମାନଙ୍କ ପ୍ରତି ଯେମିତି ବ୍ୟବହାର କରନ୍ତି ଅନ୍ୟ ଜମିଦାରମାନେ ସେତିକି କଲେ ବି କାହିଁରେ କ’ଣ ହୁଅନ୍ତା ।

 

ମେହେତା କି ସହଜରେ ଛାଡ଼ିବା ଲୋକ ? ପୁଣି ଆଚ୍ଛାକରି ବତାଇଲେ–ହଁ, ଭଲ ବ୍ୟବହାର କରି ପାରୁଥାନ୍ତି କିନ୍ତୁ ଆମକୁ ଦେଖିବାକୁ ହେବ, ସେଥିରେ ତାଙ୍କର ସ୍ୱାର୍ଥ ଅଛି କି ନାହିଁ । ଯଦି ସ୍ୱାର୍ଥ ପାଇଁ କରୁଥାନ୍ତି ତେବେ ତ ଆହୁରି ଖରାପ । କାରଣ ବିଷ ଅପେକ୍ଷା ଗୁଡ଼ମିଶା ବିଷ ଯେ ଆହୁରି ଖରାପ ! ଲୋକଙ୍କୁ ସେଥିରେ ମାରିବା ଆହୁରି ସହଜ । ମୋର କହିବାର କଥା ହେଉଛି, ହେଲେ ଏପାଖ ହେବ, ନହିଲେ ସେପାଖ ହେବ । ମଝି ମଝିଆ ହୋଇ କିଛି ଲାଭ ନାହିଁ । ହେଲେ ତ ପୂରା ସାମ୍ୟବାଦୀ ନହିଲେ ତ ନାହିଁ ଯେମିତିକୁ ସେମିତି । ଯଦି କେହି କହେ ଯେ ମାଛ ମାଂସ ଖାଇବା ଭଲ, ତେବେ ସେ ଦେଖାଇ କରି ଖାଇବା ଉଚିତ; ନାହିଁ ଯଦି କହେ ଖରାପ, ତେବେ ପୂରାପୂରି ଛାଡ଼ିଦେବା ଉଚିତ । କିନ୍ତୁ ଏଣେ ଭଲ କହୁଥିବ ଅଥଚ ଦେଖାଇ ଖାଇବାର ସାହସ ନଥିବ, ସେମିତି ଲୋକଙ୍କୁ ମୁଁ ଭଣ୍ଡ ଛଡ଼ା ଆଉ କିଛି କହେ ନାହିଁ ।

 

ରାୟସାହେବ ଯେମିତି ଚତୁର, ସେମିତି ଧୀରସ୍ଥିର । ଅପମାନ ସହିବା ବିଷୟରେ ତାଙ୍କର ଭାରି ଧୈର୍ଯ୍ୟ । ବିଚାରା ଟିକିଏ ଅଡ଼ୁଆରେ ପଡ଼ିଯାଇ କହିଲେ–ମେହେତା ସାହେବ, ଆପଣ ଯାହା କହିଲେ ସବୁ ଅକ୍ଷରେ ଅକ୍ଷରେ ସତ । କିନ୍ତୁ ଆପଣ ବୋଧେ ଜାଣନ୍ତି ନାହିଁ, ଆପଣଙ୍କ ଖୋଲା ଖୋଲି କଥାକୁ ମୁଁ କେତେ ପସନ୍ଦ କରେ । ମାତ୍ର ଗୋଟିଏ କଥା ଆପଣଙ୍କୁ ମନେରଖିବାକୁ ହେବ ଯେ, ଦୁନିଆରେ କୌଣସି କଥା ହଠାତ୍ ହୋଇପାରେ ନାହିଁ । ସବୁ ଆସ୍ତେ ଆସ୍ତେ ହୁଏ । ମଝି ପାହାଚକୁ ଛାଡ଼ି ଦେଇ କେହି ଉପର ପାହାଚକୁ ଚଢ଼ି ପାରେ ନାହିଁ । ଆପଣ ତ ଜାଣନ୍ତି ଆମ୍ଭେମାନେ ଏମିତି ବାୟୁମଣ୍ଡଳରେ ବଢ଼ି ଆସିଛୁ, ଯେଉଁଠି ରାଜା କହିଲେ ସ୍ଵୟଂ ଈଶ୍ୱର ଏବଂ ଜମିଦାର କହିଲେ ଈଶ୍ୱରଙ୍କ ଖୋଦ୍ ମନ୍ତ୍ରୀଙ୍କୁ ବୁଝାଏ । ଆମ ବାପ, ଜେଜେବାପ ଥିଲେ ଯେ ବଢ଼ି ମରୁଡ଼ିରେ ଲୋକଙ୍କୁ ଖୁବ୍ ସାହାଯ୍ୟ କରୁଥିଲେ; ଖଜଣା ଯେମିତି ଛାଡ଼ି ଦେଉଥିଲେ, ଅମାରରୁ ସେମିତି ଧାନ ଚାଉଳ କାଢ଼ି ବି ବାଣ୍ଟି ଦେଉଥିଲେ । ଘରୁ ଗହଣାଗଣ୍ଠି ବିକିଦେଇ ପ୍ରଜାଙ୍କର ଝିଅ ପୁଅଙ୍କୁ ବାହା କରାଇ ଦେଉଥିଲେ । ମାତ୍ର ପ୍ରଜାମାନଙ୍କୁ ତାଙ୍କ ହାକିମି ସ୍ଵୀକାର କରିବାକୁ ପଡ଼ୁଥିଲା ଏବଂ ତାଙ୍କୁ ଦେବତା ପରି ପୂଜା କରିବାକୁ ପଡ଼ୁଥିଲା । ପ୍ରଜାଙ୍କୁ ପାଳିବା ତ ତାଙ୍କର ଧର୍ମ । କିନ୍ତୁ ଅଧିକାର କିମ୍ବା ହକ୍ ଦାବୀର ପ୍ରଶ୍ନ ଉଠିଲେ ପାହୁଲାଟାଏ ସେମାନେ ଦେଉ ନଥିଲେ । ମୁଁ ଏହିପରି ବାୟୁମଣ୍ଡଳ ଭିତରେ ବଢ଼ିଛି କିନ୍ତୁ ମୋର ଗର୍ବ ହେଉଛି ଯେ କାମରେ ଯାହା ହେଉପଛେ, ବିଚାରରେ ମୁଁ ବହୁତ ଆଗେଇ ଯାଇଛି । ମୋର ଧାରଣା ପ୍ରଜାମାନେ ଯେତେଦିନ ପର୍ଯ୍ୟନ୍ତ ତାଙ୍କ ସୁଖ ସୁବିଧା କେବଳ ହାତ ପତାଇକରି ମାଗୁଥିବେ କିନ୍ତୁ ଦାବୀ କରିବାକୁ ଶିଖି ନଥିବେ, ସେତେଦିନ ପର୍ଯ୍ୟନ୍ତ ତାଙ୍କ ଅବସ୍ଥା ଏତେ ଟିକେ ବି ସୁଧୁରିବ ନାହିଁ । ଆପେ ଆପେ ସ୍ଵାର୍ଥ ଛାଡ଼ିଦେବା ଲୋକ ଦୁନିଆରେ କେତେ ଜଣ ? ପ୍ରଜାଙ୍କର ମଙ୍ଗଳ ଚାହୁଁଥିଲେ ମଧ୍ୟ ସ୍ଵାର୍ଥ ଛାଡ଼ିବା ମୋ ପକ୍ଷରେ ସହଜ ନୁହେଁ । ମୋର ଇଚ୍ଛା, ଏମିତି ଆଇନ ହୁଅନ୍ତା ଯେ ଜମିଦାରମାନେ ନିଜ ନିଜର ଅଧିକାର ଛାଡ଼ିବାକୁ ବାଧ୍ୟ ହୁଅନ୍ତେ । ମୁଁ ତ ବରାବର କହେ ପର ରୋଜଗାର ଖାଇ ମୋଟା ହେବାର ଅଧିକାର ଦୁନିଆରେ କାହାର ନାହିଁ । ପର ସମ୍ପତ୍ତି ମାରି ଖାଇବା ଲଜ୍ଜାର କଥା । ପ୍ରାଣୀମାତ୍ରେ ହିଁ କାମ କରି ପେଟ ପୋଷିବା ଉଚିତ । କିନ୍ତୁ ସଂସାରର ଗତି ଏମିତି ଯେ ଅଳ୍ପ କେତେଜଣଙ୍କୁ କେବଳ ଆରାମ ମିଳୁଛି ବାକି ସବୁ ପେଶୀ ହୋଇ ମରୁଛନ୍ତି । ମୁଁ ତ ଭାବେ ପୁଞ୍ଜି ଆଉ ଶିକ୍ଷା ଉଭୟ ଖରାପ । ଏମାନଙ୍କର ଆଧିପତ୍ୟ ଯେତେ ଶୀଘ୍ର ନଷ୍ଟ ହୁଏ ସେତେ ଚଞ୍ଚଳ ଯାଇ ରକ୍ଷା । ଯେଉଁ ଦେଶର ଲୋକେ ଭୋକ ଓପାସରେ ସଢ଼ି ମରନ୍ତି, ସେହି ଦେଶର ଶିକ୍ଷିତ ଅଫିସରମାନେ ହଜାର ହଜାର ଟଙ୍କା ଦରମା ନେଇ ଆରାମ କରନ୍ତି । ୟା’ଠୁ ବଳି ଲଜ୍ଜାର କଥା ଆଉ କ’ଣ ହୋଇପାରେ ? ସମାଜର ଏହି ବିଷମ ବ୍ୟବସ୍ଥାର ସୁଯୋଗ ନେଇ ଆମ ଜମିଦାରମାନେ କେତେ ପ୍ରକାର ବିଳାସ, ବଦମାସୀ, ବେହିୟାମି ପୁଣି ଦରକାର ବେଳେ ଖୁସାମତି କରନ୍ତି, ସେ କଥା ଏକା ମୁଁ ଜାଣେ । ତଥାପି ନାନା କାରଣରୁ ମୁଁ ତାର ପ୍ରତିବାଦ କରିପାରେ ନାହିଁ, ଯଦିଓ ଆପଣା ସ୍ୱାର୍ଥି ଦୃଷ୍ଟିରୁ କରିବା ଉଚିତ । ଆମେମାନେ ଯେମିତି ଆଡ଼ମ୍ବରରେ ଥାଉ, ସେହି ଆଡ଼ମ୍ଵରକୁ ରକ୍ଷା କରିବା ପାଇଁ ଆମକୁ କେତେ ଭାବରେ ଯେ ଆତ୍ମପୀଡ଼ନ କରିବାକୁ ପଡ଼େ ତାର ଠିକଣା ନାହିଁ । ଏକେତ ପ୍ରଜାଙ୍କୁ ଲୁଟି କରିବାକୁ ବାଧ୍ୟ, ପୁଣି ଉପର ହାକିମଙ୍କୁ ଡାଲା ଯୋଗାଇବାକୁ ବି ବାଧ୍ୟ । ତେଣେ ପୁଣି ଆଡ଼ା ଚଉଡ଼ାରେ ନ ରହିଲେ ଲୋକେ କଞ୍ଜୁସ୍ କହିବେ ବୋଲି କାହିଁରେ କ’ଣ ଡର । ନିଜ ଉପରେ ତ ଏତେ ଟିକିଏ ବୋଲି ବିଶ୍ଵାସ ନଥାଏ, ତେଣୁ ରାଜ୍ୟ ଭିତରେ କେଉଁଠି ଏତେ ଟିକିଏ ଖଡ଼୍ କିନା ହେଲେ ଆମେ ସାହାଯ୍ୟ ପାଇଁ ଅଫିସରଙ୍କ ପାଖକୁ ଦୌଡ଼ୁଁ । ଦୁଧଖିଆ ପିଲାଙ୍କ ଅବସ୍ଥା ଯାହା, ଆମ ଅବସ୍ଥା ଠିକ୍ ସେୟା । ଦେଖିବାକୁ ଉପରଟା ଖାଲି ଚିକକଣ ଚାକଣ । କିନ୍ତୁ ଭିତରେ ବଳ ବୋଲି ପାହୁଲାଟାକର ନଥାଏ, ସବୁବେଳେ ଖାଲି ପର ହାତକୁ ଅନାଇଁ ବସିଥାଉଁ ।

 

ଏ କଥା ଶୁଣି ମେହେତା ତାଳିମାରି କହିଲେ–ହିୟର, ହିୟର । ଆପଣଙ୍କ କଥାରେ ଯେତିକି ବୁଦ୍ଧି ଅଛି, ମଥାରେ ଯଦି ସେତିକି ଥା’ନ୍ତା, ତେବେ ଆଉ ଭାବିବାର କ’ଣ ଥିଲା ? ମୋର ଖାଲି ଦୁଃଖ ହେଉଛି, ଆପଣ ସବୁ ଜାଣିଶୁଣି ବି କିଛି କରିପାରୁ ନାହାନ୍ତି ।

 

ମେହେତାଙ୍କ କଥା ଶୁଣି ଓଁକାରନାଥ କହିଲେ–ମେହେତା ସାହେବ, ଆପଣଙ୍କର ମନେ ରଖିବା ଉଚିତ୍ ଯେ ଜଣେ ଲୋକ ଏକୁଟିଆ ସବୁ କାମ କରିପାରେ ନାହିଁ, ତା ଛଡ଼ା ଆମକୁ ବେଳକାଳ ଦେଖି ଚାଲିବାକୁ ହେବ ଏବଂ ବେଳକାଳକୁ ଆମ ସାଥୀରେ ଚଲେଇବାକୁ ହେବ । ଦୁନିଆରେ ଖରାପ କାମ କରିବାପାଇଁ ଯେତେ ସାଙ୍ଗସାଥୀ ଜୁଟିବେ, ଭଲକାମ ପାଇଁ ସେତେ କେବେହେଲେ ଜୁଟିବେ ନାହିଁ । ଆପଣ ଆଗ ନିଜ କଥା ଭାବୁ ନାହାନ୍ତି । କୋଟି କୋଟି ଦେଶଭାଇ ଯେତେବେଳେ ଆଠଟଙ୍କାରେ ଗୁଜରାଣ ମେଣ୍ଟାଉଛନ୍ତି, ଆପଣ ସେତେବେଳେ ମାସକୁ ଆଠଶହ ଟଙ୍କା ମାରି ନେଉଛନ୍ତି କେମିତି !

 

ଏ କଥା ଶୁଣି ଜମିଦାର ସାହେବ ମନେ ମନେ ଭାରି ଖୁସି ହେଲେ ବି ଉପରେ ଟିକିଏ ଦୁଃଖ ପ୍ରକାଶ କରି କହିଲେ–ଦେଖନ୍ତୁ ସମ୍ପାଦକ ସାହେବ, ଆମେ ତ ସମାଜ କଥା ବିଚାର କରୁଛେ, ବ୍ୟକ୍ତିଗତ ଆକ୍ଷେପ କରି ଲାଭ କ’ଣ ?

 

ମେହେତା କିନ୍ତୁ ଖୁବ୍ ଧୀରସ୍ଥିର ହୋଇ କହିଲେ–ହିଁ, ସମ୍ପାଦକ ମହାଶୟ ! ଯାହା କହିଲେ ସେଥିରେ ମୋର ଏତେଟିକେ ବି ଆପତ୍ତି ନାହିଁ । ବ୍ୟକ୍ତିକୁ ନେଇ ତ ସମାଜ । ସମାଜ କଥା ଯେତେବେଳେ ବିଚାର ହେଉଛି, ସେତେବେଳେ ବ୍ୟକ୍ତି କଥା ବିଚାର କଲେ କ୍ଷତି କ’ଣ ? ମୁଁ ଏତେ ଦରମା ନେବାର କାରଣ ହେଉଛି ମୋର ବିଶ୍ଵାସ ନାହିଁ ଯେ ଦୁନିଆରେ ସାନ ବଡ଼ ସମସ୍ତେ ସମାନ ହୋଇ ପାରିବେ ।

 

“ଆପଣ ତା’ ହେଲେ ଚାହାନ୍ତି ଯେ ଦୁନିଆରେ ସବୁଦିନେ ସାନ ବଡ଼ ଭେଦ ଲାଗିଥାଉ-?” ମୋର ତ ବରାବର ବିଶ୍ଵାସ ଯେ ସଂସାରରେ ସାନ ବଡ଼ ରହିବଇ ରହିବ, ରହିବା ଦରକାର ମଧ୍ୟ । ସାନ ବଡ଼ ଭେଦ ଉଠାଇ ଦେବା ମାନେ ହେଉଛି ଦୁନିଆର ସର୍ବନାଶ କରିବା ।

 

ରାୟସାହେବ ବର୍ତ୍ତମାନ ଆଡ଼େଇ ହୋଇଗଲେ, ସମ୍ପାଦକ ଆଉ ପ୍ରଫେସରଙ୍କ ଭିତରେ ଇଢ଼େଇ ଚାଲିଲା । ସମ୍ପାଦକ ପଚାରିଲେ–ଏହି ବିଂଶ ଶତାବ୍ଦୀରେ ମଧ୍ୟ ଆପଣ ସାନ ବଡ଼ ଭେଦ ସ୍ଵୀକାର କରିବାପାଇଁ ରାଜି ?

 

‘ଖାଲି ତ ରାଜି ନୁହେଁ, ସେଥିରେ ମୋର ପୂରା ବିଶ୍ଵାସ । କିନ୍ତୁ ଆପଣମାନଙ୍କର ଯେଉଁ ସାମ୍ୟବାଦୀ ନୀତି ସେ ଆଜି କିଛି ନୂଆ ଜିନିଷ ନୁହେଁ । ମନୁଷ୍ୟ ପ୍ରତି ମନୁଷ୍ୟର ଯେଉଁଦିନୁ ମମତା ସୃଷ୍ଟି ହେଲାଣି, ସେହିଦିନୁ ସାମ୍ୟବାଦ ମତର ପରୀକ୍ଷା ଚାଲିଛି । ବୁଦ୍ଧ ଓ ପ୍ଲେଟୋଙ୍କ ପରି ମହାତ୍ମା ବି ସେହି ମତ ପରୀକ୍ଷା କରିଯାଇଛନ୍ତି । ୟୁନାନ୍, ରୋମ, ସିରିଆ ସବୁ ଦେଶରେ ବି ତାର ପରୀକ୍ଷା ହୋଇ ସାରିଛି, ମାତ୍ର କେଉଁଠି ହେଲେ ତାହା ସଫଳ ହୋଇନି ।’

 

‘ଆପଣଙ୍କ କଥା ଶୁଣିତ ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ।’

 

‘ନ ଜାଣିବା ଲୋକଙ୍କୁ ତ ଲାଗିବଇ ଲାଗିବ ।’

 

‘ଆପଣ ଯଦି ଏ ବିଷୟରେ ଗୋଟାଏ ଦୁଇଟା ପ୍ରବନ୍ଧ ଲେଖି ପାରନ୍ତେ, ତେବେ ମୁଁ ବଡ଼ କୃତଜ୍ଞ ହୁଅନ୍ତି ।’

 

‘ହଁ, ସେମିତିଆ ବୋକାମି କରିବାପାଇଁ ମୁଁ ପ୍ରସ୍ତୁତ, ଯଦି ଆପଣ କିଛି ପଇସାପତ୍ର ଯୋଗାଡ଼ କରାଇଦେଇ ପାରିବେ ।’

 

‘ମୁଁ ତ ଯାହା ଦେଖିଲିଣି, ଦିନ ଦି’ପହରେ ବି ଲୋକଙ୍କୁ ଲୁଟି କରି ନେବା ଆପଣଙ୍କ ପକ୍ଷରେ ବିଚିତ୍ର ନୁହେଁ !’

 

‘ନାହିଁ, ସେ କଥା କାହିଁକି ଭାବୁଛନ୍ତି ? ଆପଣଙ୍କ ଆଉ ମୋ ଭିତରେ ବିଶେଷ ତଫାତ୍ ନାହିଁ ଯେ, ତଫାତ୍ ହେଉଛି ମୁଁ ଯାହା ଠିକ୍ ବୋଲି ଭାବେ ସେୟା କରେ, ମାତ୍ର ଆପଣମାନେ କହନ୍ତି ଜାତିଏ କିନ୍ତୁ କରନ୍ତି ଜାତିଏ । ହଁ, ଧନ ସମ୍ପତ୍ତିକୁ ଆପଣ ଲୋକଙ୍କ ଭିତରେ ସମାନ ଭାବରେ ବାଣ୍ଟି ପାରନ୍ତି । ମାତ୍ର ବୁଦ୍ଧି, ଚରିତ୍ର, ରୂପ, ପ୍ରତିଭା, ୟାକୁ ତ କେବେ ସମାନ କରି ବାଣ୍ଟି ପାରିବେ ନାହିଁ । ଲୋକେ ତ ଖାଲି ଧନବଳରେ ସାନ ବଡ଼ ହୁଅନ୍ତି ନାହିଁ, ବୁଦ୍ଧି ବିଦ୍ୟାରେ ବି ସାନ ବଡ଼ ହୁଅନ୍ତି । ମୁଁ ତ ଏମିତି କେତେ ଧନକୁବେରଙ୍କୁ ଦେଖିଛି, ଆପଣ ବି ଦେଖିଥିବେ, ଯେଉଁମାନେ ଭିକାରୀଙ୍କ ପାଖରେ ବି ମୁଣ୍ଡ ନୁଆଁନ୍ତି । ଏମିତି କେତେ ରଜା ମହାରଜା ଅଛନ୍ତି ଯାହାଙ୍କ ରୂପ ଦେଖିବାକୁ ବି ଅତି କଦର୍ଯ୍ୟ । ଧନ ସିନା ସମାନ ହୋଇଯିବ କିନ୍ତୁ ଏ ତଫାତଗୁଡ଼ା ଯିବ କୁଆଡ଼େ-? ସେତେବେଳେ ଅବା ଚାକିରିଆମାନେ ବଡ଼ ଥିଲେ, ଏବେ ତ ମିଲ୍ ମାଲିକମାନେ ବଡ଼ ହୋଇ ବସିଛନ୍ତି । ବୁଦ୍ଧି ହେଉଛି ସବୁ ଯୁଗରେ ମାଲିକ୍ । ସେ ମାଲିକ୍ ଥିଲା, ଏବେ ଅଛି, ସବୁଦିନେ ବି ରହିଥିବ ।’

 

ଠିକ୍ ଏତିକିବେଳକୁ ପାନଥାଳି ଆସି ପହଞ୍ଚିଗଲା । ରାୟସାହେବ ନିଜେ ଅତିଥିମାନଙ୍କୁ ପାନ ମସଲା ବାଣ୍ଟୁ ବାଣ୍ଟୁ କହିଲେ–ହଁ ବୁଦ୍ଧିକୁ ଆମେ ବଡ଼ ବୋଲି ମାନିବାକୁ ରାଜି, ମାତ୍ର ବୁଦ୍ଧି ସ୍ଵାର୍ଥରୁ ମୁକ୍ତ ହେବା ଉଚିତ । ସେହି ହେଉଛି ସାମ୍ୟବାଦର ଆଦର୍ଶ । ସାଧୁ ଓ ମହାତ୍ମାମାନେ ନିଃସ୍ଵାର୍ଥପର ହୋଇଥିବାରୁ ତାଙ୍କ ପାଖରେ ଆମେ ମୁଣ୍ଡ ନୁଆଇଁ ଥାଉ । ବୁଦ୍ଧିମାନ ଲୋକଙ୍କୁ ଆମେ ମାନ, ସମ୍ମାନ, ନେତୃତ୍ୱ, ଅଧିକାର ସବୁ କିଛି ଦେବାକୁ ଚାହୁ, କିନ୍ତୁ ଧନ ଦେବାକୁ ଚାହୁ ନାହିଁ । କାରଣ ଧନ ହେଉଛି ସବୁ ଅନର୍ଥର ମୂଳ । ବୁଦ୍ଧିମାନ ଲୋକ ମରିଗଲେ ବୁଦ୍ଧିର କାମ ଶେଷ ହୋଇଯାଏ, ମାତ୍ର ଧନୀ ଲୋକ ମରିଗଲେ ତାଙ୍କ ଧନର କାରସାଦି ଶେଷ ହୋଇଯାଏ ନାହିଁ, ବରଂ ତାର ବିଷାକ୍ତ ପ୍ରଭାବ ଚାରିଆଡ଼େ ଘୂରି ବୁଲେ । ଏ କଥା ସତ, ବୁଦ୍ଧି ବିନା ସମାଜ ଚଳିପାରେ ନାହିଁ କିନ୍ତୁ ୟା ବୋଲି ବୁଦ୍ଧି ଅନୁସାରେ ଧନ ବାଣ୍ଟିବା ପାଇଁ ଆମେ ରାଜି ନୁହଁ ।

 

ଏତିକି ବେଳକୁ ଆଉ ଗୋଟେ ମଟର ଗାଡ଼ି ଆସି ପହଞ୍ଚିଲା । ସେଥିରେ ତିନିଜଣ ଲୋକ ଥିଲେ । ଜଣେ ହେଉଛନ୍ତି ଖନ୍ନା ସାହେବ । ସେ ଜଣେ ବ୍ୟାଙ୍କ୍ ଏବଂ ଚିନିକଳ ମ୍ୟାନେଜର-। ତାଙ୍କ ସାଙ୍ଗରେ ଦୁଇଜଣ ସ୍ତ୍ରୀ ଲୋକ ଥିଲେ । ସେମାନଙ୍କ ଭିତରୁ ଯେ ଖଦୀ ପିନ୍ଧିଥିଲେ ସେ ହେଉଛନ୍ତି ଶ୍ରୀମତୀ କାମିନୀ ଖନ୍ନା, ଭାରୀ ଚୁପଚାପ୍ ଆଉ ଧୀରସ୍ଥିର । ଆଉ ଜଣକ ଯେ ସାଇବାଣୀଙ୍କ ପରି ପୋଷାକ ଏବଂ ହାଇହିଲ୍ ଯୋତା ପିନ୍ଧିଥିଲେ ସେ ହେଉଛନ୍ତି ମିସ୍ ମାଳତୀ, ବିଲାତ ଫେରନ୍ତା ଡାକ୍ତରାଣୀ, ମୁହଁରେ ତାଙ୍କର ସବୁବେଳେ ଖାଲି ବିଲାତି ହସ । ସ୍ତ୍ରୀଲୋକମାନଙ୍କ ସଙ୍ଗରେ ତାଙ୍କର ଭାରି ମେଳାପି, ସତେ ଯେମିତି ଆଧୁନିକତାର ପ୍ରତିନିଧି । ବେଶଭୂଷା ତ କାହିଁରେ କ’ଣ ! କଥା କଥାକେ ଜବାବ, ଲଜ୍ଜା ସଂକୋଚର ପ୍ରଶ୍ନ ନାହିଁ । ସ୍ତ୍ରୀଙ୍କ ଛଡ଼ା ପୁରୁଷମାନଙ୍କ ମନକଥା ବି ସେ ବେଶ୍ ଜାଣିପାରନ୍ତି । ଜୀବନରେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଭୋଗବିଳାସ-। ତାଙ୍କ ପାଖରେ ଆନ୍ତରିକତା ବୋଲି ଜିନିଷ ନାହିଁ, ସବୁ ଖାଲି ଲୋକଦେଖାଣ କାରବାର-। ନିଜ ମନକଥା ସେ ଏମିତି ଘୋଡ଼ାଇ କରି ରଖି ଜାଣନ୍ତି ଯେ ତାକୁ ଜାଣି ପାରିବା ଭାରି ମୁସ୍କିଲ ।

 

ମେହେତାଙ୍କ ସଙ୍ଗେ କରମର୍ଦ୍ଦନ କରୁ କରୁ ମାଳତୀ କହିଲେ–ଆପଣଙ୍କ ଚେହେରା ଦେଖିଲା ମାତ୍ରେ ଜଣାପଡ଼େ ଆପଣ ଦାର୍ଶନିକ । ଆପଣଙ୍କ ବହିରେ ତ ଆପଣ ଆତ୍ମବାଦୀମାନଙ୍କୁ ଶେଷ କରି ଦେଇଛନ୍ତି । ତାକୁ ପଢ଼ି ବସିଲେ ଆପଣଙ୍କ ସଙ୍ଗେ କଳି କରିବାକୁ ମନ ହୁଏ । ଦାର୍ଶନିକମାନେ କାହିଁକି ଏଡ଼େ ହୃଦୟହୀନ କିଛି ଜଣାପଡ଼େ ନାହିଁ ।

 

ମାଳତୀଙ୍କ କଥା ମେହେତା ବିଚାରା ଇତସ୍ତତଃ ହୋଇ ପଡ଼ିଲେ । ପୁରୁଷଙ୍କ ମେଳରେ ସେ ଖୁବ୍ ପାଟିତୁଣ୍ଡ କରନ୍ତି ସିନା, କିନ୍ତୁ କୌଣସି ସ୍ତ୍ରୀଲୋକ ଆସି ପହଞ୍ଚିଗଲେ ଅକଲ ଗୁଡ଼ୁମ ହୋଇଯାଏ, ପାଟିରେ ଏକଦମ ତାଲା ପଡ଼ିଯାଏ । ଏମିତିକି ସ୍ତ୍ରୀମାନଙ୍କ ପ୍ରତି କେମିତି ଆଦର ସମ୍ମାନ ଦେଖାଇବାକୁ ହେବ, ତାକୁ ପର୍ଯ୍ୟନ୍ତ ସେ ଭୁଲିଯାନ୍ତି । ମିଷ୍ଟର ଖନ୍ନା ପଚାରିଲେ ଦାର୍ଶନିକମାନଙ୍କ ଚେହେରାରେ ଏମିତି କିଛି ବିଶେଷତ୍ଵ ଅଛି ନା କ’ଣ ?

 

ମେହେତାଙ୍କ ଆଡ଼କୁ ଚାହିଁ ମାଳତୀ ଉତ୍ତର ଦେଲେ–ମେହେତା ସାହେବ ! ଯଦି କିଛି ମନେ ନ କରିବେ, ତାହାହେଲେ ମୁଁ କହିବି ।

 

ଖନ୍ନା ସାହେବ ମାଳତୀଙ୍କର ଜଣେ ପରମ ଭକ୍ତ । ମାଳତୀଙ୍କି ଦେଖିବ ଯେଉଁଠି, ଖନ୍ନାଙ୍କୁ ଦେଖିବ ସେଇଠି, ଫୁଲ ପଛରେ ଯେମିତି ଭଅଁର । ତାଙ୍କର ଇଚ୍ଛା ସେ ମାଳତୀଙ୍କ ସଙ୍ଗେ ସଙ୍ଗେ ସବୁବେଳେ କଥାବାର୍ତ୍ତା ହୁଅନ୍ତେ, ଆଉ ମିସ୍ ମାଳତୀ ତାଙ୍କ ଛଡ଼ା ଅନ୍ୟ କାହାକୁ ଚାହାଁନ୍ତେ ନାହିଁ । ଖନ୍ନା ଆଖି ଠାରିଦେଇ କହିଲେ- ଦାର୍ଶନିକ ମାନଙ୍କର ଗୋଟାଏ ଭଲ ଗୁଣ ହେଉଛି ଯେ ସେମାନେ କାହା କଥାକୁ କିଛି ମନେ କରନ୍ତି ନାହିଁ ।

 

ଆଚ୍ଛା, ତା’ ହେଲେ ଶୁଣନ୍ତୁ । ଦାର୍ଶନିକମାନେ ଏମିତି ଲୋକ ଯାହାଙ୍କର କୌଣସିଥିରେ ବି ମନ ନଥାଏ । ଯେତେବେଳେ ଦେଖିବ, ବସିକରି କଣ ଭାବୁଥିବେ । ନିଜ ଆଡ଼କୁ ଚାହିଁଥିବେ, ଅଥଚ ନିଜକୁ ଦେଖୁ ନଥିବେ । ତମେ ତାଙ୍କୁ କଥା କହୁଥିବ, ସେ କିଛି ଶୁଣୁ ନଥିବେ; ସତେ ଯେମିତି ମନ କୁଆଡ଼େ ଶୂନ୍ୟରେ ଉଡ଼ୁଛି ।

 

ଏସବୁ କଥା ଶୁଣି ଲୋକମାନେ ଖଣ୍ଡିକାଶ ମାରିବାକୁ ଆରମ୍ଭ କଲେ । ସତେ ଯେମିତି ମେହେତା ଲାଜରେ ଭୂଇଁରେ ଖସିପଡ଼ିଲେ ।

 

ହଁ ମୁଁ ଯେତେବଳେ ଅକସଫୋଡ଼ରେ ଥିଲି, ସେତେବେଳେ ସେଠାରେ ଜଣେ ଦର୍ଶନ ଅଧ୍ୟାପକ ଥିଲେ ମିଷ୍ଟର ହଜ୍‍ବାଣ୍ଡ୍ ।

 

ଖନ୍ନା କହିଲେ–ହଁ, ଆଉ ଯାହା ହେଉ ପଛେ ନାଁଟା ତ ଅନ୍ତତଃ ଭାରି ଚମତ୍କାର ।

 

ନିଶ୍ଚୟ, ନାଁ ଟା ସିନା ହଜ୍‍ବାଣ୍ଡ୍ କିନ୍ତୁ ସେ ଅବିବାହିତ ।’

 

‘ମିଷ୍ଟର ମେହେଟା ବି ତ ଅବିବାହିତ ।’

 

‘ହଁ, ସବୁ ଦାର୍ଶନିକଙ୍କର ତ ପ୍ରାୟ ଏକା ରୋଗ ।’

 

ମେହେତାଙ୍କୁ ବର୍ତ୍ତମାନ ସୁବିଧା ମିଳିଗଲା । ସେ କହିଲେ–ଦେଖୁଛି ଆପଣଙ୍କର ବି ତ ସେଇ ରୋଗ ।

 

ନାହିଁ ମୋର ସେ ରୋଗ ହେବ କାହିଁକି ? ମୋର ତ ଇଚ୍ଛା ମୁଁ ଜଣେ ଦାର୍ଶନିକଙ୍କୁ ବାହା ହୁଅନ୍ତି । କିନ୍ତୁ ଦାର୍ଶନିକମାନେ ସ୍ତ୍ରୀଲୋକ ଦେଖିଲେ ଏମିତି ଇତସ୍ତତଃ ହୋଇ ପଡ଼ନ୍ତି କାହିଁକି ? ହଜ୍‍ବାଣ୍ଡ୍ ସାହେବ୍ ତ ସ୍ତ୍ରୀ ଦେଖିଲା ମାତ୍ରେ ଘରେ ଲୁଚନ୍ତି । ପାଠ ବୁଝିବା ପାଇଁ କେବେ କେହି ଛାତ୍ରୀ ତାଙ୍କ ଅଫିସରେ ପଶିଗଲେ, ସେ ଏମିତି ଡରିଯାନ୍ତି ସତେ ଯେମିତି ଗୋଟାଏ ବାଘ ପଶିଗଲା । ଆମେ ତାଙ୍କୁ ଭାରି ଚିଡ଼ାଉ କିନ୍ତୁ ବିଚାରା ଭାରି ସରଳ ଲୋକ । ହଜାର ହଜାର ଟଙ୍କା ଦରମା ପାଆନ୍ତି କିନ୍ତୁ ଗୋଟାଏ ପୋଷାକ ଛଡ଼ା ଦି’ଟା ପୋଷାକ ଆମେ କେବେ ତାଙ୍କର ଦେଖିନାହୁଁ । ତାଙ୍କର ଜଣେ ବିଧବା ଭଉଣୀ ତାଙ୍କ ପାଖରେ ଥା’ନ୍ତି ସେହି ସବୁ ତାଙ୍କ କଥା ବୁଝନ୍ତି । ଲୋକଙ୍କ ଡରରେ ସେ କବାଟ କିଳି ସବୁବେଳେ ବସି ପଢ଼ୁଥାନ୍ତି । ଖାଇବା ବେଳ ହେଲେ ତାଙ୍କ ଭଉଣୀ ଆସି ତାଙ୍କ ବହି ବନ୍ଦ କରିଦେଲେ ସେ ଜାଣନ୍ତି ଯେ ତାଙ୍କର ଖାଇବା ବେଳ ହେଲା । ରାତିରେ ବି ଭଉଣୀ ଆସି ଆଲୁଅ ଲିଭାଇଦେଲେ ସେ ଶୁଅନ୍ତି । ବେଳେ ବେଳେ ବହି ବନ୍ଦ କରିଦେଲେ ଭାଇ ଭଉଣୀ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଯାଏ । ଭଉଣୀ ତାଙ୍କ କଥା ନ ଶୁଣି ସେ ଯେଉଁ ଚକଲଗା ଚଉକିରେ ବସିଥାନ୍ତି ତାକୁଇ ପେଲି ପେଲି ନେଇ ଖାଇବା ଘରକୁ ଚାଲିଯାଆନ୍ତି ।

 

ରାୟସାହେବ କହିଲେ–କିନ୍ତୁ ମେହେତା ସାହେବ ତ ଭାରି ମେଳାପି, ଭାରି ଲୋକପ୍ରିୟ-। ତାଙ୍କର ତ ଏମିତି କିଛି ଗଣ୍ଡଗୋଳ ନାହିଁ ।

 

ତା’ ହେଲେ ସେ ଦାର୍ଶନିକ ନ ହୋଇଥିବେ । କେବଳ ନିଜ ଚିନ୍ତାରେ ଯେତେବେଳେ ମଣିଷର ମୁଣ୍ଡ ବଥାଇଯାଏ, ଯେଉଁ ଦାର୍ଶନିକମାନେ ସଂସାର ଯାକର ଚିନ୍ତା କରୁଥାନ୍ତି ତାଙ୍କ ମନ ଠିକଣା ରହିବ କୁଆଡ଼ୁ ?

 

ଏଣେ ସମ୍ପାଦକ ଓଁକାରନାଥ ଶ୍ରୀମତୀ ଖନ୍ନାଙ୍କୁ ଆପଣା ଦୁଃଖ ଶୁଣାଇବାରେ ଲାଗିଥାନ୍ତି ଯାହା କହନ୍ତୁ, ସମ୍ପାଦକଗୁଡ଼ାଙ୍କ ଜୀବନ ଖାଲି ଦୀର୍ଘ ବିଳାପ ଛଡ଼ା ଅନ୍ୟ କିଛି ନୁହେଁ । ଲୋକଙ୍କ ଆଗରେ ସେମାନେ ଦୁଃଖ କହିଲେ ଲୋକେ କାନ ବନ୍ଦ କରି ଦିଅନ୍ତି । ବିଚରା ସଂପାଦକ ନିଜର କିଛି କରିପାରେ ନାହିଁ କି ପରର ବି କିଛି କରିପାରେ ନାହିଁ । ଲୋକେ ତ ଭାବନ୍ତି ଆନ୍ଦୋଳନ ହେଲାମାତ୍ରେ ସମ୍ପାଦକମାନେ ଆଗରେ ଛିଡ଼ା ହେବା ଦରକାର । ଜେଲ ଯିବା, ମାଡ଼ ଖାଇବା, ସମ୍ପତ୍ତି ନଷ୍ଟ କରିବା ସତେ ଯେମିତି ସେମାନଙ୍କର ଧର୍ମ ! କିନ୍ତୁ ସମ୍ପାଦକଙ୍କ ଦୁଃଖ କେହି ବୁଝେ ନାହିଁ । ସମସ୍ତେ ଚାହାଁନ୍ତି ସେ ସବୁ କଳାରେ ପରିପୂର୍ଣ୍ଣ ହେବା ଚାହିଁ, କିନ୍ତୁ ତାଙ୍କ ଦୁଃଖ ଦୁର୍ଦ୍ଦଶା ତ କେହି ବୁଝେ ନାହିଁ, ତାଙ୍କ ବଞ୍ଚିବା କଥା ତ କେହି ଭାବେ ନାହିଁ ! ଆପଣ ତ ଆଜିକାଲି ଆଉ କିଛି ଲେଖୁ ନାହାନ୍ତି । ଅନ୍ତତଃ ଆପଣଙ୍କର ସେବା କରିବାପାଇଁ ଯେତିକି ସୁଯୋଗ ମିଳୁଥିଲା, ସେତିକିରୁ ଆମେମାନେ ବଞ୍ଚିତ ହୋଇଛୁ ।

 

ଶ୍ରୀମତୀ ଖନ୍ନା ଆଗେ ଆଗେ କବିତା ଲେଖୁଥିଲେ, ଏବେ ଆଉ ଘର କାମ ଯୋଗୁଁ ଲେଖିବାକୁ ବେଳ ଅଣ୍ଟେ ନାହିଁ । ତାଙ୍କର ଯେ ଖୁବ୍ ଗୁଡ଼ାଏ ପ୍ରତିଭା ଥିଲା ଏମିତି ନୁହେଁ ବରଂ ଓଁକାରନାଥ ତାଙ୍କୁ ବାରମ୍ବାର ଉତ୍ସାହିତ କରି କବି ବନେଇ ଦେଇଥିଲେ ।

 

କ’ଣ ଲେଖିବା, ଆଜିକାଲି ଆଉ ଲେଖାଲେଖି ମୋତେ କିଛି ଆସୁ ନାହିଁ । ଲେଖାଲେଖି ପାଇଁ ଆପଣ ମିସ୍ ମାଳତୀଙ୍କୁ କାହିଁକି କହୁନାହାନ୍ତି ?’

 

‘ମାଳତୀଦେବୀଙ୍କୁ କହିବା କଥା ଯାହା କହିଲେ, ତାଙ୍କର ସମୟ ବହୁତ ମୂଲ୍ୟବାନ, ଏସବୁ କାମ କରିବା ପାଇଁ ତାଙ୍କର ବେଳ କାହିଁ ? ଅସଲ କଥା ହେଉଛି ଯାହାଙ୍କର ପ୍ରାଣରେ ଦରଦ ଥାଏ, ମନରେ ମାୟା ମମତା ଥାଏ ସେହିମାନେ କେବଳ ଲେଖି ପାରନ୍ତି । ଟଙ୍କା ପଇସା, ଭୋଗବିଳାସ ଯେଉଁମାନଙ୍କର ଲକ୍ଷ୍ୟ, ସେମାନେ ଗୋଟାଏ କଣ ଲେଖିବେ ?’

 

କାମିନୀଦେବୀ ଟିକିଏ ଖୁସୀ ହୋଇ କହିଲେ,–କିନ୍ତୁ ଆପଣ ଯଦି ତାଙ୍କ ହାତରେ ଲେଖାଇ ପାରନ୍ତେ, ଆପଣଙ୍କ କାଗଜ ବିକ୍ରୀ ଦ୍ଵିଗୁଣ ବଢ଼ିଯା’ନ୍ତା । ଲକ୍ଷ୍ନୌ ସହରରେ ଏମିତି କେହି ରସିକ ନାହାନ୍ତି ଯେ ଆପଣଙ୍କ କାଗଜର ଗ୍ରାହକ ନ ହୁଅନ୍ତେ !

 

‘କିନ୍ତୁ ଦେଖନ୍ତୁ, ଟଙ୍କା ପଇସା ଯଦି ମୋ ଜୀବନର ଲକ୍ଷ୍ୟ ହୋଇଥାନ୍ତା ତାହାହେଲେ ମୋ ଅବସ୍ଥା ଆଜି ଏମିତି ନଥାନ୍ତା । ମୋତେ ବି ଟଙ୍କା କମେଇ ଆସେ, ଚାହିଲେ ଆଜି ବି ଲକ୍ଷେଟଙ୍କା କମାଇ ପାରିବି । କିନ୍ତୁ ଆଜିଯାଏ ତ ଟଙ୍କା କଥା ମୁଁ କେବେହେଲେ ଭାବି ନାହିଁ । ଜୀବନର ଏକମାତ୍ର ଲକ୍ଷ୍ୟ ହେଉଛି ସତ୍ୟର ସେବା ଏବଂ ଏହି ଲକ୍ଷ୍ୟ ହିଁ ଚିରକାଳ ରହିବ ।’

 

‘ଆଚ୍ଛା, ତା’ହେଲେ ମୋ ନାଁ’ଟା ଗ୍ରାହକ ତାଲିକାରେ ଲେଖି ଦିଅନ୍ତୁ ।’

 

‘ଗ୍ରାହକ ତାଲିକାରେ ଲେଖିବି ନାହିଁ ଯେ, ପୃଷ୍ଠପୋଷାକ ତାଲିକାରେ ଲେଖି ଦେଉଛି ।’

 

‘ମୋ ନାଁ କାହିଁକି ଲେଖୁଛନ୍ତି, ରାଣୀ ମହାରାଣୀମାନଙ୍କ ନାମ ଲେଖନ୍ତୁ ଯେ ତାଙ୍କୁ ଟିକିଏ ଟେକା ଟେକି କରି ଲେଖିଦେଲେ ବହୁତ କିଛି ମିଳିଯିବ ।’

 

‘ରାଣୀ ମହାରାଣୀ ପୁଣି କଣ ? ଆପଣ ତ ହେଉଛନ୍ତି ଆମର ମହାରାଣୀ । ଯାହାଙ୍କର ଦୟା ଅଛି, ବିବେକ ଅଛି, ସେହି ହେଉଛନ୍ତି ଆମର ରାଣୀ । ପଇସା ପାଇଁ ମିଛରେ କାହାକୁ ଖୁସାମତି କରିବା ମୋର ଇଚ୍ଛା ନୁହେଁ ।’

 

କାମିନୀଦେବୀ ଟିକିଏ ଥଟ୍ଟା କରି କହିଲେ–ଆପଣ ମୋତେ ଯେ ପୁଣି ଖୁସାମତି କରୁଛନ୍ତି !

 

ଓଁ କାରନାଥ ଟିକିଏ ଗମ୍ଭୀର ହୋଇଯାଇ କହିଲେ–ଆପଣଙ୍କୁ ପୁଣି ଖୁସାମତି କରିବି କ’ଣ, ଆପଣଙ୍କ ପ୍ରତି ଇଏ ହେଉଛି ମୋର ଅନ୍ତରର ଗଭୀର ଶ୍ରଦ୍ଧା ନିବେଦନ ।

 

ଏତିକି ବେଳକୁ ରାୟସାଦେବ ପାଟିକରି ଡାକ ପକେଇଲେ–ସାମ୍ପାଦକ ସାହେବ ! ଟିକିଏ ଇଆଡ଼କୁ ଆସନ୍ତୁ, ମାଳତୀଦେବୀ ଆପଣଙ୍କ ସଙ୍ଗେ କ’ଣ କଥାବାର୍ତ୍ତା ହେବାକୁ ଚାହାନ୍ତି ।

 

ଏତିକିରେ ସମ୍ପାଦକଙ୍କର ଏକାବେଳକେ ଅକଲ ଗୁଡ଼ୁମ୍ । ସଙ୍ଗେ ସଙ୍ଗେ ଆସି ଚୁପଚାପ୍ ଭଦ୍ରଭାବରେ ଛିଡ଼ା ହୋଇଗଲେ । ମାଳତୀ ତାଙ୍କୁ ଦେଖିଲା ମାତ୍ରେ କହିଲେ–କ’ଣ କହୁଥିଲି କି ଆଜ୍ଞା, ଦୁନିଆରେ ଯଦି ମୁଁ କାହାକୁ ଡରେ ତେବେ ସମ୍ପାଦକମାନଙ୍କୁ । କାରଣ, ଚାହିଁଲେ ସେମାନେ ଯାହାକୁ ଇଚ୍ଛା ତାକୁ ପାଞ୍ଚ ମିନିଟରେ ବଦନାମ କରିପାରନ୍ତି । ଚିଫ୍ ସେକ୍ରେଟାରୀ ଥରେ ମତେ କହୁଥିଲେ ‘ବଦମାସ୍ ଓଁକାରନାଥକୁ ଥରେ ଜେଲ ଦିଆଇ ପାରିଲେ ମୁଁ ନିଜକୁ ଭାଗ୍ୟବାନ ମନେ କରନ୍ତି ।’

 

ଓଁକାରନାଥ ଭାରି ଥଣ୍ଡା ପ୍ରକୃତିର ଲୋକ କିନ୍ତୁ ନିଜ ବାହାଦୁରୀ ଶୁଣି ଟିକିଏ ତେଜି ଉଠିଲେ; ରୋମ ଟାଙ୍କୁରି ଉଠିଲା, ଆଖିରେ ଗର୍ବର ଝଲକ ଦେଖାଗଲା । ତାପରେ ସେ କହିଲେ–ମାଳତୀଦେବୀ ! ଆଉ ଯାହାହେଉ ପଛେ ଆମ ନାଁଟା ଆଗ ତ ବଡ଼ଲୋକଙ୍କ ସଭା ସମିତିରେ ପଡ଼ୁଛି । କିନ୍ତୁ ସେକ୍ରେଟାରୀ ସାହେବଙ୍କୁ କହିଦେବେ ଓଁକାରନାଥ ଆଉ କିଏ ନୁହେଁ ଯେ ତାଙ୍କ ଧମକକୁ ଡରିଯିବେ । କେବଳ ଆଜି ନୁହେଁ, ଜୀବନଯାକ ବି ଲେଖୁଥିବି । କାରଣ ଅନ୍ୟାୟ ଅତ୍ୟାଚାରକୁ ସମୂଳେ ନାଶ କରିବାର ଦାୟିତ୍ଵ ମୁଁ ନିଜ ହାତରେ ନେଇଛି ।

 

ମାଳତୀଦେବୀ ଟିକିଏ ଟିହାଇଦେଇ କହିଲେ–ମୁଁ କିନ୍ତୁ ବୁଝିପାରୁ ନାହିଁ ଆପଣ ଅଫିସରମାନଙ୍କ ଉପରେ କାହିଁକି ଏତେ ବିଗୁଡ଼ୁଛନ୍ତି । ସେମାନଙ୍କ ସଙ୍ଗେ ମିଳିମିଶି କାମ କଲେ ଆପଣଙ୍କର ବହୁତ ଫାଇଦା ହୁଅନ୍ତା । ଆପଣ ଲେଖା ଭିତରେ ଯେଉଁ ଅଗ୍ନି ବର୍ଷା କରୁଛନ୍ତି ଏବଂ ବିଷ ଉଦ୍‍ଗୀରଣ କରୁଛନ୍ତି ତାକୁ ଯଦି ଛାଡ଼ିପାରନ୍ତେ, ତେବେ ମୁଁ ସରକାରଙ୍କଠାରୁ ଆପଣଙ୍କୁ ଅନେକ ଟଙ୍କା କରେଇ ଦିଅନ୍ତି । ଆପଣ ତ ଜନତା ଜନାର୍ଦ୍ଦନଙ୍କୁ ବହୁତ ଖୁସାମତ କଲେଣି, ତାର କରାମତି ବି ଜାଣିବେଣି, ଏବେ ଅଫିସର ଲୋକଙ୍କୁ ଟିକିଏ ପରୀକ୍ଷା କରି ଦେଖନ୍ତୁ । ମାସକ ଭିତରେ ଯଦି ଆପଣ ମଟର ଚଢ଼ି ନ ବୁଲିଛନ୍ତି, ସରକାରୀ ସଭାରେ ଭୋଜି ନ ଖାଇଛନ୍ତି, ତେବେ ମୋ ନାଁ ଧରିବେ ନାହିଁ । ଆଜି ଯେଉଁ ବଡ଼ଲୋକ ଆପଣଙ୍କୁ ଆଡ଼ ଆଖିରେ ବି ଅନାଉ ନାହାନ୍ତି, ସେହି ପୁଣି ଆସି ଦୁଆରେ ହାଜିରା ଦେଉଥିବେ ।

 

ଓଁକାରନାଥ ଟିକିଏ ଅଭିମାନ ଦେଖାଇ କହିଲେ–ଆଜ୍ଞା, ସେସବୁ କାମ ମୋତେ ପୋଷାଇବ ନାହିଁ । ଯେଉଁ ଆଦର୍ଶକୁ ମୁଁ ଜୀବନଯାକ ଅନୁସରଣ କରି ଆସିଛି, ସେହି ଉଚ୍ଚ ଆଦର୍ଶକୁ ଚିରଦିନ ବଞ୍ଚେଇ ରଖିବା ମୋର ଇଚ୍ଛା । ଟଙ୍କା ପଇସାର ପୂଜାରୀ ତ ସବୁଠି ମିଳିବେ, କିନ୍ତୁ ଆଦର୍ଶର ପୂଜାରୀ ଦୁନିଆରେ କେଇଜଣ ?

 

‘ଆପଣ ଯାହା କହୁଛନ୍ତି ଏଗୁଡ଼ା ଖାଲି ବୃଥା ଅଭିମାନ ଛଡ଼ା ଆଉକିଛି ନୁହେଁ ।’

 

‘ହଁ, ହୋଇପାରେ ଅଭିମାନ, ଆପଣଙ୍କ ଇଚ୍ଛା ଯାହା ଆପଣ କହିପାରନ୍ତି ।’

 

‘ଆପଣ ତା’ ହେଲେ ଟଙ୍କାପଇସା ଚାହାନ୍ତି ନାହିଁ ନା କ’ଣ ?’

 

‘ଚାହେ ଯେ, କିନ୍ତୁ ଆପଣା ଆଦର୍ଶକୁ ବଳିଦେଇ ମୁଁ ଚାହେ ନାହିଁ ।’

 

‘ଆପଣ ତ ଏତେ ଆଦର୍ଶ କଥା କହୁଛନ୍ତି କିନ୍ତୁ ନିଜ କାଗଜରେ ବିଦେଶୀ ବିଜ୍ଞାପନ ତ ଖୁବ୍ ଛପାଉଛନ୍ତି । ମୁଁ ତ ଅନ୍ୟ କୌଣସି କାଗଜରେ ଏତେ ବିଜ୍ଞାପନ ଦେଖି ନାହିଁ । ୟା ଦ୍ୱାରା ଆପଣ ଖାଲି ଦେଶର ସମ୍ପତ୍ତି ବିଦେଶୀମାନଙ୍କ ହାତକୁ ବଢ଼ାଇ ଦେଉଛନ୍ତି ।’

 

ଏତିକିରେ ଓଁ କାରନାଥଙ୍କ ଅକଲ ଗୁଡ଼ୁମ ହୋଇଗଲା, ସେ ଆଉ କିଛି କହି ପାରିଲେ ନାହିଁ । ତାଙ୍କୁ ଟିକିଏ ଅକଳିଆରେ ପଡ଼ିବାର ଦେଖି ରାୟସାହେବ କହିଲେ–ଆପଣ କ’ଣ ତା’ ହେଲେ ଚାହୁଁଛନ୍ତି ସେ ଏ କୂଳରୁ ଯିବେ ପୁଣି ସେ କୂଳରୁ ଯିବେ ? ତେବେ ତାଙ୍କ କାଗଜ ଚଳିବ କେମିତି ?

 

ସହାନୁଭୂତି କ’ଣ ମାଳତୀଦେବୀ ତାଙ୍କ ଜୀବନରେ କେବେହେଲେ ଜାଣନ୍ତି ନାହିଁ । ସାଙ୍ଗେ ସାଙ୍ଗେ କହିଲେ–ନ ଚଳିଲେ ବନ୍ଦ କରି ଦିଅନ୍ତୁ କିନ୍ତୁ କାଗଜ ଚଳାଇବାପାଇଁ ବିଦେଶୀ ଜିନିଷର ପ୍ରଚାର କରନ୍ତୁ ନାହିଁ । ନାହିଁ ଯଦି ଆପଣ ବାଧ୍ୟ ହେଉଛନ୍ତି ତେବେ ଆଦର୍ଶର ଅଭିମାନ ଛାଡ଼ନ୍ତୁ । ଆପଣଙ୍କପରି ଆଦର୍ଶବାଦୀଙ୍କ କାଗଜ ଦେଖିଲେ ମୋ ଦେହ ନିଆଁ ହୋଇଯାଏ । ମନ ହୁଏ ଦିଆସିଲି ଲଗାଇ ପୋଡ଼ିଦେବା ପାଇଁ । ଯେଉଁ ଲୋକ ଜାତିଏ କହି ଜାତିଏ କରନ୍ତି ସେ ଆଉ ଯାହା ହୁଅନ୍ତୁ ପଛେ, ମୁଁ ତାଙ୍କୁ ଆଦର୍ଶବାଦୀ ବୋଲି କହିବାକୁ ରାଜି ନୁହେଁ ।

 

କିଛି ସମୟ ପୂର୍ବରୁ ମେହେତା ଠିକ୍ ଏଇକଥା କହୁଥିଲେ । ଏବେ ମାଳତୀଙ୍କ କଥା ଶୁଣି ମନେ ମନେ ଭାବିଲେ, ମାଳତୀ କେବଳ ଦେଖାସୁନ୍ଦରୀ ନୁହଁନ୍ତି, ଭିତରେ କିଛି ମାଲ ବି ଅଛି । ମାଳତୀଙ୍କ ପାଟିରୁ କଥା ନ ସରୁଣୁ ମେହେତା କହିଲେ–ଆପଣ ଯାହା କହିଲେ ମୁଁ ବି ଠିକ୍ ସେୟା କହୁଥିଲି । ଯେଉଁ ଲୋକ ଜାତିଏ କହି ଜାତିଏ କରେ ସେ କେବେ ଆଦର୍ଶବାଦୀ ହୋଇ ପାରେନା, ସେ କେବଳ ଭଣ୍ଡ ।

 

ମେହେତାଙ୍କ କଥା ଶୁଣି ମାଳତୀ ଖୁସୀ ହୋଇ କହିଲେ–ଯାହାହେଉ ଏ ବିଷୟରେ ଆପଣଙ୍କର ମୋର ମତ ସମାନ । ତାହାହେଲେ ମୁଁ ବି ନିଜକୁ ଜଣେ ଦାର୍ଶନିକ ବୋଲି କହିପାରେ-

 

ଖନ୍ନାଙ୍କ ପାଟି ଖଜବଜ ହେଉଥିଲା । ସେ ସଙ୍ଗେ ସଙ୍ଗେ କହି ପକାଇଲେ–ଆପଣ କ’ଣ, ଆପଣଙ୍କ ଦେହ ହାତ ସବୁଆଡ଼ ତ ଖାଲି ଦର୍ଶନ !

 

ମାଳତୀ କହିଲେ–ମଲା, ଆପଣଙ୍କର ବି ଦର୍ଶନଶାସ୍ତ୍ରରେ ଦଖଲ ଅଛି । ମୁଁ ଭାବିଥିଲି ଆପଣ କେଉଁକାଳୁ ସବୁ ଦର୍ଶନ ପୋଡ଼ି ଖାଇଲେଣି, ନହିଲେ ଆପଣ ବେଙ୍କ୍ ଏବଂ କମ୍ପାନୀର ଡାଇରେକ୍ଟର ହୋଇଥାନ୍ତେ କେମିତି !

 

ରାୟସାହେବ ଖନ୍ନାଙ୍କ ପକ୍ଷନେଇ କହିଲେ–ଆପଣ କ’ଣ ଭାବନ୍ତି ଯେଉଁମାନେ ଦାର୍ଶନିକ ସେମାନେ କିଛି କରନ୍ତି ନାହିଁ, ଖାଲି ପବନ ପିଇ ରହନ୍ତି ?

 

‘ନିଶ୍ଚୟ, ଦାର୍ଶନିକ ହୋଇ ଯେ ଲାଭକ୍ଷତି, ଭଲମନ୍ଦର ମାୟାମମତାରେ ବାନ୍ଧିହୋଇ ରହେ, ସେ ପୁଣି ଦାର୍ଶନିକ ହେବ କେମିତି !’

 

‘ସେମିତି କହିଲେ ତ ପ୍ରଫେସର ମେହେତାଙ୍କୁ ବି ଦାର୍ଶନିକ କୁହାଯିବ ନାହିଁ ।’

 

ଏକଥା ଶୁଣି ମେହେତା କହିଲେ–ନାହିଁ, ଦାର୍ଶନିକମାନେ କେବେ ପବନ ଖାଇ ବଞ୍ଚନ୍ତି ନାହିଁ । ସେମାନେ ତ କିଛି ଆମ୍ବଗଛ ନୁହନ୍ତି କି ତାଳଗଛ ନୁହନ୍ତି ଯେ ପବନ ଖାଇ ବଞ୍ଚିବେ ! ଟଙ୍କା ଚାହିବା ତ ଦାର୍ଶନିକର ପାପ ନୁହେଁ, ଟଙ୍କାକୁ ସେ କେମିତି ଖର୍ଚ୍ଚକରେ ତାହାହିଁ ଦେଖିବା କଥା । କମାର ଯେମିତି ହତିଆର ବ୍ୟବହାର କରେ, ବଣିଆ ବି ସେମିତି ହତିଆର ବ୍ୟବହାର କରେ, ମାତ୍ର କିଏ କେମିତି ବ୍ୟବହାର କରେ ସେତିକି ଦେଖିବାର କଥା । ଦାର୍ଶନିକ ହୋଇ ମୁଁ ତ କେବେ ମହାଜନଙ୍କ ପରି ଟଙ୍କା ଖଟାଇ ଟଙ୍କା ବଢ଼ାଇବାକୁ ଚେଷ୍ଟା କରେ ନାହିଁ । ବଞ୍ଚିବା ପାଇଁ ମୋର କେବଳ ଟଙ୍କା ଦରକାର । ମତେ ଯଦି କେହି ଖାଇବା ପିନ୍ଧିବା ଜିନିଷ ଯୋଗାଇ ଦିଅନ୍ତା, ତେବେ ମୁଁ ଟଙ୍କା ପଇସା ଆଦୌ ଚାହାନ୍ତି ନାହିଁ ।

 

‘ଓଁକାରନାଥ କହିଲେ–ସେମିତି କହିଲେ ତ ମୂଲିଆ ବି ମାସକୁ ହଜାର ଟଙ୍କା ଚାହିବେ-।’

 

‘ହଁ, ଯଦି କେଉଁ ମୂଲିଆଠାରେ ଏମିତି ଗରଜ ଥିବ ଯେ ସେ ନହେଲେ ନଚଳେ, ତେବେ ସେ ହଜାରେ ଟଙ୍କା ନେଇପାରେ । କିନ୍ତୁ ଜଣେ ମୂଲିଆ ହଜାରେ କହିଲା ବେଳକୁ ଆଉ ଜଣେ ଯଦି ପାଞ୍ଚଶହ କହେ, ତେବେ ହଜାରେ ଦେବାର ଆବଶ୍ୟକତା ନାହିଁ ।’

 

‘ହଁ ସେ କଥା ଯାହା କହିଲେ ସତ ଯେ, କିନ୍ତୁ ମୂଲିଆଙ୍କ ହାତରେ ଯଦି ଅଧିକାର ଥା’ନ୍ତା ତେବେ ବଞ୍ଚି ରହିବାପାଇଁ ସେମାନଙ୍କର ନିଶା ଆଉ ନାରୀ ମଧ୍ୟ ଆବଶ୍ୟକ ହେଉଥାନ୍ତା, ସେଥିପାଇଁ ବହୁତ ଟଙ୍କା ଆପଣମାନଙ୍କ ପରି ତାଙ୍କର ବି ଦରକାର ହେଉଥାନ୍ତା ।’

 

‘ହୋଇପାରେ କିଏ ନାହିଁ କରୁଛି, ସେମାନେ ତ ଦାବୀ କଲେ ମୁଁ ଏତେଟିକେ ବି ଆପତ୍ତି କରନ୍ତି ନାହିଁ ।’

 

‘ଆପଣ ଯଦି ଭାବୁଛନ୍ତି ନାରୀ ମନୁଷ୍ୟ ପକ୍ଷରେ ନିହାତି ଦରକାର, ତେବେ ଆପଣ ବାହା ହେଉନାହାନ୍ତି କାହିଁକି ?

 

‘କାରଣ ମୁଁ ଆତ୍ମାର ମୁକ୍ତ ଉପଭୋଗ ଚାହେଁ । ବିବାହିତ ପକ୍ଷରେ ମୁକ୍ତ ଉପଭୋଗ ଅସମ୍ଭବ, କାରଣ ବିବାହିତର ଆତ୍ମା ଜଞ୍ଜାଳଜାଲରେ ଆବଦ୍ଧ ହୋଇପଡ଼େ ।’

 

ମେହେତାଙ୍କୁ ସମର୍ଥନ କରି ଖନ୍ନା ସାହେବ କହିଲେ–ବନ୍ଧନ ଆଉ ବୈରାଗ୍ୟ ସବୁ ହେଉଛି ପୁରୁଣାକାଳିଆ କଥା । ପ୍ରକୃତରେ ଆଧୁନିକ ଆଦର୍ଶ ହେଉଛି ‘ମୁକ୍ତଭୋଗ ।’

 

ମାଳତୀଦେବୀଙ୍କ ହାତରେ ଏବେ ଖନ୍ନାଙ୍କ ଚୁଚି ପଡ଼ିଗଲା । ସେ ସାଙ୍ଗେ ସାଙ୍ଗେ କହିଲେ–ଆପଣଙ୍କର ଯଦି ମୁକ୍ତ ଭୋଗରେ ଏତେ ବିଶ୍ୱାସ, ତେବେ ଶ୍ରୀମତୀ ଖନ୍ନାଙ୍କୁ ଛାଡ଼ପତ୍ର ଦେବାପାଇଁ ଆପଣଙ୍କର ପ୍ରସ୍ତୁତ ହେବା ଦରକାର ।

 

‘ଛାଡ଼ପତ୍ର ବିଲ୍ ଆଗ ପାଶ୍ ହେଉ, ତାପରେ ଦେଖାଯିବ ।’

 

‘ତା ହେଲେ ବିଲ୍ ପାଶ ହେଲାମାତ୍ରେ ବୋଧହୁଏ ଆପଣ ସବା ଆଗ ଛାଡ଼ପତ୍ର ଦେବେ-।’

 

କଥା ଶୁଣି ଶ୍ରୀମତୀ ଖନ୍ନାଙ୍କ ଦେହରେ ନିଆଁ ଲାଗିଗଲା । ସେ ମନେ ମନେ କହିଲେ ‘ଖନ୍ନା ସାହେବ ତୋର ଗୋଟାପଣେ ହୁଅନ୍ତୁ, ମୋର କିଛି ଯାଏଆସେ ନାହିଁ ।’

 

ମେହେତାଙ୍କ ଆଡ଼କୁ ଅନାଇ ମାଳତୀ ପଚାରିଲେ–କ’ଣ ମେହେତା ସାହେବ, ଛାଡ଼ପତ୍ର ବିଷୟରେ ଆପଣଙ୍କ ମତାମତ କ’ଣ ?

 

ମେହେତା ଟିକିଏ ଗମ୍ବୀର ହୋଇ ପଡ଼ିଲେ କାରଣ କୌଣସି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ସେ ବହୁତ ଭାବିଚିନ୍ତି ଉତ୍ତର ଦିଅନ୍ତି । ଟିକିଏ ଚିନ୍ତାକରି ସେ କହିଲେ–ମୁଁ ତ ଭାବେ ବିବାହ ଏକ ପ୍ରକାର ଚୁକ୍ତି । ସେହି ଚୁକ୍ତି ନ କରିଥିବାଯାକ ଲୋକ ସ୍ୱାଧୀନ । ମାତ୍ର ଥରେ ଚୁକ୍ତି କଲା ପରେ ସେଥିରୁ ମୁକ୍ତି ପାଇବା ଅସମ୍ଭବ ।

 

‘ତାହେଲେ ଆପଣ ଛାଡ଼ପତ୍ର ପସନ୍ଦ କରନ୍ତି ନାହିଁ ?’

 

‘ମୋଟେ ନୁହେଁ ।’

 

‘ତାହେଲେ ଆପଣ ଯେଉଁ ମୁକ୍ତଭୋଗ କଥା କହୁଥିଲେ ତାହା ସମ୍ଭବ ହେବ କେମିତି-?’

 

‘ମୁଁ କହେ ମୁକ୍ତଭୋଗ କେବଳ ଅବିବାହିତମାନଙ୍କ ପାଇଁ । ବିବାହିତମାନଙ୍କର ତହିଁରେ କୌଣସି ଅଧିକାର ନାହିଁ ।’

 

ଆତ୍ମବିକାଶ ପାଇଁ ଯଦି ମୁକ୍ତଭୋଗ ଦରକାର ଏବଂ ସବୁଲୋକ ଯଦି ଆତ୍ମବିକାଶ ଚାହାନ୍ତି ତେବେ ବାହା ହେବ କିଏ, ବାହା ନ ହେବ କିଏ ?’

 

‘ହଁ, ଆତ୍ମବିକାଶ ସମସ୍ତେ ଚାହିଁ ପାରନ୍ତି, କିନ୍ତୁ ସଂସାର ସୁଖ–ଲାଳସାରୁ କେତେଜଣ ନିଜକୁ ବାଦ ଦେଇ ପାରନ୍ତି ?’

 

‘ଆପଣ ତାହାହେଲେ କହନ୍ତୁ, ଆପଣ କାହାକୁ ଭଲ ମନେକରନ୍ତି, ବାହା ହେବାକୁ ନା ବାହା ନ ହେବାକୁ ?’

 

‘ସମାଜ ଦୃଷ୍ଟିରୁ ଯଦିଓ ମୁଁ ବିବାହକୁ ପସନ୍ଦ କରେ ତଥାପି ବ୍ୟକ୍ତି ଦୃଷ୍ଟିରୁ ଅବିବାହିତ ରହିବା ଭଲ ।’

 

ନାଚ ସମୟ ପାଖେଇ ଆସିଲା । ଦଶରୁ ଏକ ଧନୁଯଜ୍ଞ ନାଟକ ଏବଂ ଏକରୁ ତିନି ପ୍ରହସନ ହେବା କଥା ଥିଲା । ବର୍ତ୍ତମାନ ଖାଇବା ପିଇବା ଯୋଗାଡ଼ ଆରମ୍ଭ ହୋଇଗଲା । ବନ୍ଧୁମାନଙ୍କର ରହିବାପାଇଁ ଜଣଙ୍କୁ ବଖରାଏ ଲେଖା ଘର ମିଳିଥିଲା । ସମସ୍ତେ ଆପଣା ଜାଗାକୁ ଯାଇ ଲୁଗାପଟା ବଦଳି ଖାଇବା ପାଇଁ ଆସି ଜମା ହେଲେ । ସେଠି ଛୁଆଁ ଅଛୁଆଁ କିଛି ବାରଣ ନଥିଲା । ସମସ୍ତେ ଏକାଠି ଖାଇବା ପାଇଁ ବସିଗଲେ । କିନ୍ତୁ କେବଳ ସମ୍ପାଦକ ଓଁକାରନାଥ ଫଳାହାର କରିବାପାଇଁ ନିଜ ବସାଘରକୁ ଚାଲିଗଲେ ଏବଂ ଶ୍ରୀମତୀ ଖନ୍ନାଙ୍କର ମୁଣ୍ଡ ବଥାଉଥିବାରୁ ସେ ଖାଇବେ ନାହିଁ ବୋଲି ମନା କରିଦେଲେ । ବାକି କୋଡ଼ିଏ ପଚିଶ ଜଣାଯାଏ ଖାଇବାପାଇଁ ବସିଥିଲେ । ମଦ ମାଂସ ଯାହାକୁ ଯେତେ । ଔଷଧ ନାଁରେ ରାୟସାହେବ ଖାଣ୍ଟି ମଦସବୁ ମଗାଇଥିଲେ । ମାଂସ ତ କେତେ ପ୍ରକାର–ଛେଳି, କୁକୁଡ଼ା, ମେଣ୍ଢା, ମୟୂର ଯାହାକୁ ଯାହା ରୁଚିଲା-

 

ଖାଇବା ଆରମ୍ଭ ହେଲାମାତ୍ରେ ମାଳତୀ ଦେବୀ ରାୟସାହେବଙ୍କୁ ପଚାରିଲେ–ସଂପାଦକ ସାହେବ ତ ଦିଶୁ ନାହାନ୍ତି, କୁଆଡ଼େ ଗଲେ, କାହାକୁ ଜଣେ ପଠାନ୍ତୁ ତାଙ୍କୁ ଡାକି ଆଣିବେ ।

 

ରାୟସାହେବ କହିଲେ–ସେ ଭାରୀ ନୈଷ୍ଟିକ ଲୋକ, ତାଙ୍କୁ ଏଠିକି ଡକେଇ ହଇରାଣ କରି ଲାଭ କ’ଣ ?

 

‘ନାହିଁ ଆଉ କିଛି ନାହିଁ ଯେ, ଟିକିଏ ମଜ୍ଜା ତ ହେବ ।

 

ଏତିକି ବେଳକୁ ଜଣେ ଭଦ୍ରଲୋକ ସେହି ବାଟେ ଚାଲି ଯାଉଥିଲେ । ତାଙ୍କୁ ଦେଖି ମାଳତୀ କହିଲେ–ମିର୍ଜା ସାହେବ, ଆପଣ ବି ଏଇଠି । ତାହାହେଲେ ସମ୍ପାଦକଙ୍କୁ ଏଠିକି ଆଣିବାର ଦାୟିତ୍ୱ ଆପଣଙ୍କର, ଆଜି ଜାଣି ଆପଣଙ୍କର ବଳ ପରୀକ୍ଷା ହେବ ।

 

ମିର୍ଜା ଖୁର୍ସିଦ ମୋଟାସୋଟା ହୋଇ ଜଣେ ଗୋରାଲୋକ । ମୁହଁରେ ଏତେ ଦାଢ଼ି, କହରା କହରା ଆଖି, ଦେହରେ ପାଇଜାମା, ମୁଣ୍ଡରେ ଟୋପି । ଜାତିରେ ସୁଫି ମୁସଲମାନ୍ । ଭୋଟବେଳେ ଜାତୀୟବାଦୀମାନଙ୍କ ସପକ୍ଷରେ ସେ ଲଢ଼ୁଥିଲେ । ଥରେ ଦିଥର ମକ୍‍କା ମଦୀନା ତୀର୍ଥ କରି ଫେରିଥିଲେ ବି ଖୁବ୍ ମଦ ପିଉଥିଲେ, କାରଣ ତାଙ୍କର ବିଶ୍ୱାସ ଯେଉଁ ଲୋକ ଆଲ୍ଲାଙ୍କର ସବୁ ନିୟମ ନ ମାନେ, ସେ ଖାଲି ମଦ ନଖାଇ ଜୀବନକୁ କଷ୍ଟଦେଇ କିଛି ଲାଭ ନାହିଁ । କେଉଁ କଥାକୁ ତାଙ୍କର ଖାତିର ନଥାଏ, ଭାରି ବେପରୁଆ । ଠିକାଦାରୀ କାମକରି ଲକ୍ଷ ଲକ୍ଷ ଟଙ୍କା ଜମାଇ ଥିଲେ । ଥରେ ଜଣେ ମେମ୍ ପାଲରେ ପଡ଼ି ମକଦ୍ଦମା ଲଢ଼ିବାକୁ ବାଧ୍ୟ ହେଲେ । ଜେଲ ଯାଉ ଯାଉ କୌଣସିମତେ ରକ୍ଷା ପାଇଗଲେ । ମକଦ୍ଦମାରେ ସେ ରାଜ୍ୟରୁ ତଡ଼ାଖାଇ ଘରଦ୍ୱାର ସବୁ ବିକିଦେଇ ପଚାଶ ହଜାର ଟଙ୍କା ନେଇ ବମ୍ବେ ଚାଲିଗଲେ । ବମ୍ବେରେ ତାଙ୍କର ଜଣେ ଏଜେଣ୍ଟ ଥିଲେ । ସେ ଭାବିଥିଲେ ଏଜେଣ୍ଟଠାରୁ କିଛି ଟଙ୍କା ପଇସା ପାଇ ଜୀବନ କାଟିଦେବେ । ମାତ୍ର ଏଜେଣ୍ଟ ଟଙ୍କା ଦେବ କ’ଣ ତାଙ୍କ ପାଖରେ ଯେଉଁ ପଚାଶ ହଜାର ଟଙ୍କା ଥିଲା ତାକୁ ବି ମାରିନେଲେ । ବିଚାରା ହତାଶ ହୋଇ ଲକ୍ଷ୍ନୌ ଫେରିଲାବେଳେ ରାସ୍ତାରେ ଜଣେ ଲୋକ ଘଣ୍ଟା, ମୁଦି ଓ ବାକି ଯାହା ଟଙ୍କା ପଇସା ଥିଲା ସବୁ ମାରିନେଲା । ଲକ୍ଷ୍ନୌ ପହଞ୍ଚିଲାବେଳକୁ ଦେହରେ ପିନ୍ଧା ଲୁଗା ଖଣ୍ଡକ ଛଡ଼ା ଆଉ କିଛି ନଥିଲା । କିନ୍ତୁ ରାୟସାହେବଙ୍କ ସାଙ୍ଗରେ ଚିହ୍ନା ପରିଚୟ ଥିବାରୁ ତାଙ୍କ ସାହାଯ୍ୟରେ ଏବଂ ଆଉ କେତେକଙ୍କ ସାହାଯ୍ୟରେ ବି ଲକ୍ଷ୍ନୌରେ ସେ ଏକ ଯୋତାଦୋକାନ କଲେ । ବର୍ତ୍ତମାନ ଲକ୍ଷ୍ନୌରେ ତାଙ୍କ ଦୋକାନ ସବୁଠୁ ବଢ଼ିଆ ଦିନକୁ ଚାରି ପାଞ୍ଚଶ ବିକ୍ରୀ । ଏବେ ଅଳ୍ପଦିନ ତଳେ ସେ ଜଣେ ମୁସଲମାନ ଜମିଦାରଙ୍କୁ ହରାଇ କାଉନସିଲ ମେମ୍ବର ହୋଇ ଯାଇଥିଲେ ।

ମାଳତୀଙ୍କ କଥା ଶୁଣି ସେ କହିଲେ–ମୁଁ କାହାରି ଧର୍ମ ନଷ୍ଟ କରିବାକୁ ଚାହେନାହିଁ । ଏ ସବୁ ଦାୟିତ୍ୱ ଆପଣଙ୍କର । ଆପଣ ଯଦି ଆଜି ତାଙ୍କୁ ମଦ ନ ପିଆଇ ଛାଡ଼ିବେ ତେବେ ଆଉ ହେଲା କ’ଣ ? ଆପଣ କେଡ଼େ ସୁନ୍ଦରୀ ଆଉ ଆପଣଙ୍କ ସୌନ୍ଦର୍ଯ୍ୟର କୁହୁକବଳ କେତେ ତା’ରି ଜାଣି ଆଜି ପରୀକ୍ଷା ।

ସବୁଆଡ଼ୁ ତାଳି ବାଜିଲା । ଲୋକେ ପାଟିକଲେ–ଠିକ୍ କଥା, ଆଜି ଜାଣି ମାଳତୀ ଦେବୀଙ୍କ ପରୀକ୍ଷା ।

ମାଳତୀ ଦେବୀ ମିର୍ଜାଙ୍କୁ ଡାକି କହିଲେ–କ’ଣ ଆମକୁ କିଛି ପୁରସ୍କାର ମିଳିବ ?

‘ନିଶ୍ଚୟ ମିଳିବ, ଆପଣଙ୍କୁ ଗୋଟେ ଶହେ ଟଙ୍କାର ଥଳୀ ମିଳିବ ।’

ମୋଟେ ଶହେ ଟଙ୍କାର ଥଳୀ ! ଲକ୍ଷେ ଟଙ୍କାର ଧର୍ମ ନଷ୍ଟ କରିବା ପାଇଁ ମୋଟେ ଶହେଟା ଟଙ୍କା !!

‘ତାହେଲେ ଆପଣ କହନ୍ତୁ କେତେ ଟଙ୍କା ନେବେ ।’

‘ହଜାରେ ଟଙ୍କାରୁ ପାହୁଲାଟାଏ କମ୍ ହେଲେ ଚଳିବ ନାହିଁ ।’

ଆଚ୍ଛା ହଉ, ଆମର ସେଥିରେ ରାଜି ।’

ଖାଲି ରାଜି ହେଲେ ଚଳିବ ନାହିଁ, ହଜାର ଟଙ୍କା ଆଗ ଆଣି ମେହେତାଙ୍କ ହାତରେ ଧରାଇ ଦିଅନ୍ତୁ, ତା ପରେ ଯେଉଁକଥା ।’

ମିର୍ଜା ଖୁର୍ସିଦ ଡେଇଁପଡ଼ି ଛିଡ଼ା ହୋଇଗଲେ । ପକେଟରୁ ଶହେ ଟଙ୍କିଆ ନୋଟ ଖଣ୍ଡେ କାଢ଼ି ସମସ୍ତଙ୍କୁ ଦେଖାଇ କହିଲେ–ଭାଇମାନେ, ଆପଣମାନେ ବର୍ତ୍ତମାନ ପୁରୁଷମାନଙ୍କର ମର୍ଯ୍ୟାଦା ରକ୍ଷା କରନ୍ତୁ । ମାଳତୀ ଦେବୀ ଯେଉଁ ହଜାର ଟଙ୍କାର ଜିଦ୍ ପକାଇଛନ୍ତି, ଆମେ ଯଦି ସେହି ହଜାର ଟଙ୍କା ବର୍ତ୍ତମାନ ଦେଇ ନ ପାରିବା ତେବେ ଆମ ମୁହଁ ଜାଣ ତଳକୁ ହୋଇଯିବ । ଆଜି ଯଦି ମୋ ପାଖରେ ପଇସା ଥା’ନ୍ତା ତେବେ ମାଳତୀର ଏକ ଏକ ଠାଣିପାଇଁ ମୁଁ ଲକ୍ଷ ଲକ୍ଷ ଗଣି ଦେଉଥାନ୍ତି । ଲୋକେ କହନ୍ତି ଜଣେ କବି ତାଙ୍କ ପ୍ରେୟସୀଙ୍କର କଳାଜାଇମନ୍ଦା ପାଇଁ ସମରକନ୍ଦ ଏବଂ ବୋଖରା ପ୍ରଦେଶ ଉତ୍ସର୍ଗ କରି ଦେଇଥିଲେ । ଆଜି ଏଠି ଆପଣମାନଙ୍କର ରସିକତାର ପରୀକ୍ଷା ଚାଲିଛି । ତେଣୁ ଆପଣମାନଙ୍କ ପାଖରେ ଯାହା ପାଖରେ ଯାହା ଅଛି ସଚ୍ଚାଲୋକପରି କାଢ଼ି ରଖି ଦିଅନ୍ତୁ । ମୁଁ ଆପଣମାନଙ୍କୁ ହଜାର ରାଣ ପକାଉଛି, ଆପଣମାନେ କେବେହେଲେ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଟଙ୍କା ତ ଆଜି ଅଛି କାଲି ଖର୍ଚ୍ଚ ହୋଇଯିବ, କିନ୍ତୁ ନାଁ ଯେ ଚିରକାଳ ରହିବ । ବର୍ତ୍ତମାନ ଯେଉଁ ମଜା ହେବ ତା ଆଗରେ ଲକ୍ଷେ ଟଙ୍କା ତ କିଛି ନୁହେଁ । ଆପଣମାନେ ଏଇନେ ଦେଖିବେ ଲକ୍ଷ୍ନୌର ଶ୍ରେଷ୍ଠ ରସିକା ସୁନ୍ଦରୀ ମାଳତୀ ଦେବୀ ଜଣେ ବେରସିକଙ୍କ ଉପରେ ଆପଣା ରସିକତାର କୁହୁକ କେମିତି ଭାବରେ ଚଳାଇବେ ।

ବକ୍ତୃତା ନ ସରୁଣୁ ମିର୍ଜା ସାହେବ ସମସ୍ତଙ୍କ ପକେଟ ଥରେ ଥରେ ଦରାଣ୍ଡି ନେଲେ । ଦେଖିଲେ ଖନ୍ନା ସାହେବଙ୍କ ପକେଟରୁ ମୋଟେ ପାଞ୍ଚଟା ଟଙ୍କା ବାହାରିଲା । ସଙ୍ଗେ ସଙ୍ଗେ ମୁହଁ ଆମ୍ବିଳି କରି ସେ କହିଲେ–ଧନ୍ୟ ଆପଣ ଖନ୍ନା ସାହେବ । ଯାହା କହନ୍ତି ନାମ ବଡ଼ା, ଦର୍ଶନ ଥୋଡ଼ା । ଏଡ଼େ ବଡ଼ କମ୍ପାନୀର ଡାଇରେକ୍ଟର, ଲକ୍ଷ ଲକ୍ଷ ଟଙ୍କାର କାରବାର, ଏଣେ ପକେଟ ଦେଖିଲା ବେଳକୁ ମୋଟେ ପାଞ୍ଚଟଙ୍କା । ମେହେତା କୁଆଡ଼େ ଗଲେ । ଆପଣ ଯାଇ ଶ୍ରୀମତୀ ଖନ୍ନାଙ୍କଠାରୁ ଅନ୍ତତଃ ଶହେ ଟଙ୍କା ଆଣିବା ଦରକାର ।

 

ଖନ୍ନା ସାହେବ ଟିକିଏ ଲଜ୍ଜିତ ହୋଇ କହିଲେ–କାହିଁକି ମିଛରେ ଯିବେ, ତାଙ୍କ ପାଖରେ ବୋଧହୁଏ ପଇସାଟାଏ ନଥିବ । ଆପଣ ଏଠି ପଇସା ମାଗିବେ ବୋଲି କିଏ ଜାଣିଥିଲା ?

 

‘ଆପଣ ଚୁପ୍ ରହନ୍ତୁ, ଆମେ ଆମ ଭାଗ୍ୟ ପରୀକ୍ଷା କରୁ କରୁ ଯାହା ହେବ ।’

 

‘ଆଚ୍ଛା, ତେବେ ମୁଁ ଯାଇ ତାଙ୍କୁ ପଚାରେ ।’

 

‘ନାହିଁ ନାହିଁ, ଆପଣ ଯିବାକଥା ପଟିବ ନାହିଁ, ଆପଣ ଏଠୁ ପାଦେ ଘୁଞ୍ଚି ପାରିବେ ନାହିଁ-। ମେହେତା ସାହେବ, ଆପଣ ହେଉଛନ୍ତି ଦାର୍ଶନିକ, ମନୋବିଜ୍ଞାନରେ ପଣ୍ଡିତ । ଆପଣ ଯା’ନ୍ତୁ-। ଦେଖନ୍ତୁ ଯେମିତି ନିଜର ବଦନାମୀ ନ ହୁଏ ।

 

ମେହେତା ସାହେବ ସେତେବେଳକୁ ମଦ ପିଇକରି ମସ୍ତ । ମଦ ଦାଉରେ ସବୁ ଦର୍ଶନ କୁଆଡ଼େ ଉଡ଼ି ଯାଇଥିଲା । କହିଦେଲା ମାତ୍ରେ ସିଧା ସିଧା ସେ ଶ୍ରୀମତୀ ଖାନ୍ନାଙ୍କ ପାଖକୁ ଚାଲିଲେ, ପୁଣି ପାଞ୍ଚ ମିନିଟ ଭିତରେ ମୁହଁକୁ ତଳକୁ ପୋତି ଚାଲି ଆସିଲେ ।

 

ମିର୍ଜା ପଚାରିଲେ–କ’ଣ କିଛି ହେଲା, ନା ଖାଲିହାତ ?

 

ରାୟସାହେବ ହସି ହସି କହିଲେ–ବଡ଼ ଲୋକଙ୍କ ଘରେ ମୂଷା ପିଲାଟାଏ ବି ସିଆଣିଆ-। ପଇସା ମିଳିବ କେଉଁଠି ?

 

ମିର୍ଜା କହିଲେ–ଖୋଦା କରନ୍ତୁ, ଖାନ୍ନା ସାହେବଙ୍କର ବଢ଼ତି ହେଉ । ମେହେତା ସାହେବ ଖୁସିରେ କୁହାଟମାରି ଖଣ୍ଡକୁ ଖଣ୍ଡ ପାଞ୍ଚଖଣ୍ଡ ଶହେ ଟାଙ୍କିଆ ନୋଟ ପକେଟରୁ କାଢ଼ି ଦେଖାଇଲେ ।

 

ମିର୍ଜା ସାହେବ ଆନନ୍ଦରେ ନାଚି ନାଚି ମେହତାଙ୍କ ବେକରେ ଓହଳି ପଡ଼ିଲେ ।

 

ଚାରିଆଡ଼ୁ ଲୋକେ ପାରିକରି ଉଠିଲେ–ଧନ୍ୟ ମେହେତା, ଧନ୍ୟ ପ୍ରଫେସର, ପ୍ରକୃତରେ ତମେ ଜଣେ ଓସ୍ତାଦ ।

 

ନୋଟଗୁଡ଼ାକୁ ମୁଣ୍ଡରେ ଛୁଆଇଁ ଦେଇ ମିର୍ଜା ସାହେବ କହିଲେ–ଧନ୍ୟ ଭାଇ ମେହେତା, ମୁଁ ଜାଣି ଆଜିଠାରୁ ତମ ଶିଷ୍ୟ ହେଲି । ତମେ ପ୍ରକୃତରେ, କ’ଣ କୁହୁକ ଜାଣ ମୋତେ ଆଜି ଶିଖାଇ ଦିଅ ।

 

ମେହେତା ଲାଲ ଆଖି ଦେଖାଇ କହିଲେ–ଆରେ କିଛି ନାହିଁ ମ । ଇଏ କୋଉ କାମଟାଏ ଯେ ଏଥିରେ କୁହୁକ କ’ଣ ଦରକାର । ଯାଇକରି ଯେମିତି ମେହେତା ବୋଲି କହିଦେଲି ସେମିତି ଭିତରକୁ ଡାକିଲେ । ମୁଁ ତାଙ୍କୁ କହିଲି ଯେ ବ୍ରିଜ ଖେଳ ହେଉଛି, ହଜାର ଟଙ୍କାର ମୁଦି ବାଜି ରଖା ହୋଇଛି । ଆପଣ ପାଞ୍ଚଶହ ଟଙ୍କା ଦିଅନ୍ତୁ ଅକ୍ଳେଶରେ ଆପଣଙ୍କୁ ହଜାର ଟଙ୍କା ମିଳିଯିବ । ମାଳତୀ ଦେବୀ ଯଦି ପାଞ୍ଚଶହ ଟଙ୍କା ଦେଇ ନ ପାରନ୍ତି ତେବେ ମୁଦି ଗଲା । ସେ ବୋଧହୁଏ ଭାବିଛନ୍ତି ଯେ ପାଞ୍ଚଶହ ଟଙ୍କା କେହି ଦେଇ ପାରିବେ ନାହିଁ ସେଥିପାଇଁ ମୁଦି ବାଜି ରଖିଛନ୍ତି, ଟିକିଏ ହସି ଦେଇ ଶ୍ରୀମତୀ ଖନ୍ନା ବଟୁଆରୁ ସାଙ୍ଗେ ସାଙ୍ଗେ ପଞ୍ଚଶହ ଟଙ୍କା କାଢ଼ି ଦେଇ କହିଲେ–‘ବାହାରକୁ ବାହାରିଲା ମାତ୍ରେ ମୁଁ କିଛି ପଇସା ବଟୁଆରେ ପକାଇଥାଏ, କାଳେ କେତେବେଳେ ଦରକାର ପଡ଼ିଯିବ ।’

 

ଖନ୍ନା ସାହେବ ଥଟ୍ଟା କରି କହିଲେ–ପ୍ରଫେସର ଲୋକ ଯଦି ଏମିତି ମିଛ କହି ପାରନ୍ତି, ତେବେ ଇନଭରସିଟିକୁ ଏକା ଭଗବାନ ରଖିଲେ ରଖିବେ । ପୋଡ଼ା ଘା’ରେ ଲୁଣ ଦେଲାପରି ମିର୍ଜା ସାହେବ କହିଲେ–କୋଉ ବଡ଼ କଥାଟାଏ ଯେ ଆପଣ ଏମିତି ଦବି ଯାଉଛନ୍ତି । ପାଞ୍ଚ ଶହ ଟଙ୍କା ତ ଆପଣଙ୍କର ଦିନକର ରୋଜଗାର । ଦିନେ ରୋଗରେ ପଡ଼ିଗଲେ ତ ପଞ୍ଚଶହ ଟଙ୍କା ଯାଉଛି । ଟଙ୍କା ତ ଗଲେ ଆଉ କାହା ପାଖକୁ ଯାଉନାହିଁ, ଯାଉଛି ଆପଣଙ୍କ ମାଳତୀ ଦେବୀଙ୍କ ପାଖକୁ, ଯାହାଙ୍କ ପାଇଁ ଆପଣଙ୍କର ଏତେ ଦରଦ ।

 

ମାଳତୀ ଦେବୀ ଠୁକର ଦେଇ କହିଲେ–ଦେଖନ୍ତୁ ମିର୍ଜା ସାହେବ, ଏମିତି ଆକ୍ଷେପ କରି ଆପଣା ଆପଣା ଭିତରେ କଳି କରିବା ଉଚିତ ନୁହେଁ । ମିର୍ଜା ସାହେବ ଡରିଯାଇ କହିଲେ–ଆଚ୍ଛା ଏଇଟା ମୋର ଭୁଲ, ମୁଁ କାନ ମୋଡ଼ି ହେଉଛି ।

 

ତାପରେ ଓକିଲଙ୍କ ପକେଟ ଖୋଜାହେଲା ଯେ ବହୁତ କଷ୍ଟରେ ଦଶଟଙ୍କା ବାହାରିଲା । ମେହେତାଙ୍କ ପକେଟରୁ ମୋଟେ ମିଳିଲା ଗୋଟେ ଆଠଣି । ଆଉ କିଏ କେମିତି ଟଙ୍କାଏ ଦିଟଙ୍କା ଦେଲେ । ମୋଟ ଉପରେ ଦେଖାଗଲା ଯେ ତିନିଶହ ଟଙ୍କା କମ । କମ ଟଙ୍କାଯାକ ସବୁ ରାୟ ସାହେବ ପୂରଣ କରିଦେଲେ ।

 

ସମ୍ପାଦକ ସାହେବ ଖଣ୍ଡେ ଅଧେ ଫଳ ଖାଇ ଟିକିଏ ବସିଛନ୍ତି କି ନାହିଁ ରାୟ ସାହେବ ପହଞ୍ଚିଯାଇ କହିଲେ–ମିସ୍ ମାଳତୀ ଆପଣଙ୍କୁ ଡାକୁଛନ୍ତି ।

 

ସମ୍ପାଦକ କହିଲେ–ମାଳତୀ ଦେବୀ ଯଦି ଡାକୁଛନ୍ତି, ବଡ଼ ଭାଗ୍ୟ ତାହେଲେ । ସାଙ୍ଗେ ସାଙ୍ଗେ ଯାଇ ମାଳତୀଙ୍କ ପାଖରେ ହଜାର ହେଲେ ।

 

ୟା ଭିତରେ ଚାକରବାକରମାନେ ଖାଇବା ଟେବୁଲ ସବୁ ସଫା କରି ଦେଇଥିଲେ । ମାଳତୀ ଦେବୀ ସେଇଠି ସମ୍ପାଦକଙ୍କୁ ସ୍ୱାଗତ କରି ଟିକିଏ ସମ୍ମାନ ଦେଖେଇବା ପାଇଁ ଛିଡ଼ା ହୋଇ ପଡ଼ିବାରୁ ସେ କହିଲେ–ଆପଣ ବସନ୍ତୁ, ମୋ ପାଇଁ ଠିଆ ହୋଇ କଷ୍ଟ କରିବେ ।

 

ମାଳତୀ ଦେବୀ ଶ୍ରଦ୍ଧା ପ୍ରକାଶ କରି କହିଲେ–ମୁଁ ତ ୟାକୁ କଷ୍ଟ ବୋଲି ମନେ କରୁନାହିଁ, ବରଂ ନିଜକୁ ସମ୍ମାନିତ ମନେକରୁଛି । ଆପଣ ସିନା ନିଜକୁ ବଡ଼ ମନେ କରୁ ନାହାନ୍ତି କିନ୍ତୁ ଏଠି ଯେତେ ଲୋକ ଅଛନ୍ତି ସମସ୍ତେ ଆପଣଙ୍କୁ ଦେଶ ସେବକ ଏବଂ ସାହିତ୍ୟ ସେବକ ବୋଲି ଖୁବ୍ ଭଲ ଭାବରେ ଜାଣନ୍ତି । ଦେଶସେବା ଏବଂ ସାହିତ୍ୟ କ୍ଷେତ୍ରରେ ଆପଣ ଯେ ବଳି କାମ କରିଛନ୍ତି, ଲୋକେ ଯଦି ସେ କଥା ଆଜି ନ ବୁଝିଥାନ୍ତି, ତେବେ କାଲି ବି ବୁଝିବେ । ଦେଖିବେ ଆପଣଙ୍କ ନାଁରେ କେତେ ରାସ୍ତା, କେତେ କ୍ଲବ ତିଆରି ହେବ । କେତେ ଟାଉନହଲରେ ଆପଣଙ୍କ ଚିତ୍ର ଓହଳା ହେବ । ବର୍ତ୍ତମାନ ଦେଶରେ ଯେଉଁ ଜାଗରଣ ଆସିଛି ସେ ସବୁ କେବଳ ଆପଣଙ୍କ ଦୟାରୁ-। ଆପଣ ଶଣି ଖୁସି ହେବେ ଯେ, ଆପଣ ଯେଉଁ ଗ୍ରାମୋନ୍ନତି ଆନ୍ଦୋଳନ ଆରମ୍ଭ କରିଛନ୍ତି ସେଥିରେ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆଜିକାଲି ଅନେକ ଲୋକ ତିଆର । ସେମାନଙ୍କର ଇଚ୍ଛା ଯେ ଏକ ଗ୍ରାମୋନ୍ନତି ସଂଘ ଗଢ଼ା ହେବ ଏବଂ ଆପଣ ସେଥିରେ ସଭାପତି ହେବେ ।

 

ବଡ଼ଲୋକଙ୍କ ପାଖରୁ ସମ୍ମାନ ପାଇବା ବୋଧହୁଏ ସମ୍ପାଦକଙ୍କ ଜୀବନରେ ଏହି ପ୍ରଥମ ଥର । କେତେ ସାଧାରଣ ସଭାରେ ସେ ବକ୍ତୁତା ଦିଅନ୍ତି । କେତେ ସଭାରେ ସମ୍ପାଦକ ହୁଅନ୍ତି, କିନ୍ତୁ ବଡ଼ଲୋକଙ୍କଠାରୁ କେବେ ସେ ସମ୍ମାନ ପାନ୍ତି ନାହିଁ । ସେଥିପାଇଁ ସଭା ସମିତିରେ ବଡ଼ଲୋକଙ୍କୁ ସେ ଭାରି ଅଳସୁଆ, ଭାରି ସ୍ଵାର୍ଥପର ବୋଲି କହି ଯେତିକି ଗାଳି ଦିଅନ୍ତି, ନିଜ କାଗଜରେ ମଧ୍ୟ ସେତିକି ଲେଖନ୍ତି । ଯେମିତି ତେଜା କଲମ, ସେମିତି କଡ଼ା ଭାଷା, ସତ କଥା ଲେଖୁ ଲେଖୁ ସେ ଏମିତି ଉତ୍‍ଶୃଙ୍ଖଳ ହୋଇ ପଡ଼ନ୍ତି ଯେ ଲୋକେ ତାଙ୍କୁ ଢୋଲ ବାଇଦ ବୋଲି କହନ୍ତି । ବଡ଼ଲୋକଙ୍କଠାରୁ ଏତେ ସମ୍ମାନ ପାଇ ମନେ ମନେ ସେ ଭାବୁଥିଲେ ଯଦି ‘ସ୍ଵରାଜ’, ‘ସ୍ଵାଧୀନ ଭାରତ’ ଏବଂ ‘ହଣ୍ଟର’ ପ୍ରଭୃତି କାଗଜର ସମ୍ପାଦକମାନେ ଆଜି ଆସିଥାନ୍ତେ ତେବେ ଦେଖିଥାନ୍ତେ ଓଁକାରନାଥଙ୍କର ସମ୍ମାନ କେତେ ଉଚ୍ଚରେ । ଅବଶ୍ୟ ଏପ୍ରକାର ସମ୍ମାନକୁ ଦେବତାଙ୍କ କୃପାଦୃଷ୍ଟି ବୋଲି କହିବାକୁ ହେବ । ଋଷି ମୁନିମାନେ ଯାହା କହିଛନ୍ତି ଯେ ‘ସାଧୁକାର୍ଯ୍ୟ କେବେ ନିଷ୍ଫଳ ଯାଏ ନାହିଁ’ ସେ କଥା କଣ କେବେ ମିଛ ହେଲାଣି । ମନକୁ ମନ ସମ୍ପାଦକଜୀ ଖୁବ୍‍ ଫୁଲି ଯାଇ କୃତଜ୍ଞତା ପ୍ରକାଶ କରି କହିଲେ–ମାଳତୀ ଦେବୀ ! ଆପଣ ମୋତେ ବୃଥା ପ୍ରଶଂସା କରି କଣ୍ଟା ବାଡ଼ରେ ଘୋଷାଡ଼ୁଛନ୍ତି କାହିଁକି ? ଏପର୍ଯ୍ୟନ୍ତ ମୁଁ ଯଦି ଦେଶର କୌଣସି ସେବା କରିଥାଏ ତେବେ ତାହାକୁ ନିଜର କର୍ତ୍ତବ୍ୟ ମନେ କରି କରିଛି । ଏ ସମ୍ମାନ ମୋର ନୁହେ ବରଂ ସେହି ମହତ୍ ଉଦ୍ଦେଶ୍ୟର, ଯାହା ପାଇଁ ମୁଁ ଜୀବନ ଉତ୍ସର୍ଗ କରି ଦେଇଛି । ମାତ୍ର ମୋର ଅନୁରୋଧ, ସଭାପତି ପଦ ଅନ୍ୟ କୌଣସି କ୍ଷମତାଶାଳୀ ଲୋକଙ୍କୁ ଦିଆଯାଉ; ମୋର ତହିଁରେ ଆବଶ୍ୟକତା ନାହିଁ, କାରଣ ଉଚ୍ଚ ଆସନରେ ମୋର ଆସ୍ଥା ନାହିଁ । ମୁଁ ଜଣେ ସାମାନ୍ୟ ସେବକ ମାତ୍ର, ସେବା ହିଁ ମୋର ଜୀବନର ବ୍ରତ ।

 

ମିସ୍ ମାଳତୀ ଏଥିରେ ରାଜି ହେଲେ ନାହିଁ । କହିଲେ ତାଙ୍କର ଇଚ୍ଛା ଓଁକାରନାଥ ନିଶ୍ଚୟ ସଭାପତି ହେବେ । ସାରା ସହରରେ ଏମିତି କେହି ଲୋକ ନାହିଁ ଯେ ନିଜର ଲେଖା, ବକ୍ତୃତା ଏବଂ ବ୍ୟକ୍ତିତ୍ଵ ବଳରେ ଲୋକଙ୍କୁ ଏତେ ଆପଣାର କରିପାରିବ । ଯେଉଁକାଳେ ଧନର ପ୍ରଭୁତ୍ଵ ଥିଲା ସେ ଯୁଗ ଯାଇଛି, ଇଏ ବର୍ତ୍ତମାନ ପ୍ରତିଭାର ଯୁଗ । ଏକଥା ସମ୍ପାଦକ ଅବଶ୍ୟ ସ୍ଵୀକାର କରିବେ । ମାଳତୀ ଦେବୀ ଏ ସଭାର ସମ୍ପାଦକ ହେବେ । ଏହି ସଭାପାଇଁ ହଜାର ଟଙ୍କା ତ ଚାନ୍ଦା ହୋଇ ସାରିଛି ତାଛଡ଼ା ଆହୁରି ଗାଁ ଗଣ୍ଡା ସବୁ ପଡ଼ିଛି ଏ ପର୍ଯ୍ୟନ୍ତ ଅସୁଲ ହୋଇନାହିଁ । ଚାରି ପାଞ୍ଚ ଲକ୍ଷ ଟଙ୍କା ତ ଅତି ସହଜରେ ମିଳିଯିବ ।

 

ଓଁକାରନାଥଙ୍କ ମନ ବର୍ତ୍ତମାନ କାହିଁରେ କ’ଣ । ଏ ପ୍ରକାର ସମ୍ମାନର ଅଧିକାର ପାଇ ସେ ଟିକିଏ ଗମ୍ଭୀର ହୋଇ କହିଲେ–କିନ୍ତୁ ମାଳତୀ ଦେବୀ ! ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣଙ୍କର କାମ ଭାରି ଦାୟିତ୍ଵପୂର୍ଣ୍ଣ, ଆପଣଙ୍କୁ ସେଥିପାଇଁ ବହୁତ ସମୟ ଦେବାକୁ ହେବ । ମୋ ବିଷୟରେ ମୁଁ ଏତିକି କହିପାରେ ଯେ ସଭାରେ ଆପଣ ମୋତେ ସବା ଆଗ ହାଜର ହେବାର ଦେଖିବେ ।

 

ମିର୍ଜା ସାହେବ କହିଲେ–ଆପଣଙ୍କର ଯେଡ଼େ ବଡ଼ ଶତ୍ରୁ ହେଲେ ବି କେବେ ହେଲେ କହି ପାରିବ ନାହିଁ ଯେ ଆପଣ କର୍ତ୍ତବ୍ୟରେ କେବେ ହେଳା କରନ୍ତି ।

 

ମାଳତୀ ଦେଖିଲେ ଯେ ଓଁକାରନାଥଙ୍କୁ ଖୁବ୍ ନିଶା ଧରି ଆସୁଛି । ତେଣୁ ଟିକିଏ ଗମ୍ଭୀର ହୋଇ କହିଲେ–ଆମେମାନେ ଯଦି ଏ ପ୍ରକାର ସଭାର ମୂଲ୍ୟ ବୁଝି ନଥାନ୍ତୁ, ତେବେ ଏ ସଭା ହୁଅନ୍ତା କାହିଁକି, ଆପଣଙ୍କୁ ଅବା ଆମେ ସଭାପତି କରନ୍ତୁ କାହିଁକି ? ଆମେ ଯଦି ଚାହିଁଥାନ୍ତୁ, କୌଣସି ଧନୀଲୋକଙ୍କୁ ସଭାପତି କରାଇ ତାଙ୍କଠୁ ପଇସାପତ୍ର ମାରି ଆପଣା ସ୍ୱାର୍ଥ ହାସଲ କରି ପାରିଥାନ୍ତୁ । କିନ୍ତୁ ତାହା କରିବା ଆମର ଉଦ୍ଦେଶ୍ୟ ନୁହେଁ । ଆମର ଉଦ୍ଦେଶ୍ୟ ହେଉଛି ଦେଶ ସେବା ଏବଂ ଦେଶ ସେବାର ପ୍ରଧାନ ଅସ୍ତ୍ର ହେଉଛି ଆପଣଙ୍କର ଖବର କାଗଜ । ଆମେମାନେ ସ୍ଥିର କରିଛୁ ଯେ ସହର ଏବଂ ଗାଁମାନଙ୍କରେ ଆପଣଙ୍କର କାଗଜର ଖୁବ୍ ପ୍ରଚାର କରାଯିବ, ଗ୍ରାହକ ସଂଖ୍ୟା ଅନ୍ତତଃ କୋଡ଼ିଏ ହଜାର ହୋଇଯିବ । ମୁନିସିପାଲଟି ଏବଂ ଜିଲ୍ଲାବୋର୍ଡ଼ ଚେଆରମାନମାନେ ମୋର ବନ୍ଧୁ । ସେମାନଙ୍କ ଭିତରୁ କେତେଜଣ ବି ବର୍ତ୍ତମାନ ଏଠି ଉପସ୍ଥିତ ଅଛନ୍ତି । ପ୍ରତି ଚେଆରମାନ୍ ପାଞ୍ଚ ଖଣ୍ଡ ଲେଖା କାଗଜ ବିକ୍ରୀ କରାଇଦେବାର ଦାୟିତ୍ୱ ନେଲେ ଅନ୍ତତଃ ପଚିଶ ହଜାର କାଗଜ ନିଶ୍ଚୟ ବିକ୍ରୀ ହୋଇଯିବ । ଆହୁରି ମଧ୍ୟ ମିର୍ଜା ସାହେବ ଏବଂ ରାୟସାହେବଙ୍କ ଇଚ୍ଛା ଯେ ସେମାନେ କାଉନସିଲରେ ଏକ ପ୍ରସ୍ତାବ କରିବେ ଯେ ସରକାର ପ୍ରତି ଗାଁ ପାଇଁ ଖଣ୍ଡେ ଖଣ୍ଡେ କାଗଜ କିଣିବେ ଏବଂ ସରକାରୀ ଭାବରେ ସାହାଯ୍ୟ ଦେବେ । ଖୁବ୍ ସମ୍ଭବତଃ ଏହି ପ୍ରସ୍ତାବ କାଉନସିଲରେ ପାଶ ହୋଇଯିବ ।

 

ଓଁକାରନାଥ ଟିକିଏ ନିଶା ଖାଇଲା ପରି କହିଲେ–ହଁ, ଆମମାନଙ୍କୁ ଲାଟ ସାହେବ ପାଖକୁ ଗୋଟାଏ ପ୍ରତିନିଧି ଦଳ ପଠାଇବାକୁ ହେବ ।

 

ମିର୍ଜା କହିଲେ–ନିଶ୍ଚୟ, ନିଶ୍ଚୟ, ଜରୁର ପଠାଇବାକୁ ହେବ ।

 

‘ଲାଟ ସାହେବଙ୍କୁ କହିବାକୁ ହେବ ଗ୍ରାମୋନ୍ନତି ପାଇଁ ‘ବିଜୁଳି’ ଏକମାତ୍ର ପତ୍ରିକା ହେଲେ ମଧ୍ୟ ସରକାର ତାର ଅସ୍ତିତ୍ଵ ସ୍ଵୀକାର କରିବାକୁ ନାରାଜ । ୟାଠୁ ବଳି ଲଜ୍ଜାର କଥା ଆଉ କ’ଣ ହୋଇପାରେ ।’

 

ମିର୍ଜା କହିଲେ–ନିଶ୍ଚୟ, ବଡ଼ ଲଜ୍ଜାର କଥା ।

 

‘ଅବଶ୍ୟ ମୁଁ ଗର୍ବ କରୁନାହିଁ, କିମ୍ବା ଗର୍ବ କରିବାର ସମୟ ବି ଆସିନାହିଁ । କିନ୍ତୁ ମୁଁ ଏମିତି କହିପାରେ ଯେ ଗ୍ରାମୋନ୍ନତି କରିବା ପାଇଁ ‘ବିଜୁଳି’ ପତ୍ରିକା ଯେତେ ଚେଷ୍ଟା କରିଛି.....’

 

ମେହେତା କହିଲେ–ଚେଷ୍ଟା କାହିଁକି କହୁଛନ୍ତି, ବରଂ ତପସ୍ୟା କରନ୍ତୁ ।

 

ମୁଁ ମେହେତା ସାହେବଙ୍କୁ ଧନ୍ୟବାଦ ଦେଉଛି, ପ୍ରକୃତରେ ଏ ତ ଖାଲି ତପସ୍ୟା ନୁହେ, କଠୋର ତପସ୍ୟା । ‘ବିଜୁଳି’ ଯେଉଁ ତପସ୍ୟା କରିଛି ଏହି ଅଞ୍ଚଳରେ କାହିଁକି, ଏହି ରାଜରେ ବି ଅନ୍ୟ କେହି କରିନାହିଁ ।’

 

ମିର୍ଜା କହିଲେ–ଅବଶ୍ୟ, ଏଥିରେ ଏତେ ଟିକେ ବି ଭୁଲ ନାହିଁ ।

 

ଏ କଥାକୁ ମିସ୍ ମାଳତୀ ଆଉ ଟିକିଏ ଆଗେଇ ଦେଇ କହିଲେ–ଆମ ସଭାରେ ସ୍ଥିର ହେଇଛି ଯେ କାଉନସିଲରେ ଯେଉଁ ଜାଗା ଖାଲି ପଡ଼ିଛି, ସେଥିପାଇଁ ଆପଣଙ୍କୁ ଛିଡ଼ା କରାଇବାକୁ ହେବ । ଖାଲି ଆପଣ ଅନୁମତି ଦେଲେ ହେଲା । ବାକି ସବୁ କାମ ଆମେ କରିନେବୁ; ଟଙ୍କା ପଇସା, ପ୍ରଚାର, ଧାଁ ଧପଡ଼ ଆପଣଙ୍କୁ କିଛି ହେଲେ କରିବାକୁ ପଡ଼ିବ ନାହିଁ ।

 

ଓଁକାରନାଥଙ୍କର ଆଖି ଉଜ୍ଜ୍ୱଳ ହୋଇ ଉଠିଲା । ମିଥ୍ୟା ନମ୍ରତାର ସହିତ ସେ କହିଲେ–ମୁଁ ତ ଆପଣମାନଙ୍କର ସେବକ, ଆପଣ ଯାହା ଚାହିଁବେ ମୁଁ କରିବାକୁ ରାଜି ।

 

‘ଆମେମାନେ ମଧ୍ୟ ଆପଣଙ୍କଠାରୁ ଏହି ପ୍ରକାର ସ୍ଵୀକୃତି ଆଶା କରୁ । ଏପର୍ଯ୍ୟନ୍ତ ଆମେ ଭୁଲ୍ ଦେବତାଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ଆମର କିଛି ଲାଭ ହୋଇନି । ଆଜିଠାରୁ ଆପଣଙ୍କ ପରି ଜଣେ ସଚ୍ଚୋଟ ପଥ ପ୍ରଦର୍ଶକଙ୍କୁ ପାଇ ଆମେମାନେ ସମସ୍ତ ଗର୍ବ ଦମ୍ଭ ଭୁଲି ଯାଇଛୁ । ଆଜି ଆମମାନଙ୍କ ଭିତରେ ଶୂଦ୍ର, ବ୍ରାହ୍ମଣ, ହିନ୍ଦୁ, ମୁସଲମାନ, ସାନବଡ଼, ଜାତି ଅଜାତି କୌଣସି ପ୍ରକାର ବାଛ ବିଚାର ନାହିଁ । ଆମେମାନେ ଏକା ମାଆର ପୁଅ ଏବଂ ଏକାଥାଳିରେ ଖାଇବା ଭାଇ । ଯେଉଁ ଲୋକ ସାନବଡ଼ ଭେଦ ବିଶ୍ଵାସ କରେ ସେହି ଲୋକ ପାଇଁ ଆମ ସଭାରେ ସ୍ଥାନ ନାହିଁ । ଓଁକାରନାଥଙ୍କ ପରି ବିଶାଳ ହୃଦୟ ଲୋକ ଯେଉଁ ସଭାର ସଭାପତି, ସେହି ସଭାରେ କେହି ସାନବଡ଼ ଜାତି ଅଜାତି କଥା ବିଚାର କରି ନପାରେ । ଯେଉଁମାନଙ୍କର ଏକ ରାଷ୍ଟ୍ର ଏବଂ ଏକ ଜାତିରେ ବିଶ୍ୱାସ ନାହିଁ, ସେମାନେ ଦୟାକରି ଏ ସଭା ଛାଡ଼ି ଚାଲିଯା’ନ୍ତୁ ।’

 

ରାୟ ସାହେବ ଆଶଙ୍କା ପ୍ରକାଶକରି କହିଲେ–ଏକତାର ଅର୍ଥ ତ ନୁହେ ଖିଆ ପିଆର ବାଛ ବିଚାର ଛାଡ଼ିଦେବା । ମୁଁ ମଦ ପିଏ ନାହିଁ, ୟା ବୋଲି କ’ଣ ମୋତେ ଏ ସଭା ଛାଡ଼ି ଚାଲିଯିବାକୁ ହେବ ।

 

ମାଳତୀ ଜୋର ଦେଇ କହିଲେ–ନିଶ୍ଚୟ ଛାଡ଼ି ଚାଲିଯିବାକୁ ହେବ । ଏହି ଅନୁଷ୍ଠାନରେ ରହି ଆପଣ କୌଣସି ପ୍ରକାର ବାଛ ବିଚାର ରଖି ପାରିବେ ନାହିଁ ।

 

ମେହେତା ଟିକିଏ କଥାକୁ ମାଜି ଦେଇ କହିଲେ–ମୋର ତ ସନ୍ଦେହ ହେଉଛି ଏହି ସଭାର ଖୋଦ ସଭାପତି ଓଁକାରନାଥ ବି ଏ ପର୍ଯ୍ୟନ୍ତ ଖିଆପିଆର ବାଛ ବିଚାର ଛାଡ଼ି ନାହାନ୍ତି ।

 

କଥା ଶୁଣି ଓଁକାରନାଥଙ୍କ ଚେହେରା ଟିକିଏ ଦବିଗଲା । ମନେ ସେ ଭାବିଲେ ଇଏ ପୁଣି ଗୋଟାଏ ବଦମାସ କଥା କୁଆଡ଼ୁ ବାହାରିଲାଣି । ହଉ, ଦେଖାଯାଉ କ’ଣ ହେଉଛି ।

 

ମିସ୍ ମାଳତୀ ଓଁକାରନାଥଙ୍କ ଆଡ଼କୁ ଅନାଇ ଜୋରଦେଇ କହିଲେ–ନାହିଁ ମେହେତା ସାହେବ, ସମ୍ପାଦକଙ୍କ ବିଷୟରେ ଆପଣଙ୍କର ଯେଉଁ ଧାରଣା ସେଗୁଡ଼ା ସବୁ ବୃଥା । ଆପଣ କ’ଣ ଭାବୁଛନ୍ତି ଓଁକାରନାଥଙ୍କ ପରି ଅସାଧାରଣ ଦେଶସେବୀ, ଉଦାରଚେତା, ଏକାଧାରରେ କବି ଏବଂ ରସିକ ପୁରୁଷ କେବେହେଲେ ଏ ପ୍ରକାର ଲଜ୍ଜାଜନକ ଭେଦଭାବକୁ ମନରେ ସ୍ଥାନ ଦେଇ ପାରନ୍ତି-? ଅସମ୍ଭବ । ଏ ପ୍ରକାର ସନ୍ଦେହ ତାଙ୍କର ଦେଶପ୍ରୀତି ପ୍ରତି ଅଯଥା ଅପମାନ ଛଡ଼ା ଅନ୍ୟ କିଛି ନୁହେ ।

 

ଓଁକାରନାଥଙ୍କର ଚେହେରା ପୁଣି ଝଲସି ଉଠିଲା । ମନରେ ସନ୍ତୋଷ ଏବଂ ଆନନ୍ଦର ଆଲୋକ ଫୁଟି ଦେଖାଗଲା ।

 

ମାଳତୀ ପୁଣି କହିଲେ କେବଳ ଦେଶପ୍ରୀତିର ନୁହଁ ତାଙ୍କ ପୌରୁଷର ଅପମାନ ମଧ୍ୟ । ଦୁନିଆରେ ଏମିତି ଲୋକ କାହାନ୍ତି, ଯେ ନାରୀର ଶ୍ରୀହସ୍ତଦତ୍ତ ମଦ୍ୟପାତ୍ରର ଅବମାନନା କରିପାରିବେ ? ଯେଉଁ ନାରୀର ନୟନବାଣର ଆଘାତରେ ପୁରୁଷ ନିଜ ଅନ୍ତରକୁ ଛିନ୍ନଭିନ୍ନ କରିବାରେ ଆନନ୍ଦ ଅନୁଭବ କରେ, ଯେଉଁ ନାରୀର ଅଙ୍ଗଭଙ୍ଗୀ ଦେଖି ମହୀପତି ମଧ୍ୟ ପ୍ରାଣପାତ କରିବାର ପ୍ରୟାସ କରେ ସେହିପରି ନାରୀର ଅପମାନ କରିବାପାଇଁ ସାହସ କରିବ କିଏ ? ଆଣ, ବୋତଲ ଆଣ ଗ୍ଲାସ ଆଣ, ସମସ୍ତଙ୍କ ପାତ୍ର ଭରିଦେଇ ଯାଅ । ଏତେବେଳେ କୌଣସି ପ୍ରକାର ସନ୍ଦେହ କିମ୍ବା ଆପତ୍ତି କରିବା ଦେଶପ୍ରୀତିର ଅପମାନ । ପ୍ରଥମେ ଆମେମାନେ ସଭାପତିଙ୍କର ଶୁଭ କାମନା କରି ପିଇବା ।

 

ଆଗରୁ ତ ବରଫ, ମଦ ଏବଂ ସୋଡ଼ା ସବୁ ତିଆରି ହୋଇ ରହିଥିଲା । ମାଳତୀ ଦେବୀ ଆପଣା ଶ୍ରୀହସ୍ତରେ ମଦ୍ୟପାତ୍ର ବଢ଼େଇଦେଇ ସମ୍ପାଦକଙ୍କୁ ଏମିତି ଏକ ଚାହାଣୀ ଚାହିଁଲେ ଯେ ସତେ ଯେମିତି ତାଙ୍କର ସବୁ ନିଷ୍ଠା ସବୁ ବର୍ଣ୍ଣଶ୍ରେଷ୍ଠତା କୁଆଡ଼େ ପବନରେ ମିଳେଇଗଲା । ଓଁକାରନାଥ ମନେ ମନେ ଭାବିଲେ ସଂସାରେ ଭଲ ମନ୍ଦ, ଆଚାର ବିଚାର ଯାହା କହ ସବୁ ଖାଲି ସମୟର ଅଧୀନ । ଆଜି ଆମେ ଦରିଦ୍ର । କେହି ଧନୀଲୋକ ମଟର ଚଢ଼ି ଧୂଳି ଉଡ଼ାଇ ଚାଲିଗଲେ ମନରେ ଆମର ବିଦ୍ରୋହ ହୁଏ । ମନହୁଏ ପଥର ମାରି ମଟରକୁ ଗୁଣ୍ଡା କରିଦେବାକୁ, ୟା ବୋଲି କ’ଣ ମଟର ଚଢ଼ିବା ପାଇଁ ଆମ ମନରେ ବି ଲାଳସା ନଥାଏ । ସମୟ ଆସିଲେ ଆମେ ତ ପୁଣି ଚଢ଼ୁ । ଯାହା କୁହ, ସବୁ ହେଉଛି ସମୟର ଅଧୀନ । ଆମେ କହୁଛେ ଆମ ବାପ ଦାଦି ମଦ ପିଉ ନଥିଲେ କିନ୍ତୁ ସେତେବେଳେ ଅବସ୍ଥା ଥିଲା ଭିନ୍ନ । ମଦ ତାଙ୍କୁ ମିଳୁଥିଲା କେଉଁଠୁ ? ମିଳିଲେ ବା ପିଇଥାନ୍ତେ କେମିତି ? ସେମାନେ ତ ପୁଣି ରେଳଗାଡ଼ି ଦେଖି ନଥିଲେ, କଳ ପାଣି ପିଇ ନଥିଲେ, ଇଂରେଜୀ ପାଠକୁ ପାପ ବୋଲି ଭାବୁଥିଲେ । ଆଜି ତ ଆଉ ସେ କଥା ନାହିଁ, ସମୟ କେତେ ବଦଳି ଗଲାଣି । ସମୟ ସାଙ୍ଗରେ ପାଦ ପକାଇ ଚାଲିବାକୁ ହେବ, ନହିଲେ ସମୟ ଆମକୁ ଛାଡ଼ି ଆଗକୁ ଚାଲିଯିବ । ତା ଛଡ଼ା ଏପରି ନାରୀଙ୍କର କୋମଳ ଶ୍ରୀହସ୍ତରୁ ମଦ କାହିଁକି ବିଷ ହେଲେ ବି ନପିଇ ରହିବ କିଏ ? ଯେଉଁ ସୌଭାଗ୍ୟ ପାଇଁ ବଡ଼େ ବଡ଼େ ବି ଗଡ଼ି ମରୁଚନ୍ତି, ସେହି ସୌଭାଗ୍ୟ ଆଜି, ଯେତେବେଳେ ଆପେ ଆସି ଦୁଆରେ ଛିଡ଼ା ହୋଇଛି, ତାକୁ ଛାଡ଼ିବ କିଏ ?

 

ସଂପାଦକ ମଦ ଗ୍ଲାସ ନେଇଯାଇ କୃତଜ୍ଞତା ସହିତ ମୁଣ୍ଡ ନୁଆଇଁ ଢକ ଢକ କରି ପିଇ ଦେଇଗଲେ । ତାପରେ ସମସ୍ତଙ୍କୁ ଅନାଇ ରହିଲେ ସତେ ଯେମିତି ସେ କହିବାକୁ ଚାହୁଁଥିଲେ–ମୋତେ ପରା ଅବିଶ୍ୱାସ କରୁଥିଲ, ଏବେ ଦେଖ । ମୁଁ କେବେହେଲେ ମୂର୍ଖ ପଣ୍ଡିତ ନୁହେଁ । ମୋତେ ଏବେ ଆଉ ଅଭିମାନୀ ପାଷାଣ୍ଡ କହିବାର ସାହାସ କାହାର ଅଛି ?

 

ହାଲର ଚାରିଆଡ଼ୁ ଖୁବ ପାଟି ତୁଣ୍ଡ ଶୁଭିଲା । ଧନ୍ୟ ମାଳତୀ ଦେବୀ, ଧନ୍ୟ ତମେ । ସବୁ ନିଷ୍ଠା ସବୁ ଧର୍ମ କର୍ମର ବାଡ଼ବତା ତମେ ଜାଣି ଆଜି ଉଡ଼ାଇ ଦେଲ ।

 

ପାଟିକି ମଦ ଯାଉଁ ଯାଉଁ ସଂପାଦକଙ୍କର ବାଚାଳତା ବାହାରିଲା । ସେ ହସି ହସି କହିଲେ–ଆଜିଠାରୁ ମୁଁ ମୋର ସବୁ ଧର୍ମ କର୍ମ ମାଳତୀଙ୍କ କୋମଳ ହସ୍ତରେ ଅର୍ପଣ କରିଦେଲି । ଏଣିକି ସେହି ତାର ରକ୍ଷଣାବେକ୍ଷଣ କରିବେ । ତାଙ୍କରି କୋମଳଚରଣ ତଳେ ଏପରି ହଜାର ଧର୍ମକୁ ସହଜରେ ମୁଁ ଜଳାଞ୍ଜଳି ଦେଇପାରେ ।

 

ପାଟିତୁଣ୍ଡ କୁହାଟରେ ହାଲ ଫାଟି ପଡ଼ିଲା ।

 

ସଂପାଦକଙ୍କ ଚେହେରା ଫୁଲି ଉଠିଲା । ଆଖି ଡୋଳା ଡିମା ଡିମା ହୋଇ ବାହାରି ପଡ଼ିଲା । ସେ ଗ୍ଲାସରେ ଆହୁରି ଗ୍ଲାସେ ମଦ ପୁରାଇଦେଇ କହିଲେ–ଏ ସବୁ ମାଳତୀ ଦେବୀଙ୍କ ଚେଷ୍ଟାର ଫଳ । ଆପଣମାନେ ଖୁବ୍ ପିଅନ୍ତୁ ଏବଂ ମାଳତୀ ଦେବୀଙ୍କୁ ଆଶୀର୍ବାଦ କରନ୍ତୁ ।

 

ଯେତେ ଲୋକ ଥିଲେ ସମସ୍ତେ ପିଇଦେଇ ପୁଣି ଗ୍ଲାସ୍ ଖାଲି କରିଦେଲେ ।

 

ଏତିକିବେଳେ ମିର୍ଜା ଖୁର୍ସୀଦ ସଂପାଦକଙ୍କ ବେକରେ ଏକ ଫୁଲମାଳ ପକାଇଦେଇ କହିଲେ–ସଭାପତିଙ୍କୁ ସ୍ଵାଗତ କରିବା ପାଇଁ ମୁଁ ଗୋଟିଏ ଗୀତ ଲେଖିଛି । ଆପଣମାନେ ଅନୁମତି ଦେଲେ ମୁଁ ଶୁଣାନ୍ତି ।

 

ସବୁଆଡ଼ୁ ଲୋକେ ପାଟିକଲେ–ନିଶ୍ଚୟ ଶୁଣାନ୍ତୁ ।

 

ଓଁକାରନାଥ ତ ଆଗରୁ ବରାବର ଭାଙ୍ଗ ପିଉଥିଲେ, କିନ୍ତୁ ମଦ ପିଇବା ଏଇ ହେଉଛି ପ୍ରଥମ । ଭାଙ୍ଗନିଶା ଧୀରେ ଧୀରେ ମସ୍ତିସ୍କକୁ ଆକ୍ରମଣ କରେ ଏବଂ ସବୁ କଥା ସ୍ଵପ୍ନ ପରି ଲାଗେ-। ତଥାପି ମନୁଷ୍ୟ କେବେ ଚେତନା ହରାଏ ନାହିଁ । କିନ୍ତୁ ମଦନିଶା ମସ୍ତିସ୍କକୁ ଏପରି ଆକ୍ରମଣ କରେ ଯେ ମନୁଷ୍ୟ ବିଚଳିତ ହୋଇପଡ଼େ; କଣ କରେ, କଣ କହେ କିଛି ଜାଣିପାରେ ନାହିଁ । ମୁଣ୍ଡ ଚକ୍ରପରି ଘୂରେ ଏବଂ ସାକାର ବସ୍ତୁ ନିରାକାର ପରି ଦେଖାପଡ଼େ ।

 

ତେଣୁ ନିଶା ଦାଉରେ ଓଁକାରନାଥ ଏବେ ବକିବାକୁ ଆରମ୍ଭ କଲେ । ‘ନାହିଁ ଏଠି ଗୀତ ବୋଲାହେବ ନାହିଁ । ମୁଁ ଏଠି ସଭାପତି, ଇଏ ହେଉଛି ମୋର ହୁକୁମ । ମୁଁ ଚାହିଁଲେ ଏହି ସଭାକୁ ଭାଙ୍ଗିଦେଇ ପାରେ, ସମସ୍ତଙ୍କୁ ଏଠୁ ଘଉଡ଼ି ଦେଇପାରେ । ମୁଁ ସଭାପତି, ମୋ ଇଚ୍ଛା ଯାହା କରିପାରେ । ଅନ୍ୟ କାହାର ଏଠି କିଛି ଅଧିକାର ନାହିଁ ।’

 

ମିର୍ଜା ସାହେବ ହାତଯୋଡ଼ି କହିଲେ–ହଜୁର, ଏହି ଗୀତରେ ତ ଆପଣଙ୍କର କେବଳ ପ୍ରଶଂସା କରାଯାଇଛି, ଆପଣ ମନା କରୁଛନ୍ତି କାହିଁକି ?

 

ସଂପାଦକ ଆଖି ଲାଲ ଲାଲ କରି କହିଲେ–ତମକୁ କିଏ କହିଲା ମୋର ପ୍ରଶଂସା କରିବାପାଇଁ । କିଏ ସେ କହିଲା, କହ । ମୁଁ କାହାରି ଚାକର ନୁହେଁ, ମୁଁ କେଉଁ ଶଳାର ଖାଏ ନାହିଁ । ମୁଁ ହେଉଛି ଖୋଦ୍ ସଂପାଦକ । ‘ବିଜୁଳି’ର ସଂପାଦକ । ମୋ କାଗଜରେ ମୁଁ ସମସ୍ତଙ୍କୁ ପ୍ରଶଂସା କରି ଲେଖିବି । କିନ୍ତୁ ମାଳତୀ ଦେବୀଙ୍କୁ କେବେହେଲେ ପ୍ରଶଂସା କରି ଲେଖିବି ନାହିଁ । ମୁଁ ଏମିତି କୌଣସି ବଡ଼ଲୋକ ନୁହେଁ । ମୁଁ ହେଉଛି ସମସ୍ତଙ୍କର ଗୋଲାମ । ମୁଁ ଆପଣମାନଙ୍କର ପାଦଧୂଳି । ମାଳତୀ ଦେବୀ ମୋର ଲକ୍ଷ୍ମୀ, ସରସ୍ଵତୀ, ମୋର ରାଧା ।

 

ଏତିକି କହି ସେ ମାଳତୀଙ୍କ ଆଡ଼କୁ ଢଳି ପଡ଼ୁ ପଡ଼ୁ ମୁହଁମାଡ଼ି କଚାଡ଼ି ହୋଇ ପଡ଼ିଗଲେ । ମିର୍ଜା ସାହେବ ଚଉକୀ ବେଞ୍ଚ ସବୁ ହଟାଇ ଦେଇ ତାଙ୍କୁ ସେଇଠି ଭୂଇଁରେ ଗଡ଼େଇ ଦେଲେ । ତାପରେ ତାଙ୍କ କାନ ପାଖରେ ତୁନୀ ତୁନୀ କହିଲେ–ରାମ ନାମ ସତ୍ୟ ହୈ । କହିବ ଯଦି ତମପାଇଁ ମୁଁ ଶ୍ମଶାନଯାତ୍ରା ଠିକ୍ କରିଦେବି ।

 

ରାୟସାହେବ କହିଲେ–କାଲି ଦେଖିବ ପୁଣି ସେ କ’ଣ କରିବ । ଖୁବ୍ ବିଗଡ଼ିଯିବ, ଖବରକାଗଜରେ ଏମିତି କସିକରି ଲେଖିବ ଯେମିତି ଜୀବନଯାକ ତମେ ପୁଣି ମନେ ପକାଉଥିବ । ସେ ଏମିତି କଡ଼ା ଯେ କାହା ପ୍ରତି ତାର ତିଳେହେଲେ ଦୟାମାୟା ନଥାଏ । ଲେଖିଲାବେଳେ ଆଗପଛକୁ କାହାକୁ ସେ ଅନାଏ ନାହିଁ । କିନ୍ତୁ ମତେ ଆଶ୍ଚର୍ଯ୍ୟ ଲାଗେ ୟା ଭଳିଆ ଗଧ କେମିତି ଏତେ ବଢ଼ିଆ ଲେଖିପାରେ ।

 

କେତେଜଣ ଲୋକ ସଂପାଦକଙ୍କୁ ଟେକିନେଇ ତାଙ୍କ ଘରେ ଗଡ଼େଇଦେଇ ଆସିଲେ । ଏଣେ ଧନୁଯଜ୍ଞ ଯାତ୍ରା ଜୋରସୋର ଚାଲିଥାଏ । ନାଚ ଦେଖିବାପାଇଁ ଲୋକ ଆସି ବାବୁମାନଙ୍କୁ ବାରମ୍ବାର ଡାକି ଯାଉଥାନ୍ତି । ବାବୁମାନେ ଯିବାପାଇଁ ଠିକ୍ ତିଆର ହେଉଛନ୍ତି ଏହି ସମୟରେ ଗୋଟାଏ ଖୁବ୍ ଡେଙ୍ଗା ଦାଢ଼ିଆ ପଠାଣ ଆସି ପହଞ୍ଚିଗଲା । ଗୋଟାଏ ହାତରେ ବନ୍ଧୁକ, ଆଉ ଗୋଟାଏ ହାତରେ ପଟେ ଖଣ୍ଡା । ପହଞ୍ଚିଲା ମାତ୍ରେ ବାବୁମାନଙ୍କୁ ଦେଖି ସେ ଗର୍ଜନ କରି କହିଲା–କୁଆଡ଼େ ଯାଉଛ ବସ ସବୁ, ଏଠୁ ଖସିଯିବା କଥା ପଟିବ ନାହିଁ । ମୋର ଜଣେ ବନ୍ଧୁଙ୍କଠାରୁ ସବୁ ଜିନିଷ କିଏ ଛଡ଼ାଇ ନେଇଛି । ବୋଧହୁଏ ତମମାନଙ୍କ ଭିତରୁ କେହି ଜଣେ ନେଇଛି । ସେହିସବୁ ଜିନିଷ ଫେରସ୍ତ ନମିଳିବା ଯାଏ ତମେ କେହି ଏଠୁ ଯାଇପାରିବ ନାହିଁ, ତମମାନଙ୍କର ସରଦାର କିଏ ଆଗ ମୋତେ କହ ।

 

ରାୟସାହେବ ଏକଥା ଶୁଣି ରାଗିଯାଇ କହିଲେ–ତମ ଜିନିଷ ଲୁଟି କରିବା ଲୋକ ଏଠି କେହି ନାହାନ୍ତି । ଲୁଟି କରିବା କାମ ହେଉଛି ତମମାନଙ୍କର । ସଫା ସଫା କହିଦିଅ, ତମ ମତଲବ କ’ଣ ? କାହିଁକି ଆସିଛ ?

 

ପଠାଣ ଏଡ଼େ ଆଖିକରି ଭୂଇଁରେ ବନ୍ଧୁକକୁ ପିଟିଦେଇ କହିଲା–ମୋତେ ପୁଣି ଓଲଟି ପଚାରୁଛ ଲୁଟିକରିବା କଥା । ତମେମାନେ ନିଶ୍ଚୟ ଲୁଟି କରିଛ । ମୋ ଲୋକ ଖଜଣା ଅସୁଲକରି ହଜାର ଟଙ୍କା ନେଇ ଘରକୁ ଫେରିଲାବେଳେ ତମ ଲୋକେ ତାକୁ ପିଟି ସେ ଟଙ୍କା ନେଇ ଯାଇଛନ୍ତି-। ସେଥିରେ ପୁଣି ତମେ ପଚାରୁଛ ଡକାୟିତ କିଏ କରିଛି । ଡକାୟିତ କିଏ କରିଛି ବର୍ତ୍ତମାନ ତମକୁ ବୁଝାଇଦେବି । ମୋର ପଚିଶ ଜଣ ଲୋକ ବର୍ତ୍ତମାନ ଆସୁଛନ୍ତି, ତମରି ଗାଁ ଲୁଟକରି ନେବେ, ଦେଖିବି, କିଏ କ’ଣ କରିବ ।

 

ପଠାଣର ଲାଲ ଆଖି ଦେଖିଲାମାତ୍ରେ ଖନ୍ନା ସାହେବ ଚୁପକରି ଖସିଯିବାକୁ ବାହାରିଲେ । ପଠାଣ ସରଦାର ଗର୍ଜନକରି କହିଲା–କୁଆଡ଼େ ଯାଉଛ ? ଏଠୁ କୌଣସି ଆଡ଼େ ଯିବାକଥା ହେବ ନାହିଁ । ତମ ପୁଲିସକୁ ମୁଁ ଖାତିର କରେ ନାହିଁ ବରଂ ତମ ପୁଲିସ ମୋତେ ଦେଖିଲା ମାତ୍ରେ ଡରି ପଳାଇବେ । ଲାଟ୍ ସାହେବ ବି ମୋର ଚିହ୍ନା ଅଛନ୍ତି । ଏଠୁ କେହି କୁଆଡ଼େ ଯାଇପାରିବେନାହିଁ । ମୋ ହଜାର ଟଙ୍କା ନ ହେଲେ ମୁଁ ଏଠି ସମସ୍ତଙ୍କୁ ଜୀବନରେ ମାରିଦେବି । ତମେ ସବୁ ପର ସମ୍ପତ୍ତି ଲୁଟିକରି ଏଠି ମାଇକିନାଙ୍କ ସହିତ ମଦ ପିଆରେ ମାତିଛ ।

 

ସେ ପଠାଣ ନ ଦେଖିଲାପରି ମାଳତୀ ଦେବୀ ଆଡ଼େଇ ହୋଇ ଚାଲିଯିବାକୁ ବାହାରିଲାବେଳକୁ ସେ ଧାଇଁଯାଇ ଆଗରେ ଛିଡ଼ା ହୋଇପଡ଼ି କହିଲା–ଏହି ବଦମାସ ଗୁଡ଼ାଙ୍କଠାରୁ ହଜାର ଟଙ୍କା ମୋତେ ଦିଆଇ ଦିଅ ନଚେତ୍ ମୁଁ ତମକୁ ଉଡ଼େଇ ନେଇ ଚାଲିଯିବି । ତମ ସୌନ୍ଦର୍ଯ୍ୟ ଦେଖି ମୁଁ ଭାରି ମୁଗ୍ଧ ହୋଇଛି । ମତେ ହଜାର ଟଙ୍କା ଦବ ନଚେତ୍ ତମକୁ ମୋ ସଙ୍ଗରେ ଯିବାକୁ ପଡ଼ିବ । ମୁଁ ତମକୁ କେବେ ହେଲେ ଛାଡ଼ିଦେବି ନାହିଁ । ଏଠି ମୋର ପଚିଶ ଜଣ ଲୋକ ଅଛନ୍ତି, ଏହି ଜିଲାରେ ମୋର ସମୁଦାୟ ପାଞ୍ଚଶ ଲୋକ ଅଛନ୍ତି । ମୁଁ ହେଉଛି ଆମ ଦଳର ସରଦାର । ଆମ ଦଳରେ ଦଶହଜାର ସିପାହୀ ଅଛନ୍ତି । ଆମେ କାବୁଲର ଅମୀରଙ୍କ ସହିତ ଲଢ଼ିବା ଲୋକ । ଇଂରେଜ ସରକାର ଆମକୁ ବର୍ଷକୁ ହଜାର ଟଙ୍କା ବକସିସ ଦିଅନ୍ତି । ତମେ ଯଦି ଟଙ୍କା ନଦିଅ, ତେବେ ତମ ଗାଁଗଣ୍ଡା ଲୁଟିନେବୁ ଏବଂ ତମର ଏହି ରସିକମାନଙ୍କୁ ବି ଉଡ଼େଇ ଦେବୁ । ହତ୍ୟା କରିବା ତ ଆମ ପକ୍ଷରେ କିଛି ନୁହେ । ଚାହିଁଲେ ଆମେ ରକ୍ତନଦୀ ବୁହାଇ ଦେବୁ ।

 

ଏତିକିରେ ସବୁ ମଉଜ ମଜଲିସ ବନ୍ଦ ହୋଇଗଲା । ମାଳତୀଙ୍କ ଆଡ଼ମ୍ବର କୁଆଡ଼େ ଉଭେଇ ଗଲା । ଖନ୍ନା ଏକଦମ ଥରହର । ବିଚାରା ଏଡ଼େ ଭୟାଳୁ ଯେ ଚୋର ଡକାୟତଙ୍କ ଭୟରେ ଖରାଦିନେ ବି ଝରକା କବାଟ କିଳି ଶୁଅନ୍ତି । ରାୟସାହେବ କ୍ଷତ୍ରିୟ ବୋଲି ତାଙ୍କର ଭାରି ଅଭିମାନ । ନିଜ ଘର ଭିତରେ ଜଣେ ପଠାଣକୁ ଡରିଯିବା ତାଙ୍କ ପକ୍ଷରେ ଲଜ୍ଜାର କଥା, ତଥାପି ତା ହାତରେ ଯେତେବେଳେ ବନ୍ଧୁକ ବାଜିଯିବ । ଏକେତ ଏଗୁଡ଼ା ଡକାୟତ, ପୁଣି ଏମାନଙ୍କର ବନ୍ଧୁକ ସାଧନା ଖୁବ୍ ଭଲ । ଯଦି ତା ହାତରେ ବନ୍ଧୁକ ନ ଥାନ୍ତା ତାହେଲେ ତା ସଙ୍ଗେ ଲଢ଼ିବା ପାଇଁ ରାୟସାହେବ ତିଳେ ହେଲେ ଡରନ୍ତେ ନାହିଁ । ଅସଲ କଥା ହେଉଛି ବଦମାସଟା କାହାକୁ ପଦାକୁ ଛାଡ଼ିଦେଉ ନଥିଲା, ନହିଲେ ତ ଏକା ଡାକକେ ଗାଁ ଯାକ ଆସି ଜମାହୋଇ ଯାଇଥାନ୍ତେ ଏବଂ ବଦମାସକୁ ପିଟିକରି ସାରା କରି ଦେଇଥାନ୍ତେ ।

 

ଶେଷକୁ ସେମାନଙ୍କ ଭିତରୁ ଜଣେ ଖୁବ୍ ସାହସ କରି କହିଲେ–ଆମେ ଆପଣଙ୍କୁ ଏତିକି କହିଦେଉଛୁ ଯେ ଆମେମାନେ ଚୋର କିମ୍ବା ଡକାୟତ ନୋହୁଁ । ମୁଁ ଜଣେ କାଉନସିଲ ମେମ୍ୱର, ଆଉ ଇଏ ହେଉଛନ୍ତି ଲକ୍ଷ୍ନୌର ଜଣେ ପ୍ରସିଦ୍ଧ ଡାକ୍ତରାଣୀ । ଏଠି ସମସ୍ତେ ହେଉଛନ୍ତି ଭଦ୍ରଲୋକ । ଆପଣଙ୍କ ଡକାୟତି କଥା ଆମ କାହାକୁ ମୋଟେ ଜଣା ନାହିଁ । ଆପଣ ଯାଇ ଥାନାରେ ରିପୋର୍ଟ କରନ୍ତୁ ।

 

ପଠାଣ ସର୍ଦ୍ଦାର ଭୂଇଁରେ ପାଦକୁ ବାଡ଼େଇ ବନ୍ଧୁକକୁ ହାତରେ ଧରି କହିଲେ–ଆଉ ବକବକ କର ନାହିଁ । ଏମିତିଆ କେତେ କାଉନସିଲ ମେମ୍ବର ମୁଁ ଗୋଇଠା ମାରି ଗଡ଼େଇ ଦେଇଛି-। ମୋ ହାତ ଯେମିତି ଜୋର, ମୋ ମନ ସେମିତି ଜୋର, ମୁଁ ଭଗବାନଙ୍କ ଛଡ଼ା ଅନ୍ୟ କାହାକୁ ଖାତିର କରେ ନାହିଁ । ତମେ (ରାୟସାହେବଙ୍କୁ ଅନାଇ) ଯଦି ମୋ ଟଙ୍କା ନ ଦିଅ, ତେବେ ତମକୁ ଏଇଠି ହତ୍ୟା କରିବି ।

 

ତାର ବନ୍ଧୁକର ନଳୀଟା ରାୟସାହେବଙ୍କ ଆଡ଼କୁ ହୋଇଥିବାର ଦେଖି ଡରିଯାଇ ସେ ମେଜ ପାଖକୁ ଲାଗିଗଲେ । ବଡ଼ ବିପତ୍ତିରେ ବିଚାରା ପଡ଼ିଗଲେ । ସଇତାନ କାହାକଥା ବୁଝିଲା ନାହିଁ, କିମ୍ବା ଶୁଣିଲା ନାହିଁ, କିମ୍ଵା କାହାକୁ ବାହାରକୁ ଛାଡ଼ିଦେଲା ନାହିଁ । ଚାକର ବାକର ସିପାହୀ ସବୁ ସେତେବେଳେ ନାଟ ଦେଖିବାରେ ଭୋଳ । ଜମିଦାରଙ୍କ ଚାକରବାକର ତ ସହଜେ ବଦମାସ ଯେ ପାଞ୍ଚଥର ନ ଡାକିଲେ ଶୁଣିବେ ନାହିଁ । ଏବେ ତ ଯାତ୍ରା ଦେଖାରେ ଲାଗିଛନ୍ତି, ଆସୁଛି କିଏ ? ନହିଲେ ସିପାହୀଙ୍କୁ ଯଦି ଖବର ମିଳିଯାନ୍ତା ତେବେ ମୁହୂର୍ତ୍ତକେ ଆସି ଜମିଯାନ୍ତେ । ପଠାଣ ପୁଅର ମଜା ବାହାରିଯାନ୍ତା । ଗୋଟି ଗୋଟି କରି ତା ଦାଢ଼ି ଉପାଡ଼ି ଦିଅନ୍ତେ । ପୁଲିସମାନେ ଯେତିକି ରାଗୀ ସେତିକି ନିର୍ଦ୍ଦୟ । ଜୀବନ ମରଣକୁ ତାଙ୍କର ଏତେ ଟିକିଏ ବି ଭୟ ନଥାଏ ।

 

ତାପରେ ପଠାଣ, ମିର୍ଜା ସାହେବଙ୍କୁ ଇଂରେଜିରେ କହିଲା–ବର୍ତ୍ତମାନ କ’ଣ ଉପାୟ ତମର ?

 

ମିର୍ଜା ଟିକିଏ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ । କ’ଣ କରିବେ ବିଚାରାକୁ କିଛି ବୁଦ୍ଧି ଦେଖାଗଲା ନାହିଁ । ମନେ ମନେ ଭାବିଲେ ଆଜି ଯଦି ପିସ୍ତଲଟା ଘରେ ଛାଡ଼ି ନ ଆସିଥାନ୍ତି, ତେବେ ପୁଅର ମଜା ବାହାର କରି ଦେଇଥାନ୍ତି ।

 

ଖନ୍ନା ସାହେବ କାନ୍ଦ କାନ୍ଦ ହୋଇ କହିଲେ–ୟାଙ୍କୁ ଯାହି କିଛି ଦେଇ କରି ଏଠୁ ବିଦାୟ କରିଦେବା ଭଲ ।

 

ରାୟସାହେବ ମାଳତୀ ଦେବୀଙ୍କୁ ପଚାରିଲେ–ଆପଣଙ୍କର ଏଥିରେ ମତ କ’ଣ ?

 

ମାଳତୀ ଦେବୀ ତମ ତମ ହୋଇ କହିଲେ ମୋର ଆଉ ମତ କ’ଣ ? ମୁଁ ତ ଏଠି ବେଜିତ୍ ହେଉଛି । ଆଉ ଆପଣମାନେ ଜଳଜଳ କରି ଅନାଇ ରହିଛନ୍ତି । ଆପଣ କୋଡ଼ିଏ କୋଡ଼ିଏ ଜଣ ଏଠି ଥାଉଁ ଥାଉଁ ଗୋଟାଏ ବୁଲା ପଠାଣ ଏଠି ମୋତେ ବେଜିତ୍ କରୁଛି ଅଥଚ ଆପଣଙ୍କର ରକ୍ତ ଏତେ ଟିକେ ବି ତାତୁ ନାହିଁ । ଆପଣମାନଙ୍କର ଏତେ ପ୍ରାଣ ଭୟ ଯେ କେହି ଜଣେ ହେଲେ ପଦାକୁ ଯାଇ ପାଟି କରିଦେଇ ପାରୁ ନାହାନ୍ତି । ଆପଣମାନେ କାହିଁକି ତା ଉପରକୁ ଡେଇଁପଡ଼ି ତା ବନ୍ଧୁକ ଛଡ଼ାଇ ଦେଉ ନାହାନ୍ତି । ଖୁବ୍ ହେଲେ ତ ବନ୍ଧୁକ ମାରିବ । ମଲେ ତ ଜଣେ ଦି’ଜଣ ମରିବେ, ଆଉ କ’ଣଟାଏ ହୋଇଯିବ ।

 

କିନ୍ତୁ ମରିବାଟାକୁ ମାଳତୀ ଦେବୀ ଯେତେ ସହଜ ମନେ କରିଥିଲେ, ଅନ୍ୟ କେହି ଏତେ ସହଜ ମନେକରି ନଥିଲେ । ଯୋଗକୁ ଯଦି କେହି ପଦାକୁ ବାହାରିଯାଏ, ଆଉ ପଠାଣ ଦି’ଚାରିଟା ଫାୟାର କରିଦିଏ ତେବେ ତ ସବୁ ପଦା ହୋଇଯିବ । ଖୁବ ହେଲେ ପୁଲିସ ତାକୁ ଫାଶି ଦେବ, କିନ୍ତୁ ଫାଶି ଦେବ ବୋଲି କେଉଁ ଲେଖା ହୋଇଛି । ସେ ଯେତେବେଳେ ଗୋଟାଏ ବଡ଼ ଡାକୁଦଳର ସରଦାର ତାକୁ ଫାଶି ଦେବା ପୂର୍ବରୁ ସରକାର କେତେ ଭାବିଚିନ୍ତି ଫାଶି ଦେବେ । ନ୍ୟାୟ ଅନ୍ୟାୟ କଥା ଏ ଦୁନିଆରେ ବୁଝୁଛି କିଏ ? କିଏ କହିବ ପୁଲିସ ଆମ ଉପରେ ଓଲଟି ମକଦ୍ଦମା ଦାଏର ନକରିବ ବୋଲି । କେଡ଼େ ମଜା ଚାଲିଥିଲା, କୁଆଡ଼ୁ ବଦମାସଟା ଆସି କେଡ଼େ ହଇରାଣରେ ମଣିଷକୁ ପକାଇଲା । ଜଣା ପଡ଼ୁଥିଲା ସତେ ଯେମିତି ଜଣେ ଦି’ଜଣକୁ ନମାରିଲେ, ତାର ମନ ମାନିବ ନାଇଁ ।

 

ଖନ୍ନା ସାହେବ ମାଳତୀଙ୍କୁ ଖୁବ୍ ବତାଇଲେ–ଆପଣ ତ ଆମକୁ ଏତେ କଥା କହୁଛନ୍ତି, ଆପଣ ନିଜ ପ୍ରାଣ ରକ୍ଷାକରୁ ନାହାନ୍ତି କାହିଁକି ? ପ୍ରାଣ ରକ୍ଷା କରିବା ତ ପ୍ରାଣୀ ମାତ୍ରକେ ଧର୍ମ, ସେଥିରେ ଅବା ଲଜ୍ଜା କ’ଣ ? ମୋର ଦୁଃଖ ହେଉଛି ଯେ ଆପଣ ଆମ ଜୀବନଟାକୁ ଏତେ ଶସ୍ତା ମନେ କରିଛନ୍ତି । ହଜାର ଟଙ୍କାର ତ କଥା, ଆପଣଙ୍କୁ ତ ଏଇନେ ମାହୁଳିଆ ହଜାର ଟଙ୍କା ମିଳିଯାଇଛି, ତାକୁ ଦେଇକରି ବିଦାକରି ଦେଉ ନାହାନ୍ତି କାହିଁକି ? ଆପଣ ତ ନିଜକୁ ନିଜେ ବେଜିତ୍ କରାଉଛନ୍ତି, ଆମର ଅବା ଦୋଷ କ’ଣ ?

 

ରାୟ ସାହେବ ଟିକିଏ ବିରକ୍ତ ହୋଇ କହିଲେ–କିନ୍ତୁ ସେ ଯଦି ମାଳତୀ ଦେବୀଙ୍କଠାରେ ଟିପ ଛୁଆଇଁ ଦିଏ, ତେବେ ପ୍ରାଣ ଯାଉ ପଛେ ମୁଁ ତାକୁ ଛାଡ଼ିବି ନାହିଁ । ସେ ତ ଯେତେହେଲେ ମଣିଷଟାଏ, ଆଉ ତ କିଛି ନୁହେ ।

 

ମିର୍ଜା ସାହେବ ଟିକିଏ ସନ୍ଦେହ ପ୍ରକାଶ କରି କହିଲେ–ରାୟସାହେବ ଆପଣ ଏସବୁ ଲୋକଙ୍କୁ ଚିହ୍ନି ନାହାନ୍ତି । ଥରେ ଯଦି ସେ ଫାୟାର କରିବାକୁ ଆରମ୍ଭ କରିବ, ତେବେ ଜଣେ ହେଲେ ବଞ୍ଚିବେ ନାହିଁ । ଗୋଟାଏ ଗୁଳି ବି ତାର ଏଣେ ତେଣେ ଯିବ ନାହିଁ ।

 

ଓକିଲ ବିଚାରା ଆସନ୍ତା ନିର୍ବାଚନ ବିଷୟରେ କିଛି ଯୋଗାଡ଼ ଯନ୍ତ୍ର କରିବା ପାଇଁ ଆସିଥିଲେ । ଦଶ ପାଞ୍ଚ ହଜାର ଯୋଗାଡ଼ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । କିନ୍ତୁ ଏମିତି ଏକ ବିପତ୍ତି ଦେଖି ସେ କହିଲେ–ଖନ୍ନା ସାହେବ ଯାହା କହିଲେ ଠିକ୍ କଥା । ହଜାର ଟଙ୍କାର ତ କଥା । ଆପଣଙ୍କ ପାଖରେ ତ ହଜାର ଟଙ୍କା ଅଛି ଦେଇଦେଲେ ଯିବ, ଏତେ ଭାବିବାର କ’ଣ ଅଛି ?

 

ଏକଥା ଶୁଣି ମାଳତୀ ବଡ଼ ବିରକ୍ତ ହୋଇ ଓକିଲଙ୍କ ଆଡ଼କୁ ଚାହିଁ କହିଲେ–ଆପଣମାନେ ଏଡ଼େ କାପୁରୁଷ ବୋଲି ମୁଁ ଜାଣି ନଥିଲି ।

 

‘ହଁ ଆମେ କାପୁରୁଷ ସତ, କିନ୍ତୁ ଧନପାଇଁ ଆପଣଙ୍କର ଏତେ ଲୋଭ ବୋଲି ଆମେ ଜାଣି ନଥିଲୁ । ସେ ଧନ ପୁଣି ଆପଣଙ୍କୁ ମାହୁଳିଆ ମିଳିଛି ।’

 

ଆପଣମାନେ ଯଦି ମୋର ଅପମାନ ବରଦାସ୍ତ କରି ପାରନ୍ତି, ତେବେ ନିଶ୍ଚୟ ଆପଣମାନେ ନିଜ ନିଜ ସ୍ତ୍ରୀମାନଙ୍କର ଅପମାନ ବି ବରଦାସ୍ତ କରି ପାରୁଥିବେ ।

 

‘ଆପଣ ବି ପଇସା ଲୋଭରେ ନିଜ ପୁରୁଷଙ୍କର ମୁଣ୍ଡ କାଟିଦେଇ ପାରୁଥିବେ ।’

 

ସେହି ପଠାଣ ଏପର୍ଯ୍ୟନ୍ତ ସବୁ କଥା ଶୁଣୁଥିଲା । ବର୍ତ୍ତମାନ ଗର୍ଜ୍ଜନ କରି କହିଲା–ଏଠି ଆଉ ଛିଡ଼ା ହୋଇ ତମ କଥା ଶୁଣିବାକୁ ମୋତେ ବେଳ ନାହିଁ । ତମେମାନେ ଏପର୍ଯ୍ୟନ୍ତ ବି ମୋତେ କିଛି ଜବାବ ଦେଲ ନାହିଁ । ମୁଁ ତମକୁ ଆଉ ମିନିଟଏ ସମୟ ଦେଲି । ଯଦି ତମେ ମିନିଟକ ଭିତରେ ଟଙ୍କା ନ ଦିଅ, ତେବେ ମୁଁ ସିଟି ବଜାଇ ଦେବି, ମୋ ଲୋକ ଆସି ସବୁ ଠିକ କରିଦେବେ ।

 

ତା’ ପରେ ସେ ମାଳତୀଙ୍କ ଆଡ଼କୁ ଲୋଭ ଦୃଷ୍ଟିରେ ଚାହିଁ କହିଲା–କ’ଣ କହୁଛ ମୋ ସାଙ୍ଗରେ ଯିବ ? ତମକୁ ମୁଁ ଭାରି ଭଲ ପାଏ । ଚାହିଲେ ତମ ପାଦତଳେ ମୁଁ ପ୍ରାଣ ଅର୍ପଣ କରିଦେବା ପାଇଁ ରାଜି । ଯେତେ ଲୋକ ଏଠି ଅଛନ୍ତି ସମସ୍ତେ ତମର ନାଗର, ଅଥଚ କେହି ହେଲେ ଜଣେ ସଚ୍ଚା ନୁହନ୍ତି । ପ୍ରକୃତ ପ୍ରେମ କ’ଣ ମୁଁ ତମକୁ ଦେଖାଇ ଦେବି । ତମେ ସାମାନ୍ୟ ଟିକିଏ ଆଖି ଠାରିଦେଲେ ମୁଁ ଛାତିରେ ଛୁରୀ ମାରିଦେବା ପାଇଁ ତିଆର ।

 

ମିର୍ଜା ସାହେବ କହିଲେ–ମାଳତୀ ଦେବୀ ! ତମକୁ ଭଗବାନଙ୍କ ରାଣ, ୟାଙ୍କୁ ଟଙ୍କାପଇସା ଯାହା କିଛି ଅଛି ଦେଇଦିଅ ।

 

ଖନ୍ନା ସାହେବ ମଧ୍ୟ ହାତଯୋଡ଼ି କହିଲେ–ମାଳତୀ ଦେବୀ ! ଆମ ପ୍ରତି ଟିକିଏ ହେଲେ ଦୟା କର ।

 

ରାୟସାହେବ ଜୋରଦେଇ କହିଲେ–ନାହିଁ, ସେ କଥା ହେବ ନାହିଁ । ହେଲେ ତ ଆମେ ସମସ୍ତେ ମରିବା, ନାହିଁ ତ ପୁଅକୁ ଆଚ୍ଛାକରି ପାନେ ଦେବା ।

 

ଓକିଲ ଟିକିଏ ବିରକ୍ତ ହୋଇ କହିଲେ–ଜାଣି ଜାଣି ବାଘ ମୁହଁରେ ପଶିବାର ଲାଭ କ’ଣ-? ବରଂ ମୂର୍ଖତା ଛଡ଼ା ଅନ୍ୟ କିଛି ନୁହେ ।

 

କିନ୍ତୁ ମାଳତୀ ଦେବୀ ଏଥିରେ ବିଚଳିତ ହେବା ସ୍ତ୍ରୀ ନୁହନ୍ତି । ପଠାଣର ପ୍ରେମ ଚାହାଣୀ ଦେଖି ତାଙ୍କ ମନରେ ଟିକିଏ ଆଶ୍ୱାସନା ଆସି ଯାଇଥିଲା । ସେ ତୁନୀ ହୋଇ ରସିକମାନଙ୍କର ମଜା ଦେଖୁଥିଲେ । ଭଦ୍ରଲୋକମାନଙ୍କର ପ୍ରେମ କେଡ଼େ ଶିଥିଳ, କେଡ଼େ ନିର୍ଜୀବ ତାହା ସେ ବେଶ୍ ଅନୁଭବ କରି ସାରିଥିଲେ । ତେଣୁ ବୁଲା ପଠାଣର ଉନ୍ମତ୍ତ ପ୍ରେମପାଇଁ ତାଙ୍କ ପ୍ରାଣ ପାଗଳ ହୋଇ ଉଠୁଥିଲା ।

 

ତା ପରେ ମାଳତୀ ଦେବୀ ପଠାଣର ସାମନାକୁ ଆସି କହିଲେ–ଟଙ୍କା ପଇସା ତମକୁ କିଛି ମିଳିବ ନାହିଁ ।

 

ପଠାଣ ହାତ ବଢ଼ାଇ କହିଲା–ଟଙ୍କା ପଇସା ନ ମିଳିଲେ ତମକୁ ମୁଁ ଉଡ଼େଇ ନେଇ ଚାଲିଯିବି ।

 

‘ଏତେ ଲୋକଙ୍କ ସାମନାରେ ମୋତେ ଉଡ଼େଇ ନେବା ତମ ପକ୍ଷରେ ଅସମ୍ଭବ ।’

 

‘ଏତିକି କ’ଣ, ହଜାର ଲୋକଙ୍କ ଭିତରୁ ମଧ୍ୟ ମୁଁ ତମକୁ ନେଇଯାଇ ପାରେ ।’

 

‘ତା ହେଲେ ସେଥିପାଇଁ ତମକୁ ଜୀବନ ଦେବାକୁ ପଡ଼ିବ ।’

 

ଏକଥା କହୁ କହୁ ପଠାଣ ମାଳତୀଙ୍କ ହାତ ଧରି ଘୋଷାରି ନେବାକୁ ବାହାରିଲା । ଏହି ସମୟରେ ହୋରୀ ଆସି ଘର ଭିତରେ ପହଞ୍ଚିଗଲା । ଜନକଋଷିଙ୍କ ମାଳି ବେଶରେ ବାହାରି ସେ ଲୋକଙ୍କୁ ଖୁବ୍ ହସାଇ ଥିଲା । ତା’ର ବି ଇଚ୍ଛା ମାଲିକ ଏବଂ ତାଙ୍କ ସାଙ୍ଗସାଥୀ ସବୁ ଆସି ଦେଖନ୍ତୁ ସେ କେମିତି ବଢ଼ିଆ ପାର୍ଟ କରୁଛି । କିନ୍ତୁ ରାୟସାହେବଙ୍କର ଆସିବା ଡେରି ହେବାର ଦେଖି ସେ ତାଙ୍କୁ ମନେପକାଇ ଦେବାକୁ ଆସି ଯେଉଁ ଦୃଶ୍ୟ ଦେଖିଲା, ସେଥିରେ ସେ କାଠ ପାଲଟିଗଲା । ଦେଖିଲା ସବୁ ଲୋକେ ଭୟରେ କମ୍ପୁଛନ୍ତି ଏବଂ ପଠାଣ ମାଳତୀଙ୍କ ହାତଧରି ଟାଣିବାରେ ଲାଗିଛି-। ହୋରୀ ମୁହୂର୍ତ୍ତକେ ସବୁ ବୁଝିନେଲା । ରାୟସାହେବ ପାଟିକରି କହିଲେ–ହୋରୀ, ଦୌଡ଼ିଯାଇ ସିପାହୀମାନଙ୍କୁ ଡାକି ଆଣ ।

 

ହୋରୀ ପଛକୁ ମୁହଁ ନ ବୁଲାଉଣୁ ପଠାଣ ବନ୍ଧୁକ ଧରି ତା ଆଗରେ ଛିଡ଼ାହୋଇ ପଡ଼ି କହିଲା–କୁଆଡ଼େ ଯାଉଛୁ ରହ, ତତେ ବର୍ତ୍ତମାନ ବନ୍ଧୁକମାରି ଉଡ଼ାଇ ଦେବି ।

 

ହୋରୀ ଗାଉଁଲୀ ଲୋକ, ପୋଲିସ ଦେଖିଲେ ଛେରିପକାଏ କିନ୍ତୁ ବେଳ ପଡ଼ିଲେ ମସ୍ତବଡ଼ ଷଣ୍ଢକୁ ବି ପିଟି ଠିକଣା କରିଦିଏ । ସେ ପ୍ରକୃତରେ ଡରୁଆ ନୁହେ । ସେ ମରିଜାଣେ ଓ ମାରି ଜାଣେ । କିନ୍ତୁ ପୁଲିସଙ୍କ ହାତ କଡ଼ିକୁ କେବଳ ଡରେ । କାରଣ ସେ ବନ୍ଧା ହେବାକୁ କିମ୍ବା ଲାଞ୍ଚ ଦେବାକୁ ଚାହେଁ ନାହିଁ । କିନ୍ତୁ ମାଲିକ ଯେତେବେଳେ ହୁକୁମ ଦେଉଛନ୍ତି ସେତେବେଳେ ସେ ପୁଲିସଙ୍କ ପାଖକୁ ଯିବାକୁ ଡରିବ କିଆଁ ? ମାଲିକ କହିଲେ ତ ବାଘ ମୁହଁକୁ ବି ଡେଇଁପଡ଼ିବ ।

 

ସେ ଚଟକରି ପଠାଣ ହାତକୁ ଧରି ପକାଇ ଏମିତି ଏକ ଗୋଇଠା ପକାଇଲା ଯେ ବିଚରା ଚିତହୋଇ ଗଡ଼ିପଡ଼ିଲା ଏବଂ ପାଟିକରି ଗାଳି ଦେବାକୁ ଲାଗିଲା । ହୋରୀ ତା ଛାତି ଉପରେ ଚଢ଼ି ବସି ତା ଦାଢ଼ିକୁ ଉପାଡ଼ି ଦେବାକୁ ଚେଷ୍ଟାକଲା । ଧରୁ ଧରୁ ସବୁ ଦାଢ଼ି ଗଡ଼ି ପଡ଼ିଲା । ପଠାଣ ଡିଆଁମାରି ଠିଆହୋଇ ପଡ଼ିଲା ବେଳକୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପାଟିକରି ଉଠିଲେ ଆରେ ଇଏ ପ୍ରଫେସର ମେହେତା ତ !

 

ସବୁଲୋକ ତାଙ୍କୁ ଘେରିଗଲେ । କିଏ ବେକରେ ଓହଳି ପଡ଼ିଲା, କିଏ ପିଠିରେ ଲଦିହୋଇ ପଡ଼ିଲା । ମେହେତାଙ୍କ ମୁହଁରେ ନା ହସ ନା କାନ୍ଦ, ବିଲକୁଲ ଚୁପଚାପ୍ । ସତେ ଯେମିତି କିଛି ହୋଇନି ।

 

ମାଳତୀ ଟିକିଏ ଉପର ମନରେ ବିରକ୍ତି ଦେଖାଇ କହିଲେ–ଆପଣ ଏ ବହୁରୂପୀ ଢଙ୍ଗ କେଉଁଠୁ ଶିଖିଲେ ? ଏତେବେଳେ ଯାଏ ବି ମୋ ଛାତି ଧଡ଼ ଧଡ଼ ହେଉଛି ।

 

ମେହେତା ହସି ହସି କହିଲେ–ଏଇ ବଡ଼ ବଡ଼ ବାବୁମାନଙ୍କର ସାହାସ ଟିକିଏ ପରୀକ୍ଷା କରୁଥିଲି । ଯଦି କିଛି ଭୁଲ ହୋଇଥାଏ, କ୍ଷମା କରିବେ ।

Image

 

Unknown

ସପ୍ତମ ପରିଚ୍ଛେଦ

 

ବାବୁମାନଙ୍କର ଏହି ଲୀଳା ଶେଷ ହେଲା ବେଳକୁ ତେଣେ ଧନୁଯଜ୍ଞ ନାଟକ ଶେଷ ହୋଇଥିଲା । ଖାଲି ପ୍ରହସନ ହେବାକୁ ବାକି ଥିଲା । ସେଥିରେ ବାବୁମାନଙ୍କର କାହାରି ବେଶି ଇଚ୍ଛା ନଥିଲା । କେବଳ ଏକା ମେହେତା ସାହେବ ଯାଇଥିଲେ । ମଝିରେ ମଝିରେ ‘ଆଉ ଥରେ’ ‘ଆଉ ଥରେ’ କହି ନାଟୁଆମାନଙ୍କୁ ବହୁତ ଉତ୍ସାହିତ କରୁଥିଲେ । ଏହି ପ୍ରହସନରେ ରାୟସାହେବ ଜଣେ ମକଦ୍ଦମାଖୋର ମଫସଲୀ ଜମିଦାରଙ୍କୁ ଖୁବ୍ ବିଦ୍ରୁପ କରି ଲେଖିଥିଲେ । ନାଁ ସିନା ପ୍ରହସନ, କିନ୍ତୁ କରୁଣା ସେଥିରେ ଭରିଥିଲା । କଥା କଥାକେ ଆଇନ କାନୁନର ବିଚାର, ଭାତ ରାନ୍ଧିବାରେ ଏବେ ଟିକିଏ ଡେରି ହୋଇଗଲେ ବି ସ୍ତ୍ରୀଙ୍କ ନାଁରେ ମକଦ୍ଦମା । ଓକିଲଙ୍କ କାଣ୍ଡ କାରଖାନା, ସାକ୍ଷୀମାନଙ୍କର ବୋକାମୀ, ଘରେ ଜାତିଏ କହି କଚେରୀ ଉପରେ ଆଉ ଜାତିଏ କହିବା ଇତ୍ୟାଦି ଦେଖି ଲୋକେ ହସି ହସି ଗଡ଼ି ଯାଉଥିଲେ । ସବୁଠୁ ମଜା ଥିଲା ଓକିଲଙ୍କର ସାକ୍ଷୀ ତାଲିମ କରିବା-। ଓକିଲ ଜାତିଏ ଶିଖାଇଲେ ସେମାନେ ଭୁଲିଯାଇ ଆଉ ଜାତିଏ, ପୁଣି ଗାଉଁଲୀ ଭାଷାରେ କହିବା ତ ଆହୁରି ମଜା ! ତାକୁ ଦେଖି ମେହେତା ଆନନ୍ଦରେ ବାରମ୍ବାର ଆସନରୁ ଡେଇଁ ପଡ଼ୁଥାନ୍ତି-। ନାଟ ଶେଷରେ ନାଚବାଲାଙ୍କୁ କୁଣ୍ଢେଇ ପକାଇ ପ୍ରତ୍ୟେକଙ୍କୁ ଗୋଟାଏ ଲେଖାଁ ମେଡ଼ଲ ଦେବାପାଇଁ ସେ ଘୋଷଣା କରିଦେଲେ । ବାସ୍ତବରେ ରାୟସାହେବଙ୍କୁ ସେ ମନେ ମନେ ଭାରି ପ୍ରଶଂସା କରୁଥିଲେ-। ରାୟସାହେବ ଷ୍ଟେଜ ପଛରେ ଛିଡ଼ା ହୋଇ ପ୍ରହସନ ପରିଚାଳନା କରୁଥିଲେ-। ମେହେତା ଦୌଡ଼ିଯାଇ ତାଙ୍କୁ କୁଣ୍ଢେଇ ପକାଇ କହିଲେ–ଆପଣଙ୍କର ଦୃଷ୍ଟି ଏତେ ତୀକ୍ଷ୍‍ଣ, ମୁଁ ଆଦୌ ଜାଣି ନଥିଲି ।

 

ତହିଁଆର ଦିନ ଜଳଖିଆ ଖାଇସାରିବା ପରେ ଶିକାର କରିଯିବାର ପ୍ରୋଗ୍ରାମ ଥିଲା । ଠିକ୍ କରାହୋଇଥିଲା ଯେ ସେଠି ଗୋଟିଏ ନଦୀକଳ ଜଙ୍ଗଲରେ ରନ୍ଧାବଢ଼ା ହେବ, ନଦୀରେ ଗାଧୁଆପାଧୁଆ ହେବ, ଶିକାର କରି ଖାଇପିଇ ସଂଧ୍ୟା ବେଳକୁ ଫେରି ଆସିବାକୁ ହେବ । ଯେଉଁ ବନ୍ଧୁମାନଙ୍କର ବେଶି କାମଦାମ ଥିଲା ସେମାନେ ତ ଆଗରୁ ଚାଲିଯାଇଥିଲେ, ବାକି ରାୟସାହେବଙ୍କର କେତେଜଣ ଘନିଷ୍ଠ ବନ୍ଧୁ କେବଳ ରହିଯାଇଥିଲେ । ଶ୍ରୀମତୀ ଖନ୍ନାଙ୍କର ମୁଣ୍ଡବ୍ୟଥା ହେଉଥିବାରୁ ସେ ଗଲେ ନାହିଁ ଏବଂ ସଂପାଦକ ଓଁକାରନାଥ ଖୁବ ବିଗିଡ଼ି ଯାଇ ଏମାନଙ୍କ ବିରୁଦ୍ଧରେ ଲେଖାଲେଖି କରିବାପାଇଁ ତିଆର ହେଉଥିଲେ । ଏମାନେ ସମସ୍ତେ ସମସ୍ତିଙ୍କି ବଳି ଭଣ୍ଡ । ପର ପଇସା ଉଡ଼ାଇ ନିଶରେ ହାତ ପକାଇ ବୁଲିବାବାଲା । କାମ ନା ଦାମ, ଖାଲି ଭୋଗ ବିଳାସ କରିବା କଥା । ମେହେତା ବୋଲି ଯେ ଦାର୍ଶନିକ ବୋଲାଉଛନ୍ତି ତାଙ୍କର କ’ଣ ପରୁଆ ଅଛି ? ତାଙ୍କୁ ତ ମାସକୁ ହଜାରେ ଟଙ୍କା ମିଳିଲେ ଗଲା । ଜୀବନକୁ ପୂର୍ଣ୍ଣ ଉପଭୋଗ କରିବା ତାଙ୍କର ଉଦ୍ଦେଶ୍ୟ । ଯା’ର ପୁଅ ବାହାଘର କରିବାକୁ ଥାଏ, ରୋଗିଣୀ ସ୍ତ୍ରୀଙ୍କୁ ଔଷଧ ଦେବାର ଥାଏ, ଘରଭଡ଼ା ଦେବାର ଚିନ୍ତା ଥାଏ, ତା ପକ୍ଷେରେ ପୂର୍ଣ୍ଣ ଉପଭୋଗର ପ୍ରଶ୍ନ କାହିଁ ? ଯେତେଦିନ ପର୍ଯ୍ୟନ୍ତ ମଣିଷ ଷଣ୍ଢ ପରି ପର ଖେତରେ ଉଜୁଡ଼ା ଖାଉଥିବ, ସେହିଦିନ ପର୍ଯ୍ୟନ୍ତ ଦୁନିଆ ସୁନ୍ଦର ଦିଶୁଥିବ । କିନ୍ତୁ ଯେତେବେଳେ ଚକ ଘୂରିଯିବ ଆଉ ଦୁନିଆ କହିବ ନାହିଁରେ ବାବା ଉଜୁଡ଼ାଖିଆ ପଟିବ ନାହିଁ, ଖେତରେ ହଳ କର ତେବେ ଯାଇଁ ଖାଇବାକୁ ମିଳିବ, ସେତେବେଳେ ଯାଇଁ ଆଖି ଫିଟିବ । ସେତେବେଳେ ସିନା ଜୀବନ କେମିତିଆ, ପୂର୍ଣ୍ଣ ଉପଭୋଗ କେମିତିଆ ସବୁ ଜଣାପଡ଼ିବ । ଆଉ ସେ ଯେଉଁ ମାଳତୀ ଅଛନ୍ତି ସେ ତ କେତେ ଘାଟରେ ପାଣି ପିଇଛନ୍ତି ତାର ଠିକଣା ନାହିଁ । ତେବେ ବି ସେ କୁମାରୀ ବୋଲାଉଛନ୍ତି । ସେ କହନ୍ତି ବାହାହୋଇ ପଡ଼ିଲେ ଜୀବନ ବନ୍ଧନରେ ପଡ଼ିଯିବ । ବନ୍ଧନ ହେଲେ ବିକାଶର ସମ୍ଭାବନା ରହିବ ନାହିଁ; ଦୁନିଆକୁ ଲୁଟିବା, ସବୁ ବନ୍ଧନ ଛିଣ୍ଡାଇବା, ଆପଣଙ୍କ କର୍ତ୍ତବ୍ୟରୁ ଦୂରରେ ରହିବା ବୋଧହୁଏ ଜୀବନର ପୂର୍ଣ୍ଣ ଉପଭୋଗ । ୟାଠୁ ବଳି ସହଜ କଥା ଆଉ କ’ଣ ଅଛି ? ବାପ ମା’ଙ୍କ ସଙ୍ଗେ ନ ପଟିଲେ ତାଙ୍କୁ ଘରୁ ବାହାର କରିଦିଅ, ବାହାହୁଅ ନାହିଁ, କାରଣ ବିବାହ ହେଉଛି ବନ୍ଧନ । ପିଲା ଜନ୍ମ କର ନାହିଁ, କାରଣ ପିଲାପିଲି ହେଉଛନ୍ତି ମୋହଫାଶ, କିନ୍ତୁ ତାଙ୍କୁ ପଚରାଯିବା ଉଚିତ ଟାକସ କିଆଁ ଦେଉଛନ୍ତି, ଆଇନ କିଆଁ ମାନୁଛନ୍ତି । ଟାକ୍‍ସ ଦେବା, ଆଇନକାନୁନ୍ ମାନିବା କ’ଣ ବନ୍ଧନ ନୁହେଁ ? କିନ୍ତୁ ନାହିଁ, ସେ ଠିକ୍ ଜାଣନ୍ତି ଯେ ଆଇନ ନ ମାନିଲେ ହାତକଡ଼ି ପଡ଼ିଯିବ । କେବଳ ସେହିସବୁ ନିୟମ ଭାଙ୍ଗିବାକୁ ହେବ, ଯହିଁରେ କେହି ପାଟି ଫିଟାଇବାକୁ ନଥିବେ । ଦଉଡ଼ିକୁ ସାପ ବୋଲି କହି ପିଟିକରି ବାହାଦୁରୀ ନିଅ, କିନ୍ତୁ ଜୀଅନ୍ତା ସାପର ପାଖ ପଶ ନାହିଁ । ଜୀଅନ୍ତା ସାପ ଦେଖିଲେ ଲାଙ୍ଗୁଳ ଯାକି ପଳା । ଏହି ହେଲା ପୂର୍ଣ୍ଣ ଉପଭୋଗର ସ୍ଵରୂପ ।

 

ଆଠ ବାଜିବା ପରେ ଶିକାର ପାର୍ଟି ବାହାରିଲା । ଖନ୍ନା ସାହେବ କେବେ ଶିକାର କରନ୍ତି ନାହିଁ, ବନ୍ଧୁକ ଆବାଜ ଶୁଣିଲେ ସେ ଡରନ୍ତି । ମାତ୍ର ଆଜି ମିସ୍ ମାଳତୀ ଯାଉଥିବାରୁ ସେ ଆଉ ସମ୍ଭାଳି ନପାରି ବାହାରି ପଡ଼ିଲେ । ଓକିଲ ଶ୍ୟାମବିହାରୀଙ୍କୁ ନିର୍ବାଚନ କଥା ପକାଇବା ପାଇଁ ଏ ପର୍ଯ୍ୟନ୍ତ ସୁବିଧା ମିଳି ନଥିଲା । ତେଣୁ ସେହିକଥା ପକାଇବା ପାଇଁ କାଳେ ସୁବିଧା ହେବ ସେଥିପାଇଁ ସେ ବାହାରି ପଡ଼ିଲେ । ରାୟସାହେବ କେଉଁକାଳୁ ନିଜ ଇଲାକା ବୁଲିଯାଇ ନଥିଲେ । ମଝିରେ ମଝିରେ ଯିବା ଦରକାର ଭାବି ବାହାରି ପଡ଼ିଲେ, କାହିଁକି ନା ଯିବା ଆସିବା କଲେ ଲୋକଙ୍କର ଖାତିର ରହିବ ଯେତିକି, ହାକିମ ହୁକୁମାମାନେ ସତର୍କ ରହିବେ ସେତିକି । ମିର୍ଜା ସାହେବଙ୍କୁ ଏମିତିଆ ମଉଜ କେବେ ମିଳି ନଥିଲା । ତେଣୁ ଏ ପ୍ରକାର ନୂଆ ଅନୁଭୂତି ପାଇଁ ସେ ବି ବାହାରି ପଡ଼ିଲେ । ସମସ୍ତେ ଯେତେବେଳେ ଗଲେ ମାଳତୀ ବା ରହନ୍ତେ କାହିଁକି ? ତାଙ୍କର ତ ସବୁବେଳେ ରସିକମାନଙ୍କର ସାଙ୍ଗ ଲୋଡ଼ା । ସେମାନଙ୍କ ଭିତରୁ ଶିକାର ମଉଜ କରିବା କେବଳ ମେହେତାଙ୍କର ଇଚ୍ଛା । ରାୟସାହେବ ଚାହୁଁଥିଲେ ଚାକର ବାକର, ଖାଇବା ପିଇବା ଜିନିଷ ସବୁ ନେଇକରି ଯିବେ । କିନ୍ତୁ ସେମିତି କଲେ କିଛି ମଜା ରହିବ ନାହିଁ ବୋଲି ମେହେତା ମନାକରି ଦେଲେ ।

 

ଖନ୍ନା କହିଲେ–ସେଠି ଖାଇବା ନା ଖାଲି ଭୋକରେ ମରିବା ?

 

ମେହେତା ଉତ୍ତର ଦେଲେ–ଖାଇବା ନାହିଁ କାହିଁକି ? ଆଜି ସବୁ କାମ ଆମେ ହାତରେ କରି ଦେଖିବା ବିନା ଚାକରରେ ଆମେ ଚଳି ପାରିବା କି ନାହିଁ । ମାଳତୀ ଦେବୀ ରାନ୍ଧିବେ, ଆମେ ସମସ୍ତେ ଖାଇବା । ମଫସଲରେ ହାଣ୍ଡି କାଠ ତ ମିଳିଯିବ, ଆମେ ତ ଶିକାର କରିବା, ଆଉ ପରୁଆ କ’ଣ ?

 

ମାଳତୀ ଦେବୀ ଆପତ୍ତି କରି କହିଲେ,–କ୍ଷମା କରିବେ, ମୁଁ ସେ ସବୁ କଥାକୁ ପାରିବି ନାହିଁ । ଆପଣ କାଲି ରାତିରେ ମୋ ହାତକୁ ଏତେ ଜୋରରେ ଚିପି ଧରିଲା ଯେ ଏତେବେଳଯାଏ ମୋର ପୀଡ଼ା ଛାଡ଼ି ନାହିଁ ।

 

‘କାମ ତ ଆମେ କରିବୁ, ଆପଣଙ୍କର ଖାଲି ବତାଇବା କଥା ।’

 

ମିର୍ଜା ସାହେବ କହିଲେ,–ଆପଣମାନେ ଖାଲି ମଜା ଦେଖିବା ଲୋକ, ମୁଁ ତ ଏକା ସବୁ କରିଦେବି । ଜଙ୍ଗଲରେ ହାଣ୍ଡି କୁଣ୍ଢେଇ ମିଳିବା ମୁସ୍କିଲ । ଏତେ କଥା କରୁଛି କିଏ ? ଶିକାରକୁ ପୋଡ଼ି ଖାଇଦେବା ସବୁଠୁ ସୁବିଧା ।

 

ଏହି କଥାଟା ସମସ୍ତଙ୍କ ମନକୁ ପାଇଲା । ଦି’ ଟା ମଟର ଧରି ସମସ୍ତେ ଚାଲିଲେ । ଗୋଟାଏ ମଟର ମିସ୍ ମାଳତୀ ଚଳାଇଲେ, ଆଉ ଗୋଟିଏ ଚଳେଇଲେ ରାୟସାହେବ ନିଜେ । କୋଡ଼ିଏ ପଚିଶ ମାଇଲ ପରେ ଦି’ ପାଖରେ ଖୁବ୍ ଜଙ୍ଗଲ ପଡ଼ିଲା, ରାସ୍ତା ସବୁ ବଙ୍କାଟଙ୍କା ଦେଖାଗଲା । ଖୁବ୍ ଗୋଟିଏ ଉଚ୍ଚ ଜାଗାରେ ପହଞ୍ଚିବାରୁ ଗୋଟାଏ ବଡ଼ ନଦୀ ଦେଖାଗଲା । ନଦୀ ଏପାରରେ ଗୋଟାଏ ଘଞ୍ଚ ବରଗଛ ଛାଇରେ ମଟରକୁ ରଖିଦେଇ ତିନି ଦଳ ହୋଇ ଶିକାର କରିବାକୁ ବାହାରିଲେ । ଠିକ୍ ହେଲା ଯେ ଶିକାର କରିସାରି ବାରଟା ବେଳେ ଆସି ସମସ୍ତେ ଏକାଠି ହେବେ । ମାଳତୀ ମେହେତାଙ୍କ ସାଙ୍ଗରେ ଯିବାକୁ ବାହାରିଲାରୁ ଖନ୍ନାଙ୍କ ମନ ଊଣା ପଡ଼ିଗଲା । ସେ ଯଦି ଜାଣିଥାନ୍ତେ, ଯେ ମାଳତୀ ଏମିତି ଦଗା ଦେବେ, ତେବେ ସେ ବାଟରୁ ଫେରି ଯାଇଥାନ୍ତେ-। ଯାହାହେଉ, ରାୟ ସାହେବଙ୍କ ସଙ୍ଗରେ ଯିବାପାଇଁ ତାଙ୍କର ବିଶେଷ ଆପତ୍ତି ନଥିଲା, କାରଣ ତାଙ୍କ ସଙ୍ଗେ ବହୁତ କଥାବାର୍ତ୍ତା କରିବାର ଥିଲା । ବାକି ରହିଲେ ମିର୍ଜା ଖୁର୍ସିଦ ଆଉ ଓକିଲ ସାହେବ । ଏମିତି ସେମାନେ ତିନିଦଳ ହୋଇ ତିନି ଆଡ଼କୁ ଚାଲିଗଲେ ।

 

ପଥର ରାସ୍ତାରେ କିଛି ଦୂର ମେହେତାଙ୍କ ସଙ୍ଗେ ଯିବା ପରେ ମାଳତୀ କହିଲେ,–ତମେ ଏମିତି ଦୌଡ଼ୁଛ କାହିଁକି ? ମୋତେ ଟିକିଏ ନିଶ୍ଵାସ ମାରିବାକୁ ଫୁରସତ ଦିଅ ।

 

ମେହେତା ହସିଦେଇ କହିଲେ,–ମଲା, ଆମେ ତ କୁଆଡ଼େ ମାଇଲିଏ ବି ଆସି ନାହେଁ, ଏତିକିବେଳୁ ତମେ ଥକି ଗଲଣି !

 

‘ନାହିଁ, ଥକି ନାହିଁ ଯେ, ଟିକିଏ ବିଶ୍ରାମ ନେଲେ କ୍ଷତି କ’ଣ ?

 

‘ଶିକାର ନ ମିଳିଲା ପର୍ଯ୍ୟନ୍ତ ବିଶ୍ରାମର ପ୍ରଶ୍ନ ନାହିଁ ।’

 

‘ମୁଁ ତ ଶିକାର କରିବାକୁ ଆସି ନାହିଁ !’

 

ମେହେତା କହିଲେ,–ମୁଁ ତ ଜାଣି ନଥିଲି ତମେ ଶିକାର କରିବାକୁ ଆସିନ ବୋଲି ! ତାହା ହେଲେ ତମେ ଆସିଛ କାହିଁକି ?

 

କ’ଣ ଆଉ କହିବି ତମକୁ !

 

ଖଣ୍ଡେ ଦୂରରେ ପଞ୍ଝାଏ ହରିଣ ଚରୁଥିବାର ଦେଖି ମେହେତା ଗୁଳି ଚଳାଇଲେ । କିନ୍ତୁ କାହାଠାରେ ହେଲେ ବାଜିଲା ନାହିଁ, ସବୁ ପଳାଇଗଲେ ।

 

ମାଳତୀ ପଚାରିଲେ,–ସବୁ ତ ପଳାଇଲେ, ଏବେ କରିବ କ’ଣ ?

 

‘କିଛି ନାହିଁ, ଆଗକୁ ଚାଲ, ପୁଣି ଦେଖିବା ।’

 

ଦୁହେଁଯାକ କିଛି ସମୟ ଚାଲିଲା ପରେ ମାଳତୀ ପୁଣି ଅଟକି ଯାଇ କହିଲେ,–ଗରମରେ ବଡ଼ କଷ୍ଟ ହେଲାଣି, ଆସ ଏ ଗଛମୂଳେ ଟିକେ ବସିଯିବା ।

 

‘ଏଇନେ ନାଇଁ, ତମ ଇଚ୍ଛା ହେଲେ ତମେ ବସ, କିନ୍ତୁ ମୁଁ ଏଇନେ ବସିବି ନାହିଁ ।’

 

‘ସତରେ, ତମେ ବଡ଼ ନିର୍ଦ୍ଦୟ ଲୋକ !’

 

‘ଯାହା କହ ପଛେ, ଶିକାର ନ ମିଳିବା ଯାଏ ମୁଁ କେଉଁଠି ହେଲେ ବସିବି ନାହିଁ ।

 

‘ଯାହା ଦେଖୁଛି ମୋତେ ମାରି ପକାଇବ । ସତ କହିଲ ଦେଖି, କାଲି ରାତିରେ କାହିଁକି ମୋତେ ଏତେ ଚିଡ଼େଇଲ ? ମନେ ଅଛି, ମତେ କ’ଣ କହିଥିଲ ? କହିଥିଲ ପରା ମୁଁ ତୁମକୁ ସଙ୍ଗରେ ନେଇ ଚାଲିଯିବି । ପ୍ରକୃତରେ ତମେ ଏତେ ଦୁଷ୍ଟ ବୋଲି ମୁଁ ଜାଣି ନଥିଲି । ସତରେ କ’ଣ ତମେ ମୋତେ ନେଇଯାଇଥାନ୍ତ ?’

 

ମେହେତା କିଛି ନ ଶୁଣିଲା ପରି କୌଣସି ଜବାବ ଦେଲେ ନାହିଁ ।

 

‘ଦୁହେଁଯାକ ଚାଲିଲେ । ଜ୍ୟେଷ୍ଠମାସିଆ ଧୂପକୁ ପଥୁରିଆ ରାସ୍ତା । କିଛି ଦୂର ଯାଇ ମାଳତୀ ଥକ୍‍କା ହୋଇ ବସି ପଡ଼ିଲେ ।’

 

ମେହେତା ସିଧା ସିଧା କହିଦେଲେ,–ଆଚ୍ଛା, ଯଦି ଥକି ଗଲଣି, ତେବେ ଏଇଠି ବିଶ୍ରାମ ନିଅ । ତମେ ଏଇଠି ଥିବ, ମୁଁ ପୁଣି ଫେରି ଆସିବି ।

 

‘ତମେ କ’ଣ ଏକୁଟିଆ ଛାଡ଼ିଦେଇ ଚାଲିଯିବ ?’

 

‘ମୁଁ ତ ଜାଣେ ତମେ ଏକୁଟିଆ ରହି ପାରିବ ।’

 

‘କେମିତି ଜାଣିଲ ?’

 

‘ଏଇ ତ ହେଉଛି ଆଧୁନିକ ଯୁଗର ନାରୀମାନଙ୍କ ବିଶେଷତ୍ଵ । ସେମାନେ ପୁରୁଷଙ୍କ ବିନା ସାହାଯ୍ୟରେ ରହିପାରନ୍ତି । ପୁରୁଷମାନଙ୍କ ସହିତ ସେମାନେ କାନ୍ଧ ପକାଇ ଚାଲି ପାରନ୍ତି ।’

 

ମାଳତୀ ଟିକିଏ ବିଦ୍ରୂପ କରି କହିଲେ–ଯାହା କହନ୍ତି ମେହେତା ସାହେବ, ତମେ ଜଣେ ନିରୋଳା ଦାର୍ଶନିକ ।

 

ପାଖ ଗଛରେ ଗୋଟାଏ ମୟୂର ବସିଥିଲା । ମେହେତା ତାକୁ ଲକ୍ଷ୍ୟ କରି ବନ୍ଧୁକ ମାରିଲେ, କିନ୍ତୁ ମୟୂର ଉଡ଼ିଗଲା ।

 

ମାଳତୀ ଖୁସି ହୋଇ କହିଲେ–ଖୁବ୍ ହେଲା, ଆଚ୍ଛା ହେଲା, ମୋରି ଅଭିଶାପ ତମରି ଉପରେ ପଡ଼ିଲା ।

 

ମେହେତା ବନ୍ଧୁକକୁ ପୁଣି କାନ୍ଧ ଉପରେ ରଖି କହିଲେ–ମୋତେ ଶାପ ଦେଇନାହିଁ ଯେ, ଶାପ ଦେଇଛି ନିଜକୁ । ଏଠି ଯଦି ଶିକାର ମିଳିଯାଇଥାନ୍ତା, ତେବେ ତମେ ବସିବାକୁ ଟିକିଏ ସମୟ ପାଇଥାନ୍ତ । ବର୍ତ୍ତମାନ ତମକୁ ସଙ୍ଗେ ସଙ୍ଗେ ଚାଲିବାକୁ ପଡ଼ିବ ।

 

ମାଳତୀ ଉଠିପଡ଼ି ମେହେତାଙ୍କ ହାତ ଧରିପକାଇ କହିଲେ–ଦାର୍ଶନିକମାନଙ୍କର ବୋଧହୁଏ ହୃଦୟ ନଥାଏ । ତମେ ବାହା ନ ହୋଇ ଭଲ କରିଛ, ନହେଲେ ବିଚାରୀ ହଇରାଣରେ ପଡ଼ିଥାନ୍ତା । କିନ୍ତୁ ମୁଁ ତମକୁ ସହଜରେ ଛାଡ଼ିବି ନାହିଁ । ମତେ ଛାଡ଼ି ପଳାଇବା କଥା ପଟିବ ନାହିଁ ।

 

ମେହେତା ଚଟକରି ହାତ ଛଡ଼ାଇ ନେଇ ଆଗକୁ ବାହାରି ଚାଲିଲେ ।

 

ମାଳତୀ ଟିକିଏ କାନ୍ଦ କାନ୍ଦ ହୋଇ କହିଲେ,–ମୁଁ ଅନୁରୋଧ କରି କହୁଛି, ତମେ ଆଉ ଯା’ ନାହିଁ । ତମେ ଯଦି ଚାଲିଯାଅ, ତେବେ ମୁଁ ଭୂଇଁରେ ମୁଣ୍ଡ ପିଟିଦେବି ।

 

ମାଳତୀ ଦେଖିଲେ ମେହେତା କିଛି ନ ଶୁଣି ବଡ଼ ଜୋରରେ ଚାଲି ଯାଉଛନ୍ତି । ସେ ଦଶ କୋଡ଼ିଏ କଦମ ଚାଲିଯିବା ପରେ ମାଳତୀ ଆଉ କୌଣସି ଉପାୟ ନ ପାଇ ଚିଡ଼ିମିଡ଼ି ହୋଇ ପଛରେ ଧାଇଁବାକୁ ବାଧ୍ୟ ହେଲେ । କାରଣ ଏକା ଏକା ବିଶ୍ରାମ ନେବାର କିଛି ସୁଖ ନଥିଲା ।

 

ପାଖକୁ ଚାଲିଆସି ମାଳତୀ କହିଲେ, ତମେ ଏମିତି ଗୋଟିଏ ପଶୁ ବୋଲି ମୁଁ ଜାଣି ନଥିଲି ।

 

‘ବ୍ୟସ୍ତ ହେଉଛ କାହିଁକି ? ମୁଁ ଯେଉଁ ହରିଣଟା ମାରିବି, ତା’ରି ଛାଲଟା ତମକୁ ନିଶ୍ଚୟ ଭେଟି ଦେବି ।’

 

‘ପୋଡ଼ିଯାଉ ତମ ଛାଲ, ମୁଁ ତମ ସଙ୍ଗେ ଆଉ କଥା କରିବାକୁ ଚାହେଁ ନାହିଁ ।

 

‘ଆମକୁ ତ ଏ ପର୍ଯ୍ୟନ୍ତ କିଛି ଶିକାର ମିଳିଲା ନାହିଁ । ଅନ୍ୟମାନେ ଯଦି ଭଲ ଶିକାର କରିଥିବେ, ତେବେ ଆମକୁ ଲାଜ ମାଡ଼ିବ ।’

 

ଯାଉଁ ଯାଉଁ ଆଗରେ ଗୋଟାଏ ବଡ଼ ନାଳ ପଡ଼ିଲା । ନାଳରେ ଭାରି ଜୋର୍ ସୁଅ ପଡ଼ିଥିଲା । ନାଳ ପାଣିରେ ସୂର୍ଯ୍ୟ କିରଣ ପଡ଼ି ଚକ୍ ଚକ୍ କରୁଥିଲା ।

 

ମାଳତୀ ଖୁସି ହୋଇ କହିଲେ,–ଆଉ ଉପାୟ କଣ, ଏବେ ତ ନିଶ୍ଚୟ ଫେରିଯିବାକୁ ହେବ ।

 

‘ଫେରିଯିବା କାହିଁକି ? ନାଳ ସେ ପାଖକୁ ଗଲେ ତ ନିଶ୍ଚୟ ଶିକାର ମିଳିବ ।’

 

‘କେତେ ଜୋର୍ ସୁଅ ଚାଲିଛି, ପଶିଲେ ଆମେ ଭାସିଯିବା ନାହିଁ ?’

 

‘ଆଚ୍ଛା ହଉ, ତା’ ହେଲେ ତମେ ଏଠି ବସ, ମୁଁ ଯାଉଛି ।

 

‘ହଁ ତମେ ଯିବ ଯଦି ଯା, ମୁଁ ଜୀବନ ହରାଇବାକୁ ଚାହେଁ ନାହିଁ ।

 

ମେହେତା ପାଣିରେ ପଶି ପାଦ ଚିପି ଚିପି ଆଗକୁ ଚାଲିଲେ । ଯାଉ ଯାଉ ତାଙ୍କୁ ଛାତିଏ ପାଣି ହୋଇଗଲା ।

 

ମାଳତୀଙ୍କୁ ଭାରି ଡର ମାଡ଼ିଲା । ସେ ବିକଳ ହୋଇ ପାଟିକରି କହିଲେ, ପାଣି ଭାରି ଗହୀର ହୋଇଛି, ରହିଯା, ତମ ପାଖକୁ ଯାଉଛି ।

 

‘ନାହିଁ ନାହିଁ, ତମେ ଆସ ନାହିଁ, ସୁଅ ଭାରି ଜୋର୍ ଅଛି ।’

 

‘କିଛି ଯାଏ ଆସେ ନାହିଁ, ତମେ ଆଗକୁ ଯା ନାହିଁ, ମୁଁ ଯାଉଛି ।’

 

ମାଳତୀ ଲୁଗାପଟା ଟେକିଟାକି ହୋଇ ପାଣିରେ ପଶିଲେ, କିନ୍ତୁ ଦଶହାତ ନ ପଶୁଣୁ ପାଣି ତାଙ୍କ ଅଣ୍ଟାଯାକେ ଚଢ଼ି ଆସିଲା ।

 

ମେହେତାଙ୍କୁ ଟିକିଏ ଡର ମାଡ଼ିଲା ସେ ହାତଠାରି କହିଲେ, ଫେରିଯା ମାଳତୀ ଦେବୀ-! ତମକୁ ଏଠି ବହୁତ ପାଣି ହେବ ।

 

ମାଳତୀଙ୍କୁ ପେଟେ ପାଣି ହୋଇଥିଲା । ସୁଅ ଏମିତି ଜୋର ହୋଇଥିଲା ଯେ ପାଦ ଭୂଇଁରେ ଠାକୁ ନଥିଲା । ମେହେତା ଓଲଟିପଡ଼ି ମାଳତୀଙ୍କ ହାତ ଧରିନେଲେ ।

 

ମାଳତୀ ଟିକିଏ ବିରକ୍ତ ହୋଇ ଉନ୍ନତ୍ତ ଦୃଷ୍ଟିରେ ଚାହିଁ କହିଲେ, ତମ ପରି ନିର୍ଦ୍ଦୟ ପୁରୁଷ ମୁଁ କେଉଁଠି ଦେଖି ନାହିଁ । ତମେ ପ୍ରକୃତରେ ଗୋଟାଏ ପଥର । ହଉ, ଯାହା ମନକୁ ଆସୁଛି ଆଜି କରିଯା, ମୁଁ ପୁଣି ସୁଝିଦେବି ଯେ !

 

ସୁଅରେ ମାଳତୀଙ୍କର ପାଦ ଉଠିଯିବାରୁ ସେ ମେହେତାଙ୍କୁ କୁଣ୍ଢେଇ ଧରିଲେ । ମେହେତା ଆଶ୍ଵାସନା ଦେଇ କହିଲେ,–ତମ ଗୋଡ଼ ଯଦି ରହୁନାହିଁ, ତେବେ ମୁଁ ତମକୁ କାନ୍ଧରେ ବସାଇ ନେଇ ଯାଉଛି ।

 

ମାଳତୀ କଟମଟ କରି ଚାହିଁ କହିଲେ,–ସେ ପାଖକୁ ଯିବା ଆମର ଏତେ କ’ଣ ଦରକାର ?

 

ମେହେତା କିଛି ନ ଶୁଣି କାନ୍ଧରେ ବନ୍ଧୁକ ଓହଳାଇ ଦେଇ ମାଳତୀଙ୍କୁ ଟେକିକରି କାନ୍ଧରେ ବସାଇ ଦେଲେ ।

 

ମାଳତୀ ଏଥିରେ ଭାରି ଖୁସି । କିନ୍ତୁ ମନର ଆନନ୍ଦକୁ ଛପେଇ ଦେଇ କହିଲେ, ଯଦି କିଏ ଦେଖିବ ?

 

‘ଦେଖନ୍ତୁ, ଏଥିରେ ଲାଜ କରିବାର କଣ ଅଛି ?

 

ଲାଜ ନୁହେଁ ଯେ, ଖରାପ ତ ଲାଗିବ !

 

ଦୁଇ ପାଦ ଯିବା ପରେ ମାଳତୀ କହିଲେ, ମୁଁ ଯଦି ଏଠି ପାଣିରେ ବୁଡ଼ିଯାନ୍ତି, ତମକୁ ଦୁଃଖ ଲାଗନ୍ତା କି ନାହିଁ ? ମୁଁ ତ ଭାବୁଛି ତମକୁ କିଛି ହେଲେ ଲାଗନ୍ତା ନାହିଁ ।

 

ମେହେତା ଦୁଃଖକରି କହିଲେ,–ତମର ବୋଧହୁଏ ଧାରଣା ମୁଁ ମୋଟେ ମନୁଷ୍ୟ ନୁହେଁ-

 

‘ହଁ, ଲୁଚେଇ କରି କିଛି ଲାଭ ନାହିଁ, ମୋର ଠିକ୍ ସେୟା ଧାରଣା ।’

 

‘ତମେ ସତ କହୁଛ ମାଳତୀ ?

 

‘ସତ ନୁହେଁ ଆଉ କଣ ମିଛ ?

 

‘ଆଚ୍ଛା, ବେଳ ଆସିଲେ ମୁଁ ତମକୁ ବୁଝାଇଦେବି ।

 

ଦେଖୁ ଦେଖୁ ପାଣି ମେହେତାଙ୍କ ବେକ ପର୍ଯ୍ୟନ୍ତ ଆସିଗଲା ହୁଏତ ପାଦେ ଆଗକୁ ଚାଲିଗଲେ ମୁଣ୍ଡ ପଯ୍ୟନ୍ତ ଆସି ଯାଇଥାନ୍ତା । ମାଳତୀ କହିଲେ,–ତମକୁ ଭଗବାନଙ୍କ ରାଣ, ତମେ ଆଉ ଯା’ ନାହିଁ । ତମେ ଯଦି ଆଉ ପାଦେ ଯା, ତେବେ ମୁଁ ପାଣିକୁ ଡେଇଁ ପଡ଼ିବି ।

 

ଏବେ ଜାଣି ମାଳତୀଙ୍କର ଈଶ୍ୱରଙ୍କ କଥା ମନେ ପଡ଼ିଲା । ଆଗରୁ ସବୁବେଳେ ସେ ଈଶ୍ଵରଙ୍କୁ ଥଟ୍ଟାରେ ଉଡ଼ାଇ ଦେଉଥିଲେ; ସତେ ଯେମତି ଈଶ୍ଵର କେଉଁଠି ବସିଛନ୍ତି, ଆସି ଉଦ୍ଧାର କରିଦେବେ । କିନ୍ତୁ ମନରେ ବଳ ଆଣିବା ପାଇଁ ଈଶ୍ଵରକୁ ଡାକିବା ଛଡ଼ା ଉପାୟ କ’ଣ ଥିଲା ?

 

ପାଣି ଆସ୍ତେ କମି ଆସିବାରୁ ମାଳତୀ ଖୁସି ହୋଇ କହିଲେ,–ଆଚ୍ଛା, ମୋତେ ଏଥର ଓହ୍ଲାଇ ଦିଅ ।

 

‘ନାହିଁ, ଥିର ହୋଇ ବସ, ଆଗରେ କାଳେ କେଉଁଠି ଗାଡ଼ ଥିବ !’

 

‘ତମେ କାଳେ ଭାବିବ ଇଏ କେଡ଼େ ସ୍ଵାର୍ଥପର ।’

 

‘ତା’ ହେଲେ ତମେ ମୋତେ ଏଥିପାଇଁ ମଜୁରୀ ଦେଇଦେବ ।’

 

ମାଳତୀଙ୍କ ମନ ଭାରି ଭଚ୍ଚାଟ ହୋଇ ପଡ଼ିଲା । ପଚାରିଲେ,–କ’ଣ ମଜୁରୀ ନେବ କହୁ ନାହଁ ?

 

‘ମୋର ମଜୁରୀ ହେଉଛି, ତମର ଯଦି ଆଉ କେତେବେଳେ ଏମିତି ବିପତ୍ତି ପଡ଼େ ତେବେ ମତେ ସାହାଯ୍ୟ ପାଇଁ ଡାକିବ ।’

 

କୂଳରେ ପହଞ୍ଚି ମାଳତୀ ଦେବୀ ଶାଢ଼ି ଚିପୁଡ଼ି, ଯୋତାରୁ ପାଣି ନିଗାଡ଼ି ଦେଇ ମୁହଁ ହାତ ଧୁଆଧୋଇ ହୋଇପଡ଼ିଲେ । ମାତ୍ର ମେହେତାଙ୍କ ଶେଷ କେତେ ପଦ କଥା ତାଙ୍କ ମନରୁ ଗଲା ନାହିଁ । ଖୁବ୍ ଖୁସି ହୋଇ କହିଲେ,–ହେଲେ ଆଜିର କଥା କେବେ ମନରୁ ଯିବ ନାହିଁ ।

 

ମେହେତା ପଚାରିଲେ,–ତୁମେ ଭାରି ଡରୁଥିଲ ବୋଧହୁଏ ?

 

‘ହଁ, ଆଗେ ତ ଡର ମାଡ଼ୁଥିଲା, କିନ୍ତୁ ପଛରେ ଭାବିଲି ତମେ ରକ୍ଷା କରି ପାରିବ ।’

 

ମେହେତା ଗର୍ବରେ ଫୁଲିଯାଇ ମାଳତୀଙ୍କୁ ଅନାଇ ରହିଲେ । ମୁହଁରେ ତାଙ୍କର ଶ୍ରମ ଓ ଗୌରବର ରେଖା ଫୁଟି ଦିଶୁଥିଲା । ତା’ ପରେ ସେ କହିଲେ,–ତମ କଥା ଶୁଣି ମୋତେ କେତେ ଖୁସି ଲାଗୁଛି, ତମେ କ’ଣ ସେକଥା କେବେ ବୁଝି ପାରିବ ମାଳତୀ ଦେବୀ !

 

‘କେବେ ସିନା ତମେ ବୁଝାଇ ଦେଲେ ମୁଁ ବୁଝନ୍ତି, ବରଂ ଜଙ୍ଗଲରେ ମୋତେ ଘୋଷାରି ଘୋଷାରି ମାରି ସାରିଲଣି । ଆହୁରି ଥରେ ତ ପୁଣି ଏହି ନାଳକୁ ପାରି ହେବାକୁ ପଡ଼ିବ । କେଡ଼େ ବିପତ୍ତିରେ ମଣିଷ ପଡ଼ିଲା ସତେ ! ତମ ସଙ୍ଗେ ଯଦି ମୁଁ ରହନ୍ତି, ତେବେ ଦିନେ ହେଲେ ଆମର ପଡ଼ନ୍ତା ନାହିଁ ।’

 

ମେହେତା ମୁରୁକି ହସିଲେ, କାରଣ ଏ ସବୁ କଥାର ମରମ ସେ ଖୁବ୍ ବୁଝି ପାରୁଥିଲେ-

 

‘ତମେ କ’ଣ ମୋତେ ଏଡ଼େ ଖରାପ ବୋଲି ଭାବିଛ ? ମୁଁ ଯଦି କହେ ଯେ ମୁଁ ତମକୁ ଭଲ ପାଏ, ତେବେ କ’ଣ ମୋତେ ତମେ ବାହା ହେବ ?’

 

‘ତମ ପରି ନିର୍ଦ୍ଦୟ ଲୋକଙ୍କୁ ବାହା ହେବ କିଏ ? ଦିନରାତି ତମେ ଖାଲି ଜଳେଇ ପୋଡ଼େଇ ମାରିବ ।’

 

ଏତିକି କହିଦେଇ ମାଳତୀ ପ୍ରେମଭରା ନୟନରେ ମେହେତାଙ୍କୁ ଅନାଇ ରହିଲେ ଏବଂ ମନେ ମନେ ଭାବିଲେ ମେହେତା ନିଶ୍ଚୟ ତାଙ୍କ ମନକଥା ବୁଝୁଥିବେ, ସେ ତ ଆଉ ଏଡ଼େ ବୋକା ନୁହନ୍ତି ।

 

ମେହେତା ନିଦରୁ ଉଠିଲାପରି ଚମକି ପଡ଼ି କହିଲେ,–ମାଳତୀ ଦେବୀ ଯାହା କହିଲେ ସବୁ ସତ । କୌଣସି ସ୍ତ୍ରୀଲୋକକୁ ଖୁସି କରିବା ମୋ ପକ୍ଷରେ ସମ୍ଭବ ନୁହେଁ । କାହିଁକି ନା କୌଣସି ସ୍ତ୍ରୀ ନକଲି ପ୍ରେମର ଅଭିନୟ କରି ମୋତେ ଠକି ଦେଇ ପାରିବ ନାହିଁ । ମୁଁ ସାଙ୍ଗେ ସାଙ୍ଗେ ତାଙ୍କ ମନକଥା ଜାଣି ପାରିବି ଏବଂ ଜାଣି ପାରିଲାମାତ୍ରେ ଛାଡ଼ି ଚାଲିଯିବି ।

 

କଥାଟା ନିରାଟ ସତ ହୋଇଥିବାରୁ ଶୁଣିଲା ମାତ୍ରେ ମାଳତୀ ମନେ ମନେ ଖୁବ୍ ଡରିଯାଇ କହିଲେ–ତାହେଲେ କେମିତିଆ ପ୍ରେମ ତମର ଦରକାର କହିଲ ଦେଖି ?

 

‘ମୁଁ କେବଳ ଅନ୍ତରର ପ୍ରେମ ଚାହେ । ବାହାରର ରଙ୍ଗ, ଢଙ୍ଗ, ଅଭିନୟ ସୁଆଙ୍ଗକୁ ମୁଁ ପସନ୍ଦ କରେ ନାହିଁ । ମୁଁ ଏମିତି ଭୋଜନ ଚାହେ, ଯେଉଁଥିରେ କେବଳ ଆତ୍ମାର ତୃପ୍ତି ହୁଏ, କ୍ଷଣିକ ସ୍ଵାଦ ବା ଉନ୍ମାଦନା ମୋର ଲକ୍ଷ୍ୟ ନୁହେଁ ।

 

ମାଳତୀ ଦେବୀ ଉପରକୁ ଚାହିଁ ଦୀର୍ଘ ନିଃଶ୍ଵାସ ପକାଇ କହିଲେ–ତମଠୁ ରକ୍ଷା ପାଇବା ବଡ଼ ମୁସ୍କିଲ । କାରଣ ତମେ ସବୁ ଜାଣ । ଆଚ୍ଛା କହିଲ, ମୋ ବିଷୟରେ ତମର ଧାରଣା କ’ଣ ?

 

ମେହେତା ଟିକିଏ ଦୁଷ୍ଟାମି କରି ହସି ହସି କହିଲେ–ତମର ସବୁ ଗୁଣ ଅଛି; ତମେ ବୁଦ୍ଧିମତୀ, ତମେ ଚତୁର, ତମେ ଦୟାଳୁ, ତମେ ଚଞ୍ଚଳ, ତମେ ତ୍ୟାଗୀ । ପ୍ରକୃତରେ ତମେ ସବୁ କରିପାର କିନ୍ତୁ ପ୍ରେମ କରିବା ତମ ପକ୍ଷରେ ଅସମ୍ଭବ ।

 

ମାଳତୀ ତୀକ୍ଷ୍‍ଣ ଦୃଷ୍ଟି ପକାଇ କହିଲେ–ନାହିଁ, ତମେ ମିଛ କହୁଛ, ବିଲକୁଲ ମିଛ । ତମେ ନାରୀ ମନକଥା ଜାଣିପାର ବୋଲି ଯେଉଁ ଗର୍ବ କର ତାହା ସଂପୂର୍ଣ୍ଣ ଭୁଲ ।

 

କଥାବାର୍ତ୍ତା ହୋଇ ଦିହେଁ ନାଳ କୂଳେ କୂଳେ ଚାଲିଥାନ୍ତି । ମେହେତାଙ୍କ କଥାରେ ମାଳତୀଙ୍କ ମନ ଆଜି ଏମିତି ଉଚ୍ଚାଟ ହୋଇ ଉଠୁଥାଏ ଯେ ବିଶ୍ରାମ ନେବା ପାଇଁ କିମ୍ବା ଲେଉଟି ଯିବା ପାଇଁ ଆଉ ମନ ହେଉ ନଥାଏ । କେତେ ଜ୍ଞାନୀ, କେତେ ବିଦ୍ୱାନଙ୍କୁ ସେ ପଦେ କଥାରେ, ଥରକ ଚାହାଣୀରେ ବେକ ମୋଡ଼ି ଖାଇଛନ୍ତି କିନ୍ତୁ ସେମାନଙ୍କୁ ସେ କେବେ ହେଲେ ରସି ନାହାନ୍ତି । ସେଗୁଡ଼ାତ ଖାଲି ବାଲିର କାନ୍ଥ, ତାଙ୍କ ଉପରେ ଆଉଜି ଲାଭ କ’ଣ । ମେହେତା ହେଉଛନ୍ତି ପଥରର କାନ୍ଥ, ଫାଉଡ଼ା ମାରିଲେ ନିଆଁ ଝୁଲ ଖସି ପଡ଼ିବା କଥା । ସେ ନିର୍ଦ୍ଦୟ ହେଲେ ବି ମାଳତୀଙ୍କର ତାଙ୍କଠି ଭାରୀ ମନ ।

 

ମେହେତା ସାହେବ ହଠାତ୍ ଧାଇଁ ଯାଇ ଏକ ଅବାଜ କଲେ । ଉଡ଼ି ଯାଇଥିବା ଚଢ଼େଇ ଦେହରେ ଗୁଳି ବାଜି ସେ ମଧ୍ୟ ସେ ମଝି ନାଳରେ ଖସି ପଡ଼ିଲା ଏବଂ ସୁଅରେ ଭାସି ଯିବାକୁ ଲାଗିଲା ।

 

‘ଏବେ କ’ଣ କରିବେ ?’ ମାଳତୀ ପଚାରିଲେ ।

 

‘କରିବି କ’ଣ, ପାଣିରେ ପଶି ନେଇ ଆସିବି, ଯିବ କୁଆଡ଼େ ?’

 

ବନ୍ଧୁକକୁ ବାଲିରେ ପକାଇ ଦେଇ ମେହେତା ସାହେବ ଭୁସ୍ କରି ପାଣିକୁ ଡେଇଁ ପଡ଼ିଲେ । ଅଧମାଇଲ ଯାଏ ପହଁରି ପହଁରି ଗଲେ । ତେବେ ବି ଧରି ପାରିଲେ ନାହିଁ, ସତେ ଯେମିତି ଚଢ଼େଇଟା ଉଡ଼ି ଯାଉଥିଲା । ହଠାତ୍ ଦେଖାଗଲା ଜଣେ ଯୁବତୀ ସ୍ତ୍ରୀ ନଈକୂଳରେ ଗୋଟିଏ ଛୋଟ କୁଡ଼ିଆରୁ ବାହାରି ପାଣିରେ ପଶି ଚଢ଼େଇକୁ ଧରିନେଲା ଏବଂ ମେହେତାଙ୍କ ଆଡ଼କୁ ଦେଖାଇ କହିଲା–ବାବୁ ପାଣିରୁ ବାହାରି ଆସ, ଏହି ଆପଣଙ୍କର ଚଢ଼େଇ ନିଅ । ଯୁବତୀର ସାହସ ଏବଂ ଚପଳତା ଦେଖି ମେହେତା ଭାରି ଖୁସି ହୋଇ ପହଁରି ପହଁରି ଯାଇ ଆଖି ପିଛୁଳାକେ ତା ପାଖରେ ପହଞ୍ଚିଗଲେ ।

 

ଯୁବତୀଟି ଦେଖିବା ପାଇଁ ଭାରି କାଳୀ, ଲୁଗାପଟା ଭାରି ମଇଳା, ଅଳଙ୍କାର ବୋଲି ହାତରେ ପଟେ ପଟେ କାଚ । ବାଳ ତ ସଂପୂର୍ଣ୍ଣ ମୁକୁଳା । ସୁନ୍ଦର ବୋଲି ମୁହଁରେ ସେମିତି କିଛି ନଥିଲା । କିନ୍ତୁ ପ୍ରକୃତି କୋଳରେ ମୁକ୍ତ ଜଳବାୟୁରେ ବଢ଼ି ଯୁବତୀ ଦେହରୁ ଏପରି ଏକ ଲାବଣ୍ୟ ଝରିପଡ଼ୁଥିଲା ଯେ ତାକୁ ଦେଖିଲାମାତ୍ରେ ମେହେତାଙ୍କ ପ୍ରାଣରେ ଉନ୍ମାଦନା ଭରିଗଲା । ଯୌବନ ୟାଠୁ ଆଉ କେବେ ସୁନ୍ଦର ହୋଇପାରେ, ଏ କଥା ସେ କଳ୍ପନା ପର୍ଯ୍ୟନ୍ତ କରି ପାରିଲେ ନାହିଁ ।

 

ମେହେତା ଯୁବତୀଙ୍କୁ ଧନ୍ୟବାଦ ଦେଇ କହିଲେ–ଯୋଗକୁ ତମେ ଜୁଟିଗଲ, ନହିଲେ ମୋତେ ଅନେକ ଦୂର ଦୌଡ଼ିବାକୁ ପଡ଼ିଥାନ୍ତା ।

 

ଯୁବତୀ କହିଲା–ତମକୁ ପହଁରିବାର ଦେଖି ମୁଁ ଦୌଡ଼ି ଆସିଲି । ଭାବିଲି ତମେ ଶିକାର କରିବାକୁ ଆସିଛ ।

 

‘ହଁ ଶିକାର କରିବାକୁ ତ ଆସିଥିଲି । କିନ୍ତୁ ଦୁଇ ପହର ହେଲାଣି ପଛେ, ବୁଲି ବୁଲି ଚଢ଼େଇଟାଏ କେବଳ ମିଳିଛି ।’

 

‘ଯଦି ତମେ କେନ୍ଦୁଆ ମାରିବାକୁ ଚାହ, ତେବେ ମୁଁ ଜାଗା ଦେଖାଇଦେବି, ସବୁଦିନ ସଞ୍ଜବେଳେ କେନ୍ଦୁଆ ସେଠାକୁ ପାଣି ପିଇବାକୁ ଆସେ । ଦିନେ ଦିନେ ଦିପହରେ ବି ଚାଲିଆସେ-।’

 

କିନ୍ତୁ ଦେଖ ଯଦି କେନ୍ଦୁଆଟା ମାରିବ, ତେବେ ମୋତେ ଚମଡ଼ାଟା ଦେବ । ଆମ ଦୁଆରଠିକି ଚାଲ, ସେଠି ବରଗଛ ଛାଇରେ ବସିବ । ଓଦା ଲୁଗାରେ କେତେବେଳ ଯାଏ ଠିଆ ହେବ ?

 

ଯୁବତୀର ଲୁଗା ସଡ଼ୁ ବୁଡ଼ା ହୋଇଥିବାର ଦେଖି ମେହେତା କହିଲେ–ତମ ଲୁଗା ତ ପୁଣି ସଡ଼ୁ ବୁଡ଼ା ହେଇଛି !

ଯୁବତୀ ବେପରୁଆ ଭାବ ଦେଖାଇ କହିଲା–ଆମ କଥା କ’ଣ, ଆମେ ତ ଜଙ୍ଗଲି ଲୋକ ! ଆମେ ତ ଦିନ ଦିନ, ରାତି ରାତି ପାଣି କାଦୁଅରେ ଠିଆ ହୋଇ ରହିବା ଲୋକ । ତମେ କ’ଣ ଆମପରି ରହି ପାରିବ ?

ମେହେତା ଭାବିଲେ, ଏହି ଯୁବତୀ ଗାଉଁଲୀ ହେଲେ ବି ଖୁବ୍ ବୁଝିବା ସୁଝିବା ଲୋକ ।

ତାପରେ ପଚାରିଲେ–ତମେ କେନ୍ଦୁଆ ଚମଡ଼ା ନେଇ କଣ କରିବ ?

‘ଦାଦି ନେଇକରି ବଜାରରେ ବିକିବ, ଇଏ ତ ହେଉଛି ଆମର କାମ’ ।

‘ଆମେ ଯଦି ଦି’ପହରେ ତମ ଘରେ ରହୁଁ, ତମେ ଆମକୁ କ’ଣ ଖାଇବାକୁ ଦେବ ?’

ଯୁବତୀ ଟିକିଏ ଲାଜ ଲାଜ ହୋଇ କହିଲା–ବାବୁ, ତମକୁ ଖାଇବାକୁ ଦେବା ଭଳି ଜିନିଷ ଆମ ଘରେ କାହିଁ ? ଯଦି ଖାଇବ, ଘରେ ମକା ରୁଟି ଅଛି । ଆଉ ତମେ ବତାଇଦେଲେ ମୁଁ ମାଂସ ରାନ୍ଧି ଦେବି । ଅଳ୍ପ ଟିକିଏ ଦୁଧ ବି ଘରେ ଅଛି । ଥରେ ମୋ ଗାଈକି କେତେଟା କେନ୍ଦୁଆ ଜଗିଥିଲେ, କିନ୍ତୁ ଗାଈ ସେମାନଙ୍କୁ ହଟେଇ ଦେଇ ଚାଲି ଆସିଲା । ସେହିଦିନୁ ଗାଈକୁ କେନ୍ଦୁଆର ଭାରି ଡର ।

‘କିନ୍ତୁ ମୁଁ ତ ଏକୁଟିଆ ନାହିଁ, ମୋ ସାଙ୍ଗରେ ଜଣେ ସ୍ତ୍ରୀଲୋକ ବି ଅଛନ୍ତି ।’

‘କିଏ, ତମ ସ୍ତ୍ରୀ ?’

‘ନାହିଁ, ମୁଁ ତ ଆଜିଯାଏ ବାହା ହୋଇ ନାହିଁ, ସେ ଜଣେ ଆମର ଜଣାଶୁଣା ବନ୍ଧୁ ।’

‘ତମେ ଆଗରେ ଯାଇ ଛାଇରେ ବସ । ମୁଁ ଦୌଡ଼ିକରି ଯାଉଛି ତାଙ୍କୁ ଡାକି ଆଣିବି ।’

‘ନାହିଁ ଥାଉ, ମୁଁ ଯାଉଛି ଡାକି ଆଣିବି ।

‘ନାହିଁ, ତମେ ଥକିଯିବଣି, ତମେ କାହିଁକି ଯିବ ? ତମେ ସହରୀ ଲୋକ ବଣ ଜଙ୍ଗଲରେ କୁଆଡ଼େ ଯିବ, ଆମେ ସିନା ବଣୁଆ ଲୋକ ଧାଇଁଯିବୁ ।

ମେହେତା କିଛି ନ କହୁଣୁ ସେ ଦୌଡ଼ିକରି ପଳାଇଲା । ମେହେତା ଉପରକୁ ଉଠିଯାଇ ବରଗଛ ଛାଇରେ ବସିଗଲେ । ଏହି ପ୍ରକାର ମୁକ୍ତ ଜୀବନର ଆଭାସ ପାଇ ସେ ଆନନ୍ଦରେ ବିଭୋର ହୋଇ ପଡ଼ିଲେ । ସମ୍ମୁଖରେ ଦିଗନ୍ତ–ବିସ୍ତାରୀ ନଭଶ୍ଚୁମ୍ବୀ ପର୍ବତମାଳା, ସତେ ଯେମିତି ଦର୍ଶନଶାସ୍ତ୍ର ପରି ଅଗମ୍ୟ, ଅବୋଧ୍ୟ । ପର୍ବତର ଶିରୋଦେଶରେ ଅସ୍ପଷ୍ଟ ଏକ କ୍ଷୁଦ୍ର ମନ୍ଦିର ଅଗମ୍ୟତା ମଧ୍ୟରେ ଉନ୍ନତ ବୁଦ୍ଧିପରି ଦଣ୍ଡାୟମାନ ।

ମେହେତା ଏହିପରି ନାନା ଚିନ୍ତାରେ ବୁଡ଼ି ରହିଥିବାବେଳେ ମାଳତୀ ଓ ସେହି ଯୁବତୀ ଆସି ପହଞ୍ଚିଗଲେ । ସୂର୍ଯ୍ୟକିରଣରେ ଜଣେ ବଣର ମାଳତୀ ପରି ଚମକି ଉଠୁଥିଲା, ଆଉଜଣେ ଉଦ୍ୟାନ ଗୋଲାପ ପରି ଝାଉଁଳି ଯାଇଥିଲା !

ମାଳତୀ ପହଞ୍ଚିଲା ମାତ୍ରେ କହିଲେ–ଏ ଗଛ ଛାଇ ଖୁବ୍ ଭଲ ଲାଗୁଛି ନା କ’ଣ ? ଭୋକରେ ତ ପେଟ ତାତି ଗଲାଣି ।

ଯୁବତୀ କହିଲା–ତମେ ଏଇଠି ବସ, ମୁଁ ଆଖି ପିଛୁଳାକେ ପାଣି ଦି’ମାଠିଆ ନେଇ ଆସୁଛି । ତମେ ଯଦି ମୋ ହାତରୁ ଖାଇବ, ତେବେ ତ ମୁଁ ସବୁ ରାନ୍ଧି ଦେବି, ନାହିଁ ଯଦି ନ ଖାଇବ ତେବେ ତମେ ନିଜେ ରାନ୍ଧିବ । ଅବଶ୍ୟ ଗହମ ଅଟା ଏଠି ମିଳିବ ନାହିଁ ।

ମାଳତୀ ମେହେତାଙ୍କ ଉପରେ ବିରକ୍ତ ହୋଇ କହିଲେ–କାହିଁକି ଆସି ଅକାରଣରେ ତମେ ଏଠି ବସିଛ ?

ମେହେତା ଟିକିଏ ଜୋର ଦେଇ କହିଲେ–‘ଦିନେ ହେଲେ ଏମିତିଆ ସୁଖର ଜୀବନ କାଟିଥା, ମକା ରୁଟି କେମିତି ସୁଆଦ ଲାଗେ ଦିନେ ହେଲେ ଚାଖିଥା’ !

‘ମୁଁ ତ ମକାରୁଟି କେବେ ଖାଏ ନାହିଁ, ଯଦି ବାଧ୍ୟ ହୋଇ କେବେ ଖାଇଦିଏ, ତେବେ ମୋର ଅଜୀର୍ଣ୍ଣ ହୁଏ । ତମ ସଙ୍ଗେ ଆସିକରି ଏବେ ମୁଁ ଭାରି ପସ୍ତୋଉଛି । ବାଟଯାକ ତ ଦୌଡ଼େଇ ଦୌଡ଼େଇ ମାରିଲ, ଶେଷରେ ପୁଣି ଆଣି ମଣିଷକୁ ଏଇଠି ପକାଇଲ !’

ମେହେତା ଦେହରୁ କାମିଜ କାଢ଼ିଦେଇ ଖାଲି ଖଣ୍ଡେ ପ୍ୟାଣ୍ଟ୍ ପିନ୍ଧି ବସିଥିଲେ । ଯୁବତୀକୁ ମାଠିଆ ନେଇ ବାହାରିବାର ଦେଖିଲାମାତ୍ରେ ଦଉଡ଼ି ଯାଇ ତା’ଠୁ ମାଠିଆ ଛଡ଼ାଇ ନେଇ ପାଣି ଆଣିବାକୁ ଚାଲିଗଲେ । ଏତେ ପାଠପଢ଼ା ଭିତରେ ବି ମେହେତା ନିଜ ଦେହକୁ ଖୁବ୍ ସବଳ ରଖିଥିଲେ । ପାଣି ଧରି ଫେରିଲାବେଳେ ତାଙ୍କ ବଳିଷ୍ଠ ମାଂସପେଶୀ, ବିଶାଳ ବକ୍ଷ ଏବଂ ସୁଗଠିତ ବପୁ ଦେଖିଲେ ମନେ ହେଉଥିଲା ସତେ ଯେମିତି ସେ ଗୋଟିଏ ଗ୍ରୀକ୍ ପ୍ରତିମା ! ମେହେତା ପାଣି କାଢ଼ିଲାବେଳେ ଯୁବତୀ ଏକଆଖିରେ ତାଙ୍କୁ ଅନାଇ ରହିଲା ଏବଂ ମନେ ମନେ ତାର ଭାରି ଶ୍ରଦ୍ଧା ହେଲା ।

କୂଅ ଭାରି ଗହୀରା, ପ୍ରାୟ ଷାଠିଏ ହାତ ହେବ । ମେହେତା ଏତେ ଗହୀରରୁ ଏଡ଼େ ବଡ଼ ମାଠିଆରେ ପାଣି କାଢ଼ୁ କାଢ଼ୁ କ୍ଳାନ୍ତ ହୋଇ ପଡ଼ିବାର ଦେଖି ଯୁବତୀ ଯାଇ ତାଙ୍କ ହାତରୁ ଦଉଡ଼ି ଛଡ଼େଇନେଇ କହିଲା–ତମ ହାତରେ ଏ କାମ ହେବ ନାହିଁ, ତମେ ଯା ଖଟରେ ବସ, ମୁଁ ନେଇ ଯାଉଛି । କିନ୍ତୁ ମେହେତା ଏପରି ଅପମାନ ବରଦାସ୍ତ କରିବା ଲୋକ ନୁହନ୍ତି । ସେ ପୁଣି ଦଉଡ଼ି ଛଡ଼େଇ ନେଇ ଆଖି ପିଛୁଳାକେ ଆଉ ମାଠିଏ ପାଣି କାଢ଼ିଦେଇ ଦି’ଟାଯାକ ମାଠିଆ ଦି’ ହାତରେ ଓହଳାଇ ନେଇଯାଇ କୁଡ଼ିଆ ପାଖରେ ପହଞ୍ଚାଇ ଦେଲେ । ଯୁବତୀ ସଙ୍ଗେ ସଙ୍ଗେ ନିଆଁ ଲଗାଇ ମାଂସ ବସେଇ ଦେଲା ଓ ଦୁଧ ଗରମ କରିଦେଲା ।

ମାଳତୀ ଏସବୁ ଦେଖି ଆଖି ତରାଟି ଖଟ ଉପରେ ଏମିତି ମନ ଦୁଃଖରେ ପଡ଼ି ରହିଥାନ୍ତି ସତେ ଯେମିତି ତାଙ୍କୁ କିଏ ଅପରେସନ କରିବାକୁ ନେଉଛି ।

ମେହେତା କୁଡ଼ିଆ ଦୁଆରେ ଠିଆ ହୋଇ ଆନନ୍ଦରେ ସବୁ ଦେଖୁଥାନ୍ତି । ଶେଷରେ କହିଲେ–ମୁଁ ତ ଖାଲି ବସିଛି, ମୋତେ କିଛି କାମ ବତାଉନା କାହିଁକି ?

ଯୁବତୀ ମଧୁରଭଙ୍ଗୀ କରି କହିଲା–ତମର କିଛି କରିବାର ନାହିଁ, ତମେ ଯାଇ ସେ ବାବୁଆଣୀଙ୍କ ପାଖରେ ବସ । ବିଚାରିଙ୍କୁ ଭାରୀ ଭୋକ ହେଲାଣି । ଦୁଧ ତ ଗରମ ହେଲାଣି, ନେଇକରି ପିଆଇ ଦିଅ ।

ଘମରୁ ବାହାର କରି ଯୁବତୀ ଅଟା ଦଳିବାକୁ ବସିଗଲା । ମେହେତା ଏକ ଆଖିରେ ତାର ଦେହ ହାତକୁ ଅନାଇ ରହିଥାନ୍ତି । ସେ ମଧ୍ୟ ମଝିରେ ମଝିରେ ମେହେତାଙ୍କୁ କଣେଇ କଣେଇ ଚାହୁଁଥାଏ ।

 

ମାଳତୀ ତାଙ୍କୁ ଦେଖି ପାଟିକଲେ–ସେଠି ଛିଡ଼ା ହୋଇ କ’ଣ ଦେଖୁଛ ? ମୋ ମୁଣ୍ଡ ତ ଏମିତି ବଥାଉଛି, ସତେ ଯେମିତି ଫାଳେ ଛିଣ୍ଡି ପଡ଼ିବ !

 

ମେହେତା ଫେରିଆସି କହିଲେ–ହଁ, ଖୁବ୍ ଖରା ବାଜିଯାଇଛି ବୋଧହୁଏ ।

 

‘ମୁଁ କ’ଣ ଜାଣିଥିଲି ତମେ ମୋତେ ଏଠି ମାରିବା ପାଇଁ ଆଣିଛ ବୋଲି !’

 

‘ତମେ ସାଙ୍ଗରେ କିଛି ଔଷଧ ଆଣି ନାହଁ ?’

 

‘ମୁଁ କ’ଣ ରୋଗୀ ଦେଖିବାକୁ ଆସିଥିଲି ଯେ ଔଷଧ ଆଣିଥାନ୍ତି ? ମୋ ଔଷଧ ବାକସ ସମେରୀରେ ଛାଡ଼ି ଆସିଛି । ଓଃ, କି କଷ୍ଟ, ସତେ ଯେମିତି ମୁଣ୍ଡ ଫାଟିଯିବ !

 

ମେହେତା ତାଙ୍କ ମୁଣ୍ଡ ପାଖରେ ବସି ଆସ୍ତେ ଆସ୍ତେ ତାଙ୍କ ମୁଣ୍ଡ ଚିପିଦେଲେ, ମାଳତୀ ଆଖିବୁଜି ପଡ଼ି ରହିଲେ ।

 

ସେହି ଯୁବତୀ ମଧ୍ୟ ଅଟାହାତରେ ଦେହଯାକ ଝାଳନାଳ ହୋଇ ଆସି ଦେଖିଲା, ମାଳତୀ ଆଖିବୁଜି ପଡ଼ି ରହିଛନ୍ତି । ପଚାରିଲା–ବାବୁଆଣୀଙ୍କର କ’ଣ ହେଲା କି ?

 

ମେହେତା କହିଲେ–ଭାରି ମୁଣ୍ଡ ବଥାଉଛି ।

 

‘ସାରା ମୁଣ୍ଡ ନା ଅଧା ?’

 

‘ଅଧା ବୋଲି ତ କହୁଛନ୍ତି ।

 

ଡାହାଣ ପାଖ ନା ବାଁ ପାଖ ?

 

‘ବାଁ ପାଖ ।’

 

‘ଆଚ୍ଛା, ମୁଁ ଦୌଡ଼ି ଯାଉଛି ଗୋଟେ ଔଷଧ ନେଇ ଆସିବି ।’ ଘଷିଦେଲେ ବଥା କମିଯିବ ।’

 

‘ଏଡ଼େ ଖରାରେ ତମେ ଯିବ କୁଆଡ଼େ’ ?

 

ପାଟିରୁ କଥା ନ ସରୁଣୁ ସେ ଦୌଡ଼ିଲା । ଅଧଘଣ୍ଟା ପରେ ମେହେତା ଦେଖିଲେ ଯେ ଉଚ୍ଚ ପାହାଡ଼ ଉପରେ ସେ କଣ୍ଢେଇଟିକର ଦେଖା ପଡ଼ୁଛି । ତା’ର ସେବା ଭାବ ଦେଖି ମେହେତା ଆଶ୍ଚର୍ଯ୍ୟ ହୋଇଗଲେ । ଏଡ଼େ ଖରାରେ ସତେ ଯେମିତି ସେ ଆକାଶ ଉପରେ ଚଢ଼ି ଚାଲି ଯାଉଥିଲା ।

 

ମାଳତୀ ଆଖି ଫିଟାଇ କହିଲେ–କୁଆଡ଼େ ଗଲା ସେ କାଳୀ । ସତେ ଯେମିତି କେନ୍ଦୁକାଠରେ ରନ୍ଦା ମରା ହୋଇଛି । ତାକୁ ରାୟସାହେବଙ୍କ ପାଖକୁ ପଠାଇ ଦିଅନ୍ତୁ, ଖବର ଦେଇ ଆସିବ, ମଟର ଏଠିକି ପଠାଇ ଦେବେ । ଏ ଖରାରେ ମୋର ପ୍ରାଣ ବାହାରି ଯାଉଛି ।

 

‘ସେ ତ ଔଷଧ ଆଣିବାକୁ ଯାଇଛି କହୁଛି, ଅଧଶିଶି ଔଷଧରେ ସବୁ ଭଲ ହୋଇଯିବ ବୋଲି ।’

 

‘ତା ଔଷଧ ସେ ଲଗାଉ, ମୋର ଦରକାର ନାହିଁ । ଦେଖୁଛି ସେ ମାଇକିନିଆ ସାଙ୍ଗରେ ତମେ ତ ବଡ଼ ମଜି ଯାଇଛ । ତମେ ଯେମିତିଆକୁ ସେ ବି ସେମିତିଆ ।’

 

ମେହେତା କି ଛାଡ଼ିବା ଲୋକ ! ସଙ୍ଗେ ସଙ୍ଗେ କହିଲେ–ହଁ, ତାଠାରେ ଯେଉଁ ଗୁଣ ଅଛି ଯଦି ତମଠି ଥାନ୍ତା, ତେବେ ତମେ ଦେବୀ ପାଲଟି ଯାଇଥାନ୍ତ !

 

‘ହଁ, ତା ଗୁଣ ତା’ଠାରେ ଥାଉ । ମୁଁ ଦେବୀ ହେବାକୁ ଚାହେଁ ନାହିଁ ।’

 

‘ତମେ ଯଦି କହିବ, ତେବେ ମୁଁ ଯାଇ ଗାଡ଼ି ନେଇ ଆସିବି । କିନ୍ତୁ ଗାଡ଼ି ଏଠିକି ଆସି ପାରିବ କି ନାହିଁ ସନ୍ଦେହ ।’

 

‘ସେ କାଳୀକୁ କାହିଁକି ପଠାଉ ନାହାନ୍ତି ?’

 

‘ସେ ତ ଔଷଧ ଆଣିବାକୁ ଯାଇଛି, ପୁଣି ରୋଷାଇ ବି କରିବ, ଯିବ କେମିତି ?’

 

‘ହଁ ତମେ ତ ଆଜି ତାର କୁଣିଆ ହୋଇଛ, ମନେ କଲେ ରାତିରେ ଏଠି ରହିଯିବ । ରାତିରେ ବି ଏଠି ଖୁବ୍ ଶିକାର ମିଳିବ ।’

 

ମେହେତା ଚିଡ଼ିଯାଇ କହିଲେ–ଏହି ଯୁବତୀ ପ୍ରତି ମୋ ମନରେ ଏପରି ଶ୍ରଦ୍ଧା ଜାଗ୍ରତ ହୋଇଛି ଯେ ମୁଁ ଯଦି ତାକୁ କେବେ ପାପଦୃଷ୍ଟିରେ ଦେଖେ, ତେବେ ମୋର ଆଖି ଫୁଟିଯିବ । ମୋର ଯେଡ଼େ ଘନିଷ୍ଠ ବନ୍ଧୁ ହେଲେ ବି କାହାପାଇଁ ମୁଁ ଏମିତିଆ ଖରା ଝାଞ୍ଜିରେ ପାହାଡ଼ ଉପରେ ଚଢ଼ି ଔଷଧ ଆଣିବାକୁ ଯା’ନ୍ତି ନାହିଁ । ସେ ବେଶ୍ ଜାଣେ ଯେ ଆମେ ତାର ଘଡ଼ିକର ବନ୍ଧୁ । ତଥାପି ସେ ଆମ ପାଇଁ କରୁଛି । ଯେ କୌଣସି ଗରିବ ଲୋକ ପାଇଁ ମଧ୍ୟ ସେ ଖୁସୀରେ ଏ କାମ କରି ପାରିବ । ବିଶ୍ଵପ୍ରେମ, ବିଶ୍ଵମୈତ୍ରୀ ବିଷୟରେ ମୁଁ ପାଞ୍ଚପୃଷ୍ଠା ଲେଖିପାରେ, ପାଞ୍ଚଟା ଭାଷଣ ଦେଇପାରେ; ମାତ୍ର ବିଶ୍ଵମୈତ୍ରୀ ଯଦି କେହି ଆଚରଣ କରୁଥାଏ ତେବେ ସେ ହେଉଛି ଏହି ଯୁବତୀ-। କହିବା ଅପେକ୍ଷା କରିବା କେଡ଼େ କଷ୍ଟକର, ସେକଥା ତମକୁ ବି ଅଛପା ନାହିଁ ।

 

ମାଳତୀ ରହସ୍ୟ କରି କହିଲେ–ହଉ ହେଲା, ଏବେ ସେ ଦେବୀ ହୁଅନ୍ତ, ମୁଁ ମାନୁଛି । ଯାହାର ଘଞ୍ଚ ବକ୍ଷ ଓ ଉଚ୍ଚ ନିତମ୍ବ ଅଛି, ସେ ଦେବୀ ନୁହନ୍ତି, ଆଉ କଣ ? ଦେବୀ ହେବାପାଇଁ ଅଧିକା ଆଉ କ’ଣ ଦରକାର ?

 

ମେହେତା ଭୟଙ୍କର ବିଗଡ଼ିଯାଇ କାମିଜ ପିନ୍ଧି, ବନ୍ଧୁକ ଧରି ସେଠାରୁ ଚାଲିଯିବାକୁ ବାହାରିଲାରୁ ମାଳତୀ ପାଟିକରି କହିଲେ–ନା, ମୋତେ ଏକା ଛାଡ଼ିଦେଇ ଯିବ କୁଆଡ଼େ ?

 

‘ତା ହେଲେ ଯିବ କିଏ ?’

 

‘ତମରି ଦେବୀ ଯା’ନ୍ତୁ ।’

 

ମେହେତା ହତବୁଦ୍ଧି ହୋଇ ଛିଡ଼ା ହୋଇ ରହିଲେ । ନାରୀ ପୁରୁଷକୁ କେତେ ସହଜରେ ଅପଦସ୍ତ କରିପାରେ ଏହି ହେଲା ତାଙ୍କ ଜୀବନର ପ୍ରଥମ ଅନୁଭବ ।

 

ଠିକ୍ ଏତିକି ବେଳକୁ ସେହି ଯୁବତୀ ଆସି ପହଞ୍ଚିଗଲା । ମେହେତାଙ୍କୁ ଯିବାପାଇଁ ସଜବାଜ ହେଉଥିବାର ଦେଖି କହିଲା–ମୁଁ ସେହି ଔଷଧ ନେଇ ଆସିଛି, ଏଇନେ ଘଷି ଦେଲେ ସବୁ ଭଲ ହୋଇଯିବ । ମାଂସ ତ ହୋଇଯିବଣି । ମୁଁ ସଙ୍ଗେ ସଙ୍ଗେ ରୁଟି କରି ଦେଉଛି । ବାବୁଆଣୀ ଦୁଧତକ ପିଇ ଦିଅନ୍ତୁ । ସମସ୍ତେ ଟିକିଏ ଆରାମ ହୋଇଯା । ତା’ପରେ ଟିକିଏ ଶୀତଳ ପଡ଼ିଗଲେ ଯିବ ।

 

ଆପେ ଆପେ ସେହି ଯୁବତୀ ମେହେତାଙ୍କ କାମିଜର ବୋତାମ ଖୋଲିଦେଲା । ମେହେତା ନିଜକୁ ସମ୍ଭାଳି ନେଲେ ନଚେତ୍ ତାଙ୍କର ମନ ହେଉଥିଲା ସେହି ସ୍ତ୍ରୀ ଲୋକର ପାଦତଳେ ପଡ଼ି କୃତଜ୍ଞତା ଜଣାଇବା ପାଇଁ ।

 

ମାଳତୀ କହିଲେ–ତୋ ଔଷଧ ରଖିଦେ । ନଦୀକୂଳରେ ବରଗଛ ଛାଇରେ ଆମ ମଟର ଅଛି । ସେଠି ଆଉ ଲୋକ ବି ଅଛନ୍ତି, ଯା ତାଙ୍କୁ କହିଦେବୁ ଏଠିକି ମଟର ନେଇ ଆସିବେ । ଯା, ଦୌଡ଼ିକରି ଯା ।

 

ଯୁବତୀ ନିରାଶ ହୋଇ ମେହେତାଙ୍କୁ ଅନାଇ ରହିଲେ । ଏତେ କଷ୍ଟରେ ଯାଇ ଔଷଧ ଆଣିଲା ପରେ ବି ଅନାଦର ! ଔଷଧ ମନକୁ ନ ପାଇଲେ ବି ଖାଲି ମନରଖିବା ପାଇଁ ଟିକିଏ ଲଗେଇ ଦେଇଥିଲେ ବା କ’ଣ କ୍ଷତି ହୋଇଥାନ୍ତା !

 

ଯୁବତୀ ଔଷଧକୁ ତଳେ ଥୋଇ କହିଲା–ମୁଁ ଯଦି ଏଇଲେ ଯାଏ ତେବେ ତ ଚୁଲି ଲିଭିଯିବ । ମୁଁ ଆଗ ରୁଟି କରିଦେଉଛି, ବାବୁ ଖାଇ ନିଅନ୍ତୁ, ତମେ ଦୁଧ ପିଇ ଦିଅ । ଦିହିଁଯାକ ଆରାମ ହୋଇଯା, ତା ପରେ ମୁଁ ମୋଟରବାଲାଙ୍କୁ ଡାକି ଆଣିବି ।

 

କୁଡ଼ିଆ ଭିତରେ ପଶି ଯୁବତୀ ଦେଖିଲା ଯେ ଚୁଲି ଲିଭି ଯାଇଛି, ମାଂସ ବି ଟିକିଏ ପୋଡ଼ିଯାଇଛି, ଦୁଧ ଗରମ ଥିଲା । ତାକୁ ଥଣ୍ଡା କରି ଗୋଟାଏ ତାଟିଆରେ ନେଇ ମାଳତୀଙ୍କୁ ଦେଲା । ମଇଳା ତାଟିଆ ଦେଖି ମାଳତୀ ମୁହଁ ମୋଡ଼ିଲେ ବି ଦୁଧତକ ପିଇଦେଲେ । ମେହେତା କୁଡ଼ିଆ ଦୁଆରେ ବସି ରୁଟି ଆଉ ମାଂସ ଖାଇଲେ । ଯୁବତୀଟି ପାଖରେ ଠିଆ ହୋଇ ବିଞ୍ଚି ଦେବାକୁ ଲାଗିଲା ।

 

ମାଳତୀ ପାଟିକରି ଯୁବତୀକୁ କହିଲେ–ସେ ଖାଉଥାନ୍ତୁ, ସେ ତ କୁଆଡ଼େ ପଳାଇଯାଉ ନାହାନ୍ତି, ତୁ ଯା ଆଗ ଗାଡ଼ି ନେଇଆ ।

 

ମାଳତୀଙ୍କ କଥା ଶୁଣିଲା ମାତ୍ରେ ସେ ଯୁବତୀ ଆଶ୍ଚର୍ଯ୍ୟ ହୋଇ ମନେ ମନେ ଭାବିଲା–କଥା କ’ଣ, ଏ ସ୍ତ୍ରୀ ଲୋକଟା କ’ଣ ଚାହୁଁଛି, ୟା’ର ମତଲବ କ’ଣ ? ମାଳତୀଙ୍କ ପ୍ରତି କୃତଜ୍ଞ କିମ୍ବା ନମ୍ର ନ ହୋଇ ମନେ ମନେ ତାର ଭାରି ରାଗ ଏବଂ ଅଭିମାନ ହେଲା । ବଣୁଆ ହେଲେ ବି ମାଳତୀଙ୍କ ମନକଥା ତାକୁ ଅଛପା ରହିଲା ନାହିଁ । ବିରକ୍ତ ହୋଇ ସେ କହିଲା–ମୁଁ କାହାରି ଚାକରାଣୀ ନୁହେଁ । ତମ ବଡ଼ଲୋକି ତମ ଘରେ ରଖିଦେଇଥା’ । ମୁଁ ତମ ଦୁଆରକୁ କେବେ ହାତ ପତାଇବାକୁ ଯାଉ ନାହିଁ । ମୁଁ ମଟରଗାଡ଼ି ପାଇଁ ଯିବି ନାହିଁ, ଯା ।

 

ମାଳତୀ ଖୁବ୍ ରଗଡ଼ି କରି କହିଲେ–କଣ ତୁ ତ ଭାରି ବଢ଼ି କରି କଥା କହୁଛୁ ? ଜାଣୁ କାହା ରାଜ୍ୟରେ ତୁ ଘର କରି ରହିଛୁ ?

 

‘ହଁ, ଖୁବ୍ ଜାଣେ, ରାୟସାହେବଙ୍କ ରାଜ୍ୟରେ ।’

 

‘ଜାଣୁ, ରାୟ ସାହେବଙ୍କ ହାତରେ ତତେ ବେତରେ ପିଟେଇକରି ସାରା କରିଦେବି ।’

 

‘ମତେ ମାରିଲେ ଯଦି ତମ ମନ ଖୁସୀ ହେବ, ତେବେ ମାର । ମୁଁ ତ କେଉଁ ରାଣୀ ମହାରାଣୀ ନୁହେଁ ଯେ ମୋତେ ମାରିବା ପାଇଁ ସିପାହୀ ସର୍ଦ୍ଦାର ଆସିବା ଦରକାର ହେବ ।’

 

ମେହେତା ଦି’ ଚାରି ଗୁଣ୍ଡା ଖାଇଛନ୍ତି କି ନାହିଁ ମାଳତୀଙ୍କ କଥା ଶୁଣି ତାଙ୍କ ହାତ ଅଟକି ଗଲା । ସଙ୍ଗେ ସଙ୍ଗେ ଧୋଇ ହୋଇପଡ଼ି ସେ କହିଲେ–ନାହିଁ, ସେ ଯିବା ଦରକାର ନାହିଁ, ମୁଁ ଯାଉଛି ।

 

ମାଳତୀ ଛିଡ଼ା ହୋଇପଡ଼ି କହିଲେ–ନାହିଁ, ତାକୁ ଯିବାକୁ ହେବ ।

 

ମେହେତା ଇଂରେଜିରେ କହିଲେ–ମାଳତୀ ଦେବୀ ! ଏ ସ୍ତ୍ରୀଲୋକକୁ ଅପମାନ ଦେଇ ତମର ମାନ ସମ୍ମାନ ବଢ଼ୁଛି ବୋଲି କେବେ ଭାବିବ ନାହିଁ ।

 

ମାଳତୀ ଖୁବ୍ ଚିଡ଼ିଯାଇ କହିଲେ–ହଁ, ଏହିଭଳି ମାଇକିନିଆଙ୍କୁ ତ ପୁରୁଷମାନେ ପସନ୍ଦ କରନ୍ତି, ଯାହାଙ୍କର ଆଉ କିଛି ଗୁଣ ଥାଉ ବା ନ ଥାଉ । ଯେଉଁମାନେ ଧାଇଁ ଧପଡ଼ି କାମ କରି ଦିଅନ୍ତି ଏବଂ ପୁରୁଷଙ୍କର ଗୋଲାମୀ କରି କୃତ୍ୟକୃତ୍ୟ ଅନୁଭବ କରନ୍ତି, ସେମିତିଆ ମାଇକିନିଆଁକୁ ପୁରୁଷମାନେ କହନ୍ତି ଦେବୀ । ମୁଁ ଅନ୍ତତଃ ଭାବିଥିଲି ତମଠି ଏ ପ୍ରକାର ଦୁର୍ବଳତା ନଥିବ । କିନ୍ତୁ ଯାହା ଦେଖିଲି ସବୁ ପୁରୁଷ ସମାନ । ତମେ ବି ଜଣେ କମ୍ ପାଜି ବର୍ବର ନୁହଁ !

 

ମେହେତା ମନୋବିଜ୍ଞାନରେ ମହାପଣ୍ଡିତ । ମାଳତୀଙ୍କର ମନକଥା ଜାଣିବା ତାଙ୍କ ପକ୍ଷରେ ଆଦୌ କଷ୍ଟକର ନୁହେଁ । ଈର୍ଷାର ଏପରି ଏକ ଅପୂର୍ବ ପ୍ରତିମୂର୍ତ୍ତି ସେ ଜୀବନରେ ଆଉ କେବେ ଦେଖି ନ ଥିଲେ । ଯେଉଁ ନାରୀ ବାହାରେ ଦେଖିବା ପାଇଁ ଏଡ଼େ ଉଦାର, ଏଡ଼େ ପ୍ରସନ୍ନ, ଏଡ଼େ କୋମଳ ତାର ଅନ୍ତରରେ ଏପରି ଅସାଧାରଣ ଈର୍ଷାଜ୍ଵାଳା ଥାଇପାରେ, ଏହି ତାର ପ୍ରଥମ ନିଦର୍ଶନ ।

 

ମେହେତା କହିଲେ–ତମେ ଯାହା କହ ପଛେ, ତାକୁ ଆଉ ପଠାଇବାକୁ ମୁଁ ଚାହେଁ ନାହିଁ-। ସେ ଆମର ଯେତେ ସେବା କରିଛି ଏବଂ ଆମ ପ୍ରତି ଯେତେ ଦୟା କରିଛି, ତାର କ’ଣ ଏହି ପୁରସ୍କାର ? ତା ପ୍ରତି ଏପରି ବ୍ୟବହାର କରି ମୁଁ ନିଜକୁ ଛୋଟ କରିବାକୁ ଚାହେଁନା ।

 

ମେହେତାଙ୍କ କଥାରେ ଏମିତି ଜୋର ଥିଲା ଯେ ମାଳତୀ ଶୁଣୁ ଶୁଣୁ ଉଠିକରି ଚାଲିଯିବାକୁ ବାହାରିଲେ । ରାଗରେ ନିଆଁ ହୋଇଯାଇ କହିଲେ–ଆଚ୍ଛା, ମୁଁ ନିଜେ ଯାଉଛି । ତମେ ତାଙ୍କ ପାଦପୂଜା କରି ପଛରେ ଆସ । ମାଳତୀ ଦି’ ଚାରି ପାଦ ଆଗେଇ ଯିବା ପରେ ମେହେତା ଯୁବତୀକୁ କହିଲେ–ଭଉଣୀ, ମତେ ବର୍ତ୍ତମାନ ଯିବାକୁ ଆଜ୍ଞା ଦିଅ ! ତମର ଏହି ସ୍ନେହ ଓ ନିସ୍ଵାର୍ଥ ସେବା ଜୀବନରେ କେବେହେଲେ ମୁଁ ଭୁଲି ପାରିବି ନାହିଁ ।

 

ଯୁବତୀର ଆଖି ଛଳ ଛଳ ହୋଇଗଲା । ସେ ନମସ୍କାର କରି କାନ୍ଦ କାନ୍ଦ ହୋଇ କୁଡ଼ିଆ ଭିତରକୁ ପଶିଗଲା ।

 

ଏଣେ ରାୟ ସାହେବ ଏବଂ ଖନ୍ନା ସାହେବଙ୍କର ଆଉ ଗୋଟାଏ ଦଳ । ରାୟ ସାହେବ ଲୁଗା କାମିଜ ପିନ୍ଧିକରି ଯାଇଥିଲେ କିନ୍ତୁ ଖନ୍ନା ସାହେବ ପ୍ୟାଣ୍ଟ୍ ସୁଟ୍ ପିନ୍ଧିକରି ଯାଇଥିଲେ । ବୋଧହୁଏ ସେଦିନ ଶିକାର କରି ଯିବାପାଇଁ ସେ ଏହି ପୋଷାକ ତିଆର କରାଇଥିଲେ । ଆଗରୁ କେବେ ସେ ଶିକାର କରି ଯାଉ ନଥିଲେ । ମଣିଷଙ୍କୁ ମାରି ଖାଇବାକୁ ତ ତାଙ୍କୁ ବେଳ ଅଣ୍ଟୁ ନଥିଲା, ଜନ୍ତୁ ମାରି ଖାଇବାକୁ ତାଙ୍କର ସମୟ କାହିଁ ! ଖନ୍ନା ସାହେବ ପତଳା ଏବଂ ବାଙ୍ଗର ହୋଇ ଜଣେ ଲୋକ । ଖୁବ୍ ଗୋରା ତକ ତକ, ଦେଖିବାକୁ ସୁନ୍ଦର । ମୁହଁରେ ଠାକୁରାଣୀ ଚିହ୍ନ । ପାଟି କିନ୍ତୁ ଖଣ୍ଡାଧାର ।

 

କିଛି ଦୂର ଯିବା ପରେ ଖନ୍ନା ସାହେବ ମେହେତାଙ୍କ କଥା ପକାଇଲେ, କାରଣ ତା ପୂର୍ବରାତି କଥାବାର୍ତ୍ତାରୁ ସେ ମେହେତାଙ୍କ ଉପରେ ଭାରି ବିଗିଡ଼ିଥିଲେ । କହିଲେ–ଦେଖୁଛି, ଏ ମେହେତା ଜଣେ ବିଚିତ୍ର ଧରଣର ଲୋକ । ଲୋକଟାର ଚାଲିଚଳନ, ଢଙ୍ଗଢ଼ାଙ୍ଗ ବଡ଼ କୃତ୍ରିମ ମନେହେଉଛି ।

 

ରାୟ ସାହେବ ଭାବନ୍ତି ଯେ ମେହେତା ଜଣେ ସଚ୍ଚୋଟ ଏବଂ ସରଳ–ହୃଦୟ ଲୋକ । କିନ୍ତୁ ଖନ୍ନାଙ୍କ ଆଗରେ ସତକଥା କହିବାକୁ ସେ ରାଜି ନୁହନ୍ତି । ଏକେ ତ ସେ ଦୁର୍ବଳ ସ୍ଵଭାବର ଲୋକ, ତା’ ଛଡ଼ା ଖନ୍ନାଙ୍କ ସହିତ ଟଙ୍କା ପଇସା ଦିଆନିଆ କାରବାର । ସେଥିପାଇଁ ଖନ୍ନାଙ୍କ କଥାର ପ୍ରତିବାଦ ନ କରି ସେ କହିଲେ–ମୁଁ ଖାଲି ମନ ଖୁସି କରିବା ପାଇଁ କେତେବେଳେ କେମିତି ତାଙ୍କ ସଙ୍ଗେ କଥାବାର୍ତ୍ତା କରେ, କିନ୍ତୁ ଯୁକ୍ତିତର୍କ କରେ ନାହିଁ । ଯେଉଁ ଲୋକ ସଂସାରୀ ନୁହେଁ, ସଂସାର ବିଷୟରେ ସେ ବଡ଼ ବଡ଼ କଥା କହିଲେ ତମେ ହସିବ ନା ଆଉ କ’ଣ କରିବ ? ଯେଉଁ ଲୋକ ହଜାରେ ଟଙ୍କା ପାଉଛି କିନ୍ତୁ ଯାର ଘର ଚିନ୍ତା କିମ୍ବା ପୁଅ ମାଇପ ଚିନ୍ତା ନାହିଁ, ସେମିତିଆ ଲୋକ ଦର୍ଶନ ବଖାଣିବ ନାହିଁ ତ ଆଉ ବଖାଣିବ କିଏ ? ଯେଉଁ ଲୋକ ଏକା ରହି କେବଳ ଆପଣା ପେଟ ଚିହ୍ନି ମଉଜ ମଜଲିସ୍ କରିବା ପାଇଁ ତିଆର, ସେମିତିଆ ଲୋକଙ୍କ ସଙ୍ଗେ ଯୁକ୍ତି କରି ଲାଭ କ’ଣ ?

 

‘ଶୁଣୁଛି, ତାଙ୍କ ଚରିତ୍ର ଭଲ ନୁହେଁ ବୋଲି !’

 

‘ବେପରୁଆ ଲୋକର ଚରିତ୍ର ଠିକ୍ ରହିବ କଣ ? ଯେ ସିନା ସମାଜ ଭିତରେ ରହି ସମାଜର ଆଇନ୍ କାନୁନ୍ ମାନି ଚଳିବ, ତାର ସିନା ଚରିତ୍ର କଥା ଜଣାପଡ଼ିବ ।’

 

‘ମାଳତୀ ଦେବୀ ତାଙ୍କଠି କ’ଣ ଦେଖି ଏମିତି ରସିଯାଇଛନ୍ତି କେଜାଣି ?’

 

‘ମୁଁ ଭାବୁଛି, ସେ ଖାଲି ଆପଣଙ୍କୁ ଚିଡ଼େଇବା ପାଇଁ ଏମିତି କରୁଛନ୍ତି ।’

 

‘ମୋତେ କ’ଣ ସେ ଚିଡ଼େଇବ ! ମୁଁ ତ ତାଙ୍କୁ କେବେ ଜଣେ ସ୍ତ୍ରୀଲୋକ ବୋଲି ଭାବେ ନାହିଁ, ମୁଁ କହେ ସେ ଗୋଟାଏ ଖେଳନା ।’

 

‘ସେକଥା କହିଲେ ଚଳିବ ନାହିଁ, ମାଳତୀଙ୍କ ପାଇଁ ପରା ଆପଣଙ୍କ ଜୀବନ ଯାଉଛି ଆସୁଛି !’

 

‘ସେକଥା କହିବାକୁ ଗଲେ ତ ଆପଣ ବି ତାଙ୍କ ପାଇଁ ଝୁରି ମରୁଛନ୍ତି ।’

 

‘ମୁଁ ତ ତାଙ୍କୁ ଖେଳନା ବୋଲି ଭାବେ, ଆପଣ ସିନା ତାଙ୍କୁ ଦେବୀ ବୋଲି ଭାବନ୍ତି !’ ଏକଥା କହି ବିନା କାରଣରେ ଖନ୍ନା ଖୁବ୍ ପାଟିକରି ହସିଲେ ।

 

‘ହଁ, ଢାଳେ ପାଣି ଚଢ଼େଇ ଦେଲେ ଯଦି ବର ମିଳିଯିବ, ତେବେ କ୍ଷତି କ’ଣ ?’

 

ଏତିକି କହି ରାୟ ସାହେବ ବି ବିନା କାରଣରେ ଗୁଡ଼ାଏ ହସିଲେ ।

 

ତା’ ହେଲେ ଆପଣ ସେ ଦେବୀଙ୍କୁ ଚିହ୍ନି ନାହାନ୍ତି ! ଆପଣ ତାଙ୍କୁ ଯେତିକି ଆପଣାର କରିବାକୁ ଚାହିଁବେ, ସେ ସେତିକି ଆପଣଙ୍କଠୁ ଦୂରକୁ ଚାଲିଯିବେ; କିନ୍ତୁ ଆପଣ ଯେତିକି କରଛଡ଼ା ଦେଇ ଘୁଞ୍ଚିଯିବେ, ସେ ସେତିକି ଲାଗିଆସିବେ ।’

 

‘ତା’ ହେଲେ ତ ସେ ଆପଣଙ୍କ ଆଡ଼କୁ ଦୌଡ଼ିବା କଥା !’

 

‘ମୋ ଆଡ଼କୁ ! ଅସମ୍ଭବ, କାରଣ ରସିକମାନଙ୍କ ଭିତରେ ମୋର ସ୍ଥାନ ନାହିଁ । ମୋଠି ଯେତକ ବୁଦ୍ଧିବୃତ୍ତି ଅଛି, ମୁଁ କେବଳ ଏହି ଜମିଦାରୀ ଚଳାଇବାରେ ତାକୁ ଖର୍ଚ୍ଚ କରେ । ଘରେ ଯେତେ ପ୍ରାଣୀ ଅଛନ୍ତି, କିଏ କେଉଁ ଚିନ୍ତାରେ ମସ୍ତ ଥା’ନ୍ତି ତାର ଠିକଣା ନାହିଁ; କିଏ ଓଷା ଉପାସନାରେ ତ କିଏ ବିଷୟ ବାସନାରେ, କିନ୍ତୁ ସେହିସବୁ ଅଳସୁଆ ଅଜଗରଙ୍କୁ ପୋଷିବା କାମ ହେଉଛି ମୋ’ର । ମୋ ଭଳିଆ ଜମିଦାର ବି ଖୁବ୍ ଭୋଗବିଳାସରେ ମାତିଛନ୍ତି । କିନ୍ତୁ ସେମାନଙ୍କର ଅବସ୍ଥା ବାରଗଣ୍ଡା ଦି’କଡ଼ା । ପରଠୁ ଟଙ୍କା ପଇସା ଖାଇ ଅସ୍ତବ୍ୟସ୍ତ; କେତେବେଳେ ଡିକ୍ରୀଜାରୀ, ଯୁଆଡ଼େ ଶୁଣିବ ଖାଲି ବଦନାମ । ଏମିତି ବଞ୍ଚିବା ଅପେକ୍ଷା ମରିବାକୁ ମୁଁ ବେଶି ପସନ୍ଦ କରେ । ଭଗବାନ ଜାଣନ୍ତି କେମିତି ମୁଁ ଏ ଜମିଦାରୀ ବନ୍ଧନରେ ବାନ୍ଧିହୋଇ ପଡ଼ିଛି । ସତ୍ୟାଗ୍ରହ ଆନ୍ଦୋଳନ ବେଳେ ଏହି ଦେଶର ହଜାର ହଜାର ଜମିଦାର ମଦମାଂସରେ ମସ୍ତ ହୋଇ ରହିଥିଲେ-। ମାତ୍ର ମୁଁ ସହି ନପାରି ଆନ୍ଦୋଳନ ଭିତରକୁ ଡେଇଁପଡ଼ିଲି । ଲକ୍ଷ ଲକ୍ଷ ଟଙ୍କା ମୋର କ୍ଷତି ହୋଇଗଲା । ଆଜିପର୍ଯ୍ୟନ୍ତ ବି ସେ କଷ୍ଟ ମୋର ସରି ନାହିଁ । କିନ୍ତୁ ସେଥିପାଇଁ ମୋ ମନରେ ଏତେଟିକେ ଦୁ଼ଃଖ ନାହିଁ, ବରଂ ମୁଁ ସେଥିପାଇଁ ଗର୍ବ ଅନୁଭବ କରେ । ଯେଉଁ ଲୋକ ଦେଶ ପାଇଁ ଏବଂ ଜାତି ପାଇଁ ସ୍ଵାର୍ଥ ତ୍ୟାଗ ନ କରେ, ଆତ୍ମବଳୀ ନ ଦିଏ, ସେପରି ଲୋକକୁ ମୁଁ କେବେହେଲେ ମନୁଷ୍ୟ ବୋଲି ଭାବେ ନାହିଁ । ଗରିବ ପ୍ରଜାଙ୍କୁ ମାରି ତାଙ୍କରି ପଇସାରେ ଭାଇବନ୍ଧୁଙ୍କର ଭୋଗବିଳାସ ଯୋଗାଡ଼ କରିବା କ’ଣ ମତେ ଭଲ ଲାଗୁଛି ? କେବେ ନୁହେଁ । କିନ୍ତୁ କସୁର କାହିଁକି-? କାରଣ ମଣିଷ ଯେମିତି ଭାବରେ ବଢ଼ି ଆସିଛି, ସେହି ଅଭ୍ୟାସ ଛାଡ଼ି ହେଉ ନାହିଁ, କିମ୍ବା ଯେଉଁ ମାନସମ୍ମାନ ଟିକକ ଅଛି ତାକୁ ବୁଡ଼ାଇ ଦେବାକୁ ମନ ବଳୁନାହିଁ । ମୋ ଭଳିଆ ଲୋକ ମାଳତୀ କାହିଁକି, କୌଣସି ସ୍ତ୍ରୀ ପଛରେ ବି ଗୋଡ଼ାଇବା ଅସମ୍ଭବ । ଯଦି କେବେ ଗୋଡ଼ାଏ, ତେବେ ସର୍ବନାଶ ହେଲା ବୋଲି ଜାଣିବ । ହଁ, ଅବଶ୍ୟ ମନ ଖୁସୀ କରିବା ପାଇଁ କାହା ସଙ୍ଗେ ମିଳାମିଶା କରିବା ଭିନ୍ନ କଥା ।’

 

ଖନ୍ନା ସାହେବ ବି କମ୍ ସାହସୀ ନୁହନ୍ତି । ସେ ମଧ୍ୟ ଦି’ଥରଖଣ୍ଡେ ଜେଲ ଯାଇଥିଲେ । କାହାକୁ ଡରିବା ତାଙ୍କ ଜାତକରେ ନାହିଁ । ସେ ଖଦଡ଼ ପିନ୍ଧନ୍ତି ନାହିଁ, ବରଂ ଫ୍ରାନ୍ସରୁ ଆଣି ଦାମିକା ମଦ ପିଅନ୍ତି । ଜେଲରେ ଅବଶ୍ୟ ମଦ ପିଇବାକୁ ପାଉ ନଥିଲେ । କିନ୍ତୁ ପ୍ରଥମ ଶ୍ରେଣୀରେ ରହି ମଧ୍ୟ ତୃତୀୟ ଶ୍ରେଣୀ ବନ୍ଦିମାନଙ୍କର ଖାନା ଖାଇବାକୁ ସେ ପସନ୍ଦ କରୁଥିଲେ । ଗାଡ଼ି ଚାଲିବା ପାଇଁ ତେଲ ଯେମିତି ଦରକାର, ତାଙ୍କ ରୁକ୍ଷ ଜୀବନକୁ ବଞ୍ଚାଇବା ପାଇଁ ରସିକତା ବି ଟିକିଏ ସିମିତି ଦରକାର । ରାୟସାହେବଙ୍କ କଥା ଶୁଣି ସେ କହିଲେ–ଆପଣ ସନ୍ନ୍ୟାସୀ ହୋଇ ପାରନ୍ତି, ମୁଁ କିନ୍ତୁ ସନ୍ନ୍ୟାସୀ ହେବାକୁ ଚାହେଁ ନାହିଁ । ମୁଁ ଭାବେ ଯେଉଁ ଲୋକ ଜୀବନକୁ ପୂର୍ଣ୍ଣ ଭାବରେ ଉପଭୋଗ କରି ଜାଣେ ନାହିଁ, ସେହି ଲୋକ ଯୁଦ୍ଧକ୍ଷେତ୍ରରେ ପୂର୍ଣ୍ଣପ୍ରାଣରେ ଲଢ଼ାଇ ବି କରିପାରେ ନାହିଁ । ନାରୀକୁ ଯେଉଁ ଲୋକ ପ୍ରେମ କରିପାରେ ନାହିଁ, ଦେଶବାସୀଙ୍କୁ ସେ ପ୍ରେମ କରିପାରିବ, ଏ ବିଶ୍ଵାସ ମୋର ନାହିଁ ।

 

ରାୟ ସାହେବ ଟିକିଏ ହସିଦେଇ କହିଲେ–ଆପଣ ତା’ ହେଲେ ମୋ’ରି ଉପରେ ଚଢ଼ାଉ କରିବା ପାଇଁ ବାହାରିଛନ୍ତି ।

 

‘ଚଢ଼ାଉ କ’ଣ, ସଂସାର କଥା କହୁଛି ନା ।’

 

‘ହଁ, ହେଲେ ହୋଇପାରେ ।’

 

‘ଆପଣ ଯଦି ମନେ ମନେ ଟିକିଏ ଚିନ୍ତା କରିବେ, ତେବେ ଜାଣିପାରିବେ ।’

 

‘ମୁଁ ଖୁବ୍ ଭଲକରି ଦେଖିଛି, ସେଥିରେ ଆଉ ଯାହା ଖରାପ ଥାଉପଛେ ବିଷୟଲାଳସା ଆଦୌ ନାହିଁ ।

 

‘ଆପଣଙ୍କ କଥା ଶୁଣି ଆପଣଙ୍କପ୍ରତି ମୋର ଦୟା ହେଉଛି । ଆପଣ ଯେ ଏତେ ଦୁଃଖୀ, ଏତେ ଚିନ୍ତିତ ତାର ଏକମାତ୍ର କାରଣ ହେଉଛି ଆପଣ ନିଜ ପ୍ରତି ନିଜେ କଠୋର ହୋଇପଡ଼ିଛନ୍ତି । ଭଲ ହେଉ କି ମନ୍ଦ ହେଉ, ମୁଁ ଏହି ପ୍ରକାର ନାଟ ଲଗାଇଥିବି । ମାଳତୀ ଦେଖାଇବାକୁ ଚାହାନ୍ତି ଯେ ସେ ମୋତେ ଖାତର କରନ୍ତି ନାହିଁ । କିନ୍ତୁ ମୁଁ ବି ଛାଡ଼ିବା ଲୋକ ନୁହେଁ-। ଏପର୍ଯ୍ୟନ୍ତ ବି ମୁଁ ତାଙ୍କର ମିଜାଜ୍ ବୁଝିପାରି ନାହିଁ କିମ୍ବା କେମିତି ସେ ପାଲରେ ପଡ଼ିବ ସେ କଥା ଜାଣି ନାହିଁ ।’

 

‘ଆପଣଙ୍କୁ ସେ ସୂତ୍ରଟି ମିଳିବ କି ନାହିଁ ସନ୍ଦେହ । ଯେତେଦୂର ସମ୍ଭବ ମେହେତା ଆପଣଙ୍କଠାରୁ ମାରି ନେଇଯିବେ ।’

 

କେତେଗୁଡ଼ିଏ କଳା ହରିଣ ହରିଣୀ ଚରୁଥିବାର ଦେଖାଯିବାରୁ ରାୟ ସାହେବ ମାରିବା ପାଇଁ ତିଆର ହୋଇଗଲେ । ଖନ୍ନା କହିଲେ–ଜୀବହତ୍ୟା କରି ଲାଭ କ’ଣ ? ଭାରି ଖରା ହେଲାଣି, ଚାଲ ଯିବା କେଉଁଠି ଛାଇରେ ବସିବା । ଆପଣଙ୍କୁ ମୋର କେତେକ କଥା କହିବାର ଅଛି ।

 

ରାୟ ସାହେବ ବନ୍ଧୁକ ମାରିଲେ, କିନ୍ତୁ ବାଜିଲା ନାହିଁ, ହରିଣ ସବୁ ପଳାଇଲେ । କହିଲେ–ଏତେବେଳେକେ ଗୋଟାଏ ଶିକାର ମିଳିଥିଲା ଯେ ବୃଥା ଗଲା ।

 

‘ଆପଣ ଜୀବହତ୍ୟାରୁ ତ ରକ୍ଷା ପାଇଲେ !’

 

‘ଆଚ୍ଛା, ଆପଣ କ’ଣ କହିବେ ବୋଲି କହୁଥିଲେ କହନ୍ତୁ ।’

 

‘ଆପଣଙ୍କ ଇଲାକାରେ ଆଖୁ ହେଉଛି ?’

 

‘ଯେତେ ଇଚ୍ଛା !’

 

‘ତେବେ ଆପଣ କାହିଁକି ଆମ ଚିନିକଳରେ ଭାଗିଦାରୀ ହେଉ ନାହାନ୍ତି ? ଆଜିକାଲି ଅଂଶ ଖୁବ୍ ଜୋରରେ ବିକ୍ରୀ ଚାଲିଛି । ବେଶି ନାହିଁ ଆପଣ ହଜାରଟା ଅଂଶ କିଣି ନିଅନ୍ତୁ ।’

‘ଆଚ୍ଛାକଥା ଆପଣ କହୁଛନ୍ତି, ମୁଁ ଏତେ ଟଙ୍କା କେଉଁଠୁ ପାଇବି ?’

‘ଆପଣ ହେଉଛନ୍ତି ଏଡ଼େ ବଡ଼ ଜମିଦାର, ଆପଣଙ୍କର ପୁଣି ପଇସା ଅଭାବ ! ମୋଟେ ତ ହେଉଛି ପଚାଶ ହଜାରର ମାମଲା, ସେଥିରେ ପୁଣି ବର୍ତ୍ତମାନ ମୋଟେ ଶତକଡ଼ା ପଚିଶ ଦେବାକୁ ହେବ ।’

‘ନାହିଁ ଭାଇସାହେବ, ସେ କଥା ହୋଇପାରିବ ନାହିଁ, ମୋ ପାଖେ ବର୍ତ୍ତମାନ ଫଟା ପାହୁଲାଟାଏ ବି ନାହିଁ ।’

‘ଟଙ୍କା ନାହିଁ ତ, ଆମ ବ୍ୟାଙ୍କରୁ ନିଅନ୍ତୁ । ବ୍ୟାଙ୍କ୍ ତ ଆପଣଙ୍କର ! ଆପଣ ବୋଧହୁଏ ଜୀବନବୀମା କରି ନାହାନ୍ତି ? ଆମ କମ୍ପାନୀରୁ ଗୋଟାଏ ଆଚ୍ଛା ବୀମା କରାଇ ନିଅନ୍ତୁ । ଆପଣ ତ ଖୁସୀରେ ମାସକୁ ଶହେ ଦି’ଶହ ଟଙ୍କା ଦେଇ ପାରିବେ । ପାଇଲାବେଳକୁ ଏକାବେଳକେ ଚାଳିଶ ପଚାଶ ହଜାର ଟଙ୍କା ପାଇବେ । ପିଲାପିଲିଙ୍କ ପାଇଁ ୟାଠୁ ଭଲ ବ୍ୟବସ୍ଥା ଆଉ କ’ଣ ଅଛି ? ଆମ କମ୍ପାନୀର ନିୟମାବଳୀ ଦେଖି ନିଅନ୍ତୁ । କମ୍ପାନୀର ଚାକରବାକରଙ୍କ ଦରମା ଛାଡ଼ିଦେଲେ ଗୋଟାଏ ପଇସା ଆମେ ଅଧିକା ନେଉନୁ । ଯେଉଁମାନେ ଆଜି କୋଟିପତି ହୋଇ ବସିଛନ୍ତି, ସେମାନେ ଖାଲି ସ୍ପେକୁଲେସନ୍ ଯୋଗୁ ନା ଆଉ କ’ଣ ? ତୁଳା, ଚିନି, ଗହମ, ରବର ସବୁ ଜିନିଷରେ ସେମାନେ କାରବାର କରି ମିନିଟକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଅବଶ୍ୟ ଟିକିଏ ନଟଖଟିଆ କାମ । ବୋକାଗୁଡ଼ା କେବଳ ସେଥିରେ ହପା ଖାଇଯାନ୍ତି । କିନ୍ତୁ ଆପଣଙ୍କ ପରି ଅନୁଭବୀ, ବୁଦ୍ଧିମାନ ଲୋକଙ୍କ ପାଇଁ ତା’ଠୁ ଆଉ ଭଲ କାମ କିଛି ନାହିଁ । ବଜାର ଭାଉ ବଢ଼ିବା ଛିଡ଼ିବା ତ କିଛି ଆକସ୍ମିକ ଘଟଣା ନୁହେଁ, ସେଟା ବି ବିଜ୍ଞାନ ଅନୁସାରେ ହେଉଛି । ଥରେ ଯଦି ଆପଣ ସୂତ୍ର ପାଇଗଲେ, ତେବେ ଆଉ କିଛି ଭାବିବାର ନାହିଁ ।’

ରାୟ ସାହେବଙ୍କର କମ୍ପାନୀମାନଙ୍କଠାରେ ମୋଟେ ବିଶ୍ୱାସ ନଥାଏ । କାରଣ ଥରେ ଦି’ଥର କମ୍ପାନୀଠାରୁ ସେ ଖୁବ୍ ଧକ୍କା ଖାଇଛନ୍ତି । କିନ୍ତୁ ଏବେ ଯାହା ଦେଖୁଛନ୍ତି ତାଙ୍କରି ଆଗରେ ଖନ୍ନା ସାହେବ ବଢ଼ି ଚାଲିଛନ୍ତି । କାଲିକି କାଲି ସେ ବ୍ୟାଙ୍କରେ କିରାଣୀ ଥିଲେ, ଅଥଚ ନିଜ ଅଧ୍ୟବସାୟ ବଳରେ ଆଜି ସେ ସହର ଭିତରେ ପୂଜା ପାଉଛନ୍ତି । ତେଣୁ ଖନ୍ନାଙ୍କ କଥାକୁ ଆଡ଼େଇ ଦେବା ଏଡ଼େ ସହଜ ନୁହେଁ । ହୁଏତ ଖନ୍ନା ଯଦି ପ୍ରକୃତ ରାସ୍ତା ଦେଖାଇ ପାରିବେ, ତେବେ ଲାଭ ନିଶ୍ଚୟ ହେବ । ଏମିତି ସୁବିଧା ଛାଡ଼ିବା ଉଚିତ ନୁହେଁ ଭାବି ରାୟ ସାହେବ ଖୋଳିତାଡ଼ି ନାନା ପ୍ରକାର ପ୍ରଶ୍ନ ପଚାରିଲେ ।

ଏତିକିବେଳକୁ ଜଣେ ଗାଉଁଲୀ ଲୋକ ଗୋଟେ ଟୋପିରେ କିଛି ଚେର, ମୂଳ ଇତ୍ୟାଦି ନେଇ ଯାଉଥିବାର ଦେଖି ଖନ୍ନା ପଚାରିଲେ–ଆରେ କ’ଣ ନେଉଛୁରେ ?

ଗାଉଁଲୀ ବିଚାରା ଡରିଗଲା । ଭାବିଲା, କାଳେ କିଏ ତାକୁ ବେଠି କରିବା ପାଇଁ ଧରିନେବ । ତା’ ପରେ କହିଲା–ନାହିଁ ଆଜ୍ଞା, କିଛି ନାହିଁ । ଖାଲି ଘାସ ପତ୍ର ଦି’ଟା ।

‘କ’ଣ କରିବୁ ସେଗୁଡ଼ା ?’

‘ବିକ୍ରୀ କରିବି, ଔଷଧପତ୍ର ହେବ ।’

‘କ’ଣ କ’ଣ ଔଷଧ ଅଛି ଦେଖି ?’

ଗାଉଁଲୀ ଲୋକଟା ତା ଔଷଧପତ୍ର ଟୋପି ଖାଲି ବସିଲା । ସେଥିରେ ଏମିତିଆ ମାମୁଲି ଜିନିଷ ସବୁ ଥିଲା ଯାହାକୁ ଜଙ୍ଗଲୀ ଲୋକେ ଖୋଜି ନେଇ ସହର ବଜାରରେ ଦି’ଚାରି ଅଣାରେ ବିକି ଦିଅନ୍ତି । ସେଥିରେ ଧୁତୁରା ମଞ୍ଜି, ମନ୍ଦାର, କରଞ୍ଜ ପ୍ରଭୃତି ନାନାପ୍ରକାର ଜିନିଷ ଗୋଟି ଗୋଟି କରି ଦେଖାଇ ଗାଇଲା ପରି ତା’ର ଗୁଣ ସବୁ କହିଗଲା ।

 

ଖନ୍ନା ଦାମ୍ ପଚାରିବାରୁ ସେ ଆଠଣା କହିଲା । କିନ୍ତୁ ସେ ଟଙ୍କାଟାଏ କାଢ଼ି ଫିଙ୍ଗି ଔଷଧକୁ ନେଇ ତାଙ୍କ କାରରେ ରଖିଦେଇ ଆସିବାକୁ କହିଲେ । ବିଚାରା ଯେତିକି ମାଗିଥିଲା, ତାର ଦି’ଗୁଣା ପାଇ ଆଶୀର୍ବାଦ କରି ଚାଲିଗଲା ।

 

ରାୟ ସାହେବ ପଚାରିଲେ–ଆପଣ ଏଇ ଘାସପତ୍ରଗୁଡ଼ା ନେଇ କ’ଣ କରିବେ ?

 

ଖନ୍ନା ସାହେବ ହସି ହସି କହିଲେ–ଏଥିରେ ସୁନା ମୋହର ତିଆର ହେବ । ମୁଁ କିମିଆ ଜାଣେ ବୋଲି ଆପଣ ବୋଧହୁଏ ଜାଣନ୍ତି ନାହିଁ ?

 

‘କିମିୟା ଯଦି ଜାଣନ୍ତି ମତେ ତା’ ହେଲେ ଟିକିଏ ଶିଖାଇ ଦିଅନ୍ତୁ !’

 

‘ହଁ, ଖୁସିରେ ଶିଖାଇ ଦେବି, ଆପଣ ଆଗ ମୋର ଶିଷ୍ୟ ହୁଅନ୍ତୁ । ସେରେ ଦେଢ଼ସେରେ ମିଠାଇ ଖୁଆନ୍ତୁ, ତେବେ ସିନା ବତାଇବି । ଆମ ଭିତରେ କେତେ ପ୍ରକାର ଲୋକ ଅଛନ୍ତି । ଏମିତିଆ ଲୋକ ଅଛନ୍ତି, ଯଦି ତମେ ତାଙ୍କୁ ଖାଲି କହିଦେବ ଏହି ଔଷଧ ଜଣେ ସନ୍ନ୍ୟାସୀ ଦେଇଛନ୍ତି, ତେବେ ସେ ପାଦତଳେ ପଡ଼ି ନେଇଯିବେ ଆଉ ସାରା ଜୀବନ ତମ ପାଖରେ ଋଣୀ ହୋଇ ରହିବେ । ଯଦି ଟଙ୍କାକର ଜିନିଷର ଦଶ ପନ୍ଦର ଜଣକୁ ତମେ ହାତେଇ ପାରିଲ କ୍ଷତି କ’ଣ-? ଛୋଟ ଛୋଟ ଲୋକଙ୍କ ହାତରେ ବି ଖୁବ୍ ବଡ଼ ବଡ଼ କାମ ହୋଇପାରେ ।

 

ରାୟ ସାହେବ କୌତୁହଳୀ ହୋଇ ପଚାରିଲେ–କିନ୍ତୁ ଏସବୁ ଔଷଧର ଗୁଣ ଆପଣ ମନେରଖିବେ କେମିତି ?

 

ଖନ୍ନା ସାହେବ ହେଁ ହେଁ ହୋଇ ହସିଉଠିଲେ,–ଆଚ୍ଛାକଥା ଆପଣ କହୁଛନ୍ତି ରାୟ ସାହେବ ! ଯାହା ମନକୁ ପାଇବ, ବତେଇ ଦେବେ । ସେଥିରେ କ’ଣ ଅଛି ? ସେଟା ଆପଣଙ୍କ ଚଲାକୀ ଉପରେ ନିର୍ଭର କରେ । ଲୋକଙ୍କର ତ ଅଧାରୋଗ ଭଲ ହୋଇଯାଏ କେବଳ ବିଶ୍ଵାସ ଉପରେ । ଆପଣ ଯେଉଁ ବଡ଼ ବଡ଼ ଅଫିସର, ଜ୍ଞାନୀ ଏବଂ ଧନୀ ଲୋକଙ୍କୁ ସବୁ ଦେଖୁଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ଅନ୍ଧବିଶ୍ଵାସୀ । ମୁଁ ତ ଏମିତି ଜଣେ ବଟାନି ପ୍ରଫେସରଙ୍କୁ ଜାଣେ, ଏସବୁ ଚେରମୂଳର ନାଁ ପର୍ଯ୍ୟନ୍ତ ଜାଣନ୍ତି ନାହିଁ । ଆମ ଗୁରୁଜୀ ତାଙ୍କୁ ଖୁବ୍ ଥଟ୍ଟା ପରିହାସ କରନ୍ତି । ଆପଣ ବୋଧହୁଏ ଆମ ଗୁରୁଙ୍କୁ ଦେଖି ନାହାନ୍ତି ! ଏଥର ଗଲେ ମୁଁ ତାଙ୍କୁ ଚିହ୍ନା କରାଇ ଦେବି । ଯେଉଁଦିନୁ ସେ ଆମ ବଗିଚାରେ ରହିଲେଣି, ସେ ଦିନୁ ଲୋକଙ୍କର ଏକ ଧାର ଲାଗିଛି । ସଂସାର ମାୟା ତ ତାଙ୍କୁ ଛୁଇଁ ନାହିଁ । ଦିନକେ ଥରେ ମାତ୍ର ସେ ଦୁଧ ପିଇକରି ବଞ୍ଚନ୍ତି । ତାଙ୍କ ପରି ବିଦ୍ଵାନ ମୁଁ ଆଜିଯାଏ କେଉଁଠି ଦେଖି ନାହିଁ । କେତେକାଳ ସେ ହିମାଳୟରେ ରହି ସିଦ୍ଧପୁରଷ ହୋଇଛନ୍ତି ତା ମୁଁ ଜାଣେ ନାହିଁ । ଆପଣ ତାଙ୍କଠାରୁ ଦୀକ୍ଷା ନିଅନ୍ତୁ, ଭଲ ହେବ । ମୋର ଧାରଣା ଦୀକ୍ଷା ନେବା ପରେ ଆପଣଙ୍କର ସବୁ ଦୁଃଖ କଷ୍ଟ କୁଆଡ଼େ ଉଡ଼ିଯିବ । ଦେଖିଲା ମାତ୍ରେ ଆପଣଙ୍କୁ ସେ ସବୁ ଆଗ ପଛ କଥା କହି ଦେଇଯିବେ । ଏମିତି ପ୍ରସନ୍ନ ମୁହାଁ ଲୋକ ଯେ ଦେଖିଲା ମାତ୍ରେ ମନ ଖୁସୀ ହୋଇଯିବ । କିନ୍ତୁ ଆଶ୍ଚର୍ଯ୍ୟ କଥା ସେ ଏଡ଼େ ବଡ଼ ମହାତ୍ମା, ଅଥଚ ଜାତି, ସମ୍ପ୍ରଦାୟ, ମତ, ସନ୍ନ୍ୟାସ କୌଣସିଥିରେ ସେ ବିଶ୍ଵାସ କରନ୍ତି ନାହିଁ । ସେ କହନ୍ତି ଭଣ୍ତାମି ଛାଡ଼, ନିଜକୁ ଦେବତା ନ କହି ମନୁଷ୍ୟ ବୋଲି କହ । ଦେବତା ହୋଇ କାହାରି ମନୁଷ୍ୟତା ରହିପାରେ ନାହିଁ ।

 

ଏକଥା ଶୁଣି ରାୟ ସାହେବଙ୍କ ମନରେ ଟିକିଏ ସନ୍ଦେହ ହେଲା । ତାଙ୍କର ବିଶ୍ଵାସ ଥିଲା ଯେ ସଂସାର ତ୍ୟାଗ କରି ମହାତ୍ମାମାନେ ମହାତ୍ମା ହୋଇଥାନ୍ତି । ସେ ବି ନିଜେ ବେଳେବେଳେ ଆର୍ଥିକ ସଂକଟରେ ପଡ଼ି ଭାବନ୍ତି ଯେ ସଂସାର ଛାଡ଼ିଦେଇ ଏକା ବସି ମୁକ୍ତି ଚିନ୍ତା କରିବାରେ ଆନନ୍ଦ ଅଛି । ସଂସାର ବନ୍ଧନକୁ ସେ ମଧ୍ୟ ମୁକ୍ତ ପଥର ପ୍ରତିବନ୍ଧକ ବୋଲି ମନେ କରନ୍ତି । ଏହି ସବୁ ବନ୍ଧନରୁ ଦୂରରେ ରହିବାକୁ ସେ ନିଜର ଆଦର୍ଶ ରୂପେ ଗ୍ରହଣ କରିଥାନ୍ତି । କିନ୍ତ ସଂସାର ବନ୍ଧନକୁ ତ୍ୟାଗ କରିବା ପାଇଁ ସନ୍ୟାସ ଛଡ଼ା ଅନ୍ୟ କୌଣସି ଉପାୟ ସେ ଜାଣନ୍ତି ନାହିଁ । ତେଣୁ ସେ ପଚାରିଲେ–ସନ୍ନ୍ୟାସକୁ ଯଦି ସେ ଲୋକଦେଖାଣ ବୋଲି ଭାବନ୍ତି, ତେବେ ସେ ନିଜେ ସନ୍ନ୍ୟାସ ଗ୍ରହଣ କରିଛନ୍ତି କେମିତି ?

 

‘ସେ ସନ୍ନ୍ୟାସ ଗ୍ରହଣ କରିଛନ୍ତି ବୋଲି ଆପଣଙ୍କୁ କିଏ କହିଲା ? ସେ ତ କହନ୍ତି ଲୋକ ମଲା ପର୍ଯ୍ୟନ୍ତ କାମ କରିବା ଉଚିତ । ବିଚାର–ସ୍ଵାତନ୍ତ୍ର ହେଉଛି ତାଙ୍କ ଉପଦେଶର ମୂଳମନ୍ତ୍ର ।’

 

‘ମୁଁ ତ ଏଥିରୁ କିଛି ବୁଝିପାରୁ ନାହିଁ, ବିଚାର–ସ୍ଵାତନ୍ତ୍ରର ମାନେ କ’ଣ ?’

 

‘ମୁଁ ବି କିଛି ବୁଝିପାରୁ ନାହିଁ, ଆପଣ ଆସନ୍ତୁ, ତାଙ୍କ ସଙ୍ଗେ ଦିନେ କଥାବାର୍ତ୍ତା କରିବା । ସେ ପ୍ରେମକୁ ଜୀବନର ପରମ ସତ୍ୟ ବୋଲି କହନ୍ତି ଏବଂ ଏହି କଥାକୁ ଏମିତି ସୁନ୍ଦର ଭାବରେ ବୁଝାନ୍ତି ଯେ ଶୁଣିଲେ ମନ ଛାଡ଼ିବ ନାହିଁ ?’

 

‘ମିସ୍ ମାଳତୀଙ୍କୁ ତାଙ୍କ ସଙ୍ଗେ ଚିହ୍ନା କରାଇଛ କି ନାହିଁ ?’

 

‘ଆପଣ ବି ଥଟ୍ଟା କରୁଛନ୍ତି, ମାଳତୀଙ୍କୁ ତାଙ୍କ ସଙ୍ଗେ ସାକ୍ଷାତ କରାଇ ଲାଭ କ’ଣ ?’

 

ପାଟିରୁ କଥା ସରିଛି କି ନାହିଁ, ଜଙ୍ଗଲ ଭିତରେ କ’ଣଟାଏ ଖଡ଼୍ କରି ଶୁଭିଲା । ଖନ୍ନା ସାହେବ ପ୍ରାଣରକ୍ଷା କରିବା ପାଇଁ ଚଟକରି ଆସି ରାୟ ସାହେବଙ୍କ ପଛରେ ଠିଆ ହୋଇଗଲେ । ଜଙ୍ଗଲ ଭିତରୁ ଗୋଟାଏ କେନ୍ଦୁଆ ବାହାରି ସେମାନଙ୍କର ସାମନାରେ ପାରି ହୋଇଗଲା ।

 

ରାୟ ସାହେବ ମାରିବା ପାଇଁ ଠିକ୍ ବନ୍ଧୁକ ଉଠାଉଛନ୍ତି ଖନ୍ନା କହିଲେ–ମିଛରେ ତାକୁ ଚମକାଇ କରି ଲାଭ କ’ଣ ? ଯଦି ଯୋଗକୁ ଓଲଟି ପଡ଼େ, ତେବେ...... ।

 

‘ଓଲଟି ପଡ଼ିବ କ’ଣ, ସେଇଠି ତ ଖତମ ହେବ ।’

 

‘ମୁଁ ତାହାହେଲେ ସେ ଉଚ୍ଚା ଜାଗାକୁ ଆଗ ଚଢ଼ିଯାଏ । ତା’ପରେ ଆପଣ ଯାହା କରିବେ । ମୋତେ ଶିକାର ସେତେ ଭଲ ଲାଗେ ନାହିଁ ।’

 

‘ତେବେ ଶିକାର କରିବାକୁ ଆସିଲେ କାହିଁକି ?’

 

‘ଖାଲି ବିପଦରେ ପଡ଼ିବା ପାଇଁ ।’

 

ରାୟ ସାହେବ ବନ୍ଧୁକ ତଳକୁ କରିଦେଇ କହିଲେ–ଆଚ୍ଛା ଶିକାର ମିଳିଥିଲା, ଗଲା । ଏମିତିଆ ସୁବିଧା ଖୁବ୍ କମ୍ ମିଳେ ।

 

‘ମୁଁ ଆଉ ଏଠି ରହିବି ନାହିଁ, ଇଏ ବଡ଼ ବିପଦ ଜାଗା ।’

 

‘ଆରେ ବାବୁ, ଗୋଟେ ଅଧେ ଶିକାର ମାରିବାକୁ ଦିଅ, ଖାଲି ହାତରେ ଫେରିଯିବା କେମିତି, ଲାଜ ମାଡ଼ିବ ।’

 

‘ଆପଣ ମୋତେ ଆଗ ମଟର ପାଖରେ ପହଞ୍ଚେଇ ଦିଅନ୍ତୁ, ତା’ପରେ ବାଘ ମାରନ୍ତୁ କି ସାପ ମାରନ୍ତୁ ।’

 

‘ସତରେ ଆପଣ ଭାରି ଡରକୁରା ।’

 

‘ମିଛଟାରେ ଜୀବନକୁ ବିପଦରେ ପକାଇ ଲାଭ କ’ଣ ?

 

‘ଆପଣ ବର୍ତ୍ତମାନ ଖୁସୀରେ ଫେରିଯାନ୍ତୁ ।’

 

‘କ’ଣ ଏକୁଟିଆ ଯିବି ?’

 

‘ରାସ୍ତା ତ ବିଲକୁଲ ସଫା, ଏକୁଟିଆ କ’ଣ ?’

 

‘ନାହିଁ ସେ କଥା ହେବ ନାହିଁ । ଆପଣଙ୍କୁ ମୋ ସାଥିରେ ଯିବାକୁ ହେବ ।’

 

ରାୟ ସାହେବ ଯେତେ ବୁଝାଇଲେ ବି ଖନ୍ନା ମୋଟେ ବୁଝିଲେ ନାହିଁ । ଡରରେ ବିଚାରା କଳା ପଡ଼ିଗଲେ । ସେତେବେଳେ ଯଦି ଖରିଆଟା ବି ବାହାରି ପଡ଼ିଥାନ୍ତା, ତେବେ ସେ ପାଟି କରି ଭୂଇଁରେ ଖସି ପଡ଼ିଥାନ୍ତେ । ଡରରେ ଥରି ଥରି ବିଚାରା ଝାଳରେ ବୁଡ଼ିଗଲେ । ରାୟ ସାହେବ ଆଗେ କୌଣସି ଉପାୟ ନ ଦେଖି ତାଙ୍କ ସଙ୍ଗେ ଫେରି ଆସିବାକୁ ବାଧ୍ୟ ହେଲେ । କିଛିଦୂର ଚାଲି ଆସିଲା ପରେ ଖନ୍ନାଙ୍କର ଚେତା ହେଲାରୁ କହିଲେ–ବିପଦକୁ ମୁଁ ଡରେ ନାହିଁ, କିନ୍ତୁ ବିପଦ ମୁହଁରେ ଆଙ୍ଗୁଠି ଗେଞ୍ଜି ତାକୁ ବରଣ କରିବା ବୋକାମୀ ଛଡ଼ା ଅନ୍ୟ କିଛି ନୁହେଁ ।

 

‘ଛି, ଛି, କେନ୍ଦୁଆଟା ଦେଖୁ ଦେଖୁ ଯାହା ଆପଣଙ୍କର ଜୀବନ ଛାଡ଼ି ଯାଉଛି !’

 

‘ମୁଁ ଭାବେ ମନୁଷ୍ୟ ଯେତେବେଳେ ପଶୁ ଥିଲା, ଶିକାର ହେଉଛି ସେହି ସମୟର ବିଦ୍ୟା-। ସେ ଦିନରୁ ସଭ୍ୟତା ଆଜକୁ ବହୁତ ଆଗେଇ ଗଲାଣି । ହଉ ଚାଲନ୍ତୁ, ମାଳତୀଙ୍କ ଆଗରେ ଆପଣଙ୍କ କଥା ପଡ଼ିବ ଯେ ।’

 

‘ପଡ଼ୁ, କିଛି ଯାଏ ଆସେ ନାହିଁ, ଅହିଂସା ଆଚରଣ କରିବାରେ ମୁଁ ଆଦୌ ଲଜ୍ଜିତ ନୁହେଁ-।’

 

‘ଯାହେଉ, ସେଟା ଆପଣଙ୍କର ଅହିଂସାବାଦ ବୋଲି ମୋତେ ଜଣା ନ ଥିଲା ।’

 

ଖନ୍ନା ଗର୍ବ କରି କହିଲେ–ନିଶ୍ଚୟ ତା’ ମୋର ଅହିଂସାବାଦ । ଆପଣ ବୁଦ୍ଧ, ଶଙ୍କରଙ୍କ ନାମ ନେଇ ଗର୍ବ ଅନୁଭବ କରନ୍ତି, ଅଥଚ ଜୀବହତ୍ୟା କରିବା ପାଇଁ ଲଜ୍ଜିତ ହୁଅନ୍ତି ନାହିଁ ।

 

ଦୁହେଁଯାକ କିଛିଦୂର ଚୁପ୍ ହୋଇଯିବା ପରେ ଖନ୍ନା କହିଲେ–ଆପଣ ତା’ହେଲେ କେବେ ଆସିବେ ? ମୁଁ କହୁଛି ଆପଣ ଆଜି ଜୀବନବୀମା ଫର୍ମ ପୂରଣ କରି ଦିଅନ୍ତୁ । ଚିନି କଳର ଅଂଶ ବି ନେଇଯା’ନ୍ତୁ । ମୋ ପାଖରେ ଦି’ଟାଯାକ ଫର୍ମ ଅଛି ।

 

ରାୟ ସାହେବ ଟିକିଏ ଚିନ୍ତିତ ହୋଇ କହିଲେ–ଦେଖାଯାଉ, ମୁଁ ଆଗ ଟିକିଏ ଭାବେ ।

 

‘ଏଥିରେ ଭାବିବାର କ’ଣ ଅଛି ?’

 

ମିର୍ଜା ଖୁର୍ସିଦ ଓ ଓକିଲ ଶ୍ୟାମ ବିହାରୀ ଆଉ ଗୋଟିଏ ଦଳରେ ଯାଇଥିଲେ । ମିର୍ଜା ଖୁର୍ସିଦ କେବେ ପଛ କଥା ଭାବନ୍ତି ନାହିଁ, କିମ୍ବା ଭବିଷ୍ୟତ ଚିନ୍ତା କରନ୍ତି ନାହିଁ । ଯେଉଁ ମୁହୂର୍ତ୍ତରେ ଯାହା ଆସିଲା ତାକୁ ବି କରିଯାନ୍ତି; ପ୍ରାଣପଣେ ସେଥିରେ ଲାଗି ପଡ଼ନ୍ତି । ବନ୍ଧୁମାନଙ୍କ ମେଳରେ ଯେମିତି ଥଟ୍ଟା ପରିହାସ କରନ୍ତି, କାଉନସିଲରେ ସେମିତି ଖୁବ୍ ପାଟି କରନ୍ତି । ମନ୍ତ୍ରୀଙ୍କୁ ବି କନ୍ଦେଇ ଦିଅନ୍ତି । ସେ କାହାକୁ ଛାଡ଼ିବା ଲୋକ ନୁହନ୍ତି । ମଝିରେ ମଝିରେ ଖୁବ୍ ଥଟ୍ଟା ପରିହାସ ବି କରନ୍ତି । ଏମିତି ରାଗୀ ଯେ ବେଳେବେଳେ ବାହାପଟ ମାରି ଲଢ଼େଇ କରିବା ପାଇଁ ଆଗକୁ ଡେଇଁ ପଡ଼ନ୍ତି । ଲୋକଙ୍କ ସଙ୍ଗେ ନମ୍ର ହୋଇ କଥାବାର୍ତ୍ତା କରନ୍ତି କିନ୍ତୁ କେହି ବଳ ଦେଖାଇଲେ ସେ ଛାଡ଼ନ୍ତି ନାହିଁ । ଗଦ୍ୟ ଏବଂ କବିତା ତାଙ୍କର ଖୁବ୍ ପ୍ରିୟ ନାରୀ କେବଳ ମନୋରଞ୍ଜନର ବସ୍ତୁ । ସଂଭୋଗ ତ ତାଙ୍କର ଅନେକ ଦିନୁ ଶେଷ ହୋଇ ଯାଇଛି ।

 

ଓକିଲ ଶ୍ୟାମ ବିହାରୀ ଭାରି ଦାଉଁଆ । କଳିକଜିଆ ଲଗାଇବା, ନିଜ କାମ ହାସଲ କରିବା, ବାଲିରୁ ତେଲ ବାହାର କରିବା, ଲୋକଙ୍କ ତଣ୍ଟି ଚିପିବା ଏବଂ ଦରକାରବେଳେ ଲାଙ୍ଗୁଳଯାକି ପଳାଇବା କାମ ତାଙ୍କୁ ଖୁବ୍ ଆସେ । କହିଲେ, ସେ ବାଲିରେ ନାଆ ଚଲେଇ ଦେବେ ଏବଂ ପଥରରୁ ପାଣି ନିକାଲି ଦେବେ । ତାଙ୍କର ବ୍ୟବସାୟ ହେଉଛି, କରଜ ଦିଆଇବା, ନୂଆ କମ୍ପାନୀ ଖୋଲିବା, ନିର୍ବାଚନ ପାଇଁ ଲୋକ ଛିଡ଼ା କରାଇବା । ସେଥିପାଇଁ ନିର୍ବାଚନ ସମୟରେ ତାଙ୍କ ଭାଗ୍ୟ ଖୁବ୍ ଖୋଲିଯାଏ । ଲୋକଙ୍କୁ ଛିଡ଼ା କରାଇ, ତାଙ୍କ ପାଇଁ ଖୁବ୍ ଖଟି ଦଶ କୋଡ଼ିଏ ହଜାର ମାରି ନିଅନ୍ତି । ଗୋଟାଏ ପାର୍ଟିକୁ ସମର୍ଥନ କରି ଦରକାର ପଡ଼ିଲେ ଆଉଗୋଟେ ପାର୍ଟିକୁ ସମର୍ଥନ କରନ୍ତି । ରୂପ ବଦଳାଇଲାବେଳେ ପାଖରେ ଏମିତି ଅକାଟ୍ୟ ଯୁକ୍ତି ରଖିଥାନ୍ତି ଯେ କେହି ପାଟି ଫିଟାଇ ପାରନ୍ତି ନାହିଁ । ସହରର ସବୁ ହାକିମ ହୁକୁମା, ସବୁ ବଡ଼ଲୋକଙ୍କ ସାଥିରେ ତାଙ୍କର ଦୋସ୍ତି । ଲୋକେ ତାଙ୍କ ନୀତିକୁ ପସନ୍ଦ ନ କଲେ ବି ମୁହଁରେ କେହି କିଛି ତାଙ୍କୁ କହି ପାରନ୍ତି ନାହିଁ-

 

ମିର୍ଜା ଖୁର୍ସିଦ ରୁମାଲରେ ମୁହଁ ପୋଛୁ ପୋଛୁ କହିଲେ–ଏମିତିଆ ପାଗକୁ ଶିକାର ନୁହେ, ଇଏ ହେଉଛି କବି ସମ୍ମିଳନୀ ପାଇଁ ଠିକ୍ ପାଗ ।

 

ଓକିଲ କହିଲେ–ଠିକ୍ କଥା, ପାର୍କରେ ଆଜି ସମ୍ମିଳନୀ ହୋଇଥିଲେ ମଜା ହୋଇଥାନ୍ତା-

 

ତା’ପରେ ଅସଲ କଥା ପକାଇ ଓକିଲ କହିଲେ–ଏଥର ତ ନିର୍ବାଚନରେ ବଡ଼ବଡ଼ିଆ ସବୁ ଠିଆ ହେବେ, ଆପଣଙ୍କ ପାଇଁ ବି ମୁସ୍କିଲ ହେବ । ମିର୍ଜା ବିରକ୍ତ ହେଲାପରି କହିଲେ–ମୁଁ ତ ଏଥର ଛିଡ଼ା ହେବି ନାହିଁ ।

 

‘କାହିଁକି ଛିଡ଼ା ହେବେ ନାହିଁ ?’

 

‘କିଏ ମିଛରେ ଏତେ ବକବକ ହେବାକୁ ଯାଉଛି । କ’ଣ ସେଥିରେ ଲାଭ ? ଏ ପ୍ରକାର ଯେଉଁ ଗଣତନ୍ତ୍ର, ଏଥିରେ ମୋର ତିଳେ ହେଲେ ବିଶ୍ଵାସ ନାହିଁ । ଏତେ ଟିକେ ବୋଲି କାମ ନାହିଁ, ଖାଲି ବକ୍ତୃତା । ଅବଶ୍ୟ ଲୋକଙ୍କ ଆଖିରେ ଧୂଳି ପକାଇବାକୁ ଖୁବ୍ ସୁବିଧା । ହିନ୍ଦୁସ୍ତାନୀ ହୁଅନ୍ତୁ ବା ଇଂରେଜ ହୁଅନ୍ତୁ, ମନ୍ତ୍ରୀ ନ ରହି ବରଂ ଜଣେ ଲାଟ ରହିଲେ ସବୁଠୁ ସୁବିଧା । ଗୋଟେ ଇଞ୍ଜିନ ଯେତେ ଡବା ଭିଡ଼ିନେଇ ପାରିବ, ହଜାର ଲୋକ ଏକାଠି ହେଲେ କ’ଣ ପାରିବେ ? ମୁଁ ତ କାଉନସିଲରେ ପାଲା ଦେଖି ଦେଖି ଚିଟା ହୋଇଗଲିଣି । ମୋର ଯଦି କ୍ଷମତା ଥା’ନ୍ତା, ମୁଁ ସେ କାଉନସିଲକୁ ଉଡ଼େଇ ଦିଅନ୍ତି । ସେ କାଉନସିଲ ଆଉ କିଛି ନୁହେଁ ଯେ ଖାଲି ଜମିଦାର ଏବଂ ବ୍ୟବସାୟୀମାନଙ୍କର ଗୋଟାଏ ଆଖଡ଼ା । ଆଜିକାଲି ନିର୍ବାଚନରେ ପଇସା ଯାର, ଜିତାପଟ ତାର, ପଇସା ବଳରେ ସବୁ ହୋଇଯାଉଛି । ଯେତେ କହିବାବାଲା, ଲେଖିବାବାଲା, ଯେତେ ଜ୍ଞାନୀ, ମାନୀ ସମସ୍ତେ ଆଜି ପଇସାର ଚାକର । ମୁଁ ତ ଠିକ୍ କରିଛି ମୁଁ ଆଉ ନିର୍ବାଚନର ପାଖ ପଶିବି ନାହିଁ । ଏଣିକି ଗଣତନ୍ତ୍ର ବିରୁଦ୍ଧରେ ପ୍ରଚାର କରିବା ହେଉଛି ମୋର କାମ ।’

 

କୋରାନରୁ ନାନାପ୍ରକାର ଉଦାହରଣ ଦେଇ ମିର୍ଜା ସାହେବ କହିଲେ–ପୁରୁଣା କାଳରେ ବାଦଶାହମାନଙ୍କର ଆଦର୍ଶ କେଡ଼େ ଉଚ୍ଚ ଥିଲା ଆଜି ସେ କଥା ଭାବି ହୁଏ ନାହିଁ । ଭାବିଲେ ମଣିଷ ତାଜୁବ୍ ହୋଇଯାଏ । ସରକାରୀ ଖଜଣାଖାନାରୁ ନିଜ ସୁଖ ପାଇଁ ପଇସାଟାଏ ନେବାର ଅଧିକାର ସେମାନଙ୍କର ନଥିଲା । ବାଦଶାହମାନେ କିଏ ବହି ଲେଖି, କିଏ ଲୁଗା ସିଲେଇ କରି, କିଏ ଅବା ପିଲାଙ୍କୁ ପାଠ ପଢ଼ାଇ କରି ପେଟ ପୋଷୁଥିଲେ । ଏମିତି କେତେ କେତେ ଆଦର୍ଶ ରାଜାଙ୍କ କଥା ସେ ଏକା ରାହାକେ ଗାଇଗଲେ । ସେ ରଜା ମହାରାଜା କୁଆଡ଼େ ଗଲେ, ଏବେ ଆସିଲେ ସବୁ ମନ୍ତ୍ରୀ ଯେଉଁମାନେ ପାଞ୍ଚ ହଜାର ଲେଖା ମୋଟା ଦରମା ନେଇ ଦେଶକୁ ଲୁଟି କରିବାରେ ଲାଗିଛନ୍ତି-। ଏଇ ହେଲା ଆମର ଗଣତନ୍ତ୍ର ।

 

ଏତିକିବେଳକୁ କଳା ହରିଣ ପଞ୍ଝାଏ ଆସି ଜୁଟିଗଲେ । ମିର୍ଜା ଯେମିତି ବନ୍ଧୁକ ଉଠାଇ ଫାୟାର କଲେ ସେଥିରୁ ଗୋଟାଏ ଖସି ପଡ଼ିଲା । ମିର୍ଜାଙ୍କର ଆନନ୍ଦ ଦେଖେ କିଏ, ପିଲାଙ୍କ ପରି ତାଳିମାରି ସେ ଖୁସିରେ ଡେଇଁଲେ ।

 

ପାଖରେ ଗୋଟାଏ ଗଛରେ ଜଣେ ଲୋକ କାଠ ହାଣୁଥିଲା । ସେ କାଠ ଗଛରୁ ଓହ୍ଲାଇ ମିର୍ଜାଙ୍କ ସଙ୍ଗେ ଧାଇଁଲା, ଦେଖିଲା ହରିଣର ଆଖି ପଥର ହୋଇ ଗଲାଣି କିନ୍ତୁ ଗୋଡ଼ ଖାଲି ଟିକିଏ ଛଟପଟ ହେଉଛି । ସେ କହିଲା–ଆଜ୍ଞା, ବଢ଼ିଆ ହରିଣଟାଏ ହୋଇଛି । ମହଣକରୁ ତ କମ୍ ଓଜନ ହେବ ନାହିଁ । କହିବେ ଯଦି ଆପଣଙ୍କ ଜାଗାରେ ନେଇ ପହଞ୍ଚାଇଦେଇ ଆସିବି ।

 

ମିର୍ଜା କିଛି ନ କହି ବଡ଼ ଦୁଃଖିତ ହୋଇ ହରିଣକୁ ଚାହିଁ ମନେମନେ ଭାବିଲେ ଟିକିଏ ଆଗରୁ ଯେତେବେଳେ ୟାର ଜୀବନ ଥିଲା, ପତ୍ରଟାଏ ଖଡ଼କିନା ହେଲେ ୟେ କୁଦାମାରି ଛୁଟି ଯାଉଥିଲା । ନିଜ ବନ୍ଧୁ, ନିଜ ଆତ୍ମୀୟ କୁଟୁମ୍ବଙ୍କ ସହିତ ଆନନ୍ଦରେ ଭଗବାନଙ୍କ ରାଜ୍ୟରେ ଘାସ ଚରି ଡେଇଁ ବୁଲୁଥିଲା, ଅଥଚ ବର୍ତ୍ତମାନ ନୀରବ ହୋଇ ପଡ଼ି ରହିଛି । ହାଣ, ମାର, କାଟ କିଛି ଜାଣୁ ନାହିଁ । ଜୀବନର ଯେଉଁ ଆନନ୍ଦ ଥିଲା, ମୃତ୍ୟୁରେ ସେ ଆଉ କାହିଁ ? କେଡ଼େ ସୁନ୍ଦର ଦେହ, କେମିତି ସୁନ୍ଦର ଆଖି ! ତା’ର ନାଚକୁଦ ଦେଖିଲେ ମଣିଷ ମନରେ ବି ଆନନ୍ଦର ଢେଉ ଖେଳି ଯାଉଥିଲା, ଜୀବନ ତା’ର ଆନନ୍ଦରେ ଫୁଲପରି ଫୁଲି ଉଠୁଥିଲା, ଅଥଚ ଆଜି ତାର ଶବ ଦେଖି ମନରେ ଘୃଣା ଆସୁଛି ।

 

କାଠକଟାଳି କହିଲା,–କେଉଁଠିକି ନେବି କହନ୍ତୁ ଆଜ୍ଞା, ଦି’ଚାରି ପଇସା ମତେ ଦେବେ-

 

ମିର୍ଜା ସାହେବ ଚମକି ପଡ଼ିଲା ପରି କହିଲେ–ଆଚ୍ଛା, ତା ହେଲେ ଉଠା, କେଉଁଠିକି ଏବେ ଯିବା ?

 

ଯେଉଁଠିକି ଆପଣ କହିବେ ।’

 

‘ନାହିଁ, ତତେ ଏଟା ମୁଁ ଦେଇ ଦେଉଛି, ତୋ ଇଚ୍ଛା ଯୁଆଡ଼େ ନେଇକରି ଯା ।’ ଏକଥା ଶୁଣି କାଠୁରିଆ ବିଚାରା ତାଜୁବ୍ ହୋଇଗଲା । ନିଜ କାନକୁ ବି ବିଶ୍ଵାସ କରି ପାରିଲା ନାହିଁ ।

 

‘ନାହିଁ ହଜୁର, ଆପଣ ଯେତେବେଳେ ମାରିଛନ୍ତି, ମୁଁ ନେଇଯିବି କାହିଁକି ?’

 

‘ନାହିଁ, ନାହିଁ ମୁଁ ଖୁସୀରେ କହି ଦେଉଛି ନେଇ ଯା । ତୋ’ ଘର ଏଠିକି କେତେ ବାଟ ?

 

‘ଖୁବ୍ ହେଲେ ମାଇଲିଏ ହେବ ।’

 

‘ତା ହେଲେ ଚାଲ, ମୁଁ ବି ତୋ ସାଙ୍ଗରେ ଯିବି, ଦେଖିବା ତମ ପିଲା ସବୁ କିମିତି ଖୁସୀ ହେବେ ।’

 

‘ମୁଁ ତ ୟାକୁ କେବେ ନେବି ନାହିଁ । ଆପଣ ଏଡ଼େ ଧୂପରେ ଆସି ଏତେ କଷ୍ଟରେ ମାରିଛନ୍ତି, ମୁଁ ନେଇଯିବି କେମିତି ?’

 

‘ଆଚ୍ଛା, ଉଠ ଯିବା, ଜାଣିଲି ତ ଜଣେ ଖୁବ୍ ସଚ୍ଚା ଲୋକ ।’

 

କାଠକଟାଳି ଡରି ଡରି, ରହି ରହି ମିର୍ଜା ସାହେବଙ୍କ ମୁହଁକୁ ଅନାଇ ଅନାଇ ଆସ୍ତେ ଆସ୍ତେ ହରିଣକୁ ଉଠାଇଲା । ତା’ପରେ ପୁଣି ଛାଡ଼ିଦେଇ କହିଲା–‘ମୁଁ ଜାଣିଲିଣି, ଆପଣ ବୋଧହୁଏ ଏ ହରିଣକୁ ନିଜେ ହଲାର କରି ନାହାନ୍ତି ବୋଲି ଛୁଉଁ ନାହାନ୍ତି ।’

 

ମିର୍ଜା ସାହେବ କହିଲେ–ହଁ, ହଁ ତୁ ଖୁବ୍ ବୁଝିଛୁ । ଉଠା, ଘରକୁ ଚାଲ ।

 

ମିର୍ଜା ସାହେବ ଧର୍ମକୁ ବେଶି ଖାତିର କରନ୍ତି ନାହିଁ । ଦଶ ବର୍ଷ ହେଲା, ସେ ନମାଜ ପଢ଼ୁ ନାହାନ୍ତି । ଦି ମାସରେ ଥରେ ଲେଖା କେବଳ ନିର୍ଜଳ ଉପବାସ କରନ୍ତି । ତାଛଡ଼ା ଆଉ କିଛି ନାହିଁ । କିନ୍ତୁ କାଠକଟାଳି ଭାବୁଥିଲା ଯେ ସେ ଛୁଇଁବାରୁ ମିର୍ଜା ସାହେବ ଆଉ ବୋଧେ ତାକୁ ଖାଇବେ ନାହିଁ ।

 

କାଠକଟାଳି ହରିଣକୁ କାନ୍ଧରେ ପକାଇ ମନ ଖୁସୀରେ ଘରମୁହାଁ ଚାଲିଲା । ଏପର୍ଯ୍ୟନ୍ତ ଶ୍ୟାମ ବିହାରୀ ଗଛ ଛାଇରେ ଠିଆ ହୋଇଥିଲେ । ଖରାରେ ହରିଣ ପାଖକୁ ଯିବା ଦରକାର ମନେ କଲେ ନାହିଁ । ହରିଣ ପାଖରେ ସେମାନେ କଣ କରୁଛନ୍ତି କିଛି ବୁଝି ପାରିଲେ ନାହିଁ । କିନ୍ତୁ ଯେତେବେଳେ ସେ ଦେଖିଲେ ଯେ କାଠକଟାଳି ହରିଣକୁ ନେଇ ଓଲଟା ରାସ୍ତାରେ ଯାଉଛି, ସେ ଆସି ମିର୍ଜା ସାହେବଙ୍କୁ ପଚାରିଲେ–ୟାଡ଼େ କୁଆଡ଼େ ଯାଉଛନ୍ତି, କଣ ରାସ୍ତା ଭୁଲିଗଲେ କି ?

 

ମିର୍ଜା ଟିକିଏ ହସିଦେଇ କହିଲେ–ଶିକାରଟା ମୁଁ ଏହି ଲୋକକୁ ଦେଇଦେଲି । ବର୍ତ୍ତମାନ ମୁଁ ତା ଘରଠିକି ଯାଉଛି । ଆପଣ ଯିବେନି ?

 

ଓକିଲ ଟିକିଏ କୌତୂହଳୀ ହୋଇ କହିଲେ–ଆପଣଙ୍କର ବର୍ତ୍ତମାନ ମୁଣ୍ଡ ଠିକ୍ ଅଛି କି ନାହିଁ ?

 

‘କହି ପାରିବି ନାହିଁ, ମୁଁ ନିଜେ ବି ଜାଣି ପାରୁନାହିଁ ।’

 

‘ଶିକାର ତାକୁ କାହିଁକି ଦେଲେ ?’

 

‘କାରଣ ୟା’କୁ ନେଇ ସେ ଆମ ଅପେକ୍ଷା ଅଧିକ ଖୁସୀ ହେବ ।’

 

‘ଶ୍ୟାମ ବିହାରୀ ଟିକିଏ ଚିଖେଁଇ କରି କହିଲେ–ହଁ, ମୁଁ ଭାବିଥିଲି ଆଜି ଖୁବ୍ ମାଂସ ଖିଆ ହେବ, କିନ୍ତୁ ଆପଣ ତ ସବୁ ଦାନ କରିଦେଇ ବସିଲେ । ଆଚ୍ଛା ଦେଖାଯାଉ, ରାୟ ସାହେବ ତ ଯେମିତି ହେଲେ କିଛି ଆଣିବେ; ଦୁଃଖ କରିବାର କଣ ଅଛି । ମୁଁ ଆପଣଙ୍କୁ ନିର୍ବାଚନ ବିଷୟରେ ଗୋଟିଏ କଥା କହିବାକୁ ଚାହୁଁଥିଲି । ଆପଣ ଯଦି ସତରେ ଛିଡ଼ା ନ ହେଉଥାନ୍ତି, ତେବେ ଯେଉଁମାନେ ଛିଡ଼ା ହେଉଛନ୍ତି, ସେମାନଙ୍କଠାରୁ କିଛି ପଇସା ମାରି ନେଲେ ଆପଣଙ୍କର ଆପତ୍ତି କଣ ? ମୁଁ ଆପଣଙ୍କୁ ଏତିକି କହିବାକୁ ଚାହେଁ, ଆପଣ ଛିଡ଼ା ହେଉନାହାନ୍ତି ବୋଲି କାହାକୁ କହନ୍ତୁ ନାହିଁ । ମୋ ପ୍ରତି ଅନ୍ତତଃ ଏତିକି ଦୟା କରନ୍ତୁ । ଏହି ସହରରୁ ଖାଜା ଜମାଲ ତାହିର ଛିଡ଼ା ହୋଇଛନ୍ତି । ସବୁ ହାକିମ ହୁକୁମା ଓ ଧନୀଲୋକ ତାଙ୍କ ପଟରେ ଅଛନ୍ତି । ତଥାପି ଆପଣଙ୍କୁ ତାର ଭାରି ଡର । ଆପଣ ଚାହିଁଲେ ଆପଣଙ୍କ ପାଇଁ ମୁଁ ତାଙ୍କଠୁ ଦଶ କୋଡ଼ିଏ ହଜାର ସହଜରେ ଝଡ଼ାଇ ଦେବି । ଆପଣ କିଛି ନ କରି ଖାଲି ଚୁପଚାପ ବସନ୍ତୁ । ମୁଁ ଆପଣଙ୍କ ପକ୍ଷରୁ ଏକ ପ୍ରଚାରପତ୍ର ବାହାର କରୁଛି, ଦେଖିବେ, ଯେଉଁ ଦିନ କାଗଜ ବାହାରିବ ସେହି ଦିନ ସନ୍ଧ୍ୟାବେଳେ ଠଣଠଣ୍ ଦଶହଜାର ଟଙ୍କା ଆସି ପହଞ୍ଚିବ ।’

 

ମିର୍ଜା ସାହେବ ଟିକିଏ ବେଖାତର ଭାବରେ କହିଲେ–ଆପଣଙ୍କ ପରି ଲୋକଙ୍କୁ କିମ୍ବା ଆପଣଙ୍କ ଟଙ୍କାକୁ ମୁଁ ପସନ୍ଦ କରେ ନାହିଁ । ଏକଥା ଶୁଣି ବି ଓକିଲ ସାହେବଙ୍କୁ ଟିକିଏ ହେଲେ ଲଜ୍ଜା ଲାଗିଲା ନାହିଁ କିମ୍ବା ସେ ଏତେ ଟିକିଏ ବିରକ୍ତିର ସୂଚନା ବି ଦେଖାଇଲେ ନାହିଁ ।

 

‘ଆପଣ ମୋତେ ପସନ୍ଦ ନ କରି ପାରନ୍ତି, ମାତ୍ର ପଇସାକୁ ଖାତର ନକଲେ ଆପଣଙ୍କର କ୍ଷତି ।’

 

‘ଏପରି ନୀତିକୁ ମୁଁ ଅଧର୍ମ ବୋଲି ମନେ କରେ ।’

 

‘ଆପଣ ତ ଖୁବ୍ ଧର୍ମ ବିଶ୍ଵାସ କରନ୍ତି ବୋଲି ମୋର ଧାରଣା ନାହିଁ ।’

 

‘ଚୋରୀ ଡକାୟତିକୁ ଅଧର୍ମ ବୋଲି କହିବା ପାଇଁ ଧର୍ମବିଶ୍ଵାସର ଆବଶ୍ୟକତା କଣ ?’

 

‘ଆପଣ ତା ହେଲେ ଏ ବିଷୟରେ ସମ୍ମତି ଦେବାକୁ ଚାହାନ୍ତି ନାହିଁ ।’

 

‘ନାହିଁ ।’

 

‘ଆଚ୍ଛା ଏକଥା ତାହେଲେ ଥାଉ । କୌଣସି ବୀମା କମ୍ପାନୀର ଡାଇରେକ୍ଟର ହେବାପାଇଁ ତ ଆପଣଙ୍କର ଆପତ୍ତି ନଥିବ । ସେଥିରେ କମ୍ପାନୀର ଅଂଶ କିଣିବାକୁ ବି ଆପଣଙ୍କୁ ପଡ଼ିବ ନାହିଁ । ଆପଣ ଖାଲି ସମ୍ମତି ଦେଲେ ହେଲା ।’

 

‘ନାହିଁ, ମୋର ସେଥିରେ ବି ରାଜି ନାହିଁ । ମୁଁ କେତେ କମ୍ପାନୀର ଡାଇରେକ୍ଟର, ମ୍ୟାନେଜିଂ ଏଜେଣ୍ଟ୍ ଏବଂ ଚେୟାରମ୍ୟାନ୍ ହୋଇ ସାରିଛି । ମୋ ପାଦତଳେ ଆସି କେତେ ଟଙ୍କା ସେମିତି ଝୁଲୁଥିଲା । କିନ୍ତୁ ଟଙ୍କା ପଇସାରେ କେତେ ସୁଖ, କେତେ ଦୁଃଖ ସେ ସବୁ ମୁଁ ଖୁବ୍ ଜାଣେ-। ଆଉ ବି ଜାଣେ ଟଙ୍କା ପଇସା ମଣିଷକୁ କେଡ଼େ ସ୍ୱାର୍ଥପର, କେଡ଼େ ନୀଚ, କେଡ଼େ ଅଭିମାନୀ କରିପାରେ ।’

 

ଆଉ କୌଣସି ପ୍ରସ୍ତାବ କରିବା ପାଇଁ ଓକିଲଙ୍କର ସାହସ ହେଲା ନାହିଁ । ସେ ଆଗରୁ ଭାବିଥିଲେ ଯେ ମିର୍ଜା ସାହେବ ଖୁବ୍ ବୁଦ୍ଧିମାନ ଲୋକ କିନ୍ତୁ ଏବେ ତାଙ୍କର ସେ ଧାରଣା ବଦଳିଗଲା । ଟଙ୍କା ପଇସା ପ୍ରତି ତାଙ୍କର ବିଶେଷ ମମତା ଥିବାରୁ ମିର୍ଜା ସାହେବଙ୍କ ପରି ଲୋକକୁ ପସନ୍ଦ କରିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ ।

 

କାଠକଟାଳି ହରିଣକୁ ନେଇ ଆଗେ ଆଗେ ଚାଲି ଯାଉଥିଲା । ମିର୍ଜା ସାହେବ ବି ଖୁବ୍ ଚଞ୍ଚଳ ଚଞ୍ଚଳ ଚାଲୁଥିଲେ କିନ୍ତୁ ଓକିଲ ସାହେବ ଖୁବ୍ ମୋଟାହୋଇଥିବାରୁ ଚଞ୍ଚଳ ଚାଲି ନ ପାରି ପାଟି କରି ଡାକିଲେ–ମିର୍ଜା ସାହେବ, ଏମିତି ତରତର ହୋଇ ପଳାଉଛନ୍ତି କାହିଁକି ?

 

ମିର୍ଜା ସାହେବ କହିଲେ–ଦେଖୁଛ, ଏହି ଗରୀବ ଲୋକଟା ଏଡ଼େବଡ଼ ବୋଝ ନେଇ ପଳାଇ ଯାଉଛି, ଆମେ କ’ଣ ଖାଲି ହାତରେ ତା ସଙ୍ଗରେ ଚାଲି ପାରିବା ନାହିଁ ?

 

କାଠକଟାଳି ଗୋଟାଏ ଥୁଣ୍ଟା ଉପରେ ହରିଣକୁ ରଖିଦେଇ ନିଶ୍ୱାସ ମାରିବା ପାଇଁ ଠିଆହେଲା ।

 

ମିର୍ଜା ସାହେବ ତାକୁ ପଚାରିଲେ–ତୁ ଥକିଗଲୁ କି ?

 

ସେ ଟିକିଏ ସଂକୁଚିତ ହୋଇ କହିଲା–ବହୁତ ଭାରି ଆଜ୍ଞା ।

 

‘ତା’ ହେଲେ ଆଣ, ମୁଁ ଖଣ୍ଡେଦୂର ବୋହିନିଏ ।’

 

ଏକଥା ଶୁଣି କାଠକଟାଳି ହସିଲା । ମିର୍ଜା ସାହେବ ଖୁବ୍ ମୋଟା ରୋଟା ଆଉ ତାଗଡ଼ା-। କାଠକଟାଳି ନିହାତି ପତଳା ଓ ଦୁର୍ବଳ ଥିଲା । ତାର ହସ ଦେଖି ମିର୍ଜା ସାହେବଙ୍କୁ ଭାରି ଅପମାନ ଲାଗିଲା ।

 

‘ହସିଲୁ କାହିଁକି ? ତୁ କ’ଣ ଭାବୁଛୁ, ମୁଁ ୟାକୁ ବୋହିନେଇ ପାରିବି ନାହିଁ ?’

 

କାଠକଟାଳି କ୍ଷମା ମାଗିଲାଭଳି କହିଲା–‘ଆଜ୍ଞା ! ହଜୁର ହେଉଛନ୍ତି ବଡ଼ଲୋକ, ଇଏତ ହଜୁରଙ୍କର କାମ ନୁହେଁ । ଏଗୁଡ଼ା ସବୁ ଆମପରି ମୂଲିଆଙ୍କ କାମ ।

 

‘ତୋ’ଠୁ ମୋର ଯଥେଷ୍ଟ ଜୋର୍ ବେଶୀ ଜାଣୁ ?’

 

‘ଜୋର୍ ହେଲେ କ’ଣ ହେଲା ?’

 

ମିର୍ଜା ସାହେବଙ୍କୁ ବଡ଼ ଅପମାନ ଲାଗିଲା । ସେ ହରିଣକୁ ସାଙ୍ଗେ ସାଙ୍ଗେ କାନ୍ଧରେ ପକାଇ ଚାଲିଲେ । ପଚାଶ କଦମ ଯାଇଛନ୍ତି କି ନାହିଁ, ବେକ କିଟି କିଟି ଡାକିଲା, ଗୋଡ଼ ଥରିଗଲା, ଆଖିରୁ ଜୁଳଜୁଳିଆ ପୋକ ବାହାରି ପଡ଼ିଲା । ତଥାପି ସେ କଲିଜା ଟାଣ କରି ଆହୁରି କୋଡ଼ିଏ କଦମ ଆଗେଇ ଗଲେ । ଜଣା ପଡ଼ୁଥିଲା, ସତେ ଯେମିତି ହରିଣ ଭିତରେ ସୀସା ଭର୍ତ୍ତି ହୋଇଛି । ଓକିଲଙ୍କ ବେକରେ ଟିକିଏ ଲଦିଦେଲେ ମଜା ବାହାରିଯାନ୍ତା । କିନ୍ତୁ ଓହ୍ଲାଇବେ କେମିତି ? ଓହ୍ଲାଇଲେ ସେମାନେ କହିବେ, ବାହାଦୂରୀ ଦେଖାଇବାକୁ ଯାଇଥିଲା ଯେ ପଚାଶ କଦମ ବି ନେଇ ପାରିଲା ନାହିଁ ।

 

କାଠକଟାଳି ପଚାରିଲା–ଆଜ୍ଞା ! କେମିତି ଲାଗୁଛି ? ଖୁବ୍ ହାଲୁକା କି ନୁହେଁ ?

 

ମିର୍ଜା ସାହେବ କହିଲେ–ତୁ ଯେତିକି ବାଟ ନେଇଛୁ, ମୁଁ ବି ସେତିକି ବାଟ ନେଇ ଯାଉଛି-

 

‘ଆଜ୍ଞା କେତେଦିନ ଯେ ପୀଡ଼ା ଛାଡ଼ିବ ନାହିଁ, ଦେଖିବେ ।’

 

‘ତୁ କ’ଣ ଭାବିଛୁ ମୁଁ ଏମିତି ଖାଲି ମିଛରେ ମୋଟା ହୋଇଛି ?’

 

‘ନାହିଁ, ସେ କଥା ନୁହେଁ ଯେ, ଆପଣ ମିଛରେ ହଇରାଣ ହେବେ କାହିଁକି ? ଏହିଠି ଉତ୍ତାରି ଦିଅନ୍ତୁ ।’

 

‘ମୁଁ ଚାହିଁଲେ ଆହୁରି ଏତିକି ଦୂର ବି ନେଇଯାଇ ପାରିବି ।’

 

‘କିନ୍ତୁ ମୁଁ ଖାଲି ଯିବି ଆଉ ଆପଣ ବୋଝ ବୋହିକରି ଚାଲିବେ, ଏଟା ମୋତେ ଭାରି ଖରାପ ଲାଗୁଛି ।’

 

‘ମିର୍ଜା ସାହେବ ଭୂଇଁରେ ହରିଣକୁ ଉତ୍ତାରିବା ସମୟରେ ଓକିଲ ସାହେବ ଆସି ପହଞ୍ଚିଗଲେ । ମିର୍ଜା ଟିକିଏ ଚିଡ଼େଇବା ପାଇଁ କହିଲେ–ବର୍ତ୍ତମାନ ଆପଣଙ୍କର ବୋହିବା ପାଳି ।

 

‘କ୍ଷମା କରିବେ, ମୁଁ ପହିଲମାନ ହେବାକୁ ଚାହେ ନାହିଁ ।’

 

‘ବେଶୀ ଭାରୀ ନୁହେଁ ମ ।’

 

‘ନାହିଁ ଥାଉ, ମୋର ଦରକାର ନାହିଁ ।’

 

‘ଆପଣ ଯଦି ୟାକୁ ଶହେ କଦମ ନେଇଯିବେ, ତେବେ ଆପଣ ଯାହା କହିବେ ମୁଁ ତା’ କରିବି ।’

 

‘ମୁଁ ଏସବୁ ଧପାଙ୍ଗିରେ ପଡ଼ିବାକୁ ଚାହେ ନାହିଁ ।’

 

‘ଧପାଙ୍ଗି ନୁହେଁ ବନ୍ଧୁ, ଆପଣ ଯାହା କହିବେ ମୁଁ ତା କରିବି । କମ୍ପାନୀର ଡାଇରେକ୍ଟର, ମ୍ୟାନେଜର, ମେମ୍ବର, ଯାହା କିଛି ଆପଣ କହିବେ, ମୁଁ ତା’ ହେବାକୁ ରାଜି । କିନ୍ତୁ ଆଗ ଶହେ କଦମ ୟାକୁ ଧରି ଚାଲନ୍ତୁ । ଯେଉଁମାନେ ଦରକାରବେଳେ ସବୁପ୍ରକାର କାମ କରିପାରନ୍ତି ମୁଁ ସେହିପରି ଲୋକଙ୍କୁ ପସନ୍ଦ କରେ ।’

 

ଓକିଲଙ୍କ ମନ ଟିକିଏ ତରଳି ପଡ଼ିଲା । କାରଣ ସେ ଜାଣନ୍ତି ମିର୍ଜା ଯାହା କହନ୍ତି ତା କରନ୍ତି । ହରିଣଟା ଏମିତି କେଉଁ ଭାରି ହେ । ମିର୍ଜା ତ ପୁଣି ଏତେ ବାଟ ନେଇ ଆସିଲେ । କାହିଁ ବିଶେଷ କିଛି ହେଲା ନାହିଁ ତ । ଏତିକିବେଳେ ଯଦି ସେ କାମଟା ନକରି ଦିଅନ୍ତି ତେବେ ସୁବର୍ଣ୍ଣସୁଯୋଗଟା ହାତରୁ ଖସିଯିବ । ଏମିତି ତ କିଛି ପାହାଡ଼ଟାଏ ନୁହେଁ । ହେଲେ ମହଣେ ଦି ମହଣେ ହେବ । ଦିନେ ଦି ଦିନ ବେକ ବଥାଇଲେ ଅବା ବଥାଇବ । କିନ୍ତୁ ପକେଟକୁ ପଇସା ଆସିଗଲେ ବଥା ଆପେ ଆପେ ଛାଡ଼ିଯିବ ।

 

‘ଠିକ୍ ଶହେ କଦମ ?’

 

‘ହଁ ଠିକ୍ ଶହେ କଦମ, ଆପଣ ଚାଲନ୍ତୁ, ମୁଁ ଗଣୁଛି ।’

 

‘ଦେଖନ୍ତୁ କେମିତି ଖସି ନ ପଡ଼ନ୍ତି ।’

 

‘ଆମେ ଖସିପଡ଼ିବା ଲୋକ ?’

 

‘ଓକିଲ ସାହେବ ଯୋତାଫିତାକୁ ଆଉ ଥରେ ବାନ୍ଧି, କୋର୍ଟ କାଢ଼ି ପାଇଜାମାକୁ ଖୋସା ଖୋସି କରି ରୁମାଲରେ ମୁହଁ ପୋଛି ହରିଣକୁ ଏମିତି ଅନାଇ ରହିଲେ ସତେଯେମିତି ଶୂଳୀରେ ମୁଣ୍ଡ ପୂରାଉଛନ୍ତି । ଦି ତିନି ଥର ଚେଷ୍ଟା କରିବାରେ ହରିଣ କାନ୍ଧ ଉପରକୁ କୌଣସିମତେ ଆସିଗଲା, କିନ୍ତୁ ସେ ଆଉ ବେକ ସଳଖି ପାରିଲେ ନାହିଁ । ସେ ଯେତେବେଳେ ଟଳମଟଳ ହୋଇ ଖସିପଡ଼ିବା ଉପରେ ହୋଇଗଲେ ମିର୍ଜା ସାହେବ ଧରିପକାଇ ଆଗକୁ ପେଲିଦେଲେ ।

 

ଓକିଲ ଯେତେବେଳେ ଟଳମଟଳ ହୋଇ ଗୋଟାଏ ପାଦ ଉଠାଇଲେ ମିର୍ଜା ସାହେବ କହିଲେ–ବାଃ ରେ ବାଃ, ସାବାସ୍ ଓକିଲ ସାହେବ ! ଆଉ ପାଦେ ଉଠାଇଲା ବେଳକୁ ପୁଣି କହିଲେ–ଆରେ, ଆଜି ମାରିନେଲେରେ ।

 

ଓକିଲ ସାହେବ ଆଉ ଦି ପାଦ ଚାଲିଗଲାବେଳକୁ ଆଖି କଉଡ଼ି ପରି ବାହାରି ପଡ଼ିଲା ।

 

‘ଆଚ୍ଛା, ଜୋର ଲଗାନ୍ତୁନା, ଶହେ କଦମ ଏବେ ନ ହେଉ ପଚାଶ କଦମ ହେଉ ।’

 

ଓକିଲ ସାହେବଙ୍କ ଅବସ୍ଥା ଏତେବେଳକୁ ବାରଣ୍ଡା ଦି’ କଡ଼ା, ସତେ ଯମିତି ମଲା ହରିଣଟା ତାଙ୍କ ବେକ ଉପରେ ବସି ସିଂହ ପରି ତାଙ୍କ ରକ୍ତ ଶୋଷି ନେଉଛି । ବଳ ତ ସବୁ ସରି ଯାଇଥିଲା, ଖାଲି ଲୋଭର ବଳ ଯାହା ଥିଲା । ସେତକ ବି ତୁଟି ପଡ଼ିଲା । ଆଖିକୁ ଅନ୍ଧାର ଦିଶିଲା, ମୁଣ୍ଡ ବୁଲେଇ ହେଲା । ବିଚାରା ହରିଣକୁ ଧରି ଗୋଟାଏ ପଥରବଣିରେ କଚାଡ଼ି ହୋଇପଡ଼ିଲେ ।

 

ମିର୍ଜା ସାହେବ ବିଚାରାକୁ ସାଙ୍ଗେ ସାଙ୍ଗେ ଉଠେଇ ନେଇ, ରୁମାଲରେ ବିଞ୍ଚି ପିଠିରେ ଚାପୁଡ଼ା ମାରି କହିଲେ–ଆପଣଙ୍କର ଅବଶ୍ୟ ଦୁର୍ଭାଗ୍ୟ, ନହିଲେ ଆପଣ ଖୁବ୍ ବଳ ଦେଖାଇଥିଲେ-

 

ଓକିଲ ସାହେବ ଧଇଁସଇଁ ହୋଇ କହିଲେ–ଆପଣ ତ ଆଜି ମୋ ଜୀବନ ନେଇଥିଲେ ଜାଣି । ଏଟା ଦି ମହଣରୁ କେବେ କମ୍ ହେବ ନାହିଁ ।

 

‘ଯେତେ ଓଜନ ହେଲେ ବି ମୁଁ ତ ପୁଣି ଏତେ ବାଟ ଆଣିଥିଲି ।’

 

ଓକିଲ ସାହେବ ଟିକିଏ ଖୁସାମତ ଆରମ୍ଭ କରି କହିଲେ–ମୋର ତ ବାଜି ପୂରଣ କରିବା କଥା, ଆପଣଙ୍କର ସିନା ଖାଲି ମଜା ଦେଖିବା କଥା । ଆପଣ ତ ମଜା ଦେଖି ସାରିଲେଣି, ଏବେ ମୋ ଦାବୀଟା ପୂରଣ କରି ଦିଅନ୍ତୁ ।

 

‘ଆପଣ ବାଜି ପୂରଣ କରିଛନ୍ତି, କାହିଁ ?’

 

‘ପ୍ରାଣ ଦେଇ ଚେଷ୍ଟା କରିଥିଲି ତ ।’

 

‘ଚେଷ୍ଟା ପାଇଁ ଅବଶ୍ୟ କୌଣସି ସାର୍ଟିଫିକେଟ ନାହିଁ ।’

 

ତା’ପରେ ପୁଣି କାଠକଟାଳି ହରିଣକୁ ଧରି ଆଗେ ଆଗେ ଧାଇଁଲା । ସେ ଦେଖାଇଦେବାକୁ ଚାହୁଥିଲା ଯେ କଷ୍ଟେମଷ୍ଟେ ଶହେ କଦମ ବୋହି ନେବାରେ କିଛି ବାହାଦୁରୀ ନାହିଁ । ବାବୁମାନେ କାଳି କଲମରେ ଯେତେ ଲେଖନ୍ତୁ, ଯେତେ ମିଛ ମକଦ୍ଦମା ଯୋଡ଼ନ୍ତୁ ପଛେ, ଦେହର ବଳ କସା ହେଲେ ପଛରେ ରହିବେ ନିଶ୍ଚୟ ।

 

ଯାଉ ଯାଉ ଗୋଟାଏ ନାଳ ଆସି ପହଞ୍ଚିଲା । ନାଳ ଆରପାଖେ ପାଞ୍ଚ ଛ’ଟା ଘର ଥିଲା-। ଘର ସାମନାରେ ଗୋଟାଏ କଇଁଆ ଗଛମୂଳରେ କେତେଗୁଡ଼ିଏ ପିଲା ଖେଳୁଥିଲେ । ପିଲାମାନେ କାଠକଟାଳିକୁ ଦେଖି ଖୁସୀରେ ଦୌଡ଼ିଆସି ପଚାରିଲେ–ବାପା ! କିଏ ମାରିଲା ୟାକୁ, କେମିତି ମାରିଲା, କେଉଁଠି ମାରିଲା, ଗୁଳି କେଉଁଠି ବାଜିଲା, କେମିତି ବାଜିଲା, ଏଇ ଗୋଟାକ କାହିଁକି ମଲା, ଆଉ କାହିଁକି ମଲେ ନାହିଁ ଏମିତି ନାନା କଥା । ସେ ଖାଲି ହୁଁ କରି କୌଣସିମତେ ଘରେ ପହଞ୍ଚିଯାଇ ବାବୁମାନଙ୍କ ପାଇଁ ଦି’ଟା ଖଟିଆ ବାହାର କରି ଆଣିଲା । ତା ପୁଅ, ଝିଅମାନେ ଶିକାରକୁ ଚାରିପାଖ ଘେରି ଅନ୍ୟ ପିଲାମାନଙ୍କୁ ସେଠୁ ଘଉଡ଼ି ଦେଲେ ।

 

ସବା ସାନପିଲାଟି କହିଲା–ଏଟା ଆମ ଶିକାର । ତାର ଚଉଦ ବର୍ଷର ବଡ଼ ଭଉଣୀ ବାବୁମାନଙ୍କୁ ଦେଖି ସାନ ଭାଇକୁ କହିଲା–ଚୁପ୍ ରହ, ସିପାହୀମାନେ ଧରିନେବେଟି ! ମିର୍ଜା ସାହେବ ପିଲାଟିକୁ ଚିଡ଼େଇବା ପାଇଁ ଥଟ୍ଟାରେ କହିଲେ–ତମର ନୁହେ, ଆମର ।

 

ପିଲାଟି ହରିଣ ଉପରେ ବସିପଡ଼ି କହିଲା–କାହିଁକି, ମୋ ବାପା ତ ଆଣିଛି ।

 

ପିଲାଟିକୁ ଭଉଣୀ ଶିଖାଇ ଦେଲା–କହ, ହଁ ଶିକାରଟା ତମର ।

 

ପିଲାଙ୍କ ମା ଛେଳିଙ୍କ ପାଇଁ ପତର ତୋଳୁଥିଲା । ବାବୁମାନଙ୍କୁ ଦେଖି ଲାଜରେ ଓଢ଼ଣା ଟାଣିଦେଇ ମନେମନେ ଭାବିଲା, ଏମିତିଆ ମଇଳା ଛିଣ୍ଡା ବେଶରେ ସେ ସେମାନଙ୍କ ପାଖକୁ ଯିବ କେମିତି ! ନ ଗଲେ ବା କାମ ଚଳିବ କେମିତି ? ପାଣିପୁଣା ତ ପୁଣି ଦବାକୁ ହେବ ।

 

ଦିପହର ହେବାକୁ କିଛି ସମୟ ବାକି ଥିଲା । ମିର୍ଜା ସାହେବ ସେଇଠି ଦିପହର କଟାଇବା ପାଇଁ ଠିକ୍ କରିଥିଲେ । ଗାଁଯାକକୁ ସବୁ ଏକାଠି ଡକାଇ ଆଣି ମାଂସ ରାନ୍ଧି, ମଦ ଅଣାଇ, ପାଖ ବଜାରରୁ ଅଟା ଆଦି ଆଣି ସମସ୍ତଙ୍କୁ ଏକ ବଢ଼ିଆ ଭୋଜି ଖୁଆଇଲେ । ପୁରୁଷ ଲୋକେ ଖୁବ୍ ମଦ ପିଇ ସଂଧ୍ୟା ପର୍ଯ୍ୟନ୍ତ ନାଚିଲେ । ମିର୍ଜା ସାହେବ ପିଲାଙ୍କ ସଙ୍ଗେ ପିଲା, ଟୋକାଙ୍କ ସଙ୍ଗେ ଟୋକା, ବୁଢ଼ାଙ୍କ ସଙ୍ଗେ ବୁଢ଼ା, ମଦୁଆ ସଙ୍ଗେ ମଦୁଆ ହୋଇ ଖୁବ୍ ମାତିଲେ । ଅଳ୍ପ ସମୟ ଭିତରେ ଲୋକଙ୍କ ସାଙ୍ଗରେ ସେ ଏମିତି ମିଶିଗଲେ, ସତେ ଯେମିତି ସେ ସେହି ଗାଁର ପୁରୁଣା ଲୋକ । ପିଲାମାନେ ତାଙ୍କ ପାଖରେ ଏମିତି ଭରସିଗଲେ ଯେ କିଏ ତାଙ୍କ ଟୋପି ପିନ୍ଧି ପକାଇଲା ତ କିଏ ବନ୍ଧୁକ କାନ୍ଧରେ ପକାଇ ଚାଲିଲା, କିଏ ଅବା ତାଙ୍କ ଘଣ୍ଟା ହାତରେ ବାନ୍ଧି ବୁଲିଲା । ନିଜେ ବି ସେ ଖୁବ୍ ବେଶୀ ବୋତଲ ଚଢ଼େଇ ଗୀତ ଗାଇକରି ଗଡ଼ିଲେ ।

 

ସଂଧ୍ୟାବେଳେ ସେମାନେ ଯେତେବେଳେ ଫେରିଲେ ଗାଁର ସବୁ ସ୍ତ୍ରୀ, ପୁରୁଷ ତାଙ୍କୁ ବହୁତ ଦୂରଯାଏ ଛାଡ଼ି ଆସିଲେ । ସେମାନଙ୍କ ଭିତରୁ କେତେକ କାନ୍ଦି ପକାଇଲେ ବି । ଆଜିଯାଏ କୌଣସି ଶିକାରୀ ଆସି ତାଙ୍କୁ ଏମିତି ଭୋଜି ଖାଇବାକୁ କେବେ ଦେଇ ନଥିଲା । ସେମାନେ ଭାବିଲେ ଇଏ ବୋଧହୁଏ କୌଣସି ରାଜା ମହାରାଜା ହୋଇଥିବେ, ନୋହିଲେ ଏମିତି ଦେବାବାଲା ପୁଣି କିଏ ସେ । କିଏ ଜାଣେ ତାଙ୍କ ସଙ୍ଗେ ଜୀବନରେ ଆଉ ଦେଖା ହେବ କି ନାହିଁ ।

 

କିଛି ଦୂର ଯିବା ପରେ ମିର୍ଜା ସାହେବ ପଛକୁ ଚାହିଁ କହିଲେ–ବିଚାରା ଲୋକଗୁଡ଼ିକ ଆମକୁ ଦେଖି କେଡ଼େ ଖୁସି ହେଉଥିଲେ । ସବୁଦିନ ହେଲେ ଜୀବନରେ ଏମିତି ମିଳୁଥାନ୍ତା । ଆଜି ପ୍ରକୃତରେ ବଡ଼ ଶୁଭଦିନ ଥିଲା ।

 

ଓକିଲ ସାହେବ ଟିକିଏ ରୁକ୍ଷ ଭାବ ପ୍ରକାଶ କରି କହିଲେ–ହଁ, ଆପଣଙ୍କ ପାଇଁ ଶୁଭ ହୋଇପାରେ ମାତ୍ର ମୋ ପାଇଁ ସଂପୂର୍ଣ୍ଣ ଅଶୁଭ । ମୋର ଆଜି କିଛି କାମ ହୋଇପାରିଲା ନାହିଁ । ଦିନ ସାରା ପାହାଡ଼ ପର୍ବତ ଦରାଣ୍ଡି ଦରାଣ୍ଡି ଶେଷରେ ଖାଲିହାତରେ ଘରକୁ ଫେରିବାକୁ ହେଲା ।

 

ମିର୍ଜା ସାହେବ ନିର୍ଦ୍ଦୟ ଭାବରେ କହିଲେ–ଆପଣଙ୍କ ପ୍ରତି ମୋର ତିଳେ ହେଲେ ସହାନୁଭୂତି ନାହିଁ ।

 

ଏମାନେ ବରଗଛ ମୂଳେ ପହଞ୍ଚିଲାବେଳକୁ ଅନ୍ୟ ଦୁଇଦଳ ଲେଉଟି ଆସି ସାରିଥିଲେ-। ସେଠି ମେହେତା ମୁହଁ ପୋତିକରି ବସିଥିଲେ ଏବଂ ମାଳତୀ ମୁହଁ ଫୁଲାଇ କରି ବସିଥିଲେ । ରାୟସାହେବ ଏବଂ ଖନ୍ନା ସାହେବ ଏତେ ଭୋକିଲା ହୋଇଥିଲେ ଯେ ତାଙ୍କ ପାଟିରୁ କଥା ବାହାରୁ ନଥିଲା । ମିର୍ଜା ସାହେବଙ୍କ ଯୋଗୁଁ ଓକିଲଙ୍କ ମୁହଁ ବି ଶୁଖିକରି କଳା ପଡ଼ି ଯାଇଥିଲା-। କେବଳ ମିର୍ଜା ସାହେବ ଭାରି ପ୍ରସନ୍ନ ଦେଖା ଯାଉଥିଲେ ।

Image

 

ଅଷ୍ଟମ ପରିଚ୍ଛେଦ

 

ହୋରୀ ଘରକୁ ଗାଈ ଆସିଲା ଦିନୁ ଘରର ଶିରୀ ଖୁବ୍ ବଢ଼ିଯାଇ ଥିଲା, ଧନୀୟାର ଗୋଡ଼ ଆଉ ତଳେ ପଡ଼ୁ ନଥିଲା । ଯେତେବେଳେ ଦେଖିବ ଖାଲି ଗାଈ କଥା ।

 

ଭୁସି ସବୁ ଶେଷ ହୋଇ ଯାଇଥିଲା । ଆଖୁବିଲରେ ଯେଉଁ ଚାରା ବୁଣା ହୋଇଥିଲା, ତାକୁଇ କାଟିକୁଟି କୌଣସିମତେ ଗୋରୁଙ୍କ ଖାଇବା କାମ ଚଳାଇ ଦିଆ ହେଉଥିଲା । ଲୋକେ ଆକାଶକୁ ଅନେଇ ବସିଥିଲେ; ମେଘ ବରଷିଲେ, ଘାସ ହେଲେ ଯାଇଁ ଗୋରୁଗାଈ ଖାଇବେ । କିନ୍ତୁ ଅଧା ଆଷାଢ଼ ହୋଇଗଲା ପଛେ, ମେଘରୁ ବିନ୍ଦୁ ଗଳିଲା ନାହିଁ ।

 

ହଠାତ୍ ଦିନେ ମେଘ ଉଠେଇ ଖୁବ୍ ଅସରାଏ ବରଷି ଦେଲା । ବୁଣାବୁଣି କରିବା ପାଇଁ ଚାଷୀମାନେ ହଳ ଧରି ଖେତକୁ ବାହାରିପଡ଼ିଲେ କିନ୍ତୁ ଜମିଦାରଙ୍କ ପିଆଦା ଆସି ବାଟ ଜଗି ବସିଲା,–କହିଲା, ବାକି ଖଜଣା ନ ତୁଟେଇଲେ ବିଲକୁ ହଳ ନେବା କଥା ପଟିବ ନାହିଁ । ହୁକୁମ ଶୁଣି ସତେ ଯେମିତି ଚାଷୀଙ୍କ ମୁଣ୍ଡରେ ବଜ୍ର ଖସିପଡ଼ିଲା । କେଉଁକାଳେ ଯେଉଁ କଥା ଶୁଣା ନଥିଲା ଏକାଳକୁ ସେ କଥା ଆସି ଘଟିଲା । ସତେ କ’ଣ ଲୋକେ ଗାଁ ଛାଡ଼ି ପଳେଇବେ, ସେ କଥା ତ ନୁହେ, କିନ୍ତୁ ବିଲକୁ ଯଦି ହଳ ନଯିବ, ଟଙ୍କା ଆସିବ କେଉଁଠୁ ? ଖେତ ହେଲେ ଯାଇଁ ସିନା ଟଙ୍କା ! କ’ଣ କରିବେ ବିଚାରି; ସମସ୍ତେ ଯାଇ ଜମିଦାରଙ୍କ ପିଆଦା ପାଖରେ ରଡ଼ି ବସିଲେ । ପିଆଦା ନୋଖେରାମ କିଛି ଖରାପ ଲୋକ ନୁହେ କିନ୍ତୁ ହାକିମଙ୍କ ହୁକୁମ ଆଗରେ ତା’ର ଚାରା କ’ଣ ? ହୁକୁମ ଅମାନ୍ୟ ସେ କରିବ ଅବା କେମିତି ? ଦେଖୁଛ ତ ସେଦିନ ହୋରୀ ଆଗରେ ଜମିଦାର ସାହେବ କେତେ ଦୟାଧର୍ମ କଥା ବଖାଣୁ ଥିଲେ କିନ୍ତୁ ଆଜି ଦେଖିଲା ବେଳକୁ ପ୍ରଜାଙ୍କ ଉପରେ ଏମିତିଆ ଜୁଲୁମ । ହୋରୀ ଜମିଦାରଙ୍କ ପାଖକୁ ଯାଇ ଦୁଃଖ ଜଣାଇବା ପାଇଁ ତିଆରି ହେଉଥିଲା ପୁଣି ଭାବିଲା ଜମିଦାର ଯେତେବେଳେ ଥରେ ହୁକୁମ ଦେଇସାରିଛନ୍ତି ପୁଣି ପକାଇବା ଛେପ ସେ ଚାଟିବେ ଅବା କେମିତି ? ତା ଛଡ଼ା ସେ ଅବା କାହିଁକି ଆଗୁଆ ହୋଇ ଧରାପଡ଼ିବାକୁ ଯିବ । ଏତେ ଲୋକ ତ ଅଛନ୍ତି, ସେ ଅବା କାହିଁକି ନିଆଁକୁ ଡେଇଁବ ? ଯାହା ତ ହେବ ସମସ୍ତଙ୍କ ପାଇଁ କ’ଣ ଏକୁଟିଆ ହେଉଛି । ସମସ୍ତେ ଯେମିତି ସହିବେ, ସେ ବି ସେମିତି ସହିବ ।

 

ଲୋକଙ୍କ ଭିତରେ ଭାରୀ ଚହଳ ପଡ଼ିଗଲା । ଟଙ୍କା କରଜ ପାଇଁ ସମସ୍ତେ ମହାଜନଙ୍କ ଦୁଆରକୁ ଧାଇଁଲେ । ଗାଁରେ ଆଜିକାଲି ବଡ଼ ମହାଜନ ମଙ୍ଗୁଳୁ ସାହୁ । ଧାନ, ଚାଉଳ, ଝୋଟ ସବୁ ଫସଲରୁ ଆଜିକାଲି ତା ହାତରେ ଖୁବ୍ ଟାଣୁଆ ପାଣ୍ଠି । ତା ଛଡ଼ା ପଣ୍ଡିତ ଦାତାଦୀନ୍ ଆଉ ଦୁଲାରି ସାହୁଆଣୀ ବି ଦିଆନିଆ କରନ୍ତି । କିନ୍ତୁ ସବୁଠୁ ବଡ଼ ମହାଜନ ହେଉଛି ଝିଙ୍ଗୁର ସିଂହ । ସେ ସହରର ଜଣେ ବଡ଼ ମହାଜନର ଏଜେଣ୍ଟ । ତା ତଳେ ବି କେତେ ଲୋକ କାମ କରୁଥିଲେ ଯେଉଁମାନେ ଗାଁଗଣ୍ଡାରେ ପଶି ଲୋକଙ୍କ ସାଙ୍ଗରେ ଟଙ୍କା ପଇସା କାରବାର କରୁଥିଲେ । ତା ଛଡ଼ା ଗାଁ ଭିତରେ ସାନ ବଡ଼ ଆହୁରି ଅନେକ ମହାଜନ ଥିଲେ ଯେଉଁମାନେ ମାସକୁ ଦୋ’ଣି ସୁଧରେ ଟଙ୍କା ପଇସା ଦିଆନିଆ କରୁଥିଲେ । ଆଜିକାଲି ତ ଗାଁରେ ସମସ୍ତେ ପ୍ରାୟ ମହାଜନ । ଯା ପାଖରେ ଟଙ୍କା ଦଶ ପାଞ୍ଚଟା ହୋଇ ଯାଉଥିଲା ସେ ବସିକରି ମହାଜନୀ କରୁଥିଲା । ଏମିତି ବି ଦିନ ଥିଲା ଯେତେବେଳେ ହୋରୀ ବି ମହାଜନୀ କରୁଥିଲା । ସେଥିପାଇଁ ଲୋକେ ଏବେ ବି ଭାବନ୍ତି ଯେ ହୋରୀ ଲୁଚେଇ ଛପେଇ କିଛି ପଇସା ରଖିଛି । ନହିଲେ ଏତେ ପଇସା ଯିବ କୁଆଡ଼େ ? ଭାଇଭାଗ ବଣ୍ଟାବେଳେ ତ ସେ କିଛି ବାହାର କରି ନାହିଁ, କିମ୍ବା ତୀର୍ଥ ବ୍ରତ, ଭୋଜିଭାତ ତ କେବେହେଲେ କିଛି କରି ନାହିଁ, ତେବେ ଗଲା କୁଆଡ଼େ ? ଯୋତା ସିନା ଛିଣ୍ଡିଯିବ, ଗୋଡ଼ରୁ ବିଣ୍ଡି ଯିବ କୁଆଡ଼େ ?

 

ଟଙ୍କା କରଜ ପାଇଁ ଯା ମନ ଯାହାକୁ ପାଇଲା ତା’ ପାଖକୁ ଗଲେ । କିଏ ଅଣିକିଆ ସୁଧ ଦେଲା ତ କିଏ ଦୋ’ଣୀ ନେଇ ରାଜି ହେଲା । ହୋରୀର ଟିକିଏ ଆତ୍ମସମ୍ମାନ ଜ୍ଞାନ ଥିବାରୁ ଯେଉଁ ମହାଜନଙ୍କର ପଇସା ତା ଉପରେ ବାକି ଥିଲା ସେମାନଙ୍କ ପାଖକୁ ଆଉ ଗଲା ନାହିଁ । ଝିଙ୍ଗୁର ସିଂହ ଛଡ଼ା ଆଉ କେହି ତା ଆଖିକୁ ଦେଖାଗଲେ ନାହିଁ । ଝିଙ୍ଗୁର ସିଂହ ପୁଣି ଏକ ମୁସ୍କିଲ ଲୋକ । ତା’ଠୁ ଟଙ୍କା ଆଣିବ ବୋଲେ ଷ୍ଟାମ୍ପ୍ ଲେଖେଇ ଅଲଗା, ନଜର ଅଲଗା, ପୁଣି ସୁଧ ଅଲଗା; ତା ଛଡ଼ା ବର୍ଷକର ସୁଧ ସେ ଆଗରୁ କାଟି ନେବ । ପଚିଶ ଟଙ୍କାର ଷ୍ଟାମ୍ପ୍ ଲେଖିଦେଲେ ତା’ଠୁ ସତର ଟଙ୍କା ପାଇବା କଷ୍ଟ । ହେଲେ ଏମିତିଆ ଗରଜ ସମୟରେ ଆଉ ଉପାୟ କ’ଣ ? ଜମିଦାରଙ୍କ ଅତ୍ୟାଚାର ନ ଥିଲେ ତା’ ପାଖକୁ ହାତ ପତାଇବାକୁ ଯାନ୍ତା କିଏ ?

 

ହୋରୀ ଗଲାବେଳକୁ ଝିଙ୍ଗୁର ସିଂହ ବସି ଦାନ୍ତ ଘଷୁଥିଲା । ଗେଡ଼ା ହୋଇ ମୋଟା ମଣିଷ ଜଣେ । କିଟିକିଟି କାଳିଆ, ଚାନ୍ଦରା ମୁଣ୍ଡ, ଲମ୍ବା ନାକ, ଏଡ଼େ ଏଡ଼େ ନିଶ ସତେ ଯେମିତି ନାଟରେ ଦୁଆରୀ । ନାଟ ଦୁଆରୀପରି ଭାରି ରହସିଆ ବି ସେ । ଗାଁଟା ଜାଣି ତା’ର ଶଶୁର ଘର । ଗାଁଯାକ କିଏ ତା’ର ଶଶୁର ତ କିଏ ତା’ର ଶଳା, ଗାଁ ମାଇପଙ୍କ ଭିତରୁ କିଏ ଶାଳୀ ତ କିଏ ଭାଉଜ ନମସ୍କାର । ସେ କି ଛାଡ଼ିବା ଲୋକ, ସାଙ୍ଗେ ସାଙ୍ଗେ ଆଶୀର୍ବାଦ କରିଦିଏ–ତୋ ଆଖି ଫୁଟିଯାଉ, ତୋ ଆଣ୍ଠୁ ଭାଙ୍ଗିଯାଉ, ତୋତେ ବାଡ଼ି ଖାଉ, ତମ ଘରେ ନିଆଁ ଲାଗିଯାଉ । ସେତିକିରେ ବି ଟୋକାଙ୍କର ମନ ଥଣ୍ଡା ହୁଏ ନାହିଁ, ଆହୁରି ତା ସଙ୍ଗରେ ଲାଗନ୍ତି । କଥା ସିନା ଏମିତି ରହସିଆ, କିନ୍ତୁ ଦିଆନିଆବେଳେ ଅଧଲାଟାଏ କାହାକୁ ଛାଡ଼ିବ ନାହିଁ । ଟଙ୍କା ପାଇଁ ଆସି ଦୁଆରେ ପହଞ୍ଚି ଗଲେ, ନ ନେଲେ ଆଉ ଉଠିବ ନାହିଁ ।

 

ହୋରୀ ଯାଇ ସଲାମ ପକାଇ ଆପଣା ଦୁଃଖ ଜଣାଇଲା ମାତ୍ରେ ଝିଙ୍ଗୁର ସିଂହ ପଚାରିଲା–ପୁରୁଣା ଟଙ୍କା ସବୁ କ’ଣ କଲ କି ?

 

‘ପୁରୁଣା ଟଙ୍କା ଥିଲେ ମହାଜନଙ୍କ ପାଖରେ ଆଜିଯାଏ ମୁଣ୍ଡ ବିକା ହୋଇଥାନ୍ତା କାହିଁକି-? ସୁଧ ଗଣିବାକୁ କ’ଣ କାହାକୁ ସୁଖ ଲାଗୁଛି ?’

 

‘ସୁଧ ଯେତେ ବଢ଼ୁଥିଲେ ବି ପୋତା ଟଙ୍କା ବାହାରିବା ଟିକିଏ ମୁସ୍କିଲ । ଇଏ ହେଉଛି ତମମାନଙ୍କର ଅଭ୍ୟାସ ।’

 

‘ନାହିଁ ଆଜ୍ଞା, ଖାଇବାକୁ ତ ମିଳୁ ନାହିଁ ପୋତା ଟଙ୍କା ଆସିବ କୁଆଡ଼ୁ । ପୁଅ ଆସି ଭେଣ୍ଡିଆ ହେଲାଣି, ଟଙ୍କା ଥିଲେ କ’ଣ ବାହାଘର କରନ୍ତି ନାହିଁ । ବଡ଼ଝିଅ ଘରଯୋଗ୍ୟ ହୋଇ ବସିଛି, ହାତରେ ଧନ ନାହିଁ ବୋଲି ବାହା ଦେଇପାରୁ ନାହିଁ । ପଇସା ଥିଲେ ଆଉ ପୋତି ରଖନ୍ତି କାହାପାଇଁ ?’

 

ଝିଙ୍ଗୁର ସିଂହ ଯେଉଁ ଦିନ ହୋରୀଘରକୁ ଗାଈ ଦେଖିବାକୁ ଯାଇଥିଲା ସେଦିନୁ ତା’ର ଗାଈ ଉପରେ ଭାରି ଆଖି । ଗାଈର ଚେହେରାରୁ ଜଣା ପଡ଼ୁଥିଲା ପାଞ୍ଚ ସେରରୁ କମ୍ ଦୁଧ ଦେବ ନାହିଁ । ସେହିଦିନୁ ସେ ବରାବର ମନେ ମନେ ପାଞ୍ଚୁଥିଲା ହୋରୀକୁ ଯେମିତି ହେଲେ ବିପତ୍ତିରେ ପକାଇ ତା’ଠୁ ଗାଈଟା ମାରିନେବ । ସେଇ ସୁଯୋଗ ଆଜି ଛାଏଁ ପହଞ୍ଚିବାର ଦେଖି କହିଲା–ହଉ, ହେଲା ଏବେ ତମରି କଥା ହଉ, ମୁଁ ମାନୁଛି ତମ ପାଖରେ ଟଙ୍କା ପଇସା କିଛି ନାହିଁ । କିନ୍ତୁ ତମ ଭଲପାଇଁ ମୁଁ ଏତିକି କହୁଛି, ତମେ କିଛି ଗହଣାଗଣ୍ଠି ବନ୍ଧାଦେଇ ଟଙ୍କା ନେଇଯା । ନାହିଁ ତ ଇଷ୍ଟାମ୍ପ ଲେଖିଦେଲେ ସୁଧ ବଢ଼ିଯିବ, ତମେ ହଇରାଣରେ ପଡ଼ିବ ।

 

ହୋରୀ ରାଣପକାଇ କହିଲା–ଗହଣା ତେଣିକି ଥାଉ, ଘରେ ସୁତାଖିଏ ବି ନାହିଁ । ଧନିୟା ହାତରେ କଡ଼ା ଦି’ପଟା ଅଛି ଯେ ସେଗୁଡ଼ା ପୁଣି ଗିଲ୍‍ଟି ।

 

ତା’ପରେ ଟିକିଏ ସହାନୁଭୂତି ଦେଖାଇଲା ପରି ମୁହଁ କରି ଝିଙ୍ଗୁର ସିଂହ କହିଲା–ଆଚ୍ଛା, ତା’ ହେଲେ ଗୋଟିଏ କାମ କର । ତମେ ଏବେ ଯେଉଁ ଗାଈଟା ଆଣିଛ ମୋତେ ବିକିଦିଅ । ତା’ ହେଲେ ଇଷ୍ଟାମ୍ପ ଲେଖାରୁ ତମେ ରକ୍ଷା ପାଇଯିବ । ଦାଣ୍ଡରେ ପାଞ୍ଚଜଣ ଯାହା ମୂଲ କରିଦେବେ, ତମେ ନେବ । ହଁ, ମୁଁ ଜାଣେ ତମେ ସଉକିରେ ଗାଈ ଆଣିଛ, ହେଲେ ବିପତ୍ତି ପଡ଼ିଛି ଯେତେବେଳେ ଆଉ କ’ଣ କରାଯାଏ !

 

ପହିଲେ ତା କଥା ଶୁଣି ହୋରୀ ହସିଦେଲା । ସେ କଥା ମୋଟେ ବିଚାର କରିବାକୁ ରାଜି ହେଲା ନାହିଁ । କିନ୍ତୁ ମହାଜନ ଲୋକଙ୍କର ଭୀଷଣ ରୂପ ଯେତେବେଳେ ତା ଆଖି ଆଗରେ ନାଚିଗଲା, ଝିଙ୍ଗୁର ସିଂହ କଥାକୁ ସେ ମନେ ମନେ ହେଜିବାକୁ ଚେଷ୍ଟା କଲା । ଭାବିଲା, ଠିକ୍ କଥା ବର୍ତ୍ତମାନ ଗାଈ ଦେଇଦେବେ, ପୁଣି ହାତରେ ପଇସା ହେଲେ ଗାଈ କିଣି ଆଣିବ । ନାହିଁ ଯଦି ତିରିଶ ଟଙ୍କାର ଇଷ୍ଟାମ୍ପ କରିଦିଏ ତେବେ ତ ମିଳିବ ମୋଟେ ପଚିଶ । ପୁଣି ସୁଧ ଦେଇ ନ ପାରିଲେ ତିନି ଚାରି ବର୍ଷରେ ପୂରା ଶହେ ଟଙ୍କା ହୋଇଯିବ । ଆଗରୁ ତ ସେ ଅନୁଭବରୁ ଜାଣିଛି ଯେ କରଜ ଥରେ ହେଲେ ଆଉ ସେଥିରୁ ଛାଡ଼ ପାଇବା ମୁସ୍କିଲ । ତା’ ପରେ ହୋରୀ କହିଲା–ଆଚ୍ଛା ମୁଁ ଘରେ ଯାଇଁ ପଚାରେ, କହିବି ।

 

‘ପଚାରିବ କ’ଣ, ତାଙ୍କୁ ତ ସଫା କହିଦେବ କରଜ କଲେ ନିଜର କ୍ଷତି ଛଡ଼ା ଆଉ ଲାଭ ନାହିଁ ।’

 

‘ମୋତେ କ’ଣ ଆଜ୍ଞା ସେ କଥା ଆଉ ଅବୁଝା ଅଛି । ମୁଁ ଯାଉଛି ଏଇନେ ବୁଝିଦେଇ ଆସୁଛି ।’

 

କିନ୍ତୁ ଘରେ ଯାଇଁ ହୋରୀ ଯେମିତି ଗାଈ କଥା କହିଛି, ସମସ୍ତେ ପାଟି କରି ଉଠିଲେ । ଧନିୟା ତ ଘର କମ୍ପେଇ ଦେଲା, ଝିଅ ଦିହେଁ ସଂସାର ଲେଉଟେଇ ଦେବାକୁ ବସିଲେ । ସମସ୍ତେ କହିଲେ–କରଜ ଯେଉଁଠୁ ଆଣ ପଛେ, ଗାଈ କଥା ପଟିବ ନାହିଁ । ସୁନା କହିଲା–ବିକିବ ଯଦି ମତେ ପଛେ ବିକ, କିନ୍ତୁ ଗାଈ ବିକ ନାହିଁ । ସତକୁ ସତ ଗାଈପାଇଁ ଝିଅ ଦିହେଁ ଜୀବନ ଦେଇ ଦେଇଥିଲେ-। ରୂପା ତ ଗାଈ ବେକରେ ଓହଳି ପଡ଼ୁଥିଲା, ଗାଈକୁ ନ ଖୁଆଇ କେବେହେଲେ ପାଣି ଛୁଇଁ ନଥିଲା-। ଗାଈ କେଡ଼େ ଖୁସୀରେ ତାକୁ ଚାଟେ, କେଡ଼େ ସରାଗରେ ତାକୁ ଚାହେଁ । ଗାଈ ଜନ୍ମ କରିବ ବୋଲି ତାର କେଡ଼େ ଆନନ୍ଦ । ଆଗରୁ ବି ବାଛୁରୀ ନାଁ ଦିଆ ସରିଲାଣି–ମଟରୁ । ବାଛୁରୀ ହେଲେ ତାକୁ ସେ ପାଖରେ ଧରି ଶୋଇବ ବୋଲି ତାର ଚିନ୍ତା । ଗାଈ ପାଇଁ ଦି ଭଉଣୀଙ୍କ ଭିତରେ କେତେଥର ଝଗଡ଼ା, ସୁନା କହେ ଗାଈ ତାକୁ ବେଶି ଭଲପାଏ, ରୂପା କହେ ତାକୁ ବେଶି ଭଲପାଏ-। ସେ ଝଗଡ଼ା ଏବେ ପର୍ଯ୍ୟନ୍ତ ବି ଛିଡ଼ି ନାହିଁ, ଚାଲିଛି ।

 

ହୋରୀ କୌଣସିମତେ ଧନୀୟାକୁ ବୁଝାବୁଝି କରି ପଟେଇ ନେଲା । ଜଣେ ବନ୍ଧୁଠାରୁ ଗାଈଟାଏ ଉଧାର ଆଣି ବିକିଦେବା ଅବା କେଉଁ ବଡ଼ କଥାଟାଏ, ବିପତ୍ତି ପଡ଼ିଲେ ତ ଲୋକେ ଆପଣା ଧରମ ବିକି ଖାଇ ଦେଉଛନ୍ତି । ଏମିତି ଯଦି ନ ହେଉଥାନ୍ତା, ଲୋକେ ବିପଦକୁ ଏତେ ଡରୁଥାନ୍ତେ କାହିଁକି ? ଗୋବରା ବି ବିଶେଷ କିଛି ଆପତ୍ତି କଲା ନାହିଁ, କାରଣ ସେ ତ ତେଣେ ଆଉଗୋଟେ କଥା ନେଇ ମସ୍ତ । ଠିକ ହେଲା, ଝିଅ ଦିହେଁ ରାତିରେ ଶୋଇ ପଡ଼ିଲେ, ଗାଈ ନେଇ ଝିଙ୍ଗୁର ସିଂହ ଘରେ ଛାଡ଼ିଦେଇ ଆସିବାକୁ ହେବ ।

 

ଦିନ ତ କୌଣସିମତେ କଟିଗଲା । ରାତି ହେଲା । ଆଠଟା ବାଜୁ ବାଜୁ ଝିଅ ଦିହେଁ ଖାଇପିଇ ଶୋଇ ପଡ଼ିଲେ । ଗାଈ ଯିବା କଥା ଆଖିରେ ଦେଖିବ ନାହିଁ ବୋଲି ଗୋବରା ଘରୁ କୁଆଡ଼େ ଆଡ଼େଇ ହୋଇ ଚାଲିଗଲା । ଗାଈକୁ ଦେଖି କ’ଣ ତା ଆଖିରେ ଲୁହ ସମ୍ଭାଳି ପାରନ୍ତା । ହୋରୀ ସିନା ଉପରେ ଉପରେ ଟାଣ କରୁଥିଲା, କିନ୍ତୁ ମନ ଭିତରେ ଘାଣ୍ଟିହୋଇ ଯାଇଥିଲା । ଭାବୁଥିଲା, କେହି ହେଲେ ଟଙ୍କା ପଚିଶଟା ବର୍ତ୍ତମାନ ଦେଇ ଦିଅନ୍ତା, ପଚାଶ ଟଙ୍କା ପରେ ନିଅନ୍ତା ପଛେ । ତା ପରେ ହୋରୀ ଯାଇ ଗାଈ ପାଖରେ ଛିଡ଼ା ହେଲା । ତାକୁ ଜଣା ପଡ଼ିଲା ସତେ ଯେମିତି ଗାଈର ଉଜ୍ଵଳ ଆଖି ଦୁଇଟି ଲୁହରେ ଭରି ଯାଇଛି, ଆଉ ସେ କହିବାକୁ ଚାହୁଁଛି....ଦିନ ଚାରିଟାରେ କ’ଣ ମୋଠୁ ମନ ଛିଡ଼ିପଡ଼ିଲା ? ତମେ ତ କହିଥିଲ ଜୀବନ ସାରା ମୋତେ ରଖିବ ବୋଲି । ମୁଁ ତ କେବେହେଲେ ତମ ପାଖରେ କିଛି ଅନ୍ୟାୟ ଅଝଟ କରି ନାହିଁ । ଶୁଖିଲା ପାଚିଲା ଯେତେବେଳେ ଯାହା ଦେଇଛ ମୁଁ ଖୁସୀରେ ଖାଇ କରି ରହିଛି । କ’ଣ କହୁଛ କହୁନା !

 

ଧନିୟା କହିଲା–ଝିଅ ଦିହେଁ ତ ଶୋଇଲେଣି, ନବ ଯଦି ନେଇଯାଉନା କାହିଁକି ? ବିକିବା କଥା ଯଦି, ଏଇନେ ନେଇ ଦେଇ ଆସ ।

 

ହୋରୀର କଣ୍ଠ ଥରିଗଲା । ସେ କହିଲା–କ’ଣ କରିବି ଧନିୟା, ବିକି ଦେବାକୁ ହାତ ତ ଯାଉ ନାହିଁ । ୟାକୁ ନ ଦେଖି କେମିତି ରହିବି କିଛି ଭାବି ପାରୁ ନାହିଁ, ଯା ହବାର ହେବ ପଛେ ସୁଧ ଦେଇ ଟଙ୍କା କରଜ ଆଣିବି, ଗାଈ ବିକିବା କଥା ହେବ ନାହିଁ । ଭଗବାନ ଚାହିଁଲେ ସବୁ ସୁଝି ହୋଇଯିବ । ଖୁବ୍ ହେଲେ ତିନି ଚାରିଶ କରଜ ହେବ, ଆଉ କେତେ ? ଥରେ ଆଖୁ ହୋଇଗଲେ ତେଣିକି ଦେଖିବା ।

 

ସ୍ନେହ ଆଉ ଗର୍ବରେ ଧନିୟାର ଆଖି ଉଜ୍ଵଳି ଉଠିଲା । କହିଲା–ହଁ ସେୟା ନୁହେଁ, ଆଉ କଣ ? ଏତେ ତପସ୍ୟା କରି ଯାହାକୁ ପାଇଛେ, ତାକୁ ପୁଣି ବିକିଦେବା କେମିତି ! ନାହିଁ, ଯାହାହେଉ ପଛେ ତମେ କାଲି ଟଙ୍କା କରଜ ନେଇ ଆସ । ଆଗର ଟଙ୍କା ଯେମିତି ସୁଝା ହେବ, ଏ ଟଙ୍କା ବି ସେମିତି ସୁଝା ହେବ । ସୁଝା ହେବନି ଆଉ କ’ଣ ରହିବ ?

 

ଦୁଆରେ ଭାରୀ ଗରମ ହେଉଥିଲା । ପବନ ବିଲକୁଲ ବନ୍ଦ ହୋଇ ଯାଇଥିଲା ଯେ ପତରଟାଏ ବି ହଲୁ ନଥିଲା । ମେଘ ଯୁଟି ଯାଇଥିଲା କିନ୍ତୁ ବରଷାର କୌଣସି ଲକ୍ଷଣ ଦେଖାଯାଉ ନଥିଲା । ହୋରୀ ଗାଈକୁ ନେଇ ବାହାରେ ବାନ୍ଧି ଦେଲା । କୁଆଡ଼େ ନେଉଛ ବୋଲି ଧନିୟା ପଚାରିବାରୁ ହୋରୀ କିଛି ନ ଶୁଣିଲା ପରି କହିଲା–ନାଇଁ, କୁଆଡ଼େ ନେଇ ନାହିଁ, ବାହାରେ ବାନ୍ଧି ଦେଉଛି, ଟିକିଏ ଆରାମ ହେବ । ତା’ର ତ ପୁଣି ଜୀବନ ଅଛି ? ଗାଈକୁ ପଦାରେ ବାନ୍ଧି ଦେଇ ହୋରୀ ତା ମଝିଆ ଭାଇ ଶୋଭାକୁ ଦେଖିବାକୁ ଗଲା । ଗଲା କେତେ ମାସ ହେଲା ଶୋଭାକୁ ଶ୍ୱାସ ରୋଗ ଧରିଥିଲା । ଔଷଧ ମଉଷଧି ନାହିଁ କି, ଘରେ ଖାଇବାକୁ ନାହିଁ । ସେଥିରେ ପୁଣି ଭୋକ ଉପାସରେ କଠିନ କାମ କରିବାକୁ ପଡ଼ୁଥିଲା । ସେଥିପାଇଁ ଦିନକୁଦିନ ତା ବେମାର ବଢ଼ିଯାଉଥିଲା । ଶୋଭା ଭାରୀ ସହଣିକ ଲୋକ । କଳିକଜିଆକୁ ତାର ଦୂରୁ ଜୁହାର । କାହା ସଙ୍ଗରେ ତାର ଅଭାବ ନଥାଏ, ଆପଣା କାମରେ ଲାଗିଥାଏ । ହୋରୀ ତାକୁ ଯେମିତି ଭଲପାଏ, ସେ ବି ସେମିତି ତାକୁ ଖାତିର କରେ । ଦେଖା ହେଲାରୁ ଦିହିଁଙ୍କ ଭିତରେ ଟଙ୍କା ପଇସା କଥା ପଡ଼ିଲା । ରାୟ ସାହେବଙ୍କର ଏକ ନୂଆ ଜୁଲୁମ ଅତ୍ୟାଚାର କଥା ବି ପଡ଼ିଲା ।

 

ପ୍ରାୟ ଏଗାରଟା ବେଳକୁ ହୋରୀ ଯେତେବେଳେ ଘରକୁ ଫେରିଲା ତାକୁ ଲାଗିଲା ସତେ ଯେମିତି ଗାଈ ପାଖରେ ଜଣେ କିଏ ଛିଡ଼ା ହୋଇଥିଲା । ପଚାରିଲା–କିଏ ସେ ଛିଡ଼ା ହୋଇଛି ?

 

ହୀରା କହିଲା–ଭାଇ, ମୁଁ ତମ ଚୁଲିରୁ ଟିକିଏ ନିଆଁ ନେବାକୁ ଆସିଥିଲି ।

 

ହୀରା ତାଙ୍କ ଚୁଲିରୁ ନିଆଁ ନେବାକୁ ଆସିଥିଲା, ଏତିକି ଶୁଣି ହୋରୀକୁ ଭାରୀ ଖୁସୀ ଲାଗିଲା । ଗାଁରେ କଣ ଆଉ କେଉଁଠି ଚୁଲି ନଥିଲା, ହେଲେ ଭାଇଘର ଚୁଲିକୁ ଆପଣାର ବୋଲି ଭାବୁଛି ବୋଲି ସିନା ଆସିଥିଲା । ଗାଁରୁ ତ ସେମିତି କେତେ ଲୋକ ନିଆଁ ପାଇଁ ଆସନ୍ତି । କିନ୍ତୁ ଅନ୍ୟମାନଙ୍କ କଥା ଭିନେ, ଆଉ ହୀରା କଥା ଭିନେ । ପୁଣି ସେଦିନର ଏତେ କଳିକଜିଆ ମାରପିଟ ପରେ ଆସିବା ତ ଆହୁରି ବଡ଼ କଥା । ହୋରୀ ଭାବିଲା, ଯାହା କହ ହୀରାଟା ରାଗୀ ସିନା, ନଇଲେ ମନଟା ତାର ଭାରୀ ନିର୍ମଳ ।

 

ଭାରୀ ସ୍ନେହଭରା କଣ୍ଠରେ ହୋରୀ କହିଲା–ଚିଲମ ପାଇଁ ପାଖରେ କିଛି ମାଲ ଅଛି ନା ଦେବି ?

 

‘ନାହିଁ, ମୋ ପାଖରେ ଅଛି ।’

 

‘ଶୋଭା ତ ଆଜି ବିଲକୁଲ ହାଲିଆ ହୋଇ ପଡ଼ିଛି ।’

 

‘ହଁ, ଔଷଧ ମଉଷଧି ତ କିଛି ଖାଉନାହିଁ, ହବ କେମିତି ? ଯେତେ ବଇଦ ଡାକ୍ତର ଅଛନ୍ତି, କେହି ତା ମନକୁ ଆସନ୍ତି ନାହିଁ । ଭଗବାନଙ୍କ ପାଖରେ ଯେତେ ବୁଦ୍ଧି ଅକଲ ଥିଲା ତାଙ୍କ ସ୍ତ୍ରୀ ପୁରୁଷ ଦିହିଁଙ୍କ ପାଖକୁ ସବୁ ଚାଲି ଆସିଛି ।’

 

ହୋରୀ ଟିକିଏ ଚିନ୍ତିତ ହୋଇ କହିଲା–ହଁ, କାହା କଥା ମନକୁ ନ ଆଣିବା ତ ଭାରୀ ଖରାପ, ରୋଗ ହେଲେ ଲୋକଗୁଡ଼ା ଚିଡ଼ିଚିଡ଼ା ହୋଇଯାଆନ୍ତି । ତୋର ମନେଥିବ, ତତେ ଯେତେବେଳେ ବେମାର ହୋଇଥିଲା ତୁ କେମିତି ଔଷଧ ତାଟିଆ ପିଙ୍ଗି ଦେଉଥିଲୁ । ମୁଁ ତୋ ହାତକୁ ଧରୁଥିଲି ଆଉ ତୋ ଭାଉଜ ବଳେବଳେ ତୋ ପାଟିରେ ଔଷଧ ପୂରେଇ ଦେଉଥିଲା । ତୋ ମନକୁ ଯାହା ଆସୁଥିଲା ତାକୁ ଗାଳି ଦେଉଥିଲୁ ।

 

‘ହଁ ଭାଇ, ମୁଁ କଣ କେବେ ସେ କଥା ଭୁଲି ପାରିବି । ସେତେବେଳେ ତମେ ଏତିକି ନ କରିଥିଲେ ତମ ସଙ୍ଗେ ଲଢ଼େଇ କରିବା ପାଇଁ ପୁଣି ମୁଁ ବଞ୍ଚିଥାନ୍ତି କେମିତି ? ”

 

‘ହୋରୀକୁ ଜଣା ପଡ଼ିଲା ସତେ ଯେମିତି ହୀରା କାନ୍ଦ କାନ୍ଦ ହୋଇ ଯାଉଛି ।’

 

‘ଆରେ ଭାଇ, କଳିକଜିଆ ତ ସଂସାର ଧରମ, ସେଥିରେ ଗୋଟାଏ କଣ ଅଛି । କଳି କରି କଣ ଆପଣା ଲୋକ କେଉଁଠି ଗଲେଣି ନା ରକତ ଦି ଭାଗ ହୋଇ ଗଲାଣି ? ଘରେ ଜଣକୁ ପାଞ୍ଚଜଣ ରହିଲେ ତ କଳିକଜିଆ ହୁଏ । ଯାର କେହି ନାହିଁ, ତା ସଙ୍ଗେ କଳି କରିବାକୁ ଯାଉଛି କିଏ-?”

 

ଦିହିଁଯାକ ଏକାଠି ଚିଲମ ଟାଣିଲେ । ତାପରେ ହୀରା ଚାଲିଗଲା, ହୋରୀ ଖାଇବା ପାଇଁ ଘର ଭିତରକୁ ଗଲା ।

 

ହୋରୀ ଆସିଲା ମାତ୍ରେ ଧନିୟା ରାଗ ହୋଇ କହିଲା–ତମ ପୁଅ ନୀଳା ସବୁ ଦେଖୁଛ ତ ! ଏତେ ରାତି ହେଲାଣି, ତେବେକେ ମନ ଛାଡ଼ିବାକୁ ନାହିଁ । ମୁଁ ସବୁ ଜାଣେ ମ, ମତେ କଣ କେଉଁ କଥା ଅଛପା ଅଛି ? ଭୋଳାର ଝୁନିଆ ବୋଲି ଯେଉଁ ରାଣ୍ଡ ଝିଅଟା ନାହିଁ, ତାରି ପାଖରେ ତ ପଡ଼ି ରହିଛି ।

 

ଆଗରୁ ବି ହୋରୀ କାନରେ ଏକଥା ଟିକିଏ ବାଜିଥିଲା । କିନ୍ତୁ ତାର ବିଶ୍ୱାସ ହେଉ ନଥିଲା । ଭାବିଲା ଗୋବରା ପିଲାଟା, ଏ ସବୁ କଥା କୁଆଡ଼ୁ ଜାଣିବ । ପଚାରିଲା–ତତେ ଏ ସବୁ କଥା କିଏ କହିଲା ?

 

ଧନିୟା ରାଗରେ ନିଆଁହୋଇ ଯାଇ କହିଲା–ହଁ, ତମରି କାନକୁ ସିନା ଶୁଭୁ ନାହିଁ, ନହିଲେ ଦୁନିଆ ସାରା ତ ଡିବିଡ଼ିବି ବାଜୁଛି । ସେ ରାଣ୍ଡ ତ କେତେ ଘାଟରେ ପାଣି ପିଇଛି, ୟାକୁ ତ ଗଲା ନଚାଉଛି । ଇଏ ତ ଭାବୁଛି ସେ ୟାକୁ ଗୋଟାପଣେ ଜୀବନ ବିକି ଦେଇଛି ବୋଲି । ତମେ ତାକୁ ବୁଝେଇ ଦିଅ, ନାହିଁ ତ କୋଉଠି କଣ ହୋଇଯିବ ବୋଲେ ଆମ କଥା ସରିଯିବ ।

 

ହୋରୀ ତ ଭାରୀ ମନଖୁସିରେ ଘର ଭିତରକୁ ଆସିଥିଲା । ଟିକିଏ ପରିହାସ କରି କହିଲା–କାହିଁକି ମ, ଝୁନିଆ ତ ଦେଖିବାକୁ ସେମିତି କିଛି ଖରାପ ନୁହେଁ । ତା ସଙ୍ଗେ ବାହାଘର କରି ଦେଉନ ! ଏମିତି ଶସ୍ତାରେ ବୋହୂ ମିଳିବ କେଉଁଠୁ ?

 

ହୋରୀର ଏ ପ୍ରକାର ପରିହାସ ଶୁଣି ଧନିୟା ଦେହରେ ଛୁରୀ ଚାଲିଗଲା, କହିଲା–ସେ ରାଣ୍ଡ ଯଦି ମୋ ଦୁନିଆକୁ ଆସେ ତେବେ ତା ମୁହଁରେ ନିଆଁଖୁଣ୍ଟା ମାଡ଼ିଦେବି । ଗୋବରାର ଯଦି ମନ ହେଉଛି ତାକୁ ନେଇଯାଇ ସେ ଆଉ କେଉଁଠି ରହୁ ।

 

‘ଯଦି ଗୋବରା ଏଠିକି ଆଣେ ?’

 

‘ତେବେ ତମେ ଏ ଝିଅ ଦିହିଁକି କାହା ବେକରେ ବାନ୍ଧିବ ? ବନ୍ଧୁବାନ୍ଧବ ତ କେହି ତମ ମୁହଁ ଚାହିଁବେ ନାହିଁ, କି ତମ ଦୁଆର ମାଡ଼ିବେ ନାହିଁ ।’

 

‘ଗୋବରାର କେଉଁ ଖାତିର ଅଛି ।’

 

‘ନାହିଁ, ସେ କଥା ପଟିବ ନାହିଁ । ମରି, କଷ୍ଟକରି ମୁଁ ତାକୁ ପାଳିବି ଆଉ ଝୁନିଆ ଆସିକରି ଏଠି ରାଣୀ ହେବ; ରାଣ୍ଡ ମୁହଁରେ ଆଉ ନିଆଁ ନଗେଇ ଦେବିନି ?’

 

ହଠାତ୍ ଗୋବରା ଆସି କ’ଣ ହୋଇଗଲା ପରି କହିଲା–ବାପା ସୁନ୍ଦରିୟାର କ’ଣ ହେଲା କି ? ସାପ କାମୁଡ଼ିଲା କି ? ତଳେ ପଡ଼ି ଗଁ ଗଁ ହେଉଛି କିଆଁ ?

 

ହୋରୀ ଖାଇବା ପାଇଁ ବସି ଯାଇଥିଲା, ଥାଳି ଛାଡ଼ି ସାଙ୍ଗେ ସାଙ୍ଗେ ଦାଣ୍ଡକୁ ବାହାରି ଆସି କହିଲା–କି ଅମଙ୍ଗଳ କଥା କହୁଛୁ ମ, ମୁଁ ଏଇନେ ଦେଖି ଯାଇଥିଲି, ଶୋଇଥିଲା ।

 

ତିନିହେଁଯାକ ଦାଣ୍ଡକୁ ଯାଇ ଆଲୁଅ ନେଇ ଦେଖିଲେ ଗାଈ ମୁହଁରୁ ଫେଣ ଗଳଗଳ ବାହାରି ଯାଉଛି, ଆଖି ପଥର ହୋଇ ଯାଇଛି, ପେଟ ଫୁଲି ଯାଇଛି, ଚାରିକାତ ଲମ୍ବେଇ ଗାଈ ପଡ଼ି ରହିଛି, ଦେଖିଲାକ୍ଷଣି ଧନିୟା ମୁଣ୍ଡପିଟି ରଡ଼ି ବସିଲା, ହୋରୀ ଧାଇଁଲା ପଣ୍ଡିତ ଦାତାଦୀନ୍ ପାଖକୁ, କାରଣ ଗାଁ ଯାକରେ ସେଇ ଏକା ଗୋରୁଗାଈଙ୍କ କଥା କିଛି ଜାଣେ । ପଣ୍ଡିତ ବିଚାରା ଶୋଇବାକୁ ଯାଉଥିଲା, ଶୁଣିଲାମାତ୍ରେ ଦୌଡ଼ିକରି ଆସିଲା, ଆଖି ପିଛୁଳାକେ ଗାଁ ଯାକ ଆସି ଜମା ହୋଇଗଲେ, ସଫା ଜଣା ପଡ଼ୁଥିଲା ଗାଈକୁ କିଏ ବିଷ ଦେଇଥିଲା । ହେଲେ ଗାଁରେ ଏମିତି କିଏ ପୁଅ ଅଛି ଗାଈକୁ ବିଷ ଦେବାକୁ କା ହାତ ଯିବ । ଗାଁରେ ତ ଏମିତି କେବେହେଲେ ଘଟି ନଥିଲା, ବାହାରୁ ଅବା କିଏ ଆସିଥିବେ, କିନ୍ତୁ ହୋରୀର ତ ଏମିତି କେହି ଶତ୍ରୁ ନଥିଲେ ଯାହାକୁ ସନ୍ଦେହ କରାଯାଇ ପାରିବ । ଅବଶ୍ୟ ହୀରା ସଙ୍ଗେ କିଛିଦିନ ତଳେ କଳିକଜିଆ ହୋଇଥିଲା, କିନ୍ତୁ ସେ ତ ଖାଲି ଭାଇ ଭାଇ କଳି, ସେ ତ ଆଉ ଏମିତି ଛୋଟଲୋକ ନୁହେଁ ଯେ ଗାଈକୁ ବିଷଦେଇ ମାରିଦେବ । ବରଂ ସେ ଏଥିରେ ସବୁଠୁ ବେଶୀ ଦୁଃଖୀ । ସେ ପାଟିକରି କହିଲେ–ଗାଈକୁ ଯେ ମାରିଛି, ତାକୁ ଏଇନେ ପା’ନ୍ତି ବୋଲେ ତା’ରକ୍ତ ପିଇ ଦିଅନ୍ତି । ହଜାର ରାଗୀ ହେଲେ ବି ଏମିତିଆ କାମ ସେ କେବେ କରି ପାରିବ ନାହିଁ ।

 

ରାତି ଅଧଯାଏ ଲୋକ ଜମା ହୋଇ ରହିଲେ, ମାରିବା ଲୋକକୁ ଲକ୍ଷ୍ୟକରି ଖୁବ୍ ଗାଳିଦେଲେ, ସେତେବେଳେ ଯଦି ମାରିବା ଲୋକ ମିଳି–ଯାଇଥାନ୍ତା, ତାକୁ ବୋଧହୁଏ ଜୀଅନ୍ତା ଖାଇ ଯାଇଥାନ୍ତେ । ଲୋକେ ଭାବିଲେ ଆଜିଯାଏ ତ ଗୋରୁ ଗାଈ ପଦାରେ ପଡ଼ି ରହୁଥିଲେ, ଯଦି ଏମିତି ହେବ ତେବେ ଲୋକେ ପଦାରେ ବାନ୍ଧିବେ କେମିତି ? ଏମିତି ବିପତ୍ତି ତ କେବେ ଜଣା ନଥିଲା; ଇଏ ପୁଣି ନୂଆ ବିପତ୍ତି ଆସି କେଉଁଠୁ ଜୁଟିଲା । କ’ଣ ଏମିତି ସେମିତି ଗାଈ ହୋଇଛି, ସେମିତି ଗାଈକୁ ପରା ପୂଜା କରିବା କଥା, ଦୁଧ ପାଞ୍ଚ ସେରରୁ କମ୍ ନୁହେଁ, ବାଛୁରୀ ହୋଇଥିଲେ ଶହ ଶହ ଟଙ୍କା ହୋଇଥାନ୍ତା, ଘରେ ଆସି ପଶୁ ପଶୁ ମୁଣ୍ଡରେ ଏମିତି ବଜ୍ର ପଡ଼ିବ ବୋଲି କିଏ ଜାଣିଥିଲା !

 

ସବୁଲୋକ ଘରକୁ ଚାଲିଗଲା ପରେ ଧନିୟା ହୋରୀକୁ ଖୁବ୍ ଗାଳି ଦେଲା–ତମକୁ ତ ହଜାରେ କହିଲେ ତମେ କା କଥା ଶୁଣିବ ନାହିଁ, ନିଜ ମନକୁ ଯାହା ପାଇବ କରିବ, ଗାଈକୁ ଦୁଆରୁ ଫିଟାଇଲା ବେଳୁ ମୁଁ କହୁଛି–ଆଜିକାଲି ଆମକୁ ଖରାପ ଯୋଗ ପଡ଼ିଛି, ଭଲଅଛି ମନ୍ଦଅଛି ଗାଈକୁ ପଦାକୁ ନିଅନାହିଁ । କ’ଣ ନା ତାକୁ ଗରମ ହେଉଛି, ଏବେ ଗାଈ ଥଣ୍ଡା ହୋଇଗଲା, ତମ କଲିଜା ବି ଥଣ୍ଡା ହୋଇଗଲା, ଝଙ୍ଗୁର ସିଂହ ତ ଗାଈ ମାଗିଥିଲା, ଦେଇ ଆସିଥିଲେ ଯାଇଥାନ୍ତା, ମୁଣ୍ଡ ଉପରୁ ବୋଝ ଯାଇଥାନ୍ତା, କାମକୁ କାମ ହୋଇଥାନ୍ତା । ଏମିତି ଚାପୁଡ଼ା ବାଜିବାକୁ ଯେତେବେଳେ ଥିଲା, ଭଲବୁଦ୍ଧି ଦିଶନ୍ତା କୁଆଡ଼ୁ ? ବିପତ୍ତି ଯେତେବେଳେ ଆସେ, ମଣିଷର ବୁଦ୍ଧି ଆପେ କୁଆଡ଼େ ହଜିଯାଏ । ଆଜିଯାଏ ତ ଦୁଆରେ ବନ୍ଧା ହେଉଥିଲା ଯେ କେବେ ଗରମ ହେଉ ନଥିଲା । ଆଜି କ’ଣ ଆଉ ଗରମ ହେଲା । ସମସ୍ତଙ୍କୁ ସେ ଏମିତି ଚିହ୍ନି ଯାଇଥିଲା ଯେ ଲାଗୁଥିଲା ସତେ ଯେମିତି ଏଇ ଘରେ ଜନମ ହୋଇଥିଲା । ପିଲାଏ ତା ଶିଂଘରେ ଓହଳି ହେଲେ ଭୁଲରେ କେବେ ମୁଣ୍ଡ ହଲାଇ ଦେଉ ନଥିଲା, କୁଣ୍ଡରେ ଯାହିତାହି ଦେଇ ଦେଉଥିଲେ ଚାଟିଚୁଟି ସଫା କରି ଦେଉଥିଲା । ଆମ ପୋଡାକପାଳକୁ ପୁଣି ଲକ୍ଷ୍ମୀ ଠାକୁରାଣୀ ରହନ୍ତେ କେମିତି !

 

ଝିଅ ଦିହେଁ ଆଉ ଗୋବରା କାନ୍ଦି କାନ୍ଦି ଶୋଇ ପଡ଼ିଲେ, ହୋରୀ ବି ଶୋଇବାକୁ ଗଲା-। ଏତିକିବେଳେ ଧନିୟା ହୋରୀ ପାଖରେ ପାଣି ଢାଳେ ରଖିଦେବାକୁ ଆସିବାରୁ ହୋରୀ ଚୁପ୍ କରି ତାକୁ କହିଲେ–ତୋତେ ଗୋଟିଏ କଥା କହନ୍ତି ଯେ ତୋ ପେଟରେ ତ କିଛି ରହେ ନାହିଁ-। ଶୁଣିଲା ମାତ୍ରେ ବୁଲି କରି ଧେଣ୍ଡୁରା ପିଟିବୁ ।

 

ଧନିୟା କହିଲା–ନାହିଁମ କହ, କେବେ ତମେ କ’ଣ କହିଥିଲ ଯେ ମୁଁ ଧେଣ୍ଡୁରା ପିଟିଥିଲି-?

 

‘ଆଚ୍ଛା କହିଲୁ ତୋର କା ଉପରେ ସନ୍ଦେହ ହେଉଛି ?’

 

‘ମୋର ତ କାହାକୁ ସନ୍ଦେହ ହେଉନାହିଁ, ବାହାରର ଲୋକ କିଏ ହୋଇଥିଲେ ହୋଇଥିବ ଅବା ।’

 

‘କାହାକୁ କହିବୁ ନାହିଁ ତ ।’

 

‘ମଲା, କହିବି ନାହିଁ ତ ଗାଁଲୋକେ ପୁଣି ମୋ ପାଇଁ ଗହଣା ଗଢ଼େଇ ଦେବେ କେମିତି-?

 

‘କାହାକୁ କହିବୁ ତ ପୁଣି ଦେଖିବୁ ।’

 

‘ମୋତେ ମାରି କରି ତମର ମଙ୍ଗଳ ହେବ ନାହିଁ ମ, ଏ ବୟସରେ ଆଉ ନୂଆ ମାଇପ ମିଳିବେ ନାହିଁ । ଜୀଇଁଥିବାଯାକ ତମରି ଘର ସମ୍ଭାଳିବି, ମଲା ଦିନ ମୁଣ୍ଡରେ ହାତଦେଇ କାନ୍ଦୁଥିବ । ଏବେ ତ ମୁଁ ଗୋଟିପଣେ ଖରାପ, ସେତେବେଳେ ଖାଲି ଆଖିରୁ ଲୁହ ବୋହୁଥିବ ।’

 

‘ମୋର ସନ୍ଦେହ ହେଉଛି ହୀରା ଉପରେ ।’

 

‘ଅସମ୍ଭବ, ହୀରାର ସିନା ପାଟି ଖରାପ, ହେଲେ ଏମିତିଆ ଛୋଟ କାମ କରିବାକୁ ତା ହାତ ଯିବ ନାହିଁ ।’

 

‘ନାହିଁ, ମୁଁ ପରା ଆଖିରେ ଦେଖିଛି, ଏଇ ତ ତୋ ମୁଣ୍ତ ଛୁଉଁଛି ।’

 

‘ଆଖିରେ ଦେଖିଲ କେତେବେଳେ ?’

 

‘ମୁଁ ଯେତେବେଳେ ଶୋଭା ଘରଠୁ ଫେରି ଆସୁଥିଲି ଦେଖିଲି ହୀରା ସୁନ୍ଦରିୟା କୁଣ୍ଡ ପାଖରେ ଛିଡ଼ା ହୋଇଛି, ପଚାରିଲି ‘କିଏସେ ?’ କହିଲେ–ମୁଁ ହୀରା । ଦିହେଁଯାକ ଚିଲମ ଟାଣିଲୁ; ଟିକିଏ ଛିଡ଼ାହେଲୁ, ତା’ପରେ ମୁଁ ତ ଘରକୁ ଆସିଲି, ସେ ଘରକୁ ଗଲା, ଠିକ୍ ତା’ପରେ ଗୋବରା ପାଟିକଲା । ଲାଗୁଛି ଯେମିତି ମୁଁ ଗାଈ ବାନ୍ଧିକରି ଶୋଭା ଘରକୁ ଯିବା ପରେ ସେ ଆସି କିଛି ଖୁଆଇ ଦେଇଛି । ହୋଇଥିବ ପୁଣି ମଲାଣି କି ନାହିଁ ଦେଖିବା ପାଇଁ ଆସିଥିବ ।’

 

‘ଧନିୟା ଦୀର୍ଘ ନିଶ୍ଵାସ ପକାଇ କହିଲା–ଦୁନିଆରେ ପୁଣି ଏମିତିଆ ଭାଇ ଥା’ନ୍ତି ଯେ କିଛି ନ ବିଚାରି ଆପଣା ଭାଇର ତଣ୍ଟି କାଟନ୍ତି । ହେ ଭଗବାନ ! କେମିତିଆ ମନ ସତେ ତାର, ଅରକ୍ଷିତକୁ କେତେ କଷ୍ଟକରି ପାଳି ପୋଷି କରି ବଢ଼େଇ ନଥିଲି ସତେ ।

 

‘ଆଚ୍ଛା ଯା ଶୋଇବୁ, ଭୁଲରେ ଯେମିତି କାହାକୁ ନ କହୁ ।’

 

‘ଆଉ ଶୋଇବି କ’ଣ ? ରାତି ନ ପାହୁଣୁ ତାକୁ ଯଦି ଥାନାରେ ନ ବନ୍ଧାଇଛି ତେବେ ମୁଁ ବାପର ପିଲା ନୁହେଁ । ଏହି ଗୋରୁମରାକୁ ପୁଣି ଭାଇ କହିବ, ଏଇଟା କୁଆଡ଼େ ଭାଇ ହେବା ଯୋଗ୍ୟ ? ସେ ଆମର ଅସଲ ଶତ୍ରୁ ତାକୁ ମାରିବା ଦରକାର, ଶତ୍ରୁକୁ ମାଇଲେ ପାପ, ନା, ଛାଡ଼ିଦେଲେ ଅଧିକ ପାପ ।’

 

ହୋରୀ ଧମକ ଦେଇ କହିଲା–ଦେଖ ଧନିୟା, ମୁଁ କହିଦେଇଛି, ପାଟିକଲେ ଭାରୀ ଅନର୍ଥ ହେବ ।

 

ଧନିୟା ଅମାନିଆ ହୋଇ କହିଲା–ଅନର୍ଥ କ’ଣ, ଯେଡ଼େ ଇଚ୍ଛା ସେଡ଼େ ଅନର୍ଥ ହୋଇଗଲେ ମୋର ଖାତିର ନାହିଁ । ପୁଅକୁ ଜେଲଘରେ ନ ଢୁକେଇ ମୁଁ ଛାଡ଼ିବି ନାହିଁ । କହିଦେଉଛି, ତିନି ବରଷ ଘଣା ପେଲେଇବି, ତିନି ବରଷ ପୁଣି ଜେଲରୁ ଫିଟିଲେ ଗୋରୁମରା ପାପ ଲାଗିବ, ବୁଲି କରି ତୀର୍ଥ କରିବ, ବ୍ରାହ୍ମଣଭୋଜନ ହେବ, ପୁଅ ଯିବ କୁଆଡ଼େ ? ଆଉ ସାକ୍ଷୀ କରିବି ତମକୁ, ତମେ ପୁଅମୁଣ୍ଡରେ ହାତ ଦେଇକରି କହିବ ।

 

ଧନିୟା ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲା । ହୋରୀ ବାହାରେ ଶୋଇ ଗୁରୁଗୁରୁ ହୋଇ ଗାଳିଦେଲା । ଭାବିଲା ନିଜ ପେଟରେ ଯେତେବେଳେ କଥା ରହୁନାହିଁ, ଧନିୟା ପେଟରେ କ’ଣ ସତେ ରହିବ ? ଚାଣ୍ଡାଳୁଣୀ କ’ଣ କେବେ କା କଥା ଶୁଣିବ ? ଥରେ ଯଦି ଜିଦ ଧରି ବସିଲା ଆଉ ଛାଡ଼ିବ ନାହିଁ । ତାକୁ କହିଦେଇ ଜୀବନରେ ଇଏ ଗୋଟେ ବଡ଼ ଭୁଲ ସେ କଲା-। ଚାରିଆଡ଼ ଅନ୍ଧାର, ଶୂନଶାନ । ମଝିରେ ମଝିରେ ଖାଲି ଗୁହାଳେ ଗୋରୁଙ୍କ ଘଣ୍ଟି ଶୁଭୁଥାଏ-। ଦଶହାତରେ ମଲାଗାଈ ପଡ଼ି ରହିଥାଏ, ହୋରୀ ଚିନ୍ତାରେ ପଡ଼ିରହି କର ଲେଉଟାଉଥାଏ-। ନିବିଡ଼ ଅନ୍ଧାର ଭିତରେ ଆଲୋକର କ୍ଷୀଣରେଖା ପର୍ଯ୍ୟନ୍ତ ଦେଖାଯାଉ ନଥାଏ-

Image

 

Unknown

ନବମ ପରିଚ୍ଛେଦ

 

ତହିଁଆର ଦିନ ସକାଳୁ ହୋରୀ ଘରେ ମହା ଗଣ୍ଡଗୋଳ । ହୋରୀ ଯେତିକି ମାରିଲା ଧନିୟା ସେତିକି ପାଟିକରି ଗାଳିଦେଲା । ଝିଅ ଦିହେଁ ବାପ ଗୋଡ଼କୁ କୁଣ୍ଢେଇ ପାଟିକରି ରଡ଼ିଲେ । ଗୋବରା ବରାବର ବାପକୁ ପଛକୁ ପେଲିଦେଇ ମା’କୁ କୌଣସିମତେ ବଞ୍ଚେଇଲା । ଧନିୟା ପାଟିରୁ ଗାଳି ବାହାରିବା ମାତ୍ରେ ହୋରୀ ଗୋବରାଠୁ ହାତ ଛଡ଼ାଇନେଇ ତାକୁ ମାରିଲା । ରାଗରେ ହୋରୀର ସତେ ଯେମିତି ଭେଣ୍ଡିଆ ବଳ ଫେରିଆସିଲା । ଗାଁସାରା ଚହଳ ପଡ଼ିଗଲା । କଳିକଳିଆ ଭାଙ୍ଗିଦେବା ନାଁରେ ଲୋକେ ମଜା ଦେଖିବାକୁ ଆସି ଜମା ହୋଇଗଲେ । ଶୋଭା ଲାଠି ଧରିଆସି ଠିଆହେଲା ।

 

ଦାତାଦୀନ ଖୁବ୍ ରଗଡ଼ ପକାର କହିଲା–ଏ କ’ଣ ହେଉଛି ହୋରୀ, ତୁ କ’ଣ ପାଗଳ ହୋଇ ଗଲୁଣି କି ? ଘରର ଲକ୍ଷ୍ମୀକି ଏମିତି ହାତ ପୂରେଇ କରି ମାରେ କିଏ ? ତୋଠି ତ ଏମିତି କଥା କେବେ ଦେଖା ନଥିଲା । ଏବେ କ’ଣ ହୀରା ରୋଗ ଧରିଲାଣି କି ?

 

ହୋରୀ ଦାତାଦୀନର ପାଦ ଛୁଇଁ କହିଲା–ଆଜି ଆଜ୍ଞା, ମୋତେ କିଛି କହନ୍ତୁ ନାହିଁ, ତା ବଦମାସୀ ଛାଡ଼ିଲେ ଯାଇଁ ତାକୁ ଛାଡ଼ିବି । ମୁଁ ଯେତିକି ତୁନି ହୋଇ ରହୁଛି, ସେ ସେତିକି ଦିନକୁ ଦିନ ମୋ ମୁଣ୍ଡ ଉପରେ ଚଢ଼ିବସୁଛି ।

 

ଧନିୟା ରାଗରେ କାନ୍ଦି କାନ୍ଦି କହିଲା–ହଜୁର ଜାଣି ଆଜି ମୋର ସାକ୍ଷୀ ରହିଲେ । ମୁଁ ୟାକୁ ଆଉ ୟା ଗୋରୁମରା ଭାଇ ଦିହିଁଙ୍କଯାକକୁ ଜିହଲ ଘରେ ଢୁକେଇଲେ ଯାଇ ପାଣି ପିଇବି । ତା ଗୋରୁମରା ଭାଇ ଚଣ୍ଡାଳ ବିଷ ଦେଇ ଗାଈକୁ ମୋର ମାରିଲା, ମୁଁ ଇତାଲା ଦେବାକୁ ଥାନାକୁ ବାହାରିଲାରୁ ଏଇ ମଣିଷମରା ଚଣ୍ଡାଳ ମୋତେ ମାରୁଛି । ୟା’ରି ପାଇଁ କଷ୍ଟ ଜୀବନଟାକୁ ମାଟିରେ ମିଶାଇ ଦେଲି ନା, ତା’ରି ଫଳ ଏବେ ମୋତେ ଦେଉଛି ।

 

ହୋରୀ ଦାନ୍ତ କାମୁଡ଼ି ଆଖି ଲାଲ୍ ଲାଲ୍ କରି କହିଲା–ପୁଣି ସେହି କଥା କହୁଛୁ ? ସେ ବିଷ ଖୁଆଇବାର ତୁ ଆଖିରେ ଦେଖିଛୁ ?

 

‘ତୁ ରାଣ ପକାଇ କହିବୁ ଦେଖିଆ, ହୀରା ଗାଈ କୁଣ୍ଡ ପାଖରେ ଛିଡ଼ା ହୋଇଥିବାର ତୁ ଦେଖିଛୁ କି ନାହିଁ ?

 

‘ହଁ, ମୁଁ ରାଣ ପକାଇ କହୁଛି, ମୁଁ ଦେଖି ନାହିଁ ।’

 

‘ଖାଲି ସେମିତି କ’ଣ, ପୁଅ ମୁଣ୍ଡରେ ହାତ ଦେଇକରି ରାଣ ପକା ।’

 

ହୋରୀ ଥରି ଥରି କରି ଗୋବରା ମୁଣ୍ଡରେ ହାତ ଦେଇ କହିଲା–ମୁଁ ପୁଅରାଣ ପକାଇ କହୁଛି, ମୁଁ ହୀରାକୁ କୁଣ୍ଡ ପାଖରେ ଦେଖି ନାହିଁ ।

 

ଧନିୟା ଭୂଇଁରେ ଥୁକ ପକାଇ କହିଲା ଛି, ଛି, ଧିକ ତୋ ମିଛୁଆପଣକୁ । ତୁ ପରା ନିଜେ ମୋତେ କହିଛୁ ହୀରା ଚୋରପରି କୁଣ୍ଡ ପାଖରେ ଛିଡ଼ା ହୋଇଥିଲା, ଏବେ ଭାଇପଟିଆ ହୋଇ ମିଛ କହୁଛୁ ? ଧିକ ତୋ ଜୀବନ ! ଦେଖ, ମୋ ପୁଅର ଯଦି ରୁମ ବଙ୍କା ହୋଇଛି, ତେବେ ତୋ ଘରେ ଯଦି ନିଆଁ ଲଗେଇ ନ ଦେଇଛି ମୋତେ କହିବୁ । ହେ ଭଗବାନ୍, ମଣିଷ ନିଜ ପାଟିରେ ସତ କହି ପୁଣି କେମିତି ମିଛ କହେ, ନାଜମାଡ଼େ ନାହିଁ କେଜାଣି ?

 

ହୋରୀ ଭୂଇଁରେ ଗୋଡ଼ ବାଡ଼େଇ କହିଲା–ଧନିୟା, ତୋ ଭଲ ମଙ୍ଗଳକୁ ଯଦି ବାଟ ଅଛି ଆଉଗୁଡ଼େ ରାଗ ଦେଖା ନାହିଁ, ମୁଁ କହୁଛି ।

 

‘ମାରିଲୁଣି ତ ମାରେ, ମୁଁ କ’ଣ ନାହିଁ କରୁଛି । ତୁ ଯଦି ବାପର ପୁଅ ହୋଇଥିବୁ ତେବେ ଆଜି ମୋତେ ମାରିସାରି ପାଣି ପିଇବୁ । ଏତେ ମାରି ମାରି ବି ତୋ ମନ ପୂରି ନାହିଁ । ଭାବିଛୁ ମୋତେ ମାରି କରି ତୁ ମାଲ ବନିଯିବୁ ! ଭାଇଙ୍କ ପାଖରେ କାଣୀ ବିଲେଇ ହୋଇ ଯାଉଛୁ, ମୋ’ରି ଉପରେ ହେଉଛୁ ଅଣ୍ଡିରା !’

 

ଧନିୟା ପାଟିକରି ବାହୁନି ବାହୁନି କାନ୍ଦିଲା–ଆସିଲାଦିନୁ ଘରେ ସେ କେଉଁ କଷ୍ଟ ନ କରିଛି । ପେଟକୁ କାଟି କେତେ କଷ୍ଟରେ ପଇସେ ଅଧଲେ ନ ସଞ୍ଚିଛି । ଘରଯାକ ସମସ୍ତଙ୍କୁ ଖୁଆଇ କେତେ ରାତି ସେ ଖାଲି ପାଣି ପିଇ ନ ଶୋଇଛି । ପୋଡ଼ା କପାଳକୁ ତା’ର ସବୁ କଷ୍ଟ ପାଇଁକି ଏଇ ପୁରସ୍କାର ! ଭଗବାନ ଏତେ ଅନ୍ୟାୟ କେମିତି ବସିକରି ଦେଖୁଛନ୍ତି କେଜାଣି, ତାକୁ ଟିକିଏ ହେଲେ ଆଢ଼ୁଆଳ କରୁ ନାହାନ୍ତି । ଗଜ ନିସ୍ତାରଣ କରିବାପାଇଁ, ଦ୍ରୌପଦୀଙ୍କୁ ରଖିବାପାଇଁ ବୈକୁଣ୍ଠ ଛାଡ଼ି ଧାଇଁ ଆସିଥିଲେ, ଆଉ ତା କପାଳକୁ କେହି ନାହିଁ ।

 

ଆସ୍ତେ ଆସ୍ତେ ଲୋକେ ଧନିୟା ପଟ ହୋଇଗଲେ । ହୀରା ଯେ ଗାଈକୁ ମାରିଛି, ଏ ବିଷୟରେ ଆଉ କାହାର ସନ୍ଦେହ ରହିଲା ନାହିଁ । ଲୋକେ ବି ଠିକ୍ ଜାଣି ପାରିଲେ ହୋରୀ ମିଛରେ ପୁଅମୁଣ୍ଡ ଛୁଇଁଛି । ବାପର ଏହି ମିଛ ରାଣପକା ଦେଖି ଅଶୁଭ ଆଶଙ୍କା କରି ଗୋବରା ବି ବାପ ଉପରେ ବିଗିଡ଼ି ଗଲା । ଦାତାଦୀନ ପୁଣି ଦି’ ପଦ ରଗଡ଼ି ଦେବାରୁ ହୋରୀ ଚୁପ୍ ହୋଇ ସେଠୁ ଖସିଗଲା । ଶେଷରେ ସତ୍ୟରଇ ଜିତାପଟ ହେଲା ।

 

ତା’ ପରେ ଦାତାଦୀନ ଶୋଭାକୁ ପଚାରିଲା–ଶୋଭା, ତମେ କ’ଣ କିଛି ଜାଣ ? କଥାଟା ପ୍ରକୃତରେ କ’ଣ ?

 

ଶୋଭା ଭୂଇଁରେ ବସିପଡ଼ି କହିଲା–ମହାଜନ ଆଜ୍ଞା, ମୁଁ ତ ଆଠଦିନ ହେଲା ବେମାର ଯେ ଘରୁ ବାହାରିବାକୁ ନାହିଁ । ହୋରୀଭାଇ ଯାଇ କିଛି କିଛି ଦେଇଆସେ, ସେତିକିରେ ଆମର କୃତ୍ୟ ଚଳେ । କାଲି ରାତିରେ ବି ମୋ ପାଖକୁ ଭାଇ ଯାଇଥିଲା । ଏତକ ଛଡ଼ା ମୁଁ ଆଉ କିଛି ଜାଣେ ନାହିଁ । ହଁ, କାଲି ସଞ୍ଜବେଳେ ହୀରା ମୋ ପାଖକୁ ଖୁରପି ମାଗିବାକୁ ଯାଇଥିଲା, କହୁଥିଲା କ’ଣ ଔଷଧ ଖୋଳିକରି ଆଣିବ ବୋଲି । ସେତିକିବେଳୁ ତା’ର ମୋର ଆଉ ଭେଟ ହୋଇ ନାହିଁ ।

 

ଧନିୟା ଏତିକି ବଳ ପାଇ କହିଲା–ପଣ୍ଡିତ ଦାଦା, ଇଏ ଆଉ କାହାରି ନୁହେଁ, ଏକା ତା’ରି କାମ । ଶୋଭା ଘରୁ ଖୁରପି ମାଗିଆଣି କ’ଣ ଚେରମୂଳ ଖୋଳିଆଣି ତ ଖୁଆଇ ଦେଲା । ସେଦିନ ରାତିରେ ଯେଉଁ କଳିକଜିଆ ହୋଇଥିଲା ସେଇଦିନୁ ତ ରକତ ଚାଉଳ ଚୋବେଇ କରି ବସିଥିଲା ।

 

ଦାତାଦୀନ କହିଲା–କଥାଟା ସତ ହୋଇଥିଲେ ତାକୁ ଦୋଷ ଯେମିତି ହେଲେ ଲାଗିବ-। ପୁଲିସ ଯାହା କରୁ ବା ନ କରୁ ଦଇବ ଦଣ୍ଡ ତ କୁଆଡ଼େ ଛାଡ଼ ଯିବ ନାହିଁ । ଗଲୁ ରୂପା, ହୀରାକୁ ଡାକି ଆଣିଲୁ । କହିଦେବୁ ପଣ୍ଡିତ ଦାଦା ଡାକୁଛନ୍ତି । ଯଦି ସେ ମାରି ନାହିଁ ତେବେ ସେ ଗଙ୍ଗା ଜଳ ଧରି ତୁଳସୀ ମୂଳରେ ନିୟମ କରିଦେଉ, କାମ ଛିଡ଼ିଯିବ ।

 

ଧନିୟା କହିଲା–ଆଜ୍ଞା, ତା ରାଣରେ କେଉଁ ବିଶ୍ୱାସ ଅଛି ? ସାଙ୍ଗେ ସାଙ୍ଗେ ସେ ରାଣ ପକାଇ ଦେବ । ଇଏ ତ ଏଡ଼େ ଧରମକାରୀ ଯେ ମିଛର ରାଣ ପକାଇ ଦେଲା, ହୀରାଠେଇ ଅବା କେଉଁ ବିଶ୍ୱାସ ଅଛି ?

 

ଗୋବରା କହିଲା–ପକା ସମସ୍ତେ ମିଛ ରାଣ, ବୁଢ଼ା ସବୁ ଜୀଇକରି ରହନ୍ତୁ, ଗଜାଭେଣ୍ଡିଆ ସବୁ ମୂଳରୁ ମରନ୍ତୁ ।

 

ରୂପା ସାଙ୍ଗେ ସାଙ୍ଗେ ଫେରିଆସି କହିଲା–ପଣ୍ଡିତ ଦାଦା, କକା ଘରେ ନାହିଁ । ଖୁଡ଼ି କହିଲା–ସେ କୁଆଡ଼େ ଚାଲିଗଲାଣି । ଦାଦାଦୀନ ଲମ୍ବା ପାଚିଲା ଦାଢ଼ୀକୁ ଆଉଁସିଦେଇ କହିଲା–ତୁ ପଚାରିଲୁ ନାହିଁ କୁଆଡ଼େ ଗଲା ? ଘରେ ଲୁଚିକରି ବସି ନାହିଁ ତ ! ଗଲୁ ସୁନା, ତୁ ଟିକିଏ ଘରେ ପଶି ଦେଖି ଆସିବୁ ।

 

ଧନିୟା କହିଲା–ତାକୁ ପଠାନ୍ତୁ ନାହିଁ ଦାଦା, ହୀରା ମୁଣ୍ଡରେ ଏଇନେ ଭୂତ ପଶିଛି, କାଳେ କ’ଣ କରିବସିବ ବୋଲେ କଥା ସରିଯିବ । ଦାତାଦୀନ ନିଜେ ଯାଇ ବୁଝି ଆସିଲେ ଯେ ସତକୁସତ ହୀରା କୁଆଡ଼େ ପଳାଇ ଯାଇଛି । ପୁନିୟା କହୁଛି ତା ଲୁଗାପଟା ଠେଙ୍ଗାବାଡ଼ି ସବୁ ନେଇ କୁଆଡ଼େ ଚାଲି ଯାଉଛି । କୁଆଡ଼େ ବୋଲି ପୁନିୟା ପଚାରିଲା ଯେ କିଛି କହିଲା ନାହିଁ । ପାଞ୍ଚ ଟଙ୍କା ସେ ଲୁଚେଇ ରଖିଥିଲା ଯେ ସେ ଟଙ୍କା ବି ନାହିଁ । ବୋଧହୁଏ ସେହି ଟଙ୍କା ନେଇ ସେ ଚାଲିଯାଇଛି ।

 

ଧନିୟା ଟିକିଏ ଥଣ୍ଡା ପଡ଼ିଯାଇ କହିଲା–ମୁହଁରେ କାଳି ଲଗାଇ କରି ତ କୁଆଡ଼େ ପଳାଇଛି ।

 

ଶୋଭା କହିଲା–କୁଆଡ଼େ ପକାଇବ, ଯାଇଥିଲେ ଗଙ୍ଗାରେ ବୁଡ଼ପାରିବା ପାଇଁ ଯାଇଥିବ ।

 

ଧନିୟା ଟିକିଏ ସନ୍ଦେହ କରି କହିଲା–ଗଙ୍ଗା ଯାଇଥିଲେ ଟଙ୍କା ପଇସା ନେଇକରି କାହିଁକି ଯାଇଥାନ୍ତା । ତହିଁକି ଆଜିକାଲି ତ କୌଣସି ପରବ ସହଜେ ନାହିଁ ।

 

କେହି କିଛି ସ୍ଥିର କରିପାରିଲେ ନାହିଁ, କିନ୍ତୁ ସେ ଗାଈକୁ ମାରି ପଳାଇଥିବା ଧାରଣା ସମସ୍ତଙ୍କର ଦୃଢ଼ ହୋଇଗଲା ।

 

ଆଜି ଆଉ ହୋରୀ ଘରେ ରନ୍ଧାବଢ଼ା ଖିଆପିଆ କିଛି ନାହିଁ, ସବୁ ବନ୍ଦ । ଗୋରୁଙ୍କ ଅବସ୍ଥା ବି ସେଇଆ । ଗାଁଯାକ ସବୁଆଡ଼େ ଚହଳ । ଯୁଆଡ଼େ ଦେଖିବ ଦି’ ଦିଜଣ ଚାରିଜଣ ମେଳି ମେଳି । ଯେଉଁଠି ଦେଖିବ ସେଇକଥା, ହୀରା ତ କୁଆଡ଼େ ପଳାଇଗଲା । ମରମ କଥା ଯେତେବେଳେ ଜଣା ପଡ଼ିଗଲା ସେତେବେଳେ ଜେଲ ହୋଇଯିବ କିମ୍ବା ଗୋରୁମରା ପାଇଁ ପ୍ରାୟଶ୍ଚିତ କରିବାକୁ ପଡ଼ିବ, ଏଇ ଡରରେ କୁଆଡ଼େ ପଳାଇ ଯାଇଛି ବୋଲି ସମସ୍ତେ କହିଲେ । କିଛି କୁହାବୋଲା ନ କରି କୁଆଡ଼େ ପଳାଇ ଯାଇଥିବାରୁ ପୁନିୟା ଦିନରାତି ବସି କାନ୍ଦିଲା ।

 

ବାକି ଯାହା ଥିଲା ସନ୍ଧ୍ୟାବେଳେ ଥାନା ଦାରୋଗା ଆସିବାରୁ ସବୁ ପୂରଣ ହୋଇଗଲା-। ଗାଁ ଚଉକିଦାର ଯାଇଁ ଥାନାରେ ଇତାଲା ଦେଇଥିଲା । ଦାରୋଗା କି ଛାଡ଼ିବା ଲୋକ, ଆସି ପହଞ୍ଚିଗଲେ । ଗାଁଲୋକଙ୍କର କାମ ହେଲା ତାଙ୍କୁ ଯଥାବିଧି ଚର୍ଚ୍ଚା କରିବା । ଦାତାଦୀନ, ଝିଙ୍ଗୁରସିଂହ, ମେଖେରାମ, ମଙ୍ଗୁଳୁ ସାହୁ, ଲାଲାପଟେଶ୍ଵରୀ, ପିଆଦା ପଠାଣ ସବୁ ଆସି ହାତଯୋଡ଼ି ଦାରୋଗା ବାବୁଙ୍କ ଆଗରେ ଧାଡ଼ି ହୋଇ ଛିଡ଼ା ହୋଇଗଲେ । ତା’ ପରେ ହୋରୀକୁ ତଲବ ହେଲା । ଦାରୋଗାଙ୍କ ପାଖକୁ ଆସିବା ତା ଜୀବନରେ ଏଇ ପ୍ରଥମ । ସେଥିପାଇଁ ସେ ଏମିତି ଭାବରେ କମ୍ପୁଥିଲା, ସତେ ଯେମିତି ତାକୁ କିଏ ଫାଶିକୁ ନେଉଛି । ଧନିୟାକୁ ମାରିଲାବେଳେ ସିନା ହାଡ଼ଗୋଡ଼ ସବୁ କମ୍ପି ଉଠୁଥିଲା, କିନ୍ତୁ ଦାରୋଗାଙ୍କ ଆଗରେ କଇଁଚ ପରି ଯାକିଯୁକି ହୋଇ ମଲାପରି ଛିଡ଼ା ହୋଇଗଲା । ଦାରୋଗା ବାବୁ ଗୋଡ଼ରୁ ମୁଣ୍ଡଯାଏ ତାକୁ ଅନାଇ ଦେଇ ସବୁ କଥା ଜାଣିପାରିଲେ । ଏମିତି ଆସାମୀଙ୍କ ମନକଥା ଜାଣିବାରେ ସେ ସିଦ୍ଧହସ୍ତ । ବହି ମନସ୍ତତ୍ତ୍ୱ ତାଙ୍କୁ ସିନା ଜଣା ନାହିଁ, ନହିଲେ ବାହାରି ମନସ୍ତତ୍ତ୍ୱ ତାଙ୍କୁ ଖୁବ୍ ଜଣା । ଭାବିଲେ ଆଜି ସକାଳେ ଭଲ ଲୋକର ମୁହଁ ଦେଖି ସେ ଉଠିଥିଲେ । ହୋରୀ ଚେହେରା ଦେଖି ତାଙ୍କୁ ସଫା ମାଲୁମ ହୋଇଗଲା ଯେ ଗୋଟାଏ ଧଡ଼କ ଦେଲେ ଯେତେ ଇଚ୍ଛା । ଦାରୋଗା ପଚାରିଲେ–ତୋର କା’ ଉପରେ ସନ୍ଦେହ ହେଉଛି ? ହୋରୀ ଭୂଇଁ ଛୁଇଁ ହାତ ଯୋଡ଼ିକରି କହିଲା–ହଜୁର, ମୋର କାହାରି ଉପରେ ସନ୍ଦେହ ନାହିଁ । ଗାଈ ବୁଢ଼ୀ ହୋଇ ଯାଇଥିଲା, ଆପେ ଆପେ ମରିଗଲା ।

 

ଧନିୟା ସେତେବେଳେ ଆସି ପଛରେ ଛିଡ଼ା ହୋଇଥିଲା । ସାଙ୍ଗେ ସାଙ୍ଗେ କହିଲା–ଗାଈକୁ ତ ତୋ ଭାଇ ହୀରା ମାରିଛି । ସରକାର କ’ଣ ଏମିତି ଓଲୁ ହୋଇଛନ୍ତି ଯେ ତୁ କହିଲେ ଛାଡ଼ିଦେଇ ଚାଲିଯିବେ ? ସେ ତ ଖୋଜଖବର ନେବାକୁ ଆସିଛନ୍ତି ।

 

ଦାରୋଗା ବାବୁ ପଚାରିଲେ–ଏ ମାଇକିନା କିଏ ?

 

ଦାରୋଗାଙ୍କ ସାଙ୍ଗରେ କଥାବାର୍ତ୍ତା ହେବାର ସୌଭାଗ୍ୟ ପାଇଁ ଲୋକେ ତା ଉପରେ ତା ଉପରେ ପଡ଼ି ଏକସ୍ଵରରେ କହିଲେ–ହଜୁର, ଇଏ ହେଉଛି ହୋରୀର ଘରବାଲୀ ।

 

‘ଆଚ୍ଛା ତାହେଲେ ତାକୁ ଡାକ, ପ୍ରଥମେ ମୁଁ ତା’ଠୁ ଜମାନବନ୍ଦୀ ନେବି । ହୀରା ଗଲା କୁଆଡ଼େ ?’

 

ସବୁଲୋକେ ଏକସ୍ଵରରେ କହିଲେ–ହଜୁର୍, ସେ କୁଆଡ଼େ ଫେରାର ହୋଇ ପଳାଇ ଗଲାଣି ।

 

‘ତା’ ହେଲେ ମୁଁ ତା ଘର ଖାନତଲାସ କରିବି ।’

 

ତଲାସ କଥା ଶୁଣି ହୋରୀ ଛାନିଆ ହୋଇଗଲା । ହୀରା ଘରେ ନାହିଁ, ପୁଣି ତା ଘର ଖାନତଲାସ ହେବ । ସେ ଜୀଇ ଥାଉଁ ଥାଉଁ ଏ କଥା କରେଇଦେବ ନାହିଁ । ଧନିୟା ଯେତେବେଳେ ତା ଇଜ୍ଜତ ପଦାରେ ପକାଇବାକୁ ବସିଛି, ତା ସଙ୍ଗେ ତା’ର ଆଉ କୌଣସି ସମ୍ପର୍କ ନାହିଁ । ତା ଇଚ୍ଛା ଯୁଆଡ଼େ ସେ ଯାଉ । ଯେତେବେଳେ ଖାଇବାକୁ ନ ପାଇ ଗଳିକନ୍ଦି ଏଣେତେଣେ ମାଗିବୁଲିବ, ସେତେବେଳେ ସିନା ଜାଣିବ ।

 

ଏ ଗାଁର ମୁଖିଆଲୋକେ ଏହି ବିପଦକୁ ଟାଳିବା ପାଇଁ ଆପଣା ଆପଣା ଭିତରେ ଫୁସଫାସ୍ ହେଲେ ।

 

ଦାତାଦୀନ ମୁଣ୍ଡ ହଲେଇ କହିଲା–ଇଏ ଖାଲି ପଇସା ନେବା ସୂତ୍ର । ବୁଝ ଆଗ, ହୀରା ଘରେ କେତେ କ’ଣ ମାଲ ଅଛି, ଦେଖ ।

 

ଲାଲାପଟେଶ୍ୱରୀ ଜଣେ ଲମ୍ବାଚୌଡ଼ା କାଳିଆ ଲୋକ । ତା’ ଲମ୍ବା ମୁହଁକୁ ସେ ଆହୁରି ଲମ୍ବାଇ ଦେଇ କହିଲା–ପଇସା ନେବା ସୂତ୍ର ନୁହେଁ ତ ଆଉ ଆସିଛନ୍ତି କାହିଁକି ? ନ ନେଇକରି କ’ଣ ସେ କେବେ ଛାଡ଼ିବେ ?

 

ଝିଙ୍ଗୁରସିଂହ ହୋରୀକୁ ଡାକି ତା କାନ ପାଖରେ କହିଲା–ଯାହା ଅଛି ଦିଅ, ଆଉ କ’ଣ କରିବା । ନ ନେଲେ କ’ଣ ସେ ଛାଡ଼ିବ ? ଦାରୋଗାବାବୁ ପୁଣି ଗର୍ଜନ କରି କହିଲେ–ମୁଁ ବର୍ତ୍ତମାନ ହୀରା ଘର ଖାନତଲାସ କରିବାକୁ ଚାହେଁ ।

 

ହୋରୀ ମୁହଁ ବିଲକୁଲ କଳା ପଡ଼ିଗଲା । ସତେ ଯେମିତି ତା’ ଦେହରୁ ସବୁ ରକତ ଶୁଖିଗଲା । ହୀରା ଘର ହେଲେ କ’ଣ ତା’ ଘର ହେଲେ କ’ଣ । ଭିନ୍ନେ ହୋଇ ଯାଇଛନ୍ତି ସିନା, ନହିଲେ ଆପଣା ରକ୍ତର ଭାଇ ତ ! କିନ୍ତୁ କରିବ କ’ଣ, ହାତରେ ତ ଅଧଲାଟାଏ ବି ନାହିଁ । ପଇସା ଥା’ନ୍ତା ବୋଲେ ପଚାଶ ଟଙ୍କା ଆଣି ଦାରୋଗାଙ୍କ ପାଦତଳେ ଏଇନେ ଗଣିଦେଇ କହନ୍ତା–ଏଣିକି ଆପଣଙ୍କ ହାତରେ ମୋ ଇଜ୍ଜତ । କିନ୍ତୁ ଉପାୟ କ’ଣ ? ହାତରେ ତ ଲୁଣ ବି କିଣିବାପାଇଁ ଅଧଲାଟାଏ ନାହିଁ । ଧନିୟା ପାଖରେ ଥିଲେ ଅବା ଦି’ଚାରି ଟଙ୍କା ଥିବ ଯେ ସେ ଚାଣ୍ଡାଳୁଣୀ କ’ଣ ଏଇନେ ଦେବ ? ଦୁଃଖ ଓ ଅପମାନରେ ମୁଣ୍ଡ ତଳକୁ କରି ହୋରୀ ଚୁପଚାପ୍ ଛିଡ଼ା ହୋଇ ରହିଲା-। ସତେ ଯେମିତି କିଏ ତାକୁ ଫାଶୀ ଦେଇ ପକାଉଛି ।

 

ଦାତାଦୀନ ହୋରୀକୁ ପୁଣି ଚେତେଇ ଦେଇ କହିଲା–ଏମିତି ଛିଡ଼ା ହେଲେ କ’ଣ ହେବ, କିଛି ପଇସାପତ୍ର କେଉଁଠୁ ଯୋଗାଡ଼ କର ।

 

ହୋରୀ ଦୀନ ସ୍ଵରରେ କହିଲା–କ’ଣ ଆଉ କହିବି ହଜୁର, ଆଗ ଟଙ୍କା ତ ଆଜିଯାଏ ଶୁଝିନି, ପୁଣି କେଉଁ ମୁହଁରେ ମାଗିବି । ହେଲେ ଆପଣ ମୋତେ ଏଥିରୁ ପାରିକରି ଦିଅନ୍ତୁ । ବଞ୍ଚିଥିବାଯାକ ଅଧଲା ପାହୁଲା କରି ଆପଣଙ୍କ ପଇସା ସୁଝିଦେବି । ନାହିଁ ଯଦି ମରିଯାଏ ତେବେ ଗୋବରା ତ ଅଛି ।

 

ମୁଖିଆମାନଙ୍କ ଭିତରେ ବିଚାରା ପଡ଼ିଲା ଦାରୋଗାବାବୁଙ୍କୁ କ’ଣ ଭେଟି ଦିଆଯିବ । ଦାତାଦୀନ କହିଲା ପଚାଶ ଟଙ୍କା, ଝିଙ୍ଗୁରସିଂହ କହିଲା ଶହେରୁ କମ୍ ହେଲେ ଚଳିବ ନାହିଁ । ମେଖେରାମ ବି କହିଲା ଶହେ । କିନ୍ତୁ ହୋରୀପାଇଁ ଶହେ ପଚାଶ ସବୁ ସମାନ । ତାର ଚିନ୍ତା ଖାନତଲାସ କେମିତି ବନ୍ଦ ହେଉ, ଯେତେ ଟଙ୍କା ପଡ଼ୁପଛେ । ମଲା ମଣିଷକୁ ଦଶ ମହଣ କାଠରେ ପୋଡ଼ିଲେ କେତେ, ମହଣକରେ ପୋଡ଼ିଲେ କେତେ ?

 

କିନ୍ତୁ ଲାଲାପଟେଶ୍ଵରୀକୁ ଏ ଅନ୍ୟାୟ ବଡ଼ ଖରାପ ଲାଗିଲା । କିଛି ଚୋରୀ ଡକାଇତି, କିମ୍ବା ଖୁନୀ ମକଦ୍ଦମା ହୋଇ ନାହିଁ ଯେ ଏତେ ଟଙ୍କା ଦିଆଯିବ । କୋଡ଼ିଏ ଟଙ୍କା ହେଲେ ଢେଉ ।

 

ମୁଖିଆମାନେ ହୋରୀକୁ ଧିକାର କରି କହିଲେ–ତମେ ଯାଇ ଦାରୋଗାଙ୍କ ସଙ୍ଗେ କଥାବାର୍ତ୍ତା କର । ଆମେ କାହିଁକି ତାଙ୍କ ପାଖକୁ ଯାଉଥିବୁ, ଏତେ ଗାଳି ଶୁଣୁଥିବୁ ।

 

ହୋରୀ ପଟେଶ୍ଵରୀଙ୍କ ପାଦତଳେ ଝଟ୍ ମୁଣ୍ଡ ପିଟିଦେଇ କହିଲା–ଭାଇ, ମୋତେ ଏଥିରୁ ଉଦ୍ଧାର କର । ବଞ୍ଚିଥିବାଯାକ ତମ ଋଣ ସୁଝୁଥିବି ।

 

ଦାରୋଗା ସାହେବ ପୁଣି ତାଙ୍କର ଓସାର ଛାତି ଓ ଓଳିଆ ପେଟ କାଢ଼ି ଧମକ ଦେଇ କହିଲେ–ହୀରା ଘର କେଉଁଠି ? ମୁଁ ଏଇନେ ସାଙ୍ଗେ ସାଙ୍ଗେ ଖାନତଲାସ କରିବାକୁ ଚାହେଁ ।

 

ପଟେଶ୍ଵରୀ ଦାରୋଗାଙ୍କ କାନରେ ଫୁସ୍‌ଫୁସ୍ କରି କହିଲା–ଆଜ୍ଞା, ଖାନତଲାସ କରି ଲାଭ କ’ଣ ? ତା ଭାଇ ଆପଣଙ୍କୁ କିଛି ଭେଟି କରିବ ବୋଲି ଅପେକ୍ଷା କରି ରହିଛି ।

 

ଦିହେଁଯାକ ଖଣ୍ଡେବାଟ ଆଡ଼େଇ ହୋଇଯାଇ କ’ଣ ଫୁସଫାସ୍ ହେଲେ ।

 

‘କେମିତିଆ ଲୋକ ସେ ?

 

‘ଭାରୀ ଗରିବ ଆଜ୍ଞା, ଘରେ ଖାଇବାକୁ ମୁଠେ ନାହିଁ ।’

 

‘ସତ କହୁଛ ?’

 

‘ଆଜ୍ଞା, ସତ କହୁଛି ।’

 

‘କ’ଣ ପଚାଶ ଟଙ୍କା ବି ହେବ ନାହିଁ ?’

 

‘କାହିଁକି ହଜୁର ସେ କଥା କହୁଛନ୍ତି ! ଦଶ ଟଙ୍କା ମିଳିଗଲେ ଜାଣନ୍ତୁ ହଜାର ମିଳିଗଲା । ପଚାଶ ଟଙ୍କା ତ ତା ଜୀବନସାରା ହୋଇପାରିବ ନାହିଁ । ଦଶ ଟଙ୍କା ହେଲେ ବି କୌଣସି ମହାଜନ ଦୁଆରେ ହାତ ନ ପତାଇଲେ ତାକୁ କେଉଁଠି ମିଳୁଛି ?

 

ଦାରୋଗାବାବୁ ମିନିଟିଏ କାଳ ଝୁମି ଯାଇ ପୁଣି କହିଲେ–ତେବେ ତା’ ସଙ୍ଗେ ଲାଗି ଲାଭ କ’ଣ ? ଯେଉଁ ଲୋକ ଆପେ ମରୁଛି, ତାକୁ ମାରି ଲାଭ କ’ଣ ? ମୁଁ ଏମିତିଆ ଲୋକଙ୍କୁ ହଇରାଣ କରିବାକୁ ଚାହେଁ ନାହିଁ ।

 

ପଟେଶ୍ଵରୀ ଦେଖିଲା ଯେ ଦାରୋଗାବାବୁଙ୍କ ଲକ୍ଷ୍ୟ ଯାଇ ଆଉ ଜାଗାରେ ରହିଲାଣି । ତହୁଁ କହିଲା–ହଜୁର, ସେମିତି କହିଲେ କେମିତି ଚଳିବ । ଆମ ହାତରେ କେଉଁ ଚାରା ଅଛି ନା ଆମ ପାଖରେ କେଉଁ ଅଧିକା ରୋଜଗାର ଅଛି ?

 

‘ତମେ ହେଉଛ ଇଲାକାର ପଟୁଆରୀ; ତମେ ଏମିତି କହିଲେ ଚଳିବ ?’

 

‘ହଁ, ଯଦି ଏମିତିଆ ସୁବିଧା କେବେ କେଉଁଠି ଜୁଟିଯାଏ, ତେବେ ଆପଣଙ୍କ ଦୟାରୁ କେତେବେଳେ କେମିତି ଦି’ ପଇସା ମିଳିଯାଏ । ନହିଲେ ପଟୁଆରୀକୁ ପଚାରେ କିଏ ?’

 

‘ଆଜ୍ଞା, ଗାଁରେ ତ ପୁଣି ଆଉ ଚାରିଜଣ ମୁଖିଆ ଅଛନ୍ତି, ତାଙ୍କ କଥା ତ ପୁଣି ଟିକିଏ ଦେଖିବେ ।’

 

‘ହଉ ହେଲା ଯା, ତମର ଅଧା, ଆମର ଅଧା । କିନ୍ତୁ ଚଞ୍ଚଳ କର, ମୋତେ ଡେରି ହୋଇ ଯାଉଛି ।’

 

ପଟେଶ୍ଵରୀ ଯାଇ ଝିଙ୍ଗୁରସିଂହକୁ କହିଲା । ଝିଙ୍ଗୁରସିଂହ ହୋରୀକୁ ଠାରିଦେଇ ତା ଘରକୁ ଡାକିନେଲା । ତିରିଶ ଟଙ୍କା ତା ହାତରେ ଗଣିଦେଇ କହିଲା–ଆଜି କରାରନାମା ଲେଖିଦେବ । ଖାଲି ତମରି ଭଲଲୋକି ଦେଖି ଟଙ୍କା ଦେଇଦେଲି ।

 

ହୋରୀ ଟଙ୍କାକୁ ପାଣିଗାମୁଛା କାନିରେ ବାନ୍ଧି ମନ ଖୁସୀରେ ଦାରୋଗାବାବୁଙ୍କ ଆଡ଼କୁ ମୁହାଁଇଗଲା ।

 

ଧନିୟା ହଠାତ୍ ଆଗକୁ ଚାଲିଆସି ଝଟକରି ତା ହାତରୁ ଗାମୁଛାଟା ଛଡ଼ାଇ ନେଲା । ଜୋରରେ ଗଣ୍ଠି ପଡ଼ି ନଥିବାରୁ ଫିଟିଯାଇ ସବୁ ଟଙ୍କା ଭୂଇଁରେ ବିଞ୍ଚି ହୋଇଗଲା । ସାପ ପରି ଫଁ ଫଁ କରି ଧନିୟା କହିଲା–କହ ମତେ ଏତେ ଟଙ୍କା କେଉଁଠୁ ଆଣିଲୁ ? ଭଲ ମଙ୍ଗଳକୁ ବାଟ ଅଛି ତ ତୁନୀ କରିନେଇ ଫେରେଇ ଦେଇ ଆ । ପାଞ୍ଚପ୍ରାଣୀ କୁଟୁମ୍ବ ରାତି ପାଇଲେ ଉପାସ ଗଡ଼ୁଛନ୍ତି, ଦେହ ମୁଣ୍ଡକୁ କନା ଖଣ୍ଡେ ନାହିଁ । ଏଡ଼େ ଇଜ୍ଜତ ୟା’ର ଯେ ଇଜ୍ଜତ ରଖିବ ବୋଲି ଆଞ୍ଜୁଳେ ଟଙ୍କାନେଇ ଯାଉଛି । ଯା’ ଘରେ ମୂଷା ଖାଇବା ପାଇଁ ଧାନ ମୁଣ୍ଡିଟାଏ ନାହିଁ, ତା’ର ପୁଣି ଏଡ଼େ ବଡ ଇଜ୍ଜତ ! ଦାରୋଗାବାବୁ ଯଦି ଖାନତଲାସ କରିବାକୁ ଚାହାନ୍ତି, ତାଙ୍କ ମନ ଯେଉଁଠି ହେଉଛି କରନ୍ତୁ । ଏଣେ ତ ଶହେ ଟଙ୍କାର ଗାଈ ଗଲା, ତା ଉପରକୁ ପୁଣି ଏ ଗୁଡ଼ା ଲାଭ ! ବା–ହା–ରେ ତୋ ଇଜ୍ଜତ !

 

ହୋରୀ ଦାନ୍ତ କାମୁଡ଼ି ରହିଗଲା । ଯେତେ ଲୋକ ଥିଲେ ସମସ୍ତେ ଥରିଗଲେ । ମୁଖିଆଙ୍କ ମୁହଁ ତଳକୁ ହୋଇଗଲା, ଦାରୋଗାଙ୍କ ମୁହଁ କଳା ପଡ଼ିଗଲା । ଜୀବନଯାକରେ ଏମିତିଆ ଚାପୁଡ଼ା କେବେ ସେ ଖାଇ ନଥିଲେ ।

 

ହୋରୀ କାଠ ପାଲଟିଗଲା । ଜୀବନଯାକରେ ଆଜି ଜାଣି ଧନିୟା ତାକୁ ସାର କରିଦେଲା । ସବୁଆଡ଼ ତାକୁ ଶୂନ୍ୟ ଦେଖାଗଲା । କେମିତି ମୁହଁ ଟେକି ଚାହିଁବି କିଛି ଭାବିପାରିଲା ନାହିଁ ।

 

କିନ୍ତୁ ଦାରୋଗା କି ଏତିକିରେ ହାରିଯିବା ଲୋକ ! ଖୁବ୍ ଚିଡ଼ିଯାଇ ସେ କହିଲେ–ମୋତେ ଜଣାପଡ଼ୁଛି ଏହି ବଦମାସ ମାଇକିନା ହୀରାକୁ ହଇରାଣ କରିବାପାଇଁ ନିଜେ ଗାଈକୁ ବିଷ ଦେଇ ମାରିଛି ।

 

ଧନିୟା ହାତ ହଲେଇ ଚଦିଲା ପରି କହିଲା–ଖୁବ୍ କଲି, ମୋ ଗାଈକୁ ମୁଁ ମାରିଲି, ସେଠୁ ହେଲା କ’ଣ ? ଆଉ କା ଗାଈ ତ ମାରି ଦେଇନି । ଯଦି ତମ ବୁଦ୍ଧିକୁ ଏ କଥା ଦିଶୁଛି, ସେଇ କଥା ଲେଖିନିଅ । ମୋ ହାତରେ ହାତକଡ଼ି ନଗେଇ ଦିଅ । ତମ ବୁଦ୍ଧି ଅକଲ ମୁଁ ସବୁ ଦେଖି ସାରିଲିଣି ମ ! ଗରିବଙ୍କ ତଣ୍ଟି ଚିପିବା ତ ସହଜ କଥା, କିନ୍ତୁ ନ୍ୟାୟ କରି ଭଲକୁ ଭଲ ମନ୍ଦ ବାଛିବା କାଠିକର ପାଠ !

 

ହୋରୀ ଆଖିରୁ ନିଆଁ ବାହାରି ପଡ଼ିଲା । ସେ ଧନିୟା ପାଖକୁ ଧାଇଁଗଲା ବେଳକୁ ଗୋବରା ଆସି ଆଗରେ ଛିଡ଼ା ହୋଇପଡ଼ି କହିଲା–ହଁ, ସେତିକି ହୋଇଥାଉ, ଖୁବ୍ ହେଲାଣି । ଘୁଞ୍ଚି ଯା, ନହିଲେ କହୁଛି ମୋ ମୁହଁ ଆଉ ଦେଖିବୁ ନାହିଁ । ତୋ ସଙ୍ଗେ ମୁଁ ଝଗଡ଼ା କରିବି ନାହିଁ, କିନ୍ତୁ ଏଇଠି ଦଉଡ଼ି ଦେଇ ମରିବି ।

 

ହୋରୀ ପଛକୁ ହଟିଗଲା, ଧନିୟା ବର୍ତ୍ତମାନ ଷଣ୍ଢ ପାଲଟି ଯାଇ କହିଲା–ତୁ ଘୁଞ୍ଚି ଯା ଗୋବରା, ଦାରୋଗା ସାହେବ ତ ବସିଛନ୍ତି, ଦେଖିଆ ସେ କ’ଣ କରୁଛି କରୁ । ତା ବଳ ଟିକିଏ ମୁଁ ଦେଖେ । ଘର ଖାନତଲାସ ହେଲେ ଇଜ୍ଜତ ଚାଲି ଯାଉଛି, ନିଜ ଭାରିଯାକୁ ଦାଣ୍ଡ ମଝିରେ ଘୋଷାରି ମାରୁଛି ଯେ ଇଜ୍ଜତ ଯାଉନାହିଁ । ୟା’କୁଇ ସିନା ବଳୁଆ କହନ୍ତି । ବଳ ଅଛି ଯଦି ମରଦ ପୁଅଙ୍କ ସଙ୍ଗେ ଲଢ଼ । ହାତ ଧରି ଯାହାକୁ ବାହା ହୋଇଛୁ ତାକୁ ମାରିକରି କୋଉ ନାଁ ପଡ଼ିବ ? ଭାବିଛୁ ‘ୟାକୁ ତ ମୁଁ ଖାଇବା ପିନ୍ଧିବାକୁ ଦେଉଛି, ମୋ ଇଚ୍ଛା ଯାହା କରିବି ।’ ଆଚ୍ଛା ଏଣିକି ତୋ ଘର ତୁ ସମ୍ଭାଳ । ଦେଖିବୁ, ଯଦି ଭଲ ଖାଇ, ଭଲ ପିନ୍ଧି ଏଇ ଗାଁରେ ରହି ତୋ ଛାତିରେ ନ ଚାଲିଛି-। ଆଚ୍ଛା ହଉ, କ’ଣ ହଉଛି ଆଗ ହଉ ।

 

ହୋରୀ ହାରିଗଲା । ସ୍ତ୍ରୀଙ୍କ ଆଗରେ ପୁରୁଷ କେଡ଼େ ଦୁର୍ବଳ, କେଡ଼େ ନିଃସହାୟ ଆଜି ଜାଣି ସେ ଜାଣିଲା । ମୁଖିଆମାନେ ଟଙ୍କା ଗୋଟେଇ ନେଇ ସେଠୁ ଚାଲିଯିବାକୁ ଦାରୋଗା ବାବୁଙ୍କୁ ଠାରି ଦେଲାବେଳେ ଧନିୟା କହିଲା–ଯୋଉଁଠୁ ଟଙ୍କା ଆଣିଛୁ, ଯା ସେଠି ଫେରେଇ ଦେଇ ଆସିବୁ-। କାହାଠୁ ଆମର ଟଙ୍କା କରଜ ନେବା ଦରକାର ନାହିଁ । ଯାହାର ଦେବାକୁ ମନ ହେଉଛି ସେ ନିଜେ ଦେଉ । ମୁଁ ମେସଲ ଉପରେ ଚଢ଼ିବି ପଛେ ଅଧଲାଟାଏ କାହାକୁ ଦେବି ନାହିଁ-। ବାକି ଖଜଣା ଦବାପାଇଁ ପଚିଶଟା ଟଙ୍କା ମାଗିଲି ଯେ କେହି ଦେଲେ ନାହିଁ । ଏତେବେଳକୁ କେମିତି ଆଞ୍ଜୁଳେ ଟଙ୍କା ଠଣଠାଣ ବାହାରି ପଡ଼ିଲା ? ମୁଁ ସବୁ ଜାଣେ, ଯେଉଁଠି ବଣ୍ଟାକୁଣ୍ଟା ହେବ, ସମସ୍ତଙ୍କୁ କିଛି କିଛି ମିଳିବ, ତାଙ୍କଠୁ ଟଙ୍କା ମିଳିବ ନାହିଁ କାହିଁକି ? ଏଇ ଘରବୁଡ଼ା ଗୁଡ଼ା ପରା କୁଆଡ଼େ ଗାଁର ମୁଖିଆ ହୋଇଛନ୍ତି; ଖାଲି ଗରିବଙ୍କ ତଣ୍ଟି ଚିପିବା ପାଇଁ, ଖଜଣା, ମାଗଣ, ଲଗାଣ, ସୁଧ, ଲାଞ୍ଚ ରିସମତ ନେଇ ଗରିବଙ୍କୁ ଲୁଟି କରିବା ପାଇଁ । ୟାଙ୍କର ସବୁ ବିଚାର ହେବା ଚାହି । ଜିହଲ ଜୋରିମନାରେ କିଛି ହେବ ନାହିଁ, ଏକା ଧରମ ଯଦି ଦଣ୍ଡ ଦେବ, ତେବେ ଯାଇଁ ହବ ।

 

ମୁଖିଆଙ୍କ ମୁହଁ ସବୁ କଳା ପଡ଼ିଗଲା । ଦାରୋଗାଙ୍କ ମୁହଁରେ ଝାଡ଼ୁ ପାହାର । ଆଉ ଉପାୟ କ’ଣ ? ହୀରାର ଘର ଖାନତଲାସ କରିବା ପାଇଁ ସବୁ ଚାଲିଲେ ।

 

ରାସ୍ତାରେ ଦାରୋଗା ବାବୁ କହିଲେ–ମାଇକିନା କିନ୍ତୁ ଭାରୀ ସାହାସୀ ।

 

ପଟୁଆରି କହିଲା–ଆଜ୍ଞା ହଁ, ସାହାସୀ ସିନା କିନ୍ତୁ ଭାରୀ ଖରଖରୀ । ଏମିତିଆ ମାଇକିନାଙ୍କୁ ଗୁଳି ମାରିଦେବା ଦରକାର ।

 

‘ସେ ତ ତମର ପନ୍ଥା ବନ୍ଦ କରିଦେଲା । ଚାରିଚାରି ଟଙ୍କା ମିଳିଥାନ୍ତା ଯେ ଗଲା ।’

 

‘ଆପଣଙ୍କର ବି ତ ପନ୍ଦର ଟଙ୍କା ଗଲା ।’

 

‘ମୋର’ ଯିବ କୁଆଡ଼େ, ସେ ଅବା ନ ଦେଲା, ଗାଁ ମୁଖିଆମାନେ ନ ଦେଇ ଯିବେ କୁଆଡ଼େ ? ପନ୍ଦର ଜାଗାରେ ତ ମୋତେ ପଚାଶ ମିଳିବ । ଆପଣମାନେ ଚଞ୍ଚଳ ଯୋଗାଡ଼ କରନ୍ତୁ, ମୁଁ ଯିବି ।’

 

ଲାଲାପଟେଶ୍ଵରୀ ହସି ହସି କହିଲା–ଆପଣ ହଜୁର ଭାରି ରହସିଆ !

 

ଦାତାଦୀନ କହିଲା–ସବୁ ବଡ଼ ଲୋକେ ଏମିତି । ଭାଗ୍ୟରେ ନଥିଲେ ଏମିତି ଲୋକଙ୍କର ଦର୍ଶନ ମିଳନ୍ତା କୁଆଡ଼ୁ ?

 

ଦାରୋଗା ବାବୁ ବିଗିଡ଼ି ଯାଇ କହିଲେ–ପୁଣି ଯଦି ଖୁସାମତ କର ତେବେ ଦେଖିବ । ଚଞ୍ଚଳ ପଚାଶ ଟଙ୍କା ଥୁଅ, ଟିକିଏ ଏପାଖ ସେପାଖ ହେଲେ ତମ ସମସ୍ତଙ୍କ ଘର ଖାନତଲାସ କରିବି । ଖୁବ୍ ସମ୍ଭବ ତମେମାନେ ହୀରା ଆଉ ହୋରୀକୁ ବିପଦରେ ପକାଇ ସେମାନଙ୍କଠ ଶହେ ପଚାଶ ମାରିବା ପାଇଁ ଏ ସୂତ୍ର ଖଞ୍ଜିଛ ।

 

ମୁଖିଆମାନେ ଏ ପର୍ଯ୍ୟନ୍ତ ଭାବୁଥିଲେ ଯେ ଦାରୋଗାବାବୁ ଥଟ୍ଟା କରୁଛନ୍ତି ।

 

ଝିଙ୍ଗୁରସିଂହ ଆଖି ମାରିକରି କହିଲା–ପଟୁଆରୀ ସାହେବ, ପଚାଶ ଟଙ୍କା ବାହାର କର-

 

ନୋଖେରାମ ସମର୍ଥନ କରି କହିଲା–ଏଇ ତ ପଟୁଆରୀ ସାହେବଙ୍କ ଇଲାକା, ତାଙ୍କର ଟଙ୍କା ଦେବା ହକ ।

 

ପଣ୍ଡିତ ନୋଖେରାମଙ୍କ ଚଉପାରୀ ଆସିଗଲା । ଦାରୋଗାବାବୁ ଗୋଟାଏ ଖଟିଆ ଉପରେ ବସିପଡ଼ି କହିଲେ–ତମେ ସବୁ କ’ଣ ଠିକ୍ କଲ ? ଟଙ୍କା ଦବ ନା ଘର ଖାନତଲାସ ହେବ-?

 

ଦାତାଦୀନ ଆପତ୍ତି କରି କହିଲା–କିନ୍ତୁ ଆଜ୍ଞା....

 

‘କିନ୍ତୁ ଫିନ୍ତୁ ମୁଁ କିଛି ଶୁଣିବାକୁ ଚାହେଁ ନାହିଁ ।’

 

ଝିଙ୍ଗୁରସିଂହ ଟିକିଏ ସାହସ କରି କହିଲା–ଆଜ୍ଞା, ଏଗୁଡ଼ାତ ନିହାତି ଜବରଦସ୍ତି କଥା ।

 

‘ମୁଁ ତମକୁ ମୋଟେ ପନ୍ଦର ମିନିଟ ସମୟ ଦେଲି । ୟା ଭିତରେ ପଚାଶ ଟଙ୍କା ନ ମିଳିଲେ ତମ ଘର ଖାନତଲାସ କରିବି । ଆଉ ଗଣ୍ଡାସିଂହକୁ ଜାଣ ତ ? ଥରେ ବେତ ଉଠାଇବ ବୋଲେ ଜୀବନ ନେଲେ ଯାଇଁ ଛାଡ଼ିବ ।’

 

ଲାଲାପଟେଶ୍ୱରୀ ରାଗିଯାଇ କହିଲା–ହଁ, ଆପଣଙ୍କର ଯଦି ହୁକୁମ ଅଛି, ତେବେ ତଲାସ କରି ନିଅନ୍ତୁ । ଏଗୁଡ଼ାତ ଦୁନିଆ ବାହାର କଥା–ଦୋଷ କରିବ ଜଣେ ଆଉ ଦଣ୍ଡ ପାଇବ ଜଣେ ।

 

ମୁଁ ପଚିଶ ବର୍ଷ ହେଲା ପୁଲିସ ଚାକେରୀ କରୁଛି, ଜାଣିଛ ତ ?

 

‘କିନ୍ତୁ ଏମିତି ଅନ୍ଧାଦୁନିଆ ତ କେବେ ହୋଇ ନଥିଲା ।’

 

‘ହଁ, ଅନ୍ଧାଦୁନିଆ ତମେ ଦେଖିନ । କହିବ ଯଦି ଏଇନେ ଦେଖାଇ ଦେବି । ପାଞ୍ଚ ପାଞ୍ଚ ବର୍ଷ ସଜା ହୋଇଯିବ । ମୋ ପାଖେ ତ ଏଗୁଡ଼ା କିଛି ବଡ଼ କଥା ନୁହେଁ । ଚାହିଁଲେ କାଲି ଡାକୁ ଲଗାଇ ତମ ଗାଁକୁ ଉଜାଡ଼ି ଦେବି । ମୁଁ କହୁଛି ଏ ସବୁ କଥାରେ ତମେ ପଶ ନାହିଁ ।’

 

ଚାରିମୁଖିଆଯାକ ଚୌପାରୀ ଘର ଭିତରକୁ ଯାଇ କଣ ଫୁସଫାସ ହେଲେ । ପୁଣି କ’ଣ ହେଲା କେହି ଜାଣନ୍ତି ନାହିଁ, କିନ୍ତୁ ଦାରୋଗାବାବୁ ଟିକିଏ ଖୁସୀ ହେଲା ପରି ଦେଖାଗଲେ । କିନ୍ତୁ ମୁଖିଆ ଚାରିଜଣଙ୍କ ମୁହଁ କଳା ଦିଶୁଥିଲା ।

 

ଦାରୋଗାବାବୁ ଘୋଡ଼ାରେ ଚଢ଼ି ଚାଲିଲେ । ତାଙ୍କ ପଛେ ପଛେ ମୁଖିଆମାନେ ବି ଧାଇଁଲେ । ଘୋଡ଼ା ବହୁତ ଦୂର ପଳାଇବାରୁ ସେମାନେ ଫେରି ଆସିଲେ । ତାଙ୍କ ମୁହଁ ସବୁ ଏମିତି ଦିଶୁଥିଲା ସତେ ଯେମିତି ଆପଣାର କେଉଁ ଲୋକଙ୍କୁ ମଶାଣିରେ ପୋଡ଼ିଦେଇ ଘରକୁ ଫେରୁଛନ୍ତି ।

 

ଦାତାଦୀନ ହଠାତ୍ କହିଲା–ମୋ ଅଭିଶାପ ଯଦି ତା’ ଉପରେ ନ ପଡ଼ିଛି, ତେବେ ମୋତେ କହିବ ।

 

ନୋଖେରାମ ସମର୍ଥନ କରି କହିଲା–ଏମିତିଆ ପାପଧନ କେବେ ରହେ ନାହିଁ ମ !

 

ପଟେଶ୍ୱରୀ କହିଲା–ଅନ୍ୟାୟ ସମ୍ପତ୍ତି ଅନ୍ୟାୟରେ ଯିବ । ଭଗବାନଙ୍କ ନ୍ୟାୟ ବିଚାର ବିଷୟରେ ଝିଙ୍ଗୁରସିଂହର ଆଜି ଭାରୀ ସନ୍ଦେହ ହେଲା । ଭଗବାନ ଏମିତି ପାପୀଙ୍କୁ କେମିତି ଦଣ୍ଡ ଦେଉ ନାହାନ୍ତି ସେ ବୁଝି ପାରିଲା ନାହିଁ ।

 

ଏତେବେଳେ ମୁଖିଆମାନଙ୍କର ଚେହେରା ଯେମିତି ଦେଖାଯାଉଥିଲା ସେମାନଙ୍କର ଫଟ ନେବା ଉଚିତ ଥିଲା ।

Image

 

ଦଶମ ପରିଚ୍ଛେଦ

 

ଦିନ ଗଡ଼ିଗଲା, କିନ୍ତୁ ହୀରାର କିଛି ପତ୍ତା ମିଳିଲା ନାହିଁ । ଯେତେ ଦୂର ପାରିଲା, ହୋରୀ ଦୌଡ଼ାଦୌଡ଼ି କଲା, କିନ୍ତୁ ଶେଷକୁ ଥକି ଯାଇ ଚୁପଚାପ୍ ବସି ରହିଲା । କ୍ଷେତବାଡ଼ି ତ ପୁଣି କରିବାକୁ ହେବ । ଏକୁଟିଆ ଲୋକ ଏବେ କୁଆଡ଼ୁକୁ ହେବ । ଏବେ ପୁଣି ଆପଣା ବିଲବାଡ଼ି ଛଡ଼ା ପୁନିୟାର କ୍ଷେତବାଡ଼ି ପାଇଁ ତାର ଅଧିକା ଚିନ୍ତା । ପୁନିୟା ତ ଏବେ ଏକୁଟିଆ ରହି ଷଣ୍ଢ ପାଲଟି ଯାଇଛି । ହୋରୀର ବି ତାକୁ ଖୁସାମତି କରି କରି ଦିନ ଯାଉଛି । ହୀରା ଥିଲା ବୋଲି ସିନା ପୁନିୟାକୁ ଦବାଇ ରଖିଥିଲା, ଏବେ ତ ତା ହାତରେ ସେ ଚଉପଦା, ହୀରା ଆଉ ହୋରୀ ଦିହିଁଙ୍କ ଜମି ସାଜିରେ ଥିଲା । ମାଇପି ଲୋକଟାକୁ କଣ ହଇରାଣ କରିବ, ସବୁକାମ ହୋରୀ ଆପେ ଉଠାଇ ନେଉଥିଲା । ତହିଁକି ହୋରୀ ସ୍ୱଭାବ ତ ପୁନିୟାକୁ ବେଶ୍ ମାଲୁମ ଥିଲା, ସେଥିପାଇଁ ସେ ବିଚରାକୁ ଖଟାଇ ମାରୁଥିଲା । ଭାଗ୍ୟକୁ ଜମିଦାରଙ୍କ ପିଆଦା ପୁନିୟାକୁ କିଛି ହଇରାଣ ନ କରି ଦିଚାରି ପଇସା ନେଇ ଚୁପ୍ ହୋଇଗଲା, ନହିଲେ ତ ବାକି ଖଜଣା ହୋରୀ ନିଜେ କରଜ କରି ସୁଝି ଦେବାକୁ ରାଜି ଥିଲା । ଶ୍ରାବଣ ମାସରେ ଧାନରୁଆ କାମ ଏମିତି ଲାଗିଲା ଯେ ମୂଲିଆଟାଏ ସୁଦ୍ଧା ମିଳିଲେ ନାହିଁ । ନିଜ ବିଲ ସିନା ପଡ଼ିଆ ଯିବ, ପୁନିୟା ବିଲ ରହିବ କେମିତି ! ସେଥିପାଇଁ ହୋରୀ ନିଜ ବିଲ ନ ରୋଇ ପ୍ରତିଦିନ ରାତି ପହରେ ପାଞ୍ଚଘଡ଼ି ଯାଏ ଲାଗି ପୁନିୟା ବିଲକୁ ଉଠିଆ କରି ଭାବିଲା ଆଜି ଯେତେବେଳେ ପୁନିୟା ତା ବେକରେ ବନ୍ଧା ହୋଇଛି, ସେ ଯଦି ତାକୁ ସାହାଯ୍ୟ ନ କରେ ତେବେ ଲୋକେ କହିବେ କଣ ? ଫଳ ଏଇଆ ହେଲା ଯେ ହୋରୀକୁ ଲଘୁ ଫସଲ ଯାହିତାହି ଗଣ୍ଡେ ମିଳିଲା କିନ୍ତୁ ପୁନିୟା ଘରେ ଧାନ ରଖିବାକୁ ଜାଗା ଅଣ୍ଟିଲା ନାହିଁ ।

 

ସେହି କଳିଦିନୁ ହୋରୀ ଆଉ ଧନିୟା ଭିତରେ କଥାବାର୍ତ୍ତା ନଥିଲା । ଗୋବରା ବି ତାକୁ ପାଟି ଫିଟାଉ ନ ଥିଲା । ସତେ ଯେମିତି ମା ପୁଅ ଦିହେଁଯାକ ମିଶି ତାକୁ ଏକଘରକିଆ କରି ଦେଇଥିଲେ । ଆପଣା ଘରେ ସେ ସାତପର ପରି ଚଳୁଥିଲା । ଦି ନାଆରେ ଗୋଡ଼ ଦେଇଥିବା ଲୋକର ଯେଉଁ ଦଶା ହୁଏ, ହୋରୀର ଠିକ୍ ସେହି ଦଶା ହୋଇଥିଲା । ଗାଁ ଭିତରେ ବି ତାର ଆଉ ବିଶେଷ ପ୍ରତିପତ୍ତି ନଥିଲା । ବରଂ ଧନିୟା ନିଜ ସାହସ ଯୋଗୁଁ ମାଇପିଙ୍କ କଥା ତେଣିକି ଥାଉ, ପୁରୁଷମାନଙ୍କ ଭିତରେ ବି ନେତା ବନି ଯାଇଥିଲା । ପାଞ୍ଚ ଖଣ୍ଡି ଗାଁରେ ଏହି କଥା ମାସ ମାସ ଧରି ବିଚାର ଚଳିଲା, ଶେଷକୁ କଥା ବଢ଼ି ବଢ଼ି ଏମିତି କିମ୍ବୁତକିମାକାର ରୂପ ଧରିଲା ଯେ ଲୋକେ କହିଲେ–ଧନିୟା ଏକ ଦୁର୍ଗା ସାଧନା କରିଛି । ଦାରୋଗା ତା’ ଘରଲୋକ ହାତରେ ଯେମିତି ହାତକଡ଼ି ଦେଇଛି ସେ ଦୁର୍ଗାକୁ ସୁମରଣା କଲା । ଆଖି ପିଛୁଳାକେ ଦୁର୍ଗା ଆସି ତାଠି ଏମିତି ପ୍ରକାଶିଲେ ଯେ ସେ ଲୁହା ହାତକଡ଼ିକୁ ଟିକି ଟିକି କରି ଛିଣ୍ଡାଇ ଦେଲା ଏବଂ ଦାରୋଗାର ଛାତିରେ ଚଢ଼ି ତା ନିଶକୁ ଗୋଟି ଗୋଟି କରି ଉପାଡ଼ି ଦେଲା । ଦାରୋଗା ବହୁତ ନେହୁରା କଲାରୁ ଯାଇଁ ଛାଡ଼ିଦେଲା । କିଛିଦିନ ପର୍ଯ୍ୟନ୍ତ ଲୋକେ ଧନିୟାକୁ ଦେଖିବା ପାଇଁ ବି ଆସିଲେ । ଆଜିକି କଥା ବହୁତ ପୁରୁଣା ହୋଇ ଯାଇଥିଲେ ମଧ୍ୟ ଧନିୟା ପ୍ରତି ଲୋକଙ୍କର ସମ୍ମାନ ମୋଟେ କମି ନଥିଲା । ଲୋକେ କହନ୍ତି ତାର ବହୁତ ବଳ, ଦରକାର ପଡ଼ିଲେ ସେ ମରଦଙ୍କର ବି କାନକାଟି ଛାଡ଼ିଦେବା ଲୋକ ।

 

କିନ୍ତୁ ଏବେ ଧନିୟାଠାରେ ଆସ୍ତେ ଆସ୍ତେ ଅନେକ ପରିବର୍ତ୍ତନ ଦେଖାଗଲା । ପୁନିୟା ଜମିରେ ହୋରୀକୁ କାମ କରୁଥିବାର ଦେଖି ବି ସେ କିଛି କହିଲା ନାହିଁ, କାରଣ ଆସ୍ତେ ଆସ୍ତେ ପୁନିୟା ପ୍ରତି ତାର ଦୟା ଆସିଲା । ହୀରାକୁ ଘରଛାଡ଼ି ପଳାଇବାରେ ଦେଖି ତା ମନ ଆପେ ଆପେ ସନ୍ତୁଷ୍ଟ ହୋଇଗଲା ।

 

ୟା ଭିତରେ ହୋରୀ ଭୀଷଣ ଜ୍ଵରରେ ପଡ଼ିଲା । କେତେ ବର୍ଷ ପରେ ଯେଉଁ ଜ୍ଵର ଆସିଲା ସେ ତାର ସବୁ ବାକି ପାଉଣା ଅସୁଲ କରି ନେଇଗଲା । ହୋରୀ ବିଚାରା ଅସ୍ତବ୍ୟସ୍ତ ହୋଇଗଲା । ଜ୍ଵର ନିକଟରେ ଧନିୟା ବି ଗୋଟାପଣେ ହାରିଗଲା । ଭାବିଲା, ସ୍ୱାମୀ ଯେତେବେଳେ ରୋଗରେ ପଡ଼ି ମରଣକୁ ଅନାଇ ବସିଛି, ତା ସଙ୍ଗରେ ପୁଣି ଅଭାବ ହୋଇ ଲାଭ କଣ ? ଭଲ ହେଉ ମନ୍ଦ ହେଉ ଆପଣା ସ୍ୱାମୀ ତ, ତାରି ସାଙ୍ଗରେ ପଚିଶ ବର୍ଷ କାଳ ସେ କଟେଇ ଆସିଛି, ଯାହା ଦୁଃଖ ଭୋଗିଛି ତାରି ସାଙ୍ଗରେ, ଯାହା ସୁଖ ବି ଭୋଗିଛି ତାରି ସାଙ୍ଗରେ । କେତେ ଲୋକଙ୍କ ଭିତରେ ତାକୁ ସେଦିନ ସେ ମାରିଲା, ଗାଁ ଲୋକଙ୍କ ଆଗରେ କେତେ ଅପମାନ କଲା, କିନ୍ତୁ ହେଲେ ବି ସେଥିପାଇଁ ଆଜି ସେ କେତେ ଘୋରିସୋରି ହେଉଛି, ନାକରେ ସିଧା ଅନେଇ ବି ପାରୁନାହିଁ । ଖାଇବାକୁ ଆସିଲେ ମୁହଁ ତଳକୁ କରି ଆସୁଛି; ସବୁବେଳେ ମନରେ ତାର ଡର, କାଳେ ମୁଁ କଣ କହିଦେବି ।

 

ହୋରୀ ଦେହ ଭଲ ହେବା ପରେ ପୁଣି ସ୍ତ୍ରୀ ପୁରୁଷ ଦିହେଁ ମିଳିମିଶି ଗଲେ ।

 

ଦିନେ ଧନିୟା କହିଲା–କେମିତି ସେଦିନ ତମର ଏତେ ରାଗ ହୋଇଗଲା ? ମୁଁ ତ ଏତେ ରାଗି ହେଲେ ବି କେବେ ମୋର ହାତ ଉଠେ ନାହିଁ ।

 

ହୋରୀ ଟିକିଏ ଲଜ୍ଜିତ ହୋଇ କହିଲା–ଆଉ ସେକଥା ପକାନି ଧନିୟା । ମୋ ମୁଣ୍ଡରେ ସେଦିନ ଗୋଟାଏ ଭୂତ ଚଢ଼ି ଯାଇଥିଲା । ସେକଥା ମନେ ପଡ଼ିଲେ ମୋତେ କେତେ କଷ୍ଟ ଲାଗେ ତା’ ମୋ ମନ ଏକା ଜାଣେ ।

 

‘ମୁଁ ଯଦି ସେଦିନ ରାଗରେ କେଉଁଠି ବୁଡ଼ି ମରିଥାନ୍ତି ?’

 

‘ତୁ ମରିଥିଲେ ମୁଁ କ’ଣ ଆଉ ଖାଲି କାନ୍ଦିବା ପାଇଁ ବଞ୍ଚିଥାନ୍ତି ? ତୋରି ଚିତାରେ ବି ମୋରି ଲାସ ଲଦା ହୋଇଥାନ୍ତା !

 

‘ହଉ ତୁନୀ ହଅ, ସେ ଅମଙ୍ଗୁଳିଆ କଥାଗୁଡ଼ା ସେତିକି ଥାଉ ।’

 

‘ଗାଈ ତ ଗଲା ଗଲା, ମୋ ମୁଣ୍ଡରେ ଏବେ ବିପତ୍ତି ଲଦି ଦେଇଗଲା ।’

 

‘ପୁନିୟା ଚିନ୍ତାରେ ମୋ ପ୍ରାଣ ଯାଉଛି ଆସୁଛି ।’

 

‘ଏଇଥିପାଇଁ ପରା କହନ୍ତି ଭଗବାନ ମଣିଷକୁ ଘରେ ବଡ଼ କରି ଜନ୍ମ ନ ଦିଅନ୍ତୁ । ଛୋଟଙ୍କୁ କେହି ପଚାରିବେ ନାହିଁ । ହେଲେ ଡେଙ୍ଗା ମୁଣ୍ଡରେ ସବୁଦିନେ ଠେଙ୍ଗା ପଡ଼ୁଥିବ ।’

 

ମାଘମାସ । ମାଘୁଆଣି ମେଘ ଟିପି ଟିପି କରୁଥାଏ, କିଟି କିଟି ଅନ୍ଧାର ଘୋଟି ଯାଇଥାଏ । ଏକେ ତ ଶୀତରାତି, ସେଥିରେ ପୁଣି ବରଷା । ମଶାଣି ପରି ସବୁଆଡ଼େ ଶୂନଶାନ । ହୋରୀ ଖାଇସାରି ପୁନିୟାର ପାଚିଲା ଚଣା କିଆରି ହୁଡ଼ାରେ କୁଡ଼ିଆ ଭିତରେ ଚେଇଁକରି ପଡ଼ି ରହିଥାଏ । ମନ ହେଉଥାଏ କେମିତି ଟିକିଏ ଶୀତକୁ ଭୁଲିକରି ଶୋଇ ପଡ଼ନ୍ତା, କିନ୍ତୁ ଛିଣ୍ଡା କମ୍ବଳ, ଛିଣ୍ଡା କୁର୍ତ୍ତା ଓ ଥଣ୍ଡା ପାଳ ଦେହରେ ନିଦ ଆସନ୍ତା କୁଆଡ଼ୁ ? ପାଖରେ ବି ଯୋଗକୁ ସେଦିନ ଚିଲମରେ କିଛି ମାଲ ନଥିଲା, ପୁଣି ସାଙ୍ଗରେ ଯେଉଁ ନିଆଁ ଆଣିଥିଲା ଶୀତ ଦାଉରେ ସେ ବି ଆପେ ଆପେ ଲିଭି ଯାଇଥିଲା । ବିଚରା ଗୋଡ଼ହାତ ଯାକିଯୁକି ଆପଣା ଗରମ ନିଶ୍ଵାସରେ ନିଜକୁ ଟିକିଏ ଉଷୁମ କରିବାକୁ ଚେଷ୍ଟାକଲେ । ଛିଣ୍ଡା କୁର୍ତ୍ତାଟାକୁ ଆସି ପାଞ୍ଚବର୍ଷ ହେଲାଣି । ଧନିୟା ବାଧ୍ୟକରି ସେଖଣ୍ଡ କାବୁଲିଙ୍କ ଠାରୁ କିଣେଇ ଦେଇଥିଲା । ସେଥିପାଇଁ କେତେ ଗାଳି ବି ଖାଇଥିଲା-। କମ୍ବଳ ଖଣ୍ଡ କେଉଁ କାଳର ତାର ଠିକଣା ନାହିଁ । ପିଲାଦିନେ ତା ବାପ ସଙ୍ଗେ ତାକୁ ସେ ଯୋଡ଼ି ହୋଇ ଶୋଉଥିଲା । ଭେଣ୍ଡିଆ ଦିନେ ଗୋବରାକୁ କୋଳରେ ଧରି ସେହି କମ୍ବଳ ତଳେ ଶୀତ କଟେଇ ଥିଲା । ଏବେ ବୁଢ଼ା କାଳରେ ବି ସେହି ବୁଢ଼ା କମ୍ବଳ ତାର ସାଥୀ । ସାରା ଜୀବନରେ ଏମିତି ଦିନଟାଏ ବି ମିଳିଲା ନାହିଁ ଯେଉଁଦିନ ଖଜଣା, ମାଗଣ, ସାହୁ ମହାଜନ ସୁଝିଦେଇ କିଛି ବଞ୍ଚିବ ଆଉ ସେ ଟିକିଏ ସୁଖରେ ରହିବ । ତା ଉପରକୁ ପୁଣି ଇଏ ଆଉ ଗୋଟାଏ ବିପତ୍ତି । ତା ମୁଣ୍ଡରେ ପୁନିୟାର କ୍ଷେତବାଡ଼ିର ବୋଝ । ନ କରୁଛି ଯଦି ଲୋକେ ହସିବେ, କରୁଛି ଯଦି ନାନା ସନ୍ଦେହ । ସମସ୍ତେ ଭାବୁଛନ୍ତି ପୁନିୟାର ଧନସମ୍ପତ୍ତି ସବୁ ସେ ଲୁଟିକରି ଖାଉଛି, ଉପକାର କରି ଶେଷକୁ ଏହି ବଦନାମ ଭୋଗିବାକୁ ପଡ଼ୁଛି । ଭୋଳା ତ ବରାବର ଖବର ଦେଉଛି ତା ପାଇଁ କନ୍ୟା ଖୋଜିବା ପାଇଁ । ଶୋଭା ତ କେତେଥର କହିଲାଣି ତା କାମଦାମରେ ପୁନିୟାର ମନ ମାନୁନାହିଁ । ନ ମାନୁ, ହସିକରି ହେଉ ବା କାନ୍ଦିକରି ହେଉ, ପୁନିୟାର ଘରକଥା ତାକୁ ତ ସମ୍ଭାଳିବାକୁଇ ପଡ଼ିବ-। ତେଣେ ଧନିୟା ମନରୁ ପଛକଥା ସବୁ ପୂରା ପୋଛିହୋଇ ଯାଇନି, ଏବେ ବି ତାର ଦୁଃଖ ରହିଛି; ଧନିୟାକୁ ସେଦିନ ତାର ମାରିବା ଉଚିତ ନଥିଲା । ଯା ସାଙ୍ଗରେ ଦିହକ କଟିଗଲାଣି ତାକୁ ଏତେ ଲୋକଙ୍କ ଆଗରେ ମାରିବାଠୁ ବଳି ଛୋଟଲୋକି ଆଉ କ’ଣ ହୋଇପାରେ ! ତଥାପି ଧନିୟା ତ ତାକୁ ମୁହଁପୋଡ଼ା କରିବାକୁ ଏତେ ଟିକେ ବି ଛାଡ଼ିଲା ନାହିଁ । ତାକୁ ଦେଖିଲେ ଆଜି ସେ ଆଡ଼େଇ ହୋଇ ଚାଲି ଯାଉଛି, ସତେ ଯେମିତି ତାକୁ ଚିହ୍ନିନାହିଁ । ତା’ଠି କାମ ପଡ଼ିଲେ ସୁନା କିମ୍ବା ରୂପା ହାତରେ କହି ପଠାଉଛି । ସୁନା ପାଇଁ ଶାଢ଼ି କିଣିବା ପାଇଁ କାଲି କହୁଥିଲା । ସୁନାର ଶାଢ଼ି ତ ଏବେ କିଣା ହୋଇଥିଲା, ସିଲେଇ କରିଦେଲେ ଚଳିଯାନ୍ତା । କିନ୍ତୁ ତା ନିଜ ଶାଢ଼ିରେ ତାଳି ପଡ଼ି କନ୍ଥା ହୋଇଗଲାଣି ପଛେ ସେକଥା କେବେ ସେ କହୁନାହିଁ । ପୁଣି ଭାବିଲା, ସେ ଅବା କେଉଁ ତା ମନ କଥା ବୁଝିବାକୁ ଚେଷ୍ଟା କରୁଛି । ସେ ଯଦି ତା ମନ ଖୁସୀହେବା ଭଳି ଦି’ଚାରି କଥା କରିଦିଅନ୍ତା କେଉଁ ଅବା ଛିଣ୍ଡିଯାନ୍ତା । ଖୁବହେଲେ ସେ ଟିକିଏ ବେଶୀ ଖୁସାମତି ଚାହାନ୍ତା, ଦିହରେ ଲାଗିଲା ଭଳିଆ ଦି’ଚାରି କଥା କହନ୍ତା । ସେ ବି ନିଜେ ଏଡ଼େ ଜାଣିବା ଶୁଣିବା ଲୋକ ହୋଇ ଉଲୁ ହୋଇ ବସିଛି । ଯୋଗକୁ ରୋଗରେ ପଡ଼ିଲା ବୋଲି ମନ ତାର ତରଳିଗଲା, ନୋହିଲେ ତ କେତେକାଳ ଯେ ମୁହଁ ଫୁଲେଇ ରହିଥାନ୍ତା କିଏ ଜାଣେ ?

 

ଆଜି ତାଙ୍କ ଦୁହିଁଙ୍କ ଭିତରେ ଯେଉଁ କଥାବାର୍ତ୍ତା ହୋଇଥିଲା ସେଗୁଡ଼ା ଭୋକିଲା ପେଟକୁ ଭୋଜନ ପରି । ଦିହିଁଙ୍କି ଦିହେଁ ଅନ୍ତର ଖୋଲି କଥାବାର୍ତ୍ତା ହେଲେ । ହୋରୀ ଭାବିଲା, ଧନିୟା ପାଦତଳେ ମୁଣ୍ଡ ଲଗାଇ ସେ କହନ୍ତା–ସେଦିନ ସିନା ମାରିଥିଲି, ଆଜି ମୁଁ ପିଠି ଦେଖାଇ ଦେଉଛି ଯେତେ ମାରିବୁ ମାର, ଯେତେ ଗାଳିଦେବୁ ଦେ ।

 

ହଠାତ୍ ହୋରୀ କୁଡ଼ିଆ ଆଗରେ କାଚ ଝୁଣୁ ଝୁଣୁ ଶୁଣାଗଲା । କାନଡ଼େରି କରି ଶୁଣିଲା, ଭାବିଲା, ହଁ, ଆଉ କିଏ ହେବ ? ପଟୁଆରୀ ଝିଅ ହୋଇଥିବ, ନହିଲେ ଦାତାଦୀନ ଭାରିଜା ହୋଇଥିବ । ଟଣାଛୁଇଁ ତୋଳିବା ପାଇଁ ଆସିଥିବେ । ଏ ଲୋକଗୁଡ଼ା କାହିଁକି ଏମିତି ଛୋଟଲୋକି କରନ୍ତି ସେ ବୁଝିପାରେ ନାହିଁ । ଗାଁରେ ସବୁ ଲୋକଙ୍କଠୁ ଏମାନେ ଭଲଖାନ୍ତି, ଭଲ ପିନ୍ଧନ୍ତି, ଟଙ୍କା ପୋତିକରି ରଖନ୍ତି, ଦେଢ଼ୀ ଅଢ଼େଇ ସୁଧରେ କରଜ ଦିଆନିଆ କରନ୍ତି, ଲାଞ୍ଚ ରିସମତ ନିଅନ୍ତି, ମାଲିମକଦ୍ଦମା କରି ଲୋକଙ୍କୁ ହଇରାଣ କରନ୍ତି, ତେବେକେ ବି ଏଗୁଡ଼ାଙ୍କର ଏଇ ଛୋଟ ପ୍ରକୃତି । ହଁ, ବାପ ମା ଯେମିତି, ପିଲାଛୁଆ ସେମିତି ହେବେ ନାହିଁ ଆଉ କେମିତି ହେବେ ? ପୁଣି ନିଜେ ଆସିବେ ନାହିଁ, ଝିଅ ମାଇପଙ୍କୁ ପଠାଇବେ । ଯଦି ଏଇନେ ଉଠିକରି ବାନ୍ଧି ପକାନ୍ତି କେଉଁ ମାନମହତ ରହନ୍ତା ଟି ! ଛୋଟ ତ ସହଜେ ଛୋଟ, କିନ୍ତୁ ଯେଉଁଗୁଡ଼ା ବଡ଼ଲୋକ ବୋଲାଉଛନ୍ତି ସେଗୁଡ଼ା ଛୋଟଙ୍କ ଠାରୁ ବି ଆହୁରି ଛୋଟ । ମାଇପି ଲୋକଙ୍କ ଠାରେ ହାତ ଦେବା ଟିକିଏ ଅଡ଼ୁଆ କିନା, ସେଇଥିପାଇଁ ଦେଖିକରି ବି ଆଖିବୁଜି ଦେବାକୁ ହେଉଛି । ହଁ ଯେତେ ମନ ପାଉଛି ଉପାଡ଼ି ନିଅନ୍ତୁ, ବଡ଼ଙ୍କୁ ସିନା ଲାଜ ନାହିଁ, ଛୋଟଙ୍କୁ ତ ପୁଣି ଲାଜ ସମ୍ଭାଳିବାକୁ ପଡ଼ିବ ।

 

କିନ୍ତୁ ନାହିଁ, ଇଏ ତ ଧନିୟା କି କ’ଣ ? ଡାକୁଛି ବୋଧହୁଏ । ଧନିୟା ପାଟି ଶୁଣେଇ କହିଲା–ଚିଆଁଇଛ କି ଶୋଇଲଣି ? ହୋରୀ ଚଟକରି ଉଠିପଡ଼ି କୁଡ଼ିଆ ବାହାରକୁ ଚାଲି ଆସିଲା । ମନେହେଲା ସତେ ଯେମିତି ଆଜି ଦେବୀ ପ୍ରସନ୍ନ ହୋଇ ବର ଦେବାପାଇଁ ଆସିଛନ୍ତି । ତା’ଛଡ଼ା ଏମିତି ବରଷା ପାଣି ଶୀତ ରାତିରେ କାହିଁକି ଆସିଛି ବୋଲି ମନରେ ଭାରୀ ଆଶଙ୍କା ହେଲା, ଯାହି ହେଲେ କିଛି ଜରୁରୀ ଘଟଣା ଘଟିଥିବ ନିଶ୍ଚୟ ।

 

ହୋରୀ କହିଲା–ଏମିତିଆ ଜାଡ଼ରେ ନିଦ ଆସିବ କୁଆଡ଼ୁ ? ଏଡ଼େ ଶୀତରେ ତୁ ଆସିଲୁ କୁଆଡ଼େ ? କ’ଣ ସବୁ ଭଲ ତ ?

 

‘ହଁ ସବୁ ଭଲ ?’

 

‘ଗୋବରାକୁ ପଠାଇ ମୋତେ ଡକେଇ ନେଲୁ ନାହିଁ କାହିଁକି ?’

 

ଧନିୟା ଆଉ କିଛି ନ କହି କୁଡ଼ିଆ ଭିତରକୁ ଚାଲି ଆସି ଲଥକରି ବସି ପଡ଼ି କହିଲା–ଗୋବରା ତ ଆମର ମୁହଁରେ କାଳି ବୋଳିଦେଲା, ତା କଥା ଆଉ ପଚାରୁଛ କ’ଣ ? ଯେଉଁଥିପାଇଁ ମୁଁ ଡରୁଥିଲି, ସେହି କଥାରେ ତ ପଡ଼ିଲେ ।

 

‘କଣ ହେଲା କି, କାହା ସଙ୍ଗେ ମାରପିଟ କଲା ?’

 

‘କ’ଣ କଲା ମୁଁ କ’ଣ କହିବି, ତମେ ଯାଇ କରି ସେ ରାଣ୍ଡକୁ ପଚାର ।’

 

କେଉଁ ରାଣ୍ଡ ମ, କ’ଣ କହୁଛୁ ତୁ, ତୁ ପାଗଳ ହୋଇଗଲୁଣି ନା କ’ଣ ?’

 

‘ହଁ ପାଗଳ ହୋଇଯିବି ନାହିଁ ଆଉ କ’ଣ, ଯା ହେଲା, ମନେ ପଡ଼ିଲେ ଛାତି କରତି ହୋଇ ଯାଉଛି ।’

 

ହୋରୀ ମନ ଭିତରେ ଆଲୋକର ଏକ ଝଲକ ସହସା ଦେଖାଗଲା । କହିଲା–ସଫା ସଫା କହୁନୁ କାହିଁକି, କେଉଁ ରାଣ୍ଡ କଥା କହୁଛୁ ?

 

‘ସେଇ ଝୁନିଆ ତ, ଆଉ କୋଉ ରାଣ୍ଡ ?’

 

‘କ’ଣ ଝୁନିଆ ଆମ ଏଠିକି ଆସିଛି ?’

 

‘ଆଉ କେଉଁଠିକି ଯିବ, କିଏ ପଚାରିବ ତାକୁ ।’

 

‘ଗୋବରା କ’ଣ ଘରେ ନାହିଁ ?’

 

‘ଗୋବରାର ତ କିଛି ପତ୍ତା ନାହିଁ, କୁଆଡ଼େ ପଳାଇଲାଣି କି କ’ଣ । ୟା’ରତ ଆସି ପାଞ୍ଚ ମାସର ପେଟ !’

 

ଏତିକିରେ ହୋରୀ ସବୁ ବୁଝିଗଲା । ଗୋବରା ଯେ ଗଉଡ଼ ସାହୀକୁ ଦିନରାତି ଏତେ ଦୌଡ଼ୁଥିଲା ଦେଖିକରି ତା ମନ ଟିକିଏ ଛକଉ ଥିଲା । କିନ୍ତୁ ସେ କ’ଣ କେବେ କଳ୍ପନା କରିଥିଲା ଗୋବରା ଏମିତି ହେବ ବୋଲି ? ଭାବିଥିଲା, ଯୁବକ ମାତ୍ରେ ଟିକିଏ ରସିକ ପଣିଆ କରିଥାନ୍ତି, ୟେ ବା କେଉଁ ନୂଆ କଥାଟାଏ ! ନୀଳ ଆକାଶରେ ପାରାଟାକର ଧଳା ବାଦଲ ପବନରେ ଏଣେତେଣେ ଉଡ଼ୁଥିବାର ଦେଖି ସେ ସିନା ମନେ ମନେ ହସୁଥିଲା । କିନ୍ତୁ ସେ କ’ଣ ଜାଣିଥିଲା ଏଇ ବାଦଲ ପୁଣି ଆକାଶଯାକ ଘୋଟିଯାଇ ତା ରାସ୍ତାକୁ ପୂରାପୂରି ଅନ୍ଧାର କରିଦେବ ? ଏ କଥା ତ ନିଜେ ଭଗବାନ ହେଲେ ବି କଳ୍ପନା କରିପାରିବେ ନାହିଁ, ମଣିଷ କଥା ପଚାରୁଛି କିଏ ? କିଏ ଜାଣିଥିଲା ଗୋବରା ଏଡ଼େ ଲମ୍ପଟ, ସେ ତ ଆଜିଯାଏ ଭାବୁଥିଲା ଗୋବରା ଗୋଟେ ସାଧାସିଧା ମଫସଲିଆ ଟୋକା । ବର୍ତ୍ତମାନ ହୋରୀର ଆଉସବୁ ଚିନ୍ତା ଉଭେଇଗଲା । ସେ ଟଙ୍କା ପଇସା କଥା ଭାବୁ ନ ଥିଲା, କିମ୍ବା ପଞ୍ଚାୟତଙ୍କ ହଇରାଣ କଥା ଭାବୁ ନ ଥିଲା । କିମ୍ବା ଝୁନିଆ କେମିତି ତା ଘରେ ରହିବ, ସେ କଥା ବି ଭାବୁ ନଥିଲା । ସେ କେବଳ ଭାବୁଥିଲା ଗୋଟିଏ କଥା । ଗୋବରାଟା ଯେମିତି ଲାଜକୁଳା ସେମିତି ଅଭିମାନୀ, ସେମିତି ଅନାଡ଼ୀ, କେଉଁଠି ଯଦି ଜୀବନ ହରାଇ ଦିଏ ତେବେ କଥା ସରିଯିବ ।

 

ଟିକିଏ ଇତଃସ୍ତତ ହୋଇଯାଇ ହୋରୀ ପଚାରିଲା–ଗୋବରା କୁଆଡ଼େ ଗଲା, ଝୁନିଆ କ’ଣ କିଛି କହିନାହିଁ ? ତାକୁ ତ କହିକରି ନିଶ୍ଚୟ ସେ ଯାଇଥିବ ।

 

ଧନିୟା ଟିକିଏ ଚିଡ଼ିଯାଇ କହିଲା–ତମ ବୁଦ୍ଧି କ’ଣ ଯାଇ ଲଟାରେ ପଶିଲାଣି କି ! ତା ସାଥୀ ଲୋକ ଯେତେବେଳେ ଏଇଠି ବସିଛି ସେ ଯିବ କୁଆଡ଼େ ? ଏଇମାନେ କୁଆଡ଼େ ଛପିଛାପି କରି ବସିଥିବ । କ’ଣ ଦୁଧଖିଆ ପିଲା ହୋଇଛି ଯେ କୁଆଡ଼େ ହଜିଯିବ ? ମୋର ତ ଅସଲ ଚିନ୍ତା ଏ ପୋଡ଼ାମୁହୀଁ ଝୁନିଆକୁ ନେଇକରି ମୁଁ କ’ଣ କରିବି ? ମୋ ଘରେ ତ ମୁଁ ତାକୁ ଘଡ଼ିଏ ରଖେଇ ଦେବି ନାହିଁ । ଯୋଉଦିନୁ ଗୋବରା ଗାଈ ଆଣିବାପାଇଁ ଗଲାଣି, ସେହିଦିନୁ ତାଙ୍କ ଭିତରେ ଭିତରେ ସଲା । ସେ ଯଦି ପେଟ ନ ହୋଇଥାନ୍ତା, କଥା କଣ ଜଣା ପଡ଼ିଥାନ୍ତା କି ? କିନ୍ତୁ ଯେତେବେଳେ ପେଟରେ ପିଲା ରହିଗଲା ଝୁନିଆକୁ ଆଉ ବୁଦ୍ଧି ଦିଶିଲା ନାହିଁ, କହିଲା ଚାଲ କୁଆଡ଼େ ପଳାଇବା । ଗୋବରା ଦିନକୁ ଦିନ ଗଡ଼ାଇ ଦେଉଥିଲା । ମାଇକିନିଆଟାଏ ନେଇ କୁଆଡ଼େ ଯିବ ତାକୁ କିଛି ବୁଦ୍ଧି ଦିଶିଲା ନାହିଁ । ଆଜି ଯେତେବେଳେ ଝୁନିଆ ଜିଦଧରି କହିଲା ମୋତେ କୁଆଡ଼େ ନେଇଚାଲ, ନହିଲେ ମୁଁ ଜୀବନ ହରାଇ ଦେବି, ସେଇଠୁ ଗୋବରା କହିଲା–ଆଚ୍ଛା, ତୁ ଆମ ଘରକୁ ଚାଲ, କେହି କିଛି କହିବେ ନାହିଁ । ମା’କୁ ମୁଁ ପଟେଇ ନେବି । ଏଇ ଉଲୀଟା ତା ସଙ୍ଗରେ ଘରୁ ବାହାରି ଆସିଲା କିଛି ବାଟ ଗୋବରା ଆଗେ ଆଗେ ଆସିଲା, ତା ପରେ କୁଆଡ଼େ ଖସି ଚାଲିଗଲା । ସେ ତାକୁ ଡାକି ଡାକି ଯେତେବେଳେ ସନ୍ଧ୍ୟା ହୋଇଗଲା ଆଉ ଦେଖିଲା କେହି ଆସିଲେ ନାହିଁ, ଆଉ କ’ଣ କରିବ; ସିଧା ଆମ ଘରକୁ ଚାଲି ଆସିଲା । ମୁଁ ତ କହିଲି–ଯେମିତି କାମ କରିଛୁ ସେମିତି ଫଳ ପା । ମୋ ପୁଅକୁ ତ ନେଇ ଖାଲରେ ପକାଇ ଦେଲୁ । ସେତିକିବେଳୁ ବସି କାନ୍ଦୁଛି ଯେ ଆଉ କୁଆଡ଼େ ଟିପ କାଢ଼ିବାକୁ ନାହିଁ । କହୁଛି କୋଉ ମୁହଁରେ ଆଉ ଘରକୁ ଫେରିଯିବ । ଏମିତିଆ ଛୁଆ ଜନମ କରିବା ଅପେକ୍ଷା ବାଂଝ ହେବା ଆହୁରି ଭଲ । ରାତି ପାଉ ପାଉ ଗାଁ ସାରା ଚହଳ ପଡ଼ିଯିବ । ମନ ଏମିତି ହେଉଛି ବିଷ ଖାଇ ମରିଯାନ୍ତି । ମୁଁ ତମକୁ କହି ଦେଉଛି ମୁଁ ତାକୁ ମୋ ଘରେ ରଖି ଦେବି ନାହିଁ । ଗୋବରା ଯଦି ତାକୁ ରଖିବ ସେ ନେଇ ତା ମୁଣ୍ଡ ଉପରେ ରଖୁ । ମୋ ଘରେ ଏମିତିଆ ଦୋଚାରୁଣୀଙ୍କ ପାଇଁ ଜାଗା ନାହିଁ । ତମେ ଯଦି ମଝିରେ ପାଟି ଫିଟା, ତେବେ ଏ ଘରେ ତମେ ରହିବ, ନହିଲେ ମୁଁ ରହିବି ।

 

ହୋରୀ କହିଲା–ତୋର କିଛି ଅକଲ ନାହିଁ, ତୁ ତ ମୂଳରୁ ତାକୁ ଘରେ ପୂରେଇ ନଥାନ୍ତୁ-। ଏତେଯାଏଁ କଥା ଯାଇଥାନ୍ତା କିଆଁ ?

 

‘କହି କହି ତ ଥକିଗଲିଣି, ମୋଟେ ଶୁଣିବାକୁ ନାହିଁ, ଧାରଣା ଦେଇକରି ବସି ରହିଛି ।’

 

‘ଦେଖିଆ ଚାଲିବୁ କେମିତି ବସି ରହିବ, ଘୋଷାରି କରି ଯଦି ବାହାର କରି ନ ଦେବି !’

 

‘ଭୋଳା ବାଡ଼ିପଡ଼ା ସବୁ ଜାଣି କରି ଚୁପ୍ ହୋଇ ବସିଥିଲା । ବୋପା ପୁଣି ଏମିତି ବେହିୟା ହ’ନ୍ତି ?’

 

‘ତା ପଛ ପଟେ କ’ଣ ହେଉଛି ସେ କେମିତି ଜାଣନ୍ତା ?’

 

‘ଜାଣନ୍ତା ନାହିଁ କେମିତି ? ଗୋବରା ଦିନରାତି ସେଠି ପଡ଼ି ରହୁଥିଲା । କଣ ତାକୁ ଦିଶୁ ନଥିଲା, ତା ଆଖି ଫୁଟି ଯାଉଥିଲା ? ସେ କହି ନଥାନ୍ତା ଏ ଟୋକା କିଆଁ ନିତି ଏଠିକି ଦୌଡ଼ୁଛି ।’

 

‘ଚାଲ, ମୁଁ ଝୁନିଆକୁ ପଚାରୁଛି ।’

 

ଦିହେଁଯାକ କୁଡ଼ିଆରୁ ବାହାରି ଗାଁ ଭିତରକୁ ଚାଲିଲେ । ହୋରୀ କହିଲେ–ରାତି ପାଞ୍ଚ ଘଡ଼ିରୁ ବେଶୀ ହେଲାଣି ।

 

ଧନିୟା କହିଲା–ହଁ, ହେବ ନାହିଁ ଆଉ କ’ଣ ? କିନ୍ତୁ ଗାଁ କେଡ଼େ ନିଛାଟିଆ ହୋଇ ଗଲାଣି, ଚୋର ଆସନ୍ତା ବୋଲେ ସବୁ ଉଠେଇ ନେଇଯାନ୍ତା ।

 

‘ଚୋର କ’ଣ ଏଇମିତିଆ ଗାଁକୁ ଆସନ୍ତି, ଧନୀ ଲୋକଙ୍କ ପାଖକୁ ଯା’ନ୍ତି ନା’ ।

ଧନିୟା ହଠାତ୍ ହୋରୀର ହାତକୁ ଝିଙ୍କି ଦେଇ କହିଲା–ତୁନୀ ହ, ପାଟି କରନାହିଁ, ନହିଲେ ଲୋକ ଉଠି ପଡ଼ିଲେ ଏଇନେ ଗାଁ ଯାକ ଚହଳ ପଡ଼ିଯିବ ।

ହୋରୀ ଟିକିଏ ବିରକ୍ତ ହୋଇ କହିଲା–ମୁଁ ସେଗୁଡ଼ା କିଛି ଜାଣେ ନାହିଁ । ହାତ ଧରି ଘୋଷାରି ଆଣିବି, ଆଣି ଗାଁ ବାହାରେ ଛିଡ଼ା କରିଦେବି । କଥା ତ ଯେମିତି ହେଲେ ଦିନେ ଫିଟିବ, ଆଜି ଫିଟିଲେ କ’ଣ, କାଲି ଫିଟିଲେ କ’ଣ ? ସେ ମୋ ଘରକୁ ଆସିଛି କାହିଁକି ? ଗୋବରା ଯେଉଁଠି ଅଛି ଯାଉନି । ତା ସଙ୍ଗେ ତ ପାପ କଲା, କ’ଣ ଆମକୁ ପଚାରି କରି କରିଥିଲା ?

ଧନିୟା ପୁଣି ତା ହାତ ଧରି ପକାଇ ତୁନୀ କରି କହିଲା–ତମେ ଯଦି ତା ହାତ ଧରି ଘୋଷାରିବ, ତେବେ ସେ ପାଟି କରିବ ।

‘ହଁ, କରୁ ।’

‘ଏମିତିଆ ନିଛାଟିଆ ଅନ୍ଧାର ରାତିରେ ସେ ଯିବ କୁଆଡ଼େ ଆଚ୍ଛା କହିଲ ?’

‘ଯିବ ଯେଉଁଠି ତାର ଆପଣାଲୋକ ଅଛନ୍ତି, ମୋ ଘରେ କ’ଣ ତାର ଭାଗ ଅଛି ?’

‘ହେଲେ ଏତେ ରାତିରେ ତ ଘରୁ ବାହାର କରିଦେବା ଠିକ୍ ହେବ ନାହିଁ ।’ ଦିହ ତ ସହଜେ ଭାରୀ, ନାହିଁ କେଉଁଠି ଡରିବ ବୋଲେ ବଡ଼ ଅସୁବିଧା ହେବ । ଏମିତିଆ ବେଳରେ ଅବା କରିବ କ’ଣ ?

‘ସେ ମଲେ କି ଗଲେ ମୋର କ’ଣ ଗଲା ? ଯୁଆଡ଼େ ଇଚ୍ଛା ସିଆଡ଼େ ଯାଉ । ମୁଁ କାହିଁକି ଆପଣା ମୁହଁରେ କଳା ବୋଳି ହୋଇ ବସିବି ? ଖାଲି କ’ଣ ୟାକୁ, ଗୋବରାକୁ ବି ଘରୁ ବାହାରି କରିଦେବି ।’

ଧନିୟା ଟିକିଏ ଚିନ୍ତା କଲା ପରି କହିଲା–ଆଉ କଳି ନଗେଇବ କ’ଣ ? ଯେତିକି ଲାଗିବାର ଥିଲା ତ ଲାଗି ସାରିଲାଣି । ଏ ଜନମରେ କ’ଣ ଆଉ ସେ କଳି ଛାଡ଼ିବ ? ଗୋବରା ତ ନାଆ ଡୁବେଇ ଦେଲା, କହି ଲାଭ କ’ଣ ?

‘ଗୋବରା କିଆଁ ଡୁବେଇବ, ଡୁବେଇଛି ଏଇ । ସେ ତ ପିଲାଲୋକ କରିବ କ’ଣ, ୟା’ରି ପାଲରେ ସେ ପଡ଼ିଗଲା ।’

ଯିଏ ପଛେ ଡୁବୋଉ, ଡୁବି ତ ଗଲାଣି । ଆଉ କ’ଣ କଥା ଅଛି ?’

ଦିହିଁଯାକ ଦୁଆରେ ପହଁଚିଗଲା ମାତ୍ରେ ଧନିୟା ହୋରୀ ବେକକୁ କୁଣ୍ଢେଇ ପକାଇ ବିନତି କରି କହିଲା–ତମକୁ ମୋ ରାଣ, ତାକୁ ହାତ ଉଠାଇବ ନାହିଁଟି ! ନିଜେ ତ କାନ୍ଦୁଛି ଆଉ କନ୍ଦେଇ କରି ତାକୁ ଲାଭ କ’ଣ ? କପାଳ ଆମର ଛୋଟ ବୋଲି, ନହିଲେ ଏ କଥା କିଆଁ ହୋଇଥାନ୍ତା !

ଏତକରେ ହୋରୀର ଆଖି ଛଳ ଛଳ ହୋଇ ଉଠିଲା । ମାତୃ ସ୍ନେହର ଅମୃତ ଆଲୋକ ଅନ୍ଧାର ଭିତରେ ବି ଧନିୟା ମୁହଁରେ ଝଲସି ଦେଖାଗଲା । ଦୁହିଁଙ୍କ ମନରେ ବିଗତ ଯୌବନର ଅନନ୍ତ ସ୍ମୁତି ଜାଗି ଉଠିଲା । ଏହି ବୃଦ୍ଧ ବୟସରେ ମଧ୍ୟ ପଚିଶ ବର୍ଷ ତଳର ଯୁବତୀ ଧନିୟାର ସରସ ରୂପ ହୋରୀ ଆଖି ଆଗରେ ଭାସିଗଲା । ସେହି ଆଲିଙ୍ଗନ ଭିତରେ ସେ ସବୁ ପାପ ସବୁ ବାଧା ସବୁ ପରମ୍ପରା ମୁହୂର୍ତ୍ତକ ମଧ୍ୟରେ ଭୁଲିଗଲା ।

 

ଘର ପାଖକୁ ଯାଇଁ ଦିହେଁ ଝରକା ବାଟେ ଚାହିଁଲେ । ଦେଖିଲେ ବଇଠା ଉପରେ ତଳେ ଦୀପ ମିଞ୍ଜି ମିଞ୍ଜି ଜଳୁଛି, ଝୁନିଆ ଆଣ୍ଠୁ ଉପରେ ମୁହଁ ରଖି ଦୁଆର ଆଡ଼କୁ ଅନେଇ ବସିଛି । ଜଣା ପଡ଼ୁଥିଲା ସତେ ଯେମିତି ଦୀପର କ୍ଷୀଣ ଆଲୋକରେ ଜୀବନର ସେହି ସୁଖକୁ ସେ ଆଜି ଖୋଜି ବୁଲୁଛି ଯାହା କ୍ଷଣକ ପାଇଁ ଆପଣାର ମୋହନ ରୂପ ଦେଖାଇ କୁଆଡ଼େ ଛପି ଯାଉଛି । ବିପତ୍ତି ଏବଂ ବ୍ୟଙ୍ଗବାଣରେ ଅସ୍ତବ୍ୟସ୍ତ ହୋଇ ବୁଲୁବୁଲୁ ଜୀବନରେ ତାକୁ ପୁଣି ଏକ ଆଶ୍ରୟ ମିଳିଥିଲା । ସେଥିରେ ସେ ଆପଣାକୁ ନିରାପଦ ଏବଂ ସୁଖୀ ମନେ କରୁଥିଲା କିନ୍ତୁ ସେ ବି କୁଆଡ଼େ ଆଖି ପିଛୁଳାକେ ଆଲାଉଦ୍ଦୀନର ପରୀମହଲ ପରି ଉଭେଇ ଗଲା । ସତେ ଯେମିତି ତାକୁ ଗିଳି ପକାଇବା ପାଇଁ ଭବିଷ୍ୟତ କରାଳ ରାକ୍ଷସ ମୂର୍ତ୍ତି ଧରି ତା ସାମନାରେ ଆସି ଛିଡ଼ା ହୋଇଥିଲା ।

 

ହଠାତ୍ କବାଟ ଫିଟାଇ ହୋରୀ ଭିତରକୁ ଆସୁଥିବାର ଦେଖି ସେ ଭୟରେ ଥରି ଥରି ତା ପାଦତଳେ ପଡ଼ିଯାଇ କାନ୍ଦି କାନ୍ଦି କହିଲା–ବାପା, ତମ ମନ ହେଲେ ମତେ ହାଣ ମାର ଯାହାକାର, କିନ୍ତୁ ମୋତେ ଆଉ ଘରୁ ବାହାର କରି ଦିଅ ନାହିଁ ।

 

ହୋରୀ ନଇଁପଡ଼ି ତା ପିଠିରେ ହାତ ଆଉଁସି ଦେଇ ଆଦର କରି କହିଲି–କିଛି ଭୟ କର ନାହିଁ ମା, ଏ ଘରଦ୍ଵାର ସବୁ ତୋର, ଆମେ ସମସ୍ତେ ତୋର । ମନଖୁସୀରେ ରହ । ତୁ ଯେମିତି ଭୋଳାର ଝିଅ ସେମିତି ମୋ ଝିଅ ବି । ମୁଁ ଥିବାଯାକ କିଛି ପରୁଆ କର ନାହିଁ । ମୁଁ ଜୀଇଁଥିବା ଯାକ ତୋତେ କେହି ଆଡ଼ ଆଖିରେ ବି ଅନାଇ ପାରିବେ ନାହିଁ । ଭୋଜି ଭାତ ଯାହା ପଡ଼ିବ ସବୁ ମୁଁ ଦେବି । ତୁ ମୋତେ ବିଶ୍ଵାସ କର ।

 

ଆଶ୍ଵାସନା ପାଇ ଝୁନିଆ ଆହୁରି ଜୋରରେ ହୋରୀ ଗୋଡ଼କୁ କୁଣ୍ଢେଇ ଧରି କହିଲା–ବାପା, ତମେ ବର୍ତ୍ତମାନ ମୋର ବାପ ମା ସବୁ, ତମ ଛଡ଼ା ଦୁନିଆରେ ମୋର ଆଉ କେହି ନାହିଁ । ମୋତେ ତମେ ଶରଣ ନ ରଖିଲେ ମୋ ବାପ ଭାଇ ମୋତେ କଞ୍ଚା ଖାଇଯିବେ ।

 

ଧନିୟା ଆଉ ସମ୍ଭାଳି ନ ପାରି ଦୟାରେ ତରଳି ଯାଇ କହିଲା–ଚାଲ୍, ତୁ ଘର ଭିତରେ ବସ, ମୁଁ ତୋ ବାପ ଭାଇଙ୍କି ଠିକ୍ କରିଦେବି । ସଂସାରଟାଯାକ ତ ତାଙ୍କ ରାଇଜ ନୁହେଁ । ଖୁବ୍ ହେଲେ ତାଙ୍କ ଗହଣାଗଣ୍ଠି ମାଗି ନେବେ । କାଢ଼ିକରି ଫିଙ୍ଗିଦେ ।

 

ଏଇନେ ଟିକିଏ ଆଗରୁ ଧନିୟା ତାକୁ ବେଶ୍ୟା, ବାଲୁଙ୍ଗୀ, ପୋଡ଼ାମୁହୀଁ ବୋଲି କ’ଣ ନା କ’ଣ କହୁଥିଲା । ଛାଞ୍ଚୁଣୀ ମୁଠାରେ ପିଟି ଘରୁ ବାହାର କରିଦେବ ବୋଲି ବସିଥିଲା, ପୁଣି ସବୁ ବଦଳି ଗଲା । ଝୁନିଆ ତାର ସ୍ନେହଭରା ଆଶ୍ଵାସନା ଶୁଣି ହୋରୀ ଗୋଡ଼କୁ ଛାଡ଼ି ଧନିୟା ପାଦକୁ କୁଣ୍ଢେଇ ଧରିଲା । ଯେଉଁ ଧନିୟା ସାରା ଜୀବନ ହୋରୀ ଛଡ଼ା ଅନ୍ୟ ପୁରୁଷକୁ ଆଡ଼ ଆଖିରେ ବି କେବେ ଚାହିଁ ନଥିଲା ସେହି ପୁଣି କୁଳଟା ଝୁନିଆକୁ କୋଳକରି ଆଖିରୁ ଲୁହ ପୋଛି ଦେଲା, ନାନା ଆଶ୍ଵାସନା ଦେଇ ତା ମନକୁ ଶୀତଳ କରିଦେଲା । ଚଢ଼େଇ ତା ଛୁଆକୁ ପକ୍ଷୀ ଘୋରେଇ ଲୁଚେଇ ରଖିଲା ପରି ଝୁନିଆକୁ ଆପଣା ବାହୁ ତଳେ ଛପେଇ ନେଲା ।

 

ଝୁନିଆକୁ କିଛି ଖାଇବାକୁ ପିଇବାକୁ ଦେବାପାଇଁ ଧନିୟାକୁ ଠାରି ଦେଇ ହୋରୀ ପଚାରିଲା–ଆଲୋ ମା, ତୁ କିଛି ଜାଣୁ ଗୋବରା କୁଆଡ଼େ ଗଲା ?

 

ଝୁନିଆ ସକ ସକ କାନ୍ଦି ପକାଇ କହିଲା–ମୋତେ ତ କିଛି କହିଯାଇ ନାହିଁ । ମୋ ଲାଗି ତମ ଉପରେ...... । ଏତିକି କହୁ କହୁ ଭୋ ଭୋ ରଡ଼ି ଛାଡ଼ିଲା ।

 

ହୋରୀ ଆଉ ନିଜର ବ୍ୟାକୁଳତା ଛପାଇ ପାରିଲା ନାହିଁ । ପଚାରିଲା–ତୁ ଆଜି ତାକୁ ଦେଖିଲାବେଳେ ତା ମନରେ କଣ ଭାରୀ ଦୁଃଖ ଥିଲା ?

 

‘ହସି ହସି ତ କଥା କହୁଥିଲା, ମନକଥା ଭଗବାନ ଜାଣନ୍ତି ।’

 

‘ତୋ ମନକୁ କଣ ଆସୁଛି, ସେ ଏହି ଗାଁରେ କେଉଁଠି ଅଛି ନା କୁଆଡ଼େ ବାହାରକୁ ଚାଲି ଯାଇଛି ?’

 

‘ମୋତେ ଲାଗୁଛି, କୁଆଡ଼େ ବାହାରକୁ ଚାଲି ଯାଇଛି ।’

 

‘ମୁଁ ବି ସେୟା ଭାବୁଛି, କେଡ଼େ ମୂର୍ଖଟାଏମ ! ମୁଁ କଣ ତାର ଶତ୍ରୁ ହୋଇଛି ? ଯଦି ଭଲ ମନ୍ଦ କି ବହକ ସହକ କିଛି ହୋଇଗଲା ତେବେ ସମ୍ଭାଳି ନିଅନ୍ତି ନା, ପଳାଇଯାଇ ଲୋକଙ୍କୁ ହଇରାଣ କରନ୍ତି !

 

ଧନିୟା ହାତଧରି ଝୁନିଆକୁ ଘର ଭିତରକୁ ନେଇ ଯାଉ ଯାଉ କହିଲା–କେଡ଼େ ଡରୁଆ ମ, ଯା ହାତ ଧରିବ, ତାକୁ ସମ୍ଭାଳିବ ନା, ମୁହଁରେ କାଳି ଲଗାଇ ରାଇଜ ଛାଡ଼ି ପଳାଇବ । ଆସୁ ଏଥର, ତାକୁ ଆଉ ଘରେ ପୂରେଇଦେବି ନାହିଁ ।

 

ହୋରୀ ସେଇଠି ପାଳ ଉପରେ ଶୋଇପଡ଼ିଲା । ଗୋବରା କୁଆଡ଼େ ଗଲା, ଏଇ ଚିନ୍ତା ତା ମନରେ ଆକାଶରେ ଚଡ଼େଇ ପରି ଚକି କାଟୁଥିଲା ।

Image

 

ଏକାଦଶ ପରିଚ୍ଛେଦ

 

ଏମିତିଆ କାଣ୍ଡ ଘଟିଲେ ଗାଁରେ ଯେମିତିଆ ଘୋ ଘା ହେବା କଥା ଖୁବ୍ ହେଲା, ମାସେ କାଳ ଯାଏ ଖୁବ୍ ଚହଳ ପଡ଼ିଲା । ଝୁନିଆର ଭାଇ ଦିହେଁ ଠେଙ୍ଗା ପକାଇ ଗୋବରାକୁ ଖୋଜି ବୁଲିଲେ । ଭୋଳା ନିୟମ କଲା ଆଉ ଝୁନିଆର ମୁହଁ ଚାହିଁବ ନାହିଁ କି ସେ ଗାଁ ମାଡ଼ିବ ନାହିଁ । ତା ବାହାଘର ନେଇ ହୋରୀ ସଙ୍ଗେ ଯେଉଁ କଥାବାର୍ତ୍ତା ଚାଲିଥିଲା, ସେ ବି ବନ୍ଦ ହୋଇଗଲା । ସେ ଠିକ୍ କଲା ହୋରୀକୁ ଗାଈ ଟଙ୍କା ମାଗିବ । ସାଙ୍ଗେ ସାଙ୍ଗେ ନ ଦେଲେ ତା ଘରଦ୍ଵାର ନିଲାମ କରେଇ ଟଙ୍କା ନେବ । ଏଣେ ଗାଁ ଲୋକେ ହୋରୀକୁ ଜାତିରୁ ବାସନ୍ଦ କରି ଦେଲେ, କେହି ତା ଦୁଆର ମାଡ଼ିଲେ ନାହିଁ କି ତା ଘରୁ ପାଣି ଛୁଇଁଲେ ନାହିଁ । ତାକୁ ନିଆଁ ପାଣି ବନ୍ଦ କରିଦେବାକୁ ଲୋକେ ଭାବୁଥିଲେ । କିନ୍ତୁ ଧନିୟାର ଚଣ୍ଡୀରୂପ ତ ଗାଁ ଲୋକେ ଆଗରୁ ଦେଖି ସାରିଥିଲେ, ସେଥିପାଇଁ ଏ କାମରେ କେହି ଆଗୁଆ ହେବାକୁ ମଙ୍ଗିଲେ ନାହିଁ । ଧନିୟା ସମସ୍ତଙ୍କୁ ଶୁଣାଇ ଶୁଣାଇ କହିଦେଲା–ଯଦି କିଏ ତାକୁ ପାଣି ବନ୍ଦ କରି ଦିଏ ତେବେ ସେ ତା ରକ୍ତ ଚିତା ଘିତିବ । ଏ କଥା ଶୁଣି ଲୋକଙ୍କର ପିଳେଇ ପାଣି, ଆଉ ତାକୁ ବନ୍ଦ କରିବ କିଏ ? ଏ ସବୁ ଘଟଣାରେ ସବୁଠୁ ବେଶୀ ଦୁଃଖୀ ହେଲା ଝୁନିଆ । ଏକେ ତ ତାରି ଯୋଗୁ ଏତେ ଗଣ୍ଡଗୋଳ, ପୁଣି ଗୋବରାର କୌଣସି ଖୋଜ ଖବର ନାହିଁ । ଦିନଯାକ ତ ଘରେ ମୁହଁ ମାଡ଼ି ପଡ଼ି ରହେ । ପଦାକୁ ବାହାରିଲା ମାତ୍ରେ ଚାରିଆଡ଼ୁ ଏତେ ଗାଳି ଶୁଣିବାକୁ ପଡ଼େ ଯେ ମୁହଁ ଟେକି ଚାଲିବା ମୁସ୍କିଲ ହୋଇଯାଏ । ଦିନଯାକ ତ ଘର କାମରେ ଲାଗିଥାଏ, ଟିକିଏ ବେଳ ମିଳିଲା ମାତ୍ରେ ବସି କାନ୍ଦେ । କାଳେ ଧନିୟା କଣ କହିଦେବ ବୋଲି ଦିନରାତି ଡରରେ ଥରୁଥାଏ । ତା ହାତରୁ କେହି ଖାଇବେ ନାହିଁ ବୋଲି ଖାଲି ସିନା ରୋଷେଇ କରେ ନାହିଁ, ନହିଲେ ଆଉ ସବୁ କାମ କରେ । ଗାଁରେ ଯେଉଁଠି ଦିଚାରି ଜଣ ଲୋକ ଏକାଠି ହୁଅନ୍ତି, ଶୁଣିବ ଖାଲି ଏଇ କଥା ।

 

ଦିନେ ଧନିୟା ହାଟରୁ ଫେରୁଥିବାବେଳେ ବାଟରେ ପଣ୍ଡିତ ଦାତାଦୀନ ହାବୁଡ଼ରେ ପଡ଼ିଗଲା । ସେ ମୁଣ୍ଡ ନୁଆଁଇ ଆଡ଼େଇ ହୋଇ ଚାଲିଯିବ ବୋଲି ବିଚାର କରିଥିଲା । କିନ୍ତୁ ଦାତାଦୀନ କି ଛାଡ଼ିବା ଲୋକ ? ଦେଖିଲା ମାତ୍ରେ କହିଲା–ଗୋବରା ଖବର କିଛି ମିଳିଲା ନା ନାହିଁ-? କିଏ ଜାଣିଥିଲା ସେ ଏମିତି ସବୁ ମହତ ମର୍ଯ୍ୟାଦା ବୁଡ଼େଇବ ବୋଲି ?

 

ଧନିୟା ମନେ ମନେ ବି ଠିକ୍ ଏହି କଥା ଭାବୁଥିଲା । ଟିକିଏ ଉଦାସ ହୋଇ କହିଲା–ହଁ, କପାଳ ଫାଟିଲେ ତ ମଣିଷର ବୁଦ୍ଧି ହଜିଯାଏ, ଆଉ କହିବା କାହାକୁ ।

 

ଦାତାଦୀନ କହିଲା–ଏହି ଦୁଷ୍ଟ ମାଇପିଟାକୁ ଘରେ ରଖିବା ତମର ଭଲ ହେଲା ନାହିଁ । ଦୁଧରେ ମାଛି ପଡ଼ିଗଲେ, ମାଛିକୁ ଆଡ଼େଇ ଦେଇ ଦୁଧ ପିଇଯିବା କଥା ନା । ଦେଖୁନା, କେତେ ବଦନାମୀ, କେତେ ଲୋକହସା ଚାଲିଛି । ଏହି ଦୋଚାରୁଣୀଟାକୁ ଘରେ ନ ରଖିଥିଲେ ଏତେ କଥା ହୁଅନ୍ତା କାହିଁକି ? ଭେଣ୍ଡିଆ ଲୋକେ ତ ଏମିତିଆ ଭୁଲ ବରାବର କରନ୍ତି । ହେଲେ ଜାତି ଭାଇଙ୍କୁ ଖାଇବାକୁ ନ ଦେଲେ, ବାହ୍ମୁଣଙ୍କୁ ଭୋଜନ ନ ଦେଲେ ତମେ ସବୁ ଉଦ୍ଧାର ପାଇବ କେମିତି ? ତାକୁ ଘରେ ନ ରଖିଥିଲେ ଏତେ କଥା କିଆଁ ହୋଇଥାନ୍ତା ? ହୋରୀଟା ସିନା ପାଗଳଟା, ତୁ ସିଆଣିଆ ହୋଇ ଏମିତିଆ ଭୁଲରେ କେମିତି ପଡ଼ିଗଲୁ ?

 

ଦାତାଦୀନ ପୁଅ ମାତାଦୀନ ଗୋଟାଏ ଚେମାରୁଣୀ ରଖିଥିଲା । ଗାଁ ଯାକ ସମସ୍ତେ ସେ କଥା ଜାଣନ୍ତି, ତଥାପି ତ ସେ ଭାଗବତ ପଢ଼ୁଥିଲା, ପୂଜା ହଜା ସବୁ କରୁଥିଲା । କିନ୍ତୁ ତାକୁ ତ କେହି କିଛି କହୁ ନଥିଲେ । ସକାଳୁ ଉଠି ସ୍ନାନଶୌଚ ହୋଇ ସେ ପ୍ରାୟଶ୍ଚିତ୍ତ ହେଉଥିଲା । ଧନିୟା ଠିକ୍ ଜାଣିଥିଲା, ଝୁନିଆକୁ ଘରେ ରଖିବାରୁ ଏ ବିପତ୍ତି ଆସି ପହଞ୍ଚିଲା । କେଜାଣି ସେଦିନ ତା ମନରେ କେମିତି ଏତେ ଦୟା ଆସିଗଲା । ନାହିଁ, ସେହିଦିନ ରାତିରେ ଯଦି ତାକୁ ଘରୁ ବାହାର କରି ଦେଇଥାନ୍ତା ଏତେ ଲୋକହସା ହୋଇଥାନ୍ତା କାହିଁକି ? କିନ୍ତୁ ଡର ମାଡ଼ିଲା; ନ ରଖିଥିଲେ ସେ ଦିନ ସେ କୂଅ ପୋଖରୀରେ ଡେଇଁ ପ୍ରାଣ ହାରି ଦେଇଥାନ୍ତା । ଆପଣା ଇଜ୍ଜତ ରଖିବା ପାଇଁ ଗୋଟାଏ ଯେଉଁ ପିଲା ଥିଲା ସେତ ଧନିୟା ରକ୍ତର ରକ୍ତ । ଲୋକହସାକୁ ଡରି ସେ ତାର ପ୍ରାଣ ନେଇଥାନ୍ତା କେମିତି ? ତା ଛଡ଼ା ଝୁନିଆ ଯେମିତି କାକୁତି ମିନତି କଲା ସେଥିରେ ତା ହୃଦୟ ତରଳି ପଡ଼ିଲା । ବାହାରୁ ଯେତେ ରାଗି ମାଗି ହୋଇ ଆସୁ ପଛେ ଝୁନିଆ ପାଣି ଢାଳେ ରଖିଦେଇ ଗୋଡ଼ରେ ହାତ ପକାଇ ଦିମୁଠା ମୋଡ଼ି ଦେଲେ ସବୁ ରାଗ ସେ କୁଆଡ଼େ ଭୁଲିଯାଏ । ବିଚାରୀର ନିଜ ଲାଜ ତ ନିଜକୁ ଖାଇଯାଏ, ବେଡ଼ୀ ଉପରେ ପୁଣି କୋରଡ଼ା ଦେଇ ଲାଭ କ’ଣ ?

 

ଧନିୟା ଖୁବ୍ ପାଟି କରି କହିଲା–ଜାଣିଲେ ଆଜ୍ଞା, କୁଳ ମହତ ମୋ ପାଇଁ ଏଡ଼େବଡ଼ ନୁହେଁ ଯେ ସେଇଥିପାଇଁ ମୁଁ ଜଣକୁ ଜୀବନରେ ମାରି ଦିଅନ୍ତି । ବାହା ହୋଇନି ସିନା, ନହିଲେ ମୋ ପୁଅ ହାତ ତ ଧରିଛି । କେଉଁ ମୁହଁରେ ମୁଁ ତାକୁ ବାହାର କରି ଦିଅନ୍ତି । ଏହି କାମ ତ ବଡ଼େ ବଡ଼େ କରୁଛନ୍ତି, ହେଲେ ତାଙ୍କୁ କେହି କିଛି କହୁ ନାହାନ୍ତି, କି ତାଙ୍କଠି କିଛି କଳଙ୍କ ଲାଗୁ ନାହିଁ । ଏହି କାମ ଛୋଟଲୋକ କଲେ ତାଙ୍କ ଇଜ୍ଜତ ପଦାରେ ପଡ଼ିଯାଇଛି, ତାଙ୍କ ନାକ କଟି ଯାଉଛି । ବଡ଼ଲୋକଙ୍କ ନାକ ସିନା ଆଉ ଲୋକଙ୍କ ଜୀବନଠାରୁ ଅଧିକ ଆମ ଗରୀବଙ୍କ ନାକର କ’ଣ ମୂଲ୍ୟ ଅଛି ?

 

ଦାତାଦୀନ ତ ଛାଡ଼ିବା ଲୋକ ନୁହେଁ । ସେ ହେଉଛି ଗାଁ ଯାକର ନାରଦ । ତା’ର ବ୍ୟବସାୟ ହେଉଛି ଏଠିକା କଥା ନେଇ ସେଠେଇ ଆଉ ସେଠିକା କଥା ନେଇ ଏଠେଇ । ନିଜେ ତ ଚୋରୀ କରେ ନାହିଁ କିନ୍ତୁ ଚୋରୀମାଲ ବଣ୍ଟା ହେଲାବେଳେ ଭାଗ ନେବାପାଇଁ ଆଗରେ ଠିଆ ହୋଇଥାଏ । ନିଜ ଦେହରେ ଯେମିତି କଣ୍ଟା ନ ବାଜିବ ସେଥିପାଇଁ ବରାବର ସାବଧାନ ଥାଏ । ସରକାରଙ୍କୁ ଖଜଣା ପଇସାଟିଏ ଦିଏ ନାହିଁ । କୋରଖ ଆସିଲା ମାତ୍ରେ କୂଅରେ ଡେଇଁପଡ଼ିବ ବୋଲି ବାହାରେ । ସେଥିପାଇଁ ପିଆଦା ନୋଖେରାମ କିଛି ନ କରି ଫେରିଯାଏ । କିନ୍ତୁ ଏଣେ ଚାଷୀମାନଙ୍କଠୁ ସୁଧ ନେଇ ଟଙ୍କା ଉଧାର ଦିଏ । ଗାଁ ମାଇପଙ୍କର ଗହଣା ଗଢ଼େଇବା ଦରକାର ହେଲେ ଦାତାଦୀନ ଆସି ଜୁଟିଯାଏ । ପୁଅ ଝିଅ ବାହାଘର ହେଲେ ଆସି ଜୁଟିଯାଏ । ସେଥିରେ ଆଦର ଅଭ୍ୟର୍ଥନା ମିଳେ ଯେତିକି, ଦକ୍ଷିଣା ବି ମିଳେ ସେତିକି । ରୋଗ ବଇରାଗବେଳେ ବି ସେ ରୋଗୀଙ୍କୁ ଔଷଧ ମଉଷଧି ଦିଏ, ଗୁଣୀଗାରଡ଼ି କରି ରୋଗ ଝାଡ଼ିଦିଏ । ରୋଗୀ ଯେମିତି ଚାହେ ସେ ସେମିତି କରେ । ଲୋକଙ୍କ ସଙ୍ଗେ ଏମିତି ମିଳିମିଶି ଜାଣେ ଯେ ବୁଢ଼ାଙ୍କ ସଙ୍ଗେ ବୁଢ଼ା, ଟୋକାଙ୍କ ସଙ୍ଗେ ଟୋକା, ପିଲାଙ୍କ ସଙ୍ଗେ ପିଲା । ଗାଁରେ କେହି ତାକୁ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ତା କଥାରେ ଏମିତି କ’ଣ ଗୋଟାଏ ମଧୁର ଅଛି ଯେ ତାଠୁ ଯେତେ ଠୁକର ଖାଇଲେ ବି ଲୋକେ ତା’ରି ପାଖକୁ ଧା’ନ୍ତି ।

 

ଧନିୟା କଥା ଶୁଣି ଦାତାଦୀନ ମୁଣ୍ଡ ହଲେଇ କହିଲା–ତୁ ଠିକ୍ କହୁଛୁ ଧନିୟା, ଧାର୍ମିକ ଲୋକଙ୍କର ଏହି ହେଉଛି ଧରମ, ହେଲେ ଲୋକାଚାର ତ ପୁଣି ଗୋଟେ ଅଛି !

 

ଏମିତି ଦିନେ ଲାଲା ପଟେଶ୍ୱରୀ ବି ହୋରୀ ସଙ୍ଗେ ଉଖୁରେଇ ହୋଇ ଲାଗିଥିଲା । ପଟେଶ୍ୱରୀ ବି ଜଣେ ଖୁବ୍ ଧାର୍ମିକ ଲୋକ, ପ୍ରତି ପୁନେଇଁରେ ସେ ସତ୍ୟନାରାୟଣଙ୍କ କଥା ଶୁଣେ, କିନ୍ତୁ ଏଣେ ବେଠିରେ ଲୋକଙ୍କ ହାତରେ ଚାଷ କରାଏ, ପାଣି ମଡ଼ାଏ, ପୁଣି ଲୋକଙ୍କ ଭିତରେ କଳି କରେଇ ପଇସାପତ୍ର ମାରେ । ତା ନା ଶୁଣିଲେ ଲୋକେ ଡରନ୍ତି । ଗରୀବ ଲୋକଙ୍କୁ ପାଞ୍ଚ ଦଶ ଟଙ୍କା ଲେଖା କରଜ ଦେଇ ସେଇଥିରୁ ସୁଧ ନେଇ ନେଇ ଏବେ ସେ ଧନକୁବେର । ଗାଁ ଲୋକଙ୍କଠୁ ଧାନ, ଚାଉଳ, ମୁଗ, ବିରି ନେଇ କଚେରୀ ଅମଲାମାନଙ୍କୁ ଭେଟି ଦିଏ । ସେଥିପାଇଁ ସାରା ଇଲାକାରେ ତା’ର ଖୁବ୍ ଖାତିର । ସମସ୍ତେ ତା ହାତମୁଠାରେ ଥାନ୍ତି କେବଳ ଦାରୋଗା ଗଣ୍ଡାସିଂହଙ୍କୁ ଛାଡ଼ି । ଦାରୋଗା ବିଚରା ଭାରୀ ଭଲ ଲୋକ । ଜର ସମୟରେ ଲୋକଙ୍କୁ କୁଇନାଇନ ବାଣ୍ଟେ, ଦେହ ଦୁଃଖ ହେଲେ ପାଖରେ ଯାଇ ଠିଆ ହୁଏ । ବାହା ପୁଆଣିରେ ଲୋକଙ୍କୁ ବିନା ଭଡ଼ାରେ ଆପଣା ପାଲିଙ୍କି, ଦରୀ ଆଦି ଦେଇ ଲୋକଙ୍କର ବହୁତ ଉପକାର କରେ । ସୁବିଧା ପାଇଲେ ଲୋକଙ୍କଠୁ ନିଏ, କିନ୍ତୁ ଯାର ଖାଏ ତାର ଗାଏ ।

 

ହୋରୀକୁ ଦେଖି ପଟେଶ୍ଵରୀ ପଚାରିଲା–ଏମିତିଆ ଲୋକ ଘରେ ପୂରେଇ ରଖିଲ କେମିତି ? ହୋରୀ ପଛକୁ ଚାହିଁଦେଇ କହିଲା–ହଁ, କ’ଣ କହିଲ, ମୋତେ ଟିକିଏ ଶୁଭିଲା ନାହିଁ ।

 

ପଟେଶ୍ଵରୀ ଆଗକୁ ଚାଲିଆସି କହିଲା–କ’ଣ କହୁଥିଲି କି ଧନିୟା ସାଙ୍ଗରେ ପଡ଼ି ତମ ବୁଦ୍ଧି ବି ହଜିଗଲା । ଝୁନିଆକୁ କାହିଁକି ତା ବାପ ଘରକୁ ପଠାଇ ନ ଦେଇ, ଅକାରଣରେ ଏତେ ଲୋକହସା ହେଉଛ ? ଜଣା ନାହିଁ କା ପିଲାକୁ ପେଟରେ ଧରି ଆସିଛି ଆଉ ତମେ ତାକୁ ଘରେ ସାଇତି ରଖିଛ ! ଘରେ ତମର ଦି ଦିଟା ଝିଅ ବାହା ହେବାକୁ ବସିଛନ୍ତି, କେମିତି ତାଙ୍କୁ ବାହାଦେବ କହିଲ ?

 

ହୋରୀ ଏମିତିଆ ଆଲୋଚନା ଆଉ ଆଶୀର୍ବାଦ ନିତି ଶୁଣି ଶୁଣି କାନ ତା’ର ବଧିରା ହୋଇ ଯାଇଥିଲା । ଟିକିଏ ଦୁଃଖୀତ ହୋଇ କହିଲା–ଆରେ ବାବୁ, ମୁଁ ତ ସବୁ କଥା ଜାଣୁଛି, ହେଲେ କ’ଣ କରିବି ତମେ ନିଜେ କହୁନା ! ହଁ, ଝୁନିଆକୁ ବାହାର କରି ଦିଅନ୍ତି କିନ୍ତୁ ଭୋଳା କ’ଣ ତାକୁ ରଖିବ ? ତମେ ଯଦି ଭୋଳାକୁ ଟିକିଏ ରାଜି କରେଇ ଦିଅନ୍ତ ତେବେ ମୁଁ ଜୀବନଯାକ ତମ ଗୁଣ ଗାଉଥାନ୍ତି । କିନ୍ତୁ ତା ପୁଅ ଦି’ଟା ତ ରକ୍ତ ପିଇଦେବା ପାଇଁ ଅନେଇ ବସିଛନ୍ତି । କହ, ଏଥିରେ ମୁଁ ତାକୁ କେମିତି ବାହାର କରିଦେବି ? ଗୋଟାଏ ଅରକ୍ଷିତ ତ ତା ହାତ ଧରି ତାକୁ ଛାଡ଼ି ପଳାଇଲା, ମୁଁ ପୁଣି ଯଦି ତାକୁ ବାହାର କରିଦେବି, କୁଆଡ଼େ ଯିବ ସେ କହିଲା । ଏ ଅବସ୍ଥାରେ କ’ଣ ମୂଲ ମଜୁରୀ କରି ଖାଇ ପାରିବ ? କେଉଁଠି ବୁଡ଼ି ମରିବ ବୋଇଲେ ମୋ’ଠି ପାପ ଲାଗିବ । ବାକି, ଝିଅମାନଙ୍କ ବାହାଘର କଥା ଯାହା କହିଲ, ସେ ତ ଭଗବାନଙ୍କ ହାତର କଥା । ବେଳ ଆସିଲେ ପୁଣି କୌଣସି ବାଟ ହୋଇଯିବ । ଆମ କୂଳରେ ତ ଝିଅ ଆଜିଯାଏ କେବେ ଅବିହାରୀ ରହି ନାହାନ୍ତି । ପୁଣି ବାହାଘରକୁ ଡରିକରି ଜଣକ ପ୍ରାଣ ନେବି କେମିତି ?

 

ହୋରୀ ଭାରି ଥଣ୍ଡା ମିଞ୍ଜାସର ଲୋକ । ସବୁବେଳେ ମୁଣ୍ଡ ନୁଆଇଁ ଚାଲେ । ଦରକାର ପଡ଼ିଲେ ପାଞ୍ଚ କଥା ଶୁଣି ଚୁପ୍ ରହିଯାଏ । ହୀରା ଛଡ଼ା ସେ ଗାଁରେ ତା’ର ଆଉ କେହି ଅମଙ୍ଗଳ ପାଞ୍ଚନ୍ତି ନାହିଁ । ହେଲେ ଏମିତିଆ କଥାଟାଏ ଜାତି ଲୋକେ ସହନ୍ତେ କେମିତି ? ପୁଣି ତାକୁ ବୁଝେଇଲେ ବି ସେ ବୁଝିବାକୁ ରାଜି ନୁହେଁ । ଘଇତା ମାଇପ ଦିହିଁଙ୍କି ଦିହେଁ ସମାଜ ଆଗରେ ଟାଣ ଦେଖାଉଛନ୍ତି ଦେଖିଆ କିଏ ତାଙ୍କର କ’ଣ କରିବ ? ସମାଜ ବି ସେମିତି ଦେଖାଇ ଦେବ ଯେ ସମାଜର ଆଇନ ଯେ ଭାଙ୍ଗିବ, ସମାଜ ତାକୁ ଛାଡ଼ିବ ନାହିଁ ।

 

ସେହିଦିନ ରାତିରେ ଝୁନିଆ କଥା ବିଚାର ପାଇଁ ଗାଁ ମୁଖିଆମାନଙ୍କର ଏକ ସଭା ବସିଲା ।

 

ଦାତାଦୀନ କହିଲା; କାହାରି ନିନ୍ଦା କରିବା ମୋର ଇଚ୍ଛା ନୁହେଁ । କାହିଁକି ନା ଦୁନିଆରେ କିଏ ବା କେଉଁ ପାପ କରୁନାହିଁ, ଆମର ସେଥିରେ ଯାଏ ଆସେ କ’ଣ ? କିନ୍ତୁ ସେହି ଚଣ୍ଡାଳୁଣୀ ଧନିୟା ଦେଖୁଛ ସେଦିନ ମୋ ସଙ୍ଗେ ଲଢ଼େଇ କରିବା ପାଇଁ ବାହାରି ପଡ଼ିଲା । ଭାଇମାନଙ୍କଠାରୁ ମାରିକରି ଦି’ପଇସା ହାତେଇ ନେଇଛି ନା, ସେଇଥିପାଇଁ ତାକୁ ମନ୍ଦ ଛଡ଼ା ଆଉ ଭଲ ବାଟ ଦିଶୁ ନାହିଁ । ଛୋଟ ଜାତି ନା, ପେଟକୁ ମୁଠେ ଖାଇବାକୁ ହୋଇଗଲେ ଆଉ ପାଦ ସିଧା ପଡ଼ିବ ନାହିଁ । ସେଥିପାଇଁ ପରା ଶାସ୍ତ୍ରରେ ଅଛି ଛୋଟ ଲୋକଙ୍କୁ ଯେତିକି ଚପେଇ ରଖିବ ସେତିକି ଭଲ ।

 

ପଟେଶ୍ଵରୀ ହୁକା ଟାଣୁ ଟାଣୁ କହିଲା–ଛୋଟ ଜାତିଙ୍କର ତ ଏୟା ହେଉଛି ଖରାପ ଯେ ଦି’ପଇସା ହାତରେ ହେଲାମାତ୍ରେ ତାଙ୍କର ତାଳୁରେ ଆଖି ହୋଇଯାଏ । ହୋରୀ ଆଜି ଏମିତିଆ କଥା କହିଲା ଯେ ମୁଁ ଆପଣାକୁ ସମ୍ଭାଳି ନେଇ ଚାଲି ଆସିଲି । ଭଗବାନ ଜାଣନ୍ତି ସେ ନିଜକୁ କ’ଣ ବୋଲି ଭାବୁଛି କେଜାଣି ? ଏବେ ଦେଖ ତ, ଏମାନେ ଏମିତିଆ କାମ କଲେ ଗାଁରେ ଆଉ ଲୋକେ କାହିଁକି ନ କରିବେ ? ଝୁନିଆର କାମ ଦେଖି ଆଉ ଆଉ ରାଣ୍ଡ ମାଇପଙ୍କ ମନ ବଢ଼ିଯିବ ନାହିଁ ଆଉ କ’ଣ ହେବ ? ଆଜି ଭୋଳା ଘରେ ହେଲା, କାଲି ଆମ ତମ ଘରେ ତ ହେବ । ଲୋକଙ୍କର ଡର ଅଛି ବୋଲି ସମାଜ ଚଳୁଛି ନା ! ଆଜି ଯଦି ସମାଜର ଡର ଉଠିଯାଏ, ତେବେ ଦେଖିବ କାଲି ପୁଣି କ’ଣ ହେବ ।

 

ଝିଙ୍ଗୁରସିଂହର ବର୍ତ୍ତମାନ ଦି’ଟା ଭାରିଯା । ପହିଲା ସ୍ତ୍ରୀ ପାଞ୍ଚଟା ପୁଅ ଝିଅ ଛାଡ଼ି ମରିଯିବାରୁ ପଇଁଚାଳିଶ ବର୍ଷରେ ସେ ଆଉ ଥରେ ବାହା ହୋଇଥିଲା । ପୁଣି ଏ ସ୍ତ୍ରୀର କିଛି ପିଲାପିଲି ନ ହେବାରୁ ପଚାଶ ବର୍ଷରେ ଆଉ ଗୋଟେ ବାହାହେଲା । ଘରେ ତାର ଦି’ଦିଟା ଭାରିଯା ବସିଥିଲେ । ତାଙ୍କ ନାଁରେ ଅନେକ କଥା ଶୁଣା ଯାଉଥିଲା, କିନ୍ତୁ ଝିଙ୍ଗୁରସିଂହ ଡରରେ କେହି କିଛି କହୁ ନଥିଲେ । କହନ୍ତେ ବା କ’ଣ ? ସ୍ଵାମୀ ଜୀଇଥିଲାଯାକ ବାଡ଼ିଆଡ଼େ ଯାହା ହେଉଥିଲେ ବି ପଚାରି ଯାଉଛି କିଏ ? ଯା’ର ସିନା କେହି ମୁଣ୍ଡ ଧାରତା ନାହିଁ, ତା’ରି ପାଇଁ ବିପଦ । ଝିଙ୍ଗୁର ସିଂହର ମନେ ମନେ ଭାରୀ ଗର୍ବ ଯେ ତା ଭାରିଯାମାନଙ୍କର ଛାଇ କେହି ଦେଖନ୍ତି ନାହିଁ । କିନ୍ତୁ ଛାଇ ଆଢ଼ୁଆଳରେ ତେଣେ କ’ଣ ଯେ ହେଉଥିଲା, ସେ କଥା ସେ ଜାଣନ୍ତା କୁଆଡ଼ୁ ? ବର୍ତ୍ତମାନ ସୁବିଧା ପାଇ ସେ କହିଲା–ଏମିତିଆ ମାଇକିନାଙ୍କର ମୁଣ୍ଡ କାଟି ଦେବା ଉଚିତ । ହୋରୀ ତ ଘରେ ଦୋଚାରୁଣୀ ମାଇପିଟାଏ ରଖି ଗାଁରେ ବିଷ ବୁଣିଦେଇ ବସିଛି । ଏମିତିଆ ଲୋକଙ୍କୁ ଗାଁରେ ରଖିବାମାନେ ଗାଁକୁ ବୁଡ଼େଇବା । ରାୟସାହେବଙ୍କୁ ଏକଥା ଜଣାଇଦେବା ଉଚିତ । ସଫା ସଫା କହିଦେବା ଦରକାର ଯେ ଗାଁରେ ଏମିତି ହେଲେ ଆଉ କାହାରି ମାନ ମହତ ରହିବ ନାହିଁ ।

 

ପିଆଦା ନୋଖେରାମ ଜଣେ କୁଳୀନ ବ୍ରାହ୍ମଣ । ତା ଦାଦା ପରା କୁଆଡ଼େ ଗୋଟାଏ ରାଜ୍ୟର ଦେୱାନ ଥିଲେ । ଶେଷରେ ସବୁ ସମ୍ପରି ଦାନଧର୍ମ କରିଦେଇ ଘର ଛାଡ଼ି ବାବାଜି ହୋଇଗଲେ । ତା ବାପା ବି ସେମିତି ଭାରୀ ରାମଭକ୍ତ ଥିଲେ । ନୋଖେରାମ ବି କମ୍ ନୁହେଁ, ସକାଳୁ ପୂଜାରେ ବସିଲେ ଦଶଟାବେଳେ ଉଠେ । ମାତ୍ର ପୂଜାରୁ ଉଠିଲାମାତ୍ରେ ସଂସାର ସମ୍ପର୍କରେ ଆସି ସବୁ ଚିନ୍ତା ତା’ର ବିଷାକ୍ତ ହୋଇଯାଏ । ରାୟସାହେବଙ୍କୁ ଖବର ଦେବା କଥା ଶୁଣିଲାମାତ୍ରେ ଫୁଲୁକା ଫୁଲୁକା ଗାଲ ଭିତରୁ ଗାଢ଼ୁଆ ଗାଢ଼ୁଆ ଆଖି ବାହାର କରି ସେ କହିଲା–ରାୟସାହେବଙ୍କୁ କହିବା ଦରକାର କ’ଣ, ଯାହା ଚାହିବ ମୁଁ କରିଦେବି । ତାକୁ ଆଗ ଶହେ ଟଙ୍କା ଜୋରିମାନା ହେଉ-। ବଳେ ଗାଁ ଛାଡ଼ି ପଳାଇବ ନାହିଁ ଯେ ! ୟାଡ଼େ ପଳାଇଲାରୁ ବେଦଖଲି ଦାୟର କରିଦେବି; କାମ ଛିଣ୍ଡିଯିବ ।

 

ପଟେଶ୍ଵରୀ କହିଲା–କିନ୍ତୁ ସେ ତ ଖଜଣା ଦେଇସାରିଛି !

 

ଝିଙ୍ଗୁରସିଂହ ସମର୍ଥନ କରି କହିଲା–ହଁ ଖଜଣା ପାଇଁ ତ ମୋଠୁ ଟଙ୍କା ନେଇଛି ।

 

ନୋଖେରାମ କିନ୍ତୁ ଛାତି ଫୁଲେଇ କହିଲା–କିନ୍ତୁ ମୁଁ ତ ତାକୁ ରସିଦ ଦେଇନି । ସେ ଖଜଣା ଦେଇଛି ବୋଲି କେଉଁ ପ୍ରମାଣ ଅଛି ?

 

ସମସ୍ତେ ମିଶି ଠିକ୍ କଲେ ହୋରୀକୁ ଶହେ ଟଙ୍କା ଜୋରିମାନା ହେବା ଉଚିତ । ଖାଲି ଏତିକି ବାକି ରହିଲା ଯେ ଗାଁ ଯାକ ସମସ୍ତେ ଦିନେ ଏକାଠି ବସି କଥାଟାକୁ ମଞ୍ଜୁର କରିଦେଲେ ହେଲା । ସେଥିପାଇଁ ପାଞ୍ଚ ସାତ ଦିନ ଅବା ଗଢ଼ି ଯାଇଥାନ୍ତା, କିନ୍ତୁ ସେଇ ରାତିରେ ଝୁନିଆର ପୁଅଟିଏ ଜନ୍ମ ହୋଇ ପଡ଼ିବାରୁ ତହିଁଆରଦିନ ସଭା ବସିଗଲା । ଫଇସଲା ଶୁଣିବା ପାଇ ହୋରୀ ଆଉ ଧନିୟାକୁ ସଭାସ୍ଥଳକୁ ଡାକରା ହେଲା । ଚଉପାଢ଼ିରେ ଏମିତି ଭିଡ଼ ହୋଇଥିଲା ଯେ ସୋରିଷ ବୁଣିଦେଲେ ବି ତଳେ ପଡ଼ନ୍ତା ନାହିଁ । ତାକୁ ଶୁଣାଇ ଦିଆହେଲା ଯେ ହୋରୀ ଉପରେ ଶହେ ଟଙ୍କା ଆଉ ତିରିଶ ପଉଟି ଧାନ ଜୋରିମାନା ହେଲା ।

 

ଧନିୟା ପାଟିରୁ କଥା ବାହାରିଲା ନାହିଁ । କାନ୍ଦ କାନ୍ଦ ହୋଇ କହିଲା–ପଞ୍ଚାୟତ ହେଉଛନ୍ତି ପଞ୍ଚ ପରମେଶ୍ଵର, କିନ୍ତୁ ଗରିବଙ୍କୁ ଅକାରଣ ଦୁଃଖ ଦେଲେ ଭଗବାନ କେବେ ମଙ୍ଗଳ କରିବେ ନାହିଁ । ଆମେ ତ ମରିଯିବୁ ! ଭଗବାନ ଜାଣନ୍ତି ଆମେ ଏ ଗାଁରେ ରହିବୁ କି ନାହିଁ, ହେଲେ, ଆମ ନିଶ୍ଵାସ ପଡ଼ିବ । ଆପଣା ବୋହୂକୁ କିଆଁ ଆପଣା ଘରେ ରଖିଲି, ଘରୁ ତଡ଼ିଦେଇ କିଆଁ ଦାଣ୍ଡରେ ଛିଡାକରି ନ ଦେଲି ଏଇଥିପାଇଁ ମୋ ଉପରେ ଏତେ କଡ଼ା ଜୋରିମନା ହେଉଛି । ଏଇଟା ହଜୁରମାନଙ୍କର ନ୍ୟାୟ ହେଲା ?

 

ପଟେଶ୍ଵରୀ କହିଲା–ସେ ତୋର ବୋହୂ ନୁହେଁ, ଗୋଟାଏ ଦୋଚାରୁଣୀ ।

 

ହୋରୀ ଧନିୟାକୁ ଆକଟ କରି କହିଲା–ତୁ କାହିଁକି କଥା କହୁଚୁ, ଧନିୟା ! ପଞ୍ଚାୟତ ହେଉଛନ୍ତି ପଞ୍ଚ ପରମେଶ୍ଵର, ତାଙ୍କ କଥା ଆମର ମୁଣ୍ତରେ ମୁଣ୍ତେଇ ନେବା ଦରକାର । କିନ୍ତ ଭଗବାନ ଯଦି ଚାହାନ୍ତି ଯେ ଆମେ ଏ ଗାଁ ଛାଡ଼ି ପଳାଇବା, ତେବେ ଆଉ ଉପାୟ କ’ଣ ? ପଞ୍ଚାୟତ ଆଜ୍ଞା, ମୋର ଯେତେ ଆମଦାନୀ ସବୁ ବର୍ତ୍ତମାନ ଖଳାରେ ଅଛି, ମୁଣ୍ଡିଟାଏ ବି ମୁଁ ଘରକୁ ଆଣି ନାହିଁ । ଆପଣମାନଙ୍କର ଯେତେ ଇଚ୍ଛା ନେଇଯାନ୍ତୁ । ସବୁ ଚାହିଁଲେ ସବୁ ନେଇଥାନ୍ତୁ । ଭଗବାନ ମୋର ମାଲିକ । ଯଦି ନ ଅଣ୍ଟୁଛି, ତେବେ ହଳେ ବଳଦ ଅଛନ୍ତି ବି ନେଇଥାନ୍ତୁ ।

 

ଧନିୟା ରାଗରେ ଦାନ୍ତ ଚୋବାଇ କହିଲା–ମୁଁ ଧାନମୁଣ୍ଡିଟାଏ କାହାକୁ ଦେବି ନାହିଁ କି କଉଡ଼ି କଡ଼ାଏ ବି କାହାକୁ ଦେବି ନାହିଁ । ଯାହାର ବଳ ପାଉଛି ସେ ମୋଠୁ ନେଉ । ବଡ଼ ସିଆଣିଆ କଥା ତ । ଭାବିଛନ୍ତି ଜୋରିମନା ନାଁରେ ଟଙ୍କା ନେଇଯାଇ ଆପେ ଆପେ ବାଣ୍ଟି ନେବେ । ହଁ, ମଜା କରିବାକୁ ଯଦି ମନ ହେଉଛି, ଆପଣା ବାଗବଗିଚା ବିକିକରି କର । ଧନିୟା ଜୀଇ ଥାଉଁ ଥାଉଁ ତା ସମ୍ପତ୍ତିରେ ମଜା ଉଡ଼ାଇବା କଥା ପଟିବ ନାହିଁ । ମନ ସୁଆଦ ଖାଲି ମନରେ ରହିଯିବ । ମୁଁ ଜାତିରେ ରହିବାକୁ ଚାହେ ନାହିଁ । ଜାତିରେ ରହି କ’ଣ ସରଗକୁ ଯିବି ? ଆଜି ଜାତିରେ ରହିକରି ଯେମିତି ଆପଣା ଝାଳବୁହା ଧନ ଖାଉଛି, ଜାତିରେ ନ ରହି ବି ସେମିତି ଖାଇବି । ଜାତିରେ ରହିଲେ କ’ଣ ମାହୁଳିଆ କିଏ ଦେଇଦେବ କି ?

 

ହୋରୀ ହାତଯୋଡ଼ି କରି କହିଲା–ଧନିୟା ମୁଁ ତୋ ଗୋଡ଼ ଧରୁଛି, ତୁ ଟିକିଏ ଚୁପ୍ ରହ ଭଲା ! ଆମେ ତ ଜାତି ଭାଇଙ୍କ ଚାକର, ତାଙ୍କ କଥାରୁ ବାହାରିଯିବା କୁଆଡ଼େ । ଜାତି ଭାଇ ଯଦି ଜରିମନା କରିଛନ୍ତି, ତେବେ ମୁଣ୍ଡନୁଆଁଇ ସହିଯିବା ଭଲ । ଏକଘରିଆ ହୋଇ ରହିବା ଅପେକ୍ଷା ମରିବା ଆହୁରି ଭଲ । ଆଜି ଯଦି ଆମେ ମରିଯିବା, ତେବେ ଜାତିଭାଇଏ ଆମ ପିଣ୍ଡ ଉଠାଇବେ । ସେହିମାନେ ତାରିଲେ ଯାଇଁ ଆମେ ତରିବା । ପଞ୍ଚାୟତ ମହାପ୍ରଭୁ, ମୋ ପାଖରେ ଖଳାଧାନ ଛଡ଼ା ଯଦି ଆଉ କିଛି ଥିବ ତେବେ ମୁଁ ରାଣ ପକାଇ କହୁଛି ମୋତେ ଆଉ ଭେଣ୍ଡିଆ ପୁଅ ମୁହଁ ଦେଖିବାକୁ ମିଳିବ ନାହିଁ । ମୁଁ ପଞ୍ଚାୟତଙ୍କୁ କେବେହେଲେ ଦଗା ଦେବି ନାହିଁ । ମୋର ଖାଲି ଏତିକି ମାଗୁଣୀ, ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ଉପରେ ଟିକିଏ ଦୟାକରି ମୋତେ କିଛି ରିଆତି କରି ଦିଅନ୍ତୁ । ନାହିଁ ତ ହଜୁରମାନେ ଯାହା କହିବେ ମୁଁ ତା କରିବି ।

 

ଧନିୟା ରାଗି ମାଗି ସେଠୁ ଚାଲିଗଲା । ହୋରୀ ଖଳାରୁ ସବୁ ଆମଦାନୀ ବୋହିକରି ଆଣି ଝିଙ୍ଗୁର ସିଂହ ଚଉପାଡ଼ିରେ ଗଦେଇବାକୁ ଲାଗିଲା । କୋଡ଼ିଏ ପଉଟି ଧାନ, ପାଞ୍ଚ ପଉଟି ଗହମ, ପାଞ୍ଚ ପଉଟି ଚଣା, ଆଉ କିଛି ରାଶି ଥିଲା । ହୋରୀ ଏକୁଟିଆ ଲୋକ, ପୁଣି ତା ମୁଣ୍ଡରେ ଦି ଘରର ବୋଝ । ସେଥିପାଇଁ ଏଥର ହୋରୀର ଫସଲ ଯାହା ଆମଦାନୀ ହୋଇଥିଲା ସବୁ ଧନିୟା ଯୋଗୁ ହୋଇଥିଲା । ଦି ଝିଅଙ୍କୁ ନେଇ ଧନିୟା ବରାବର ବିଲରେ କାମ କରୁଥିଲା । ଏଥର ଦିହେଁଯାକ ଭାବିଥିଲେ ଗହମ ଆଉ ରାଶି ପଇସାରେ ଖଜଣା ସବୁ ତୁଟେଇଦେବେ, ଆଉ ୟା’ର ତା’ର କିଛି କିଛି ସୁଧ ବି ଦେଇଦେବେ । ଖାଇବାକୁ ଖାଲି ଧାନ ଗଣ୍ଡାକ ରଖିନେବେ । ଯାହିତାହି ପାଞ୍ଚ ଛ ମାସ କଟିଗଲେ ତେଣିକି ଆଉ ଫସଲ ସବୁ ହୋଇଯିବ । କିନ୍ତୁ ସବୁ ଆଶା ଏବେ ମାଟିରେ ମିଶିଗଲା । ହାତରୁ ତ ସବୁ ଫସଲ ଚାଲିଗଲା ତା ଛଡ଼ା ମୁଣ୍ଡ ଉପରେ ଆହୁରି ଶହେ ଟଙ୍କା ଜରିମାନା ରହିଗଲା । ଏବେ ଘରେ କିଛି ଖାଇବାକୁ ନାହିଁ କି ଗୋବରାର କୌଣସି ଖୋଜଖବର ନାହିଁ, ଭଗବାନ୍ ଏକା ଜାଣନ୍ତି କୁଆଡ଼େ ସେ ଗଲା । ମନରେ ଯେବେ ଏତେ ଡର ଥିଲା, ଏ କାମ କଲା ବା କିଆଁ ? କିନ୍ତୁ ଯାହା ହବାର ଅଛି ତାକୁ ଆନ କରିପାରିବ କିଏ ? ଜାତିଭାଇଙ୍କୁ ତା’ର ଏମିତି ଡର ଯେ ନିଜ ଧନ ନିଜ ହାତରେ ବି ବୋହିନେଇ ତାଙ୍କ ଦୁଆରେ ଗଦେଇ ଦେଲା, ସତେ ଯେମିତି ମାରିବାପାଇଁ ଆପେ ଆପେ ସେ ଗାଡ଼ ଖୋଳିଥିଲା । ଜାତିକୁ ଯେତେ ଡର, ଜମିଦାର, ସାହୁକାର କାହାକୁ ହେଲେ କଥା ଭାବି ପ୍ରାଣ ଶୁଖି ଯାଉଥିଲା, ତେବେ ବି ଜାତିଭାଇଙ୍କ ଚାବୁକ ଡରରେ ଆପେ ଆପେ ନେଇ ଆପଣା ଧନ ପର ଦୁଆରେ ଗଦେଇ ଦେଇ ଆସିଲା । ଜାତିକି ଛାଡ଼ି ରହିବା ତା ପକ୍ଷରେ ଅସମ୍ଭବ । ବାହାପୁଆଣୀ, ସୂତକ, ମୃତକ ସବୁଥିରେ ସାହା ହେଉଛନ୍ତି ଜାତିଭାଇ, ତାଙ୍କୁ ଛାଡ଼ିବ ସେ କେମିତି ? ତା ଜୀବନରେ ଜାତି ଗୋଟାଏ ମସ୍ତବଡ଼ ବୃକ୍ଷ ପରି ଛିଡ଼ା ହୋଇଥିଲା । ଜାତି ବୃକ୍ଷର ଚେରସବୁ ତା ଶିରା ପ୍ରଶିରାରେ ଭେଦି ଯାଇଥିଲା । ଜାତିରୁ ବାହାରିଗଲେ ତା ଜୀବନ ଛିନ୍ନଭିନ୍ନ ହୋଇଯିବ, ଏହି କଥା ସେ ଠିକ୍ ଜାଣିଥିଲା ।

 

ଖଳାରେ ପଉଟିଏ ଦି’ପଉଟି ଧାନ ବାକି ଥିଲା । ଧନିୟା ଆସି ଜବରଦସ୍ତ ତା ହାତକୁ ଧରି କହିଲା–ସବୁ ତ ଗଲା, ଏତିକି ହେଲେ ରହୁ । ଜାତିଙ୍କ କାମ ତ ଏତେ କଲୁଣି, ଆଉ କ’ଣ ଏ ପିଲାଛୁଆଙ୍କୁ ନେଇ ତାଙ୍କ ଚୁଲିରେ ମୁହାଁଇ ଦେବୁ ? ମୁଁ ତ ତୋ ଆଖିରେ ମୋଟେ ଦିଶିଲି ନାହିଁ । କୋଉ ବିଧାତା ତୋ ଭଳିଆ ଉଲୁକୁ ମୋ କପାଳରେ ଲେଖିଥିଲା କେଜାଣି ?

 

ଧନିୟାଠାରୁ ହାତ ଛଡ଼ାଇ ନେଇ ବାକି ଧାନ ପୂରୋଉ ପୂରୋଉ ହୋରୀ କହିଲା–ପଞ୍ଚାୟତଙ୍କ ଧନରୁ ମୁଣ୍ଡିଟାଏ ଲୁଚେଇ ରଖିବା ଅନ୍ୟାୟ । ମୁଁ ନେଇ ସବୁ ସେଠି ଗଦେଇ ଦେଉଛି-। ଯଦି ତାଙ୍କ ମନରେ ଦୟା ହବ ତ, ତେବେ ମୋ ପିଲା ଛୁଆଙ୍କ ପାଇଁ କିଛି ଦେବେ, ନହିଲେ ଭଗବାନ ଆମର ମାଲିକ !

 

ଧନିୟା ଭାରୀ ବିଗିଡ଼ିଯାଇ କହିଲା–ଆରେ ଏଗୁଡ଼ା ପଞ୍ଚାୟତ ନୁହନ୍ତିରେ, ରାକ୍ଷସ ଖାଲି କଞ୍ଚାଖିଆ ରାକ୍ଷସ । ଜରିମନା କଥା ସବୁ ମିଛ, ଆମ ଜାଗା ଜମି ସବୁ ଛଡ଼େଇନେଇ ଆପେ ମାରିବା ପାଇଁ ଏତେ ଫିକର । ଏତେ ବୁଝେଇଲି ତେବେକେ ତ ବୁଝିଲୁ ନାହିଁ । ତୁ କ’ଣ ଭାବିଛୁ ଏ ଗୁଡ଼ାଙ୍କର ଦୟା ଅଛି ଯେ, ଦଶ ପାଞ୍ଚ ମହଣ ବାହାର କରି ଦେଇଦେବେ । ଦେବେ ଯେ ମନେ ମନେ ପାନ ଖାଉଥା ।

 

ହୋରୀ ଯେମିତି ମୁଣ୍ଡକୁ ବୋଝ ଉଠେଇଛି ଧନିୟା ଦି ହାତରେ ବୋଝକୁ ଜୋରରେ ଧରି କହିଲା–ତୁ ମୋ ଜୀବନ ନେଇଯା ପଛେ ମୁଁ ବୋଝ ଛାଡ଼ିବି ନାହିଁ । ଦିନରାତି ମରି କଷ୍ଟି କମାଇଲି, ବୁଣାଠୋଉ, ରୁଆଠୋଉ, ବଛାଖେଳୁଆଠୋଉ ସବୁକୁ ସବୁ କାମ କଲି, ଏତେବେଳକୁ ମୋ’ରି ଆମଦାନୀ ନେଇ ପଞ୍ଚାୟତ ଭୋଗ କରିବେ, ଆଉ ମୋରି ପିଲାଛୁଆ ଧାନମୁଣ୍ଡିଟାଏ ଲାଗି ଗଡ଼ିମରିବେ । ତୁ ତ ଏକା ସବୁ କରିନୁ, ମୋ ପିଲାଛୁଆ ତ ପୁଣି କରିଛନ୍ତି । ବୋଝ ରଖିଦେ ମୁଁ କହୁଛି, ନାହିଁ ତ ତୋର ମୋର ଏତେକେ ଛିଣ୍ଡିଲା ।

 

ହୋରୀ ଟିକିଏ ଚିନ୍ତାରେ ପଡ଼ିଗଲା, କାରଣ ଧନିୟା ଯାହା କହୁଥିଲା ପ୍ରକୃତରେ ସତ । ଆପଣା ପିଲାଛୁଆଙ୍କ ରୋଜଗାର ନେଇ ଜରିମାନା ଦେବା ପାଇଁ ତାର କି ଅଧିକାର ଅଛି ? ଘରର ମାଲିକ ସିନା ରୋଜଗାର କରି ପିଲାଛୁଆଙ୍କୁ ବଞ୍ଚାନ୍ତି, ଆଉ କଣ ପିଲାଛୁଆଙ୍କ ରୋଜଗାର ନେଇ ଜାତି ଭାଇଙ୍କ ଜରିମନା ସୁଝନ୍ତି ? ତା ହାତରୁ ବୋଝ ଆପେ ଆପେ ଖସିପଡ଼ିଲା । ତୁନୀ ତୁନୀ ସେ କହିଲା–ଧନିୟା ତୁ ଯାହା କହିଲୁ ଠିକ୍ । ଅନ୍ୟ ରୋଜଗାରରେ ମୋର ନାହିଁ । ବାକି ଯାହା ଅଛି ତୁ ଘରକୁ ନେଇ ଯା, ମୁଁ ପଞ୍ଚାୟତଙ୍କୁ ସେଇ କଥା କହିଦେବି ।

 

ଧନିୟା ଧାନ ବୋଝ ନେଇ ଘରେ ରଖିଦେଇ ଝିଅ ଦିହିଙ୍କ ସଙ୍ଗରେ ନାତିର ଏକୋଇଶା ପାଳି ଖୁବ୍ ବଡ଼ ପାଟିରେ ଗୀତ ଗାଇଲା । ଜାତିର କୌଣସି ସ୍ତ୍ରୀଲୋକ ତା ଦୁଆରେ ଆଜି ପାଦ ପକାଇଲେ ନାହିଁ । ସେ ଏକା ଏକା ପାଟିକରି ମଙ୍ଗଳଗୀତ ଗାଇ ଜଣାଇ ଦେବାକୁ ଚାହୁଥିଲା ଯେ ଧନିୟା କାହାକୁ ଖାତିର କରିବା ଲୋକ ନୁହେଁ । ଜାତିଭାଇଙ୍କର ତାକୁ ଯେମିତି ଖାତିର ନାହିଁ ତାର ସେମିତି ଜାତିଭାଇଙ୍କୁ ବି ଖାତିର ନାହିଁ ।

 

ଜାତିଭାଇଙ୍କ ଜରିମନା ସୁଝିବା ପାଇଁ ହୋରୀ ଝିଙ୍ଗୁର ସିଂହଙ୍କୁ ଅଶୀ ଟଙ୍କାରେ ଘରଡିହ ବନ୍ଧା ଦେଇଦେଲା । ଗହମ, ଚଣା ଆଉ ସୋରିଷରୁ ତ କୋଡ଼ିଏ ଟଙ୍କା ମିଳିଗଲା । ନୋଖେରାମ ତା ବଦଳ ବିକେଇ ଦେବାପାଇଁ ଚାହୁଥିଲା । ମାତ୍ର ପଟେଶ୍ୱରୀ ଓ ଦାତାଦୀନ ବାଦ କଲେ–ବଳଦ ବିକିଲେ ବିଚରା ଚାଷ ଉଠାଇବ କେମିତି । ତା ସମ୍ପତ୍ତିରୁ ସିନା ଜରିମନା ଅସୁଲ କରିବାକୁ ହେବ, ୟା ବୋଲି କଣ ତାକୁ ସଂସାର ବାହାର କରିଦେବ ! ଯାହା ହେଉ ବଳଦ ଦିଟା କୌଣସିମତେ ବଞ୍ଚିଗଲେ ।

 

ହୋରୀ ଲେଖାପଢ଼ି କରାଇ ଫେରୁ ଫେରୁ ରାତି ଏଗାର ବାଜିଗଲା । ଧନିୟା ପଚାରିଲା–ଏତେବେଳ ଯାଏ କଣ କରୁଥିଲ ? ଜାତିଭାଇଙ୍କ ଉପରେ ହୋରୀର ଯେଉଁ ରାଗ ତାକୁ ସେ ଧନିୟା ଉପରେ ଝାଡ଼ିଦେଇ କହିଲା–କଣ ଆଉ କରୁଥିଲି, ପୁଅ ଯେଉଁ କୀର୍ତ୍ତି କରିଛି, ତାରି ପାଉଣା ବସି ସୁଝୁଥିଲି । ଅଭାଗାଟା ତ ନିଆଁ ଲଗାଇଦେଇ ଚାଲିଗଲା, ମୋତେ ଏବେ ଲିଭାଇବାକୁ ପଡ଼ୁଛି । ଆଉ କଣ କରିଥାନ୍ତି, ଅଶୀ ଟଙ୍କାରେ ଘରଡ଼ିହ ବନ୍ଧକୀ ଲେଖିଦେବାକୁ ପଡ଼ିଲା । ତେବେ ଯାଇଁ ବାସନ୍ଦ ଉଠିଲା, ଜାତିଭାଇଏ ମାଫି ଦେଇଦେଲେ ।

 

ଧନିୟା କାମୁଡ଼ି ଝାମୁଡ଼ି ହୋଇ କହିଲା–ବାସନ୍ଦ ଉଠିଗଲା ଯେ ସେଠୁ ଆମର କଣ ହୋଇଗଲା ? ପାଞ୍ଚ ସାତ ମାସ ଆଉ ଆମ ଦୁଆରୁ କେହି ପାଣି ନ ଛୁଇଁଥିଲେ ଏବେ ଆମର କଣ ହୋଇ ଯାଇଥାନ୍ତା ? ଭଗବାନ କେମିତି ତମକୁ ଏଡ଼େ ଉଲୁ କଲେ କେଜାଣି, ମୋରି ଆଗରେ ତ ଭାରି ବୁଦ୍ଧିଆ, ଆଉ ପଦାକୁ ଗଲେ କାହା ଆଗରେ ପାଟି ଫିଟିବ ନାହିଁ । ଯାହିତାହି ବାପ ଅଜାଙ୍କ ଯେଉଁ ଦିଚାରୀ ଗୁଣ୍ଠ ଜମି ଅଛି, କାଲି ତାକୁ ସେମିତି ଆଉ କାହାକୁ ବିକିଦେଇ ସାଇ ସାଇରେ ବୁଲି ଭିଖ ମାଗିବ । ତମେ ତ ପଞ୍ଚାୟତଙ୍କୁ କହିଥାନ୍ତ ଜରିମନା କରି ପରକୁ ଯେ ହଇରାଣରେ ପକାଏ, ତାଙ୍କ ପାଖରେ କେଉଁ ନ୍ୟାୟ ଅଛି । ସେମିତି ଲୋକଙ୍କ ମୁହଁ ଚାହିଁଲେ ପାପ ।

 

‘ହୋରୀ ରଗଡ଼ ପକାଇ କହିଲା–ତୁନୀ ହ, ସେମିତି ବଳିବଳି ଗୁଡ଼ାଏ କଥା କହ ନାହିଁ । ଜାତି ଭାଇଙ୍କ ପାଲରେ ତୁ କେବେ ପଡ଼ିନାହୁଁ, ନହିଲେ ମୁହଁରୁ କଥା ବାହାରନ୍ତା ନାହିଁ ।

 

ଧନିୟା ରାଗିଯାଇ କହିଲା–କାର କଣ କଲି ଯେ ଜାତିଭାଇଙ୍କୁ ଡରିବି ? କାର ଚୋରୀ କରିଛି ନା କା’ ସମ୍ପତ୍ତି ହରପ କରିଛି ଯେ ଡରିଯିବି ? ପରଝିଅକୁ ଛାଡ଼ିଦେବା ସିନା ପାପ, ରଖିନେବା ତ ପାପ ନୁହେଁ ? ଲୋକଙ୍କ ପାଖରେ ଅତି ସରଳିଆ ହେବା ଭଲ ନୁହେଁ । ଅତି ସରଳିଆ ହେଲେ କୁକୁର ବି ଆସି ମୁହଁ ଚାଟିବ । ଆଜି ତ ଜାତିଭାଇ ତମକୁ ବାହା ବାହା କରିଥିବେ, ହେଲେ ମୋରି କପାଳ ଏକା ଖରାପ ଯେ ତମରି ଭଳିଆ ଲୋକଙ୍କ ହାତରେ ମୁଁ ପଡ଼ିଛି-। ଦିନେ ହେଲେ କପାଳରେ ପେଟପୁରା ମୁଠେ ମିଳିଲା ନାହିଁ ।

 

‘ମୁଁ କଣ ଯାଇ ତୋ ବାପ ଗୋଡ଼ତଳେ ପଡ଼ିଥିଲି ତୋତେ ଆଣି ମୋ ବେକରେ ବାନ୍ଧି ଦେବାପାଇଁ ?’

 

‘ତାଙ୍କ ଅକଲ ସେତେବେଳେ କୁଆଡ଼େ ହଜିଯାଇଥିଲା, ନହିଲେ ସେ କଣ ଦେଖିକରି ଏମିତି ରସିଗଲେ କେଜାଣି ! ଏମିତି କୋଉ ସୁନ୍ଦରପଣିଆ ଅବା ଥିଲା ?”

 

କଳିକଜିଆରୁ ପୁଣି ରହସ୍ୟ ଆଡ଼କୁ କଥା ଗଡ଼ିଆସିଲା । ଅଶୀ ଟଙ୍କା ଗଲା ତ ଗଲା, ଲକ୍ଷେ ଟଙ୍କାର ପିଲା ତ ମିଳିଲା ! ତାକୁ ତ ଆଉ କେହି ନେଇଯିବ ନାହିଁ, ଗୋବରା ଫେରିଆସିଲେ ଧନିୟା କଣ ଆଉ ଖଣ୍ଡେ କୁଡ଼ିଆ କରି ଅଲଗା ରହିବ ?

 

ହୋରୀ ପଚାରିଲା–ପିଲାଟି କା’ପରି ହୋଇଛି ?

 

ଧନିୟା ହସି ହସି କହିଲା–ଠିକ୍ ଗୋବରା ନାଖେ ହୋଇଛି ମ, ସତେ !

 

‘ମୋଟାସୋଟା ହୋଇଛି ତ ?”

 

‘ହୁଁ, ଖୁବ୍ ନା ।’

Image

 

ଦ୍ଵାଦଶ ପରିଚ୍ଛେଦ

 

ସେଦିନ ରାତିରେ ଗୋବରା ଝୁନିଆ ସାଙ୍ଗରେ ଚାଲି ଆସିଲା ସିନା କିନ୍ତୁ ଭୟରେ ତା ଦେହ ହାତ ଖାଲି କମ୍ପିଲା । ସତେ ଯେମିତି ତା ନାକ କାନ କିଏ କାଟି ଦେଇଛି । ମନେ ମନେ ତାର କେତେ ଚିନ୍ତା ଖେଳିଗଲା । ଝୁନିଆ ଗାଁରେ ପହଞ୍ଚିଲା ମାତ୍ରେ ଗାଁ ସାରା କାଉ କାଉ ହେବେ, ଲୋକେ ଛି ଛି କରିବେ, ମା କେତେ ନା କେତେ ଗାଳି ଦେବ । ହୋରୀକୁ ତ ତାର ବେଶୀ ଭୟ ନଥିଲା, କାରଣ ସେ ଥରେ ଅଧେ ଯାହି କହିଦେବ ପୁଣି ଚୁପ୍ ହୋଇ ରହିଯିବ । କିନ୍ତୁ ଧନିୟା ତ ଛାଡ଼ିବା ଲୋକ ନୁହେଁ, ବିଷ ଖାଇବାକୁ ବସିଯିବ । ଘରେ ମନେକଲେ ନିଆଁ ଲଗାଇ ଦେବ । ଆଗକୁ ତା ପାଦ ଆଉ ଚଳିଲା ନାହିଁ, ଭାବିଲା ଝୁନିଆ ସାଙ୍ଗରେ ଘରକୁ ଗଲେ କାମ ଚଳିବ ନାହିଁ ।

 

ପୁଣି ଭାବିଲା ମା ଯଦି ଝୁନିଆକୁ ଘରେ ପୂରେଇ ନ ଦିଏ କିମ୍ବା ଝାଡ଼ୁ ଧରି ମାରି ଗୋଡ଼ାଏ ତେବେ ବିଚାରୀ କରିବ କ’ଣ ? ଘରକୁ ଫେରିଯିବା କଥା ତ ଆଉ ନାହିଁ । ଯଦି ଯୋଗକୁ କୂଅ ପୋଖରୀକୁ ଡେଇଁପଡ଼େ, କିମ୍ବା ଦଉଡ଼ା ଲଗାଇ ଦିଏ ତେବେ କ’ଣ ହେବ ? ଏମିତି ଭାବି ଭାବି ବିଚରା ଦୀର୍ଘ ନିଶ୍ଵାସ ଛାଡ଼ିଲା । କାହାର ଆଶ୍ରୟ ନେବ କିଛି ଭାବି ପାରିଲା ନାହିଁ ।

 

ପୁଣି ଭାବିଲା ମା କ’ଣ ସତେ ଏଡ଼େ ନିର୍ଦ୍ଦୟ ହେବ, ଛାଞ୍ଚୁଣୀରେ ତାକୁ ପିଟି ବାହାର କରିଦେବ ? କେଭେ ନୁହେଁ ! ହଁ, ଖୁବ୍ ହେଲେ ପହିଲେ ପହିଲେ ଦି’ଚାରି ପଦ ଗାଳିଦେବ । କିନ୍ତୁ ଝୁନିଆ ତା ପାଦତଳେ ପଡ଼ି କାନ୍ଦି ପକାଇଲେ ଆପେ ଆପେ ତାର ଦୟା ଆସିଯିବ । ସେହି ପର୍ଯ୍ୟନ୍ତ ତାକୁ ଲୁଚି ରହିବାକୁ ପଡ଼ିବ । ପୁଣି ସବୁ କଥା ଥଣ୍ଡା ପଡ଼ିଗଲେ ସେ ଫେରିଯାଇ ମା’କୁ ମନେଇ ନେବ । ଅବଶ୍ୟ ସେତିକି ଦିନ ପର୍ଯ୍ୟନ୍ତ ତାକୁ କେଉଁଠି ଚାକେରୀ ବାକେରୀ କରିବାକୁ ହେବ । ଯଦି ଘରକୁ ଗଲାବେଳକୁ ଦିଚାରି ଟଙ୍କା ସେ ହାତରେ ନେଇପାରିବ, ତେବେ ଆପେ ମା’ର ମୁହଁ ବନ୍ଦ ହୋଇଯିବ ।

 

ଝୁନିଆ କହିଲା–ମୋ ଛାତି ଖାଲି ଧଡ଼ ଧଡ଼ ହେଉଛି । ମୁଁ କ’ଣ ଜାଣିଥିଲି ତମେ ଏମିତି ତଣ୍ଟିରେ ଛୁରୀ ଦେବ ବୋଲି । ଭଗବାନ ଜାଣନ୍ତି କି ବେଳାରେ ତମ ସଙ୍ଗେ ମୋର ଦେଖା ହୋଇଥିଲା ! ତମେ ଗାଈ ନେବାପାଇଁ ନ ଆସିଥିଲେ ଏତେ କଥା ହୋଇଥାନ୍ତା କିଆଁ ? ତମେ ଆଗରେ ଯାଇ ଯାହା କୁହାବୋଲା କରିବାର କର । ମୁଁ ତମ ପଛେ ପଛେ ଯାଉଛି ।

 

ଗୋବରା କହିଲା–ନାହିଁ ନାହିଁ, ସେକଥା ନୁହେଁ । ତମେ ଆଗରେ ଯାଇ କହିବ ଯେ ମୁଁ ବଜାରକୁ ସଉଦା ବିକି ଆସିଥିଲି । କାମ ସାରୁ ସାରୁ ରାତି ହୋଇଗଲା, ଏବେ ଯିବି କେମିତି ? ତମେ ଠିକ ଏହି କଥା କହୁଥିବ ମୁଁ ଯାଇ ପହଞ୍ଚିବି ।

 

ଝୁନିଆ ଭାରୀ ଚିନ୍ତାକରି କହିଲା–ତମ ମା ତ ଭାରୀ ରାଗୀ, ମୋ ଦିହ ଖାଲି ଥରୁଛି, ମତେ ଯଦି ସେ ମାରିବାକୁ ବସନ୍ତି, ମୁଁ କ’ଣ କରିବି ?

 

ଗୋବରା ଆଶ୍ଵାସନା ଦେଇ କହିଲା–ମା ସେମିତିଆ ନୁହେ ମ ! ଆମକୁ ତ ଦିନେ କେବେ ଛୁଇଁଦେଇ ନାହିଁ, ଆଉ ତମକୁ ମାରୁଛି ! ତାର ଯାହା କହିବା କଥା ସେ ମୋତେ କହିବ, ତମକୁ ସେ କେବେହେଲେ ପାଟି ଫିଟାଇବ ନାହିଁ ।

 

ଗାଁ ପାଖେଇ ଆସିଲା । ହଠାତ୍ ଅଟକି ଯାଇ ଗୋବରା କହିଲା–ଆଚ୍ଛା, ତମେ ଆଗ ଯା ।

 

ଝୁନିଆ ନିକୁସି ହୋଇ କହିଲା–ତମେ ଏକା ଡେରି କରିବ ନାହିଁଟି !

 

ନାହିଁ ନାହିଁ ଡେରି କ’ଣ ? ଚାଲ ତମେ, ମୁଁ କଥା ପଦକେ ଆସୁଛି ।’

 

‘ମନ ଯାହା ହେଉଛି ଏକା ଭଗବାନ ଜାଣନ୍ତି, ସତରେ ତମ ଉପରେ ମୋର ଭାରୀ ରାଗ ହେଉଛି ।’

 

‘ତମେ ଏତେ ଡରୁଛ କିଆଁ, ମୁଁ ତ ଏଇନେ ଚାଲି ଆସିବି ।’

 

‘ଘରକୁ ଯିବା ଅପେକ୍ଷା ଆଉ କୁଆଡ଼େ ପଳେଇଥିଲେ ହେଲେ ଭଲ ହୋଇଥାନ୍ତା ।’

 

‘ଆପଣା ଘର ଯେତେବେଳେ ଅଛି, ପଳାଇବା କାହିଁକି ? ତମେ ଖାଲି ମିଛରେ ଏତେ ଡରୁଛ ସିନା ।’

 

ଚଞ୍ଚଳ ଆସିବଟି ।’

 

ହଁ, ହଁ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି ।’

 

‘ମତେ ଆଉ ଠକୁ ନାହଁ ତ, ମୋତେ ଘରକୁ ପଠାଇ ଦେଇ ଆଉ କୁଆଡ଼େ ପଳାଇବ ନାହିଁ ତ ?’

 

‘ମୁଁ କଣ ଏଡ଼େ ଛୋଟ ଲୋକ ହେଇଛି ଝୁନ ? ତମ ହାତ ଧରିଛି ଯେତେବେଳେ, ମଲାଯାଏଁ ବି ତମ ପାଖେ ପାଖେ ରହିବି ।’

 

ଝୁନିଆ ଆସ୍ତେ ଆସ୍ତେ ଘରଆଡ଼କୁ ମୁହାଁଇଲା, ଗୋବରା ଦୋଘାଇରେ ପଡ଼ି କିଛି ସମୟ ଠିଆହେଲା । ପୁଣି ହଠାତ୍ ଗାଳି ଅପମାନ କଥା ଭୟଙ୍କର ରୂପ ଧରି ତା ଆଖି ଆଗରେ ଛିଡ଼ା ହୋଇଗଲା । ସତକୁ ସତ ଯଦି ମା ମାରିଗୋଡ଼ାଏ, ତେବେ କଣ ହେବ ? ତା ପାଦ ସତେ ଯେମିତି ଭୁଇଁରେ ଲାଖି ଯାଇଥିଲା । ସେଇଠୁ ଖଣ୍ଡେ ବାଟରେ ଗୋଟାଏ ଆମ୍ବତୋଟା, ସେପାରିଲେ ତାଙ୍କ ଗାଁ । ସେଇଠି ଛିଡ଼ା ହୋଇ ଝୁନିଆର କଳା ଛାଇ ଆଗକୁ ଯିବାର ସେ ଦେଖୁଥାଏ । ୟା ଭିତରେ ତା ଜ୍ଞାନେନ୍ଦ୍ରିୟ ସବୁ ଭାରୀ ତୀକ୍ଷ୍ଣ ହୋଇ ପଡ଼ିଥିଲେ । ତାକୁ ଲାଗିଲା ସତେ ଯେମିତି ମା ଝୁନିଆକୁ ଗାଳି ଦେଉଥିବାର ସେ ଶୁଣି ପାରୁଛି; ତାକୁ ଏମିତି ଲାଗୁଥିଲା ସତେ ଯେମିତି ତା ମୁଣ୍ଡରେ କିଏ କାତିରେ ଚୋଟ ମାରି ଦେବାକୁ ବସିଛି, ସବୁ ରକ୍ତ ସତେ ଯେମିତି ଶୁଖି ଯାଇଛି । ପୁଣି ମିନିଟିକ ପରେ ତାକୁ ଦେଖାଗଲା ସତେ ଯେମିତି ଧନିୟା ଘରୁ ବାହାରି କୁଆଡ଼େ ଚାଲି ଯାଉଛି । ବୋଧହୁଏ ବାପା ପାଖକୁ ଯାଉଥିବ, କାହିଁକି ନା ବାପା ତାର ବିଲ ଜଗିବାପାଇଁ ଭାଡ଼ିରେ ଶୋଇବାକୁ ଯାଇଥିବ । ସାଙ୍ଗେ ସାଙ୍ଗେ ଗୋବରା ସେହି ବିଲ ଆଡ଼କୁ ଧାଇଁଲା । ତାକୁ ଜଣାପଡ଼ିଲା ସତେ ଯେମିତି ତା ପଛରେ କିଏ ଜଣେ ଗୋଡ଼େଇଛି । ଯେମିତି ଯାଇ ତା ବାପା କୁଡ଼ିଆ ପାଖରେ ପହଞ୍ଚିଗଲା ସେମିତି ପାଦ ଚିପି ଚିପି ଯାଇ କୁଡ଼ିଆ ପଛପଟେ ଛପି କରି ବସିଲା-। ଦେଖିଲା ସେ ଯାହା ଭାବିଥିଲା ଠିକ୍ । ସେଠି ଯାଇ ପହଞ୍ଚୁ ପହଞ୍ଚୁ ତା ମା’ର ପାଟି ଶୁଣିପାରିଲା-। ଭାବିଲା କଥା ସରିଗଲା, ମା ସତେ ଏଡ଼େ ନିର୍ଦ୍ଦୟ । ଏଡ଼େ ଅନାଥ ପିଲାଟା ଉପରେ ତାର ଏତେ ଟିକେ ବି ଦୟା ହେଲା ନାହିଁ । କିନ୍ତୁ ସେ ଯଦି ଯାଇ ଏଇନେ ଗୋଟାଏ ଧଡ଼କ ଦିଅନ୍ତା ତେବେ ଆପେ ଆପେ ଥଣ୍ଡା ହୋଇଯାନ୍ତା । ମା ଯେମିତି ବାପା ବି ଆଜି ସେମିତି । ଗୋଠ ମାତିଲେ ପରା ହଡ଼ା ମାତେ ! ଲୁହା କଅଁଳିଆ ହେଲାରୁ ବିଲେଇ କାମୁଡ଼ିବାକୁ ବସିଛି ନା ! ବାପା ତ ଏଇତି କୁଡ଼ିଆରୁ ବାହାରି ଯାଉଛି । ଯଦି ଦିହେଁ ଯାଇ ଝୁନିଆକୁ ମାରପିଟ କରନ୍ତି ତେବେ ମୁଁ କେବେହେଲେ ତାହା ବରଦାସ୍ତ କରିବି ନାହିଁ । ଭଗବାନ, ଏଣିକି ତମର ଯାହା ଇଚ୍ଛା । ଏମିତିଆ ବିପତ୍ତି ପଡ଼ିବ ବୋଲି ମୁଁ କେବେହେଲେ ଭାବି ନଥିଲି । ଝୁନିଆ ବର୍ତ୍ତମାନ ମତେ କେଡ଼େ କାପୁରୁଷ, କେଡ଼େ ଭଣ୍ଡ, କେଡ଼େ ଛୋଟ ଲୋକ ବୋଲି ମନେ ମନେ ଭାବୁ ନଥିବ ! କିନ୍ତୁ ଏମାନେ ସତେ କଣ ତାକୁ ମାରିବେ, ସତେ କଣ ଘରୁ ବାହାର କରିଦେବେ ? ଘରେ କଣ ମୋର ଭାଗ ନାହିଁ ? ଯଦି କିଏ ଝୁନିଆ ଦେହରେ ହାତ ଲଗାଏ ତେବେ ଆଜି ମହାଭାରତ ଉପୁଜିବ । ପୁଅ ଝିଅଙ୍କୁ ପାଳିଲେ ସିନା ବାପ ମା । କିନ୍ତୁ ପୁଅ ଝିଅଙ୍କ ପାଇଁ ଯାହାଙ୍କର ଏତେ ଟିକେ ମମତା ନାହିଁ ସେ କେମିତିକା ବାପ ମା !

 

ହୋରୀ କୁଡ଼ିଆରୁ ବାହାରିଲା ମାତ୍ରେ ଗୋବରା ଛପି ଛପି ତା ପଛେ ପଛେ ଚାଲିଲା; କିନ୍ତୁ ଦୁଆର ପାଖରେ ଆଲୁଅ ଦେଖି ତା ପାଦ ଆଉ ଚଳିଲା ନାହିଁ । ଆଲୁଅକୁ ସେ ଯା’ନ୍ତା କେମିତି, ପାଚେରୀ ତଳ ଅନ୍ଧାରରେ କାନ୍ଥକୁ ଲାଗି ଛପି ରହିଲା । ମନେ ମନେ ଭାବିଲା, ହାୟରେ କପାଳ, କେଡ଼େ ହତଭାଗ୍ୟ ସେ, ଝୁନିଆକୁ ଲୋକେ ହଇରାଣ କରୁଛନ୍ତି ଅଥଚ ସେ କିଛି କରିପାରୁ ନାହିଁ, ଚୋରଙ୍କ ପରି ଛପି ଠିଆ ହୋଇଛି । ସେ ଗେଲ–ଗେଲରେ ଯେଉଁ ନିଆଁଝୁଲ ଫିଙ୍ଗି ଦେଇଥିଲା, ସେଥିରେ ସମସ୍ତ ଖଳା ପୋଡ଼ି ଭସ୍ମ ହୋଇଯିବ ବୋଲି ସେ କେବେହେଲେ ଭାବି ନଥିଲା । ଖଳା ପୋଡ଼ିଯିବା ପରେ ତାର ଆଉ ସାହସ ନଥିଲା ଯେ ସେ ଆଗକୁ ବାହାରି କହିବ–ମୁଁ ସେ ନିଆଁ ଫିଙ୍ଗିଛି । ଯେଉଁ ସାହସରେ ସେ ଯାଇଥିଲା, କିଛି କରି ପାରିଲା ନାହିଁ ବରଂ ପଛକୁ ହଟି ଆସିଲା । ଝୁନିଆକୁ ଆଉ ମୁହଁ ଦେଖାଇବାକୁ ତାର ସାହସ ହେଲା ନାହିଁ ।

 

ଯୁଦ୍ଧରେ ହାରି ସିପାହୀ ପଛକୁ ଫେରିଲା ପରି ଗୋବରା ଶହେ କଦମ ଫେରି ଆସିଲା-। ଅଭିସାର ବେଳେ ଝୁନିଆକୁ ସେ ଯେଉଁ ପ୍ରେମର ଅମର କାହାଣୀ ଶୁଣାଇ ଥିଲା, ସୁଖ ଦୁଃଖରେ ସବୁ ସମ୍ଭାଳିବ ବୋଲି ଯେଉଁ ପ୍ରତିଜ୍ଞା କରିଥିଲା ଗୋଟି ଗୋଟି ହୋଇ ସବୁ ମନେ ପଡ଼ିଗଲା-। ଉନ୍ମତ୍ତ ପ୍ରଣୟ ନିଶାରେ ସମସ୍ତ ଜୀବନକୁ କେମିତି ସେ ଝୁନିଆ ପାଦ ତଳେ ପାଣିଛଡ଼ାଇ ଦେଇଥିଲା ସେହି ମଧୁସ୍ମୃତି ପୁଣି ଜାଗି ଉଠିଲା । ଝୁନିଆ ବିଚାରୀ ତ ଏକ ବିରହୀ ପକ୍ଷୀ ପରି ଆପଣା ନିଃସଙ୍ଗ ନୀଡ଼ରେ ଏକା ଏକା ବସି ଦିନ କାଟି ନେଉଥିଲା । ସେଠି ନଥିଲା ପ୍ରାଣରେ ଆଗ୍ରହ କିମ୍ବା ନଥିଲା ଯୌବନର ଉଦୀପ୍ତ ଉଲ୍ଲାସ କିମ୍ବା ଶିଶୁର ମଧୁ କୋଳାହଳ କିମ୍ବା ମିଥ୍ୟା ପ୍ରଣୟର ଛଳ କୌଶଳ । ଜୀବନ ଥିଲା ନିଃସଙ୍ଗ, ଶାନ୍ତ । କିନ୍ତୁ ଗୋବରା ସେହି ନିଃସଙ୍ଗ ନୀଡ଼ରେ ବଳେ ବଳେ ପଶି ଝୁନିଆକୁ ସୁଖ ଦେଇଥିଲା କି ନାହିଁ ଭଗବାନ ଜାଣନ୍ତି, କିନ୍ତୁ ଦୁଃଖ ତ ଦେଲା ଅନେକ । ଏ ସବୁ କଥା ଭାବୁ ଭାବୁ ଗୋବରା ପୁଣି ସାବଧାନ ହୋଇଗଲା । ସାଙ୍ଗ ସିପାହୀଠାରୁ ସାହସ ପାଇ ହଟି ଯାଉଥିବା ସିପାହୀ ଯେମିତି ପୁଣି ଆଗକୁ ବଢ଼ିଯାଏ, ଗୋବରା ସେମିତି ପୁଣି ଆଗକୁ ଲେଉଟି ଗଲା ।

 

ପାଚେରୀ ପାଖକୁ ଯାଇ ଦେଖିଲା କବାଟ ପଡ଼ିଗଲାଣି, କିନ୍ତୁ କବାଟ ଫାଙ୍କରେ ଆଲୁଅ ଦେଖା ଯାଉଛି । ଗୋଟାଏ ଫାଙ୍କରେ ଉଣ୍ଡି କରିଦେଖିଲା ଯେ ଧନିୟା ଆଉ ଝୁନିଆ ଦିହେଁ ବସିଛନ୍ତି, ହୋରୀ ଠିଆ ହୋଇଛି, ଝୁନିଆ ସୁଁ ସୁଁ ହୋଇ କାନ୍ଦୁଛି ଏବଂ ହୋରୀ ତାକୁ ବୁଝାଇବାରେ ଲାଗିଛି–ମା’ ଟା ପରା, ଯା ଘର ଭିତରେ ବସ । ମୁଁ ତୋ ବାପ ଭାଇଙ୍କି ଠିକ୍ କରି ନେବି । ମୁଁ ବଞ୍ଚିଥିବା ଯାକ ତୁ କିଛି ଚିନ୍ତା କର ନାହିଁ । ଜୀଇଥିବା ଯାକ ତୋତେ କେହି ଆଡ଼ ଆଖିରେ ବି ଅନାଇ ପାରିବେ ନାହିଁ । ଗୋବରାର ଆନନ୍ଦର ସୀମା ରହିଲା ନାହିଁ, ଭାବିଲା ଆଜି ଯଦି ତାର ଶକ୍ତି ଥା’ନ୍ତା ତେବେ ବାପମା’ଙ୍କୁ ସେ ସୁନା ଛାଆଣି କରିଦେଇ କହିଥାନ୍ତା–ବର୍ତ୍ତମାନ ତମେ କିଛି କାମ ଧନ୍ଦା ନ କରି, ଆରାମରେ ବସି ଖା ପିଅ କର, ଯାହା ମନ ହେଉଛି ଦାନ ଧର୍ମ କର । ଝୁନିଆ ଲାଗି ତା’ର ବର୍ତ୍ତମାନ ଆଉ ଡର ରହିଲା ନାହିଁ, କାରଣ ତାକୁ ଯେଉଁ ଆଶ୍ରୟ ଦେବ ବୋଲି ସେ କହିଥିଲା, ସେ ଆଶ୍ରୟ ତାଳୁ ମିଳିଗଲା । ଏଣିକି ଝୁନିଆ ତାକୁ ଦଗାବାଦ ବୋଲି କହିଲେ କହୁପଛେ, ଏଣିକି ତା’ ହାତରେ ଯେତେବେଳେ ଖୁବ୍ ପଇସା ହେବ ସେ ଗାଁକୁ ଆସିବ । ତା ପଇସା ଦେଖି ଯେତେବେଳେ ଗାଁ ଲୋକଙ୍କ ମୁହଁ ବାନ୍ଧି ହୋଇଯିବ ଆଉ ବାପ ମା ତାକୁ କୁଳକଳଙ୍କ ବୋଲି ନ ଭାବି ବରଂ କୁଳର ଆଲୁଅ ବୋଲି ଭାବିବେ । ମନ ଉପରେ ଆଘାତ ଯେତିକି ଜୋରରେ ବାଜେ, ତାର ପ୍ରତିକ୍ରିୟା ବି ସେତିକି ଜୋରରେ ହୁଏ । ଏହି କଳଙ୍କ ଏହି ଅପମାନ ଗୋବରା ମନକୁ ଏପରି ଭାବରେ ମନ୍ଥି ପକାଇଲା ଯେ ତା ଭିତରେ ଯେଉଁ ରତ୍ନ ଥିଲା ସେ ଆପେ ଉପରକୁ ଫୁଟି ଉଠିଲା । ଆଜି ଜୀବନରେ ପ୍ରଥମ ଥର ପାଇଁ ତା’ର ଦାୟିତ୍ଵ ଜ୍ଞାନ ଉଦୟ ହେଲା ଆଉ ମନେ ମନେ ସେ ପ୍ରତିଜ୍ଞା ବି କଲା । ଆଜିଯାଏ ଖାଲି ସେ ଗଣ୍ଡେ ଖାଇପିଇ ଆପଣା କାମ ବଜେଇ ଦେଉଥିଲା । କେବେହେଲେ ଭାବି ନଥିଲା ଯେ ଘର ପ୍ରତି ତା’ର କୌଣସି କର୍ତ୍ତବ୍ୟ ଅଛି । ବାପମାଙ୍କର ଉଦାର କ୍ଷମା ଆଜି ତା ଅନ୍ତରରେ ନୂତନ ଆଲୋକ ଭରିଦେଲା । ଝୁନିଆ ଆଉ ଧନିୟା ଘର ଭିତରକୁ ଚାଲିଯିବା ପରେ ସେ ଫେରି ଯାଇ ବିଲ ଭିତରେ ତା ବାପ କୁଡ଼ିଆରେ ବସି ନାନା ପ୍ରକାର ଉପାୟ ଚିନ୍ତା କରିବାକୁ ଲାଗିଲା ।

 

ଗୋବରା ଆଗରୁ ଶୁଣିଥିଲା ସହରରେ ଦିନକୁ ଛ’ଣା ମଜୁରୀ ମିଳେ । ଭାବିଲା ଯଦି ସେ ଦିନକୁ ଅଣାକରେ ଚଳିଯିବ, ତେବେ ତାର ପାଞ୍ଚଅଣା ଯେମିତି ହେଲେ ବଳିବ । ସେମିତି ହେଲେ ମାସକୁ ଦଶ ଆଉ ବର୍ଷକୁ ଶହେ ପଚିଶ ଟଙ୍କା ଯେମିତି ହେଲେ ଥୁଆ । ସେ ଯଦି ଶହେ ପଚିଶ ଟଙ୍କାର ଥଳୀ ନେଇ ଘରକୁ ଆସିବ, ତେବେ ଏମିତି କିଏ ପୁଅ ଅଛି, ତାଳୁ ପାଟି ଫିଟାଇବ-। ଏଇ ପଟେଶ୍ୱରୀ ଏଇ ଦାତାଦୀନ ପୁଣି ଆସି ତା ପାଖରେ ଆଜ୍ଞା, ଅବଧାନ ହେବେ । ଆଉ ଝୁନିଆ ତ ଗର୍ବରେ ଫୁଲି ଉଠିବ । ଦି ଚାରିବର୍ଷ ଏମିତି କମେଇ ଦେଲେ ଘରର ଚେହେରା ବଦଳିଯିବ । ଏବେ ତ ଘରର ବର୍ଷକର ଆମଦାନୀ ବି ଶହେ ପଚିଶ ଟଙ୍କା ହେବାକୁ ନାହିଁ ଅଥଚ ସେ ଏକା ଏକା ଏତେ ଟଙ୍କା ରୋଜଗାର କରିବ । ହଁ, ଲୋକେ କହିବେ କୁଲିକାମ କରୁଛି, କହନ୍ତୁ, ମଜୁରୀ କଲେ ତ କିଛି ପାପ ହୋଇଯିବ ନାହିଁ । ଆଉ ସବୁଦିନେ କ’ଣ ଛ’ଣା ମଜୁରୀ ଥିବ, କାମ ଶିଖିଗଲେ ପୁଣି ବଢ଼ିଯିବ ନାହିଁ ? ସେତେବେଳେ ସେ ବାପକୁ କହିବ–ତମେ କାମ ନ କରି ଘରେ ବସ, ଭଗବାନଙ୍କୁ ଭଜନ କର । ଦିନ ରାତି ବିଲରେ ପଡ଼ି ରହି ଲାଭ କ’ଣ ? ପହିଲେ ସେ ଗୋଟାଏ ପଛିମା ଗାଈ କିଣିବ ଯେ ଚାରି ପାଞ୍ଚ ସେର ଦୁଧ ଦେଉଥିବ ଆଉ ତା’ ବାପ ଘରେ ବସି ବସି ଗାଈ ସେବା କରୁଥିବ । ଏ ଜନ୍ମ ପର ଜନ୍ମ ଉଭୟ ଉଦ୍ଧାର ପାଇବ ।

 

ପୁଣି ଭାବିଲା, ଦିନକୁ କ’ଣ ଅଣାଏ ପଇସାରେ କାମ ଚଳିବ ନାହିଁ । ଘରଦ୍ଵାର ପାଇଁ ତ ପୁଣି ପଇସା ଖର୍ଚ୍ଚ ହେବ । କାହାଘରେ ରହିଯିବ ନହିଲେ ଏତେ ମନ୍ଦିର ଏତେ ଧର୍ମଶାଳା ପଡ଼ିଛି, କେଉଁଠି ହେଲେ ରହିଯିବ । ନାହିଁତ ଯାହା ଘରେ କାମ କରିବ ସେ କ’ଣ ଜାଗା ଦେବ ନାହିଁ ? ଅଟା ଟଙ୍କାକୁ ଦଶ ସେର ହେଲେ ଅଣାକୁ ଅଢ଼େଇ ପାଆ । ଭାବିଲା ଏକା ତ ସେ ଅଣାକର ଅଟା ଖାଇଦେବ, ପୁଣି ଡାଲି, କାଠ, ତେଲ, ଲୁଣ ସବୁ ହେବ କୁଆଡ଼ୁ ? ଦି’ ବକତକୁ ତ ଅନ୍ତତଃ ସେରେ ଅଟା ଦରକାର । ପୁଣି ଭାବିଲା ଖାଇବାଟା ନିଜ ଉପରେ ନିର୍ଭର କରେ । ମୁଠେ ଚଣା ଖାଇଦେଇ ବି ଲୋକେ କାମ କରୁଛନ୍ତି । କ୍ଷିରୀ ପୁରୀ ଖାଇ ବି ଲୋକେ କାମ କରୁଛନ୍ତି । ଯେ ଯେମିତି କମାଉଛି, ସେ ସେମିତି ଖାଉଛି । ତାର ଅଧସେର ଅଟାରେ କାମ ଚଳିଯିବ । ଜାଳେଣୀ ପାଇଁ ତ ଘସି ବାହାରୁ ଗୋଟେଇ ଆଣିବ । ଚାହିଁଲେ କେଉଁଦିନ ପଇସାକର ଆଳୁ ଆଣିଲେ, କେଉଁଦିନ ପଇସାକର ଡାଲି ନେଇ ଆସିବ । ଆଳୁକୁ ଭରତା କରି ଖାଇଦେବ । ସେଠି ଖାଲି ଦିନ କାଟିବା କଥା ନା, କ’ଣ ମଜା କରିବା କଥା ? ଖଲି ପତରରେ ଅଟା ଦଳିଦେବ, ଘଷି ଉପରେ ରୁଟି ସେକି ବକତଟାଏ ଖାଇଦେଲେ ଗଲା । ଘରେ ଅବା ଏ କେଉଁ ଚାରି ବକତ ଖାଉଥିଲା । ଓଳିଏ ତ ଯାହି ତାହି ଶୁଖିଲା ପାଚିଲା ଖାଇଦେଇ କାମ ଚଳି ଯାଉଥିଲା । ସେଠି ବି ସେମିତି ଓଳିଏ ଖାଇଦେଇ କାମ ଚଳେଇ ଦେବ ।

 

ପୁଣି ମନରେ ଡର ହେଲା, ଯଦି ଯୋଗକୁ ମଜୁରୀ ନ ମିଳିବ ତେବେ କ’ଣ କରିବ ? ନ ମିଳିବ କାହିଁକି ? ଖଟିକରି ଯେ କାମ କରିବ ତାକୁ ଶହେ ଲୋକ ଡାକିବେ । କାମ ସମସ୍ତଙ୍କର ଦରକାର, ଖାଲି ରୂପ ସୁନ୍ଦରକୁ ପଚାରି ଯାଉଛି କିଏ ? ଗାଁରେ ତ ସେମିତି କେତେ ବିପତ୍ତି ପଡ଼ୁଛି କେତେବେଳେ ମେଘ ଅପାଣିଆ କରୁଛି, କେତେବେଳେ କୁହୁଡ଼ି ହେଉଛି । ଆଖୁ ନାଲି ମାରି ଯାଉଛି, ସୋରିଷରେ ପୋକ ଲାଗି ଯାଉଛି । ବିପତ୍ତି ପୁଣି ନାହିଁ କେଉଁଠି ? ଦିନ ଛଡ଼ା ତାକୁ ଯଦି ରାତିକୁ ଅଧିକା କାମ ମିଳିଯାଏ, ତେବେ ତ ଆହୁରି ଭଲ ଦିନଯାକ କରିବ, ରାତିକୁ କାହାଘର ଜଗି ଚୌକୀଦାରୀ କଲେ ଆଉ ଦି ଅଣା ବି ମିଳିଯିବ । ତା ହେଲେ ଆଉ ପରୁଆ କ’ଣ ? ଯେତେବେଳେ ଗାଁକୁ ଫେରିବ ସମସ୍ତଙ୍କ ପାଇଁ ଶାଢ଼ି କିଣିନେବ, ଝୁନିଆ ହାତକୁ ଚୁଡ଼ୀ ତିଆରି କରିନେବ, ବାପପାଇଁ ଗୋଟେ ପଗଡ଼ି କିଣିନେବ ।

 

ଏଇମିତି ଆକାଶ କଇଁଆ ଚିଲିକା ମାଛ ସପନ ଦେଖି ଦେଖି ବିଚରା ଘୁମେଇ ପଡ଼ିଲା-। କିନ୍ତୁ ଏଡ଼େ ଜାଡ଼ରେ ନିଦ ହେଉଛି କେଉଁଠି ? କୌଣସି ପ୍ରକାରେ ରାତି କଟାଇ ଦେଇ ବଡ଼ି ସକାଳୁ ଉଠି ଲକ୍ଷ୍ନୌ ରାସ୍ତାରେ ଚାଲିଲା । କୋଡ଼ିଏ କୋଶ ବାଟ ତ, ସଞ୍ଜବେଳେ ପହଞ୍ଚିଯିବ-। ଗାଁ ଲୋକ କିଏ ଲକ୍ଷ୍ନୌ ଯାଉଛି ଯେ ତାକୁ ଦେଖିବ ? ତହିଁକି ସେ ତା ଠିକଣା ଘରକୁ ଲେଖିବ ନାହିଁ, ଲେଖିଲେ ତହିଁଆର ଦିନ ବାପା ଆସି ହଜାର ହୋଇଯିବ । ତା ମନରେ ଖାଲି ଏତିକି ଦୁଃଖ ହେଉଥିଲା ଯେ ସେ ଝୁନିଆକୁ ସଫା ସଫା କାହିଁକି କହିଦେଲା ନାହିଁ ଯେ–ତୁ ଘରକୁ ଯା, ମୁଁ କିଛି ଟଙ୍କା ପଇସା କମେଇ କରି କିଛି ଦିନ ପରେ ଯିବି । ପୁଣି ଭାବିଲା–କାଳେ ସେ କହିଥାନ୍ତା–ମୁଁ ବି ତମ ସଙ୍ଗରେ ଯିବି । ମାଈକିନାଟାକୁ ବେକରେ ବାନ୍ଧି କୁଆଡ଼େ ସେ ବୁଲିଥାନ୍ତା !

 

ବେଳ ଉଛୁର ହୋଇଗଲା । ରାତିରେ ବିଚାରା କିଛି ଖାଇ ନଥିଲା ସେଥିପାଇଁ ତାକୁ ଭାରୀ ଭୋକ ଲାଗିଲା । ଗୋଡ଼କୁ ଗୋଡ଼ ବାଜିଗଲା କେଉଁଠି ଟିକିଏ ବସିକରି ବିଶ୍ରାମ ନେବ ବୋଲି ଭାବିଲା । କିନ୍ତୁ ପେଟକୁ କିଛି ନ ପଡ଼ିଲେ ଚାଲିବ କେମିତି, ହେଲେ ହାତରେ ତ ଅଧଲାଟାଏ ବି ନାହିଁ, ବାଟରେ ଦେଖିଲା ଗୋଟାଏ ଜଙ୍ଗଲୀ କୋଳିଗଛରେ କୋଳି ଫଳିଛି, ଗଛରେ ଚଢ଼ି ଅଣ୍ଟାଏ ହବ ତୋଳି ଖାଇ ଖାଇ ବାଟ ଚାଲିଲା । ଯାଉଁ ଯାଉଁ ଆଖୁ ବାସନା ତା ନାକରେ ବାଜିଲା । ସିଧା ସିଧା ସେ ଆଖୁଶାଳ ପାଖକୁ ଯାଇ ଲୋଟା ଦଉଡ଼ି ମାଗି ପାଣି କାଢ଼ି ପିଇବାକୁ ବାହାରିଲା ବେଳକୁ ଛି । ଚାଷୀ କହିଲା–ଆରେ ଭାଇ ଖାଲି ପାଣିଗୁଡ଼ା କଣ ପିଉଛ, ଦୋରୁଆ । ପିଇ ଦେ, ନବାତ ଖଣ୍ଡେ ଖା ଆସନ୍ତା ବର୍ଷକୁ ତ ଚିନିକଳ ବସିଗଲେ ଆଖୁ ସବୁ ଠିଏଁ ଠିଏଁ ବିକ୍ରୀ ହୋଇଯିବ । ଗୁଡ଼ ଦାମରେ ଯେତେବେଳେ ଚିନି ମିଳିବ ସେତେବେଳେ ଆମ ଗୁଡ଼କୁ ପଚାରିବ କିଏ ? ଆସ, ନବାତ ଖଣ୍ଡେ ଖାଇଦେଇ ଯାଇଥା । ଗୋବରା ଦୋରୁଆ ପିଇ, ଦି ଚାରି ଖଣ୍ଡ ନବାତ ଖାଇ ପେଟେ ପାଣି ପିଇଦେଇ ଆରମ ହେଲା । ଚାଷୀ ବୁଢ଼ା ପଚାରିଲା–କ’ଣ ମନ ହେଉଛି ଚିଲମ ଟାଣିବ ? ଗୋବରା ମିଛରେ କହିଲା–ନାହିଁ ଭାଇ ଆଜିଯାଏ ତ ମୁଁ କେବେ ଟାଣି ନାହିଁ । ବୁଢ଼ା ଭାରୀ ଖୁସୀ ହୋଇ କହିଲା–ଭଲ କରିଛ ଭାଇ, ଚିଲମ ବଡ଼ ଖରାପ ରୋଗ, ଥରେ ଯଦି ତା ପାଲରେ ପଡ଼ିବ, ତେବେ ଆଉ ଜୀବନଯାକ ଛାଡ଼ିବା କଥା ନାହିଁ ।

 

ଇଞ୍ଜିନକୁ ବର୍ତ୍ତମାନ କୋଇଲା, ପାଣି ମିଳିଗଲା । ଏଥର ଚାଲି ଖୁବ୍ ତେଜ ହେଲା । ଶୀତଦିନିଆ ବେଳ, କେତେବେଳେ ଦିପ୍ରହର ହୋଇଗଲା କିଛି ଜଣାପଡ଼ିଲା ନାହିଁ । ଦେଖିଲା, ଗୋଟାଏ ଗଛମୂଳେ ଜଣେ ସ୍ତ୍ରୀଲୋକ ରୁଷିକରି ବସିଛି, ତା ସ୍ଵାମୀ ତା ପାଖରେ ଛିଡ଼ା ହୋଇ ତାକୁ ବୁଝେଇ ଲାଗିଛି । ମଜା ଦେଖିବାପାଇଁ ଆଉ ଦି ଚାରି ଜଣ ବାଟୋଇ ବି ସେଠି ଠିଆ ହୋଇଛନ୍ତି । ଗୋବରା ବି ଯାଇ ସେଠି ଠିଆ ହେଲା । ମଣିଷ ଜୀବନରେ ମାନଲୀଳାଠାରୁ ବଢ଼ିଆ ନାଟକ ଆଉ କଣ ଦେଖାଯାଇ ପାରେ !

 

ଯୁବତୀ ସ୍ଵାମୀକୁ ଅନେଇ କହିଲା, ମୁଁ କହୁଛି, ମୁଁ ଯିବି ନାଇଁ, ମୁଁ ଯିବି ନାଇଁ, ମୁଁ ଯିବି ନାଇଁ ।

 

ପୁରୁଷ ତାକୁ ଅଲଟିମେଟମ ଦେଲା ପରି କହିଲା, କ’ଣ ଯିବୁ ନାହିଁ ?

 

‘ନାଇଁ ଯିବି ନାହିଁ ।’

 

‘ଯିବୁ ନାହିଁ ?’

 

‘ନାହିଁ ଯିବି ନାହିଁ ।’

 

ପୁରୁଷ ତା ଚୁଟି ଧରି ଘୋଷାରିବାକୁ ଆରମ୍ଭ କଲା । ସ୍ତ୍ରୀଲୋକଟି ଦି’ଥର ପଡ଼ିଗଲା । ପୁରୁଷ ହାରିଯାଇ କହିଲା, ମୁଁ ତୋତେ କହୁଛି ତୁ ଚାଲ ।

 

ସ୍ତ୍ରୀ ବି ସେହିପରି ପାଟିକରି କହିଲା, ମତେ ପଛେ ଟିକି ଟିକି କରି ମାରି ଦିଅନ୍ତୁ ମୁଁ ସାତ ଜନମରେ ତୋ ଦୁଆରେ ପାଦ ପକାଇବି ନାହିଁ ।

 

ମୁଁ ତୋ ତଣ୍ଟି କାଟିଦେବି ।’

 

‘ମୋ ତଣ୍ଟି କାଟିଲେ ତୁ ଫାଶି ପାଇବୁ ।’

 

ପୁରୁଷ ତା ଚୁଟି ଛାଡ଼ିଦେଇ ମୁଣ୍ଡରେ ହାତଦେଇ ବସିଗଲା । ସବୁ ମଣିଷପଣିଆ ତ ଶେଷ ହୋଇଗଲା, ଆଉ କରନ୍ତା କ’ଣ ? ଶେଷକୁ ଛିଡ଼ା ହୋଇପଡ଼ି ହାରି ଗଲାପରି କହିଲା, କହଭଲା ତୁ କ’ଣ ଚାହୁଛୁ ?

 

ଯୁବତୀ ଉଠିବସି ଉଦାସ ହୋଇ କହିଲା, ମୁଁ ଚାହୁଛି, ତୁ ମୋତେ ମାରିଦେ ।

 

‘କହୁ ନାହୁଁ ତୋର କ’ଣ ହେଲା ?’

 

‘ମୋ ବାପ ଭାଇଙ୍କି କିଆଁ ଗାଳିଦେବ, ମୁଁ କିଆଁ ସହିବି ?’

 

‘ତୋ ବାପ ଭାଇଙ୍କି କିଏ ଗାଳି ଦେଉଛି ?

 

‘ଯାଇ କରି ତୋ ଘରଠେଇ ପଚାରେ ।’

 

‘ତୁ ସିନା ଗଲେ ଯାଇଁ ମୁଁ ପଚାରିବି ।’

 

‘ତୋର କୋଉ ବଳ ଅଛି ଯେ ତୁ ପଚାରିବୁ ? ଯାଇକରି ଆଗ ମା କାନିରେ ମୁହଁ ଘୋଡ଼େଇ ହୋଇ ଶୋଇବୁ । ସେ ସିନା ତୋର ମା ଯେ ତୁ ତା ଗାଳି ସହିବୁ, ମୁଁ ସହିବି କିଆଁ ? ବକତେ ଖାଇଲେ ତ ଚାରି ବକତର କାମ କରୁଛି । ସେଥିରେ ପୁଣି ଏତେ ଲୋକଙ୍କର ଧମକ ସହିବି କିଆଁ ? ତୁ ତ ମତେ କେବେ ପିତଳ ମୁଦିଟାଏ ହେଲେ ଦେଇନୁ ।’

 

ବାଟୋଇମାନଙ୍କୁ ଏ ଲୀଳା ଭାରୀ ଭଲ ଲାଗୁଥିଲା । କିନ୍ତୁ ଏ ନାଟ ସହଜେ ସରିବ ନାହିଁ ଜଣ ଜଣ ଜଣ ହୋଇ ଆସ୍ତେ ଆସ୍ତେ ଖସିଲେ । ପୁରୁଷର ବ୍ୟବହାର ଗୋବରାକୁ ଭାରୀ ଖରାପ ଲାଗୁଥିଲା । କିନ୍ତୁ ଏତେ ଲୋକଙ୍କ ଆଗରେ କିଛି କହି ପାରୁ ନଥିଲା । କିନ୍ତୁ ଲୋକସବୁ ଚାଲିଯିବାରୁ ସେ କହିଲା, ଦେଖ ଭାଇ, ସ୍ତ୍ରୀ ପୁରୁଷଙ୍କ ଭିତରେ ଏମିତି କଳି ହେବା ଠିକ୍ ନୁହେଁ, ତମେ ଯାହା କରୁଛ କିଛି ଠିକ୍ ହେଉ ନାହିଁ ।

 

ପୁରୁଷ କଉଡ଼ି ପରି ଏଡ଼େ ଏଡ଼େ ଆଖି ଦେଖାଇ କହିଲା, ତମେ କିଏ ସେ ?

 

ଗୋବରା ବେପରୁଆ ହୋଇ କହିଲା, ମୁଁ ଯିଏ ହେଲେ, ଅନ୍ୟାୟ କଥାଗୁଡ଼ାକ କାହାକୁ ଭଲ ଲାଗେ ନାହିଁ ।

 

ପୁରୁଷ ମୁଣ୍ଡ ହଲେଇ କହିଲା, ଘରକୁ ବୋଧହୁଏ ଘରଣା ଆସି ନାହିଁ, ସେଇଥିପାଇଁ ଏତେ ଭଲଲୋକି !

 

‘ଘରଣୀ ଆଇଲେ ବି ମୁଁ ଚୁଟିଧରି କେବେ ଘୋଷାରିବି ନାହିଁ ।’

 

‘ହଉ ହଉ ଯା, ବାଟ ପଡ଼ିଛି ଚାଲି ଯା । ମୋ ସ୍ତ୍ରୀ ସେ, ମୁଁ ତାକୁ ହାଣିବି ମାରିବି ଯାହା କରିବି, ତମେ କହିବାକୁ କିଏ ସେ ? ସିଧା ସିଧା ଚାଲି ଯା, ଏଠି ଛିଡ଼ା ହୁଅ ନାହିଁ ।’

 

ଗୋବରା ଗରମ ରକତ ଆଉ ଟିକିଏ ଗରମ ହୋଇଗଲା । ଚାଲିଯିବ କାହିଁକି ? ସଡ଼କ ତ କା’ ବାପର ନୁହେଁ, ସରକାରଙ୍କର, ତା ମନ ଯେତେବେଳ ଯାଏ ହେବ ସେ ଛିଡ଼ା ହେବ, ତାକୁ ସେଠୁ ବାହାର କରିଦେବା ପାଇଁ କାହାରି ଅଧିକାର ନାହିଁ ।

 

ପୁରୁଷ ଓଠ କାମୁଡ଼ି କହିଲା, ଯାଉଛୁ ନା ପୁଣି ଯିବି ?

 

ଗୋବରା ଗାମୁଛାକୁ ଅଣ୍ଟାରେ ଭିଡ଼ିଦେଇ ଲଢ଼େଇ ପାଇଁ ତିଆର ହୋଇ କହିଲା, ତମେ ଆସିବ କି ନାହିଁ ତମେ ଜାଣ, କିନ୍ତୁ ମୋ ମନ ଯେତେବେଳେ ହବ ମୁଁ ଯିବି ।

 

‘ଜଣାପଡ଼ୁଛି, ହାତଗୋଡ଼ ଭାଙ୍ଗିଗଲେ ଯାଇ ଯିବ ।’

 

‘କିଏ ଜାଣେ କା ହାତଗୋଡ଼ ଆଗ ଭାଙ୍ଗିବ ?’

 

‘କ’ଣ ତାହାହେଲେ ଯିବ ନାହିଁ ?’

 

‘ନାହିଁ ।’

 

ପୁରୁଷ ହାତ ମୁଠାକରି ଗୋବରା ଆଡ଼କୁ ମୁହାଁଇ ଆସିଲା । ସ୍ତ୍ରୀଲୋକଟି ତା ଲୁଗାକାନିକୁ ଟାଣିଧରି ଗୋବରାକୁ ଅନେଇ କହିଲା, ତମେ ତମ ବାଟରେ ନ ଯାଇ ଏଠେଇ ଯୁଦ୍ଧ କରିବାକୁ କାହିଁକି ବସିଛ ? ଏଠେଇ କ’ଣ ରାମଲୀଳା ହେଉଛି ଦେଖୁଛ ? ଆମ ଭିତରେ ଆମେ କଳି ହେଉଛୁ, କେତେବେଳେ ସେ ମତେ ମାରୁଛି, ମୁଁ ଅବା ତାକୁ କେତେବେଳେ ଗାଳି ଦେଉଛି, ତମର ସେଥିରେ ଯାଏଆସେ କେତେ ?

 

ଗୋବରା ମାଇକିନାଠାରୁ ଗାଳି ଖାଇ ସିଧା ସିଧା ପଳାଇଲା । ମନେ ମନେ କହିଲା, ଆରେ....., ଏମିତିଆ ମାଇକିନାକୁ ପ୍ରକୃତରେ ମାଡ଼ ଦରକାର ।

 

ଗୋବରା ଆଗେଇ ଯିବାରୁ ସ୍ତ୍ରୀ ତା ପୁରୁଷକୁ ରଗଡ଼ ପକେଇ କହିଲା, ତମେ କିଆଁ ସମସ୍ତଙ୍କ ସାଙ୍ଗେ ମାଡ଼ଗୋଳ କରିବାକୁ ଆଗକୁ ବାହାରି ପଡ଼ୁଛ କି ? ସେ କେଉଁ ଖରାପ କଥାଟା କହିଲା ଯେ ତମଠେଇ ଏତେ ନାଗିଗଲା ? ମନ୍ଦ କାମ କଲେ ତ ସଂସାରଯାକ ମନ୍ଦ କହିବେ, ସେ କହିଲା ଯେ କୋଉ ଭାସିଗଲା । ହେଲେ ସେ ଭଲ ଘରର, ଜାତିପୁଅ ଘରର ଲୋକ ପରି ଜଣାପଡ଼ୁଛି । ତାକୁ ତମ ଭଉଣୀ ପାଇଁ କିଆଁ ଠିକ୍ କରୁନାହିଁ ?

 

ସ୍ଵାମୀ ସନ୍ଦେହ କଲାପରି କହିଲା, ଆଜିଯାଏ ସେ କ’ଣ ଅବାହାରୀ ଥିବ ?

 

‘ପଚାରିଲ ନାହିଁ କାହିଁକି ?’

 

ପୁରୁଷ ଲୋକଟି ଆଗକୁ ଦଶ କଦମ ଦୌଡ଼ିଯାଇଁ ଟିକିଏ ରହିଯିବା ପାଇଁ ଗୋବରାକୁ ଠାରିଲା । ଗୋବରା ଭାବିଲା ତା ମୁଣ୍ଡରେ ଭୂତ ଚଢ଼ିଲାଣି କି କ’ଣ, ସେଇଥିପାଇଁ ବୋଧହୁଏ ଡାକୁଛି । ଆପଣା ଘରେ ବିଲୁଆ ତ ବାଘ ପାଲଟିଯାଏ, ସେ ହବ ନାହିଁ କିଆଁ ? ଆଚ୍ଛା ହଉ, ଆସୁ, ଦେଖାଯାଉ ।

 

କିନ୍ତୁ ଗୋବରା ଦେଖିଲା ତା ମୁହଁରେ ଲଢ଼େଇର ଚିହ୍ନ ନଥାଇ ବରଂ ବନ୍ଧୁତାର ଚିହ୍ନ ଦେଖାଯାଉଛି । ପାଖକୁ ଆସି ନା, ଗାଁ ସବୁ ପଚାରିନେଲା । ଗୋବରା ଠିକେ ଠିକେ ସବୁ ବତାଇ ଦେଲା । ସେହି ଲୋକର ନାଁ ଥିଲା କୋଦଇ ।

 

କୋଦଇ ହସି ହସି କହିଲା, ଆମ ଦିହିଁଙ୍କ ଭିତରେ ତ ଲଢ଼େଇ ହୋଇ ଯାଇଥାନ୍ତା । କିନ୍ତୁ ତମେ ଆସିଲା ପରେ ମୁଁ ଭାବିଲି, ତମେ ଯାହା କହିଲ ଠିକ୍ କହିଛ । ମୁଁ ଆକାରଣରେ ତମ ଉପରେ ବିଗିଡ଼ିଲି । ଗାଁରେ ତମର ବିଲବାଡ଼ି ଅଛି ତ ?

 

ଗୋବରା କହିଲା–ତାଙ୍କର ନିଜ ବିଲ ହେଉଛି ଜମା ପାଞ୍ଚଗୁଣ୍ଠ, କିନ୍ତୁ ସେ ଗୋଟାଏ ହଳର ଚାଷ ଆଦରିଛନ୍ତି ।

 

‘ମୁଁ ତମକୁ ଭଲ ମନ୍ଦ ଦି’ପଦ ଗାଳିଦେଲି, କିଛି ମନରେ ଧରିବ ନାହିଁ । ରାଗ ପରମ ଚାଣ୍ଡାଳ, ରାଗରେ ମଣିଷ ଅନ୍ଧ ହୋଇଯାଏ । ମାଇକିନାଙ୍କର ସହିବା ଗୁଣ ଭାରୀ ବଡ଼ । କେତେବେଳେ କିନ୍ତୁ କ’ଣ ହୋଇଯାଏ, ବିଗିଡ଼ି ଯାନ୍ତି । ତମେ ଆଗ କହିଲ ମା’କୁ ମୁଁ କେମିତି କ’ଣ କହନ୍ତି, ପାଳିଛି ସେ,ପୋଷିଛି ସେ । ଯାହି ଗଣ୍ଡଗୋଳ ହେଲେ ମୁଁ ସ୍ତ୍ରୀକୁ କହିବି ନା ଆଉ କାହାକୁ କହିବି ? ତା’ରି ଉପରେ ସିନା ମୋର ଅଧିକାର ଅଛି । ମୁଁ ତ କିଛି ଖରାପ କଥା କହୁ ନାହିଁ । ହଁ ଚୁଟି ଘୋଷାରି ମାରିବା ଅବଶ୍ୟ ମୋର ଅନ୍ୟାୟ । ହେଲେ, ମାଇକିନିଆଙ୍କ ଉପରେ ମାଡ଼ ନ ହେଲେ ସେମାନେ କେବେ ସିଧା ହେବେ ନାହିଁ । ତମେ ଦେଖି କହିଲ, ସେ କହୁଛି ମା’ଠୁ ଅଲଗା ହୋଇଯାଏ । ଯେଉଁ ମା ଜନମ ଦେଇଛି ତାଠୁ ଅଲଗା ହେବି କେମିତି ମୁଁ ଜାଣିପାରୁ ନାହିଁ । ମାଇକିନା ଇଚ୍ଛା ହେଲେ ରହୁ, ନହିଲେ ଯାଉ ।

 

ଗୋବରା କି ନିଜର ମତାମତ ବଦଳେଇ ଦେଇ କହିଲା–ମା ସେବା କରିବା ତ ସମସ୍ତଙ୍କର ଧରମ । ମା ଋଣ ଦୁନିଆରେ ସୁଝିପାରିବ କିଏ ?

 

ତାଙ୍କ ଘରକୁ ଯିବାପାଇଁ କୋଦଇ ତାକୁ ଡାକିଲା । ଆଜି ତ କୌଣସି ମତେ ସେ ଲକ୍ଷ୍ନୌରେ ପହଞ୍ଚି ପାରିବ ନାହିଁ । କୋଶେ ଦିକୋଶ ଯାଉଁ ଯାଉଁ ସଞ୍ଜ ହୋଇଯିବ । ରାତିରେ କୋଉଠି ହେଲେ ତ ରହିବାକୁ ପଡ଼ିବ । ତେବେ ନ ଯିବ କାହିଁକି ?

 

ଗୋବରା ଥଟ୍ଟା କରି ପଚାରିଲା, ତମ ସ୍ତ୍ରୀ କ’ଣ ମଙ୍ଗିଗଲେଣି ?

 

‘ମଙ୍ଗିବ ନାହିଁ ଆଉ ଯିବ କୁଆଡ଼େ !’

 

‘ସେ ତ ମତେ ଏମିତି ରଗଡ଼ ଦେଲେ ଯେ ମୁଁ ଏକାଥରକେ ଲାଜରେ ପଳାଇ ଆସିଲି-।’

 

“ତା’ର ବି ସେଥିପାଇଁ ଭାରୀ ମନ ଖରାପ । ଚାଲ ଯିବା, ତମେ ଟିକିଏ ଆମ ମା’କୁ ସବୁ କଥା ବୁଝେଇ ଦେବ । ବୋହୂର ବାପ ଭାଇ ଉଘେଇ ଗାଳି ଦେବା ଭଲ ନୁହେ । ଆମର ତ ପୁଣି ଭଉଣୀ ଅଛି । କାଲି କି କାଲି ତାର ବାହାଘର ହେବ । ତା ଶାଶୁ ଯଦି ଆମକୁ ଗାଳିଦେବ, ଆମେ କ’ଣ ସହିବୁ ? ସବୁ ଦୋଷ ତ ସ୍ତ୍ରୀର ନୁହେଁ, ମା’ର ବି ଦୋଷ ଅଛି ? ସବୁ କଥାରେ ସେ ଆପଣା ଝିଅପକ୍ଷ ହେଲେ ଆମକୁ କ’ଣ ଖରାପ ଲାଗିବ ନାହିଁ ? ମୋ ସ୍ତ୍ରୀର ଗୋଟାଏ ଭଲ ଗୁଣ ହେଉଛି, ସେ ରୁଷିକରି ଘରୁ ବାହାରିଯିବ ପଛେ କିନ୍ତୁ ପାଟି ଫାଳକେ ଦିଫାଳ କରିବ ନାହିଁ ।”

 

ଗୋବରା ତ ରାତିରେ ଯେଉଁଠି ହେଲେ ରହିଥାନ୍ତା, ତେଣୁ କୋଦଇ ସଙ୍ଗେ ତାଙ୍କ ଘରକୁ ଗଲା । କୋଦଇ ସ୍ତ୍ରୀ ଯେଉଁଠି ବସିଥିଲା ସେଇଠିକି ପୁଣି ଦିହିଯାକ ଫେରି ଆସିଲେ । ଏତେବେଳକୁ ସେ ପୂରା ଘରଣୀ ହୋଇ ଯାଇଥିଲା । ଏଡ଼ିକି ବଡ଼ ଓଢ଼ଣା ଟାଣି ଗୋବରାକୁ ଆଡ଼ ହେଲା ।

 

କୋଦଇ ଥଟ୍ଟାକରି କହିଲା–ଇଏ ତ ଆସୁ ନଥିଲେ । କହିଲେ ଏମିତିଆ ଗାଳିଖାଇ ପୁଣି କିଏ ଯିବ ?

 

ଯୁବତୀ ଓଢ଼ଣା ଭିତରୁ ଗୋବରାକୁ ଉଣ୍ଡିଦେଇ କହିଲା–ଏତିକି ରଗଡ଼ରେ ତ ଡରିଯାଉଛନ୍ତି, ଘରଣୀ ଯେତେବେଳେ ଆସିବ, ସେତେବେଳେ ପୁଣି ଚଳିବେ କେମିତି ?

 

ଗାଁ ତ ଖୁବ୍ ପାଖରେ ଥିଲା । ଗାଁ କ’ଣ, ଛୋଟ ପଲ୍ଲୀଟିଏ । ମୋଟେ ଦଶବାରଟା ଘର ସେଥିରୁ ଅଧା ଖପରଲୀ, ଅଧା ଚାଳ । କୋଦଇ ଘରେ ପହଞ୍ଚି ଖଟ ପକେଇ, ବିଛଣା ବିଛେଇ ସର୍ବତ କରିବାକୁ ଓ ଚିଲମ ଲଗେଇବାକୁ କହିଦେଲା ।

 

କଥା ପଦକେ ତା ସ୍ତ୍ରୀ ପଣାପାଣି ଆଣି ପହଞ୍ଚିଗଲା ଏବଂ ଥଟ୍ଟାରେ ଗୋବରା ଉପରକୁ ଦି’ଚାରି ଟୋପା ପାଣି ଫିଙ୍ଗିଦେଲା, ବୋଧହୁଏ ଯେଉଁ ଗାଳି ଦେଇଥିଲା ତାକୁ ଧୋଇଦେବାକୁ । ଏବେ ପରା ଗୋବରା ତାଙ୍କର ନଣଦେଇ ହୋଇ ଯାଇଥିଲା, ସେ ଥଟ୍ଟା କରନ୍ତା ନାହିଁ, ଛାଡ଼ନ୍ତା କାହିଁକି ?

Image

 

ତ୍ରୟୋଦଶ ପରିଚ୍ଛେଦ

 

ସକାଳୁ ଉଠିଲା ମାତ୍ରେ ଗୋବରା ଯିବାକୁ ବାହାରିଲା । ରାତିରେ ସମସ୍ତେ ଜାଣି ସାରିଥିଲେ ଯେ ଆଗରୁ ତା’ର ବାହାଘର ହୋଇ ସାରିଛି । ତେଣୁ ସେ କଥା ଆଉ କେହି କିଛି ପଚାରିଲେ ନାହିଁ । କିନ୍ତୁ ତା’ର ସ୍ଵଭାବ ଚରିତ୍ର ଦେଖି ସମସ୍ତେ ଭାରି ଖୁସୀ ହୋଇଗଲେ । ମାନ ସମ୍ମାନ ରକ୍ଷାକରି କୋଦର ମା’କୁ ଗୋବରା ସବୁକଥା ଏଡ଼େ ମଧୁର ଭାବରେ ବୁଝେଇ ଦେଲା ଯେ ବୁଢ଼ା ଖାଲି ଆନନ୍ଦରେ ଆଶୀର୍ବାଦ ବର୍ଷା କରିବାକୁ ଲାଗିଲା ।

 

‘ମା ତମେ ହେଉଛ ସଂସାରେ ସବୁଠୁ ବଡ଼ । ମା’ଠୁ ପୁଅ ଜନ୍ମ ହୋଇ ଶହେ ଜନମ, ଲକ୍ଷେ ଜନମ, କୋଟି ଜନମରେ ବି ମା’ ଋଣ ସୁଝିପାରେ ନାହିଁ ।’

 

ଏକଥା ଶୁଣି ବୁଢ଼ୀ ଏତେ ଖୁସୀ ହୋଇଗଲା ଯେ ଗୋବରା ଯାହା କହିଲା ସବୁ ତାକୁ ଭଲ ଲାଗିଲା । ବଇଦ ଯଦି ରୋଗୀକୁ ଥରେ ଚେଙ୍ଗା କରିଦିଏ ତେବେ ତେଣିକି ସେ ବିଷଦେଲେ ବି ରୋଗୀ ପିଇଯାଏ । ଗୋବରା ପୁଣି କହିଲା, ଆଜି ଯେମିତି ବୋହୂ ଘରୁ ଚାଲିଗଲା, ସେଥିରେ ଅପମାନ କାହାକୁ ? ବୋହୂକୁ ଜାଣେ କିଏ ? କା ଝିଅ କା ନାତୁଣୀ ତ କେହି ଜାଣନ୍ତି ନାହିଁ । କିଏ ଜାଣେ ତା ବାପ ଏବେ ଗୋଟାଏ ମୂଲିଆ ହୋଇଥିବ ।

 

ବୁଢ଼ୀ କହିଲା, ଠିକ୍ କହିଲୁ ବାପ, ମୂଲିଆଟାଏ ତ ସେ । ସକାଳୁ ତା ମୁହଁ ଚାହିଁବ ବୋଲେ ଦିନସାରା ପାଣି ଟୋପେ ମିଳିବ ନାହିଁ ।

 

ଗୋବରା କହିଲା, ତେବେ ଏମିତିଆ ଲୋକକୁ କ’ଣ ଅପମାନ ବାଧିବ, ଅପମାନ ତ ବାଧିବ ତମକୁ, ତମରି ଲୋକଙ୍କୁ । ଯେ ବୋଲେ ସେ ପଚାରିବ ଇଏ କା ବୋହୂ ? ତା ଛଡ଼ା ପିଲାବୋହୂଟା ଅବା ଜାଣେ କ’ଣ ? ଛୋଟ ଘରର ପିଲାଟା ପୁଣି ସଙ୍ଗେ ସଙ୍ଗେ ବଡ଼ ହୋଇଯିବ କେମିତି ? ତମକୁ ତ ବୁଢ଼ା ଶୁଆକୁ ରାମ ରାମ ପଢ଼ାଇବାକୁ ହେବ । ବାଡ଼େଇଲେ ପିଟିଲେ କ’ଣ ହେବ ? କହିପୋଛି ଆଉଁସି ପାଉଁସି ଶିଖାଇଲେ ସିନା ଶିଖିବ । ଦରକାର ପଡ଼ିଲେ ରଗଡ଼ି ଦବ ପଛେ କିନ୍ତୁ ତା ସଙ୍ଗେ ବେଶୀଗୁଡ଼େ କଥାବାର୍ତ୍ତା କରିବ ନାହିଁ । ତା’ର ତ କିଛି ହେବ ନାହିଁ, ତମକୁ ଲୋକେ ଅପମାନ କରିବେ ।

 

ଗୋବରା ଯିବାକୁ ବାହାରିବାରୁ ବୁଢ଼ୀ ଗୋବରାକୁ ଖୁବ୍ ଖାଇବା ପିଇବାକୁ ଦେଲା । ଗାଁରୁ ତ ଆଉ ଲୋକେ ମଜୁରୀ କରିବା ପାଇଁ ଲକ୍ଷ୍ନୌ ଯାଇଥିଲେ, କଥାବାର୍ତ୍ତାରେ ବାଟ କଟିଗଲା । ଯାଇ ଯାଇ ଲକ୍ଷ୍ନୌ ସହର ଅମୀନାବାଦରେ ସମସ୍ତେ ପହଞ୍ଚିଗଲେ । ଗୋବରାକୁ ଟିକିଏ ଭାରୀ ଅଡ଼ୁଆ ଅଡ଼ୁଆ ଲାଗିଲା । ଭାବିଲା ସହରକୁ ଏତେ ଲୋକ ଆସିଲେ କୁଆଡ଼ୁ ? ପିମ୍ପୁଡ଼ି ମୁଣ୍ଡଲେଖା ମଣିଷ ତା ଉପରେ ତା ଉପରେ ପଡ଼ୁଛନ୍ତି ।

 

ସେଦିନ ଚଢ଼େଇ, କମାର, ବୋଝିଆ ସବୁ ମିଶି ପ୍ରାୟ ଚାରି ପାଞ୍ଚଶହରୁ କମ୍ ମୂଲିଆ ବଜାରରେ ନଥିଲେ । ଏତେ ଲୋକଙ୍କୁ ଦେଖି ଗୋବରା ବିଲକୁଲ ହତାଶ ହୋଇଗଲା । ଏତେ ଲୋକଙ୍କ ପାଇଁ କାମ ଆସିବ କେଉଁଠୁ ? ତହିଁକି, ତା ହାତରେ ଯେତେବେଳେ କୌଣସି ହତିଆର ନାହିଁ, ସେ କି କାମ ଜାଣେ ବୋଲି କିଏ କେମିତି ଜାଣିବ ଯେ ତାକୁ ରଖିବ ?

 

ଆସ୍ତେ ଆସ୍ତେ ସବୁ ଲୋକ କାମକୁ ଚାଲିଗଲେ, କେବଳ ନିକମା ବୁଢ଼ା ସବୁ ରହିଗଲେ-। ଆଜି ଗୋବରା ବି ଏଇ ବୁଢ଼ାମାନଙ୍କ ମେଳରେ ରହିଗଲା । କିନ୍ତୁ ଆଜି ଖାଇବା ପାଇଁ ହାତରେ ପଇସା ଥିବାରୁ ତାର କୌଣସି ଚିନ୍ତା ନଥିଲା ।

 

ହଠାତ୍ ମିର୍ଜା ଖୁର୍ଶିଦ ମୂଲିଆମାନଙ୍କ ପାଖକୁ ଆସି ବଡ଼ ପାଟିରେ ଡାକି କହିଲେ–ଛ’ଣାରେ କାମ କରିବା ପାଇଁ ଯେଉଁମାନଙ୍କର ରାଜି, ସେମାନେ ମୋ ସଙ୍ଗରେ ଆସ । ସମସ୍ତଙ୍କୁ ଛ’ଣା ଲେଖା ମିଳିବ, ଆଉ ପାଞ୍ଚଟାବେଳେ ଛୁଟି ମିଳିବ ।

 

ଦଶ ପାଞ୍ଚ ଜଣ ରାଜମିସ୍ତ୍ରୀଙ୍କୁ ଛାଡ଼ି ବାକି ସମସ୍ତେ ତାଙ୍କ ସଙ୍ଗରେ ଯିବାପାଇଁ ରାଜି ହୋଇଗଲେ । ଚାରିଶହ ହତଭାଗ୍ୟଙ୍କର ଏକ ବିରାଟ ବାହିନୀ ଠିଆ ହୋଇଗଲା । ଆଗରେ ମିର୍ଜା ଖୁର୍ଶିଦ, ତାଙ୍କ ପଛକୁ ମୋଟା ମୋଟା ତାଗଡ଼ା କେଇ ଜଣ, ବାକି ସବାପଛକୁ ଯେତେ ସବୁ ମଲା ଲେଙ୍ଗଡ଼ା ମେଣ୍ଢା ପରି ଧାଡ଼ି ହୋଇ ଠିଆ ହୋଇଗଲେ ।

 

ଜଣେ ବୁଢ଼ା ମିର୍ଜାଙ୍କୁ ପଚାରିଲା–ଆଜ୍ଞା, କି କାମ କରିବାକୁ ହେବ ?

 

ମିର୍ଜା ସାହେବ ଯେଉଁ କାମ ବତେଇଲେ ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ କାମ ହେଉଛି ଡ଼ୁଡ଼ୁ ଖେଳିବା । ଲୋକେ ଭାବିଲେ ଇଏତ ବଡ଼ ଅଦ୍ଭୁତ ଲୋକ, ଖାଲି ଡ଼ୁଡ଼ୁ ଖେଳିବାକୁ ଇଏ ଛ’ଣା ଲେଖା ପଇସା ମଜୁରୀ ଦେଉଛି । ଲୋକଙ୍କ ମନରେ ସନ୍ଦେହ ହେଲା-। ଇଏତ ଆଉ ପାଗଳ ନୁହେଁ ? ଘରକୁ ଡାକିନେବ, ଶେଷରେ ଯଦି କହିବ କିଛି କାମ ନାହିଁ, କିଏ ତାର କଣ କରି ପକାଇବ ? ଆରେ ବାବୁ, ଡୁଡ଼ୁ ଖେଳାଉ, ଲୁଚକାଳି ଖେଳାଉ କି ଲୁଣଉଡ଼ା ଖେଳାଉ ତା ମନ ଯାହା ହେଉଛି ତା ଖେଳାଉ, ଅସଲ ପଇସାଟା ଦେଇଦିଅନ୍ତା କି ? ଏମିତିଆ ପାଗଳ ଲୋକଙ୍କ କଥାରେ ଅବା କେଉଁ ଆଶା ଭରସା ଅଛି ?

 

ଗୋବରା ଏଥିରେ ଡରିଯାଇ କହିଲା, ଆଜ୍ଞା ମୋ ହାତରେ ପଇସା ନାହିଁ, ପଇସା କିଛି ଦିଅନ୍ତେ ବୋଲେ ମୁଁ କିଛି କିଣି ଖାଇ ନିଅନ୍ତି ।

 

ମିର୍ଜା ସାହେବ ସାଙ୍ଗେ ସାଙ୍ଗେ ତା ହାତରେ ଛ’ଣା ପଇସା ଧରାଇ ଦେଇ ଅନ୍ୟମାନଙ୍କୁ କହିଲେ, ଯାଉଁ ଯାଉଁ ବାଟରେ ତମ ପଇସା ସବୁ ମିଳିଯିବ, କିଛି ପରୁଆ କର ନାହିଁ ।

 

ମିର୍ଜା ସାହେବ ସହର ବାହାରେ କିଛି ଜମି ରଖିଥିଲେ । ଲୋକେ ଯାଇ ଦେଖିଲେ ଗୋଟେ ବଡ଼ ହତା ପଡ଼ିଛି । ତା ମଝିରେ ଗୋଟିଏ ଛୋଟ ଚାଳଛାଣି ଘର ଠିଆ ହୋଇଛି । ସେଥିରେ ଦି’ଚାରି ଖଣ୍ଡ ଟେବୁଲ୍ ଚଉକୀ ପଡ଼ିଛି, ଆଉ କେତେ ଖଣ୍ଡ ବହି ରଖା ହୋଇଛି । ନାନାପ୍ରକାରର ଲତାପତ୍ର ମାଡ଼ି କରି ଘରଟି ଭାରି ସୁନ୍ଦର ଦିଶୁଛି । ଗୋଟେ ପାଖରେ ଆମ୍ବ, ଲେମ୍ବୁ ପିଜୁଳି ଗଛ ସବୁ ଲାଗିଛି; ଆଉ ପାଖେ ଫୁଲଗଛ ସବୁ ଲାଗିଛି । ସମସ୍ତଙ୍କୁ ସେଠି ଧାଡ଼ିକରି ଠିଆ କରାଇ ମିର୍ଜାସାହେବ ଯେତେବେଳେ କାମ ବାଣ୍ଟି ଦେବାକୁ ବହାରିଲେ, ସମସ୍ତଙ୍କୁ ଠିକ୍ ମାଲୁମ୍ ହୋଇଗଲା ଯେ ସେ ପାଗଳ ଛଡ଼ା ଆଉ କିଛି ନୁହନ୍ତି । ଗୋବରା ତ ଆଗରୁ ତା ମଜୁରୀ ପାଇ ଯାଇଥିଲା । ତେଣୁ ମିର୍ଜା ସାହେବ ପହିଲେ ତାକୁ ଚାକୁଣ୍ଡା ସବୁ ଉପାଡ଼ି ଦେବାକୁ କହିଲେ । ଗୋବରା ଆଉ ଡୁଡୁ ଖେଳିବାକୁ ମିଳିବ ନାହିଁ ଦେଖି ମନ ତାର ଟିକିଏ ଖରାପ ହେଲା । ଭାବିଥିଲ, ଖେଳ ହୋଇଥିଲେ ବୁଢ଼ାଙ୍କୁ ସବୁ ଗୋଟା ଗୋଟା କରି ମାରି ଥୋଇ ଦେଇଥାନ୍ତା । ହଉ ଏବେ ଖେଳ ନ ହେଲା, କେତେ ତ ଖେଳିଛି । ପଇସା ପାଇଛି ଯେତେବେଳେ ଆଗ କାମ କରିବ-

 

ଆଜି ଯୁଗଟାଏ ପରେ ବୁଢ଼ାଙ୍କୁ ପୁଣି ଡୁ ଡୁ ଖେଳିବାକୁ ମିଳିଲା । ଅଧିକାଂଶର ମନେ ନଥିଲା । ଜୀବନରେ ସେମାନେ କେବେ ଖେଳିଛନ୍ତି କି ନାହିଁ । ଦିନଯାକ ତ ସହରରେ କାମ କରନ୍ତି, ରାତି ପାଞ୍ଚ ଘଡ଼ିକି ଘରକୁ ଫେରନ୍ତି । ରୁଖା ଶୁଖା ଯାହା ମିଳେ ଗଣ୍ଡେ ଖାଇଦେଇ ପଡ଼ି ରହନ୍ତି । ପୁଣି ତହିଁଆର ଦିନ ସକାଳୁ ସେଇ କାମ, ସେହି ଦୌଡ଼ ।

 

ଜୀବନ ସବୁବେଳେ ଶୁଖିଲା, ନା ଖୁସିବାସି ନା କେଉଁ ଆନନ୍ଦ । ଆଜି ଯେତେବେଳେ ସୁବିଧା ମିଳିଗଲା, ବୁଢ଼ା ବି ଟୋକା ହୋଇ ମାତିଲେ । ଦରମରା ବୁଢ଼ା, ଯାହାଙ୍କର ପାଟିରେ ଦାନ୍ତ ନାହିଁ କି ପେଟରେ ଅନ୍ତ ନାହିଁ, ସେ ବି ଲୁଗାପଟା ଟେକି ଜଙ୍ଘରେ ଚାପୁଡ଼ା ମାରି ଡେଇଁ ଉଠିଲେ, ସତେ ଯେମିତି ତାଙ୍କ ଶୁଖିଲା ବୁଢ଼ା ହାଡ଼ରେ ଯୌବନ କଅଁଳି ଆସିଲା । ଖେଳ ଆରମ୍ଭ ହେଉ ହେଉ ବାର ବାଜିଲା । ଶୀତଦିନ ତ, କେଉଁ ଅବା ଖରା କାଟୁଛି, ଖେଳିବା ପାଇଁ ବଢ଼ିଆ ସମୟ ।

 

ଏଣେ ହତା ଫାଟକ ଠାରେ ଠିଆହୋଇ ମିର୍ଜା ସାହେବ ଦେଖଣାହାରୀଙ୍କ ଠାରୁ ଟିକଟ ପଇସା ଅସୁଲ କରୁଥାନ୍ତି । ମଝିରେ ମଝିରେ ଏମିତିଆ ପାଗଳାମି କରିବାପାଇଁ ତାଙ୍କର ଖୁବ୍ ଝୁଙ୍କ ଉଠେ । ସେ ଧନୀଙ୍କଠୁ ପଇସା ମାରି ଗରିବଙ୍କୁ ବରାବର ବାଣ୍ଟନ୍ତି । ବହୁଦିନରୁ ସହରରେ ଏହି ଖେଳର ପ୍ରଚାରପତ୍ର ବଣ୍ଟା ହେଉଥିଲା । ସେଥିରେ ଲେଖାଥିଲା ଏମିତି ଖେଳ ସାରା ଦେଶ ଭିତରେ ଏଇ ପ୍ରଥମ, ସଂପୂର୍ଣ୍ଣ ନୂତନ । ଭାରତବର୍ଷର ବୁଢ଼ା ବି କେମିତି ଯବାନ ଟୋକା ହୋଇପାରେ ତା ଦେଖି ଆପଣା ନେତ୍ର ପବିତ୍ର କରନ୍ତୁ । ନ ଦେଖିପାରିଲେ ଅନୁତାପ କେବଳ ସାର ହେବ । ଏମିତି ସୁଯୋଗ ପୁଣି ଆଉ ମିଳିବ ନାହିଁ । ଟିକଟ ଦଶଟଙ୍କାରୁ ଆରମ୍ଭ କରି ଚାରଣା ପର୍ଯ୍ୟନ୍ତ । ତିନି ବାଜିଲାବେଳକୁ ସାରା ପଡ଼ିଆଯାକ ଲୋକଉରା । ମୋଟର ଆଉ ଘୋଡ଼ା ଗାଡ଼ିରେ ଥାନ ରହିଲା ନାହିଁ, ଦି ହଜାରରୁ ଲୋକ କମ୍ ନଥିଲେ । ବଡ଼ ବଡ଼ ଲୋକଙ୍କ ପାଇଁ ବେଞ୍ଚ ଚଉକି ଏବଂ ସାଧାରଣ ଲୋକଙ୍କ ପାଇଁ ସଫାସୁତୁରା ଭୂଇଁ, ଯାହାକୁ ଯେତେ ।

 

ମିସ୍ ମାଳତୀ, ମେହେତା, ଖନ୍ନା ଓକିଲ ଏବଂ ରାୟସାହେବ ସମସ୍ତେ ଆସି ହାଜର ।

 

ଖେଳ ଆରମ୍ଭ ହେଲାମାତ୍ରେ ମିର୍ଜା ସାହେବ ମେହେତାଙ୍କୁ କହିଲେ, ଆସନ୍ତୁ ଡାକ୍ତର ସାହେବ ଆପଣ ଆଉ ମୁଁ ଗୋଟେ ଗୋଟେ ପଟରେ ଛିଡ଼ା ହୋଇଯିବା । ମିସ୍ ମାଳତୀ କହିଲେ–ଦାର୍ଶନିକ କେବଳ ଦାର୍ଶନିକଙ୍କ ସହିତ ଯୋଡ଼ ହୋଇପାରନ୍ତି ।

 

ମିର୍ଜା ସାହେବ ନିଶରେ ହାତ ପକାଇ କହିଲେ, ଆପଣ କ’ଣ ଭାବୁଛନ୍ତି ମୁଁ ଦାର୍ଶନିକ ନୁହେଁ ବୋଲି ? ହଁ, ମୋ ପଛରେ ଡିଗ୍ରୀ ଲାଞ୍ଜଟା ନାହିଁ; ନହିଲେ ମୁଁ ବି ଦାର୍ଶନିକ । ମେହେତାଜୀ ମୋତେ ପରୀକ୍ଷା କରି ପାରନ୍ତି ।

 

ମାଳତୀ ପଚାରିଲେ, ଆଚ୍ଛା ଆପଣ କହନ୍ତୁ ତ, ଆପଣ ଆଦର୍ଶବାଦୀ ନା ବସ୍ତୁବାଦୀ ?

 

‘ମୁଁ ଦିଜାତି ।’

 

‘ଦିଜାତି ପୁଣି କେମିତି ?’

 

‘ସେମିତି, ଯେତେବେଳେ ଯେଉଁପଟ ଦେଖେ, ସେହି ପ୍ରକାର ହୋଇଯାଏ ।’

 

‘ତା ହେଲେ ଆପଣଙ୍କର କୌଣସି କଥା ଠିକ୍ ନାହିଁ ?

 

ଯେଉଁ କଥା ଆଜି ଯାଏ ବି ଠିକ୍ ହୋଇ ନାହିଁ, କିମ୍ବା ହବାର ସମ୍ଭାବନା ନାହିଁ, ତାକୁ ଠିକ୍ କରିବାକୁ ମୁଁ କିଏ ? ଲୋକେ ଆଖି ଫୁଟେଇ ବହି ଘୋଷି ଘୋଷି ଯେଉଁ କଥା କହନ୍ତି, ମୁଁ କିଛି ନ ପଢ଼ିକରି ବି ସେଇକଥା କୁହେଁ । ଆପଣ କହି ପାରିବେ କି କେବଳ ଯୁକ୍ତିତର୍କ କରିବା ଛଡ଼ା କେଉଁ ଦାର୍ଶନିକ ଆଉ କେଉଁଠି କଣ କରିପାରିଛନ୍ତି ?

 

ଡାକ୍ତର ମେହେତା ଅଚକନର ବୋତାମ ଫିଟାଉ ଫିଟାଉ କହିଲେ, ଚାଲନ୍ତୁ ଆପଣଙ୍କର ମୋର ଯୋଡ଼ ହୋଇଯିବା, ଆଉ କିଏ ମାନନ୍ତୁ ବା ନ ମାନନ୍ତୁ, ମୁଁ ଆପଣଙ୍କୁ ଦାର୍ଶନିକ ବୋଲି ନିଶ୍ଚୟ ମାନୁଛି ।

 

ମିର୍ଜା ସାହେବ ଖାନ୍ନାଙ୍କୁ ପଚାରିଲେ, ଆପଣଙ୍କ ପାଇଁ ଗୋଟାଏ ଯୋଡ଼ ଠିକ୍ କରିବି କି-?

 

ଖନ୍ନା ସାହେବ ଚମକି ପଡ଼ି କହିଲେ, ନାଇଁ ଆଜ୍ଞା, ମୋତେ କ୍ଷମା କରନ୍ତୁ ।

 

ପୁଣି ମିର୍ଜା ସାହେବ ରାୟ ସାହେବଙ୍କୁ ପଚାରିଲେ, ଆପଣଙ୍କ ପାଇଁ ?

 

ରାୟ ସାହେବ କହିଲେ, ମୋର ଯୋଡ଼ି ତ ହେଉଛନ୍ତି ଓଁକାରନାଥ, ସେ ତ କାହିଁ ଆଜି ଏଠି ଦିଶୁ ନାହାନ୍ତି ।

 

ମିର୍ଜା ଆଉ ମେହେତା ଦିହେଁ ଜଙ୍ଘିଆ ଖଣ୍ଡେ ଲେଖା ପିନ୍ଧି ପଡ଼ିଆ ଭିତରକୁ ଡେଇଁପଡ଼ିଲେ । ଜଣେ ଏପଟ, ଜଣେ ସେପଟ, ଖେଳ ଏଥର ଆରମ୍ଭ ହୋଇଗଲା ।

 

ଦେଖଣାହାରୀ ସବୁ ବୁଢ଼ା ଖେଳାଳୀଙ୍କୁ ଦେଖି ଖୁବ୍ ହସୁଥାନ୍ତି, ତାଳି ବି ମାରୁଥାନ୍ତି, ଗାଳି ଦେଉଥାନ୍ତି, ପାଟି କରୁଥାନ୍ତି, ଆପଣା ଆପଣା ଭିତରେ ବାଜି ବି ମାରୁଥାନ୍ତି । ବାଃରେ ! ଏଇ ବୁଢ଼ା ବାବାକୁ ଦେଖିଲଣି ! କେମିତି ଆଡ଼ାରେ ଯାଉଛି, ସତେ ଯେମିତି ସମସ୍ତଙ୍କୁ ମାରିଦେଇ ଚାଲି ଆସିବ । ପୁଣି ଆର ପାଖରୁ ତା ବଡ଼ଭାଇ ବାହାରିଲାଣି । ଦିହିଙ୍କି ଦିହେଁ କେମିତି ପଇଁତରା ମାରୁଛନ୍ତି । ଦି ବୁଢ଼ାଙ୍କ ହାଡ଼ରେ ଖୁବ୍ ବଳ ଅଛି । ପ୍ରକୃତରେ ଏମାନେ ତାଙ୍କ ଅମଳରେ ଯେତେ ଘିଅ ପିଇଛନ୍ତି, ଆମକୁ କାହିଁ ମିଳୁଛି ? ଲୋକେ କହୁଛନ୍ତି ଭାରତର ସମ୍ପତ୍ତି ବଢ଼ୁଛି । ହେଲେ ହୋଇଥିବ ଅବା । କିନ୍ତୁ ଆମେ ତ ଦେଖୁଛେ ସେ କାଳର ବୁଢ଼ା ସବୁ ଯେମିତିଆ, ସେମିତି ଲୋକ ଏ ଯୁଗର ଉତୁରିବା ମହାନ ମୁସ୍କିଲ । ଏତିକି ବେଳକୁ ଏ ପାଖରେ ଜଣେ ବୁଢ଼ା ସେ ପାଖର ଜଣେ ବୁଢ଼ାକୁ ଧରି ପକାଇଲା । ବିଚରା ଯିବାପାଇଁ ଯେତେ ଚେଷ୍ଟା କଲା, ତା ହାବୁଡ଼ରୁ ଖସିପାରିଲା ନାହିଁ । ଜଣକୁ ତିନିଜଣ ଜାବୁଡ଼ି ଧରିଲେ । ଦୁଇ ଦଳଙ୍କ ଭିତରେ ଧରପଗଡ଼, ନାଚକୁଦ ଲୋକମାନେ ଖୁବ୍ ଆନନ୍ଦରେ ଦେଖୁଥିଲେ, କେତେବେଳେ କେଉଁଠି ଖେଳାଳୀଙ୍କ ଭିତରେ ଅନ୍ୟାୟ ହୋଇଗଲେ ଲୋକେ ରଡ଼ି ପକାଉଥିଲେ–ଛାଡ଼ି ଦିଅ, ଛାଡ଼ି ଦିଅ । ଆଉ କେତେ ଲୋକ ସମ୍ଭାଳି ନପାରି ଖେଳାଳୀଙ୍କ ପାଖକୁ ଦୌଡ଼ି ଯାଉଥିଲେ, କିନ୍ତୁ ଯେଉଁ ବଡ଼ଲୋକେ, ସବୁ ସାମିଆନା ତଳେ ଚଉକୀ ବେଞ୍ଚ ଉପରେ ବସିଥିଲେ, ସେମାନେ ଏ ଖେଳକୁ ସେତେ ବେଶୀ ମନ ନ ଦେଇ ବଡ଼ ବଡ଼ କଥାରେ ମାତିଥିଲେ ।

 

ଖନ୍ନା ସାହେବ ଜିଞ୍ଜର ଗ୍ଲାସ୍ ସଫା କରିଦେଇ ସିଗାରେଟ୍ ଲଗାଇ ରାୟ ସାହେବଙ୍କୁ କହିଲେ–ମୁଁ ତ ଆପଣଙ୍କୁ କହିଦେଇଛି ୟା’ଠୁ କମ ସୁଧରେ ବ୍ୟାଙ୍କ ରାଜି ହେବ ନାହିଁ । ଏ କମ୍ ସୁଧ ଆପଣଙ୍କ ପାଇଁ କେବଳ ମୁଁ କରିଦେଇଛି । କାରଣ ଆପଣଙ୍କ କଥା ହେଉଛି ଆମ ଘରକଥା ।

 

ରାୟ ସାହେବ ମୁରୁକି ହସା ଦେଇ କହିଲେ–ଆପଣଙ୍କର ନୀତି ହେଉଛି ଘରଲୋକଙ୍କୁ ଓଲଟି ଛୁରୀ ମାରିବା ।

 

‘ଆପଣ ଏମିତି କଥା କାହିଁକି କହୁଛନ୍ତି ?’

 

‘ମୁଁ ଠିକ୍ କଥା କହୁଛି । ଆପଣ ସୂର୍ଯ୍ୟପ୍ରତାପସିଂହଙ୍କ ଠାରୁ ଶତକଡ଼ା ସାତଟଙ୍କା ନେଉଛନ୍ତି, ମୋଠୁ ନ’ଟଙ୍କା ନେଉଛନ୍ତି–ସେଥିରେ ପୁଣି କହୁଛନ୍ତି ଇଏ ଘରକଥା ।’

 

‘ଶତକଡ଼ା ନଅଟଙ୍କା ଦେବା ଅପେକ୍ଷା ବରଂ ମୋ ଜାଗାବାଡ଼ି କିଛି ମୁଁ ଦେଇଦେବାକୁ ଚାହେଁ । କେତେ ଜାଗା ତ ଏମିତି ଫାଲତୁ ପଡ଼ିଛି, ଆପଣ ମୋର ଯାକସନ୍ ରୋଡ଼ କୋଠି କଥା ବୁଝନ୍ତୁ, କମିଶନର ସାହେବ କିଣି ନେବେ ।’

 

‘ସେ କୋଠି ବିକ୍ରୀ ହେବା ଭାରି ମସ୍କିଲ । ଆପଣ ତ ଜାଣନ୍ତି ବସ୍ତିରୁ ସେଟା କେତେ ଦୂର ! ତଥାପି ମୁଁ ଚେଷ୍ଟା କରିବି । ସେ ଘରର ଦାମ କେତେ ଟଙ୍କା ଆପଣ ଭାବୁଛନ୍ତି ?’

 

ରାୟସାହେବ କହିଲେ, ଏକ ଲକ୍ଷ ପଚିଶ ହଜାର । କୋଠି ଛଡ଼ା ପନ୍ଦର ବିଘା ଜମି ତ ତା ସାଙ୍ଗରେ ଅଛି ।

 

ଖନ୍ନା ସାହେବ ଏ କଥା ଶୁଣି ତାଜୁବ ହେଇ କହିଲେ–ହୁଁ, ଆପଣ ବୋଧହୁଏ ଆଜିକି ପନ୍ଦର ବର୍ଷ ତଳର ସପନ ଦେଖୁଛନ୍ତି । ଆପଣ ବୋଧେ ଜାଣନ୍ତି ନାହିଁ ଜମିବାଡ଼ି ଦାମ୍ ଏବେ ଶତକଡ଼ା ପଚାଶ ଟଙ୍କା କମି ଗଲାଣି ।

 

ରାୟ ସାହେବ ଟିକେ ବିଗିଡ଼ି ଯାଇ କହିଲେ–ନାହିଁ ଆଜ୍ଞା, ପନ୍ଦର ବର୍ଷ ତଳେ ୟା ଦାମ୍ ଥିଲା ଦେଢ଼ ଲକ୍ଷ ।

 

‘ଆଚ୍ଛା ତା ହେଲେ ମୁଁ ଲୋକ ଖୋଜିବି, ଆପଣଙ୍କ ପକ୍ଷରୁ ମତେ ଶତକଡ଼ା ପାଞ୍ଚଟଙ୍କା ମିଳିବା ଚାହି ।’

 

‘ଆଉ ଲୋକଙ୍କଠାରୁ ଆପଣ ବୋଧେ ଦଶଟଙ୍କା କରି ନେଉଥିବେ । ଏତେ ଟଙ୍କା ନେଇ କରିବେ କଣ ?’‘

 

ଆଚ୍ଛା, ଆପଣଙ୍କର ଯାହା ଇଚ୍ଛା ଦେବେ । ଆପଣ ତ ଆଜିଯାଏ ଚିନି କାରଖାନା ଅଂଶ କିଣିଲେ ନାହିଁ । ଆଉ ଅଳ୍ପ କେତେଟା ଅଂଶ ଅଛି, ଆପଣ ଚାହିଁଲେ ନେଇ ପାରନ୍ତି । ଜୀବନବୀମା ପଲିସି ତ ଆଜିଯାଏ ନେଲେନି । ଆପଣଙ୍କର ଗୋଟେ ଖରାପ ଅଭ୍ୟାସ ହେଉଛି, ଆପଣ ସବୁ କଥାରେ ଡେରି କରନ୍ତି । ଯେଉଁ ଲୋକେ ନିଜ ଲାଭ କଥାରେ ବି ଡେରି କରନ୍ତି, ତାଙ୍କଠୁ ଅନ୍ୟ ଲୋକେ କି ଲାଭ ଆଶା କରିବେ ? ସେଇଥିପାଇଁ କହନ୍ତି, ଧନ ସମ୍ପତ୍ତି ଲୋକଙ୍କର ବୁଦ୍ଧି ନଷ୍ଟ କରିଦିଏ । ମୋର ଯଦି ଶକ୍ତି ଥାଆନ୍ତା, ମୁଁ ଜମିଦାରଙ୍କ ହାତରୁ ସବୁ ଧନସମ୍ପତ୍ତି କାଢ଼ି ନିଅନ୍ତି ।’

 

ସେତିକିବେଳକୁ ଓକିଲ ଶ୍ୟାମବିହାରୀ ମାଳତୀଙ୍କ ଉପରକୁ ଜାଲ ଫିଙ୍ଗିବାକୁ ଚେଷ୍ଟା କରୁଥାନ୍ତି । ମାଳତୀ ସଫା ସଫା କହିଦେଲେ ଇଲେକସନରେ ପଶିବାକୁ ସେ ଚାହାନ୍ତି ନାହିଁ । କିନ୍ତୁ ଓକିଲ ବି ସହଜରେ ଛାଡ଼ିବା ଲୋକ ! ଟେବୁଲ ଉପରେ କହୁଣୀକି ଲଦିଦେଇ କହିଲେ–ଆପଣ ଏ ବିଷୟରେ ଟିକେ ବିଚାର କରନ୍ତୁ । ମୋର କହିବାର କଥା, ଏ ପ୍ରକାର ସୁବିଧା ଜୀବନରେ ଥରେ ମାତ୍ର ଆସେ । ଆପଣ ଛିଡ଼ା ହେଲେ ରାଣୀ ସାହେବା ଚନ୍ଦ୍ରାବତୀଙ୍କର ଜିତିବାର ଆଶା ଟଙ୍କାକରେ ଅପାଏ ବି ରହିବନି । ମୋର ଖାଲି ଇଚ୍ଛା କାଉନସିଲ୍‍କୁ ଏମିତିଆ ଲୋକ ଯାଆନ୍ତୁ, ଯାହାଙ୍କର ଜୀବନରେ ଅନୁଭୂତି ଅଛି ଓ ଯେଉଁମାନେ ଲୋକଙ୍କର କିଛି ସେବା କରିଛନ୍ତି । ଯେଉଁ ସ୍ତ୍ରୀଲୋକମାନେ ଜୀବନରେ ଭୋଗବିଳାସ ଛଡ଼ା ଅନ୍ୟ କିଛି ଜାଣି ନାହାନ୍ତି, ଯେଉଁମାନେ ଜନତା ଜନାର୍ଦ୍ଦନଙ୍କୁ ଆପଣା ମଟର ଗାଡ଼ିର ପେଟ୍ରୋଲ ବୋଲି ଭାବନ୍ତି, ଯାହାଙ୍କର ସବୁଠାରୁ ବଡ଼ ସେବା ହେଉଛି ଲାଟ୍ ଏବଂ ମନ୍ତ୍ରୀଙ୍କୁ ଟି ପାର୍ଟି ଦେବା, ସେମାନଙ୍କ ପାଇଁ କାଉନସିଲରେ ଜାଗା ନାହିଁ । ନୂଆ କାଉନସିଲରେ ମେମ୍ବରମାନଙ୍କୁ ବହୁତ ନୂଆ ନୂଆ ଅଧିକାର ମିଳିବ । ମୋର ଇଚ୍ଛା, ଏ ପ୍ରକାର ଅଧିକାର କେବଳ ଯୋଗ୍ୟ ଲୋକଙ୍କୁ ମିଳୁ ।

 

ମାଳତୀ କୌଣସିମତେ ତାଙ୍କ ପାଲରୁ ଖସିବା ପାଇଁ କହିଲେ–କିନ୍ତୁ ସାହେବ, ଇଲେକ୍‍ସନରେ ଖର୍ଚ୍ଚ କରିବା ପାଇଁ ମୋ ପାଖରେ ଦଶ କୋଡ଼ିଏ ହଜାର ଟଙ୍କା ନାହିଁ ? ରାଣୀ ସାହେବା ଚାହିଁଲେ ଦି’ଚାରି ଲକ୍ଷ ଟଙ୍କା ବି ଉଡ଼େଇ ଦେଇ ପାରନ୍ତି । ତା’ଛଡ଼ା ବର୍ଷକୁ ମୁଁ ତାଙ୍କ ଠାରୁ ହଜାରେ ପାଞ୍ଚଶ ପାଏ । ଇଲେକସନ ଲଢ଼ିଲେ ସେତକ ବି ହାତରୁ ଯିବ ।

 

‘ଆପଣ ଆଗ କୁହନ୍ତୁନା, ଆପଣ ଲଢ଼ିବାକୁ ଚାହାନ୍ତି କି ନା ?’

 

‘ଚାହେତ, କିନ୍ତୁ ଫ୍ରି ପାସ୍ ମିଳିଲେ ସିନା ।’

 

‘ସେ ଦାୟିତ୍ଵ ମୋର । ଆପଣଙ୍କୁ ଫ୍ରି ପାସ୍ ମିଳିଯିବ ।’

 

‘ନାଇଁ ଆଜ୍ଞା, ମତେ କ୍ଷମା କରନ୍ତୁ । ମୁଁ ସେଥିରେ ପିଶିବି ନାହିଁ । ହାରିଗଲେ ଏତେ ଅପମାନ ସମ୍ଭାଳିବ କିଏ ?’

 

‘ରାଣୀ ସାହେବ ଯେତେବେଳେ ଥଳୀ ଖୋଲି ଦେବେ ଆଉ ଗୋଟାଏ ଗୋଟାଏ ସୁନା ମୋହର ବାଣ୍ଟି ଦେବେ; ସେତେବେଳେ ଆପଣ ବୋଧହୁଏ ରାଣୀଙ୍କ ବାକସରେ ଭୋଟ୍ ଦେବେ ।’

 

‘ଆପଣ ବୋଧେ ଭାବୁଛନ୍ତି ଖାଲି ଟଙ୍କା ପଇସାରେ ଇଲେକସନ ଜିତା ହୁଏ ।’

 

‘ନାଇଁ, ସେ କଥା ନୁହେଁ ଯେ, ଛିଡ଼ା ହେବା ଲୋକର ବି ମହତ ଥିବା ଦରକାର । ଥରେ ଜେଲ୍ ଯିବା ଛଡ଼ା ମୁଁ ଅବା ଆଉ କି ସେବା କରିଛି ? ସତ କହିବାକୁ ଗଲେ ମୋ ସ୍ୱାର୍ଥ ଦୃଷ୍ଟିରୁ ମୁଁ ଜେଲ୍ ଯାଇଥିଲି, ଯେମିତି ଖନ୍ନା ସାହେବ ଓ ରାୟସାହେବ ବି ଯାଇଥିଲେ । ଆଜିକାଲିକା ସଭ୍ୟତାରେ ଧନ ହେଉଛି ଅସଲ । ତା’ ଆଗରେ ବିଦ୍ୟା, ବୁଦ୍ଧି କିମ୍ଵା ସେବା କିଛି ନୁହେଁ । ହଁ, ଇତିହାସରେ ଏମିତି ଘଟଣା ଅଛି, ଯେଉଁଠି ସେବା ଆଗରେ ଧନର କିଛି ମୂଲ୍ୟ ନାହିଁ କିନ୍ତୁ ସେସବୁ କ୍ୱଚିତ୍ । ମୋ ନିଜକଥା ନ ହେଲା କିଆଁ । ଡାକ୍ତରଖାନାକୁ ଗରିବ ମାଇପେ ଆସି ଘଣ୍ଟା ଘଣ୍ଟା ଛିଡ଼ା ହୁଅନ୍ତି; କଥା କହିବା ତ ଦୂରର କଥା ତାଙ୍କୁ ଆମେ ଅନାଉ ବି ନାହିଁ । କିନ୍ତୁ କୌଣସି ବଡ଼ଲୋକଙ୍କ ସ୍ତ୍ରୀ ମଟରରେ ଆସି ପହଞ୍ଚିଗଲେ ଆମେ ତାଙ୍କୁ ପାଛୋଟି ଆଣିବାପାଇଁ ଆସନ ଛାଡ଼ି ଦୁଆର ପର୍ଯ୍ୟନ୍ତ ଚାଲିଯାଉ, ଆଉ ତାଙ୍କର ଏମିତି ସେବା କରୁ ସତେ ଯେମିତି ସେ କେଉଁ ଦେବତା ! ରାଣୀ ସାହେବାଙ୍କ ସାଙ୍ଗରେ ମୁଁ କେଉଁଠି ସରି ହେଇ ପାରିବି ? ବର୍ତ୍ତମାନ ଯେମିତି କାଉନସିଲ ଗଢ଼ା ହେବାକୁ ଯାଉଛି ସେଥିପାଇଁ ରାଣୀ ସାହେବା ମୋ ଅପେକ୍ଷା ବେଶୀ ଉପଯୁକ୍ତ ।’

 

ତେଣେ ପଡ଼ିଆ ଭିତରେ ମେହେତାଙ୍କ ଦଳ ଦୁର୍ବଳ ହୋଇ ଯାଉଥିଲେ । ତାଙ୍କ ଖେଳାଳୀରୁ ଅଧା ମାରି ଯାଇଥିଲେ । ମେହେତା କେବେ ଡୁ ଡ଼ୁ ଖେଳନ୍ତି ନାହିଁ କିନ୍ତୁ ମିର୍ଜା ସାହେବ ସେଥିରେ ଓସ୍ତାଦ । ମେହେତାଙ୍କୁ ଡ୍ରାମା କାମ ଭଲ ଆସେ, ସେଥିରେ ସେ ଆଚ୍ଛା ଆଚ୍ଛା ଲୋକଙ୍କୁ ପରାସ୍ତ କରି ଦିଅନ୍ତି । କିନ୍ତୁ ମିର୍ଜା ସାହେବଙ୍କର ଅସଲ କାମ ହେଉଛି ପହିଲିବାନ୍ ଆଖଡ଼ାରେ । ତାଙ୍କର ପହିଲିବାନଙ୍କଠି ଯେମିତି ପରୀମାନଙ୍କଠି ବି ସେମିତି ମନ ।

 

ବର୍ତ୍ତମାନ ଖେଳ ଦେଖିବାରେ ମାଳତୀଙ୍କର ମନ ଲାଗିଥିଲା । ସେ ଉଠିପଡ଼ି ରାୟସାହେବଙ୍କୁ କହିଲେ–‘ମେହେତାଙ୍କ ଦଳ ତ ବିଲକୁଲ୍ ହାରି ଯାଉଛନ୍ତି ।’

 

ସେତେବେଳକୁ ଖନ୍ନା ଏବଂ ରାୟସାହେବଙ୍କ ମଧ୍ୟରେ ଇନସୁରାନସ କଥା ଜୋରସୋରରେ ଚାଲିଥିଲା । ରାୟସାହେବ ବିତିବିତା ହୋଇ ବୋଧହୁଏ ସେ କଥାବାର୍ତ୍ତାରୁ ମୁକ୍ତି ଚାହୁଥିଲେ । ମାଳତୀଙ୍କ ପ୍ରଶ୍ନ ଶୁଣି କହିଲେ ହଁ, ହାରି ତ ଯାଉଛନ୍ତି, ମିର୍ଜା ସାହେବ୍ ହେଉଛନ୍ତି ଅସଲ ଖେଳାଳି ।

 

‘ମେହେତାଙ୍କ ମୁଣ୍ଡରେ ଏ ପାଗଳାମି କାହିଁକି ପଶିଲା କେଜାଣି, ଖାଲି ନିଜର ଅପମାନ କରାଇବା କଥା ।’

 

‘ଅପମାନ କଣ, ଗୋଟାଏ ମଜା ପାଇଁ ଏମିତି କରୁଛନ୍ତି ନା ।’

 

‘ମେହେତାଙ୍କ ଦଳରୁ କେହି ବାହାରିବା ମାତ୍ରେ ମରିଯାଉଛି ।’

 

‘ଟିକିଏ ପରେ ସେ ପଚାରିଲେ କଣ ଏ ଖେଳରେ ହାଫ୍‍ଟାଇମ୍ ହୁଏ ନାହିଁ ?’

 

ଖନ୍ନା ଟିକିଏ ଚିଡ଼େଇ କରି କହିଲେ ଆପଣ ପୁଣି ବାହାରୁଥିଲେ ମିର୍ଜା ସଙ୍ଗରେ ଯୋଡ଼ି ହେବା ପାଇଁ କଣ ଭାବିଥିଲି କି ? ଇଏ ବି ଫିଲିସଫି ଯେ ।

 

‘ମୁଁ ତ ଆପଣଙ୍କୁ ପଚାରୁ ନାହିଁ, ରାୟସାହେବଙ୍କୁ ପଚାରୁଛି ।’

 

ରାୟସାହେବ୍ କହିଲେ ଏ ଖେଳରେ କି ହାଫ୍ ଟାଇମ୍ ? ଏଥିରେ ତ କେବଳ ଜଣେ ଜଣକ ସାମନାରେ ଆସିବା କଥା ।

 

‘ଆଚ୍ଛା, ମେହେତାଙ୍କର ଆହୁରି ପୁଣି ଜଣେ ମଲାଣି ।’

 

ଖନ୍ନା କହିଲେ–ଆପଣ ଠିକ୍ କରି ଦେଖୁଥାନ୍ତୁ । ଆସ୍ତେ ଆସ୍ତେ ତାଙ୍କର ସବୁ ମରିଯିବେ-। ଶେଷକୁ ମେହେତା ସାହେବ ବି ନିଜେ ମରିଯିବେ ।

 

ମାଳତୀ ନିଆଁ ହୋଇଯାଇ କହିଲେ–ହଁ, ଆପଣଙ୍କର ପଦାକୁ ବାହାରିବାକୁ ସାହସ ହେଲା ନାହିଁ, ଆଉ ତାଙ୍କ କଥା କହୁଛନ୍ତି କଣ ?

 

‘ମୁଁ ଏ ମଫସଲିଆ ଖେଳଗୁଡ଼ା ଖେଳ ନାହିଁ, ମୋ ପାଇଁ ହେଉଛି ଟେନିସ୍‍ ।

 

‘ଟେନିସରେ ତ ମୁଁ ଆପଣଙ୍କୁ ଶହେ ଗଣ୍ଡା ଗେମ୍ ଦେଇସାରିଛି ।’

 

‘ଆପଣଙ୍କ ପାଖରେ ଜିତିବା କଥା କେବେ ମୁଁ କହିଲିଣି ?’

 

‘ଯଦି କେବେ କହନ୍ତି, ତେବେ ସେଥିପାଇଁ ମୁଁ ତିଆର ।’

 

ମାଳତୀ ତାଙ୍କୁ ଆଚ୍ଛା କରି ଖୁବ୍ ଦି’ପଦ ବତେଇ ଦେଇ ଆସି ଆପଣା ଜାଗାରେ ବସିଲେ । ଭାବିଲେ ମେହେତାଙ୍କ ପ୍ରତି କାହାରି ସହାନୁଭୂତି ନାହିଁ, କେହି ବି କହୁନାହିଁ ଯେ ଏତିକିରେ ଖେଳ ବନ୍ଦ ହଉ । ମେହେତା ବି ସେମିତି ବୋକା । କିଛି ଗେନ୍ଧୁରି ନ କରି କାହିଁକି ଖେଳୁଚନ୍ତି କେଜାଣି । ନିଜର ନ୍ୟାୟୀପଣିଆ ଦେଖାଇ ହେଉଛନ୍ତି, କିନ୍ତୁ ଯେତେବେଳେ ହାରିକରି ଫେରିବେ ସେତେବେଳେ ଲୋକେ ଠୋ ଠୋ ତାଳି ମାରିବେ । ତାଙ୍କ ପଟରେ ଆହୁରି କୋଡ଼ିଏ ଲୋକ ଅଛନ୍ତି, ତେବେ ବି ଲୋକେ କେତେ ତାଳି ମାରୁଛନ୍ତି ।

 

ଖେଳ ଯେତିକି ସରିଆସୁଥିଲା ଲୋକମାନେ ସେତିକି ଖେଳପାଲି ପାଖକୁ ମାଡ଼ି ଆସୁଥିଲେ । ଖେଳ ଚାରିପାଖେ ଯେଉଁ ଦଉଡ଼ି ଘେର ଦିଆ ଯାଇଥିଲା ଲୋକେ ତାକୁ ଛିଣ୍ଡାଇ ଦେଲେ । ସ୍ଵେଚ୍ଛାସେବକଙ୍କ କଥା ନ ମାନି ଉନ୍ମତ୍ତ ଜନତା ଖେଳପାଖକୁ ମାଡ଼ି ଆସିଲେ । ଦେଖୁ ଦେଖୁ ମେହେତାଙ୍କର ସବୁ ଖେଳାଳି ମରିଗଲେ କେବଳ ତାଙ୍କୁ ଏକା ହାଫ୍ ଦେବାକୁ ପଡ଼ିଲା । ଯଦି ସେ ବଞ୍ଚି କରି ତାଙ୍କ ପଟକୁ ଫେରି ଯାଆନ୍ତି ତେବେ ତାଙ୍କର ପୂରା ଜିତାପଟ ହୋଇଯିବ, ନାହିଁ ଯଦି ହାରିଯାନ୍ତି ତା’ ହେଲେ ତ ସବୁ ଅପମାନ ତାଙ୍କରି ମୁଣ୍ଡରେ ଯିବ । ସେ ଆର ଦଳର ଯେତେ ଲୋକଙ୍କୁ ଛୁଇଁ ଦେଇ ପଳାଇ ଆସିପାରିବେ ସେ ଦଳର ସେତିକି ଲୋକ ମରିଯିବେ ଏବଂ ତାଙ୍କ ଦଳର ସେତିକି ଲୋକ ଜିଇ ଉଠିବେ । ବର୍ତ୍ତମାନ ସବୁ ଲୋକଙ୍କ ଆଖି ମେହେତାଙ୍କ ଉପରେ-। ସମସ୍ତେ ଆସି ପାଲିକୁ ଘେରି ଅନ୍ଧାର କରି ପକାଇଲେ । ମେହେତା ଖେଳ ଦେବାକୁ ବାହାରିଲେ-। ମେହେତା କେଡ଼େ ଧିର ସ୍ଥିର ହୋଇ ଖେଳ ଦେବାକୁ ଯାଉଥିଲେ, ଲୋକେ ତନ୍ମୟ ହୋଇ ଦେଖୁଥିଲେ । ଅନେଇଁ ଅନେଇଁକା ବେକ ରକା ହୋଇଯାଉଥିଲା ଯେ କିଏ ଆଗକୁ ପେଲି ଯାଉଥିଲା । ବାତାବରଣ ସରଗରମ ହୋଇଗଲା, ବର୍ତ୍ତମାନ ପାରା ଜଳିବା ପଏଣ୍ଟ ଉପରକୁ ଆସି ପହଞ୍ଚିଗଲା । ମେହେତା ଯେମିତି ଶତ୍ରୁ ଦଳରେ ପଶିଛନ୍ତି ସବୁ ପଛକୁ ହଟିଗଲେ । ଦଳ ତାଙ୍କର ଏତେ ଟାଣୁଆ ଯେ କେହି ହେଲେ ଜଣେ ମେହେତାଙ୍କ ହାତରେ ପଡ଼ିଲେ ନାହିଁ । କେତେ ଲୋକ ତ ଭାବିଥିଲେ ମେହେତା ଯେମିତି ହେଲେ ଦଶ ପାଞ୍ଚ ଜଣକୁ ବଞ୍ଚାଇ ନେବେ, କିନ୍ତୁ ହେଲା ନାହିଁ-

 

ହଠାତ୍ ମିର୍ଜା ଏକ କୁଦା ମାରି ମେହେତାଙ୍କ ଅଣ୍ଟାକୁ ଧରିପକାଇଲେ । ମେହେତା ତାଙ୍କୁ ଘୋଷାରି ଘୋଷାରି ପାହି ପାଖକୁ ନେଇଯିବାକୁ ଚେଷ୍ଟା କଲେ । ଏମିତି ଘୋ ଘା ହେଲା ଯେ କିଏ ଖେଳାଳି କିଏ ଦେଖଣାହାରି ଜାଣିବା ମୁସ୍କିଲ ହେଲା । ସବୁ ଗଡ଼ବଡ଼ ହୋଇଗଲା । ମେହେତା ଆଉ ମିର୍ଜାଙ୍କ ଭିତରେ ଜାଣି ମାଲ ଯୁଦ୍ଧ ଚାଲିଲା । ମିର୍ଜାଙ୍କର ଆଉ କେଇ ଜଣ ବୁଢ଼ା ଖେଳାଳି ବି ମେହେତାଙ୍କୁ ଧରି ନେଲେ । ମେହେତା ମାଟି କାମୁଡ଼ି ଭୂଇଁରେ ପଡ଼ି ରହିଲେ । ଯଦି ସେ କୌଣସି ମତେ ଆଉ ଦି ହାତ ଯାଇ ପାହି ଛୁଇଁ ଦିଅନ୍ତେ, ତେବେ ତାଙ୍କର ପଚାଶ ଖେଳାଳି ଜିଇଯାନ୍ତେ । ମାତ୍ର ଯେତେ ଉପାୟ କଲେ ବି ଇଞ୍ଚେ ଘୁଞ୍ଚି ପାରିଲେ ନାହିଁ । ମିର୍ଜା ତାଙ୍କ ବେକ ଉପରେ ଚଢ଼ି ବସିଲେ । ମେହେତାଙ୍କ ମୁହଁ ଲାଲ୍ ପଡ଼ିଗଲା । ଆଖି ବାହାରି ପଡ଼ିଲା, ଝାଳ ଗମଗମ୍ ବହିଗଲା । ମିର୍ଜା ତାଙ୍କର ବିରାଟ ଶରୀର ନେଇ ତାଙ୍କ ଉପରେ ବସି ରହିଲେ ।

 

ମାଳତୀ ପାଖକୁ ଯାଇ ଉତ୍ତେଜିତ ହୋଇ କହିଲେ–ମିର୍ଜା ସାହେବ, ଏ ଖେଳ ନ୍ୟାୟ ହେଲା ନାହିଁ, ପୁଣି ଆଉ ଦିନକୁ ରହିଲା ।

 

ମିର୍ଜା ସାହେବ ମେହେତାଙ୍କ ବେକକୁ ଆଉ ଥରେ ମାଡ଼ି ଦେଇ କହିଲେ–ପାଟି ନ ଫିଟାଇଲାଯାକ ମୁଁ କେବେହେଲେ ଛାଡ଼ିବି ନାହିଁ । ପାଟି ଫିଟାଉ ନାହଁ କାହିଁକି ?

 

ମାଳତୀ ଆହୁରି ଆଗେଇ ଯାଇ କହିଲେ–ପାଟି ଫିଟେଇବା ପାଇଁ ତ ଆପଣ ଏତେ ଜବରଦସ୍ତି କରିପାରିବେ ନାହିଁ ।

 

ମିର୍ଜା ସାହେବ ମେହେତାଙ୍କ ପିଠିକୁ ଦାବିଦେଇ କହିଲେ–ନିଶ୍ଚୟ ଜବରଦସ୍ତି କରିବି । ଆପଣ ତାଙ୍କୁ କହି ଦିଅନ୍ତୁ ପାଟି ଫିଟାଇବା ପାଇଁ ମୁଁ ସାଙ୍ଗେ ସାଙ୍ଗେ ଉଠି ଚାଲିଯିବି ।

 

ମେହେତା ପୁଣି ଥରେ ଉଠିବା ପାଇଁ ଚେଷ୍ଟା କଲେ, କିନ୍ତୁ ମିର୍ଜା ସାହେବ ପୁଣି ତାଙ୍କ ବେକ ମାଡ଼ି ଧଇଲେ ।

 

ମାଳତୀ ତାଙ୍କୁ ଘୋଷାରି ନେବାକୁ ଚେଷ୍ଟା କରି କହିଲେ–ଏଗୁଡ଼ା ତ ଖେଳ ନୁହେଁ, ଶତ୍ରୁତା ।

 

‘ହଁ ନିଶ୍ଚୟ ଶତ୍ରୁତା ।’

 

‘କ’ଣ ଆପଣ ଛାଡ଼ିବେ ନାହିଁ ?’

 

ଏତିକିବେଳକୁ ସତେ ଯେମିତି ଭୂମିକମ୍ପ ଆସିଗଲା । ମିର୍ଜା ସାହେବ ଭୂଇଁରେ ଖସିପଡ଼ିଲେ, ମେହେତା ଆପଣା ଜାଗାକୁ ଦୌଡ଼ିକରି ପଳାଇଲେ । ଲୋକେ ପାଗଳଙ୍କ ପରି ଉନ୍ମତ୍ତ ହୋଇ ଟୋପି, ପଗଡ଼ି, ବାଡ଼ି ସବୁ ଉପରକୁ ଫିଙ୍ଗିବାକୁ ଲାଗିଲେ । କେହି ବୁଝିପାରିଲେ ନାହିଁ କେମିତି ପୁଣି ତୁଳାକାଠି ବଦଳିଗଲା ।

 

ମିର୍ଜା ସାହେବ ମେହେତାଙ୍କୁ କାନ୍ଧରେ ବସାଇ ସାମିଆନା ପାଖକୁ ନେଇଆସିଲେ । ସମସ୍ତଙ୍କ ପାଟିରେ ମେହେତାଙ୍କ ଜୟ ଜୟ ଶୁଣାଗଲା । ହାରିଯିବା ଖେଳ ପୁଣି କେମିତି ଜିତିଗଲା ସମସ୍ତେ ଅବାକ୍ ହୋଇଗଲେ । ସମସ୍ତେ ମେହେତାଙ୍କ ଶକ୍ତି, ସାହସ ଓ ଧୈର୍ଯ୍ୟକୁ ବାହାବାହା କଲେ ।

 

ମଜୁରୀଆଙ୍କ ପାଇଁ କମଳା ମଗା ହୋଇଥିଲା । ସମସ୍ତଙ୍କୁ ଗୋଟାଏ ଗୋଟାଏ ଦେଇ ବିଦାୟ କରି ଦିଆଗଲା । ବାକି ବଡ଼ବଡ଼ିଆଙ୍କ ପାଇଁ ଟି ପାର୍ଟିର ବନ୍ଦୋବସ୍ତ ହୋଇଥିଲା । ମିର୍ଜା ଓ ମେହେତା ସାହେବ ଗୋଟାଏ ଟେବୁଲରେ ସମସ୍ତଙ୍କ ସାମନାରେ ବସିଲେ । ମାଳତୀ ମେହେତାଙ୍କ ପଛପଟକୁ ବସିଲେ ।

 

ମେହେତା କହିଲେ, ମୋର ଆଜି ଏକ ନୂତନ ଅନୁଭୂତି ହେଲା । ନାରୀର ଉତ୍ସାହ ପରାସ୍ତ–ପୁରୁଷକୁ ମଧ୍ୟ ବିଜୟୀ କରି ଦେଇପାରେ ।

 

ମିର୍ଜା ସାହେବ ମାଳତୀଙ୍କ ଆଡ଼କୁ ଚାହିଁ କହିଲେ, ଆଚ୍ଛା ଅସଲକଥା ଯାଇଁ ଏଠେଇ ! ନହିଲେ ତ ମୁଁ ଏପର୍ଯ୍ୟନ୍ତ ବି ଭାବୁଥିଲି ମେହେତା ହଠାତ୍ କେମିତି ଉପରକୁ ଚାଲି ଆସିଲେ ।

 

ମାଳତୀ ଲଜ୍ଜାରେ ଲାଲ ପଡ଼ିଯାଇ କହିଲେ, ମୁଁ ଆଜି ଜାଣିଲି ଆପଣ ଭାରୀ ବେକାୟିଦା ଲୋକ ।

 

‘ଦୋଷ ତାଙ୍କର ନା, ସେ କାହିଁକି ପାଟି ଫିଟେଇଲେ ନାହିଁ ।’

 

‘ଆପଣ ମୋ ଜୀବନ ନେଇ ଯାଇଥାନ୍ତେ ପଛେ ମୁଁ ପାଟି ଫିଟାଇ ନା ଥାନ୍ତି ।’

 

ବନ୍ଧୁମାନଙ୍କ ମଧ୍ୟରେ ଆଳାପ ଚାଲିଲା । ପୁଣି ଧନ୍ୟବାଦ, ନମସ୍କାର ଭିତରେ ସମସ୍ତେ ଆସ୍ତେ ଆସ୍ତେ ବିଦା ହୋଇଗଲେ । ମାଳତୀଙ୍କର ରୋଗୀ ଦେଖିବାର ଥିଲା । ସେ ବି ଚାଲିଗଲେ । କେବଳ ମେହେତା ଓ ମିର୍ଜା ପଛକୁ ରହିଗଲେ । ଦିହେଁ ଯାକ ଧୂଳିମାଟି ହୋଇ ଯାଇଥିଲେ, ତେଣୁ ତାଙ୍କର ଗାଧୋଇବାର ଥିଲା, ଗୋବରା ପାଣି କାଢ଼ି ଆଣିଲା, ଦି ବନ୍ଧୁଯାକ ଗାଧୋଇବାକୁ ବାହାରିଲେ ।

 

ମିର୍ଜା ପଚାରିଲେ, ବାହାଘର କେବେ ହେଉଛି ?

 

ମେହେତା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କାହାର ?

 

‘ଆପଣଙ୍କର ।’

 

‘ମୋ ବାହାଘର ? କାହା ସାଙ୍ଗରେ ?’

 

‘ଆରେ ବାହା, ଆପଣ ତ ଏମିତି ଚାଲ୍ ମାରୁଛନ୍ତି ! ଏଠି ଲୁଚେଇବାର କ’ଣ ଅଛି ?’

 

‘ନାହିଁ ସତ କହୁଛି, ମୋତେ ମୋଟେ କିଛି ଜଣା ନାହିଁ । କ’ଣ ମୁଁ ବାହା ହେବାକୁ ଯାଉଛି ?’

 

‘ଆଉ ଆପଣ କ’ଣ ଭାବୁଛନ୍ତି ମିସ୍ ମାଳତୀ ଖାଲି ଆପଣଙ୍କର କମରେଡ଼୍ (ସାଥୀ) ହୋଇ ସବୁଦିନେ ରହିଥିବେ, ବାହାଘର ହେବନାହିଁ ?’

 

ମେହେତା ଟିକିଏ ଗମ୍ଭୀର ହୋଇଯାଇ କହିଲେ, ଆପଣଙ୍କ ଅନୁମାନ ସଂପୂର୍ଣ୍ଣ ଭୁଲ । ମିର୍ଜା ସାହେବ, ମିସ୍ ମାଳତୀ ଖୁବ୍ ସୁହାସିନୀ, ପ୍ରସନ୍ନଚିତ୍ତ, ବୁଦ୍ଧିମତୀ, ୟା ଛଡ଼ା ତାଙ୍କର ଆହୁରି ଅନେକ ଅନେକ ଭଲଗୁଣ ବି ଅଛି କିନ୍ତୁ ଜୀବନସଙ୍ଗିନୀ ପତ୍ନୀଠାରେ ଯେଉଁ ସଦ୍‍ଗୁଣ ମୁଁ ଦେଖିବାକୁ ଚାହେ, ତାଙ୍କଠାରେ ତାହା ଆଦୌ ନାହିଁ, କିମ୍ବା କେବେ ହେବାର ସମ୍ଭାବନା ବି ନାହିଁ । ମୋର ଧାରଣା ନାରୀ ପ୍ରେମ ଓ ତ୍ୟାଗର ପ୍ରତିମୂର୍ତ୍ତି ଅଟେ । ସେ ଆପଣାର ଦୁର୍ବଳତା ପରିତ୍ୟାଗ କରି ଆତ୍ମବଳି ଦେଇ ପୁରୁଷର ଅର୍ଦ୍ଧାଙ୍ଗିନୀ ହୋଇଯାଏ । ପୁରୁଷ ହେଉଛି ଦେହ, ନାରୀ ହେଉଛି ଆତ୍ମା । ଆପଣ କହିପାରନ୍ତି, ପୁରୁଷ କାହିଁକି ନିଜେ ନିଜେ ନାରୀଠାରେ ମିଶି ନ ଯାଇ ନାରୀଠାରୁ ଏପରି ତ୍ୟାଗ ଆଶାକରେ ? ବାସ୍ତବରେ ପୁରୁଷଠାରେ ସେ ପ୍ରକାର ସାମର୍ଥ୍ୟ ନାହିଁ । ପୁରୁଷ ନିଜକୁ ମିଶାଇବାକୁ ଚେଷ୍ଟା କରେ ମିଶି ତ ପାରିବି ନାହିଁ, ବରଂ ତାର ସର୍ବନାଶ ହୋଇଯିବ । ଯେ କୌଣସି ସୋଽହଂ ତମ ଅବସ୍ଥାରେ ପହଞ୍ଚିଯାଇ ସର୍ବାତ୍ମାରେ ଲୀନ ହେବାର ସ୍ଵପ୍ନ ଦେଖିବ । ପୁରୁଷ ତେଜ–ପ୍ରଧାନ ଜୀବ, ସେ ନିଜକୁ ଜ୍ଞାନର ପ୍ରତିମା ମନେକରି ସିଧା ଭଗବାନଙ୍କଠାରେ ମିଶିଯିବାର ପ୍ରୟାସ କରେ । ନାରୀ ପୃଥିବୀ ପରି ଧୈର୍ଯ୍ୟ ଓ ଶାନ୍ତିର ପ୍ରତୀକ ଏବଂ ବିଶେଷ ଭାବରେ ସହିଷ୍ଣୁ । ପୁରୁଷଠାରେ ନାରୀଗୁଣର ଉତ୍ପତ୍ତି ହେଲେ ସେ ମହାପୁରୁଷରେ ପରିଣତ ହୁଏ । କିନ୍ତୁ ନାରୀଠାରେ ପୁରୁଷ ଗୁଣ ଦେଖାଦେଲେ ସେ କୁଳଟାରେ ପରିଣତ ହୁଏ । ଯେଉଁ ସ୍ତ୍ରୀ ସର୍ବାଂଶରେ ନାରୀଗୁଣସମ୍ପନ୍ନା ପୁରୁଷ କେବଳ ସେହିପରି ସ୍ତ୍ରୀ ପ୍ରତି ଆକୃଷ୍ଟ ହୋଇଥାଏ । ମାଳତୀ ଏପର୍ଯ୍ୟନ୍ତ ମୋତେ କେବେହେଲେ ଆକୃଷ୍ଟ କରିନାହାନ୍ତି । ମୋ ଦୃଷ୍ଟିରେ ନାରୀ ସ୍ଵରୂପ ଯାହା, ତା’ ମୁଁ କିପରି ଭାବରେ ପ୍ରକାଶ କରିବି କିଛି ଠିକ୍ କରିପାରୁ ନାହିଁ । ଦୁନିୟାରେ ଯାହା କିଛି ସତ୍ୟ–ଶିବ–ସୁନ୍ଦର, ନାରୀ ସେ ସମସ୍ତ ସମବାୟର ପ୍ରତିମୂର୍ତ୍ତି । ତାହାର ସର୍ବନାଶ କଲେ ମଧ୍ୟ ସେ କେବେହେଲେ ପ୍ରତିହିଂସାର ଆଶା ପର୍ଯ୍ୟନ୍ତ ମନରେ ରଖେ ନାହିଁ । ଯଦି ତା’ର ଚକ୍ଷୁ ସମକ୍ଷରେ ପୁରୁଷ ଅନ୍ୟ କୌଣସି ନାରୀପ୍ରତି ସ୍ନେହ ପୋଷଣ କରେ, ତେବେ ତାହାର ଈର୍ଷା ପର୍ଯ୍ୟନ୍ତ ହେବା ଉଚିତ ନୁହେଁ । ଏପରି ସ୍ତ୍ରୀ ମିଳିଲେ ମୁଁ ତା’ର ଚରଣ ତଳେ ମସ୍ତକ ରଖି ଆତ୍ମସମର୍ପଣ କରିଦେବା ପାଇଁ ସଂପୂର୍ଣ୍ଣ ରାଜି ।

 

ମିର୍ଜା ସାହେବ ମୁଣ୍ଡ ହଲେଇ କହିଲେ–ଭଗବାନ ଜାଣନ୍ତି ଏମିତି ସ୍ତ୍ରୀଲୋକ ଆପଣଙ୍କୁ ଦୁନିୟାରେ କେଉଁଠି ମିଳିବେ ।

 

ମେହେତା ମିର୍ଜାଙ୍କଠି ହାତ ମାରିଦେଇ କହିଲେ–ଏକ ନୁହେ, ହଜାର ହଜାର ବି ମିଳିବେ । କିନ୍ତୁ ଦୁନିୟା ତ ଏବେ ଦିନକୁ ଦିନ ଉଜୁଡ଼ି ଯିବାକୁ ବସିଲାଣି ।

 

‘ଏମିତିଆ ଗୋଟିଏ ସ୍ତ୍ରୀର ଉଦାହରଣ ଦେଖଇ ଦିଅନ୍ତୁ ତ !’

 

‘ଉଦାହରଣ ସ୍ଵରୂପ ଶ୍ରୀମତୀ ଖନ୍ନାଙ୍କୁ ନିଅନ୍ତୁ ।’

 

‘କିନ୍ତୁ ଖନ୍ନା !’

 

‘ଖନ୍ନା ତ ହତଭାଗ୍ୟ, ଯେ ହୀରା ପାଇକରି ମଧ୍ୟ ତାକୁ କାଚ ବୋଲି ଭାବୁଛନ୍ତି । ଭାବନ୍ତୁ ତ, ତାଙ୍କ ସ୍ତ୍ରୀଙ୍କର ପ୍ରେମ ତ୍ୟାଗ କେଡ଼େ ଗମ୍ଭୀର । ହୁଏତ ଖନ୍ନାଙ୍କର ରୂପାସକ୍ତ ମନରେ ତାଙ୍କ ପାଇଁ ଅଣୁମାତ୍ର ସ୍ଥାନ ନଥାଇପାରେ, ମାତ୍ର ଖନ୍ନାଙ୍କର ଯଦି ଆଜି କିଛି ବିପତ୍ତି ହୁଏ, ତେବେ ଶ୍ରୀମତୀ ତାଙ୍କ ପାଇଁ ଆତ୍ମବଳୀ ଦେବାପାଇଁ ସର୍ବଦା ପ୍ରସ୍ତୁତ । ଆଜି ଯଦି ଖନ୍ନା ଅନ୍ଧ କିମ୍ବା ପଙ୍ଗୁ ହୋଇଯାନ୍ତେ, ଦେଖନ୍ତ କେମିତି ଶ୍ରୀମତୀଙ୍କର ପାଦ ଧୋଇ ପୁଣି ପାଣି ପିଉଥାନ୍ତେ । ମୁଁ ଏପରି ସ୍ତ୍ରୀ ଚାହେ ନାହିଁ, ଯାହାଙ୍କ ସଙ୍ଗରେ ମୁଁ ଆଇନଷ୍ଟାଇନଙ୍କ ତତ୍ତ୍ଵ ଉପରେ ଯୁକ୍ତି କରିପାରିବି କିମ୍ବା ଯେ ମୋ ଲେଖାର ପ୍ରୁଫ୍ ଠିକ୍ କରି ପାରିବେ; କିନ୍ତୁ ମୁଁ ଏପରି ସ୍ତ୍ରୀ ଚାହେ ଯେ ଆପଣା ତ୍ୟାଗ ଓ ପ୍ରେମ ବଳରେ ମୋତେ ପବିତ୍ର ଏବଂ ଉଜ୍ଵଳ କରିଦେଇ ପାରିବେ ।

 

କୌଣସି ଭୁଲା ସ୍ମୃତିକୁ ମନେ ପକାଇଲା ପରି ମିର୍ଜା ସାହେବ ଆପଣା ଦାଢ଼ି ଉପରେ ହାତ ବୁଲାଉ ବୁଲାଉ କହିଲେ, ମିଷ୍ଟର ମେହେତା, ଆପଣ ଯାହା କହିଲେ ତା ଅକ୍ଷରେ ଅକ୍ଷରେ ସତ । ଏମିତି ସ୍ତ୍ରୀ କେଉଁଠି ମିଳିଗଲେ ମୁଁ ବି ଆଉଥରେ ବାହାହୋଇ ପଡ଼ନ୍ତି । କିନ୍ତୁ ଏମିତି ମିଳିବେ ବୋଲି ମୋର ଆଦୌ ବିଶ୍ୱାସ ନାହିଁ ।

 

ମେହେତା ହସିହସି କହିଲେ, ତା’ହେଲେ ଆପଣ ବି ଖବର ରଖନ୍ତୁ ମୁଁ ବି ଖବର ରଖୁଛି, ଯଦି ଭାଗ୍ୟକୁ କେବେ ମିଳିଯାଏ ।

 

‘କିନ୍ତୁ ମିସ୍ ମାଳତୀ ଆପଣଙ୍କୁ ଛାଡ଼ିବେ ନାହିଁ । କହିବେ ଯଦି ମୁଁ ଏକଥା ଲେଖି ଦେଇପାରେ ।’

 

‘ହଁ, ଏମିତି ସ୍ତ୍ରୀଙ୍କ ସହିତ ମିଳିମିଶି ମନଖୁସୀ କରାଯାଇ ପାରେ । କିନ୍ତୁ ବାହା ହେବା କଥା ନୁହେଁ । କାରଣ ବାହାହେବା ଅର୍ଥ ହେଉଛି ଆତ୍ମସମର୍ପଣ ।’

 

‘ବାହାଘର ଯଦି ଆତ୍ମସମର୍ପଣ, ପ୍ରେମ ତେବେ କ’ଣ ?’

 

‘ପ୍ରେମ ଯେତେବେଳେ ଆତ୍ମସମର୍ପଣ ରୂପ ନେଇ ଉଭାହୁଏ, ସେତେବେଳେ ହୁଏ ବାହାଘର । ତା ପୂର୍ବରୁ ସବୁ ଖାଲି ଏକପ୍ରକାର ଖେଳ ।’

 

ମେହେତା ଲୁଗାପଟା ବଦଳି ବିଦା ହୋଇଗଲେ । ସଂଧ୍ୟା ହୋଇ ଯାଇଥିଲା । ମିର୍ଜା ସାହେବ ଯାଇ ଦେଖିଲାବେଳକୁ ଗୋବରା ସେତେବେଳ ଯାଏ ବି ଗଛରେ ପାଣି ଦେଉଛି । ମିର୍ଜା ଭାରୀ ଖୁସୀ ହୋଇଯାଇ କହିଲେ, ଯା, ଆଜି ତୋର ବର୍ତ୍ତମାନ ଛୁଟୀ, କାଲି ପୁଣି ଆସିବୁ ।

 

ଗୋବରା ଟିକିଏ କାତର ହୋଇ କହିଲା, ଆଜ୍ଞା, ମୁଁ ଖଣ୍ଡିଏ ଚାକେରୀ ଖୋଜୁଛି ।

 

‘ଚାକେରୀ କରିବାକୁ ଯଦି ଚାହୁ, ତେବେ ମୁଁ ତୋତେ ରଖିନେବି ।’

 

‘କେତେ ଟଙ୍କା ମିଳିବ, ହଜୁର ?’

 

‘ତୁ ଯେତେ କହିବୁ ।’

 

ମୁଁ କ’ଣ କହିବି, ହଜୁରଙ୍କର ଯାହା ଇଚ୍ଛା ଦେବେ ।’

 

‘ମୁଁ ତତେ ପନ୍ଦର ଟଙ୍କା ଦେବି, କିନ୍ତୁ ଖୁବ୍ କସିକରି କାମ ନେବି ।’

 

ଗୋବରା କାମକୁ ଡରିବାବାଲା ନୁହେଁ । ଟଙ୍କା ମିଳିଲେ ସେ ଆଠପହର ଖଟିବା ଲୋକ । ପନ୍ଦର ଟଙ୍କା ମିଳିଲେ ଆଉ ପଚାରିବାର ଅଛି କ’ଣ ? କହିଲେ ସେ ଜୀବନ ବି ଦେଇଦେବ । ଶେଷରେ ଜାଗା ଟିକିଏ ମିଳିଯାନ୍ତା ବୋଲେ, ଏଇଠି ମୁଁ ପଡ଼ି ରହନ୍ତି ।

 

‘ହଁ ହଁ, ଜାଗା ମୁଁ ଯୋଗାଡ଼ କରିଦେବି । ଏଇ ଘରର ଗୋଟେ ପାଖରେ ତୁ ରହିଯିବୁ ।’

Image

 

Unknown

ଚତୁର୍ଦ୍ଦଶ ପରିଚ୍ଛେଦ

 

ହୋରୀର ତ ଧାନଚାଉଳ ସବୁ ଆମଦାନୀ ଜାତିଆଣ ଜରିମନାରେ ଶେଷ ପାଇଥିଲା । ବୈଶାଖ ମାସଟା କୌଣସିମତେ ଚଳିଗଲା, କିନ୍ତୁ ଜ୍ୟେଷ୍ଠ ମାସକୁ ଘରେ ଆଉ ମୁଣ୍ଡିଟାଏ ବି ରହିଲା ନାହିଁ । ଘରେ ତ କିଛି ନାହିଁ, ପୁଣି ଖାଇବା ପାଇଁ ପାଞ୍ଚ ପାଞ୍ଚଟା ପେଟ । ଦି’ବକତ ନ ହେଲେ ବି ବକତେ ତ ଦରକାର । ପୂରା ପେଟ ନହେଲେ ବି ଅଧାପେଟ ତ ଦରକାର । ଉପାସରେ କିଏ କେତେଦିନ ଅବା ରହିବ ! ମାଗିବ ଅବା କାହାକୁ ? ସାନବଡ଼ ସବୁ ମହାଜନଙ୍କର ତ ପାଉଣା ଅଛି । ପର ଦୁଆରକୁ ମଣିଷ ମୂଲ କରିଯା’ନ୍ତା ଅବା କିନ୍ତୁ ନିଜର ତ ଏତେ କାମ ପଡ଼ିଛି, ପରର କରିବାକୁ ବେଳ କାହିଁ ? ଖରାଦିନେ ଆଖୁକୋଡ଼ା, ପାଣିବୁହା ଧମାଧମ ଲାଗିଛି, ହେଲେ ଖାଲିପେଟରେ ମଣିଷ କାମ କରିବ କେମିତି ?

 

ସଂଧ୍ୟା ହେଲା ମାତ୍ରେ ଛୋଟପିଲାଟି ଭୋକରେ ଆଉଟ ପାଉଟ ହୋଇ ଚିହିରି ଛାଡ଼ିଲା-। ମା’କୁ ତ ଖାଇବାକୁ ମିଳୁନାହିଁ, କ୍ଷୀର ଆସିବ କେଉଁଠୁ ଯେ ପିଲା ଖାଇବ ? ସୁନା ସବୁ କଥା ଜାଣିଥିଲା, କିନ୍ତୁ ରୂପାକୁ ତ କିଛି ଜଣା ନଥିଲା, ସେଥିପାଇଁ ସେ ଖାଇବା ପାଇଁ କାନ୍ଦୁଥିଲା-। ଦିନଯାକ ସିନା ବାହାରେ କଞ୍ଚାଆମ୍ୱ ଖାଇ ବେଳ କଟିଯାଏ, କିନ୍ତୁ ରାତିରେ ମୁଠେ ଭଲକରି ନ ମିଳିଲେ କାମ ଚଳିବ କେମିତି ? ହୋରୀ ଦୁଲାରୀ ସାହୁଆଣୀ ପାଖକୁ ଧାନ ପାଇଁ ଗଲା, କିନ୍ତୁ ସାହୁଆଣୀ ଦୋକାନ ବନ୍ଦକରି ସେଦିନ ହାଟକୁ ଚାଲି ଯାଇଥିଲା । ତା’ପରେ ମୁଙ୍ଗୁଳୁ ସାହୁ ପାଖକୁ ଗଲା ଯେ ସେ ତ ଖାଲି ନାହିଁ କଲାନାହିଁ, ଆଛା କରି ଟାଙ୍କେ ଗାଳିଦେଲା ବି ।

 

କହିଲା, ତିନି ବରଷ ହେଲା ଏଇ କରଜ ନେଲେଣି ଯେ ଅଧଲାଟାଏ ସୁଧ ଦେବାକୁ ନାହାନ୍ତି, ଆହୁରି ଆସିଛନ୍ତି କରଜ ପାଇଁ, କ’ଣ ନା ଆମକୁ ଆହୁରି କରଜ ଦିଅ । ଏବେ ତ ଦବନାହିଁ ଆଉ କ’ଣ ଆରଜନ୍ମରେ ଯାଇଁ ଦେବ ? ଲୋକଙ୍କ ପ୍ରକୃତି ଖରାପ ହେଲେ ଲୋକେ ଏମିତିଆ କାମ କରନ୍ତି । କିନ୍ତୁ ଏଗୁଡ଼ା ଧରମ ସହିବା କଥା ନୁହେଁ । ଜମିଦାରଙ୍କ ପିଆଦା ଆସି ରଗଡ଼ି ଦେଲେ ଟଙ୍କା ଚୁପକରି ବାହାରି ଆସୁଛି, କିନ୍ତୁ ଆମବେଳକୁ ଯିମିତି କିଛି ନାହିଁ । ଆମ ଟଙ୍କା କ’ଣ ଟଙ୍କା ନୁହେଁ ? ଆଉ ଘରେ ୟାଙ୍କର ଯେଉଁ ଭାରିଯା ମୂରତି ଅଛନ୍ତି, ତାଙ୍କର ତ ସହଜେ ଭୂଇଁରେ ପାଦ ଲାଗିବାକୁ ନାହିଁ ।

 

ହୋରୀ ସେଠୁ ଫେରିଆସି କାନ୍ଦ କାନ୍ଦ ହୋଇ ଘରଠି ବସିଛି, ଏତିକିବେଳକୁ ପୁନିୟା ନିଆଁ ମାଗି ଆସିଲା । ଦେଖିଲା, ରୋଷାଇଘର ଅନ୍ଧାର ପଡ଼ିଛି । କହିଲା, ଆଜି କଣ ରୋଷାଇ ହେବନି, ଅପା । ବେଳ ତ ଆସି ଗଡ଼ିଗଲାଣି ।

 

ଗୋବରା ପଳାଇବା ଦିନୁ ଧନିୟା ଓ ପୁନିୟା ଭିତରେ ଭଲ ଭାବ ହୋଇ ଯାଇଥିଲା । ଦିହିଁକି ଦିହେଁ ପାଟି ଫିଟାଇ କଥାବାର୍ତ୍ତା ହେଉଥିଲେ । ପୁନିୟା ହୋରୀର ଉପକାର ସ୍ଵୀକାର କରିବା ସଙ୍ଗେ ସଙ୍ଗେ ହୀରକୁ ଭାରି ଗାଳି ଦେଉଥିଲା ବି । କହିଲା, ଗୋରୁମରାଟା, ଗୋରୁମାରି ମୁହଁରେ କାଳି ବୋଳିଦେଇ ପଳେଇ ଯାଉଛି, କୋଉ ମୁହଁ ଅଛି ଯେ ଆଉ ଘରକୁ ଆସିବ ? ଆସିଲେ ଏଥର ତାକୁ ମୁଁ ଆଉ ଘରେ ପୂରେଇବି ନାହିଁ । ଭଗବାନ ଜାଣନ୍ତି, ଗୋରୁ ମାରିବା ପାଇଁ କେମିତି ତା ଛାତି ପତେଇଲା । ପୁଲିସ ଯଦି ବାନ୍ଧିକରି ନେଇ ଘଣା ପେଲାଇଥାନ୍ତା, ଭଲ ହୋଇଥାନ୍ତା ।

 

ଧନିୟା ତ କେବେ ମିଛ କହି ଜାଣେ ନାହିଁ । ସିଧା ସିଧା କହିଦେଲା, ଘରେ ତ ଖୁଦ ମୁଣ୍ଡି ଆଡ଼ୁ ନାହିଁ, ରନ୍ଧାବଢ଼ା ହବ କଣ ? ପିଲାଛୁଆ ମରନ୍ତୁ କି ଜିଅନ୍ତୁ, ତୋ ଦେଢ଼ଶୁର ତ ସବୁ ଆମଦାନୀ ଜାତିଭାଇଙ୍କୁ ଦେଇ ଆସିଲା । ଜାତିଭାଇ ତ ଏବେ ଅନାଇବାକୁ ନାହାନ୍ତି ।

 

ପୁନୀର ଏବର୍ଷ ଖୁବ୍ ଖେତ ହୋଇଥିଲା । ସେ ଜାଣିଥିଲା ଯେ ହୋରୀ ଯୋଗୁ ତାକୁ ଏତକ ମିଳିଲା । ହୀରା ତ କେବେହେଲେ ଏତେ ଆମଦାନୀ କରି ନଥିଲା । ଧନୀୟା କଥା ଶୁଣି ପୁନୀ କହିଲା, ମଲା ମତେ କିଆଁ ମାଗିଲ ନାହିଁ ? ମୋ ଅମଳ ଆମଦାନୀ କଣ ଆଉ କିଏ କରିଛି, ସବୁ ତ ବଡ଼ ସା’ନ୍ତେ ନିଜେ କରିଛନ୍ତି । ସୁଖ ବେଳ ସିନା ଆପେ ଆପେ କଟିଯିବ, ଦୁଃଖବେଳେ ସବୁ ମିଳିମିଶି ନ କଲେ କାମ ଚଳିବ କେମିତି ? ମୁଁ କଣ ଏମିତି ଅନ୍ଧ ହୋଇଛି ଯେ କିଏ କଣ ଜାଣି ପାରିବି ନାହିଁ । ବଡ଼ ସାନ୍ତେ ଯଦି ଆମ ଭାରା ମୁଣ୍ଡେଇ ନ ଥାନ୍ତେ ମୁଁ ଏତେବେଳକୁ ଏଠି ଥାନ୍ତି କୋଉଠି ?

 

ଏତିକି କହି ପୁନିୟା ଠିଏଁ ଠିଏଁ ସେଇଠୁ ଫେରିଗଲା, ସାଙ୍ଗରେ ସୁନାକୁ ବି ନେଇଗଲା-। ଆଖି ପିଛୁଳାକେ ଆଣି ଦି ଡାଲା ଧାନ ଦୁଆରେ ଥୋଇଦେଲା । ଧନିୟା କିଛି ନ କହୁଣୁ ପୁଣି ହରଡ଼ ବୋଝେ ଆଣି ଥୋଇଦେଇ କହିଲା, ଚାଲ, ମୁଁ ଚୁଲି ନଗାଇ ଦେଉଛି ।

 

ଧନିୟା ଦେଖିଲା, ଧାନ ଉପରେ ଗୋଟିଏ ଛୋଟ ଡାଲାରେ ଚାରି ପାଞ୍ଚ ସେର ଚାଉଳ ବି ଥୁଆ ହୋଇଛି । ଆଜି ଜାଣି ଜୀବନରେ ପ୍ରଥମଥର ସେ ହାରିଲା । ସ୍ନେହ ଓ କୃତଜ୍ଞତାରେ ଆଖି ତାର ଛଳ ଛଳ ହୋଇଗଲା । କହିଲା, ମଲା, ଘରେ କ’ଣ ଆଉ କିଛି ରଖିଲୁ ନାହିଁ, ସବୁ ଉଠେଇ ଆଣିଲୁ ? କଣ କୁଆଡ଼େ ପଳାଇ ଯାଉଥିଲା, ପଛେ ଦେଇଥିଲେ ହୋଇ ନଥାନ୍ତା !

 

ଅଗଣାରେ ଖଣ୍ଡେ ଖଟିଆରେ ପଡ଼ି ଛୋଟ ପିଲାଟା ଚିହୁରୁ ଥିଲା । ପୁନିୟା ତାକୁ କୋଳକୁ ନେଇଯାଇ କହିଲା, ତମକୁ ଅପା ନୁଚେଇବି କ’ଣ ? ଏବର୍ଷ ଧାନ ପନ୍ଦର ପୌଟି, ଗହମ ଦଶ ପୌଟି, ଚଣା ପାଞ୍ଚ ପୌଟି ହୋଇଥିଲା । ଦି ଘରଯାକର କାମ ଏଥିରେ ଚଳିଯିବ । ଆଉ ମାସେ ଦି ମାସରେ ଯାହି ହେଲେ ତ ଗୋଟେ ଫସଲ ଉତୁରି ଯିବ, ତେଣିକି ଭଗବାନ ଅଛନ୍ତି ।

 

ଝୁନିୟା ଆସି ପାଦଧରି ମୁଣ୍ଡିଆ ମାରିବାରୁ ପୁନୀ ତାକୁ କଲ୍ୟାଣ କଲା । ସୁନା ଚୁଲି ଲଗାଇଲା, ରୂପା ମାଠିଆ ନେଇ ପାଣିକି ଗଲା । ପୁଣି ଗାଡ଼ି ଚାଲିଲା । ପାଣିକି ବନ୍ଧେଇଦେଲେ ସେ ଯେମିତି ଘିରି ଖାଏ, ଗର୍ଜନ କରେ, ଧକା ମାରେ କିନ୍ତୁ ଛାଡ଼ିଦେଲେ ପୁଣି ଧୀରେ ସୁସ୍ଥେ ଏକାଧାରରେ କହିଯାଏ, ସେମିତି ହୋରୀ ପରିବାରର ସବୁ କାମ ତ ବନ୍ଦ ହୋଇଥିଲା, ଏବେ ବାଟ ଫିଟିଯିବାରୁ ସବୁ ପୁଣି ଚୁପ୍‍ଚାପ୍‍ ଚାଲିଲା ।

 

ପୁନିୟା କହିଲା, ଜାତିଭାଇଙ୍କି ଜୋରିମାନା ଦେବା ପାଇଁ ଏଡ଼େ ତର ତର ପଡ଼ିଥିଲା କିଆଁ ?

 

ଧନିୟା କହିଲା, ନଦେଇ ଥିଲେ ଜାତିରେ ଚଳିଥାନ୍ତୁ କେମିତି ?

 

‘ଅପା, କାଳେ କ’ଣ ତମେ ଭାବିବ, ନହିଲେ ଗୋଟିଏ କଥା କହନ୍ତି ।’

 

‘କହୁନୁ, କିଛି ଭାବିବି ନାହିଁ ।’

 

‘କହନ୍ତି ଯେ, କାଳେ ତମେ ରାଗ ହେବ ।’

 

‘ନାହିଁ ମ, ରାଗ ହେବି କିଆଁ ?’

 

‘ତମେ ଝୁନିଆ ଘରେ ନ ରଖିଥିଲେ ଭଲ ହୋଇଥାନ୍ତା ।’

 

‘ଆଉ କଣ କରିଥାନ୍ତି କହିବୁ, କୂଅ ପୋଖରୀରେ ଯଦି କୁଆଡ଼େ ଡେଇଁ ପଡ଼ିଥାନ୍ତା ?’

 

‘କିଆଁମ, ମୋ ଘରେ ତ ରଖି ଦେଇଥିଲେ ସବୁ ଅଡ଼ୁଆ ଛିଣ୍ଡି ଯାଇଥାନ୍ତା ।’

 

‘ହଁ ଆଜି ସିନା କହି ଦେଉଛୁ, ସେ ଦିନ ପଠାଇ ଦେଇଥିଲେ ଛାଞ୍ଚୁଣୀ ଧରି ଗୋଡ଼େଇ ଥାଆନ୍ତୁ ।’

 

‘ଜାତିଭାଇଙ୍କି ଯେତିକି ଦେଲ, ସେଇ ଖରଚରେ ତ ଗୋବରାର ବାହାଘର ହୋଇ ଯାଇଥାନ୍ତା ।’

 

‘ଆଲୋ କହୁଛୁ ସିନା, ଦଇବ ଯାହା କପାଳରେ ନେଖିଛି, ତାକୁ ନିଭେଇବ କିଏ ? ଏତିକିରେ କ’ଣ ଆମ ଦୁଃଖ ସରିଲାଣି । ଭୋଳା ଆହୁରି ତା ଗାଈର ଟଙ୍କା ପାଇଁ ନଗେଇଛି । ସେତେବେଳେ ତ ଗାଈ ଦେଇଥିଲା, କହିଲା ମୋ ପାଇଁ କେଉଁଠି ବାହାଘର ଠିକ୍ କରିଦିଅ । ଏଇନେ କହୁଛି ନାହିଁ, ବାହାଘର ମୋର ଦରକାର ନାହିଁ, ମୋ ଟଙ୍କା ଦେଇଦିଅ । ପୁଅ ଦିହେଁ ତ ସହଜେ ତା’ର ଠେଙ୍ଗା ଧରି କରି ବୁଲୁଛନ୍ତି । ଆମର କିଏ ଅଛି ଯେ ତାଙ୍କ ସଙ୍ଗେ ନଢ଼ିବାକୁ ଯିବ ? ସତ୍ୟାନାଶୀ ଗାଈ ତ ଆସି ସବୁ ଉଜାଡ଼ି ଦେଇ ଗଲା ।’

 

ଆଉ କ’ଣ ପଦେ ଦିପଦ କହିଦେଇ ପୁନିୟା ନିଆଁ ନେଇ ଚାଲିଗଲା । ହୋରୀ ଆଢ଼ୁଆଳରେ ସବୁ ଦେଖୁଥିଲା । ପୁନି ଚାଲିଯିବା ପରେ ଭିତରକୁ ଆସି କହିଲା, ଯାହା କହ, ପୁନିୟା ମନଟା ଭାରି ନିର୍ମଳ ।

 

‘ହଁ, ହୀରା ମନଟା ସେମିତି ନିରିମଳ ନଥିଲାକି ?’

 

ଧନିୟା ଧାନ ଚାଉଳ ସବୁ ରଖିନେଲା ସିନା କିନ୍ତୁ ମନେ ମନେ ତାକୁ ଭାରି ଲାଜ ଲାଗିଲା, ଅଭିମାନ ବି ହେଲା । ଭାବିଲା, କପାଳ ଆଣି ଖାଲରେ ପକାଇଲା ବୋଲି ସିନା ଆଜି ୟା ଘଟିଲା, ନହିଲେ କାହିଁକି ?

 

‘କାହାରି ଉପକାର ତୋ ମନକୁ ଆସେ ନାହିଁ, ତୋର ଗୋଟେ ଇଏ ଭାରି ଖରାପ ଗୁଣ-।’

 

‘କିଆଁ ଆସିବ, ମୋ’ରି ମଣିଷ ତ ଦିନ ରାତି ନାଗି ନାଗି ସବୁ କରିଛି, କ’ଣ ଆଉ କିଏ କରିଛି କି ? ମତେ କ’ଣ କିଏ ଦାନ ଦେଇଛି କି, ମୁଁ ତ ଗୋଟିକଠୋଉ ସବୁ ସୁଝିଦେବି ।’

 

ଧନିୟା କଥା ଜାଣିଥିଲେ ବି ପୁନିୟା ହୋରୀର ଭପକାର କଥା ମନରେ ରଖି ବରାବର ଦିଆନିଆ କରେ । ଯେତେବେଳେ ତାଙ୍କର ସରିଯାଏ, ପୁଣି ଆଣି ମହଣେ ଦି’ ମହଣ ଦେଇଯାଏ । କିନ୍ତୁ ଯେତେବେଳେ ଚତୁର୍ମାସ୍ୟାରେ ମେଘ ବିନ୍ଦୁ ଗାଳିଲା ନାହିଁ, ସେତେବେଳେ ଅବସ୍ଥା ଭାରି ଖରାପ ହେଲା । ଶ୍ରାବଣ ମାସ ଆସି ହେଲା ପଛେ ଖଣ୍ଡିଆଭୂତ ଛପିଲା ନାହିଁ । ଆଖୁ ମରି କରି ଠିଆ ହେଲା । କୂଅ ପୋଖରୀ ସବୁ ଶୁଖିଲା ଠାଉ ଠାଉ । ନଈପାଣି ପାଇଁ ବି ଠେଙ୍ଗା ଉଠାଉଠି । ଗାଁ ଗଣ୍ଡାରେ ପ୍ରବଳ ଚୋରି ଡକାୟତି ହେଲା । ଚାରିଆଡ଼େ ହାହାକାର ପଡ଼ିଗଲା । ପୁଣି ଭଗବାନଙ୍କ ଦୟାରୁ ଭାଦ୍ରବରେ ଖୁବ୍ ଅସରାଏ ବରଷା ହେବାରୁ ଚାଷୀଙ୍କର ମନ ଜାଣି ଟିକିଏ ଥଣ୍ଡା ପଡ଼ିଗଲା, ପୃଥିବୀ ରାମ ରାମ ଡାକିଲା । ଯେଉଁଠି ଧୂଳି ଉଡ଼ୁଥିଲା, ଖଣ୍ଡିଆଭୂତ ଉଠୁଥିଲା, ସେଠି ଏବେ ହଳ ଚାଲିଲା । ପୋଖରୀ ଗାଡ଼ିଆ ସବୁ ଅଧା ହୋଇଗଲା । ପିଲାଏ ସବୁ ଘରୁ ବାହାରି ପୋଖରୀ ଗାଡ଼ିଆ ଦେଖି ଆନନ୍ଦରେ ଏଠୁ ସେଠିକି ଖାଲି ଧାଇଁ ବୁଲିଲେ ।

 

କିନ୍ତୁ ଏବେ ଯେତେ ପାଣି ବରଷିଲେ ବି ଆଖୁର ତ ଆଉ ଆଶା ନଥିଲା । ସେହି ହାତେ ବଢ଼ି ରହିଗଲା । ଆଉ ଆଉ ଫସଲରୁ ସତେ କୋଉ ଖଜଣା ଉଠିବ ନା ସାଉ ମହାଜନ ସୁଝା ହେବେ ! ମୋଟେ କିଛି ହୋଇ ନଥାନ୍ତା, ଯାହା ଗାଁ ଲୋକଙ୍କୁ ମୁଠେ ଖାଇବାକୁ ହେଲେ ମିଳିଯିବ । କୌଣସିମତେ ଲୋକେ ବଞ୍ଚିଯିବେ ।

 

ମାଘ ମାସ ଆସି ପାର ହୋଇଗଲା, ତେବେ ସୁଦ୍ଧା ଭୋଳାକୁ ଯେତେବେଳେ ଟଙ୍କା ମିଳିଲା ନାହିଁ, ଦିନେ ସେ ଖୁବ୍ ଚିଡ଼ିକରି ଆସି ହୋରୀକୁ ଧମକ ଦେଇ କହିଲା, ଏଗୁଡ଼ା କୋଉ ଭଲଲୋକି କଥା ! ତମେ ପରା ଏହି ମୁହଁରେ କହିଥିଲ ଆଖୁ ପେଡ଼ିଲେ ଟଙ୍କା ନେଇ ଦେଇ ଆସିବ ବୋଲି ! କାହିଁ, ଆଖୁପେଡ଼ା ତ ସରିଲାଣି, ଟଙ୍କାର ତ ନାଁ ଗନ୍ଧ ନାହିଁ । ଆଣ ମୋ ଟଙ୍କା ଏଇନେ ଦିଅ ।

 

ଆପଣା ଦୁଃଖ ଶୁଣାଇ ଯେତେ ଅଳି ଝଳି କଲେ ବି ଭୋଳା ଯେତେବେଳେ ଉଠିଲା ନାହିଁ, ହୋରୀ ବିରକ୍ତ ହୋଇ କହିଲା–ଆରେ ବାବୁ, ମୁଁ ତ କହୁଛି ଏତେବେଳେ ମୋ ପାଖେ ପାହୁଲାଟାଏ ନାହିଁ କି ଘରେ ମୁଠେ ଖାଇବାକୁ ନାହିଁ । କେହି ତ ସହଜେ ଧାର୍ ଉଧାର ଦେବାକୁ ନାହିଁ । ତମ ମନ ଯଦି ନ ମାନୁଛି, ଘରେ ପଶି କରି ଦେଖ, ଯେଉଁଠି ଯାହା ଅଛି ନେଇଯା ।

 

ଭୋଳା ନିର୍ଦ୍ଦୟ ଭାବରେ କହିଲା, ମୁଁ ତ ତମ ଘର ଖାନତଲାସ କରିବାକୁ ଆସି ନାହିଁ । ତମ ଘରେ ପଇସା ଥିଲେ ନଥିଲେ ମୋର ଯାଏ ଆସେ କେତେ ? ତମେ କହିଥିଲ ଆଖୁ ପେଡ଼ିଲେ ଟଙ୍କା ଦେବ, ଏବେ ତ ପେଡ଼ି ସାରିଲଣି, ମୋ ଟଙ୍କା ମୋତେ ଦେଇ ଦେଲେ କାମ ଛିଣ୍ଡିଯିବ ।

 

‘ଆଚ୍ଛା, ତମେ କ’ଣ ଚାହୁଛ କହ, ମୁଁ କରିବି ।’

 

‘ମୁଁ ପୁଣି କ’ଣ ଚାହିଁବି ?’

 

‘ନାହିଁ, ତମ ଭପରେ ମୋର ନିର୍ଭର ତମେ ଯାହା କହିବ, ମୁଁ କରିବି ।’

 

‘ତାହାହେଲେ ତମ ବଳଦ ଦି’ଟା ଦେଇଦିଅ ମୁଁ ନେଇଯିବି ।’

 

ହୋରୀ ଆଶ୍ଚର୍ଯ୍ୟ ହୋଇ ଭୋଳାକୁ ଅନାଇ ରହିଲା, ନିଜ କାନକୁ ବି ସେ ବିଶ୍ଵାସ କରି ପାରିଲା ନାହିଁ । ତା ପରେ ମୁହଁକୁ ତଳକୁ ପୋତି ବସି ଭାବିଲା, ଭୋଳା ତେବେ କ’ଣ ତାକୁ ଭିକାରୀ କରି ଛାଡ଼ି ଦେଇଯିବ ! ଗୋରୁ ଦି’ଟା ଚାଲିଗଲେ ତା ହାତ ଦି’ଟା କଟିଯିବ ସିନା ! ତା’ପରେ ଭାରି କରୁଣ ସ୍ଵରରେ ହୋରୀ କହିଲା–ବଳଦ ଦି’ଟା ନେଇଗଲେ ଜାଣ ମୋର ସର୍ବନାଶ ହୋଇଯିବ । ତମ ମନକୁ ଯଦି ପାଉଛି ତେବେ ଫିଟାଇ ନିଅ ।

 

‘ତମର ଯାହି ହେଲେ ମୋର କ’ଣ ଯାଉଛି ? ମୋର ତ ମୋ ଟଙ୍କା ଦରକାର ।’

 

‘ମୁଁ ଯଦି ଏଇନେ କହେ, ମୁଁ ଟଙ୍କା ଦେଇ ସାରିଛି, ତେବେ...... ।’

 

ଭୋଳା ଟିକିଏ ତୁନୀ ପଡ଼ିଗଲା । ନିଜ କାନକୁ ବି ତାର ବିଶ୍ୱାସ ହେଲା ନାହିଁ । ହୋରୀ ଏମିତି ବେଇମାନୀ କରି ପାରିବ, ଏକଥା ସେ କେଭେଁ ହେଲେ ଭାବି ନଥିଲା ।

 

ତା’ପରେ ଭୋଳା ରାଗିଯାଇ କହିଲା, ହଁ ତମେ ଯଦି ତମ୍ବା ତୁଳସୀ ଟେକି ଦେଇ ନିୟମ କରିଦେବ, ତେବେ ମୁଁ ଛାଡ଼ିଯିବି ।

 

‘ନିୟମ କରିଦେବାକୁ ମନ ହେଉଛି ଯେ କିନ୍ତୁ ମୁଁ କରିବି ନାହିଁ, ବୁଝିଲ, ବୁଡ଼ିଗଲା ଲୋକ ସବୁ କରିପାରେ ।’

 

‘ମୁଁ ତ କହୁଛି ତମେ ନିୟମ କରିପାରିବ ନାହିଁ ।’

 

‘ସତରେ ଭାଇ ମୁଁ କରିପାରିବି ନାହିଁ, ସେମିତି ଥଟ୍ଟାରେ କହୁଥିଲି ନା !’

 

ହୋରୀ ଟିକିଏ ଦୋ ଘାଇରେ ପଡ଼ିଯାଇ କିଛି ସମୟ ଅଟକି ଯାଇ କହିଲା, ଭୋଳା ଭାଇ, ତମେ କାହିଁକି ମିଛରେ ଆମ ଉପରେ ଏତେ ରାଗୁଛ ? ଝୁନିଆ ଆମ ଘରକୁ ଆସିଲା ଯେ କ’ଣ ଆମକୁ କେଉଁ ସରଗ ମିଳିଗଲା ? ବରଂ ଶହେ ଟଙ୍କା ଜୋରିମାନା ବୋହିବାକୁ ପଡ଼ିଲା, ଗୋବରା ତ ସହଜେ ଘର ଛାଡ଼ି ପଳାଇଲା । ମୁଁ ଏବେ କୁଆଡ଼କୁ ହେଲି ନାହିଁ । ଶେଷକୁ ତମେ ଆସି ଆମ ଚେର ଉପାଡ଼ିବାକୁ ବସିଛ । ଭଗବାନଙ୍କ ରାଣ, ଯଦି ମୁଁ ସେ କଥା କିଛି ଜାଣିଥିବି । ମୁଁ ସିନା ଭାବୁଥିଲି ଗୋବରା ତମ ଘରକୁ ଗୀତ ଶୁଣିବାକୁ ଯାଉଛି । ଏତେ କାଣ୍ଡ କରିବ ବୋଲି କିଏ ଜାଣିଥିଲା ? ଯେଉଁ ଅନ୍ଧାର ରାତିରେ ଝୁନିଆ ଆସି ଆମ ଘରେ ପହଞ୍ଚିଲା, ସେଦିନ ସିନା ମୁଁ ଜାଣିଲି । ସେଦିନ ରାତି ଯଦି ମୁଁ ତାକୁ ନ ରଖିଥାନ୍ତି, ତେବେ ସେ କା’ର ହୋଇଥାନ୍ତା, କେଉଁଠିକି ଯାଇଥାନ୍ତା କହିଲ ଦେଖି ?

 

ଝୁନିଆ କବାଟ କଣରେ ଠିଆ ହୋଇ ସବୁ କଥା ଶୁଣୁଥିଲା । ବାପକୁ ତ ବର୍ତ୍ତମାନ ସେ ଶତ୍ରୁ ବୋଲି ଭାବୁଥିଲା । ତାକୁ ଡର ମାଡ଼ିଲା କାଳେ ହୋରୀ ବଳଦ ଦି’ଟା ତାକୁ ଦେଇ ବସିବ । ତା ପରେ ଯାଇ ଝୁନିଆ ରୂପାକୁ କହିଲା, ବେଗେ ଯା, ମା’ଙ୍କୁ କହିଦେବ ଚଞ୍ଚଳ ଆସିବେ, ଭାରି କାମ ଅଛି ।

 

ଧନିୟା ଖତ ବିଞ୍ଚିବା ପାଇଁ ବିଲକୁ ଯାଇଥିଲା । ଡାକରା ଶୁଣି ସଙ୍ଗେ ସଙ୍ଗେ ଆସି ପଚାରିଲା–କାହିଁକି ଡାକୁଥିଲୁ କିଲୋ ବୋହୂ ? ତୋ ଡାକରା ଶୁଣି ମୋ ମନରେ ଛନକା ପଶିଗଲା-

 

‘ମୋ ବାପା ଆସିଛି, ଦେଖିଲଣି ?’

 

‘ହଁ ଦେଖିଛି, ଯମ ନାଖେ ଦୁଆର ଜଗି ବସିଛି । ମୁଁ ତାକୁ ପାଟି ଫିଟେଇଲି ନାହିଁ ।’

 

‘ଆମ ବଳଦ ଦି’ଟା ନେଇଯିବ ବୋଲି ବାପାଙ୍କୁ ଶିଖାଉଛି ।’

 

କଥା ଶୁଣି ଧନିୟାର ଅନ୍ତପୁଟା ଦୁହିଁ ହୋଇଗଲା । କହିଲା, କ’ଣ, ସେ ମୋ ବଳଦ ଦି’ଟା ନେଇଯିବ ?’

 

‘ହଁ କହୁଛି ମୋ ଟଙ୍କା ଦିଅ, ନହିଲେ ମୁଁ ବଦଳ ଦି’ଟା ଫିଟାଇ ନେଇଯିବି ।’

 

‘ଗୋବରା ବାପା କ’ଣ କହିଲେ ?

 

‘ବାପା କହିଲେ, ତମ ଧରମ ଆମ କରମ, ମନ ମାନୁଛି ଯଦି ନେଇ ଯା ।’

 

ମୁଁ କହୁଛି, ଯଦି ସେ ନେଇଯାଏ, ତେବେ ଆମ ନିଶ୍ୱାସ ବରାବର ତା ଉପରେ ପଡ଼ିବ । ଦିନେ ହେଲେ ଆସି ସେ ଏଇ ଦୁଆରେ ଭିକ ମାଗିବ । ଆମର ରକତ ଖାଇ ଯଦି ତା ଛାତି ଟାଣ ହେବ ହେଉ, କିଏ ମନା କରୁଛି ?

 

ଏଇ ରାଗରେ ଧନିୟା ପଦାକୁ ଚାଲି ଆସି ହୋରୀକୁ କହିଲା, ଗୋରୁ ଦି’ଟା ଯଦି ସେ ମାଗୁଛନ୍ତି, ଦେଇ ଦେଉନ କିଆଁ ? ତାଙ୍କ ପେଟ ଆଗ ପୁରୁ, ଆମ ପାଇଁ ଭଗବାନ ଅଛନ୍ତି । ଆମ ହାତ ଗୋଡ଼ ତ ଆଉ କିଏ କାଟି ନେବ ନାହିଁ । ଆଜିଯାଏଁ ଆପଣାର ମୂଲ କରି ଖାଉଥିଲେ, କାଲି ଅବା ପରର ମୂଲ କରି ଖାଇବା । ପୁଣି ଭଗବାନ ଚାହିଲେ କାଲିକା କାଲି ଗୁହାଳେ ବଳଦ ବନ୍ଧା ହେବେ । ମୂଲ ନାଗି ଖାଇଲେ କୋଉ ଅବା ନାଜ ମାଡ଼ୁଛି । ମୂଲ କରି ଖାଇଲେ ତ ଆଉ ବଢ଼ି ମରୁଡ଼ିକି ଖଜଣା ମାଗଣକୁ ଭୟ ନଥିବ । ମୁଁ କ’ଣ ଜାଣିଥିଲି ଇଏ ଆମର ଭଗାରୀ ବୋଲି, ନହିଲେ ୟାଙ୍କଠୁ ଗାଈ ଆଣି ଏତେ ବିପତ୍ତି ମୁଣ୍ଡାଇଥା’ନ୍ତି କାହିଁକି ? ସେ ଅଲକ୍ଷଣୀ ଗାଈ ପାଦ ଦେଲା ଦିନୁ ମୋ ଘରସଂସାର ସବୁ ପୋଡ଼ି ପାଉଁଶ ହୋଇଗଲା ।

ସବୁ କଥା ଶୁଣି ସାରି ଏପର୍ଯ୍ୟନ୍ତ ଭୋଳା ଯେଉଁ ଅସ୍ତ୍ରକୁ ଲୁଚାଇ ରଖିଥିଲା, ତାକୁଇ ପ୍ରୟୋଗ କରିବ ବୋଲି ବାହାରିଲା । ସେ ଠିକ୍ ଜାଣିଲା ଯେ ସେମାନଙ୍କ ପାଖରେ ବଳଦ ଦି’ଟା ଛଡ଼ା ଆଉ କିଛି ସମ୍ପତ୍ତି ନାହିଁ, କିମ୍ଵା ସେମାନେ ବଳଦକୁ କୌଣସି ମତେ ଦେବେ ନାହିଁ । ତା ପରେ ଟିକିଏ ମନ ସ୍ଥିର କରି କହିଲା, ତମେ ଚୁପଚାପ୍ ବସିଥିବ, ଆଉ ମୋତେ କ’ଣ ଲୋକେ ବେଜିତ୍ କରୁଥିବେ ? ସେ କଥା ପଟିବ ନାହିଁ । ତମେ ତ ଟଙ୍କା ଶହେ ଦି’ଶହ ପାଇଁ କାନ୍ଦି କୁନ୍ଥେଇ ହେଉଛ, ମୋର ଯେ ଲକ୍ଷେ ଟଙ୍କାର ଇଜତ ଯାଉଛି, ତାକୁ ଦେବ କିଏ ? ତମର ଯଦି ଭଲ ମଙ୍ଗଳକୁ ବାଟ ଅଛି, ତେବେ ଝୁନିଆକୁ ଘରୁ ବାହାର କରିଦିଅ, ମୁଁ ତମକୁ ବଳଦ ମାଗିବି ନାହିଁ କି ଗାଈର ଦାମ୍ ମାଗିବି ନାହିଁ । ସେ ଯେମିତି ମୋ ନାକ ନିଶ ତଳେ ପକେଇଛି ମୁଁ ତାକୁ ସେମିତି ନାରଖାର କରିବାକୁ ଚାହେ । ସେ ଏଠି ରାଣୀ ହୋଇ ବସିଥିବ ଆଉ ମୁଁ ମୁହଁରେ କାଳି ବୋଳି ବସିଥିବି, ସେ କଥା ହେବ ନାହିଁ । ସେ ମୋର ଝିଅ, ତାକୁ ମୁଁ ଆପଣା କୋଳରେ ବଢ଼ାଇଛି । ଭଗବାନ ଜାଣନ୍ତି, ଦିନେ ହେଲେ ତାକୁ ମୁଁ ପୁଅଙ୍କଠୁ ଅଲଗା ବିଚାରି ନାହିଁ । ତଥାପି ଆଜି ଯଦି ମୁଁ ଦେଖିବି ଯେ ସେ ଦୁଆରେ ଦୁଆରେ ଭିକ ମାଗି ବୁଲୁଛି, ତେବେ ଯାଇଁ ମୋ ମନ ଥଣ୍ଡା ହେବ । ବାପ ହୋଇ ଯେତେବେଳେ ମୁଁ ଏକଥା କହୁଛି, ତମେ ଜାଣୁଥିବ ମୋତେ କେତେ ବାଧା ହୋଇଛି । ପୋଡ଼ାମୁହୀଁ ମୋର ସାତ ପୁରୁଷକୁ କଳଙ୍କ ରଖିଲା । ତାକୁ ପୁଣି ତମେ ଘରେ ଧରି କରି ବସିଛ, ଇଏ ମୋ ଛାତିରେ ଶୁଳ ମାରିବା କଥା ନା ଆଉ କ’ଣ ?

ଏକଥା ଶୁଣି ଧନିୟା ତାକୁ ଆଚ୍ଛା ଆଚ୍ଛା ଟାଣ ଟାଣ ଦି’ଚାରି ପଦ ଶୁଣେଇ ଦେଲା । କହିଲା, ହଉ, ତେବେ ମୋ କଥା ଦି’ପଦ ଆଗ ଶୁଣିଯା । ତମେ ଯୋଉ କଥା କହୁଛ ସେ କଥା ଏ ଜନମରେ ହେବ ନାହିଁ, କି ତିନିକାଳେ ହେବ ନାହିଁ । ଝୁନିଆ ଆଜି ଆମ ପାଞ୍ଚ ଜଣରୁ ଜଣେ । ଯଦି ବଳଦ ନେଲେ ତମ କଟା ନାକ ଯୋଡ଼ି ହୋଇଯିବ, ଯଦି ତମ ବଡ଼ପଣିଆ ଫେରି ଆସିବ, ତେବେ ନେଇ ଯା । ହଁ, ଝୁନିଆ ତ ଭୁଲ୍ କରିଛି । ଯୋଉଦିନ ସେ ଏଠିକି ଆସିଲା, ମୁଁ ତାକୁ ଛାଞ୍ଚୁଣି ଧରି ଗୋଡ଼େଇ ଥିଲି । କିନ୍ତୁ ତା ଆଖିରୁ ଯେତେବେଳେ ନୁହ–ଗଡ଼ି ପଡ଼ିଲା, ମୋ ମନ ଆଉ ସମାଳିଲା ନାହିଁ । ସେ ତ ସହଜେ ପିଲାଟା, ତମେ ତ ପୁଣି ଏଡ଼େ ବୁଢ଼ା ହୋଇ ବାହା ହେବ ବୋଲି କନିଆ ଖୋଜି ବୁଲୁଛ !

ଭୋଳା ଏ କଥାର ପ୍ରତିକାର ପାଇଁ ହୋରୀକୁ କରୁଣ ଦୃଷ୍ଟିରେ ଅନାଇ କହିଲା, ହୋରୀ ଶୁଣୁଛ ତ, ମୋର ଏଥର ଆଉ କିଛି ଦୋଷ ନାହିଁ । ମୁଁ ଏଥର ବଳଦ ନ ନେଲେ ଛାଡ଼ିବି ନାହିଁ ।

ହୋରୀ ଜୋର୍ କରି କହିଲା–ହଁ, ନେଇଯା ।

‘ପୁଣି ଆଉ ପଛରେ ପାଟି କରିବ ନାହିଁ, ମୋ ବଳଦ ନେଇଗଲା ବୋଲି ।’

ହୋରୀ ଠିକ୍ ବଳଦଙ୍କ ପଘା ଫିଟୋଉଛି, ଝୁନିଆ ଖଣ୍ଡେ ଛିଣ୍ଡା ପୁରୁଣା ଶାଢ଼ି ପିନ୍ଧି ପୁଅକୁ କାଖରେ ଧରି ବାହାରି ଆସିଲା । ବାପ ଆଗରେ ଛିଡ଼ା ହୋଇ ଥରି ଥରି କାନ୍ଦ କାନ୍ଦ ହୋଇ କହିଲା, ତମେ ତାଙ୍କ ଗୋରୁ ନିଅ ନାହିଁ, ମୁଁ ଆପେ ଆପେ ତାଙ୍କ ଘରୁ ବାହାରି ଯାଉଛି । ତମ ମନକାମନା ପୁରୁ, ମୁଁ ଦାଣ୍ଡଘାଟରେ ଭିକ ମାଗିକରି ଖାଏଁ । ନାହିଁ ଯଦି ଭିକ ନ ମିଳିବ, ଯୋଉଁଠି ହେଲେ ବୁଡ଼ି ମରିବି, ତେଣିକି ମୋ କପାଳରେ ଯାହା ଥିବ ।

ଭୋଳା ଚିଡ଼ିଯାଇ କହିଲା, ଯା ଅଲକ୍ଷଣି, ମୋ ଆଗରୁ ଯା । ଭଗବାନ କରନ୍ତୁ ତୋ ମୁହଁ ଯେମିତି ଆଉ ମୁଁ ନ ଦେଖେ । ଅଲକ୍ଷଣି, କୁଳବାଳୁଙ୍ଗି, ତୁ ଆହୁରି ଜୀଇଁଛୁ, ବୁଡ଼ି ମରୁନାହୁଁ ଯାହା ।

ଝୁନିଆ ଆଉ ବାପ ଆଡ଼କୁ ନ ଅନାଇ ଆଗକୁ ପାଦ ବଢ଼େଇଲା । ଦୁନିଆରେ ତା’ର କାହା ଉପରେ ଅହଂକାର ନ ଥିଲା, ସବୁଥିଲା ତା ନିଜ ଉପରେ । ମନ ହେଉଥିଲା ସେହି ମୁହୂର୍ତ୍ତରେ ପୃଥିବୀ ଫାଟିଯାନ୍ତା ଆଉ ସେ ମାଟି ଭିତରେ ମିଶିଯାନ୍ତା ।

 

ଝୁନିଆ ପାଦେ ଯାଇଛି କି ନାହିଁ ଧନିୟା ଧାଇଁ ଆସି ତାକୁ ଧରି ପକାଇ କହିଲା, କିଲୋ ତୁ କୁଆଡ଼େ ଯାଉଛୁ ? ଚାଲ ଚାଲ, ଘରକୁ ଚାଲ । ଏଇ ଘର ଦୁଆର ସବୁ ତୋର । ଆମ ପଛେ ପଛେ ତୁ ୟାକୁ ସବୁ ଭୋଗ କରିବୁ । ତୁ କିଆଁ ବୁଡ଼ି ମରିବୁ, ଆପଣା ପେଟଛୁଆର ଯେ ଭଗାରୀ ହେଉଛି ସେଇ ବାଡ଼ିପଡ଼ା ବୁଡ଼ିମରୁ । ଏଟା ଏଡ଼େ ଛୋଟ ନୋକ ମୁଁ ଜାଣିନଥିଲି, ମତେ ପୁଣି ଆସି ଧମକ ଦେଉଛି । ଯା, ନେଇ ଯା, ନେଇକରି ବଳଦଙ୍କ ରକତ ପି, ଯା.....

 

ଝୁନିଆ କାନ୍ଦି କାନ୍ଦି କହିଲା ମା, ଜନମକଲା ବାପ ଯେତେବେଳେ ଏତେ ଧିକ୍କାର କରୁଛି, ମୋତେ ଛାଡ଼ିଦିଅ ମୁଁ ଯାଇ ବୁଡ଼ିମରେ । ମୁଁ ତ ଛୋଟ କପାଳୀଟାଏ । ମୁଁ ପାଦଦେଲା ଦିନୁ ତମକୁ ଏତେ ବିପତ୍ତି ପଡ଼ିଲା, ତମର ଘରସଂସାର ସବୁ ନାରଖାର ହୋଇଗଲା । ହେଲେ, ତମେ ମୋତେ ଯେତେ ଆଦର କରିଛ, ନିଜ ମା ବି ଦିନେ ସେମିତି କରିନାହିଁ । ଭଗବାନ କରନ୍ତୁ, ମୁଁ ଆଉ ଥରେ ତମରି ଝିଅ ହେଇ ଜନମ ହୁଏ ।

 

ଧନିୟା ତାକୁ ନିଜ ଆଡ଼କୁ ଟାଣିନେଇ କହିଲା, ନାହିଁ ଲୋ, ସେ ତୋ ବାପ ନୁହେଁ, ସେ ତୋ ଭଗାରୀ, ତୋ ତଣ୍ଟି କାଟିବ ବୋଲି ଆସିଛି । ମା ଥିଲେ ଏତେ କଥା କିଆଁ ହୋଇଥାନ୍ତା ? ବୁଢ଼ା ବାଡ଼ିପଡ଼ା ବାହାହେବ ବୋଲି ବସିଛି । ହ’ନ୍ତା କି, ଖୁବ୍ ଖଡ଼ୁମୁସା ଯଦି ନ ଖା’ନ୍ତା ମତେ କହନ୍ତା ।

 

ଝୁନିଆ ଶାଶୁ ପଛେ ପଛେ ଘର ଭିତରକୁ ଚାଲିଗଲା । ଭୋଳା ଏଣେ ବଳଦ ଫିଟେଇ ଅଡ଼େଇ ଅଡ଼େଇ ଚାଲିଲା । ବନ୍ଧୁଘରକୁ ଆସି କ୍ଷିରୀ ପୁରୀ ଖାଇବା ବଦଳରେ ଯୋତା ମାଡ଼ ଖାଇଲେ ଯେମିତି ଲାଗେ, ତାକୁ ସେମିତି ଲାଗୁଥିଲା । ମନେ ମନେ କହିଲା, କରୁଥା ଏଥର ଚାଷ, ବସିକରି ଭୁଁ ବଜାଉ ଥା । ମତେ ପୁଣି ଅପମାନ ଦେବାକୁ ବଂଶଯାକ ବାହାରି ପଡ଼ୁଛନ୍ତି ! ଏମିତିଆ ବାଳୁଙ୍ଗୀ ଝିଅକୁ ପୁଣି ଘରେ ଧରି କରି ବସିଛନ୍ତି । ଏଗୁଡ଼ା ସମସ୍ତିଙ୍କି ସମସ୍ତେ ବଳି ବେହିୟା । ସେ ଟୋକାଟା ଏଇଥିପାଇଁ ଆଜିଯାଏ ବାହା ନ ହୋଇ ବସିଥିଲା । ଆଉ ଝୁନିଆ ରାଣ୍ଡକୁ ତ ସହଜେ ପାହୁଲାଟାକର ଲାଜ ନାହିଁ, ଆସିକରି ପୁଣି ଆଗରେ ଛିଡ଼ା ହେଉଛି । ଆଉ କୋଉ ଝିଅ ହୋଇଥିଲେ ମୁହଁ ଦେଖେଇ ନଥାନ୍ତା । ମୁହଁରୁ ତାର ପାଣି ଛାଡ଼ିଗଲାଣି । ସେଗୁଡ଼ା ସମସ୍ତେ ଖାଲି ମୂର୍ଖ ଖେଚଡ଼ାଗୁଡ଼ା । ଭାବୁଛନ୍ତି ଝୁନିଆ ଏବେ ତାଙ୍କର ହୋଇଗଲାଣି । ଯେ ନିଜ ବାପ ଘରେ ରହିପାରି ନାହିଁ, ସେ ପରା କୁଆଡ଼େ ପରଘରେ ରହିବ ! ଆଜି ସମୟଟା ଟିକିଏ ଭଲ ନୁହେଁ, ନହିଲେ ଚଣ୍ଡାଳୁଣୀ ଧାନୀୟାର ଚୁଟି ଧରି ତାକୁ ଆଜି ଦାଣ୍ଡ ମଝିରେ ଘୋଷାରି ଥାଆନ୍ତି । ଚଣ୍ଡାଳୁଣୀ, ମତେ କେତେ ବେଜିତ୍ ନ କଲା ସତେ !

 

ପୁଣି ବଳଦଙ୍କୁ ଚାହିଁ ଭାବିଲା, ବଡ଼ ବଢ଼ିଆ ଯୋଡ଼ି ହୋଇଛନ୍ତି । ଯେଉଁଠି ଇଚ୍ଛା ସେଠି ଶହେ ଟଙ୍କାରେ ବିକିଦେବି । ଗାଈ ଦାମ୍‍ ଅଶୀ ଟଙ୍କାରୁ କୋଡ଼ିଏ ଟଙ୍କା ଯେମିତି ହେଲେ ଅଧିକା ମିଳିଯିବ ।

 

ସେ ଗାଁରୁ ନ ବହାରୁଣୁ ଦେଖିଲା ତା ପଛେ ପଛେ ଦାତାଦୀନ, ପଟେଶ୍ଵରୀ, ଶୋଭା ହେରିକା ଦଶ ପାଞ୍ଚ ଜଣ କିଏ ଗୋଡ଼େଇଛନ୍ତି । ଏକଥା ଦେଖି ତା ରକତ ପାଣି ହୋଇଗଲା । ଭାବିଲା, ଯଦି ଗଣ୍ଡଗୋଳ ହୁଏ, ତେବେ ବଳଦ ତ ଯିବେ, ପୁଣି ମାଡ଼ ବି ଖାଇବ । ଏକଥା ଭାବି ଅଣ୍ଟା ଭିଡ଼ି ତିଆରି ହୋଇଗଲା, ମରିବ ଯଦି ଲଢ଼ିକରି ନ ମରିବ କିଆଁ ?

 

ପଣ୍ଡିତ ଦାତାଦୀନ ଭୋଳା ପାଖକୁ ଚାଲିଆସି କହିଲା, ଭୋଳା, ତୁ ଇଏ କି କାଣ୍ଡ କରୁଛୁ, ଏଁ ! ସେ କିଛି କହୁନାହିଁ ବୋଲି ତୁ ଏକଦମ ଷଣ୍ଢ ପାଲଟି ଯାଉଛୁ, ତୋର ଏଡ଼େ ବହପ, ତୁ ତା ବଳଦ ଫିଟାଇ ଧରି ଚାଲି ଯାଉଛୁ ! ଲୋକେ ସବୁ ଆପଣା ଆପଣା କାମରେ ଲାଗିଛନ୍ତି । କେହି କିଛି ଜାଣି ନାହାନ୍ତି । ନାହିଁତ ହୋରୀ ଯଦି ଖାଲି ଟିକିଏ ଈସାରା ଦେଇ ଦେଇଥାନ୍ତା, ତା ହେଲେ ତୋ ଖପୁରୀ ଉଡ଼ି ଯାଇଥାନ୍ତା । ଭଲ ମଙ୍ଗଳକୁ ଯଦି ବାଟ ଅଛି, ତେବେ ବଳଦ ଫେରେଇ ଦେ, ନହିଲେ ଦେଖିବୁ । ତୋର ଏତେ ଟିକିଏ ବି ମଣିଷପଣିଆ ନାହିଁ !

 

ପଟେଶ୍ୱରୀ କହିଲା–ହୋରୀ ଅତି ସରଳିଆ ଲୋକ ବୋଲି ଇଏ ହେଉଛି ତାର ଫଳ । ଆରେ ବାବୁ, ତୋର ଯଦି ତା ଉପରେ ଟଙ୍କା ପଇସା ଅଛି, ଦେୱାନୀ କର, ଡିଗ୍ରୀ ଜାରିକରି ନେଇଯା । ତା ବଳଦ ଫିଟାଇ ନେବାକୁ ତୁ କିଏ ସେ ? ସେ ଯଦି ଏଇନେ ଫୌଜଦାରି କରିଦିଏ, ତା ହେଲେ ତୁ ବନ୍ଧାହୋଇ କରି ଯିବୁ ନା ନାହିଁ ?

 

ଭୋଳା ଟିକିଏ ଦବିଯାଇ କହିଲା ଲାଲା ସାହେବ୍, ମୁଁ କଣ ଜବରଦସ୍ତି ଫିଟାଇ ଆଣିଛି, ହୋରୀ ତ ନିଜେ ଦେଇଛନ୍ତି ।

 

ପଟେଶ୍ୱରୀ ଶୋଭାକୁ କହିଲା–ଶୋଭା, ଯା ବଳଦ ଲେଉଟେଇ ଧର । ଚାଷୀ କେବେ ନିଜ ବଳଦ ଖୁସିରେ କାହାକୁ ଦେଲାଣି !

 

‘ଆମେ ବଳଦ ନେଇଯାଉଛୁ, ତୋର ଯଦି ବଳ ଅଛି ତୁ ଯାଇ ଦେୱାନୀ କର । ନହିଲେ ତତେ ଏଠି ମାରି ଗଡ଼େଇବୁ । ହାତରେ କେତେ ପଇସା ଗଣି ଦେଇଥିଲୁ ? ଗୋଟେ ଅଲକ୍ଷଣି ଗାଇଟେ, ତାକୁ ବଳେ ବଳେ ଦେଇ, ଏବେ ଜବରଦସ୍ତି ତା ବଳଦ ଧରି ଚାଲି ଯାଉଛି । କମ୍ ବହପ ନୁହେଁ ତ !

 

ଭୋଳା ଗୋରୁଙ୍କୁ ବାଟ ଛାଡ଼ିଲା ନାହିଁ, ଆଗରେ ଠିଆ ହୋଇ ରହିଲା ସତେ ଯେମିତି ମଲେ ଯାଇଁ ସେଠୁ ହଟିବ । ପଟୁଆରୀ ସଙ୍ଗେ ଯୁକ୍ତିକରି ସେ ପାରନ୍ତା କୁଆଡ଼ୁ ?

 

ଦାତାଦୀନ ଗୋଟାଏ କଦମ ଆଗକୁ ଚାଲିଆସି, ଅଣ୍ଟା ସିଧାକରି ସମସ୍ତଙ୍କୁ କହିଲା, ତମେ ସବୁ ଠିଆହୋଇ ଦେଖୁଛ କଣ ? ତାକୁ ପିଟିକରି ଘଉଡ଼ି ଦିଅ, ଇଏ ଗୋଟେ ଏମିତି ବଳୁଆ ଯେ ଆମ ଗାଁରୁ ବଳଦ ଫିଟେଇ ନେଇ ଚାଲିଯିବ ?

 

ତାଙ୍କ ଭିତରେ ବଂଶୀ ବୋଲି ଜଣେ ଭେଣ୍ଡିଆ ଲୋକ ଥିଲା । ଭୋଳାକୁ ସେ ଏମିତି ଧକାଏ ମାରିଲା ଯେ ଭୋଳା ଭୂଇଁରେ କଚାଡ଼ି ହୋଇ ପଡ଼ିଲା । ସେ ଭୂଇଁରୁ ଉଠିଲା ବେଳକୁ ଆହୁରି ଏକ ଧକା ପକାଇଲା ।

 

ହୋରୀ ସେତେବେଳକୁ ପଛରେ ଦୌଡ଼ିଆସି ପହଞ୍ଚିଲା । ତାକୁ ଦେଖି ଭୋଳା କହିଲା–ସତ କହିଲ ହୋରୀ, ମୁଁ କଣ ତମ ବଳଦ ଜବରଦସ୍ତ ନେଇ ଆସିଛି ?

 

ଦାତାଦୀନ କଥାକୁ ଅର୍ଥ କରି କହିଲା, ଇଏ କହୁଛି ଯେ ହୋରୀ ଖୁସୀରେ ୟାକୁ ବଳଦ ଦି’ଟା ଦେଇ ଦେଇଛି । ଇଏ କଣ ଆମକୁ ଏଡ଼େ ଓଲୁ ବୋଲି ଭାବୁଛି ?

 

ହୋରୀ ହାତ ମଳି ମଳି ସଙ୍କୁଚିତ ହୋଇ କହିଲା, ଇଏ ମତେ କହିଲେ ତମେ ଝୁନିଆକୁ ଘରୁ ବାହାର କରିଦିଅ, ନହିଲେ ମୁଁ ତମ ବଳଦ ଫିଟେଇ ନେବି । ମୁଁ କହିଲି ମୁଁ ବୋହୂକୁ ଘରୁ ବାହାର କରିଦେଇ ପାରିବି ନାହିଁ, କି ମୋ ପାଖରେ ପଇସା ନାହିଁ, ତମ ଧରମ ମୋ କରମ । ଯଦି ମନ ପାଉଛି, ତେବେ ତମେ ବଳଦ ଫିଟାଇ ନିଅ । ମୁଁ ତ ସବୁ କଥା ଧରମକୁ ଅନେଇ ଛାଡ଼ିଦେଲି, ସେ ତ ବଳଦ ଫିଟାଇ ଧରି ଚାଲି ଆସିଲେ, ଆଉ କ’ଣ ।

 

ପଟେଶ୍ୱରୀ ମୁହଁକୁ ତଳକୁ କରି କହିଲା–ହଁ, ତମେ ଯଦି ଧରମ ହାତରେ ଛାଡ଼ିଦେଲ, ତେବେ ଆଉ ଜବରଦସ୍ତି ହେଲା କେମିତି ? ତା ଧରମ ଯଦି କହିଲ, ସେ ଫିଟାଇ ଆଣିଲା । ଆଚ୍ଛାଭାଇ, ତମେ ଯା, ବଳଦ ଏଥର ତମର ହେଲେ ।

 

ଦାତାଦୀନ ବି ସେହି କଥାକୁ ସମର୍ଥନ କରି କହିଲା, ହଁ ଯେତେବେଳେ ଧରମ କଥା ପଡ଼ିଲାଣି ଆଉ କିଛି କହି ଲାଭ ନାହିଁ । ହୋରୀକୁ ସମସ୍ତେ ଟେରେଇ ଟେରେଇ ଚାହିଁ ହାରିକରି ଫେରି ଆସିଲେ । ଭୋଳାର ଜାଣି ଶେଷକୁ ଜିତାପଟ ହେଲା । ଗର୍ବରେ ଛାତି ଫୁଲାଇ ବଳଦ ଧରି ସେ ଚାଲିଲା ।

Image

 

ପଞ୍ଚଦଶ ପରିଚ୍ଛେଦ

 

ମାଳତୀ ସିନା ଉପରେ ପ୍ରଜାପତି ସାଜିଥିଲା କିନ୍ତୁ ଭିତରେ ଥିଲା ମହୁମାଛି । ସବୁବେଳେ ତା ମୁହଁରେ ଯେଉଁ ହସ ଦେଖାଯାଏ, ସେ ତ ହସ ନୁହେଁ, ଖାଲି ମାୟା । ଖାଲି ଗୁଡ଼ ଖାଇ କେତେଦିନ କିଏ ବଞ୍ଚିବ, ବଞ୍ଚିଲେ ବା ସୁସ୍ଥ ରହିବ କେମିତି ? ତଥାପି ମାଳତୀ ଭୋକିଲା ପେଟରେ ହସେ, କାରଣ ସେଥିରୁ ତାକୁ ଫାଇଦା ମିଳେ । ସେ ଯେ ସବୁବେଳେ ଏମିତି ଚକମକ ହୋଇ ବୁଲୁଥାଏ, ତାର କାରଣ ନୁହେଁ ଯେ ଚକମକ ହୋଇ ରହିବାକୁ ସେ ପସନ୍ଦ କରେ । ବରଂ ସବୁବେଳେ ସାଜସଜା ଓ ଚକମକ ହୋଇ ରହିବା ଫଳରେ ଆପଣା ମନକୁ ଭୁଲେଇ ରଖିବାକୁ ତାକୁ ସୁବିଧା ମିଳେ । ମାଳତୀ ଯେମିତି, ତା ବାପ ବି ସେମିତି । ସେ ଜଣେ ବଡ଼ ଦଲାଲ । ଖାଲି କଥା କହି କହି ଏପଟ ସେପଟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର । ବଡ଼ ବଡ଼ ଜମିଦାରଙ୍କର ଜମି ବିକେଇବା, ତାଙ୍କୁ କରଜ ଦିଆଇବା, ବଡ଼ ବଡ଼ ଅମଲାଙ୍କ ସଙ୍ଗେ ଭେଟ କରେଇ କାମ ହାସଲ କରିବା ହେଉଛି ତାଙ୍କର କାମ । ଏ ପ୍ରକାର ଲୋକଗୁଡ଼ା ପ୍ରକୃତରେ ଭାରି ଚାଲାକ୍ । କେଉଁଠି କିଛି ପାଇବାର ଆଶା ଥିଲେ, କୌଣସି ପ୍ରକାରେ କାମ ହାସଲ କରିନେବେ । ଗୋଟେ ଗୋଟେ ରଜାପୁଅ କିମ୍ବା ରଜାଝିଅର ବାହାଘର କରେଇ ଦେଲେ ଥରକେ ପାଞ୍ଚ ଦଶ ହଜାର ଟଙ୍କା । ଏମିତିଆ କାମ ଛୋଟ ଲୋକ କଲେ ଆମେ ତାଙ୍କୁ ଟାଉଟର କହେଁ, ଭାରି ଘୃଣା ବି କରେଁ । କିନ୍ତୁ ବଡ଼ ଲୋକେ ଏ କାମ କଲେ କିଛି ଯାଏଆସେ ନାହିଁ । ତାଙ୍କୁ ବରଂ ଆହୁରି ସୁବିଧା; ରଜାମାନଙ୍କ ସଙ୍ଗେ ଶିକାରକୁ ଯିବେ, ଲାଟ୍ ସାହେବଙ୍କ ସଙ୍ଗେ ଚା ଖାଇବେ । ମିଷ୍ଟର କୌଲ୍ ହେଉଛନ୍ତି ଏହିପରି ଜଣେ ଭାଗ୍ୟବାନ ଲୋକ । ତାଙ୍କର ତିନି ଝିଅ, ତିନିକି ତିନିହେଁ କୁମାରୀ । ତାଙ୍କର ଲକ୍ଷ୍ୟ ଥିଲା ଯେ ତିନି ଝିଅଯାକଙ୍କୁ ବିଲାତ ପଠାଇ ବିଲାତରେ ଶେଷପାଠ ପଢ଼ାଇ ଦେବେ । ଆଉ ଲୋକଙ୍କ ପରି ସେ ବି ଭାବନ୍ତି ଯେ ବିଲାତ ଗଲେ ଲୋକଙ୍କର କିଛି ନା କିଛି ବିଶେଷତ୍ୱ ଆସିଯାଏ-। ସେଠିକାର ପାଣି ପବନରେ ବୋଧହୁଏ ବୁଦ୍ଧିକୁ ତେଜ କରିବାର ଶକ୍ତି ଅଛି । କିନ୍ତୁ ମିଷ୍ଟର୍ କୌଲଙ୍କର ଏହି ଆଶା ପୂର୍ଣ୍ଣ ହୋଇ ପାରିଲା ନାହିଁ । କେବଳ ତିନିଭାଗରୁ ଭାଗେ ମାତ୍ର ପୂରିଲା-। ମାଳତୀ ବିଲାତରେ ଥିଲାବେଳେ ତାଙ୍କ ବାପାଙ୍କର ଏମିତି ରୋଗ ହେଲା ଯେ, ସେ ବିଲକୁଲ ଅକାମୀ ହୋଇଗଲେ, ଦିଜଣ ଦିହାତ ଧରିଲେ ଯାଇଁ ଉଠିଲେ । ପାଟି ତ ବିଲକୁଲ ପଡ଼ିଗଲା-। ପାଟି ବନ୍ଦ ହେବା ସଙ୍ଗେ ସଙ୍ଗେ ଆମଦାନୀ ବି ବନ୍ଦ ହୋଇଗଲା । ତହିଁକି ହାତରେ ପଇସାପତ୍ର ଗୋଟିଏ ବି ନଥିଲା, ଇଆଡ଼ୁ ଆଣି ସିଆଡ଼େ ସବୁ ଖର୍ଚ୍ଚ କରି ଦେଇଥିଲେ । ଆସୁଥିଲା ଯେତିକି, ଯାଉଥିଲା ସେତିକି । କିନ୍ତୁ ଏଣିକି ଅବସ୍ଥା ବାରଗଣ୍ଡା ଦିକଡ଼ା । ବର୍ତ୍ତମାନ ମାଳତୀଙ୍କ ମୁଣ୍ଡରେ ସବୁ ବୋଝ । ଦରମା ବୋଲି ମୋଟେ ଚାରି ପାଞ୍ଚଶହ ଟଙ୍କା, ସେଥିରେ ଏତେ ଆଡ଼ାଚୌଡ଼ା କରିବା ମୁସ୍କିଲ । ଯାହା ହେଉ, ତାଙ୍କ ରୋଜଗାରରେ ଭଉଣୀ ଦିହିଁଙ୍କର ପାଠପଢ଼ା ହୋଇଯାଉଥିଲା, ଆଉ ଆପଣା ମାନମର୍ଯ୍ୟାଦା ରଖି ଭଦ୍ରଲୋକଙ୍କ ପରି କୌଣସିମତେ ଚଳି ଯାଉଥିଲେ । ମାଳତୀଙ୍କୁ ସେଥିପାଇଁ ସକାଳୁ ସଞ୍ଜଯାଏ ଦୌଡ଼ିବାକୁ ପଡ଼ୁଥିଲା । ବାପା ଯଦି ଟିକିଏ ସାତ୍ତ୍ୱିକ ରହିଥାନ୍ତେ, ତେବେ ଏତେ କଷ୍ଟ କରିବାକୁ ପଡ଼ି ନ ଥାନ୍ତା । କିନ୍ତୁ ଆଗରୁ ମଦମାଂସର ଯେଉଁ ଅଭ୍ୟାସ, ତାକୁ ଛାଡ଼ି ପାରୁଛନ୍ତି କେଉଁଠି ! ଦରକାର ପଡ଼ିଲେ ନିଜ କୋଠି ଲେଖିଦେଇ ମହାଜନଙ୍କଠାରୁ ହଜାର ଦିହଜାର ନେଇଯାନ୍ତେ । ମହାଜନ ବିଚାରା ମୁହଁ ମୁଲାଜାରେ କିଛି କହିପାରନ୍ତି ନାହିଁ କାହିଁକି ନା ଆଗେ ତାଙ୍କରି ଅନୁଗ୍ରହରୁ ସେମାନେ ମହାଜନୀରେ ଉପରକୁ ଉଠିଥାନ୍ତି । ତାଙ୍କ ଉପରେ ମହାଜନଙ୍କର ପାଉଣା ପ୍ରାୟ ପଚିଶ ହଜାର ହୋଇ ଯାଇଥିଲା, ଚାହିଥିଲେ ସେମାନେ ଘରଦ୍ଵାର କୋରଖି କରି ପାରିଥାନ୍ତେ । କିନ୍ତୁ ବନ୍ଧୁତା ଖାତିରରେ କିଛି କରିପାରୁ ନଥିଲେ । ସ୍ଵାର୍ଥପର ଲୋକଙ୍କଠାରେ ଯେ ପ୍ରକାର ନିର୍ଲଜ୍ଜତା ସାଧାରଣତଃ ଦେଖାଯାଏ, କୌଲ୍ ସାହେବଙ୍କଠାରେ ତାହା ପୂରାପୂରି ଥିଲା । ସୁଧ ଯେତେ ଲଢ଼ୁଥିଲେ ବି କିଛି ପରୁଆ ନଥିଲା-। କିନ୍ତୁ ମାଳତୀ ବାପାଙ୍କ ଉପରେ ମନେ ମନେ ଭାରି ବିଗୁଡ଼ୁଥିଲା; କିନ୍ତୁ ତାଙ୍କ ମା ସାକ୍ଷାତ ଦେବୀ ପ୍ରକୃତିର ଲୋକ ଥିବାରୁ, ବିଶେଷତଃ ପତିବ୍ରତା ଥିବାରୁ ମାଳତୀଙ୍କୁ ବରାବର ବୁଝେଇ ସୁଝେଇ ସେ ତୁନୀକରି ଦେଉଥିଲେ । ସେଥିପାଇଁ ଘରେ କିଛି ଝଗଡ଼ା ହେଉ ନଥିଲା ।

 

ସଂଧ୍ୟା ସମୟ, ଗରମ ପବନ ବହୁଥିଲା ଏବଂ ଆକାଶ ଧୂଳିରେ ଭରି ଯାଇଥିଲା । ମାଳତୀ ଆଉ ତାଙ୍କ ଭଉଣୀ ଦୁହେଁ ଘର ସାମନା ପଡ଼ିଆରେ ବସିଥିଲେ । ବର୍ଷା ନଥିବାରୁ ଘାସସବୁ ମରିଯାଇଥିଲା, ଭୂଇଁ ଶୁଖିଲା ପଡ଼ିଥିଲା ।

 

ମାଳତୀ ପଚାରିଲା, ମାଳୀ କ’ଣ ଆଜିକାଲି ମୋଟେ ପାଣି ଦେଉନି ?

 

ମଝିଆଁ ଭଉଣୀ ସରୋଜ କହିଲା, ଇଡ଼ିଅଟ୍‍ଟା ତ ଶୋଇ ଶୋଇ ସବୁବେଳେ ଚାଲି ଯାଉଛି । କହିଲେ, ଏଇନେ ପଚାଶ ପ୍ରକାର ବାହାନା କରିବ ।

 

ସରୋଜ ବି.ଏ. କ୍ଲାସରେ ପଢ଼େ, ଶ୍ୟାମଳ ରଙ୍ଗ, ଖୁବ୍ ଡେଙ୍ଗେଇ, ବ୍ୟବହାର ତାର ଭାରି ରୁକ୍ଷ, ଭାରି କର୍କଶ । କାହା କଥା ତା ମନକୁ ଆସେ ନାହିଁ, ସବୁବେଳେ ସମସ୍ତଙ୍କର ଦୋଷ ବାଛୁଥାଏ । ତାର ଦେହ ଖରାପଥିବାରୁ ଡାକ୍ତର ସବୁବେଳେ କହନ୍ତି ଯେ, ସେ କୌଣସି ପାହାଡ଼ୀ ସ୍ଵାସ୍ଥ୍ୟନିବାସରେ ରହିବା ଉଚିତ । କିନ୍ତୁ ଘରର ଅବସ୍ଥା ଯାହା, ସେଥିରେ ବାହାରକୁ ଯିବାର ସୁବିଧା କାହିଁ ?

 

ସରୋଜ ପ୍ରତି ସାନ ଭଉଣୀ ବରଦାର ଭାରି ରାଗ; ତା ମନେ ମନେ ଘରଯାକ ସମସ୍ତେ କାହିଁକି ସରୋଜ ପିଛା ଏମିତି ଲାଗିଛନ୍ତି । ଯଦି ରୋଗ ହେଲେ ଲୋକ ଏତେ ଆଦର ପା’ନ୍ତି, ତାକୁ ଏବେ ନିଜକୁ ରୋଗ ନ ହେଉଛି କାହିଁକି ? ସେ ଦେଖିବାକୁ ଟିକିଏ ଗୋରୀ, ସୁସ୍ଥସବଳ, ଭାରି ଚଞ୍ଚଳ, ସୁନ୍ଦର ସୁନ୍ଦର ଆଖି, ମୁହଁରେ ପ୍ରତିଭାର ଚମକ । ଏଇସବୁ ପାଇଁ ବି ତାର ଭାରି ଗର୍ବ । ସରୋଜ ଛଡ଼ା ତାକୁ ଆଉ ସମସ୍ତେ ପ୍ରାୟ ଭଲ ପାନ୍ତି । ତାର ସ୍ଵଭାବ ହେଉଛି, ସରୋଜ ଯାହା କହିବ ସେ ତାର ଓଲଟା କହିବ । ସରୋଜ କଥାକୁ ପ୍ରତିବାଦ କରି ସେ କହିଲା–ବାପା ତ ଦିନରାତି ତାକୁ ବଜାର ପଠାଉଛନ୍ତି, ମରିବାକୁ ତ ତାକୁ ବେଳ ନାହିଁ, ଶୋଉଛି କେତେବେଳେ ?

 

ସରୋଜ ଚଢ଼ିଯାଇ କହିଲା, କାହିଁକି ମିଛ କଥାଗୁଡ଼ା କହୁଛୁ, ବାପା କେତେବେଳେ ତାକୁ ବଜାରକୁ ପଠାଉଛନ୍ତି ?

 

‘ସବୁବେଳେ ତ ପଠାଉଛନ୍ତି, କେତେବେଳେ କ’ଣ । ଆଜି ତ ଏଇନେ ପଠାଉଥିଲେ, କହିଲେ ଡାକିକରି ଏଇନେ ପଚାରି ଦେବି ।’

 

‘ପଚାରିବା, ଡାକିବି ?’

 

ମାଳତୀ ଟିକିଏ ଡରିଗଲେ, ଦିହେଁଯାକ ପୁଣି କଳି ହୋଇଗଲେ ସେଠି ବସିବା ମୁସ୍କିଲ ହେବ । କଥାକୁ ବଦଳାଇ ଦେଇ ସେ କହିଲେ; ଆଚ୍ଛା ଛାଡ଼, ସେ କଥା ପରେ ବୁଝିବା । ଆଚ୍ଛା ସରୋଜ, ଡାକ୍ତର ମେହେତା ଆଜି ତମ କ୍ଲାସରେ ବକ୍ତୃତା ଦେଇଥିଲେ କି ?

 

ସରୋଜ ନାକ ଡିଆଁଇ କରି କହିଲା, ହଁ, ଦେଇଥିଲେ ତ, କିନ୍ତୁ ତାଙ୍କ ଲେକ୍‍ଚର୍‍ କେହି ପସନ୍ଦ କରନ୍ତି ନାହିଁ । ଆଜି ସେ କହିଲେ–ସ୍ତ୍ରୀମାନଙ୍କ କାମ ପୁରୁଷଙ୍କ କାମଠୁ ଅଲଗା । ଏହି ଯୁଗର ଗୋଟେ ବଡ଼ କଳଙ୍କ ହେଉଛି ଯେ, ସ୍ତ୍ରୀମାନେ ପୁରୁଷମାନଙ୍କ କାମ କରିବାକୁ ବାହାରି ପଡ଼ୁଛନ୍ତି । ଏକଥା ଶୁଣି ସବୁ ଝିଅ ତାଳିମାରି ପାଟିତୁଣ୍ଡ କରି ଏମିତି ସିଟି ମାରିଲେ ଯେ, ବିଚାରା ତୁନୀ ହୋଇ ବସିପଡ଼ିଲେ । ବଡ଼ ବିଚିତ୍ର ଲୋକ ସେ । କହୁ କହୁ ବିଚାରା କହିଦେଲେ–ପ୍ରେମ କେବେ ସତ୍ୟ ନୁହେଁ, ପ୍ରେମ କେବଳ କବିର କଳ୍ପନା । ବାସ୍ତବ କ୍ଷେତ୍ରରେ ଏହାର ସ୍ଥାନ ନାହିଁ । ଲେଡ଼ୀ ହୁକୁ ତାଙ୍କ କଥା ଶୁଣି ଭାରି ଥଟ୍ଟା ପରିହାସ କଲେ ।

 

ମାଳତୀ ଟିକିଏ କଟାକ୍ଷ କରି କହିଲେ–ଲେଡ଼ୀ ହୁକୁଙ୍କର ଏ ବିଷୟରେ ପାଟି ଫିଟାଇବାର କି କ୍ଷମତା ଅଛି ? ସେ କ’ଣ ଜାଣନ୍ତି ? ତମେ ସବୁ ମୂଳରୁ ଶେଷଯାଏ ତାଙ୍କ ବକ୍ତୃତା ଶୁଣିବା ଉଚିତ ଥିଲା । ତା ହେଲେ ତମେ ଜାଣି ପାରିଥାନ୍ତ, ପ୍ରକୃତରେ ସ୍ତ୍ରୀମାନଙ୍କ ପ୍ରତି ତାଙ୍କ ମନଭିତରେ କି ଧାରଣା ଅଛି ।

 

‘ଶେଷଯାଏ ତାଙ୍କ ବକ୍ତୃତା ଶୁଣିବାପାଇଁ ଧୈର୍ଯ୍ୟ କାହାର ଥିଲା ? ସେ ତ ମୂଳରୁ କଟା ଘା’ରେ ଲୁଣଦେଇ ବସିଥିଲେ ।’

 

‘ଶୁଣିଲ ନାହିଁ ଯଦି ତାଙ୍କୁ ଡକାଇଥିଲ କାହିଁକି ? ପ୍ରକୃତରେ ତାଙ୍କର ସ୍ତ୍ରୀମାନଙ୍କ ପ୍ରତି ଘୃଣା ନାହିଁ । କିନ୍ତୁ ଲୋକ ଯାହାକୁ ସତ ବୋଲି ଭାବେ, ତାକୁ ସେ ପ୍ରଚାର କରେ । ଅବଶ୍ୟ ସେ ଏମିତି ଲୋକ ନୁହନ୍ତି, ଯେ ସ୍ତ୍ରୀମାନଙ୍କର ମନ ଖୁସୀ କରିବାପାଇଁ ଖାଲି ମିଛ କଥା କହିବେ । ଆମେ ଏବେ ବର୍ତ୍ତମାନ କେମିତି ଜାଣିବା ଆଜିକାଲିର ସ୍ତ୍ରୀମାନେ ଯେଉଁ ରାସ୍ତାରେ ଯାଉଛନ୍ତି ସେ ରାସ୍ତା ଠିକ୍ ନା ଭୁଲ୍ । ହୁଏତ ଭବିଷ୍ୟତରେ ଆମମାନଙ୍କୁ ଏ ରାସ୍ତା ବଦଳାଇବାକୁ ପଡ଼ିପାରେ ।

 

ମାଳତୀ ଫ୍ରାନ୍‍ସ, ଜର୍ମାନୀ, ଇଟାଲୀ ପ୍ରଭୃତି ଦେଶର ସ୍ତ୍ରୀମାନଙ୍କର ଜୀବନ ଆଦର୍ଶର ନାନା ଉଦାହରଣ ଦେଇସାରି କହିଲେ–ନିକଟରେ ଡାକ୍ତର ମେହେତା ଉମେନ୍‍ସ୍‍ ଲିଗ୍‍ର ଏକ ସଭାରେ ଭାଷଣ ଦେବେ । ସରୋଜ ଟିକିଏ କୁତୂହଳୀ ହୋଇ କହିଲା–ମଲା, ତମେ ତ ପୁଣି କହ, ସ୍ତ୍ରୀ ପୁରୁଷ ଉଭୟଙ୍କର ସମାନ ଅଧିକାର ହେବା ଉଚିତ । ‘ହଁ ମୁଁ ତ ସେକଥା ଏବେ ବି କହୁଛି, ହେଲେ ପୁରୁଷମାନେ କ’ଣ କହୁଛନ୍ତି ସେକଥା ତ ପୁଣି ଦେଖିବାକୁ ହେବ । ମୁଁ ଏବେ ଯାହା କହୁଛି ସେ ଭୁଲ ହୋଇପାରେ ।’

 

ଉମେନ୍‍ସ୍‍ ଲିଗ୍ ସେହି ସହରର ଏକ ନୂତନ ଅନୁଷ୍ଠାନ । ମାଳତୀଙ୍କ ଉଦ୍ୟମରେ ତାହା ଅନୁଷ୍ଠିତ ହୋଇଥିଲା । ସହରର ସବୁ ଶିକ୍ଷିତ ସ୍ତ୍ରୀଲୋକ ସେଥିରେ ମେମ୍ବର ଥିଲେ । ମେହେତାଙ୍କ ପ୍ରଥମ ଭାଷଣରେ ସ୍ତ୍ରୀମାନଙ୍କ ଭିତରେ ଖୁବ୍ ଚହଳ ପଡ଼ି ଯାଇଥିଲା । ସେଥିପାଇଁ ସେମାନେ ଦ୍ଵିତୀୟ ଭାଷଣରେ ମେହେତାଙ୍କୁ ଆଚ୍ଛାକରି ପାନେ ଦେବାପାଇଁ ସଜବାଜ ହେଉଥିଲେ । ଏ ଦାୟିତ୍ୱ ଥିଲା ମାଳତୀଙ୍କ ଉପରେ । ବହୁତ ଦିନୁ ସେ ଆପଣାର ଯୁକ୍ତି ପାଇଁ ମସଲା ଖୋଜି ବୁଲୁଥିଲେ । ଆଉ କେତେକ ସ୍ତ୍ରୀ ମଧ୍ୟ ପ୍ରବନ୍ଧ ଲେଖାରେ ଲାଗି ଯାଇଥିଲେ । ସେଦିନ ସନ୍ଧ୍ୟାରେ ମେହେତା ସାହେବ ଯେତେବେଳେ ବକ୍ତୃତା ଦେବାପାଇଁ ଆସି ହଲରେ ପହଞ୍ଚିଗଲେ, ଜଣାଗଲା, ସତେ ଯେମିତି ଲୋକ ଗହଳିରେ ହଲ୍ ଫାଟିପଡ଼ିବ । ଏତେ ଲୋକ ତାଙ୍କ ବକ୍ତୃତା ଶୁଣିବାପାଇଁ ଆସି ଗଦା ହୋଇଛନ୍ତି ଦେଖି ତାଙ୍କର ଗର୍ବର ଆଉ ସୀମା ରହିଲା ନାହିଁ । ଏ ପ୍ରକାର ଉତ୍ସାହ ବାସ୍ତବରେ କାହାରି ମନ ଭିତରେ ନଥିଲା କେବଳ ମୁହଁ ଉପରେ ଥିଲା ଯାହା । ସ୍ତ୍ରୀମାନେ ସମସ୍ତେ ଆଜି ରେଶମ ଶାଢ଼ି ଏବଂ ସୁନା ଗହଣାରେ ଛାଇହୋଇ କରି ଆସିଥିଲେ ସତେ ଯେମିତି କେଉଁ ବାହାଘରକୁ ଆସିଛନ୍ତି । ଚକମକ ହୋଇ ବାହାରିବାରେ ମୂଲ୍ୟ ନାହିଁ ଏକଥା କିଏ କହି ପାରିବ ? ଏପରିକି ମାଳତୀ ବି ନୂଆ ଫେସନର ଶାଢ଼ି, ନୂଆ ତିଆରି ବେଶଭୂଷାରେ ମଣ୍ଡିହୋଇ ଯାଇଥିଲେ-। ନାନା ରଙ୍ଗର ଫୁଲରେ ଏମିତି ସଜେଇ ହୋଇ ଆସିଥିଲେ, ସତେ ଯେମିତି ତାଙ୍କର ବାହାଘର ହେଉଛି । ଉମେନ୍‍ସ୍‍ ଲିଗରେ ଏମିତିଆ ସଭା ଆଗରୁ ଆଉ କେବେ ହୋଇ ନଥିଲା-। ଏତେ ସ୍ତ୍ରୀଲୋକଙ୍କ ସାମନାରେ ପୁରୁଷମାନଙ୍କ ପକ୍ଷରୁ ମେହେତା ଏକା ଥିଲେ, ତେବେ ବି ସ୍ତ୍ରୀଲୋକମାନେ ଡରରେ କମ୍ପୁଥିଲେ–କିଏ ଜାଣେ ସତ୍ୟର ନିଆଁ ଝୁଲଟାଏ ବି ମିଛ ପାହାଡ଼କୁ ମୁହୂର୍ତ୍ତକେ ପୋଡ଼ି ଭସ୍ମକରି ନ ଦେବ !

 

ପୁରୁଷମାନଙ୍କ ମଧ୍ୟରେ ମିର୍ଜା ସାହେବ, ଖନ୍ନା ସାହେବ ଏବଂ ସମ୍ପାଦକ ସାହେବ ଆସି ସବା ଶେଷଧାଡ଼ିରେ ବସି ଯାଇଥିଲେ । ରାୟ ସାହେବ ଟିକିଏ ଡେରିରେ ଆସି ସବା ପଛରେ ଛିଡ଼ାହୋଇ ରହିଲେ ।

 

ମିର୍ଜା କହିଲେ, ଭିତରକୁ ଆସନ୍ତୁ, କେତେବେଳଯାଏ ସେଠି ଛିଡ଼ା ହେବେ ?

 

ରାୟ ସାହେବ କହିଲେ, ସେଠିକି ଗଲେ ମୋର ଅସୁବିଧା ହେବ । ‘ତାହେଲେ ମୁଁ ଛିଡ଼ା ହୋଇ ଯାଉଛି, ଆପଣ ବସନ୍ତୁ ।’

 

ରାୟ ସାହେବ ତାଙ୍କ କାନ୍ଧ ଉପରେ ହାତ ଦେଇ କହିଲେ, ମୋର କିଛି ଅସୁବିଧା ନାହିଁ ଆପଣ ବସନ୍ତୁ; ମୋତେ କାଟିଲେ ପୁଣି ମୁଁ ଆପଣଙ୍କୁ ଉଠେଇଦେଇ ବସିବି । ଓ...ହୋ, ଆଜି ମାଳତୀ ଦେବୀ ସଭାପତି ! ତା ହେଲେ ଖନ୍ନା ସାହେବ ଆଜି ଆମମାନଙ୍କୁ ଖାଇବାକୁ ଦିଅନ୍ତୁ ।

 

ଖନ୍ନା ସାହେବ ଟିକିଏ କାନ୍ଦ କାନ୍ଦ ହୋଇଯାଇ କହିଲେ, ଏବେ ମେହେତାଙ୍କ ଉପରେ ତାଙ୍କର ଆଖି, ମୁଁ କେଉଁଦିନୁ ଇସ୍ତଫା ଦେଲିଣି ।

 

ମିଷ୍ଟର ମେହେତାଙ୍କ ଭାଷଣ ଆରମ୍ଭ ହେଲା । ସେ କହିଲେ, ଦେବୀଗଣ, ଆପଣମାନଙ୍କୁ ମୁଁ ଦେବୀ ବୋଲି ସମ୍ବୋଧନ କଲାବେଳେ ଆପଣମାନଙ୍କୁ ହୁଏତ କିଛି ଅଡ଼ୁଆ ଲାଗୁ ନଥିବ । କିନ୍ତୁ କୌଣସି ନାରୀ କେବେ ପୁରୁଷମାନଙ୍କୁ ଦେବତା ବୋଲି ସମ୍ବୋଧନ କରିବାର ଆପଣମାନେ ଶୁଣିଛନ୍ତି କି ? ପୁରୁଷମାନଙ୍କୁ ଦେବତା କହିଲେ ସେମାନେ ଥଟ୍ଟା ବୋଲି ମନେକରନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଦାନ କରିବାପାଇଁ ଆପଣମାନଙ୍କ ପାଖରେ ଦୟା, କ୍ଷମା, ତ୍ୟାଗ ପ୍ରଭୃତି ଯେଉଁ ଦେବ–ଦୁର୍ଲଭ ଗୁଣ ଅଛି, ପୁରୁଷମାନଙ୍କ ପାଖରେ ତାହା କାହିଁ ? ସେଥିପାଇଁ ପ୍ରକୃତରେ ପୁରୁଷ ‘ଦେବତା’ ହୋଇପାରେ ନାହିଁ । ସେ ହେଉଛି ‘ଲେବତା’, ଯେ ଦିଏ ନାହିଁ ଖାଲି ନିଏ । ନିଜର ଅଧିକାର ହାସଲ କରିବାପାଇଁ ଯେ ହିଂସା, ଦ୍ୱେଷ, କଳହର ଆଶ୍ରୟ ନେବାଛଡ଼ା ଅନ୍ୟ କିଛି ଜାଣେ ନାହିଁ ।

 

ଖୁବ୍ ତାଳି ବାଜିଲା । ରାୟସାହେବ କହିଲେ, ମାଇକିନାମାନଙ୍କୁ ଖୁସୀ କରିବାକୁ ଯାହାହେଉ ବିଚାରା ଆଚ୍ଛା ଉପାୟ ବାହାର କରିଛନ୍ତି ।

 

‘ବିଜୁଳୀ’ର ସମ୍ପାଦକଙ୍କୁ ଟିକିଏ ଖରାପ ଲାଗିଲା । ସେ କହିଲେ, ଇଏ କେଉଁ ନୂଆ କଥାଟାଏ କହିଲେ, ମୁଁ ତ ଆଗରୁ ଅନେକ ଥର ଏହିକଥା କହି ସାରିଛି ।

 

ମେହେତା କହି ଚାଲିଲେ–ମୁଁ ଯେତେବେଳେ ଦେଖୁଛି ଯେ ଆମର ଏହି ଦେବୀପ୍ରତିମା ନାରୀମାନେ ଦୟା, କ୍ଷମା, ଶ୍ରଦ୍ଧା ପ୍ରଭୃତି ସଦ୍‍ଗୁଣ ଭୁଲି ପୁରୁଷମାନଙ୍କପରି ହିଂସା, ଦ୍ୱେଷ, କଳହ ଆଡ଼କୁ ବିଶେଷ ଭାବରେ ଆକୃଷ୍ଟ ହେଉଛନ୍ତି ଏବଂ ସେଥିରେ ଅଧିକ ସୁଖ ନିହିତ ଅଛି ବୋଲି ମନେକରୁଛନ୍ତି, ସେତେବେଳେ ମୁଁ ସେମାନଙ୍କୁ ପ୍ରଶଂସା କରିବା ମୋ ପକ୍ଷରେ ସମ୍ଭବ ହେଉନି ।

 

ଶ୍ରୀମତୀ ଖନ୍ନା ଗର୍ବରେ ଫୁଲିଉଠି ମାଳତୀଙ୍କ ଆଡ଼କୁ ଅନାଇବାରୁ ସେ ଲାଜରେ ମୁହଁ ତଳକୁ ପୋତିଦେଲେ ।

 

ମିର୍ଜା ସାହେବ କହିଲେ–ଏବେ ଆପଣ କହନ୍ତୁ, ମେହେତା ଖୁବ୍ ଆଚ୍ଛା ଲୋକ, ସତକଥାକୁ ମୁହେଁ ମୁହେଁ ଖୁବ୍ ବତାଉଛନ୍ତି ।

 

‘ବିଜୁଳୀ’ର ସମ୍ପାଦକ ନାକଟେକି କହିଲେ–ହଁ, ଯେଉଁକାଳେ ସ୍ତ୍ରୀମାନେ ଏସବୁ କଥାକୁ କାନ ଦେଉଥିଲେ ସେ କାଳ ଗଲାଣି । ଆଜି ତମେ ଯେତେ ବକ୍ତୃତା ଦିଅ, ଯେତେ ତାଙ୍କ ଅଧିକାର କାଟିନିଅ, ତେବେ ବି ସେ ସେହି ଦେବୀ ହୋଇ ରହିଲେ, ସେହିପରି ଲଷ୍ମୀ ବୋଲାଉଥିବେ, ମା ବୋଲାଉଥିବେ ।

 

ମେହେତା ପୁଣି କହିଲେ–କୌଣସି ପୁରୁଷ ସ୍ତ୍ରୀକାମ କରିବାର ଦେଖିଲେ ମୋତେ ଯେମିତି ଚିଡ଼ିମାଡ଼େ, ସ୍ତ୍ରୀମାନଙ୍କୁ ସେହିପରି ପୁରୁଷକାମ କରିବାର ଦେଖିଲେ ବି ମୋତେ ବିରକ୍ତ ଲାଗେ । ମାଇଚିଆ ପୁରୁଷଙ୍କୁ ଆପଣମାନେ ଯେମିତି ଭଲପାନ୍ତି ନାହିଁ, ଅଣ୍ଡିରାଚଣ୍ଡୀ ସ୍ତ୍ରୀକୁ ସେମିତି କୌଣସି ପୁରୁଷ କେବେ ଭଲ ପାଇପାରେ ନାହିଁ । ମାଇଚିଆ ପୁରୁଷ କିମ୍ବା ଅଣ୍ଡିରାଚଣ୍ଡୀ ସ୍ତ୍ରୀ, କେହି କେବେ କାହାର ଶ୍ରଦ୍ଧା କିମ୍ବା ପ୍ରେମର ପାତ୍ର ହୋଇ ପାରନ୍ତି ନାହିଁ ।

 

ଖନ୍ନାଙ୍କ ମୁହଁ ବର୍ତ୍ତମାନ ଆନନ୍ଦରେ ଉଜ୍ଜଳି ଉଠିଲା ।

 

ରାୟସାହେବ ଟିକିଏ ଥଟ୍ଟାକରି କହିଲେ–ଖନ୍ନା ସାହେବ, ଆପଣ ତ କଣ ଭାରି ଖୁସୀ !

 

ଖନ୍ନା କହିଲେ–ହଁ, ମାଳତୀଙ୍କ ସଙ୍ଗେ ଦେଖାହେଲେ ପୁଣି ପଚାରିବି ନା !

 

ମେହେତାଙ୍କ ଭାଷଣ ଚାଲିଲା । ସେ କହିଲେ–ମୋ ଦୃଷ୍ଟିରେ ହିଂସା, ଦ୍ୱେଷ, ସଂଗ୍ରାମ ଅପେକ୍ଷା ଦୟା, କ୍ଷମା, ପ୍ରେମ ଯେପରି ଅଧିକ ଶ୍ରେୟ, ଜୀବସୃଷ୍ଟିରେ ପୁରୁଷ ଅପେକ୍ଷା ନାରୀର ଆସନ ସେହିପରି ଅଧିକ ଗୌରବମୟ ତଥା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ମୋର ଦୃଢ଼ ବିଶ୍ୱାସ, ଯଦି ଆମ ଦେବୀମାନେ ସୃଷ୍ଟିପାଳନର ଦେବମନ୍ଦିରଠାରୁ ହିଂସା, ଦ୍ୱେଷ, କଳହ ପ୍ରଭୃତି ଦାନବ କ୍ଷେତ୍ରକୁ ଅଧିକ ପସନ୍ଦ କରନ୍ତି, ତେବେ ଏ ସୃଷ୍ଟିର ମଙ୍ଗଳ ଅସମ୍ଭବ । ପୁରୁଷ ତାର ଦାନବୀ କୀର୍ତ୍ତିକୁ ଅଧିକ ପସନ୍ଦ କରେ; ଆପଣା ଭାଇର ଅଧିକାର ଅପହରଣ କରି, ଭାଇଠାରୁ ରକ୍ତ ପ୍ରବାହିତ କରି ସେ ବିଜୟ ଗର୍ବରେ ଉଲ୍ଲସିତ ହୁଏ ।

 

ନାରୀ ଯେଉଁ ଶିଶୁକୁ ଲାଳନ ପାଳନ କରି ମନୁଷ୍ୟରେ ପରିଣତ କରେ, ପୁରୁଷ ତାକୁ ବମ୍, ଟ୍ୟାଙ୍କ୍, ମେସିନରେ ଉଡ଼ାଇ ଦେଇ ବୀରତ୍ୱର ଅଭିମାନ କରେ । ମାଆ ଯେତେବେଳେ ପୁଅ ମୁଣ୍ଡରେ ସିନ୍ଦୂର ଟୀକା ଲଗାଇ ଦେଇ ଆଶୀର୍ବାଦର କବଚ ପିନ୍ଧାଇ ଯୁଦ୍ଧକ୍ଷେତ୍ରକୁ ପଠାଇ ଦିଏ; ପୁରୁଷ ସେତେବେଳେ ବିନାଶକୁ ହିଁ ବିଶ୍ୱର କଲ୍ୟାଣ ବୋଲି ମନେ କରେ । ଏହି ପ୍ରକାର ହିଂସା ପ୍ରବୃତ୍ତି ଦିନକୁ ଦିନ ବଢ଼ିବା ଫଳରେ ରାକ୍ଷସୀ ପ୍ରବୃତ୍ତି ଆଜି ଏତେ ପ୍ରଚଣ୍ଡ ହୋଇ ଉଠିଛି ଯେ, କୋଟି ପ୍ରାଣ ମୁହୂର୍ତ୍ତକେ ନଷ୍ଟ ହେବା ସଙ୍ଗେ ସଙ୍ଗେ ଶସ୍ୟ–ଶାମଳା ଧରଣୀ ଜଳିପୋଡ଼ି ପାଉଁଶ ହୋଇଯାଉଛି ଏବଂ ପୃଥିବୀ ଜନଶୂନ୍ୟ ହୋଇଯାଉଛି । ଦେବୀଗଣ, ମୁଁ ଆପଣମାନଙ୍କଠାରୁ ଏତିକି ଜାଣିବାକୁ ଚାହେ, ଆପଣମାନେ କଣ ଏହିପରି ହିଂସା ଦ୍ୱେଷରେ ଆତ୍ମନିୟୋଗ କରି ବିଶ୍ୱର କଲ୍ୟାଣ ସାଧନ କରିପାରିବେ ? ମୋର ବିଶେଷ ଅନୁରୋଧ, ଆପଣମାନେ ରାକ୍ଷସମାନଙ୍କୁ ସେମାନଙ୍କର ଦୁଷ୍କର୍ମ କରିବାକୁ ଛାଡ଼ିଦେଇ ଆପଣା ଧର୍ମ ପାଳନରେ ବ୍ରତୀ ହୁଅନ୍ତୁ ।

 

ଖନ୍ନା କହିଲେ, ମାଳତୀ ତ କଣ ମୁହଁ ପୋତି କରି ରହିଛନ୍ତି ।

 

ରାୟ ସାହେବ ମେହେତାଙ୍କ ଭାଷଣକୁ ସମର୍ଥନ କରି କହିଲେ, ମେହେତା ସାହେବ ଯାହା କହୁଛନ୍ତି, ବାସ୍ତବରେ ଠିକ୍ ।

 

ମେହେତା ସାହେବ ପୁଣି କହିଚାଲିଲେ, ଦେବୀଗଣ, ଯେଉଁମାନେ କହନ୍ତି ଯେ ସ୍ତ୍ରୀ ପୁରୁଷ ଉଭୟଙ୍କର ଶକ୍ତି ଓ ପ୍ରବୃତ୍ତି ସମାନ, ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ କୌଣସି ପାର୍ଥ୍ୟକ ନାହିଁ, ମୁଁ ସେମାନଙ୍କୁ ବିଶ୍ୱାସ କରେ ନାହିଁ । ଏହାଠୁ ବଳି ଭୟଙ୍କର ମିଥ୍ୟା ଆଉ କିଛି କଳ୍ପନା କରାଯାଇ ନ ପାରେ । କ୍ଷୁଦ୍ର ମେଘଖଣ୍ଡ ସୂର୍ଯ୍ୟଙ୍କର ପ୍ରତିଭାକୁ ଯେମିତି କ୍ଷଣକ ପାଇଁ ଘୋଡ଼ାଇ ରଖେ, ନାରୀମାନଙ୍କ ସଂପର୍କରେ ଯୁଗ ଯୁଗର ସତ୍ୟ ଅନୁଭୂତିକୁ ଏହି ମିଥ୍ୟା ସେହିପରି କ୍ଷଣକାଳ ପାଇଁ କଳଙ୍କିତ କରିବାକୁ ଚେଷ୍ଟା କରେ । ମୁଁ ଆପଣମାନଙ୍କୁ ସଚେତ କରିବାକୁ ଚାହେ, ଆପଣମାନେ ଯେମିତି ମିଥ୍ୟାମାୟାରେ ନ ଭୁଲନ୍ତି । ବାସ୍ତବରେ ଦେଖିବାକୁ ଗଲେ ଆଲୋକ ଅନ୍ଧକାରଠାରୁ ଯେମିତି ଶ୍ରେୟସ୍କର, ନାରୀ ପୁରୁଷଠାରୁ ସେତିକି ଶ୍ରେୟସ୍କର । ଯେଉଁ କ୍ଷମା, ତ୍ୟାଗ, ଅହିଂସା ପ୍ରଭୃତି ଦେବ–ପ୍ରବୃତ୍ତି ମନୁଷ୍ୟର ଚିରକାମ୍ୟ, ଚିର ଆଦର୍ଶ, ତାହା ନାରୀମାନଙ୍କର ପକ୍ଷରେ ନିତାନ୍ତ ସ୍ୱାଭାବିକ ଗୁଣ । ଏହି ଆଦର୍ଶ, ହାସଲ କରିବା ପାଇଁ ମନୁଷ୍ୟ ଯୁଗ ଯୁଗ ଧରି ଧର୍ମକର୍ମ ଓ ତପୋବନର ଆଶ୍ରୟ ନେଇ ମଧ୍ୟ ସଫଳ ହୋଇ ପାରୁନି । ମୋର ଧାରଣା କେବଳ ନାରୀର ତ୍ୟାଗ ସମକ୍ଷରେ ପୁରୁଷର ସମସ୍ତ ଦାନଧର୍ମ ଯୋଗାଯୋଗ ମଧ୍ୟ ଯଥେଷ୍ଟ ନୁହେଁ ।

 

ତାଳିରେ ହଲ୍ କମ୍ପି ଉଠିଲା, ରାୟ ସାହେବ ଆନନ୍ଦରେ ଉଛୁଳିପଡ଼ି କହିଲେ, ମେହେତା ସାହେବ ପ୍ରକୃତରେ ଆଜି ତାଙ୍କ ମନର କଥା ଖୋଲି ଦେଇଛନ୍ତି ।

 

ସମ୍ପାଦକ ଓଁକାରନାଥ ଟିପ୍‍ପଣୀ ଦେଇ କହିଲେ, କିନ୍ତୁ ସେ ଯେତେ କଥା କହିଲେଣି, ଗୋଟେ ହେଲେ ସେଥିରୁ ନୂଆ କଥା ନୁହେଁ, ସବୁ ପଚା ସଢ଼ା, ପୁରୁଣା ।

 

‘କିନ୍ତୁ ପୁରୁଣା କଥାକୁ ଆତ୍ମବଳ ସହିତ କୁହାଗଲା ସେହି ପୁଣି ନୂଆ ପାଲଟି ଯାଏ ।’

 

‘ଯେଉଁ ଲୋକେ ସରକାରଙ୍କୁ ପଟି ମାରି ହଜାର ହଜାର ଟଙ୍କା ନେଇ ମଉଜ ମଜଲିସରେ ଉଡ଼ାନ୍ତି, ସେପରି ଲୋକମାନଙ୍କ ପକ୍ଷରେ ଆତ୍ମବଳର ପ୍ରଶ୍ନ କାହିଁ ? ଇଏ ଖାଲି ପୁରୁଣାକାଳିଆ ଲୋକଙ୍କର ମନ ଖୁସୀ କରିବାର ଗୋଟାଏ ଉପାୟ ଛଡ଼ା ଆଉ କିଛି ନୁହେଁ ।’

 

ଖନ୍ନା ସାହେବ ମାଳତୀଙ୍କ ଆଡ଼କୁ ଚାହିଁ କହିଲେ, ଇଏ କାହିଁକି ଏତେ ଫୁଲି ଯାଉଛନ୍ତି, ୟାଙ୍କୁ ତ ଲାଜ ମାଡ଼ିବା ଉଚିତ ।

 

ମିର୍ଜା ସାହେବ ଖନ୍ନାଙ୍କୁ ଟିକିଏ ଚିଡ଼େଇ କରି କହିଲେ, ଆପଣ ବି ବର୍ତ୍ତମାନ ଗୋଟାଏ ବକ୍ତୃତା ଦିଅନ୍ତୁ, ନହିଲେ ମେହେତା ଆପଣଙ୍କୁ ମୂଳରୁ ଉପାଡ଼ି ଫିଙ୍ଗି ଦେବେ । ଯାହା ଦେଖାଯାଉଛି ସେ ତ ଅଧା ଜାଗା ମାଡ଼ିଗଲେଣି !

 

ଖନ୍ନା ଚିଡ଼ିଯାଇ କହିଲେ, ଏଗୁଡ଼ା ମତେ କ’ଣ କହୁଛ ମ, ମୁଁ ତ ଏମିତିଆ କେତେ ଗଣ୍ଡା ମାଇକିନାଙ୍କୁ ଫୁଙ୍କି ଉଡ଼େଇ ଦେଇଛି ।

 

ରାୟ ସାହେବ ଖନ୍ନାଙ୍କୁ ଲକ୍ଷ୍ୟକରି ମିର୍ଜାଙ୍କ ଆଡ଼କୁ ଆଖିମାରି କହିଲେ, ଆପଣ ତ ଆଜିକାଲି ‘ନାରୀ ସମାଜ’ ଆଡ଼କୁ ଖୁବ୍ ଯିବା ଆସିବା କରୁଛନ୍ତି । ସତ କହିଲେ, କେତେ ଚାନ୍ଦା ଦେଇଛନ୍ତି ?

 

ଖନ୍ନା ଟିକିଏ ଲାଜ ହେଲା ପରି କହିଲେ, ମୁଁ ଏମିତିଆ ସମାଜକୁ କେବେ ଚାନ୍ଦା ଦିଏ ନାହିଁ । ଏଗୁଡ଼ା ଖାଲି କଳାବିକାଶ ନାଁରେ ଦେଶରେ କାଳି ବୋଳିବା କଥା ।

 

ମେହେତା ପୁଣି କହି ଚାଲିଲେ, ‘ପୁରୁଷମାନେ କହନ୍ତି ଦୁନିଆରେ ଯେତେ ଦାର୍ଶନିକ, ବୈଜ୍ଞାନିକ ଏବଂ ଆବିଷ୍କାରକ ଅଛନ୍ତି ସମସ୍ତେ ହେଉଛନ୍ତି ପୁରୁଷ । ଯେତେ ମହାତ୍ମା, ଯେତେ ରାଜନୀତିଜ୍ଞ, ଯେତେ ଆଚାର୍ଯ୍ୟ, ଯେତେ ନାବିକ ଅଛନ୍ତି, କେହି ହେଲେ ଜଣେ ନାରୀ ନୁହନ୍ତି, ସମସ୍ତେ ହେଉଛନ୍ତି ପୁରୁଷ । କିନ୍ତୁ ମୁଁ କହେ, ସେମାନେ ସମସ୍ତେ ଏକାଠି ହୋଇ କ’ଣ କରି ଯାଇଛନ୍ତି ? ମହାତ୍ମା ଏବଂ ଧାର୍ମିକମାନେ ଧର୍ମ ନାମରେ ଦେଶରେ ରକ୍ତନଦୀ ପ୍ରବାହିତ କରିବା ଏବଂ ପରସ୍ପର ମଧ୍ୟରେ ହିଂସା ଦ୍ଵେଷର ଅଗ୍ନି ଜାଳିବା ଛଡ଼ା ଆଉ ଅଧିକା କରିଛନ୍ତି କ’ଣ ? ବଡ଼ ବଡ଼ ଯୋଦ୍ଧାମାନେ ଭାଇ ଭାଇର ତଣ୍ଟି କାଟିବା ଛଡ଼ା ଆଉ ବେଶି କରିଛନ୍ତି କ’ଣ ? ରାଜନୀତିଜ୍ଞମାନେ ବିଶାଳ ସାମ୍ରାଜ୍ୟ ହରାଇ କ୍ଷୁଦ୍ର ରାଜ୍ୟରେ ସୀମିତ ରହିବା ଛଡ଼ା ଆଉ ଅଧିକ ବୁଦ୍ଧିକୌଶଳ ଦେଖାଇଛନ୍ତି କ’ଣ ? ଆବିଷ୍କାରକମାନେ ଯନ୍ତ୍ରପାତି ତିଆର କରି ମନୁଷ୍ୟକୁ ଯନ୍ତ୍ରରାକ୍ଷସର ଗୋଲାମ କରିବା ଛଡ଼ା ଆଉ ଅଧିକା କରିଛନ୍ତି କ’ଣ ? ବାସ୍ତବରେ ପୁରୁଷ ନିର୍ମିତ ଏହି ସଭ୍ୟତାରେ ଶାନ୍ତି ଏବଂ ସହଯୋଗର ସ୍ଥାନ କାହିଁ !

 

ଓଁକାରନାଥ ଉଠି କରି ଚାଲିଯିବା ପାଇଁ ବାହାରୁ ବାହାରୁ କହିଲେ, ଏମିତିଆ ଭଣ୍ଡ ବିଳାସୀଙ୍କ ମୁହଁରୁ ବଡ଼ ବଡ଼ କଥା ଶୁଣି ମୋ ଦେହ କ’ଣ ହୋଇଯାଉଛି ।

 

ମିର୍ଜା ସାହେବ ତାଙ୍କ ହାତ ଟାଣି କରି ବସେଇ ଦେଇ କହିଲେ–ମୁଁ ଯାହା ଦେଖୁଛି ସଂପାଦକ ସାହେବ, ଆପଣ ବି ଜଣେ ସେମିତି ପାଗଳ । ଆଜିକାଲି ଯୁଗରେ ଯା ମନକୁ ଯାହା ପାଉଛି ଲୋକେ ଗପୁଛନ୍ତି । କିଏ ଶୁଣୁଛି, କିଏ ତାଳି ମାରୁଛି । ତା’ପରେ ସବୁ ଖତମ । ଏମିତି ହଜାର ମେହେତା ଆସିବେ, ଯିବେ, ଦୁନିଆ ତା ବାଟରେ ଚାଲିଥିବ । ଏଥିରେ କାର କ’ଣ କ୍ଷତି ହୋଇଯାଉଛି ?

 

‘ସେ ତ ଠିକ୍ । ହେଲେ ମିଛ କଥା ଶୁଣିଲେ, ମୁଁ ମୋଟେ ସହିପାରେ ନାହିଁ ।’

 

ରାୟସାହେବ ତାଙ୍କୁ ଆଉ ଟିକିଏ ଚିଡ଼େଇ ଦେଇ କହିଲେ–ହଁ, କୁଳଟାଙ୍କ ମୁହଁରୁ ସତୀ କାହାଣୀ ଶୁଣିଲେ ନ ଚିଡ଼ିବ କିଏ ?

 

ଓଁକାରନାଥ ପୁଣି ବସିଗଲେ । ମେହେତାଙ୍କ ଭାଷଣ ଚାଲିଲା–

 

ମୁଁ ଆପଣମାନଙ୍କୁ ପଚାରୁଛି, ବାଜପକ୍ଷୀ ଅନ୍ୟ ପକ୍ଷୀମାନଙ୍କୁ ଶିକାର କରି ଆନନ୍ଦ ପାଏ ବୋଲି ମାନସରୋବରର ରାଜହଂସ କେବେ ଶାନ୍ତିମୟ ଆନନ୍ଦ ଛାଡ଼ି ସେହି କାମ କରିବାକୁ ପସନ୍ଦ କରିପାରେ ? ଯଦି ବା ସେ କରେ, ତେବେ କ’ଣ ଆପଣମାନେ ତାକୁ ଖୁବ୍ ପ୍ରଶଂସା କରିବେ ? ହଂସ ନିକଟରେ ପ୍ରକୃତରେ ଏମିତି ତୀକ୍ଷ୍ଣ ଦନ୍ତ, ନଖ, ପକ୍ଷ, ଚକ୍ଷୁ ପ୍ରଭୃତି କିଛି ହେଲେ ନାହିଁ କିମ୍ବା ରକ୍ତ ଶୋଷଣର ଅଦମ୍ୟ ପିପାସା ମଧ୍ୟ ତାର ନାହିଁ । ଏହି ପ୍ରକାର ଅସ୍ତ୍ର ଯୋଗାଡ଼ କରିବା ପାଇଁ ରାଜହଂସକୁ ଶହେ ବର୍ଷ ଲାଗିଯାଇ ପାରେ, ତଥାପି ମଧ୍ୟ ସେ ଛଞ୍ଚାଣ ହୋଇ ପାରିବ ନାହିଁ । ତା ଛଡ଼ା ଛଞ୍ଚାଣ ହେଉ ବା ନ ହେଉ ଏ ପ୍ରକାର ଚେଷ୍ଟା କଲେ ସେ ଆଉ କେବେ ହଂସ ହୋଇ ରହି ପାରିବ ନାହିଁ, କାରଣ ହଂସର କାମ ହିଂସା ନୁହେଁ, ବରଂ ମୁକ୍ତା ଅନ୍ୱେଷଣ ।

 

ମିର୍ଜା ସାହେବ ଟୀକା ଟିପ୍‍ପଣୀ କରି କହିଲେ–ମହେତା ଯାହା କହିଲେ ତାହା କବିଲୋକଙ୍କୁ ଏକା ସାଜେ । ହେଲେ ପୁରୁଷ ଛଞ୍ଚାଣ ଯେମିତି ଶିକାର କରେ ସ୍ତ୍ରୀ ଛଞ୍ଚାଣ ବି ସେହିପରି କରେ ।

 

ଓଁକାରନାଥ ପ୍ରସନ୍ନ ହୋଇ କହିଲେ, ଓଃ, ଆପଣ ପରା ଏହି ବକ୍ତୃତା ଶୁଣୁ ଶୁଣୁ ଜଣେ ଦାର୍ଶନିକ ପାଲଟି ଗଲେଣି ! ଖନ୍ନା ସାହେବ ଆପଣାର ଦ୍ୱେଷ ପ୍ରକାଶ କରି କହିଲେ, ଦାର୍ଶନିକ ତ ନୁହନ୍ତି, ଦାର୍ଶନିକଙ୍କ ପଛଆଡ଼ୁଟା । ସେହି ଲୋକ ସିନା ଦାର୍ଶନିକ ଯେ....

 

ଓଁକାରନାଥ କଥାଟା ପୂରଣ କରିଦେଇ କହିଲେ–ଯେ ସତ୍ ପଥରୁ ଏତେ ଟିକେହେଲେ ଟଳେ ନାହିଁ ।

 

ଖନ୍ନା ସାହେବଙ୍କୁ ଓଁକାରନାଥଙ୍କ ପାଦପୂରଣଟା ଭଲ ଲାଗିଲା ନାହିଁ । ସେ କହିଲେ, ସତ୍ ଅସତ୍ ମୁଁ କିଛି ଜାଣେ ନାହିଁ । ମୁଁ ପ୍ରକୃତ ସଚାଲୋକକୁ ଦାର୍ଶନିକ କହେ ।

 

ମିର୍ଜା ସାହେବ ପ୍ରଶଂସା କରି କହିଲେ, ଆପଣ ତାହାହେଲେ ତ ଦାର୍ଶନିକଙ୍କର ଖୁବ୍ ପ୍ରଶଂସା କଲେ । ହାୟରେ କପାଳ ! କ’ଣ ନା ସେହି ଲୋକ ଦାର୍ଶନିକ ଯେ ଦାର୍ଶନିକ । ହଁ, ନ ହବ କାହିଁକି ?

ମେହେତା ପୁଣି ଗପି ଚାଲିଲେ, ମୁଁ ତ ଏକଥା କହୁ ନାହିଁ ଯେ ସ୍ତ୍ରୀମାନଙ୍କର ଶିକ୍ଷାଦୀକ୍ଷା ଦରକାର ନାହିଁ, ବରଂ ପୁରୁଷଙ୍କ ଅପେକ୍ଷା ସେମାନଙ୍କର ଦରକାର ବେଶି । ସ୍ତ୍ରୀମାନଙ୍କର ସେହିପରି ଜ୍ଞାନ ବା ଶକ୍ତି ଦରକାର ନାହିଁ ଯାହାନେଇ ପୁରୁଷମାନେ ସଂସାରକୁ ଏହି ହିଂସାକ୍ଷେତ୍ରରେ ପରିଣତ କରି ଦେଇଛନ୍ତି । ଆପଣମାନେ ଯଦି ସେହି ପ୍ରକାର ହିଂସାତ୍ମକ ଜ୍ଞାନ କିମ୍ବା ଶକ୍ତି ହାସଲ କରନ୍ତି, ତେବେ ସାରା ଦୁନିଆ ମରୁଭୂମିରେ ପରିଣତ ହୋଇଯିବ । ଆପଣମାନଙ୍କର ଯାବତୀୟ ଜ୍ଞାନ ଏବଂ ଶକ୍ତି ସୃଷ୍ଟିର ବିନାଶପାଇଁ ନୁହେଁ, ବରଂ ସୃଷ୍ଟିର ବିକାଶ ପାଇଁ । ଆପଣମାନେ କଣ ଭାବିଛନ୍ତି ଭୋଟ ଦେଇ କୋଟ କଚେରୀରେ ବସି ହାକିମି ଚଳାଇ ଆପଣମାନେ ଦୁନିଆକୁ ଉଦ୍ଧାର କରି ପାରିବେ ? କୋଟ୍ କଚେରୀର ନକଲି ତଥା ଅପ୍ରାକୃତିକ ଅଧିକାର ପାଇଁ ପ୍ରକୃତିଦତ୍ତ ସନାତନ ଅଧିକାରକୁ ତ୍ୟାଗ କରିବା ଆପଣମାନଙ୍କ ପକ୍ଷରେ ଉଚିତ ନୁହେଁ ।

ବଡ଼ ଭଉଣୀଙ୍କ ଖାତିରରେ ସରୋଜ ଏପର୍ଯ୍ୟନ୍ତ ଚୁପଚାପ୍ ବସିଥିଲା । ଶେଷକୁ ସମ୍ଭାଳି ନପାରି ପାଟିକରି କହିଲା, ଠିକ୍ ପୁରୁଷମାନଙ୍କ ପରି ଆମ୍ଭେମାନେ ଭୋଟ ଅଧିକାର ଚାହୁ ।

ଆହୁରି ଅନେକ ସ୍ତ୍ରୀଲୋକ ବି ପାଟିକରି ଉଠିଲେ–ଭୋଟ୍, ଭୋଟ୍ ।

ଓଁକାରନାଥ ଛିଡ଼ା ହୋଇପଡ଼ି ବଡ଼ପାଟିରେ କହି ପକାଇଲେ, ନାରୀଜାତିର ଶତ୍ରୁମାନଙ୍କର ପରାଜୟ ହେଉ ।

ମାଳତୀ ଦେବୀ ମେଜ ଉପରେ ହାତପିଟି କହିଲେ, ଆପଣମାନେ ଧୈର୍ଯ୍ୟ ଧରନ୍ତୁ । ଯେଉଁମାନେ ସପକ୍ଷ ବା ବିପକ୍ଷରେ କିଛି କହିବାକୁ ଚାହାନ୍ତି, ସେମାନଙ୍କୁ ପୂରା ସମୟ ଦିଆଯିବ ।

ମେହେତା କହିଲେ, ପ୍ରକୃତରେ ଭୋଟ ହେଉଛି ଏ ଯୁଗର ଅସଲ ମାୟାଜାଲ, ଅସରନ୍ତି ମରୀଚିକା, ମହାକଳଙ୍କ ଏବଂ ପ୍ରବଳ ପ୍ରତାରଣା । ଆପଣମାନେ ଥରେ ଯଦି ଏହି ମାୟାଜାଲରେ ପଡ଼ିଯାନ୍ତି, ତେବେ ଜୀବନରେ ଆଉ କେଉଁ ଆଡ଼କୁ ହୋଇପାରିବେ ନାହିଁ, ନା ଏପାଖ ନା ସେପାଖ-। କିଏ କହେ ଯେ ଆପଣମାନଙ୍କର କର୍ମକ୍ଷେତ୍ର ସଂକୀର୍ଣ୍ଣ ? କିଏ କହେ ଆପଣମାନଙ୍କର ଆତ୍ମବିକାଶର ଅବକାଶ ଖୁବ୍ କମ୍ ? କିନ୍ତୁ ମନେରଖିବାକୁ ହେବ, ଆମେମାନେ ପ୍ରଥମତଃ ମନୁଷ୍ୟ, ତା’ପରେ ଆଉ ଯାହା କିଛି । ଆମର ଅସଲ ଜୀବନ ଆମ ଘର; ସେଇଠି ସୃଷ୍ଟି, ସ୍ଥିତି ତଥା ଜୀବନର ସମସ୍ତ ବ୍ୟାପାରରେ ହୁଏ ଆଦାନ ପ୍ରଦାନ । ଏହି ମହାନ୍ କ୍ଷେତ୍ରକୁ ଯଦି କେହି ସମୀମ ବା ସଂକୀର୍ଣ୍ଣ କହେ, ତେବେ ବିସ୍ତୃତ କ୍ଷେତ୍ର ଆଉ ଅଛି କେଉଁଠି ? ଆପଣମାନେ କ’ଣ ସେହିପ୍ରକାର ସଂଘର୍ଷପୂର୍ଣ୍ଣ ଜୀବନକୁ ପସନ୍ଦ କରନ୍ତି ଯାହା ସଂଗଠିତ ଅପହରଣ ଛଡ଼ା ଅନ୍ୟ କିଛି ନୁହେଁ ? ଯେଉଁ କାରଖାନାରେ ମନୁଷ୍ୟ ଜନ୍ମହୋଇ, ଫୁଲଫଳ ଧରି ବିକସିତ ହେଉଛି, ସେ ପ୍ରକାର କାରଖାନା ଛାଡ଼ି ଆପଣମାନେ କ’ଣ ଏହି ସାଧାରଣ କାରଖାନାକୁ ବେଶି ପସନ୍ଦ କରୁଛନ୍ତି, ଯେଉଁ କାରଖାନାରେ ମଣିଷମାନେ ପେଷିହୋଇ ମରୁଛନ୍ତି ଏବଂ ଦିନରାତି ସେମାନଙ୍କର ରକ୍ତ ଚିପୁଡ଼ା ଚାଲିଛି ?

ମିର୍ଜା ସାହେବ ବାଦକରି କହିଲେ, ପୁରୁଷମାନଙ୍କର ଅତ୍ୟାଚାର ହିଁ ନାରୀମାନଙ୍କଠାରେ ଏ ପ୍ରକାର ପ୍ରତିଦ୍ୱନ୍ଦୀ ଭାବନା ଜାଗ୍ରତ କରିଛି ।

ମେହେତା କହିଲେ, ହଁ, ପୁରୁଷମାନେ ନିଶ୍ଚୟ ଅତ୍ୟାଚାର କରିଛନ୍ତି କିନ୍ତୁ ତାର ପ୍ରତିକାର ତ ଇଏ ନୁହେଁ । ଅବଶ୍ୟ ଅନ୍ୟାୟର ବିନାଶ କେବେ ଆତ୍ମବିନାଶ ଦ୍ଵାରା ହୋଇପାରେ ନାହିଁ ।

ମାଳତୀ କହିଲେ, ଅଧିକାରର ସଦ୍‍ବ୍ୟବହାରର କରିବା ତଥା ପୁରୁଷମାନଙ୍କର ଅତ୍ୟାଚାରକୁ ଜବତ କରିବା ପାଇଁ ନାରୀମାନେ ଅଧିକାର ଚାହାନ୍ତି ।

 

ମେହେତା ଉତ୍ତର ଦେଇ କହିଲେ, ଏହି ଦୁନିଆରେ ସେବା ଓ ତ୍ୟାଗଦ୍ଵାରା ହିଁ ମନୁଷ୍ୟ ସର୍ବଶ୍ରେଷ୍ଠ କ୍ଷମତାର ଅଧିକାରୀ ହୁଏ । ଏପ୍ରକାର ଅଧିକାର ତ ଆପଣମାନଙ୍କୁ ମିଳିସାରିଛି । ଭୋଟ କ୍ଷମତା, ଏ ପ୍ରକାର ଅଧିକାର ନିକଟରେ କିଛି ନୁହେଁ । ମୋର ଦୁଃଖ ହେଉଛି ଯେ ଆମ ଦେଶର ଆଧୁନିକ ମା’ ଭଉଣୀମାନେ ପଶ୍ଚାତ୍ୟ ନାରୀମାନଙ୍କ ଆଦର୍ଶରେ ବିଶେଷ ଭାବରେ ଅନୁପ୍ରାଣିତ ହେଉଛନ୍ତି । କିନ୍ତୁ ମନେରଖିବା ଉଚିତ୍, ସେ ଦେଶର ରମଣୀ ଆଜି ଆପଣାର ଆଦର୍ଶ ଭୁଲି ଗୃହିଣୀର ସମ୍ମାନ ହରାଇ ଏକ ବିଳାସ ସାମଗ୍ରୀରେ ପରିଣତ ହୋଇଛି । ପାଶ୍ଚାତ୍ୟ ରମଣୀମାନେ କେବଳ ଅଧିକରୁ ଅଧିକ ସମ୍ଭୋଗ କରିବାପାଇଁ ସ୍ଵାଧୀନତା ଲୋଡ଼ୁଛନ୍ତି, ମାତ୍ର ସମ୍ଭୋଗ କେବେହେଲେ ଏ ଦେଶର ପବିତ୍ର ନାରୀଜାତିର ଆଦର୍ଶ ହୋଇ ରହି ନାହିଁ । ଏ ଦେଶର ନାରୀ କେବଳ ସେବାଦ୍ଵାରା ହିଁ ଯୁଗ ଯୁଗ ଧରି ଗୃହର ଅଧିକାରିଣୀ ହୋଇ ଆସିଛି । ପାଶ୍ଚ୍ୟତ୍ୟ ରମଣୀମାନଙ୍କର ଭଲ ଗୁଣ ଅନୁକରଣ କରିବାପାଇଁ କେହି ମନାକରୁ ନାହିଁ, କାରଣ ସଭ୍ୟତା ଓ ସଂସ୍କୃତିର ଆଦାନ ପ୍ରଦାନ ଚିରକାଳ ଲାଗିରହିଛି, କିନ୍ତୁ ଅନ୍ଧ ଭାବରେ କାହାକୁ ଅନୁକରଣ କରିବା ମାନସିକ ଦୁର୍ବଳତା ଛଡ଼ା ଅନ୍ୟ କିଛି ନୁହେଁ । ପଶ୍ଚ୍ୟାତ୍ୟ ରମଣୀ ଆଜି ଗୃହିଣୀ ହୋଇ ରହିବାକୁ ଚାହେଁ ନାହିଁ, ସେ ଚାହେ ଉତଶୃଙ୍ଖଳ ଭୋଗବିଳାସ । ବିଳାସ–ଯଜ୍ଞରେ ଆପଣାର ସବୁ ମାନ ମହତ୍ତ୍ଵ ଓ ଲଜ୍ଜାକୁ ସେ ଆଜି ଆହୁତି ଦେଇ ବସିଛି । ଯେଉଁ ଶିକ୍ଷିତ ଯୁବତୀମାନେ ଆପଣାର ରୂପ ତଥା ସୁଗଠିତ ବାହୁ ଏବଂ ବକ୍ଷର ନଗ୍ନସୌନ୍ଦର୍ଯ୍ୟ ପରିବେଷଣ କରି ପାଶ୍ଚ୍ୟତ୍ୟ ରୀତିରେ କେଶବିନ୍ୟାସ କରନ୍ତି, ସେମାନଙ୍କ ପ୍ରତି ମୋର ଦୟା ହୁଏ । ନଗ୍ନ ଭୋଗଲାଳସା ସେମାନଙ୍କୁ ଏତେ ଉତଶୃଙ୍ଖଳ କରିଦିଏ ଯେ ସେମାନେ ଆପଣାର ସାମାନ୍ୟ ଲଜ୍ଜା ପର୍ଯ୍ୟନ୍ତ ରକ୍ଷା କରିପାରନ୍ତି ନାହିଁ । ଏହା ଅପେକ୍ଷା ନାରୀମାନଙ୍କର ଅଧିକ ଅଧୋଗତି ଆଉ କ’ଣ ହୋଇପାରେ ?

 

ରାୟ ସାହେବ ଖୁବ୍ ତାଳି ମାରିଲେ । ତାଳିରେ ହଲ୍ ଛାତ ଭାଙ୍ଗିପଡ଼ିଲା ପରି ଜଣା ପଡ଼ୁଥିଲା ।

 

ମିର୍ଜା ସାହେବ ସଂପାଦକଙ୍କୁ କହିଲେ, ମେହେତାଙ୍କ କଥାରେ ଜବାବ କ’ଣ ଦିଅନ୍ତୁ ।

 

ସମ୍ପାଦକ ଟିକିଏ ବିରକ୍ତ ହୋଇ କହିଲେ, ଏତେ କଥାରେ ବିଚାରା ଜାଣି ଏଇ ଗୋଟିକ ସତକଥା କହିଛନ୍ତି ।

 

‘ଆପଣ ତାହାହେଲେ ବର୍ତ୍ତମାନ ମେହେତାଙ୍କର ଶିଷ୍ୟ ହେଲେ ।’

 

‘କେବେ ନୁହେଁ, ଆମଭଳି ଲୋକ କାହାରି ଶିଷ୍ୟ ହୁଅନ୍ତି ନାହିଁ । ମୁଁ ପୁଣି ୟା’ର ଜବାବ ‘ବିଜୁଳୀ’ରେ ଲେଖିବି ଯେ !’

 

‘ୟାର ଅର୍ଥ ହେଉଛି ଆପଣ କେବେ ହକ କଥାକୁ ମାନିବାକୁ ରାଜି ନୁହନ୍ତି, କେବଳ ନିଜର ପକ୍ଷ ସମର୍ଥନ କରିବାକୁ ରାଜି ।’

 

ରାୟସାହେବ ଚିଡ଼େଇ କରି କହିଲେ, ସେଥିପାଇଁ ଆପଣ ସତ୍ୟର ପୂଜାରୀ ବୋଲି ଏତେ ଗର୍ବ କରନ୍ତି !

 

ସମ୍ପାଦକ ସାହେବ ଧୀରସ୍ଥିର ଭାବରେ କହିଲେ, ଓକିଲଙ୍କର କାମ ହେଉଛି, ଆପଣା ମହକିଲଙ୍କର ଉପକାର କରିବା, ସତ ମିଛର ବାଛବିଚାର କରିବା ତାଙ୍କର କାମ ନୁହେଁ ।

 

‘ତା ହେଲେ, କହନ୍ତୁ ଆପଣ ଏଇ ସ୍ତ୍ରୀଲୋକମାନଙ୍କର ଓକିଲ ବୋଲି ।’

 

‘ଏଇ ଦୁନିଆରେ ଯେତେ ଦୁର୍ବଳ, ପୀଡ଼ିତ ତଥା ନିଃସହାୟ ଲୋକ ଅଛନ୍ତି ମୁଁ ସେ ସମସ୍ତଙ୍କର ଓକିଲ ।’

 

‘ବନ୍ଧୁ, ତମେ ଜଣେ ବଡ଼ ବେହିୟା ସତେ !’

 

ମେହେତାଜୀ ପୁଣି କହିଲେ, ଯେଉଁମାନେ କାପୁରୁଷ, ଯେଉଁମାନେ ବୈବାହିକ ଜୀବନର ଭାର ବହନରେ ନିତାନ୍ତ ଅସମର୍ଥ, ସେହିମାନେ ହିଁ ଭୋଗବିଳାସର ମୁକ୍ତ ଲହରୀରେ ସନ୍ତରଣ କରି ବାରବୁଲା ଷଣ୍ଢପରି ଅନ୍ୟର ସବୁଜ ଖେତରେ ବଳାତ୍କାର ପ୍ରବେଶ କରି ଆପଣାର ନୀଚ ଲାଳସା ଚରିତାର୍ଥ କରିବା ପାଇଁ ଚେଷ୍ଟା କରନ୍ତି । ନାରୀମାନଙ୍କ ବିରୁଦ୍ଧରେ ଏହା ହିଁ ସେହି କାପୁରୁଷମାନଙ୍କର ଷଡ଼ଯନ୍ତ୍ର । ସେମାନଙ୍କର ଇଚ୍ଛା, ନାରୀମାନେ ଆଦର୍ଶର ଉନ୍ନତ ଶିଖରରୁ ଲାଳସାର ନିମ୍ନ ନରକରେ ଖସିପଡ଼ନ୍ତୁ । ପାଶ୍ଚ୍ୟତ୍ୟ ଦେଶରେ ପୁରୁଷମାନଙ୍କର ଏହି ଷଡ଼ଯନ୍ତ୍ର ସଫଳ ହୋଇ ସାରିଛି ଏବଂ ସ୍ତ୍ରୀମାନେ ପୂରାପୂରି ପ୍ରଜାପତି ପାଲଟି ଯାଇଛନ୍ତି । ଆଜି ଏକଥା କହିବାପାଇଁ ମୋତେ ଲଜ୍ଜାବୋଧ ହେଉଛି ଯେ ଭାରତ ପରି ତ୍ୟାଗ ଓ ତପସ୍ୟାର ପୁଣ୍ୟଭୂମିରେ ମଧ୍ୟ ପାଶ୍ଚାତ୍ୟ ପବନ ବହିବାକୁ ଆରମ୍ଭ କଲାଣି, ବିଶେଷତଃ ଆମରି ଶିକ୍ଷିତ ଭଉଣୀମାନଙ୍କ ଉପରେ ଏହି ଇନ୍ଦ୍ରଜାଲ ପ୍ରଭାବ ଖୁବ୍ ବେଶି ଭାବରେ ପଡ଼ିଛି । ଏମାନେ ଗୃହିଣୀର ଉନ୍ନତ ଆଦର୍ଶ ଭୁଲି ପ୍ରଜାପତିର ରଙ୍ଗ ଧାରଣ କରିବାପାଇଁ ବ୍ୟାକୁଳ ହୋଇ ପଡ଼ିଛନ୍ତି ।

 

ସରୋଜ ଖୁବ୍ ଉତ୍ତେଜିତ ହୋଇ କହିଲା, ପୁରୁଷମାନଙ୍କର ଉପଦେଶ ଆମର ଦରକାର ନାହିଁ । ସେମାନେ ଯେମିତି ନିଜ କ୍ଷେତ୍ରରେ ସ୍ଵତନ୍ତ୍ର, ଆମେମାନେ ବି ସେହିପରି ଆମ କ୍ଷେତ୍ରରେ ସ୍ଵତନ୍ତ୍ର । ଆଧୁନିକ ଯୁବତୀମାନେ ବିବାହକୁ ଆଉ ବ୍ୟବସାୟ ହିସାବରେ ଗ୍ରହଣ କରିବାକୁ ରାଜି ନୁହଁନ୍ତି, ସେମାନଙ୍କର ବିବାହ ଏଣିକି ସଂପୂର୍ଣ୍ଣରୂପେ ପ୍ରେମ ଉପରେ ନିର୍ଭର କରିବ-

 

ଖୁବ୍ ତାଳି ହେଲା, ବିଶେଷତଃ ଆଗଧାଡ଼ିର ସ୍ତ୍ରୀମାନେ ଖୁବ୍ ଜୋରରେ ତାଳି କମ୍ପେଇଲେ ।

 

ମେହେତା ଉତ୍ତର ଦେଇ କହିଲେ, ଭିକ ମାଗିବା ଯେମିତି ସନ୍ନ୍ୟାସର ବିକୃତ ରୂପ, ସେହିପରି ଆପଣମାନେ ଯାହାକୁ ପ୍ରେମ ବୋଲି କହୁଛନ୍ତି, ତାହା ପ୍ରେମର ବିକୃତ ରୂପ । ତାହା ପ୍ରେମ ନୁହେଁ, ପ୍ରତାରଣା; ନଗ୍ନ ଲାଳସାର ସତ୍ତା ସ୍ଵରୂପ । ବାସ୍ତବ ପ୍ରେମ ବୈବାହିକ ଜୀବନରେ କିଛି କମ୍ ହୋଇପାରେ, ମାତ୍ର ମୁକ୍ତ ସମ୍ଭୋଗରେ ତାହାର ସତ୍ତା ପର୍ଯ୍ୟନ୍ତ ନାହିଁ । ପ୍ରକୃତ, ଶାନ୍ତି ଆନନ୍ଦ କେବଳ ସେବାବ୍ରତରେ ସମ୍ଭବ ହୋଇପାରେ । ସେବାହିଁ ସବୁ ଆନନ୍ଦ, ସବୁ ଅଧିକାରର ମୂଳସୂତ୍ର । ସେବା ହେଉଛି ଏକ ପ୍ରକାର ସିମେଣ୍ଟ, ଯାହା ପତିପତ୍ନିଙ୍କୁ ଜୀବନସାରା ପ୍ରେମମୟ ବନ୍ଧନରେ ବାନ୍ଧିରଖେ ଏବଂ ଯେଉଁ ବନ୍ଧନ ମହା ମହା ବିପତ୍ତିର ଅଗ୍ନିପରୀକ୍ଷାରେ ମଧ୍ୟ ଭାଙ୍ଗିପଡ଼େ ନାହିଁ । ମାତ୍ର ଯେଉଁଠି ସେବାର ଅଭାବ, ସେଠି ବିବାହବିଚ୍ଛେଦ, ପରିତ୍ୟାଗ ତଥା ଅବିଶ୍ୱାସ ଛଡ଼ା ଅନ୍ୟ କିଛି ନୁହେଁ । ଆପଣମାନେ ପୁରୁଷ ଜୀବନର କର୍ଣ୍ଣଧାର ହୋଇଥିବାରୁ ଆପଣମାନଙ୍କର ଦାୟିତ୍ୱ ଖୁବ୍ ବେଶୀ । ଇଚ୍ଛାକଲେ ଆପଣମାନେ ମନୁଷ୍ୟର ଜୀବନତରୀକୁ ଘନ ଝଡ଼ଝଞ୍ଜା ଭିତରେ ମଧ୍ୟ ଆରପାରକୁ ନେଇଯାଇ ପାରନ୍ତି, କିମ୍ୱା ଅସାବଧାନ ହୋଇ ମଝିଧାରରେ ବୁଡ଼େଇଦେଇ ପାରନ୍ତି । ମାତ୍ର ନୌକା ଡୁବିଗଲେ, ପୁରୁଷମାନେ ଯେମିତି ଡୁବିଯିବେ, ଆପଣମାନେ ମଧ୍ୟ ସେହିପରି ଡୁବିଯିବେ, ଉଭୟ କୂଳର କ୍ଷତି ।

 

ଭାଷଣ ଶେଷ ହୋଇଗଲା । ବିଷୟ ବିବାଦପୂର୍ଣ୍ଣ ଥିବାରୁ ଅନେକ ସ୍ତ୍ରୀ ଜବାବ ଦେବାପାଇଁ ଅନୁମତି ମାଗିଲେ । ମାତ୍ର ବହୁତ ଡେରିହୋଇ ଯାଇଥିବାରୁ ମାଳତୀ ଦେବୀ ମେହେତାଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଦେଲେ । ଶେଷରେ କହିଦିଆଗଲା ଯେ ଆସନ୍ତା ରବିବାର ଦିନ କେତେକ ସ୍ତ୍ରୀଲୋକ ଏ ବିଷୟରେ ଭାଷଣ ଦେବେ ।

 

ରାୟସାହେବ ମେହେତାଙ୍କୁ ଖୁବ୍ ଧନ୍ୟବାଦ ଦେଇ କହିଲେ, ମିଷ୍ଟର ମେହେତା, ଆପଣ ନିଜର ମନକଥା ଠିକ୍ ଠିକ୍ କହି ଦେଇଛନ୍ତି । ଆପଣଙ୍କ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ ।

 

ମାଳତୀ କହିଲେ–ହଁ, ଆପଣ କାହିଁକି ଧନ୍ୟବାଦ ନ ଦେବେ ! ଚୋରଙ୍କ ଭାଇ ପରା ଗାଲକଟା ! ହତଭାଗିନୀ ନାରୀ ଉପରେ କାହିଁକି ଏ ସବୁ ଆଦର୍ଶ ଲଦି ଦିଆଯାଉଛି ! ତ୍ୟାଗ, ପ୍ରେମ, ଆଦର୍ଶ ସବୁ କିଛି ପାଳନ କରିବାପାଇଁ ନାରୀମାନଙ୍କୁ ଖାଲି କାହିଁକି କୁହାଯାଉଛି ?

 

ମେହେତା କହିଲେ, କାହିଁକି ନା, ସ୍ତ୍ରୀମାନେ ସବୁକଥା ବୁଝିପାରନ୍ତି । ମାଳତୀଙ୍କ ମନକଥା ଜାଣିବାପାଇଁ ଖନ୍ନା ସାହେବ ଏଡ଼େ ଏଡ଼େ ଆଖିକରି ମେହେତାଙ୍କ ଆଡ଼କୁ ଅନାଇ କହିଲେ, ଡାକ୍ତର ସାହେବ, ଆପଣ ଆଜି ଯେଉଁସବୁ କଥା କହିଲେ, ମୋତେ ସେସବୁ ଭାରି ପୁରୁଣା ଜଣାଗଲା ।

 

ମାଳତୀ ଚିଡ଼ିଯାଇ କହିଲେ, କେଉଁ ସବୁ କଥା ?

 

‘ଏଇ ସେବା, ଧର୍ମ, ତ୍ୟାଗ କଥାସବୁ ।’

 

‘ଆପଣଙ୍କୁ ଯଦି ଏସବୁ କଥା ଏତେ ପୁରୁଣା ଲାଗିଲା, ଆପଣ କିଛି ନୂଆକଥା ବତାନ୍ତୁ । ଦାମ୍ପତ୍ୟ ଜୀବନକୁ ସୁଖୀ କରିବାପାଇଁ ଆପଣଙ୍କ ପାଖରେ ଆଉ କ’ଣ ମସଲା ଅଛି, କାଢ଼ନ୍ତୁ ।

 

ଖନ୍ନା ବିଚାରାଙ୍କୁ ଭାରି ଲାଜ ମାଡ଼ିଲା । ସେ ସିନା ମାଳତୀଙ୍କୁ ଖୁସୀ କରିବାକୁ ଏମିତି କହୁଥିଲେ, କିନ୍ତୁ ମାଳତୀ ବରଂ କଥାକୁ ଓଲଟି ବୁଝିଲେ । ଖନ୍ନା କହିଲେ, ହଁ, ସେ ମସଲା ତ ମେହେତା ସାହେବଙ୍କୁ ନିଶ୍ଚୟ ଜଣାଥିବ ।

 

‘ଡାକ୍ତର ସାହେବ ଯାହା କହିଲେ ତା ଯଦି ଶହେ ବର୍ଷର ପୁରୁଣା କଥା ହୋଇଥାଏ, ତେବେ ନୂଆକଥା ତ ଆପଣକୁ ବତାଇବାକୁ ପଡ଼ିବ । ଆପଣଙ୍କୁ ବୋଧହୁଏ ଜଣା ନାହିଁ, ଦୁନିଆରେ ଏମିତି ଅନେକ କଥା ଅଛି, ଯାହା କେବେହେଲେ ପୁରୁଣା ହୁଏ ନାହିଁ । ସମାଜରେ ଏମିତି ନାନା ସମସ୍ୟା ଯୁଗ ଯୁଗ ଧରି ଉଠି ଆସିଛି ଏବଂ ଉଠୁଥିବ ।

 

ଶ୍ରୀମତୀ ଖନ୍ନା ସେତେବେଳକୁ ବାରଣ୍ଡାରେ ଚାଲିଯାଉଥିଲେ । ମେହେତା ତାଙ୍କ ପାଖକୁ ଯାଇ ପ୍ରଣାମ କରି ପଚାରିଲେ, ମୋ ବକୃତା ବିଷୟରେ ଆପଣଙ୍କର ମତାମତ କ’ଣ ?

 

ଶ୍ରୀମତୀ ଖନ୍ନା ମୁହଁକୁ ତଳକୁ କରି କହିଲେ, ଖୁବ୍ ବଢ଼ିଆ, ଖୁବ୍ ଭଲ । କିନ୍ତୁ ଆପଣ ହେଉଛନ୍ତି ଅବିବାହିତ, ସେଥିପାଇଁ ନାରୀମାନେ ଆଜି ଆପଣଙ୍କ ପାଖରେ ହୋଇଛନ୍ତି ଦେବୀ, ସର୍ବଶ୍ରେଷ୍ଠ ପ୍ରାଣୀ, ଜାତିର କର୍ଣ୍ଣଧାର ଇତ୍ୟାଦି । କିନ୍ତୁ ବାହା ହୋଇପଡ଼ିଲେ ପୁଣି ଜାଣିବେ ନାରୀମାନେ କ’ଣ ? ଆପଣଙ୍କୁ ତ ଯେମିତି ହେଲେ ବାହାହେବାକୁ ହେବ, କାହିଁକି ନା ଆପଣ ତ କହି ସାରିଛନ୍ତି ଯେଉଁ ପୁରୁଷମାନେ ଅବିବାହିତ ରହି ବାସ୍ତବ ଜୀବନଠାରୁ ଦୂରରେ ରହନ୍ତି ସେହିମାନେ ହିଁ କାପୁରୁଷ ।

 

ମେହେତା ହସି ହସି କହିଲେ, ହଁ, ସେଇଥିପାଇଁ ରାସ୍ତା ତିଆରି କରୁଛି ପରା !

 

‘ମିସ୍ ମାଳତୀଙ୍କ ସଙ୍ଗରେ ଆପଣଙ୍କର ଯୋଡ଼ି ବି ଆଚ୍ଛା ହେବ ।’

 

‘ଯଦି ସେ କିଛିଦିନ ଆପଣଙ୍କ ପାଦତଳେ ବସି ନାରୀଧର୍ମ ଶିଖନ୍ତି ତେବେ ଯାଇ ସିନା....... ।’

 

‘ପୁରୁଷମାନଙ୍କର ଏହି ଯେଉଁ ସ୍ଵାର୍ଥପର କଥା ! ଆପଣ କ’ଣ ସବୁପ୍ରକାର ପୁରୁଷ ଧର୍ମ ଶିଖି ସାରିଲେଣି ?’

 

‘ଭାବୁଛି, କାହାଠାରୁ ଶିଖିବି ?’

 

‘ମିଷ୍ଟର ଖନ୍ନା ଆପଣଙ୍କୁ ଖୁବ୍ ଭଲକରି ଶିଖାଇ ଦେଇ ପାରିବେ ।’

 

ମେହେତା ହେଁ ହେଁ ହୋଇ ହସି ପକାଇ କହିଲେ, ନାହିଁ, ପୁରୁଷ କର୍ତ୍ତବ୍ୟ ବି ମୁଁ ଆପଣଠାରୁ ଶିଖିବାକୁ ଚାହେଁ ।

 

‘ଆଚ୍ଛା, ତା ହେଲେ ମୋ’ରିଠୁ ଶିଖବେ । କିନ୍ତୁ ମୋଠୁ ଶିଖିବାକୁ ହେଲେ ପ୍ରଥମେ ଭୁଲି ଯିବାକୁ ହେବ ଯେ, ନାରୀ ସର୍ବଶ୍ରେଷ୍ଠ ଓ ତା ଉପରେ ସବୁ ଦାୟିତ୍ଵ ନ୍ୟସ୍ତ । ପ୍ରକୃତରେ ଶ୍ରେଷ୍ଠ ହେଉଛନ୍ତି ପୁରୁଷ, ଘରର ସବୁ ଦାୟିତ୍ଵ ତାଙ୍କରି ମୁଣ୍ଡରେ । ସେହି କେବଳ ନାରୀଠାରେ ସେବା, ସଂଯମ, କର୍ତ୍ତବ୍ୟର ପ୍ରେରଣା ଜାଗ୍ରତ କରି ପାରନ୍ତି । ପୁରୁଷଠାରେ ସେସବୁ ଗୁଣ ନଥିଲେ ସ୍ତ୍ରୀଠାରେ ତାହା ପାଇବା ଅସମ୍ଭବ । ପୁରୁଷଙ୍କଠାରେ ଏହି ସବୁ ଗୁଣ ଅଭାବ ହେବାରୁ ନାରୀ ଆଜି ବିଦ୍ରୋହୀ ହୋଇ ଉଠିଛି ।’

 

ମିର୍ଜା ସାହେବ ଆସି ମେହେତାଙ୍କୁ କୁଣ୍ଢେଇ ପକାଇ କହିଲେ, ଧନ୍ୟବାଦ !

 

ମେହେତା ଜିଜ୍ଞାସୁ ନେତ୍ରରେ ଚାହିଁ ପଚାରିଲେ, କ’ଣ ମୋ ବକ୍ତୃତା ଆପଣଙ୍କୁ ଖୁବ୍ ଭଲ ଲାଗିଲା ?

 

‘ବକ୍ତୃତା ତ ଖୁବ୍ ବଢ଼ିଆ ହେଲା, ତା ଛଡ଼ା କାମ ବି ଖୁବ୍ ହାସଲ ହେଲା । ତମ ବକ୍ତୃତା ଶୁଣି ଅପ୍‍ସରୀ ତମର ଏକାଥରକେ ପାଗଳ । ବଡ଼ଲୋକ ବୋଲି ଯାହାଙ୍କର ଏତେ ବଡ଼େଇ ଯେ, କାହାକୁ ସେ ପାଖରେ ପର୍ଯ୍ୟନ୍ତ ପୂରେଇ ଦିଅନ୍ତି ନାହିଁ, ସେ ବି ଆଜି ବସିକରି ଆପଣଙ୍କ ନାମ ଜପୁଛନ୍ତି ।’

 

ଶ୍ରୀମତୀ ଖନ୍ନା ତୁନୀ ତୁନୀ କହିଲେ, ଏଇନେ ତ ନିଶା ବଢ଼ିଛି, ନିଶା କମିଗଲେ ପୁଣି କହିବେ ।

 

ମେହେତା ଟିକିଏ ବିରକ୍ତ ହେଲାପରି କହିଲେ, ମୋ ଭଳିଆ ବହିଘୋଷା ବଳଦଙ୍କୁ କେଉଁ ସ୍ତ୍ରୀ ପସନ୍ଦ କରିବ ? ତହିଁକି ମୁଁ ତ ପକ୍କା ଆଦର୍ଶବାଦୀ ।

 

ମିଷ୍ଟର ଖନ୍ନା ଆପଣା ମଟର ପାଖକୁ ଯାଉଥିବାର ଦେଖି ଶ୍ରୀମତୀ ଖନ୍ନା ବି ସେଇଆଡ଼କୁ ଚାଲିଲେ । ମିର୍ଜା ସାହେବ ବି ବାହାରକୁ ଚାଲିଗଲେ । ମେହେତା ସାହେବ ତାଙ୍କ ବାଡ଼ିଧରି ବାହାରିଲା ବେଳକୁ ମାଳତୀ ଆସି ଭାରି ଆଗ୍ରହ କରି ‘କହିଲେ, ଆପଣ ଆଜି ଯାଇପାରିବେ ନାହିଁ । ଚାଲନ୍ତୁ ଆମ ଘରକୁ ଯିବା, ବାପାଙ୍କ ସଙ୍ଗେ ମୁଁ ଆପଣଙ୍କୁ ଚିହ୍ନା କରାଇଦେବି-। ସେଇଠି ଆପଣ ଆଜି ଖାନା ଖାଇବେ ।

 

ମେହେତା କାନରେ ହାତଦେଇ କହିଲେ, ନାହିଁ, ମୋତେ କ୍ଷମା କରନ୍ତୁ । ସେଠିକି ଗଲେ ସରୋଜ ମୋ ପ୍ରାଣ ଖାଇଯିବ । ସେମିତିଆ ଝିଅଙ୍କୁ ମୋର ଭାରି ଡର ।

 

‘ନାହିଁ, ନାହିଁ, ସେ ଦାୟିତ୍ଵ ମୋର, ସେଠି ସେ ଆପଣଙ୍କୁ ପାଟି ଫିଟାଇ ପାରିବ ନାହିଁ ।’

 

‘ଆଚ୍ଛା, ତାହେଲେ ଆପଣ ଚାଲନ୍ତୁ, ମୁଁ ଟିକିଏ ଡେରି କରି ଯାଉଛି ।’

 

‘ନାହିଁ ସେ କଥା ହେବ ନାହିଁ । ମୋ ଗାଡ଼ି ତ ସରୋଜ ନେଇ ଚାଲିଗଲାଣି । ଆପଣ ତ ଯେମିତି ହେଲେ ମୋତେ ଛାଡ଼ିବାକୁ ଯା’ନ୍ତେ । ଚାଲନ୍ତୁ ଯିବା ।’ ଦିହେଁଯାକ ମେହେତାଙ୍କ ଗାଡ଼ିରେ ବସି ଚାଲିଲେ ।

 

ଟିକିଏ ପରେ ମେହେତା ପଚାରିଲେ, ମୁଁ ଶୁଣିଲି ଖାନ୍ନା ସାହେବ ତାଙ୍କ ସ୍ତ୍ରୀଙ୍କୁ ପିଟାପିଟି କରନ୍ତି । ସେକଥା ଜାଣିଲାଦିନୁ ତାଙ୍କୁ ଦେଖିଲେ ମୋତେ ଘୃଣା ଲାଗେ । ଯେଉଁ ଲୋକ ଏମିତି ବର୍ବର ହୋଇପାରେ ମୁଁ ତାକୁ କେବେ ମଣିଷ ବୋଲି କହେ ନାହିଁ । ତଥାପି ତ ଦେଖିଲି ସାହେବ ନାରୀମାନଙ୍କର ବଡ଼ ସପକ୍ଷ । ତମେ ତାଙ୍କୁ ଟିକିଏ ବୁଝାସୁଝା କରେଇ ଦେଉ ନାହଁ କାହିଁକି ?

 

ମାଳତୀ ଟିକିଏ ଉଦବିଗ୍ନ ହୋଇ କହିଲେ, ଆପଣ ବୋଧହୁଏ ଭୁଲି ଯାଉଛନ୍ତି, ତାଳି କେବେ ଗୋଟାଏ ହାତରେ ବାଜେ ନାହିଁ ।

 

‘‘ମୁଁ ତ କେବେ ଭାବିପାରେ ନାହିଁ, ପୁରୁଷ କେମିତି ସ୍ତ୍ରୀକୁ ମାରେ ।’

 

‘ଯାହାର ତୁଣ୍ଡ ଖରାପ, ସେ ମାଡ଼ ଖାଇବ ନାହିଁ ?’

 

‘ନା, ଯେତେ ଖରାପ ହେଲେ ବି ମାଡ଼ଦେବା ଉଚିତ୍ ନୁହେଁ ।’

 

‘ଆପଣ ତାହାହେଲେ ଜଣେ ବିଚିତ୍ର ଲୋକ ।’

 

‘ତମେ ତାହାହେଲେ କ’ଣ କହିବାକୁ ଚାହୁଛ ଯେ ପୁରୁଷ ଯଦି ବଦମାସ ହୁଏ, ତେବେ ସ୍ତ୍ରୀ ତାକୁ କୋରଡ଼ା ଧରି ପିଟିବ ?’

 

‘ନାହିଁ, ତା ନୁହେଁ ଯେ, କିନ୍ତୁ ସ୍ତ୍ରୀ ଯେତେ କ୍ଷମାଶୀଳ ହୋଇପାରେ ପୁରୁଷ ହୋଇପାରେ ନାହିଁ । ଆପଣ ତ ନିଜେ ଏକଥା ଆଜି ସ୍ୱୀକାର କରିଛନ୍ତି ।’

 

‘ତା ହେଲେ ସ୍ତ୍ରୀମାନଙ୍କର କ୍ଷମାଗୁଣ ପାଇଁ କଣ ଏକ ପୁରସ୍କାର ? ମୁଁ ତ ଭାବୁଛି ତମେ ଖନ୍ନାର ମୁହଁ ବଢ଼େଇ ଏଥିରେ ତାଙ୍କୁ ସାହାଯ୍ୟ କରୁଛ । ତମକୁ ଯେତେ ସେ ଭଲପାଏ ଆଉ ଭକ୍ତି କରେ, ତମେ ଚାହିଁଲେ ତାକୁ ସିଧା କରିଦେଇ ପାରନ୍ତ । ବରଂ ତମେ ତା ସପକ୍ଷରେ ସଫେଇ ଦେଇ ଏହି ଦୋଷରେ ନିଜେ ଦୋଷୀ ହୋଇ ପଡ଼ୁଛ ।’

 

ମାଳତୀ ଉତ୍ତେଜିତ ହୋଇ କହିଲେ, ଆପଣ ବୃଥାରେ ଏତେବେଳେ ଏକଥା ପକାଇଲେ କାହିଁକି ? ମୁଁ କାହାରି ବଦନାମ କରିବାକୁ ଚାହେ ନାହିଁ, ହେଲେ ଆପଣ ସେ ଶ୍ରୀମତୀ ଖନ୍ନାଙ୍କୁ ମୋଟେ ଚିହ୍ନି ନାହାନ୍ତି । ଆପଣ ତାଙ୍କର ତୁନତାନ୍ ଚେହେରାଟି ଦେଖି ଭାବନ୍ତି ସେ ଜଣେ ଦେବୀ । ମୁଁ କିନ୍ତୁ ତାଙ୍କୁ ଏତେ ଉପରକୁ ଉଠାଇବାକୁ ଚାହେ ନାହିଁ । ସେ ମୋର ଯେତେ ଯେତେ ବଦନାମ କରିଛନ୍ତି, ଆଉ ମୋତେ ଯେତେ ହଇରାଣ କରିଛନ୍ତି, ସେକଥା କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କୁ ଶେଷରେ ସ୍ୱୀକାର କରିବାକୁ ପଡ଼ିବ ଯେ ଏମିତି ସ୍ତ୍ରୀଲୋକଙ୍କ ପାଇଁ ଏମିତି ବ୍ୟବହାର ବିଲକୁଲ୍ ଠିକ୍ ।

 

‘ତମ ଉପରେ ତାଙ୍କର ଏତେ ରାଗର କାରଣ ତ ନିଶ୍ଚୟ ଥିବ ।’

 

‘କାରଣ ଆପଣ ତାଙ୍କୁ ପଚାରୁ ନାହାନ୍ତି, ତାଙ୍କ ମନକଥା ମୁଁ କେମିତି କହିପାରିବି ?

 

ତାଙ୍କୁ ନ ପଚାରି ବି କାରଣ ଅନୁମାନ କରାଯାଇପାରେ । ଯଦି କୌଣସି ପୁରୁଷ ମୁଁ ଏବଂ ମୋ ସ୍ତ୍ରୀଙ୍କ ଭିତରେ ପଶି ମୋସ୍ତ୍ରୀଙ୍କୁ ଭୁଲାଇବାକୁ ଚେଷ୍ଟାକରେ, ତେବେ ମୁଁ ତାକୁ ଗୁଳିକରି ମାରିଦେବି ନିଶ୍ଚୟ । ନାହିଁ, ଯଦି ମାରି ନ ପାରିଲି ତେବେ ନିଜେ ମାରିହୋଇ ମରିବା ଛଡ଼ା ଆଉ ଉପାୟ କଣ ? ସେମିତି ମୁଁ ଯଦି କୌଣସି ସ୍ତ୍ରୀଲୋକକୁ ଭୁଲାଇ ଆପଣା ଘରକୁ ଆଣିବାକୁ ଚାହେଁ, ତେବେ ମୋ ସ୍ତ୍ରୀଙ୍କର ଯାହା ଇଚ୍ଛା, ତା ସେ କରିପାରନ୍ତି । ୟା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ । ଏହା ମୋର ଅବୈଜ୍ଞାନିକ ମନୋବୃତ୍ତି ହୋଇପାରେ, କିନ୍ତୁ ଏହି ମନୋବୃତ୍ତି ମନୁଷ୍ୟ ତାର ବଣ୍ୟପୂର୍ବପୁରୁଷଙ୍କଠାରୁ ପାଇ ଆସିଛି । ଏପରି ବ୍ୟବସ୍ଥାକୁ କେହି କେହି ଅସଭ୍ୟତା କହି ପାରନ୍ତି, ମାତ୍ର ଏହି ବ୍ୟବସ୍ଥା ନିକଟରେ ମୋତେ ସବୁଦିନେ ହାରମାନିବାକୁ ହୋଇଛି ଏବଂ ସବୁଦିନେ ମୁଁ ହାର ମାନୁଥିବି । ଏବିଷୟରେ ମୁଁ କୌଣସି ଆଇନ କାନୁନକୁ ଖାତିର କରେ ନାହିଁ ମୋ ଘରେ ମୋ ନିଜ ଆଇନ ।

 

ମାଳତୀ ଆହୁରି ଜୋରରେ ପାଟିକରି କହିଲେ, ଆପଣ କେମିତି ଏକଥା ଅନୁମାନ କଲେ ଯେ ମୁଁ ଖନ୍ନା ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ପଶି ମନୋମାଳିନ୍ୟ ସୃଷ୍ଟି କରିବାପାଇଁ ଚେଷ୍ଟା କରୁଛି-? ଏ ପ୍ରକାର ଅନୁମାନ କରି ଆପଣ ମୋତେ ଅଯଥା ଅପମାନିତ କରୁଛନ୍ତି । ଆପଣ ବୋଧହୁଏ ଜାଣନ୍ତି ନାହିଁ, ଖନ୍ନାକୁ ମୁଁ ମୋର ପାଦରଧୂଳିଠାରୁ ବି ହୀନ ମନେକରେ ।

 

ମେହେତା ମାଳତୀଙ୍କ କଥାକୁ ଅବିଶ୍ୱାସ କଲାପରି କହିଲେ, ମିସ୍ ମାଳତୀ, ଆପଣ ଏକଥା କେବେହେଲେ ପେଟ ଭିତରୁ କହୁ ନାହାନ୍ତି । ଆପଣ କଣ ଭାବିଛନ୍ତି ଦୁନିଆଟା ଏଡ଼େ ବୋକା ? ଯେଉଁ କଥା ସମସ୍ତେ କହୁଛନ୍ତି, ଶ୍ରୀମତୀ ଖନ୍ନା ଯଦି ସେଇକଥା କହନ୍ତି, ମୁଁ ତାଙ୍କୁ ଦୋଷ ଦେବି କାହିଁକି ?

 

ମାଳତୀ ଦେବୀ ଚିଡ଼ିଯାଇ କହିଲେ, ପରର ବଦନାମ କରି ମଜା କରିବା ତ ଦୁନିଆର ସ୍ୱଭାବ ସେ ସ୍ୱଭାବକୁ ବଦଳେଇ ଦେଇପାରିବ କିଏ ? କିନ୍ତୁ ମୋ ବିଷୟରେ ଏସବୁ କଳଙ୍କ ଖାଲି ମିଛ । ହଁ, ଅବଶ୍ୟ ମୁଁ ଏତିକି ଅସଭ୍ୟ ନୁହେଁ ଯେ ଖନ୍ନା କେବେ ପାଖକୁ ଆସିଲେ ମୁଁ ତାଙ୍କୁ ଦୂର ଦୂର କରି ତଡ଼ି ଦିଅନ୍ତି । ଡାକ୍ତର ହିସାବରେ ମୋର ତ ଜୀବିକା ହେଉଛି ସମସ୍ତଙ୍କୁ ଆପଣାର କରିବା, ପାଖକୁ ଡାକିବା । କିନ୍ତୁ ସେଥିରୁ ଯଦି କେହି କିଛି ଅନ୍ୟ ଅର୍ଥ ବୁଝୁଥାଏ, ତା ହେଲେ ବୁଝୁ, ମୋର ଯାଏ ଆସେ କେତେ ? ମାଳତୀଙ୍କ ତଣ୍ଟି ପଡ଼ି ଆସିଲା, ମୁହଁ ଆଡ଼େଇ ରୁମାଲରେ ଲୁହ ପୋଛିଦେଇ ଟିକିଏ ପରେ ସେ କହିଲେ, ଆଉଲୋକଙ୍କ ପରି ଆପଣ ବି ମୋତେ...ମୋତେ... । ମୋର ଦୁଃଖ ହେଉଛି...ଆପଣ ଏମିତି କହିବେ ବୋଲି ମୁଁ କେବେ ଆଶା କରି ନଥିଲି ।

 

ନିଜର ଦୁର୍ବଳତା ପାଇଁ ଟିକିଏ ଲଜ୍ଜିତ ହୋଇ ପୁଣି ରାଗିଯାଇ ମାଳତୀ କହିଲେ, ମୋ ପ୍ରତି ଏଭଳି ଆକ୍ଷେପ କରିବାପାଇଁ ଆପଣଙ୍କର କୌଣସି ଅଧିକାର ନାହିଁ । କିନ୍ତୁ ସ୍ତ୍ରୀ ପୁରୁଷଙ୍କୁ ଦେଖି ଆଉଲୋକେ ଯେମିତି ଥଟ୍ଟା ପରିହାସ କରନ୍ତି, ଆପଣ ଯଦି ସେହିମାନଙ୍କ ପରି ହୋଇଥାନ୍ତି, ତାହାହେଲେ ଆପଣ କରିପାରନ୍ତି, ମୋର ସେଥିପାଇଁ ଅଣୁମାତ୍ର ଦୁଃଖ ନାହିଁ । କିନ୍ତୁ କୌଣସି ସ୍ତ୍ରୀ ଯଦି ଆପଣଙ୍କ ପାଖକୁ କୌଣସି ନା କୌଣସି ଆଳକରି ବରାବର ଆସେ, ଆପଣଙ୍କୁ ଦେବତା ବୋଲି କହେ, ପ୍ରତି କଥାରେ ଆପଣଙ୍କର ପରାମର୍ଶ ନିଏ, ଆପଣଙ୍କ ପାଦତଳେ ଦୃଷ୍ଟିରଖି ଏତେ ଟିକିଏ ଇସାରା ପାଇଲା ମାତ୍ରେ ନିଆଁକୁ ଡେଇଁ ପଡ଼ିବାକୁ ପ୍ରସ୍ତୁତ ହୁଏ, ସେପରି ସ୍ତ୍ରୀଲୋକଙ୍କୁ ଆପଣ କେବେହେଲେ ଆଡ଼େଇଦେଇ ଯାଇପାରିବେ ନାହିଁ । ଯଦି ଯାଇପାରନ୍ତି ତେବେ ମୁଁ କହିବି ଆପଣ ମନୁଷ୍ୟ ନୁହନ୍ତି । ୟା ବିରୁଦ୍ଧରେ ଆପଣ ଯେତେ ଯୁକ୍ତି ଯେତେ ପ୍ରମାଣ ଦେଲେ ମଧ୍ୟ ମୁଁ କେବେହେଲେ ମାନିବାକୁ ରାଜି ନୁହେଁ । ମୁଁ ତ କହୁଛି ଆଡ଼େଇ ଦେଇଯିବା ତ ଦୂରେ ଥାଉ, ଆପଣ ସେମିତି ସ୍ତ୍ରୀଙ୍କର ପାଦ ଧୋଇ ପାଣି ପିଇବେ ଏବଂ ଶେଷକୁ ଆପଣ ତାଙ୍କର ଦାସ ହୋଇ ରହିବେ ଏବଂ ସେ ଆପଣଙ୍କର ହୃଦୟର ରାଜରାଣୀ ହୋଇ ଆସନ ଜମେଇ ବସିବେ । ମୁଁ ଆପଣଙ୍କୁ ହାତ ଯୋଡ଼ିକରି କହୁଛି, ମୋ ଆଗରେ ଆପଣ କେବେହେଲେ ଖନ୍ନାର ନାଁ ଧରିବେ ନାହିଁ ।

 

ଏହି ସରଗର୍ମୀ ଭିତରେ ମେହେତା ଟିକିଏ ଗରମ ହୋଇ କହିଲେ, ମୁଁ ଆପଣଙ୍କୁ ଖନ୍ନାଙ୍କ ସାଙ୍ଗରେ କେବେହେଲେ ଦେଖିବାକୁ ଚାହେଁ ନାହିଁ ।

 

ମୁଁ କେବେହେଲେ ମୋର ସାଧାରଣ ମନୁଷ୍ୟତାକୁ ହତ୍ୟାକରି ପାରିବି ନାହିଁ । ଆପେ ଆପେ କେହି ପାଖକୁ ଆସିଲେ ତାଙ୍କୁ ଦୂର ଦୂର କରିବା ମୋ ପକ୍ଷରେ ଅସମ୍ଭବ ।’

 

‘ତାଙ୍କୁ କହିଦେବ ସେ ଯେମିତି ତାଙ୍କ ସ୍ତ୍ରୀଙ୍କ ସଙ୍ଗେ ଭଲ ବ୍ୟବହାର କରନ୍ତି ।’

 

‘କ୍ଷମା କରିବେ, ମୁଁ ପାରିବି ନାହିଁ, କାହା ଘରକଥାରେ ପାଟି ଫିଟାଇବାକୁ ମୁଁ ଉଚିତ୍ ମନେକରେ ନାହିଁ, କିମ୍ବା ମୋର ସେଥିରେ କୌଣସି ଅଧିକାର ନାହିଁ ।’

 

‘ତା ହେଲେ ତ ଆପଣ କାହା ପାଟିରେ ହାତ ଦେଇପାରିବେ ନାହିଁ ।’

 

ମାଳତୀଙ୍କ ବଙ୍ଗଳା ଆସି ପହଞ୍ଚିଗଲା । ଗାଡ଼ି ଛିଡ଼ା ହେବା ମାତ୍ରେ ବାହାରିପଡ଼ି କିଛି ନ କହି ସେ ଚାଲିଗଲେ । ମେହେତାଙ୍କୁ ନିମନ୍ତ୍ରଣ କରିଥିବା କଥା ୟା ଭିତରେ ପୂରାପୂରି ସେ ଭୁଲି ଯାଇଥିଲେ । ସେ ଚାହୁଁଥିଲେ ଏକୁଟିଆ ଯାଇ କେଉଁଠି ବସି କାନ୍ଦିବେ । ଶ୍ରୀମତୀ ଖନ୍ନା ତ କେତେବାର ଅପମାନ କରିଛନ୍ତି, ମାତ୍ର ମେହେତାଙ୍କ ଅପମାନ ବଡ଼ ତୀବ୍ର, ବଡ଼ ମର୍ମଦାହୀ ।

Image

 

ଷୋଡ଼ଶ ପରିଚ୍ଛେଦ

 

ରାୟସାହେବ ଯେତେବେଳେ ଜାଣିଲେ ଯେ ଇଲାକାରେ ଗୋଟାଏ ବଡ଼ ଗଣ୍ଡଗୋଳ ହୋଇଯାଇଛି ଏବଂ ଗାଁ ପଞ୍ଚାୟତମାନେ ହୋରୀଠାରୁ ଜୋରିମନା ଅସୁଲ କରି ନେଇଛନ୍ତି, ସେ ସାଙ୍ଗେ ସାଙ୍ଗେ ନୋଖେରାମକୁ ଡକାଇ ଜବାବ ମାଗିଲେ, କହିଲେ–କାହିଁକି ସଙ୍ଗେ ସଙ୍ଗେ ତୁ ମତେ ଇତାଲା ନ ଦେଲୁ ? ତୋ ଭଳି ଦଗାବାଜ ନିମକ ହାରାମଙ୍କ ପାଇଁ ଏଠି ଆଉ ଜାଗା ନାହିଁ ।

 

ନୋଖେରାମ ବହୁତ ଗାଳିଖାଇ ଟିକିଏ ଗରମ ହୋଇ କହିଲା–ହଜୁର, ମୁଁ କ’ଣ ଏକୁଟିଆ ଥିଲି ? ଗାଁ ପଞ୍ଚାୟତଯାକ ତ ସମସ୍ତେ ଗଦା ହୋଇଥିଲେ, ମୁଁ ଏକୁଟିଆ କ’ଣ କରିଥାନ୍ତି-?

 

ରାୟସାହେବ ତାକୁ ତୀବ୍ର ଦୃଷ୍ଟିରେ ଚାହିଁ କହିଲେ–ଚୁପ୍ ରହ, ତୋର ତେତେବେଳେ କହିବା ଉଚିତ ଥିଲା ଯେ ସରକାରଙ୍କୁ ଇତାଲା ନ ଦେବାଯାକେ କେହି ଜୋରିମନା ଅସୁଲ କରିପାରିବେ ନାହିଁ । ମୁଁ ଆଉ ମୋ ପ୍ରଜାଙ୍କ ଭିତରେ ମାମଲା ଫୈସଲ କରିବା ପାଇଁ ପଞ୍ଚାୟତବାଲା କିଏ ? ଜୋରିମନା ଛଡ଼ା ଆମର ଆଉ କେଉଁ ରୋଜଗାର ଅଛି ? ଖଜଣା ତ ଗଲା ସରକାରକୁ, ଯାହା ଯେଉଁଠି ବାକି ରହିଲା ତାକୁ ତ ପ୍ରଜାମାନେ ମାରିକରି ଖାଇଲେ, ତେବେ ଆମେ ଆଉ ଯିବୁ କୁଆଡ଼େ ? ଖାଇବୁ କ’ଣ, ତୋ ମୁଣ୍ଡଟା ଖାଇବୁ ? ଲକ୍ଷ ଲକ୍ଷ ଟଙ୍କାର ଖରଚ, ଆସିବ କୁଆଡ଼ୁ ? ଦି ପୁରୁଷ ହେଲା ବାପ ଅଜା ଅମଳରୁ ତମେ ସବୁ ପିଆଦାଗିରି କରି ଆସୁଛ, ତମକୁ ପୁଣି ଏସବୁ କଥା ବୁଝେଇବାକୁ ହେବ ! ଆଚ୍ଛା, ହୋରୀଠାରୁ କେତେ ଟଙ୍କା ଅସୁଲ ହୋଇଥିଲା ?

 

ନୋଖେରାମ ଡରି ଡରି କହିଲା–ଆଜ୍ଞା, ଅଶୀ ଟଙ୍କା ।

 

‘କ’ଣ ନଗଦ ?’

 

‘ନଗଦ ତାକୁ ଆଜ୍ଞା ଏତେ ଏଟା ମିଳନ୍ତା କେଉଁଠୁ ? ଧାନଧୁନା କିଛି ଦେଲା, ଆଉ ଅଶୀ ଟଙ୍କାରେ ଘରବାଡ଼ି ଲେଖିଦେଲା ।’

 

ରାୟସାହେବ ଆପଣା ସ୍ୱାର୍ଥକଥା ଛାଡ଼ିଦେଇ ବର୍ତ୍ତମାନ ହୋରୀ ପକ୍ଷନେଇ କହିଲେ–ତୁ ଆଉ ତମର କେତେଜଣ ପଞ୍ଚାୟତ ମିଳି ମୋର ଗୋଟାଏ ଆଚ୍ଛା ପ୍ରଜାକୁ ବିଲକୁଲ୍ ନଷ୍ଟ କରିଦେଇ ବସିଛ । ତମକୁ ସବୁ କିଏ ହୁକୁମ ଦେଲା ମୋତେ ନ କହି ମୋ ଇଲାକାର ପ୍ରଜାଙ୍କଠାରୁ ଜୋରିମନା ଅସୁଲ କରିବା ପାଇଁ ? ମୁଁ ଚାହିଲେ ସେହି ଜାଲିଆ ପଟୁଆରୀ ବଦମାସ ପଣ୍ଡିତକୁ ସାତ ସାତ ବର୍ଷ ଜେଲ ଠୁକିଦେବି । ମନେ ମନେ ଗୋଟାଏ ଗୋଟାଏ ବାଦଶାହା ହୋଇ ବସିଛନ୍ତି-। ଦେଖ, ଆଜି ସନ୍ଧ୍ୟାସୁଦ୍ଧା ଯଦି ସବୁ ଜୋରିମନା ଟଙ୍କା ଆସି ଏଠି ନ ପହଞ୍ଚେ, ତାହାହେଲେ ପୁଣି ଦେଖିବ । ମୁଁ ଜଣ ଜଣ କରି ଘଣ୍ଟା ପେଲେଇ ତା ପରେ ଛାଡ଼ିବି । ଆଚ୍ଛା ତୁ ଯା, ହୋରୀ ଆଉ ତା ପୁଅକୁ ଏଠିକି ପଠାଇଦେବୁ ।

 

ନୋଖେରାମ ଡରି ଡରି ଗୁଣୁ ଗୁଣୁ ହୋଇ କହିଲା, ଯେଉଁ ଦିନ ରାତିରେ ଏ କାଣ୍ଡ ହେଲା, ସେହିଦିନ ତ ତା ପୁଅ କୁଆଡ଼େ ଘର ଛାଡ଼ି ପଳାଇ ଯାଇଛି ।

 

ରାୟସାହେବ ରାଗିଯାଇ କହିଲେ, ମିଛ କଥାଗୁଡ଼ା କହ ନାହିଁ । ମିଛ ଶୁଣିଲେ ମୋ ଦେହରେ ନିଆଁ ଲାଗିଯାଏ । ମୁଁ ଆଜିଯାଏ କେବେ ଶୁଣି ନାହିଁ ଜଣେ ଲୋକ ତା ପ୍ରେମିକାକୁ ଘରକୁ ଆଣି ନିଜେ ପୁଣି କୁଆଡ଼େ ପଳାଇବ । ତାର ଯଦି ପଳାଇବାର କଥା, ପର ଝିଅଟାକୁ ଘରକୁ ଆଣିଲା କାହିଁକି ? ଏଥିରେ ବି ତମର ସବୁ ଆହୁରି କଣ ଗଫଲତି ଅଛି । ତମେସବୁ ଗଙ୍ଗାରେ ବୁଡ଼ିକରି ନିୟମ କଲେ ବି ମୁଁ କେବେ ବିଶ୍ୱାସ ଯିବି ନାହିଁ । ତମେ ସବୁ ବୋଧେ ତମ ଜାତି ଟାଣ ରଖିବାପାଇଁ ତାକୁ ଧମକାଇ ଥିବ, ନହିଲେ ସେ ପଳାନ୍ତା କାହିଁକି ?

 

ନୋଖେରାମ କିଛି କହି ପାରିଲା ନାହିଁ, ବଡ଼ଲୋକଙ୍କୁ ଜବାବ ନାହିଁ କି ସରଗକୁ ନେଶେଣୀ ନାହିଁ । ୟା ବି କହି ପାରିଲା ନାହିଁ । ୟା ବି କହି ପାରିଲା ନାହିଁ କି ହଜୁର ବିଜେକରି ସତମିଛ ବୁଝିନିଅନ୍ତୁ । ବଡ଼ଲୋକେ ତ ନିଜ ବିରୁଦ୍ଧରେ ପଦେ କଥା ବି ଶୁଣିବାକୁ ଚାହାନ୍ତି ନାହିଁ ।

 

ରାୟସାହେବଙ୍କ ହୁକୁମ ଶୁଣି ପଞ୍ଚାୟତଙ୍କ ପିଳେଇ ପାଣି । ଧାନ, ମୁଗ ସିନା ସେମିତି ପଡ଼ି ରହିଥିଲା, କିନ୍ତୁ ଟଙ୍କା ତ କୁଆଡ଼େ ଖତମ ପାଇଥିଲା । ଅବଶ୍ୟ ହରି ଘର ଡିହଟାକୁ ଏପର୍ଯ୍ୟନ୍ତ କେହି ନେଇ ନଥିଲେ । ହୋରୀପାଇଁ ସେଟା ସିନା ଲକ୍ଷେ ଟଙ୍କା, ନହିଲେ ଅନ୍ୟ ଲୋକେ ଛୁଇଁବେ କାହିଁକି ? ତେଣେ ରାୟସାହେବ ଟଙ୍କା ନହେଲେ ଛାଡ଼ିବେ ନାହିଁ । ଲାଲା ପଟେଶ୍ୱରୀ ଭାରି ଡର, କାଳେ ତା ଚାକେରୀ ଉଠିଯିବ । ଚାରିକି ଚାରିହେଁ ବସି ମସୁଧା କରିବାକୁ ଲାଗିଲେ, ହେଲେ କାହାକୁ କିଛି ବୁଦ୍ଧି ଦିଶିଲା ନାହିଁ । ଭାବିଲେ ହୋରୀ ଯାଇ ବୋଧହୁଏ ସବୁ ଫୋଡ଼ିଦେଇଛି । ୟେ ତାକୁ, ସେ ତାକୁ ଦୋଷ ଦେବାକୁ ଲାଗିଲେ, ଶେଷକୁ ସବୁ ଝଗଡ଼ା ହେଲା ।

 

ଲାଲା ପଟେଶ୍ୱରୀ ତା ଲମ୍ବା ବେକକୁ ଆହୁରି ଲମ୍ବେଇ ଦେଇ କହିଲା, ମୁଁ ସେତେବେଳେ କହୁଥିଲି ହୋରୀ କଥାରେ କେହି ପାଟି ଫିଟା ନାହିଁ । ଗାଈ ଘଟଣାରେ ସମସ୍ତଙ୍କୁ ଜୋରିମନା ଦେବାକୁ ପଡ଼ିବ, ନ ଦେବା କଥା ପଟିବ ନାହିଁ, ଚାକେରୀ ତ ସହଜେ ଯିବ । ସେତେବେଳେ ଯଦି ଟଙ୍କାପାଇଁ ମନ ଏତେ ସକସକ ହେଉଥିଲା, ଏବେ କୋଡ଼ିଏ କୋଡ଼ିଏ ଟଙ୍କା ଗଣ । ଏବେ ମଧ୍ୟ ଭଲ ବାଟ ଅଛି, ନାହିଁ ଯଦି ରାୟସାହେବ ଉପରକୁ ରିପୋର୍ଟ କରି ଦିଅନ୍ତି, ତେବେ ସମସ୍ତେ ବନ୍ଧା ହୋଇକରି ଯିବା ।

 

ଦାତାଦୀନ ବ୍ରାହ୍ମଣ ତେଜ ଦେଖାଇ କହିଲା, କୋଡ଼ିଏ ଟଙ୍କା ତେଣିକି ଥାଉ, ମୋ ପାଖରେ କୋଡ଼ିଏ ପଇସା ବି ନାହିଁ । ବ୍ରାହ୍ମଣ ଭୋଜି ହେଲା, ହୋମ ହେଲା, କଣ ସେଥିରେ କିଛି ପଇସା ଖରଚ ହେଲା ନାହିଁ ? ରାୟସାହେବଙ୍କର ଏମିତି କରାମତି ଅଛି ମତେ ସେ ଜେଲ୍ ଦେଇଦେବେ ? ବ୍ରାହ୍ମଣ ପାଲରେ ସେ କେବେ ପଡ଼ି ନାହାନ୍ତି, ନହିଲେ ଏ କଥା କହନ୍ତେ ନାହିଁ । ବ୍ରହ୍ମତେଜରେ ଘରଦ୍ୱାର ପୋଡ଼ିଜାଳି ଭସ୍ମ କରିଦେବି ।

 

ଝିଙ୍ଗୁର ସିଂହ, ମଧ୍ୟ ଏହିପରି କେତେ କଥା କହିଲା, ସେ ରାୟସାହେବଙ୍କ ଚାକର ନୁହେଁ କି ସେ ହୋରୀର କ୍ଷତି କରି ନାହିଁ । ବରଂ ପ୍ରାୟଶ୍ଚିତ କରିବାପାଇଁ ହୋରୀକୁ ସେ ସମୟ ଦେଇଥିଲା । ସେଥିପାଇଁ ତାକୁ ଦୋଷ ଦେଇପାରିବେ ନାହିଁ । ମାତ୍ର ନୋଖେରାମର ଅବସ୍ଥା ବଡ଼ କାଇଲ, ବସିକରି ବିଚାରା ରାଜାଙ୍କ ପରି ହୁକୁମ ଚଳାଉଥିଲା । ମୋଟେ ଦଶଟଙ୍କା ଦରମା, କିନ୍ତୁ ବରଷକୁ ହଜାର ହଜାର ରୋଜଗାର, ତେଣେ ବେଠି ବେଗାରୀରେ ସବୁ କାମଦାମ ହାସଲ । ଥାନା ବାବୁ ସହିତେ ଡରିକରି ତାକୁ ଚଉକୀ ଛାଡ଼ି ଦିଅନ୍ତି । ଏମିତି ଆରାମ ଆଉ କେଉଁଠି ମିଳିବ-? ତେଣେ ପଟେଶ୍ୱରୀ ବି ଚାକେରୀ ଯୋଗୁ ମହାଜନ ହୋଇ ବସିଥିଲା । ଏବେ ଯାଏ କୁଆଡ଼େ ? କଣ କରିବ, କଣ କରିବ ଭାବି ଦି ତିନିଦିନ କଟିଗଲା । ତା ପରେ ଗୋଟାଏ ବୁଦ୍ଧି ତାକୁ ଦିଶିଗଲା-। କଚେରୀରେ ଥରେ ଅଧେ ସେ ‘ବିଜୁଳୀ’ କାଗଜ ପଢ଼ିଥିଲା, ଯଦି ବିଜୁଳୀ ସମ୍ପାଦକଙ୍କ ପାଖକୁ ରାୟସାହେବ କେମିତି ଜୋରିମନା ଅସୁଲ କରୁଛନ୍ତି ସେ ବିଷୟରେ ଗୋଟିଏ ବେନାମୀ ଚିଠି ପଠାଇ ଦିଆଯାଆନ୍ତା ତେବେ ଏକାଥରକେ ମଜା ବାହାରି ଯାଆନ୍ତା । ନୋଖେରାମ ବି ସେଥିରେ ରାଜି ହୋଇଗଲା । ଦିହେଁ ମିଳି ଗୋଟାଏ ବେନାମୀ ଲେଖି ରେଜିଷ୍ଟ୍ରି କରି ପଠାଇ ଦେଲେ ।

 

ସମ୍ପାଦକ ତ ବରାବର ଏମିତି ସମ୍ବାଦ ଖୋଜୁଥାନ୍ତି । ସେ ଚିଠି ପାଇଲାମାତ୍ରେ ରାୟସାହେବ ଚିଠି ଲେଖି ଜଣାଇଦେଲେ ଯେ, ତାଙ୍କୁ ଗୋଟାଏ ଚିଠି ମିଳିଛି । ଯଦିଓ ତାକୁ ସେ ବିଶ୍ଵାସ କରିବାକୁ ରାଜିନୁହନ୍ତି ତଥାପି ସେଥିରେ ଏମିତି କଥା ଲେଖା ହୋଇଛି ଯେ ଅବିଶ୍ଵାସ କରିବାର କୌଣସି କାରଣ ନାହିଁ । ଏକଥା କ’ଣ ସତ, ରାୟସାହେବ ତାଙ୍କ ଇଲାକାର ଜଣେ ଲୋକର ପୁଅ ଜଣେ ବିଧବା ସ୍ତ୍ରୀକୁ ଘରେ ରଖିନେଇଥିବାରୁ ତାଠୁ ଅଶୀ ଟଙ୍କା ଜୋରିମନା ନେଇଛନ୍ତି ? ସମ୍ପାଦକ ହିସାବରେ ଏକଥା ଇନକ୍ୱାରୀ କରି ଲୋକଙ୍କ ଉପକାର ପାଇଁ ଖବର କାଗଜରେ ଛପାଇବାପାଇଁ ସେ ବାଧ୍ୟ ହେଉଛନ୍ତି । ରାୟସାହେବଙ୍କର ଏ ବିଷୟରେ ଯାହା କରିବାର କଥା ସେ କରିପାରନ୍ତି । ଭଗବାନ କରନ୍ତୁ ଏ କଥା ମିଛ ହେଉ, ନାହିଁ ଯଦି ଏଥିରେ କିଛି ସତ ଥାଏ, ତେବେ କାଗଜରେ ପ୍ରକାଶ କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ । ବନ୍ଧୁ ହେଲେ ବି ସେ ପୁଣି କର୍ତ୍ତବ୍ୟ କରିବେ ତ !

 

ରାୟସାହେବ ଖବର ପାଇଲାମାତ୍ରେ ନିଆଁ । ପହିଲେ ତ ମନେହେଲା ସିଧା ଯାଇ ଓଁକାରନାଥଙ୍କ ପିଠିରେ ଗଣି ଗଣି ପଚାଶ କୋରଡ଼ା ଲଗେଇ ଦିଅନ୍ତେ, ଆଉ କହନ୍ତେ, ସେ ଖବର ଛପା ଆଉ ଏ ଖବର ବି ଛପା । ପୁଣି ଭବିଷ୍ୟତ କଥା ଭାବି ଭାବି ମନ ଟିକିଏ ଥଣ୍ଡା ହୋଇଯିବାରୁ ଓଁକାରନାଥଙ୍କ ସହିତ ଦେଖା ହେବାପାଇଁ ସାଙ୍ଗେ ସାଙ୍ଗେ ଚାଲିଗଲେ । ଡେରି ହୋଇଗଲେ ଓଁକାରନାଥ ଏ ସମ୍ବାଦ ଛପାଇଦେଲେ ପୁଣି ମାନମହତ ସବୁ ଯିବ !

 

ଓଁକାରନାଥ ବୁଲାବୁଲି କରି ଫେରିଆସି ସମ୍ପାଦକୀୟ ଲେଖିବାପାଇଁ ମନେ ମନେ ଚିନ୍ତା କରୁଥିଲେ । କିନ୍ତୁ ମନଟା ତାଙ୍କର କେମିତି ସ୍ଥିର ନ ହୋଇ ଏଣେତେଣେ ଖାଲି ଉଡ଼ି ବୁଲୁଥିଲା । ଗଲାରାତି ତାଙ୍କ ସ୍ତ୍ରୀ ତାଙ୍କୁ ଏମିତି ଗୋଟାଏ କଥା କହିଦେଇଥିଲେ ଯେ ତାହା କଣ୍ଟାପରି ସେପର୍ଯ୍ୟନ୍ତ ବି ତାଙ୍କ ମନରେ ଲାଖି ରହିଥିଲା । ଯଦି ତାଙ୍କୁ କେହି ଦରିଦ୍ର କହେ, ଅଭାଗା କହେ, ଉଲୁ ବୋଲି କହେ, ସେଥିରେ ତାଙ୍କର ଏତେ ଟିକିଏ ବି ଦୁଃଖ ହୁଏ ନାହିଁ । ମାତ୍ର ଯଦି କେହି କହେ ଯେ ତାଙ୍କର ପୁରୁଷତ୍ଵ ନାହିଁ, ତେବେ ତାଙ୍କୁ ଭାରି କଷ୍ଟ ହେବା କଥା । ବିଶେଷତଃ କଥା ଯଦି ଆପଣା ସ୍ତ୍ରୀ କହନ୍ତି । ଅନ୍ୟଲୋକ କହିଲେ ସିନା ସେ ପ୍ରତିବାଦ କରିବା କଥା ।

 

ସେହି ବିଷୟରେ ତାତ୍କାଳିନ ସମାଜ କଥାନେଇ ସେ କ’ଣ ଲେଖିବେ ବୋଲି ଭାବୁଥିଲେ । ପୁଣି ଭାବିଲେ ଲେଖି କିଛି ଲାଭ ନାହିଁ । ଓକିଲ ମୁକ୍ତିଆରଙ୍କ ଯୁଗ । କିଏ ପୁଣି କୁଆଡ଼ୁ କ’ଣ କରିଦେବ ବୋଲେ ଅବସ୍ଥା ବାଇଗଣ୍ଡା ଦିକଡ଼ା ହୋଇଯିବ ।

 

ସେଥିପାଇଁ ସେ ଗଣି ଗଣି ପାଦ ପକାନ୍ତି, ମିଛରେ ସାପ ଗାତରେ ହାତ ପୂରାଇବାକୁ ପସନ୍ଦ କରନ୍ତି ନାହିଁ । ଘର ଲୋକଙ୍କ ସୁଖସୁବିଧା ପାଇଁ ଏବେ ଭାବିଚିନ୍ତି ସେ କାମ କରନ୍ତି ଅଥଚ ଏଇ ପୁରସ୍କାର ତାଙ୍କୁ ମିଳେ । କ’ଣ କରିବେ ବିଚାରା, ହାତରେ ଯେଉଁ ପଇସା ଅଛି ଯେ ବନାରସି ଶାଢ଼ି କିଣିଆଣି ଦେବେ । ଡାକ୍ତର ଶେଠ୍, ପ୍ରଫେସର ଭାଟିୟା ଏବଂ ଆଉ ଆଉ କେତେଲୋକଙ୍କ ସ୍ତ୍ରୀ ବନାରସୀ ଶାଢ଼ି ପିନ୍ଧିଛନ୍ତି ତ ୟେ ସେଥିପାଇଁ କ’ଣ କରିବେ ? ସେମାନଙ୍କ ନିକଟରେ ଲଜ୍ଜିତ ହେବାର କ’ଣ ଅଛି ବରଂ ସେମାନେ ଖଦଡ଼ ଦେଖି ଲଜ୍ଜିତ ହେବା କଥା । ସେ ତ ନିଜେ କାହା ସଙ୍ଗେ ଦେଖା କିଛି ହେବାକୁ ଗଲାବେଳେ ବରଂ ବାଛି ବାଛି ସବୁଠୁ ମୋଟା ଲୁଗା ପିନ୍ଧିକରି ଯାନ୍ତି, ଆଉ ସେ ବିଷୟରେ କେହି ପଚାରିଲେ ଆଚ୍ଛା ଆଚ୍ଛା ଉତ୍ତର ଚଢ଼େଇ ଦିଅନ୍ତି । ତାଙ୍କ ସ୍ତ୍ରୀଙ୍କଠାରେ କ’ଣ ଏତିକି ଆତ୍ମଅଭିମାନ ନାହିଁ ? ସେ କାହିଁକି ଅନ୍ୟର ରଙ୍ଗଢ଼ଙ୍ଗ ଦେଖି ଏତେ ହାଇଁପୁଇଁ ହୁଅନ୍ତି-। ତାଙ୍କର ତ ଜାଣିବା ଉଚିତ ସେ ଜଣେ ଦେଶଭକ୍ତ ଲୋକଙ୍କର ସ୍ତ୍ରୀ । ଭକ୍ତଙ୍କ ପାଖରେ ଭକ୍ତି ଛଡ଼ା ଆଉ ଅନ୍ୟ ସମ୍ପତ୍ତି କ’ଣ ଅଛି ? ଏହି ବିଷୟରେ ସମ୍ପାଦକୀୟ ଲେଖିବେ ବୋଲି ଭାବୁ ଭାବୁ ରାୟସାହେବଙ୍କ ସେ କଥା ହଠାତ୍ ତାଙ୍କର ମନେପଡ଼ିଗଲା । ଭାବିଲେ ଦେଖାଯାଉ ସେ ଆଗ କ’ଣ ଉତ୍ତର ଦେଉଛନ୍ତି । ଯଦି ନିଜର ଠିକ୍ ଠିକ୍ ସଫାଇ ଦିଅନ୍ତି ତ ଭଲକଥା, ନାହିଁ ଯଦି ଭାବନ୍ତି ଯେ ଓଁକାରନାଥ ମୁହଁ ମୁଲାକାରେ କିଛି କରିବେ ନାହିଁ, ତେବେ ତାହା ତାଙ୍କର ସମ୍ପୂର୍ଣ୍ଣ ଭୁଲ୍-। ଦରକାରବେଳେ ଏହି ବଦମାସ ଗୁଡ଼ାକଙ୍କର ଗୁମର ପଦାରେ ପକାଇବା ଛଡ଼ା ଓଁକାରନାଥଙ୍କୁ ଅବା ଆଉ କେଉଁ ପୁରସ୍କାର ମିଳୁଥିଲା । ଅବଶ୍ୟ ସେ ଜାଣନ୍ତି ଯେ ରାୟସାହେବ ଜଣେ ଖୁବ୍ କ୍ଷମତାଶାଳୀ ଲୋକ, କାଉନସିଲର ମେମ୍ବର, ତା ଛଡ଼ା ହାକିମ ହୁକୁମା ସବୁ ତାଙ୍କ ହାତରେ-। ଚାହିଁଲେ ସେମାନଙ୍କ ସାହାଯ୍ୟରେ ସେ ମକଦ୍ଦମା ଚଳେଇ ପାରନ୍ତି, ରାସ୍ତାରେ ବି ଖାତିର କରନ୍ତି ନାହିଁ । ପିଣ୍ଡରେ ପ୍ରାଣ ଥିବାଯାକ ଏହି ହତ୍ୟାକାରୀଗୁଡ଼ାଙ୍କୁ ବରାବର ସେ ହଇରାଣ କରୁଥିବେ, ଇଏ ହେଉଛି ତାଙ୍କର ପ୍ରତିଜ୍ଞା ।

 

ଏମିତି ଭାବୁଛନ୍ତି, ହଠାତ୍ ମଟର ଶବ୍ଦ ଶୁଣି ସେ ଚମକିପଡ଼ି ଲେଖିବାକୁ ବସିଗଲେ । ରାୟସାହେବ ଆଖିପିଛୁଳାକେ ଆସି ସମ୍ପାଦକଙ୍କ ପାଖରେ ପହଞ୍ଚିଗଲେ ।

 

କିନ୍ତୁ ଓଁକାରନାଥ ତାଙ୍କୁ ଚାହିଁଲେ ନାହିଁ, କି ଭଲମନ୍ଦ ବି କିଛି ପଦେ ପଚାରିଲେ ନାହିଁ କିମ୍ବା ବସିବାପାଇଁ ଆସନ ପର୍ଯ୍ୟନ୍ତ ଦେଲେ ନାହିଁ । ସତେ ଯେମିତି କଚେରୀ ଅଡ଼ାଭିତରେ ସେ ଜଣେ କେଉଁ ଚୋର । କିଛି ସମୟରେ ବଡ଼ ଗମ୍ଭୀର ହୋଇ ପଚାରିଲେ–ଆପଣ ମୋ ଚିଠି ପାଇଥିଲେ କି ? ମୁଁ ତ ସେ ଚିଠି ଲେଖି ନଥାନ୍ତି, ବରଂ ନିଜେ ଯାଇ ଇନ୍‍କ୍ୱାରୀ କରିଥାନ୍ତି, କିନ୍ତୁ ଆପଣଙ୍କ ମୁହଁକୁ ଅନାଇ ଖାଲି ରହିଯିବାକୁ ହେଲା । ଆଚ୍ଛା କହିଲେ, ଏହି ଏହି ଘଟଣାରେ କଣ କିଛି ସତ୍ୟ ଅଛି ?

 

ଯଦିଓ ସମ୍ବାଦ ସଂପୂର୍ଣ୍ଣ ମିଥ୍ୟା ନୁହେଁ, ତଥାପି ଜୋରିମନା ଟଙ୍କା ଯେତେବେଳ ହାତକୁ ଆସି ନଥିଲା, ଚାହିଁଥିଲେ ସେ ନାହିଁକରି ପାରିଥାନ୍ତେ । କିନ୍ତୁ ଓଁକାରନାଥଙ୍କ ଗତିଟା କୁଆଡ଼ୁକୁ ସେତିକି ଜାଣିବା ପାଇଁ ସେ ନାହିଁ କଲେ ନାହିଁ ।

 

ଓଁକାରନାଥ ଦୁଃଖ ପ୍ରକାଶ କରି କହିଲେ, ତା ହେଲେ ତ ଏ ସମ୍ବାଦ ପ୍ରକାଶ କରିବା ଛଡ଼ା ମୋର ଅନ୍ୟ କୌଣସି ଉପାୟ ନାହିଁ । ମୋର ଦୁଃଖ ଯେ, ଜଣେ ଉପକାରୀ ବନ୍ଧୁଙ୍କ ସମାଲୋଚନା କରିବାକୁ ମୁଁ ବାଧ୍ୟ ହେଉଛି, ମାତ୍ର କର୍ତ୍ତବ୍ୟ ନିକଟରେ ବ୍ୟକ୍ତିର ପ୍ରଶ୍ନ କାହିଁ ? ସମ୍ପାଦକ ଯଦି ଆପଣା କର୍ତ୍ତବ୍ୟ ପାଳନରେ ତ୍ରୁଟି କରେ ତେବେ ସେହି ଆସନରେ ବସିବାର ଅଧିକାର ତା’ର ନାହିଁ ।

 

ରାୟସାହେବ ଆପେ ଆପେ ଚଉକୀଟାଏ ଟାଣିଆଣି ବସିପଡ଼ିଲେ । ତା’ପରେ ପାନ ଖିଲେ ପାଟିରେ ପୁରାଇ କହିଲେ, କିନ୍ତୁ ଆପଣଙ୍କ ପକ୍ଷରେ ଏପରି କରିବା ଭଲ ହେବ ନାହିଁ ମୋର ତ ଯାହା ହେବ ହେବ, କିନ୍ତୁ ଆପଣଙ୍କୁ ସଙ୍ଗେ ସଙ୍ଗେ ପୁରସ୍କାର ମିଳିଯିବ । ଆପଣ ଯଦି ଆପଣା ଲୋକଙ୍କୁ ଖାତିର କରି ଜାଣନ୍ତି ନାହିଁ, ତେବେ ଆପଣଙ୍କୁ ଆମେ ଖାତିର କରିଯିବୁ କାହିଁକି-? ଆପଣଙ୍କୁ ଯେମିତି ଆସେ ଆମକୁ ବି ସେମିତି ଖୁବ୍ ଆସେ

 

ଓଁକାରନାଥ ନିଜ ମୁହଁରେ ଶହୀଦର ଗୌରବ ଫୁଟାଇ କହିଲେ, ମୋର ସେଥିପାଇଁ କୌଣସି ଭୟ ନାହିଁ । ମୁଁ ଖବର କାଗଜରେ ସମ୍ପାଦକ ହେଲାଦିନୁ ଜୀବନକୁ ପାଣି ଛଡ଼ାଇ ଦେଇଛି-। ମୁଁ ତ ଭାବେ ଯଦି କୌଣସି ସମ୍ପାଦକ ସତ୍ୟ ଓ ନ୍ୟାୟ ପାଇଁ ଆତ୍ମବଳୀ ଦେଇପାରେ, ମୃତ୍ୟୁବରଣ କରିପାରେ, ତେବେ ତାହାର ମୃତ୍ୟୁହିଁ ସାର୍ଥକ ।

 

‘ଆଚ୍ଛା, ତା ହେଲେ ମୁଁ ଆପଣଙ୍କ ଆହ୍ୱାନ ସ୍ଵୀକାର କରୁଛି । ମୁଁ ତ ଏପଯ୍ୟନ୍ତ ଆପଣଙ୍କୁ ଜଣେ ବନ୍ଧୁ ବୋଲି ଭାବି ଆସିଥିଲି । ଆପଣ ଯଦି ଲଢ଼େଇ କରିବାପାଇଁ ତିଆର, ମୋର କୌଣସି ଆପତ୍ତି ନାହିଁ । ତା ଛଡ଼ା ମୁଁ ଆପଣଙ୍କ କାଗଜକୁ ପାଞ୍ଚଗୁଣା ଚାନ୍ଦା ଦିଏ କାହିଁକି ? ଆପଣ ମୋର ଦାସ ହୋଇ ରହିବେ ବୋଲି ତ ! ଭଗବାନ ମୋତେ ଧନ ଦେଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ପନ୍ଦର ଜାଗାରେ ପଞ୍ଚସ୍ତରି ଦେଇଛି ଖାଲି ଆପଣଙ୍କ ପାଟି ବନ୍ଦ କରିବାପାଇଁ । ଆପଣ ଯେତେବେଳେ କାନ୍ଦି କୁନ୍ଥେଇ ପଇସାପାଇଁ ହାତ ପତାନ୍ତି, ଆଉ ଯେତେବେଳେ ଆପଣଙ୍କର କେହି ସାହାଭରସା ନଥାନ୍ତି ସେତେବେଳେ ମୁଁ ସାହାଯ୍ୟ ଦିଏ କାହିଁକି ? ହୋଲୀ, ଦିଆଲୀ ଏବଂ ଦଶହରାକୁ ଆପଣଙ୍କ ପାଖକୁ ମିଠାଇ ପଠାହୁଏ କାହିଁକି ? ଏବଂ ବରଷରେ ପଚାଶଥର ଆପଣଙ୍କୁ ଭୋଜିକୁ ନିମନ୍ତ୍ରଣ ହୁଏ କାହିଁକି ? ଆପଣ ଏଣେ ଲାଞ୍ଚ ନେବେ ଅଥଚ ତେଣେ କର୍ତ୍ତବ୍ୟ କରିବେ, ଦି’ କଥା କେବେ ଏକାବେଳେ ହୋଇପାରିବ ନାହିଁ ।

 

ଓଁକାରନାଥ ରାଗିଯାଇ କହିଲେ, ମୁଁ କେବେହେଲେ ଲାଞ୍ଚ ନିଏ ନାହିଁ ।

 

ରାୟସାହେବ ରଗଡ଼ ଦେଇ କହିଲେ, ହଁ, ଏଇଗୁଡ଼ା ତ ଲାଞ୍ଚ ନୁହେଁ, ଆଉ ଲାଞ୍ଚ କାହାକୁ କହନ୍ତି, ମୋତେ ଟିକିଏ ବୁଝେଇ ଦିଅନ୍ତୁ । ଆପଣ କ’ଣ ଭାବିଛନ୍ତି ଯେଉଁମାନେ ଆପଣଙ୍କ ଘଡ଼ା ପୂରଣ କରନ୍ତି ସେମାନେ ଏଡ଼େ ନିସ୍ୱାର୍ଥପର, ଓଲୁ, ସେମାନଙ୍କୁ କିଛି ଜଣା ନାହିଁ, କେବଳ ଆପଣ ସବୁ ଜାଣନ୍ତି । ହିସାବ ବହି ଖୋଲି ଦେଖନ୍ତୁ, ମୋ ତରଫରୁ ଆପଣ କେତେ ଟଙ୍କା କେତେ ଜିନିଷ ପତ୍ର ପାଇଛନ୍ତି । ନିଶ୍ଚୟ ହଜାରରୁ ବେଶି ହେବ । ଆପଣ ତ ପାଟିରେ ସ୍ଵଦେଶୀ ସ୍ଵଦେଶୀ କହି ବିଦେଶୀ ଜିନିଷର ପ୍ରଚାର ଛପାଇ ପଇସା ନେଉଛନ୍ତି, ସେଥିରେ ଯଦି ଆପଣଙ୍କୁ ଲାଜମାଡ଼ୁ ନାହିଁ, ମୁଁ ମୋ ପ୍ରଜାଙ୍କଠାରୁ ଖଜଣା ମାଗଣ ଜୋରିମନା ନେଲେ ମତେ ଲାଜ ମାଡ଼ିବ କାହିଁକି ? ଆପଣ ଭାବନ୍ତୁ ନାହିଁ ଯେ ଆପଣ ଏକା ପ୍ରଜାଙ୍କର ମଙ୍ଗଳ ଚାହାଁନ୍ତି । ମୋତେ ବି ପ୍ରଜାଙ୍କ ସଙ୍ଗେ ଦିନରାତି ମରିବାକୁ ହୁଏ, ମୁଁ ତାଙ୍କର ଯେତେ ମଙ୍ଗଳ କରେ, ମୋଠୁ ଅଧିକ ଆଉ କେହି କରନ୍ତି ନାହିଁ । କିନ୍ତୁ ତା’ ବୋଲି ଆମେ ଚଳିବୁ କେମିତି ? ଅଫିସରଙ୍କୁ ଡାଲା ଦେବାକୁ ଅଛି, ସରକାରଙ୍କୁ ଚାନ୍ଦା ଦେବାକୁ ଅଛି, ଘରର ଶହ ଶହ ଲୋକଙ୍କର ଅଭାବ ଅସୁବିଧା ଦେଖିବାକୁ ଅଛି । ଏଗୁଡ଼ା ପୁଣି ଆମେ କରିବୁ କେଉଁଠୁ ? ଆପଣ ତ ମୋର ଘରଖର୍ଚ୍ଚ କଥା ଜାଣନ୍ତି ? ପଇସା ତ ଆଉ କେଉଁଠି ଗଛରେ ଫଳୁ ନାହିଁ । ଆସିଲେ ପ୍ରଜାଙ୍କ ଘରଛଡ଼ା ଆଉ କେଉଁଠୁ ଆସିବ ? ଆପଣ ବୋଧହୁଏ ଭାବନ୍ତି ଯେ ଜମିଦାରଙ୍କଠୁ ବଳି ଭୋଗିଲୋକ ଆଉ ଦୁନିଆରେ କେହି ନାହାନ୍ତି, କାରଣ ତାଙ୍କ ଅସଲ ମରମ ଆପଣଙ୍କୁ ଜଣା ନାହିଁ । ସେମାନେ ଯଦି ଧର୍ମାତ୍ମା ହୋଇ ବସିଯିବେ, ବଞ୍ଚି ରହିବା ତାଙ୍କ ପକ୍ଷେ ମୁସ୍କିଲ ହୋଇଯିବ । ଆଜି ଯଦି ଅଫିସରମାନଙ୍କୁ ଡାଲା ନ ଦିଅ, କାଲି ଜେଲ ଭିତରେ ଘର ରହିବାକୁ ପଡ଼ିବ । ଆମେ ତ ଆଉ ସାପ ନୁହଁ ଯେ ଅନ୍ୟକୁ କାମୁଡ଼ିଲେ ଆମକୁ ଖୁସି ଲାଗିବ । ପ୍ରଜାଙ୍କୁ ହଇରାଣ କରିବାକୁ କଣ କାହାକୁ ସୁଖ ଲାଗୁଛି ? କିନ୍ତୁ ମଣିଷ କରିବ କଣ ? ଆପଣ ମାନମଯ୍ୟାଦା ତ ରଖିଲେ ପୁଣି ଚଳିବ । ଆପଣ ଯେମିତି ଆମଠୁ ପଇସା ମାରିବାକୁ ଚାହାଁନ୍ତି, ଆଉ ଲୋକେ ବି ସେମିତି ଆମକୁ ସୁନା ଅଣ୍ଡାଦିଆ କୁକୁଡ଼ା ବୋଲି ମନେ କରନ୍ତି । ଆପଣ ମୋ ବଙ୍ଗଳାଠିକି ଦିନେ ଚାଲନ୍ତୁ, ମୁଁ ଆପଣଙ୍କୁ ଦେଖାଇଦେବି, ସକାଳୁ ସଞ୍ଜ ମୋ ଦୁଆରେ କେତେ ଲୋକ ହାତ ପତାଉଛନ୍ତି । କିଏ କାଶ୍ମୀରରୁ ସାଲ ଧରି ଆସୁଛି ତ କିଏ ଗୁଡ଼ାଖୁ ଅତର ଆସୁଛି, କିଏ ପତ୍ରପତ୍ରିକାର ସମ୍ପାଦକ ତ, କିଏ ବୀମା କମ୍ପାନୀର ଏଜେଣ୍ଟ । କେତେ ଯେ ଆସି ମୁଣ୍ଡ ଖାଉଛନ୍ତି ତାର ଠିକଣା ନାହିଁ । ଚାନ୍ଦାବାଲା ତ କେତେ ତା’ର ଠିକଣା ନାହିଁ । କ’ଣ ଯେତେ ଯିଏ ଆସୁଥିବେ ସମସ୍ତଙ୍କ ଆଗରେ ‘ନାହିଁ ନାହିଁ’ କରି ଦୁଃଖ ଗାଉଥିବୁ ? ତା ଛଡ଼ା ସେମାନେ କ’ଣ ଆମ ଦୁଃଖ ଶୁଣିବାକୁ ଆସିଥାନ୍ତି ନା ଆସିଥାନ୍ତି କିଛି ମାରିନେବା ପାଇଁ । ଆପଣା ମର୍ଯ୍ୟାଦାକୁ ଅନେଇ ଯଦି କିଛି ନଦେଲେ ତେବେ ଯାଇଁ ରାସ୍ତାରେ ତାଳି ମାରିବେ । ହାକିମଙ୍କୁ ଡାଲା ନ ଦେଲେ ସେମାନେ ତ କହିବେ ରାଜଦ୍ରୋହୀ, ଆପଣ ବି ସେତେବେଳେ ଆପଣଙ୍କ କାଗଜରେ ନଲେଖି ଛାଡ଼ିବେ ନାହିଁ । ଯେଉଁଦିନୁ ମୁଁ କଂଗ୍ରେସରେ ମିଶିଲିଣି ସେ ଦିନୁ ଆଜିଯାଏ କଂଗ୍ରେସକୁ ବରାବର ଚାନ୍ଦା ଦେଇ ଆସୁଛି । ମୋ ଉପରେ ଆଜି ଯେତେ ମହାଜନଙ୍କର ପାଉଣା ଅଛି, ସେମାନେ ଯଦି ସମସ୍ତେ ଡିଗ୍ରୀ ଜାରୀ କରି ବସନ୍ତେ ତେବେ ମୋ ଆଙ୍ଗୁଠିରେ ମୁଦି ପର୍ଯ୍ୟନ୍ତ ରହନ୍ତା ନାହିଁ, କଳା କାଗଜରେ ନାମ ଚଢ଼ାଯାନ୍ତା । ଆପଣ କହି ପାରନ୍ତି, ଏତେ ଆଡ଼ମ୍ବରର ଆବଶ୍ୟକତା କ’ଣ ? କିନ୍ତୁ ସାତପୁରୁଷରୁ ଯାହା ଚାଲି ଆସିଛି, ସେ ଅଭ୍ୟାସ ମଣିଷ ହଠାତ୍ ଛାଡ଼ି ପାରୁଛି କେଉଁଠି ? ଘାସ କାଟିବା ତ ମୋ ହାତରେ ହୋଇ ପାରିବ ନାହିଁ । ଆପଣଙ୍କ ପାଖରେ ଜମିବାଡ଼ି ଧନସମ୍ପତ୍ତି କିମ୍ବା ମାନମର୍ଯ୍ୟାଦାର ଆଡ଼ମ୍ବର କିଛିହେଲେ ନାହିଁ । ତେଣୁ ଆପଣ କାହାକୁ ନ ଡରି ପାରନ୍ତି, ତଥାପି ତ ଆପଣ ଲାଙ୍ଗୁଳଯାକି ବସି ରହିଛନ୍ତି । ଆପଣ ଜାଣନ୍ତି କଚେରୀରେ କେତେ ଲାଞ୍ଚ ରିସମତ ଚାଲିଛି, କେତେ ଗରିବଙ୍କର ଶୋଷଣ ଚାଲିଛି, କେତେ ଘରର ଝିଅ ବୋହୂ ଭ୍ରଷ୍ଟ ହେଉଛନ୍ତି । ଲେଖିବାର ଯଦି ବଳ ଅଛି, ଲେଖନ୍ତୁ ମୁଁ ପ୍ରମାଣ ସହିତ ବତାଇ ଦେଉଛି ।

 

ଓଁକାରନାଥ କିଛି ଥଣ୍ଡା ପଡ଼ିଯାଇ କହିଲେ, ମୋତେ ଯେତେବେଳେ ଲେଖିବାକୁ ସୁବିଧା ମିଳିଛି, ମୁଁ କେବେହେଲେ ପଛକୁ ହଟି ନାହିଁ ।

 

ରାୟସାହେବ ବି ଟିକିଏ ଥଣ୍ଡା ହୋଇଯାଇ କହିଲେ, ହଁ ମୁଁ ମାନୁଛି, ଆପଣ ଗୋଟାଏ ଦିଟା ଘଟଣାରେ ନିଜର କରାମତି ଦେଖାଇ ପାରିଥାନ୍ତି କିନ୍ତୁ ଆପଣଙ୍କ ଆଖି ସବୁବେଳେ ଲାଭ ଉପରେ ରହିଛି, ଲୋକଙ୍କ ହିତ ଉପରେ ନାହିଁ । ତେଣୁ ମୁଁ କହୁଛି ଆପଣ ଲାଲ ଆଖି ଦେଖାନ୍ତୁ ନାହିଁ କିମ୍ବା ମୁହଁ ଲାଲ କରନ୍ତୁ ନାହିଁ । ଯେଉଁଦିନୁ ଆପଣ କାଗଜକୁ ଆସିଲେଣି, ସେଦିନୁ ଆପଣଙ୍କର ମାନ ସମ୍ମାନ, ଆମଦାନୀ ସବୁ ଖୁବ୍ ବଢ଼ିଗଲାଣି ? କିନ୍ତୁ ଆପଣ ଯଦି ମୋ ସଙ୍ଗେ ଏହି ଚାଲ ଚଲେଇବାକୁ ରାଜି, ତେବେ ମୁଁ ବି ପ୍ରସ୍ତୁତ ଅଛି । କିନ୍ତୁ ମୁଁ ଆପଣଙ୍କୁ ଟଙ୍କା ଦେବି ନାହିଁ, କାରଣ ତାହା ଲାଞ୍ଚ ହେବ । ଆପଣ ଚାହିଁଲେ ଆପଣଙ୍କ ସ୍ତ୍ରୀଙ୍କ ପାଇଁ କିଛି ଗହଣା ଗଢ଼ାଇ ଦେବି । ମୁଁ ସତକରି କହୁଛି ଆପଣଙ୍କୁ ଯେଉଁ ଖବର ମିଳିଛି ତାହା ସଂପୂର୍ଣ୍ଣ ମିଛ । କିନ୍ତୁ ଏକଥା ସତ ଯେ ଅନ୍ୟାନ୍ୟ ଜମିଦାରଙ୍କ ପରି ମୁଁ ବି ପ୍ରଜାଙ୍କଠାରୁ ଜୋରିମନା ନିଏ ଏବଂ ସେ ବାବଦରେ ବର୍ଷକୁ ଦଶ ପାଞ୍ଚ ହଜାର ଟଙ୍କା ପାଏ । କିନ୍ତୁ ଆପଣ ଯଦି ମୋ ହାତରୁ ୟାକୁ ଛଡ଼େଇ ନେବାପାଇଁ ଚେଷ୍ଟା କରନ୍ତି, ତେବେ ଆପଣଙ୍କ ପାଣ୍ଠି ବି ବୁଡ଼ିଯିବ । ଆପଣ ଯେମିତି ସଂସାରେ ସୁଖରେ ରହିବାକୁ ଚାହାନ୍ତି, ମୁଁ ବି ସେମିତି ଚାହେ । ଆପଣ ମିଛରେ ନ୍ୟାୟ ଓ କର୍ତ୍ତବ୍ୟର ବାହାନା ଦେଖାଇ ମୋତେ ଆଉ ନିଜକୁ ହଇରାଣ କରିବାରେ ଲାଭ ନାହିଁ । ମନକଥା ଖୋଲିକରି କହନ୍ତୁ, ମୁଁ ତ ଆପଣଙ୍କର ଶତ୍ରୁ ନୁହେଁ । ଆପଣଙ୍କ ସଙ୍ଗରେ ତ ପୁଣି କେତେ ଥର ଏକା ଟେବୁଲରେ ଖାଇଛି । ମୁଁ ବି ବେଶ୍ ଜାଣେ ଆପଣ ଆଜିକାଲି ଭାରି କଷ୍ଟରେ ଅଛନ୍ତି । ମୋଠୁ ବି ଆପଣଙ୍କ ଅବସ୍ଥା ଆହୁରି ଖରାପ । ନାହିଁ ପୁଣି ଯଦି ଆପଣ ହରିଶ୍ଚନ୍ଦ୍ର ହେବାପାଇଁ ପ୍ରତିଜ୍ଞା କରିଛନ୍ତି, ସେ ତ ଭିନ୍ନ କଥା । ମୁଁ ତାହାହେଲେ ଯାଉଛି ।

 

ରାୟସାହେବ ଚାଲିଯିବାପାଇଁ ଚଉକି ଛାଡ଼ି ଠିଆ ହେବାରୁ ଓଁକାରନାଥ ଟିକିଏ ମିଳାମିଶା ଭାବ ଦେଖାଇ ତାଙ୍କ ହାତ ଧରିପକାଇ କହିଲେ, ନାହିଁ ନାହିଁ ଆପଣ ବସନ୍ତୁ, ମୋର ବର୍ତ୍ତମାନ ପୋଜିସନଟା କ’ଣ ମୁଁ ଆପଣଙ୍କୁ କହିଦିଏ । ଆପଣ ମୋ ସଙ୍ଗରେ ଯେମିତି ବିଚାର ବିନିମୟ କଲେ, ସେଥିପାଇଁ ମୁଁ ଆପଣଙ୍କ ନିକଟରେ ଋଣୀ, କିନ୍ତୁ ଯେଉଁଠି ନୀତିଗତ ପ୍ରଶ୍ନ ଅଛି, ଆପଣ ତ ଜାଣନ୍ତି, ନୀତି ମଣିଷର ପ୍ରାଣଠାରୁ ବି ଆହୁରି ପ୍ରିୟ ।

 

ରାୟସାହେବ ଚଉକିରେ ପୁଣି ବସିପଡ଼ି ଟିକିଏ ପ୍ରସନ୍ନ ହୋଇ କହିଲେ, ଆଚ୍ଛା ଭାଇ, ଆପଣଙ୍କ ଇଚ୍ଛା ଯାହା ହେଉଛି ଲେଖନ୍ତୁ, ହେଲେ ତ ବଦନାମ ହେବ, ଆଉ ଅଧିକା କ’ଣ ହେବ । ବଦନାମୀକୁ ଡରି ମଣିଷ ଏବେ କେତେ କ’ଣ କରିବ ? ଏମିତି କେଉଁ ଜମିଦାର ଅଛି, ଯେ ଆପଣା ପ୍ରଜାଙ୍କୁ ହଇରାଣ ନ କରେ । ଅସଲ କଥା ହେଉଛି କୁକୁର ଯଦି ହାଡ଼କୁ ସାଇତି ରଖେ, ତେବେ ସେ ଖାଇବ କ’ଣ ? ଅବଶ୍ୟ ମୁଁ ଆପଣଙ୍କୁ ଏତିକି କହିପାରେ ଯେ ଭବିଷ୍ୟତରେ ଆପଣ ଆଉ ଏମିତି କଥା ଶୁଣିବାକୁ ପାଇବେ ନାହିଁ । ଯଦି ଆପଣ ମୋତେ ବିଶ୍ୱାସ କରନ୍ତି, ତେବେ ଏହି ଥରଟା ସମ୍ଭାଳି ଯାନ୍ତୁ । ଅନ୍ୟ କେଉଁ ସମ୍ପାଦକ ହୋଇଥିଲେ ମୁଁ କେବେ ଏମିତି ଖୁସାମତି କରି ନଥାନ୍ତି, ବରଂ ତାକୁ ବିଚ୍ ବଜାରରେ ପିଟେଇଥାନ୍ତି । କିନ୍ତୁ ଆପଣଙ୍କ ସଙ୍ଗେ ବନ୍ଧୁତା ଥିବାରୁ ମୋତେ ଦବି ରହିବାକୁ ହେଉଛି । ଇଏ ତ ଆଜିକାଲି ଖବର କାଗଜ ଯୁଗ । ମୁଁ ଅବା କିଏ, ସରକାର ତ ଖବର କାଗଜକୁ ହାତେ ଡରିକରି ଅଛନ୍ତି । ଆପଣ ଚାହିଲେ ଲୋକଙ୍କୁ ସ୍ଵର୍ଗକୁ ବି ଉଠେଇ ଦେଇ ପାରିବେ । ସେ ଯାହାହେଉ, ଆପଣ ବର୍ତ୍ତମାନ ଏ ଗଣ୍ଡଗୋଳ ସବୁ ବନ୍ଦ କରି ଦିଅନ୍ତୁ । ଆଚ୍ଛା ଆଜିକାଲି ଆପଣଙ୍କ କାଗଜ କେମିତି ଚାଲିଛି ? ଗ୍ରାହକ କିଛି ବଢ଼ିଲେଣି ନା ସେତିକି ଅଛନ୍ତି ?

 

ଓଁକାରନାଥ ଟିକିଏ ମୁହଁ ଆମ୍ବିଳା କରି କହିଲେ, ହଁ, କୌଣସି ପ୍ରକାର ଚଳିଯାଉଛି । ବର୍ତ୍ତମାନ ପରିସ୍ଥିତିରେ ମୁଁ ୟାଠୁ ଅଧିକ ଆଶା କରୁନାହିଁ । ତା ଛଡ଼ା ମୁଁ ତ ଧନ କିମ୍ଵା ଭୋଗବିଳାସ ଲାଳସାରେ ଖବର କାଗଜକୁ ଆସି ନାହିଁ । ତେଣୁ ମୋର କୌଣସି ଦୁଃଖ ନାହିଁ । ମୁଁ ଜାଣେ ମୁଁ ସେବା କରିବାପାଇଁ ଆସିଛି ଏବଂ ଶକ୍ତି ଅନୁସାରେ ତାହା କରୁଛି । ମୁଁ ଚାହେ ରାଜ୍ୟର ମଙ୍ଗଳ, ଜଣେ ଲୋକର ସୁଖ ଦୁଃଖରେ କିଛି ଯାଏ ଆସେ ନାହିଁ ।

 

ରାୟସାହେବ ଆଉ ଟିକିଏ ଅଧିକ ସହାନୁଭୂତି ଦେଖାଇ କହିଲେ, ହଁ ଭାଇ, ସେବା ତ ଅସଲ, ହେଲେ ବଞ୍ଚିରହିଲେ ସିନା ସେବା କରିବା । ସବୁବେଳେ ଟଙ୍କା ପଇସା ଅଭାବ ହେଲେ ମଣିଷ କ’ଣ ନିଶ୍ଚିନ୍ତ ହୋଇ କାମ କରିପାରିବ ? କ’ଣ ଗ୍ରାହକ ସଂଖ୍ୟା ମୋଟେ ଆଉ ବଢ଼ି ନାହାନ୍ତି-?

 

‘ଅସଲ କଥା ହେଉଛି ମୁଁ ଆମ କାଗଜକୁ ନୀଚ ସ୍ତରକୁ ଆଣିବାକୁ ଚାହେ ନାହିଁ । ନାହିଁ ତ ସିନେମା ଷ୍ଟାରଙ୍କ ଜୀବନୀ ଏବଂ ଚିତ୍ର ଛାପିଦେଲେ ଗ୍ରାହକ ସଂଖ୍ୟା ଏଇନେ ହୁ ହୁ ବଢ଼ିଯାନ୍ତେ । କିନ୍ତୁ ଏସବୁ ମୋର ନୀତି ନୁହେଁ । ପଇସା କମାଇବା ପାଇଁ ତ ଏମିତି କେତେ ଉପାୟ ଅଛି, କିନ୍ତୁ ସେସବୁ ମୁଁ, ଚାହେ ନାହିଁ ।

 

ସେଇଥିପାଇଁ ତ ଆପଣଙ୍କର ଆଜି ଏତେ ସମ୍ମାନ । ମୁଁ ଗୋଟାଏ କଥା କହୁଛି, ଆପଣ ରାଜିହେବେ କି ନାହିଁ ମୁଁ ଜାଣେ ନାହିଁ । ମୁଁ ଟଙ୍କା ଦେଉଛି, ଆପଣ ମୋ ପକ୍ଷରୁ ଶହେଜଣଙ୍କର ନାମ ଗ୍ରାହକ ତାଲିକାରେ ବଢ଼ାଇ ଦିଅନ୍ତୁ ।

 

ଓଁକାରନାଥ କୃତଜ୍ଞଭାବ ପ୍ରକାଶ କରି ମୁଣ୍ଡ ହଲେଇ କହିଲେ, ମୁଁ ଧନ୍ୟବାଦ ସହିତ ଆପଣଙ୍କର ଏ ଦାନ ସ୍ଵୀକାର କରୁଛି । ଦୁଃଖ ହେଉଛି ଯେ ଖବର କାଗଜପ୍ରତି ଆମଲୋକେ କେଡ଼େ ଉଦାସୀନ । ସ୍କୁଲ, କଲେଜ, ମନ୍ଦିର ପ୍ରଭୃତି ତିଆର କରିବାପାଇଁ ଲୋକେ ଏତେ ଦାନ କରୁଛନ୍ତି ଅଥଚ ଖବର କାଗଜ ବେଳକୁ ଅଧଲାଟାଏ ନାହିଁ । ବରଂ ଅଳ୍ପ ପଇସାରେ ଖବର କାଗଜ ଜରିଆରେ ଲୋକଙ୍କର ଯେଉଁ ଶିକ୍ଷା ହୋଇପାରନ୍ତା ତା ଅନ୍ୟ କୌଣସି ଉପାୟରେ ହୋଇପାରିବ ନାହିଁ । ଯେମିତି ବିଭିନ୍ନ ଅନୁଷ୍ଠାନରୁ ସ୍କୁଲକଲେଜମାନଙ୍କୁ ସାହାଯ୍ୟ ମିଳୁଛି, ଖବର କାଗଜକୁ ଯଦି ସେମିତି ମିଳୁଥାନ୍ତା, ତାହେଲେ ବିଜ୍ଞାପନ ପାଇଁ ଖବର କାଗଜରେ ଏତେ ଜାଗା କାହିଁକି ନଷ୍ଟ ହେଉଥାନ୍ତା, ଆମର ଏତେ ସମୟ ବି କାହିଁକି ନଷ୍ଟ ହେଉଥାନ୍ତା । ଯାହାହେଉ ଆପଣଙ୍କର ଏ ଅନୁଗ୍ରହ ପାଇଁ ମୁଁ ବିଶେଷ ଋଣୀ ।

 

ରାୟସାହେବ ଚାଲିଗଲେ, କିନ୍ତୁ ଓଁକାରନାଥଙ୍କୁ କିଛି ଭଲ ଲାଗିଲା ନାହିଁ । ଯଦିଓ ରାୟସାହେବ ଟଙ୍କା ଦେଇ କୌଣସି ସରତ୍ ରଖି ନଥିଲେ ତଥାପି ଏତେ କଡ଼ା କଡ଼ା ଗାଳି ଶୁଣିବା ପରେ ମଧ୍ୟ ଓଁକାରନାଥଙ୍କର ଟଙ୍କା ନ ରଖିବାର ଚାରା ନଥିଲା । ଅବସ୍ଥା ଏମିତି ଆସି ପହଞ୍ଚିଥିଲା ଯେ ବଞ୍ଚିବାର ଆଉ କୌଣସି ଉପାୟ ନଥିଲା । ପ୍ରେସ୍ କର୍ମଚାରୀମାନଙ୍କର ତିନି ତିନି ମାସର ଦରମା ବାକି । କାଗଜବାଲାଙ୍କଠାରୁ ହଜାର ଟଙ୍କାରୁ ଅଧିକ ଆସିଲେ ବି ତାଙ୍କୁ ହାତ ପତାଇବାକୁ ପଡ଼ିଲା ।

 

ଏତେବେଳକୁ ତାଙ୍କ ସ୍ତ୍ରୀ ଗୋମତୀ ଆସି ପାଟିକରି କହିଲେ, ଆସି ଗୋଟେ ବାଜିଲାଣି, କ’ଣ ଖାଇବାକୁ ବେଳ ହୋଇନି । ଏଠେଇ କ’ଣ ନିୟମ ଅଛି ଯେ ଗୋଟାଏ ନ ବାଜିଲେ ଜାଗାରୁ ଉଠିବ ନାହିଁ । ଚୁଲି କେତେବେଳ ଯାଏ ଏମିତି ଜଳୁଥିବ ?

 

 

ଦେଖି ମନରେ ରାଗହେଲେ କେତେବେଳେ କେମିତି କଡ଼ା କଡ଼ା କଥା ପାଟିରୁ ବାହାରି ପଡ଼େ । ଅବଶ୍ୟ ସ୍ୱାମୀଙ୍କୁ ଗାଳିଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ, ଉଦ୍ଦେଶ୍ୟ ହେଉଛି ଭାଗ୍ୟକୁ ଗାଳିଦେବା । କିନ୍ତୁ ସେଇଥିରୁ କିଛି ସ୍ଵାମୀଙ୍କ ଦେହରେ ବାଜିଯାଇ ତାଙ୍କୁ ଭାରି କଷ୍ଟ ହୁଏ । ସ୍ଵାମୀଙ୍କର ବାବାଜି ଢଙ୍ଗ ଦେଖି ମନେ ମନେ ଚିଡ଼ୁଥିଲେ ବି ବେଳେବେଳେ ସହାନୁଭୂତି ଦେଖାନ୍ତି, ଭାବନ୍ତି ସେ ଜଣେ ପାଗଳ । ତାଙ୍କ ଉଦାସଭାବ ଦେଖି ଗୋମତୀ ଦେବୀ ପଚାରିଲେ–କାହିଁକି ଭାରି ଶୁଖିଲା ଦିଶୁଛ, ପେଟ କ’ଣ ଖରାପ ହୋଇଛି କି ?

 

ଓଁକାରନାଥ ମୁରୁକି ହସା ଦେଇ କହିଲେ–କିଏ, ମୁଁ ଶୁଖିଲା ଦିଶୁଛି ? ମୁଁ ତ ଆଜି ଯେତେ ଖୁସୀ, ତମ ବାହାଘର ଦିନ ବି ଏଡ଼େ ଖୁସୀ ହୋଇ ନଥିଲି । କା ମୁହଁ ଚାହିଁ ଆଜି ଉଠିଥିଲି କେଜାଣି ସକାଳୁ ସକାଳୁ ପନ୍ଦରଶହ ଟଙ୍କା ଲାଭ ।

 

ଗୋମତୀ ଦେବୀ ବିଶ୍ଵାସ କରି ପାରିଲେ ନାହିଁ; କହିଲେ–ମିଛ କହୁଛ ! ପନ୍ଦରଶହ କିଏ, ତମେ କିଏ, ହଁ ପନ୍ଦରଟା ଟଙ୍କା ମିଳିଥିଲେ ଅବା ମିଳିଥିବ ।

 

‘ନାହିଁ ମ, ତମ ରାଣ ଆଗ, ସତରେ ପନ୍ଦର ଶହ । ଆଜି ସକାଳେ ରାୟସାହେବ ଆସିଥିଲେ । ଶହେ ଜଣ ଗ୍ରାହକଙ୍କ ଚାନ୍ଦା ସେ ଏକୁଟିଆ ଦେବାପାଇଁ କହି ଯାଇଛନ୍ତି ।

 

ଗୋମତୀଙ୍କ ଚେହେରା ହସି ଉଠିଲା, କହିଲେ–କ’ଣ ମିଳିଲାଣି ନା ନାହିଁ ?

 

‘ନାହିଁ, ମିଳି ନାହିଁ ଯେ କିନ୍ତୁ ରାୟସାହେବଙ୍କ କଥା ସବୁବେଳେ ପକ୍‍କା ।’

 

‘ମୁଁ ତ କୌଣସି ଜମିଦାରଙ୍କ କଥାରେ ବିଶ୍ୱାସ କରେ ନାହିଁ । ବାପା ଥରେ ଜଣେ ଜମିଦାର ପାଖରେ ଚାକେରୀ କରୁଥିଲେ ଯେ ବର୍ଷ ବର୍ଷ ଧରି ଦରମା ମିଳିଲା ନାହିଁ । ସେଠୁ ଛାଡ଼ି ଆଉ ଜଣଙ୍କ ପାଖକୁ ଗଲେ, ସେଠି ବି ସେଇ ଦଶା । ଦି ବରଷଯାଏ ପାହୁଲାଟାଏ ହେଲେ ମିଳିଲା ନାହିଁ । ବାପା ଥରେ ବିଗିଡ଼ି କରି କ’ଣ କହିଲେ ଯେ ତାଙ୍କୁ ମାଡ଼ ଦେଇ ବାହାର କରିଦେଲେ । ସେମାନଙ୍କ କଥାରେ ପ୍ରକୃତରେ କିଛି ଠିକଣା ନଥାଏ ।’

 

‘ଆଚ୍ଛା, ମୁଁ ଆଜି ବିଲ୍ ପଠାଇ ଦେଉଛି ।’

 

‘ପଠାଉନ । କହିବେ କାଲି ଆସ । କିନ୍ତୁ କାଲି ଗଲାବେଳକୁ କୁଆଡ଼େ ଗସ୍ତରେ ଯାଇଥିବେ ଯେ ତିନି ମାସରେ ଯାଇଁ ଫେରିବେ ।’

 

ଓଁକାରନାଥଙ୍କୁ ଟିକିଏ ସନ୍ଦେହ ହେଲା । ସତକୁ ସତ ଯଦି ରାୟସାହେବ ନ ଦେବେ ସେ ବା କ’ଣ କରିପାରିବେ ? ପୁଣି ମନକୁ ଦମ୍ଭ କରି କହିଲେ–ନା, ଏଗୁଡ଼ା ସମ୍ଭବ ନୁହେଁ । ଅନ୍ତତଃ ରାୟସାହେବ ଏମିତି ଧପପାବାଜି କେବେ କରିବେ ନାହିଁ । ତାଙ୍କ ପାଖରେ ତ ଆମର ଗୋଟାଏ ପଇସା ବି ବାକି ନାହିଁ ।

 

ଗୋମତୀ ଟିକିଏ ସନ୍ଦେହ ପ୍ରକାଶ କରି କହିଲେ–ସେଇଥିପାଇଁ ତ ମୁଁ ତମକୁ ବୋକା ବୋଲି କହେ । କିଏ ଟିକିଏ କଅଁଳିଆ କଥାପଦେ କହିଦେଲେ ତମେ ଏକଦମ ଫୁଲିଯିବ । ସେଗୁଡ଼ା ହେଉଛନ୍ତି ଧନୀ ଲୋକ । ତାଙ୍କ ପେଟରେ ଏମିତି କେତେ ଲୋକଙ୍କ କଥା କୁଆଡ଼େ ହଜମ ହୋଇ ଯାଉଛି । ସେମାନେ ଯେତେ ଯେତେ ଦବାକୁ କହନ୍ତି, ଯଦି ସତକୁ ସତ ଦିଅନ୍ତେ, ତେବେ ତାକୁ ଭିକ ମାଗିବାକୁ ପଡ଼ନ୍ତା । ଆମ ଗାଁ ଠାକୁରସାହେବ ତ ବରଷ ବରଷ ଧରି ଦୋକାନୀଙ୍କୁ ପଇସାଟିଏ ଦିଅନ୍ତି ନାହିଁ । ଚାକରବାକରଙ୍କୁ ଖାଲି ନାଁକୁ ଯାହି–ଯେମିତି ଦିଅନ୍ତି । ବରଷ ବରଷ ଧରି କାମ ନିଅନ୍ତି, କିନ୍ତୁ ପଇସା ମାଗିଲେ ପିଟିକରି ବାହାର କରି ଦିଅନ୍ତି । ସ୍କୁଲରେ ଦରମା ଦିଅନ୍ତି ନାହିଁ ଯେ ପିଲାଙ୍କ ନାଁ କଟିଯାଏ । ଶେଷରେ ତାଙ୍କୁ ଉଠେଇ ଆଣିବାକୁ ବାଧ୍ୟ ହୁଅନ୍ତି-। ଏମିତି କି ଥରେ ରେଳବାଲାଙ୍କୁ ବି ସେ ଟିକଟ ଉଧାର ମାଗୁଥିଲେ । ରାୟାସାହେବ ଏଇମାନଙ୍କର ଭାଇ ବନ୍ଧୁ ନା ଆଉ କ’ଣ ? ଚାଲ ଖାଇ ଦିଅ, ବସି କରି ଘଣା ପେଲ । ଏହା ଛଡ଼ା ତମ ଭାଗ୍ୟରେ ଆଉ କ’ଣ ଅଛି ? ବଡ଼ ବଡ଼ ଲୋକେ ଆସି ତମଠୁ ଲାଭ ଉଠାଇଛନ୍ତି, ସେତକ ଜାଣି ମିଳୁଛି । ସେ ତମକୁ ପଇସାଟିଏ ଦେଲେ ତେଣେ ପ୍ରଜାଙ୍କଠାରୁ ଚାରି ପଇସା ମାରିନେବେ । ଆଜିଯାଏ ତ ତାଙ୍କ କଥା ଯାହା ମନକୁ ଆସୁଥିଲା ଲେଖି ଯାଉଥିଲା । ଏବେ ତ ମୁହଁକୁ ଅନେଇ କାମ କରିବାକୁ ହେବ ।

 

ସମ୍ପାଦକ ସାହେବ ଖାଇ ବସିଲେ । କିନ୍ତୁ ଗୁଣ୍ଡା ଯେମିତି ସତେ ପାଟିରୁ ଖସି ପଡ଼ୁଥିଲା-। ମନକଥା କହି ନ ସାରିବାଯାଏ ଖାଇବାକୁ ମନ ହେଉ ନଥିଲା । ଶେଷରେ କହିଲେ–ଯଦି ସେ ଟଙ୍କା ନ ଦିଅନ୍ତି ତେବେ ଏମିତି ଲେଖା ଲେଖିବି ଯେ ଜୀବନଯାକ ପୁଣି ମନେ ପଡ଼ୁଥିବ-। ତାଙ୍କ ଚୁଟି ମୋ ହାତରେ ଅଛି, ଯିବେ କୁଆଡ଼େ ? ଗାଁ ଲୋକେ କ’ଣ କେବେ ମିଛ ଖବର ଦିଅନ୍ତି-? ରାୟସାହେବଙ୍କ ବିରୁଦ୍ଧରେ ମୋ ପାଖରେ ଗୋଟେ ରିପୋର୍ଟ ଅଛି, ଛାପିଦେଲେ ସେ ଆଉ ଘରୁ ବାହାରି ପାରିବେ ନାହିଁ । ସେ କ’ଣ ମୋତେ ମାହୁଳିଆ ଦେଉଛନ୍ତି କି ? ଅକଳରେ ପଡ଼ି ଦେବାକୁ ବାଧ୍ୟ ହୋଇଛନ୍ତି ନା । ଆଗେ ଆଗେ ତ ଭାରି ଧମକ ଦେଖାଉଥିଲେ କିନ୍ତୁ ଯେତେବେଳେ ଦେଖିଲେ ସେଥିରେ କାମ ଚଳିବ ନାହିଁ, ସେତେବେଳେ ଏହି ଉପାୟ କରିବାକୁ ବାଧ୍ୟ ହେଲେ-। ତା ଛଡ଼ା ମୁଁ ବି ଭାବିଲି, ଜଣେ ଲୋକକୁ ଠିକ୍ କରିଦେଲେ ତ ଦୁନିଆ ଠିକ୍ ହୋଇଯିବ ନାହିଁ, ତେବେ ସେ ଯଦି ପଇସା ଦେଉଛନ୍ତି ଛାଡ଼ିବା କାହିଁକି ? ଇଏ ତ ନିଶ୍ଚୟ କଥା ଯେ ମୁଁ ଆପଣା ଆଦର୍ଶ ଛାଡ଼ି ଦେଇଛି, ଏତେ କଥା ପରେ ଯଦି ସେ ମୋତେ ଠକନ୍ତି, ତେବେ ମୁଁ ବି ତାଙ୍କୁ ଠିକ୍ କରିଦେବି-। ଯେଉଁମାନେ ଗରିବକୁ ଦିନରାତି ଲୁଟି କରି ଖାଉଛନ୍ତି, ସେଗୁଡ଼ାଙ୍କୁ ଲୁଟି କରି ଖାଇଲେ ମନକଷ୍ଟ ହେବ କାହିଁକି ?

Image

 

Unknown

ସପ୍ତଦଶ ପରିଚ୍ଛେଦ

 

ଗାଁରେ ଚାରିଆଡ଼େ ଚହଳ ପଡ଼ିଗଲା ଯେ ରାୟସାହେବ ପଞ୍ଚାୟତକୁ ଖୁବ୍ ବେଜିତ କଲେ ଏବଂ ସେମାନେ ଯେତେଟଙ୍କା ଜୋରିମନା ଆଦାୟ କରିଥିଲେ, ପୁଣି ସେମାନଙ୍କୁ ସେତିକି ଟଙ୍କା ଦେବାକୁ ପଡ଼ିଲା । ରାୟସାହେବ ସେମାନଙ୍କୁ ଜେଲ୍ ଦେବାପାଇଁ ଯାଉଥିଲେ, କିନ୍ତୁ ସେମାନେ ହାତ ଗୋଡ଼ ଧରି ଛାପ ଚାଟି କୌଣସିମତେ ଉଦ୍ଧାର ପାଇଗଲେ । ଏକଥା ଶୁଣି ଧନିୟା ଛାତି କୁଣ୍ଡେମୋଟେ । ସେ ସାଇ ସାଇ ବୁଲି କହିଲା–ଗରିବଙ୍କର ଡାକ ସିନା ମଣିଷ ଶୁଣିବେ ନାହିଁ, ଭଗବାନ କ’ଣ ଶୁଣିବେ ନାହିଁ ? ପୁଏ ଭାବିଥିଲେ ଯେ ୟା’ଠୁ ଜୋରିମନା ନେଇ ମଜା ଉଡ଼ାଇବା । ହେଲେ ଭଗବାନ ତ ବଡ଼ଲୋକ, ଏମିତି ଚାପୁଡ଼ା ଦେଲେ ଯେ ଏକାଥରେକେ ମଜା ଛାଡ଼ିଗଲା । ଯେତିକି ନେଇଥିଲେ ତାର ଦୋହରା ଦେଲେ । ଏବେ ଚାଟୁଥା ମୋ ଘରଡ଼ିହ ନେଇକରି !

 

କିନ୍ତୁ ଯାହାହେଲେ ବି ବଳଦ ନ ଥିଲେ ଚାଷ ହୁଅନ୍ତା କେମିତି ? ଗାଁରେ ଚାଷ କାମ ସମସ୍ତଙ୍କର ଆରମ୍ଭ ହୋଇଗଲା । କିନ୍ତୁ ବଳଦ ନ ଥିବାରୁ ହୋରୀକୁ ହତଗୋଡ଼ ବାନ୍ଧିହୋଇ ବସିବାକୁ ପଡ଼ିଲା । ସମସ୍ତଙ୍କ ବିଲରେ ହଳ ବୁଲିଲା, ବିହନ ବୁଣାହେଲା, ହଳିଆଙ୍କ ଗୀତରେ ବିଲବାଡ଼ି ଉଛୁଳି ପଡ଼ିଲା । କିନ୍ତୁ ରାଣ୍ଡମାଇପଙ୍କ ଘରପରି ହୋରୀ–ଜମି ଶୂନଶାନ ହୋଇ ପଡ଼ିରହିଲା । ପୁନିୟା ଏବଂ ଶୋଭା ପାଖରେ ହଳ ଥିଲେ ବି ସେମାନଙ୍କୁ ବେଳ ଥିଲା କେଉଁଠି ହୋରୀ ଜମିରେ ହଳ କରିବା ପାଇଁ ? ହୋରୀକୁ ଆଉ କିଛି ବୁଦ୍ଧି ଦିଶିଲା ନାହିଁ, ସେ ଖାଲି ଏଣେତେଣେ ବେକାର ହୋଇ ବୁଲିଲା । କେଉଁଠି କା ବିଲ ମୁଣ୍ଡରେ ଟିକିଏ ବସିପଡ଼େ ତ କେଉଁଠି କା’ର ବିହନ ମୁଠେ ବୁଣିଦିଏ । ସେଇଥିରୁ ଯାହି ମାଣେଅଧେ ମିଳିଯାଏ ।

 

ସୁନା, ରୂପା, ଧନିୟା ସମସ୍ତେ ଯାଇ ୟା’ ତା’ ବିଲରେ କାମ କଲେ । ବୁଣାବୁଣି ଥିବାଯାକ କିଛି ଅଭାବ ହେଲାନାହିଁ । ଯାହିତାହି ମୁଠେ ଖାଇବା ପିଇବାକୁ ମିଳିଗଲା । ପେଟକଷ୍ଟ ସିନା କମିଗଲା, କିନ୍ତୁ ମନକଷ୍ଟ ଯାଆନ୍ତା କୁଆଡ଼େ ? ସବୁଦିନ ରାତିରେ ଘଇତା ମାଇପ ଦିହେଁଯାକ ପସରାଏ ଲେଖା କଳି ଲାଗନ୍ତି ।

 

ବୁଣାବୁଣି ସରିଗଲା ପରେ ତେଣିକି ମୂଲ ମିଳିବା କଷ୍ଟ ହେଲା । ଆଉ ତ କିଛି ଫନ୍ଦା ଫିକର ନଥିଲା, ଖାଲି ବିଲରେ ଯାହା ଆଖୁ ଛିଡ଼ା ହୋଇଥିଲା ।

 

ରାତି କାଳ, ଭାରି ଶୀତ । ସେଦିନ ହୋରୀଘରେ କିଛି ଖାଇବାକୁ ନଥିଲା । ଦିନରେ ଯାହିତାହି ଚଣା ସିଝେଇ କାମ ଚଳେଇ ଦେଲେ କିନ୍ତୁ ରାତିକୁ ଆଉ କୌଣସି ଉପାୟ ନଥିଲା । ରୂପା ବିଚାରୀ ଭୋକରେ ଆଉଟୁପାଉଟୁ ହୋଇ ଦାଣ୍ଡ ପିଣ୍ଡାରେ ବସି କାନ୍ଦିଲା । କାନ୍ଦିଲେ ବା କ’ଣ ହେବ ? ଘରେ କେଉଁଠି କ’ଣ ଅଛି ଯେ କିଏ ଦେବ ?

 

ଭୋକ ସମ୍ଭାଳି ନ ପାରିବାରୁ ନିଆଁ ମାଗିବା ବାହାନାରେ ସେ ପୁନୀ ଘରକୁ ଚାଲିଗଲା । ପୁନୀ ବାଜରାଧାନ ଚକୁଳି କରିସାରି ଶାଗ ଭାଜୁଥିଲା । ତା ବାସନାରେ ରୂପା ପାଟିରୁ ଲାଳ ଗଡ଼ି ପଡ଼ିଲା ।

 

ପୁନିୟା ପଚାରିଲା–ତମର କ’ଣ ଏତେବେଳଯାଏ ଚୁଲି ନାଗି ନାହିଁ ?

 

ରୂପା ମନ ମାରିକରି କହିଲା, ଆଜି ତ କିଛି ନାହିଁ, ଚୁଲି ନାଗିବ କିଆଁ ?

 

‘ଚୁଲି ଯଦି ନ ନାଗିବ, ନିଆଁ କ’ଣ କରିବୁ ?’

 

‘ବାପା ହୁକା ନଗେଇବେ ।’

 

ପୁନିୟା ଖଣ୍ଡେ ଘସି–ନିଆଁ ତା ପାଖକୁ ପକାଇ ଦେଲା, କିନ୍ତୁ ରୂପା ନିଆଁ ନ ନେଇ ପାଖକୁ ଆସି କହିଲା–ଖୁଡ଼ି, ତୋ ପିଠା ଭାରି ବାସୁଛି । ମୋତେ ବାଜରା ଚକୁଳି ଭାରି ଭଲ ଲାଗେ-

 

ପୁନିୟା ଟିକିଏ ହସିଦେଇ କହିଲା, ଖାଇବୁ ?

 

‘ମା ଗାଳିଦେବ ।’

 

‘ମା’କୁ ତୋର କହି ଯାଉଛି କିଏ ?’

 

ରୂପା ପେଟେ ଚକୁଳି ଖାଇଦେଇ ମୁହଁ ନ ଧୋଇ ତରତର ହୋଇ ଘରକୁ ପଳେଇଲା ।

 

ହୋରୀ ଚୁପ୍‍ଚାପ୍ ବସି ରହିଥିଲା । ପଣ୍ଡିତ ଦାତାଦୀନ ଆସି ଡାକ ପକାଇବାରୁ ତା ଛାତି ଥରିଗଲା, ଭାବିଲା, ପୁଣି କୁଆଡ଼ୁ ନୂଆ ବିପତ୍ତି ଆସି ଏଇନେ ପଡ଼ିବ । ଉଠିପଡ଼ି ତା ଗୋଡ଼ତଳେ ମୁଣ୍ଡିଆ ମାରି ବସିବା ପାଇଁ ଦାଣ୍ଡ ପିଣ୍ଡାରେ ଖଣ୍ଡେ ଚଟେଇ ପକାଇ ଦେଲା ।

 

ଦାତାଦୀନ ବସିଯାଇ ଟିକିଏ ଅନୁଗ୍ରହ ଦେଖାଇଲା ପରି କହିଲା, ଏବେ ତ ତମ ଜମିବାଡ଼ି ସବୁ ପଡ଼ିଆ । ତମେ ଗାଁ ଭିତରେ କାହାକୁ ହେଲେ ଟିକିଏ ତୁଣ୍ତେଇଲ ନାହିଁ, ନହିଲେ ଭୋଳା ଛାର ଏ ଗାଁରୁ ଗୋରୁ ଫିଟେଇ ନେଇ ବାହାରି ଯାଇଥାନ୍ତା ! ଏଇଠି ତା ଜୀବନ ଯାଇ ନଥାନ୍ତା ! ମୁଁ ପଇତା ଛୁଇଁକରି କହୁଛି ହୋରୀ, ସେଦିନ ମୁଁ ତମକୁ ମୋଟେ ଜୋରିମନା କରି ନାହିଁ-। ଧନିୟା ମିଛରେ ମୋତେ ଗାଳି ଦେଉଛି । ଇଏ ସବୁ ଲାଲା ପଟେଶ୍ୱରୀ ଆଉ ଝିଙ୍ଗୁର ସିଂହଙ୍କ କାମ-

 

ଲୋକେ କହିବାରୁ ମୁଁ ଖାଲି ପଞ୍ଚାୟତରେ ବସି ଯାଇଥିଲି । ସେମାନେ ତ କଡ଼ା ଜୋରିମନା କରିବାକୁ ବସିଥିଲେ, ମୁଁ ବରଂ କହିପୋଛି କିଛି କମ୍ କରେଇ ଦେଲି । ଏବେ ତ ସବୁ ମୁଣ୍ଡରେ ହାତଦେଇ ବସି କାନ୍ଦୁଛନ୍ତି । ଭାବିଥିଲେ ଏଇଟା ତାଙ୍କ ନିଜ ରାଜ୍ୟ, ଏଠି ଆଉ ଜଣେ ମାଲିକ ଅଛନ୍ତି ବୋଲି ତାଙ୍କ ଆଖିକୁ ମୋଟେ ଦିଶୁ ନଥିଲା । ଆଚ୍ଛା, ସେ କଥା ଛାଡ଼ । ତମ ବିଷୟରେ ଆଉ କ’ଣ କରୁଛ ?

 

ହୋରୀ କରୁଣ କଣ୍ଠରେ କହିଲା, କ’ଣ ଆଉ କରିବି ଆଜ୍ଞା, ପଡ଼ିଆ ତ ରହିବ ।

 

‘ଆରେ ପଡ଼ିଆ ରହିଲେ ତ ବଡ଼ ଅସୁବିଧା ହେବ ।’

 

‘ଭଗବାନଙ୍କର ଯାହା ବରାଦ ଥିବ, ମୋର କ’ଣ ଚାରା ଅଛି ।’

 

‘ଆରେ, ମୁଁ ଥାଉଁ ଥାଉଁ ମୋରି ଆଗରେ ତମ ଜମି ଏମିତି ପଡ଼ି ରହିବ, ସେ କଥା ହେବ ନାହିଁ, ମୁଁ କାଲି ଯେମିତି ହେଲେ ବୁଣେଇ ଦେବି । ଏବେ ବି ତ ବିଲରେ ବତର ଅଛି, ଖୁବ୍ ହେଲେ ଆଠ ଦଶ ଦିନ ଡେରିରେ ଗଛ ହେବ । ତମର ଆମର ଅଧା ଅଧା ଭାଗ ରହିବ । ଏଥିରେ ତମର ହାନି ନାହିଁ କି ମୋର ହାନି ନାହିଁ । ଆଜି ବସି କରି ତମ କଥା ଭାବି ଭାରି ଖରାପ ଲାଗିଲା, ଚାଷ ଜମିଟା କେମିତି ପଡ଼ିଆ ରହିବ !’

 

ହୋରୀ ମନରେ ଭାରି ଚିନ୍ତା ହେଲା, ଭାବିଲା ବରଷଯାକ ଖତ ପାଣି ଲଗେଇ ଚାଷବାସ କରି ଖାଲି ବିହନ ଲାଗି ଜମିକୁ ସେ କେମିତି ଅଧା ଭାଗରେ ଦେଇ ଦେବ । ଜମି ବରଂ ପଡ଼ିଆ ରହିଲେ ଏତେ ବାଧିବ ନାହିଁ । ତା ପରେ ଭାବିଲା କିଛି ନ ମିଳିଲେ ଖଜଣା ତ ହେଲେ ଉଠିଯିବ । ଖଜଣା ନ ଦେଲେ ପୁଣି ଜମି ଦଖଲ ଉଠିଯିବ ଯେ ।

 

ଶେଷରେ ହୋରୀ ରାଜି ହୋଇଗଲା ।

 

ତା ପରେ ଦାତାଦୀନ ଖୁସି ହୋଇ କହିଲା–ଚାଲ, ମୁଁ ଏଇନେ ବିହନ ମାପିଦେବି, ପୁଣି ସକାଳକୁ ଅଡ଼ୁଆ ନ ଥିବ । ଖାଇ ସାରିଲଣିଟି ?

 

ହୋରୀ ଲାଜ ଲାଜ ହୋଇ ଘରେ ଚୁଲି ଲାଗିନାହିଁ ବୋଲି କହିଲା ।

 

ଦାତାଦୀନ ସତେ ଆପଣାର ପରି ଟିକିଏ ମିଠାଗାଳି ଦେଇ କହିଲା–ଆରେ, ତମ ଘରେ ଚୁଲି ଜଳି ନାହିଁ, ତମେ ମୋତେ କହନ୍ତ ନାହିଁ ? ଆମେ କ’ଣ ତମର ଭଗାରୀ ? ତମ ଉପରେ ମୋର ଭାରି ରାଗ ହେଇଛି ସତେ ! ଆରେ ବାବୁ, ଏଥିରେ ଗୋଟାଏ ଲାଜ ସରମ କ’ଣ-? ଆମେ ବ୍ରାହ୍ମଣ ହେଲେ କ’ଣ, ତମେ ଶୁଦ୍ର ହେଲେ କ’ଣ, ଘର ତ ସବୁ ଏକା । ସଂସାର କଥା କିଏ କହିବ, ଶଗଡ଼ପଇ ତଳ ଉପର । କାଲି ମୋର ବିପତ୍ତି ପଡ଼ିଲେ ମୁଁ ପୁଣି ତମକୁ କହିବି ନା ଆଉ କାହାକୁ କହିବି ? ଆଚ୍ଛା ଚାଲ, ବିହନ ସାଙ୍ଗରେ ଖାଇବା ଧାନ ବି ମହଣେ ଦି’ମହଣ ନେଇ ଆସିବ ।

 

ଅଧ ଘଣ୍ଟାରେ ହୋରୀ ମହଣେ ଧାନ ମୁଣ୍ଡେଇ କରି ଆସି ଘରେ ପହଞ୍ଚିଲା, ତା’ପରେ ଯାଇ କାମ ଚଳିଲା । ଧନିୟା କାନ୍ଦୁଥାଏ ଏଣେ ଧାନ ଉବୁଝୁଥାଏ–ବିଧାତା ସତେ କୋଉ ପାପରୁ ଏ ଦଶା ଦେଉଛି ।

 

ତହିଁ ଆରଦିନ ବୁଣା ଆରମ୍ଭ ହୋଇଗଲା । ହୋରୀର ବଂଶଯାକ ସମସ୍ତେ ନିଜ ବିଲରେ ଲାଗିଲାପରି ଲାଗିଗଲେ । ଦାତାଦୀନକୁ ମାହୁଳିଆରେ ଜାଣି ମୂଲିଆ ମିଳିଗଲେ । କିଛିଦିନ ପରେ ଦାତାଦୀନ ପୁଅ ମାତାଦୀନ ବି ହୋରୀ ଘରକୁ ଯିବା ଆସିବା ଆରମ୍ଭ କରିଦେଲା । ଯବାନ ଭେଣ୍ଡିଆ, ଭାରି ରସିକ, ଭାରି ମିଠାକଥା । ଦାତାଦୀନ ଯେଉଁଠି ଯାହା ଠକିଭଣ୍ଡି କରି ଆଣେ, ଇଏ ଭାଙ୍ଗନିଶାରେ ତାକୁ ସବୁ ଉଡ଼ାଏ । ସେ ଗୋଟାଏ ଚେମାରୁଣୀ ପାଲରେ ପଡ଼ି ବାହା ହେଉ ନଥିଲା । ଗାଁଯାକ ସମସ୍ତେ ଜାଣିଥିଲେ, କିନ୍ତୁ କେହି କିଛି କହୁ ନଥିଲେ । ଭୋଜନ ତ ହେଉଛି ଅସଲ ଧର୍ମ; ଭୋଜନ ପବିତ୍ର ରହିଲେ ହେଲା । ଚେମାରୁଣୀ ଘରେ ରହିଲେ କିଛି ଯାଏ ଆସେ ନାହିଁ । ଅସଲ ସେ ରୋଷାଇ ଘରେ ନ ପଶିଲେ ହେଲା; ଖାଇବା ପିଇବା ଜିନଷ ନ ଛୁଇଁଲେ ଗଲା ।

 

ଏବେ ଜମି ସାଜିରେ ଚାଷହେବା ଦିନକୁ ବରାବର ସେ ହୋରୀ ଘରକୁ ଯିବା ଆସିବା କରେ, ଟିକିଏ ସୁବିଧା ପାଇଲେ ଝୁନିଆ ସଙ୍ଗେ କଥାବାର୍ତ୍ତା କରେ । ସେ ଏମିତି ବେଳ ଉଣ୍ଡିକରି ଆସେ, ଯେତେବେଳେ ଘରେ ଝୁନିଆ ଛଡ଼ା ଆଉ କେହି ନ ଥାନ୍ତି । ସବୁଦିନ କିଛି ନା କିଛି ଗୋଟାଏ ଆଳ କରି ଚାଲିଆସେ । ଝୁନିଆ ଖୁବ୍ ସୁନ୍ଦରୀ ନ ହେଲେ ବି ଯୁବତୀ । ତା’ ଚେମାରୁଣୀ ଠାରୁ ତ ଢେର ସୁନ୍ଦର । ତା’ ଛଡ଼ା ସେ ସହରରେ କିଛିଦିନ ଥିବାରୁ ତାର ଚାଲିଚଳଣ, ଢଙ୍ଗଢାଙ୍ଗ, ଲୁଗାପିନ୍ଧା, କଥାବାର୍ତ୍ତା ଯଥେଷ୍ଟ ଭଲ । ସବୁଠୁ ସୁନ୍ଦର ହେଉଛି ତା ଲାଜକୁଳୀପଣ । ମାତାଦୀନ ଆସି ତା ପିଲାକୁ କାଖେଇ ପକାଇ ଗେଲ କରେ । ଝୁନିଆ ଭାରି ଖୁସି ହୁଏ ।

 

ଦିନେ ସେ ଝୁନିଆକୁ ପଚାରିଲା–କ’ଣ ଦେଖିକରି ତମେ ଗୋବରା ସଙ୍ଗରେ ଚାଲି ଆସିଲ ?

 

ଝୁନିଆ ଲାଜ ଲାଜ ହୋଇ କହିଲା–କପାଳ ତ ଆଣି ପକାଇଲା ଆଜ୍ଞା, ଆଉ କହିବି କ’ଣ ?

 

ମାତାଦୀନ ଟିକିଏ ଦୁଃଖ ପ୍ରକାଶ କରି କହିଲା–ଗୋବରାଟା ବେକୁବ୍ ଲୋକଟାଏ, ନହିଲେ ତମ ଭଳିଆ ଲକ୍ଷ୍ମୀଙ୍କୁ ଛାଡ଼ି ସେ ଏଣେ ତେଣେ ବୁଲୁଥାନ୍ତା କାହିଁକି ? ତୁରୁତୁରିଆଟା ନା, କିଏ ଜାଣେ ଆଉ ଗୋଟାଏ କାହାକୁ ରଖିକରି ରହିବଣି । ସେମିତିଆ ଲୋକଙ୍କୁ ଗୁଳି ମାରିଦେବା ଦରକାର । ଯା ହାତ ଧରିବ, ତାଙ୍କୁ ସିନା ପାଳିବ, ପୋଷିବ, ଆଉ କ’ଣ ଜଣକ ଜୀବନ ମାଟି କରିଦେଇ ଆଉଆଡ଼େ ପଳାଇଯିବ ।

 

ଝୁନିଆ କାନ୍ଦିବାକୁ ଲାଗିଲା । ମାତାଦୀନ ଏଣିକି ତେଣିକି ଚାହିଁ ତା ହାତଧରି ପକାଇ ବୁଝେଇବାକୁ ଲାଗିଲା–ସେ ଗଲାଣି ତ ଗଲାଣି, ସେ କଥାକୁ ତମେ ଏତେ ଧରି ବସିଛି କିଆଁ ? ତମର କେଉଁଥିରେ ଅଭାବ ଅଛି ? ଟଙ୍କାପଇସା ଲୁଗାପଟା ତମର ଯାହା ଯେତେବେଳେ ଦରକାର ମତେ ମାଗିବ, ମୁଁ ଦେବି ।

 

ଝୁନିଆ ଧୀରେ ହାତ ଛଡ଼େଇନେଇ ପଛକୁ ଘୁଞ୍ଚିଯାଇ କହିଲା–ସବୁ ହଜୁରଙ୍କ ଦୟା । ମୁଁ ତ କୁଆଡ଼କୁ ହେଲି ନାହିଁ । ବାପମାଙ୍କ କୁଳର ହେଲି ନାହିଁ କି ଏ କୁଳର ବି ହେଲି ନାହିଁ । ଜାତିଗଲା ପେଟ ପୁରିଲା ନାହିଁ । ସଂସାର ରଙ୍ଗ ଢଙ୍ଗ ତ କିଛି ଜାଣି ନଥିଲି । ୟା’ରି ମଧୁରା କଥାରେ ମୋହିହେଇ ଆସି ଜାଲରେ ପଡ଼ିଲି ।

 

ମାତାଦୀନ ବର୍ତ୍ତମାନ ସୁବିଧା ପାଇ ଗୋବରା ନାଁରେ ଖୁବ୍ ଗପି ବସିଲା–ସେ ଗୋଟାଏ ଲଫଙ୍ଗାଟାଏ, ତାର କେଉଁ କଥାରେ ଠିକ୍ ଠିକଣା ନାହିଁ । ଯେତେବେଳେ ଦେଖିବ ବାପମା’ଙ୍କ ସଙ୍ଗେ ଝଗଡ଼ା, ହାତରେ ପଇସାଟା ପଡ଼ିଲେ ସାଙ୍ଗେ ସାଙ୍ଗେ ମଦ ନହିଲେ ଗଞ୍ଜେଇ । ଛତରାଙ୍କ ସାଙ୍ଗେ ସାଙ୍ଗ ହେବା, ପର ଝିଅ ବୋହୂଙ୍କୁ ଅନେଇବା ଛଡ଼ା ତାର ଆଉ କାମ କ’ଣ ? ଥାନାବାବୁ ତାକୁ ଥରେ ଚାଲାଣ କରୁଥିଲେ, ଆମେ ସବୁ ପୁଣି କୁହାପୋଛା କରି ରଖିନେଲୁ । ୟା’ ତା ଖଳାରୁ ଧାନ ଚାଉଳ ଚୋରୀ କରେ । ଥରେ ସେ ନିଜେ ତାକୁ ଧରିଥିଲା, କିନ୍ତୁ ଆପଣା ପଡ଼ିଶା ଭାବି ପୁଣି ଛାଡ଼ିଦେଲା ।

 

ସୁନା ବାହାରୁ ଆସି କହିଲା–ଭାଉଜ, ମା କହିଛି, ଖରାରେ ଧାନ ଗଡ଼ାଇ ଦିଅ, ନହିଲେ ସେଥିରୁ ବହୁତ ଗମ ବାହାରିବ । ଦାତାଦୀନ ସେଥିରେ ପାଣି ଢାଳି ଦେଇଥିଲା ବି କ’ଣ କେଜାଣି-?

 

ମାତାଦୀନ ସଫେଇ ଦେଇ କହିଲା–ତମ ଘରଆଡ଼େ ନହିଲେ ବରଷା ହେଇ ନ ଥିବ । ଚତୁର୍ମାସ୍ୟାରେ ତ କାଠ ସହିତେ ଭିଜି ଯାଉଛି, ଧାନ ଚାଉଳ କଥା ପଚାରୁଛି କିଏ ?

 

ଏମିତି କହି କହି ମାତାଦୀନ ଘରୁ ବାହାରି ଚାଲିଗଲା । ସୁନା ଆସିକରି ଜାଣି ତା’ ଖେଳ ବିଗାଡ଼ି ଦେଲା ।

 

ସୁନା ଝୁନିଆକୁ ପଚାରିଲା–ମାତାଦୀନ କ’ଣ ପାଇଁ ଆସିଥିଲା ? ଝୁନିଆ କ’ଣ ଟିକିଏ ଭାବିଲା ପରି କହିଲା–ପଘା ପାଇଁ ଆସିଥିଲା ଯେ ମୁଁ ନାହିଁ କଲି ପଘା ନାହିଁ ।

 

‘ସେଗୁଡ଼ା ଖାଲି ମିଛ ଆଳ, ସେଟା ବଦମାସ୍‍ଟା ।’

 

‘ମୁଁ ତ ଭାବୁଛି ଭଲ ମଣିଷଟାଏ, କ’ଣ, ଖରାପ କ’ଣ ?’

 

‘ତମେ ଜାଣିନ ଏଟା ଚେମାରୁଣୀଟେ ରଖିଛି ?’

 

‘ମଲା, ଏଇଥିରେ କ’ଣ ଖରାପ ହୋଇଗଲା ।’

 

‘ଆଉ ପୁଣି ମଣିଷ କେମିତି ଖରାପ ହ’ନ୍ତି ମ ?’

 

‘ତମ ଭାଇ ତ ପୁଣି ମୋତେ ରଖିଛନ୍ତି ୟା’ବୋଲି କ’ଣ ସେ ଖରାପ ମଣିଷ ? ସୁନା ଆଉ କିଛି ଜବାବ ଦେଇ ନ ପାରି କହିଲା–ଆମ ଘରକୁ ଏଥର ଯେ ଆସିବ, ପୁଣି ଦେଖିବ ।

 

‘ଯଦି ତା’ ସଙ୍ଗେ ତମର ବାହାଘର ପଡ଼ିବ ?’

 

ସୁନାକୁ ଭାରି ଲାଜ ମାଡ଼ିଲା, କହିଲା–‘ଭାଉଜ ତମେ ତ ଭାରି ବିଗଡ଼ା କଥା କହୁଛ ।’

 

‘ଏଥିରେ ବିଗଡ଼ା ରହିଲା କ’ଣ ?’

 

‘ମତେ କହନ୍ତା ବୋଲେ ତା ମୁହଁରେ ନିଆଁ ନଗେଇ ଦିଅନ୍ତି ।’

 

‘ତମେ କ’ଣ ଆଉ କୋଉ ଦିଅଁ ଦେବତାକୁ ବାହା ହେବ । ତା ଭଳିଆ ସଳଖ ସୁନ୍ଦର ଭେଣ୍ଡିଆ ଏ ଗାଁରେ ଆଉ କାହାନ୍ତି ?’

 

‘ମନ ହେଉଛି ଯଦି ତମେ ତା ସଙ୍ଗେ ଯାଉନ ? ତମେ ତ ଚେମାରୁଣୀଠୋଉ କାହିଁରେ କ’ଣ ସୁନ୍ଦର ।’

 

‘ଭଲ ହେଉ କି ମନ୍ଦ ହେଉ, ମୁଁ ତ ଜଣକ ସାଙ୍ଗେ ଆସିଛି, ପୁଣି ଯିବି କିଆଁ ?’

 

‘ହଁ, ସେମିତି ଭଲ ହେଉ କି ମନ୍ଦ, ମୁଁ ଯାହାକୁ ବାହା ହେବି ତା’ରି ସାଙ୍ଗରେ ଯିବି ନା, ଏଇଟା ସାଙ୍ଗରେ ଯିବି କିଆଁ ?’

 

‘ବର ଯଦି ବୁଢ଼ା ହୋଇଥିବ ?’

 

ସୁନା ହସି ହସି କହିଲା–‘ହଁ ବୁଢ଼ା ହୋଇଥିଲେ ତା ପାଇଁ କଅଁଳିଆ ଭାତ ରାନ୍ଧି ଦେବି, ଔଷଧ ମଉଷଧି କୁଟି ଦେବି, ହାତ ଧରି କରି ଉଠାବସା କରିବି । ଯେତେବେଳେ ମରିଯିବି, ସେତେବେଳେ ମୁହଁରେ ନୁଗା ଦେଇ ବସି କାନ୍ଦିବି ! ଆଉ କ’ଣ କରିବି ।’

 

‘ଯଦି କୋଉ ଟୋକା ଭେଣ୍ଡିଆକୁ ବାହା ହେବ ?’

 

‘ତମ ମୁଣ୍ଡ ଗଣ୍ଡି ।’

 

‘ଆଚ୍ଛା କହିଲ, ତମକୁ ଟୋକା ଭଲ ଲାଗନ୍ତି କି ବୁଢ଼ା ?’

 

‘ଟୋକା ବୁଢ଼ା ଗୋଟେ କ’ଣ ? ଆମକୁ ଯେ ପଚାରିଲା ସେ ଟୋକା, ଯେ ନ ପଚାରିଲା ସେ ବୁଢ଼ା ।’

 

‘ଭଗବାନ କରନ୍ତେ କି କୋଉ ବୁଢ଼ାକୁ ବାହା ହ’ନ୍ତ କି । ଦେଖନ୍ତି କେମିତି ତାକୁ ପଚାରନ୍ତ । ସେତେବେଳେ ମନ ହ’ନ୍ତା ବୁଢ଼ା କେମିତି ମରନ୍ତା ବୋଲେ କୋଉ ଟୋକା ସାଙ୍ଗରେ ଯାଇ ରହନ୍ତି ।’

 

‘ସେମିତିଆ ବୁଢ଼ାକୁ ତ ମୋର ଦୟା ହୁଏ ।’

 

ଏବର୍ଷ ଆଖପାଖରେ ଗୋଟାଏ ଚିନି କଳ ବସିଥିଲା । ଖନ୍ନାସାହେବ ତାକୁ ବସାଇଥିଲେ । ଚିନିକଳର ଲୋକ ଆସି ଗାଁ ଗାଁରେ ପଶି ଠିଏଁ ଠିଏଁ ଆଖୁ କିଣି ନେଉଥିଲେ । ହୋରୀର ଗାଁରେ ବି ଦିନେ ଲୋକ ଆସି ପହଞ୍ଚିଲେ । ଗାଁ ଲୋକେ ଦେଖିଲେ ଭାଉଦାଉ ଯାହା ସେଥିରେ ତାଙ୍କର କିଛି କ୍ଷତି ନାହିଁ । ଗୁଡ଼ ପେଡ଼ିଲେ ଯଦି ସେଇ ପଇସା ପଡ଼ିବ ତେବେ ଠିଏଁ ଠିଏଁ ଆଖୁ ନ ଦେଇ ଏତେ ହଇରାଣରେ ପେଡ଼ି କରି ଲାଭ କ’ଣ ? ତା ଛଡ଼ା ନଗଦ ଟଙ୍କା ତ ଲୋକଙ୍କର ଦରକାର । କିଏ ବଳଦ କିଣିବ କି, କିଏ ବାକି ସୁଝିବ, କିଏ ମହାଜନର ପାଉଣା ବୁଝେଇବ । ଏମିତି ନାନା ଲୋକଙ୍କର ନାନା କଥା । ହୋରୀର ତ ଅସଲ, ସେ ହଳେ ବଳଦ କିଣିବ । ଆଖୁ ଦେବା ପାଇଁ ଲୋକଙ୍କର ସହଜରେ ମନ ମାନୁ ନଥିଲା, ତଥାପି ଡର ମାଡ଼ୁଥିଲା କାଳେ ଗୁଡ଼ ବେଶି ହେବ କି ନାହିଁ । ତା ଛଡ଼ା ଗୁଡ଼ ଭାଉରେ ଯଦି ଚିନି ମିଳିବ ତେବେ ଗୁଡ଼ କଟିବ କି ନାହିଁ । ଏମିତି ନାନା ଆଡ଼ୁ ବିଚାର କରି ଶେଷରେ ଲୋକେ ସବୁ ବହିନା ନେଇଗଲେ । ହୋରୀକୁ ଶହେ ଟଙ୍କା ମିଳିବ ବୋଲି ଆଶା ଥିଲା । ଟଙ୍କା ମିଳିଲେ ଯାହିତାହି ଯୋଡ଼ାଏ ଗୋରୁ କିଣିବ ବୋଲି ଭାବିଥିଲା । କିନ୍ତୁ କରିବ କ’ଣ, ଦାତାଦୀନ, ମଙ୍ଗୁଳୁ ସାହୁ, ଦୁଲାରୀ ସାହୁଆଣୀ ସବୁ ମହାଜନ ତ ଟାକି ବସିଛନ୍ତି, ତାଙ୍କଠୁ ବଞ୍ଚିବ କେମିତି ? ଶହେ ଟଙ୍କା ତ କୁଆଡ଼େ ଏକା ସୁଧକୁ ପାଇବ ନାହିଁ । ଟଙ୍କା ଆସିଲେ ପୁଣି ମହାଜନ ନ ଜାଣିବେ କେମିତି ? ପୁଣି ଗୋରୁ କିଣିଆଣିଲେ କିଏ କ’ଣ କରି ବସିବ କିଛି ଠିକଣା ନାହିଁ । ତା ଛଡ଼ା ଆଖୁ ଲଦିଲାବେଳେ ତ ସମସ୍ତେ ଦେଖିବେ, ତୁଳ ମୁଣ୍ଡରେ ଯାଇ ଟଙ୍କା ମିଳିବ । ସମସ୍ତେ ଜାଣିବେ । ମଙ୍ଗୁଳୁ ଆଉ ଦାତାଦୀନ ଯାଇ ସେଠି ବସି ରହିବେ । ଟଙ୍କା ମିଳିଲାମାତ୍ରେ ତଣ୍ଟିକି ଧରିବେ ।

 

ସଂଧାବେଳେ ଗିରିଧର ପଚାରିଲା–ହୋରୀ ଦାଦା, ତମ ଆଖୁ ଆଉ କେତେ ଦିନ ରହିବ ?

 

ହୋରୀ ଫାଙ୍କିଦେଇ କହିଲା, ଅଛି ତ ଏଇନେ, ତମର କେବେ ଯାଉଛି ଆଗ କହିଲ ?

 

ଗିରିଧର ବି ସେମିତି ଫାଙ୍କିଦେଇ କହିଲା, ଆମର ତ କିଛି ଠିକ୍ ନାହିଁ ଦାଦା ।

 

ଏମିତି ସମସ୍ତେ ସମସ୍ତିଙ୍କି ଫାଙ୍କନ୍ତି, କେହି କାହାକୁ ବିଶ୍ଵାସ କରନ୍ତି ନାହିଁ କି ସତ କଥା କହନ୍ତି ନାହିଁ । ସମସ୍ତଙ୍କ ଇଚ୍ଛା ଝିଙ୍ଗୁରସିଂହ କେମିତି ନ ଜାଣୁ । ସେ ଜାଣିଲାମାତ୍ରେ ଆସି ଜଗି ବସିବ । ସବୁ ଟଙ୍କା ହଜମ କରି ଦେବ । ଏତେବେଳେ ନ ଦେଲେ ଆଉବେଳେ ଗଲେ ପୁଣି କେତେକଥା ବତାଇବ, କାହିଁରେ କ’ଣ ସୁଧ କସିବ । କାଗଜ ଲେଖାଇବ ।

 

ତହିଁଆରଦିନ ଶୋଭା ଆସି କହିଲା, ଭାଇ, ଏମିତି ଗୋଟାଏ କ’ଣ ଉପାୟ କରନ୍ତ ଯେ ଝିଙ୍ଗୁର ସିଂହଙ୍କୁ ହଇଜା ହୋଇଯାନ୍ତା, ଏକାଥରେ ପଡ଼ନ୍ତା ଯେ ଯେମିତି ଆଉ ଉଠି ପାରନ୍ତା ନାହିଁ ।

 

ହୋରୀ ମୁରୁକିହସା ଦେଇ କହିଲା, ତାର ତ ପୁଣି ଏତେ ପିଲାଛୁଆ ଅଛନ୍ତି !

 

‘ନିଜ ପିଲାଙ୍କୁ ଦେଖିବୁ ନା ତା ପିଲାଛୁଆଙ୍କୁ ଦେଖିବୁ । ସେ ତ ଦି ଦି’ଟା ଭାରିଜା ରଖି ଆରାମରେ ରହିଛି, ଏଣେ ଆମ ପିଲାଙ୍କୁ ଶୁଖିଲା ମୁଢ଼ି ମୁଠେ ମିଳିବାକୁ ନାହିଁ । ଜାଣିବ ବୋଲେ ସବୁ ପଇସା ବାଟରୁ ନେଇଯିବ, ଗୋଟାଏ ପଇସା ଘରକୁ ଆସିବ ନାହିଁ ।’

 

‘ଆରେ ଭାଇ, ମୋର ଅବସ୍ଥା ତ ଆହୁରି ଖରାପ । ହାତରୁ ପଇସା ଗଲେ ମୋ କଥା ସରିଲା । ବଳଦ ଯୋଡ଼େ ଯେମିତି ହେଲେ ନ ଆଣିଲେ ଆଉ କାମ ଚଳିବ ନାହିଁ ।’

 

‘ଆଖୁ ତ ବୁହାବୁହି କରୁ କରୁ ଦି ତିନିଦିନ ଲାଗିଯିବ । ଯେମିତି ଆଖୁ ମିଲରେ ପହଞ୍ଚିଯିବ, ଜମାଦାରକୁ ଦି ଚାରି ପଇସା ଧରେଇଦେଲେ ସେ ଚଞ୍ଚଳ ଓଜନ କରିଦେବ, ଟଙ୍କା ପଛେ ପରେ ମିଳିବ । ଝିଙ୍ଗୁର ସିଂହକୁ ଖାଲି କହି ଦେବାକୁ ହେବ ଯେ ଟଙ୍କା ମିଳି ନାହିଁ ।’

 

ହୋରୀ ଟିକିଏ ଭାବିଲାପରି ହୋଇ କହିଲା, ଝିଙ୍ଗୁର ସିଂହ ତ ଆମଠୁ ବଳି ଚାଲାକ୍ । ସେ ଯାଇଁ ଖୋଦ ମାଲିକଙ୍କ ସଙ୍ଗେ କଥାବାର୍ତ୍ତା କରି ସିଧା ତାଙ୍କରି ହାତରୁ ସିଆଡ଼େ ପଇସା ନେଇଯିବ, ଆମେ ଇଆଡ଼େ ଜଳଜଳ ହୋଇ ଅନେଇଥିବା । ଆଖୁକଳ ମାଲିକ ଖନ୍ନା ସାହେବ ବି ଜଣେ ମହାଜନ । ଦିହିଁକି ଦିହେଁ ସମାନ, କିଏ କାହାକୁ କମ୍ କି ?

 

ଶୋଭା ନିରାଶ ହୋଇ କହିଲା, ଭଗବାନ ଏକା ଜାଣନ୍ତି ମଣିଷ କେବେ ଏ ମହାଜନଗୁଡ଼ାଙ୍କ ଦାଉରୁ ମୁକୁଳିବ ସତେ ।

 

ହୋରୀ କହିଲା, ଏ ଜନମରେ ତ ଆଶା ନାହିଁ । କିଏ କ’ଣ ରଜା ହେବାକୁ କହୁଛି, ଖାଲି ପେଟକୁ ମୁଠେ ଖାଇ ପିଠିକି ଖଣ୍ଡେ ପିନ୍ଧି ମାନମହତ ସମ୍ବାଳି ରହିବା କଥା । ସେତିକିହେଲେ କାହିଁ ହେଉଛି ?

 

ଶୋଭା ଟିକିଏ ଚଲାକି ଦେଖାଇ କହିଲା, ମୁଁ ତାଙ୍କୁ ସବୁ ସାରା କରିଦେବି । ମୁଁ ଭାବୁଛି ଜମାଦାରଙ୍କୁ କିଛି ପଇସା ଦେଇ ଶିଖାଇ ଦେବି ଯେ ସେ ଆମକୁ ଟଙ୍କା ନ ଦେଇ ଦିନକୁ ଦଶଦିନ ଦଉଡ଼ାଇବ । ଦେଖିବା ଝିଙ୍ଗୁର ସିଂହ କେତେ ଦିନ ଧାଇଁବ ।

 

ହୋରୀ ହସି ହସି କହିଲା, ସେ ସବୁ କିଛି ପଟିବ ନାହିଁ ଭାଇ । ସବୁଠୁ ଭଲ ଉପାୟ ହେଉଛି ଝିଙ୍ଗୁର ସିଂହର ହାତଗୋଡ଼ ଧରି ଚୁପ୍‍ଚାପ୍ ରହିବା । ଜାଲରେ ପଡ଼ି ଫଡ଼ ଫଡ଼ ହୋଇ କିଛି ଲାଭ ନାହିଁ । ବରଂ ବେଶି ଚିପିହୋଇ ମରିବା କଥା ।

 

‘ତମେ ତ ଭାଇ ବୁଢ଼ାହଡ଼ାଙ୍କ ପରି କଥା କହୁଛ । ଫାଶରେ ପଡ଼ି ଚୁପ୍ ହୋଇ ବସି ରହିବା ଡରୁଆ ଲୋକଙ୍କ କାମ । ଚିପିହୋଇ ଯିବବୋଲି କ’ଣ ଆଉ ଖସିବାପାଇଁ ଚେଷ୍ଟାକରିବ ନାହିଁ ? ଝିଙ୍ଗୁର ସିଂହ କ’ଣ କରିବ, ଖୁବ୍ ହେଲେ ଘରଦ୍ୱାର ନିଲାମ କରିନେବେ, ତା ଇଚ୍ଛା ହେଲେ ନେଉ । ମୁଁ ତ ଭାବେ ମୋତେ ହେଲେ କେହି କରଜ ନ ଦିଅନ୍ତେ, ମୁଁ ପଛେ ଭୋକରେ ପଡ଼ି ମରନ୍ତି, କିନ୍ତୁ ଧାର ଉଧାର କରନ୍ତି ନାହିଁ । ହେଲେ ମହାଜନଗୁଡ଼ା କରଜ ନ ଦେଇ ଯିବେ କୁଆଡ଼େ-? ନ ଦେଲେ ସୁଧ ପାଇବେ କୁଆଡ଼ୁ ? ଜଣେ ତ ବେଶି ସୁଧ କହିଲା ବେଳକୁ ଆଉ ଜଣେ ଅଳପ ଦେଇ ଆମକୁ ଜାଲରେ ପକାଇ ଦେଉଛି । ଦେଖାଯାଉ, ଝିଙ୍ଗୁର ସିଂହ ଯେଉଁଦିନ କୁଆଡ଼େ ବାହାରି ଯାଇଥିବ ସେହିଦିନ ମୁଁ ଯାଇ ଟଙ୍କା ନେଇ ଆସିବି ।’

 

ହୋରୀ ମନକୁ ଟିକିଏ କଥାଟା ପାଇଗଲା, କହିଲା, ହଁ, ଇଏ ଠିକ୍ କଥା ।

 

‘ଆଖୁ ତଉଲେଇ ଦେବା, ସୁବିଧା ଦେଖି ଟଙ୍କାନେଇ ଆସିବ ।’

 

‘ଠିକ୍ ଠିକ୍, ଏଇଆ କଲେ ଯାଇଁ ହେବ ।’

 

ତହିଁ ଆରଦିନ ସକାଳେ ଗାଁ ଲୋକେ ସବୁ ଆଖୁ ଚାଞ୍ଚିବାକୁ ବାହାରିଲେ । ହୋରୀ ବି ଦା’ ଧରି ବିଲରେ ଠିଆହେଲା । ତାକୁ ସାହାଯ୍ୟ କରିବା ପାଇଁ ଶୋଭା, ଧନିୟା, ସୁନା, ରୂପା, ସମସ୍ତେ ଯାଇ ବିଲରେ ପହଞ୍ଚିଲେ । କିଏ କାଟିଲା ତ, କିଏ ଚାଞ୍ଛିଲା । କିଏ ଚାଞ୍ଛିଲା ତ କିଏ ବାନ୍ଧିଲା । ମହାଜନମାନେ ଆଖୁକଟା ଦେଖିଲାମାତ୍ରେ ଗୋଟି ଗୋଟି ହୋଇ ଗିରିଧ ପରି ଗଡ଼ିଲେ-। ମଙ୍ଗୁଳୁ ସାହୁ, ଦୁଲାରୀ, ସାହୁଆଣୀ, ଦାତାଦୀନ, ପଟେଶ୍ୱରୀ ଆଉ ଝିଙ୍ଗୁର ସିଂହର ପିଆଦା ଗୋଟି ଗୋଟି ହୋଇ ସମସ୍ତେ ଆସି ଜଗି ବସିଲେ । ଦୁଲାରୀ ସାହୁଆଣୀ ବୁଢ଼ୀକାଳେ ବି ଟୋକୀ ବେଶ ହୋଇ ଗୋଡ଼ରେ ରୂପା ପାହୁଡ଼, କାନରେ ଫାଶିଆ, ଆଖିରେ କଜଳ ଲଗେଇ ଆସି ହାଜର ହୋଇ କହିଲା, ମୋ ଟଙ୍କା ଆଗ ନ ଦେଲେ ମୁଁ ଆଖୁ କଟେଇ ଦେବି ନାହିଁ । ଦି ବରଷ ହେଲାଣି ଯେ ଅଧଲାଟାଏ ସୁଧଆଡ଼ୁ ଦେଖା ନାହିଁ । ମୋର ତ ଖାଲି ସୁଧ ଆଗ ପଚାଶ ଟଙ୍କା ହେବ ।

 

ହୋରୀ କାକୁତି ମିନତି କରି କହିଲା, ଭାଉଜ, ଆମେ ଆଗ ଆଖୁ କାଟି ଦେଉଁ, ପଇସା ମିଳିଗଲେ ତମକୁ ଯେମିତି ହେଲେ କିଛି ଦେବୁ । ଏଇ ଗାଁରୁ ତ ଆମେ କୁଆଡ଼େ ପଳାଇ ଯାଉନୁ; ନା ଆମକୁ ସତେ କୋଉ ମରଣ ହେଉଛି । ବିଲରୁ ତ ଏଇନେ ଆଖୁ ଉଠି ନାହିଁ, ପଇସା ଆସିବ କୁଆଡ଼ୁ ?

 

ହୋରୀ ହାତରୁ ଜବରଦସ୍ତ ଦାଆ ଛଡ଼େଇନେଇ ସାହୁଆଣୀ କହିଲା, ତମେ ସବୁ ବଡ଼ ପାହୁଆ ଲୋକ ସତେ ! ଭଗବାନ ତମକୁ କେମିତି ସହୁଛନ୍ତି କେଜାଣି ?

 

ଆଜକୁ ତିନି ବର୍ଷ ତଳେ ସାହୁଆଣୀଠାରୁ ହୋରୀ ମୋଟେ ଟଙ୍କା ତିରିଶଟା କରଜ ଆଣିଥିଲା । ସେହି ଟଙ୍କା ବଢ଼ି ବଢ଼ି ଶହେ ଟଙ୍କା ହେବାରେ ଷ୍ଟାମ୍ପ ଲେଖାହେଲା । ସେଥିରେ ପୁଣି ଏବେ ପଚାଶ ଟଙ୍କା ସୁଧ ।

 

ହୋରୀ କହିଲା, ନାହିଁ ମ ସାହୁଆଣୀ, ପାହୁଆ କଥା କିଛି ନାହିଁ । ଭଗବାନ ଦୟାକଲେ ଗୋଟିକଠୁ ସବୁ ସୁଝିଦେବି । ଆଜିକାଲି ତ ଅଭାବ ହୋଇଛି, ଆଉ କ’ଣ କରାଯାଏ, ଯାହା କହିବ କହ ।

 

ସାହୁଆଣୀ ପଛେ ପଛେ ମଙ୍ଗୁଳୁ ସାହୁ ଆସି ପହଞ୍ଚିଲା । ଏଡ଼ିକି କଳା ଥନ୍ତଲ ପେଟ ନାହି ତଳକୁ ଓହଳି ପଡ଼ିଛି । ମୁହଁରେ ଦିଟା ବଡ଼ ବଡ଼ ଦାନ୍ତ ଘୁଷୁରି ଦାନ୍ତ ପରି ଆଗକୁ ବାହାରି ପଡ଼ିଛି । ସେଥିରେ ପୁଣି ମୁଣ୍ତରେ ଏକ ଟୋପି, କାନ୍ଧରେ ଏକ ଚଦର । ବୟସ ପଚାଶରୁ ବେଶି ନ ହେଲେ ବି ବାଡ଼ି ଧରିକରି ଯିବାଆସିବା କରୁଛି । ଗଣ୍ଠି ମୁଠିଆ ବାତ, ତା ଉପରକୁ ପୁଣି ଧଇଁଉଠା ଖାସ । ବାଡ଼ିରେ ଭାରାଦେଇ ଠିଆ ହୋଇପଡ଼ି ଯାହା ତ ମନକୁ ଆସିଲା ବକିଗଲା, ଆଗ ମୋ ଟଙ୍କା ଦେଇକରି ତେଣେ ଆଖୁ କାଟୁଥା । ମୁଁ ତ ଟଙ୍କା ଖଇରାତ ଦେଇ ନଥିଲି ଉଧାର ଦେଇଥିଲି-। ତିନି ତିନି ବର୍ଷ ହେଲାଣି, ପାହୁଲାଟାଏ ସୁଧ ଦେଖା ନାହିଁ । ତୁ କ’ଣ ଭାବିଛୁ ମୋ ଟଙ୍କା ଉଡ଼ାଇ ଦେବୁ ବୋଲି ? ମୁଁ ମଶାଣିରୁ ଉଠାଇନେବା ଲୋକଟି !

 

ଶୋଭା ତ ଭାରୀ ରହସିଆ, ଥଟ୍ଟା କରି କହିଲା, ଆଉ ତାହାହେଲେ ପରୁଆ କଣ ମହାଜନେ ! ମଶାଣିରୁ ତ ଟଙ୍କା ନେଇଯିବ । ବରଷେ ଦି’ ବରଷ ଆଗ ପଛ ହୋଇ ଦିହିଁଯାକ ଯେତେବେଳେ ଆରପୁରକୁ ଚାଲିଯିବ, ସେତେବେଳେ ଖୋଦ୍ ଭଗବାନଙ୍କ ଆଗରେ ସବୁ ହିସାବ କିତାବ କରି ନେଇଗଲେ ହେବ ନାହିଁ !

 

ମଙ୍ଗଳୁ ସାହୁ ଏଣୁତେଣୁ ଶୋଭାକୁ ଖୁବ୍ ଗାଳିଦେଇ କହିଲା, ପରଧନଖିଆ ବେଇମାନ, ନେଲାବେଳେ ତ କୁକୁରଙ୍କ ପରି ଲାଞ୍ଜଯାକି ଆସି ନେଇଯା, ଦେଲାବେଳକୁ ଏତେ ଗର୍ଜନ କିଆଁ ? ଜାଣିଛୁ ? ଘରଦ୍ୱାର ନିଲାମ କରି ଉଜାଡ଼ି ଦେବି, ଗୋରୁଗାଈ ସବୁ ବନ୍ଧେଇ ନେବି ।

 

ଶୋଭା ପୁଣି ରହସ୍ୟ କରି କହିଲା, ସତ କରି କହିଲ ମହାଜନ, କେତେ ଟଙ୍କା ତମେ ଦେଇଥିଲ ଯେ ଏଡ଼େ ବେଗ ତିନିଶ ଟଙ୍କା ହୋଇଗଲା ।

 

ମଲା ତମେ ବର୍ଷକୁ ବର୍ଷ ସୁଧ ନ ଦେଲେ ଟଙ୍କା ବଢ଼ିଯିବ ନାହିଁ କ’ଣ ରହିବ ?

 

‘ପହିଲେ ଦେଇଥିଲ କେତେ ଟଙ୍କା, ପଚାଶ ଟଙ୍କା ତ ।’

 

‘କେତେଦିନ ହେଲାଣି, ସେ କଥା କିଆଁ ଭାବୁନ ?’

 

‘ହଁ, ପାଞ୍ଚ ଛ ବର୍ଷ ହେବ ।’

 

‘ମୋଟେ ପାଞ୍ଚ ଛ ବରଷ ? ଦଶ ପୁରି ଇଏ ଏଗାର ଚାଲିଲା ଟି ?’

 

ପଚାଶ ଟଙ୍କାକୁ ତିନିଶ ଟଙ୍କା ନବା ପାଇଁ ତମକୁ ଟିକିଏ ଲାଜ ମାଡ଼ୁ ନାହିଁ ?’

 

‘ଲାଜ ମାଡ଼ିବ କାହିଁକି, ଟଙ୍କା ଦେଇଥିଲି ବୋଲି ନା, କଣ ମାହୁଳିଆ ମାଗୁଛି ?’

 

ହୋରୀ କୌଣସିମତେ କୁହାପୋଛା କରି ମଙ୍ଗୁଳୁ ସାହୁକୁ ସେଠୁ ବିଦା କରିଦେଲା । ଦାତାଦୀନ ତା ହୋରୀ ସଙ୍ଗେ ସାଜିରେ ବିଲବାଡ଼ି କରିଥିଲା । ଖାଲି ବିହନ ଗଣ୍ଡେ ଦେଇ ଅଧା ଅମଳ ମାରିନେବା କଥା । ସେଥିପାଇଁ ଆଖୁବିଲକୁ ଯାଇ ହୋରୀକୁ ହଇରାଣ କରିବାକୁ ସେ ଠିକ୍ ମନେ କଲା ନାହିଁ । ତା ଛଡ଼ା ଝିଙ୍ଗୁର ସିଂହ ତ ମିଲ୍‍ ମାନେଜର ସଙ୍ଗରେ ଆଗରୁ କଥାବାର୍ତ୍ତା କରି ସାରିଥିଲା ସେ ଅବା ଆସନ୍ତା କାହିଁକି ? ଝିଙ୍ଗୁର୍ ସିଂହର ପିଆଦା ଆସି ଶଗଡ଼ରେ ଆଖୁ ବୋଝେଇ କରି ଘାଟ କୂଳକୁ ନେଇ ଯାଉଥିଲା । ଘାଟରେ ଆଖୁ ସବୁ ନାଆରେ ଲଦା ହେଉଥିଲା । ପଚାଶ ଗାଡ଼ି ଆଖୁ ଏକା ଖେପକେ ଚାଲି ଯାଉଥିଲା । ଝିଙ୍ଗୁର ସିଂହ ମିଲ୍ ପାଇଁ ଏସବୁ ଯୋଗାଡ଼ କରିଦେଇ ସବୁ ଲୋକଙ୍କ ମୁହଁ ବନ୍ଦ କରିଦେଇଥିଲା । ଇଲାକା ଯାକ ସମସ୍ତେ ତା କଥାରେ ଚଳୁଥିଲେ ।

 

ଆଖୁ ଓଜନ ହେବାମାତ୍ରେ ଝିଙ୍ଗୁର୍ ସିଂହ ଆସି ଫାଟକ ପାଖରେ ଆସନ ପକାଇ ବସିଲେ । ନିଜେ ଆଖୁ ତଉଲେଇ ଦେଇ, କଳବାଲାଙ୍କଠୁ ପଇସା ହିସାବ ଆଣି ନିଜ ପାଉଣା କଟିନେଇ ବାକି ପଇସା ଲୋକଙ୍କୁ ବୁଝାଇ ଦେଉଥିଲା । ଯେ ଯେତେ ପାଟିକଲେ ରଡ଼ିଲେ ବି କାହା କଥା ମୋଟେ ଶୁଣିଲା ନାହିଁ । ମାଲିକ ତ ତେଣୁ ଅର୍ଡ଼ର ଦେଇଥିଲେ, ସେ ଅବା କରନ୍ତା କଣ-?

 

ହୋରୀର ଶହେ କୋଡ଼ିଏ ଟଙ୍କା ହେଲା । ସେଥିରୁ ମୂଳସୁଧ ସବୁ କାଟି ନେଇ ଝିଙ୍ଗୁର୍ ସିଂହ ମୋଟେ ତାକୁ ପଚିଶଟା ଟଙ୍କା ଦେଲା ।

 

ହୋରୀ ଟଙ୍କାକୁ ଅନେଇ ଦୁଃଖ କରି କହିଲା–ଏତିକି ଟଙ୍କାରେ ମୁଁ ଆଉ କଣ କରିବି । ୟାକୁ ବି ତମେ ନେଇ ଯା । ମୋ ପାଇଁ ତ ମୂଲ ଢେର୍ ଅଛି ।

 

ଝିଙ୍ଗୁର ସିଂହ ପଚିଶ ଟଙ୍କା ଭୂଇଁରେ ଫିଙ୍ଗିଦେଇ କହିଲା- ଇଚ୍ଛା ହେଲେ ନିଅ ନହିଲେ ନାହିଁ, ତମ ଖୁସି । ତମରି ଯୋଗୁ ମଣିଷ କେତେ ବେଜିତ ଶୁଣିଲା । ରାୟସାହେବ୍ ଖାଇ ଯାଉଛନ୍ତି, କହୁଛନ୍ତି ଜୋରିମାନା ଟଙ୍କା ଚଞ୍ଚଳ ଦିଅ । ତମକୁ ଦୟାକରି ଏଇ ପଚିଶ ଟଙ୍କା ଦେଇ ଦେଉଛି । ନହିଲେ ତ ଫଟା ପହୁଲାଟାଏ ବି ନେଇ ନ ଥାନ୍ତି । ନାହିଁ, ଯଦି ରାୟସାହେବ୍ ଆହୁରି ଜୋର କରନ୍ତି, ତେବେ ଘରୁ ବି ଦେବାକୁ ପଡ଼ିବ ।

 

ହୋରୀ ଟଙ୍କାକୁ ଉଠେଇ ବାହାରୁ ବାହାରୁ ନୋଖେରାମ ଆସି ପହଞ୍ଚିଗଲେ । ହୋରୀ କିଛି ନ କହି ସେ ପଚିଶ ଟଙ୍କା ତା ହାତକୁ ବଢ଼ାଇ ଦେଇ ଚୁପ୍ ହୋଇ ଚାଲିଗଲା । ତା ମୁଣ୍ଡ ଟାଉଁରେଇ ଦେଲା । ଶୋଭାକୁ ବି ସେତିକି ଟଙ୍କା ମିଳିଥିଲା । ସେ ବହାରକୁ ଆସିଲାମାତ୍ରେ ପଟେଶ୍ୱରୀ ଆସି ବାଟ ଜଗିଲା । କିନ୍ତୁ ଶୋଭା କହିଲା- ମୋ ପାଖରେ ଟଙ୍କା ପଇସା କିଛି ନାହିଁ, ତମ ଇଚ୍ଛା ଯାହା ହେଉଛି କର ।

 

ପଟେଶ୍ୱରୀ ରାଗିଯାଇ କହିଲା–ଆଖୁ ବିକିଛ କି ନାହିଁ ?

 

‘ହଁ ବିକିଛି ।’

 

‘ତମେ କହି ନଥିଲ ଆଖୁ ବିକିଲେ ଟଙ୍କା ଦେବ ବୋଲି ?’

 

‘ହଁ କହିଥିଲି ଯେ... ।’

 

‘ତାହାହେଲେ ଦେବ ନାହିଁ କାହିଁକି ? ଆଉ ସମସ୍ତଙ୍କୁ ଦେଇ ସାରିଲଣି ?’

 

‘ହଁ ଦେଇ ସାରିଲିଣି ।’

 

‘ତା ହେଲେ ମତେ ଦେବ ନାହିଁ କାହିଁକି ?’

 

‘ମୋ ପାଖରେ ଯାହା ବଳିଛି, ତା ମୋ ପିଲାପିଲିଙ୍କପାଇଁ ରଖିଛି ନା ତମପାଇଁ ରଖିଛି-?’

 

ପଟେଶ୍ଵରୀ ରାଗିଯାଇ କହିଲା–ହଉ, କେତେ ବଢ଼ି ଯାଉଛ ଯା, ଆଜି ଯଦି ତମେ ହାତ ଯୋଡ଼ିକରି ମୋ ଗୋଡ଼ତଳେ ଟଙ୍କା ଦେଇ ନ ଆସିଛ ତେବେ ମୋ ନାଁ ଧରିବ ନାହିଁ । ଏକା ରିପୋର୍ଟକେ ଛମାସରୁ କମ୍ ହେବ ନାହିଁ, ଦିନୁଟାଏ ବି କମିବ ନାହିଁ । ତମ ଜୁଆଖେଳ ଏକା ଦିନକେ ଛାଡ଼ିଯିବ । ମୁଁ କେଉଁ ମହାଜନ କି ଜମିଦାରଙ୍କ ଚାକର ନୁହେଁ, ମୁଁ ଖୋଦ୍ ସରକାର ବାହାଦୁରଙ୍କ ଚାକର ଟି ! ସେ ହେଉଛନ୍ତି ଏ ସଂସାର ଯାକର ମାଲିକ । ତମର ଯେତେ ମହାଜନ ଯେତେ ଜମିଦାର ଅଛନ୍ତି, ସବୁ ତାଙ୍କରି ତଳେ ଏକା ଜାଣିଥା !

 

ପଟେଶ୍ଵରୀ ଆଗରେ ଚାଲିଗଲା । ଶୋଭା ଆଉ ହୋରୀ ଚୁପ୍‍ଚାପ୍ ଗୋଟିଏ ଗୋଟିଏ ପଛରେ ଗଲେ । ଏକା ଧମକରେ ବିଚାରାର ଜ୍ଞାନ ହଜିଗଲା । ତା ପରେ ହୋରୀ କହିଲା–ତା ଟଙ୍କା ଦେଇ ଦେ, ଜାଣିକରି ଆଖୁରେ ନିଆଁ ଲାଗିଗଲା ବୋଲି ଭା’ବେ । ମୁଁ ତ ଏଇଆ ଭାବିକରି ମନକୁ ବୁଝାସୁଝା କରି ସବୁ ଦେଇଦେଲି ।

 

ଶୋଭା ଟିକିଏ ନରମ ସ୍ଵରରେ କହିଲା–ହଁ, ଦେଇଦେବି, ଆଉ କ’ଣ କରିବି । ନ ଦେଇ କରି ଆଉ ବାଟ କ’ଣ ?

 

ଗିରିଧର ତାଡ଼ି ପିଇ ଝୁଲିଝୁଲି ତାଙ୍କ ଆଗରେ ଚାଲି ଯାଉଥିଲା । ତାଙ୍କୁ ଦେଖିଲା ମାତ୍ରେ କହିଲା–ହୋରୀ ଦାଦା, ଝିଙ୍ଗୁର ସିଂହ ସବୁ ମାରିନେଲା । ଦିନେହେଲେ ମୁଠେ ଖାଇବାପାଇଁ ପଇସାଟାଏ ବି ଛାଡ଼ିଲା ନାହିଁ । ଏଡ଼େ ତଣ୍ଟିକଟା ! କାନ୍ଦିକରି ଗଡ଼ିଲେ ପଛେ, ଟିକିଏ ହେଲେ ତା ମନ କିଆଁ ତରଳିଥାନ୍ତା !

 

ଶୋଭା କହିଲା–କହୁଛୁ ତ ପଇସାଟେ ବି ଛାଡ଼ିଲା ନାହିଁ, ଏତେ ତାଡ଼ି ପିଇଲୁ କୋଉଠୁ-?

 

ଗିରିଧର ପେଟ ଦେଖାଇ କହିଲା–ଭାଇ ସଞ୍ଜ ହେଲାଣି ଆସିକରି ରାଣ, ଆଗ ଯଦି ପେଟରେ କିଛି ପଡ଼ିଥିବ, ଜିଭ ତଳେ ଅଣିଟାଏ ଛପେଇ କରି ରଖି ଦେଇଥିଲି ଯେ ସେଇଥିରେ ତାଡ଼ି ମୁନ୍ଦେ ପିଇ ଦେଇଛି । ଭାବିଲି ବରଷ ସାରା ତ ରକତ ବୁହାଇ ଏତେ ଖଟିଥିଲି, ତାଡ଼ି ମୁନ୍ଦେ ହେଲେ ପିଇ ଦେଇଥାଏ । ସେଥିରେ ବି ତହିଁକି ନିଶା ନାହିଁ । ଅଣାଏ ପଇସାରେ କି ନିଶା ହେବ । ଏମିତି ମିଛରେ ଟଳମଳ ହେଉଛି ଲୋକେ ଜାଣିବାକୁ ମୁଁ ନିଶା ଖାଇଛି ବୋଲି । ଯାହା ହେଉ ଦାଦା, ପାଉଣା ସବୁ ସୁଝିଗଲା । ଗୋଟିଏ ଟଙ୍କା ନେଇଥିଲି, ଶହେ ଟଙ୍କା ଦେଲି । ତାର କ’ଣ କିଛି ଖାପ ମାପ ଅଛି ?

 

ହୋରୀ ଯେମିତି ଯାଇ ଘରେ ପହଞ୍ଚିଗଲା, ରୂପା ଧାଇଁ ଯାଇ ପାଣି ଆଣିଲା, ସୁନା ଚିଲମ ଆଣିଦେଲା, ପାଟିରେ ପକାଇବା ପାଇଁ ଧନିୟା ଭଜା ଚଣା ଖଣ୍ତେ ଆଣି ପାଖରେ ଥୋଇଦେଲା । ସମସ୍ତଙ୍କ ମନରେ ଆଶା । ଝୁନିଆ ବି ଆସି ଚୌଖୁଣ୍ଟ ଆରପାଖେ ଛିଡ଼ା ହୋଇଗଲା । କିନ୍ତୁ ହୋରୀ ଚୁପଚାପ୍ ବସି ରହିଲା । କେମିତି ଧୋଇହେବ, କେମିତି ଚଣା ପାଟିରେ ପକାଇବ କିଛି ବୁଦ୍ଧି ଦିଶିଲା ନାହିଁ । ତାକୁ ଏମିତି ଅପମାନ ଲାଗୁଥିଲା, ସତେ ଯେମିତି କେଉଁଠି ମଣିଷ ମାରିକରି ଆସିଛି ।

 

ଧନିୟା ପଚାରିଲା–କେତେ ଟଙ୍କା ଓଜନ ହେଲା ?

 

‘ବିଶାଶହେ ଟଙ୍କା ହୋଇଥିଲା ଯେ ସବୁ ତ ସେଇଠିକି ଅଣ୍ଟିଲା ନାହିଁ, ଆଉ ଘରକୁ ଆଣିବି କ’ଣ ?’

 

ଧନିୟାକୁ ଲାଗିଲା ସତେ ଯେମିତି ଗୋଡ଼ରୁ ମୁଣ୍ଡଯାଏ ତା’ର ଢଳି ପାଉଁଶ ହୋଇଗଲା-। ମନହେଲା ସତେ ଯେମିତି ଆପଣା ମୁଣ୍ଡକୁ କାଟି ଫିଙ୍ଗି ଦିଅନ୍ତା । କହିଲା–ତମପରି ଭଲା ପାଣ୍ତିଆକୁ ଭଗବାନ କେମିତି ଜନମ ଦେଲେ କେଜାଣି, କେବେ ଦିନେ ଦେଖନ୍ତି ବୋଲେ ତାଙ୍କୁ ପଚାରନ୍ତି । ଜୀବନ ଗୋଟାକଯାକ ଏମିତି ବିତିଗଲା, ମତେ ମରଣ ହୋଉନାହିଁ ଯାହା, ମୁଁ ଏଥିରୁ ପାର ପାଇଯାନ୍ତି । ସବୁଟଙ୍କା ତ ଭେଣେଇମାନଙ୍କୁ ଦେଇ ଆସିଲ, ଏବେ କ’ଣ ଅଛି ଯେ କେମିତି ଗୋରୁ କିଣିବ ? ମତେ କ’ଣ ହଳ ଯୁଚିବ ନା ନିଜେ ଯୁଚି ହେବ ? ବୁଢ଼ାଟିଏ ଆସି ହେଲଣି, ଏତିକି ବୁଦ୍ଧି ଦିଶିଲା ନାହିଁ ଯେ ଗୋରୁ ଦି’ଟାପାଇଁ ଟଙ୍କା କେଇଟା କାଢ଼ି ରଖି ପାରିଲ ନାହିଁ ? ତମ ହାତରୁ କ’ଣ କିଏ ଛଡ଼ାଇ ନେଉଥିଲା ? ପୁଷମାସିଆ ଜାଡ଼, ସେଥିରେ ପୁଣି କାହାରି ଦେହରେ କନା ବକଟେ ହେଲେ ନାହିଁ । ନେଇ ସମସ୍ତିଙ୍କି ହେଲେ ନଈରେ ବୁଡ଼େଇ ଦିଅନ୍ତ ! ଗଡ଼ି ଗଡ଼ି କରି ମରିବେ କିଆଁ ଏକା ଦିନେ ନ ମରିବେ କିଆଁ ? ପାଳକୁଟା ଭିତରେ ପଶିକରି କେତେ ଦିନ ମଣିଷ ଶୋଇବ ? ପାଳକୁଟାରେ ଜଣେ ଶୋଇ ପଡ଼ିବ ଅବା, ପାଳକୁଟା ତ କିଏ ଖାଇକରି ଜୀଇବ ନାହିଁ-। ତମ ମନହେଲେ ତମେ ଘାସକୁଟା ଖାଇ ରହ, ଆମେ ତ ଘାସକୁଟା ଖାଇପାରିବୁ ନାହିଁ-

 

ଏମିତି କହୁ କହୁ ପୁଣି ଧନିୟା ମନେ ମନେ ହସି ପକାଇଲା । ଭାବିଲା, ସତ କଥା, ମହାଜନ ଯଦି ଜାଣିବ ଯେ ଖାତକ ହାତରେ ପଇସା ଅଛି, ଆଉ ପଇସା ନେବାପାଇଁ ଯଦି ସେ ଜଗିକରି ବସିବ ତେବେ ଖାତକ ବିଚାରାର ଆଉ ଚାରା କ’ଣ !

 

ହୋରୀ ମୁଣ୍ଡରେ ହାତଦେଇ ତଳକୁ ଅନାଇ ବସି ଆପଣା କପାଳ କଥା ଭାବୁଥିଲା । ଧନିୟା ମୁହଁର ହସ ତାକୁ ଦିଶି ନଥିଲା । କହିଲା–କିଛି ନ ହେଲେ ମୂଲ ତ ମିଳିବ, ମୂଲକରି ଖାଇବା ନାହିଁ ।

 

ଧନିୟା କହିଲା–ଏ ଗାଁରେ କୋଉଠି ମୂଲ ମିଳୁଛି ଯେ ମୂଲ କରିବ । କୋଉ ମୁହଁରେ ଅବା ଯାଇ ମୂଲ ନାଗିବ ? ଲୋକେ କ’ଣ ତମକୁ ଆଉ ମଣିଷ ବୋଲି କହିବେ ।

 

ହୋରୀ ବି ଚାରିଥର ଚିଲମ ଟାଣିଦେଇ କହିଲା–ମୂଲ ଲାଗିଲେ କ’ଣ ପାପ ଲାଗିଯାଉଛି ? ଏଇ ଚାଷୀଲୋକ ମୂଲ କରନ୍ତି ନା ଆଉ କିଏ ? ମୂଲ ଲାଗିବା ଯଦି କପାଳରେ ନ ଥାନ୍ତା, ତେବେ ଏତେ କଥା ହ’ନ୍ତା କାହିଁକି, ଗାଈ କିଆଁ ମରନ୍ତା, ଭେଣ୍ଡିଆ ପୁଅ କିଆଁ ଅଯୋଗ୍ୟ ହୋଇ ଘରୁ ପଳାନ୍ତା ।

 

ଧନିୟା ଝିଅ ବୋହୂଙ୍କ ଆଡ଼କୁ ଅନାଇ କହିଲା–ତମେ ସବୁ ଏଠି ଠିଆ ହୋଇ କ’ଣ ଶୁଣୁଛ, ଯାଉନ କିଆଁ କାମ କରିବ ? ଇଏ ତ ଜଣେ ଏମିତିଆ ଯେ ହାଟ ବଜାରରୁ ଆସିଲେ ପିଲାଙ୍କପାଇଁ ପଇସାଟାକର କିଛି ଆଣିକରି ଆସିବେ ନାହିଁ । କାଳେ ଟଙ୍କା ଭଙ୍ଗାଇବାକୁ ପଡ଼ିବ ପଇସା ସରିଯିବ । ସେଇଥିପାଇଁ ଧନ ସମ୍ପତ୍ତି କିଛି ହଉ ନାହିଁ । ଯେ ଖାଇ ଜାଣେ ନାହିଁ, ପିନ୍ଧି ଜାଣେ ନାହିଁ, ତାକୁ ପଇସା ମିଳିବ କାହିଁକି ? କ’ଣ ଭୂଇଁରେ ପୋତିବା ପାଇଁ ?

 

ହୋରୀ ଟିକିଏ ହସିଦେଇ କହିଲା–କୋଉଠି ମୁଁ ପଇସା ପୋତିଛି କହୁନୁ ?

 

‘ମଲା, ତମେ କୋଉଠି ପୋତିଛ ତମେ ଜାଣିଥିବ ନା ମୁଁ ଜାଣିଛି ? ଲୋକେ ଏତେ କଥା ଜାଣିକରି ବି ତେବେକେ ତ ପଇସା ପାଇଁ ମରୁଛନ୍ତି । ଦି ଚାରି ପଇସାର ମୁଆଁ ଖଜା ଆଣି ପିଲାଙ୍କ ହାତରେ ଧରେଇ ଦେଇଥିଲେ ତମର କେତେ ସରି ଯାଇଥାନ୍ତା । ତମେ ଯଦି ଝିଙ୍ଗୁର ସିଂହକୁ କହିଥାନ୍ତ ମୋତେ ଟଙ୍କାଟେ ଦିଅ, ନ ହେଲେ ମୁଁ ମୂଳରୁ ଟଙ୍କା ଦେବି ନାହିଁ, ସେ କ’ଣ ଟଙ୍କାଟାଏ ଦେଇ ନ ଥାନ୍ତା ? ସେ ଯେମିତି ହେଲେ ଟଙ୍କାଟାଏ ଦେଇଥାନ୍ତା ।’

 

ହୋରୀକୁ ଟିକିଏ ଲାଜ ମାଡ଼ିଲା । ଯଦି ସେ ଚିଡ଼ିକରି ନୋଖେରାମକୁ ପଚିଶ ଟଙ୍କା ଦେଇ ନ ଥାନ୍ତା, ସେ ଅବା ତା’ର କ’ଣ କରିପକାଇଥାନ୍ତା । ଖୁବ୍ ହେଲେ ବାକି ଖଜଣାରେ ଦି ଚାରି ଅଣା ସୁଧ ଚଢ଼େଇ ଦେଇଥାନ୍ତା । ଏବେ ତ ସବୁ ସୁଝିଗଲା ଆଉ ଏଥର କ’ଣ କରିବ ?

 

ଝୁନିଆ ଘର ଭିତରେ ଯାଇ ସୁନାକୁ କହିଲା–ବାପାଙ୍କୁ ଦେଖିଲେ ମତେ ଭାରି ବିକଳ ଲାଗେ । ଦିନଯାକ ଖଟି ଖଟି ଥକା ହୋଇ ଆସିବେ ଯେ, ଆସିଲାମାତ୍ରେ ମା ଅଧିକ ଗାଳିଦେଇ ବସିବେ । ମହାଜନ ତ ଜଗି ବସିଲା, ସେ ଆଉ କ’ଣ କରିଥାନ୍ତେ ।

 

‘ଗୋରୁ ପୁଣି କେମିତି କିଣା ହେବେ ?’

 

‘ମହାଜନର ତ ଟଙ୍କା ଚାହି, ସେ ତମ ଗୋରୁ କିଣାରୁ କ’ଣ ପାଇବ ?’

 

‘ଦେଖିଥାନ୍ତ, ମା’ ହୋଇଥିଲେ ଏକାବେଳେ ମହାଜନର ମଜା ବାହାର କରି ଦେଇଥାନ୍ତା, ପୁଅ ସେଇଠୁ କାନ୍ଦି କୁନ୍ଥେଇ ପଳେଇଥାନ୍ତା ।’

 

ଝୁନିଆ ଟକିଏ କଥା ଥଟ୍ଟା କରି କହିଲା–ଏବେ ଅବା କୋଉ ଟଙ୍କାର ଅଭାବ ହେଉଛି । ତମେ ଯଦି ମହାଜନକୁ ଅନେଇ ହସିକରି ପଦେ କଥା କହି ଦିଅନ୍ତ ସେ କ’ଣ ସବୁ ଟଙ୍କା ଛାଡ଼ି ଦିଅନ୍ତା ନାହିଁ ? ସତ କହୁଛି, ବାପାଙ୍କର ସବୁ ଦୁଃଖ କୁଆଡ଼େ ଉଭେଇଯାନ୍ତା ।

 

ସୁନା ବି ହାତରେ ତା ମୁହଁକୁ ଜାବୁଡ଼ି ଧରି କହିଲା–ଥାଉ ସେତିକି ଥାଉ, ତୁନୀ ହ । ନ ହେଲେ ଯାଇ ମା’ ଆଗରେ ମାତାଦୀନ କଥା ସବୁ କହିଦେବି ଯେ, ଏକାଥରେ ମଜା ଛାଡ଼ିଯିବ ।

 

ଝୁନିଆ ପଚାରିଲା–କ’ଣ କହିବ ମା’ଙ୍କୁ ? କ’ଣ ଥିଲେ ସିନା ଯାଇ କହିବ । ସେ ଯେତେବେଳେ ବଳେ ବଳେ ଆଳ କରି ଚାଲି ଆସୁଛି ମୁଁ କ’ଣ ତାକୁ ଆଉ ତଡ଼ି ଦିଅନ୍ତି ? ସେ ଆସିଲେ ମୋର ଅବା କେଉଁ ଛିଣ୍ଡି ଯାଉଛି । କିଛି ତ ହେଲେ ଦେଇ ଯାଉଛି । ଦି ଚାରି ପଦ ମିଠା କଥା ଛଡ଼ା ଝୁନିଆଠାରୁ ପୁଅକୁ ଆଉ କିଛି ମିଳିବ ନାହିଁ । ମିଠା କଥାରୁ କେମିତି ଲାଭ ଉଠେ, ସେ କଥା ମୁଁ ଖୁବ୍ ଜାଣେ, ମୁଁ ଏଡ଼େ ଅନାଡ଼ୀ ନୁହେଁ ଯେ ସେ ଆସି ମୋତେ ପାଇଲେ ପଳାଇ ଦେବେ-। ହଁ, ଯଦି ମୁଁ ଜାଣିବି ଯେ ତମ ଭାଇ ଏଠି ଆଉ କାହାକୁ ରଖିଛନ୍ତି, ତେବେ ମୋ ଇଚ୍ଛା ଯାହା ହେବ ମୁଁ କରିବି, ମତେ କେହି କିଛି କହି ପାରିବେ ନାହିଁ ।

 

ମୁଁ ଜାଣେ, ସେ ମୋର ମୁଁ ତାଙ୍କର-। ମୋରି ପାଇଁ ସେ ଆଜି ଗଳି ଗଳି ବୁଲି କଷ୍ଟ ପାଉଛନ୍ତି । ହଁ, ଥଟ୍ଟା ପରିହାସ କଥା ଭିନ୍ନେ, କିନ୍ତୁ ତାଙ୍କ ପାଖରେ ମୁଁ କେବେହେଲେ ଅବିଶ୍ୱାସୀ କରି ପାରିବି ନାହିଁ । ଯେ ଜଣକୁ ଛାଡ଼ି ଏବେ ଦି’ଜଣର ହେଲାଣି, ସେ କ’ଣ ସତେ ଆଉ କାହାର ହୋଇପାରିବ ?

 

ଏତିକିବେଳକୁ ଶୋଭା ଆସି ହୋରୀ ହାତକୁ ପଟେଶ୍ୱରୀ ବାବଦ ଟଙ୍କା ବଢ଼େଇ ଦେଇ କହିଲା–ଭାଇ, ତମେ ଯା ଟିକିଏ ଦେଇଆସ । ସେତେବେଳେ ମୋ ମୁଣ୍ଡଟା କ’ଣ ହୋଇ ଯାଇଥିଲା, ସେମିତି କହିଦେଲି ।

 

ହୋରୀ ଟଙ୍କା ଧରି ଉଠିଲାବେଳକୁ ଶଙ୍ଖଧ୍ଵନି ଶୁଭିଲା । ଗାଁ ସେ ମୁଣ୍ଡରେ ଧ୍ୟାନସିଂହ ବୋଲି ଜଣେ ବ୍ରାହ୍ମଣ ରହେ । ସେ ଯୁଦ୍ଧରେ ସିପାହୀ କାମ କରି ବର୍ମା, ସିଙ୍ଗାପୁର, ବାଗ୍‍ଦାଦ ଆଡ଼େ ଖୁବ୍ ବୁଲି ବୁଲି ଶେଷକୁ କିଛି ପଇସା ପତ୍ର ଧରି ଗାଁକୁ ଫେରି ଆସିଥିଲା । ବାହା ହେବ ବୋଲି ଖୋଜି ବୁଲୁଥିଲା । ବ୍ରାହ୍ମଣମାନଙ୍କୁ ପ୍ରସନ୍ନ କରାଇବା ପାଇଁ ପୋଥି ପଢ଼ୋଉଥିଲା ଯେ ସେହି ମେଳାରେ ଶଙ୍ଖ ବାଜୁଥିଲା ।

 

ହୋରୀ କହିଲା ସାତ କାଣ୍ଡ ଯାକ ସରିଲା କି କଣ । ସେଇଥିପାଇଁ ଶଙ୍ଖ ବାଜୁଛି ।

 

ଶୋଭା କହିଲା ହଁ, ସେଇମିତି ତ ଜଣାପଡ଼ୁଛି । ଚାଲ ଯିବା, ମୁଣ୍ଡିଆ ମାରି ଆସିବା ।

 

ହୋରୀ ଟିକିଏ ଚିନ୍ତିତ ହୋଇ କହିଲା ତୁ ଚାଲ, ମୁଁ ଟିକିଏ ପଛରେ ଯାଉଛି ।

 

ଧ୍ୟାନସିଂହ ଆସିଲାବେଳେ ପହିଲେ ସମସ୍ତଙ୍କ ଘରକୁ ସେରେ ଲେଖା ମିଠାଇ ପଠାଇଥିଲା । ତା ଛଡ଼ା ବାଟରେ ଘାଟରେ ଦେଖିଲେ ସବୁବେଳେ ପଚାରେ । ହୋରୀ ଭାବିଲା, ଖାଲି ହାତଟାରେ ସେଠିକି ଯିବ କେମିତି, ତାକୁ ଲାଜ ମାଡ଼ିବ ।

 

ଧ୍ୟାନସିଂହ ନିଜେ ଯେତେବେଳେ ଥାଳୀ ବୁଲାଉଥିବ ସେଠିକି ସେ ଖାଲି ହାତରେ କେମିତି ଯିବ, ବରଂ ନ ଯିବା ଭଲ । ଲୋକେ କାଳେ ଭାବିବେ ହୋରୀ କାହିଁକି ଆସିଲା ନାହିଁ । ପୁଣି ଭାବିଲା, ହଁ ସେଠି କଣ କିଏ ରେଜିଷ୍ଟର ଧରି ବସିଛି ଯେ କିଏ ଆସିଲା, କିଏ ନ ଆସିଲା ବୁଝିଛି । ଏମିତି ଭାବି ଭାବି ଯାଇ ଖଣ୍ଡେ ଖଟିଆ ଉପରେ ପଡ଼ି ଗଡ଼ପଡ଼ ହେବାକୁ ଲାଗିଲା ।

 

ମନଟା ତା’ର କେମିତି ହୋଇଗଲା । ହାତରେ ତମ୍ୱା ପଇସାଟାଏ ବି ନଥିଲା । ପୋଥିବଢ଼ା କଥା ସେ ଭାବୁ ନଥିଲା ଯେ ଭାବୁଥିଲା ସମାଜ କଥା । ମନରେ ବିଶ୍ୱାସ ଥିଲେ ତ ବିନା ପଇସାରେ ବି ମଣିଷ ମେଳା ମଉଚ୍ଛବର ପୁଣ୍ୟ ପାଇବ । ହେଲେ ଅନ୍ୟ ଲୋକେ ଦେଖିକରି କ’ଣ କହିବେ ?

 

ହଠାତ୍ ଉଠିପଡ଼ି ଭାବିଲା ଲୋକଙ୍କ କଥାରୁ ଏବେ କ’ଣ ମିଳିବ ? ଲୋକ ଲଜ୍ଜାକୁ ଡରିକରି ପୂଜାର ପବିତ୍ର ପୂଣ୍ୟକୁ ଏବେ ସେ ହରାଇ ବସିବ କିଆଁ ? ଲୋକେ ହସିଲେ ହସନ୍ତୁ, ତା’ର ସେଥିକି ପରୁଆ ନାହିଁ । ସେ ଖାଲି ଚାହେଁ, ଭଗବାନ ତାକୁ ଭଲ ବୁଦ୍ଧି ଦିଅନ୍ତୁ ।

 

ତା’ ପରେ ସେ ଠାକୁର ଘରଠିକି ଚାଲିଲା ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ଖନ୍ନା ଏବଂ ତାଙ୍କ ସ୍ତ୍ରୀ ଗୋବିନ୍ଦଙ୍କ ଭିତରେ ମୋଟେ ପଡ଼ୁ ନ ଥିଲା । କାହିଁକି ପଡ଼ୁ ନ ଥିଲା ସେକଥା ଅବଶ୍ୟ କେହି ଜାଣନ୍ତି ନାହିଁ । ବାହାଘର ବେଳେ ତ ଜ୍ୟୋତିଷ କୋଷ୍ଠୀ ଦେଖିଥିଲା, ଦିହିଁଙ୍କର ରାଶି ନକ୍ଷତ୍ର ଖୁବ୍ ମିଳୁଥିଲା, ସେଥିରେ କୌଣସି ଗଣ୍ଡଗୋଳ ନଥିଲା । ହେଲେ କାମଶାସ୍ତ୍ର ଅନୁସାରେ ଆଉ କ’ଣ ଗଣ୍ଡଗୋଳ ଥାଇପାରେ, ମନୋବିଜ୍ଞାନୀମାନେ ଆଉ କିଛି କହି ପାରନ୍ତି, କିନ୍ତୁ ସାଧାରଣ ଲୋକେ ଜାଣିବାକୁ ତାଙ୍କ ଭିତରେ ପଡ଼ୁ ନ ଥିଲା । ଖନ୍ନାଙ୍କର କୌଣସିଥିରେ ଅଭାବ ନଥିଲା । ତାଙ୍କର ଧନ ସମ୍ପତ୍ତି, ରୂପ, ରସିକତା, ବିଦ୍ୟାବୁଦ୍ଧି ସବୁ ଥିଲା । ସେ ଭାରି ମେଳାପୀ ଏବଂ ସହରର ଜଣାଶୁଣା ବଡ଼ଲୋକଙ୍କ ଭିତରୁ ଜଣେ । ଗୋବିନ୍ଦ ବି ସେହିପରି । ଅପସରୀ ନ ହେଲେ ବି ସୁନ୍ଦରୀ । ଗୋରା ଦେହ, ସୁଗୋଲ୍‍ ବାହୁ, କୋମଳ ଶରୀର, ଚିକ୍‍କଣ କପାଳ, ସୁନ୍ଦର ଗଠନ । ଆଖିରେ ଏତେ ଲାଜ ଯେ ଅନେଇ ଦେଲେ ନଇଁଯାଏ । ମୁହଁରେ ସବୁବେଳେ ଏକ ପ୍ରକାର ଅସୁଖ ଭାବ, ସାମାନ୍ୟ ଗର୍ବ ବି, ସତେ ଯେମିତି ଦୁନିଆ ପ୍ରତି ମନରେ ସବୁବେଳେ ଟିକିଏ ଘୃଣା । ଭୋଗବିଳାସର ଜିନିଷ ତ ଖନ୍ନାଙ୍କ ପାଖେ କମ୍ ନୁହେଁ, ହାଇକ୍ଲାସ ବଙ୍ଗଳା, ହାଇକ୍ଲାସ ଫର୍ନିଚର୍, ବଢ଼ିଆ ଗାଡ଼ି, ବହୁତ ଧନ । କିନ୍ତୁ ଗୋବିନ୍ଦଙ୍କ ଆଖିରେ ଏଗୁଡ଼ା କିଛି ନୁହେଁ । ତାଙ୍କର ଅସଲ ହେଉଛି ପିଲାଛୁଆଙ୍କୁ ସମ୍ଭାଳିବା ଆଉ ଘରର ଛୋଟ ଛୋଟ କାମ ସବୁ ଭଲ କରି ଦେଖିବା । ସେଥିରେ ସେ ସବୁବେଳେ ଏତେ ବ୍ୟସ୍ତ ଯେ ଭୋଗବିଳାସ କ’ଣ ସେ ଜାଣନ୍ତି ନାହିଁ କିମ୍ବା ସେ କଥା ଭାବିବାକୁ ତାଙ୍କର ବେଳ ନଥାଏ । ତା ଛଡ଼ା ସ୍ଵାମୀଙ୍କର ତାଙ୍କ ପ୍ରତି ଆଦର ନ ଥିବାରୁ ଭୋଗବିଳାସ କିମ୍ବା ସଉକ ସଜବାଜରେ ତାଙ୍କର ମନ ନଥାଏ । କିନ୍ତୁ ଯଦି କୌଣସି ପୁରୁଷ ତାଙ୍କର ଅସଲ ସୌନ୍ଦଯ୍ୟ ନ ଦେଖି ଅନ୍ୟ ପରୀଙ୍କ ପଛରେ ଦିନରାତି ଗୋଡ଼ାଏ, ତେବେ ସେ ଦୁର୍ଭାଗ୍ୟ ଛଡ଼ା ଆଉ କିଛି ନୁହେଁ । ତଥାପି ଗୋବିନ୍ଦୀ ଦେବୀ ମନ ଭିତରେ ସବୁ ରାଗ ଅହଙ୍କାର ମାରିଦେଇ ସ୍ଵାମୀଙ୍କର ସେବା କରନ୍ତି, ଅଚଳାଚଳ ସମ୍ପତ୍ତି ତାଙ୍କ ଛାତି ଉପରେ ପଥର ପରି ଲଦି ହୋଇ ରହିଥାଏ । ସେହି ମିଛ ଆଡ଼ମ୍ୱରେ, ମିଛ ବଡ଼ଲୋକୀରୁ ରକ୍ଷା ପାଇବା ପାଇଁ ପ୍ରାଣ ତାଙ୍କର ବିକଳ ହୋଇଉଠେ । ନିଜର ସାଧାସିଧା ସରଳ ଜୀବନ ନେଇ ରହିବା ପାଇଁ ସବୁବେଳେ ତାଙ୍କର ଇଚ୍ଛା । ତଥାପି ମାଳତୀ କାହିଁକି ତାଙ୍କ ବାଟରେ କଣ୍ଟା ପକାନ୍ତି, କାହିଁକି ସେ ଘରେ ବେଶ୍ୟାଙ୍କର ଆଡ଼ା ହୁଏ, କାହିଁକି ସନ୍ଦେହ ଅବିଶ୍ଵାସରେ ତାଙ୍କ ଛାତି ଫାଟିଯାଏ ଭଗବାନ ଜାଣନ୍ତି ! ସ୍କୁଲରେ ପାଠ ପଢ଼ିଲାଦିନୁ କବିତା ଲେଖିବା ଆଉ ପଢ଼ିବା ତାଙ୍କର ଏକ ପ୍ରକାର ରୋଗରେ ପରିଣତ ହୋଇଯାଇଥିଲା କହିଲେ ଚଳେ । ସେଇଥିରେ ତାଙ୍କର ଦିନରାତି ମନ । ଯେଉଁ ଧନସମ୍ପତ୍ତି ଯୋଗୁ ତାଙ୍କର ଏତେ ଦୁଃଖ, ଏତେ ଅଶାନ୍ତି, ତାକୁ ସେ ଅନାନ୍ତି ନାହିଁ, ବରଂ ପୋଡ଼ି ଜାଳି ପାଉଁଶ କରିଦେବାକୁ ଚାହାନ୍ତି । ପିଲାଦିନର ସେହି ଅଭ୍ୟାସ ଯୋଗୁ ଆଜି ବି ସେ କବିତା ଲେଖନ୍ତି । କିନ୍ତୁ ସେ କବିତା ଶୁଣିବ କିଏ ସେ ? ପ୍ରକୃତରେ ସେ କବିତା ଖାଲି ଲୋକଦେଖାଣ ଅକ୍ଷରଯୋଡ଼ା ନୁହେ, ତା’ର ପ୍ରତିଶବ୍ଦ, ପ୍ରତି ଅକ୍ଷରରେ ଖାଲି ଅଶ୍ରୁ ଓ ବେଦନାର ଶୀତଳ ମର୍ମଦାହ । ଗୋବିନ୍ଦୀଙ୍କର ଇଚ୍ଛା ସବୁ ଭୋଗବିଳାସ, ସବୁ ମର୍ମଦାହରୁ ଦୂରରେ ରହି କୌଣସି ଏକ କ୍ଷୁଦ୍ର କୁଟୀରରେ ବସି ସେ ସରଳ ଜୀବନଯାପନ କରନ୍ତେ ! ଖନ୍ନା ତାଙ୍କ କବିତା ଦେଖି ଖୁବ୍ ଥଟ୍ଟା କରନ୍ତି ଏବଂ ଚିରି ଫୋପାଡ଼ି ଦିଅନ୍ତି । ଦିନକୁ ଦିନ ସମ୍ପତ୍ତି ଯେତିକି ବଢ଼ିଲା, ସ୍ତ୍ରୀ ପୁରୁଷଙ୍କ ଭିତରେ ଅଭାବ ସେତିକି ସେତିକି ବଢ଼ି ଚାଲିଲା । ବାହାରେ ଖନ୍ନା ସାହେବ ଲୋକଙ୍କ ପ୍ରତି ଯେତିକି କୋମଳ, ଯେତିକି ନମ୍ର, ଘରେ ପଶିଲାମାତ୍ରେ ସେତିକି ରାଗ ଜରଜର, ସେତିକି ଟାଉଁ ଟାଉଁ, ରାଉ ରାଉ; ଗୋବିନ୍ଦୀ ଦେବୀଙ୍କ ଉପରେ ସେତିକି ବେଜିତ୍ । ପ୍ରକୃତରେ ଭଦ୍ରତା କ’ଣ ସେ ଜାଣନ୍ତି ନାହିଁ । ଖାଲି ବାହାରେ ଲୋକଙ୍କୁ ଖୁସୀ କରିବା ପାଇଁ ଭଦ୍ରତାର ଢଙ୍ଗ ଦେଖାନ୍ତି । ଗାଳି ଖାଇ ଗୋବିନ୍ଦୀ ଦେବୀ ଆପଣା ବଖରାରେ ଏକୁଟିଆ ବସି କାନ୍ଦି କାନ୍ଦି ରାତି କଟାଇ ଦିଅନ୍ତି । ଖନ୍ନା ଯାଇ କଚେରୀ ଘରେ ବେଶ୍ୟାଙ୍କ ଗୀତ ଶୁଣନ୍ତି, ନହିଲେ ନାହିଁ କ୍ଲବଘରେ ମଦ ଖାଇ ପଡ଼ି ରହନ୍ତି । କିନ୍ତୁ ଏତେ କଥା ହେଲେ ବି ଗୋବିନ୍ଦୀ ଦେବୀ ଖନ୍ନାକୁ ଗୋଟାପଣେ ଆପଣାର ବୋଲି ଭାବନ୍ତି । ଯେତେ ଅଭାବ, ଯେତେ କଳି ତକରାଳ ହେଲେ ବି ସେ ତାଙ୍କର । ଆଉ କୁଆଡ଼େ ବାହାରିଯାଇ ଏକା ଏକା ସଂସାର କରିବା କଥା ଭାବିବା ତାଙ୍କ ପକ୍ଷରେ ଅସମ୍ଭବ ।

 

ଆଜି ସକାଳୁ ଖନ୍ନା କାହା ମୁହଁ ଚାହିଁ ଉଠିଥିଲେ କେଜାଣି ଚିଠି ଖୋଲିଲାମାତ୍ରେ ଦେଖିଲେ ତାଙ୍କ ଷ୍ଟକ୍ ଜିନିଷର ଦର ଖସି ଯାଇଛି; ଏବଂ ଚିନିକଳର ମୂଲିଆମାନେ ହରତାଳ କରି ଦଙ୍ଗା ହାଙ୍ଗମା କରିବାପାଇଁ ବସିଛନ୍ତି । ଲାଭ ଆଶାରେ କେତେଗୁଡ଼ା ରୂପା କିଣିକରି ରଖିଥିଲେ ଯେ ତାର ଭାଉ ବି ଖସି ଯାଇଛି । ରାୟସାହେବଙ୍କଆଡ଼ୁ ଯେଉଁ ଲାଭର ଆଶା ଥିଲା ସେ ବି ଦିନକୁ ଦିନ ଘୁଞ୍ଚି ଯାଉଛି, ତହିଁକି ପୂର୍ବ ରାତିରେ ଖୁବ୍ ଗୁଡ଼େ ପିଇ ଦେଇଥିଲେ ଯେ ଦେହମୁଣ୍ଡ ଭାରି ଲାଗୁଥିଲା । ସେତିକିବେଳକୁ ଡ୍ରାଇଭର ଆସି କହିଲା ମଟରଗାଡ଼ି ଇଞ୍ଜିନ କ’ଣ ଖରାପ ହୋଇଯାଇଛି । ପୁଣି ସେତିକିବେଳକୁ ପଞ୍ଜାବର କିଏ ଜଣେ ତାଙ୍କ ବାଙ୍କ୍ ବିରୁଦ୍ଧରେ ମକଦ୍ଦମା କରିଥିବା ଖବର ଆସି ପହଞ୍ଚିଲା । ଏମିତି ନାନା ବିପଦ ନାନା ଦୁଶ୍ଚିନ୍ତାରେ ଘାରି ହୋଇ ବସିଥିଲାବେଳେ ଗୋବିନ୍ଦୀ ଦେବୀ ଆସି କହିଲେ–ଭୀଷ୍ମଠାରୁ ଜର ତ ଆଜି ବି ଓହ୍ଲାଇଲା ନାହିଁ । ହେଲେ କେଉଁ ଡାକ୍ତରଙ୍କୁ ଟିକିଏ ଡାକ ।

 

ଭୀଷ୍ମ ତାଙ୍କର ସବୁଠୁ ସାନ ପୁଅ । ଜନମଦିନୁ ଦୁର୍ବଳିଆ ଯେ ବାରଦିନକୁ ତେର ରୋଗ-। ଆଜି ଜର ତ, କାଲି କାଶ, ଆଜି ଝାଡ଼ାବାନ୍ତି ତ କାଲି ପେଟ ଟଣା । ଏମିତି ନିତି କିଛି ନା କିଛି ଗୋଟେ ଚାଲିଥିବ । ଦଶମାସର ପିଲାଟା ପାଞ୍ଚ ମାସର ପିଲାପରି ଦିଶୁଥିଲା । ଖନ୍ନା ଜାଣିଥିଲେ ସେ ପିଲାଟା ବଞ୍ଚିବ ନାହିଁ, ସେଥିପାଇଁ ସେ ମୋଟେ ତାକୁ ଅନାଉଁ ନଥିଲେ । କିନ୍ତୁ ରୋଗଯୋଗୁ ଗୋବିନ୍ଦୀ ଦେବୀ ତାକୁ ସବୁଠୁ ବେଶି ସେବା କରୁଥିଲେ ।

 

ଖନ୍ନା ଟିକିଏ ବାପାପଣିଆ ଦେଖାଇ କହିଲେ–ପିଲାଙ୍କୁ ଔଷଧ ଅଭ୍ୟାସ କରେଇବା ଠିକ୍ ନୁହେଁ । ତମର ତ ଏମିତି ଅଭ୍ୟାସ ହୋଇଗଲାଣି ଯେ, ଯାହି ଟିକିଏହେଲେ ଖାଲି ଡାକ୍ତର ଡାକ । ଅଜିକି ତ ମୋଟେ ତିନି ଦିନ ହୋଇଛି, ଆଉ ଦିନଟେ ଦେଖ, କାଳେ ଜର ଆପେ ଆପେ କମିଯିବ ।

 

ଗୋବିନ୍ଦୀ ଦେବୀ କହିଲେ–ତିନିଦିନ ତ ହେଲାଣି ମୋଟେ କମୁନାହିଁ, ଆଉ ଦେଖିବି କ’ଣ ? ଘର ଔଷଧ ତ କିଛି କାମ ଦେଲା ନାହିଁ ।

 

ଖନ୍ନା କହିଲେ, ଆଚ୍ଛା ତା ହେଲେ ଡକେଇ ଦେଉଛି, କାହାକୁ ଡାକିବା ?

 

‘ନାଗ ବାବୁଙ୍କୁ ଡକା ।’

 

‘ଆଚ୍ଛା ତା’ହେଲେ ଡାକିବା । କିନ୍ତୁ ଜାଣିଥା, ନାଗବାବୁ ଖାଲିସିନା ବେଶି ପଇସା ନିଅନ୍ତି, ନାହିଲେ ତାଙ୍କ ହାତରେ କାମ କିଛି ହୁଏ ନାହିଁ । ସେ ତ କାହାକୁ ଭଲ କରିବାର ଆଜିଯାଏ ମୁଁ ଶୁଣିନାହିଁ । ବରଂ ତାଙ୍କ ହାତ ବାଜିଲେ ରୋଗୀଙ୍କ ଅବସ୍ଥା ଖରାପ ।’

 

‘ତା’ହେଲେ ଯାହାକୁ ତମ ମନହେଉଛି ଡାକ । ନାଗବାବୁ କେଇଥର ଦେଖିଛନ୍ତି ବୋଲି କହୁଥିଲି ନା !’

 

‘ତା’ହେଲେ ମିସ୍ ମାଳତୀଙ୍କୁ କିଆଁ ନ ଡାକିବା ? ପିଲାଙ୍କପାଇଁ ଲେଡ଼ି ଡାକ୍ତର ପୁରୁଷ ଡାକ୍ତରଙ୍କ ଅପେକ୍ଷା ଭଲ । ତା’ଛଡ଼ା ତାଙ୍କର ଫିସ୍ ବି କମ୍ ।’

 

ଗୋବିନ୍ଦୀ ଦେବୀ ଚିଡ଼ିଯାଇ କହିଲେ–ମାଳତୀ ଗୋଟେ କେଉଁ ଡାକ୍ତର ?

 

ଖନ୍ନା ଏଡ଼େ ଏଡ଼େ ଆଖି ଦେଖେଇ କହିଲେ–ସେ କ’ଣ ଆଉ ବିଲାତ ଯାଇଥିଲେ ମାହୁଳିଆ ? କ’ଣ ଆଉ ଯାଇଥିଲେ ଘାସ କାଟିବାକୁ ?

 

‘ଯାଉଥିବେ, କିଏ ଜାଣିଲା ? ତାଙ୍କ ଉପରେ ମୋର ମୋଟେ ବିଶ୍ଵାସ ନାହିଁ । ମୁଁ ଜାଣେ ପୁରୁଷମାନଙ୍କ ମନର ରୋଗ ଭଲ କରିବା ଛଡ଼ା ତାଙ୍କୁ ଆଉ କିଛି ଆସେ ନାହିଁ ।’

 

ଏତିକିରେ କଳି ଆରମ୍ଭ ହୋଇଗଲା । ଖନ୍ନା ଯେମିତି ଗରଜି ଉଠିଲେ ଗୋବିନ୍ଦୀ ବି ସେମିତି ପାଟିକଲେ । ମାଳତୀଙ୍କ ନାଁ ପଡ଼ିଲେଇ ତାଙ୍କ ଭିତରେ କଳି ।

 

କାଗଜପତ୍ର ସବୁ ଭୂଇଁରେ ଫିଙ୍ଗିଦେଇ ଖନ୍ନା କହିଲେ, ତମ ସାଙ୍ଗରେ ରହି ଜୀବନଟା ଜାଣି ମୋର ମାଟି ହୋଇଗଲା ।

 

ଗୋବିନ୍ଦୀ ତୀବ୍ର ସ୍ଵରରେ କହିଲେ, ମନ ହେଉଛି ଯଦି ମାଳତୀ ସାଙ୍ଗରେ ଯାଇ ରହୁନ, ତାକୁ ବାହାହୋଇ ପଡ଼ୁନ ! ଅସୁବିଧା ତ କିଛି ନାହିଁ, ଅସଲ ସେ ମଙ୍ଗିଲେ ହେଲା ।

 

‘ତମେ ମୋତେ କ’ଣ ବୋଲି ପାଇଲଣି କି ?’

 

‘ତମ ଭଳିଆ ଲୋକଙ୍କୁ ତ ମାଳତୀ ସ୍ୱାମୀ ବୋଲି ମାନିବ ନାହିଁ, ଗୋଲାମ କରି ରଖିବ-।’

 

‘ତମେ ମୋତେ ଏଡ଼େ ଛୋଟଲୋକ ବୋଲି ଭାବିଲଣି ?’

 

ଖନ୍ନା ପ୍ରମାଣ ଦେଲ ବସିଲେ, ତମେ ଯାହା କହୁଛ, ମାଳତୀ ମୋତେ ଗୋଲାମକରି ରଖିବ, ସେ କଥା ମିଛ । ତମେ ବୋଧହୁଏ ଜାଣନା, ମୋତେ ସେ ଯେତେ ଆଦର କରନ୍ତି ଆଉ କାହାକୁ କରନ୍ତି ନାହଁ । ରାୟସାହେବ ପ୍ରଭୃତିକୁ ପାଖରେ ପୂରେଇ ଦିଅନ୍ତି ନାହିଁ । କିନ୍ତୁ ମତେ ଦିନେ ନ ଦେଖିଲେ ଅଭିମାନ କରି ଗାଳି ଦିଅନ୍ତି ।

 

ଗୋବିନ୍ଦୀ କହିଲେ, ସେ ଠିକ୍ ଜାଣେ ଯେ ତମେ ସବୁଠୁ ବଡ଼ ଅନ୍ଧ, ତମ ଛଡ଼ା ଆଉ କାହାକୁ ସେ ଏଡ଼େ ସହଜରେ ଓଲୁ ବନେଇ ପାରିବ ନାହିଁ ।

 

ଖନ୍ନା ବଡ଼େଇ କରି କହିଲେ, ମୁଁ ଚାହିଲେ ମାଳତୀଙ୍କୁ ଏହିକ୍ଷଣି ବିବାହ କରି ପାରିବି, ବର୍ତ୍ତମାନ ଏହି ମୁହୂର୍ତ୍ତରେ ।

 

ଗୋବିନ୍ଦୀଙ୍କ ମନକୁ ଏକଥା ମୋଟେ ପାଇଲା ନାହିଁ । ସେ କହିଲେ, ତମର ଏ ପ୍ରକାର ଧାରଣା ସଂପୂର୍ଣ୍ଣ ଭୁଲ୍ । ତମକୁ ବାହାହେବା ତ ଦୂରର କଥା, ତମେ ସାତ ଜନ୍ମଯାଏ ଭୂଇଁରେ ନାକ ଘଷୁଥିଲେ ବି ତମକୁ ସେ ଆଡ଼ଆଖିରେ ବି ଅନାଇବ ନାହିଁ । ତମେ ହେଉଛ ତାର ଲଦନବୁହା ଘୋଡ଼ା । ସେ ତମକୁ ଘାସ ଖୁଆଇବ, ତମ ପିଠି ଆଉଁସିବ, କାହିଁକି ନା ଦରକାର ପଡ଼ିଲେ ତମରି ପିଠିରେ ସେ ସବାର ହେବ । ତମ ଭଳିଆ ପଣ ପଣ ଓଲୁଙ୍କୁ ସେ ତା ପକେଟରେ ପୂରେଇ ରଖିଛି-

 

ଗୋବିନ୍ଦୀଙ୍କ ମନ ଆଜି ଭାରି ଚଢ଼ି ଯାଇଥିଲା । ଝଗଡ଼ା କରିବାକୁ ସେ ଗୋଟାପଣ ତିଆରି ଥିଲେ । ଡାକ୍ତର ଡାକିବା ଖାଲି ଗୋଟାଏ ମିଛ ଆଳ । କିନ୍ତୁ ଖନ୍ନା ତ ଏସବୁ ବରଦାସ୍ତ କରିବା ଲୋକ ନୁହନ୍ତି । ସାଙ୍ଗେ ସାଙ୍ଗେ ସେ କହିଲେ, ତମେ ପରା ଭାବିଛ ମୁଁ ଏଡ଼େ ମୂର୍ଖ, ଏଡ଼େ ଓଲୁ । ତା’ହେଲେ ରାତି ପାଇଲେ ମୋ ଦୁଆରେ ଶହ ଶହ ଲୋକ ଆସି ନାକ ଘଷୁଛନ୍ତି କାହିଁକି ? ଦୁନିଆରେ ଏମିତି କେଉଁ ମହାରଜା ଅଛନ୍ତି ଯେ ମୋତେ ହାତ ନ ଟେକନ୍ତି ? ମୁଁ ଏମିତି କେତେ ଶହ ଲୋକଙ୍କୁ ଓଲୁକରି ଛାଡ଼ି ଦେଇଛି ।

 

‘ମାଳତୀର ତ ଏଇ ହେଉଛି ବାହାଦୁରୀ, ଯେଉଁ ଲୋକ ଶହ ଶହ ଲୋକଙ୍କର ମୁଣ୍ଡମୋଡ଼ି ଖାଉଛନ୍ତି, ମାଳତୀ ସେହି ଲୋକଙ୍କର ମୁଣ୍ଡକୁ ମୋଡ଼ି ସିଧା କରିଦେଉଛି ।’

 

‘ତମେ ମାଳତୀଙ୍କୁ ଯେତେ ଯାହା କହ ପଛକେ, ତମେ ତା ପାଦ ଧୂଳିକୁ ବି ସରି ହେବ ନାହିଁ ।’

 

‘ସରି ହେବି କ’ଣ ? ମୁଁ ତ ତାକୁ ଗୋଟେ ବେଶ୍ୟା ବୋଲି ଭାବେ । ଯେ ଆଗରେ ପରଦା ପକାଇ ପଛରେ ବଦମାସୀ କରୁଥାଏ ସେ ବେଶ୍ୟା ନୁହେଁ ଆଉ କ’ଣ ?’

 

ଦିହିଁଙ୍କ ଭିତରେ ଖୁବ୍ ଝଗଡ଼ା ଚାଲିଲା । ଖନ୍ନା ଆଉ ଯାହା କହିଥିଲେ ବି ଗୋବିନ୍ଦୀ ହୁଏତ ସମ୍ଭାଳିଥାନ୍ତେ, କିନ୍ତୁ ମାଳତୀଙ୍କ ପାଦଧୂଳି ସଙ୍ଗେ ସମାନ ନୁହନ୍ତି କହିଲେ, ସେ ସମ୍ଭାଳନ୍ତେ କେମିତି ? ଗୋବିନ୍ଦୀ ବି ସେମିତି ଆଉ ଯାହା କହିଥିଲେ ଖନ୍ନା ଅବା ସମ୍ଭାଳିଥାନ୍ତେ, କିନ୍ତୁ ମାଳତୀଙ୍କୁ ବେଶ୍ୟା କହିଲେ ସେ ସହନ୍ତେ କେମିତି ? ଦିହିଁଙ୍କ ଦୁର୍ବଳତା ଦିହେଁ ଭଲକରି ଜାଣିଥିଲେ-। ସେଥିପାଇଁ ଗୁଳି ଠିକ୍ ଜାଗାରେ ନାଛି ହୋଇଯିବାରୁ ଦିହିଁଙ୍କି ଦିହେଁ ଗରଜି ଉଠିଲେ । ଖନ୍ନାଙ୍କ ଆଖି ଯେମିତି ଲାଲ, ଗୋବିନ୍ଦୀଙ୍କ ମୁହଁ ସେମିତି ଲାଲ, କେହି କାହାକୁ ଊଣା ନୁହେ । ଖନ୍ନା ରାଗତମରେ ଗୋବିନ୍ଦୀଙ୍କର କାନ ମୋଡ଼ି ଦି’ଚାରି ଚାପୁଡ଼ା ଜୋରରେ ବସାଇ ଦେଲେ । ଗୋବିନ୍ଦୀ କାନ୍ଦି କାନ୍ଦି ଘର ଭିତରକୁ ଚାଲିଗଲେ ।

 

କିଛି ସମୟ ପରେ ଡାକ୍ତର ନାଗ, ସିଭିଲ ସର୍ଜନ, ଡାକ୍ତର ଟଣ୍ଡନ, ସବୁଠୁ ବଡ଼ ବୈଦ୍ୟ ନୀଳକଣ୍ଠ ସମସ୍ତେ ଆସି ପହଞ୍ଚିଲେ । କିନ୍ତୁ ଗୋବିନ୍ଦୀ ଆଉ ପିଲା ପାଖରୁ ଘରୁ ବାହାରିଲେ ନାହିଁ । କିଏ କ’ଣ କଲେ, କ’ଣ କହିଲେ ତାଙ୍କୁ କିଛି ଜଣା ନାହିଁ । ଯେଉଁ ବିପତ୍ତି ସେ ମନେ ମନେ ବହୁତ ଦିନରୁ ଭାବୁଥିଲେ ଠିକ୍ ସେହି ବିପତ୍ତି ଆସି ଜୁଟିଗଲା । ଜଣାଗଲା ସତେ ଯେମିତି ଖନ୍ନା ଆଜି ସବୁ ସମ୍ପର୍କ ତୁଟେଇଦେଇ ତାଙ୍କୁ ଘରୁ ବାହାର କରିଦେଇ କବାଟ କିଳି ଦେଇଛନ୍ତି । ଯେଉଁ ନାରୀ ଆପଣାର ରୂପର ପସରା ମେଲେଇ ବସିଛି, ଯା’ର ଛାଇ ପର୍ଯ୍ୟନ୍ତ ଦେଖିବାକୁ ସେ ଚାହାନ୍ତି ନାହିଁ, ସେହି ପୁଣି ଖନ୍ନାଙ୍କ ପଛରେ ଛପି ରହି ତାଙ୍କୁ ଶାସନ କରିବ, ଏକଥା ଗୋବିନ୍ଦୀଙ୍କ ପକ୍ଷେ ସହ୍ୟ କରିବା ଅସମ୍ଭବ । ଯେତେହେଲେ ଖନ୍ନା ତାଙ୍କର ସ୍ଵାମୀ, ତାଙ୍କୁ ବୁଝାସୁଝା କରିବାର ଅଧିକାର ତାଙ୍କର ଅଛି । ସେ ଦିଟା ମାରିଲେ ବି ସେ ସହିବାକୁ ବାଧ୍ୟ । କିନ୍ତୁ ମାଳତୀ ଶାସନ କରିବ, ସେ ସହିବେ, ଏକଥା ଅସମ୍ଭବ । କିନ୍ତୁ ପିଲାଟା ଦେହ ଭଲ ନ ହେବାଯାଏ ତାଙ୍କର କୌଣସି ଉପାୟ ନାହିଁ । କର୍ତ୍ତବ୍ୟ ନିକଟରେ ବ୍ୟକ୍ତିଗତ ସମ୍ମାନ ମୁଣ୍ତ ନୁଆଇବା ପାଇଁ ବାଧ୍ୟ ।

 

ତହିଁ ଆରଦିନ ପିଲାର ଜର ଓହ୍ଲାଇଗଲାମାତ୍ରେ ଗୋବିନ୍ଦୀ ଏକ ଟାଙ୍ଗା ଡକେଇ ଘରୁ ବାହାରି ପଡ଼ିଲେ । ଯେଉଁ ଘରେ ତାଙ୍କର ଏତେ ହତାଦର, ସେ ଘରେ ରହିବାର ଆଉ ପ୍ରଶ୍ନ ନାହିଁ । ପ୍ରାଣରେ ତାଙ୍କର ଏମିତି ଗୁରୁ ଆଘାତ ଲାଗିଥିଲା ଯେ ଘରେ ପିଲାଛୁଆଙ୍କଠୁ ବି ମନ ଛାଡ଼ି ପଡ଼ିଥିଲା । ତାଙ୍କର ଯାହା କରିବାର ଥିଲା ସେ କରି ସାରିଛନ୍ତି । ଏଣିକି ଖନ୍ନା ସାହେବ ତାଙ୍କ କଥା ବୁଝନ୍ତୁ । ଘରୁ ସେ କିଛି ନେଇଯିବାକୁ ଚାହାନ୍ତି ନାହିଁ, ଅବଶ୍ୟ କୋଳ ପିଲାଟି ତାଙ୍କର ଆପଣାର, ତା ଉପରେ କାହାରି ଅଧିକାର ନାହିଁ । ତାକୁଇ ସେ କୋଳରେ ନେଇ ଚାଲିଯିବେ ଆଉ ଦୁନିଆ ଦୁଆରେ ଛିଡ଼ାହୋଇ ଦେଖେଇ ଦେବେ ଯେ ଖନ୍ନାଙ୍କ ବିନା ସାହାଯ୍ୟରେ ମଧ୍ୟ ସେ ବଞ୍ଚି ରହିପାରନ୍ତି । ସେତେବେଳକୁ ବଡ଼ ପିଲା ତିନୋଟି ଖେଳିବାକୁ ବାହାରି ଯାଇଥିଲେ । ତାଙ୍କୁ ଥରେ ଗେଲ କରିଦେଇ ଯିବାପାଇଁ ତାଙ୍କର ଭାରି ମନ ହେଲା । କିନ୍ତୁ ପରେ ପୁଣି ଭାବିଲେ ବିଶେଷ କିଛି ଦରକାର ନାହିଁ, କାହିଁକି ନା ସେ ତ କୁଆଡ଼େ ପଳାଇ ଯାଉନାହାନ୍ତି, ଯେତେବେଳେ ମନ ହେବ, ଆସିବେ, ପିଲାଙ୍କ ସଙ୍ଗେ ଖେଳିବେ, ତାଙ୍କୁ ଗେଲ କରିବେ । ସେଥିପାଇଁ ତ କେହି ତାଙ୍କୁ ମନାକରି ପାରିବ ନାହିଁ । ଅବଶ୍ୟ ଖନ୍ନାଙ୍କ ଆଶ୍ରୟରେ ସେ ଆଉ ରହିବେ ନାହିଁ ।

 

ସନ୍ଧ୍ୟା ହୋଇଯାଇଥିଲା । ପାର୍କରେ ଖୁବ୍ ଲୋକ ଜମିଥିଲେ । ପଡ଼ିଆରେ ବସି ସମସ୍ତେ ହାୱା ଖାଉଥିଲେ । ଏତିକିବେଳକୁ ଗୋବିନ୍ଦୀ ଦେବୀ ବଜାର ପାରିହୋଇ ଯେତେବେଳେ ଚିଡ଼ିଆଖାନା ପାଖରେ ଦେଖିଲେ ଯେ ଖନ୍ନା ଆଉ ମାଳତୀ ଦୁହେଁଯାକ ଗୋଟାଏ ମଟରରେ ଯାଉଛନ୍ତି, ତାଙ୍କୁ ଜଣାପଡ଼ିଲା ସତେ ଯେମିତି ଖନ୍ନା ମାଳତୀଙ୍କୁ ଠାରିଦେଇ କ’ଣ କହିଲେ, ଆଉ ମାଳତୀ ଟିକିଏ ହସିଦେଲେ । ପୁଣି ଭାବିଲେ, ନାହିଁ ସେଟା ତାଙ୍କର ଭ୍ରମ ବି ହୋଇପାରିଥାଏ । ଖନ୍ନା ତ କେବେହେଲେ ମାଳତୀଙ୍କ ଆଗରେ ତାଙ୍କ କଥା କହିବେ ନାହିଁ । ତଥାପି ଲୋକେ କେଡ଼େ ବେହିୟା ହୋଇପାରନ୍ତି । ନିଜର ରୋଜଗାର ଅଛି, ଘରେ ପଇସା ବି ଅଛି, ତଥାପି ମାଇପିଟା କାହିଁକି ନିଜକୁ ଏମିତି ନିର୍ଲଜ୍ଜ ଭାବରେ ବିକ୍ରୀ କରୁଛି, ଭଗବାନ ଜାଣନ୍ତି । ସେଟା ବାହା ହେଉନାହିଁ କାହିଁକି କେଜାଣି । ତାକୁ ଅବା ବାହା ହେବାକୁ ମଙ୍ଗିବ କିଏ ? ତା ଛଡ଼ା ତା’ର ବି ଦୋଷ କ’ଣ ? ଆଜିକାଲି ଏମିତି ବହୁତ ପୁରୁଷ ବାହାରିଲେଣି, ଯେଉଁମାନେ ତାରି ଭଳି ସ୍ତ୍ରୀଙ୍କୁ ବେଶି ପସନ୍ଦ କରୁଛନ୍ତି । ମାଳତୀ କାହାରି ନୁହେଁ । ତା ଛଡ଼ା ବାହା ହେବାରେ କେଉଁ ସୁଖଟା ଅବା ଅଛି, ବରଂ ଯେ ବାହା ନ ହେଉଛି ସେ ଭଲ କରୁଛି । ଏବେ ତ ଗଣ୍ଡା ଗଣ୍ଡା ପୁରୁଷ ତା ପାଖରେ ଗୋଲାମ ହୋଇ ପଡ଼ିଛନ୍ତି, ବାହା ହେଲେ ଖାଲି ସେ ଜଣକର ହୋଇ ରହନ୍ତା ନା ଆଉ କ’ଣ ? ଖୁବ୍ ଭଲ କରିଛି ! ଏବେ ତ ଆମ ବାବୁ ତା ଯୋତା ଚାଟିବାରେ ଲାଗିଛନ୍ତି, କିନ୍ତୁ ବାହା ହୋଇ ପଡ଼ିଲେ ପୁଣି ଯୋତା ମାରି ବସନ୍ତେ । ହେଲେ ସେ ବା କାହିଁକି ୟାଙ୍କୁ ବାହା ହେବାକୁ ଯିବ ? ବରଂ ସମାଜରେ ଏମିତିଆ ଦି ଚାରିଟା ବାରବୁଲୀ ମାଇକିନା ବୁଲୁଥିଲେ ପୁରୁଷଙ୍କ କାନ ମୋଡ଼ିବାକୁ ସୁବିଧା ।

 

ଆଜି ବରଂ ମାଳତୀଙ୍କ ପ୍ରତି ଗୋବିନ୍ଦୀଙ୍କ ମନରେ ଭାରି ସହାନୁଭୂତି । ସେ ଭାବୁଥିଲେ ମାଳତୀଙ୍କ ପ୍ରତି ଆକ୍ଷେପ କରି ସେ ବରଂ ଅନ୍ୟାୟ କରୁଛନ୍ତି । ବାହା ହୋଇ ତାଙ୍କର ଦଶା ଯାହା ହୋଇଛି ତାକୁ ଦେଖି କ’ଣ ମାଳତୀଙ୍କର ଆଖି ଖୋଲି ନ ଥିବ । ବିବାହିତ ଜୀବନରେ ଏତେ କଷ୍ଟ ଦେଖିଲା ପରେ ଯଦି ସେ ବାହା ହଉ ନାହାନ୍ତି, ବରଂ ସେ ଭଲ କରିଛନ୍ତି । ଏଥିରେ ଖରାପଟା କ’ଣ ?

 

ଚିଡ଼ିଆଖାନା ପାଖରେ ଗୋବିନ୍ଦୀ ଦେବୀ ଟାଙ୍ଗାରୁ ଓହ୍ଲାଇ ପାର୍କର ନେଳି ପଡ଼ିଆ ଆଡ଼କୁ ଚାଲିଲେ । ମାତ୍ର ଘାସ ଉପରେ ପାଦଦେଲା ମାତ୍ରେ ତାଙ୍କ ଚୁପୁଲି ଓଦା ହୋଇଗଲା । ଅଳ୍ପ ସମୟ ଆଗରୁ ପଡ଼ିଆରେ ପାଣି ଛିଞ୍ଚା ହୋଇଥିଲା ଯେ ଘାସତଳେ ପାଣି ବହି ଯାଉଥିଲା । ଆଉ ପାଦଟାଏ ଆଗରୁ ପକାଇଲା ମାତ୍ରେ ପାଦ କାଦୁଅରେ ଗଳିଗଲା । କ’ଣ କରିବେ, କେମିତି ପାଦ ଧୋଇବେ । ପାଦ କଥା ଭାବୁ ଭାବୁ ତାଙ୍କର ଆଉ ସବୁ ଭାବନା ବିଗିଡ଼ି ଗଲା, ଆଗର ଭାବନା ସବୁ ବନ୍ଦ ହୋଇଗଲା ।

 

ହଠାତ୍ ଘାସ ଦେହରେ ଗୋଟାଏ ରବର ପାଇପ୍ ଲୁଚିକରି ପଡ଼ିଥିବାର ତାଙ୍କୁ ଦେଖାଗଲା । ସେଠିକି ଯାଇ ଗୋଡ଼ ହାତ ଧୁଆଧୋଇ କରି, ଚହେ ହେବ ପାଣି ପିଇଯାଇ ଶୁଖିଇା ଭୂଇଁ ଦେଖି ବସି ପଡ଼ିଲେ । ମଣିଷ ଉଦାସ ହୋଇଗଲେ ମରଣ ଚିନ୍ତା ସବା ଆଗ ମନରେ ଆସିଯାଏ । ଗୋବିନ୍ଦୀ ଦେବୀ ମନେ ମନେ ଭାବିଲେ ସେଇଠି ମରିଗଲେ ତାଙ୍କର କ’ଣ ହ’ନ୍ତା ? ଟାଙ୍ଗାବାଲା ଯାଇ ସାଙ୍ଗେ ସାଙ୍ଗେ ଖନ୍ନାଙ୍କୁ କହି ଦିଅନ୍ତା । ଖନ୍ନା ତ ମନେ ମନେ ଖୁସି ହୁଅନ୍ତେ, ଖାଲି ଲୋକଦେଖାଣକୁ ମିଛରେ ଟିକିଏ ରୁମାଲରେ ଆଖି ପୋଛିପକାନ୍ତେ । ପିଲାଙ୍କର କ’ଣ ପରୁଆ । ତାଙ୍କର ତ ଖେଳନା ହେଲେ, ନାଚକୁଦ ହେଲେ କାମ ହେଲା । ଜୀବନ ଆଜି ତାଙ୍କର ଏମିତି ହୋଇଯାଇଛି ଯେ ତାଙ୍କ ପାଇଁ ଟୋପାଏ ଲୁହ ଗଡ଼ାଇବା ପାଇଁ ବି ଦୁନିଆରେ କେହି ନାହିଁ-। ଏମିତି ଭାବୁ ଭାବୁ ଅତୀତର ସବୁ କଥା ଗୋଟି ଗୋଟି ହୋଇ ମନେ ପଡ଼ିଗଲା । ଯେତେବେଳେ ଖନ୍ନା ଏମିତି ମାଳତୀ ପଛରେ ଗୋଡ଼ାଇ ନ ଥିଲେ, ଆଉ ଶାଶୁ ଯେତେବେଳେ କଥା କଥାକେ ବିଗିଡ଼ି କରି ଗାଳି ଦେଉଥିଲେ, ସେହି ଗାଳିସବୁ ଆଜି ମନେ ପଡ଼ି ଅମୃତ ପରି ଲାଗିଲା, ବରଂ ସେଇ ଭାଗ ଭିତରେ ମାୟା ମମତା ସ୍ନେହ ସହାନୁଭୂତି ଭରି ରହିଥିଲା । ସେତେବେଳେ ସେ ରୁଷି ବସିଲେ ଶାଶୁ କେତେ ଆଦର କରି ତାଙ୍କୁ ବୁଝାଉଥିଲେ, ଆଜି କିନ୍ତୁ ମାସ ମାସ ରୁଷି ବସିଲେ ପଚାରିଯାଉଛି କିଏ ? ପୁଣି ନିଜ ମା’ କଥା ଆସି ମନେ ପଡ଼ିଲା । ମା’ ଥିଲେ ଆଜି ଦୁନିଆରେ ଏ ଦୁର୍ଦ୍ଦଶା ତାଙ୍କର ହୁଅନ୍ତା କାହିଁକି ? କିଛି ନଥିଲେ ମା’ର ସ୍ନେହମୟ କୋଳ ତ ଥାନ୍ତା, ପ୍ରେମର ପଣତ ତ ଥାନ୍ତା, ସେହି ପଣତ କାନି ତଳେ ମୁହଁ ରଖି ଅନ୍ତତଃ ସେ କାନ୍ଦି ପାରିଥାନ୍ତେ ତ ! କିନ୍ତୁ ନାହିଁ, ସେ କାନ୍ଦିବେ ନାହିଁ କିମ୍ବା ସ୍ଵର୍ଗରେ ମା’ଙ୍କ ମନରେ ଅକାରଣରେ ଦୁଃଖ ଦେବେ ନାହିଁ-। ଜୀଇଥିଲାବେଳେ ତାଙ୍କର ଯାହା କରିବାର ଥିଲା ସେ କରି ଯାଇଛନ୍ତି । ମା’ ଜନମ ସିନା ଦେବ, କରମ ଦେବ କୁଆଡ଼ୁ, ଜଣକ ଭାଗ୍ୟ ଆଉ ଜଣେ ଭୋଗ କରିବ କୁଆଡ଼ୁ ? ଆଜି ଆଉ କାନ୍ଦି ଲାଭ କିଛି ନାହିଁ । ସେ ତ ଆଉ କାହା ପାଖରେ ହାତ ପତେଇବାକୁ ଯାଉନାହାନ୍ତି, ନିଜେ ରୋଜଗାର କରି ନିଜ ପେଟ ପୋଷିବେ । ଗାନ୍ଧୀ ଆଶ୍ରମକୁ ଯାଇ ସୂତା ବିକି କୌଣସିମତେ ବଞ୍ଚିଯିବେ । ସେଥିରେ ଗୋଟାଏ ଲାଜ କ’ଣ ? ଖୁବ୍ ହେଲେ ଲୋକ ହାତ ଠାରି କହିବେ–ହେଇଟି, ଖନ୍ନାଙ୍କ ସ୍ତ୍ରୀ ଯାଉଛି । ସେମିତି ହେଲେ ଏହି ସହରରେ ନ ରହିଲେ ବା କ’ଣ ହୋଇ ଯାଉଛି । ଯେଉଁଠି ତାଙ୍କୁ କେହି ଚିହ୍ନି ନାହାନ୍ତି ସେଠିକି ଚାଲିଗଲେ ହେଲା । ଦଶ କୋଡ଼ିଏ ଟଙ୍କା ରୋଜଗାର କରିବା କ’ଣ ଭାରି ଭିଡ଼ କଥାଟାଏ । ନିଜ ଝାଳ ବୁହାଇ ନିଜ ଅର୍ଜନ ତ ଖାଇବେ, ଆଉ ତ କେହି ତାଙ୍କ ଉପରେ ହାକିମ କରିବାକୁ ନଥିବେ । ତାଙ୍କୁ ପାଳୁଛନ୍ତି ବୋଲି ସିନା ସେ ଏତେ ଦିମାକ୍ ଦେଖାଉଛନ୍ତି । ନିଜେ ରୋଜଗାର କଲେ ଆଉ ପୁଣି ପାଟି ଫିଟାଇବ କିଏ ?

ହଠାତ୍ ମେହେତା ତାଙ୍କ ଆଡ଼କୁ ଆସୁଥିବାର ଦେଖି ତାଙ୍କୁ ଟିକିଏ ଅଡ଼ୁଆ ଲାଗିଲା । ଏତେବେଳେ ଏକୁଟିଆ ହୋଇ ବସିବାକୁ ତାଙ୍କୁ ଭଲ ଲାଗୁଥିଲା, କାହା ସଙ୍ଗେ କଥାବାର୍ତ୍ତା ହେବାକୁ ମନ ନଥିଲା, କିନ୍ତୁ ଜଣେ ଯେତେବେଳେ ଆସିଗଲେଣି ଆଉ କ’ଣ କରାଯାଏ । ସେତିକି ବେଳକୁ ପିଲାଟା ଚିହିରି ଉଠିଲା ।

ମେହେତା ପାଖକୁ ଆସି ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ଆପଣ ଏତେବେଳେ ଏଠିକି ଆସିଲେ କେମିତି ?

ଗୋବିନ୍ଦୀ ପିଲାକୁ ତୁନୀ କରାଉ କରାଉ କହିଲେ, ଆପଣ ଯେମିତି ଆସିଲେ ସେମିତି-

ମେହେତା ଟିକିଏ ମୁରୁକି ହସାଦେଇ କହିଲେ, ମୋ କଥା କାହିଁକି କହୁଛନ୍ତି । ମୁଁ ତ ବାରବୁଲାଟାଏ ! ଧୋବାଙ୍କ କୁକୁର ପରି ଘରକୁ ନୁହେଁ କି ଘାଟକୁ ନୁହେଁ । ଆଣନ୍ତୁ, ମୁଁ ପିଲାକୁ ତୁନୀ କରିଦିଏ ।

‘ଆପଣ ଏ କାମ କେବେଠୁ ଶିଖିଲେଣି ?’

‘କାଳେ କେବେ କରିବାକୁ ପଡ଼ିବ, ସେଥିପାଇଁ ଅଭ୍ୟାସ କରୁଛି ।’

‘ହଁ, କରିବା ଦିନ ତ ପାଖେଇ ଆସିଲାଣି, ଆଉ ବେଶିଦିନ ନାହିଁ ଯେ ।’

ହଁ, ସେ ତ ମୋ ହାତ କଥା, ମୁଁ ଠିକ୍ ହୋଇଗଲେ ହେଲା । ସାମାନ୍ୟ ଗୋଟେ ଗୋଟେ ଡିଗ୍ରୀ ପାଇଁ ତ ପଢ଼ି ପଢ଼ି ଆଖି ଫୁଟିଯାଉଛି, ଇଏ ତ ସହଜେ ଜୀବନର ବଡ଼ ପରୀକ୍ଷା ।’

‘ଆଚ୍ଛା ମୁଁ ବି ଦେଖିବାକୁ ଚାହେ, ଆପଣ ଏ ପରୀକ୍ଷାରେ କେଉଁ କ୍ଲାସରେ ପାଶ୍ କରିବେ ।’

ୟା କହୁ କହୁ ସେ ମେହେତାଙ୍କ ହାତକୁ ପିଲାକୁ ବଢ଼ାଇ ଦେଲେ । ମେହେତା ଦି ଚାରିଥର ଡିଆଁ ଡେଇଁ କରେଇ ଗେଲ କରିଦେବାରୁ ପିଲା ଏକଦମ୍ ଚୁପ୍ ହୋଇଗଲା । ଛୋଟ ପିଲାଙ୍କ ପରି ମେହେତା ଖୁସିରେ ନାଚିଯାଇ କହିଲେ, କହୁଥିଲେ ପରା, ଦେଖିଲେ ତୁନୀ କରିଦେଲି କି ନାହିଁ । ମୁଁ ଭାବୁଛି ଏବେ ଗୋଟିଏ ପିଲା ଆଣି ପାଖରେ ରଖିବି ।

ଗୋବିନ୍ଦୀ ଟିକିଏ ଥଟ୍ଟାକରି କହିଲେ, ହଁ ଖାଲି ପିଲାଟିଏ କାହିଁକି ଆଣିବେ, ତା ସାଙ୍ଗେ ମା’ଟିଏ ବି ଆଣିବେ ।

 

ମେହେତା ଥଟ୍ଟାକରି ଅଥଚ ଏକ ପ୍ରକାର ନିରାଶ ଭାବ ପ୍ରକଟ କରି ମୁଣ୍ଡ ହଲାଇ କହିଲେ–ମୁଁ ଯେମିତି ସ୍ତ୍ରୀ ଖୋଜୁଛି ସେମିତି ସ୍ତ୍ରୀ କେଉଁଠି ମିଳୁନାହାନ୍ତି, କ’ଣ କରିବି ?

 

‘କାହିଁକି, ମିସ୍ ମାଳତୀ ? ତାଙ୍କର ତ କେଉଁ ଗୁଣର ଅଭାବ ନାହିଁ । ସେ ଯେମିତି ଶିକ୍ଷିତା, ସେମିତି ସୁନ୍ଦରୀ, ସେମିତି ଗୁଣବତୀ । ଆପଣ ଆଉ ଅଧିକ କ’ଣ ଚାହାନ୍ତି ?’

 

‘କିନ୍ତୁ ମିସ୍ ମାଳତୀଙ୍କଠାରେ ଅସଲ ଗୋଟିଏ ଗୁଣ ନାହିଁ ଯାହା ସ୍ତ୍ରୀମାନଙ୍କଠାରେ ରହିବା ଚାହି ।’

 

ଗୋବିନ୍ଦୀ ଦେବୀ ମିସ୍ ମାଳତୀଙ୍କର ବଦନାମୀ ଶୁଣି ମନେ ମନେ ଖୁସି ହୋଇ କହିଲେ, ତାଙ୍କଠି କ’ଣ ଖରାପ ଅଛି, ମୁଁ ତ କିଛି ଦେଖିପାରୁ ନାହଁ । ବରଂ ଲୋକେ ତାଙ୍କ ଚାରିପାଖ ଭଅଁର ପରି ଘେରି ରହିଛନ୍ତି । ଆଜି କାଲିକା ପୁରୁଷଙ୍କର ସେହି ପ୍ରକାର ମାଇପିଙ୍କୁ ଭାରି ପସନ୍ଦ ।

 

ପିଲାର ମୁଠାରୁ ଆପଣା ନିଶକୁ ଛଡ଼ାଉ ଛଡ଼ାଉ ମେହେତା କହିଲେ, ମୁଁ କିନ୍ତୁ ଭିନ୍ନ ପ୍ରକାରର ସ୍ତ୍ରୀ ଚାହେ । ସେ ଏମିତି ହେବା ଚାହି, ଯାହାକୁ ମୁଁ ପୂଜା କରି ପାରିବି ।

 

ଗୋବିନ୍ଦୀ ଦେବୀ ହସି ହସି ଥଟ୍ଟାକରି କହିଲେ, ଆପଣ ତା ହେଲେ ସ୍ତ୍ରୀ ଚାହାନ୍ତି ନାହିଁ । ଆପଣ ଚାହାନ୍ତି ପୂଜା କରିବା ପାଇଁ ଗୋଟିଏ ପ୍ରତିମା ।

 

‘ନାହିଁ ପ୍ରତିମା କାହିଁକି ହେବ, ଏହି ସହରରେ କ’ଣ ସେମିତି ସ୍ତ୍ରୀଲୋକ ନାହାନ୍ତି ?’

 

‘କାହିଁ, ମୋତେ କେମିତି ଟିକିଏ ଦେଖାଇ ଦିଅନ୍ତେ, ମୁଁ ତାଙ୍କପରି ହେବାକୁ ଚେଷ୍ଟା କରନ୍ତି ।’

 

‘ଆପଣ ତାଙ୍କୁ ଭଲକରି ଜାଣନ୍ତି, ସେ ଜଣେ ଲକ୍ଷପତିଙ୍କର ସ୍ତ୍ରୀ । ସେ ଭୋଗବିଳାସ କିମ୍ଵା ସୁଖସୌଭାଗ୍ୟ କିଛି ଚାହାନ୍ତି ନାହିଁ, ବରଂ ସ୍ୱାମୀଙ୍କଠାରୁ ଆଦରସୋହାଗ ନ ପାଇ ବି ସେ ନିଜ କର୍ତ୍ତବ୍ୟ କରିବା ପାଇଁ କେବେ ଭୁଲନ୍ତି ନାହିଁ । ଆପଣା ପୁଅ ଝିଅଙ୍କ ସେବାରେ ସେ ସବୁ ଦୁଃଖ ଭୁଲିଯାନ୍ତି । ସେବା ଏବଂ ତ୍ୟାଗ ହେଉଛି ତାଙ୍କ ଜୀବନର ଧର୍ମ । ତାଙ୍କର ଯୋଗ୍ୟତା ବର୍ତ୍ତମାନ ଏତେ ବେଶି ଯେ ତାଙ୍କର ପ୍ରତିମା ତିଆରି କରି ପୂଜା କରିବା ଉଚିତ ।’

 

ଗୋବିନ୍ଦୀଙ୍କ ଅନ୍ତରାତ୍ମାରେ ଆନନ୍ଦ–ଲହରୀ ଖେଳିଗଲା । ଜାଣିକରି ବି ସେ ନ ଜାଣିଲାପରି କହିଲେ, ଏମିତିକିଆ ସ୍ତ୍ରୀ ଲୋକଙ୍କୁ ଆପଣ ପ୍ରଶଂସା କରନ୍ତି, କିନ୍ତୁ ମୁଁ ତ ଭାବେ ଏ ପ୍ରକାର ସ୍ତ୍ରୀଲୋକ କେବଳ ଦୟାର ପାତ୍ର । ଆଦର୍ଶ ନାରୀ ସର୍ବଦା ଆଦର୍ଶ ପତ୍ନୀ ହେବା ଉଚିତ ।

 

ମେହେତା ଆଶ୍ଚର୍ଯ୍ୟ ହୋଇ କହିଲେ, ଆପଣ ତାଙ୍କୁ ଅପମାନ କରୁଛନ୍ତି ନିଶ୍ଚୟ ।

 

‘କିନ୍ତୁ ଯାହା କହନ୍ତୁ, ସେ ଆଦର୍ଶ ଏ ଯୁଗପାଇଁ ଆଉ ନୁହେଁ ।’

 

ସେ ଆଦର୍ଶ ତ ଚିରସ୍ଥାୟୀ, ସନାତନ, ସେ ଯିବ କୁଆଡ଼େ ? ମଣିଷ ଆଜି ତାକୁ ବିକୃତ କରି ନିଜର ସର୍ବନାଶ କରୁଛି କେବଳ ।’

 

ଗୋବିନ୍ଦୀଙ୍କ ମନ ଆନନ୍ଦରେ ଉଛୁଳି ଉଠୁଥିଲା । ଏମିତି ଖୁସି ସେ ଜୀବନରେ କେବେହେଲେ ଆଉ ହୋଇ ନଥିଲେ । ପୁରୁଷଙ୍କ ଭିତରେ ମେହେତାଙ୍କୁ ସେ ଭାରି ପସନ୍ଦ କରନ୍ତି-। ପୁଣି ତାଙ୍କରି ମୁହଁରୁ ଯେତେବେଳେ ଏ ସବୁ ପ୍ରଶଂସା ଶୁଣିଲେ ଆନନ୍ଦରେ ସେ ପାଗଳ ହୋଇଯାଇ କହିଲେ ଚାଲନ୍ତୁ ତା’ହେଲେ, ମତେ ଟିକିଏ ତାଙ୍କୁ ଦେଖାଇ ଦିଅନ୍ତୁ ।

 

ମେହେତା ସାହେବ ପିଲାର ମଥାରେ ମୁହଁକୁ ଲଗାଇଦେଇ କହିଲେ, ସେଇ ପ୍ରତିମା ତ ଏଇଠି ବସିଛନ୍ତି, ଦେଖାଇ ଦେବି କ’ଣ ?

 

‘କାହିଁ, ମୁଁ ତ କାହାକୁ ଦେଖି ପାରୁ ନାହିଁ ।’

 

‘ଏଇ ମୁଁ ଯାହାଙ୍କ ସଙ୍ଗେ କଥାବାର୍ତ୍ତା କରୁଛି, ସେହି ।’

 

‘ଗୋବିନ୍ଦୀ ବଡ଼ପାଟିରେ କୁହାଟ ମାରିଲା ପରି ହସି ହସି କହିଲେ, କ’ଣ, ଆପଣ ମୋତେ ଏଇ ପ୍ରତିମା ବନେଇଛନ୍ତି ?’

 

ମେହେତା ଭକ୍ତିରେ ନଇଁପଡ଼ି କହିଲେ, ଦେଖନ୍ତୁ, ଆପଣ ମୋ ପ୍ରତି ଏବଂ ନିଜ ପ୍ରତି ଉଭୟଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ଦୁନିଆରେ ଖୁବ୍ କମ୍ ଲୋକ ଅଛନ୍ତି ଯାହାଙ୍କୁ ମୁଁ ଶ୍ରଦ୍ଧା କରେ । ଆପଣ ହେଉଛନ୍ତି ସେହିମାନଙ୍କ ଭିତରୁ ଜଣେ । ଆପଣଙ୍କଠାରେ ଯେଉଁ ଧୈର୍ଯ୍ୟ, ତ୍ୟାଗ, ସେବା ଓ ପ୍ରେମ ଅଛି ଦୁନିଆରେ ତାହା ଆଉ କାହାଠି ନାହିଁ । ମୋ ଜୀବନରେ ସୁଖର ସବୁଠୁ ବଡ଼ କଳ୍ପନା ହେଉଛି ଆପଣଙ୍କ ଭଳି ସ୍ତ୍ରୀଲୋକଙ୍କର ପାଦସେବା କରିବା । ଯେଉଁ ନାରୀତ୍ଵକୁ ମୁଁ ଆଦର୍ଶ ବୋଲି ଭାବେ, ଆପଣ ହେଉଛନ୍ତି ତାର ଜୀବନ୍ତ ପ୍ରତିମା ।

 

ଆନନ୍ଦରେ ଗୋବିନ୍ଦୀଙ୍କ ଆଖିରୁ ଅଶ୍ରୁ ଗଡ଼ିପଡ଼ିଲା । ଭାବିଲେ, ଏ ପ୍ରକାର ଶ୍ରଦ୍ଧାକବଚ ଯାହାପାଇଁ ଅଛି ତା ପକ୍ଷରେ ବିପତ୍ତି ଗୋଟାଏ କ’ଣ ? ଜଣାଗଲା ସତେ ଯେମିତି ତାଙ୍କର ପ୍ରତି ରୋମମୂଳରେ ମୃଦୁ ସଙ୍ଗୀତର ଧାରା ଛୁଟି ଚାଲିଛି ।

 

ମନର ଆନନ୍ଦକୁ ମନ ଭିତରେ ମାରିଦେଇ ଗୋବିନ୍ଦୀ କହିଲେ, ଆପଣଙ୍କୁ ଦାର୍ଶନିକ କଲା କିଏ, ଆପଣଙ୍କର ତ କବି ହେବା ଉଚିତ ଥିଲା ।

 

ମେହେତା ହସି ହସି ସରଳ ମନରେ କହିଲେ, ଆପଣ କ’ଣ ଭାବିଥିଲେ କି ଦାର୍ଶନିକ ନ ହୋଇ କିଏ କବି ହୁଏ ବୋଲି । କବିତାର ଗୋଡ଼ ପରା ହେଉଛି ଦର୍ଶନ ।

 

‘ଆପଣ ତା ହେଲେ ବର୍ତ୍ତମାନ କବି ହେବା ବାଟରେ ଅଛନ୍ତି । କିନ୍ତୁ ମନେ ରଖିଥାନ୍ତୁ କବିଙ୍କ ଜୀବନରେ କେବେ ସୁଖ ନଥାଏ ।’

 

‘କିନ୍ତୁ ଆପଣ ବି ଏକଥା ଜାଣିଥାନ୍ତୁ ଯେ, ଦୁନିଆ ଯାହାକୁ ଦୁଃଖ ବୋଲି କହେ, କବି ତାକୁ କହେ ସୁଖ । ଧନସମ୍ପତ୍ତି କହନ୍ତୁ, ଶକ୍ତି ସୌନ୍ଦର୍ଯ୍ୟ କହନ୍ତୁ, ବିଦ୍ୟାବୁଦ୍ଧି କହନ୍ତୁ, ଯେତେ ସବୁ ଦୁନିଆରେ ବଡ଼ ଜିନିଷ, କବି ଆଖିରେ ସେ ସବୁ କିଛି ନୁହନ୍ତି । କବିର ବଡ଼ ଜିନିଷ ହେଉଛି ଅତୀତର ସ୍ମୃତି, ଭଗ୍ନ ଆଶା, ଭଗ୍ନ ହୃଦୟରେ କରୁଣ ଅଶ୍ରୁ, ସେଇ ହେଉଛି ତାର ସର୍ବଶ୍ରେଷ୍ଠ ସମ୍ବଳ । ଏହି ସବୁରୁ ମମତା ତୁଟିଗଲେ ସେ ଆଉ କବି ହୋଇ ରହିପାରେନା । ଦାର୍ଶନିକ ଏଥିରୁ ଆନନ୍ଦ ଯାଏ, ମାତ୍ର କବି ଏଥିରେ ଆତ୍ମସତ୍ତା ହରାଇ ବସେ । ଆପଣଙ୍କର ମୁଁ ଦୁଇ ଚାରିଟା କବିତା ପଢ଼ିଛି-। ସେଥିରେ ଯେତେ ବ୍ୟଥା, ଯେତେ ଆନନ୍ଦ, ଯେତେ ଅଶ୍ରୁ, ଯେତେ ଉନ୍ମାଦ ଭରି ରହିଛି, ତାହା ମୁଁ କେବଳ ଜାଣେ । ଏତିକି ଦୁଃଖ ହେଉଛି ଯେ ପ୍ରକୃତି ଆପଣଙ୍କ ପରି ଆଉ ଜଣେଅଧେ ସୃଷ୍ଟି ନ କଲା କାହିଁକି ?’

 

ଗୋବିନ୍ଦୀ ହସି ହସି କହିଲେ, ନାହିଁ, ମେହେତା ସାହେବ ଏଗୁଡ଼ା କେବଳ ଆପଣଙ୍କ ମନର ଭ୍ରମ । ଏଭଳି ସ୍ତ୍ରୀ ଆପଣ ରସ୍ତାଘାଟ ସବୁଠି ପାଇବେ । ବରଂ ମୁଁ ସେମାନଙ୍କଠୁ ଅନେକ ଗୁଣରେ କମ୍ । ଯେଉଁ ସ୍ତ୍ରୀ ଆପଣା ପୁରୁଷକୁ ଖୁସି ରଖିପାରେ ନାହିଁ, ଯେ ଆପଣା ସ୍ଵାମୀକୁ ଆପଣାର କରିପାରେ ନାହିଁ, ସେ ଅବା କେଉଁ ସ୍ତ୍ରୀରେ ଗଣା ? ମୁଁ ତ ବେଳେ ବେଳେ ଭାବେ ମାଳତୀଙ୍କଠାରୁ ଏସବୁ ଗୁଣ ମୁଁ କେମିତି ଶିଖନ୍ତି । ମୁଁ ଯେଉଁଠି ହାରିଛି, ସେ ସେଇଠି ଜିତିଛନ୍ତି । ମୁଁ ତ ଆପଣା ଲୋକକୁ ବି ଆପଣାର କରିପାରି ନାହିଁ, କିନ୍ତୁ ସେ ପରକୁ ବି ଆପଣାର କରି ପାରିଛନ୍ତି-। ଇଏ କ’ଣ ଯଥେଷ୍ଟ ଗୌରବର କଥା ନୁହେ ?

 

ମେହେତା ମୁହଁ ମୋଡ଼ିଦେଇ କହିଲେ, ମଦ ମଣିଷକୁ ମୋହ କରିଦିଏ ବୋଲି କ’ଣ ତାହା ପାଣିଠାରୁ ଭଲ ? କିନ୍ତୁ ପାଣି ଯେ ମଣିଷର ଶୋଷ ମାରିଦିଏ, ମଣିଷକୁ ଶାନ୍ତି ଦିଏ, ବଞ୍ଚେଇ ରଖେ ।

 

ଗୋବିନ୍ଦୀ ଥଟ୍ଟା କରି କହିଲେ, ଯାହା କହନ୍ତୁ ପଛେ, ମୁଁ ଯାହା ଦେଖୁଛି ଏ ଯୁଗରେ ତ ପାଣିକୁ କେହି ପଚାରିବାକୁ ନାହିଁ, କିନ୍ତୁ ମଦ ପାଇଁ ଲୋକେ ଘରଦ୍ଵାର ପର୍ଯ୍ୟନ୍ତ ବି ବିକି ଦେଉଛନ୍ତି । ପୁଣି ଯେଉଁ ମଦ ଯେତେ କଡ଼ା, ସେ ସେତିକି ଭଲ । ମୁଁ ତ ଶୁଣୁଛି ଆପଣ ବି ଆଜିକାଲି ଖୁବ୍ ପିଉଛନ୍ତି ?

 

ଲୋକମାନଙ୍କର ଯେ ଆଜିକାଲି ଧର୍ମ ଅଧର୍ମର ବିଚାର ନାହିଁ, ଗୋବିନ୍ଦୀ ମନେ ମନେ ସେହି କଥା ଭାବୁଥିଲେ । କିନ୍ତୁ ମେହେତା ଭାବୁଥିଲେ ଅନ୍ୟ କଥା । ସେ ଯେ ମଦ ଖାନ୍ତି ସେଥିପାଇଁ ତାଙ୍କୁ ଆଜି ଯେତେ ଲାଜ ମାଡ଼ିଲା, ୟାଠୁ ଢେର ବଡ଼ ବଡ଼ ଉପଦେଶ ଶୁଣି ବି କେବେ ତାଙ୍କୁ ଏତେ ମାଡ଼ି ନଥିଲା । କେହି ଯୁକ୍ତି କଲେ ତ ସେ ଯୁକ୍ତିରେ ଲୋକଙ୍କ ମୁହଁ ବଙ୍କା କରି ଦିଅନ୍ତି, କିନ୍ତୁ ଏପରି ନାରୀସୁଲଭ କଅଁଳ କଥାର ବି ଉତ୍ତର ସେ ଦିଅନ୍ତେ । ବରଂ ମନେ ମନେ ତାଙ୍କର ଦୁଃଖ ହେଲା ମାଳତୀଙ୍କୁ ଉପମା ଦେଇ ମଦ କଥା ପକାଇବାର କି ଦରକାର ଥିଲା । ଆପଣା ତଣ୍ଟିକୁ ଆପଣା ଛୁରୀ, ଆଉ କହିବେ କାହାକୁ ? ବିଚରା ବଡ଼ ଲଜ୍ଜିତ ହୋଇ କହିଲେ, ହଁ, ମୁଁ ସ୍ୱୀକାର କରୁଛି ମୁଁ ମଦ ପିଏ, କିନ୍ତୁ ମୁଁ ପିଏ ବୋଲି ଯେ ଖରାପ ଜିନିଷକୁ ଭଲ କହିବି ଏକଥା ନୁହେଁ । ମୁଁ ଆଜିଠାରୁ ଆପଣଙ୍କ ଆଗେ ନିୟମ କରୁଛି ଏ ଜୀବନରେ ଆଉ ବୁନ୍ଦାଟାଏ ହେଲେ ପେଟରେ ପଡ଼ିବ ନାହିଁ ।

 

ଗୋବିନ୍ଦୀ ଟିକିଏ ତୁନୀ ହୋଇଯାଇ କହିଲେ, ଆପଣ ଏମିତି ପ୍ରତିଜ୍ଞା କଲେ କାହିଁକି ? ଆପଣଙ୍କୁ ନିଜ ସୁଖରୁ ବଞ୍ଚିତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଏଥିପାଇଁ ବଡ଼ ଦୁଃଖିତ ।

 

‘ନାହିଁ, ଆପଣଙ୍କର ତ ବରଂ ଖୁସି ହେବା କଥା ଯେ ଆପଣ ଜଣେ ଲୋକଙ୍କୁ ଅନ୍ତତଃ ଉଦ୍ଧାର କରିଦେଲେ ।’

 

‘ମୁଁ କ’ଣ ଆପଣଙ୍କୁ ଉଦ୍ଧାର କରିବି, ମୁଁ ତ ନିଜେ ଉଦ୍ଧାର ହେବାପାଇଁ ଆପଣଙ୍କ ପାଖକୁ ଆସିଛି ।’

 

‘ମୋ ପାଖକୁ ? ହାୟରେ କପାଳ !’

 

ଗୋବିନ୍ଦୀ କରୁଣ ସ୍ଵରରେ କହିଲେ–ହଁ ଆପଣଙ୍କ ପାଖକୁ । ଆପଣଙ୍କ ଛଡ଼ା ତ ମୋତେ ଆଉ କେହି ଦେଖାଯାଉ ନାହାନ୍ତି, କାହା ଆଗରେ ମୁଁ ମନକଥା କହିବି । ଯଦିଓ ଆପଣଙ୍କଠି ଅବିଶ୍ଵାସ ନାହିଁ, ତଥାପି କହିଦେଉଛି ଆପଣ କାହା ଆଗରେ ଏ କଥା ପ୍ରକାଶ କରିବେ ନାହିଁ । ଜୀବନ ଏବେ ମୋ ପକ୍ଷରେ ଅସହ୍ୟ ହୋଇ ପଡ଼ିଲାଣି, ମୋ ହାତରେ ଯେତିକି ସେବା ଶୁଶ୍ରୂଷା ହେବା କଥା ମୁଁ ତ କରିସାରିଛି । ଆଉ କରିବା ଅସମ୍ଭବ । ମାଳତୀ ବର୍ତ୍ତମାନ ମୋର ସର୍ବନାଶ କରିବାପାଇଁ ତିଆର । ତା ଉପରେ ମୋର କୌଣସି ଚାରା ନାହିଁ । ଆପଣଙ୍କୁ ସେ ଯେତେ ଖାତିର କରେ, ଅନ୍ୟ କାହାକୁ କରେ ନାହିଁ । ଆପଣ ଚାହିଲେ ମୋତେ ତା ହାତରୁ ମୁକୁଳାଇ ପାରିବେ । ଏତିକି କରିଦେଲେ ଚିରଦିନ ମୁଁ ଆପଣଙ୍କର ଋଣୀ ହୋଇ ରହିବି । ମୋର ସମସ୍ତ ସୌଭାଗ୍ୟ ସେ ମୋ ହାତରୁ ଛଡ଼ାଇ ନେବା ଉପରେ । ଆପଣ ଯଦି ପାରନ୍ତି, ମୋତେ ରକ୍ଷା କରନ୍ତୁ । ମୁଁ ତ ଆଉ ଘରକୁ ଫେରିବି ନାହିଁ ବୋଲି ଠିକ୍ କରି ଚାଲି ଆସିଥିଲି, କିନ୍ତୁ ହେଲା ନାହିଁ । ଯାହା କହନ୍ତୁ, ନାରୀଜୀବନ ବଡ଼ ଦୁର୍ବଳ, ମେହେତା ସାହେବ ! ମାୟାର ବନ୍ଧନ ତାର ସର୍ବସ୍ଵ । ପ୍ରାଣ ଥାଉଁ ଥାଉଁ ବନ୍ଧନରୁ ମୁକ୍ତ ହେବା ତା ପକ୍ଷରେ ଅସମ୍ଭବ । ମନକଥାକୁ ମୁଁ ଆଜି ଯାଏ ମନ ଭିତରେ ମାରି ରଖିଥିଲି, କିନ୍ତୁ ଆଜି ଫିଟେଇ କହୁଛି । ଆପଣଙ୍କ ପାଖରେ କାନିପାତି ଭିକ୍ଷା ମାଗୁଛି, ଆପଣ ମୋତେ ମାଳତୀ ହାତରୁ ରକ୍ଷା କରନ୍ତୁ । ତାରି ମାୟାରେ ଦିନକୁ ଦିନ ମୁଁ ବଢେ ମାରିଯାଇଛି.......କହୁ କହୁ କାନ୍ଦରେ ଆଉ କଥା ଶୁଭିଲା ନାହିଁ । ଖାଲି ଧାର ଧାର ଲୁହ ବହିବାକୁ ଲାଗିଲା ।

 

ମେହେତା ତାଙ୍କ ସାରା ଜୀବନରେ କେବେହେଲେ ଏଡ଼େ ଉପରକୁ ଉଠି ନଥିଲେ । ଫ୍ରେଞ୍ଚ ଏକାଡ଼େମୀ ତାଙ୍କ ଲେଖାକୁ ସର୍ବଶ୍ରେଷ୍ଠ କହି ପ୍ରଶଂସା କଲାବେଳେ ବି ସେ ଏତେ ଗର୍ବ ଅନୁଭବ କରି ନଥିଲେ । ଯେଉଁ ସ୍ତ୍ରୀଙ୍କୁ ସେ ଦେବୀପ୍ରତିମା ଭାବି ପୂଜା କରୁଥିଲେ ଏବଂ ଜୀବନର ଘଡ଼ିସନ୍ଧି ବେଳେ ଯାହାଙ୍କଠୁ ଆଦେଶ ନେଇ ଜୀବନର ମାର୍ଗ ସ୍ଥିର କରୁଥିଲେ, ସେଇ ଯେତେବେଳେ ଆଜି ନିଜେ ଆସି ଭିକ୍ଷା ଥାଳ ଧରି ବସିଛନ୍ତି, ସେତେବେଳେ ମେହେତାଙ୍କର ମନେହେଲା ସତେ ଯେମିତି ସେ ପର୍ବତକୁ ଡେଇଁଯିବେ କିମ୍ବା ସମୁଦ୍ରକୁ ଅନାୟାସରେ ପାରି ହୋଇଯିବେ । ପିଲା ଯେମିତି କଠଘୋଡ଼ାରେ ବସି ଭାବେ ଯେ ସେ ପବନପ୍ୟାରୀ ପକ୍ଷୀରାଜ ଉପରେ ବସିଛି, ମେହେତାଙ୍କୁ ଠିକ୍ ସେଇମିତି ଲାଗିଲା । କାମ ହାସଲ କରିବାପାଇଁ କେତେ କଷ୍ଟ କରିବାକୁ ପଡ଼ିବ, ସେଥିପାଇଁ କେତେ ନିୟମକୁ ବଳି ଦେବାକୁ ପଡ଼ିବ, ସେ ସବୁ କିଛି ନ ଭାବି ମେହେତା ସାହେବ ଆଶ୍ୱାସନା ଦେଇ କହିଲେ ମୋତେ ତ ଆଦୌ ଜଣା ନ ଥିଲା ମାଳତୀଙ୍କ ଯୋଗୁ ଆପଣଙ୍କୁ ଏତେ କଷ୍ଟ ହୋଇଛି । ଏ କଥା ମନରେ କେବେ ମୁଁ ଭାବି ନାହିଁ କିମ୍ବା କଳ୍ପନା ପର୍ଯ୍ୟନ୍ତ କରିପାରି ନାହିଁ ଯେ ଆପଣ ଏଇଥିପାଇଁ ଏତେ ଦୁଃଖିତ ।

 

ଗୋବିନ୍ଦୀ ଟିକିଏ ସନ୍ଦେହ ପ୍ରକାଶ କରି କହିଲେ କିନ୍ତୁ ଏତିକି ମନେ ରଖିଥିବେ, ବାଘୁଣୀ ହାତରୁ ତା ଶିକାର ଛଡ଼େଇ ନେବା କିଛି ସହଜ କାମ ନୁହେଁ ।

 

ମେହେତା ଦୃଢ଼ ହୋଇ କହିଲେ ନାରୀର ହୃଦୟ ପୃଥିବୀ ପରି ବହୁରୂପୀ । ସେଥିରେ ମିଠା ବି ଅଛି, ପିତା ବି ଅଛି । ତା ଦେହରେ ଯେମିତି ମଞ୍ଜି ପଡ଼ିବ, ସେମିତି ସ୍ଵାଦ ବାହାରିବ ।

 

ଆପଣ ହୁଏତ ମନେ ମନେ ଦୁଃଖ କରିବେ, କାହିଁକି ମୋ ସଙ୍ଗେ ଆଜି ଦେଖା ହେଲା ।

 

‘କିନ୍ତୁ ଆପଣ ବିଶ୍ୱାସ କରନ୍ତୁ ମୁଁ ତ ଭାବୁଛି ମୋ ଜୀବନରେ ଆଜିଠାରୁ ଅଧିକ ଆନନ୍ଦର ଦିନ ଆଉ କେବେ ଆସି ନାହିଁ ।’

 

‘ମୋର ଦୁଃଖ, ଆପଣଙ୍କ ମୁଣ୍ଡରେ ଆଜି ମୁଁ ଏଡ଼େ ବଡ଼ ଭାର ଲଦିଦେଲି ।

 

ମେହେତା ଶ୍ରଦ୍ଧା ପ୍ରକାଶ କରି ମଧୁର ଭାବରେ କହିଲେ, ଆପଣ ମୋତେ ଆଉ ଲଜ୍ୟା ଦିଅନ୍ତୁ ନାହିଁ । ମୁଁ ତ ଆପଣଙ୍କୁ କହି ସାରିଛି, ମୁଁ ଆପଣଙ୍କର ଜଣେ ସେବକ ମାତ୍ର । ଆପଣଙ୍କର ଉପକାର କରୁ କରୁ ଯଦି ମୋର ଜୀବନ ଚାଲିଯାଏ, ତେବେ ମୁଁ ନିଜକୁ ଭାଗ୍ୟବାନ ମନେକରିବି । ଆପଣ ୟାକୁ ଯେମିତି କବିଙ୍କର ଭାବବିହ୍ୱଳତା ବୋଲି ନ ଭାବନ୍ତି । ଇଏ ହେଉଛି ମୋ ଜୀବନର ନିରାଟ ସତ୍ୟ । ପ୍ରକୃତରେ ମୋ ଜୀବନର ଆଦର୍ଶ କଣ ସେ କଥା ଆଜି ଆପଣଙ୍କୁ ନ କହି ରହିପାରୁ ନାହିଁ । ମୁଁ ପ୍ରକୃତିର ପୂଜାରୀ, ମନୁଷ୍ୟକୁ ତାର ପ୍ରକୃତ ରୂପରେ ଦେଖିବାକୁ ଚାହେଁ । ମୁଁ ସେହି ମନୁଷ୍ୟକୁ ପସନ୍ଦ କରେ, ଯେ ସୁଖ ବେଳେ ହସେ, ଦୁଃଖ ବେଳେ କାନ୍ଦେ ଏବଂ ରାଗବେଳେ ମାରିବାକୁ ବସେ । କିନ୍ତୁ ଯେଉଁମାନେ ସୁଖ ଦୁଃଖ ଉଭୟଙ୍କୁ ଦମନ କରି କାନ୍ଦିବାକୁ ଦୁର୍ବଳତା ବୋଲି ଭାବନ୍ତି, ହସିବାକୁ ଗଭୀରତାର ଅଭାବ ବୋଲି ଭାବନ୍ତି, ସେମାନଙ୍କୁ ମୁଁ ଆଦୌ ପସନ୍ଦ କରେ ନାହିଁ । ଜୀବନ ମୋ ପକ୍ଷରେ ଏକ ସରଳ ସ୍ଵଚ୍ଛନ୍ଦ କ୍ରୀଡ଼ା, ଯହିଁରେ ହିଂସା, ଦ୍ଵେଷ ଅହଙ୍କାରର ପ୍ରଶ୍ନ ନାହିଁ । ମୁଁ ଅତୀତ କିମ୍ବା ଭବିଷ୍ୟତ କଥା କେବେହେଲେ ଚିନ୍ତା କରେ ନାହିଁ । ବର୍ତ୍ତମାନ ହିଁ ମୋର ସର୍ବସ୍ୱ । ଅତୀତ କଥା ଭାବିବସିଲେ ଆପେ ଆପେ ଅଣ୍ଟା ଭାଙ୍ଗିପଡ଼େ । ଭବିଷ୍ୟତ କଥା ଭାବିବସିଲେ ମନ ଭୟରେ ଅସ୍ଥିର ହୋଇଯାଏ । ସହଜେ ତ ଜୀବନର ଶକ୍ତି ଏତେ କ୍ଷୀଣ, ତାକୁ ପୁଣି ଭୂତ ଓ ଭବିଷ୍ୟତ ଆଡ଼କୁ ବିସ୍ତାର କରିଦେଲେ ତାହା ଆହୁରି କ୍ଷୀଣ ହୋଇପଡ଼େ । ଅତୀତର ପରମ୍ପରା, ଇତିହାସ ତଥା ବିଶ୍ୱାସର ବ୍ୟର୍ଥ ବୋଝକୁ କାନ୍ଧରେ ବହି ଆମେମାନେ ଅକାରଣରେ ଭାରଗ୍ରସ୍ତ ହୋଇ ବସିଛେ । ଉଠିବାର ଶକ୍ତି ନାହିଁ, କିମ୍ବା ଚେଷ୍ଟା ପର୍ଯ୍ୟନ୍ତ ବି କରିବାର ଇଚ୍ଛା ନାହିଁ । ମନୁଷ୍ୟ ଧର୍ମକୁ ପୂର୍ଣ୍ଣ କରିବା ପାଇଁ ମନୁଷ୍ୟର ଯେଉଁ ଶକ୍ତି ଆବଶ୍ୟକ ତାହା ବୃଥାରେ ଭାଇ ବନ୍ଧୁଙ୍କର ମାୟାମମତାରେ, ବାପଦାଦିଙ୍କର ଋଣ ଶୁଝିବାରେ ହିଁ ଶେଷ ହୋଇଯାଇଛି । ପୁଣି ଭଗବାନ ତଥା ମୋକ୍ଷ ପ୍ରଭୃତି ଯେଉଁ ବାଜେ କଥାର ସୁଆଙ୍ଗ ଚାଲିଛି, ତାକୁ ଦେଖିଲେ ପୁଣି ହସ ନ ମାଡ଼ିବ କାହାକୁ ? ମୋକ୍ଷ ଏବଂ ଉପାସନା ହେଉଛି ମନୁଷ୍ୟ ଅହଙ୍କାରର ଚରମ ନିଦର୍ଶନ, ସେଇଥିରେ ଆମମାନଙ୍କର ମନୁଷ୍ୟତା ହିଁ ନଷ୍ଟ ହେଉଛି । ଯେଉଁଠି ଜୀବନ ଅଛି, କ୍ରୀଡ଼ା ଅଛି, କୋଳାହଳ ଅଛି, ପ୍ରେମ ଅଛି, ସେଇଠି ପ୍ରକୃତରେ ଭଗବାନ ଅଛନ୍ତି । ଜୀବନକୁ ଶୁଖି କରିବା ପାଇଁ ଚେଷ୍ଟା କରିବା ହିଁ ପ୍ରକୃତ ମୋକ୍ଷ, ପ୍ରକୃତ ଉପାସନା । ଜ୍ଞାନୀ କହେ, ଓଠରେ ହସ ଫୁଟିବା ଉଚିତ୍ ନୁହେଁ କିମ୍ବା ଆଖିରୁ ଲୁହ ଝରିବା ଉଚିତ୍ ନୁହେଁ । କିନ୍ତୁ ମୁଁ କହେ ଯଦି କେହି ହସିପାରେ ନାହିଁ, କିମ୍ବା କାନ୍ଦିପାରେ ନାହିଁ, ମନୁଷ୍ୟ ନୁହେଁ, ସେ ପଥର । ଯେଉଁ ଜ୍ଞାନ ମନୁଷ୍ୟକୁ କେବଳ ପେଶି ପକାଏ, ତାହା ଜ୍ଞାନ ନୁହେଁ, ତାହା ଗୋଟାଏ ଘୃଣା । ଆଚ୍ଛା, କ୍ଷମା କରିବେ ମୁଁ ଗୋଟାଏ ପୁରା ବକ୍ତୃତା ଦେଇ ସାରିଲିଣି । ଡେରି ହେଉଛି, ଚାଲନ୍ତୁ ମୁଁ ଆପଣଙ୍କୁ ଛାଡ଼ିଦେଇ ଆସିବି । ପିଲାଟି ବି ମୋ କୋଳରେ ଶୋଇ ପଡ଼ିଲାଣି ।

 

ଗୋବିନ୍ଦୀ କହିଲେ, ମୁଁ ତ ଗୋଟାଏ ଟାଙ୍ଗା ନେଇକରି ଆସିଛି ।

 

‘ନାହିଁ ଟାଙ୍ଗାକୁ ମୁଁ ବିଦାକରି ଦେଇଛି ।’

 

ମେହେତା ଟାଙ୍ଗାବାଲାକୁ ପଇସା ଦେଇ ଫେରିଆସିଲା ପରେ ଗୋବିନ୍ଦୀ ଦେବୀ କହିଲେ, କିନ୍ତୁ ଆପଣ ମୋତେ କେଉଁଠିକି ନେଇଯିବେ ବୋଲି ଭାବୁଛନ୍ତି ?

 

ମେହେତା ଚମକିପଡ଼ି କହିଲେ, କାହିଁକି, ଆପଣଙ୍କ ଘରଠିକି ନେଇଯିବି ।

 

‘ସେ ଘର ଆଉ ମୋର ନୁହେଁ, ମେହେତା ସାହେବ !’

 

‘ଆଉ କ’ଣ ସେଟା ଖନ୍ନା ସାହେବଙ୍କ ଘର ?’

 

‘ଏଥିରେ ଆଉ ପଚାରିବାର କ’ଣ ଅଛି, ଯେଉଁ ଘରେ ଖାଲି ଅପମାନ, ଖାଲି ଧିକ୍କାର ମିଳେ, ତାକୁ ନିଜର କହିବାର ଲାଭ କ’ଣ ?

 

ମେହେତା ସାହେବ ଆନ୍ତରିକ ଦୁଃଖପ୍ରକାଶ କରି କହିଲେ, ନାହିଁ, ତାହା କଦାପି ସମ୍ଭବ ନୁହେଁ । ସେ ଘର ଆପଣଙ୍କ ଛଡ଼ା ଆଉ କାହାର ନୁହେଁ । କେବଳ ଆଜି ନୁହେଁ, ସବୁଦିନେ ସେ ଆପଣଙ୍କର ହୋଇ ରହିବ । ଆପଣ ସେ ଘରକୁ ତିଆର କରିଛନ୍ତି, ସେ ଘରର ଲୋକଙ୍କୁ ବି ତିଆର କରିଛନ୍ତି । ଆପଣ ହେଉଛନ୍ତି ପ୍ରକୃତରେ ସେ ଘରର ଜୀବନ । ପ୍ରାଣ ଗଲେ ପିଣ୍ଡ ଯେମିତି ଅକାରଣ, ଆପଣ ଚାଲିଗଲେ ସେ ଘର ସେମିତି ଅକାରଣ ହୋଇଯିବ । ମା’ ହେବାଠାରୁ ବଳି ଉଚ୍ଚ ଆସନ ଆଉ ଦୁନିଆରେ ଅଛି କ’ଣ ? କିନ୍ତୁ ଉଚ୍ଚ ଆସନରେ ରହି ଅପମାନ ସହିବାକୁ ନ ପଡ଼େ କାହାକୁ ? ସେବା, ତ୍ୟାଗ ତ ମା’ର ଧର୍ମ ! ଯା ହାତରେ ଏତେ ଶକ୍ତି ଅଛି ତା ଉପରେ କିଏ ରୁଷିଲା, କିଏ ବିଗିଡ଼ିଲା ସେଥିରେ ତା’ର ଯାଏଆସେ କେତେ ? ପ୍ରାଣ ଛଡ଼ା ପିଣ୍ଡ ଯେମିତି ରହିପାରେ ନାହିଁ, ସେମିତି ପିଣ୍ତ ଛଡ଼ା ପ୍ରାଣର ରହିବା ପାଇଁ ଅନ୍ୟସ୍ଥାନ ମଧ୍ୟ ନାହିଁ । ସେବାଧର୍ମ ବିଷୟରେ ମୋ ଭଳି ଲୋକ ଆପଣଙ୍କୁ କି ଉପଦେଶ ଦେବ ? ଆପଣ ତ ନିଜେ ହେଉଛନ୍ତି ସେବାଧର୍ମର ଜୀବନ୍ତ ପ୍ରତିମା । ମୁଁ କେବଳ ଏତିକି କହିପାରେ....

 

ଗୋବିନ୍ଦୀ ଦେବୀ ଅଧୀର ହୋଇ କହିଲେ, ମୁଁ ତ କେବଳ ମା’ ନୁହେଁ, ମୁଁ ତ ପୁଣି ଜଣେ ସ୍ତ୍ରୀ !

 

ମେହେତା ଟିକିଏ ଅଟକି ଯାଇ ପୁଣି କହିଲେ, ହଁ, ସେ କଥା ସତ । କିନ୍ତୁ ମୁଁ ତ ଭାବେ ନାରୀ ପ୍ରଥମେ ମା’, ତା ପରେ ଆଉ ଯାହା କିଛି । ଆଉ ସବୁ ଯେତେକଥା ସେ ସବୁ ମା’ ହେବା ତଳେ । ଦୁନିଆରେ ମା’ ହେବା ସବୁଠୁ ବଡ଼ ସାଧନା, ବଡ଼ ତପସ୍ୟା, ସବୁଠୁ ବଡ଼ ତ୍ୟାଗ ତଥା ଜୀବନର ଜୟ । ଗୋଟିଏ କଥାରେ ଏହାକୁ ମୁଁ ଜୀବନ ତଥା ବ୍ୟକ୍ତିତ୍ଵ ଓ ନାରୀତ୍ଵର ଶେଷ ଲକ୍ଷ୍ୟ ବୋଲି କହିବି । ଖନ୍ନାଙ୍କ ବିଷୟରେ ଆପଣ ଏତିକି ଜାଣନ୍ତୁ ଯେ ସେ ଆଉ ଆପଣା ଆୟତ୍ତରେ ନାହାନ୍ତି । ସେ ଯାହାକିଛି କହୁଛନ୍ତି ବା କରୁଛନ୍ତି ସବୁ ନିଶା ଦାଉରେ । କିନ୍ତୁ ସେ ନିଶା ଛାଡ଼ିବାକୁ ଆଉ ବେଶିଦିନ ନାହିଁ । ନିଶା ଛାଡ଼ିଗଲେ ପୁଣି ସେ ଆପଣଙ୍କୁ ଇଷ୍ଟଦେବୀ ବୋଲି ଆପେ ଆପେ ମାନିବାକୁ ବାଧ୍ୟ ହେବେ, ଯିବେ କୁଆଡ଼େ ?

 

ଗୋବିନ୍ଦୀ ୟା’ର କୌଣସି ଉତ୍ତର ନ ଦେଇ ଆସ୍ତେ ଆସ୍ତେ ମଟର ପାଖକୁ ଚାଲିଲେ । ମେହେତା ଆଗରେ ଯାଇ ମଟର ଦରଜା ଖୋଲିଦେଲେ । ଗୋବିନ୍ଦୀ ଯାଇ ବସିବା ପରେ ମଟର ଚାଲିଲା । ଦିହିଁକି ଦିହେଁ ତୁନୀହୋଇ ବସିଲେ ।

 

ଘରେ ପହଞ୍ଚି ଗୋବିନ୍ଦୀ ଦେବୀ ଯେତେବେଳେ ଗାଡ଼ିରୁ ଓହ୍ଲାନ୍ତି, ବିଜୁଳି ଆଲୁଅରେ ମେହେତା ଦେଖିଲେ ତାଙ୍କ ଆଖିରେ ଲୁହ ଭରି ଯାଇଛି ।

 

ପୁଅ ଝିଅ ସବୁ ମା’, ମା’ ବୋଲି ଘର ଭିତରରୁ ଦୌଡ଼ି ଆସିଲେ । ମାତୃତ୍ଵର ଉଜ୍ଜ୍ୱଳ ଆଲୋକ ଗୋବିନ୍ଦୀଙ୍କ ମୁହଁରେ ପୁଣି ଫୁଟି ଉଠିଲା । ତା ପରେ ମେହେତା ସାହେବଙ୍କୁ ସେ କହିଲେ–ଏ କଷ୍ଟ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ । ଏତିକି କହି ସେ ମୁହଁକୁ ତଳକୁ ପୋତିଦେଲେ । ଦୁଇଧାର ଲୁହ ଗଣ୍ଡଦେଶ ଦେଇ ଝରି ପଡ଼ିଲା ।

 

ମେହେତାଙ୍କ ଆଖି ବି ଛଳଛଳ ହୋଇଗଲା, ଏତେ ଧନସମ୍ପତ୍ତି, ଏତେ ଭୋଗବିଳାସ ଭିତରେ ବିଚାରୀ କେଡ଼େ ହତଭାଗିନୀ, କେଡ଼େ ଦୁଃଖୀ ସତେ !

Image

 

Unknown

ଉନବିଂଶ ପରିଚ୍ଛେଦ

 

ମିର୍ଜା ସାହେବଙ୍କ ଘରେ ସବୁ ପ୍ରକାର କାମ ହୁଏ । ସେଠି କଚେରୀ ହୁଏ, କ୍ଲବ ହୁଏ, ଆଖଡ଼ା ବି ହୁଏ । ସେଥିପାଇଁ ଦିନରାତି ସେଠି ଲୋକଗହଳି ଲାଗି ରହିଥାଏ । ପଡ଼ା ଭିତରେ ଆଖଡ଼ା ପାଇଁ କେଉଁଠି ଜାଗା ନଥିବାରୁ ମିର୍ଜା ସାହେବ ଖଣ୍ଡେ ଜାଗା ଛପର କରିଦେଇ ତାକୁ ଆଖଡ଼ା କରି ଦେଇଥିଲେ । ସେଠି କୁସ୍ତି ଶିଖିବା ପାଇଁ ପ୍ରତିଦିନ ଶହେ ପଚାଶ ଲୋକ ଆସି ଜମା ହୁଅନ୍ତି । ମିର୍ଜା ସାହେବ ନିଜେ ବି ତାଙ୍କ ସଙ୍ଗେ କୁସ୍ତି ଲଢ଼ନ୍ତି । ଆଖଡ଼ା ଛଡ଼ା ସେଠି ପଞ୍ଚାୟତ ବି ବସେ । ସ୍ଵାମୀ, ସ୍ତ୍ରୀ, ଭାଇ ଭଗାରୀ ଯାବତୀୟ କଳି ମଧ୍ୟ ସେଇଠି ତୁଟେ । ମିର୍ଜା ସାହେବଙ୍କ ଘର ପ୍ରକୃତରେ ସବୁ ପ୍ରକାର ଆଡ଼ାର ଗୋଟିଏ କେନ୍ଦ୍ରସ୍ଥଳୀ । ଯେତେବେଳେ ଦେଖିବ ସେଠି ସଭା; ସେଇଠି ସ୍ଵୟଂସେବକ ଗଢ଼ା ହୁଅନ୍ତି, ସେଇଠି ସେମାନଙ୍କର ପ୍ରୋଗ୍ରାମ ବି ତିଆରି ହୁଏ । ସହରର ସବୁ ରାଜନୀତିର ସୂତ୍ର ସେଇଠି ଖଞ୍ଜା ହୁଏ । ଗଲା ସଭାରେ ଯେଉଁଦିନୁ ମାଳତୀ ସହର କଂଗ୍ରେସ କମିଟୀର ସଭାପତି ବଛା ହେଲେଣି, ସେଦିନୁ ସେ ଜାଗାର ରଙ୍ଗଢ଼ଙ୍ଗ ଆହୁରି ମଧ୍ୟ ବଢ଼ି ଯାଇଛି ।

 

ଗୋବରାକୁ ଏଠିକି ଆସିବାର ଆଜିକୁ ବର୍ଷେ ହୋଇଗଲାଣି । ସେ ଆଉ ସେମିତି ମଫସଲିଆ ହୋଇ ରହିନାହିଁ । ବହୁତ କଥା ଆଖିରେ ଦେଖିଲାଣି, ବହୁତ ଜାଣିଲାଣି, ତଥାପି ଉପରଟା ସିନା ବଦଳି ଯାଇଛି, ଭିତରଟା ସେମିତି ମଫସଲିଆ ହୋଇ ରହିଛି । ପଇସାଟିଏ ହେଲେ ଦାନ୍ତରେ କାମୁଡ଼ି ଧରିଥିବ, ଆପଣା ସ୍ୱାର୍ଥ ଏତେଟିକେ ବି ଛାଡ଼ିବ ନାହିଁ, କି କାମରେ କେବେ ଖଟା କରିବ ନାହିଁ । ତଥାପି ସହର ପବନ ତା’ଠି ବାଜିଗଲାଣି, ଏଥିରେ ଏତେ ଟିକେ ସନ୍ଦେହ ନାହିଁ । ପହିଲେ ପହିଲେ ତ ସେ ଖୁବ୍ କାମକରି ଅଧାପେଟ ଖାଇ କିଛି ପଇସା ବଞ୍ଚେଇ ନେଲା । ସେଇ ପଇସାରେ ଆଳୁ ତରକାରୀ, ଚଣାଚୁର ଏବଂ ଦହିବରା ପ୍ରଭୃତି କରି ବିକିଲା । ସେଥିରେ ବେଶି ଲାଭ ହେବାର ଦେଖି ଚାକିରି ଛାଡ଼ିଦେଇ ସେଇ କାମ କଲା । ଖରାଦିନ ହେବାରୁ ପୁଣି ଗୋଟାଏ ସର୍ବତ୍ ଦୋକାନ ଖୋଲିଲା । ଗରାକଙ୍କୁ ସେଭଲ ଦିଆନିଆ କରେ ବୋଲି ତା’ରି ପାଖରେ ସବୁ ଆସି ଜୁଟନ୍ତି । ପୁଣି ଯେମିତି ଶୀତଦିନ ଆସିଲା, ସର୍ବତ ଦୋକାନ ଭାଙ୍ଗିଦେଇ ଚା ଦୋକାନ ଖୋଲିଦେଲା । ଏଣିକି ଦିନକୁ ଦୁଇ ତିନି ଟଙ୍କା ରୋଜଗାର ହେବାରୁ ସେ ସାହେବଙ୍କ ପରି ଆଲବେଟୀ ଫେସନରେ ବାଳ କାଟି, ସରୁଲୁଗା ପିନ୍ଧି, ଯୋତା ମଡ଼େଇ, ଦେହରେ ନାଲି ଚଦର ପକାଇ ବିଡ଼ି ସିଗାରେଟ ଖାଇବାକୁ ଆରମ୍ଭ କରିଦେଲା । ଏଣେ ତେଣେ ସଭାସମିତି ଦେଖି ଦେଖି ରାଜନୀତିରେ ଜ୍ଞାନ ବି ଟିକିଏ ହୋଇଗଲା । ଦେଶ, ଜାତି କଥା ସବୁ ଟିକିଏ ବୁଝିଗଲା । ତେଣୁ ପୁରୁଣା ସାମାଜିକ ପ୍ରଥାପ୍ରତି ତାର ଡର ଟିକିଏ କମିଗଲା, ଲୋକନିନ୍ଦାରୁ ଭୟ ଛାଡ଼ିଗଲା । ଯେଉଁ କଥାକୁ ଡରିକରି ସେ ଗାଁ ଛାଡ଼ି ପଳାଇ ଆସିଥିଲା, ଦେଖିଲା ସେଗୁଡ଼ା ସହରରେ ସବୁଦିନ ହେଉଛି, ତାଠୁ ଢେର ଖରାପ କଥା ବି ହେଉଛି । କିନ୍ତୁ କେହି ତ କୁଆଡ଼େ ଘରଛାଡ଼ି ପଳାଇ ଯାଉନାହିଁ ! ତା’ ହେଲେ ସେ କାହିଁକି ଏତେ ଡରିବ, କାହିଁକି ମୁହଁ ଲୁଚେଇ ରହିବ ?

 

ଆଜିଯାଏ ସେ ଘରକୁ ପଇସାଟିଏ ବି ପଠାଇ ନଥିଲା, କାରଣ ସେ ଜାଣେ ବାପ ମା’ ଦିହିଁଙ୍କି ଦିହେଁ ପଇସା ଖରଚ କରି ଜାଣନ୍ତି ନାହିଁ । ପଇସା ପାଇଲାମାତ୍ରେ ବାପା ତାର ଗୟାତୀର୍ଥ କରି ବାହାରିବ, ମା’ ଗହଣା ଗଢ଼େଇ ବସିବ । ଏସବୁ କରିବା ପାଇଁ ତା ପାଖେ ପଇସା କାହିଁ ? ଏବେ ତ ସେ ଜଣେ ଛୋଟ ମୋଟିଆ ମହାଜନ । ରିକ୍‍ସାବାଲା, ଗାଡ଼ିବାଲା, ଧୋବା, ଭଣ୍ଡାରୀ ଏମାନଙ୍କଠୁ ସୁଧ ନେଇ ପଇସା କରଜ ଦିଏ । ଦଶ ଏଗାର ମାସରେ ଆପଣା ମିହନ୍ତ ଫଳରେ ସେଠି ସେ ଖୁବ୍ ଜମେଇ ନେଇଥିଲା, ଏବେ ଭାବୁଥିଲା ଝୁନିଆକୁ ନେଇଆସି ପାଖରେ ରଖିବ ।

 

ଉପରଓଳି ସମୟ । ପାଣିକଳରେ ଗାଧୋଇ ଆସି ଗୋବରା ବସି ରାତିପାଇଁ ଆଳୁ ଦି’ଟା ସିଝାଉଥିଲା, ଦେଖିଲା ମିର୍ଜା ସାହେବ ଆସି ଦୁଆରେ ହାଜର । ବର୍ତ୍ତମାନ ସେ ମିର୍ଜାଙ୍କର ଚାକର ନଥିଲେ ବି ମାଲିକ ପରି ତାଙ୍କୁ ଖାତିର କରୁଥିଲା । ତାଙ୍କୁ ଦେଖିଲା ମାତ୍ରେ ସଙ୍ଗେ ସଙ୍ଗେ ଆସି ତାଙ୍କ ପାଖରେ ଛିଡ଼ା ହୋଇ କହିଲା–କ’ଣ ହୁକୁମ ଦେଉଛନ୍ତି ହଜୁର ?

 

ମିର୍ଜା ସାହେବ ଠିଏଁ ଠିଏଁ କହିଲେ–ତୋ ପାଖରେ ଯଦି କିଛି ପଇସା ଅଛି ଦେଇ ଦେଇଥା । ତିନିଦିନ ହେଲା ବୋତଲ ଖାଲି ଗଡ଼ୁଛି, ମୋତେ ଭାରି ବେରାମ ଲାଗୁଛି ।

 

ମିର୍ଜା ସାହେବ ଆଗରୁ ଦି’ ତିନିଥର ଏମିତି ପଇସା ନେଇ କରି ସୁଝି ନଥିଲେ । ସେଥିପାଇଁ ଗୋବରାକୁ ମାଗିବାପାଇଁ ମନେ ମନେ ତାଙ୍କୁ ଡର ମାଡ଼ୁଥିଲା । ତା ଛଡ଼ା ନେଲେ ତ ତାଙ୍କର ଆଉ ସୁଝିବାକୁ ମନେ ପଡ଼େ ନାହିଁ କିମ୍ବା ତାଙ୍କ ପାଖରେ କେତେବେଳେ ହେଲେ ପଇସା ରହେ ନାହିଁ । ୟାଡ଼ୁ ଆସି ସିଆଡ଼େ ଚାଲିଯାଏ । ଗୋବରା ତ ପାଟି ଫିଟାଇ କହିପାରେ ନାଇଁ ଯେ ତା’ ପାଖରେ ପଇସା ନାହିଁ, କିମ୍ବା ସେ ଦେଇ ପାରିବ ନାହିଁ ବରଂ ବାଆଁରେଇ କରି କହେ, ହଜୁର କାହିଁକି ସେ ମଦଗୁଡ଼ା ପିଉଛନ୍ତି, କାହିଁକି ଛାଡ଼ି ଦେଉ ନାହାନ୍ତି, ହଜୁରଙ୍କୁ ଅବା ସେଥିରୁ କି ଲାଭ ମିଳୁଛି ?

 

ମିର୍ଜା ସାହେବ ଘର ଭିତରକୁ ପଶିଆସି ଗୋବରାର ଖଟ ଉପରେ ବସିପଡ଼ି କହିଲେ, ତୁ କ’ଣ ଭାବିଛୁ, ମୁଁ ଛାଡ଼ିବାକୁ ଚାହୁ ନାହିଁ ? ଖାଲି ସଉକିରେ ପିଉଛି ? ଅସଲ କଥା ହେଉଛି, ୟାକୁ ଛାଡ଼ିଦେଲେ ମୁଁ ବଞ୍ଚି ପାରିବି ନାହିଁ । ତୋ ପଇସା ପାଇଁ ତୁ ଡର ନାହିଁ । ମୁଁ ଅଧଲା ପାହୁଲା କରି ତୋ ହିସାବ ସବୁ ଛିଣ୍ଡାଇ ଦେବି ।

 

ଗୋବରା ଅବିଚଳିତ ହୋଇ କହିଲା, ହଜୁର, ମୋ ପାଖରେ ପଇସା ଥିଲେ ମୁଁ ହଜୁରଙ୍କୁ ନାହିଁ କରନ୍ତି ?

‘ଦି’ଟା ଟଙ୍କା ବି ହବ ନାହିଁ ?’

‘ଏଇନେ ତ ପାଖରେ କିଛି ନାହିଁ ।’

‘ତା ହେଲେ ମୋ ମୁଦିଟା ବନ୍ଧା ରଖ ।’

ଗୋବରାର ଭାରି ମନହେଲା, ହେଲେ ଆଗ ନାହିଁ କରି ପୁଣି କେଉଁ ମୁହଁରେ ହଁ କରନ୍ତା-! ତା ପରେ କହିଲା, ହଜୁର, ଏକଥା କାହିଁକି କହୁଛନ୍ତି । ପଇସା ଥିଲେ ତ ସେମିତି ଦେଇ ଦିଅନ୍ତି, ହଜୁରଙ୍କଠୁ ମୋ ଭଳିଆ ଲୋକ ମୁଦି ରଖନ୍ତା ?

ମିର୍ଜା ସାହେବ ବଡ଼ ଦୀନତା ପ୍ରକାଶ କରି କହିଲେ, ମୁଁ ଆଉ ତତେ କେବେ ମାଗିବି ନାହିଁ । ବର୍ତ୍ତମାନ ମୋର ଛିଡ଼ା ହେବାକୁ ବି ବଳ ପାଉ ନାହିଁ । ମଦ ପିଇ ପିଇ ମୁଁ ଲକ୍ଷ ଟଙ୍କାର ସମ୍ପତ୍ତି ଉଡ଼ାଇ ଦେଇ ଆଜି ଭିକାରୀ ହୋଇ ବସିଛି । ସେଥିପାଇଁ ଆଜି ମୁଁ ଜିଦ୍ ଧରି ବସିଛି, ସବୁ ଯେତେବେଳେ ଗଲାଣି ଆଉ କାହିଁକି ? ଭିକ ମାଗିବି ପଛେ ନିଶ୍ଚୟ ପିଇବି ।

ଶେଷରେ ଯେତେବେଳେ ଗୋବରା ବିଲକୁଲ୍ ମନା କରିଦେଲା ମିର୍ଜା ସାହେବ ନିରାଶ ହୋଇ ଚାଲିଗଲେ । ସହର ଭିତରେ ହଜାରେ ସାଙ୍ଗସାଥୀ । ତାଙ୍କରି ଯୋଗୁ ଆଜି କେତେ କୁବେର ମହାଜନ । କେତେ ଲୋକଙ୍କୁ ସେ କଷ୍ଟରୁ ବଞ୍ଚେଇଛନ୍ତି, କିନ୍ତୁ କାହା ପାଖକୁ ଯିବାକୁ ତାଙ୍କର ମନ ଟେକିଲା ନାହିଁ । ତାଙ୍କୁ ତ ଏମିତି କେତେ ଉପାୟ ମାଲୁମ ଥିଲା । ଥରକେ ହଜାର ହଜାର ଟଙ୍କା ଗଦାହୋଇ ଯାଉଥିଲା । କିନ୍ତୁ ତାଙ୍କ ପାଖରେ ପଇସା ରହେ ନାହିଁ । ହାତରେ ପଇସା ଥିଲାଯାକ କଣ୍ଟା ଫୋଡ଼ିହେଲା ପରି ଲାଗେ । କୌଣସି ଉପାୟରେ ଖର୍ଚ୍ଚ ନ ହେଲାଯାକେ ମନରେ ତାଙ୍କର ଶାନ୍ତି ଆସେ ନାହିଁ ।

ଗୋବରା ଆସି ଆଳୁ ଛଡ଼େଇବାକୁ ଲାଗିଲା । ବରଷକ ଭିତରେ ସେ ଏମିତି ହିସାବୀ, ଏମିତି ଚାଲାକ ହୋଇଗଲାଣି ଦେଖି ତାକୁ ନିଜକୁ ବି ଆଶ୍ଚର୍ଯ୍ୟ ଲାଗୁଥିଲା । ସେ ଯେଉଁ ଘରେ ରହୁଥିଲା ସେଟା ମିର୍ଜା ସାହେବ ତାକୁ ଦେଇଥିଲେ । ସେ ଘର ଓ ବାରଣ୍ଡା ଦି’ଟା ଯାକ ଭଡ଼ା ଲାଗିଥିଲେ ଯେମିତି ହେଲେ ମାସକୁ ପାଞ୍ଚଟଙ୍କା ଭଡ଼ା ଉଠୁଥାନ୍ତା । ଗୋବରା ସେଠି ବରଷେ ହେଲା ରହିଲାଣି କିନ୍ତୁ ପଇସାଟାଏ କେବେ ଦେଇନି କି ମିର୍ଜାଙ୍କର କେବେ ମାଗିବାକୁ ବି ମନେ ନାହିଁ । ମିର୍ଜା ସାହେବଙ୍କର ବୋଧେ ମୋଟେ ଖିଆଲ ନ ଥିଲା ଯେ ସେ ଘରୁ ଭଡ଼ା ବି ମିଳିପାରେ-

ସେଇ ଟିକିଏ ପରେ ଆଲାଦୀନ୍ ବୋଲି ଜଣେ ଟାଙ୍ଗାବାଲା ଆସି ପହଞ୍ଚିଲା । ତା ଝିଅ ଯିବ ବୋଲି ତା’ର ପାଞ୍ଚଟା ଟଙ୍କା ଦରକାର ଥିଲା । ସେ ମାଗିଲା ମାତ୍ରେ ଗୋବରା ଟଙ୍କାକୁ ଅଣାଏ ସୁଧରେ ସେହି ଲାଗେ ପାଞ୍ଚଟଙ୍କା ଗଣିଦେଲା ।

ଆଲାଦୀନ୍ ଆଶୀର୍ବାଦ କରି କହିଲା, ଆରେ ଭାଇ ! ପିଲାଛୁଆଙ୍କୁ ନେଇ ଆସ, କେତେଦିନ ଏମିତି ହାତରେ ରୋଷେଇ କରି ଚଳୁଥିବ ?

ଗୋବରା ସହର ବଜାର ଖର୍ଚ୍ଚ କଥା କହି ବସିଲା–ଏତିକି ଅଳପ ରୋଜଗାରରେ ପିଲାଛୁଆ ଏଠି ଚଳିବେ କେମିତି ଆଗ କହିଲ ।

ଆଲାଦୀନ ବିଡ଼ି ଲଗାଉ ଲଗାଉ କହିଲା, ଆରେ ବାବୁ, ସେ କଥା ଆଲ୍ଲା ବୁଝିବେ, ତମର ସେଥିରେ କ’ଣ ଅଛି ? ମନରେ ଭାବୁନା, ପିଲାଛୁଆ ଆସିଗଲେ କେତେ ଆରାମ ! ତମେ ଏକୁଟିଆ ଯେତିକିରେ ଚଳୁଛ, ପିଲାଛୁଆ ଆସିଲେ ସେଇ ପଇସାରେ ସମସ୍ତେ ଚଳିଯିବ । ମାଇପିଙ୍କ ହାତରେ ପରା ଲକ୍ଷ୍ମୀ ରହନ୍ତି । ଖୋଦାଙ୍କ ରାଣ, ଆଗ ଯେତେବେଳେ ମୁଁ ଏକୁଟିଆ ଥିଲି ଏତେ କମାଉଥିଲି, କିନ୍ତୁ ସବୁ ଏ ପଟେ ଆସି ସେ ପଟେ ଯାଉଥିଲା । ବିଡ଼ି ଖଣ୍ଡେ ଟାଣିବାକୁ ବି ପଇସା ମିଳୁ ନଥିଲା । କାମ କରି କରି ଆସେ, ହାତେ ହାତେ ଘୋଡ଼ାକୁ ଖୁଆଇବାକୁ ପଡ଼େ, ପୁଣି ଜିନିଷପତ୍ର ପାଇଁ ଦୋକାନ ଦୌଡ଼ିବାକୁ ପଡ଼େ । କିନ୍ତୁ ପିଲାପିଲି ଆସିଲା ଦିନୁ ଜାଣି ଟିକିଏ ବିଶ୍ରାମ ମିଳିଛି । ପିଲାପିଲି ଆସିଲା ଦିନୁ ସେହି ପଇସାରେ ଖାଇବା ପିଇବା ହୋଇ ଯାଉଛି, ଆରାମ ବି ମିଳୁଛି । ମଣିଷ ଟିକିଏ ସୁଖରେ ରହିବ ବୋଲି ଏତେ କଷ୍ଟ ପାଉଛି ନା ଆଉ କ’ଣ ? ଯଦି ଏତେ କଷ୍ଟକରି ଟିକିଏ ସୁଖ ନ ମିଳିଲା, ତେବେ ଜୀଇକରି ଆଉ ଲାଭ କ’ଣ ? ମୁଁ ତ କହୁଛି ପିଲାଛୁଆ ଆସିଲେ ତମ ରୋଜଗାର ଆହୁରି ବଢ଼ିଯିବ । ଆଳୁ ମଟର ସିଝେଇବାକୁ ତମକୁ ଯେତିକି ବେଳ ଲାଗୁଛି, ସେତିକି ସମୟରେ ତମେ ଦି’ଚାରି କପ ଚା ବିକି ଦେଇ ପାରିବ । ଆଜିକାଲି ତ ବାରମାସୀ ଚା ବିକ୍ରି ହେଉଛି । ପୁଣି ରାତିରେ ଲେଉଟି ଆସିଲେ ଘରଣୀ ଟିକିଏ ପାଦରେ ହାତ ମାରିଦେଲେ ଦିନ ଯାକର କଷ୍ଟ କୁଆଡ଼େ ଉଭେଇ ଯିବ ।

ଗୋବରା ମନକୁ କଥାଟା ଖୁବ୍ ପାଇଗଲା । ସଙ୍ଗେ ସଙ୍ଗେ ମନ ତାର ଉଚ୍ଚାଟ ହୋଇ ଉଠିଲା । ଭାବିଲା ଘରକୁ ଯାଇ ଝୁନିଆକୁ ଯେମିତିହେଲେ ନେଇ ଆସିବ । ଚୁଲିରେ ସେମିତି ଆଳୁ ସିଝା ବସିଛି, ଗୋବରା ଗାଁକୁ ଯିବାପାଇଁ ସଜବାଜ ହୋଇ ବସିଲା । ପୁଣି ଆଗକୁ ହୋଲି ଅଛି ଭାବି ହୋଲି ଜିନିଷ ସବୁ କିଣି ନେଇଯିବ ବୋଲି ମନେ ମନେ ବିଚାର କଲା । ଭଲମନ୍ଦ ଦିନରେ ମନ ଖୋଲିକରି ଟିକିଏ ଖର୍ଚ୍ଚ କରିବା ପାଇଁ କୃପଣମାନଙ୍କର ବି ଯେମିତି ମନ ହୋଇଥାଏ, ଗୋବରାର ବି ଟିକିଏ ସେମିତି ହେଲା । ଏଇଥିପାଇଁ ବିଚାରା ଏତେ କଷ୍ଟରେ ପଇସା ସଞ୍ଚି ରଖିଥିଲା । ବହୁତ ଦିନୁ ମନେ ମନେ ଠିକ୍ କରିଥିଲା, ମା’ ଭଉଣୀ, ଝୁନିଆ ସମସ୍ତଙ୍କ ପାଇଁ ଖଣ୍ଡେ ଖଣ୍ଡେ ଶାଢ଼ି ନେବ, ବାପା ପାଇଁ ଧୋତି ଚାଦର ହଳେ ନେବ । ସୁନାପାଇଁ ଗୋଟେ ତେଲ ଶିଶି, ଯୋଡ଼େ ଚପଲ ଏବଂ ରୂପା ପାଇଁ ଗୋଟେ ଜାପାନୀ କଣ୍ଢେଇ ଆଉ ଝୁନିଆ ପାଇଁ ଗୋଟିଏ ଛୋଟ ବାକ୍ସ । ସେଥିରେ ତେଲ, ସିନ୍ଦୂର, ଦର୍ପଣ ସବୁ ଜିନିଷ ଥିବ । ପିଲାଟି ପାଇଁ ବଜାରରୁ ଖଣ୍ଡେ ରେଡ଼ିମେଡ଼୍ ଫ୍ରକ୍ । ଏମିତି ମନେ ମନେ ଠିକ୍ କରି ପଇସା କାଢ଼ି ଗୋବରା ବଜାରକୁ ଚାଲିଲା, ସବୁ ଜିନିଷ ଯୋଗାଡ଼ କରିନେଇ ଆସି ବିଛଣା ପତ୍ର ବାନ୍ଧି ବାହାରିଲା । ସାଇରେ ଏ କଥା ଖବର ହେଲାମାତ୍ରେ ତାକୁ ବିଦାୟ ଦେବାପାଇଁ ସାଇ ଲୋକ ଆସି ସବୁ ଜମା ହୋଇଗଲେ ।

ଗୋବରା କହିଲା, ତମକୁ ସବୁ ଏ ଘର ଲାଗିଲା, ଭଗବାନ ଦୟାକଲେ ମୁଁ ଠିକ୍ ଦୋଳବାସୀ ଦିନ ଆସି ପହଞ୍ଚିଯିବି ।

ଜଣେ ସ୍ତ୍ରୀ ଲୋକ ଟିକିଏ ଥଟ୍ଟା କରି କହିଲା, ଦେଖ, ପୁଅ–ମା’କୁ ଯେମିତି ହେଲେ ସାଙ୍ଗରେ ଆଣିକରି ଆସିବ । ଜାଣିଥା ଏକା, ତାକୁ ନ ଆଣିଲେ ତମକୁ ଏଠି ଆଉ ଠାବ ମିଳିବ ନାହିଁ ।

ଆଉ ଜଣେ ପ୍ରୌଢ଼ା ସ୍ତ୍ରୀ ଲୋକ କହିଲା, ଆଜିଯାଏ ତ ଚୁଲି ଫୁଙ୍କିଲ, ଆଉ କେତେ ଦିନ ଫୁଙ୍କିବ ? କିଛି ନ ହେଲେ ଖାଇବା ମୁଠାକ ତ ଆଗ ଭଲରେ ମିଳିବ ।

ଗୋବରା ସମସ୍ତଙ୍କୁ ରାମ ରାମ କହି ନମସ୍କାର କଲା; ଅବଶ୍ୟ ତାଙ୍କ ଭିତରେ କେତେ ହିନ୍ଦୁ ଆଉ କେତେକ ମୁସଲମାନ ଥିଲେ । ସମସ୍ତେ ହେଉଛନ୍ତି ସାଇପଡ଼ିଶା, ସୁଖ ଦୁଃଖର ସାଥୀ । ଆପଣା ଆପଣା ଭିତରେ ଥଟ୍ଟା ପରିହାସ ଭାରି ଚାଲେ । କିଏ ଏକାଦଶୀ କରେ ତ କିଏ ରୋଜା କରେ । ଗୋବରା ବେଳେବେଳେ ମୁସଲମାନଙ୍କ ନମାଜକୁ ଥଟ୍ଟାକରି ‘ଉଠାବସା’ ବୋଲି କହେ । ମୁସଲମାନମାନେ ମଧ୍ୟ କେବେ ଥଟ୍ଟାରେ ବରଗଛ ମୂଳେ ଥିବା ଛୋଟ ଛୋଟ ଶିବଲିଙ୍ଗକୁ ଉଠାଇ ବଟଖରା କରିଦିଅନ୍ତି । ଏସବୁ ଚାଲେ କିନ୍ତୁ ସାମ୍ପ୍ରଦାୟିକ ହିନ୍ଦୁ–ମୁସଲମାନ ଗଣ୍ଡଗୋଳର ନାମ ଗନ୍ଧ ପର୍ଯ୍ୟନ୍ତ ନ ଥାଏ ଗୋବରା ଘରକୁ ଯାଉଛି ବୋଲି ତାକୁ ହସଖୁସିରେ ବିଦାୟ କରିବାଲାଗି ସମସ୍ତେ ଆସି ଗଦା ହୋଇଥାନ୍ତି ।

 

ଭୂରା ଯେମିତି ଶୁଣିଲା ଗୋବରା ଗାଁକୁ ଯାଉଛି, ଦିନଯାକ କାମକରି ସେ ଥକି ଯାଇଥିଲେ ବି ଟାଙ୍ଗା ଆଣି ଆସି ପହଞ୍ଚିଗଲା ଭାବିଲା, ଆଉ ବିଶ୍ରାମ ନେବ କ’ଣ, ତାକୁ ନେଇ ଆଗ ଗାଡ଼ିରେ ଛାଡ଼ିଦେଇ ଆସିବ । ଗୋବରା ତା ଗାଡ଼ିରେ ଗଣ୍ଠିଲା ଲଦିଦେଇ ଗଳି ବାଙ୍କ ଯାଏ ଲୋକଙ୍କ ସଙ୍ଗେ ଚାଲି ଚାଲି ଆସିଲା । ବାଙ୍କ ପାରି ହେବାମାତ୍ରେ ସମସ୍ତଙ୍କୁ ନମସ୍କାର କରି ଗାଡ଼ିରେ ବସିଲା ।

 

ପକ୍କା ସଡ଼କରେ ଘୋଡ଼ା ଖେପ ଛାଡ଼ି ଦୌଡ଼ିଲା । ଗୋବରା ଘରକୁ ଯିବାପାଇଁ ଯେମିତି ଭୋଳ, ଭୂରା ତାକୁ ଚଞ୍ଚଳ ପହଞ୍ଚାଇବା ପାଇଁ ସେମିତି ଭୋଳ । କଥା ପଦକେ ଷ୍ଟେସନ ଆସି ପହଞ୍ଚିଗଲା ।

 

ଗୋବରା ଖୁସୀ ହୋଇ ଅଣ୍ଟାରୁ ଟଙ୍କାଟେ କାଢ଼ି ଭୂରା ଆଡ଼କୁ ବଢ଼େଇ ଦେଇ କହିଲା, ଏ ଟଙ୍କାଟା ନିଅ, ତମ ସ୍ତ୍ରୀଙ୍କ ପାଇଁ ମିଠାଇ ନେଇଯିବ ।

 

ଭୂରା ତାକୁ ଗେଲରେ ତିରସ୍କାର କରି କହିଲା, ଆଗେ ଭାଇ, ମତେ ତମେ ଏତେ ପର ବୋଲି ଭାବିଛ ? ଦିନଟେ ଥରେ ଗାଡ଼ିରେ ବସିଗଲ ଯେ ମୁଁ ତୁମଠୁ ପଇସା ନେବି ? ତମଠୁ ଝାଳ ବହିଗଲେ ମୁଁ ରକତ ବୁହାଇ ଦେବା ଲୋକଟି ! ଭଗବାନ କ’ଣ ମତେ ଏତେ ଛୋଟ ମନ ଦେଇଛନ୍ତି ! ତା ଛଡ଼ା ନେଇଗଲେ କ’ଣ ଆଉ ଘରଣୀ ମତେ ଯୋତା ନ ମାରି ଛାଡ଼ିବ !

 

ତା’ପରେ ଗୋବରା ଆଉ କିଛି ନ କହି ଗଣ୍ଠିଲା ଉତ୍ତାରି ଟିକଟ କାଟିବା ପାଇଁ ଷ୍ଟେସନ ଭିତରକୁ ଚାଲିଗଲା ।

Image

 

ବିଂଶ ପରିଚ୍ଛେଦ

 

ଫଗୁଣ ତାର ସବୁ ଶିରୀସମ୍ପଦ ସାଙ୍ଗରେ ଆଣି ପହଞ୍ଚି ଯାଇଥାଏ । ଆମ୍ବ ବଉଳର ବାସନା ଚହଟିବା ସାଙ୍ଗେ ସାଙ୍ଗେ କୋଇଲି ପଞ୍ଚମରେ ଚାରିଆଡ଼େ କମ୍ପାଇ ଉଠୁଥାଏ ।

 

ଗାଁରେ ଏଣେ ଆଖୁ ଲଗା ଚାଲିଥାଏ । ଖରା ନ ହେଉଣୁ ହୋରୀ ବିଲକୁ ଚାଲି ଆସିଥାଏ । ସୁନା, ରୂପା, ଧନିୟା ସମସ୍ତେ ତିନ୍ତା ଆଖୁ ଗୋଛା ବୋହି ଆଣି ହୋରୀ ପାଖରେ ଗଦା କରୁଥାନ୍ତି ଏବଂ ହୋରୀ ତାକୁ ଦାଆରେ ହାଣୀ ଛୋଟ ଛୋଟ କରିଦେଉଥାଏ । ହୋରୀର ତ ନିଜ ଚାଷବାସ ସବୁ ଭାଙ୍ଗି ଯାଇଥିଲା, ସେଥିପାଇଁ ସେ ଦାତାଦୀନର ମୂଲିଆ ଭାବରେ କାମ କରୁଥିଲା । ଦାତାଦୀନ ସଙ୍ଗେ ତା’ର ଆଉ ଏବେ ଯଜମାନ–ପୁରୋହିତ ସମ୍ପର୍କ ନ ଥିଲା, ସମ୍ପର୍କ ଥିଲା ମୂଲିଆ ଆଉ ମାଲିକର ।

 

ଦାତାଦୀନ ଆସି ରଗଡ଼ ପକେଇ କହିଲା, ଆଉ ଟିକିଏ ହାତ ଚଞ୍ଚଳ କର, ଏମିତି କଲେ ତ ଦିନଯାକରେ ବି କାମ ସରିବ ନାହିଁ ।

 

ହୋରୀକୁ ଟିକିଏ ବାଧିଲା, କହିଲା–ଆଚ୍ଛା, ଯାହା ପାରୁଛି ତ କରୁଛି, ଆଉ କ’ଣ ବସିଛି-?

 

ଦାତାଦୀନ ଭାରି ରଗଡ଼ କରି ନିଏ ବୋଲି କେହି ମୂଲିଆ ତା କାମ କରିବାକୁ ମଙ୍ଗନ୍ତି ନାହିଁ । ହୋରୀ ତା କଥା ସବୁ ଜାଣିଥିଲେ ବି କ’ଣ କରନ୍ତା, ଆଉ ତ କିଛି ଚାରା ନଥିଲା ।

 

ଦାତାଦୀନ ତା ସାମନାରେ ଛିଡ଼ାହୋଇ କହିଲା, କରୁଛ ବୋଲି କ’ଣ ମୁଁ ନାହିଁ କରୁଛି ? ହେଲେ କରିବା ଭିତରେ କେତେ ତଫାତ୍ ଅଛି । ଏମିତି କରିବା ଅଛି ଯେଉଁଥିରେ ଘଡ଼ି ଗୋଟାକରେ ସବୁ ହୋଇଯିବ, ଆଉ ଏମିତି ବି ଅଛି, ଯେଉଁଥିରେ ଦିନଯାକରେ ଗୋଛାଏ ଆଖୁ ବି ସରିବ ନାହିଁ ।

 

ଗାଳି ଖାଇ, ହୋରୀ ହାତ ଫୁର୍ତ୍ତି କରିବା ପାଇଁ ଭାରି ଚେଷ୍ଟା କଲା । କିନ୍ତୁ ବିଚାରା କରିବ କ’ଣ ? ମାସେ ହେଲା ତ ଆଜିକି ପେଟପୂରା ମୁଠେ ଖାଇବାକୁ ନାହିଁ । ଓଳିଏ ଖାଇଲେ ଓଳିଏ ନାହିଁ, କେଉଁ ଓଳି ଚଣାମୁଠେ ଚୋବେଇ ରହିଗଲା ତ କେଉଁ ଓଳି ଭାତ ମୁଠେ, କେତେବେଳେ ଅବା କିଛି ନାହିଁ, ସେଥିରେ ପୁଣି ହାତ ଉଠିବ କୁଆଡ଼ୁ ? ତା ଛଡ଼ା ପୁଣି ଦାତାଦୀନ ଭଳିଆ ମାଲିକ । ଟିକିଏ ଯଦି ବିଶ୍ରାମ ମିଳିଯାନ୍ତା ତେବେ ଅବା କାମ କରିବାକୁ ପୁଣି ଦମ୍ଭ ପାଇଯାନ୍ତା । କିନ୍ତୁ ଯମ ଆଗରେ ବିଶ୍ରାମ କାହିଁ ? ଗାଳି ଡରରେ ବିଚାରା କୌଣସିମତେ କାମରେ ଲାଗିଥାଏ ।

 

ଏଣେ ଧନିୟା ଆଉ ଝିଅ ଦିହେଁ ତିନ୍ତା ଆଖୁ ଗୋଛା ବୋହି ବୋହି କାଦୁଅ ପାଣିରେ ଲଟପଟ ହୋଇ ଆସି ଯେତେବେଳେ ଆଖୁ ଗୋଛା ପକାଇ ଦେଇ ଟିକିଏ ବସି ପଡ଼ିଲେ ଦାତାଦୀନ ଏକ ରଗଡ଼ ପକାଇ କହିଲା, ଏଠି କ’ଣ ତାମସା ଦେଖଛୁ ଧନିୟା, ବସିଛୁ କ’ଣ, ଯା’ କାମ କର, ପଇସା କ’ଣ ମାହୁଳିଆ ଗଛରେ ଫଳୁଛି କି ? ପହଡ଼କରେ ତ ତୁ ମୋଟେ ଗୋଟାଏ କ୍ଷେପ ଆଣିଛୁ । ଏମିତି କାମ କଲେ ତ ଦିନଯାକ ବୁହା ସରିବ ନାହିଁ ।

 

ଧନିୟା ଟିକିଏ ଆଖି ଦେଖେଇ କହିଲା, କ’ଣ ଆଜ୍ଞା, ଟିକିଏ ନିଶ୍ଵାସ ମାରିବାକୁ ଛାଡ଼ି ଦେବେ ନାହିଁ । ଆମେ ତ ପୁଣି ମଣିଷ, କିଛି ଗୋରୁଗାଈ ନୁହଁ । ଆଖୁ ଗୋଛେ ନିଜେ ମୁଣ୍ଡାଇ କରି ଆଣିଲେ ସିନା ଜଣା ପଡ଼ନ୍ତା !

 

ଦାତାଦୀନ ବିଗଡ଼ିଯାଇ କହିଲା, ପଇସା ଦଉଛି କାମ କରିବା ପାଇଁ ନା ଏଠି ବସି ନିଶ୍ଵାସ ମାରିବା ପାଇଁ ? ନିଶ୍ଵାସ ନେବାକୁ ମନ ଥିଲେ ଘରକୁ ଯାଇ ନିଶ୍ଵାସ ମାରିବୁ ଯା’ ।

 

ଧନିୟା କ’ଣ ପଦେ କହିବ ବୋଲି ବାହାରିଲା ବେଳକୁ ହୋରୀ ଗାଳିଦେଇ କହିଲା, ଯାଉନୁ କାହିଁକି, ଏଠି ବସି ପାଟି କରୁଛୁ ?

 

ଧନିୟା ଯିବାକୁ ବାହାରୁ ବାହାରୁ କହିଲା, ଯାଉଛି ତ କ’ଣ ବସିଛି, ଚାଲିବା ଗୋରୁକୁ ଚାବୁକ ଦେଇ ନାଭ କ’ଣ ?

 

ଦାତାଦୀନ ଏଡ଼େ ଏଡ଼େ ଆଖିକରି କହିଲା, ଘରେ ପଛେ ଖୁଦ ମୁଣ୍ଡିଟାଏ ନାହିଁ, ତେବେକେ ବି ମନ ଥଣ୍ଡା ହୋଇନାହିଁ ।

 

ଧନିୟା କି ଚୁପ୍ ହେବା ଲୋକ ! ସାଙ୍ଗେ ସାଙ୍ଗେ ବତେଇଲା, ଧନିୟା ତ ତମ ଦୁଆରକୁ କୋଉ ଦିନ ଖୁଦ ମୁଣ୍ଡିଟାଏ ମାଗିବାକୁ ଯାଇ ନାହିଁ ।

 

ଦାତାଦୀନ ରାଗିଯାଇ ପାଟିକରି କହିଲା, ଯାଇ ନାହୁଁ ସିନା, ଏମିତି ହେଲେ ଯେଉଁଦିନ ହେଲେ ଯିବାକୁ ପଡ଼ିବ ।

 

ଧନିୟା କ’ଣ ଜବାବ ଦେବାକୁ ବାହାରିଲା ବେଳକୁ ସୁନା ତାକୁ ଟାଣିକରି ନେଇଗଲା । ନହିଲେ କଥା ଆହୁରି ବଢ଼ିଯାଇଥାନ୍ତା । କିନ୍ତୁ ଖଣ୍ଡେ ଦୂର ଚାଲିଯିବା ପରେ ଧନିୟା ମନର ଓରମାନ ମେଣ୍ଟାଇବା ପାଇଁ କହିଲା, ତମେ ସିନା ଭିକମଗା ଜାତି ଯେ ଭିକ ମାଗିବ, ଆମେ ତ ମୂଲିଆ ନୋକ, ଯୋଉଠିକି ଗଲେ ମୂଲ ନାଗିବୁ, ଚାରି ପଇସା ଯେମିତି ହେଲେ ଭିଆଇବୁ ।

 

ସୁନା ଗାଳିଦେଇ କହିଲା–ଚାଲମ, ସେଥିରୁ କଣ ମିଳିବ, ବେଳ ଦେଖି ସିନା କାମ କରନ୍ତି, କଳି ନଗେଇବାକୁ ଖାଲି ତୋ ମନ ଖଜବଜ ହୋଉଛି ।

 

ହୋରୀ ପାଗଳଙ୍କପରି ଉନ୍ମତ୍ତ ହୋଇ ଗଛକୁ ଗଛ ଆଖୁକାଟି ଗଦା କରିବାକୁ ଲାଗିଲା, ସତେ ଯେମିତି ତା ଭିତରେ ନିଆଁ ଜଳି ଉଠିଲା । ପୁରୁଷ ପୁରୁଷ ଧରି ତା ଦେହରେ ଯେଉଁ ପାଣି ଥିଲା ସତେ ଯେମିତି ସେଗୁଡ଼ା ବାମ୍ଫ ହୋଇ ତା ଦେହଯନ୍ତ୍ରକୁ ବଳ ଯୋଗାଇ ଦେଲା । ହାତ ତାର ଯନ୍ତ୍ରପରି ଚାଲିଲା, ଦେହରୁ ମୁଣ୍ଡରୁ ଝାଳ ଗମ୍ ଗମ୍ ବୋହିଗଲା, ମୁଣ୍ଡ ଧକଧକ ହେଲା, ସତେ ଯେମିତି ତା ମୁଣ୍ଡରେ ଗୋଟାଏ ଭୂତ ଚଢ଼ି ଯାଇଥିଲା ।

 

ହଠାତ୍ ତାକୁ ଚାରିଆଡ଼ ଅନ୍ଧାର ଦିଶିଲା, ଜଣାଗଲା ସତେ ଯେମିତି ସେ ଭୂଇଁରେ ଖସି ପଡ଼ିବ । କୌଣସି ଆଶ୍ରା ପାଇବ ବୋଲି ଉପରକୁ ହାତ ବଢ଼େଇ ଅଚେତ ହୋଇ ମୁହଁମାଡ଼ି ଭୂଇଁରେ ଖସି ପଡ଼ିଲା । ଦାଆଟା ଟିହିଁକି ଯାଇଁ ଖଣ୍ଡେ ଦୂରରେ ଖସି ପଡ଼ିଲା ।

 

ଠିକ୍ ସେତିକିବେଳକୁ ଧନିୟା ଆଖୁଗୋଛା ନେଇ କରି ଆସୁଥିଲା । ଦେଖିଲା ହୋରୀ ଚାରିପାଖ ଲୋକ ଜମା ହୋଇଛନ୍ତି । ଆଉ ଜଣେ ଚାଷୀ ଦାତାଦୀନକୁ କହୁଛି–ହଜୁର, ଯେଉଁକଥା ଲୋକଙ୍କୁ କାଟିବ, ସେମିତି କଥା କହିବା ଭଲ ନୁହେଁ । ସବୁ ତ ଆସ୍ତେ ଆସ୍ତେ ହେବ । ଏକାବେଳକେ ହୋଇଯିବ ନାହିଁ ।

 

ଧନିୟା ଆଖୁ ଗୋଛା ପକାଇ ଦେଇ ପାଗଳୀଙ୍କ ପରି ହୋରୀ ପାଖକୁ ଦୌଡ଼ିଯାଇ ହୋରୀ ମୁଣ୍ଡକୁ ତା ଜଙ୍ଘ ଉପରେ ରଖି ବାହୁନି ବାହୁନି କାନ୍ଦିଲା–ମୋ ଧନ, ମୋତେ ଛାଡ଼ି ତମେ କୁଆଡ଼େ ଯାଉଛ । ଆଲୋ ସୁନା, ପାଣି ମୁନ୍ଦେ ଆଣ, ଆଉ ଧାଇଁଯାଇ ଶୋଭାକୁ ଟିକିଏ କହିଦେ, ବାପା ତୋର ବେହୋଶ୍ ହୋଇଯାଇଛି । ହେ ଭଗବାନ, ମୁଁ କଣ କରିବି, କୁଆଡ଼େ ଯିବି, ମୋତେ ଆଉ କିଏ ଧନିୟା ବୋଲି ଡାକିବ ଲୋ...

 

ଲାଲା ପଟେଶ୍ୱରୀ ଦୌଡ଼ି ଆସି ସହାନୁଭୂତି ଦେଖାଇ କହିଲା–ଆଲୋ ଧନିୟା, ତୁ ଏମିତି ଅଧୈର୍ଯ୍ୟ ହେଉଛୁ କାହିଁକି, ଟିକିଏ ଥୟଧର । ହୋରୀର କିଛି ହୋଇନି, ସେ ଏଇନେ ଭଲ ହୋଇଯିବ । ମନକୁ ଏମିତି ପତଳା କଲେ କାମ ଚଳିବ କେମିତି ?

 

ଧନିୟା ପଟେଶ୍ୱରୀ ପାଦକୁ ଜାବୁଡ଼ି ଧରି କାନ୍ଦି କାନ୍ଦି କହିଲା–କଣ କରିବି ଆଜ୍ଞା, ଯେତେହେଲେ ମନ ତ ବୁଝୁନାହିଁ । ଭଗବାନ ମୋର ସବୁ ସାହା ଭରସା ଛଡ଼େଇ ନେଲେ । ଏତେ ତ ସହିଲି, ଆଉ ସହି ପାରୁନାହିଁ । ହାୟରେ ମୋ ଗଣ୍ଠିଧନ !

 

ସୁନା ପାଣି ଆଣିଲା, ପଟେଶ୍ୱରୀ ହୋରୀ ମୁହଁରେ ମୁଠା ମୁଠା କରି ପାଣି ମାରିଦେଲା-। କେହି କେହି ଆପଣା ଆପଣା ପୋଛାରେ ବିଞ୍ଚିବାକୁ ଲାଗିଲେ । ହୋରୀ ଦେହ ବିଲକୁଲ୍ କାକର ହୋଇ ଯାଇଥିଲା । ସେଥିପାଇଁ ପଟେଶ୍ୱରୀ ମନେ ମନେ ଡରୁଥିଲେ ବି ସେ ଧନିୟାକୁ ବରାବର ସାହସ ଦେଉଥିଲା ।

 

ଧନିୟା ଅଧୀର ହୋଇ କହିଲା–ନାହିଁ ତ, କେବେ ତ ଏମିତି ହୋଇ ନଥିଲା, ଏକଥା ଦେଖା ନଥିଲା ତ !

 

ପଟେଶ୍ୱରୀ ପଚାରିଲା–କାଲିରାତିରେ କଣ କିଛି ଖାଇଥିଲା ?

 

ଧନିୟା କହିଲା–ହଁ ଯାହିତାହି ମୁଠେ ଖାଇଥିଲେ । ଆମ କଥା କଣ ଆଜିକାଲି ତମକୁ ଅଛପା ଅଛି ? ମାସେହେଲା ତ ପେଟପୂରା ମୁଠେ ମିଳିବାକୁ ନାହିଁ । ବରାବର କହୁଛି, ଦେହକୁ ବଞ୍ଚେଇ କରି ଭଲା କାମ କର । ହେଲେ ଆମ କପାଳରେ ସୁଖ ତ କେବେହେଲେ ଲେଖା ନାହିଁ ।

 

ହଠାତ୍ ହୋରୀ ଆଖି ଖୋଲି ଉପରକୁ ଅନେଇ ଡୋଳା ଖେଳାଇଲା । ଧନିୟା ଛାତିରେ ସତେ ଯେମିତି ଜୀବନ ପଶିଗଲା, ହୋରୀବେକକୁ ଆନନ୍ଦରେ କୁଣ୍ଢେଇ ପକାଇ ସେ କହିଲା–କେମିତି ନାଗୁଛି ? ଧନମାଳୀ, ମୋର ତ ଏଇନେ ଜୀବନ ଚାଲିଯାଉଥିଲା ।

 

ହୋରୀ କାତର ହୋଇ କହିଲା–ନାହିଁ, ଭଲ ଲାଗୁଛି, ଭଗବାନ ଜାଣନ୍ତି କାହିଁକି ଏମିତି ଦେହଟା ଟେକି ନେଲା ।

 

ଧନିୟା ସସ୍ନେହ ଭର୍ତ୍ସନା କରି କହିଲା–ଦିହରେ ତ ବଳଆଡ଼ୁ ନାହିଁ, ଜୀବନ ଦେଇ କାମ କରିବ ଯେ ହେବ କୁଆଡ଼ୁ, ମୋ ପିଲାଙ୍କ ଭାଗ୍ୟ ଭଲ ବୋଲି, ନହିଲେ ମୋତେ ତ ଏଇନେ ବୁଡ଼େଇଥିଲ ?

 

ପଟେଶ୍ୱରୀ ହସି ହସି କହିଲା–ଧନିୟା ତ ମୁଣ୍ଡ ପିଟିଦେଉଥିଲା ।

 

ହୋରୀ ଆତୁର ହୋଇ ପଚାରିଲା–ସତେ ଧନିୟା ତୁ କାନ୍ଦୁଥିଲୁ ?

 

ଧନିୟା ପଟେଶ୍ୱରୀକୁ ଟିକିଏ ପେଲି ଦେଇ କହିଲା–ତାଙ୍କ କଥା କିଆଁ ଶୁଣୁଛ ମ ! ତାଙ୍କୁ ଦେଖି ପଚାରିବ, କାଗଜପତ୍ର ଛାଡ଼ି କରି ସେ କିଆଁ ଏଠିକି ଧାଇଁଥିଲେ ?

 

ପଟେଶ୍ଵରୀ ଟିକିଏ ଚିଡ଼େଇ କରି କହିଲା–ଏଇନେ ମୋ ଗଣ୍ଠିଧନ ବୋଲି ବାହୁନୁଥିଲୁ, ଛାତିରେ ବାଡ଼େଇ ହେଉଥିଲୁ, କହିଲାବେଳକୁ ଲାଜ ମାଡ଼ୁଛି କିଆଁ ?

 

ହୋରୀ ଛଳଛଳ ଆଖିରେ ଧନିୟାକୁ ଚାହିଁ କହିଲା, ବାୟାଣୀଟା କି ନା ! ଭଗବାନ ଜାଣନ୍ତି କେଉଁ ସୁଖ ଦେଖିବ ବୋଲି ମୋତେ ସେ ବଞ୍ଚେଇ ରଖିବାକୁ ଚାହୁଛି ?

 

ହୋରୀକୁ ଦି ଜଣ ଉଠାଇନେଇ ତା ଘରଠେଇ ଖଣ୍ଡେ ଖଟିଆ ଉପରେ ଶୁଆଇ ଦେଲେ । ଆଖୁ ଲଗାରେ ଡେରି ହୋଇ ଯାଉଥିଲା ବୋଲି ଦାତାଦୀନ ମନେ ମନେ ଭାରି ଗାଳି ଦେଇଥିଲା । କିନ୍ତୁ ମାତାଦୀନ ଏଡ଼େ ନିର୍ଦ୍ଦୟ ନୁହେଁ । ଦୌଡ଼ିଯାଇ ଘରୁ ଗରମ ଦୁଧ ଆଉ ଗୋଲାପ ଜଳ ଆଣିକରି ଆସି ପହଞ୍ଚିଗଲା । ଦୁଧ ପିଇକରି ହୋରୀ ଦେହରେ ଟିକିଏ ଜୀବନ ପଶିଗଲା ।

 

ଏତିକି ବେଳକୁ ଦେଖାଗଲା ଗୋବରା ଜଣେ କୁଲି ମୁଣ୍ଡରେ ଗଣ୍ଠିଲା ଲଦେଇ ଗାଁ ଆଡ଼କୁ ଆସୁଛି ।

 

ପହିଲେ ତ ଗାଁ କୁକୁର ସବୁ ତାକୁ ଦେଖି ଭୁକି ଭୁକି ଦୌଡ଼ିଲେ, କିନ୍ତୁ ଚିହ୍ନିବାମାତ୍ରେ ଲାଙ୍ଗୁଳ ଯାକି ତୁନୀ ହୋଇଗଲେ । ଭାଇ ଆସିଲାଣି କହି ରୂପା ତାଳିମାରି ଦଉଡ଼ିଲା । ସୁନା ଦି ଚାରି ପାଦ ଆଗକୁ ଚାଲିଗଲା, କିନ୍ତୁ ମନର ଉତ୍ସାହକୁ ମନ ଭିତରେ ଚାପି ରଖିଲା । ସେ ତ ଆଉ ପିଲା ହୋଇ ନଥିଲା, ବରଷକ ଭିତରେ ତାର ବହୁତ ପରିବର୍ତ୍ତନ ହୋଇ ଯାଇଥିଲା, ଯୌବନ ସୁଲଭ ଲଜ୍ଜା ତା’ଠି ଆସିଯାଇଥିଲା । ଝୁନିଆ ମଧ୍ୟ ଓଢ଼ଣା ଟାଣିଦେଇ ଦୁଆର ବନ୍ଧରେ ଅନେଇ ରହିଲା ।

 

ଗୋବରା ଆସି ମା’ ବାପାଙ୍କ ପାଦଧରି ନମସ୍କାର କଲା, ଆଉ ରୁପାକୁ ଛାତି ଉପରକୁ ଉଠାଇ ନେଲା । ଧନିୟା ତାକୁ ଆନନ୍ଦରେ କୁଣ୍ଢେଇ ପକାଇ ମାତୃତ୍ୱର ଗଭୀର ଆନନ୍ଦ ଅନୁଭବ କଲା । ଆନନ୍ଦରେ ଆଉ ତାର ସୀମା ରହିଲା ନାହିଁ । ଆଜି ଏ ଦୁର୍ଯୋଗ ଭିତରେ ବି ସେ ନିଜକୁ ରାଣୀ ବୋଲି ଭାବିଲା । ଆଜି ତା କଥାବାର୍ତ୍ତା ଚାଲିଚଳଣ ଦେଖେ କିଏ, ସବୁଥିରେ ଖାଲି ଆନନ୍ଦର ଉଚ୍ଛୁଳା ଢେଉ । ନିଜେ ରାଣୀ ବି ଦେଖିଲେ ଟିକିଏ ଦବିଯାନ୍ତେ । ଭାବିଲା, ଗୋବରା ସତେ କେଡ଼େବଡ଼ ହୋଇଗଲାଣି, ଭଲ ପୋଷାକପତ୍ର ପିନ୍ଧି କେଡ଼େ ସୁନ୍ଦର ଦିଶୁଛି । ତାକୁ ଦେଖିଲା ମାତ୍ରେ ମନରେ ତାର ଆଉ କିଛି ଆଶଙ୍କା ରହିଲା ନାହିଁ, ଭାବିଲା ଗୋବରା ନିଶ୍ଚୟ ବିଦେଶରେ ଭଲରେ ରହିଛି । ତାକୁ ଆଜି ଲାଗିଲା ସତେ ଯେମିତି ହଜିଲା ଧନ ତାର ହାତକୁ ଆସିଯାଇଛି । କିନ୍ତୁ ହୋରୀ ମୁହଁ ବୁଲେଇ ବସି ରହିଥିଲା ।

 

ଗୋବରା ପଚାରିଲା, ବାପାର କ’ଣ ହୋଇଛି କି ମା’ ? ଘରକଥା କହି ମନ ଖରାପ କରିବା ଧନିୟାର ଇଚ୍ଛା ନୁହେଁ । ସେଥିପାଇଁ ଟିକିଏ ବୁଲେଇ କରି କହିଲା, କିଛି ନାହିଁମ ପୁଅ, ତାଙ୍କ ମୁଣ୍ତ ଟିକିଏ ବଥୋଉଛି ଆଜି । ଚାଲ, ଲୁଗାପଟା ବଦାଳ, ମୁହଁ ହାତ ଆଗ ଧୋଇପକା । ଆଜିଯାଏ ତୁ କୋଉଠି ରହିଥିଲୁ, ଭାଷା ଖଣ୍ଡେ ବି ଦେଲୁ ନାହିଁ । ଏମିତି ସଂସାରେ କିଏ ଘର ଛାଡ଼ି କରି ପଳାଏ ଭଲା କହିଲୁ ? ଆଜି ଜାଣି ବରଷକ ପରେ ଆମେ ତୋର ମନେପଡ଼ିଲୁ । ଅନେଇ ଅନେଇ ଧନରେ, ଆଖି ଫୁଟିଗଲା । ମନରେ ଖାଲି ଘୋରିସୋରି ହେଲି କେବେ ତୁ ଆସିବୁ, ତୋ ମୁହଁ ଦେଖିବି । କିଏ କହିଲା ମିରଟ ଯାଇଛି, କିଏ କହିଲା ସିଲଟ, କଲିକତା । ଶୁଣି ଶୁଣି ରକତ ଶୁଖିଗଲା । ସତରେ ଧନ ତୁ କୋଉଠି ଥିଲୁ, କହିଲୁ ?

 

ଗୋବରା ଟିକିଏ ଲାଜ ଲାଜ ହୋଇ କହିଲା–ନାହିଁ, କୁଆଡ଼େ ଦୂରକୁ ଯାଇ ନଥିଲା ମା’ ଏହି ପାଖରେ ଲଖନଉରେ ଥିଲି ।

 

‘ହଇରେ ଏତେ ପାଖରେ ରହି ଭାଷା ଖଣ୍ଡେ ହେଲେ ଦେଲୁ ନାହିଁ ?’

 

ଏଣେ ଘର ଭିତରେ ସୁନା ଆଉ ରୂପା ତା ଗଣ୍ଠିଲା ଫିଟାଇ ଜିନିଷ ପତ୍ର ବାଣ୍ଟିବାରେ ଲାଗିଥାନ୍ତି, କିନ୍ତୁ ଝୁନିଆ ଖଣ୍ଡେ ଦୂରରେ ଆଡ଼େଇ ହୋଇ ଠିଆ ହୋଇଥାଏ, ଗୋବରା ତା ସଙ୍ଗରେ ଯେଉଁ ଅନ୍ୟାୟ କରିଛି ତାକୁଇ ଆଜି ବଦଳ ନେବ ବୋଲି ଅଭିମାନରେ ମୁହଁ ଫୁଲେଇ ରହିଥାଏ । ମହାଜନ ଖାତକକୁ ଦେଖିଲେ ଆପଣା ପାଉଣା ସୁଧମୂଳ ଅସୁଲ କରିନେବା ପାଇଁ ଯେମିତି ଉଚ୍ଛନ୍ନ ହୁଏ ଝୁନିଆ ସେଇ ପ୍ରକାର ଏକ ମନୋଭାବ ନେଇ ଠିଆ ହୋଇଥାଏ । ପିଲାଟା ଗଣ୍ଠିଲା ପାଖକୁ ଯାଇ ସବୁ ଜିନିଷ ଏକାଥରକେ ପାଟିରେ ପୂରାଇଦେବାକୁ ଚେଷ୍ଟା କରୁଥାଏ, କିନ୍ତୁ ଝୁନିଆ ତାକୁ ଛାଡ଼ୁ ନଥାଏ ।

 

ସୁନା କହିଲା–ଦେଖିଲଣି ଭାଉଜ, ଭାଇ ତମପାଇଁ ପାନିଆ ଦର୍ପଣ ଆଣିଛି । ଝୁନିଆ ମୁହଁ ଶୁଖେଇ ନ ଶୁଣିଲା ପରି କହିଲା–ହ–ଅ, ପାନିଆ ଦର୍ପଣ ମୋର କ’ଣ ହେବ ? ତମେ ସେଗୁଡ଼ା ରଖ ।

 

ରୂପା ଗୋଟାଏ ଚମକିଆ ଟୋପି କାଢ଼ି ପାଟିକରି କହିଲା–ଆରେ ଭାଇ, ଏଇଟା ତ ଚୁନ୍ନୁର ଟୋପି । ଏତିକି କହି ପୁଅ ମୁଣ୍ଡରେ ଆଣି ଟୋପିକୁ ପିନ୍ଧାଇ ଦେଲା ।

 

ଝୁନିଆ ସାଙ୍ଗେ ସାଙ୍ଗେ ଟୋପି କାଢ଼ି ଫିଙ୍ଗିଦେଲା । ଗୋବରା ଘର ଭିତରକୁ ଆସୁଥିବାର ଦେଖି ପିଲାକୁ ନେଇ ସେ ଆପଣା ବଖରା ଭିତରକୁ ଚାଲିଗଲା । ଗୋବରା ଦେଖିଲା ସବୁ ଜିନିଷ ମେଲା ହୋଇ ପଡ଼ିଛି । ତାର ତ ମନ ହେଉଥିଲା ପହିଲେ ସେ ଝୁନିଆ ପାଖକୁ ଯାଇ ଦୋଷ ମାଗି ନିଅନ୍ତା, କିନ୍ତୁ ସାହସ ହେଲା ନାହିଁ । ସେଇଠି ଗଣ୍ଠିଲା ପାଖରେ ବସି ସମସ୍ତଙ୍କ ଜିନିଷ ସମସ୍ତଙ୍କୁ ବାଣ୍ଟିଦେଲା । ରୂପାପାଇଁ ଚୁପୁଲି ନ ଆଣି ଥିବାରୁ ସେ ମୁହଁ ଫୁଲେଇ ବସିଲା, ତହିଁକି ସୁନା ତାକୁ ଚିଡ଼େଇ ଦେଇ କହିଲା–ତୁ ଚୁପୁଲି କଣ କରିବୁ ? ତୁ ତ କଣ୍ଢେଇରେ ଖେଳିବା ଲୋକ । ମୁଁ ତ ତୋ କଣ୍ଢେଇ ଦେଖିକରି କାନ୍ଦୁ ନାହିଁ, ତୁ କାହିଁକି ମୋ ଚୁପୁଲି ଦେଖିକରି କାନ୍ଦୁଛୁ ? ଧନିୟା ଆପେ ଆପେ ମିଠାଇ ବାଣ୍ଟିବାକୁ ବସିଲା । ପୁଅ ଏତେକାଳକେ ଆସିଛି, ଗାଁଯାକ ବାଣ୍ଟିବ ବୋଲି ସେ ଭାବିଲା । ରୂପା ମୁହଁକୁ ତ ଗୋଟାଏ ଗୋଟାଏ ଗୋଲାପ ଜାମୁ ଓଟ ମୁହଁକୁ ଜୀରାପରି ଲାଗୁଥିଲା । ତା ମନ ହେଉଥିଲା, ହାଣ୍ଡିଯାକ କିଏ ତା ପାଖରେ ରଖି ଦିଅନ୍ତା, ସେ ମନଇଚ୍ଛା ଯାହା ପାରନ୍ତା ଖାନ୍ତା । ଧନିୟା ବର୍ତ୍ତମାନ ବାକସ ଖୋଲି ସବୁ ଶାଢ଼ି ଦେଖିଲା । ପଟେଶ୍ୱରୀ ଘରେ ଯେମିତି ଲୁଗା ପିନ୍ଧା ହୁଏ ସେମିତିଆ ବଡ଼ ବଡ଼ ଧଡ଼ୀଦାର ଖୁବ୍ ପତଳା ଲୁଗା । ଭାବିଲା ଏମିତିଆ ପତଳା ଶାଢ଼ି ସିନା ବଡ଼ଲୋକଙ୍କପାଇଁ; ତାଙ୍କର ଶୁଆବସା ଛଡ଼ା ଆଉ କିଛି କାମ ନାହିଁ ବୋଲି । ହେଲେ ତାଙ୍କର ତ ଦିନରାତି ବିଲ ବାଡ଼ିରେ କାମ ! ପୁଣି ଦେଖିଲା ହୋରୀପାଇଁ ଲୁଗା ଛଡ଼ା ଆହୁରି ଚାଦର ଗୋଟାଏ ବି ଅଛି । ଭାରି ଖୁସୀ ହୋଇ କହିଲା–ଆଚ୍ଛାକଲୁ ପୁଅ, ବାପାପାଇଁ ଚାଦର ଖଣ୍ଡେ ନେଇ ଆସିଲୁ । ତାଙ୍କ ଚାଦରଟା ନିକା କୁଟକୁଟା ହେଇ ଯାଇଥିଲା ।

 

ୟା ଭିତରେ ଘରର ସବୁକଥା ଗୋବରା ସହଜରେ ଜାଣି ନେଲା । ଦେଖିଲା, ମା ଲୁଗାଯାକ ତାଳି ପଡ଼ିଛି, ସୁନା ଲୁଗାକାନି ଫାଟି ମୁଣ୍ଡରେ ଚିରା ପଡ଼ିଛି, ରୂପାଲୁଗାରେ ସତେ ଯେମିତି ଝାଲର ଲଗା ହୋଇଛି । କାହାରି ଚେହେରାରେ ଚିକ୍କଣ ନାହିଁ । ସମସ୍ତେ ଶୁଖିଲା ଦିଶୁଛନ୍ତି, ସତେ ଯେମିତି ଦୁଃଖ କଷ୍ଟ ସେଠି ଘରକରି ରହିଛି ।

 

ଝିଅମାନେ ତ ଲୁଗାପଟା ଦେଖିବାରେ ବ୍ୟସ୍ତ, କିନ୍ତୁ ଧନିୟାର ଚିନ୍ତା ଗୋବରା ଆଜି ଖାଇବ କଣ ? ଘରେ ତ କିଛି ବୋଲେ କିଛି ନାହିଁ । ବାଜରା–ଧାନ ଚାଉଳ କଣ ମୁଠେ ପଡ଼ିଥିବ ଯେ ଗୋବରା କଣ ତାକୁ ଖାଇବ ! ଆଉ କଣ ସେ ଆଗ ଗୋବରା ଅଛି ! ସହର ବଜାରରେ ରହୁଛି, କେତେ କଣ ଖାଉଥିବ । ଏହିକଥା ଭାବି ଧନିୟା ଯାଇ ଦୁଲାରୀ ସାହୁଆଣୀଠାରୁ ଚାଉଳ, ଅଟା, ଘିଅ ସବୁ ଉଧାର ନେଇ ଆସିଲା । ଆଜିକି ମାସେ ହେଲା ସାହୁଆଣୀ ପାହୁଲାଟାକର ଜିନିଷ ବି ବାକି ଦେଉ ନ ଥିଲା, ଆଜି କିନ୍ତୁ, ପଇସା କୋଉଦିନ ଦେବୁ ବୋଲି ସୁଦ୍ଧା ପଚାରିଲା ନାହିଁ । ବରଂ ପଚାରିଲା–ଗୋବରା ତ ଖୁବ୍ ପଇସାପତ୍ର ଆଣିକରି ଆସିଥିବ !

 

ଧନିୟା କହିଲା–ଏଇନେ ତ ଜିନିଷପତ୍ର କିଛି ଫିଟାଇ ନାହିଁ, ଏଇ ତ ଆସିକରି ପହଞ୍ଚିଛି, ମୁଁ ତାକୁ କିଛି ପଚାରି ନାହିଁ । ଖାଲି ଏତିକି ଜାଣେ, ସମସ୍ତଙ୍କପାଇଁ ଧଡ଼ିବାଲା ଶାଢ଼ି ଆଣିଛି । ତମମାନଙ୍କର କଇଲାଣରୁ ମୋ ଧନ ମୋ ଘରକୁ ଆସିଛି, ସେ ମୋର ଲକ୍ଷେ ଟଙ୍କା ।

 

ଦୁଲାରୀ ସାହୁଆଣୀ ଆଶୀର୍ବାଦ କରି କହିଲା–ଭଗବାନ କରନ୍ତୁ, ଯୋଉଠେଇ ରହୁ ତାର ମଙ୍ଗଳ ହେଉ । ମା ବାପଙ୍କର ଆଉ ଅବା କଣ ଚାହି । ସେ ତ ବୁଝିବା ସୁଝିବା ପିଲା, ଆଉ ପିଲାଙ୍କ ପରି କଣ ଫୋଲାଫାଙ୍କିଆ ହେଇଛି । ହଁ, ଏଥର ଟଙ୍କା ନ ଦେଇପାରିଲେ ମୋ ସୁଧଟା ଯେମିତି ହେଲେ ଦେଇଦେବ । ଦିନକୁ ଦିନ ବୋଝ ଭାରି ହେଉଛି ନା ଆଉ ଊଣା ହେଉଛି ?

 

ଏଣେ ସୁନା ଚୁନ୍ନୁକୁ ଫ୍ରକ୍ ଟୋପି, ଯୋତା ପିନ୍ଧାଇ ରଜା ସଜେଇବାରେ ବ୍ୟସ୍ତ । ପିଲାଟା ପିନ୍ଧିବା ଅପେକ୍ଷା ହାତରେ ଧରି ଖେଳିବାକୁ ବେଶି ଚାହୁଥିଲା । ତେଣେ ଗୋବରା ଆଉ ଝୁନିଆ ଭିତରେ ମାନଭଞ୍ଜନ ଲୀଳା ଆରମ୍ଭ ହୋଇ ଯାଇଥିଲା ।

 

ଝୁନିଆ ଭର୍ତ୍ସନାପୂର୍ଣ୍ଣ ଦୃଷ୍ଟିରେ ଚାହିଁ କହିଲା–ମତେ ଆଣି ଏଠି ବସେଇ ଦେଇ, ତମେ ତେଣେ ଘରଛାଡ଼ି ଭାଗ୍ । ମଲି କି ଗଲି ବୋଲି କେଉଁ ଖୋଜ୍ ନା ଖବର ? ବରଷକ ବାଦ୍ ଆଜି ତମ ନିଦ ଭାଙ୍ଗୁଛି । କେଡ଼େ କପଟୀ କେଡ଼େ ନିର୍ଦ୍ଦୟ ତମେ ସତେ ! ମୁଁ ସିନା ଭାବିଲି ତମେ ମୋ ପଛେ ପଛେ ଆସୁଛ, ଦେଖିଲାବେଳକୁ ପଛରୁ କେତେବେଳେ ଉଡ଼, ଆଜି ପୁଣି ବରଷକ ପରେ ମନେପଡ଼ୁଛି । ମରଦଗୁଡ଼ାଙ୍କୁ ବିଶ୍ୱାସ କଣ ? ଆଉ କୋଉଠି କାହାକୁ ଦେଖିବଣି । ଭାବିଥିବ ଘରେ ତ ଗୋଟେ ଅଛି, ବାହାରେ ଆଉ ଗୋଟାଏ ରଖିନେଲେ ଅବା କଣ ହେଉଛି ।

 

ଗୋବରା ସଫାଇ ଦେଇ କହିଲା–ଝୁନିଆ, ମତେ ଭଗବାନଙ୍କ ରାଣ ଆଗ, କାହାକୁ ଦିନେ ହେଲେ ମୁଁ ଅନେଇ ଦେଇନି । ଲାଜ ଆଉ ଡରରେ ପଳାଇଲି ସିନା, ହେଲେ, ତୋ କଥା ମୁହୂର୍ତ୍ତକ ପାଇଁ ବି କେବେ ମନରୁ ଯାଇନି । ଏବେ ତ ମୁଁ ଠିକ୍ କରିଛି ତତେ ସାଙ୍ଗରେ ନେଇଯିବି, ସେଇଥିପାଇଁ ଆସିଛି । ତମ ଘରଠେଇ ତ ସମସ୍ତେ ଭାରି ଚିଡ଼ିଥିବେ ।

 

‘ବାପା ତ ମୋ ଜୀବନ ନେବ ବୋଲି ବସିଥିଲା ।’

‘ସତେ ?’

‘ତିନିକି ତିନିହେଁ ଏଠିକି ଆସିଥିଲେ । ମା ଏମିତିଆ ବତାଇ ଦେଲେ ଯେ ଏକାଥରେ ମୁହଁ ଲୁଚେଇକରି ପଳେଇଲେ । ହଁ, ବାପା ଆସିକରି ଆମ ବଳଦ ଦିଟା ଫିଟେଇ ନେଇ ଚାଲିଗଲା-।’

‘ଏମିତି ବଳୁଆ ସେ ! ବାପା କିଛି କହିଲେ ନାହିଁ ?’

‘ବାପା କ’ଣ ଏକା ଲଢ଼ିଥାନ୍ତେ, ଗାଁଯାକ ତ ଲଢ଼ିବାପାଇଁ ତିଆର ଥିଲେ । କିନ୍ତୁ ବାପା ଯେତେବେଳେ ସାଧୁ ହୋଇ ବସିଲେ ଅନ୍ୟ ଲୋକେ ଆଉ କରନ୍ତେ କ’ଣ ?’

‘ଆଜିକାଲି ତା ହେଲେ ଚାଷ ହେଉଛି କେମିତି ?’

‘କିଛି ନାହିଁ, ଚାଷବାସ ସବୁ ଭାଙ୍ଗିକରି ପଡ଼ିଛି । ଦାତାଦୀନ କ’ଣ କେତେ ସାଜିରେ କରିଛି, ଆଖୁ ତ ସହଜେ ଲାଗି ନାହିଁ ।’

ଗୋବରା ଅଣ୍ଟାରେ ଏତେବେଳେ ଦି’ଶ ଟଙ୍କା ଥିଲା, ସେଥିପାଇଁ ମନ ତା’ର ଭାରି ଉଚ୍ଚାଟ । ଏସବୁ କଥା ଶୁଣିଲାମାତ୍ରେ ତା ଦେହରେ ନିଆଁ ଲାଗିଗଲା; କହିଲା–ଆଚ୍ଛା, ଯାଇ କରି ମୁଁ ତାଙ୍କୁ ପଚାରୁଛି ସେ ଏଡ଼େ ବଳୁଆ ହୋଇଛନ୍ତି ଯେ ଆସି ମୋ ଦୁଆରୁ ବଳଦ ଫିଟେଇ ନେଇଯିବେ । ଏଗୁଡ଼ା ଡକେଇତି ଛଡ଼ା ଆଉ କ’ଣ ? ଯାହା କହନ୍ତି ଦିନ ଦି’ପହରେ ଡକାୟତି । ଯଦି ତିନିହେଁ–ଯାକ ତିନି ତିନି ବର୍ଷ ଜିହଲ ନ ଯାଇଛନ୍ତି, ତେବେ ମତେ କହିବ । ତୁନୀ କରି ଫେରେଇ ନ ଦେଲେ କଥା କଚେରୀକି ଯିବ, ସବୁ ମଜା ଏକାବେଳକେ ବାହାରିଯିବ ।

ଗୋବରା ଏମିତି ନିଆଁ ହୋଇ ସାଙ୍ଗେ ସାଙ୍ଗେ ଯିବାକୁ ବାହାରିଲାରୁ ଝୁନିଆ ତାକୁ ଧରିପକାଇ କହିଲା, ଯିବ ତ ଏମିତି ତରତର ପଡ଼ିଛି କିଆଁ ? ଆଗ ଗଣ୍ଡେ ଖାଇପିଇ କରି ଟିକିଏ ବିଶ୍ରାମ କର, ପଛକୁ ଗଲେ ହବ ନାହିଁ ! ଦିନଯାକ ତ ପଡ଼ିଛି । ଗାଁରେ ବଡ଼ ବଡ଼ ପଞ୍ଚାୟତ ସବୁ ବସିଲା । ଧାନ ଚାଉଳ ଆମର ସବୁ ଗଲା, ତା ଉପରକୁ ଅଶୀଟଙ୍କା ଜୋରିମନା ଆହୁରି ହେଲା । ଏଇଥିରେ ତ ସବୁ ବେଶି ଖିନିଖରାପ ହୋଇଗଲା ।

ଏତେବେଳକୁ ସୁନା ପିଲାଟିକୁ ବେଶ କରେଇ ନେଇଆସିଲା । ପିଲାଟି ସତକୁସତ ରଜାପରି ଦିଶୁଥିଲା । ଗୋବରା ତାକୁ କୋଳକୁ ନେଇଗଲା, କିନ୍ତୁ ସେତେବେଳେ ପିଲାକୁ ଗେଲ କରିବାପାଇଁ ତାର ଆଉ ମନ ନଥିଲା । ତା ରକ୍ତ ଯେମିତି ତାତି ଯାଇଥିଲା, ଟଙ୍କା ପଇସା ତେଜରେ ତା ଅଣ୍ଟା ବି ସେମିତି ଗରମ ହୋଇ ଉଠିଥିଲା । ସେ ଭାବୁଥିଲା ସମସ୍ତଙ୍କୁ ଥରେ ଦେଖିନବ ! ସେ ଏବେ ମାଇକିନିଆ ରଖିଲା, ସେଥିରେ ପଞ୍ଚାୟତ ବୋପାଙ୍କର ଗଲା କ’ଣ ? ଜୋରିମନା କରିବାକୁ ସେମାନେ କିଏ ? ଆଜି ଯଦି ଫୌଜଦାରୀ ନାଲିସ କରିଦିଏ ତେବେ ପୁଅଙ୍କଠାରେ ପୁଣି ହାତକଡ଼ି ପଡ଼ିଯିବ । ସାରା ସଂସାର ମୋର ଉଜାଡ଼ି ଦେଇ ବସିଛନ୍ତି । ପୁଏ ମୋତେ କ’ଣ ବୋଲି ଭାବିଛନ୍ତି କି ?

ତା କୋଳରେ ତ ପିଲା ଟିକିଏ ପ୍ରଥମେ ହସିଦେଲା କିନ୍ତୁ ଟିକିଏ ପରେ ତା ମୁହଁକୁ ଚାହିଁଦେଇ ଚିହିରି ଉଠିଲା, ସତେ ଯେମିତି କ’ଣ ଦେଖି ଭାରି ଡରିଲା ।

ଝୁନିଆ ତା କୋଳରୁ ପିଲାକୁ ନେଇଯାଇ କହିଲା, ଯା’ ଆଗ ଧୁଆଧୋଇ ହୋଇପଡ଼ । ବସିକରି ଆଉ ଭାବୁଛ କ’ଣ ? ଜାଣିଥା, ଏକା ଏଠି, ପୁଣି ଲୋକଙ୍କ ସଙ୍ଗେ କଳି ତକରାଳ କଲେ ଦିନେହେଲେ ଚଳିପାରିବ ନାହିଁ । ଆଜିକାଲି ଦୁନିଆରେ ଯା ପାଖରେ ପଇସା ଅଛି ସେଇ ବଡ଼ ଲୋକ, ସେଇ ଭଲ ଲୋକ । ଯା’ର ପଇସା ନାହିଁ, ଯେ ଗରିବ, ତା ଉପରେ ସମସ୍ତେ ମାଲିକ ।

 

‘ହଁ, ମୁଁ ତ ଓଲୁଟା, ଘରୁ ପଳେଇଗଲି, ନହିଲେ ଦେଖିଥାନ୍ତି କେମିତି କିଏ ଆମଠୁ ଅଧଲାଟାଏ ନେଇଥାନ୍ତା ।’

 

‘ହଁ, ଆଜି ଟିକିଏ ସହର ବଜାର ପବନ ବାଜିଗଲାଣି ନା, ସେଥିପାଇଁ ଏମିତି କଥା ବାହାରୁଛି, ନହିଲେ ତ ସେତେବେଳେ ଘର ଛାଡ଼ି କୁଆଡ଼େ ପଳାଉଥିଲ !’

 

‘ମନ ତ ହେଉଛି ଏଇନେ ଯାଇ ସେ ଶଳା ଦାତାଦୀନ, ପଟେଶ୍ଵରୀ, ଝିଙ୍ଗୁରୀ ସବୁ ଶଳାଙ୍କୁ ପିଟିକରି ଭୂଇଁରେ ପକାଇ ଦିଅନ୍ତି ଆଉ ଶଳାଙ୍କଠାରୁ ସବୁ ପଇସା ଝଡ଼େଇ ଦିଅନ୍ତି ।

 

‘ପଇସା ଯୋଗୁ ବୋଧେ ତମ ମୁଣ୍ଡରେ ଟିକିଏ ପିତ୍ତ ଚଢ଼ିଯାଇଛି । ଦେଖି ବାହାର କଲ, ଏତେ ଦିନ ତ ଥିଲ, କେତେ ପଇସା ଆଣିଛ ?’

 

ଝୁନିଆ ଗୋବରା ଅଣ୍ଟାରେ ହାତ ମାରିଦେବାମାତ୍ରେ ସେ ଛିଡ଼ା ହୋଇପଡ଼ି କହିଲା, ଏଇନେ କି ପଇସା ? ତମେ ଗଲେ ଯାଇ ପଇସା ନା ! ଏଇନେ ତ ସହର ବଜାର ଚିହ୍ନୁ ଚିହ୍ନୁ ଦିନ ଚାଲିଗଲା ।

 

‘ମା’ ସିନା ଛାଡ଼ିଦେଲେ ମୁଁ ଯିବି ।’

 

‘ମା’ କିଆଁ ଛାଡ଼ିଦେବ ନାହିଁ, ତା’ର କ’ଣ ଯାଉଛି ?

 

‘ମଲା, ସେ ନ କହିଦେଲେ କ’ଣ ମୁଁ ଯିବି ? ତମେ ଯେତେବେଳେ ଛାଡ଼ିକରି ପଳାଇଲ, ମୋର ଏଠି କିଏ ଥିଲା କହିଲ ? ସେ ମୋତେ ଘରେ ନ ପୁରେଇଥିଲେ ମୁଁ କ’ଣ କରିଥାନ୍ତି । ଜୀଇଥିବାଯାକ ମୁଁ ତାଙ୍କରି ଗୁଣ ଗାଉଥିବି, ତା ଛଡ଼ା ତମେ କ’ଣ ନିତି ବିଦେଶରେ ଥିବ, ପୁଣି ତ ଘରକୁ ଆସିବ ?

 

‘ଆଉ ଏଠି ବସି କ’ଣ କରିବି ? ରୋଜଗାର କରିବାକୁ ତ ହେବ ନହିଲେ ମଣିଷ ଚଳିବ କେମିତି ? ଟିକିଏ ଯଦି ଅକଲ ଥିବ ଆଉ ମଣିଷ କାମକରି ପାରୁଥିବ, ତେବେ ସହର ବଜାରରେ ପେଟ କେବେ ଅପୋଷା ଯିବ ନାହିଁ । ଗାଁରେ ତ ଅକଲ କିଛି ଦରକାର ନାହିଁ । ଆଚ୍ଛା, ବାପା କାହିଁକି ମୋ ଉପରେ ଏଡ଼େ ମୁହଁ କରିଛନ୍ତି କି ?”

 

‘ତମ ଭାଗ୍ୟ ଭଲ କି ତମକୁ ସେ ଖାଲି ମୁହଁ ଫୁଲେଇ କରି ଛାଡ଼ି ଦେଇଛନ୍ତି, ନହିଲେ ସେତେବେଳେ ଯେମିତି ରାଗିଥିଲେ, ପାଇଥିଲେ ତମ ଗାଲ ନାଲ କରିଦେଇଥାନ୍ତେ ।’

 

‘ତମକୁ ତାହାହେଲେ ତ ଖୁବ୍ ଗାଳି ଦେଇଥିବେ ?’

 

‘ମୋଟେ ନାହିଁ, ଭୁଲରେ ବି କେବେହେଲେ ଦିନେ ପଦେ କିଛି କହି ନାହାନ୍ତି । ମା’ ତ ହେଲେ ପହିଲେ ଟିକିଏ ବିଗିଡ଼ି ଯାଇଥିଲେ, କିନ୍ତୁ ବାପା କେବେହେଲେ କିଛି କହନ୍ତି ନାହିଁ । ଡାକିଲେ କାହିଁରେ କ’ଣ ଆଦର କରି ଡାକିବେ । ମୋ ମୁଣ୍ଡ ଟିକିଏ ବଥେଇବ ବୋଲେ ସେ ସମ୍ଭାଳି ପାରିବେ ନାହିଁ । ନିଜ ବାପକଥା ଭାବିଲାବେଳକୁ ଇଏ ତ ମୋତେ ଦେବତା ଭଳିଆ ଲାଗନ୍ତି । ମା’ଙ୍କୁ ବରାବର କହନ୍ତି ବୋହୂଙ୍କୁ କିଛି କହିବୁ ନାହିଁ । ତମ ଉପରେ ବରାବର ଭାରି ବିଗିଡ଼ନ୍ତି । କହନ୍ତି, ବୋହୂଟାକୁ ଘରେ ବସେଇ ଦେଖିଲ କେମିତି ପଳେଇଗଲା ? ଆଜିକାଲି ତ ସହଜେ ହାତରେ ଅଧଲାଟାଏ ବି ନାହିଁ । ଆଖୁ ପଇସା ତ ବାହାରେ ବାହାରେ ଉଡ଼ିଗଲା । ଆଜିକାଲି ସେଥିପାଇଁ ମୂଲ ନାଗିବାକୁ ପଡ଼ୁଛି । ବିଲରେ କାମ କରୁ କରୁ ବାପା ଆଜି ବେହୋଶ୍ ହୋଇଯାଇଥିଲେ । ଘରେ କାନ୍ଦ ବୋବାଳି ପଡ଼ିଗଲା । ସେତିକିବେଳୁ ତ ସେ ପଡ଼ି ରହିଛନ୍ତି ।

ମୁହଁ ହାତ ଧୋଇ ମୁଣ୍ଡ କୁଣ୍ଡେଇ ଗୋବରା ଗାଁ ବୁଲିବାକୁ ବାହାରି ପଡ଼ିଲା । ବୁଲା ତ ନୁହେଁ, ଦିଗବିଜୟ ବୋଲି ଜାଣ । ଆଗ କକାମାନଙ୍କ ଘରକୁ ଗଲା । ତା ପରେ ସାଙ୍ଗସାଥୀଙ୍କି ଦେଖାସାକ୍ଷାତ ହେଲା । ଦେଖିଲା ଗାଁରେ ବେଶି ପରିବର୍ତ୍ତନ ହୋଇନାହିଁ, କେବଳ ପଟେଶ୍ୱରୀର ଖଣ୍ଡେ ନୂଆ ଚଟାଣି ତିଆରି ହୋଇଛି, ଆଉ ଝିଙ୍ଗୁର ସିଂହ ଦୁଆରେ ଗୋଟାଏ କୁଅ ଖୋଳା ହୋଇଛି । ମନରେ ଖାଲି ତା’ର ରାଗ ଆଉ ବିଦ୍ରୋହ କୁହୁଳି ଉଠୁଥିଲା । ଯେଉଁଠିକି ଗଲା ସେଠି ଆଦର, ଟୋକାଙ୍କ ଭିତରେ ତ ସହଜେ ଗୋଟାଏ ନେତା ହୋଇ ଯାଇଥିଲା । ତା ସଙ୍ଗରେ ଲକ୍ଷ୍ନୌ ଯିବାପାଇଁ ପଂଝା ପଂଝା ହୋଇ ଟୋକା ତା ପଛରେ ବୁଲୁଥିଲେ । ବରଷ ଗୋଟାକ ଭିତରେ ସେ ଯେ କେତେ ବଦଳି ଯାଇଛି ତାର କିଛି ଠିକଣା ନଥିଲା ।

ଯାଉ ଯାଉ ସେ ହଠାତ୍ ଦେଖିଲା ଝିଙ୍ଗୁର ସିଂହ କୁଅ ମୂଳରେ ଗାଧୋଉଛି । କିନ୍ତୁ ତାକୁ ନମସ୍କାର କଲା ନାହିଁ କି ପାଟି ଫିଟାଇଲା ନାହିଁ । ତାକୁ ସେ ଚେତେଇ ଦେବାକୁ ଚାହୁଥିଲା ଯେ ତା ଭଳିଆ ଲୋକକୁ ସେ ବାସୀରେ ବି ଖାତିର କରେ ନାହିଁ ।

ଝିଙ୍ଗୁର ସିଂହ ଆପେ ଆପେ ତା ଆଡ଼ୁ ପଚାରିଲା, କେବେ ଆସିଲ ଗୋବରା, ଭଲରେ ଥିଲ ତ ? ଲଖନଉରେ କା ଘରେ ଚାକେରୀ କରୁଥିଲ ନା କ’ଣ ?

ଗୋବରା ଟିକିଏ ଅଖାଡ଼ୁଆ କରି କହିଲା, ଲଖନଉରେ ମୁଁ କାହାରି ନୌକରୀ କରିବାକୁ ଯାଇନଥିଲି । ସେଠି ମୁଁ ବ୍ୟବସାୟ କରୁଥିଲି ।

ଝିଙ୍ଗୁର ସିଂହ ଟିକିଏ କୌତୁହଳୀ ହୋଇ ଗୋଡ଼ରୁ ମୁଣ୍ଡଯାଏ ଅନାଇଯାଇ ପଚାରିଲା, ଦିନକୁ କେତେ ଲେଖା ହେଉଥିଲା ?

ତାକୁ ଚିଡ଼େଇବା ପାଇଁ ଗୋବରା ଟିକିଏ ଆଡ଼ମ୍ବର କରି କହିଲା, ଦିନକୁ ଅଢ଼େଇ ତିନି ଏମିତି ମିଳୁଥିଲା । କେତେବେଳେ ସୁବିଧା ହେଲେ ଚାରି ବି ହୋଇ ଯାଉଥିଲା । ଚାରିରୁ ବେଶି କେବେ ମିଳେ ନାହିଁ ।

ଝିଙ୍ଗୁର ସିଂହ ଦେଖିଲା ଯେ ଖୁବ୍ କସୋଟ କରି ଦି ମାସକୁ ପଚିଶି ତିରିଶିରୁ ବେଶି ସେ ଭିଆଇ ପାରୁ ନଥିଲା, କିନ୍ତୁ ମଫସଲିଆ ଟୋକାଟେ ମାସକୁ ଶହେଟଙ୍କା ରୋଜଗାର କରୁଥିଲା ଶୁଣି ତା ମୁଣ୍ଡ ତଳକୁ ହୋଇଗଲା, ଭାବିଲା ତା ଉପରେ ଆଉ ସେ ବଡ଼ପଣିଆ ଦେଖାଇବ କ’ଣ ? ଅବଶ୍ୟ ସେ ଜାତିରେ ଉଚ୍ଚ ବ୍ରାହ୍ମଣ, ହେଲେ ଆଜି ଯୁଗରେ ଜାତି ଦେଖୁଛି କିଏ, ପଇସା ଦେଖୁଛନ୍ତି ସମସ୍ତେ । ପ୍ରକୃତରେ ଆଉ ବଡ଼ପଣିଆ ଦେଖାଇବାରେ କିଛି ଲାଭ ନାହିଁ, ବରଂ ତା ପଛରେ ଟିକିଏ ଲାଗିଲେ ତା’ଠାରୁ କିଛି କାମ ହାସଲ କରାଯାଇ ପାରିବ । ତା ପରେ ପାଟି ଫିଟାଇ ସେ କହିଲା, ଆରେ ପୁଅ, ଇଏ ତ କିଛି କମ୍ ରୋଜଗାର ନୁହେଁ । ମନଇଚ୍ଛା ଖର୍ଚ୍ଚ କରୁଥିଲେ ବି ପରୁଆ ନାହିଁ । ଗାଁରେ ତ ତିନିଅଣା ପଇସା ବି ମିଳିବା କଷ୍ଟ । ଭବନିଆ (ତା ବଡ଼ ପୁଅ)କୁ ଯଦି କେଉଁଠି କାମ ଖଣ୍ଡେ ଜୁଟେଇ ଦିଅନ୍ତୁ ତେବେ ତମ ସାଙ୍ଗରେ ତାକୁ ପଠାଇ ଦିଅନ୍ତି । ପାଠଶାଠ ତ କିଛି ପଢ଼ିଲା ନାହିଁ, ଖାଲି ଘରେ ବସି ଗୋଟାକୁ ଗୋଟା ଗଣ୍ଡଗୋଳ ଭିଆଉଛି । କେଉଁଠି ଚାକେରୀ ବାକେରୀ ଖଣ୍ଡେ ଖାଲିହେଲେ ଟିକିଏ ଖବର ଦେବ, ନାହିଁ ଯଦି ଏଥର ସାଙ୍ଗରେ ନେଇଯିବ ତ ଆହୁରି ଭଲ । ତମର ତ ପିଲାଦିନେ ସାଥୀ । ଦରମା ଅଳ୍ପ ହେଲେ କିଛି ଯା’ ଆସେ ନାହିଁ । ଯେମିତି ହେଲେ ଉପୁରି ଦି’ଚାରି ପଇସା ହେଲେ ହେଲା ।

ଗୋବରା ଟିକିଏ ବଡ଼ାଣିଆଭାବ ଦେଖାଇ ହସି ହସି କହିଲା, ହଁ, ଏଇ ଉପୁରି ପଇସା ତ ଲୋକକୁ ବିଗାଡ଼ୁଛି, ଆଉ କ’ଣ କି ? ଆମର ତ ଆଜିକାଲି ଏମିତି ଅଭ୍ୟାସ ହୋଇଗଲାଣି ଯେ କିଛି ନା କିଛି ବେଇମାନୀ ନ କଲେ ଆମ ଭାତ ହଜମ ହେଉ ନାହିଁ । ଲଖନଉରେ ତ ଚାକେରୀ ଯେମିତି ହେଲେ ମିଳିବ, ମୁଁ ଯା ଘରେ ହେଲେ ନେଇ ଲଗେଇ ଦେବି । କିନ୍ତୁ ପଛରେ ଯଦି ଇଏ ମାଲିକର ଜିନିଷପତ୍ରରେ ହାତମାରେ ତେବେ ସେ ମୋ’ରି ଚୁଟୀ ଧରିବ । ସଂସାରେ ତ ଧନ କିଛି ନୁହେଁ, ଅସଲ ହେଉଛି ମଣିଷର ମାନ ମହତ, ଇଜ୍ଜତ ।

ଝିଙ୍ଗୁର ସିଂହକୁ ଏମିତି ଏକ ଚାପୁଡ଼ା ବସେଇ ଗୋବରା ସେଠୁ ବାହାରିଗଲା, ବିଚାରା ଦାନ୍ତ କାମୁଡ଼ି ହୋଇ ରହିଗଲା । ଭାବିଲା, ଟୋକାଟା ସତେ କେଡ଼େ ଉପରମୁହାଁ ହୋଇଯାଇଛି ମ-! କଥା କହୁଛି ସତେ ଯେମିତି କୋଉଠୁ ଧର୍ମର ଅବତାର ଆସିଯାଇଛି ।

ଗୋବରା ଯାଇ ଦାତାଦୀନକୁ ବି ସେମିତି ରଗଡ଼ାଟାଏ ଖୁବ୍ ରଗଡ଼ିଲା । ବିଚାରା ଖାଇବାକୁ ଯାଉଥିଲା । ଗୋବରାକୁ ଦେଖି ଖୁସୀ ହୋଇ କହିଲା, ଗୋବରା, ସେଠି ଭଲରେ ଥିଲ ତ ? ଶୁଣିଲି, ସେଠି ଖୁବ୍ ଭଲ ଜାଗାଟାଏ ପାଇଯାଇଛ । ମାତାଦୀନଟା ଖାଲି ଏଠି ଭାଙ୍ଗ ଖାଇକରି ବୁଲୁଛି, ତାକୁ ଟିକିଏ ହେଲେ କୋଉଠି ଠାକେଇ ଦିଅନ୍ତ ନାହିଁ ?

ଗୋବରା କହିଲା, ଆପଣଙ୍କ ଘରେ କ’ଣ ଅଭାବ ଯେ ? ଆପଣ ତ ଯୋଉ ଯଜମାନ ଦୁଆରେ ଛିଡ଼ାହୋଇ ପଡ଼ିବେ ସେଠି ପଇସା । ଜନମ, ମରଣ, ବାହା, ପୁଆଣି ସବୁଥିରେ ଆପଣଙ୍କର କଞ୍ଚା ପଇସା । ଜମିବାଡ଼ି କରୁଛନ୍ତି, କରଜ ବାରଜ ଦେଉଛନ୍ତି, ଦଲାରୀ ବି କରୁଛନ୍ତି, କେହି କେତେବେଳେ ଭୁଲବଟକା କଲେ ତା’ଉପରେ ଜରିମନା କରି ତା ଘର ଲୁଟି କରୁଛନ୍ତି । ଏତେ ରୋଜଗାରରେ କ’ଣ ଆପଣଙ୍କ ପେଟ ପୂରୁନାହିଁ । ଏତେ ଟଙ୍କାପଇସା ଗଦେଇ କ’ଣ କରିବେ, ମଲାବେଳେ କ’ଣ ସାଙ୍ଗରେ ନେବାପାଇଁ କିଛି ବାଟ କରିଛନ୍ତି କି ?

ଦାତାଦୀନ ଦେଖିଲା ଗୋବରା ବଡ଼ ଗର୍ବରେ କଥାବାର୍ତ୍ତା କରୁଛି । ସାନବଡ଼ ବିଚାର ନାହିଁ କି ପାଟିରେ ବାଡ଼ବତା ନାହିଁ । ଭାବିଲା, ପୁଅକୁ ବୋଧେ ଜଣାନାହିଁ ବାପ ଏବେ ତାର ମୂଲକରି ଖାଉଛି । ହଁ, ଛୋଟିଆ ନଈ ଆଉ ଛୋଟ ଲୋକଙ୍କୁ ତ ଉଛୁଳିବା ପାଇଁ ବେଶି ସମୟ ଲାଗେ ନାହିଁ । ତଥାପି ଦାତାଦୀନ ତା ମନର ଭାବ ସବୁ ଲୁଚେଇ ରଖିଲା । କୋଳପିଲା ମଣିଷଙ୍କ ନିଶଦାଢ଼ୀ ଟାଣିଲେ ମଣିଷ ଯେମିତି ହସିଦିଏ, ଦାତାଦୀନ ସେମିତି ତା ଗାଲକୁ ହସିଦେଇ ଗେଲେଇ ହୋଇ କହିଲା–ଲଖନଉ ପବନ ଖାଇକରି ତୁ ବଡ଼ ଚାଲାକ ହୋଇଗଲୁଣି ଦେଖୁଛି । ଆଣ’ କ’ଣ ରୋଜଗାର କରି ଆଣିଛୁ ଦେଖା । କେତେଦିନ ରହିବୁ ନା କ’ଣ ?

‘ହଁ, ଏଇନେ କିଛିଦିନ ଅଛି ତ । ପଞ୍ଚାୟତ ମୋର ଯେଉଁ ଦେଢ଼ଶ ଟଙ୍କା ପାଟିରେ ପକାଇ ଦେଇଛନ୍ତି, ତାଙ୍କଠୁ ସେ ଟଙ୍କା ଅସୁଲ କଲେ ଯାଇଁ ଯିବି । ଦେଖିବି ଟିକିଏ ଲୋକେ କେମିତି ମୋତେ ଅଜାତି କରିବେ । କେମିତି ନିଆଁ ପାଣି ବନ୍ଦ କରିବେ ?’

ଗୋବରା ଏମିତି ଧମକ ଦେଇ ବାହାରିଗଲା । ତା ସାଙ୍ଗ ସାଥୀମାନେ ତା ଢଙ୍ଗ ଦେଖି ତା ସଙ୍ଗେ ଆସି ଖୁବ୍ ଜମିଗଲେ । ଜଣେ କହିଲା, ଗୋବରା ଭାଇ, ତୁ ନାଲିସ୍ କରିଦେନା । ଏହି ବୁଢ଼ା ହେଉଛି ଗୋଟାଏ ଅସଲ କଳା ସାପ, ସେ ଯାହାକୁ ମାରିବ ତା ପାଇଁ ଆଉ ଔଷଧ ନାହିଁ । ତାକୁ ଖୁବ୍ ବତେଇଲୁ, ଠିକ୍ କଲୁ । ଆଉ ସେ ପଟେଶ୍ୱରୀକୁ ପାନଟାଏ ଦେ, ବଡ଼ ଛୋଟ ଲୋକ ସେଟା । ତାର କାମ ହେଉଛି ବାପ ଭାଇଙ୍କ ଭିତରେ କଳି ଲଗେଇବା, ପରଘର ଭାଙ୍ଗିବା, ପିଆଦାଙ୍କ ସାଙ୍ଗରେ ମିଶିକରି ଲୋକଙ୍କ ତଣ୍ଟି ଚିପିବା । ତା ବିଲରେ ବିହୁଡ଼ା ବେଉଷଣ ବେଠିରେ ଆଗ ହୋଇ ସାରିଲେ ଯାଇଁ ତା’ପରେ ଆଉ ଯାହା ବିଲରେ କାମ ହେବ ।

 

ଗୋବରା ନିଶରେ ହାତ ପକାଇ କହିଲା, ମତେ କ’ଣ କହୁଛ ମ, ମୁଁ କ’ଣ ବରଷ ଗୋଟାକରେ ଏମିତି ସବୁ ଭୁଲି ଗଲିଣି ? ମୁଁ ଟିକିଏ ବେଶିଦିନ ଗାଁରେ ରହିବି ନାହିଁ, ନହିଲେ ପୁଅଙ୍କୁ ନଚେଇ ନଚେଇ ପାଣି ନିକାଲି ଦିଅନ୍ତି । ଏବେ ଚାଲ, ଆଚ୍ଛା କରି ହୋଲିପର୍ବ ପାଳିବା ଆଉ ସେତିକିବେଳେ ତାଙ୍କୁ କସିକରି ଦେବା ।

 

ହୋଲିଖେଳ ପ୍ରୋଗ୍ରାମ ତିଆରି ହେଲା । ଖୁବ୍ ଭାଙ୍ଗ, ଖୁବ୍ ମିଠାଇ ଖିଆ ହେବ । ଖୁବ୍ ଅବିର ଖୁବ୍ କାଳିରେ ଖେଳ ହେବ । ହୋଲିଖେଳରେ ତ କେହି କିଛି ପାଟି ଫିଟେଇ ପାରିବେ ନାହିଁ, ମୁଖିଆମାନଙ୍କ ମୁହଁରେ ଖୁବ୍ ପଟେ ଲେଖା କାଳିବୋଳି ମଜା କରିବାକୁ ହେବ । ତହିଁକି ଗୋବରା ତ କମେଇ କରି ଟଙ୍କା ଆଣିଛି ଯେତେ ଇଚ୍ଛା, ଏବେ ପରୁଆ କ’ଣ ?

 

ଖାଇପିଇ ସାରି ଗୋବରା ଭୋଳା ପାଖକୁ ଚାଲିଲା । ବଳଦଙ୍କୁ ଆଣି ଦୁଆରେ ନ ବାନ୍ଧିବା ଯାଏ ତା ମନରେ ଶାନ୍ତି ନାହିଁ । ଲଢ଼େଇ କରି ମରୁ କି ସରୁ ସେଥିପାଇଁ ତାର ଖାତିର ନାହିଁ-

 

ହୋରୀ କାତର ସ୍ଵରରେ କହିଲା–ଆରେ ପୁଅ, କଳିକଜିଆ କାହା ସଙ୍ଗେ କର ନାହିଁ । ଭୋଳା ତ ବଳଦ ନେଲା–ନେଲା, ଭଗବାନ ତାର ଭଲ କରନ୍ତୁ, ତା’ର ତ ଆମ ପାଖେ ହକ ପାଉଣା ଥିଲା ।

 

ଗୋବରା ରାଗିଯାଇ କହିଲା–ତମେ ମଝିରେ କିଛି ପାଟି ଫିଟାଇବ ନାହିଁ । ତା ଗାଈଟା ମୋଟେ ପଚାଶ ଟଙ୍କା, ଆମ ବଳଦ ଯୋଡ଼ା ଦେଢ଼ଶ ଟଙ୍କା । ମୋଟେ ତ ତିନିବରଷ ଯୁଚା, ଖୁବ୍ କମ୍ ହେଲେ ଶ’ଟେ ଟଙ୍କା ହେବେ । ତା’ର ଟଙ୍କା ଅଛି ବୋଲି ସେ ମକଦ୍ଦମା କରିପାରେ, ଡିଗ୍ରୀଜାରୀ କରେଇ ପାରେ, ତା ମନ ଯାହା ତା କରିପାରେ । ୟା ବୋଲି ସେ ଆମ ଗୁହାଳକୁ ଆସି ଗୋରୁ ଫିଟେଇ ନେଇଯିବ ! ତମକୁ ଆଉ କ’ଣ କହିବି ମୁଁ । ଏଣେ ହଳକୁ ହଳ ଛାଡ଼ିଦେଇ, ତେଣେ ଦେଢ଼ଶ ଟଙ୍କା ଜରିମନା ଗଣି ବସିଲ । ଅତି କଅଁଳିଆ ହେଲେ ବିଲେଇ ଲୁହା କାମୁଡ଼େ କି ନା ! ମୋ ଆଗରେ ବଳଦ ଫିଟାଇ ନେଇଥାନ୍ତା କି ଚିହ୍ନିଥାନ୍ତା । ତିନିଜଣଯାକୁ ମାରିକରି ଏଠି ପୋତିଦେଇ ନଥାନ୍ତି ! ମୁଁ ତ ପଞ୍ଚାୟତଙ୍କୁ ପାଟିଆଡ଼ୁ ଫିଟାଇ ନଥାନ୍ତି, ଦେଖିଥାନ୍ତି କିଏ ମୋତେ ଅଜାତି କରିଥାନ୍ତା । ତମେ କିନ୍ତୁ ଖାଲି ସବୁକଥାକୁ ଚୁପଚାପ୍ ଅନେଇ ରହିଲ ।

 

ହୋରୀ ଦୋଷୀଙ୍କ ପରି ଚୁପଚାପ୍ ରହିଗଲା । କିନ୍ତୁ ହୋରୀପ୍ରତି ଏ ଅନ୍ୟାୟ ଧନିୟା କ’ଣ ସହଜରେ ସହନ୍ତା, କହିଲା–ଆରେ ପୁଅ, ତୁ କଥା କିଛି ବୁଝିପାରୁ ନାହୁଁ, ଗାଁଲୋକେ ଯଦି ସେତେବେଳେ ନିଆଁ ପାଣି ବନ୍ଦ କରି ଦେଇଥାନ୍ତେ ତେବେ ଆମେ ଚଳିଥାନ୍ତୁ କେମିତି ? ପୁଣି ଘରେ ଯେତେବେଳେ ଯୁବାଝିଅ ବସି ରହିଛି, ତା ପାଇଁ ତ ପୁଣି ଯୋଗାଡ଼ କରିବାକୁ ହେବ । ମଲା, ଜୀଇଲା ସବୁକଥାକୁ ତ ପୁଣି ଜାତିଭାଇ..... ।

 

ଗୋବରା ମା କଥାକୁ ବାଦ କରି କହିଲା–ନିଆଁପାଣି ତ କେହି ବନ୍ଦ କରି ନଥିଲେ । ଜାତିଭାଇ ଯଦି ଏତେ ଆପଣାର ତେବେ ମୋ ବାହାଘର କରି ଦେଉ ନଥିଲେ କାହିଁକି ? ଘରେ ତ ଖାଇବା ପିଇବାକୁ ନଥିଲା, ଜାତିଭାଇ ଆସି ଦେଇ ଯାଉ ନଥିଲେ କାହିଁକି ? ଏ ଦୁନିଆରେ ଆଜିକାଲି ଜାତି ଫାତି କିଛି ନୁହେଁ । ସବୁ ହେଉଛି ପଇସା, ଯା’ର ପଇସା ଅଛି ତା’ର ସବୁ ଅଛି ।

 

ଛୋଟ ପିଲାଟାର କାନ୍ଦଣା ଶୁଣି ଧନିୟା ଘରଭିତରକୁ ଚାଲିଗଲା । ଗୋବରା ଏଣେ ଯିବାପାଇଁ ଘରୁ ବାହାରି ପଡ଼ିଲା । ହୋରୀ ବସି ମନେ ମନେ ଭାବୁଥିଲା, ଟୋକାଟାର ଅକଲ ସବୁ ବିଗିଡ଼ି ଗଲାଣି, ନହିଲେ ଏମିତିଆ କଥା କହନ୍ତା କେମିତି ? ତା’ କୁଟୀଳ ବୁଦ୍ଧି ଆଗରେ ହୋରୀର ସମସ୍ତ ନ୍ୟାୟ ଧର୍ମ ପରାସ୍ତ ହୋଇଗଲା ।

 

ହୋରୀ ହଠାତ୍ କହି ପକାଇଲା–ଚାଲ, ମୁଁ ବି ତୋ ସାଙ୍ଗେ ଯିବି ।

 

‘ନାହିଁ ନାହିଁ, ତମେ ଯିବା କଥା ହେବ ନାହିଁ । ତମେ ଗଲେ ସବୁ କାମ ବିଗିଡ଼ିଯିବ ।’

 

ଏତିକିରେ ହୋରୀ ଚୁପ୍ ହୋଇଗଲା, ଆଉ ଗୋବରା ବାହାରି ଚାଲିଗଲା ।

 

ପାଞ୍ଚ ମିନିଟ୍ ହୋଇଛି ହି ନାହିଁ ଧନିୟା ପିଲାକୁ କାଖରେ ଧରି ଘରୁ ବାହାରି ଆସି କହିଲା, ଗୋବରା କ’ଣ ଏକୁଟିଆ ବାହାରି ଗଲା, ମୁଁ ଜାଣେ ପରା, ଭଗବାନ ତମକୁ କେବେ ବୁଦ୍ଧି ଦେବେ କେଜାଣି ? ଭୋଳା କ’ଣ ସହଜରେ ଗୋରୁ ଛାଡ଼ିଦେବ, ତିନିକି ତିନିହେଁ ତାକୁ ଛଞ୍ଚାଣ ଭଳିଆ ମାଡ଼ି ବସିବେ । ଭଗବାନ ରଖିଲେ ରଖିବେ, ଆଉ କାହାକୁ କ’ଣ କହିବି । ବସିଛ କ’ଣ, ଧାଇଁକରି ହେଲେ ଟିକିଏ ଯା’ । ମୁଁ ଆଉ ତମକୁ ପାରିବି ନାହିଁ ।

 

ହୋରୀ ସାଙ୍ଗେ ସାଙ୍ଗେ ଠେଙ୍ଗା ଖଣ୍ତେ ଧରି ପଛେ ପଛେ ଦଉଡ଼ିଲା । ଗାଁ ବାହାରକୁ ଆସି ଅନେଇ ଦେଖିଲା ଖୁବ୍ ଦୂରରେ ଜଣେ କିଏ ଗଲାପରି ଝାପସା ଦେଖାଯାଉଛି । ଭାବିଲା, ଏଡ଼େ ଚଞ୍ଚଳ ସେ ଏତେ ବାଟ ଗଲା କେମିତି । ମନେ ମନେ ହୋରୀ ନିଜକୁ ଭାରି ଧିକାରିଲା, କାହିଁକି ସେତେବେଳେ ସେ ଗୋବରାକୁ ନ ଅଟକାଇଲା । ଯଦି ସେ ଟିକିଏ ଜୋରକରି କହି ଦେଇଥାନ୍ତା, ତେବେ ଗୋବରା କେବେହେଲେ ଯାଇ ନଥାନ୍ତା । ତାର ଅବା ଦୌଡ଼ିବାକୁ କେଉଁ ବଳ ଥିଲା, ସେଇଠି ବିଚାରା ବସିପଡ଼ି ଭଗବାନଙ୍କୁ ଡାକିଲା–ହେ ଭଗବାନ, ଗୋବରାକୁ ତମେ ଏକା ସାହା ।

 

ଗୋବରା ସେ ଗାଁରେ ପହଞ୍ଚିଯାଇ ଦେଖିଲା ପଂଝାଏ ଲୋକ ସେଠି ବରଗଛ ମୂଳେ ବସି ଜୁଆ ଖେଳୁଛନ୍ତି । ତାକୁ ଦେଖିଲା ମାତ୍ରେ ପୁଲିସ ଭାବିକରି ସମସ୍ତେ ସେଠୁ ଖେଳ ଭାଙ୍ଗିଦେଇ ପଳାଇବାକୁ ବାହାରିଲେ । କିନ୍ତୁ ଜଙ୍ଗୀ ତାକୁ ଚିହ୍ନିପାରି କହିଲା, ଆରେ ଇଏ ତ ଗୋବର୍ଦ୍ଧନ ।

 

ଗୋବରା ଦେଖିଲା ଜଙ୍ଗୀ ବରଗଛ ଉହାଡ଼ରେ ଲୁଚିଯାଇ ଉଙ୍କିମାରି ଚାହୁଁଛି । ତାକୁ ଦେଖି ସେ କହିଲା–ଆସ ଜଙ୍ଗୀ ଭାଇ, ଲୁଚୁଛ କାହିଁକି, ନମସ୍କାର । ମୁଁ ଆଜି ଆସି ପହଞ୍ଚିଛି । ଭାବିଲି ସମସ୍ତଙ୍କୁ ଟିକିଏ ଦେଖିଯିବା, ପୁଣି ଯାଇ ଆସୁ ଆସୁ କେତେଦିନ । ତମରିମାନଙ୍କର ଆଶୀର୍ବାଦରୁ ମୁଁ ଭଲରେ ଅଛି । ମୁଁ ଯା’ଘରେ କାମ କରୁଛି ସେ ଆଉ ଜଣେ ଦି’ଜଣ ଲୋକ ଚାହେ-! ମୁଁ ତାଙ୍କୁ କହିଆସିଛି, ଜଣେ ଦି’ଜଣ ଏମିତିଆ ଲୋକ ଆଣିଦେବି ଯେଉଁମାନେ ଜୀବନ ଚାଲିଯିବ ପଛେ କାମରେ କେବେ ଖଟା କରିବେ ନାହିଁ । ତମ ମନ ହେଉଛି ଯଦି ଚାଲ ଯିବା, ଖୁବ୍ ବଢ଼ିଆ ଜାଗା ।

 

ଗୋବରାର ଆଡ଼ା ଚଉଡ଼ା ଦେଖି ଜଙ୍ଗୀ ମନ ଟିକିଏ ତରଳି ପଡ଼ିଲା । ଭାବିଲା ଯାହିତାହି ଯୋତା ହଳେ କରିବା ପାଇଁ ନିଜର ଯୋଗ୍ୟତା ନାହିଁ ଅଥଚ ଗୋବରା ପିନ୍ଧିଛି ଚକମକିଆ ବୁଟ୍; ସଫାସୁତରା କାହିଁରେ କ’ଣ, ବଢ଼ିଆ ଗାରଗାରିଆ କାମିଜ, ଚିକକଣ ଚାକକଣ ଟେରୀ, ବାବୁ ସାହେବ କି ବାବୁ ସାହେବ । କାହିଁ ସେ ମେଳେଛିଆ ମଳିମୁଣ୍ଡିଆ ଗୋବରା, ଆଉ କାହିଁ ପୁଣି ସଫାସୁତୁରା ବାବୁ ଗୋବର୍ଦ୍ଧନ । ଝୁନିଆ କଥା ବହୁତ ପୁରୁଣା ହୋଇ ଯାଇଥିବାରୁ ଜଙ୍ଗୀର ରାଗ ତ ସହଜେ କମିଯାଇଥିଲା । ପୁଣି ଏସବୁ ରଙ୍ଗଢ଼ଙ୍ଗ ଦେଖି ଗୋଟାପଣେ ଶାନ୍ତି ହୋଇଗଲା । ତାର କାମ ହେଉଛି ଜୁଆ ଖେଳିବା, ଭାଙ୍ଗ ପିଇବା, ସେଥିପାଇଁ ଘରୁ ପଇସା ପାଇବା ବଡ଼ ମୁସ୍କିଲ ହେଉଥିଲା । ଗୋବରା କଥା ଶୁଣିଲାମାତ୍ରେ ତା ପାଟିରୁ ଲାଳ ବୋହିପଡ଼ିଲା-। କହିଲା, ଏଠି ତ ମିଛଟାରେ ବସି ବସି ବେଳ ଯାଉଛି, ଯିବି ନାହିଁ କାହିଁକି, କେତେ ଟଙ୍କା ଲେଖା ମିଳିବ ଆଗ କହିଲ ?

 

ଗୋବରା ବଡ଼ ଆତ୍ମବିଶ୍ଵାସ ଦେଖାଇ କହିଲା, ଆରେ, ସେସବୁ କଥା ଭାବିବା କିଛି ଦରକାର ନହିଁ । ସବୁ ହେଉଛି ମଣିଷର ନିଜ ହାତରେ ଯେ ଯେମିତି ଚାହିବ ସେମିତି ହୋଇଯିବ । ମୁଁ ଭାବିଲି ଆପଣା ଘରେ ଯେତେବେଳେ ଲୋକ ଅଛନ୍ତି, ପର ଲୋକଙ୍କୁ ନେବା ଦରକାର କଣ ?

 

ଜଙ୍ଗୀ ଟିକିଏ ଉଚ୍ଚାଟ ହୋଇ ପଚାରିଲା, କି କାମ କରିବାକୁ ପଡ଼ିବ ?

 

“ଚାହିଲେ ଚୌକିଦାର ହୋଇ ପାରିବ, ନାହିଁ ତ ପାଉଣା ଅସୁଲ କରିବା ପାଇଁ ପିଆଦା ହୋଇ ପାରିବ । ପିଆଦା ହେଲେ ସବୁଠୁ ଭଲ । ଆସାମୀ ସଙ୍ଗେ ସୂତ୍ର ହୋଇ ସେ ଘରେ ନାହିଁ ବୋଲି ଆସି ମାଲିକ ଆଗରେ କହିଦେଲେ ଯେମିତି ହେଲେ ଟଙ୍କାଏ, ଆଠଣା ଦିନକୁ ମିଳିଯିବ ।’

 

‘ରହିବାକୁ କଣ ଜାଗା ମିଳିବ ?

 

‘ମଲା ମଲା, ରହିବାକୁ କଣ ଜାଗା ମିଳୁ ନାହିଁ । ମହଲାକୁ ମହଲା ଖାଲି ପଡ଼ିଛି, ବିଜୁଳୀବତୀ ଆଲୁଅ, ପାଣିକଳ, ସବୁ ଅଛି, କିଛି ଅସୁବିଧା ନାହିଁ । କାନ୍ତାଭାଇ ଘରେ ଅଛନ୍ତି ନା କୁଆଡ଼େ ଯାଇଛନ୍ତି ?

 

‘ଦୁଧନେଇ ବଜାର ଯାଇଛି । ମତେ କେହି ବଜାରକୁ ପଠାଉ ନାହାନ୍ତି । କହୁଛନ୍ତି, ମୁଁ ଗଞ୍ଜାଇ ଖାଉଛି କିନ୍ତୁ ମୁଁ ଆଜିକାଲି ଭାରି କମ୍ ଖାଉଛି । ନିତି ଏତେ ପଇସା ଆସିବ କୁଆଡ଼ୁ ? ତମେ କାନ୍ତାଙ୍କୁ କିଛି କହ ନାହିଁ, ମୁଁ ତମ ସାଙ୍ଗରେ ଯିବି ।’

 

‘ତା ହେଲେ ଦୋଳପୂର୍ଣ୍ଣୀମା ପଛେ ପଛେ ଚାଲ ।’

 

‘ଆଚ୍ଛା, ହଉ ତା ହେଲେ ସେକଥା ହେଲା ।’

 

ଦିହେଁଯାକ କଥା ହୋଇ ହୋଇ ଯାଇ ତାଙ୍କ ଦୁଆରେ ପହଞ୍ଚିଗଲେ । ଭୋଳା ବସିକରି ସୁତୁଲୀ କାଟୁଥିଲା । ଗୋବରା ଚଟକରି ଯାଇ ଭୋଳା ଗୋଡ଼ ଧରିପକାଇ କାନ୍ଦ କାନ୍ଦ ହୋଇଯାଇ କହିଲା, ତମ ପାଖରେ ମୁଁ ଭୁଲ୍ କରିଛି, ମୋତେ କ୍ଷମା କର ।

 

ଭୋଳା ସୁତୁଲୀ କଟା ବନ୍ଦ କରିଦେଇ ପାଟିକରି କହିଲା, ତମେ ଏମିତିଆ କାଣ୍ଡ କରିଦେଇ ବସିଛ ଯେ, ତମ ମୁଣ୍ଡ କାଟିଦେଲେ ବି ପାପ ଲାଗନ୍ତା ନାହିଁ । ହେଲେ ଦୁଆରେ ଆସି ପହଞ୍ଚିଲଣି ଯେତେବେଳେ ଆଉ କହିବି କଣ ? ଛାଡ଼, ତମେ ଯାହା କରିଛ ତମକୁ ଭଗବାନ ବୁଝିବେ । କେବେ ଆସିଲ ?

 

ଗୋବରା ଖୁବ୍ ବନେଇ ଚୁନେଇ ଏବଂ ନିଜକୁ ଖୁବ୍ ଟେକାଟେକି କରି ଗପିଗଲା, ଆଉ ଜଙ୍ଗୀକୁ ସାଙ୍ଗରେ ନେବାକଥା ତାକୁ ପଚାରିଲେ । ଭୋଳାକୁ ଲାଗିଲା ସତେ ଯେମିତି ସରଗରୁ ତାକୁ ବର ମିଳିଗଲା । ଭାବିଲା, ପ୍ରକୃତରେ ଜଙ୍ଗୀଟା ଘରେ ବସି ଗଣ୍ଡଗୋଳ କରୁଛି । ବାହାରକୁ ଚାଲିଗଲେ ଯାହିତାହି ହେଲେ ତ ଚାରି ପଇସା ରୋଜଗାର କରିବ । କାହାକୁ କିଛି ନ ଦେଲେ ବି ଆପଣା ଗୁଜରାଣ ତ ଚଳେଇ ନେବ ।

 

ଗୋବରା କହିଲା–ନାହିଁ କକା, ଯଦି ସେ ରହିଯାଏ, ତେବେ ତ ବରଷ ଗୋଟାକାରେ ମଣିଷ ହୋଇଯିବ ।

 

‘ହଁ, ରହିପାରିଲେ ସିନା ।’

 

‘ମୁଣ୍ଡ ଉପରେ ପଡ଼ିଲେ ଲୋକ ଆପେ ଶିଖିଯିବ, ଯିବ କୁଆଡ଼େ ?’

 

‘ତେବେ ତମର କେବେ ଯିବାର ବିଚାର ?’

 

‘ଯାଇଁ ଦୋଳପୁନେଇଁ ପରେ, ଆଗ ବିଲବାଡ଼ି କଥା ସବୁ ବୁଝିଦେବି, ତାପରେ ନିଶ୍ଚିନ୍ତ ହୋଇ ଚାଲିଯିବି ।’

 

‘ତାହେଲେ ହୋରୀକି ଏଥର କହ, ବସିକରି ଖାଲି ରାମନାମ କରୁ ।’

 

‘ମୁଁ ତ ସେଇକଥା କହୁଛି, ହେଲେ ସେ କଣ ବସିବା ଲୋକ ?’

 

‘ସେଠି ତମେ ଡାକ୍ତରମାନଙ୍କୁ ନିଶ୍ଚୟ ଚିହ୍ନିଥିବ । ମୋତେ ଆଜିକାଲି ଖାସ ହେଉଛି । କେଉଁ ଡାକ୍ତରକୁ ପଚାରି ମୋ ପାଇଁ ଟିକିଏ ଔଷଧ ପଠାଇ ଦିଅନ୍ତି ନାହିଁ ?’

 

‘ହଁ, ଆମ ପଡ଼ିଶାରେ ତ ଜଣେ ନାମଜାଦା ଡାକ୍ତର ଅଛନ୍ତି, ତାଙ୍କୁ ପଚାରି ଔଷଧ ତିଆରି କରି ପଠାଇଦେବି । ବେଶି ଖାସ ଦିନରେ ହେଉଛି ନା ରାତିରେ ?

 

‘ନାହିଁ ପୁଅ, ରାତିକୁ ତ ବେଶି । ଆଖିକି ବି ଆଉ ଭଲ ଦେଖାଯାଉ ନାହିଁ । ସୁବିଧା ଥା’ନ୍ତା ବୋଲେ ମୁଁ ବି ତମ ସଙ୍ଗରେ ଚାଲିଯାନ୍ତି । ଏଠି ତ କିଛି ସୁବିଧା ନାହିଁ ।’

 

‘ସେଠି ରୋଜଗାର ପାଇଁ ଯେଉଁ ସୁବିଧା, ଏଠି କୁଆଡ଼ୁ ହେବ ? ଏଠି ତ ଦୁଧ ଟଙ୍କାକୁ ଦଶ ସେର, କେହି ପଚାରିବାକୁ ନାହିଁ, ଗୁଡ଼ିଆଙ୍କୁ କେତେ ଖୁସାମତି କରିବାକୁ ପଡ଼ୁଛି । ସେଠି ତ ଟଙ୍କାକେ ଛ’ସେର ଭାଉରେ ମହଣେ ଦୁଧ ଜଣେ ଘଡ଼ି ଗୋଟାକେ ବିକିଦେବ ।’

 

ଏତିକିବେଳକୁ ଜଙ୍ଗୀ ସର୍ବତ୍ ଆଣିବାପାଇଁ ଘର ଭିତରକୁ ଚାଲିଯିବାରୁ ଭୋଳା ତୁନୀକରି ଗୋବରାକୁ କହିଲା–ବୁଝିଲ ପୁଅ, ଏ ଜଞ୍ଜାଳରେ ମୁଁ ବିତିବିତା ହୋଇଗଲିଣି । ଜଂଗୀ ହାଲ ତ ସହଜେ ଦେଖୁଛ, କାନ୍ତା ଦୁଧ ନେଇ ବଜାର ଯାଉଛି । ଗୋରୁ ଖୁଆ, ଗୋରୁ ଢୁକା ସବୁ ମୋରି ଉପରେ ପଡ଼ୁଛି–ମନ ହେଉଛି ଏଇନେ ଘର ଛାଡ଼ି ଚାଲିଯା’ନ୍ତି । କୋଉଠି ମୁଠେ ଯାହିତାହି ଖାଇ ପଡ଼ି ରହନ୍ତି । ଏଠି ପଡ଼ି ଏଗୁଡ଼ାଙ୍କୁ କେତେ ଖୁସାମତି କରୁଥିବି । ରାତିସାରା ଖାଶ ହେଉଛି ଯେ କିଏ ଟିକିଏ ପଚାରିବାକୁ ଅଛି । ପଘା ଛିଣ୍ଡିଯାଇଛି ଯେ ମୁଁ ବଳିଲେ ହେବ ନହିଲେ ନାହିଁ ।

 

ଗୋବରା ଅତି ଆପଣାର ହେଲାପରି କହିଲା, ତମେ କକା ମୋ ସଙ୍ଗେ ଲକ୍ଷ୍ନୌ ଚାଲ । ଟଙ୍କାରେ ପାଞ୍ଚସେର ଦିଅ ପଛେ, ନଗଦ । ମୋର ତ ସେଠି କେତେ ବଡ଼ ବଡ଼ ଲୋକ ଚିହ୍ନା, ମହଣେ ଦୁଧ ହେଲେ ବି ମୁଁ ବିକେଇ ଦେବି । ଏକା ମୋ ଚା ଦୋକାନରେ ତ ଦିନକୁ ଦଶସେର ଖର୍ଚ୍ଚ । ତମର କିଛି ଅସୁବିଧା ହେବ ନାହିଁ, ଚାଲ ।

 

ଜଂଗୀ ସର୍ବତ୍ ଆଣିବାରୁ ଗୋବରା ପିଇଦେଇ କହିଲା, ତମେ ଯଦି କକା ସଞ୍ଜ ସକାଳେ ଖାଲି ଚା’ ଦୋକାନରେ ବସିଯିବ, ତେବେ ତମର ଦିନକୁ ଟଙ୍କାଏ ମଜୁରୀରେ ଧୂଳି ମଳି ଲାଗିବ ନାହିଁ ।

 

ମିନିଟକ ପରେ ଭୋଳା ଟିକିଏ ସଙ୍କୁଚିତ ହୋଇ କହିଲା, ଜାଣିଲି ପୁଅ, ରାଗ ପରମ ଚାଣ୍ଡାଳ, ରାଗରେ ମଣିଷ ଅନ୍ଧ ହୋଇଯାଏ । ମୁଁ ତମ ଗୁହାଳୁ ଗୋରୁ ଦି’ଟା ଫିଟେଇ ଆଣିଥିଲି, ତମେ ତାଙ୍କୁ ସାଙ୍ଗରେ ନେଇ ଯା’ । ଏଠି ଆମର କୋଉ ବିଲବାଡ଼ି ଚାଷ ହେଉଛି ନା କ’ଣ ?

 

‘ମୁଁ ତ ଆଉ ହଳେ ଠିକ୍ କରି ନେଲିଣି, କଳ ।’

 

‘ନାହିଁ, ନାହିଁ ଆଉ ହଳେ କ’ଣ କରିବ, ୟାଙ୍କୁଇ ନେଇଯା ।’

 

‘ମୁଁ ତ ତୁମ ଗାଈଟଙ୍କା ପଠାଇ ଦେବି ।’

 

‘ଟଙ୍କା କ’ଣ କିଏ ପରଲୋକ ନେଉଛି, ଘରଟଙ୍କା ତ ଘରେ ଅଛି, ପଠାଇବ କିଆଁ ? ତମ ଆମ ଭିତରେ କ’ଣ ଗୋଟେ ଅନ୍ତର ଅଛି ? ସତ କହିବାକୁ ଗଲେ ମୋର ତ ଖୁସୀ ହେବା କଥା ଯେ ଝୁନିଆ ଭଲ ଘରେ ଆରାମରେ ରହିଲା । ମୁଁ ବରଂ ସେତେବେଳେ ଅକାରଣରେ ତା ଉପରେ ଭାରି ବିଗିଡ଼ିଥିଲି ।’

 

ସଞ୍ଜ ସଞ୍ଜ ଗୋବରା ଘରକୁ ଫେରିଗଲା । ଗଲାବେଳେ ବଳଦ ଦି’ଟାଙ୍କୁ ବି ସାଙ୍ଗରେ ନେଇଗଲା, ଆଉ ଜଙ୍ଗୀ ଦହି ଭାରଟାଏ ଧରି ତା ପଛେ ପଛେ ଚାଲିଲା ।

Image

 

ଏକବିଂଶ ପରିଚ୍ଛେଦ

 

ମଫସଲ ଗାଁରେ ବରଷକେ ଛ’ମାସ କିଛି ନା କିଛି ଯାନିଯାତ୍ରା, ଉପବାସ ମଉଚ୍ଛବ ଲାଗି ରହିଥାଏ, ଢୋଲ ପେହେଁକାଳୀ ଶବ୍ଦରେ ଗାଁ ଗଣ୍ଡା ଉଚ୍ଛୁଳି ପଡ଼େ । ଦୋଳପୂର୍ଣ୍ଣମୀ ମାସେ ଆଗରୁ ମାସେ ପରଯାଏ ଫଗୁ ଉଡ଼ୁଥାଏ, ପୁଣି ଆଷାଢ଼, ଶ୍ରାବଣ, ଆଶ୍ଵିନରେ ବି ଏମିତି କେତେ କେତେ ମଉଚ୍ଛବ ଲାଗି ରହେ । ସବୁ ଗାଁରେ ଯେମିତି ସେମରୀ ଗାଁରେ ବି ସେମିତି ଧୁମ୍ ଧାମ୍ ଲାଗେ । ମହାଜନଙ୍କ ଧମକ ତଥା ପୁଲିସ ପିଆଦାଙ୍କ ଅତ୍ୟାଚାର ସତ୍ତ୍ଵେ ଏସବୁ କାମ ଠିକ୍ ଠିକ୍ ଚାଲିଥାଏ । ଘରେ ଖାଇବାକୁ ଥାଉ ନ ଥାଉ, ଦେହରେ କନାପଟା ଥାଉ ବା ନ ଥାଉ, ହାତରେ ଧନ ଥାଉ କି ନ ଥାଉ ସେଥିରେ କିଛି ଯାଏ ଆସେ ନାହିଁ । ଯାହା ଚାଲିଆସିଛି ତାହା ଚାଲିବ । ପ୍ରାଣୀଜଗତରେ ଆନନ୍ଦ କରିବାର ଯେଉଁ ସ୍ଵତଃ ପ୍ରବୃତ୍ତି ଅଛି, ତାକୁ ଦବେଇ ପାରିବ କିଏ ? ନ ହସିକରି ମଣିଷ ବଞ୍ଚି ପାରିବ କେମିତି ?

 

ପୂର୍ବରୁ ନୋଖେରାମଙ୍କ ଚଉପାଡ଼ିରେ ଦୋଳଉତ୍ସବ ବରାବର ହୋଇ ଆସୁଥିଲା । ସେହିଠି ଭାଙ୍ଗ ପିଆ ହୁଏ, ଫଗୁଖେଳ ଆରମ୍ଭ ହୁଏ, ବାଜା ବାଜେ, ନାଟତାମସା ହୁଏ । ଏହି ଉଚ୍ଛବରେ ପିଆଦା ସାହେବଙ୍କର ପାଞ୍ଚ ଦଶଟଙ୍କା ଯେମିତି ହେଲେ ଖରଚ ହୋଇଯାଏ । ଗାଁରେ ଆଉ ଅବା କା’ ପାଖରେ ଧନ ଥାଏ ଯେ କିଏ ଏସବୁ କାମ କରାଇ ପାରନ୍ତା ।

 

କିନ୍ତୁ ଗୋବରା ଏଥର ସବୁ ଟୋକାଙ୍କୁ ତାଙ୍କ ଦୁଆରଠିକି ଟାଣି ଆଣିଲା । ନୋଖେରାମଙ୍କ ଚଉପାଡ଼ୀ ଖାଲି ପଡ଼ିରହିଲା । ଗୋବରା ଦୁଆରେ ସମସ୍ତେ ଜମିଲେ । ସେଇଠି ଭାଙ୍ଗ ବଣ୍ଟାହେଲା, ପାନ ବଣ୍ଟାହେଲା, ରଙ୍ଗ ଗୋଳାହେଲା, ବାଜା ବାଜିଲା, ଗୀତ ବୋଲାହେଲା । ଏଣେ ନୋଖେରାମ ଚଉପାଡ଼ୀରେ ମାଛି ପିଲାଟାଏ ବି ନାହିଁ । ଭାଙ୍ଗ ସେମିତି ଥୁଆ ହୋଇଛି, ବାଟିବାକୁ କେହି ନାହିଁ, ବାଜା ସେମିତି ରଖା ହୋଇଛି ଗାଇବାପାଇଁ କେହି ନାହିଁ । ଯାହାକୁ ଦେଖିବ ସେ ଗୋବରା ଘରଆଡ଼େ ଚାଲିଛି । ସେଠି ଭାଙ୍ଗରେ ଗୋଲାପ ଜଳ, କେଶର ଆଦି ପଡ଼ି ବାସନା ଉଠୁଛି କାହିଁରେ କ’ଣ । ଭାଙ୍ଗ ପିଉ ପିଉ ଦେହ ଝାଳେଇ ଯାଉଛି, ଆଖି ଖୋଲି ଯାଉଛି । ଫଗୁରେ ବି କେତକୀ ବାସନା, ମହକି ଉଠୁଛି । ପ୍ରକୃତରେ ଗୋବରା ପଇସା କମେଇ ଜାଣେ ଯେମିତି, ଉଡ଼େଇ ଜାଣେ ବି ସେମିତି । ପୋତି ରଖିଲେ ଦୁନିଆରେ ଜାଣିବ କିଏ ? ଖର୍ଚ୍ଚ କଲେ ସିନା ଧନର ନାଁ, ପଡ଼େ । ଖାଲି ତ ଭାଙ୍ଗ ନୁହେଁ, ଭୋଜି ଖାଇବା ପାଇଁ ବି ସମସ୍ତଙ୍କୁ ନିମନ୍ତ୍ରଣ ହୋଇଥିଲା । ଗାଁରେ ତ ଗାଇବା, ବଜାଇବା, ନାଚ କରିବା ଲୋକ ଢେର । ଆଉ କାହା କଥା ଦୂରେ ଥାଉ ଶୋଭା ତ ଏକା ଏମିତି ନକଲ କରି ଜାଣେ, ଛାଡ଼ । ଲୋକଙ୍କ ଚାଲି, କଥାବାର୍ତ୍ତା ସବୁ ଛିଣ୍ଡାଇ ଆଣିବ, ନାନା ପ୍ରକାର ଜନ୍ତୁଙ୍କର ଆବାଜ ବି କରିପାରିବ । ଗିରିଧରକୁ ତ ନକଲ କରିବାରେ କେହି ପାରିବେ ନାହିଁ । ଓକିଲ, ଇନସପେକ୍ଟର, ପଟୁଆରୀ, ଚପରାସୀ ସମସ୍ତଙ୍କ ସେ ନକଲ କରି ଥୋଇଦେବ । ନକଲ କରିବାପାଇଁ ତା ପାଖରେ କୌଣସି ସଜ ନ ଥାଏ । କିନ୍ତୁ ଗୋବରା ଏଥର ସବୁ ସଜ ଯୋଗାଇ ଦେଇଥିବାରୁ ବଢ଼ିଆ ହେବ ବୋଲି ସମସ୍ତେ ଅନାଇଥାନ୍ତି ।

 

ନାଚ ତାମସା କଥା ଚାରିଆଡ଼େ ଏମିତି ରାଷ୍ଟ୍ର ହୋଇ ଯାଇଥିଲା ଯେ ସଞ୍ଜ ନ ହେଉଣୁ ଲୋକ ଆସି ଗଦା ହୋଇଗଲେ । ଆଖପାଖ ଗାଁରୁ ବି ଲୋକ ପଂଝା ପଂଝା ହୋଇ ଆସିଲେ । ଏମିତି ଲୋକ ତିନି ଚାରି ହଜାର ଯାଏ ଆସି ଗଦା ହୋଇଗଲେ । ଗିରିଧର ଯେତେବେଳେ ଝିଙ୍ଗୁର ସିଂହ ବେଶରେ ତା ଦଳଙ୍କ ସାଥୀରେ ଛିଡ଼ା ହୋଇଗଲା, ସେତେବେଳେ ଆଉ ଛିଡ଼ା ହେବାପାଇଁ ଲୋକଙ୍କୁ ଜାଗା ମିଳିଲା ନାହିଁ ।

 

ନାଟରେ ଆଗ ବାହାରିଲେ ଝିଙ୍ଗୁର ସିଂହ ଆଉ ତା ପ୍ରଥମ ସ୍ତ୍ରୀ । ଠିକ୍ ସେହି ଚାନ୍ଦର ମୁଣ୍ଡିଆ, ନିଶୁଆ, ପେଟୁଆ ଝିଙ୍ଗୁର ସିଂହ । ସାକ୍ଷାତ୍ ସେଇ କି ସେଇ । ସେ ଖାଇ ବସିଥାଏ ଆଉ ତା ପହିଲି ଭାରିଯା ତା ପାଖରେ ବସି ପଙ୍ଖା କରୁଥାଏ ।

 

ଝିଙ୍ଗୁର ସିଂହ ପ୍ରଥମେ ରସିକତା କରି କହିଲା–ତମେ ଏ ବୟସରେ ବି ଏମିତି ପିଲାପରି ଦିଶୁଛ ଯେ ଟୋକାଏ ତମକୁ ଦେଖିଲେ ଚମକି ପଡ଼ିବେ ।

 

‘ହଁ, ସେଇଥିପାଇଁ ଆଉ ଜଣକୁ ଆଣି ଘରେ ବାନ୍ଧିଛ କି ନା ।’

 

‘ମଲା, ତାକୁ ଆଣିଛି ତମକୁ ସେବା କରିବାକୁ ନା, ତମ ସାଙ୍ଗେ ସେ ସରି ହେବ କୁଆଡ଼ୁ-?’

 

ଏକଥା ଶୁଣି ଦ୍ୱିତୀୟ ଭାରିଯା ମୁହଁ ଫୁଲେଇ ଚାଲି ଯାଉଥାଏ ।

 

ଆଉ ଗୋଟେ ଦୃଶ୍ୟରେ ଦେଖାଗଲା ଯେ ଝିଙ୍ଗୁରସିଂହ ଗୋଟାଏ ଖଟ ଉପରେ ପଡ଼ି ଗଡ଼ ପଡ଼ ହେଉଥାଏ, ଆଉ ତା ଦ୍ଵିତୀୟ ସ୍ତ୍ରୀ ମୁହଁ ଫୁଲେଇକରି ଭୂଇଁରେ ବସିଥାଏ । ତା ଆଡ଼କୁ ଚାହିଁବା ପାଇଁ ସେ ବରାବର ଅନୁରୋଧ କଲେ ବି ସେ ଅନାଉ ନ ଥାଏ । ଶେଷକୁ ଝିଙ୍ଗୁର କହିଲା–କିଆଁ ମୋ ଉପରେ ରାଗିଛ, ମୋ ଧନ ।

 

‘ତମ ଧନ ଯେଉଁଠେଇ ଅଛନ୍ତି ସେଠିକି ଯା, ମୁଁ ତ ଚାକରାଣୀ ଲୋକ, ଆଉ ଲୋକଙ୍କ ସେବା କରିବାକୁ ଆସିଛି ।’

 

‘ଛି ଛି, ତମେ ମୋର ରାଣୀଟି, ତମକୁ ସେବା କରିବାକୁ କେତେ ବୁଢ଼ୀମାଇପି ସେମିତି ବସିଛନ୍ତି !’

 

ପହିଲି ଭାରିଯା ଏକଥା ଶୁଣିଲା ମାତ୍ରେ ଛାଞ୍ଚୁଣୀରେ ତାକୁ ଦି ଚାରି ପାହାର ଖୁବ୍ କସିଦେଲା । ମାଡ଼ ଦାଉରେ ଝିଙ୍ଗୁରି ପ୍ରାଣଧରି ଦାଣ୍ଡକୁ ପଳାଇଲା ।

 

ଆହୁରି ଏକ ନକଲ ଆରମ୍ଭ ହେଲା । ସେଥିରେ ଝିଙ୍ଗୁର ସିଂହ କେମିତି ଦଶ ଟଙ୍କାର ଷ୍ଟାମ୍ପ ଲେଖେଇ ସୁଧ ପାଇଁ, ନଜରପାଇଁ, ଲେଖାପାଇଁ ଆଗରୁ ପଇସା କାଟିନେଇ ଦଶଟଙ୍କା ଜାଗାରେ ପାଞ୍ଚଟଙ୍କା ଦିଏ, ସେହି ଦୃଶ୍ୟ ଦେଖା ହେଲା ।

 

ପ୍ରଥମେ ଜଣେ ଚାଷୀ ଆସି ଝିଙ୍ଗୁରର ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲା । ବହୁତ କଷ୍ଟରେ ବହୁତ କନ୍ଦାକଟା କଲା ପରେ ଟଙ୍କା ଦେବାକୁ ସେ ରାଜିହେଲା । ତା ପରେ କାଗଜପତ୍ର ଲେଖାହୋଇ ପାଞ୍ଚ ଟଙ୍କା ତା ହାତରେ ରଖିଦେବା ପରେ ଚାଷୀ କିଛି ବୁଝି ନ ପାରିଲା ପରି ପଚାରିଲା–

 

‘ଆଜ୍ଞା ଇଏ ତ ମୋଟେ ପାଞ୍ଚ ଟଙ୍କା ।’

 

‘ପାଞ୍ଚ ନୁହେଁରେ, ଦଶ । ଘରଠେଇ ଗଣିବୁ ଯା ।’

 

‘ନାହିଁ, ହଜୁର ପାଞ୍ଚ ଟଙ୍କା ତ ।’

 

‘ନଜର ପାଇଁ ଟଙ୍କାଟେ ଯିବ କି ନାହିଁ ?’

 

‘ଆଜ୍ଞା, ହଁ ।’

 

‘ଲେଖା ପାଇଁ ଟଙ୍କାଟାଏ କି ନୁହେଁ ?’

 

‘ଆଜ୍ଞା, ହଁ ।’

 

‘କାଗଜ ଟଙ୍କାଟାଏ ।’

 

‘ଆଜ୍ଞା, ହଁ ।’

 

‘ଟଙ୍କାରେ କମିଶନ୍ କି ନୁହେଁ ?’

 

‘ଆଜ୍ଞା ।’

 

‘ଟଙ୍କାଟେ ତ ସୁଧ ।’

 

‘ଆଜ୍ଞା, ହଁ ।’

 

‘ପାଞ୍ଚ ଟଙ୍କା ତ ନଗଦ, ଦଶ ହେଲା କି ନାହିଁ ?’

 

‘ତା ହେଲେ ଆଜ୍ଞା ଏହି ପାଞ୍ଚ ଟଙ୍କା ବି ମୋ ତରଫରୁ ରଖି ଦିଅନ୍ତୁ ।’

 

‘ଆରେ ତୁ ପାଗଳ ନା କ’ଣ ?’

 

‘ନାହିଁ ଆଜ୍ଞା, ପାଗଳ ହେବି କାହିଁକି ? ଗୋଟାଏ ଟଙ୍କା ବଡ଼ ଠାକୁରାଣୀଙ୍କ ନଜର, ଗୋଟେ ସାନ ଠାକୁରାଣୀଙ୍କ ନଜର । ଗୋଟେ ସାନ ମାଙ୍କ ପାନଖିଆ, ଗୋଟେ ବଡ଼ ମାଙ୍କ ପାନଖିଆ, ଆଉ ଯୋଉ ଟଙ୍କାଟେ ବଳିଲା ସେଟା ଆପଣଙ୍କ ଶୁଦ୍ଧ କାମରେ ଲାଗିବ ।’

 

ତହିଁଆର ଦିନ ସକାଳୁ ଯୁଆଡ଼େ ଯିବ ସେଇ କଥା, ସେହି ନାଚ ତାମସା, ସେହି ନକଲ-। ଗାଁ ମୁଖିଆଙ୍କ ନକଲ । ଦି ଚାରିଟା ଟୋକା ଏକାଠି ମିଶି ଯେଉଁଠି ଜଣେ ମୁଖିଆକୁ ଦେଖନ୍ତି ତାକୁ ସେଠି ନକଲ କରନ୍ତି । ଝିଙ୍ଗୁର ସିଂହ ତ ଟିକିଏ ରହସିଆ, ତେଣୁ ସବୁକଥାକୁ ସେ ରହସ୍ୟ ଭାବିଲା-। ପଟେଶ୍ୱରୀ କିନ୍ତୁ ଭାରୀ ଚିଡ଼ା । ପଣ୍ଡିତ ଦାତାଦୀନଟା ଏମିତି ରାଗୀ ଯେ ଶୁଣିଲାମାତ୍ରେ ମାରି ଗୋଡ଼ାଏ । ପିଆଦା କଥା ପଚାରୁଛି କିଏ ? ତାକୁ ତ ରାୟସାହେବ ପର୍ଯ୍ୟନ୍ତ ଦେଖି କରି ଶଙ୍କିଯାନ୍ତି । ଆପଣା ଗାଁ ଭିତରେ ଏତେ ନକଲ କଲେ ଦାତାଦୀନ ଅବା ସହନ୍ତା କେମିତି ? ପ୍ରକୃତରେ ଯଦି ତାର ବ୍ରହ୍ମତେଜ ଥାନ୍ତା ତେବେ ସେ ଏମିତି ଅଭିଶାପ ଦିଅନ୍ତା ଯେ ବଦମାସଗୁଡ଼ା ପୋଡ଼ି ପାଉଁଶ ହୋଇଯାନ୍ତେ । କିନ୍ତୁ କଳିଯୁଗରେ ଆଉ ଶାପ ଚଳୁଛି କେଉଁଠି ? ତେଣୁ ଆଉ କିଛି ଉପାୟ ନ ଦେଖି ଶେଷକୁ ଦାତାଦୀନ ତାର କଳିକଜିଆ ଅସ୍ତ୍ର ବାହାର କରିବାକୁ ଚେଷ୍ଟା କଲା । ସିଧା ଯାଇ ହୋରୀ ଦୁଆରେ ଠିଆ ହୋଇ ଆଖି ଲାଲ ଲାଲ୍ କରି କହିଲା, ଆଜି କଣ ତମେ କାମକୁ ଯିବ ନାହିଁ, ହୋରୀ । ଦିହ ତ ଭଲ ହୋଇଗଲାଣି ଆଉ କଣ । ଦେଖୁଛ ତ ମୋର କେତେ କ୍ଷଣି ହେଲାଣି !

 

ପୂର୍ବ ରାତିରେ ଗୋବରା ଟିକିଏ ଡେରିରେ ଶୋଇଥିଲା । ସେଥିପାଇଁ ଉଠୁ ଉଠୁ ଟିକିଏ ଡେରି ହେଲା । ସେ ବିଛଣାରୁ ଉଠି ଆଖି ମଳି ମଳି ବାହାରକୁ ଆସୁ ଆସୁ ହଠାତ୍ ଦାତାଦୀନର ପାଟି ତାକୁ ଶୁଭିଲା । ଜୁହାର କରିବା ତ ଦୂରେ ଥାଉ ଓଲଟି ଚଢ଼ି ବସି କହିଲା, ସେ ଆଉ ମୁଲ ଲାଗିବାପାଇଁ ଯିବେ ନାହିଁ, ଆମର ତ ଏଣେ ଆଖୁ ଲାଗିଗଲାଣି ।

 

ଦାତାଦୀନ ଗୁଣ୍ଡିଟିକିଏ ପାଟିରେ ପକାଇଦେଇ କହିଲା, ଇଏତ ବଡ଼ ଅଡ଼ୁଆ କଥା । ଅଧା ବରଷରେ କାମ ଛାଡ଼ିବ କେମିତି ? ଜ୍ୟେଷ୍ଠମାସ ପରେ ତା ମନହେଲେ କରିବ ନହିଲେ ନାହିଁ । ତା ପର୍ବରୁ ଛାଡ଼ିଯିବ କେମିତି ?

 

ଗୋବରା ଗୋଟେ ହାଇମାରି କହିଲା, ସେ ତ ତମକୁ ମୁଣ୍ତ ବିକି ଦେଇ ନାହାନ୍ତି; ଯେତେଦିନ ମନହେଲା କଲେ, ଏଣିକି ମନ ନ ହେଲା ନ କରିବେ । କାମ କରିବା ପାଇଁ କେହି ତାଙ୍କୁ ଜବରଦସ୍ତ କରିପାରିବେ ନାହିଁ ।

 

‘ତା ହେଲେ ହୋରୀ କାମ କରିବ ନାହିଁ ?’

 

‘ନାହିଁ ।’

 

‘ତା’ହେଲେ ସୁଧମୂଳ ମୋର ସବୁଟଙ୍କା ଦେଇଦିଅ । ତିନିବର୍ଷକୁ ସୁଧ ଶହେ ଟଙ୍କା ହେଉଛି, ଆଉ ସୁଧମୂଳ ମିଶାଇ ଦି’ଶ ଟଙ୍କା ହେଉଛି । ମୁଁ ଭାବିଥିଲି କାମ କଲେ ମାସକୁ ତିନିଟଙ୍କା ଲେଖା ସୁଧରୁ କଟିଯିବ ବୋଲି । ନାହିଁ ଯଦି ମନ ନ ପାଉଛି କାମ ନ କର, ମୋ ଟଙ୍କା ମୋତେ ଦେଇଦିଅ । ଧନୀଲୋକ ହେବାକୁ ଯଦି ଚାହୁଛ ତେବେ ଧନୀଲୋକଙ୍କ ପରି କାମ କର ।’

 

ହୋରୀ କହିଲା, ହଜୁରଙ୍କ କାମ କରିବାକୁ ମୁଁ କେବେ ମନା କଲିଣି ? ଆମ ଆଖୁଖଣ୍ଡ ଲଗାହେବା ପାଇଁ ପଡ଼ିଛି ବୋଲି କହୁଛି ନା ।

 

ଗୋବରା ବାପ ଉପରେ ରଗଡ଼ ପକାଇ କହିଲା, ଏଠି ଗାଁରେ କି ଚାକେରୀ, କା’ର ଚାକେରୀ ? ଏଠି କେହି କାହାର ଚାକର ନୁହନ୍ତି, ସମସ୍ତେ ସମସ୍ତଙ୍କ ସଙ୍ଗେ ସମାନ । ଇଏତ ବଡ଼ ମଜାକଥା । ଶହେଟଙ୍କା ଜଣକୁ କରଜ ଦେଇଦେବ, ଆଉ ସୁଧ ପାଇଁ ଜୀବନଯାକ ତାକୁ ମୂଲିଆ କରି ଖଟେଇ ଖଟେଇ ମାରିବ । ସୁଧରେ କାମ ଚାଲିଥିବ, ମୂଳଟଙ୍କା ଯେମିତି ସେମିତି ପଡ଼ିଥିବ । ଇଏ ତ ମହାଜନୀ ନୁହେଁ, ଏଇ ଖାଲି ରକ୍ତ ପିଇବା କଥା ।

 

‘ତା’ହେଲେ ଟଙ୍କା ଦେଇଦିଅ, ଏତେ କଳିକଜିଆ କରି ଲାଭ କ’ଣ ? ମୁଁ ଟଙ୍କାରେ ଅଣାଏ ସୁଧ ନିଏ । କିନ୍ତୁ ତମେ ଗାଁଲୋକ ବୋଲି ତମଠୁଁ ଟଙ୍କାରେ ଦି’ପଇସା ନେଉଛି ।’

 

‘ଆମେ ତ ଶତକଡ଼ା ଟଙ୍କେ ସୁଧ ଦେବୁ, ସେଥିରୁ ଅଧଲାଟାଏ ବେଶି ଦେଇପାରିବୁ ନାହିଁ । ତମ ମନ ପାଇଲେ ନିଅ, ନହିଲେ ନାହିଁ, ଯାଇ ମକଦ୍ଦମା କର । ଶହେକୁ ଟଙ୍କାଏ ତ କିଛି କମ୍ ନୁହେଁ ।’

 

‘ହଁ, ଜଣାପଡ଼ୁଛି ଟଙ୍କା ପାଇକରି ମୁଣ୍ଡ ଟିକିଏ ଗରମ ହୋଇଯାଇଛି ।’

 

‘ହଁ, ଯେଉଁମାନେ ଟଙ୍କାକୁ ଦଶଟଙ୍କା ନିଅନ୍ତି, ତାଙ୍କ ମୁଣ୍ତ ଗରମ ହବ ନା ଆମର ହେବ କାହିଁକି ? ଆମେ ତ ଗରିବ, ଆମର ସବୁ କଥା ଗରମ ଝାଳ ସାଙ୍ଗରେ ବାହାରି ଧୂଳିରେ ମିଶିଯାଉଛି । ମୋର ଖୁବ୍ ମନେଅଛି ବଳଦ ପାଇଁକି ତମେ ଆମକୁ ତିରିଶ ଟଙ୍କା ଦେଇଥିଲ । ସେହି ତିରିଶ ଟଙ୍କା ବଢ଼ି ବଢ଼ି ଶହେ ଟଙ୍କା ହେଲା । ସେ ପୁଣି ଏବେ ଦି’ଶହ ହେଲାଣି । ଏଇମିତି ଆପଣମାନେ ଚାଷୀକୁ ପଟିମାରି ମୂଲିଆ କରିଦେଇ ତାଙ୍କରି ଜମିବାଡ଼ିରେ ମାଲିକ ହୋଇ ବସିଛନ୍ତି-? ତିରିଶ ଟଙ୍କାକୁ ଅନା, ଦୁଇ ଶହକୁ ଅନା । ସବୁକଥାରେ ଗୋଟାଏ ସୀମା ତ ପୁଣି ଅଛି–ତମେ କହିଲ ଦେଖି ବାପା, କେତେ ବର୍ଷ ହେଇଛି ?’

 

ହୋରୀ କହିଲା, ହଁ, ଆଠ ନ ବରଷ ହେବ, ଆଉ କେତେ ?

 

ଗୋବରା ଛାତିରେ ହାତ ମାରି ଆଶ୍ଚର୍ଯ୍ୟ ହେଇ କହିଲା । ନ ବରଷରେ ତିରିଶ ଟଙ୍କାକୁ ଦି’ଶହ । ଟଙ୍କାଏ ହିସାବରେ କେତେ ହେବ ଦେଖି କହିଲ ?

 

ତା’ପରେ ଗୋବରା ଭୂଇଁରେ ଖପରା ଗଣି ହିସାବ କରି କହିଲା, ଦଶବର୍ଷକୁ ଛତିଶ ଟଙ୍କା ହେଉଛି । ମୂଳ ସୁଧ ଉଭୟ ମିଶାଇ ଛଅଷଠି । ସତୁରୀ ଟଙ୍କା ନେଇଯା’ । ସତୁରୀରୁ ଅଧଲାଟାଏ ଆଉ ଅଧିକ ହୋଇପାରିବ ନାହିଁ ।

 

ଦାତାଦୀନ ହୋରୀକୁ ଅନେଇ କହିଲା, ଶଣୁଛ ତ ଗୋବରା କଥା । ଦି’ଶ ଜାଗାରେ ସତୁରୀ ଟଙ୍କା ନିଅ, ନହିଲେ ଯାଇଁ ମକଦ୍ଦମା କର । ହଇଏ, ଏମିତି ହେଲେ ସଂସାର କେତେ ଦିନ ଚଳିବ ? ତମେ ବସି ସବୁ ଶୁଣୁଛ, କିଛି କହୁନ କାହିଁକି ? ଜାଣିଥା ଏକା, ମୁଁ ଜାତିରେ ବ୍ରାହ୍ମଣ, ମୋ ପଇସା ହଜମ କରି କେହି ପାର ହୋଇ ପାରିବ ନାହିଁ । ଆଚ୍ଛା, ସେ ସତୁରୀ ଟଙ୍କା ବି ମୁଁ ଛାଡ଼ି ଦେଉଛି, ମକଦ୍ଦମା କରିବାକୁ ଯିବି କାହିଁକି ? ପ୍ରକୃତରେ ଯଦି ମୁଁ ବ୍ରାହ୍ମଣ ହୋଇଥାଏ ତେବେ ମୋ ଦି’ଶ ଟଙ୍କା ତମେ ହାତଯୋଡ଼ି କରି ମୋ ଦୁଆରେ ନେଇ ଗଣିଦେଇ ଆସିବ ।

 

ଦାତାଦୀନ ରାଗିମାଗି ଫେରିଗଲା । ଗୋବରା ଆପଣା ଜାଗାରେ ବସି ରହିଲା । କିନ୍ତୁ ହୋରୀ ମନରେ ଧର୍ମଚିନ୍ତା ଖାଲି ଯୋରିସୋରି ହେଲା । ଭାବିଲା, କୋଉ ବଣିଆ କିମ୍ବା ବେପାରୀର ଟଙ୍କା ହୋଇଥିଲେ କିଛି ଚିନ୍ତା ନଥିଲା, କିନ୍ତୁ ବ୍ରାହ୍ମଣ ଟଙ୍କା ! ଅଧଲାଟାଏ ଥିଲେ ବି ସେ ହାଡ଼ ଭିତରୁ ଯେମିତି ହେଲେ ବାହାରିବ । ଭଗବାନ କରନ୍ତୁ ବ୍ରାହ୍ମଣ ଅଭିଶାପ ଯେମିତି କାହା ଉପରେ ନ ପଡ଼ୁ । ନହିଲେ କୁଳରେ ପାଣିଦେବାକୁ କେହି ରହିବେ ନାହିଁ । ଗୋଟାପଣେ ବଂଶ ବୁଡ଼ିଯିବ । ତା ମନକୁ ଭାରି ପାପ ଛୁଇଁଲା । ଡରରେ ଦୌଡ଼ି ଦୌଡ଼ି ଯାଇ ସେ ଦାତାଦୀନର ଗୋଡ଼ ଧରି ବିକଳ ହୋଇ କହିଲା, ଆଜ୍ଞା, ଜୀଇଥିବାଯାକ ହଜୁରଙ୍କ ପାଉଣା ଅଧଲା ପାହୁଲା କରି ସୁଝି ଦେବି, ହଜୁର କିଛି ଚିନ୍ତା କରନ୍ତୁ ନାହିଁ । ଇଏ ତ ହଜୁରଙ୍କ ମୋ ଭିତରେ କଥାବାର୍ତ୍ତା, ସେ ଟୋକାଟା କଥା ହଜୁର ଶୁଣୁଛନ୍ତି କାହିଁକି, ସେ ଏଇଥିରେ ପାଟି ଫାଇଟିବାକୁ କିଏ ସେ ?

 

ଦାତାଦୀନ ଟିକିଏ ଥଣ୍ଡା ପଡ଼ିଯାଇ କହିଲା, ତମେ ନିଜେ ଆଗ କହିଲ ଦେଖି, ଇଏ କେମିତିଆ ଜବରଦସ୍ତି କଥା । ଟୋକା ଖଣ୍ଡେ, ସେ ପୁଣି କହୁଛି ଦି’ଶ ଜାଗାରେ ସତୁରୀ ନିଅ, ନହିଲେ ଯାଇଁ ମକଦ୍ଦମା କର । ପୁଅ କଚେରୀ ମଜା ପାଇନି, ନହିଲେ ଥରେ ପାଇଗଲେ ଏକଥା ଆଉ କହିବ ନାହିଁ । ଦିନ ଚାରିଟା ସହରରେ ରହି ଭାରି ମୁହଁ ଉପରକୁ ହୋଇଗଲାଣି ।

 

‘ମୁଁ ତ କହୁଛି ମୁଁ ଗୋଟିକଠୁ ହିସାବ ଛିଣ୍ଡାଇ ଦେବି, ଆପଣ ତାଠୁ କଣ ପାଇବେ ।’

 

‘ତା ହେଲେ କାଲିଠାରୁ କାମ କରିବାକୁ ଆସିବ ?’

 

‘ଆମ ଆଖୁ ଟିକକ ଲଗାଇବାକୁ ଅଛି, ନହିଲେ ତ ମୁଁ ଚାଲିଯାନ୍ତି ।’

 

ଦାତାଦୀନ ଚାଲିଗଲା । ଗୋବରା ଭାରି ବିଗିଡ଼ି ତିରସ୍କାର କରି କହିଲା, ଇଏ ଯାଇଥିଲେ ଦେବତାଙ୍କୁ ପ୍ରସନ୍ନ କରିବାକୁ । ତମରି ଭଳିଆ ଲୋକସବୁ ଏ ବଦମାସ୍ ଗୁଡ଼ାଙ୍କର ମୁହଁ ବଢ଼େଇ ଦେଇଛନ୍ତି । ତିରିଶ ଟଙ୍କା ଜାଗାରେ ଦୁଇଶ ଟଙ୍କା ସୁଝିବ, ସେଥିରେ ପୁଣି ଗାଳି ବେଜିତ ଶୁଣିବ, ନେଇକରି ହଳିଆ ଲଗେଇ କାମ କରେଇ କରେଇ ମାରିବ ।

 

ହୋରୀ ନ୍ୟାୟପକ୍ଷ ସମର୍ଥନ କରି କହିଲା, ଜାଣିଥା ପୁଅ, ନ୍ୟାୟକୁ ସବୁବେଳେ ନିଜ ହାତରେ ରଖିଥିବ । ନିଜ କର୍ମର ଫଳ ନିଜକୁ ଭୋଗିବାକୁ ହେବ, ଡାହାଣ ହାତ ପାପ ବାଁ ହାତ ବି ନେବ ନାହିଁ । ଆମେ ଯୋଉ ହିସାବରେ ଟଙ୍କା କରଜ ନେଇଛେ, ସେହି ହିସାବରେ ଆମକୁ ସୁଝିବାକୁ ପଡ଼ିବ । ବ୍ରାହ୍ମଣ ଲୋକ ସେ, ତା ପଇସାକୁ ହଜମ କରିବ କିଏ ?

 

ଗୋବରା ବିରକ୍ତ ହୋଇ କହିଲା, କିଏ ତମକୁ କହୁଛି ନ୍ୟାୟ ଛାଡ଼ିବାକୁ, କିଏ କହୁଛି ବ୍ରାହ୍ମଣ ପଇସା ଖାଇବାକୁ । ମୁଁ କହୁଛି ଏତେ ସୁଧ ଦିଆଯିବ ନାହିଁ । ବ୍ୟାଙ୍କ୍ ଟଙ୍କାରେ ଚାରିଅଣା ନେଉଛି, ତମେ ଖୁବ୍ ହେଲେ ଟଙ୍କାଏ ନିଅ । ଆଉ କଣ କିଏ କାହାକୁ ଲୁଟିନେବାକୁ କହୁଛି ?

 

‘କିନ୍ତୁ ତାଙ୍କ ମନରେ ଯେ କଷ୍ଟ ହେବ !’

 

‘ହଉ, ଆମର କଣ ଯାଉଛି, ତା ମନରେ କଷ୍ଟ ହେବ ବୋଲି କଣ ଆମେ ଗାତ ଖୋଳି ଭୂଇଁରେ ପଶିଯିବୁ ?

 

‘ଆରେ ବାପ, ମୁଁ ବଞ୍ଚିଥିବାଯାକ ମୋ ରାସ୍ତାରେ ଚାଲିବାକୁ ମତେ ତୁ ଛାଡ଼ି ଦେ, ମୋ ମଲା ପରେ ତୋ ମନ ଯାହା ହେବ ତୁ ତାହା କରିବୁ ।’

 

‘ତା ହେଲେ ତମେ ଦିଅ, ମୁଁ କାହିଁକି ନିଜ ଟାଙ୍ଗିଆରେ ନିଜ ଗୋଡ଼କୁ ହାଣିବାକୁ ଯିବି ? ତମେ ଯେମିତି ଖାଇଛ, ସେମିତି ସୁଝ, ମୁଁ କାହିଁକି କଷ୍ଟ କରିବାକୁ ଯିବି ?’

 

ଏତିକି କହି କହି ଗୋବରା ଘର ଭିତରକୁ ଚାଲିଗଲା । ଝୁନିଆ କହିଲା, ସକାଳୁଟାରୁ ଆଜି କିଆଁ ବାପାଙ୍କ ସଙ୍ଗେ ଏମିତି ନଗେଇଛ ମ ?

 

ଗୋବରା ସବୁ କଥା ତାକୁ ଶୁଣାଇ ଦେଇ ଶେଷରେ କହିଲା, ୟାଙ୍କ ଉପରେ ତ ଏଇମିତି କରଜ ଶଗଡ଼ ଶଗଡ଼ ବଢ଼ି ଚାଲିଥିବ, ୟାଙ୍କ ପାଇଁ ମୁଁ ଏବେ କେତେ ମରିବି । ଇଏ ତ ଯାହା ରୋଜଗାର କଲେ, ପରଘରେ ପୂରେଇଲେ, ମୁଁ ପୁଣି ସେଇ କଥାରେ କିଆଁ ପଡ଼ିବି ? ମୋତେ ତ କେହି ପଚାରି କରି କରଜ କରି ନାହାନ୍ତି କି ମୋ ପାଇଁ କେହି କରଜ କରି ନାହାନ୍ତି, ମୁଁ ଏବେ ସୁଝିବି କିଆଁ ?

 

ତେଣେ ଗୋବରାକୁ ଠିକଣା କରିବାପାଇଁ ଗାଁ ମୁଖିଆଙ୍କ ଭିତରେ ଷଡ଼ଯନ୍ତ୍ର ଚାଲିଲା । ସମସ୍ତେ ଭାବିଲେ ଏ ଟୋକାକୁ ଠିକଣା ନ କଲେ ଗାଁରେ ଅନ୍ୟାୟ ଅଧର୍ମ ବଢ଼ିଯିବ । ଟିକିଏ ବଳ ହୋଇଗଲାଣି ନା ସେଥିପାଇଁ ପୁଅ ଆଡ଼ି ଚାଲୁଛି । କେଉଁଠୁ ଏତେ ଆଇନ ଶିଖିକରି ଆସିଛି କେଜାଣି ? କହୁଛି, ଶତକଡ଼ା ଟଙ୍କାଟେ ସୁଧ ଦିଆଯିବ, ନେଲେ ନିଅ, ନହିଲେ ଯାଇ ମକଦ୍ଦମା କର । ଦେଖୁଛ, ରାତିରେ କାଲି ଗୁଡ଼ାଏ ଟୋକାଙ୍କୁ ଏକାଠି କରି କେମିତି କାଣ୍ଡ କରି ବସିଛି । କିନ୍ତୁ ମୁଖିଆମାନେ ଏମିତି ବିଚାର କରୁଥିଲେ ବି ସେମାନଙ୍କ ଭିତରେ କାହାରି କାହା ସଙ୍ଗେ ପଡ଼େ ନାହିଁ, କେହି କାହାରି ଶିରୀ ଦେଖି ପାରନ୍ତି ନାହିଁ । ୟେ ତାର, ସେ ୟାର ନକଲ କଥା ଶୁଣି ମନେ ମନେ ଭାରି ଖୁସି ହେଉଥାନ୍ତି । ନୋଖେରାମ ଆଉ ପଟେଶ୍ଵରୀ ଭିତରେ କଥାବାର୍ତ୍ତା ଚାଲିଥାଏ । ପଟେଶ୍ଵରୀ କହୁଥାଏ, ଯାହା କହ, ଏ ଗାଁରେ ସମସ୍ତଙ୍କ ଘରକଥା ସମସ୍ତଙ୍କୁ ଟିକିନିଖି ଜଣା ଅଛି । ଝିଙ୍ଗୁର ସିଂହକୁ କାଲି ଏମିତି ନକଲ କଲେ, ଆଉ ନ କହ । ତା ଦି ଭାରିଯାଙ୍କ ସୁଆଙ୍ଗ ଦେଖି ଲୋକେ ତ ହସି ହସି ଭୂଇଁରେ ଗଡ଼ିଗଲେ ।

 

ନୋଖେରାମ ଥଟ୍ଟାକରି କହିଲା, କିନ୍ତୁ ଯାହା ସବୁ ନକଲ କରିଥିଲେ, ସବୁ ଅକ୍ଷରେ ଅକ୍ଷରେ ଠିକ୍ । ତା ସାନ ଭାରିଯାକୁ ଦାଣ୍ଡ ଦୁଆରେ ଠିଆହୋଇ ଟୋକାଙ୍କୁ ଅନେଇ ହସିବାର ମୁଁ ବି ଥରେ ଦେଖିଛି ।

 

‘ପୁଣି ବଡ଼ ଭାରିଯା ତ ସବୁବେଳେ କଜଳ ସିନ୍ଦୂର ଲଗେଇ ଟୋକୀ ସଜ ହୋଇ ବସିଛି-।’

 

‘ଦିନରାତି ତାଙ୍କ ଭିତରେ ପାଲା ଲାଗିଛି । ଝିଙ୍ଗୁରଟା ପକ୍କା ବେହିଆଟାଏ, ନହିଲେ ଆଉ କିଏ ହୋଇଥିଲେ ପାଗଳ ହୋଇ ଯାଆନ୍ତାଣି ।’

 

‘ଶୁଣିଲି, ତମକୁ ବି ଭାରି ଖରାପକରି ନକଲ କଲେ । ଚେମାରୁଣୀ ଘରେ ବନ୍ଦ କରି ଖୁବ୍ ପିଟେଇଲେ ।’

 

‘କରନ୍ତୁ, ମୁଁ ପୁଣି ବାକି ଖଜଣା ଦାଏର କରି ପୁଅକୁ ଠିକଣା କରିଦେବି ଯେ ! କେମିତିଆ ମଜା ହେବ, ପୁଣି ପୁଅ ଜୀବନଯାକ ମନେ କରୁଥିବ ।’

 

‘କିନ୍ତୁ ଖଜଣା ତ ସବୁ ଦେଇଦେଇଛି ।’

 

‘ଦେଲେ କ’ଣ ହେଲା, ମୁଁ ତ ତାକୁ ରସିଦ ଦେଇନି । ସେ ଖଜଣା ଦେଇଛି ବୋଲି କୋଉ ପ୍ରମାଣ ଅଛି ? ହିସାବ କିତାବ ଏଠି ଅବା ଦେଖୁଛି କିଏ ? ଆଜି ମୁଁ ତାକୁ ଚଉକିଆ ପଠେଇ ଡକାଉଛି, ରହିଥା ।’

 

ହୋରୀ ଆଉ ଗୋବରା ଆଖୁ ଲଗେଇବା ପାଇଁ ବିଲରେ ପାଣି ମଡ଼ାଉଥିଲେ । ଆଖୁର ତ ଆଉ ଆଶା ଦେଖାଯାଉ ନଥିଲା । ତଥାପି ବିଲ ଯେତେବେଳେ ପଡ଼ିଆ ଯାଉଛି, ଆଉ ହାତକୁ ବଳଦ ଆସିଗଲେଣି, ହେଉ ନ ହେଉ ଲଗେଇ ଦେବେନି କାହିଁକି ?

 

ଦିହିଁଙ୍କି ଦିହେଁ ଭାରି ବିଗଡ଼ିଥାନ୍ତି, କେହି କାହାକୁ ପାଟି ଫିଟାଉ ନଥାନ୍ତି କିମ୍ବା ଅନାଉ ନଥାନ୍ତି । ହୋରୀ ହଳ ଅଡ଼ାଉଥାଏ ଆଉ ଗୋବରା ପାଣି ମଡ଼ାଉଥାଏ । ସୁନା ରୂପା ଦିହେଁ ପାଣି ଫେର କାଟୁଥାନ୍ତି । ଏମିତି କାମ କରୁ କରୁ ସୁନା, ରୂପା ଦିହିଁଙ୍କ ଭିତରେ ଝଗଡ଼ା ହେଲା । ସୁନା କହିଲା–ଝିଙ୍ଗୁର ସିଂହର ସାନ ଭାରିଯା ଆଗ ଖାଇ ପଛେ ଝିଙ୍ଗୁରକୁ ଖାଇବାକୁ ଦିଏ । ରୂପା କହିଲା–ନାହିଁ, ସେ ଆଗ ଝିଙ୍ଗୁରକୁ ଦେଇ ପଛରେ ଖାଏ । ଏଇକଥା ପାଇଁ ଦିହିଁଙ୍କ ଭିତରେ ଝଗଡ଼ା ହେଲା ।

 

ରୂପା କହିଲା–ତା ଭାରିଯା ଯଦି ଆଗ ଖାଉଛି, ତାହାହେଲେ ସେ ବେଶି ମୋଟା ନ ହୋଇ ଝିଙ୍ଗୁର କିଆଁ ମୋଟା ହୋଇଛି । ଝିଙ୍ଗୁର ତା ଉପରେ ଆଉଜିପଡ଼ିବ ବୋଲେ ସେ ଚେପା ଉଡ଼ିଯିବ ।

 

ସୁନା ପ୍ରତିବାଦ କରି କହିଲା–ତୁ କ’ଣ ଭାବିଛୁ, ଯେ ଭଲ ଖାଏ ସେ ମୋଟା ହୁଏ, ସେକଥା ନୁହେଁ । ଭଲ ଖାଇଲେ ଲୋକେ ବଳୁଆ ହୁଅନ୍ତି, ମୋଟା ହୁଅନ୍ତି ନାହିଁ । ଯେ ଘାସ ପତର ଖାଏ ସେ ସିନା ମୋଟା ହୁଏ ।

 

‘ତା ହେଲେ ତା ଭାରିଯା କ’ଣ ତାଠୁ ବଳୁଆ ?’

 

‘ବଳୁଆ ନୁହଁ ଆଉ କ’ଣ ? ଏବେ ଥରେ କଳି ନାଗିଲା ଯେ ତା ଭାରିଯା ତାକୁ ଏମିତି ଗୋଟାଏ ଧକ୍କା ଦେଲା ଯେ ପଡ଼ିକରି ତା ଆଣ୍ଠୁ ଗଣ୍ଠି ଭାଙ୍ଗିଗଲା ।’

 

‘ତା ହେଲେ ତୁ କ’ଣ ଆଗ ଖାଇକରି ଆମ ଭେଣେଇଙ୍କି ପଛରେ ଖାଇବାକୁ ଦେବୁ ?’

 

‘ହଁ, ସେୟା କରିବିନି ଆଉ କ’ଣ ?’

 

‘ମା’ ତାହେଲେ କେମିତି ବାପାଙ୍କୁ ଆଗ ଖାଇବାକୁ ଦେଉଛି ?’

 

‘ତେବେକେ ତ ଦେଖୁଛି ବାପା କେମିତି ମା’କୁ ରଗଡ଼ି ଦେଉଛି । ମୁଁ କିନ୍ତୁ ବଳୁଆ ହୋଇ ମୋ ବରକୁ ହାତମୁଠାରେ ରଖିବି । ତୋ ବର କିନ୍ତୁ ତତେ ପିଟିକରି ତୋ ହାଡ଼ ଗୁଣ୍ଡ କରିଦେବ ।’

 

ରୂପା ଟିକିଏ କାନ୍ଦ କାନ୍ଦ ହୋଇ କହିଲା–କାହିଁକି ମତେ ପିଟିବ, ମୋତେ ମାଡ଼ଦେଲେ ମୁଁ ମୋଟେ କାମ କରିବି ନାହିଁ ।

 

‘ସେ ତୋ କଥା କିଛି ଶୁଣିବ ନାହିଁ, ତୁ ପାଟି ଫିଟାଇଲା ମାତ୍ରେ ତୋତେ ମାରିବ । ମାରି ମାରି ତୋ ଚମଡ଼ା ଉତ୍ତାରି ଦେବ ।’

 

ରୂପା ବିଗିଡ଼ିଯାଇ ସୁନାର ଶାଢ଼ିକୁ କାମୁଡ଼ି ଚିରିଦେବାକୁ ଚେଷ୍ଟା କଲା । କିନ୍ତୁ ନ ପାରିଲାରୁ ଏଣୁ ତେଣୁ ଗାଳିଦେଲା ।

 

ସୁନା ଆହୁରି ଚିଡ଼େଇ କରି କହିଲା, ସେମିତି କ’ଣ ହେଉଛୁ । ସେ ତୋ ନାକ ଯଦି କାଟି ନ ଦେଇଛି, ମତେ କହିବୁ ।

 

ତା ପରେ ରୂପା, ସୁନା ଡେଣାକୁ ଏମିତି ଜୋରରେ କାମୁଡ଼ି ଦେଲା ଯେ ରକତ ବୋହି ପଡ଼ିଲା । ସୁନା ତାକୁ ପେଲିଦେବାରୁ ସେ ଭୂଇଁରେ ପଡ଼ି ଯାଇ ଉଠିକରି କାନ୍ଦିବାକୁ ଲାଗିଲା । ସୁନା ବି ରକତ ଦେଖିକରି ପାଟିକରି କାନ୍ଦି ଉଠିଲା ।

 

ତାଙ୍କ ପାଟି ଶୁଣି ଗୋବରା ରାଗରେ ତମ ତମ ହୋଇ ଆସି ଦିହିଁଙ୍କୁ ଦି’ବିଧା ଜୋରରେ କସିଦେଲା । ଦିହେଁଯାକ କାନ୍ଦି କାନ୍ଦି ବିଲଛାଡ଼ି ଘରକୁ ଚାଲିଗଲା । ସେମାନେ ଚାଲିଯିବାରୁ ପାଣି କଟା କାମ ଯେମିତି ବନ୍ଦ ହୋଇଗଲା । ସେମିତି ବାପ ପୁଅଙ୍କ ଭିତରେ ଚିକିଏ ଝଗଡ଼ା ଆରମ୍ଭ ହେଲା ।

 

ହୋରୀ କହିଲା, ସେ ଦିହେଁ ତ ଚାଲିଗଲେ ଏବେ ପାଣି ମଡ଼େଇବ କିଏ ? ମାରିକରି ଘଉଡ଼ି ଦେଲୁ ତ ଯାଉନୁ କିଆଁ ଫେରେଇ ଆଣିବୁ ?

 

‘ତମେ ତାଙ୍କୁ ସବୁ ଖରାପ କରି ଦେଲଣି ।’

 

‘ଏମିତି ମାରିଲେ ଆହୁରି ବି ଖରାପ ହୋଇଯିବେ ।’

 

‘ଦିନେ ଖାଇବାକୁ ନ ଦେଲେ ଆପେ ଠିକ୍ ହୋଇଯାନ୍ତେ ।’

 

‘ମୁଁ ତ କଂସେଇ ନୁହେଁ, ମୁଁ ତାଙ୍କ ବାପ ।’

 

ପାଦରେ ଯଦି କେଉଁଠି ଟିକିଏ ଖଣ୍ଡିଆ ହୋଇଥାଏ ତେବେ ସେଇଠି ବାରମ୍ବାର ମଣିଷ ଝୁଣ୍ଟେଇ ହୁଏ । ଶେଷକୁ ସେ ଖଣ୍ଡିଆ ଜାଗା ପାଚିଯାଇ ଲୋକକୁ ମାସ ମାସ ଧରି କଷ୍ଟ ଦିଏ । ସେମିତି ବାପ ପୁଅଙ୍କ ଭିତରେ ଥରେ ବିମନା ହୋଇ ଏବକୁ ତିନିଥର କଳି ହୋଇ ସାରିଥିଲେ ।

 

ଗୋବରା ଆସି ପାଣି ମଡ଼େଇବାପାଇଁ ଘରୁ ଝୁନିଆକୁ ଡାକି ନେଇଗଲା । ଝୁନିଆ ପିଲାଟାକୁ କାଖରେ ଧରି ବାହାରି ଗଲାବେଳେ ଧନିୟାହେରିକା ମା’ ଝିଅ ତିନିହେଁଯାକ ଅନାଇ ରହିଲେ । ଗୋବରାର ଏମିତି ଉଦଣ୍ଡପଣିଆ ଧନିୟାକୁ ଭାରି ଖରାପ ଲାଗିଲା । ରୂପାକୁ ମାରିଲା କିଛି ଯାଏ ଆସେ ନାହିଁ, ହେଲେ ବଢ଼ିଲା ଝିଅଟାଠେଇ ହାତଦେଲା ସେ କେମିତି ?

 

ଗୋବରା ସେଇଦିନ ରାତିରେ ଲକ୍ଷ୍ନୌ ଚାଲିଯିବ ବୋଲି ଠିକ୍ କଲା । ଗାଁରେ ରହିବା ତା ପକ୍ଷରେ ଅସମ୍ଭବ । ଘରେ ଯଦି ତା’ର କୌଣସି ଅକତିଆର ନାହିଁ, ସେ ରହିବ କାହିଁକି ? ପିଲାଙ୍କୁ ଦିଟା ମାରିଦେଲା ବୋଲି ଯଦି ଲୋକଙ୍କୁ ଏତେ ବାଧିଗଲା, ତେବେ ସେ ପର ଲୋକପରି ସେଠି ରହିବ କାହିଁକି ?

 

ବାପପୁଅ ଦିହିଁଯାକ ଖାଇ ଦାଣ୍ଡକୁ ବାହାରୁଛନ୍ତି, ଠିକ୍ ସେତିକିବେଳକୁ ଚଉକିଆ ଆସି କହିଲା–ଖଜଣା ଅସୁଲ ବାବୁ ତମକୁ ଡକେଇଛନ୍ତି ।

 

ହୋରୀ ଟିକିଏ ଗର୍ବ ଦେଖାଇ କହିଲା–ରାତିରେ କିଆଁ ଡକାଉଛନ୍ତି, ମୁଁ ତ ଖଜଣା ଦେଇ ସାରିଛି ।

 

ଚଉକିଆ କହିଲା–ମୁଁ ତ ହୁକୁମର ଚାକର, ମୁଁ କ’ଣ ଜାଣେ, ତମର ଯାହା କହିବା କଥା ଚାଲ ସେଠି କହିବ ।

 

ହୋରୀର ମନ ନ ଥିଲେ ବି ତାକୁ ଯିବାକୁ ପଡ଼ିଲା । ଗୋବରା ମୁହଁ ଫୁଲେଇ ଚୁପ୍ ହୋଇ ବସି ରହିଲା । ହୋରୀ ଅଧଘଣ୍ଟା ଭିତରେ ଫେରିଆସି ବସିକରି ଚିଲମ ଟାଣିବାକୁ ଲାଗିଲା-। ଗୋବରା ଆଉ ସମ୍ଭାଳି ନ ପାରି ପଚାରିଲା–କାହିଁକି ଡକାଇଥିଲା ?

 

ହୋରୀ ମନ କଷ୍ଟକରି କହିଲା–ମୁଁ ପାହି ପାହି ହିସାବ ତୁଟେଇ ଦେଇଛି, ସେ କହୁଛି ଦି ବର୍ଷର ଖଜଣା ବାକି ଅଛି । ସେଦିନ ଆଖୁ ବିକିଲି ଯେ ତାକୁ ସାଙ୍ଗେ ସାଙ୍ଗେ ସେଇଠି ପଚିଶ ଟଙ୍କା ଗଣିଦେଲି । କ’ଣ ନା ଆଜି ପୁଣି କହୁଛି ଦି’ବର୍ଷର ବାକି । ମୁଁ ତ କହିଦେଇଛି, ମୁଁ ଆଉ ଅଧଲାଟାଏ ବି ଦେବି ନାହିଁ ।

 

ଗୋବରା ପଚାରିଲା–ତମ ପାଖରେ ରସିଦ ତ ଥିବ ?

 

‘ରସିଦ ସେ ଦେଇଛି କାହିଁ ?’

 

‘ତେବେ ତମ ରସିଦ ନ ଦେଇ ଟଙ୍କା ଦେଲ କେମିତି ?’

 

‘ମୁଁ କ’ଣ ଜାଣିଥିଲି, ସେ ଏଡ଼େ ବେଇମାନୀ କରିବ ବୋଲି । ୟେ ସବୁ ତମରିମାନଙ୍କ କାମର ଫଳ । କାଲି ରାତି ବସିକରି ତାଙ୍କୁ ସବୁ ଯୋଉ ନକଲ କଲ, ୟେ ହେଉଛି ତାରିପାଇଁ ଦଣ୍ଡ-। ପାଣିରେ ଘରକରି ପୁଣି କୁମ୍ଭୀର ସଙ୍ଗେ କଳି । ସତର ଟଙ୍କା ବାକି ପକାଇ ଦେଇଛି । ଏ ଟଙ୍କା ପୁଣି କୋଉଠୁ ଆସିବ ?

 

ଗୋବରା ସଫାଇ ଦେଇ କହିଲା, ତମେ ଯଦି ପାଖରେ ରସିଦ ରଖିଥାନ୍ତ, ଆମେ ଯେତେ ନକଲ କଲେ ବି ସେ ଆମର କ’ଣ କରନ୍ତା ? ମୋତେ ଆଶ୍ଚର୍ଯ୍ୟ ଲାଗୁଛି; ତମେ ହିସାବ କିତାବ ନ ରଖି କେମିତି ଲୋକଙ୍କ ସାଙ୍ଗେ ପଇସା ପତର କାରବାର କର । ସେ ଯଦି ରସିଦ ନ ଦେଉଛି, ତେବେ ଡାକରେ ଟଙ୍କା ପଠା, ଖୁବ୍ ହେଲେ ଟଙ୍କାଏ ମସାଏ ମାହାସୁଲ ପଡ଼ିବ, ଟଙ୍କା ତ ଆଉ ଏମିତି କୁଆଡ଼େ ଉଡ଼ିଯିବ ନାହିଁ ।

 

‘ତମେ ସବୁ ଯଦି ସେ ଦିନ ସେ ନିଆଁ ନଗେଇ ନ ଥାନ୍ତ ତେବେ କିଛି କିଆଁ ହୋଇଥାନ୍ତା-। ଏବେ ତ ଗାଁର ସବୁ ମୁଖିଆ ବିଗିଡ଼ି କରି ବସିଛନ୍ତି । ବେଦଖଲି କରିବେ ବୋଲି ଧମକ ଦେଉଛନ୍ତି । ଭଗବାନ ଜାଣନ୍ତି କେମିତି ମଣିଷ ଏଥିରୁ ପାର ହେବ ।’

 

‘ଆଚ୍ଛା, ମୁଁ ଯାଇ ତାଙ୍କୁ ପଚାରୁଛି ।’

 

‘ତୁ ଯାଇ ଆହୁରି ସେଠି ନିଆଁ ଲଗେଇ ଦେଇ ଆସିବୁ ନା କ’ଣ ?’

 

‘ହଁ, ଯଦି ନିଆଁ ଲଗାଇବା ଦରକାର ହେବ, ତେବେ ଲଗେଇ ଦେଇ ଆସିବି । ଯଦି ତାଙ୍କର ବଳ ଅଛି ସେ ବେଦଖଲି କରନ୍ତୁ । ନୁଁ ତ ତମ୍ବାତୁଳସୀ ଧରେଇ ତାଙ୍କୁ କଚେରୀ ଉପରେ ନିଆମ ନ କରେଇଲେ ଛାଡ଼ିବି ନାହିଁ । ତମେ ତୁନୀତାନୀ ହୋଇ ବସ; ମୁଁ ତାଙ୍କୁ ସବୁ ଦେଖିଦେବି । ମୁଁ କାହାଠୁ ପଇସାଟାଏ ମାରିନେବାକୁ ଚାହେ ନାହିଁ, କି ମୋ ପଇସା ମୁଁ ଅଧଲାଟାଏ କାହାକୁ ଦେବାକୁ ଚାହେ ନାହିଁ ।

 

ଗୋବରା ସାଙ୍ଗେ ସାଙ୍ଗେ ଉଠିଯାଇ ନୋଖେରାମ ଚଉପାଡ଼ୀ ପାଖରେ ପହଞ୍ଚିଗଲା । ଦେଖିଲା ମୁଖିଆମାନଙ୍କ ମନ୍ତ୍ରୀମଣ୍ଡଳ ବସିଛି । ଗୋବରାକୁ ଦେଖି ସମସ୍ତେ ଚୁପ୍ ହୋଇଗଲେ । ଜଣାପଡ଼ୁଥିଲା ସେଠି ଗୋଟାଏ କୌଣସି ମନ୍ତ୍ରଣା ଚାଲିଛି । ଗୋବରା ଉତ୍ତେଜିତ ହୋଇ କହିଲା, ଇଏ କି କଥା କାରିନ୍ଦା ସାହେବ, ବାପା ଆମର ସବୁ ଖଜଣା ଦେଇ ସାରିଛନ୍ତି, ଆପଣ ପୁଣି କଣ ଦି ବର୍ଷର ବାକି ବାହାର କରିଛନ୍ତି ? ଇଏ ସବୁ କି ଗଣ୍ଡଗୋଳିଆ କଥା ?

 

ନୋଖେରାମ ବଡ଼ ତକିଆ ଉପରେ ଗଡ଼େଇ ତଡ଼େଇ ହୋଇ ଆଡ଼ମ୍ବର ଦେଖାଇ କହିଲା, ହୋରୀ ଥିବାଯାକ ଖଜଣା ମାଗଣା ବିଷୟରେ ମୁଁ ତମ ସଙ୍ଗେ କଥାବାର୍ତ୍ତା କରିବାକୁ ଚାହେଁ ନାହିଁ ।

 

ଗୋବରା ଟିକିଏ ଦୁଃଖିତ ହେଲା ପରି କହିଲା, ‘ହଁ, ମୁଁ ତ ଘରେ କିଛି ନୁହେଁ ।’

 

‘ହଁ, ତମ ଘରେ ତମେ ମାଲିକ ହୋଇପାର, କିନ୍ତୁ ଏଠି ତମର କିଛି ନାହିଁ ।’

 

‘ଆଚ୍ଛା, ହେଉ ତମେ ଆଗ ବେଦଖଲି କର, ତା’ ପରେ ମୁଁ ଯାହା କରିବି । ମେସଲ ଉପରେ ତମକୁ ଜଳତୁଳସୀ ଧରେଇ ସାରିଲେ ଯାଇଁ ଟଙ୍କା ଦେବି । ଏହି ଗାଁରୁ ଶହେ ସାକ୍ଷୀ ବାହାର କରି ପ୍ରମାଣ କରିଦେବି ଯେ ତମେ ଟଙ୍କା ନେଇ କାହାକୁ ରସିଦ ଦିଅ ନାହିଁ । ସାଧା ସିଧା ଚାଷୀ ଲୋକ, କେହି କିଛି କହୁ ନାହାନ୍ତି ବୋଲି ତମେ ଭାବୁଛ ସେଗୁଡ଼ା ଅସିଆଣିଆ ଗଧ । ମନେରଖିଥା ରାୟ ସାହେବଙ୍କ ଘର ଯେଉଁଠି ମୋ ଘର ବି ସେଇଠି । ଲୋକେ ସିନା ତାଙ୍କୁ ଦେବତା ବୋଲି ଭାବି ପାଖକୁ ଯିବାକୁ ଡରୁଛନ୍ତି, ମୁଁ କିନ୍ତୁ ଛାଡ଼ିବି ନାହିଁ, ଆଉ ଦେଖିବି କେମିତି ତମେ ଦୋହରା ଟଙ୍କା ଅସୁଲ କରିନେବ ।’

 

ଡରୁଆଲୋକେ ସିନା ସତକଥା ବି କହିପାରନ୍ତି ନାହିଁ, ତୁନି ହୋଇଯାନ୍ତି, କିନ୍ତୁ ସତ କଥାରେ ଗୋବରା ଡରନ୍ତା କାହିଁକି ? ସେହି ସିମେଟ ପଥର ଦେହରେ ଲଗାଇଲେ ପଥର ହୋଇଯାଏ, ଅଥଚ ମାଟି ଦେହରେ ଲାଗିଲେ ମାଟି, ପଇସାଟାକର ମୂଲ୍ୟ ବି ତାର ରହେ ନାହିଁ । ଅନ୍ୟ ଲୋକଙ୍କ ମୁହଁରୁ ଯେଉଁ ସତ୍ୟ ବାହାରି ପାରେ ନାହିଁ, ସେହି ସତ୍ୟ ଗୋବରାଠାରୁ ବାହାରି ନୋଖେରାମର ଅନ୍ୟାୟ ଟାଣକୁ ଏକାଥରକେ ଟାଳିଦେଲା ।

 

ନୋଖେରାମ ପୁଣି କ’ଣ ମନେପକାଇଲା ପରି ହୋଇ କହିଲା, ତମେ ଏମିତି ଗରମ ହୋଇ ଯାଉଛ କିଆଁ ? ଏଥିରେ ଗରମ ହେବାର କଣ ଅଛି ? ଯଦି ହରି ଟଙ୍କା ଦେଇଥିବ, ତେବେ କେଉଁଠି ହେଲେ କାଗଜ ରହିଥିବ । ମୁଁ କାଲି ଖୋଜି କରି ଦେଖିବି । ଏବେ ମୋର ଛାୟା ଛାୟା ମନେ ପଡ଼ୁଛି, ହରି ବୋଧହୁଏ ଟଙ୍କା ଦେଇଛି କି କଣ ? ତମେ କିଛି ପରୁଆ କର ନାହିଁ । ଟଙ୍କା ଯଦି ଏଠିକି ଆସିଥିବା, ତେବେ କୁଆଡ଼େ ଯିବ ନାହିଁ । ଟଙ୍କା କେଇଟା ଲାଗି କିଏ ମିଛ କହିବ କାହିଁକି, ଆଉ ଏଇ ଟଙ୍କା କେଇଟା ନେଇ ସତେ କଣ କିଏ ଘର କରିବ ।

 

ଗୋବରା ଚଉପାଡ଼ୀରୁ ଫେରିଆସି ହେରୀକୁ ଏମିତି ବକିଲା ଯେ ବିଚରା କାନ୍ଦ କାନ୍ଦ ହୋଇଗଲା । କହିଲା, ତମେ ଦୁଧଖିଆ ପିଲାଙ୍କଠାରୁ ଆହୁରି ନିହାତି ହୋଇଯାଉଛ, ବିଲେଇ ପାଟି ଶୁଣିଲେ ବି ଚିହିରି ଉଠୁଛ । କେତେ ଆଡ଼େ ଏବେ ମୁଁ ତମକୁ ସମ୍ଭାଳିବି । ମୁଁ ତୁମକୁ ସତୁରୀ ଟଙ୍କା ଦେଇ ଯାଉଛି ଦାତାଦୀନକୁ ଦେଇଦେବ । ଯଦି ଆଉ ଗୋଟାଏ ପଇସା ଅଧିକା ଦିଅ, ତେବେ ମୋଠୁ ଆଉ ଅଧଲାଟାଏ ଆଶା ରଖିବ ନାହିଁ । ମୁଁ କଣ ବିଦେଶରେ ପଡ଼ିକରି ତମକୁ ଟଙ୍କା ଦେଉଥିବି, ଆଉ ଏଠି ବସି ସମସ୍ତେ ତମକୁ ଲୁଟି କରୁଥିବେ । ମୁଁ ତ କାଲି ଚାଲିଯାଉଛି, ହେଲେ କହିଦେଉଛି, କାହାଠୁ ଆଉ ପଇସାଟାଏ ହେଲେ ଧରିବ ନାହିଁ, କି କାହାକୁ ପଇସାଟାଏ ଦେବ ନାହିଁ । ମଙ୍ଗୁଳି, ଦୁଲାରୀ, ଦାତାଦୀନ ଯେ ଯେତେ ଟଙ୍କା ଦେଇଛନ୍ତି ସମସ୍ତଙ୍କୁ ଶତକଡ଼ା ଟଙ୍କାଏ ସୁଧରୁ ଅଧଲାଟାଏ ଅଧିକ ଦେବ ନାହିଁ ।

 

ସେତିକିବେଳକୁ ଧନିୟା ଖାଇସାରି ପଦାକୁ ବାହାରି ଆସି କହିଲା, ଆରେ ପୁଅ, ଏଡ଼େ ତରତର କିଆଁ, ଆଉ ଦି’ଚାରିଦିନ ରହିଯା, ଯିବୁ । ଆଗ ଆଖୁ ନଗା ସରିଯାଉ, ଯାହାର ଯେମିତି ପାଉଣାପତ୍ର ଅଛି ସବୁ ହିସାବ କରିଦେ, ଯାଇଁ ଯିବୁ ।

 

ଗୋବରା ଟିକିଏ ଫୁଲାଣ ଦେଖାଇ କହିଲା, ମୋର ଦିନକୁ ଦି’ ତିନିଟଙ୍କା ରୋଜଗାର ସିଆଡ଼େ ପାଣିରେ ପଡ଼ୁଛି ଜାଣୁଛୁ ତ ! ଏଠି ତ ଦିନକୁ ମୋଟ ଚାରଣା ପଇସା ମଜୁରୀ । ଏଥର ମୁଁ ଝୁନିଆକୁ ସାଙ୍ଗରେ ନେଇଯିବି, ମୋର ସେଠି ଖାଇବା ପିଇବାକୁ ଭାରି ଅସୁବିଧା ହେଉଛି ।

 

ଧନିୟା ଡରି ଡରି କହିଲା, ତୋ ମନ; ହେଲେ, ସେଠି ସେ ପିଲାଟାକୁ ନେଇ ଏକୁଟିଆ ଚଳିବ କେମିତି ?

 

‘ମୋ ସୁବିଧା ଦେଖିବି ନା, ପିଲା ସୁବିଧା ଦେଖିବି । ମୋ ହାତରେ ଆଉ ଏଣିକି ଚୁଲି ଫୁଙ୍କିବା କାମ ହେଉ ନାହିଁ ।’

 

‘ତୁ ତ ନେବାପାଇଁ ମୁଁ ନାହିଁ କରୁନାହିଁ, ହେଲେ ବିଦେଶରେ ଆଗକୁ ପଛକୁ କେହି ନାହିଁ, ସେଠେଇ ପିଲାଛୁଆ ନେଇ ଚଳିବୁ କେମିତି ?’

 

‘ବିଦେଶରେ କ’ଣ ସାଙ୍ଗସାଥି ନାହାନ୍ତି ? ସମସ୍ତେ ହେଉଛନ୍ତି ପଇସାର ସାଥି, ଯାହାକୁ ଦି’ଚାରି ପଇସା ଦେବ, ସେ ତମର । ନ କଲେ ତ ବାପମା’ ବି ଆପଣାର ନୁହନ୍ତି, ପର ଆପଣାର ହେବ କେମିତି ?’

 

ଧନିୟା କଥାର ଭେଦଟା ବୁଝିଗଲା । ତା ପାଦରୁ ମୁଣ୍ଡଯାଏ ନିଆଁ ହୋଇଗଲା, କହିଲା–ହାଁ, ବାପମା’ଙ୍କୁ ତ ପଇସାର ସାଥୀ ବୋଲି ଭାବିଛୁ ?

 

‘ମଲା, ଆଖିରେ ପରା ଦେଖୁଛି ।’

 

ନାହିଁରେ ପୁଅ, ତୁ କିଛି ଦେଖି ନାହୁଁ । ବାପମା’ଙ୍କ ମନ ଟଙ୍କା ପଇସାରେ କେବେ ନଥାଏ । ଏ ଯୁଗରେ ତ ପୁଅମାନେ ଦି’ଚାରି ପଇସା ରୋଜଗାର କଲେ ବାପମା’ଙ୍କୁ ଗୋଡ଼ରେ ଆଡ଼େଇଦେଇ ଚାଲି ଯାଉଛନ୍ତି । ଏଇ ଗାଁରେ ତ ମୁଁ ସେମିତି କେତେ ଦେଖିଛି । ହେଲେ ବାପ ମା’ ଉଧାର କରଜ କରୁଛନ୍ତି କିଆଁ–ନିଜେ ଖାଇକରି ଉଡ଼େଇବେ ବୋଲି, ନା ପିଲାଛୁଆଙ୍କ ମୁହଁରେ ଅନ୍ନପାଣି ଦେବେ ବୋଲି ?’

 

‘ମୁଁ କେମିତି ଜାଣିଲି ତମେ କାହିଁକି କରଜ କରୁଛ ? ତମେ ସେ କଥା ଜାଣିଥିବ ନା ।’

 

‘ବାପମା’ ଉଧାର କରଜ କରି ପୋଷି ନଥିଲେ ତୁ ଏଡ଼ିଟିଏ ହେଲୁ କେମିତି ?’

 

‘ହଁ, ପୋଷିବାରେ କଷ୍ଟ କ’ଣ । ପିଲାଦିନେ ତ ଦୁଧଖାଇ ବଞ୍ଚିଲି । ବଡ଼ ହେଲାରୁ ସମସ୍ତେ ଯାହା ଖାଇଲେ ମୁଁ ତା’ ଖାଇଲି । ମୋ ପାଇଁ କ’ଣ ଦୁଧ ଦହି ନା ଘିଅ ଲହୁଣୀ ବନ୍ଧା ହୋଇଥିଲା ? ଏବେ ବାପା ଯେମିତି ଚାହେ, ତୁ ବି ସେମିତି ଚାହୁ ଯେ ମୁଁ କରଜ ସୁଝି ଦିଅନ୍ତି, ସବୁ ଖଜଣା ମାଗଣ ତୁଟେଇ ଦିଅନ୍ତି, ଆଉ ଝିଅ ଦିହିଁଙ୍କର ବାହାଘର ବି କରି ଦିଅନ୍ତି । ମୋର କ’ଣ ଆଉ ପିଲାଛୁଆ ନାହାନ୍ତି, ମୁଁ ଜୀବନଯାକ ଖାଲି ତମରିପାଇଁ ଘାଣ୍ଟି ହେଉଥିବି ?’

 

କଥା ଶୁଣି ଧନିୟା ଏକାଥରକେ ଚୁପ୍, ସତେ ଯେମିତି ତାର ସବୁ ଆଶା ସବୁ ସ୍ଵପ୍ନ ଧୂଳିରେ ମିଶିଗଲା । ମନେ ମନେ ସେ କେଡ଼େ ଖୁସି ହୋଇଥିଲା–ପୁଅ ରୋଜଗାର କଲାଣି, ସବୁ ଦୁଃଖଦୁର୍ଦ୍ଦଶା ଏବେ ଘୁଞ୍ଚିଯିବ । ଗୋବରା ଆସିଲାଦିନୁ ତା କଥାବାର୍ତ୍ତା ଚାଲିଚଳଣି କେଡ଼େ ଥଣ୍ଡା ପଡ଼ି ଯାଇଥିଲା । ସେ ଭାବିଥିଲା ଭଗବାନ ଯେତେବେଳେ ଦୟା କଲେଣି ଏଥର ତା’ର ନଇଁସଇଁ କରି ଚଳିବା ଦରକାର । ମନରେ ଯେମିତି ତା’ର ଶାନ୍ତି ଆସିଯାଇଥିଲା ଉପର ବ୍ୟବହାର ବି ସେମିତି ଅନେକ ବଦଳି ଯାଇଥିଲା । ତତଲା ବାଲିରେ ଚଣା ପଡ଼ିଲେ ଯେମିତି ଫୁଟିଯାଏ ସେମିତି ଗୋବରା କଥା ଶୁଣି ଧନିୟାର ସବୁ ଆନନ୍ଦ ଅଭିମାନ ଫୁଟି ପାଉଁଶ ହୋଇଗଲା, ଏକାଥରକେ ଜୀବନର ସମସ୍ତ ରସ ଶୁଖିଗଲା । ଯେଉଁ ନାଆରେ ବସି ଦରିଆ ପାର ହେବ ବୋଲି ସେ ଏତେ କଳ୍ପନା କରିଥିଲା, ସେ ଯେତେବେଳେ ଡୁବିଗଲା, ଆଉ ଜୀବନରେ ଅବା ରହିଲା କ’ଣ ?

 

ପୁଣି ଭାବିଲା, ନାହିଁ, ଗୋବରା କେବେ ଏଡ଼େ ସ୍ୱାର୍ଥପର ହୋଇପାରେନା । କେବେହେଲେ ତ ଦିନେ ସେ ବାପମା’ଙ୍କୁ ଜବାବ ଦେଇ ନଥିଲା କି ଜିଦ୍ କରି ନଥିଲା । ଶୁଖିଲା ପାଚିଲା ଯାହା ଦେଲେ ପାଟି ନ ଫିଟାଇ ଖାଇ ଦେଉଥିଲା । ଏଡ଼େ ସାଧାସିଧା, ଏଡ଼େ ସୁନା ପୁଅ, ଆଜି ପୁଣି ସେ କେମିତି ମୁହଁରେ ଜବାବ ଦେଇଛି ? ବାପମା’ ତ ଦିନେହେଲେ ତାକୁ କିଛି କହି ନାହାନ୍ତି ବରଂ ତା’ ହାତକୁ ଗୋଡ଼କୁ ଅନାଇ ବସିଥାନ୍ତି । ଆପେ ଆପେ ତ ସେ ଧାର ଉଧାର ସୁଝୁଥିଲା, କିଏ କ’ଣ ତାକୁ ସୁଝିବାକୁ କହିଥିଲା । ଭଲ ମଣିଷ ପରି ରୋଜଗାର କରି ପୁଅ ଆପଣା ପେଟ ପୋଷିଲା, ୟା’ଠୁ ବଳି ବାପମା’ଙ୍କର ସୁଖ ଆଉ ଅଧିକ କ’ଣ ଅଛି ? ମନ ପାଇଲେ, ବଳ ପାଇଲେ ବାପମା’ଙ୍କୁ ଦି ‘ପଇସା ଦେଲେ ଦେବ ନହିଲେ ନାହିଁ, ସେଥିପାଇଁ କ’ଣ କିଏ ତା’ ବେକ ମାଡ଼ି ଧରୁଛି । ଝୁନିଆକୁ ନେବାପାଇଁ ତା ମନ ଯଦି ହେଉଛି, ନେଇ ଯାଉ, କିଏ କ’ଣ ମନା କରୁଛି-? ମୁଁ କହୁଥିଲି ତାଙ୍କୁସବୁ ନେଲେ ସୁବିଧା ହେବ ଯେତିକି, ତାଠୁ ଜଞ୍ଜାଳ ବଢ଼ିବ ବେଶି । ଏଥିରେ ଅବା କ’ଣ ଥିଲା ଯେ ସେ ଏଡ଼େ ନିଆଁ ହୋଇଥାନ୍ତା । ଝୁନିଆ ଜାଣି ଏ ନିଆଁ ନଗେଇ ଦେଇଛି-। ବସି ବସି ଘରେ ତାକୁ ମନ୍ତର ଫୁଙ୍କିଛି । ଏଠେଇ ତ ଖାଇପିଇ କରି ସଜବାଜ ହେବାକୁ ମିଳୁ ନାହିଁ, କାମ କରିବାକୁ ପଡ଼ୁଛି । ସେଠି ତ ହାତରେ ପଇସା ଧରିବ, ଚିକକଣ ପିନ୍ଧି ଆରାମରେ ଗୋଡ଼ ନମ୍ବେଇ ଶୋଇବ । ଦି’ଜଣ ତ ମୋଟେ ମଣିଷ, ରୋଷେଇ ନ କଲେ ଏବେ କ’ଣ ହୋଇଯିବ, ପଇସା ପକାଇଲେ ବଜାରରୁ ସବୁ ରନ୍ଧା ଜିନିଷ ମିଳିଯିବ । ଏଇସବୁ ଗଣ୍ଡଗୋଳ ଏକା ତା’ରି-। ସହର ବଜାରରେ ଆଗରୁ ରହି ଆସିଛି ନା, ସୁଆଦ ଜାଣିଯାଇଛି । କେହି ତ କୁଆଡ଼ୁ ଜୁଟୁ ନଥିଲେ, ଇଏ ଉଲୁଟା ଯେମିତି ଜୁଟିଗଲା, ତାକୁ ଫାଶରେ ପକାଇ ବାନ୍ଧି ପକାଇଲା । ଯେତେବେଳେ ପାଞ୍ଚ ମାସର ପେଟ ଧରିକରି ଆସିଥିଲା, କେମିତି ମେଁ ମେଁ ହେଉଥିଲା । ସେତେବେଳେ ଯଦି ଶରଣ ନ ରଖିଥାନ୍ତି, ଏତେବେଳକୁ କୁଆଡ଼େ ଭିକ ମାଗୁଥାନ୍ତା । ଉପକାର କଲାରୁ ଏତକ ଜାଣି ମିଳିଲା । ଏଇ ଅଲକ୍ଷଣୀ ଯୋଗୁ ଜୋରିମନା ଦେଲି, ଜାତି ଲୋକଙ୍କ ପାଖରେ ଅଭଲେଇ ହେଲି, ଖେତବାଡ଼ି ସବୁ ଗଲା, ସବୁ ବିପତ୍ତି ଆସି ମୁଣ୍ଡରେ ଜମା ହେଲା । ଅଲକ୍ଷଣୀ ଯେଉଁ ପତରରେ ଖାଇବ, ସେଇ ପତରରେ ଛାପ ପକାଇବ । ପଇସା ଦେଖିକରି ତ ଆଖି ତାଳୁରେ ହୋଇଗଲା । ସେହିଦିନୁ ଗରବରେ ଛାତି ଫୁଲି ଯାଇଛି, ଲଙ୍ଗଳଦଉଡ଼ା ଅଣ୍ଟୁ ନାହିଁ । ଆଜି ସିନା ପୁଅ କମେଇଲା, କାଲି ଯେତେବେଳେ ବାସୀରେ ପଚାରୁ ନଥିଲା ସେତେବେଳେ ତେଲ କାଞ୍ଚି ଧରି ଶାଶୁଗୋଡ଼ ମୋଡ଼ିବା ପାଇଁ ଧାଉଁଥିଲା କେମିତି । ଡାହାଣୀ ଆଜି ମୋ’ରି ହାତରୁ ମୋ’ରି ନିଜ ଧନକୁ ଛଡ଼େଇ ନେବ ବୋଲି ଧାଉଁଛି ।

 

ଭାରି ଦୁଃଖ କରି ଧନିୟା କହିଲା, ହଇରେ ପୁଅ, ତୁ ତ ଏମିତି ନଥିଲୁ, କାନ ମୋଡ଼ିଲେ ବଚନ ବାହାରୁ ନଥିଲା, ଆଜି ତତେ ଏତେ କଥା ଶିଖେଇଲା କିଏ ? ବାପ ମାଆ ତୋର, ଏ ଘରଦ୍ୱାର ତୋର, ଭାଇ ଭଉଣୀ ତୋର, ସବୁ ତ ତୋର ନିଜର ଏଠେଇ ତୋର ପର ଅବା କିଏ ? ଆମେ ଅବା କୋଉ ବେଶି ଦିନ ବଞ୍ଚିରହିବୁ, ଘରର ଟେକ ରହିଲେ ତୋ’ରି ମାନ ମହତ ରହିବ, ତୋ’ରି ଟେକ ରହିବ । ମଣିଷ ଆପଣା ଲୋକଙ୍କ ପାଇଁ ପଇସା ରୋଜଗାର କରେ, ନା ନିଜପାଇଁ-? ଘୁଷୁରୀ ତ ପୁଣି ଆପଣା ପେଟ ପୋଷୁଛି । ମୁଁ ପରା ଜାଣିଥିଲି ଏଇ ଝୁନିଆ ଦିନେ ନାଗସାପ ହେଇ ଆମକୁ ଧ୍ଵଂସିବ ।

 

ଗୋବରା ଚିଡ଼ିଯାଇ କହିଲା, ମା’, ମୁଁ କ’ଣ ଏଡ଼େ ମୂର୍ଖ ହୋଇଛି ଯେ ଝୁନିଆ ମତେ ପାଠ ପଢ଼େଇବ, ମିଛରେ କିଆଁ ତୁ ତାକୁ ଗାଳି ଦେଉଛୁ ? ଅସଲ କଥା ହେଉଛି, ମୁଁ ଆଉ ଏଡ଼େ ବଡ଼ ଘର ସମ୍ଭାଳ ପାରିବି ନାହିଁ । ଅଳ୍ପ ବହୁତ ଯାହା ମିଳିବ ତମକୁ ସାହାଯ୍ୟ କରିବି; ହେଲେ ସବୁ ସମ୍ଭାଳିବା ମୋ ପକ୍ଷେ ସମ୍ଭବ ନୁହେଁ ।

 

ଝୁନିଆ ଘରଭିତରୁ ବାହାରିଆସି ଧନିୟାକୁ କହିଲା, ମୋ ଉପରେ ମିଛରେ କାହିଁକି ରାଗ ଝଡ଼େଇ ହଉଛ ? କିଏ କ’ଣ ପିଲା ହେଇଛି ଯେ ମୁଁ ଶିଖେଇ ଦେଉଛି ! ସମସ୍ତେ ସମସ୍ତିଙ୍କ ଭଲ ମନ୍ଦ ଜାଣନ୍ତି । ମଣିଷ ତ ଜନ୍ମ ହେଇନି ଦିନରାତି ଖଟି ଖଟି ଖାଲି ହାତରେ ମରିବାପାଇଁ, ସମସ୍ତେ ଆପଣା ଭଲ ଚାହାନ୍ତି, ସମସ୍ତେ ଦି’ପଇସା ହାତର କରିବାକୁ ଚାହାନ୍ତି ।

 

ଧନିୟା ଦାନ୍ତକାମୁଡ଼ି ମିଶିଆସି କହିଲା–ହଇଲୋ ଝୁନିଆ, ତୁ ଆଜି ମତେ ଗିଆନ ପଢ଼େଇବାକୁ ବସିଛୁ । ହଇଲୋ, ଆପଣା ଭଲମନ୍ଦ ବୁଝିବା ପାଇଁ ତୁ ପୁଣି ଏବେ ଯୋଗା ହେଇଗଲୁଣି । କାଲି ଯେତେବେଳେ ଆସିକରି ମୋ ଗୋଡ଼ତଳେ ପଡ଼ି କାନ୍ଦୁଥିଲୁ ସେତେବେଳେ ତତେ କ’ଣ ଭଲ ମନ୍ଦ ଦିଶୁ ନଥିଲା । ମୁଁ ଯଦି ସେତେବେଳେ ମୋ ଭଲ ମନ୍ଦକୁ ଧରି ବସିଥାନ୍ତି, ତୁ ଆଜି ଥାଆନ୍ତୁ କୋଉଠେଇ ? ତୋର ଆଜି କୁଆଡ଼େ ପତ୍ତା ନଥାନ୍ତା ।

 

ଏତିକିରେ ଲଢ଼େଇ ଆରମ୍ଭ ହୋଇଗଲା । ଗାଳିଗୁଲଜ ପାଟି ତୁଣ୍ଡରେ ଥଳକୂଳ ରହିଲା ନାହିଁ । ଗୋବରା ବି ମଝିରେ ମଝିରେ ଖୁବ୍ କଡ଼ା କଡ଼ା କଥା ବତେଇ ଦେଉଥାଏ । ହୋରୀ ପିଣ୍ଡାରେ ବସି ସବୁ ଶୁଣୁଥାଏ । ସୁନା ରୂପା ଦିହେଁ ତୁନୀ ହେଇ ଦୁଆରେ ଠିଆ ହୋଇଥାନ୍ତି । ଦୁଲାରୀ, ପୁନିଆ ଆଉ ଆଉ କେତେ ମାଇପିଲୋକ କଳି ଛଡ଼େଇବା ପାଇଁ ଆସି ଠିଆ ହୋଇଥାନ୍ତି-। ପାଟିତୁଣ୍ଡ ଭିତରେ କନ୍ଦାକଟା ବି ଖୁବ୍ ଚାଲିଥାଏ । ଦିହିଁଙ୍କି ଦିହେଁ ଧିସେଇନିସେଇ ହୋଇ କାନ୍ଦୁଥାନ୍ତି, ନିଜର କିଛି ଦୋଷ ନାହିଁ ବୋଲି କହୁଥାନ୍ତି । ଝୁନିଆ ଆଜି ପୁରୁଣା ପଙ୍କ ଓଝାଳୁଥାଏ-। ଗୋଟାପଣେ ସେ ଶୋଭା ଓ ହୀରାଙ୍କ ପଟ ହୋଇଯାଇଥାଏ । ଧନିୟାର ତ କାହାସଙ୍ଗେ ପଟେ ନାହିଁ । ସେଇଥିପାଇଁ ସମସ୍ତେ ଆଜି ଝୁନିଆ ପଟ ହୋଇଥାନ୍ତି । ସେ କମ୍ ପାଟିତୁଣ୍ଡ କରୁଥିଲା ବୋଲି, କି ତା’ ପୁରୁଷ ଟଙ୍କା ପଇସା କମାଉଥିଲା ବୋଲି ଲାଭ ଆଶାରେ ଲୋକେ ତା’ ପଟିଆ ହେଉଥିଲେ କହିବା କଷ୍ଟ ।

 

ତା’ପରେ ହୋରୀ ଘର ଭିତରକୁ ଚାଲିଆସି କହିଲା–ଧନିୟା, ତୋ ଗୋଡ଼ତଳେ ପଡ଼ୁଛି, ତୁ ତୁନୀ ହ’ ଭଲା । ମୋ ମୁହଁରେ ଆଉ କାଳି ଲଗାନି । ମନ କ’ଣ ଏତିକିରେ ପୁରିନି ଯେ ଆହୁରି କଣ ଶୁଣିବାକୁ ମନ ହେଉଛି ।

 

ଧନିୟା ହୁଁକାରମାରି ଦଉଡ଼ିଆସି କହିଲା–ତମର ପୁଣି ସେଇ ବୁଝାମଣା, ମୁଁ ପୁଣି ଏଥିରେ ଦୋଷୀ ହେଲି ? ସେ କଣ ଆଉ ମୋ ଉପରେ ଫୁଲ ବରଷା କରୁଛି ?

 

ଏତିକିରେ ଯୁଦ୍ଧର ରୂପ ବଦଳିଗଲା ।

 

‘ଛୋଟିଆଙ୍କ ସାଙ୍ଗରେ ଯେ କଥାବାର୍ତ୍ତା କରେ ସେ ଛୋଟଲୋକ ।’

 

ଝୁନିଆର ସ୍ଵାମୀ ଯେତେବେଳେ ଧନ କମାଉଛି ଧନିୟା କେମିତି ଅବା ତାକୁ ଛୋଟ ବୋଲି ମନେକରନ୍ତା ।

 

ହୋରୀ ଭାରି ଦୁଃଖପ୍ରକାଶ କରି କହିଲା–ଆଚ୍ଛା, ସେ ଛୋଟ ନୁହେଁ, ବଡ଼ । ଆମକୁ ସେଥିରୁ ମିଳିବ କ’ଣ ? ଯିଏ ଯିବାକୁ ଚାହିଁବ ତାକୁ କିଏ ବାନ୍ଧି ରଖିବ ! ବାପାମାଆଙ୍କ ଧରମ ହେଉଛି ପିଲାଙ୍କୁ ପାଳିବା । ଆମେ ଆମ କାମ କରି ସାରିଛେ । ଏଣିକି ତାଙ୍କ ମୁଣ୍ଡକୁ ତାଙ୍କ ହାତ ପାଇଲା । ତାଙ୍କ କଥା ସେ ବୁଝିବେ । ତୁ କ’ଣ ଭାବିଛୁ ସେ ଦାନା ଗୋଟେଇଆଣି ତୋ ମୁହଁରେ ଦେବେ ବୋଲି । ବାପମାଆଙ୍କର ପୁଅଝିଅଙ୍କ ପ୍ରତି ଷୋଳଅଣା ଧରମ କିନ୍ତୁ ପୁଅଝିଅଙ୍କର ବାପମାଆଙ୍କ ପାଖରେ ଅଣାକର ଧରମ ନାହିଁ । ଯିଏ ଯାଉଛି ତାକୁ ଆଶୀର୍ବାଦ କରି ବିଦାୟ ଦେବା ଦରକାର । ଆମପାଇଁ ଭଗବାନ ଅଛନ୍ତି । ଯାହା କପାଳେ ଲେଖାଥିବ ତାହା ଭୋଗହେବ । ଚାଳିଶ ସାତ–ସତଚାଳିଶ ବର୍ଷ ତ ଏମିତି ଦୁଃଖରେ କଟିଗଲାଣି । ଆଉ ଦଶ ପାଞ୍ଚଟା ବର୍ଷ କ’ଣ କଟିଯାଉନି ?

 

ଏଣେ ଗୋବରା ଯିବାପାଇଁ ସଜବାଜ ହେଉଥିଲା । ସେ ଘରେ ରହିବାପାଇଁ ତା’ର ଆଉ ମନ ନଥିଲା । ଯେଉଁଠି ଜନମକଲା ମାଆ ଏମିତି କଥା କହୁଛି ସେ ଆଉ ତା ମୁହଁ ଦେଖିବାକୁ ଚାହେଁନି ।

 

ଦେଖୁ ଦେଖୁ ଗୋବରାର ବିଛଣାପତ୍ର ସବୁ ବନ୍ଧା ହୋଇଗଲା । ଝୁନିଆ ତା ଲୁଗାପଟା ପିନ୍ଧି ବାହାରିଲା । ଛୋଟ ପିଲାଟି ଟୋପି କୁରୁତା ପିନ୍ଧି ରଜାବେଶରେ ବାହାରି ପଡ଼ିଲା ।

 

ହୋରୀ କାନ୍ଦ କାନ୍ଦ ହେଇ କହିଲା–ଆରେ ପୁଅ, ତତେ ତ କିଛି କହିବାକୁ ମୋ ମୁହଁ ଫିଟୁନି, ହେଲେ ମନ ସମ୍ଭାଳୁଛି କୋଉଠି ! ଆଚ୍ଛା, ତୁ ଯାଇ ମାଆକୁ ମୁଣ୍ଡିଆଟାଏ ମାରି ଆସିଲେ ତୋର କୋଉ ଊଣା ହୋଇଯିବ । ସେଇ ମାଆ ତ ପୁଣି ଜନମ ଦେଇ, କାଖେଇ କୁଣ୍ଢେଇ ଏଡ଼ିଟିଏ କରିଛି, ତୁ କ’ଣ ଏତିକି କରିପାରିବୁ ନାହିଁ ।

 

ଗୋବରା ମୁହଁ ମୋଡ଼ିଦେଇ କହିଲା–ସେ ମୋର ମାଆ ନୁହେଁ ।

 

ହୋରୀ–ସମ୍ଭାଳିପାରିଲା ନାହିଁ । ଆଖିରୁ ତା’ର ଠକ ଠକ ଲୁହ ଗଡ଼ି ପଡ଼ିଲା, କହିଲା–ଏଣିକି ତୋ ମନ । ତୁ ଯୋଉଠି ରହ ପଛେ ଭଗବାନ ତୋର ମଙ୍ଗଳ କରନ୍ତୁ ।

 

ଝୁନିଆ ଯାଇ ଶାଶୁ ଗୋଡ଼ ତଳେ ଜୁହାର କଲା । କିନ୍ତୁ ଧନିୟା ପାଟିରୁ ପଦେ ହେଲେ କଥା ବାହାରିଲା ନାହିଁ, କି ଆଡ଼ଆଖିରେ ସେ ଅନେଇଲା ବି ନାହିଁ । ଗୋବରା ପିଲାକୁ କାଖେଇ ଚାଲିଲା । ଆଉ ଝୁନିଆ କାଖରେ ବିଛଣା ଧରି ତା’ ପଛେ ପଛେ ଗଲା । ଗୋଟେ ଚେମାର ଟୋକା ବାକ୍ସଟାଏ ମୁଣ୍ଡେଇ ତାଙ୍କ ଦିହିଁଙ୍କ ପଛେ ପଛେ ଚାଲିଲା । ଗାଁର କେତେକ ସ୍ତ୍ରୀ ପୁରୁଷ ଗୋବରାକୁ ବାଟେଇଦେବା ପାଇଁ ଗାଆଁ ମୁଣ୍ଡଯାଏ ଗଲେ ।

 

ହୋରୀ ଆଉ ଧନିୟା ନିର୍ବେଦ ହୋଇ ବସି ରହିଲେ । ସତେ ଯେମିତି ତାଙ୍କ ଛାତିରେ କିଏ ଶୂଳ ମାରି ଫାଳ ଫାଳ କରି ଦେଇଥିଲା, ସତେ ଯେମିତି ତାଙ୍କ ସୁନାଘରକୁ କିଏ ପୋଡ଼ି ପାଉଁଶ କରି ଦେଇଥିଲା । ଏଡ଼େ ବଡ଼ ଦୁନିଆରେ ବସିକରି କାନ୍ଦିବାପାଇଁ ସୁଦ୍ଧା ତାଙ୍କର ଏତେ ଟିକିଏ ରାହା ବି ନଥିଲା ।

Image

 

Unknown

ଦ୍ୱାବିଂଶ ପରିଚ୍ଛେଦ

 

ଏଣେ କେତେଦିନ ହେଲା ରାୟସାହେବଙ୍କ ଝିଅ ବାହାଘର ପାଇଁ ଯୋଗାଡ଼ ଯତ୍ନ ଚାଲିଥିଲା । ତା ସାଙ୍ଗକୁ ପୁଣି ଇଲେକସନ୍ ଆସି ପହଞ୍ଚି ଯାଇଥିଲା । କିନ୍ତୁ ଏ ଦୁଇଟା କାମ ଅପେକ୍ଷା ଆହୁରି ଏକ ଅଧିକ ଜରୁରୀ କାମ ଆସି ଜୁଟିଗଲା । ରାୟସାହେବଙ୍କୁ ଗୋଟାଏ ବଡ଼ ଦେୱାନୀ ମକଦ୍ଦମା କରିବାପାଇଁ ପଡ଼ିଲା । ସେଥିରେ ଆଉ ବାଜେ ଖର୍ଚ୍ଚ କଥା ଛାଡ଼ି ଦେଇ କେବଳ ମକଦ୍ଦମା ଫିସ୍ ପାଇଁ ପଚାଶ ହଜାର ଟଙ୍କା ଦରକାର ହେଲା । ରାୟସାହେବଙ୍କ ଶଳା ମଟର ଆକସିଡ଼େଣ୍ଟରେ ଅଳ୍ପ ବୟସରେ ମରିଯାଇଥିବାରୁ ରାୟସାହେବ ତାଙ୍କ ପୁଅକୁ ଶଳାଙ୍କ ସମ୍ପତ୍ତିରେ ମାଲିକ କରିବାକୁ ଚାହୁଁଥିଲେ । ସେଥିପାଇଁ ତାଙ୍କୁ ମକଦ୍ଦମା ଲଢ଼ିବା ଦରକାର ପଡ଼ିଲା । ତାଙ୍କର ଜଣେ ଖୁଡ଼ୁତାଶୁର–ପୁଅ ଶଳା ସେଇ ସମ୍ପତ୍ତି ଉପରେ ଦାବି କରି ଛାଡ଼ିଦେଉ ନଥିଲା । ରାୟସାହେବ ତ ଚାହୁଥିଲେ ଯଦି ସେ କିଛି ଟଙ୍କା ପଇସା ନେଇ ଏବଂ ଅଧାଅଧି ଆମଦାନୀ ବି ନେଇ ସମ୍ପତ୍ତି ଛାଡ଼ିଯା’ନ୍ତେ ତେବେ ସେ ଖୁସି ହୁଅନ୍ତେ । କିନ୍ତୁ ସେ କାହାରି କଥା ନ ଶୁଣି ବରଂ ଲାଠି ସାହାଯ୍ୟରେ ଇଲାକାରୁ ଖଜଣା ଅସୁଲ କରିବାକୁ ଲାଗିଲେ । ଶେଷରେ ମକଦ୍ଦମା ନ କରି ଆଉ କୌଣସି ଉପାୟ ରହିଲା ନାହିଁ । ଖର୍ଚ୍ଚ ତ ଲକ୍ଷେ ଟଙ୍କା କିନ୍ତୁ ସମ୍ପତ୍ତି କୋଡ଼ିଏ ଲକ୍ଷରୁ କମ୍ ନୁହେଁ । ଓକିଲମାନେ କହିଲେ, ରାୟସାହେବ ନିଶ୍ଚୟ ଜିତିବେ । ଏମିତିଆ ସୁଯୋଗ ଦୁନିଆରେ ଛାଡ଼େ କିଏ ଯେ ସେ ଛାଡ଼ନ୍ତେ ! କିନ୍ତୁ ତିନିଟାଯାକ କାମ ଏକାବେଳେ ଜୁଟିଯିବାରୁ କେଉଁଟାକୁ ହେଲେ ଛାଡ଼ି ନ ପାରି ବିଚାରା ବଡ଼ ହଇରାଣରେ ପଡ଼ିଲେ । ଝିଅକୁ ଆସି ଅଠର ପୂରି ଉଣେଇଶି ଚାଲିଲା, ଖାଲି ପଇସା ଅଭାବରୁ ଆଜିଯାଏ ବାହାଘର ହୋଇ ପାରି ନଥିଲା, ନ ହେଲେ କୋଉକାଳୁ ସରନ୍ତାଣି । ଖର୍ଚ୍ଚ ତ ଯେମିତି ହେଲେ ଲକ୍ଷେ ଟଙ୍କାରୁ କମ୍ ହେବ ନାହିଁ । ଯା’ ପାଖକୁ ଗଲେ ସେ ତ ଲମ୍ବାବାତ୍ ବତେଇଲା । କିନ୍ତୁ ଏବେ ଗୋଟେ ଭଲ ଯୋଗ ଆସି ଜୁଟିଗଲା । କୁମାର ଦିଗବିଜୟ ସିଂହଙ୍କ ସ୍ତ୍ରୀ ଯକ୍ଷ୍ମା ରୋଗରେ ମରିଯାଇଥିବାରୁ ସେ ଚଞ୍ଚଳ ଆଉ ଗୋଟାଏ ବାହାହୋଇ ଘର ସଜାଡ଼ି ନେବାକୁ ଚାହୁଥିଲେ । ସେଥିପାଇଁ ଏକପ୍ରକାର ସୁବିଧା ଛାଡ଼ିବା ଉଚିତ ନୁହେଁ ଭାବି ରାୟସାହେବ ଆସନ୍ତା ଲଗ୍ନରେ ବାହାଘର କରିଦେବାକୁ ବସିଥିଲେ । କୁମାର ଦିଗବିଜୟ ସିଂହ ଏକପ୍ରକାର ସବୁ ପାପର ଭଣ୍ଡାରଘର । କି ମଦ, କି ଗଞ୍ଜେଇ, କି ତାଡ଼ି ତାଙ୍କର ସବୁ ନିଶା ପାସ୍ । ତା’ ଛଡ଼ା ଧନୀ ଲୋକମାନଙ୍କର ଯେଉଁ ପ୍ରକାର ଭୋଗବିଳାସ, ସେ ତ ତାଙ୍କଠି ପୂରାପୂରି । ସତରେ, ଭୋଗ ନକଲେ ପୁଣି ଧନୀ ଲୋକ ଗୋଟେ କ’ଣ ! ଅଇସିରେ ନ ଉଡ଼େଇଲେ ଧନର ଆଉ ମୂଲ୍ୟ ବା କ’ଣ ! କିନ୍ତୁ ଏସବୁ ଦୁର୍ଗୁଣସତ୍ତ୍ୱେ ତାଙ୍କର ଏମିତି ପ୍ରତିଭା ଥିଲା ଯେ ବଡ଼ ବଡ଼ ପଣ୍ଡିତ ବି ତାଙ୍କ ପାଖରେ ହାରି ଯାଉଥିଲେ । ସଙ୍ଗୀତ, ଡ୍ରାମା, ହସ୍ତରେଖା, ଜ୍ୟୋତିଷ, ଯୋଗ, ଲାଠି, କୁସ୍ତିକସରତ ଓ ଶିକାର ଆଦି ବିଷୟରେ ସେ ଖଣ୍ଡମଣ୍ଡଳରେ ତାଙ୍କପରି ଆଉ କେହି ନଥିଲେ । ତା’ଛଡ଼ା ତାଙ୍କର କେଉଁଥିରେ କିଛି ଭୟ କିମ୍ବା ଖାତିର ନ ଥାଏ । ସ୍ଵରାଜ ଆନ୍ଦୋଳନକୁ ଲୁଚାଇ ଛପେଇ ସେ ବହୁତ ଟଙ୍କା ସାହାଯ୍ୟ ଦେଇଥିଲେ । ଅଫିସରମାନେ ସେକଥା ଜାଣିଲେ ବି ତାଙ୍କର କେହି କିଛି କରି ପାରି ନଥିଲେ । ବରଂ ଲାଟ୍‍ସାହେବ ବର୍ଷରେ ଦୁଇ ତିନିଥର ଆସି ତାଙ୍କ ଘରେ ରହିକରି ଯାଉଥିଲେ । ବୟସ ତ ତାଙ୍କୁ ମୋଟେ ତିରିଶ କି ବତିଶ ହେବ । ସ୍ଵାସ୍ଥ୍ୟ ଏମିତି ଭଲ ଯେ ଏକୁଟିଆ ଗୋଟେ ଗୋଟେ ଖାସି ଖାଇଦେଇ ହଜମ କରିଦେବା ଲୋକ ସେ । ଏସବୁ ଦେଖି ରାୟସାହେବ ଭାବିଲେ, ବିଲେଇ କପାଳକୁ ଜାଣି ଶିକା ଛିଣ୍ଡିଲା । କୁମାର ସାହେବଙ୍କର ସ୍ତ୍ରୀ ମରିବାର ଷୋଳଦିନ ନ ହେଉଣୁ ରାୟସାହେବ ଯାଇ କଥାବାର୍ତ୍ତା ଆରମ୍ଭ କରିଦେଲେ, ଆଉ କୁମାର ସାହେବ ବି ଆପଣା ସମ୍ମାନ ବଢ଼େଇବା ପାଇଁ ତାଙ୍କ ଘରେ ବାହାହେବା ପାଇଁ ରହୁଥିଲେ । କାରଣ ସେ ବେଶ୍ ଜାଣିଥିଲେ ଯେ ରାୟସାହେବ ଜଣେ ପ୍ରତିଭାଶାଳୀ ଲୋକ, କାଉନ୍‍ସିଲ୍‍ର ମେମ୍ବର, ତା ଛଡ଼ା ଗଲା ଆନ୍ଦୋଳନରେ ଜେଲ ଯାଇ ତାଙ୍କର ନାଁ ଖୁବ୍ ବଢ଼ି ଯାଇଥିଲା । ତେଣୁ ବାହାଘର ଠିକ୍ ହେବାର କିଛି ଭିଡ଼ ନଥିଲା । ସାଙ୍ଗେ ସାଙ୍ଗେ ସବୁ ଠିକ୍ ହୋଇଗଲା ।

 

ବାକି ରହିଲା ଇଲେକ୍‍ସନ୍ । ସେତ ଗୋଟାଏ ଏମିତି ଲୋଭ ଯେ ତାକୁ ଛାଡ଼ି ହେଉ ନଥିଲା କି ରଖି ହେଉ ନଥିଲା । ଗଲା ଦୁଇଥରଯାକ ରାୟସାହେବ ଇଲେକ୍‍ସନ୍‍ରେ ଜିତି ଯାଇଥିଲେ । କିନ୍ତୁ ପ୍ରତ୍ୟକ ଥର ଲକ୍ଷେ ଟଙ୍କାରୁ କମ୍ ଖର୍ଚ୍ଚ ହୋଇ ନ ଥିଲା । କିନ୍ତୁ ଏଥର କଥା ଅଲଗା । ଏଥର ସେହି ଅଞ୍ଚଳର ଆଉ ଜଣେ ରାଜା ଇଲେକ୍‍ସନରେ ତାଙ୍କ ସଙ୍ଗେ ଲଢ଼ିବା ପାଇଁ ବାହାରି ପଡ଼ିଥିଲେ । ସେ ଚାରି ଆଡ଼େ ବଜା ବଜେଇ ପ୍ରଚାର କଲେ ଯେ ଜଣେ ଜଣେ ଭୋଟରକୁ ହଜାର ଟଙ୍କା ଦେବାକୁ ପଡ଼ୁ ପଛେ, ଇଲେକ୍‍ସନ୍‍ରେ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ ହେଉ ପଛେ, ଏଥର ସେ ରାୟସାହେବ ଅମରପାଳ ସିଂହଙ୍କୁ କାଉନ୍‍ସିଲକୁ ଯିବାକୁ ଦେବେ ନହିଁ । କିନ୍ତୁ ହାକିମ ହୁକୁମାମାନେ ସମସ୍ତେ ରାୟସାହେବଙ୍କୁ ସାହାଯ୍ୟ କରିବାପାଇଁ ଜବାବ ଦେଇଥିଲେ । ରାୟସାହେବ ନିଜେ ବି ଭାରି ଚତୁର, କ୍ଷତି ସବୁ ସେ ବୁଝି ପାରନ୍ତି । ତଥାପି ଜାତିରେ ରାଜପୁତ, ବିଶେଷତଃ ଧନୀ । ଜଣେ ଯେତେବେଳେ ଲଢ଼େଇ ପାଇଁ ଡାକରା ଦେଉଛି, ସେ ଲୁଚି ରହନ୍ତେ କେମିତି ? ଯଦି ସୂର୍ଯ୍ୟପ୍ରତାପ ସିଂହ ଆସି ଆପୋଷ ଭାବରେ ତାଙ୍କୁ କହିଥାନ୍ତେ–ଦେଖ ଭାଇ, ତମେତ କାଉନସିଲ୍‍କୁ ଦି’ଥର ଯାଇ ସାରିଲଣି, ଏଥରଟା ମୋତେ ଛାଡ଼ିଦିଅ, ତା’ହେଲେ କଥା ଅଲଗା ହୋଇଥାନ୍ତା, ରାୟସାହେବ ଖୁସିରେ ରାଜି ହୋଇଥାନ୍ତେ । କାରଣ ତାଙ୍କର ଆଉ କାଉନ୍‍ସିଲ୍‍କୁ ଯିବାକୁ ଇଚ୍ଛା ନଥିଲା । କିନ୍ତୁ ଲଢ଼େଇ କରିବା ପାଇଁ ସୂର୍ଯ୍ୟପ୍ରତାପ ଯେଉଁ ଡାକରା ଦେଲେ, ସେଥିରେ ଲଢ଼ିବା ଛଡ଼ା ତାଙ୍କର ଆଉ କିଛି ଉପାୟ ରହିଲା ନହିଁ । ତା ଛଡ଼ା ସେଥିରେ ଆହୁରି ବି ଗୋଟାଏ ଭିତିରି କଥା ଥିଲା । ଓକିଲ ଶ୍ୟାମବିହାରି ରାୟସାହେବଙ୍କୁ କହିଥିଲେ ଯେ ଆପଣ ପହିଲେ ଛିଡ଼ା ହୋଇ ପଡ଼ନ୍ତୁ, ତା’ପରେ ରାଜାପ୍ରତାପଙ୍କଠୁଁ ଲକ୍ଷେ ଟଙ୍କା ମାରିଆଣି ପୁଣି ଚୁପଚାପ୍ ବସିଯିବେ । ଲକ୍ଷେ ଟଙ୍କା ସେ ଖୁସିରେ ଦେବେ ବୋଲି ଓକିଲଙ୍କ ଆଗରେ ମଙ୍ଗି ଯାଇଥିଲେ । କିନ୍ତୁ ଆଜିକୁ କଥା ସବୁ ଓଲଟି ଯାଇଥିଲା । ସୂର୍ଯ୍ୟପ୍ରତାପ ବର୍ତ୍ତମାନ ରାୟସାହେବଙ୍କୁ ହରାଇ ଦେଇ ସମ୍ମାନ ପାଇବାପାଇଁ ତିଆର, ବିଶେଷତଃ କୁମାରସାହେବଙ୍କ ସହିତ ତାଙ୍କ ଝିଅ ବାହାଘର ଠିକ୍ ହେବା ଦିନୁ ଏ ବିଷୟରେ ସେ ଆହୁରି ବେଶି ତତ୍ପର । ସେ ଚାହାନ୍ତି ନାହିଁ ଯେ ଦୁଇଟା କ୍ଷମତାଶାଳୀ ପରିବାର ମଧ୍ୟରେ ବିବାହ ସମ୍ପର୍କ ହେଉ । କାରଣ ତା’ହେଲେ ତାଙ୍କର ନିଜର ମାନସମ୍ମାନ କମିଯିବ । ଏଣେ ପୁଣି ରାୟସାହେବଙ୍କୁ ଶ୍ଵଶୁରଘର ସମ୍ପତ୍ତି ମିଳିଯିବାର ଆଶା । ଏ କଥା ଜାଣି ରାଜା ପ୍ରତାପଙ୍କୁ ଭାରି ଖରାପ ଲାଗିଲା, ସତେ ଯେମିତି ତାଙ୍କ ଛାତିରେ ଛୁରୀ ଚାଲିଗଲା । ଆଇନରେ ତ ରାୟସାହେବ ଜିତିବା କଥା, ଯୋଗକୁ ଯଦି ସେ ଜିତିଯା’ନ୍ତି ତେବେ ସେ ରାଜାସାହେବଙ୍କର ଜଣେ ଟାଣୁଆ ପ୍ରତିଦ୍ଵନ୍ଦୀ ହୋଇଯିବେ । ସେଥିପାଇଁ ରାଜାସାହେବଙ୍କ ବିଚାର ଥିଲା ଯେ ସେ କୌଣସି ପ୍ରକାର ଲଢ଼େଇ କରି ରାୟସାହେବଙ୍କ ମାନସମ୍ମାନକୁ ଧୂଳିରେ ମିଶାଇ ନ ଦେଲେ କାମ ଚଳିବ ନହିଁ ।

 

ରାୟସାହେବ ବିଚାରା ଏବେ ବଡ଼ ବିପଦରେ ପଡ଼ିଲେ । ଭାବିଲେ ଓକିଲ ଶ୍ୟାମବିହାରୀ ବୋଧହୁଏ କେବଳ ନିଜ ସ୍ଵାର୍ଥ ହାସଲ କରିବାପାଇଁ ସେତେବେଳେ ସେମିତି ଫାଙ୍କି କରି କହିଦେଇଥିଲା, କିନ୍ତୁ ଆଜି ସେ ରାୟସାହେବଙ୍କ ଗୋଛି କାଟିବାପାଇଁ ତିଆର । ଏହି କଥା ତାଙ୍କୁ ଭାରି ବାଧିଲା । ରାୟସାହେବ ତାଙ୍କୁ ଏବେ କେତେଥର ଡକାଇଲେଣି, କିନ୍ତୁ କୌଣସିମତେ ସେ ଆସୁ ନାହାନ୍ତି । ଗଲେ ଘରେ ରହୁ ନାହାନ୍ତି କି ଯେଉଁଦିନ ଆସିବାପାଇଁ ଜବାବ ଦେଉଛନ୍ତି, ସେଦିନ ଆସୁ ନାହାନ୍ତି । ଶେଷରେ ଦିନେ ରାୟସାହେବ ତାଙ୍କୁ ଭେଟିବା ପାଇଁ ତାଙ୍କ ଘରଠିକି ଚାଲିଗଲେ । ଯାଇ ପହଞ୍ଚିଲାବେଳକୁ ଯୋଗକୁ ସେ ଘରେ ଅଛନ୍ତି । କିନ୍ତୁ ତାଙ୍କ ଦର୍ଶନ ପାଇବା ପାଇଁ ରାୟସାହେବଙ୍କୁ ଘଣ୍ଟାଏ ଅପେକ୍ଷା କରିବାକୁ ପଡ଼ିଲା । ଯେଉଁ ଓକିଲ ରାୟସାହେବଙ୍କ ଦୁଆରକୁ ସଞ୍ଜ ସକାଳେ ଦୌଡ଼ି ଦୌଡ଼ି ଗୋଡ଼ରୁ ଚୋପା ଉଠି ଯାଉଥିଲା, ସେ ପୁଣି ଆଜି ରାୟସାହେବଙ୍କୁ ଦର୍ଶନ ଦେବାପାଇଁ ଘଣ୍ଟାଏ ଲାଗିଯାଉଛି ! ରାୟସାହେବ ରାଗି ମାଗି ବସି ରହିଲେ । ଯେମିତି ଓକିଲସାହେବ ସଜବାଜ ହୋଇ ମୁହଁରେ ସିଗାରେଟ୍ ଲଗାଇ ଆସି କରମର୍ଦ୍ଦନ ପାଇଁ ହାତ ବଢ଼ାଇଦେଲେ, ସେମିତି ରାୟସାହେବ ଏକ ଆଚ୍ଛା ବମ୍ ଛାଡ଼ିଦେଲେ, କହିଲେ–ମୁଁ ଆସି ଏଠି ଘଣ୍ଟେ ହେଲା ବସିଛି । ଆପଣ ଆସିବେ ଆସିବେ ବୋଲି ଘଣ୍ଟାକ ପରେ ଆସୁଛନ୍ତି । ଏଇ ମୋତେ ବେଜିତ କରିବା କଥା ନା ଆଉ କ’ଣ ?

 

ଓକିଲ ଶ୍ୟାମବିହାରୀ ଶୋଫା ଉପରେ ବସି ବେପରୁଆ ଭାବରେ ଧୂଆଁ ଉଡ଼େଇ କହିଲେ–ଅବଶ୍ୟ ମୁଁ ଏଥିପାଇଁ ଭାରି ଦୁଃଖିତ । କିନ୍ତୁ କ’ଣ କରିବି, ମୁଁ ଗୋଟାଏ ଭାରି ଜରୁରୀ କାମରେ ଟିକିଏ ଲାଗିଯାଇଥିଲି । ସେଥିପାଇଁ ଡେରି ହେଲା । କିନ୍ତୁ ଆପଣ ଆସୁଛନ୍ତି ବୋଲି ମୋତେ ଟିକିଏ ଆଗରୁ ଫୋନକରି ଜଣାଇଦେବା ଉଚିତ ଥିଲା ।

 

ଏକଥା ଶୁଣି ନିଆଁରେ ଜାଣ ଘିଅ ପଡ଼ିଗଲା । କିନ୍ତୁ ରାୟସାହେବ ସବୁ ରାଗ ମନ ଭିତରେ ଚପେଇ ନେଲେ । କାରଣ ସେ ତ ଲଢ଼ିବା ପାଇଁ ଆସି ନଥିଲେ, ଆସିଥିଲେ କାମ ହାସଲ କରିବାପାଇଁ, ତେଣୁ ଚୁପ୍ ହୋଇଯାଇ କହିଲେ–ହଁ, ଟିକିଏ ଭୁଲ୍ ହୋଇଗଲା, ଆପଣଙ୍କୁ ତ ଆଜିକାଲି ମୋଟେ ଫୁରସତ୍ ନଥିବ !

 

“କାହିଁ ଫୁରସତ୍ ମିଳୁଛି ? ନହିଲେ ତ ମୁଁ ନିଶ୍ଚୟ ଯାଇଥାନ୍ତି ।’

 

‘ହଁ, ଆସିଥିଲି ଆପଣଙ୍କୁ ସେ ମିଳାମିଶା କଥା ପଚାରିବା ପାଇଁ । କାହିଁ କିଛି ତ ଆଶା ଦେଖାଯାଉ ନାହିଁ । ବରଂ ସେମାନେ ଲଢ଼େଇ ପାଇଁ ଭାରି ଯୋଗାଡ଼ ଯତ୍ନରେ ଲାଗିଛନ୍ତି ।’

 

‘ଆପଣ ତ ଜାଣନ୍ତି ରାଜାସାହେବ କେମିତି ପାଗଳିଆ ଲୋକ । ଯାହା ମନ ମାନିଥିବ ସେଇଥିରେ ମାତିଥିବେ । ଆଜିକାଲି ଇଏ ଗୋଟେ ପାଗଳାମି ବାହାରିଛି ଯେ ରାୟସାହେବଙ୍କୁ କୌଣସିମତେ ହରେଇବାକୁ ହେବ । ଅରେ ଯଦି ମନ ଉଠିଛି ତେବେ ଯାହା କ୍ଷତି ହେଲେ ବି କିଛି ଯାଏଆସେ ନାହିଁ । ଚାଳିଶ ଲକ୍ଷ ଟଙ୍କା କରଜ, ତେବେ ବି କେଉଁଥିକି ଖାତିର ନାହିଁ, ସେଇମିତି ଇଆଡ଼ୁ ସିଆଡ଼ୁ ଖର୍ଚ୍ଚ ଚାଲିଛି । ଚାକରବାକର ମାନଙ୍କର ଛ ମାସର ଦରମା ମିଳି ନାହିଁ । କିନ୍ତୁ ଏଣେ ହୀରା–ମହଲ ତିଆରି ଚାଲିଛି–ତଳ ଶଙ୍ଖମଲମଲ୍ । ରଙ୍ଗ ତ ଦେଖିଲେ ଆଖି ଲାଖି ରହିବ-। ତେଣେ ଅଫିସରମାନଙ୍କ ଘରକୁ ନିତି ଡାଲା ଚାଲିଛି । ଶୁଣୁଛି, ଗୋଟାଏ ସାହେବମାନେଜର ପରା କୁଆଡ଼େ ରଖିବେ ।’

 

‘ଆପଣ ତା’ହେଲେ ମିଳାମିଶା କରାଇଦେବା ପାଇଁ ସେତେବେଳେ କେମିତି କହିଲେ-?’

 

‘ମୋ ହାତରେ ଯେତିକି ହେଲା ମୁଁ କଲି, ଆଉ କ’ଣ କରନ୍ତି ? ଯଦି କେହି ଲୋକ ନିଜର ଦି’ଚାରି ଲକ୍ଷ ଟଙ୍କା ଉଡ଼ାଇ ଦେବାପାଇଁ ଜିଦକରି ବସେ, ତା’ହେଲେ ମୋର ଚାରା କ’ଣ ?

 

ରାୟସାହେବ ବର୍ତ୍ତମାନ ରାଗ ସମ୍ଭାଳି ନ ପାରି କହିଲେ–ହଁ, ଦି’ଚାରି ଲକ୍ଷରୁ ତ ଅତି କମରେ ଆପଣଙ୍କୁ ଦଶ ବାର ହଜାର ଟଙ୍କା ମିଳିଯିବ !

 

ଏତେବେଳେ ଓକିଲଙ୍କର ଆଉ ଡରିବାର ବା କ’ଣ ଥିଲା; କହିଲେ–ସଫା ସଫା କଥା ହେଉଛି, ଆପଣ ସନ୍ନ୍ୟାସୀ ନୁହଁନ୍ତି କି ଆମେମାନେ ବି ସନ୍ନ୍ୟାସୀ ନୋହୁଁ । ଆମେ ସମସ୍ତେ ଆପଣା ଲାଭରେ ଲାଗିଛେ । ଆପଣ ଯେମିତି ଓଲୁଙ୍କଠୁ କିଛି ମାରିନେବାକୁ ବସିଛନ୍ତି, ଆମେ ବି ସେମିତି ବସିଛୁ । ମୁଁ ସେତେବେଳେ ଆପଣଙ୍କୁ ଛିଡ଼ା ହେବାପାଇଁ କହିଥିଲି, ଆପଣ ସେତେବେଳେ ଲକ୍ଷେ ଟଙ୍କା ଲୋଭରେ ଛିଡ଼ା ହୋଇଗଲେ । ଯଦି ପଟ ଉଠିଆ ହୋଇ ଯାଇଥାନ୍ତା ତେବେ ତ ଆପଣ ଲକ୍ଷେ ଟଙ୍କା ପାଇଯାଇଥାନ୍ତେ । ବିନା କରଜରେ ଝିଅ ବାହାଘର ଆଉ ମକଦ୍ଦମା ଦି’ଟାଯାକ ଖର୍ଚ୍ଚ ଉଠି ଯାଇଥାନ୍ତା । କିନ୍ତୁ ଆପଣଙ୍କ ଦୁର୍ଭାଗ୍ୟକୁ ସେ କଥା ହୋଇ ପାରିଲା ନାହିଁ । ଆପଣ ଯେତେବେଳେ କିଛି ପାଇଲେ ନାହିଁ । ମୋତେ ଆଉ ମିଳିଥାନ୍ତା କ’ଣ ? ମୁଁ ସେଥିପାଇଁ କୌଣସି ପ୍ରକାର ତାଙ୍କ ପିଛା ଧରି ରହିଗଲି । ଯେମିତିହେଲେ ତ ବୈତରଣୀ ପାରିହେବାକୁ ହେବ, ଆଉ କ’ଣ କରାଯାଇପାରେ !

 

ରାୟସାହେବଙ୍କ ମନ ହେଉଥିଲା ବଦମାସକୁ ଗୁଳି ମାରିଦେବା ପାଇଁ । ବଦମାସ ନିଜେ ଭଣ୍ଡାଭଣ୍ଡି କରି ତାଙ୍କୁ ଠିଆ କରେଇଲା, ଏତେବେଳକୁ ଦେହରୁ ସବୁ ଧୂଳି ଝାଢ଼ିଦେଇ ବସୁଛି-। କିନ୍ତୁ ଅବସ୍ଥା ଯାହା ସେଥିରେ ଆଉ ପାଟି ଫିଟାଇବାକୁ ବାଟ ଥିଲା କେଉଁଠି !

 

‘ତା’ହେଲେ ଆପଣ ଆଉ କିଛି କରିପାରିବେ ନାହିଁ ?’

 

‘ଆଉ କ’ଣ କରିବା !’

 

‘ପଚାଶ ହଜାରରେ ବି ମୁଁ ମିଳାମିଶା କରିବାକୁ ରାଜି ।’

 

‘ରାଜାସାହେବ କିନ୍ତୁ କେବେ ରାଜି ହେବେ ନାହିଁ ।’

 

‘ଆଚ୍ଛା, ପଚିଶ ହଜାର ?’

 

‘ନା, କିଛି ଆଶା ନାହିଁ, ସେ ପରା ସଫା ମନା କରିଦେଇଛନ୍ତି !’

 

‘ସେ ମନା କରିଛନ୍ତି ନା ଆପଣ କହୁଛନ୍ତି ?’

 

‘ଆପଣ ତା’ହେଲେ ମୋ କଥାକୁ ମିଛ ଭାବୁଛନ୍ତି ?’

 

ରାୟସାହେବ ବିନୟ ପ୍ରକାଶ କରି କହିଲେ–ନାହିଁ, ମିଛ ଭାବୁ ନାହିଁ ଯେ ବରଂ ଭାବୁଛି ଆପଣ ଚେଷ୍ଟା କଲେ, କାମଟା ହୋଇଯା’ନ୍ତା ।

 

‘ଆପଣ କ’ଣ ଭାବୁଛନ୍ତି ଏ ମିଳାମିଶା ମୁଁ କରେଇଦେଲି ନାହିଁ ?’

 

‘ନାହିଁ, ସେ କଥା ନୁହେଁ ଯେ, ମୁଁ ଏତିକି କହିବାକୁ ଚାହୁଛି ଯେ ଆପଣ ଇଚ୍ଛା କଲେ ମିଳାମିଶା ହୋଇଯାନ୍ତା, ଆଉ ମୁଁ ଏଇ ପାଲାରୁ ରକ୍ଷା ପାଇଯାନ୍ତି ।’

 

ଓକିଲସାହେବ ଘଡ଼ିକି ଅନାଇ ସମୟ ଦେଖି କହିଲେ–ଦେଖନ୍ତୁ ରାୟସାହେବ ! ଆପଣ ଯଦି ଚାହାନ୍ତି, ତେବେ ମୁଁ ଆପଣଙ୍କୁ ସଫା ସଫା କଥା କହି ଦେଉଛି । ଆପଣ ଯଦି ସେତେବେଳେ ମୋ ହାତରେ ଖଣ୍ଡେ ଦଶହଜାର ଟଙ୍କାର ଚେକ୍ ଧରେଇ ଦେଇଥାନ୍ତେ, ତେବେ ଆପଣ ଆଜି ଲକ୍ଷେ ଟଙ୍କାର ମାଲିକ ହୋଇ ବସିଥାନ୍ତେ । ଆପଣ ବୋଧହୁଏ ଭାବିଥିଲେ ରାଜାସାହେବଙ୍କଠାରୁ ପ୍ରଥମେ ଲକ୍ଷେ ଟଙ୍କା ନେଇ ଯାଇଥାନ୍ତେ, ତା’ପରେ ମୋତେ ଯାହିତାହି ହଜାର ଦି ହଜାର ଦେଇ ଦେଇଥାନ୍ତେ । ମାତ୍ର ସେ ସବୁ ଠକାମିରେ ପଡ଼ିବା ଲୋକ ମୁଁ ନୁହେଁ । ଆପଣ ଯଦି ରାଜାସାହେବଙ୍କଠୁ ଟଙ୍କା ନେଇ ଆପଣା ଟ୍ରେଜେରୀରେ ରଖି ମୋତେ ଖାଲିହାତ ଦେଖାଇ ଦେଇଥାନ୍ତେ, ତେବେ ମୁଁ ଆପଣଙ୍କୁ କ’ଣ କରିଥାନ୍ତି ! କହନ୍ତୁ, ମୁଁ କ’ଣ କରିଥାନ୍ତି ? ମୁଁ ତ ଆଉ ଏମିତିଆ କଥାରେ ମାଲିମକଦ୍ଦମା କରିପାରନ୍ତି ନାହିଁ ।

 

ରାୟସାହେବ ଭାରି ଦୁଃଖରେ ତାଙ୍କୁ ଅନାଇ କହିଲେ, ଆପଣ ମୋତେ ଏଡ଼େ ବେଇମାନ ବୋଲି ଭାବିଲେ ?

 

ଓକିଲସାହେବ ସୋଫା ଉପରୁ ଉଠୁ ଉଠୁ କହିଲେ, ଆଜିକାଲି ଯୁଗରେ ତ ଲୋକେ ୟାକୁ ବେଇମାନୀ ବୋଲି ଭାବୁ ନାହାନ୍ତି, ବରଂ ବାହାଦୁରୀ ବୋଲି ଭାବୁଛନ୍ତି । ଆଜିକାଲିକାର ଅସଲ ନୀତି ହେଉଛି ଲୋକଙ୍କୁ ଠକିବା, ଆଉ ସେ ଠକିବାବିଦ୍ୟାରେ ଆପଣ ହେଉଛନ୍ତି ସବୁଠୁ ବେଶି ଧୁରନ୍ଧର ।

 

ରାୟସାହେବ ରାଗରେ ହାତମୁଠା କରି କହିଲେ–‘କିଏ ମୁଁ ?’

 

‘ହଁ, ଆପଣ । ପହିଲା ଇଲେକସନରେ ମୁଁ ଜୀବନ ଦେଇ ଆପଣଙ୍କ ପାଇଁ ଏତେ ଖଟିଲି, ଦେଲାବେଳକୁ ଆପଣ ଦେଲେ ମୋଟେ ପାଞ୍ଚ ଶହ ଟଙ୍କା । ପୁଣି ଗଲା ଇଲେକସନରେ ଯାହିତାହି ଗୋଟେ ଭଙ୍ଗା ଦଦରା ମଟର ମେଣ୍ଢେଇ ଦେଇ ଆପଣ ଖଲାସ ହୋଇଗଲେ । ବୁଝିଲେ, ଯା ପୁଅକୁ ସାପ କାମୁଡ଼େ, ତା’ ମା’ ପାଳଦଉଡ଼ି ଦେଖିଲେ ଡରେ ।

 

ଏତିକି କହି ଓକିଲସାହେବ ବାହାରକୁ ଚାଲିଯାଇ ଗାଡ଼ି ଆଣିବା ପାଇଁ ହୁକୁମ ଦେଲେ ।

 

ଏ ପ୍ରକାର ବ୍ୟବହାର ଦେଖି ରାୟସାହେବଙ୍କ ରକତ ତାତିଗଲା । ସବୁ କଥାର ତ ପୁଣି ଗୋଟାଏ ସୀମା ଅଛି । ଘଣ୍ଟେ କାଳ ତାଙ୍କୁ ବସେଇ ପୁଣି ଏମିତି ବେଖାତିରରେ ଆସି, ଶେଷରେ ତାଙ୍କୁ ଏକପ୍ରକାର ଘରୁ ବାହାର କରିଦେଲେ ! ରାୟସାହେବଙ୍କର ଯଦି ତାଙ୍କୁ ଦି’ ଚଟକଣି ଦେବାର ବଳ ଥା’ନ୍ତା, ତେବେ ସେ ଛାଡ଼ି ନ ଥାନ୍ତେ । କିନ୍ତୁ ଓକିଲ ତାଙ୍କଠୁ ଢେର ବଳୁଆ ଥିବାରୁ ସେ ଚୁପ୍ ରହିବାକୁ ବାଧ୍ୟ ହେଲେ । ଓକିଲସାହେବ ଯେମିତି ତାଙ୍କ ଗାଡ଼ିର ହର୍ଣ୍ଣ ବଜାଇ ବାହାରିଗଲେ, ରାୟସାହେବ ସେମିତି ନିଜ ଗାଡ଼ି ଧରି ଖନ୍ନା ସାହେବଙ୍କ ପାଖକୁ ସିଧା ଚାଲିଲେ ।

 

ସେତେବେଳକୁ ପ୍ରାୟ ସାଢ଼େ ନ’ କିନ୍ତୁ ଖନ୍ନା ସାହେବ ବିଛଣାରୁ ଉଠି ନ ଥାନ୍ତି । ସେ କେବେହେଲେ ରାତି ଦି’ଟା ପୂର୍ବରୁ ଶୁଅନ୍ତି ନାହିଁ, ତେଣୁ ସକାଳ ନଅଟାରେ ଉଠିବା ସ୍ଵାଭାବିକ । ସେଠି ବି ରାୟସାହେବଙ୍କୁ ଅଧଘଣ୍ଟା ଖଣ୍ଡେ ବସିବାକୁ ପଡ଼ିଲା । ସାଢ଼େ ନଅଟାବେଳେ ଯେତେବେଳେ ଖନ୍ନା ସାହେବ ହସି ହସି ଆସି ପହଞ୍ଚିଗଲେ, ରାୟସାହେବ କହିଲେ–ଆସି ସାଢ଼େ ନଅ ବାଜିଲାଣି । ଏତେବେଳଯାଏ ଆପଣଙ୍କର ନିଦ ଭାଙ୍ଗିନାହିଁ ! ହଁ, ଟଙ୍କା ପଇସା ତ ଢେର ହୋଇଗଲାଣି, ଆଉ ପରୁଆ କ’ଣ ? ଆମ ଭଳିଆ ଜମିଦାର ହୋଇଥିଲେ ସିନା ଏତେବେଳକୁ ଯାଇ କା’ ଦୁଆରେ ଅଧିଆ ପଡ଼ିଥାନ୍ତେ, ପଡ଼ି ପଡ଼ି କରି କର ଛିଣ୍ଡି ଯା’ନ୍ତାଣି ।

 

ଖନ୍ନା ସାହେବ ତାଙ୍କ ଆଡ଼କୁ ସିଗାରେଟ୍ ବଢ଼ାଇ ଦେଇ ହସି ହସି କହିଲେ–ନାହିଁ, ସେମିତି କିଛି ନାହିଁ, ରାତିରେ କାଲି ଶୋଉ ଶୋଉ ଟିକିଏ ଡେରି ହୋଇ ଯାଇଥିଲା । ହଁ, ଆପଣ ବର୍ତ୍ତମାନ ଆସିଲେ କେଉଁଠୁ ?

 

ରାୟସାହେବ ଚୁମ୍ବକରେ ସକାଳର ସବୁ କଥା କହିଗଲେ । ଖନ୍ନା ପିଲାଦିନର ସାଙ୍ଗପଢ଼ୁଆ ହୋଇ ମଧ୍ୟ ରାୟସାହେବଙ୍କୁ ନାନାଭାବରେ ଠକନ୍ତି, ସେଥିପାଇଁ ରାୟସାହେବ ମନେ ମନେ ତାଙ୍କୁ ଭାରି ବେଜିତ କରନ୍ତି, ତଥାପି ଉପରେ ଉପରେ ଖୁବ୍ ମଧୁର ଖୁସାମତିଆ କଥା କହନ୍ତି ।

 

ରାୟସାହେବଙ୍କ କଥା ଶୁଣି ସତେ ଯେମିତି ମନରେ ଭାରି ଚିନ୍ତା କଲାପରି ଖନ୍ନାସାହେବ କହିଲେ–ମୁଁ ତ କହୁଛି, ଇଲେକସନ୍ କଥା ଛାଡ଼ିଦେଇ ଆପଣଙ୍କ ସେହି ଶଳାଙ୍କ ଉପରେ ମକଦ୍ଦମା ଚାଲୁ କରିଦିଅନ୍ତୁ । ବାକି ରହିଲା ବାହାଘର କଥା । ସେ ତ ମୋଟେ ଦି’ ତିନିଦିନର କଥା । ସେ ବିଷୟରେ ଭାବିବାର କିଛି ନାହିଁ । କୁମାର ସାହେବ ମୋର ଫ୍ରେଣ୍ଡ୍, ଦିଆନିଆରେ କୌଣସି ଗଣ୍ଡଗୋଳ ହେବ ନାହିଁ ।

 

ରାୟସାହେବ ପରିହାସ କରି କହିଲେ–ଖନ୍ନାସାହେବ, ଆପଣ କାହିଁକି ଭୁଲି ଯାଉଛନ୍ତି ଯେ ମୁଁ ଜଣେ ସାମାନ୍ୟ ଜମିଦାର, ମୁଁ ତ କିଛି ବ୍ୟାଙ୍କ୍ ମାଲିକ ନୁହେଁ । କୁମାରସାହେବଙ୍କର ସିନା କିଛି ଦରକାର ନାହିଁ । ଭଗବାନ ତ ତାଙ୍କୁ ବହୁତ ଦେଇଛନ୍ତି, ହେଲେ ମୋର ତ ପୁଣି ଝିଅ ବୋଲି ସେହି ଗୋଟିକ । ପୁଣି ପିଲାଦିନୁ ତା’ର ମା’ ମରିଯାଇଛି । ମା’ ଥିଲେ ଘରଯାକ ସବୁ ଲୁଚେଇ ଚୋରେଇ ଦେଇକରି ବି ମନ ମାନନ୍ତା ନାହିଁ । ମୁଁ ହୁଏତ ତାଙ୍କୁ ସହି ସମ୍ଭାଳି କରି ଖର୍ଚ୍ଚ କରିବାକୁ କହିଥାନ୍ତି । କିନ୍ତୁ ଆଜି ଯେତେବେଳେ ତା’ର ମା’ ନାହିଁ, ମୁଁ ଜାଣି ତା’ର ବାପ, ତା’ର ମା’ ! ମୋତେ ଦେହରୁ ରକତ କାଢ଼ିକରି ଦେବାକୁ ହେଲେ ବି ମୁଁ ଖୁସିରେ ଦେଇଦେବି । ମୋର ଆଉ ସଂସାରେ କିଏ ଅଛି ? ଏଇ ପିଲା ଦି’ଜଣଙ୍କ ମୁହଁକୁ ଅନେଇ ତ ମୁଁ ସ୍ତ୍ରୀଙ୍କୁ ଭୁଲି ଯାଇଛି, ଏପର୍ଯ୍ୟନ୍ତ ବାହା ନ ହୋଇ ରହିଛି । ତାଙ୍କ ମନ ଇଚ୍ଛା ତାଙ୍କୁ ନ ଦେବା ମୋ ପକ୍ଷେ ଅସମ୍ଭବ । ନିଜ ମନକୁ ସିନା ମୁଁ ବୁଝେଇ ପାରିବି, କିନ୍ତୁ ମୋ ସ୍ତ୍ରୀ ଯେଉଁ ଆଦେଶ ଦେଇ ଯାଇଛନ୍ତି, ତାଙ୍କୁ ତ ମୁଁ କିଛି କରିପାରିବି ନାହିଁ । ମୁଁ ଜାଣୁଛି ମୁଁ ହାରିବି, କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଇଲେକସନରୁ ଖସି ଆସିବା ମୋ ପକ୍ଷରେ ସମ୍ଭବ ନୁହେଁ । ମୁଁ ତ ପାରିବି ନାହିଁ ନିଶ୍ଚୟ, କିନ୍ତୁ ମୁଁ ରାଜାସାହେବଙ୍କୁ ଦେଖାଇ ଦେବାକୁ ଚାହେ ଯେ ଅମରପାଳ ସିଂହ ବି ସହଜ ଲୋକ ନୁହେଁ, ହସି ଉଡ଼େଇ ଦେବାର ପାତ୍ର ନୁହେଁ ।

 

‘କିନ୍ତୁ ମକଦ୍ଦମା କରିବା ତ ପୁଣି ଦରକାର !’

 

‘ତା’ରି ଉପରେ ତ ବର୍ତ୍ତମାନ ସବୁ ଭରସା । ଆପଣ ତାହାହେଲେ କହନ୍ତୁ ତ ମୋତେ କ’ଣ ସାହାଯ୍ୟ କରିପାରିବେ ?’

 

‘ଏ ବାବଦରେ ଆମ ଡାଇରେକ୍ଟରଙ୍କ ହୁକୁମ ତ ଆପଣ ଜାଣନ୍ତି, ଆଉ ଆପଣ ୟା ବି ଜାଣନ୍ତି ଯେ ରାଜାସାହେବ ହେଉଛନ୍ତି ଆମର ଡାଇରେକ୍ଟର । ପୁରୁଣା କରଜ ଅସୁଲ କରିବାପାଇଁ ସେ ବରାବର ତାଗିଦ କରୁଛନ୍ତି । ସେଥିରେ ପୁଣି ନୂଆ ଦେଣନେଣ ହେବା ଟିକିଏ ମୁସ୍କିଲ ହେବ ।’

 

ରାୟସାହେବ ଟିକିଏ ମୁହଁ ତଳକୁ କରି କହିଲେ–ଆପଣ ତ ତା’ହେଲେ ମୋ’ ଡଙ୍ଗା ବୁଡ଼େଇଦେବା କଥା କହୁଛନ୍ତି ।

 

‘ମୋର ନିଜର ଯାହା ଅଛି, ଆପଣ ନିଅନ୍ତୁ । କିନ୍ତୁ ବ୍ୟାଙ୍କ୍ ବିଷୟରେ ତ ଆମେ ହୁକୁମର ଚାକର, ସେଥିରେ ଆମର କ’ଣ ଚାରା ଅଛି ?’

 

‘କିନ୍ତୁ ଦେଖନ୍ତୁ, ସେ ସମ୍ପତ୍ତି ଯଦି ହାତକୁ ଆସିଯାଏ–ମୋର ତ ପୁରା ବିଶ୍ଵାସ, ଆମେ ନିଶ୍ଚୟ ପାଇବୁ–ଆପଣଙ୍କ ସବୁ ପାଉଣା ମୁଁ ଅଧଲା ପାହୁଲା କରି ସୁଝିଦେବି ।’

 

‘ଆପଣ ଜାଣନ୍ତି, ଆପଣଙ୍କ ଉପରେ ବର୍ତ୍ତମାନ କେତେ ଟଙ୍କା ହେଲାଣି ?’

 

‘ହେଲେ ପାଞ୍ଚ ଛ’ଲକ୍ଷ ହେବ, କିମ୍ବା କିଛି କମ୍ ହୋଇପାରେ ।’

 

ଖନ୍ନା ଟିକିଏ ଅବିଶ୍ଵାସ କଲାପରି କହିଲେ, ଆପଣ ବୋଧହୁଏ ଠିକ୍ ଜାଣି ନାହାନ୍ତି, କିମ୍ବା ମୋତେ ଲୁଚାଉଛନ୍ତି ।

 

ରାୟସାହେବ ଜୋରଦେଇ କହିଲେ–ନାହିଁ, ମୁଁ ଭୁଲି ଯାଇନି କିମ୍ଵା ମୁଁ ଆପଣଙ୍କୁ ଲୁଚାଉ ନାହିଁ । ମୋର ତ ନିଜ ସମ୍ପତ୍ତି ପ୍ରାୟ ପଚାଶ ଲକ୍ଷ ଟଙ୍କା ହେବ ଏବଂ ଶ୍ଵଶୁର ଘର ସମ୍ପତ୍ତି ବି ସେହି ପଚାଶ ଲକ୍ଷ ପାଖାପାଖି । ୟା’କୁ ଚାହିଁଲା ବେଳକୁ ପାଞ୍ଚଦଶ ଲକ୍ଷ ଟଙ୍କାର କରଜ କିଛି ନୁହେଁ କହିଲେ ଚଳେ ।

 

‘କିନ୍ତୁ ଶ୍ଵଶୁରଘର ସମ୍ପତ୍ତି ଉପରେ କରଜ ନାହିଁ ବୋଲି ଆପଣ ଜାଣିଲେ କେମିତି ?’

 

‘ମୁଁ ଯେତେଦୂର ଜାଣେ, ସେ ସମ୍ପତ୍ତି ଉପରେ ପାଉଣାପତ୍ର କାହାରି କିଛି ନାହିଁ ।

 

‘କିନ୍ତୁ ମୁଁ ଯାହା ଶୁଣୁଛି, ସେ ସମ୍ପତ୍ତି ଉପରେ ଦଶ ଲକ୍ଷରୁ କମ୍ ପାଉଣା ନାହିଁ । ଆପଣଙ୍କ ସମ୍ପତ୍ତି ଉପରେ ବି ଦଶ ଲକ୍ଷରୁ କମ୍ ନାହିଁ ବୋଲି ମୋର ଧାରଣା । ତା ଛଡ଼ା ଆପଣ ଯାହା କହୁଛନ୍ତି ଆପଣଙ୍କ ସମ୍ପତ୍ତିର ମୂଲ୍ୟ ପଚାଶ ଲକ୍ଷ ହେବ, ମୁଁ ଭାବୁଛି, ବର୍ତ୍ତମାନ ଖୁବ୍ କଷ୍ଟରେ ପଚିଶ ଲକ୍ଷ ହେବ କି ନାହିଁ ସନ୍ଦେହ । ଏପରି ଅବସ୍ଥାରେ କୌଣସି ବ୍ୟାଙ୍କ୍ ଆପଣଙ୍କୁ ଟଙ୍କା କରଜ ଦେଇପାରିବ ନାହିଁ । ଆପଣଙ୍କର ବର୍ତ୍ତମାନ ବୁଝିବା ଉଚିତ ଯେ ଆପଣ ଗୋଟିଏ ଆଗ୍ନେୟଗିରିର ମୁହଁ ଉପରେ ଛିଡ଼ା ହୋଇଛନ୍ତି । ସେ ଟିକିଏ ହଲିଗଲେ ଆପଣ ଯାଇ ପାତାଳରେ ପଡ଼ିବେ । ଏମିତି ଅବସ୍ଥାରେ ଆପଣଙ୍କୁ ଖୁବ୍ ବୁଝି ବିଚାର କରି ଚଳିବାକୁ ହେବ ।’

 

ରାୟସାହେବ ନିଜ ଆଡ଼କୁ ହାତ ଦେଖେଇ କହିଲେ, ଆପଣ ଯାହାସବୁ କହିଲେ ମୋତେ ସେସବୁ ଖୁବ୍ ଜଣା । କିନ୍ତୁ ମଣିଷ ଯାହା ଚାହେ ନାହିଁ, ତାକୁ କରିବାପାଇଁ ବାଧ୍ୟ ହେବାଠୁ ଭଳି ବଡ଼ ଟ୍ରାଜେଡ଼ି ଜୀବନରେ ଆଉ କ’ଣ ହୋଇପାରେ ? ଏଥର ମୋପାଇଁ ଆପଣଙ୍କୁ ଅନ୍ତତଃ ଦୁଇ ଲକ୍ଷ ଟଙ୍କାର ଯୋଗାଡ଼ କରିବାକୁ ପଡ଼ିବ ।

 

ଖନ୍ନା ସାହେବ ଦୀର୍ଘ ନିଶ୍ଵାସ ପକାଇ କହିଲେ, ହେ ଭଗବାନ୍ ! ଦି ଲକ୍ଷ ! ଅସମ୍ଭବ; ବିଲକୁଲ୍ ଅସମ୍ଭବ ।

 

‘କିନ୍ତୁ ଖନ୍ନା ସାହେବ, ଏତିକି ମନେ ରଖିଥାନ୍ତୁ, ଆପଣ ଟଙ୍କା କରେଇ ନ ଦେଲେ ମୁଁ ଆପଣଙ୍କ ଦୁଆରେ ମୁଣ୍ଡ ପିଟି ଆତ୍ମହତ୍ୟା କରିଦେବି । ମୁଁ ତ କେବଳ ଆପଣଙ୍କୁ ଆଶା କରି ଏଡ଼େ ବଡ଼ କଥା ଯୋଗାଡ଼ କରି ବସିଛି । କିନ୍ତୁ ଆପଣ ଯଦି ଶେଷକୁ ନିରାଶ କରି ଦିଅନ୍ତି, ତେବେ ବିଷଖାଇ ମରିବା ଛଡ଼ା ମୋର ଆଉ ଉପାୟ କଣ ? ଝିଅ ବାହାଘର ପଛେ ଦି’–ଚାରିମାସ ପଛେଇ ଯିବ, କିନ୍ତୁ ସୂର୍ଯ୍ୟପ୍ରତାପ ସିଂହ ପାଖରେ ହାରିଯିବା କଥା ହେବ ନାହିଁ । ମକଦ୍ଦମା କରିବାପାଇଁ ମଧ୍ୟ ଆହୁରି ସମୟ ଅଛି । କିନ୍ତୁ ଏହି ଇଲେକସନ୍ ମୁଣ୍ଡ ଉପରେ ରହି ମୋତେ ଖାଉଛି । ମୋର ବର୍ତ୍ତମାନ ସବୁଠୁ ବଡ଼ଚିନ୍ତା ହେଉଛି ଏହି ଇଲେକସନ୍ ।’

 

ଖନ୍ନା ଆଶ୍ଚର୍ଯ୍ୟ ହୋଇ କହିଲେ, ତାହେଲେ ଆପଣ କେବଳ ଇଲେକସନରେ ଦିଲକ୍ଷ ଟଙ୍କା ଉଡ଼ାଇ ଦେବେ ?

 

‘ଆରେ ଭାଇ, ଇଏ ତ ଇଲେକସନ କଥା, ଇଏ ହେଉଛି, ମାନ ସମ୍ମାନର କଥା । ଆପଣ କଣ ଭାବୁଛନ୍ତି ମୋ ଇଜ୍ଜତର ଦାମ୍ ଦୁଇଲକ୍ଷ ଟଙ୍କା ନୁହଁ ? ମୋର ସବୁ ସମ୍ପତ୍ତି ବିକ୍ରୀ ହୋଇଗଲେ ବି ମୋର ପରୁଆ ନାହିଁ । କିନ୍ତୁ ସୂର୍ଯ୍ୟପ୍ରତାପକୁ କେବେ ମୁଁ ସହଜରେ ଜିତେଇ ଦେବି ନାହିଁ ।’

 

ଖନ୍ନା ମିନିଟକ ପର୍ଯ୍ୟନ୍ତ ମୁହଁରୁ ଧୂଆଁ ବାହାର କରି କହିଲେ, ବ୍ୟାଙ୍କ୍ କଥା ତ ମୁଁ ଆପଣଙ୍କୁ ସବୁ କହି ଦେଇଛି । ବର୍ତ୍ତମାନ ଦିଆନିଆ କାରବାର ଏକପ୍ରକାର ବନ୍ଦ କହିଲେ ଚଳେ । ମୁଁ ଆପଣଙ୍କ ପାଇଁ ସ୍ଵତନ୍ତ୍ର ଚେଷ୍ଟା କରିବି କିନ୍ତୁ ଆପଣ ତ ଜାଣନ୍ତି ‘ବିଜିନେସ୍ ଇଜ୍ ବିଜିନେସ୍’ । ତାହେଲେ ମୋତେ କଣ ମିଳିବ କହନ୍ତୁ ? ଆପଣଙ୍କ ପାଇଁ ମୋତେ ସ୍ଵତନ୍ତ୍ର ଚେଷ୍ଟା କରିବାକୁ ପଡ଼ିବ । ଅନ୍ୟ ଡାଇରେକ୍ଟରମାନଙ୍କ ଉପରେ ରାଜା ପ୍ରତାପସିଂହଙ୍କର କେତେ ପ୍ରଭାବ ତାହା ତ ଆପଣ ଜାଣନ୍ତି । ତାଙ୍କ ବିରୁଦ୍ଧରେ ମୋତେ ଦଳ ସୃଷ୍ଟି କରିବାକୁ ପଡ଼ିବ । ୟେ ସବୁ କେବଳ ମୋରି ଦାୟିତ୍ୱରେ ହେବ ।

 

ରାୟସାହେବଙ୍କ ମୁହଁ ତଳକୁ ହୋଇଗଲା । ଭାବିଲେ, ୟେ ମୋ ସଙ୍ଗେ ଏକାସାଙ୍ଗରେ ପଢ଼ୁଥିଲେ, ଏକାଜାଗାରେ ବସୁଥିଲେ । ୟାଙ୍କର ପୁଣି ମୋଠୁ କମିଶନି ପାଇବାକୁ ଇଚ୍ଛା । ହାୟରେ ସଂସାର ! ତା ଛଡ଼ା ସେ ଯେ ଆଜିଯାଏ ଖନ୍ନାକୁ ଏତେ ଖୁସାମତି କରୁଥିଲେ ତାର ଫଳ କଣ ଏୟା-! ବଗିଚାରେ ଫଳ ଫଳିଲାମାତ୍ରେ, ଶାଗ ପତ୍ରଟାଏ ଉଠିଲାମାତ୍ରେ ଖନ୍ନା ଘରକୁ ପଠାଉଥିଲେ କଣ ଏଇଥିପାଇଁ ! ଯେ କୌଣସି ଭୋଜିଭାତ, ମେଳା ମଉଚ୍ଛବରେ ତାଙ୍କୁ ସବା ଆଗ ନିମନ୍ତ୍ରଣ ଦେଉଥିଲେ ତେବେ କାହିଁକି ? ସେ ସବୁର ଫଳ ତାହେଲେ କଣ ଏୟା ? ତାପରେ ଟିକିଏ ଉଦାସ ହୋଇ ସେ କହିଲେ, ଆପଣଙ୍କ ଇଚ୍ଛା ଯାହା ହେବ ନେବେ, କିନ୍ତୁ ମୁଁ ଆପଣଙ୍କୁ ସବୁବେଳେ ନିଜ ଭାଇ ପରି ଭାବେ ।

 

ଖନ୍ନା କୃତଜ୍ଞତା ଦେଖାଇ କହିଲେ, ସେ ତ ଆପଣଙ୍କ ଦୟା । ମୁଁ ବି ସବୁଦିନେ ଆପଣଙ୍କୁ ବଡ଼ଭାଇ ପରି ଦେଖି ଆସିଛି । ଏବେ ବି ସେୟା ଭାବୁଛି । ଆପଣଙ୍କଠୁ କେବେ କେଉଁ କଥା ମୁଁ ଲୁଚାଏ ନାହିଁ । କିନ୍ତୁ ବ୍ୟବସାୟ କଥା ତ ଅଲଗା, ଏଠି ତ ବନ୍ଧୁବାନ୍ଧବ ପ୍ରିୟାପ୍ରୀତିର ସ୍ଥାନ ନାହିଁ । ମୁଁ ଯେମିତି ଭାଇ ହିସାବରେ ଆପଣଙ୍କଠାରୁ ଅଧିକା କମିଶନ ମାଗୁନାହିଁ, ଆପଣ ବି ସେମିତି ଭାଇ ହିସାବରେ ମୋ କମିଶନ କମେଇଦେବା ଉଚିତ ନୁହେଁ । କିନ୍ତୁ ଆପଣ ବିଶ୍ଵାସ ରଖନ୍ତୁ, ଯେତେଦୂର ସମ୍ଭବ, ମୁଁ ଆପଣଙ୍କ କମିଶନ କମେଇ ଦେବାକୁ ଚେଷ୍ଟା କରିବି । ଆଚ୍ଛା, ଆପଣ ଅଫିସ ଟାଇମରେ ଆସି ଲେଖାପଢ଼ି କରେଇ ନିଅନ୍ତୁ, ତେଣିକି ସବୁ ହୋଇଯିବ । ଆପଣ ଏବେ ଶୁଣିଲେଣି ନା, ମେହେତା କୁଆଡ଼େ ଆଜିକାଲି ମାଳତୀ ସାଙ୍ଗରେ ଏକଦମ୍ ମିଶିଗଲେଣି; ସବୁ ଫିଲସଫି କୁଆଡ଼େ ଉଡ଼ିଗଲାଣି । ଦିନବେଳେ ଦି ତିନିଥର ହାଜିର ଦେବା ଛଡ଼ା ସନ୍ଧ୍ୟାବେଳେ ସବୁଦିନ ସାଙ୍ଗ ହୋଇ ବୁଲି ଯାଉଛନ୍ତି । ମୁଁ ତ ଦିନେହେଲେ କେବେ ମାଳତୀଙ୍କ ଦୁଆର ମାଡ଼ି ନାହିଁ-। ସେତେବେଳେ ତ ଏମିତି ଥିଲା ଯେ କାମ ପଡ଼ିଲାମାତ୍ରେ ମାଳତୀ ମୋରି ପାଖକୁ ଦୌଡ଼ୁଥିଲେ-। ଟଙ୍କା ପଇସା ହେଉ, କିମ୍ବା ଅନ୍ୟ କାମ ହେଉ, ସବୁଥିରେ ଖନ୍ନା ସାହେବଙ୍କୁ ଖୋଜା ପଡ଼ୁଥିଲା-। କିନ୍ତୁ ଏବେ ତ ମୋତେ ଦେଖିଲାମାତ୍ରେ ମୁହଁ ମୋଡ଼ିଦେଇ ଚାଲି ଯାଉଛନ୍ତି । ମୁଁ ଖାସ୍ ତାଙ୍କରି ପାଇଁ ଫ୍ରାନ୍‍ସରୁ ଗୋଟାଏ ଘଣ୍ଟା ମଗାଇଥିଲି । ନେଇକରି ଗଲି, ସେ ରଖିଲେ ନାହିଁ । କାଲି କାଶ୍ମୀର ସେଓ ଡାଲାଏ ହେବ ପଠାଇଥିଲି, ତାକୁ ବି ରଖିଲେ ନାହିଁ । ଫେରେଇ ଦେଲେ । ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଲୋକେ କେଡ଼େ ଚଞ୍ଚଳ ଏମିତି ବଦଳି ଯା’ନ୍ତି !

 

ରାୟସାହେବ ତାଙ୍କ ଭଣ୍ଡାମି ଶୁଣି ମନେ ମନେ ଭାରି ଖୁସି ହେଉଥିଲେ । କିନ୍ତୁ ଉପରେ ମିଛ ସହାନୁଭୂତି ଦେଖାଇ କହିଲେ–ଆଚ୍ଛା, ହେଲା, ଏବେ ମେହେତା ସାଙ୍ଗରେ ତାଙ୍କର ପ୍ରେମ ହୋଇଗଲା, ୟା ବୋଲି କଣ ସାଧାରଣ ଭଦ୍ରତା ଗୋଟେ ନାହିଁ !

 

ଖନ୍ନା ଭାରି ଦୁଃଖିତ ହୋଇ କହିଲେ ଆରେ ଭାଇ, ଦୁଃଖ ତ ଏଇଠି । ମୁଁ ତ ମୂଳରୁ ଜାଣିଥିଲି ମାଳତୀ କେବେହେଲେ ମୋ ହାତକୁ ଆସିବ ନାହିଁ । ସତ କହୁଛି, ମୁଁ କେବେ ଭୁଲରେ ବି ଭାବି ନଥିଲି ଯେ ମାଳତୀ ମୋତେ ଭଲପାଏ । ପ୍ରେମ ପରି ପବିତ୍ର ଜିନିଷ ତା’ଠି କେବେ ସ୍ଵପ୍ନରେ ସୁଦ୍ଧା କେବେ ମୁଁ ଭାବି ନଥିଲି । ମୁଁ କେବଳ ରୂପ ଦେଖି ମୁଗ୍‍ଧ ହୋଇଥିଲି । ଦୁଧ ପିଇଲେ ସାପର ବିଷ ବଢ଼େ, ଏକଥା ଜାଣିକରି ସୁଦ୍ଧା ଆମେ ସାପକୁ ଦୁଧ ପିଆଉ । ଶୁଆଠୁ ବଳି ନିଷ୍ଠୁର ଜୀବ ଆଉ କେହି ନାହିଁ, ତଥାପି ତା ସୁନ୍ଦର ଚେହେରା ତଥା ମଧୁର କଣ୍ଠ ଶୁଣି ଆମେ ତାକୁ ସୁନା ପିଞ୍ଜରୀର ରଖୁ । ମୋ ପକ୍ଷରେ ମାଳତୀ ସେହିପରି ଏକ ସୁନା ପିଞ୍ଜରୀର ଶୁଆ ! ଦୁଃଖ ହେଉଛି ମୁଁ ଆଗରୁ କାହିଁକି ଏକଥା ନ ଭାବିଲି, ତା’ପାଇଁ କାହିଁକି ହଜାର ହଜାର ଟଙ୍କା ଉଡ଼ାଇ ଦେଲି । ଯେତେବେଳେ ସେ ଲେଖା ଟିକିଏ ପଠାଇଦିଏ, କିଛି ନ ଭାବି ନ ଚିନ୍ତି ମୁଁ ଟଙ୍କା ପଠାଇଦିଏ, ମୋ ମଟର ଗାଡ଼ି ତ ଆଜିଯାଏ ସହଜେ ତା’ର ହୋଇ ରହିଛି । ତା’ରି ପଛରେ ଗୋଡ଼େଇ ଗୋଡ଼େଇ ଭାଇ, ଆପଣା ଘର ବି ମୁଁ ଉଜାଡ଼ି ଦେଲି । ଜୀବନରେ ଯେତେ ରସ ଯେତେ ପାଣି ଥିଲା ସବୁ ମୁଁ ମରୁଭୂମିରେ ଢାଳିଦେଇ ବସିଲି । ଅଥଚ ଆପଣା ଉଦ୍ୟାନକୁ ପାଣି ଅଭାବରେ ଜାଳିପୋଡ଼ି ଛାରଖାର କରିଦେଲି । ତା’ରି ଯୋଗୁ ବରଷ ବରଷ ଧରି ଗୋବିନ୍ଦୀଙ୍କ ସାଙ୍ଗରେ ମନଖୋଲି ପଦେ କଥା ବି ମୁଁ କହି ନାହିଁ । ତାଙ୍କର ସବୁ ସେବା, ସବୁ ସ୍ନେହ, ସବୁ ତ୍ୟାଗ ଅଜୀର୍ଣ୍ଣ ରୋଗୀକୁ ରସଗୋଲା ପରି ମୋତେ ପିତା ଲାଗିଛି । କେଳା ମାଙ୍କଡ଼ ନଚେଇଲା ପରି ମାଳତୀ ମୋତେ ଗଲା କେତେ ବର୍ଷ ହେଲା ନଚେଇ ଆସିଛି ଏବଂ ମୁଁ ବି ଖୁସିରେ ନାଚି ଆସିଛି । ସେ ଯେତେବାର ମୋତେ ଅପମାନ କରିଛି, ମୁଁ ସବୁ ହସି ଉଡ଼ାଇ ଦେଇଛି । ସେ ଯେତେଥର ମୋତେ ଗାଳି ଦେଇଛି, ମୁଁ ସେସବୁ ମୁଣ୍ଡ ନୁଆଇଁ ସହିଛି, କିନ୍ତୁ ସେ କେବେହେଲେ କୌଣସି ବିଷୟରେ ମୋତେ ସୁବିଧା ଦେଇନି । ସେ ମୋତେ କେବେହେଲେ ଉତ୍ସାହିତ କରି ନାହିଁ, ତେବେ ବି ପତଙ୍ଗ ନିଆଁରେ ପଡ଼ିଲା ପରି ତା’ର ରୂପାଲୋକରେ ମୁଁ ବରାବର ଯାଇ ଝାସ ଦେଇ ଆସିଛି । ତଥାପି ମୋ ପ୍ରତି ସାଧାରଣ ଭଦ୍ରତା ବି କେବେହେଲେ ସେ ଦେଖାଇ ନାହିଁ । ହେଲେ ଭାଇ, ମୁଁ କହି ଦେଉଛି, ଖନ୍ନା କେବେ ଚୁପହୋଇ ରହିବା ଲୋକ ନୁହେଁ । ଯିବ କୁଆଡ଼େ ? ମୁଁ ତା’ କାଗଜପତ୍ର ସବୁ ରଖିଛି, ଅଧଲା ପାହୁଲା କରି ଅସୁଲ କରିନେବି, କ’ଣ ଛାଡ଼ିବି ? ଆଉ ଡାକ୍ତର ମେହେତାକୁ ଯେମିତି ହେଲେ ଲକ୍ଷ୍ନୌରୁ ତଡ଼େଇ ଦେବି, ସେ ଏଠି ରହିବା କଥା ପଟିବ ନାହିଁ ।

 

ଠିକ୍ ଏମିତି କଥା ପଡ଼ିଛି ମଟର ହର୍ଣ୍ଣ ଶୁଭିଲା । ଦେଖିଲାବେଳକୁ ମେହେତା ସାହେବ, ଦେହରେ ଚୁଡ଼ିଦାର ପାଇଜାମା, ଅଚକନ, ଆଖିରେ ସୁନାର ଚଶମା, ଗୋରା ତକତକ, ଭବ୍ୟମୂର୍ତ୍ତି, ଗାଲରେ ସ୍ୱାସ୍ଥ୍ୟର ଉଜ୍ଜଳ ରକ୍ତିମା । ସତେ ଯେମିତି ଜଣେ ଦେବତା !

 

ତାଙ୍କୁ ଦେଖିଲାମାତ୍ରେ ଖନ୍ନା ଉଠିପଡ଼ି ହାତ ମିଳେଇ ସାଙ୍ଗେ ସାଙ୍ଗେ କହି ପକାଇଲେ–ଆସନ୍ତୁ, ଆସନ୍ତୁ ମେହେତା ସାହେବ, ଏଇନେ ତ ଆପଣଙ୍କ କଥା ପଡ଼ିଥିଲା ।

 

ମେହେତା ଦିହିଁଙ୍କ ସାଙ୍ଗରେ ହାତ ମିଳାଇ କହିଲେ, ଆଜି ବଡ଼ ଶୁଭ ବେଳାରେ ଘରୁ ବାହାରି ଥିଲି, ଆପଣ ଦିହିଁଙ୍କର ଏକାଠି ଦର୍ଶନ ମିଳିଗଲା । ଆପଣମାନେ ବୋଧହୁଏ ଖବର କାଗଜରୁ ଦେଖିଥିବେ, ଏଠି ସ୍ତ୍ରୀମାନଙ୍କ ପାଇଁ ଗୋଟାଏ ବ୍ୟାୟାମଶାଳା ତିଆର ହେବାର ଚେଷ୍ଟା କରାଯାଉଛି । ମାଳତୀ ହେଉଛନ୍ତି ସେହି କମିଟିର ସଭାପତି । ବ୍ୟାୟାମଶାଳା ପାଇଁ ଅନ୍ତତଃ ଦୁଇ ଲକ୍ଷ ଟଙ୍କା ଦରକାର । ମୋର ଆଶା ଆପଣ ଦୁହିଁଙ୍କ ନାମ ଚାନ୍ଦା ଲିଷ୍ଟରେ ସବା ଉପରେ ରହିବ । ମାଳତୀ ନିଜେ ଆସିଥାନ୍ତେ, କିନ୍ତୁ ତାଙ୍କ ବାପାଙ୍କ ଦେହ ଖରାପ ଥିବାରୁ ସେ ଆସିପାରିଲେ ନାହିଁ, ମୋତେ ପଠାଇଲେ ।

 

ତା’ପରେ ମେହେତା ସାହେବ ରାୟସାହେବଙ୍କ ହାତକୁ ଚାନ୍ଦା ଲିଷ୍ଟ୍ ବଢ଼ାଇଦେଲେ । ଦେଖିଲାବେଳକୁ ସବା ଉପରେ ରାଜା ସୂର୍ଯ୍ୟପ୍ରତାପଙ୍କ ନାଁ, ସେ ପାଞ୍ଚହଜାର ଟଙ୍କା ଦେଇଛନ୍ତି, ତା’ ପଛକୁ କୁଅଁର ଦିଗବିଜୟ ସିଂହର ତିନିହଜାର । ତା ପଛକୁ ଆଉ କେତେଜଣଙ୍କର ବି ପ୍ରାୟ ସେତିକି ସେତିକି ଟଙ୍କା । ମାଳତୀଙ୍କର ପାଞ୍ଚ ଶହ ଆଉ ମେହେତାଙ୍କର ଏକ ହଜାର ।

 

ରାୟସାହେବ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲା–ଆପଣ ତ ଖୁବ୍ ଚଞ୍ଚଳ ଚାଳିଶ ହଜାର ଟଙ୍କା କରି ସାରିଲେଣି ।

 

ମେହେତା ଟିକିଏ ଫୁଲିଯାଇ କହିଲେ, ଇଏ ସବୁ ଆପଣମାନଙ୍କ ଅନୁଗ୍ରହ, ମୋର କ’ଣ ଅଛି ? ଇଏ ତ ମୋଟେ ତିନିଘଣ୍ଟା ପରିଶ୍ରମର ଫଳ । ସୂର୍ଯ୍ୟପ୍ରତାପ ସାଧାରଣ କାମରେ ପଇସା ଦିଅନ୍ତି କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ କହିଲାମାତ୍ରେ ତ ସାଙ୍ଗେ ସାଙ୍ଗେ ଚେକ୍ ଲେଖିଦେଲେ । ଯାହା ଦେଖାଯାଉଛି ଦେଶରେ ନୂତନ ଜାଗରଣ ଆସିଗଲାଣି । ଭଲକାମ କରିବାପାଇଁ ଲୋକେ ତିଆର ହେଲେଣି । ସେମାନଙ୍କର କେବଳ ଏତିକି ବିଶ୍ୱାସ ହେବା ଦରକାର ଯେ ତାଙ୍କ ପଇସା ପ୍ରକୃତରେ ଭଲ କାମରେ ଲାଗୁଛି । ବୁଝିଲେ, ମିଷ୍ଟର ଖନ୍ନା, ଆପଣଙ୍କଠି ବି ଆମର ଖୁବ୍ ବଡ଼ ଆଶା ।

 

ଖନ୍ନା ଟିକିଏ ତାତ୍ସଲ୍ୟ କରି କହିଲେ, ଏସବୁ ବାଜେ କାମରେ ମୁଁ ହାତ ଦେବାକୁ ଚାହେ ନାହିଁ । ଆପଣମାନେ କେତେଦିନ ପର୍ଯ୍ୟନ୍ତ ଏମିତି ପାଶ୍ଚାତ୍ୟ ସଭ୍ୟତାର ଗୋଲାମି କରୁଥିବେ ? ଆପଣ ଜାଣନ୍ତି, କିଛି ନ ହୋଇ ତ ସ୍ତ୍ରୀମାନେ ଘରକୁ ପସନ୍ଦ କରୁ ନାହାନ୍ତି, ଯଦି ବ୍ୟାୟାମଶାଳା ଖୋଲିଗଲା, ତେବେ ଆଉ ବାକି ରହିବ କ’ଣ ? ମାଇପେ ଯଦି ଘରକାମ ଭଲକରି କରନ୍ତି, ତାଙ୍କର ଆଉ କିଛି ବ୍ୟାୟାମ କରିବା ଦରକାର ହୁଅନ୍ତା ନାହିଁ । କିନ୍ତୁ ଯେଉଁମାନେ ଘରକାମ କିଛି କରନ୍ତି ନାହିଁ, ଖାଲି ଅଏଶ କରି ସମୟ କଟାନ୍ତି, ସେମାନଙ୍କ ପାଇଁ ବ୍ୟାୟାମଶାଳା କରିବାଲାଗି ପଇସା ଦେବା ପାପ ବୋଲି ମୁଁ ଭାବେ ।

 

ମେହେତା ଏତେ ଟିକେ ବି ନିରୁତ୍ସାହିତ ନ ହୋଇ କହିଲେ, ତାହେଲେ ମୁଁ ଆପଣଙ୍କଠାରୁ ଆଉ ଚାନ୍ଦା ନେବାକୁ ଚାହେ ନାହିଁ । ଯେଉଁଥିରେ ଆପଣଙ୍କର ବିଶ୍ୱାସ ନାହିଁ, ସେଥିପାଇଁ ଚାନ୍ଦାଦେବା ପ୍ରକୃତରେ ଆପଣଙ୍କର ଅଧର୍ମ । ରାୟସାହେବ ! ଆପଣଙ୍କର କଣ ଏଇ ମତ ନା ଆଉ କିଛି ?

 

ସୂର୍ଯ୍ୟପ୍ରତାପଙ୍କ ପାଞ୍ଚହଜାର କଥା ଶୁଣି ରାୟସାହେବ ମନେ ମନେ ଭାରି ଚିନ୍ତିତ ହୋଇ ପଡ଼ିଥିଲେ । ହଠାତ୍ ଚମକିଲା ପରି କହିଲେ, କଣ ମୋତେ ପଚାରୁଛନ୍ତି ?

 

‘ହଁ, ଆପଣଙ୍କୁ ପଚାରୁଛି । ଏହି କାମରେ ସାହାଯ୍ୟ ଦେବାପାଇଁ ଆପଣଙ୍କର କିଛି ଆପତ୍ତି ଅଛି କି ନାହିଁ ?”

 

‘ଆପଣ ଯେଉଁ କାମରେ ହାତ ଦିଅନ୍ତି, ସେ ଭଲ ହେଉ କି ମନ୍ଦ ହେଉ, ମୋର ସେଥିରେ କୌଣସି ଆପତ୍ତି ନାହିଁ !’

 

‘ମୁଁ ତ କହୁଛି ଆପଣ ଯାହା କରିବେ ଭାବିଚିନ୍ତି କରନ୍ତୁ । ଯଦି ଆପଣ ଭାବୁଛନ୍ତି ଇଏ ଭଲକାମ, ତାହେଲେ ସାହାଯ୍ୟ କରନ୍ତୁ, ନହିଲେ ନାହିଁ । ଖନ୍ନା ସାହେବଙ୍କ ନୀତିକୁ ପ୍ରକୃତରେ ମୁଁ ପସନ୍ଦ କରେ । ତାଙ୍କର ଯହିଁରେ ବିଶ୍ୱାସ ନାହିଁ ତାକୁ ସେ ସାହାଯ୍ୟ କରନ୍ତି ନାହିଁ ।’

 

ଖନ୍ନା କହିଲେ–ହଁ, ମୁଁ ତ ସଫା ସଫା କଥା ମୁହେଁ ମୁହେଁ ବତାଇ ଦିଏ ବୋଲି ଲୋକେ ମୋତେ ଚିଡ଼ନ୍ତି ।

 

ରାୟସାହେବ ଟିକିଏ ମୁରୁକିହସା ଦେଇ କହିଲେ, ମୋର ତ ସେମିତି ଭାବିବା ଚିନ୍ତିବା ଶକ୍ତି କିଛି ନାହିଁ । ବଡ଼ ବଡ଼ ଲୋକେ ଯାହା କରୁଛନ୍ତି, ତାଙ୍କରି ପଛେ ପଛେ ଚାଲିବା ହେଉଛି ମୋର ଧର୍ମ ।

 

‘ତାହେଲେ ଖୁବ୍ ବେଶିକରି ଟିକିଏ ଲେଖନ୍ତୁ ।’

 

‘ଆପଣ ଯେତିକି କହିବେ ଲେଖିଦେବି ।’

 

‘ନାହିଁ, ଆପଣଙ୍କର ଇଚ୍ଛା ଯାହା ଲେଖନ୍ତୁ ।’

 

‘ନାହିଁ ନାହିଁ, ଆପଣ ଯେତିକି କହିବେ ଲେଖିଦେବି ।’

 

‘ଆପଣ ଦିହଜାରରୁ କଣ କମ୍ ଲେଖିବେ ?’

 

ରାୟସାହେବ ଟିକିଏ ଦୁଃଖିତ ହୋଇ କହିଲେ, ଆପଣ କଣ ମୋତେ ଏତେ ଛୋଟ ବୋଲି ଭାବିଛନ୍ତି ?

 

ସାଙ୍ଗେ ସଙ୍ଗେ କଲମ ଉଠାଇ ରାୟସାହେବ ନିଜ ନାଁ ସାମନାରେ ପାଞ୍ଚ ହଜାର ଟଙ୍କା ଲେଖିଦେଲେ । ମେହେତା ତାଙ୍କ ହାତରୁ ଲିଷ୍ଟ୍ ନେଇଗଲେ ଏବଂ ମନେ ମନେ ଏତେ ଖୁସି ହୋଇଗଲେ ଯେ ତାଙ୍କୁ ଧନ୍ୟବାଦଟାଏ ବି ଦେବାକୁ ଭୁଲିଗଲେ । ରାୟସାହେବଙ୍କୁ ଚାନ୍ଦା ଲିଷ୍ଟ୍ ଦେଖାଇ ପ୍ରକୃତରେ ସେ ଗୋଟାଏ ବଡ଼ ଖରାପ କାମ କଲେ । ସୂର୍ଯ୍ୟପ୍ରତାପଙ୍କ ଚାନ୍ଦାକଥା ସତେ ଯେମିତି ତାଙ୍କ ଦେହରେ ଶୂଳପରି ଲାଖି ରହିଲା ।

 

ମିଷ୍ଟର ଖନ୍ନା ମନେ ମନେ ହସିଲେ । ରାୟସାହେବଙ୍କ ପ୍ରତି ତାଙ୍କର ଭାରି ଦୟା ହେଲା, ଭାବିଲେ କେଡ଼େ ଓଲୁଟାଏ ସତେ ମ !

 

ସାଙ୍ଗେ ସାଙ୍ଗେ ମେହେତା ରାୟସାହେବଙ୍କ ବେକରେ ଓହଳିପଡ଼ି କହିଲେ, ଥ୍ରି ଚିଅରସ୍ ଫର୍ ରାୟସାହେବ, ହିପହିପ୍ ହୁର୍ରେ !

 

ଖନ୍ନା ଟିକିଏ ପରିହାସ କରି କହିଲେ–ହଁ, ଏମାନେ ଯେତେବେଳେ ରଜା ମହାରଜା ବୋଲାଉଛନ୍ତି, ଏମାନେ ନ ଦେବେ ତ ଆଉ ଦେବ କିଏ ?

ମେହେତା କହିଲେ, ମୁଁ ତ ଆପଣଙ୍କୁ ରଜାମାନଙ୍କର ରଜାବୋଲି ଭାବେ, ରଜାମାନଙ୍କୁ ଆପଣ ଚଳାଉଛନ୍ତି, ସେମାନଙ୍କର ଧନଜୀବନ କୋଠାବାଡ଼ି ସବୁ ଆପଣଙ୍କ ହାତରେ ।

ରାୟସାହେବ ଖୁସି ହୋଇଯାଇ କହିଲେ–ଯାହାହେଉ, ଏତେବେଳକୁ ଆପଣ କଥାପଦେ କହିଲେ । ଆମେ ସିନା ନାଁକୁ ରଜା, ଅସଲ ରଜା ତ ହେଉଛନ୍ତି ଆମ ବ୍ୟାଙ୍କ୍ ମାଲିକ ।

ମେହେତା ଟିକିଏ ଖନ୍ନାଙ୍କୁ ଖୁସାମତ କରିବା ଆରମ୍ଭ କରିଦେଇ କହିଲେ, ଆପଣଙ୍କ ପାଖରେ ମୋର କୌଣସି ଆପତ୍ତି ନାହିଁ ଖନ୍ନା ସାହେବ । ଆପଣଙ୍କ ଇଚ୍ଛା ନହେଲେ ଆପଣ ଏ କାମରେ ଯୋଗ ନ ଦେଇ ପାରନ୍ତି, ମାତ୍ର ମୋର ଅନୁରୋଧ, ଆପଣ ଅନୁଗ୍ରହ କରି ମଝିରେ ମଝିରେ କେବେ କେମିତି ଟିକିଏ ଆମ ଅନୁଷ୍ଠାନରେ ପାଦ ପକାଇଦେଇ ଆସୁଥିବେ । ଆମର ଯେତେ ଯେତେ ବଡ଼ ବଡ଼ ଅନୁଷ୍ଠାନ ଅଛି, ସବୁ ଆପଣଙ୍କ ପରି ବ୍ୟାଙ୍କ୍ ମାଲିକମାନଙ୍କ ଯୋଗୁ ସମ୍ଭବ ହୋଇଛି । ଦିବର୍ଷ କାଳ ଦେଶରେ ଯେଉଁ ବିରାଟ ଗଣଆନ୍ଦୋଳନ ଚାଲିଲା ତାକୁ ଚଳାଇଲା କିଏ ? ଆପଣମାନେ । ଦେଶରେ ଯେତେ ଧର୍ମଶାଳା, ଯେତେ ସ୍କୁଲ କଲେଜ, ସେସବୁ କାହାଯୋଗୁ ତିଆର ହେଉଛି ? ଆପଣମାନଙ୍କ ଯୋଗୁ । ପ୍ରକୃତରେ କହିବାକୁ ଗଲେ ଦେଶର ଶାସନ ଆଜି ବ୍ୟାଙ୍କ ମଲିକମାନଙ୍କ ହାତରେ, ସରକାର କେବଳ ସେମାନଙ୍କ ହାତରେ କଣ୍ଢେଇ, ସେମାନେ ଯେମିତି ନଚେଇବେ ସରକାର ସେମିତି ନାଚିବେ । ଆପଣ କିଛି ନ ଦେଲେ ବି ମୁଁ ଆଦୌ ଦୁଃଖିତ ନୁହେଁ । ଦେଶପାଇଁ, ଜାତିପାଇଁ ଯେ ଆତ୍ମବଳି ଦେଇପାରେ, ଯେ ବର୍ଷ ବର୍ଷ ଜେଲ୍ ଖଟିପାରେ, ତାଙ୍କ ପକ୍ଷରେ କୌଣସି ଅନୁଷ୍ଠାନକୁ ଦି’ଚାରି ହଜାର ଟଙ୍କା ଦେଇଦେବା ତ ଅତି ମାମୁଲି କଥା । ଆମେ ତ ଠିକ୍ କରିଛୁ ଶ୍ରୀମତୀ ଗୋବିନ୍ଦୀ ଦେବୀ ଏହି ଅନୁଷ୍ଠାନର ଶୁଭ ଦେବେ । ଆମେ ଆଜି ଲାଟସାହେବଙ୍କ ସଙ୍ଗେ ଦେଖା କରିବାକୁ ଯାଉଛୁ, ସେ ନିଶ୍ଚୟ ଆମକୁ ସାହାଯ୍ୟ କରିବେ, ଏଥିରେ ତିଳେହେଲେ ସନ୍ଦେହ ନାହିଁ । ଲାଟଙ୍କ ପତ୍ନୀ ଶ୍ରୀମତୀ ୱିଲସନ ମହିଳା ଆନ୍ଦଳନକୁ କେତେ ଭଲପା’ନ୍ତି ଆପଣ ତ ଜାଣନ୍ତି । ରାଜାସାହେବ ହେରିକା ସମସ୍ତେ କହୁଥିଲେ ଶୁଭ ଦେବାଲାଗି ତାଙ୍କୁ ଡାକିବା ପାଇଁ, ମାତ୍ର ଆମେ ମନାକଲୁ । ଅମେ ଚାହୁଁ ଆମ ଦେଶର ଜଣେ କେହି ଭଭଣୀଙ୍କ ହାତରେ ଏହି ଶୁଭକାମ ହେବା ଭଚିଚ । ସେଥିପାଇଁ ଆମେ ଗୋବିନ୍ଦୀ ଦେବୀଙ୍କୁ ଠିକ୍ କରିଛୁଁ । ମୋର ଅନୁରୋଧ, ଆପଣ ଅନ୍ତତଃ ଏହି ଶୁଭ ମୁହୂର୍ତ୍ତରେ ଆମ ଅନୁଷ୍ଠାନରେ ଟିକିଏ ପାଦଦେଇ ଆମକୁ ଅନୁଗୃହୀତ କରିବେ ।

ଖନ୍ନା ସାହେବ ଚିକିଏ ଉପହାସ କରି କହିଲେ–ହିଁ, ଲାଟସାହେବ ଯେତେବେଳେ ଆସିବେ, ଆମକୁ ଯେମିତିହେଲେ ଯିବାକୁ ହେବ । ଧନୀଲୋକମାନଙ୍କୁ ଜାଲରେ ପକାଇବାକୁ ଇଏ ଗୋଟେ ସହଜ ଉପାୟ । ଆପଣମାନଙ୍କୁ ଠିକ୍ ଉପାୟ ସବୁ ଜଣା । ଆମ ଧନୀଲୋକଗୁଡ଼ା ବି ସେମିତି ବୋକାବନି ଟଙ୍କା ଗଣିବାରେ ଲାଗିଛନ୍ତି ।

‘ଟଙ୍କା ବେଶି ଗଦାକରି ଆପଣମାନେ ଆଉ କ’ଣ କରନ୍ତେ ? ସେଥିପାଇଁ ଆମେମାନେ ଆପଣମାନଙ୍କ ପାଇଁ ଖର୍ଚ୍ଚର ବାଟ ତିଆରି କରି ଦେଉଛୁ । ଯଦି ଭଲ ବାଟରେ ଖରଚ ନ ହୁଏ, ତେବେ ଜୁଆଖେଳରେ ଯିବ, ନହିଲେ ଘୋଡ଼ା ଦଉଡ଼ରେ ଯିବ, ନହିଲେ ମଦପିଆରେ ଯିବ । ଯେମିତି ହେଲେ ତ ଖର୍ଚ୍ଚ ହେବ, ଆଉ ଯିବ କୁଆଡ଼େ ?’

ସେତେବେଳକୁ ଏଗାର ବାଜିବା ଉପରେ । ଖନ୍ନା ସାହେବଙ୍କର ଅଫିସ ଯିବାବେଳ ହେଲାରୁ ମେହେତା ସାହେବ ଚାଲିଗଲେ । ରାୟସାହେବ ଯିବାପାଇଁ ଉଠି ଠିଆ ହେଲେ । କିନ୍ତୁ ଖନ୍ନା ସାହେବ ତାଙ୍କ ହାତଧରି ପୁଣି ବସାଇଦେଇ କହିଲେ, କୁଆଡ଼େ ଯାଉଛନ୍ତି, ଆଉ ଟିକିଏ ବସନ୍ତୁ । ଆପଣ ଦେଖୁଛନ୍ତି, ମେହେତା ମୋତେ କେମିତି ହଇରାଣରେ ପକାଇଛନ୍ତି, ଏଥିରୁ ରକ୍ଷା ପାଇବା ତ ବଡ଼ ମୁସ୍କିଲ । ଆଚ୍ଛା, ଗୋବିନ୍ଦୀ ଦେବୀ ଯେତେବେଳେ ଶୁଭ ଦେବେ, ମୁଁ ଅଲଗା ରହିବି କେମିତି କହିଲେ ! ଲୋକେ ହସିବେ ନାହିଁ ଆଗ । ମୁଁ ତ ମୋଟେ ବୁଝିପାରୁ ନାହିଁ, ଗୋବିନ୍ଦୀ ଦେବୀ ଏଥିରେ ରାଜି ହେଲେ କେମିତି ? ପୁଣି ମାଳତୀ ଏକଥା ସହିଲା କେମିତି ? ଆପଣ କ’ଣ ଭାବୁଛନ୍ତି ? ଏଥିରେ ଭିତିରି ରହସ୍ୟ ବୋଧହୁଏ ଆଉ କିଛି ଅଛି । ରାୟସାହେବ ଓ ଟିକିଏ ଆତ୍ମୀୟତା ଦେଖାଇ କହିଲେ, ଏସବୁ କଥାରେ ସ୍ତ୍ରୀମାନଙ୍କର ପୁରୁଷମାନଙ୍କୁ ଅନ୍ତତଃ ଟିକିଏ ପଚାରିନେବା ଉଚିତ ।

 

ଖନ୍ନା ରାୟସାହେବଙ୍କ ପ୍ରତି ପ୍ରସନ୍ନ ହୋଇ କହିଲେ–ଜାଣିଲେ, ମୁଁ ଏଇଥିପାଇଁ ଗୋବିନ୍ଦୀଙ୍କ ଉପରେ ରାଗେ, ଲୋକେ କିଛି ନ ବୁଝି ମୋତେ ନିନ୍ଦା କରନ୍ତି । ଆପଣ କହନ୍ତୁ ତ ଏସବୁ କାମରେ ମୋର କ’ଣ ଲାଭ ? ଯାହାଙ୍କର ପଇସା ବଳୁଛି, ସମୟ ବଳୁଛି, ଯାହାଙ୍କର ନାଁ ଦରକାର ସେ ସିନା ଏସବୁ କାମକୁ ଧାଇଁବେ, ଆମେ କାହିଁକି ଯିବୁ ? ଆମର ଏଥିରୁ କଣଟାଏ ବା ଲାଭ ହେବ ? ଏୟା ତ ହେବ, ଏଥିରୁ ପଂଝାଏ ସେକ୍ରେଟାରୀ ଆଉ ଅଣ୍ଡର–ସେକ୍ରେଟାରୀ ହୋଇ ବସିବେ । ଖୁବ୍ ଭୋଜିଭାତ କରି ହାକିମ ହୁକୁମାଙ୍କୁ ଖୁଆଇ ତାଙ୍କୁ ଖୁସି କରିବେ; ଆଉ ୟୁନିଭରସିଟି ଝିଅଙ୍କୁ ସବୁ ଆଣି ଗୋଟାଏ ଆଡ଼ା ଜମେଇବେ । ନାଁ ଖାଲି ହେବ ବ୍ୟାୟାମ । କିନ୍ତୁ ଏସବୁ ଅନୁଷ୍ଠାନରେ ଯେଉଁଠି ଦେଖିବ ଖାଲି ଏହି ପ୍ରକାର ଭଣ୍ତାମି । ଏଠି ବି ସେଇଆ ହେବ । ଆମେ ଆଉ ଆମରି ଭାଇ ବନ୍ଧୁ, ଯେଉଁମାନେ ଧନୀଲୋକ ବୋଲାଉଛନ୍ତି ସେହିମାନେ ଜାଣି ଏଥିରେ ଓଲୁ ବନୁଛନ୍ତି । ଏହି ପ୍ରକାର କାଣ୍ଡକାରଖାନା ସବୁ ଆମ ଗୋବିନ୍ଦୀ ଦେବୀଙ୍କ ଭିଆଣ !

 

ଖନ୍ନା ସାହେବ ଥରେ ଚଉକୀରୁ ଉଠିପଡ଼ି ପୁଣି ବସିଗଲେ । ଗୋବିନ୍ଦୀଙ୍କ ପ୍ରତି ତାଙ୍କ ରାଗ ବେଳୁବେଳ ଜଳି ଉଠିଲା । ମୁଣ୍ତରେ ହାତ ଦେଇ ବସିପଡ଼ି କହିଲେ, ମୁଁ କ’ଣ କରିବି, ମୋତେ କିଛି ବୁଦ୍ଧି ଦିଶୁ ନାହିଁ ।

 

ରାୟସାହେବ ଟିକିଏ ସହାନୁଭୂତି ଦେଖାଇ କହିଲେ–ନାହିଁ, ଆଉ କରିବେ କ’ଣ ? ଆପଣ ତ ଗୋବିନ୍ଦୀ ଦେବୀଙ୍କୁ ସଫା ସଫା କହିଦେବେ, ସେ ମେହେତାକୁ ମନାକରି ଚିଠି ଲେଖିଦେବେ । ମୁଁ ସିନା ଏ ଠକାମିରେ ପଡ଼ିଗଲି, ଆପଣ ଏଥିରେ ପଡ଼ିବେ କାହିଁକି ?

 

ଖନ୍ନା ସାହେବ ଟିକିଏ କ’ଣ ଭାବିଲାପରି ହୋଇ ପୁଣି କହିଲେ–ଦେଖିଲେ, କେଡ଼େ ହଇରାଣ କଥା । ଲେଡ଼ି ୱିଲସନ ଏକଥା ଜାଣି ସାରିଲେଣି, ସହରଯାକ ଲୋକ ବି ଜାଣିବେଣି, ଆଜି ହୁଏତ ଖବର କାଗଜରେ ବାହାରି ପଡ଼ିଥିବ । ମଣିଷ ଏଥିରେ କ’ଣ କରିବ କହିଲେ । ମୋତେ ହଇରାଣ କରିବା ପାଇଁ ଏସବୁ ମାଳତୀର କାଣ୍ଡ ଛଡ଼ା ଆଉ କିଛି ନୁହେଁ ।

 

‘ହଁ, ସେଇମିତିଆ କିଛି ଜଣାପଡ଼ୁଛି ।’

 

‘ସେ ମୋତେ ଅପମାନ ଦେବାକୁ ଚାହେଁ ।’

 

‘କାହିଁକି, ଆପଣ ଗୋଟାଏ କାମ କରୁ ନାହାନ୍ତି, ଶୁଭ ପଡ଼ିବାର ଦିନକ ଆଗରୁ ବାହାରକୁ କୁଆଡ଼େ ଚାଲିଯାଉ ନାହାନ୍ତି ?’

 

‘ଏସବୁ ବଡ଼ ହଇରାଣ କଥା, ରାୟସାହେବ । ଲୁଚିକରି ଯାଇ ପୁଣି କେଉଁଠି ମୁହଁ ଦେଖାଇବି ? ଯାହା ଦେଖୁଛି, ମୋତେ ସେଦିନ ହଇଜା ଧରିଲେ ବି ସେଠିକି ନ ଯାଇ ମୋର ଆଉ ଚାରା ନାହିଁ ।

 

ରାୟସାହେବ ତହିଁଆରଦିନ ଆସିବେ ବୋଲି କହି ଚାଲିଯିବା ପରେ ପରେ ଖନ୍ନା ସାହେବ ଘର ଭିତରକୁ ଯାଇ ଗୋବିନ୍ଦୀଙ୍କ ସଙ୍ଗେ ଝଗଡ଼ା ଆରମ୍ଭ କରିଦେଲେ; କହିଲେ–ତମେ ସେ ବ୍ୟାୟାମଶାଳାରେ ଶୁଭ ପକାଇବା ପାଇଁ ରାଜିହେଲେ କାହିଁକି ?

 

ଏଡ଼େ ବଡ଼ ସମ୍ମାନ ପାଇ ସେ ଯେ ଭାରି ଖୁସି ହୋଇଛନ୍ତି ଏକଥା କହନ୍ତେ ଅବା କେମିତି । ସେ ପ୍ରସ୍ତାବ ଆସିଲାଦିନୁ ଦିନରାତି ଆପଣା ବକ୍ତୃତା ଲେଖିବାରେ ଲାଗିପଡ଼ିଛନ୍ତି, ବଢ଼ିଆ କବିତା ବି ଲେଖିଛନ୍ତି । ଏଥିରେ ତାଙ୍କର ସ୍ଵାମୀଙ୍କର ସମ୍ମାନ ବଢ଼ିଯିବ ବୋଲି ଭାବିକରି ସିନା ସେ ସେହି ପ୍ରସ୍ତାବକୁ ସ୍ଵୀକାର କରିଥିଲେ, ଖନ୍ନା ଏଥିରେ ଆପତ୍ତି କରିବେ ବୋଲି ସେ ତ କେବେ କଳ୍ପନା ସୁଦ୍ଧା କରି ନଥିଲେ । ଗଲା କେତେଦିନ ହେଲା ଖନ୍ନା ତାଙ୍କ ପ୍ରତି ଟିକିଏ ଭଲ ବ୍ୟବହାର କରୁଥିବାରୁ ବରଂ ତାଙ୍କ ମନ ଭାରି ଖୁସି ଥିଲା । ତା’ଛଡ଼ା ନିଜ ବକ୍ତୃତା ତଥା କବିତାଦ୍ଵାରା ଲୋକଙ୍କୁ ସେ ମୁଗ୍ଧ କରିଦେବେ, ଏହି ସ୍ଵପ୍ନ ଦେଖି ଦେଖି ମନ ତାଙ୍କର ଆହୁରି ଖୁସି ହୋଇଯାଇଥିଲା ।

 

କିନ୍ତୁ ଖନ୍ନାଙ୍କର ଏ ପ୍ରକାର ପ୍ରଶ୍ନ ଶୁଣି ଆଉ ତାଙ୍କ ରଙ୍ଗଢ଼ଙ୍ଗ ଦେଖି ବିଚାରୀଙ୍କୁ ଭାରି ଡର ମାଡ଼ିଲା । କୌଣସି ଗୋଟାଏ ଗୁରୁତର ଦୋଷ କଲାପରି କହିଲେ, ମୁଁ ଆଉ କ’ଣ କରିଥାନ୍ତି, ମେହେତା ସାହେବ ଭାରି ଲଗେଇବାରୁ ମୁଁ ହଁ କରିଦେଲି ।

 

ମେହେତା ସାହେବ ତମକୁ କୂଅରେ ଡେଇଁ ପଡ଼ିବାକୁ କହିଲେ କ’ଣ ତମେ ଡେଇଁ ପଡ଼ିବ ?’

 

ଗୋବିନ୍ଦୀ ଆଉ କ’ଣ କହନ୍ତେ, ଚୁପ୍ ହୋଇଗଲେ ।

 

‘ତମକୁ ଯଦି ଭଗବାନ ବୁଦ୍ଧି ଦେଇ ନାହାନ୍ତି, ତେବେ ତମେ ମୋତେ ପଚାରୁନ କାହିଁକି-? ତମେ ଜାଣ, ମାଳତୀ ଆଉ ମେହେତା ଦିହେଁ ମିଶି ମୋ’ଠୁ ଦି’ଚାରି ହଜାର ଟଙ୍କା ମାରିନେବା ପାଇଁ ଏ ସୂତ୍ର କରିଛନ୍ତି । ମୁଁ ତ ମନାକରି ଦେଇଛି, ମୁଁ ଅଧଲାଟାଏ ବି ଦେଇ ପାରିବି ନାହିଁ । ତମେ ମେହେତାଙ୍କୁ ଏଇ ବର୍ତ୍ତମାନ ମନାକରି ଚିଠି ଲେଖିଦିଅ, ତମେ ଯାଇପାରିବ ନାହିଁ ।’

 

‘ଗୋବିନ୍ଦୀ ଟିକିଏ ଭାବି ଭାବି କହିଲେ, ତମେ ଟିକିଏ ଲେଖି ଦେଉନ ?

 

‘ମୁଁ କାହିଁକି ଲେଖିବି, ତମେ ଜବାବ ଦେବ, ଆଉ ମୁଁ ଲେଖିବି ?’

 

‘ଡାକ୍ତର ସାହେବ କାରଣ ପଚାରିଲେ, ମୁଁ କ’ଣ କହିବି ?’

 

‘କ’ଣ କହିବ, ତମ ମୁଣ୍ଡଗଣ୍ଡି କହିବ, ମୁଁ ସେ ବଜାରୀ ଆଖେଡ଼ାକୁ ପଇସାଟାଏ ବି ଦେବି ନାହିଁ ।’

 

‘କାହିଁକି ? ତୁମକୁ ଦେବାକୁ କିଏ କହୁଛି କି ।’

 

ଖନ୍ନା ଖୁବ୍ ଚିଡ଼ିଯାଇ ରାଗରେ ଓଠ କାମୁଡ଼ି ହୋଇ କହିଲେ, କି ଅବୁଝା କଥାଗୁଡ଼ା ତମେ କହ ମ ! ତମେ ଯାଇ ସେଠି ଶୁଭ ପକାଇବ, ଆଉ କିଛି ଦେବ ନାହିଁ, ଲୋକେ ଆଗ କହିବେ କ’ଣ !

 

ଗୋବିନ୍ଦୀ ସାଙ୍ଗେ ସାଙ୍ଗେ ଓଲଟିପଡ଼ି କହିଲେ, ଆଚ୍ଛା ହେଉ, ତା’ ହେଲେ ଲେଖିଦେବି-

 

‘ଆଉ ଦେବି କ’ଣ, ଲେଖିବ ତ ଏଇନେ ଲେଖ ।’

 

‘କହିଲି ତ ଲେଖିବି, ଆଉ ଫେର୍ କ’ଣ ?’

 

ତା’ପରେ ଖନ୍ନା ବାହାରକୁ ଚାଲିଆସି ଡାକ ଦେଖିବାକୁ ଲାଗିଲେ । ସେଦିନ ତାଙ୍କର ଅଫିସ ଯିବା ଡେରି ହୋଇ ଯାଇଥିବାରୁ ଡାକସବୁ ଘରକୁ ଆସିଯାଇଥିଲା । ପ୍ରଥମ ଚିଠି ଖୋଲିଲାବେଳକୁ ଦେଖିଲେ ଚିନିର ଭାଉ ବଢ଼ିଯାଇଛି । ଖନ୍ନାଙ୍କର ମନ କାହିଁରେ କ’ଣ ଖୁସି ହୋଇଗଲା । ଆଉଗୋଟେ ଚିଠି ଖୋଲିଲାବେଳକୁ ଦେଖିଲେ ଆଖୁ ଦର କଣ୍ଟ୍ରୋଲ କରିବା ପାଇଁ ଯେଉଁ ବୋର୍ଡ଼ ବସିଥିଲା ସେଥିରେ ଠିକ୍ ହେଲା ଯେ ଆଖୁ ଦର କଣ୍ଟ୍ରୋଲ ହୋଇପାରିବ ନାହିଁ । ସେଟା ହେଉଛି ମିଲ୍‍ ମାଲିକ ଆଉ ଚାଷୀମାନଙ୍କ ଭିତରର କଥା, ସେଥିରେ ସରକାର କିଛି କରିପାରିବେ ନାହିଁ । ଖନ୍ନା ସାହେବ ସେହି କଥା ଆଗରୁ କହୁଥିଲେ ଟି ! ନ ମାନିକରି ଅନ୍ୟମାନେ ମିଛରେ ଗୋଟାଏ କମିଟି ବସେଇ ଶେଷକୁ ଚାପୁଡ଼ା ଖାଇବା କଥା ହେଲା । ଖନ୍ନାଙ୍କ ମନ ସେଥିରେ ଟିକିଏ ପୁଣି ବିଗିଡ଼ି ଗଲା ।

 

ଠିକ୍ ଏତିକି ବେଳକୁ ମାଳତୀ ଆସି ଗାଡ଼ିରୁ ଓହ୍ଲାଇଲେ । ସତେ ଯେମିତି ଗୋଟାଏ ଫୁଟନ୍ତା ପଦ୍ମ, ଆଲୁଅ ପରି ଚମକ, ଆନନ୍ଦ ଉଲ୍ଲାସରେ କାହିଁରେ କ’ଣ ପ୍ରଫୁଲ୍ଲ, ନିଃଶଙ୍କ, ନିଦ୍ୱନ୍ଦ୍ୱ, ସତେ ଯେମିତି ଦୁନିଆର ସବୁ ସୁଖସମ୍ଭୋଗର ଦ୍ଵାର ତାଙ୍କ ପାଇଁ ଖୋଲା ରହିଛି । ତାଙ୍କ ଉପରେ ଦୃଷ୍ଟି ପଡ଼ିବାମାତ୍ରେ ଖନ୍ନା ସାହେବ ବାହାରକୁ ବାହାରିଆସି ତାଙ୍କୁ ପାଛୋଟି ନେଲେ ।

 

ମାଳତୀ ପଚାରିଲେ, ମେହେତା ସାହେବ ଏଠିକି ଆସିଥିଲେ କି ?

 

‘ହଁ, ଆସିଥିଲେ ତ ।’

 

‘କୁଆଡ଼େ ଗଲେ ଆପଣଙ୍କୁ କିଛି କହିଛନ୍ତି କି ?’

 

‘ନାହିଁ, କିଛି କହି ନାହାନ୍ତି ତ ।’

 

‘ମୁଁ ତ ସବୁଆଡ଼ ଖୋଜି ଆସିଲିଣି, ଆଉ ଗଲେ କୁଆଡ଼େ ? ଆପଣ ବ୍ୟାୟାମଶାଳା ପାଇଁ କେତେ ଟଙ୍କା ଦେଲେ ?’

 

ଖନ୍ନା ଅପରାଧୀଙ୍କ ପରି କହିଲେ, ମୁଁ ତ ଏ ପର୍ଯ୍ୟନ୍ତ ସେ ଘଟଣା କ’ଣ କିଛି ବୁଝିପାରି ନାହିଁ ।

 

ମାଳତୀ ଏକଥା ଶୁଣି ଏଡ଼େ ଏଡ଼େ ଆଖି କରି ଅନେଇ ରହିଲେ । ଏମିତି ଲୋକଙ୍କ ପ୍ରତି ରାଗିବେ କି ଦୟା କରିବେ କିଛି ବୁଝିପାରିଲେ ନାହିଁ । ତା’ପରେ କହିଲେ, ଏଥିରେ ବୁଝିବା କଥା ଗୋଟେ କ’ଣ ଥିଲା ? ଯଦି ଅବା ବୁଝି ନ ପାରିଲେ, ପରେ ବୁଝିଯାନ୍ତେ କିନ୍ତୁ ଆଗ ତ ପଇସା ଦେବା କଥା । ମେହେତା ତ ଡରିକରି ମୋଟେ ଆସୁ ନଥିଲେ, ମୁଁ ତାଙ୍କୁ ଠେଲି କରି ଏଠି ପଠାଇଥିଲି । ଏମିତିଆ ଚୋଠାଗିରିରେ ଆପଣଙ୍କର କ’ଣ କ୍ଷତି ହେବ ସେ କଥା ବୋଧହୁଏ ଆପଣ ଜାଣି ନାହାନ୍ତି । ମନେ ରଖିଥାନ୍ତୁ ବ୍ୟବସାୟୀଙ୍କ ତରଫରୁ ଆପଣଙ୍କୁ ଆଉ ଅଧଲାଟାଏ ବି ମିଳିବ ନାହିଁ । ସମସ୍ତେ ଲଗେଇଥିଲେ ଲେଡ଼ୀ ୱିଲସନ୍‍ଙ୍କୁ ଆଣିବା ପାଇଁ । ମୁଁ ଲଢ଼ିକରି ସମସ୍ତଙ୍କୁ ରାଜି କରାଇନେଲି ଯେ ଗୋବିନ୍ଦୀ ଦେବୀ ଏହି ଶୁଭ ପକାଇବେ । ଆପଣ ପୁଣି ଏଥିରେ କହୁଛନ୍ତି ଯେ ଆପଣ କିଛି ବୁଝିପାରୁ ନାହାନ୍ତି । ଆପଣ ବ୍ୟାଙ୍କର ଟିକିନିଖି ହିସାବ ସବୁ ବୁଝି ପାରୁଛନ୍ତି । ଅଥଚ ଏହି ସାଧାରଣ କଥାଟା ବୁଝି ପାରିଲେ ନାହିଁ । ୟା’ର ଅର୍ଥ ହେଇଛି ଯେ ଆପଣ ମୋତେ ଅପମାନିତ କରିବାକୁ ଚାହାନ୍ତି । ଆଚ୍ଛା ହଉ, ଦେଖାଯାଉ ।

 

ମାଳତୀ ରାଗରେ ଲାଲ ପଡ଼ିଗଲେ । ଖନ୍ନା ଟିକିଏ ଅସୁବିଧାରେ ପଡ଼ିଗଲେ । ମନେ ମନେ ଭାବିଲେ, ସେ ସିନା କଣ୍ଟାରେ ପଡ଼ି ଯାଇଛନ୍ତି, କିନ୍ତୁ ମାଳତୀ ଯେ ପଙ୍କରେ ପଡ଼ି ଯାଇଛନ୍ତି । ତାଙ୍କର ସିନା ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ଭୟ, ମାଳତୀଙ୍କର ଯେ ସମ୍ମାନ ଚାଲିଯିବାର ଭୟ । ଅବଶ୍ୟ ଟଙ୍କା ଅପେକ୍ଷା ସମ୍ମାନର ମୂଲ୍ୟ କେତେ ବେଶି ତାହା ସମସ୍ତେ ଜାଣନ୍ତି । ପୁଣି ଭାବିଲେ, ମାଳତୀ ଯେତେବେଳେ ଅସୁବିଧାରେ ପଡ଼ିଛନ୍ତି ଏତେବେଳେ ସେ ଟିକିଏ ମଜା ଦେଖିବେ ନାହିଁ କାହିଁକି ? ଯଦିଓ ମାଳତୀଙ୍କୁ ରଗେଇବାର ସାହସ ତାଙ୍କର ନ ଥିଲା ତଥାପି ସୁବିଧା ପଡ଼ିଛି ଯେତେବେଳେ ଦି’ଚାରି ପଦ ନ ଶୁଣେଇ ଛାଡ଼ିବେ କାହିଁକି ? ସେ ମାଳତୀଙ୍କୁ ଦେଖାଇଦେବାକୁ ଚାହାନ୍ତି ଯେ ମାଳତୀ ତାଙ୍କୁ ଯେତେ ଓଲୁ ବୋଲି ଭାବନ୍ତି ସେ ସେତେ ଓଲୁ ନୁହନ୍ତି । ମାଳତୀ ରାଗିକରି ବାହାରି ଯାଉଥିଲାବେଳେ ଖନ୍ନା ସାହେବ ତାଙ୍କ ରାସ୍ତା ଜଗି କହିଲେ–ମାଳତୀ, ତମେ ଯେ ମୋ’ପ୍ରତି ଏଡ଼େ ଦୟାଳୁ ହୋଇପଡ଼ିଛ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।’

 

ମାଳତୀ ଭ୍ରୂକୂଞ୍ଚନ କରି କହିଲେ, ତମେ କ’ଣ କହୁଛ, ମୁଁ ତ କିଛି ବୁଝି ପାରୁନାହିଁ ?

 

‘ହଁ, କିଛିଦିନ ଆଗେ ତମ ସଙ୍ଗେ ମୋ ଯେଉଁ ସମ୍ପର୍କ ଥିଲା, ସେ କ’ଣ ଆଜି ଆଉ ଅଛି-?

 

‘କାହିଁ, ମୁଁ ତ କିଛି ତଫାତ୍ ଦେଖିପାରୁ ନାହିଁ ।’

 

‘କିନ୍ତୁ ମୋତେ ତ ଆକାଶ ପାତାଳ ପ୍ରଭେଦ ଦେଖାଯାଉଛି ।’

 

‘ହେଉ ହେଲା, ତମେ ଯାହା ଭାବୁଛ ଠିକ୍ ହେଲା, ସେଠୁ ହେଲା କ’ଣ ? ଗୋଟାଏ ଭଲ କାମରେ ତମଠୁ କିଛି ଚାନ୍ଦା ନେବାକୁ ମୁଁ ଆସିଥିଲି, ମୁଁ ଆସି ନଥିଲି ଏଠି ମୋ’ ବ୍ୟବହାରର ପରୀକ୍ଷା ଦେବାପାଇଁ । ଚାନ୍ଦାଦେଇ ଧନ୍ୟବାଦ ପାଇବା ଛଡ଼ା ତମେ ଯଦି ଆଉ କିଛି ଅଧିକା ଆଶା କରିଥା, ତେବେ ସେ’ଟା ତମର ଭୁଲ୍ ।

 

ଖନ୍ନା ହାରିଗଲେ । ବିଚରା ଏମିତି ଅସୁବିଧାରେ ପଡ଼ିଗଲେ ଯେ ଆଉ ଏକରସେକର ହେବାକୁ ବାଟ ନ ଥିଲା । ତାଙ୍କର କେଉଁଠି ସାହସ ଥିଲା ଯେ ସେ କହିଥାନ୍ତେ–ମୁଁ ତମପାଇଁ ହଜାର ହଜାର ଟଙ୍କା ଉଡ଼େଇ ଦେଲି, ତା’ରି ପୁରସ୍କାର କ’ଣ ଏଇଆ ? ବରଂ ଲାଜରେ ମୁହଁ ତାଙ୍କର ଶୁଖି କଳା ପଡ଼ିଗଲା । ଲାଜ ଲାଜ ହୋଇ କହିଲେ–ମୋର ଉଦ୍ଦେଶ୍ୟ ୟା’ ନଥିଲା, ତମେ ମୋତେ ଭୁଲ୍ ବୁଝିଛ ମାଳତୀ ।

 

ମାଳତୀ ଉପହାସ କରି କହିଲେ, ଭଗବାନ କରନ୍ତୁ, ମୁଁ ଯାହା ବୁଝିଛି ତା ମିଥ୍ୟା ହେଉ । ନାହିଁ ଯଦି ତା’ ସତ ହୋଇଥାଏ, ତେବେ ମୁଁ ତମ ଛାଇ ପର୍ଯ୍ୟନ୍ତ ମାଡ଼ିବାକୁ ଚାହେ ନାହିଁ । ମୁଁ ସୁନ୍ଦରୀ, ସେଥିପାଇଁ ମୋ ପ୍ରତି ଯେତେ ଲୋକଙ୍କର ଆଖି, ସେମାନଙ୍କ ଭିତରୁ ତମେ ବି ଜଣେ । ତମ ଭାଗ୍ୟ ଭଲ ଯେ ମୁଁ ଅନ୍ୟ ଲୋକର ଉପହାର ଫେରେଇ ଦେଲାବେଳେ ତମର ଅତି ଛୋଟ ଛୋଟ ଉପହାର ବି ଆନନ୍ଦରେ ଗ୍ରହଣ କରୁଥିଲି । ସେଟା ତମ ପ୍ରତି ମୋର ଦୟା । ହଁ, ଦରକାରବେଳେ ତମଠୁ ଟଙ୍କା ପଇସା ବି ମଗାଇ ନେଉଥିଲି, କିନ୍ତୁ ଧନ ଗର୍ବରେ ତମେ ଯଦି ୟା’ର ଅନ୍ୟ କୌଣସି ଅର୍ଥ ବୁଝିଥା, ତେବେ ତମକୁ ମୁଁ କ୍ଷମା କରିବାପାଇଁ ପ୍ରସ୍ତୁତ । ପୁରୁଷମାନଙ୍କ ପକ୍ଷରେ ଏମିତି ଅନର୍ଥ ବୁଝିବା ଅସମ୍ଭବ ନୁହେଁ । କିନ୍ତୁ ମନେ ରଖିଥା, ପୁରୁଷର ଧନସମ୍ପଦ କେବେହେଲେ ନାରୀ ହୃଦୟକୁ କିଣି ନେଇପାରେ ନାହିଁ । କେବେ ହୋଇ ନାହିଁ, କେବେ ହୋଇପାରିବ ନାହିଁ ।

 

ସତେ ଯେମିତି ମାଳତୀଙ୍କ ପଦେ ପଦେ କଥାରେ ଖନ୍ନା ସାହେବ ହାତେ ହାତେ ଭୂଇଁରେ ପଶି ଯାଉଥିଲେ । ଆଉ ବେଶି ମାଡ଼ ଖାଇବା ପାଇଁ ବିଚାରାଙ୍କର ବଳ ନଥିଲା । ଭାରି ଲଜ୍ଜିତ ହୋଇ କହିଲେ–ମାଳତୀ ମୁଁ ତମ ଗୋଡ଼ତଳେ ପଡ଼ୁଛି, ମତେ ଆଉ ଅପମାନ ଦିଅ ନାହିଁ, ଆମମାନଙ୍କ ଭିତରେ ସଦଭାବ ଅନ୍ତତଃ ରହିଥାଉ । ଏତିକି କହି ଖନ୍ନା ସାହେବ ଚେକ୍ ବହି କାଢ଼ି ହଜାର ଟଙ୍କାର ଏକ ଚେକ୍ କାଟି ଡରି ଡରି ମାଳତୀଙ୍କ ହାତକୁ ବଢ଼ାଇ ଦେଲେ ।

 

ମାଳତୀ ଚେକ୍ ନେଇ ଖୁବ୍ ଉପହାସ କରି କହିଲେ, ଏଇ ମୋ ବ୍ୟବହାରର ଦାମ୍, ନା ବ୍ୟାୟାମଶାଳାର ଚାନ୍ଦା ?

 

ଖନ୍ନା କାନ୍ଦ କାନ୍ଦ ହୋଇ କହିଲେ, ମୋତେ ଏବେ ରକ୍ଷାକର, କାହିଁକି ଆଉ ଏତେ ଅପମାନ ଦେଉଛ ?

 

ମାଳତୀ ବଡ଼ ଜୋରରେ ହସି ହସି କହିଲେ, ବୁଝିଲ ବେଜିତକୁ ବେଜିତ୍ ଖାଇଲ, ହଜାର ଟଙ୍କା ତଣ୍ଡ ଦେଲ, ଆଉ ଏମିତି କେବେ କରିବ ନାହିଁ ତ ?

 

‘ନାହିଁ, ଆଉ ଜୀବନ ଥିବାଯାକେ କେବେ କରିବି ନାହିଁ ।’

 

‘କାନ ମୋଡ଼ି ହ ।’

 

‘ଆଚ୍ଛା, ମୁଁ କାନ ମୋଡ଼ି ହେଉଛି, ଦୟାକରି ତମେ ଯା’ ଆଉ ଏକୁଟିଆ ବସି ମତେ ଏସବୁ ବିଚାରକରିବା ପାଇଁ ଆଉ କାନ୍ଦିବା ପାଇଁ ଟିକିଏ ସୁବିଧା ଦିଅ । ତମେ ଆଜି ମୋ ଜୀବନର ସବୁ ଆନନ୍ଦ..... ।

 

ମାଳତୀ ଖୁବ୍ ଜୋରରେ ହସି ହସି କହିଲେ, ଦେଖ ଖନ୍ନା, ତମେ ମତେ ଭାରି ଅପମାନିତ କରୁଛ । କିନ୍ତୁ ଜାଣିଥା, ସୁନ୍ଦରୀ ସ୍ତ୍ରୀ କେବେ ଅପମାନ ସହ୍ୟ କରିପାରେନା । ମୁଁ ତ ତମର ଭଲ କରିଛି, କିନ୍ତୁ ତମେ ତାକୁ ଖରାପ ବୁଝୁଛ ।

 

ଖନ୍ନା ବିଦ୍ରୋହଭାବ ପ୍ରକଟ କରି କହିଲେ, ତମେ ମୋର ଉପକାର କରିଛ ନା ଓଲଟି ଛୁରି ଧରି ମୋ ତଣ୍ଟି କାଟିଛ ?

 

‘କାହିଁକି, ମୁଁ କ’ଣ ତମ ସମ୍ପତ୍ତି ଲୁଟିକରି ମୋ ଘର ଭର୍ତ୍ତି କରିବାକୁ ଯାଉଥିଲି କି ?’

 

‘କାହିଁକି ଆଉ ମାଳତୀ, କଟାଘା’ରେ ଲୁଣ ଦେଇଛ ? କିଛି ନହେଲେ ମୁଁ ତ ପୁଣି ଗୋଟାଏ ମଣିଷ !’

 

ମାଳତୀ ଖନ୍ନାଙ୍କ ଆଡ଼କୁ ଏମିତି ଚାହିଁଲେ, ସତେ ଯେମିତି ସେ ଦେଖିବାକୁ ଚାହୁଥିଲେ ପ୍ରକୃତରେ ସେ ଗୋଟାଏ ମଣିଷ ନା ଆଉ କିଛି ।

 

‘କାହିଁ, ତମଠି ତ କୌଣସି ମଣିଷଲକ୍ଷଣ ଦେଖାଯାଉ ନାହିଁ ।’

 

‘ଆଜି ଜାଣି ମୁଁ ଜାଣିଲି ମାଳତୀ, ତମେ ଏକ ବିରାଟ ପ୍ରହେଳିକା ।’

 

‘ହଁ, ତମ ନିକଟରେ ଆଜି ମୁଁ ଏକ ପ୍ରହେଳିକା ଏବଂ ଚିରଦିନ ଏହି ପ୍ରହେଳିକା ହୋଇ ରହିବି ।’

 

ଏତିକି କହି ମାଳତୀ ଦେବୀ ମଟର ଧରି ଫୁର୍‍ର କରି ଉଡ଼ିଗଲେ । ଖନ୍ନା ବିଚାରା ମୁଣ୍ତରେ ହାତଦେଇ ବସି ଭାବିବାକୁ ଲାଗିଲେ–ଇଏ ସତେ । ମାଳତୀର ଗୋଟାଏ ଲୀଳା ନା ତା’ର ସଚ୍ଚା ସ୍ଵରୂପ ।

Image

 

ତ୍ରୟୋବିଂଶ ପରିଚ୍ଛେଦ

 

ଗୋବରା ଆଉ ଝୁନିଆ ଚାଲିଯିବା ପରେ ଘର ଶୂନଶାନ ହୋଇଗଲା । ଛୋଟ ପିଲାଟି କଥା ଧନିୟାର ବାରମ୍ଵାର ମନେ ପଡ଼ିଲା । ଝୁନିଆ ସିନା ଖାଲି ଜନ୍ମ ଦେଇଥିଲା, ହେଲେ ଧନିୟା ତାକୁ ପାଳିଥିଲା । ହଳଦୀ ତେଲ ଲଗେଇ ଦିଏ ସେ, କଜଳ ପିନ୍ଧେଇ ଦିଏ ସେ, ଖୁଆଇ ପିଆଇ ଦିଏ ସେ, ଯେତେବେଳେ ଟିକେ ଫୁରସତ ମିଳେ, ତାକୁଇ ଧରି ଗେଲ କରି ବସେ ସେ । ପିଲାଟିର ଚିକକଣ ଗୁଲୁଗୁଲିଆ ମୁହଁଟି ଦେଖି ସବୁ ଦୁଃଖ କୁଆଡ଼େ ଭୁଲିଯାଏ । ମନ ତା’ର ଗର୍ବ ଆନନ୍ଦରେ ଫୁଲି ଉଠେ । ବାତ୍ସଲ୍ୟ ନିଶାରେ ସବୁ ବିପତ୍ତି ତା ଆଖି ଆଗରୁ ଉଭେଇଯାଏ । ଆଜି କିନ୍ତୁ ତା’ର ଦୁଃଖୀ ସଙ୍ଖାଳି ସେହି ପିଲାଟି ତା ପାଖରେ ନଥିଲା । ପିଲାଟିର ଶୋଇବା ଖଟୁଲୀଟି ଖାଲି ପଡ଼ିଥିବାର ଦେଖି ଧନିୟା ଆଖିରୁ ଲୁହ ବହି ଯାଉଥିଲା । ଯାହାକୁ ଦେଖି ସବୁ ଦୁଃଖ କଷ୍ଟ ସେ ଭୁଲି ଯାଉଥିଲା, ତାକୁଇ ଜାଣି ବିଧାତା ଆଜି ତା’ ହାତରୁ ଛଡ଼େଇ ନେଲା । ଏକା ଏକା ବସି କରି ସେ କେତେଥର ଭାବେ ଝୁନିଆର ସେ କି ଦୋଷ କରିଥିଲା ଯେ, ସେ ତାକୁ ଏମିଚି ଦଣ୍ଡ ଦେଲା । ଡାହାଣୀ କେଉଁଠୁ ଆସି ତା ସୁନାଘର ଚୂନା କରିଦେଲା, କେଜାଣି ! ଗୋବରା ତ କେବେହେଲେ ଦିନେ ମୁହଁ ଫିଟେଇ ଜବାବ ଦେଇ ନଥିଲା । ଏଇ ରାଣ୍ଡ ସିନା ତାକୁ ଶିଖେଇ ମଣେଇ ଏମିତି କଲା । ଭଗବାନ ଜାଣନ୍ତି ତାକୁ ପୁଣି ସେଠି ଯାଇ କି ନାଚ ନଚେଇବ । ଏଠେଇ ଅବା କୋଉ ପିଲା କଥା ବୁଝୁଥିଲା ନା କ’ଣ ! ଅଠିପହର ତ ସୁନ୍ଦର କଜଳ ନଗେଇ ସିନ୍ତାଣ ପକେଇ ସଜହେବାରେ ଦିନ ଯାଉଥିଲା । ସେଠେଇ ଅବା ପିଲାକୁ କୋଉ ପାଳିବ । ଆହା ! କିଏ ତାକୁ ପଚାରିବଟି ! ଏକୁଟିଆଟି ଭୂଇଁରେ ପଡ଼ି କାନ୍ଦୁଥିବ ସିନା ! ଦଇବ ଦିନେ ହେଲେ ତାକୁ ଭଲ କଲାନି-। କୋଉଦିନ ଖାସ ବୋଇଲେ, କୋଉ ଦିନ ଜର, କୋଉଦିନ ଝାଡ଼ା ବୋଇଲେ, କୋଉ ଦିନ ବାନ୍ତି, ଦିନେ ହେଲେ ଭଲ ରହିଲା ନାହିଁ । ଏଇ କଥା ମନେ ପଡ଼ି ଝୁନିଆ ଉପରେ ତାର ଭାରି ରାଗ ହେଲା । ଗୋବରା ଉପରୁ ଏବେ ବି ତା’ର ମମତା ତୁଟି ନଥିଲା । ଭାବୁଥିଲା, ଝୁନିଆ ରାଣ୍ଡ ଜାଣି ତାକୁ କଣ ଖୁଆଇ ପିଆଇ ତା ମନ ବିଗାଡ଼ି ଦେଇଛି । ଡାହାଣୀକି ସତେ କେତେ କପଟ ଜଣା । କେତେ ମନ୍ତ୍ର ପଢ଼ି ସବୁ ବିଗାଡ଼ି ଦେଲା । ଘରେ ପଛେ ଭାଉଜଙ୍କ ନାତଖାଇ ଗଡ଼ି ମରୁଥିଲା ଯେ କେହି ପଚାରୁ ନ ଥିଲେ, ଏଠେଇ ଆସି ଦେଖିଲା ଯୋଉଠୁ ରାଣୀ ହୋଇ ବସିଲା ।

 

ଧନିୟା ବ୍ୟବହାର ଦେଖି ହୋରୀ ଚିଡ଼ିକରି କହିଲା–ଯେତେବେଳେ ଦେଖିଲେ ତୁ ଖାଲି ଝୁନିଆକୁ ଦୋଷ ଦେଉଛୁ । ଆପଣା ସୁନା ତ ଭେଣ୍ଡୀ ପରକୁ କହି ଲାଭ କ’ଣ ? ଗୋବରା ତାକୁ ନ ନେଇଥିଲେ ସେ କ’ଣ ଆପେ ଆପେ ବାହାରି ଯାଇଥାନ୍ତା । ସହର ବଜାର ହାୱା ବାଜି ଆମ ପୁଅର ତ ମୁଣ୍ଡ ବିଗିଡ଼ିଗଲା, ପରକୁ ମିଛରେ ଗାଳିଦେଇ ଲାଭ କ’ଣ ?

 

ଧନିୟା ରଗଡ଼ି ପକେଇ କହିଲା–ଚୁପ୍ ରହ, ବେଶିଗୁଡ଼େ ଆଉ ବକବକ କର ନାହିଁ । ତମରି ଯୋଗୁ ଜାଣି ସେ ରାଣ୍ତ ବେଶି ମୋ’ରି ମୁଣ୍ଡରେ ଚଢ଼ିଲା । ନାହିଁ ତ’ ପହିଲେ ଯେତେବେଳେ ଆସିଥିଲା, ସେତିକିବେଳେ ମୁଁ ତାକୁ ଛାଞ୍ଚୁଣି ପାହାର ଦେଇ ବିଦା କରି ଦେଇଥାନ୍ତି ।

 

ଖଳାରେ ଧାନ କଳେଇ ସବୁ ଗଦା ହୋଇଥିଲା । ହୋରୀ ବେଙ୍ଗଳା କରିବା ପାଇଁ ବଳଦ ନେଇ ଯାଉ ଯାଉ ପଛକୁ ଅନେଇଦେଇ କହିଲା–ହେଲା, ଯଦି ବୋହୂ ଅବା ଗୋବରାକୁ ଶିଖାଇଲା ୟା’ ବୋଲି ତୁ ଏତେ ବାଡ଼େଇ ହେଉଛୁ କିଆଁ ? ଦୁନିଆଯାକ ଯାହା କରୁଛନ୍ତି ଗୋବରା ତ ସେଇଆ କଲା ! ନୂଆ କଥାଟାଏ ଏବେ କ’ଣ କଲା ଯେ ଆମର ଏତେ ଚିନ୍ତା ପଡ଼ିଛି । ତା’ର ଏଣିକି ପିଲାଛୁଆ ହେଲେ, ତାଙ୍କ କଥା ସେ ବୁଝିବ । ମୋ ପିଲାଛୁଆଙ୍କ ପାଇଁ ସେ କାହିଁକି କଷ୍ଟ କରିବ, ମୋ ବୋଝ ସେ କାହିଁକି ଉଠାଇବ ?

 

‘ତମେ ଏକା ଜାଣି ସବୁ କଳିର ମଞ୍ଜି ।’

 

‘ତା’ହେଲେ ମତେ ଘରୁ ବାହାର କରିଦେ, ମୁଁ ବସିକରି ହୁକା ଟାଣୁଛି, ତୁ ବଳଦ ନେଇକରି ଯା’ ବେଙ୍ଗଳା କରିବୁ ।’

 

‘ତମେ ଆଗ ଯା’ ଚକି ପେଶ, ମୁଁ ଯାଇଁ ବେଙ୍ଗଳା କରିବି ।’

 

ଥଟ୍ଟା ପରିହାସରେ କଳିକଜା ପୁଣି ସବୁ କୁଆଡ଼େ ତୁଟିଗଲା । ତାଙ୍କ କଳିକଜା ତୁଟିବା ପାଇଁ ଏଇମାତ୍ର ଥିଲା ଔଷଧ । ହୋରୀ ବଳଦ ନେଇ ଖଳାକୁ ଚାଲିଗଲା, ଧନିୟା ରୂପାର ମୁଣ୍ତ ବାନ୍ଧିଦେବାକୁ ବସିଗଲା । ବସନ୍ତ କାଳ, ପ୍ରକୃତିରେ ସୌନ୍ଦର୍ଯ୍ୟ ଫୁଟି ପଡ଼ୁଥିଲା, ଆମ୍ବ ଡାଳରେ ବସି କୋଇଲି ତାର କୁହୁଧ୍ଵନିରେ ଦିଗ ବିଦିଗ ଚମକେଇ ଦେଉଥିଲା । ଆମ୍ବ ବଉଳ, ନିମ, ତଥା ସୋରୀଷ ଫୁଲର ଗନ୍ଧ ମିଶି ଏକ ଅପୂର୍ବ ସୁବାସ ପବନରେ ଘୂରି ବୁଲୁଥିଲା । ହୋରୀ ଖଳା ପାଖ ତୋଟାରେ ପହଞ୍ଚି ଦେଖିଲା, ଆମ୍ବସବୁ ତାରପରି ଓହଳିଛନ୍ତି । ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଭିତରେ ହୋରୀ ତାର ସବୁ ଦୁଃଖ ସବୁ ନିରାଶା ଭୁଲିଯାଇ ମନ ଉଲ୍ଲାସରେ ବସି ଗୀତ ଗାଇଲା ।

 

ଏମିତି ବସିଛି, ହଠାତ୍ ଦେଖିଲା, ଦୁଲାରୀ ସାହୁଆଣୀ ପାଟ ଖଣ୍ଡେ ପିନ୍ଧି ତା’ରି ଆଡ଼କୁ ମୁହାଁଇ ଆସୁଛି । ଗୋଡ଼ରେ ରୂପା ପାହୁଡ଼, ବେକରେ ସୁନାର କୁରୁଜାତକ ମାଳ । ଚେହେରା ଆଗ ଅପେକ୍ଷା ଅନେକ ଶୁଖି ଯାଇଥିଲେ ବି ଦେଖିଲେ ଟିକିଏ ଲୋଭ ହେବ । ଆଗେ ଆଗେ ହୋରୀ ଯେତେବେଳେ ଖଳାରେ କାମ କରୁଥାଏ, ସାହୁଆଣୀ ଆସିଲେ ତାକୁ ଭାଉଜ ଲେଖାକରି ପରିହାସ କରେ । କିନ୍ତୁ ଏବେ ସାହୁ ମଲାଦିନୁ ସାହୁଆଣି ଆଉ ଆସେ ନାହିଁ, ଦିନରାତି ଦୋକାନ ଜଗି ବସିଥାଏ । ସେଇଠି ବସି ଗାଁଯାକର ଖବରଦାବର ସବୁ ବୁଝୁଥାଏ । ଗାଁ ଭିତରେ ଯେଉଁଠି ଯାହିହେଲେ ସାହୁଆଣୀ ଯାଇ ଠିଆହୁଏ । କିନ୍ତୁ ଟଙ୍କାରେ ଅଣେ ସୁଧରୁ ପାହୁଲାଟାଏ କେବେ ଛାଡ଼େ ନାହିଁ । ଲୋକେ ପଛେ ଟଙ୍କା ନ ଦିଅନ୍ତୁ, କିନ୍ତୁ ପାଟିରେ ସୁଧକସାଟା ଭାରି ଟାଣ । ଲୋକେ ନ ଦେଲେ ବି ସେ ମାଇପି ଲୋକଟା ଅବା କ’ଣ କରନ୍ତା, କେଉଁ କଚେରୀକୁ ଯାଇପାରନ୍ତା ନା କେଉଁ ଥାନାକୁ ଯାଇ ପାରନ୍ତା, ପାଟିରେ ଖାଲି ଗାଳିଦେବା ଛଡ଼ା ଆଉ କ’ଣ କରନ୍ତା । ତା’ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଗାଳିଦେବା ଯେମିତି ବଢ଼ି ଯାଉଥିଲା, ଗାଳିକୁ ଲୋକେ ସେମିତି ପିଠେଇ ଯାଉଥିଲେ । ବରଂ ଗାଳି ଶୁଣି ଲୋକେ ହସିଦେଇ କହନ୍ତି–ତମେ ଟଙ୍କା ନେଇ କ’ଣ କରିବ ମାଉସୀ, କ’ଣ ଆଉ ସରଗ ଗଲାବେଳେ ସାଙ୍ଗରେ ନେଇକରି ଯିବ । ଗରିବ ଲୋକଙ୍କୁ ଖୁଆଉଥିଲେ ହେଲେ ଧରମ ହେବ, ସେଇ ଧରମ ନେଇକରି ଯିବ ଯେ ସେଠେଇ କାମକୁ ପାଇବ-। ସରଗ ନାଁ ଧରିଲାମାତ୍ରେ ସାହୁଆଣୀ ନିଆଁ ହୋଇଯାଏ ।

 

ସାହୁଆଣୀ ଆସି ପାଖରେ ପହଞ୍ଚିଲାମାତ୍ରେ ହୋରୀ ଟିକିଏ ଚିଡ଼େଇ କରି କହିଲା–ସତରେ ଭାଉଜ, ତମେ ତ ଆଜି ଜଣେ ନୂଆ ମଣିଷ ପରି ଦିଶୁଛ !

 

ସାହୁଆଣୀ ଟିକିଏ ମନମାରି ଦେଇ କହିଲା–ମଲା, ଆଜି ମଙ୍ଗଳବାରଟା ମ, ସେମିତି ଆଖି କର ନାହିଁ । ମୁଁ ତ ସେଇଥିପାଇଁ କିଛି ନଗେଇ ପିନ୍ଧିକରି ବାହାରେ ନାହିଁ । ଘରୁ ବାହାରିଲେ କି ଏଇ ଅଣ୍ଡିରାଗୁଡ଼ା ଅନେଇ ମରିବେ, ସତେ ଯେମିତି ମାଇକିନିଆ କେବେ ଦେଖି ନାହାନ୍ତି । ଦେଖୁନ, ସେଇ ପଟେଶ୍ୱରୀ ବାଡ଼ିପଡ଼ା ଆଜିଯାଏ କେମିତି ତା’ ଢଙ୍ଗ ଛାଡ଼ିବାକୁ ନାହିଁ ।

 

ମଜା କଥାଟାଏ ଆସି ଜୁଟିଗଲାରୁ ହୋରୀ ଟିକିଏ ଅଟକି ଗଲା । ବଳଦ ଆଗକୁ ମୁହାଁଇଗଲେ ।

 

‘କିନ୍ତୁ ସେ ତ ଆଜିକାଲି ଭାରି ଧରମ କରମ କରୁଛି । ଦେଖୁନ, ସବୁ ପୁନେଇକୁ ସତ୍ୟନାରାୟଣ ପୂଜା କରାଉଛି, ଦି’ଓଳି ଦେଉଳକୁ ଯାଇ ଦର୍ଶନ କରୁଛି ।’

 

ମଲା, ମଲା, ଯାହା କହନ୍ତି, ‘ବୟସବେଳେ ବାରଶ ଘଇତା, ନା ବୁଢ଼ୀକାଳେ ହରିମନ୍ଦିର ଚିତା’ । ସେ କ’ଣ ଏକା, ବୟସବେଳେ ଏମିତି ଯେତେ ଲମ୍ପଟୀ, ବୁଢ଼ା ଦିନକୁ ସବୁ ପରା ଭଗତ । ଯେ ପାପ କରିବ, ସେ ଆଉ ଦୋଷ ଛଡ଼ାଇବ ନାହିଁ ? ତାକୁ ପଚାରିବ ଦେଖି, ମୁଁ ତ ଆସି ବୁଢ଼ୀ ହେଲିଣି, ମତେ ଅନେଇ କରି ସେ ହସୁଛି କିଆଁ ?’

 

‘ଭାଉଜ, ତମେ ବୁଢ଼ୀ ହେଲ କୋଉ ଦିନ ମ ! ମୁଁ ତ ଭାବୁଛି ତମେ.... ।’

 

‘ହଉ ହଉ ସେତିକି ହେଉଥାଉ, ତୁନୀ ହ, ନହିଲେ ଏଇନେ କୋଉଠୁ କ’ଣ ଓଝାଳିବି ଯେ ! ପୁଅ ତ ସହର ବଜାରରେ ରହି କାମ କଲା ଯେ ଦିନେହେଲେ ମୁଠେ ଖାଇବାକୁ ଡାକିଲ ନାହିଁ, ଖାଲି ମାହୁଳିଆକୁ କ’ଣ ନା ଭାଉଜ !’

 

ତମ ରାଣ ଆଗ ଭାଉଜ, ମୁଁ ଯଦି ତା ଅର୍ଜନ ପଇସାଟାଏ ଆଖିରେ ଦେଖିଥିବି । କେତେ ଟଙ୍କା ଆଣିଥିଲା, କେତେ କ’ଣ କଲା, ସେ କଥା ସେ ଜାଣେ, ମୋତେ ଖାଲି ଧୋତି ଚାଦର ଯୋଡ଼େ ଦେଇଥିଲା ଯାହା ।

 

‘ହଁ, ରୋଜଗାର କଲାଣି ଯେତେବେଳେ, ଆଜି ନ ହେଲେ କାଲି ଘର ସମ୍ଭାଳିବ, ଆଉ ଯିବ କୁଆଡ଼େ ? ମୋ ଟଙ୍କା କିଛି କିଛି ଏଥର ସୁଝି ଦିଅ, ନହିଲେ ସୁଧ ବଳେଇ ପକାଇବ ଯେ !’

 

‘ଜାଣିଲ ଭାଉଜ, ହାତକୁ ପଇସା ଆସିଲାମାତ୍ରେ ତମ ଟଙ୍କା ଅଧଲା ପାହୁଲା କରି ଛିଣ୍ଡାଇ ଦେବି, ଯଦି ନ ଦେଇ ପାରିଲି, ଜାଣି ତମରି ଆପଣାଆପଣି ଲୋକ ଜଣେ ଖାଇଗଲା, ଆଉ ପରଲୋକ ତ କେହି ନୁହେଁ ।’

 

ଏମିତିଆ ଥଟ୍ଟା ପରିହାସ କଥାରେ ସାହୁଆଣୀ ଆଉ କରନ୍ତା କ’ଣ । ଉପାୟ ନ ଦେଖି ଫେରିଗଲା । ହୋରୀ ଦଉଡ଼ି ଯାଇ ବଳଦକୁ ଯୁଚି ଦି’ଚାରି ଘେରା ବୁଲାଇ ଦେଲା । ଗାଁ ଗୋଟାଯାକର ସେହି ହେଉଛି ଗୋଟିଏ ମାତ୍ର ଖଳା । ସେଇଠି ସବୁ କାରବାର, କା’ର ବେଙ୍ଗଳା ପଡ଼ିଛି ତ, କାର କଳେଇ ଗଦା ହୋଇଛି । କା’ର ଧାନ ମପା ହେଉଛି ତ କାର କରଜ ସୁଝା ଚାଲିଛି-। ଝିଙ୍ଗୁର ସିଂହ ଆସି ଖଟିଆ ଉପରେ ବସି ସଉଆ ସୁଧରେ ଧାନ ମାପି ନେଉଛି । ଧୋବା, ଭଣ୍ଡାରୀ, ଗଉଡ଼, କମାର ସମସ୍ତେ ଆସି ବରଷ–ପଡ଼ି ନେବାପାଇଁ ଜମା ହୋଇଛନ୍ତି । ଖଳା ଯେମିତି ସତେ ଗୋଟାଏ ହାଟ । ଜଣେ କିଏ ବସି କଞ୍ଚା କୋଳି ବିକୁଛି ତ କିଏ ବସି ତେଲ ପିଠା ଏବଂ ଜଲିବି ବିକୁଛି । ଏତିକିବେଳକୁ ଦାତାଦୀନ ହୋରୀଠୁ ଭାଗଧାନ ଅସୁଲ କରିବା ପାଇଁ ଆସି ପହଞ୍ଚିଗଲା । ଝିଙ୍ଗୁର ସିଂହ ପାଖରେ ଖଟିଆ ଉପରେ ବସିପଡ଼ି ଧୂଆଁ ମଳୁ ମଳୁ ସେ କହିଲା, ଶୁଣିଲଣି ନା, ସରକାର କୁଆଡ଼େ କହିଲେଣି, ମହାଜନମାନେ ଏଣିକି ସୁଧ କମେଇ ନ ଦେଲେ ସେମାନଙ୍କର ମକଦ୍ଦମା ଡିଗ୍ରୀ କରାଯିବ ନାହିଁ ।

 

ଝିଙ୍ଗୁର ସିଂହ ପାଟିରେ କଳେ ଧୂଆଁ ପକେଇ ଦେଇ କହିଲା, ବୁଝିଲ ପଣ୍ଡିତ ଆପଣେ, ମୁଁ ତ ଗୋଟିଏ କଥା ସାରା ଜାଣେ, ଯାର ଗରଜ ପଡ଼ିବ ସେ କରଜ ନେବାପାଇଁ ନ ଆସି ଯିବ କୁଆଡ଼େ ? ଆଉ ଯେ କରଜ ପାଇଁ ଆସିବ, ତାକୁ ଯେତେ ସୁଧ କହିଲେ ବି ସେ ଦେବ । ସରକାର ନିଜେ ଲୋକଙ୍କୁ କରଜ ଦେବାପାଇଁ ବନ୍ଦୋବସ୍ତ ନ କଲାଯାଏ ଆମର କିଛି ହାନି ହେବ ନାହିଁ । ଆମେ ଏଣେ ଦର କମକରି ଲେଖିବୁ ତେଣେ ଆଗତୁରା ଶହେକେ ପଚିଶ କାଟି ରଖିବୁ । ଏଥିପାଇଁ ଆମକୁ ସରକାର କ’ଣ କରିବ ?

 

‘ଇଏ ତ ଠିକ୍ କଥା, କିନ୍ତୁ ସରକାର ଏକଥା ଜାଣିଲାମାତ୍ରେ ଆଉ ଯାହାହେଲେ ଉପାୟ ବରାବର ଖଞ୍ଜିଦେବେ । ଦେଖାଯାଉ କ’ଣ ହେଉଛି ।

 

‘ମୁଁ କହୁଛି ସରକାର ଏଥିରେ କିଛି କରିପାରିବେ ନାହିଁ ।’

 

‘ଆଚ୍ଛା, ଯଦି ସରକାର ଏମିତି କରିଦିଅନ୍ତି ଯେ ଷ୍ଟାମ୍ପ ଉପରେ ଗାଁ ମୁଖିଆଙ୍କର ଦସ୍ତଖତ ନ ହେଲାଯାଏ ତାହା କାମୀ ହୋଇପାରିବ ନାହିଁ, ତେବେ କ’ଣ କରିବ ?’

 

‘ଯା’ର କରଜ ଦରକାର ସେ ଯାଇ ଗାଁ ମୁଖିଆଙ୍କ ହାତଗୋଡ଼ ଧରି ଦସ୍ତଖତ କରେଇ ଆଣିବ । ଆମର ସେଥିରେ ଯାଏ ଆସେ କେତେ ? ଆମେ ତ ଯେମିତି ହେଲେ ଶହେକେ ପଚିଶ କାଟିନେବୁ ।’

 

‘କିନ୍ତୁ ଯଦି ଜାଲ୍ ଲେଖା ବୋଲି ପ୍ରମାଣ ହୋଇଯାଏ । ତେବେ ଜାଣିଥା, ଚଉଦ ବରଷରୁ କମ୍ ଘଣା ପେଲିବାକୁ ପଡ଼ିବ ନାହିଁ ।’

 

ଝିଙ୍ଗୁର ସିଂହ ଖୁବ୍ ଜୋରରେ ହେଁ ହେଁ ହୋଇ ହସିକରି କହିଲା, ତମେ ପାଗଳ ନା କ’ଣ ? ଭାବିଛ କ’ଣ ସଂସାରଟା ଏମିତି ବଦଳିଗଲା । ଅସଲ ହେଲା ପଇସା । ଯା ହାତରେ ପଇସା ଅଛି, ଆଇନ ହେଉଛି ତା’ରି, ନ୍ୟାୟ ହେଉଛି ତା’ରି । ଆଇନ ତ କହୁଛି, ମହାଜନ ଖାତକକୁ ହଇରାଣ କରିବା ଉଚିତ ନୁହେଁ କି ଜମିଦାର ପ୍ରଜାକୁ ଅତ୍ୟାଚାର କରିବା ଉଚିତ ନୁହେଁ । କିନ୍ତୁ କ’ଣ ହେଉଛି ତମେ କ’ଣ ଆଖିରେ ଦେଖିପାରୁ ନା ? ଜମିଦାର ପରା ଲୋକଙ୍କୁ ଛନ୍ଦିକରି ପିଟୁଛନ୍ତି, ମହାଜନ ପରା ଖାତକଙ୍କୁ ଯୋତା ମାରୁଛନ୍ତି କିନ୍ତୁ ତା’ର କ’ଣଟାଏ ହୋଇ ଯାଉଛି । ପ୍ରଜାଙ୍କ ଭିତରେ ପ୍ରକୃତରେ ଯେଉଁମାନେ ଦାଢ଼ୁଆ ସେମାନଙ୍କୁ ତ କେହି କିଛି କହିବାକୁ ନାହିଁ; ନା ରଜା, ନା ଜମିଦାର । ବରଂ ସେହିମାନଙ୍କୁ ହାତର କରି ଜମିଦାର ଆଉ ମହାଜନମାନେ ଅନ୍ୟମାନଙ୍କୁ ହଇରାଣ କରୁଛନ୍ତି । ତମ ଉପରେ ପରା ରାୟସାହେବଙ୍କର ପାଞ୍ଚଶହ ଟଙ୍କା, ବାକି ଅଛି, ତମକୁ ପଚାରୁଛି କିଏ ? ଖଜଣା ଅସୁଲବେଳେ ନୋଖେରାମ ତ କାହିଁ ତମକୁ ପାଟି ଫିଟାଉ ନାହିଁ । କାହିଁକି ନା, ସେ ତ ଜାଣେ, ତମକୁ ପାଟି ନ ଫିଟେଇଲେ ବରଂ ତା’ର ଲାଭ । ଲୋକଙ୍କର କେଉଁ ଦଳ ଅଛି ଯେ ସେମାନେ ନିତି କଚେରୀକୁ ଧାଇଁବେ ? କାମ ଯେମିତି ଚାଲିଛି ସେମିତି ଚାଲିବ । ଅସଲ ଯା ହାତରେ ପଇସା ଅଛି, କଚେରୀ ବାଚେରୀ, ହାକିମ ହୁକୁମା ସବୁ ତା’ ହାତରେ । ଆମର ଏ ସବୁରେ ଭାବିବାର କିଛି କଥା ନାହିଁ ।

 

ଖଳା ଚାରିପାଖ ପୁଣି ଥରେ ବୁଲିଆସି ଝିଙ୍ଗୁର ସିଂହ ଖଟିଆ ଉପରେ ବସିପଡ଼ି କହିଲା, ହଁ, ତମ ପୁଅ ବାହାଘର କଥା କ’ଣ ହେଲା ? ବାହାଘର ଚଞ୍ଚଳ କରିଦିଅ, ବହୁତ ବଦନାମ ହେଲାଣି ।

 

ନିଜ ପୁଅ କଥା ଶୁଣି ଦାତାଦୀନକୁ ଭିରୁଡ଼ି ମାରିଲା ପରି ଲାଗିଲା । ଝିଙ୍ଗୁର ସିଂହର ଏମିତି କହିବାର ମତଲବଟା ତାକୁ ଅଜଣା ନଥିଲା । ସେ ହଠାତ୍ ଖୁବ୍ ରାଗିଯାଇ କହିଲା–ପଛରେ ଯେ ଯାହା କହନ୍ତୁ, ସେ ଭିନ୍ନ କଥା, କିନ୍ତୁ ମୋ ଆଗରେ କେହି କହିଲେ ବରାବର ମୁଁ ତା’ ମୁହଁ ଭାଙ୍ଗିଦେବି । ଦେଖି କହିଲ, ଏମିତି କିଏ ଜଣେ ବ୍ରାହ୍ମଣ ଅଛି, ଯେ ମୋ’ପରି ନୀତିକାନ୍ତି ମାନି ଚଳୁଛି ? ସେମିତି କେତେ ବ୍ରାହ୍ମଣ ମୁଁ ଦେଖିଛି ଯାହାଙ୍କର ଧରମକରମ ନୀତିକାନ୍ତି କିଛି ହେଲେ ନାହିଁ, ନା ଅଛି ଦେବତା ପୂଜା ନା ଅଛି ପୁରାଣ ପାଠ । ତେବେକେ ତ ଲୋକେ ବ୍ରାହ୍ମଣ ବୋଲେଇକରି ବସିଛନ୍ତି । ମୋତେ ପୁଣି ଥଟ୍ଟା ପରିହାସ କରିବ କିଏ, ମୋର ତ ଚବିଶ ଏକାଦଶୀରୁ ଗୋଟେ ହେଲେ ଛାଡ଼ ନାହିଁ, ସିନାନ ନ କଲେ ପାଟିଭିତରକୁ ପାଣି ଯିବ ନାହିଁ । ଧରମ କରମ କରିବା କେଡ଼େ କଷ୍ଟ ! ଦେଖିଆ କିଏ କହୁ, ବଜାରର କୋଉ ଜିନିଷଟା କେବେ ମୁଁ ପାଟିରେ ପକାଇ ଦେଇଛି, କି କା ହାତରୁ ପାଣି ମୁନ୍ଦେ କେବେ ପିଇ ଦେଇଛି ? –ପର ବାସନକୁସନରେ ଖାଇବା ତ ଦୂରର କଥା । ମୁଁ ତ କହୁ ନାହିଁ, ମୋ ପୁଅ ଗୋଟେ ଭାରି ଭଲ କାମ କରିଛି ବୋଲି, ହେଲେ କରିଦେଲାଣି ଯେତେବେଳେ ଆଉ କହିକରି ଲାଭ କ’ଣ । ମୁଁ ତ କହୁଛି ମାଇପିଟାକୁ ଛାଡ଼ି ଦେ’ । ମୁଁ ତ ବାଜି ବଜେଇ କହୁଛି, ଏଥିରେ ଲୁଚେଇବାର କ’ଣ ଅଛି ? ମାଇପି ଜାତି ଯାହାହେଲେ ବି ତାଙ୍କଠି ପାପ ଲାଗିବ ନାହିଁ, ସେ ପରା ହେଉଛନ୍ତି ଲକ୍ଷ୍ମୀ, ସବୁକାଳେ ପବିତ୍ର-

 

ଦାତାଦୀନ ବୟସବେଳେ ଖୁବ୍ ଚିତାତିଳକ କରୁଥିଲେ ବି ରସିକପଣିଆ କିଛି କମ୍ ନଥିଲା । ବାପ ଯେମନ୍ତକୁ ପୁଅ ସେମନ୍ତ, ସେଥିରେ କିଏ ସେ କ’ଣ କରିବ ? ତା’ର ଧାରଣା ଥିଲା ଧରମମାନେ ହେଉଛି ପୋଥି ପୁରାଣ ପଢ଼ିବା, ଚିତାତିଳକ କରିବା । ଯେତେଦିନଯାଏ ବାପ ପୁଅ ଦିହେଁଯାକ ସେତକ କରୁଥିବେ, ଦୁନିଆରେ ପୁଣି ଏମିତି ପୁଅ କିଏ ଅଛି ତାଙ୍କୁ ଭ୍ରଷ୍ଟ ବୋଲି କହିବ-

 

ଝିଙ୍ଗୁର ସିଂହ ଟିକିଏ କାଇଲି ପଡ଼ିଯାଇ କହିଲା–ଆରେ ଭାଇ, ମୁଁ ଯାହା ଶୁଣିଥିଲି କହିଲି ନା, ଆଉ କ’ଣ ।

 

ଦାତାଦୀନ ବସି ମହାଭାରତ ଆଉ ପୁରାଣରୁ କେତେନା କେତେ ଉଦାହରଣ ଗପି ଚାଲିଲା । ପୂର୍ବକାଳେ ବ୍ରାହ୍ମଣମାନେ ଯେଉଁ ଜାତି ଇଚ୍ଛା ସେ ଜାତିର ଝିଅଙ୍କୁ ବାହାହେଇ ପାରୁଥିଲେ, ଆଉ ସେମାନଙ୍କ ଗର୍ଭରୁ ଯେଉଁ ପିଲା ଜନ୍ମ ହେଉଥିଲେ, ସେମାନେ ବ୍ରାହ୍ମଣ ବୋଲାଉଥିଲେ । ଆଜିକାଲିର ବ୍ରାହ୍ମଣମାନେ ସେହି ପିଲାଙ୍କର ପିଲା । ଏକଥା ତ ପୂର୍ବ ପୁରୁଷରୁ ଚଳି ଆସୁଛି, ଏଥିରେ ଗୋଟାଏ ଲାଜ କ’ଣ-?

 

ଝିଙ୍ଗୁର ସିଂହ ଦାତାଦୀନର ପଣ୍ଡିତପଣିଆ ଦେଖି ଖୁସି ହୋଇ ପଚାରିଲା–ଆଜିକାଲି ତା’ହେଲେ ବ୍ରାହ୍ମଣମାନେ ପୁଣି ବାଜପେୟୀ, ଶୁକ୍ଳ ଏମିତି ବାରଜାତି କ’ଣ କହୁଛନ୍ତି ?

 

‘ସେ ଖାଲି ସେମିତି ଗୋଟାଏ ପ୍ରଥା । ଲୋକଙ୍କଠାରେ ସେତେବେଳେ ଏତେ ତେଜ ଥିଲା ଯେ ସେମାନେ ବିଷ ଖାଇ ମଧ୍ୟ ପାର କରିଦେଉଥିଲେ । ସେ ସତ୍ୟଯୁଗ କୁଆଡ଼େ ଗଲାଣି, ସେ କଥାସବୁ କୁଆଡ଼େ ଗଲାଣି । ଏବେ ତ ଆପଣା ଜାତିଭାଇଙ୍କୁ ଧରି ପଡ଼ି ରହିବାକୁ ହେଉଛି, ହେଲେ ମଣିଷ କରିବ କ’ଣ ? ଝିଅ ଘର ତ କେହି କେଉଁଠୁ ଆସୁ ନାହାନ୍ତି ? ତମକୁ ତାଙ୍କୁ ଗାଁଯାକ ସମସ୍ତଙ୍କୁ ତ କହି ସାରିଲିଣି, ଆଉ କରିବି କ’ଣ ? ଆଉ କ’ଣ କନ୍ୟାଟାଏ କେଉଁଠୁ ଗଢ଼େଇବି ?’

 

ଝିଙ୍ଗୁର ସିଂହ ଏକ ରଗଡ଼ ପକେଇ କହିଲା–ପଣ୍ଡିତେ, ତମେ ଖାଲି ମିଛ କଥାଗୁଡ଼ା କହ ନାହିଁ । ମୁଁ ତ ଯେଉଁଠୁ ସେଇଠୁ ଗୋଟେଇ ପୋଟେଇ ଜଣେ ଦି’ଜଣକୁ ଆଣି ଜୁଟେଇଲି । ତମେ କିନ୍ତୁ ହଜାରେ ପାଞ୍ଚଶ ଲେଖା ମାଗିବସିଲ ଯେ ସେମାନେ ପଳାଇଲେ, ମୁଁ ଏବେ କରିବି କ’ଣ ? ଜମି ଦଶ ବିଘା ଆଉ ଭିକମଗା ଛଡ଼ା ତମର ଆଉ ଏମିତି କ’ଣଟାଏ ଅଛି ଯେ ତମକୁ ଏତେ ଟଙ୍କା କାହିଁକି କିଏ ଦେବ ?

 

କଥାଗୁଡ଼ା ଦାତାଦୀନକୁ ଟିକିଏ ଭାରି କାଟିଲା । ଦାଢ଼ି ଉପରେ ହାତ ବୁଲେଇ ଆଣି କହିଲା–ହଁ, ମୁଁ ଭିକ ମାଗୁଛି ସତ, ମୋ ପାଖରେ କିଛି ଧନସମ୍ପତ୍ତି ନାହିଁ, ଏକଥା ବି ସତ, ହେଲେ, ମୋ ଝିଅ ବାହାଘରକୁ ଯେତେବେଳେ ମୁଁ ପାଞ୍ଚ ଶହ ଟଙ୍କା, ଦେଇଛି, ପୁଅ ବେଳକୁ ମାଗିବି ନାହିଁ କାହିଁକି ? ମୋ ଝିଅକୁ ଯଦି ମାହୁଳିଆ କିଏ ବାହା ହୋଇଥାନ୍ତା, ତେବେ ପୁଅକୁ ମୁଁ ମାହୁଳିଆ ବାହା କରେଇ ଦିଅନ୍ତି । ତମେ ଯାହା କହିଲ ଆମେ ଭିକ ମାଗୁଛୁ, ପୁରୋହିତ କରିବାଟା କ’ଣ, ଭିକମଗା ? ମୁଁ ତ ଭାବେ ସେଟା ଆମ ଜମିଦାରୀ, ଆମ ବ୍ୟାଙ୍କ୍ ଘର । ବେଳ ପଡ଼ିଲେ ଜମିଦାରୀ ବି ଉଡ଼ିଯିବ, ବ୍ୟାଙ୍କଘର ବି ପୋଡ଼ିଯିବ, ହେଲେ, ଆମ ପୁରୋହିତପଣିଆ ତ କୁଆଡ଼େ ଯିବ ନାହିଁ, ଚନ୍ଦ୍ର ସୂର୍ଯ୍ୟ ଥିବାଯାକେ ସେ ଥିବ । ହିନ୍ଦୁଜାତି ରହିଥିବାଯାକ ସେ ଚାଲିଥିବ । ତମେ ତ ଜାଣ, ବାହାଘଡ଼ିରେ ଘରେ ବସି ବି ଆମକୁ ଶହେ ଦି’ଶହ ମିଳିଯାଏ, ଭଲ ବେଳ ଯଦି ପଡ଼ିଛି ତେବେ ତ ତିନିଶ ଚାରିଶ ମିଳିଗଲା । ତା’ ଛଡ଼ା ଲୁଗାପଟା, ଖିଆପିଆ, ଦକ୍ଷିଣା ତ ସହଜେ ଅଛି । ପ୍ରତିଦିନ ତ ଯାହିହେଲେ ଗୋଟାଏ କାମ ଥିବ । କିଛି ନହେଲେ ଦି’ଚାରି ଥାଳୀ ଚାଉଳ, ଆଠଣା ଟଙ୍କାଏ ଦକ୍ଷିଣା ତ ମିଳିଯିବ । ଏମିତିଆ ମଜା ଆଉ ସାହୁକାରୀରେ ଅଛି ନା ଜମିଦାରୀରେ ଅଛି ? ଆଉ ସଲିଆ, ଚେମାରୁଣୀ ହେଲେ ବି ତା’ଠୁ ଆମର ଯେତେ ଉପକାର ହେଉଛି, ବ୍ରାହ୍ମଣ କନ୍ୟାଟିଏ ହେଲେ ଆଉ ଅଧିକ କ’ଣ ହୁଅନ୍ତା ? ବ୍ରାହ୍ମଣ ଘର ଝିଅ ଆସିଲେ ଘରେ ବସନ୍ତା, ଖୁବ୍ ହେଲେ ରୋଷାଇ ମୁଠାକ କରି ଦିଅନ୍ତା । ସିଲିଆ ତ ଏକା ଏକା ତିନିଜଣଙ୍କ କାମ ଉଠେଇ ଦେଇଛି । ଆମେ ତ ତାକୁ କିଛି ଦେଉନୁ । ଖୁବ୍ ହେଲେ ପେଟକୁ ମୁଠେ ଖାଇବାକୁ ଦେଉଛୁଁ, ଆଉ ବରଷଯାକରେ ଖଣ୍ଡେ ଲୁଗା, ୟା’ଛଡ଼ା ତ ଆଉ ଫଟା ପାହୁଲାଟାଏ ବି ନାହିଁ ।

 

ସେତିକିବେଳକୁ ଆଉ ଗୋଟେ ସାହୀରେ ଦାତାଦୀନର ଧାନ ବେଙ୍ଗଳା ଚାଲିଥିଲା । ଧନ୍ନା ଚମାର ବେଙ୍ଗଳା କରୁଥିଲା ଆଉ ସିଲିଆ ଧାନ କାଢ଼ି ନେଇ ଆଉ ଗୋଟାଏ ଜାଗାରେ ଗଦା କରୁଥିଲା । ମାତାଦୀନ ଗୋଟାଏ ପାଖରେ ବସି ଖଣ୍ଡେ ବାଡ଼ିରେ ତେଲ ଘଷୁଥିଲା ।

 

ସିଲିଆ ଗୋରୀ ନ ହେଲେ ବି ପାତେଳୀ ହୋଇ ଦେଖିବାକୁ ଭାରି ସୁନ୍ଦର । ସେଇଥିପାଇଁ ସବୁ ଲୋକଙ୍କର ତା’ଠି ଆଖି । ତା’ ଦେହରେ, ତା ଚାଲିଚରଣରେ, ତା ହସରେ ସତେ ଯେମିତି ଉନ୍ମାଦ ଭରି ରହିଥାଏ । ଦିହଯାକ ଧୂସ, ଝାଳ ନାଳ, ମୁଣ୍ଡ ଅଧା ମୁକୁଳା, ସେଇଥିରେ ବି ସେ ଦୌଡ଼ି ଦୌଡ଼ି ଏମିତି ଆନନ୍ଦରେ କାମ କରୁଥାଏ ସତେ ଯେମିତି ଭୂଇଁରେ ତା’ପାଦ ପଡ଼ୁନଥାଏ ।

 

ମାତାଦୀନ କହିଲା, ଦେଖ ସିଲିଆ, ଆଜି ସଞ୍ଜବେଳକୁ ଯେମିତି ଆଉ କାମ ବାକି ନଥିବ । ତୁ ଯଦି ନ ପାରିବୁ, ତାହାହେଲେ ମୁଁ ଆସିବି ।

 

ସଲିଆ ହସି ହସି କହିଲା, ନାଇଁ ମ, ତମେ କିଆଁ ଆସିବ, ସଞ୍ଜଯାଏ ନାଗିକରି ମୁଁ ସବୁ କରିଦେବି ।

 

‘ମତେ ତ ପୁଣି ଘରଠିକି ସବୁ ଧାନ ବୋହିବାକୁ ପଡ଼ିବ । ତୁ ଆଉ ଏକୁଟିଆ କ’ଣ କରିଦେବୁ ବୋଲି କହୁଛୁ ।’

 

‘ତମେ ମିଛରେ କିଆଁ ଏମିତି ଉଚ୍ଛନ୍ନ ହେଉଛ ? ମୁଁ ଏକୁଟିଆ ସବୁ ଉଡ଼େଇ ଦେବି, ସିବୁ ବୋହିଦେବି । ରାତିପହଡ଼ ବେଳକୁ ଏଠେଇ ମୁଣ୍ଡିଟାଏ ଧାନ ନଥିବ ।

 

ସେଦିନ ଦୁଲାରୀ ସାହୁଆଣୀ ଚା ବାକି ପଇସା ସବୁ ଅସୁଲ କରିବା ପାଇଁ ଲୋକଙ୍କ ପାଖକୁ ଯାଉଥିଲା । ବୁଲି ବୁଲି କରି ଶେଷକୁ ଆସି ସେ ସିଲିଆ ପାଖରେ ପହଞ୍ଚିଲା । ସିଲିଆ ମାସେ ତଳେ ଦୋଳପୁନେଇକୁ ତା’ଠୁ ଦି’ପଇସାର ଫଗୁ ନେଇଥିଲା ଯେ ଆଜିଯାଏ ସୁଝି ନ ଥିଲା-। ସାହୁଆଣୀ ଆସି କହିଲା–ହଇଲୋ, ତୁ ମାସେ ହେଲା ଫଗୁ ନେଲୁଣି, ପଇସା ଦେଉନୁ କିଆଁ-? ନେଲାବେଳକୁ ନେଇଗଲୁ, ମୁଁ ମାଗିଲାବେଳକୁ ମୁହଁ ମୋଡ଼ିଦେଇ ଚାଲି ଯାଉଛୁ । ଆଜି ତୁ ପଇସା ନ ଦେଲେ ମୁଁ ଏଠୁ ଉଠିବି ନାହିଁ ।

 

ଏକଥା ଶୁଣୁ ଶୁଣୁ ମାତାଦୀନ କେତେବେଳେ ସେଠୁ ଚୁପକରି ଖସିଗଲା । ସିଲିଆର ମନ ଓ ଯୌବନ ଉଭୟରୁ ଲାଭ ଉଠାଉଥିଲେ ବି ମାତାଦୀନ କେବେ ତାକୁ ପଇସାଟାଏ ହେଲେ ଦିଏ ନାହିଁ । ବରଂ ସିଲିଆ ବିଚାରୀ ମାତାଦୀନକୁ ଦେଖି ମନ ଉଲ୍ଲାସରେ ମେସିନ୍ ପରି କାମ କରିଯାଏ କିନ୍ତୁ ମାତାଦୀନ ଖାଲି ତାକୁ ହାତରେ ରଖି ମାଙ୍କଡ଼ ନଚାଉଥାଏ ।

 

ସିଲିଆ ମୁହଁ ଟେକି ଅନାଇଲା ବେଳକୁ ମାତାଦୀନ ସେଠୁ କୁଆଡ଼େ ଚଲ୍ । ସିଲିଆ କହିଲା, ପଇସା ତ ନେବ ଏମିତି ପାଟି କରୁଛ କିଆଁ ? ଦି’ପଇସା କିଆଁ, ଚାରି ପଇସାର ଧାନ ଦେଉଛି ନେଇଯା । ମୁଁ କ’ଣ କୁଆଡ଼େ ମରି ହଜି ଯାଉଥିଲି କି ?

 

ସିଲିଆ ଧାନଗଦାରୁ ସେରେ ହେବ ଧାନ ସାହୁଆଣୀ କାନିରେ ଢାଳିଦେଲା । ମାତାଦୀନ ଗଛ ଆଢ଼ୁଆଳରେ ସବୁ ଦେଖୁଥିଲା । ବାହାରି ଆସି ଚଟକରି ସାହୁଆଣୀ କାନିକୁ ଧରି ପକାଇ କହିଲା, ଧାନ କୁଆଡ଼େ ନେଉଛୁ ସାହୁଆଣୀ, ତୁନୀ କରି ରଖିଦେ । ଏଠୁ ଚୋରୀ କରିବା କଥା ପଟିବ ନାହିଁ ।

 

ତା’ପରେ ସେ ସିଲିଆ ଉପରେ ରଗଡ଼ ପକାଇ କହିଲା, ତୁ ଏଠୁ ଧାନ ଦେଲୁ କେମିତି-? କାହାକୁ ପଚାରିକରି ଦେଲୁ ? ମୋ ଧାନ ଦେବାକୁ ତୁ କିଏସେ ?

 

ସାହୁଆଣୀ ଧାନକୁ ନେଇ ପୁଣି ଗଦାରେ ଓଜାଡ଼ି ଦେଲା । ସିଲିଆ ଆଉ କରନ୍ତା କ’ଣ, ବୋକା ହୋଇ ମାତାଦୀନ ମୁହଁକୁ ଅନାଇଁ ରହିଲା । ତାକୁ ଏବେ ଠିକ୍ ମାଲୁମ ହୋଇଗଲା ଯେ ସେ ଯେଉଁ ଡାଳକୁ ଆଶ୍ରା କରିଥିଲା ସେ ଡାଳ ଜାଣି ଏବେ ଭାଙ୍ଗି ପଡ଼ିଲା । ଲାଜରେ ତା ମୁହଁ ଲାଲ ପଡ଼ିଗଲା । ଆଖିରେ ଲୁହ ଛଳ ଛଳ ହୋଇଗଲା । କାନ୍ଦ କାନ୍ଦ ହୋଇ ସେ ସାହୁଆଣୀକୁ କହିଲା–ସାହୁଆଣୀ, ତମ ପଇସା ମୁଁ ଯେଉଁଠୁ ହେଲେ ଆଣି ଦେଇଦେବି, ଦିନେ ଦି’ଦିନ ଟିକିଏ ସତାର କର ।

 

ସାହୁଆଣୀର ତା ଉପରେ ଭାରି ଦୟା ହେଲା । ମାତାଦୀନକୁ ଧିକକାରିଲା ପରି ଅନେଇ ଅନେଇ ସେ ଚାଲିଗଲା ।

 

ସିଲିଆର ସବୁ ଗର୍ବ ଏକାଥରକେ ଚୂନା ହୋଇଗଲା । ଧାନ ପାଛୋରୁ ପାଛୋରୁ ଆହତ ସ୍ଵରରେ ମାତାଦୀନକୁ ସେ ପଚାରିଲା–ତମ ଜିନିଷରେ ତା’ହେଲେ ମୋର କୌଣସି ଅଧିକାର ନାହିଁ ?

 

ମାତାଦୀନ ଏଡ଼େ ଏଡ଼େ ଆଖିକରି କହିଲା–ନାହିଁ, ତୋର କୌଣସି ଅଧିକାର ନାହିଁ । ତୁ ତ ଖାଇବା ଲୋକ, କାମ କରିବା ଲୋକ, ଅଧିକାର ଗୋଟେ କ’ଣ ? ତୁ ଖାଇବୁ, ପୁଣି ଲୁଟି କରିବୁ, ସେକଥା ପଟିବ ନାହିଁ । ତୋତେ ଯଦି ଏଠି ମଜୁରୀ ନ ପଡ଼ୁଛି, ତୋ ମନ ଯେଉଁଠିକି ହେଉଛି ଯା’ । ମୂଲିଆ ତ କେଉଁଠି ଅଭାବ ନାହାନ୍ତି । ମାହୁଳିଆ ତ ତୋତେ କିଏ କାମ କରାଉନାହିଁ । ଖାଇବାକୁ ଦେଇ ପୁଣି ଲୁଗାପଟା ଦିଆ ହେଉଛି ।

 

ଚଢ଼େଇକୁ ଧରି ପିଞ୍ଜରାରେ ପୂରେଇ ତା ଡେଣା କାଟି ଛାଡ଼ିଦେଲେ ତାକୁ ଯେମିତି ଲାଗନ୍ତା ସିଲିଆକୁ ଠିକ୍ ସେହିପରି ଲାଗିଲା । ସେ ନିଜକୁ ବେଶି ଭର୍ତ୍ସନା କରୁଥିଲା କି ତା ମନରେ ବେଶି ଦୁଃଖ ହେଉଥିଲା ସେକଥା କହିବା ଭାରି ମୁସ୍କିଲ । କିନ୍ତୁ ପକ୍ଷକଟା ପକ୍ଷୀ ଯେମିତି ମୁକ୍ତ ଆକାଶରେ ଉଡ଼ିଯିବାକୁ ଚାହୁଁଥିଲେ ବି ଯାଇ ନ ପାରି ପିଞ୍ଚରା ଦେହରେ ଫଡ଼ ଫଡ଼ ହୋଇ ମନକଷ୍ଟରେ ପଡ଼ିରହେ, ସିଲିଆର ଦଶା ଠିକ୍ ସେଇଆ ହୋଇଥିଲା । ଏବେ ସେ କେଉଁଠିକି ଯିବ କିଛି ଭାବି ପାରିଲା ନାହିଁ । ଯିବ ଅବା କୁଆଡ଼େ ? ବାହା ନ ହୋଇଥିଲେ ମଧ୍ୟ ବିବାହିତ ଲୋକଙ୍କ ପରି ତା ଚିନ୍ତା, ଭାବନା ସବୁ ପୋଖତ ହୋଇଯାଇଥିଲା । ଭାବିଲା–ନାହିଁ, ସଂସାରେ ତାର ଅନ୍ୟ ଆଶ୍ରୟ ଆଉ କିଛି ନାହିଁ । ମାତାଦୀନ ତାକୁ ହାଣୁ, ମାରୁ, ଯାହା କରୁ, ସେଥିରେ ତାର ପାଟି ଫିଟାଇବାର ଆଉ ଉପାୟ ନାହିଁ । ଅତୀତର ସବୁ କଥା ଗୋଟି ଗୋଟି ହୋଇ ଆଜି ତାର ମନେ ପଡ଼ିଗଲା । ସେ ଦିନକୁ ଆଜି ମୋଟେ ଦି’ବର୍ଷ ବି ହୋଇନାହିଁ । କିନ୍ତୁ ମାତାଦୀନ ସତେ କେତେ ବଦଳିଗଲା । ସେହି ମାତାଦୀନ ଦି’ବର୍ଷ ତଳେ ପଇତା ଧରି ନିୟମ କରିଥିଲା ଜୀବନ ଥିବାଯାକ ତାକୁ ସେ ବିବାହିତ ସ୍ତ୍ରୀ ପରି ରଖିବ । ସେ ଦିନ କୁଆଡ଼େ ଗଲା ସତେ ! ମାତାଦୀନ ଯେତେବେଳେ ପ୍ରେମରେ ପାଗଳ ହୋଇ କୁକୁର ପରି ତା ପଛେ ପଛେ ଦିନରାତି ବୁଲୁଥିଲା, ସେହି ମାତାଦୀନ ପୁଣି ଆଜି ଏମିତି ବଦଳିଗଲା ଯେ ଧାନ ମୁଠାକ ଲାଗି ତାକୁ ବେଜିତ ନ କରି ଛାଡ଼ିଲା ନାହିଁ ।

 

ସିଲିଆ ଆଉ ଜବାବ ଦିଅନ୍ତା କ’ଣ, ମନ ଦୁଃଖ ମନରେ ମାରି ଭଙ୍ଗା ମନ, ଫଟା ହୃଦୟ ନେଇ ପୁଣି କାମରେ ଲାଗିଲା ।

 

ଏତିକିବେଳକୁ କେଉଁଠି କେଜାଣି ସିଲିଆର ମା’, ବାପ, ଦି’ଭାଇ ଆଉ କେତେଜଣ ଚେମାର ସମସ୍ତେ ଆସି ପହଞ୍ଚି ଯାଇ ତାକୁ ଘେରିଗଲେ । ତା ମା’ ଆସି ପହଞ୍ଚିଲାମାତ୍ରେ ତା ହାତରୁ ବୋଝ ଛଡ଼େଇ ନେଇ ଫିଙ୍ଗିଦେଇ କହିଲା–ଆଲୋ ରାଣ୍ଡ, ତତେ କ’ଣ ଆଉ କୋଉଠି ମୂଳ ମିଳୁନାହିଁ ଯେ ଏଇଠିକି ଧାଇଁଛୁ । ଯଦି ବ୍ରାହ୍ମଣ ଘରେ ବ୍ରାହ୍ମୁଣୀ ନ ହୋଇ ଚେମାରୁଣୀ ହେଲୁ, ତେବେ ସେଥିରେ ନାଭ କ’ଣ ? ଆମକୁ ତ ଜାତି ଭାଇଙ୍କ ପାଖରେ ନାକ କାନ କାଟି ମୁହଁପୋତା କଲୁ, ବ୍ରାହ୍ମୁଣ ଘରେ ଯାହା ବ୍ରାହ୍ମୁଣୀ ହେବାକୁ ଆସି ଚେମାରୁଣୀ ହୋଇ ରହିଲୁ ! ଘିଅ ଶାକର ଖାଇବାକୁ ଆସି କଞ୍ଚା ପାଣି ମୁନ୍ଦେ ହେଲେ ପାଇଲୁ ନାହିଁ । ଛି ଲୋ ଛୋପରୀ, ଦୂବ ଗଛରେ ଦଉଡ଼ା ଦେଇ ଯାହା ତୁ ମରୁ ନାହୁଁ !

 

ଘଟଣା ଦେଖି ଝିଙ୍ଗୁରସିଂହ ଆଉ ଦାତାଦୀନ ଦିହିଁକି ଦିହେଁ ଦୌଡ଼ିଆସି ଚେମାର ଦଳକୁ ବୁଝେଇ ସୁଝେଇ ତୁନୀ କରିଦେବାକୁ ଚେଷ୍ଟା କଲେ । ସିଲିଆ ବାପକୁ ଝିଙ୍ଗୁର ପଚାରିଲା–କ’ଣ ଚୌଧୁରୀ, କଥା କ’ଣ ? ଏମିତି ଗଣ୍ଡଗୋଳ କାହିଁକି ?

 

ସିଲିଆ ବାପ ହରଖୁ ଜଣେ ଷାଠିଏ ବର୍ଷର ବୁଢ଼ା, ପିତପିତିଆ କାଳିଆ ଆଉ ଖୁବ୍ ପତଳା, ଶୁଖିଲା କଟକୀ ଲଙ୍କା ମରିଚ ପରି ଶୁକୁଟା । କିନ୍ତୁ ପାଟି ଖଣ୍ଡ ତା’ର ଭାରି ଦାଢ଼ ! କହିଲା–ନାହିଁ ଆଜ୍ଞା କିଛି ନୁହେଁ, ଆଜି ମୁଁ ମାତାଦୀନକୁ ଚେମାର ନକଲେ ଛାଡ଼ିବି ନାହିଁ । ସିଲିଆ ତ ପିଲା ଝିଅଟା, ଆଜି ଅଛି କାଲି ବାହା ହେଇଯିବ, ଆଉ କ’ଣ ରହିବ ? ସେଥିରେ ଆମର କିଛି କହିବାକୁ ନାହିଁ । କିନ୍ତୁ ମୁଁ କହୁଛି, ତାକୁ ଯେ ରଖିବ, ସେ ଆମ ଲୋକ ହୋଇ ରହିବ । ଆମ ମହତ ସାରି ତମେ ବ୍ରାହ୍ମୁଣ ହୋଇ ରହିବ, ଆଉ ଆମେ ତମ ତଳେ ଚେମାର ହୋଇ ରହିବୁ, ସେ ସବୁ କଥା ପଟିବ ନାହିଁ । ଆମ ସଙ୍ଗେ ଯଦି ବେଭାର କଲ, ଆମକୁ ତେବେ ବ୍ରାହ୍ମୁଣ କରିଦିଅ, ଆମ ଜାତିଭାଇ ସମସ୍ତେ ସେଥିପାଇଁ ରାଜି । ନାହିଁ ଯଦି ସେ କଥା କରି ନ ପାରିବ, ତେବେ ତମେ ଚେମାର ହୋଇଯା’ । ଆମ ସଙ୍ଗରେ ଖା’, ପିଆ, ବସାଉଠା କର । ଆମ ସଙ୍ଗେରେ ମିଶିକରି ରହ । ଆମ ଇଜ୍ଜତ ଯେ ସାରିବ, ତାକୁ ଆମରି ଧରମ କରିବାକୁ ହେବ ।

 

ଦାତାଦୀନ ଠେଙ୍ଗାକୁ ଭୂଇଁରେ ପିଟିଦେଇ କହିଲା–ଆରେ ହରଖୁଆ, ଟିକିଏ ମୁହଁ ସମ୍ଭାଳି କଥାବାର୍ତ୍ତା କର । ତୋ ଝିଅ ତ ଏଠି ଛିଡ଼ା ହୋଇଛି, ତୋ ଇଚ୍ଛା ଯଦି ହେଉଛି ତାକୁ ଯୁଆଡ଼େ ଇଚ୍ଛା ସିଆଡ଼େ ନେଇଯା । ତାକୁ କ’ଣ କିଏ ବାନ୍ଧି ରଖିଛି । କାମ କରୁଥିଲା, ମୂଲ ନେଉଥିଲା, ଆଜି ନ କରିବ ନ ନେବ । ଦୁନିଆରେ କ’ଣ ମୂଲିଆ ଅଭାବ ଅଛନ୍ତି ?

 

ଏକଥା ଶୁଣି ସିଲିଆ ମା’ ହାତ ଛିଞ୍ଚାଡ଼ି କହିଲା–ବଡ଼ ଭଲ ବିଚାର ତ କରୁଛନ୍ତି ପଣ୍ଡିତ ଆପଣ ! ତମ ଝିଅ ଯଦି କୋଉ ଚେମାର ଘରେ ପଶିଥାନ୍ତା, ଆଉ ତମେ ଏମିତି କଥା କହୁଥାନ୍ତ, ତେବେ ସିନା ଜଣାପଡ଼ନ୍ତା ! ତମେ ଭାବିଛ ଆମେ ଚେମାର ବୋଲି ଆମର କିଛି ଇଜ୍ଜତ ନାହିଁ । ଇଜ୍ଜତ ସାରିଲା ବେଳକୁ ଆମ ଇଜ୍ଜତ ସାରିଲ, ଏତେବେଳକୁ କ’ଣ ନା ସିଲିଆ ଏକୁଟିଆ ଯିବ । ସେ କଥା ପଟିବ ନାହିଁ । ସିଲିଆ ସାଙ୍ଗରେ ଆଜି ତମ’ ପୁଅକୁ ଯିବାକୁ ହବ । ତମେ ତ ସା’ନ୍ତ ବଡ଼ ଧରମ କଥା କହୁଛ ! ଶୋଇଲାବେଳକୁ ତା’ ପାଖରେ ଶୋଇବ, ଆଉ ପିଇଲାବେଳକୁ ତା’ଠୁ ପାଣି ଛୁଇଁବ ନାହିଁ । ଏଇ ରାଣ୍ଡ ସେମିତି ନିଲଜ୍ଜା ବୋଲି ଏତେ କଥା ସହିସମ୍ଭାଳି ରହିଛି, ମୁଁ ତ ହୋଇଥିଲେ କୋଉଦିନୁ ତାକୁ ବିଷ ଖୁଆଇ ମାରିଦିଅନ୍ତିଣି ।

 

ହରଖୁ ତା’ ଲୋକମାନଙ୍କୁ ଆଖିଠାରି ଦେଇ କହିଲା, ୟା’ଙ୍କ କଥା ସବୁ ଶୁଣିଲ, ଆଉ ଅନେଇ କରି ଠିଆ ହୋଇଛ କାହିଁକି ?

 

ସେ ଏତକ କହୁ କହୁ ଦି’ଜଣ ଚେମାର ଉଠିପଡ଼ି ମାତାଦୀନ ହାତକୁ ଜାବୁଡ଼ି ଧରିଲେ, ଆଉ ଜଣେ ତା ପଇତାଟାକୁ ଫଟକିନା ଛିଣ୍ଡାଇ ଦେଲା । ଦାତାଦୀନ ଆଉ ଝିଙ୍ଗୁର ଠେଙ୍ଗା ଉଠାଇବା ପୂର୍ବରୁ ଜଣେ ଚେମାର ମାତାଦୀନ ମୁହଁରେ ଖଣ୍ଡେ ଗୋରୁହାଡ଼ ଭର୍ତ୍ତି କରିଦେବାକୁ ଚେଷ୍ଟାକଲା । ପହିଲେ ତ ସେ ଦାନ୍ତ ଚିପି କୌଣସିମତେ ରହିଗଲା, କିନ୍ତୁ ଯେତେବେଳେ ସମ୍ଭାଳି ନ ପାରି ଆଁ କରିଦେଲା, ଜଣେ ଚେମାର ସଙ୍ଗେ ସଙ୍ଗେ ତା ତଣ୍ଟି ପର୍ଯ୍ୟନ୍ତ ଖଣ୍ଡେ ହାଡ଼ ପୁରେଇଦେଲା ଗାଁଲୋକ ସବୁ ଆସି ଗଦା ହୋଇଗଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା, କେହିହେଲେ ଜଣେ ପାଟି ଫିଟାଇଲେ ନାହିଁ । ସମସ୍ତେ ମନେ ମନେ ମୁରୁକି ହସା ଦେଇ ଅନେଇ ରହିଲେ । ମାତାଦୀନ ଗାଁରେ ସମସ୍ତଙ୍କ ବୋହୂଝିଅଙ୍କୁ ହଇରାଣ କରେ ବୋଲି, ତା’ର ଏ ଦୁର୍ଦ୍ଦଶାରେ ଆଜି ସମସ୍ତଙ୍କ ମନ ଖୁସି । କିଏ କାହିଁକି ପାଟି ଫିଟେଇବାକୁ ଯିବ ? ଉପର ମନରେ ଖାଲି ମିଛରେ ଚେମାରକୁ ଟିକିଏ ଧମକ ଦେଇଥାନ୍ତି ।

 

ଶେଷରେ ହୋରୀ କହିଲା–ଖୁବ୍ ହେଲାଣି ହରଖୁ, ଆଉ ଗଣ୍ଡଗୋଳ କର ନାହିଁ, ଏଠୁ ପଳା, ନହିଲେ ପୁଣି ଏଇନେ ଦେଖିବ ।

 

ହରଖୁ ନିଧଡ଼କ ହୋଇ କହିଲା–ହୋରୀ ଆଜ୍ଞା ! ଆପଣଙ୍କ ଘରେ ତ ପୁଣି ଝିଅ ବୋହୂ ଅଛନ୍ତି । ଏଇମିତି ଯଦି ଲୋକେ ଇଜ୍ଜତ ସାରନ୍ତି, ତେବେ ଲୋକେ ଏଇ ଗାଁରେ ଚଳିବେ କେମିତି କହନ୍ତୁ ?

 

ଶତ୍ରୁଙ୍କୁ ହରାଇଦେଇ ଚେମାର ଦଳ ସେଠୁ ବାହାରି ଯିବାକୁ ବସିଲେ । ନାହିଁ ଯଦି ଲୋକଙ୍କ ମନ ପୁଣି ବଦଳିଯାଏ, କିଏ ଜାଣେ ପୁଣି କ’ଣ ଘଟିଯିବ ।

 

ମାତାଦୀନ ସାଙ୍ଗେ ସାଙ୍ଗେ ବାନ୍ତି କରିପକାଇଲା । ଦାତାଦୀନ ତା ପିଠି ଆଉଁସୁ ଆଉଁସୁ କହିଲା–ଜଣକା ଯଦି ପାଞ୍ଚ ପାଞ୍ଚ ବର୍ଷ ଜିହଲ ନ ଡୁକେଇଛି ତେବେ ମୋ’ ନା’ ଧରିବ ନାହିଁ । ପାଞ୍ଚ ପାଞ୍ଚ ବର୍ଷ ଘଣା ପେଲେଇଲେ ଯାଇଁ ଛାଡ଼ିବି ।

 

ହରଖୁ ବେଖାତିରଭାବ ଦେଖାଇ କହିଲା–ଆମେ କ’ଣ ତମ ପରି ବସି ଖାଉଛୁ ଯେ ଆମକୁ ଡର ମାଡ଼ିବ । ଯୋଉଠି ତ କାମ କଲେ ଯାହିତାହି ଅଧପେଟେ ଖାଇବାକୁ ମିଳିଯିବ ।

 

ମାତାଦୀନ ବାନ୍ତି କରିସାରି ଦରମରା ପରି ଭୂଇଁରେ ପଡ଼ିଗଲା । ସତେ ଯେମିତି ତା’ ଅଣ୍ଟା ଭାଙ୍ଗି ପଡ଼ିଲା । ମାନମହତ ସବୁ ପାଣିରେ ପଡ଼ିଗଲା । ଯେଉଁ ଜାତି–ଟାଣ ନେଇ ସେ ଏତେ ବଡ଼ିମା ଦେଖାଉଥିଲା, ସେସବୁ ଆଜି ମାଟିରେ ମିଶିଗଲା । ତା’ ପାଟିରେ ହାଡ଼ଖଣ୍ଡ ପଶିଯିବାରୁ କେବଳ ତ ତା’ କାୟା ମାରା ହେଲାନି, ତା ଆତ୍ମା ମଧ୍ୟ ଅପବିତ୍ର ହୋଇଗଲା । ଏଇ ଛୁଆଁ ଅଛୁଆଁ ଖିଆପିଆ ଯୋଗୁ ତ ତା’ର ସବୁ ବଡ଼ପଣ ଥିଲା । କିନ୍ତୁ ସେସବୁ ଯେତେବେଳେ ଉଠିଗଲା, ଆଉ ତା’ପାଟିରେ ଗୋରୁହାଡ଼ ବାଜିଲା, ସେତେବେଳେ ଆଉ ବାକି ରହିଲା କ’ଣ ? ଆଉ ଏଣିକି ଲକ୍ଷେ ଦାନ ପୁଣ୍ୟ କଲେ, ତୀର୍ଥବ୍ରତ କଲେ, କିମ୍ଵା ଗୋବର ପାଣି ପିଇ ଶୌଚ ହେଲେ ବା ଲାଭ କ’ଣ ? ହଁ, ଏକୁଟିଆ ହୋଇଥିଲେ ଅବା କଥାଟା ଲୁଚି ଛପି ଯାଇଥାନ୍ତା, କିନ୍ତୁ ଏତେ ଲୋକରେ ଦାଣ୍ଡ ମଝିରେ ଯେତେବେଳେ ହୋଇଗଲା, ସେତେବେଳେ ମୁଣ୍ଡ କଟିଗଲା ନା ଆଉ ରହିଲା । ଆଜିଠାରୁ ଆପଣା ଘରେ ବି ସେ ଅଛୁଆଁ ରହିବ । ଜନ୍ମକଲା ମା’ ବି ତାକୁ ଆଜିଠୁ ଛୁଇଁବ ନାହିଁ । ସଂସାରଟା ସତେ ଏମିତି ଓଲଟି ଗଲା, ଏତେ ଲୋକ ଠିଆ ହୋଇ ତାମସା ଦେଖିଲେ ପଛେ, କେହି ହେଲେ ଜଣେ ଉଁ କି ଚୁଁ କଲେ ନାହିଁ । ରାତି ପାଇଲେ ଯେଉଁ ଲୋକ ପାଦତଳେ ପଡ଼ି ମୁଣ୍ଡିଆ ମାରୁଥିଲେ ସେମାନେ ବି ଆଜି ମୁହଁ ମୋଡ଼ିଦେଇ ଚାଲିଯିବେ । ଆଜି ଆଉ ସେ ମନ୍ଦିରରେ ପଶିପାରିବ ନାହିଁ, କି ପୂଜାହଜା କିଛି କରିପାରିବ ନାହିଁ, କି ବାସନ ବରତନ ଛୁଇଁପାରିବ ନାହିଁ; ଏଇ ସବୁ କାଣ୍ଡ ଜାଣି ଏଇ ଚେମାରୁଣୀ ସଲିଆ ଯୋଗୁ ଖାଲି ହେଲା ।

 

ସିଲିଆ ଯେଉଁଠି ଧାନ ପାଛୋରୁଥିଲା, ସେଇଠି ମୁହଁକୁ ପୋତି ଠିଆ ହୋଇ ରହିଲା । ତା ମା’ ରଗଡ଼ ପକାଇ କହିଲା–ଠିଆ ହୋଇ ଦେଖୁଛୁ କ’ଣ ? ସିଧା ଘରକୁ ଚାଲ, ନହିଲେ ଏଇନେ ଦେଖିବୁ ! ତୋ’ ମାଉଁସ ଫୁଟ ଫୁଟ କରିଦେବି । ବୋପା ଦାଦିଙ୍କର ତ ଖୁବ୍ ନାଁ ପକାଇଲୁ, ଆଉ କ’ଣ କରିବୁ ବୋଲି ଅନେଇଛୁ ?

 

ସିଲିଆ କାଠ ପରି ଠିଆ ହୋଇ ରହିଲା । ମନେ ମନେ ବାପ ଭାଇଙ୍କ ଉପରେ ବିଗିଡ଼ିଲା । ଭାବିଲା ଏମାନେ କିଆଁ ଆସି ଉପରେପଡ଼ି କଥା କହୁଛନ୍ତି । ତା’ମନ ଯେମିତି ହେଲା, ସେ ସେମିତି ରହିଲା, ଆଉ ଲୋକଙ୍କର ସେଥିରେ ଯାଏ ଆସେ କେତେ ? କହୁଛନ୍ତି କ’ଣ ତାକୁ ଏଠି ଛୋଟ ନଜରରେ ଦେଖୁଛନ୍ତି ? ଆଉ କ’ଣ ବ୍ରାହ୍ମଣ ହେଇକରି ସେ ଚେମାରୁଣୀ ହାତରୁ ପାଣି ପିଅନ୍ତେ, ଚେମାରୁଣୀ ହାତରୁ ଭାତ ଖା’ନ୍ତେ ! ଏଗୁଡ଼ା କେଉଁ ସଂସାର ବାହାର କଥା ? ପହିଲେ ମାତଦୀନର ଖରାପ ବ୍ୟବହାର ଯୋଗୁ ସିଲିଆ ସିନା ତା’ ଉପରେ ଟିକିଏ ବିଗିଡ଼ି ଯାଇଥିଲା, ହେଲେ ଆପଣା ବାପାଭାଇଙ୍କ ଅତ୍ୟାଚାର ଦେଖି ତା’ ମନ ପୁଣି ମାତାଦୀନ ଆଡ଼କୁ ଢଳିପଡ଼ିଲା ।

ଭାରି ବିଦ୍ରୋହ କଲାପରି ସେ କହିଲା–ମୁଁ କୁଆଡ଼େ ଯିବି ନାହିଁ । ତୁ କ’ଣ ଏଠେଇ ବି ମତେ ରଖେଇଦେବୁ ନାହିଁ ?

ମା’ବୁଢ଼ୀ ତା’ର ପାଟିକରି କହିଲା–କ’ଣ ତୁ ଯିବୁ ନାହିଁ ?

‘ନାହିଁ ।’

‘ମୁଁ କହୁଛି, ସିଧା ସିଧା ଚାଲ ନହିଲେ ଏଇନେ ଦେଖିବୁ ।’

‘ନାହିଁ, ମୁଁ ଯିବି ନାହିଁ, ତୁ କ’ଣ କରୁଛୁ କର ।’

ଚଟକରି ତା’ ଦି’ଭାଇଯାକ ତା’ ହାତକୁ ଧରି ଘୋଷାରି ନେଇ ଚାଲିଗଲେ । ସିଲିଆ ଓହଳିକରି ଭୂଇଁରେ ବସିଗଲା, ତେବେ ବି ସେମାନେ ଛାଡ଼ିଲେ ନାହିଁ । ସେମିତି ଘୋଷାରିବାକୁ ଲାଗିଲେ । ତା’ ଶାଢ଼ି ଚିରିଗଲା ଏବଂ ଅଣ୍ଟା ପିଠି ସବୁ ଛିଣ୍ଡିଛାଣ୍ଡି ଗଲା, ତେବେ ବି ସେ ଯିବାପାଇଁ ରାଜି ହେଲା ନାହିଁ ।

ଶେଷରେ ହରଖୁ ପୁଅ ଦିହିଁଙ୍କି କହିଲା–ଆରେ ହଉ, ଯାହା ତ ହେଲାଣି ହେଲାଣି, ସେଟାକୁ ଛାଡ଼ିଦିଅ, ଜାଣ ସେଟା ମଲାଣି ବୋଲି । ଯଦି ଅଲକ୍ଷଣୀ ମୋ ଦୁଆରକୁ ଆଉ କେବେ ଆସେ, ତେବେ ତା’ ରକତ ଚିତା ଘିତିବି ।

 

ସିଲିଆ ବେପରୁଆ ହୋଇ କହିଲା–ହଁ, ହଁ, ଯା’, ତମ ଦୁଆରକୁ ଗଲେ ମୋ ଚିତା ଘିତିବ ପଛେ ।

 

ଏକଥା ଶୁଣି ତା’ ମା’ ବୁଢ଼ୀ ରାଗରେ ନିଆଁ ହୋଇ ସିଲିଆକୁ ଗୋଇଠା ଉପରେ ଗୋଇଠା ଦୁହାରି ଦେଇଗଲା । ତା’ ବାପ ଯଦି ଛଡ଼େଇ ଦେଇ ନଥାନ୍ତା ତେବେ ତାକୁ ସେ ଜୀବନରୁ ମାରି ଦେଇଥାନ୍ତା ବୋଧହୁଏ ।

 

ବୁଢ଼ୀ ପୁଣି ଯେତେବେଳେ ମାରିବାକୁ ଦଉଡ଼ି ଆସିଲା, ହରଖୁ ତାକୁ ଧକାଦେଇ ପଛକୁ ହଟାଇଦେଇ କହିଲା–ବଡ଼ ରାକ୍ଷାସୁଣୀ ମାଇକିନିଆଟାଏ ତୁ, ତାକୁ ଜୀବନରେ ମାରିଦେବୁ ନା’ କ’ଣ ?

 

ସିଲିଆ ବାପଗୋଡ଼କୁ କୁଣ୍ଢେଇ ଧରି ବାହୁନି ବାହୁନି କାନ୍ଦି ବସିଲା, କହିଲା–ମାରିଦିଅ ମତେ, ମନ ହେଉଛି ଯଦି ସମସ୍ତେ ମିଶିକରି ମୋ’ ଜୀବନ ନେଇଯା । ମା’ ମନ ପୁଣି ଏମିତି ହେବ ବୋଲି ମୁଁ ଜାଣି ନଥିଲି । ଏଇଥିପାଇଁ ମା’ କ’ଣ ମୋତେ ଦୁଧ ପିଆଇ ବଢ଼େଇଥିଲା । ଜନମରୁ କିଆଁ ତଣ୍ଟି ଚିପି ନ ଦେଲା । ହାୟରେ ବିଧାତା ! ମୋ’ରି ପାଇଁ ପୁଣି ମାତାଦୀନର ଜାତି ଗଲା । ସେ କ’ଣ ମୋତେ ଆଉ ପଚାରିବ । ଯେତେ ଯାହା ହେଲେ ତ ତାଙ୍କରି ପାଖରେ ମୋ ଦିହକ କଟିବ । ମତେ ସେ ଖାଇବାକୁ ଦେଲେ ଆଚ୍ଛା, ଉପାସ ଗଡ଼ାଇ ମାରିଲେ ଆଚ୍ଛା, ଯା’ ହାତ ଧରିଛି, ତାକୁ କ’ଣ ଆଉ ଛାଡ଼ିକରି ଯିବି, ମଲେ ପଛେ ସେଇଠି ମରିଯିବି, ଜଣକ ହାତ ଯେତେବେଳେ ଧରିଛି, ପର ଦୁଆରକୁ ଆଉ ଯିବି କେମିତି ?

 

ସିଲିଆର ଭାଇ ରାଗରେ ଦାନ୍ତ କଡ଼ମଡ଼ କରି କହିଲା–ଛାଡ଼ିଦିଅ ସେଟାକୁ, ସେ ଯାଉ-। ତାକୁ ଯଦି ଆଜି ମାତାଦୀନ ପିଟିକରି ବାହାର କରି ନ ଦେଇଛି, ତେବେ ମୋ ନାଁ ଧରିବ ନାହିଁ-

 

ଶେଷକୁ ଭାଇମାନଙ୍କ ମନରେ ବି ଦୟା ହେଲା । ତାକୁ ସେଇଠି ଛାଡ଼ିଦେଇ ସମସ୍ତେ ଚାଲିଗଲେ । ସିଲିଆ ଉଠିକରି ଧୀରେ ଧୀରେ ଖଳା ଆଡ଼କୁ ଗଲା । ସେଇଠି ବସିକରି ମୁହଁରେ ଲୁଗାଦେଇ କାନ୍ଦିଲା ।

 

ଦାତାଦୀନ ସିଲିଆ ଉପରେ ରାଗ ଝଡ଼େଇ ହୋଇ କହିଲା–ହଇଲୋ ସିଲିଆ, ଯାଇଥିଲୁ ତ ତାଙ୍କ ସାଙ୍ଗରେ ଗଲୁନି ବାହାରି କାହିଁକି ? ମୋର ତ ସବୁ ସତ୍ୟାନାଶ କଲୁ, ଆଉ ପୁଣି କ’ଣ କରିବୁ ବୋଲି ଆସିଛୁ ?

 

ସିଲିଆ କାନ୍ଦି କାନ୍ଦି ଉପରକୁ ଅନାଇଁ କହିଲା–ତାଙ୍କ ସାଙ୍ଗରେ ମୁଁ ଯିବି କିଆଁ ? ଯିଏ ମୋ ହାତ ଧରିଛନ୍ତି, ତାଙ୍କ ସାଙ୍ଗରେ ରହିବି ନା ଆଉ ଲୋକଙ୍କ ସାଙ୍ଗରେ ଯିବି କିଆଁ ?

 

ପଣ୍ଡିତ ଧମକ ଦେଇ କହିଲା–ଦେଖ, ମୋ ଦୁଆରେ ଯଦି ତୁ ପୁଣି ଆଉ ପାଦ ପକାଇଛୁ, ତେବେ ତତେ ବେକା ଦେଇ ବାହାର କରିଦେବି ।

 

ସିଲିଆ ବି ଜୋରକରି କହିଲା–ହଁ, ସେ ମତେ ଗଛମୂଳେ ରଖୁ କି କୋଠା ମହଲରେ ରଖୁ, ଯୋଉଠେଇ ସେ ରଖିବ ମୁଁ ରହିବି ।

 

ମାତାଦୀନ ଚୁପ୍ ହୋଇ ବସିଥିଲା । ଖରାରେ ତା’ ଦେହରୁ ଝାଳ ଟୋପା ଟୋପା ହୋଇ ବହି ଯାଉଥିଲା । ପାଟି ତୁଣ୍ଡ ଉଁ କି ଚୁଁ କିଛି ନଥିଲା । ସତେ ଯେମିତି ତା ଦେହରେ ନାରାୟଣ ପୁରୁଷ ନଥିଲେ ।

 

ହଠାତ୍ ତାର ଜ୍ଞାନ ଆସିଗଲା, ସେ ପଚାରିଲା–ବାପା, ମୋ କଥା କ’ଣ କରିବା କହିଲ-?

 

ଦାତାଦୀନ ତା’ ମୁଣ୍ଡରେ ହାତଦେଇ ତାକୁ ଆଶ୍ୱାସନା ଦେଇ କହିଲା–ତୋ’ ପାଇଁ ଆଉ ଏଇନେ ସାଙ୍ଗେ ସାଙ୍ଗେ କ’ଣ କରିବା ? ତୁ ଆଗ ଗାଧୁଆ ପାଧୁଆ ଖିଆପିଆ କର । ତେଣିକି ପଣ୍ଡିତମାନେ ଯେଉଁ ବ୍ୟବସ୍ଥା ଦେବେ, କରିବା । ହଁ, କିନ୍ତୁ ସିଲିଆକୁ ଆଉ ରଖିବା କଥା ପଟିବ ନାହିଁ-

 

ମାତାଦୀନ ଆଖି ଲାଲ ଲାଲ କରି ସିଲିଆକୁ ଚାହିଁ କହିଲା–ମୋର ଆଉ ତା’ ମୁହଁ ଚାହିଁବାକୁ ଇଚ୍ଛା ନାହିଁ । ପ୍ରାୟଶ୍ଚିତ୍ତ ହୋଇଗଲା ପରେ ଆଉ କିଛି ଦୋଷ ରହିବ ନାହିଁ ତ ?

 

‘ନାହିଁ, ପ୍ରାୟଶ୍ଚିତ୍ତ ହୋଇଗଲେ ଆଉକିଛି ରହିବ ନାହିଁ ।’

 

‘ତା’ହେଲେ ଆଜି ଟିକିଏ ପଣ୍ଡିତମାନଙ୍କ ପାଖକୁ ଯା’ ।’

 

‘ନାହିଁ, ଆଜି ଯିବା କି ଦରକାର ଅଛି ?’

 

‘କିନ୍ତୁ ପଣ୍ଡିତ ଯଦି କହନ୍ତି ଏହାର ପ୍ରାୟଶ୍ଚିତ୍ତ ହୋଇପାରିବ ନାହିଁ ! ତା’ ହେଲେ କ’ଣ କରିବା ?’

 

‘ତାଙ୍କ ଇଚ୍ଛା ।’

 

‘ତା’ ହେଲେ ତମେ କ’ଣ ମୋତେ ଘରୁ ବାହାର କରିଦେବ ?’

 

ଦାତାଦୀନ ଭାବବିହ୍ଵଳ ହୋଇ କହିଲା–ସେ କଥା କେବେ କେଉଁଠି ହେଲାଣି ବାପ, ଧନ ଧରମ, ଜାତିପତି ମାନମହତ ସବୁ ଯିବ ପଛେ ତୋତେ ଛାଡ଼ିବି କେମିତି ?

 

ମାତାଦୀନ ଠେଙ୍ଗାଧରି ବାପ ପଛେ ପଛେ ଘରକୁ ଚାଲିଲା । ତା’ ପଛେ ପଛେ ସିଲିଆ ବି ତୁନୀତାନ ହୋଇ ଚାଲିଲା ।

 

ମାତାଦୀନ ପଛକୁ ଲେଉଟି ଚାହିଁ ପାଟିକରି କହିଲା–ମୋ’ ପଛରେ ତୁ ଆସ ନାହିଁ । ମୋତେ ଏତେ ଅବସ୍ଥା କରାଇ ତେବେ ବି ତୋ’ ମନ ମାନିନାହିଁ ? ତୋ’ ସାଙ୍ଗେ ମୋର କିଛି ସଂପର୍କ ନାହିଁ, ଯା’ ।

 

ସିଲିଆ ଅମାନିଆ ହୋଇ ତା’ ହାତ ଧରିପକାଇ କହିଲା–ଏଇ ଗାଁରେ ତ ତମଠୁ ବଳି କେତେ ଧନୀ, କେତେ ସୁନ୍ଦର, କେତେ ମହତକିଆ ଲୋକ ଅଛନ୍ତି । ମୁଁ ତ ଆଉ କାହା ହାତ ଧରିଲି ନାହିଁ, ତମ ହାତ ଧରିଲି କିଆଁ ? ତମକୁ ଆଜି ଏ ଦଶା ଘଟିଲା କିଆଁ ? ଆଜି ତମ ବେକରେ ଯୋଉ ଫାଶ ପଡ଼ିଛି, ସାତ ଜନମରେ ବି ତମେ ସେଥିରୁ ମୁକୁଳିପାରିବ ନାହିଁ । ମୁଁ ଭିକ ମାଗେ କି ମୁଲ ଶାଗ କରି ଖାଏ, ମୋର ଯେତେ ଯାହି ହେଲେ ବି ମୁଁ ତମକୁ ଛାଡ଼ିକରି କେବେ ଯିବି ନାହିଁ ।

 

ଏତିକି କହି ହାତ ଛାଡ଼ିଦେଇ ସେ ପୁଣି ଖଳାକୁ ଫେରିଯାଇ ଧାନ ପାଛୋରାରେ ଲାଗିଲା । ହୋରୀ ସେତେବେଳକୁ ଧାନ ବେଙ୍ଗଳା ପକାଉଥିଲା । ଖାଇବାକୁ ଯିବାପାଇଁ ଧନିୟା ତା’କୁ ଡାକି ଆସିଥିଲା । ହୋରୀ ବଳଦଙ୍କୁ ବେଙ୍ଗଳାରୁ ଫିଟାଇଦେଇ ଗୋଟାଏ ଗଛରେ ବାନ୍ଧିଦେଇ ସିଲିଆକୁ କହିଲା–ଯା’ ସିଲିଆ ତୁ ଖାଇକରି ଆସିବୁ, ଧନିୟା ତ ଏଠି ବସିଛି । ଦେଖ, ତୋ’ ପିଠିପଟେ ଶାଢ଼ିଟା ରକ୍ତ ସଲବଲ ହୋଇଗଲେଣି, ଘା’ କାଳେ ପାଚିଯିବ । ତମ ଲୋକଗୁଡ଼ା ସତେ ବଡ଼ ନିର୍ଦ୍ଦୟ ! ଏଇମିତି ଘୋଷାରିକରି ମାରନ୍ତି ।

 

ସିଲିଆ କରୁଣ ଦୃଷ୍ଟିରେ ହୋରୀ ଆଡ଼କୁ ଚାହିଁ କହିଲା, ଯାହା କହିଲ ଦାଦା, ଏଠେଇ ଦୟା କା’ର ନିଦୟା କା’ର, ଏଠି ତ ସମସ୍ତେ ସମାନ ।

 

‘ପଣ୍ଡିତ ତୋତେ କ’ଣ କହିଲା କିଲୋ ?’

 

‘କହୁଛି ମୋର ତୋ’ ସଙ୍ଗେ କିଛି ସଂପର୍କ ନାହିଁ ।’

 

‘ହଁ, ଏମିତି କଥା ।’

 

‘ହଁ’ ଭାବିଛି ଏମିତି କରିଦେଲେ ତା’ ମାନମହତ ପରା ରହିଯିବ । ଯୋଉ କଥା ହାଟବଜାରରେ ଡିବିଡ଼ିବି ହୋଇଗଲାଣି, ତାକୁ ଛପେଇବ କିଏ ? ହଁ, ଖୁବ୍ ହେଲେ ମୋତେ ଖାଇବାକୁ ନ ଦେବ, ନଦେଉ । ଆଜି ତ ମୂଲନାଗି କରି ଖାଉଛି, କାଲି ବି ମୂଲ ନାଗି ଖାଇବି । ଶୋଇବାପାଇଁ ଭୂଇଁ ଚାଖଣ୍ଡେ ମାଗିଲେ କ’ଣ କେହି ଦେବେ ନାହିଁ !’

 

ଧନିୟା ଭାରି ଦୟା ପ୍ରକାଶ କରି କହିଲା–ହଁ, ଜାଗା କୋଉ ଅଭାବ ପଡ଼ିଛି । ଚାଲ ମୋ ଘରେ ରହିବୁ, ମୁଁ କ’ଣ ମନା କରୁଛି ! ହୋରୀ କାତର ହୋଇ କହିଲା–ହଁ, କହିଦେଉଛୁ ସିନା, କିନ୍ତୁ ପଣ୍ଡିତକୁ ଚିହ୍ନିଛୁ ତ ?

 

ଧନିୟା ବେପରୁଆ ହୋଇ କହିଲା, ଚିହ୍ନିବି କ’ଣ, ସେ ମୋର କ’ଣଟାଏ କରି ପକାଇବ କି ? ତା’ ତଳେ କ’ଣ ମୁଁ ଘର କରିଛି ? ତା’ ଇଜ୍ଜତ ନେଲା, ତା’ ଜାତିପତି ଗଲା, ଏତେବେଳକୁ କହୁଛି ତୋ’ ସଙ୍ଗେ ମୋର ସମ୍ପର୍କ ନାହିଁ । ସିଏ ଗୋଟେ ମଣିଷ ନା କଂସେଇ ? ଏକଥା ଯଦି ମନରେ ଥିଲା ଆଗରୁ କହିଲା ନାହିଁ । ସେତେବେଳେ ମଜା ଉଡ଼େଇ ଏତେବେଳେ କହୁଛି ସମ୍ପର୍କ ନାହିଁ ।

 

ହୋରୀ ଭାବିଲା ଧନିୟା ଯାହା କହୁଛି ଭୁଲ୍ କହୁଛି । କାରଣ ସିଲିଆର ଲୋକେ ଆସି ମାତାଦୀନକୁ ଯାହା କଲେ, ସେଗୁଡ଼ା ବଡ଼ ଅନ୍ୟାୟ କଥା । ତାଙ୍କ ମନହେଲେ ସେମାନେ ସିଲିଆକୁ ବୁଝେଇ ସୁଝେଇ ନେଇ ଯାଇଥାନ୍ତେ କିମ୍ବା ମାଡ଼ଗାଳି ଦେଇ ଯାଇଥାନ୍ତେ । ସେ ଯେତେବେଳେ ତାଙ୍କ ଝିଅ, ତାଙ୍କ ମନ ଯାହା କରିପାରିଥାନ୍ତେ । କିନ୍ତୁ ମାତାଦୀନଙ୍କର ଧରମନେଇ ଲାଭ କ’ଣ ?

 

ଧନିୟା ଖୁବ୍ ରଗଡ଼ ପକାଇ କହିଲା–ହଁ, ହଁ ସେତିକି ଥାଉ । ଭାରି ନ୍ୟାୟ ବୁଝାମଣା ତ-! ସବୁ ଅଣ୍ଡିରାଙ୍କର ଏକା ବିଚାର । ମାତାଦୀନ ଯେତେବେଳେ ୟା’ ଧରମ ନେଲା, ସେତେବେଳେ ତ କେହି କିଛି କହିଲେ ନାହିଁ । ଆଉ ଯେତେବେଳେ ଇଏ ଧରମ ନେଲା, ଲୋକଙ୍କୁ ଏତେ ବାଧି ଯାଉଛି କିଆଁ ? ସିଲିଆ ଧରମୁଟା କ’ଣ ଧରମ ନୁହେଁ, ଏକା ମାତାଦୀନ ଧରମୁଟା ଧରମ ? ରଖିଲା ବେଳକୁ ରଖିବ ଚେମାରୁଣୀ, ତେଣେ ଚିତା ତିଲକ କାଟି, ଧରମ କରୁଥିବ । ଖୁବ୍ କଲା, ହରଖୁ ଆଜି ଆଚ୍ଛା କାମ କଲା । ଯେମିତିଆ ଗୁଣ୍ଡାଙ୍କୁ ସେମିତିଆ ପାହାର । ଚାଲ ସିଲିଆ, ତୁ ମୋ ଘରକୁ; କେମିତିଆ ବୋପା, ମା’ ତୋ’ର କେଜାଣି ପିଠି ଗୋଟାଯାକ ଏକାବେଳକେ ରକତ କରିଦେଇଛନ୍ତି । ଯା’ ତମେ ସୁନାକୁ ପଠାଇଦେବ, ମୁଁ ୟା’କୁ ସାଙ୍ଗରେ ନେଇକରି ଯାଉଛି ।

 

ହୋରୀ ଘରକୁ ଚାଲିଗଲା, ସିଲିଆ ଧନିୟାର ଗୋଡ଼ତଳେ ପଡ଼ି ଭୋ ଭୋ ରଡ଼ି ଛାଡ଼ିଲା ।

Image

 

Unknown

ଚତୁର୍ବିଂଶ ପରିଚ୍ଛେଦ

 

ଦେଖୁ ଦେଖୁ ସୁନାକୁ ଆସି ଷୋହଳ ପୂରି ସତର ଚାଲିଲା, ଏଣିକି ଆଉ ତା’ ବାହାଘର ନହେଲେ ନଚଳେ । ହୋରୀ ତ ଦି’ବର୍ଷ ହେଲା ଖାସ୍ ସେଇ ଚିନ୍ତାରେ ଥିଲା; ହେଲେ, ପଇସାଟିଏ ତ ହାତରେ ନଥିଲା, ବିଚାରା କରନ୍ତା କ’ଣ ? କିନ୍ତୁ ଆଉ ଏଥର କିଛି ଉପାୟ ନାହିଁ । କରଜ ହେଉ କିମ୍ବା ବିଲବାଡ଼ି ବନ୍ଧାଛନ୍ଦା ପଡ଼ୁ, ଏଥର ଯେମିତିହେଲେ ବାହାଘର ହେବ । ହୋରୀ କଥାରେ ଯଦି ଘର ଚଳୁଥା’ନ୍ତା ସେ ତ ଯାହିତାହି ତାଳିଏ ମାରିଦେଇ ସାରନ୍ତାଣି, କିନ୍ତୁ ଧନିୟା ଲଗେଇଛି ଯେମିତିହେଲେ ଦି’ ତିନି ଶହ ନହେଲେ ଚଳିବ ନାହିଁ । ତହିଁକି ଅଜାତି ହୋଇଛନ୍ତି ଯେତେବେଳେ, ବିନା ଶହେ ଦୁଇଶ ନଦେଲେ ଭଲ ବରଟାଏ ମିଳିବ କୁଆଡ଼ୁ ! ପିଛଲା ସାଲ ତ ବିଶେଷ କିଛି ମିଳି ନଥିଲା । ଦାତାଦୀନ ସାଙ୍ଗରେ ଭାଗରେ ଯେଉଁ ଚାଷ ହୋଇଥିଲା ସେଥିରୁ ସେ ବିହନ ଆଉ ମୂଲପାଇଁ ଏଣୁତେଣୁ ହିସାବ ଯୋଡ଼ି ସବୁ କାଟି ନେବାରୁ ହୋରୀକୁ ମୋଟେ ଚାରିଭାଗରୁ ଭାଗେ ମିଳିଥିଲା । କିନ୍ତୁ ଖଜଣା ପୂରାପୂରି ଦେବାକୁ ପଡ଼ିଲା । ହାଲ ସନ ବି ସେଇ ଦଶା । ପାଣିଯୋଗୁ ଝୋଟ ଭଲ ହେଲାନି କିମ୍ବା ଉଇ ଲାଗିଯିବାରୁ ଆଖୁ ଭଲ ହେଲାନି । ତଥାପି ଆଖୁରୁ ଦି’ଶହ ଟଙ୍କା ମିଳିଯିବ ବୋଲି ଆଶା ଥିଲା । ଗୋବରା ଯଦି ଶହେ ଟଙ୍କା ଦେଇ ଦେଇଥାନ୍ତା ତେବେ ହୋରୀ ଆଉ ଯୋଉଠୁ ଯେମିତିହେଲେ ଶହେ ଟଙ୍କା ଯୋଗାଡ଼ କରି ଦେଇଥାନ୍ତା । ଝିଙ୍ଗୁର ସିଂହ ଆଉ ମଙ୍ଗୁଳୁ ସାହୁ କରଜ ଟଙ୍କାପାଇଁ ଏବେ ଆଉ ବେଶି ହଇରାଣ କରୁ ନଥିଲେ, କାରଣ ସେମାନେ ଜାଣିଥିଲେ ଗୋବରା ଯେତେବେଳେ ବିଦେଶରେ ଚାକେରୀ କଲାଣି, ତାଙ୍କ ପଇସା ଯେମିତି ହେଲେ ମିଳିଯିବ ।

 

ହୋରୀ ଦିନେ ଠିକ୍ କଲା ଯେ ଦିନେ ଦୁଇଦିନ ପାଇଁ ଗୋବରା ପାଖକୁ ଲକ୍ଷ୍ନୌ ଯିବ । କିନ୍ତୁ ଗୋବରା ଗଲାବେଳେ ଧନିୟାକୁ ଯେଉଁ ଟାଣ ଟାଣ କଥାସବୁ କହି ଯାଇଥିଲା, ଧନିୟା ତାକୁ ଭୁଲି ପାରିନଥିଲା । ସେଥିପାଇଁ ସେ ହୋରୀକୁ ଲକ୍ଷ୍ନୌ ଯିବାକୁ ମୋଟେ ଛାଡ଼ିଲା ନାହିଁ ।

 

ହୋରୀ ତେଣୁ ବିରକ୍ତ ହୋଇ କହିଲା–ଗୋବରା ପାଖକୁ ଯାଇ ତ ପଇସା ଆଣିବି ନାହିଁ, କାମ ଚଳିବ କେମିତି କହ ?

 

ଧନିୟା ମୁଣ୍ଡ ହଲେଇ କହିଲା–ଗୋବରା ଯଦି ବିଦେଶ ନ ଯାଇଥାନ୍ତା ତମେ ଯୋଉ ବାଟ କରିଥାନ୍ତ, ସେହି ବାଟ ଏବେ କର ।

 

ଏତିକିରେ ହୋରୀ ଚୁପ୍ ହୋଇଗଲା । ପୁଣି ଟିକିଏ ଛାଡ଼ି କହିଲା–ମୁଁ ତ ତତେ ପଚାରୁଛି, ତୁ ମତେ କହୁଛୁ କ’ଣ ?

 

ଧନିୟା କହିଲା–ସେଗୁଡ଼ା ମରଦଙ୍କ କାମ, ସେଥିରେ ଆମର କ’ଣ ଅଛି ?

 

ହୋରୀକୁ ସାଙ୍ଗେ ସାଙ୍ଗେ ଜବାବ ଦିଶିଗଲା, କହିଲା–ମୁଁ ଯଦି ନ ଥାନ୍ତି, ତୁ ଯଦି ଏକୁଟିଆ ଥାନ୍ତୁ, ତାହାହେଲେ ତୁ ଯାହା କରିଥାନ୍ତୁ ଏବେ ସେୟା କର ।

 

ଧନିୟା ତିରସ୍କାର କଲାପରି ଅନେକ କହିଲା–ସେମିତି ହୋଇଥିଲେ ତ ମୁଁ ତୁଳସୀପତ୍ରରେ ପାରି ହୋଇଯାଇଥାନ୍ତି, ମୋତେ କ’ଣ ଲୋକ ହସନ୍ତେ ?

 

ହୋରୀ ଯଦି ତୁଳସୀପତ୍ର ଦେଇ କନ୍ୟାକୁ ଟେକି ଦେଇଥାନ୍ତା ତେବେ ତାର ମଙ୍ଗଳ ହୋଇଥାନ୍ତା । କିନ୍ତୁ ଜାତିକୁଳର ମାନମର୍ଯ୍ୟାଦା ଯେତେବେଳେ ଅଛି, ଏକଥା କରନ୍ତା ସେ କେମିତି-? ତା’ ଭଉଣୀମାନେ ବାହା ହେଲାବେଳେ ତିନିଶ ଲେଖା ବରଯାତ୍ରୀ ଆସିଥିଲେ, ହାତୀ ଘୋଡ଼ା ପାଲିଙ୍କି ପାଟଛତାରେ ଗାଁ ପୂରି ଉଠୁଥିଲା । ଧନସମ୍ପତ୍ତି କେତେ ନା କେତେ ଯୌତୁକ ଦିଆ ହୋଇଥିଲା । କିନ୍ତୁ ଆଜି ଯେତେବେଳେ ପାଞ୍ଚଖଣ୍ଡି ଗାଁରେ ତା’ର ନା ପଡ଼ୁଛି, ତୁଳସୀପତ୍ରରେ କନ୍ୟାଦାନ କରି ସେ ମୁହଁ ଦେଖାଇବ କେଉଁଠି ? ବରଂ ତା ଅପେକ୍ଷା ମରିଯିବା ଆହୁରି ଭଲ-। ବିଲବାଡ଼ି ବାଗବଗିଚା ଯେତେବେଳେ ତା’ ହାତରେ ଅଛି ସେଥିରୁ କିଛି ସେ ବିକି ନ ଦେବ ଅବା କିଆଁ ? ହେଲେ ଚାଷୀଙ୍କ ପକ୍ଷରେ, ଜମି ତ ଜୀବନଠାରୁ ବି ଅଧିକ । ଜମି ବୋଲି ତ ମୋଟେ ତିନି ବିଘା ଅଛି, ସେଥିରୁ ଯଦି ସେ ବିଘାଏ ବିକିଦିଏ, ତେବେ ଚାଷ କରିବ କ’ଣ ?

 

ଏଇମିତି କିଛିଦିନ କଟିଗଲା, ହୋରୀ କିଛିହେଲେ ଠିକ୍ କରିପାରିଲା ନାହିଁ ।

 

ଦଶହରା ଛୁଟୀ । ଝିଙ୍ଗୁର, ପଟେଶ୍ଵରୀ ଓ ନୋଖେରାମଙ୍କ ପୁଅମାନେ ଦଶହରା ଛୁଟୀରେ ଗାଁକୁ ଆସିଥାନ୍ତି, ତିନିକି ତିନିହେଁ ଇଂରେଜି ପାଠ ପଢ଼ୁଥାନ୍ତି । ବୟସ କୋଡ଼ିଏରୁ ବେଶି ହେଲେ ବି ତାଙ୍କ ଭିତରୁ କେହିହେଲେ ହାଇସ୍କୁଲ ପାରି ହୋଇପାରି ନଥାନ୍ତି । ଗୋଟାଏ ଗୋଟାଏ କ୍ଲାସରେ ତିନି ତିନି ବର୍ଷ ଫେଲ୍ ହୋଇ ପଢ଼ୁଥାନ୍ତି । ପଟେଶ୍ୱରୀ ପୁଅ ବିନ୍ଦେଶ୍ଵରୀ ବିଭାହୋଇ ସାରିଥାଏ, ତା’ର ଗୋଟାଏ ପିଲା ବି ହୋଇସାରିଥାଏ । ତିନିକି ତିନିହେଁ ତାସଖେଳା ଆଉ ମଦପିଆରେ ମାତି ବଜାରୀଙ୍କ ପରି ଏଣେତେଣେ ବୁଲୁଥାନ୍ତି । ଦିନେକେ ଦି’ତିନିଥର ସେମାନେ ହୋରୀ ଘରପଟେ ପଇଁତରା ମାରୁଥାନ୍ତି । ସେମାନଙ୍କ ଆସିବା ବେଳ ଦେଖି ସୁନା କୌଣସି ନା କୌଣସି କାମ ବାହାନାରେ ଘରୁ ବାହାରିଆସି ଦାଣ୍ଡ ଦରଜାରେ ଛିଡ଼ା ହୋଇଯାଏ । ଗୋବରା ଲକ୍ଷ୍ନୌରୁ ଯେଉଁ ଶାଢ଼ି ଆଣିଥିଲା, ସେହି ଶାଢ଼ିକୁ ପିନ୍ଧିକରି ଆସି ଠିଆ ହୁଏ । ଏସବୁ କାଣ୍ଡକାରଖାନା ଦେଖି ହୋରୀ ମନେ ମନେ ଭାରି ଡରୁଥାଏ, କାଳେ କୋଉ ବିପତ୍ତି ପଡ଼ିଯିବ ।

 

ହୋରୀ ଯେଉଁ କୂଅରୁ ଆଖୁରେ ପାଣି ମଡ଼ାଏ, ଦିନେ ତିନିହେଁଯାକ ସେଇ କୂଅଠିକି ଗାଧୋଇବାକୁ ଗଲେ । ସୁନା ସେଠି କାମ କରୁଥିଲା । ଏସବୁ କଥା ଦେଖି ହୋରୀ ଦେହରେ ନିଆଁ ଲାଗିଗଲା ।

 

ସେହିଦିନ ସଞ୍ଜବେଳେ ହୋରୀ ସିଧା ସିଧା ଦୁଲାରୀ ସାହୁଆଣୀ ଦୋକାନ ପାଖରେ ଯାଇ ପହଞ୍ଚିଲା । ଭାବିଲା ମାଇପି ଲୋକଟାର କଅଁଳ ମନ ଅବା ତରଳିଯିବ, ହୁଏତ ସେ କିଛି ଟଙ୍କା କରଜ ଦେଇଦେବ । କିନ୍ତୁ ସାହୁଆଣୀ ଟଙ୍କା ଦେବ କ’ଣ, ଆପଣା ଦୁଃଖ କହି ବସିଲା । କହିଲା–ସେ ଗାଁରେ ଏମିତି କେହି ଲୋକ ନାହିଁ ଯା’ ଉପରେ ତାର ପଇସା ନାହିଁ । ଏମିତି କି ଝିଙ୍ଗୁର ସିଂହ ଉପରେ ବି ତା’ର କୋଡ଼ିଏ ଟଙ୍କା ଅଛି । ନେଲାବେଳକୁ ସମସ୍ତେ ନେଉଛନ୍ତି କିନ୍ତୁ ଦେଲାବେଳକୁ କେହି ଦେଖା ନାହିଁ । ଏମିତି ଅବସ୍ଥାରେ ସେ ଆଉ କେଉଁଠୁ ପଇସା ଆଣି ଦେବ ।

 

ତେବେ ବି ହୋରୀ ନଛୋଡ଼ବନ୍ଧା ହୋଇ କହିଲା–ଦେଖ ଭାଉଜ, ଟଙ୍କା କିଛି ଦେଲେ ତମର ଭାରି ପୁଣ୍ୟ ହେବ । ମୁଁ ଜାଣି ଫାଶୀରୁ ମୁକୁଳି ଯିଦି । ଝିଙ୍ଗୁର ଆଉ ପଟେଶ୍ଵରୀ ଦିହିଁଯାକଙ୍କର ମୋରି ଜମି କେତେ ବିଘା ଉପରେ ଆଖି । ବାପ ଅଜାଙ୍କର ଆମଦାନୀ ବୋଲି ସେତିକି ତ ଆଉ ବାକି ଅଛି । ସେଇତକ ଗଲେ ମୋତେ ଆଉ କୋଉଠି ଠାବ ମିଳିବ ନାହିଁ । ଯୋଗ୍ୟ ପୁଅ ସିନା ବାପଅଜାଙ୍କ ସମ୍ପତ୍ତି ବଢ଼ାଇ ଦିଏ, ମୁଁ ଏମିତିଆ ଅଯୋଗ୍ୟ ହେଲି ଯେ ବାପଅଜାଙ୍କ ସବୁ ସମ୍ପତ୍ତି ଡୁବେଇ ଦେଲି । ସାହୁଆଣୀ ରାଣ ପକାଇ କହିଲା–ହୋରୀ ମୋତେ ଠାକୁରଙ୍କ ରାଣ, ମୋ ପାଖରେ ଏବେ ପାହୁଲାଟାଏ ବି ନାହିଁ । ଯିଏ ନେଲା ସିଏ ତ ଦେଲା ନାହିଁ, ମୁଁ ଏବେ କରିବି କ’ଣ ? ତମେ ତ କିଛି ପର ଲୋକ ନୁହଁ, ସୁନା ତମର ଯେମିତି ଝିଅ ମୋର ବି ସେମିତି ଝିଅ । ହେଲେ ମୁଁ କ’ଣ କରିବି କହୁନା ! ତମ ଭାଇ ହୀରା ବଳଦ କିଣିବ ବୋଲି ପଚାଶ ଟଙ୍କା ନେଇଥିଲା । ଏବେ ତ ତାର ପତ୍ତା ନାହିଁ । ତା ଭାରିଯାକୁ କହିଲାମାତ୍ରେ ସେ ମାରି ଗୋଡ଼ାଉଛି । ଶୋଭା ବି ସେମିତି । ଉପରକୁ ଭାରି ସାଦାସିଧା ସିନା, ନହିଲେ ପଇସା ଦେଲାବେଳକୁ ଭାରି କସୋଟ । ଅସଲ କଥା ହେଉଛି, କାହାରି ପାଖରେ ତ ଏତେବେଳେ ପଇସା ନାହିଁ, ଦେବେ କୁଆଡ଼ୁ ? ସମସ୍ତଙ୍କ ଅବସ୍ଥା ତ ଆଖିରେ ଦେଖୁଛି । ଆଉ କରିବି କ’ଣ, ତୁନୀ ହୋଇ ବସିଛି । ଯାହିତାହି ଲୋକେ ‘ଢୋକେ ପିଇ ଦଣ୍ଡେ ଜୀଇ’ ହୋଇ ରହିଛନ୍ତି । ତାଙ୍କ ଜମିବାଡ଼ି ବିକିବା ପାଇଁ ମୁଁ କହିବି କେମିତି ? କିଛି ନହିଲେ ମଣିଷର ଆପଣା ମରଯଦା ତ ପୁଣି ଗୋଟେ ଅଛି ।

 

ତା ପରେ ସାହୁଆଣୀ ଫୁସଫୁସ୍ କରି ହୋରୀ କାନ ପାଖରେ କହିଲା–ପଟେଶ୍ୱରୀ–ପୁଅ ବରାବର ତମରି ଘର ପାଖରେ ବୁଲାଚଲା କରୁଛି । ସେ ତ ଖାଲି ଏକୁଟିଆ ନୁହେଁ, ତିନିଟା ଯାକ ଟୋକା ସେମିତି ବୁଲୁଛନ୍ତି । ଟିକିଏ ନିଘା ରଖିଥିବ । ସେଗୁଡ଼ା ତ ସହର ବଜାରରେ ରହି ସହରିଆ ହୋଇଗଲେଣି, ଗାଁର ଆପଣାଆପଣି କଥା ଜାଣିବେ କୋଉଠୁ ? ଗାଁ–ଟୋକାଙ୍କର ଡରଭୟ ଅଛି, ବିଚାର ଅଛି, ଭଲମନ୍ଦ ଅଛି । ଏଗୁଡ଼ାଙ୍କର ତ କିଛି ନାହିଁ । ଏଗୁଡ଼ା ଷଣ୍ଢଙ୍କ ପରି ଓଦା ବୁଲୁଛନ୍ତି । ମୋ କଉସ୍ଥଲୀ ଶାଶୁଘରୁ ଆସିଥିଲା ଯେ ଏଗୁଡ଼ାଙ୍କ ଢଙ୍ଗଢ଼ାଙ୍ଗ ଦେଖି ତା ଶ୍ଵଶୁରକୁ ଡକେଇ ସାଙ୍ଗେ ସାଙ୍ଗେ ପୁଣି ତାକୁ ପଠେଇ ଦେଲି, ସବୁବେଳେ କିଏ କେତେ ପହରା ଦେଉଥିବ !

 

ହୋରୀ ଟିକିଏ ହସିଦେବାରୁ ସାହୁଆଣୀ ଗେଲେଇ ହୋଇ ଗାଳିଦେଇ କହିଲା–ହସୁଛୁ କ’ଣ, କହିଲେ ଏଇନେ ଅସଲ ମରମ ଫଟାଇ ଦେବି । ତମେ କ’ଣ କମ୍ ଜଣେ କି ? ମିଛୁଟାରେ ଆଳକରି ମୋ ଦୋକାନକୁ ଦିନକେ ତମେ କ’ଣ ପଚିଶ ଥରକୁ କମ୍ ଆସୁଥିଲ । ହେଲେ, ମୁଁ ତ ତମକୁ କେବେହେଲେ ଦିନେ ଆଡ଼ଆଖିରେ ବି ଅନାଇ ନଥିଲି ।

 

ହୋରୀ ଟିକେ ଥଟ୍ଟାକରି କହିଲା–ଏଗୁଡ଼ା ତମେ ମିଛ କହୁଛ ଭାଉଜ ! କିଛି ରସ ନ ପାଇଥିଲେ ମୁଁ ଦୌଡ଼ିଥାନ୍ତି କାହିଁକି ? ଚଢ଼େଇ ଥରେ ଦୁଆର ଚିହ୍ନିଗଲେ, ତେଣିକି ବରାବର ଉଡ଼ି ଉଡ଼ି ସେଇଠିକି ଆସୁଥିବ ନା ଆଉ ଯିବ କୁଆଡ଼େ ?

 

‘ଯା’ ମ, ମିଛ କଥାଗୁଡ଼ା କହ ନାହିଁ ।’

 

‘ଆଖିରେ ସିନା ଅନେଇ ନଥିବ, ମନ ଭିତରେ ତ ଅନେଇଥିବ । ମନେକଲେ, ମନେ ମନେ କେତେ ଖୋଜି ବୁଲିଥିବ ।’

 

‘ହଉ ହଉ ସେତିକି ଥାଉ । ସତେ ଯେମିତି ମୋ ମନ କଥାଗୁଡ଼ା ଇଏ ଜାଣିପକାଇଥିଲେ । ଥରକୁଥର ପଚାଶଥର ଧାଇଁଲାରୁ ମନରେ ମୋର ଦୟା ଆସୁଥିଲା, ନହିଲେ ତମେ ଯେଉଁ ସଳଖ ସୁନ୍ଦର ଭେଣ୍ଡିଆ ନା !’

 

ସେତିକିବେଳକୁ ହୁସେନୀ ପଇସାଟାକର ଲୁଣ ନେବାପାଇଁ ଆସି ପହଞ୍ଚିଯିବାରୁ ସବୁ ଥଟ୍ଟା ପରିହାସ ବନ୍ଦ ହୋଇଗଲା । ହୁସେନୀ ଚାଲିଗଲା ପରେ ସାହୁଆଣୀ ପୁଣି କହିଲା–ଗୋବରା ପାଖକୁ ଚାଲି ଯାଉନ କାହିଁକି, ତାକୁ ଦେଖି ଆସନ୍ତ, ପଇସାପତର ବି କିଛି ନେଇଆସନ୍ତ ।

 

ହୋରୀ ନିରାଶ ହୋଇ କହିଲା–ତା’ଠୁ କିଛି ପାଇବାର ଆଶା ନାହିଁ । ଆଜିକାଲି ଯେ ଦି’ଚାରି ପଇସା ରୋଜଗାର କଲା, ତାଙ୍କ ମୁହଁ ଉପରକୁ । ତେବେକେ ତ ମୁଁ ବେହିୟାପଣରେ ଯିବାକୁ ବାହାରିଥିଲି, ହେଲେ ଧନିୟା ମୋଟେ ଟାପ ଛୁଆଁଇ ଦେଲା ନାହିଁ । ତାକୁ ନ କହିକରି ଗଲେ ତ ଆସିଲେ ସେ ଆଉ ଘରେ ପୂରେଇଦେବ ନାହିଁ । ତା’କଥା ତ ଭାଉଜ ତମେ ଜାଣ !

 

ସାହୁଆଣୀ ପରିହାସ କରି କହିଲା–ତମେ ସତେ ସେ ମାଇକିନିଆଟାର ଗୋଲାମ ହୋଇଗଲଣି ।

 

‘ତମେ ତ ଟିକିଏ ପଚାରିଲ ନାହିଁ, ଆଉ ମୁଁ କ’ଣ କରନ୍ତି ।’

 

‘ତମେ ଯଦି ମୋର ଗୋଲାମ ହେବାକୁ ତିଆର ହୋଇଥାନ୍ତ, ତେବେ ତ ମୁଁ ଲେଖା ପଢ଼ିକରି ଟଙ୍କା ଦେଇ ଦେଇଥାନ୍ତି ।’

 

‘ଏବେ ଅବା କୋଉ ଖରାପ ହୋଇଯାଇଛି, ଆଜି ଏବେ ଲେଖେଇ ନେଉନ ? ମୁଁ ଦୁଇଶ ଟଙ୍କା ଲେଖି ଦେଉଛି । ଦି’ଶ ଟଙ୍କାରେ ତମେ ମତେ ଶସ୍ତାରେ ପାଇଯିବ ।

 

‘ଧନିୟାକୁ ତା’ହେଲେ କହିବ ନାହିଁ ତ’ ?’

 

‘ନାହିଁ, ରାଣ, ଆଗ, ମୁଁ କହିବି ନାହିଁ ।’

 

‘ପୁଣି ଯଦି କହ ?’

 

‘କହିଲେ ମୋ ଜିଭ କାଟିନେବ, ଯା’ ।’

 

‘ଆଚ୍ଛା ତା’ହେଲେ ଯା’, ଆଗ ଘରବର ଠିକ୍ କର, ମୁଁ ଟଙ୍କା ଦେଇଦେବି ।’

 

ଆନନ୍ଦରେ ହୋରୀ ମୁହଁରୁ ଆଉ କଥା ବାହାରିଲା ନାହିଁ । ଆଖିରେ ଆଖିରେ ଲୁହ ଛଳଛଳ କରି ସେ ସାହୁଆଣୀର ଗୋଡ଼ ଧରି ପକାଇଲା ।

 

ସହୁଆଣୀ ଗୋଡ଼ ଘୁଞ୍ଚେଇ ନେଇ କହିଲା–ମୋତେ ଏଗୁଡ଼ାସବୁ ଭଲଲାଗେ ନାହିଁ । ଜାଣିଥା, ଏକା ବରଷକ ଭିତରେ ମୁଁ ସୁଧମୂଳ ସବୁ କାନ ମୋଡ଼ିକରି ନେବି । ଧନିୟା କଥାରେ ମୁଁ ବିଶ୍ୱାସ ଯିବି ପଛେ ତମ କଥାରେ ମୋର ବିଶ୍ଵାସ ନାହିଁ । ଶୁଣୁଛି ଦାତାଦୀନ ତମ ଉପରେ ଭାରି ବିଗିଡ଼ିଛି । କହୁଛି, ତାକୁ ଯଦି ମୁଁ ଏଗାଁରୁ ବାହାର କରି ନ ଦେଇଛି ତେବେ ମୁଁ ବ୍ରାହ୍ମଣ ନୁହେଁ । ତମେ କାହିଁକି ସିଲିଆଟାକୁ ଘରୁ ବାହାରକରି ନ ଦେଇ ମିଛରେ ଏତେ କଥାକୁ ଯାଉଛ ?

 

‘ଧନିୟା ତ ତାକୁ ରଖିଛି, ମୁଁ କ’ଣ କରିବି ।’

 

‘ଶୁଣା ହେଉଛି, ପଣ୍ଡିତ କୁଆଡ଼େ କାଶୀ ଯାଇଥିଲା । ସେଠି ଜଣେ ବଡ଼ ପଣ୍ଡିତ ଅଛନ୍ତି ଯେ, ସେ ପାଞ୍ଚ ଶହ ଟଙ୍କା ମାଗୁଛନ୍ତି । ପାଞ୍ଚ ଶହ ଟଙ୍କା ଗଣିଲେ ଯାଇଁ ଦୋଷ ଛାଡ଼ିବ । ଏମିତିଆ ଅବୁଝାମଣା ରାଇଜ କୋଉଠି ଅଛି ଭଲା କହିଲ । ଯାର ଧରମ ଥରେ ବୁଡ଼ିଗଲା ଯେତେ ଦୋଷ ଛଡ଼େଇଲେ କ’ଣ ସେ ପୁଣି ଫେରି ଆସିବ ? ସେ ଯେତେ ଦୋଷ ଛଡ଼େଇଲେ ବି ତାଙ୍କମାନଙ୍କ ହାତରୁ ପାଣି ପିଇବ କିଏ ?

 

ହୋରୀ ଘରକୁ ଫେରିଲାବେଳେ ତା’ ମନ ଆନନ୍ଦରେ ଉଛୁଳି ପଡ଼ୁଥିଲା । ସାରା ଜୀବନରେ ଏମିତି ସୁଖର ଦିନ କେବେହେଲେ ତା’ର ଆସି ନଥିଲା । ଯାଉ ଯାଉ ବାହାଘର ନିମନ୍ତ୍ରଣ ଦେବାପାଇଁ ଶୋଭା ଘରଠାରେ ଟିକିଏ ଅଟକି ଗଲା । ତା’ପରେ ଦି’ଭାଇଯାକ ସାଙ୍ଗ ହୋଇ ଲଗନ ବୁଝିବା ପାଇଁ ପଣ୍ଡିତ ଦାତାଦୀନ ପାଖକୁ ଗଲେ । ସେଠୁ ଆସି ଆପଣା ଦାଣ୍ଡରେ ଠିଆ ହୋଇ ବାହାଘରର ଯୋଗାଡ଼ଯତ୍ନ କଥାସବୁ ବିଚାର କଲେ ।

 

ଧନିୟା ଘରୁ ବାହାରି ଆସି କହିଲା–ରାତି ଆସି ଅଧ ହେଲାଣି, କ’ଣ ଏତବେଳଯାଏ ଖାଇବାବେଳ ହୋଇନି । ଆଗ ଖାଇ ଦିଅ । ତା’ପରେ ରାତିଯାକ ବସି କଥାବାର୍ତ୍ତା କରୁଥା, କିଏ ମନା କରୁଛି ।

 

ପରାମର୍ଶ କରିବାପାଇଁ ଧନିୟାକୁ ବି ଡାକି ହୋରୀ କହିଲା–ବାହାଘର ଦିନ ଠିକ୍ ହୋଇଗଲା, ଏଥର କ’ଣ ସବୁ ଜିନିଷ ଆସିବ କହ; ମୁଁ ତ କିଛି ଜାଣେ ନାହିଁ ।

 

‘ଯଦି କିଛି ଜାଣିନା, ଆଉ ବିଚାର କରିବା ପାଇଁ ବସିଛ କେମିତି ?

 

‘ପଇସାପତ୍ର କୋଉଠୁ ଯୋଗାଡ଼ କଲଣି, ନା ମନେ ମନେ ଖାଲି ପାନ ଖାଉଛ ?’

 

ହୋରୀ ଗର୍ବରେ ଫୁଲିଯାଇ କହିଲା–ଟଙ୍କା ପଇସାରୁ ତୁ କ’ଣ ପାଇବୁ ? କ’ଣ, କ’ଣ ଜିନିଷ ଆସିବ ଆଗ କହ ।’

 

ମତେ ତ ସେଗୁଡ଼ା ଆସେ ନାହିଁ–‘ହାତରେ ନ ଥାଇ ଧନ ନା ପୁଅ ବାହା କରିବାକୁ ମନ-।’

 

‘ସେଥିରୁ ତୁ କ’ଣ ପାଇବୁ, ମତେ ଖାଲି ଏତିକି କହିଦେ, ଆମ ଭଉଣୀ ବାହାଘରକୁ କ’ଣ କ’ଣ ସବୁ ଜିନିଷ ଆସିଥିଲା ।’

 

‘ଆଗ ମତେ କହିବଟି, ଟଙ୍କା ପଇସା କୋଉଠୁ ମିଳିଲାଣି କି ନାହିଁ ।’

 

‘ପଇସା ମିଳିନାହିଁ ତ, ଆଉ କ’ଣ ଭାଙ୍ଗ ଖାଇକରି କଥାବାର୍ତ୍ତା କରୁଛି ?’

 

‘ଆଗ ଚାଲ, ଖାଇଦିଅ, ପଛେ କଥାବାର୍ତ୍ତା କଲେ ହେବ ନାହିଁ ?’

 

କିନ୍ତୁ ହୋରୀ ଯେତେବେଳେ ଦୁଲାରୀ ସାହୁଆଣୀ ନାଁ ଶୁଣେଇ ଦେଲା, ଧନିୟା ନାକ ଡିଆଇଁ କରି କହିଲା–ତା’ଠୁ ପଇସା ଆଣି କିଏ କେଉଁକାଳେ ମୁକୁଳିଲାଣି ? ରାଣ୍ଡ କ’ଣ ଅଳପ ପଇସା ସୁଧ କସିବ କି ?’

 

‘କିନ୍ତୁ କ’ଣ କରାଯାଏ, ଆଉ କାହିଁ ମିଳୁଛି କୋଉଠୁ ?’

 

‘ହଁ, ତା’ ସଙ୍ଗେ ଟିକିଏ ଗେଲ ହେବାପାଇଁ ଯାଇଥିବ, ସେକଥା କହୁନ କିଆଁ ? ବୁଢ଼ାଟିଏ ହେଲାଣି ପଛେକେ, ତମ’ ପ୍ରକୃତି କ’ଣ ତମେ ଛାଡ଼ିବ ?’

 

‘ତୁ ଧନିୟା, ବେଳେବେଳେ ପିଲାଙ୍କ ଭଳି କେମିତି କଥାବାର୍ତ୍ତା କରୁମ ! ମୋ ଭଳିଆ ଅରକ୍ଷିତଙ୍କୁ କିଏ ଆଡ଼ ଆଖିରେ ଅନାଇବ ଆଗ କହିଲୁ ? ହସି କରି କଥା କହିବା ତ ତେଣିକି ଥାଉ ।’

 

‘ତମ ଭଳିଆ ଲୋକଙ୍କୁ ଛାଡ଼ି ତା’ ଦୁଆରକୁ ଆଉ ଯାଏ କିଏ କହିଲ ଦେଖି ?’

 

‘ଆରେ, ତୁ ଗୋଟେ ଜାଣୁ କ’ଣ । ହାତରେ ତା’ର ଲକ୍ଷ୍ମୀ ଅଛନ୍ତି ବୋଲି ଆଚ୍ଛା ଆଚ୍ଛା ଲୋକ ବି ତା’ ଦୁଆରେ ଅଧିଆ ପଡ଼ିଛନ୍ତି ।’

 

‘ସେ ଟିକିଏ ଖାଲି ହଁ କରିଦେଲା ବୋଲି ତମେ ବାହାଘର କଥା ସବୁଆଡ଼େ କହି ସାରିଲେଣି ?’

 

‘ହଁ କରିଛି କ’ଣ, କଥା ତ ପକ୍କା ହୋଇଛି, ସେ ନିଶ୍ଚୟ ଦେବ ।’

 

ହୋରୀ ଖାଇବାପାଇଁ ଘର ଭିତରକୁ ଚାଲିଗଲା । ଶୋଭା ମଧ୍ୟ ତା’ ଘରକୁ ଚାଲିଗଲା ସେମାନଙ୍କ ପଛେ ପଛେ ସୁନା ଆଉ ସିଲିଆ ଦିହେଁ ଘରୁ ବାହାରି ଆସିଲେ । ସୁନା କବାଟ ପାଖରେ ଠିଆ ହୋଇ ତା’ ବାହାଘର କଥା ସବୁ ଶୁଣି ସାରିଥିଲା । ଦାଣ୍ଡ ପିଣ୍ଡାରେ ଡିବି ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା । ବଳଦ ଦି’ଟା କୁଣ୍ଡା ଖାଉଥିଲେ । କୁକୁରଟା ମୁଠେ ଖାଇବା ଆଶାରେ ଅନାଇ ବସିଥିଲା । ସୁନା ଆଉ ସିଲିଆ ଦିହେଁ ଆସି ବଳଦଙ୍କ ପାଖରେ ଠିଆ ହେଲେ । ସାହୁଆଣୀଠାରୁ କରଜ ଆଣିବା କଥା ଶୁଣି ପାଣିରେ ସିପଚୂନ ପଡ଼ିଲେ ଯେମିତି ଟକମକ ହୋଇ ଫୁଟେ, ସୁନାର ମନ ଭିତରଟା ସେମିତି ବିକଳ ହୋଇ ଫୁଟି ଉଠିଲା । ସେ ସିଲିଆକୁ କହିଲା–ଆଲୋ, ଶୁଣିଲୁଣୀ ନା, ବାପା କୁଆଡେ଼ ମୋ ବାହାଘର ପାଇଁ ସାହୁଆଣୀଠୁ ଦି’ଶ ଟଙ୍କା କରଜ ଆଣିଛନ୍ତି ?

 

ସିଲିଆ ତା’ ଟିକିନିଖି କରି ତାଙ୍କ ଘରକଥା ସବୁ ଜାଣେ । ସେ କହିଲା–ହାତରେ ଧନ ନାହିଁ ଯେତେବେଳେ ଆଉ କ’ଣ କରନ୍ତେ ? କରଜ ନ କରି ଆଉ ଚାରା କ’ଣ ?

 

ସୁନା ଟିକିଏ ଆନମନା ହୋଇ କହିଲା–ସତେ ଲୋ ସିଲିଆ, ମୋତେ ଏସବୁ କଥା ଭଲ ଲାଗେ ନାହିଁ । ମୋରି ଲାଗି ବାପ ମା’ ପୁଣି କରଜ କରି ହଇରାଣ ହେବେ । କୁଆଡ଼ୁ ସୁଝିବେ କହିଲୁ ଦେଖି ? ଆଗକରଜ ତ ଆଜିଯାଏ ସୂଝା ହୋଇନାହିଁ । ତା’ ଉପରକୁ ପୁଣି ଇଏ ଦି’ଶ–ବୋଝ ଉପରକୁ ନଳିତା ବିଡ଼ା । ଅଙ୍ଗାକ ଭାରେ ହୋଉଛି ପଛେ କମୁ ନାହିଁ ।

 

‘ଆଲୋ ତୁ କ’ଣ ବାୟାଣୀ ହେଲୁଣି କି ଲୋ ! ଟଙ୍କା ପଇସା, ଯାନି ଯଉତୁକ ନ ଦେଲେ ଭଲ ବର ମିଳିବ କୁଆଡ଼ୁ ? ପଇସା ନ ଦେଲେ, ସେମିତି ବୁଢ଼ାବର ମିଳିବ ଯେ–ବୁଢ଼ା ସାଙ୍ଗରେ ତୁ ଯିବୁ ?’

 

‘ଭାଉଜକୁ ଯେତେବେଳେ ଭାଇ ଆଣିଲା, ଭାଇ କ’ଣ ବୁଢ଼ା ହୋଇଥିଲା ? ତାକୁ କ’ଣ କିଏ ଯାନି ଯଉତୁକ ଦେଇଥିଲା ?

 

‘ସେକଥା ଯାହା କହିଲୁ, ସେମିତି କଥାରେ ବାପଦାଦିଙ୍କ ମାନମହତ ଡୁବିଯାଏ ।’

 

‘ମୁଁ ତ ସୁନାରୀ ଗାଁବାଲାଙ୍କୁ ସଫା କହିଦେବି, ମୋଠୁ ଯେ ପଇସାଟାକର ଯଉତୁକ ନେବ, ମୁଁ ତାକୁ ବାହା ହେବି ନାହିଁ ।’

 

‘ଆଉ ଯଦି ସେ କହେ ଯେ ତମ ବାପା ତ ଦେଉଛନ୍ତି, ମୋ ବାପା ତ ନେଉଛନ୍ତି, ମୋର କ’ଣ ଚାରା ଅଛି, ସେଠୁ ତୁ କ’ଣ କରିବୁ ?’

 

ଏଥିରେ ଆଉ ସୁନାକୁ କିଛି ବୁଦ୍ଧି ଦିଶିଲା ନାହିଁ । ହତାଶ ହୋଇ ସେ କହିଲା–ହଉ, ମୁଁ ଆଗ ଥରେ ତାଙ୍କୁ ପଚାରେ । ସେ ଯଦି କହିବେ ଯେ ତାଙ୍କର ସେଥିରେ କୌଣସି ଚାରା ନାହିଁ, ତେବେ ଗୋମତୀ ନଈ କ’ଣ ବେଶି ଦୂର ହୋଇଛି ? ଯାଇ ସେଠି ବୁଡ଼ି ମରିବି, ଆଉ କ’ଣ କରିବି-? ବାପା ମା’ କଷ୍ଟକରି ଆଜିଯାଏ ପାଳିଲେ । ଆଜି ତାଙ୍କ ଘର ଛାଡ଼ି ଗଲାବେଳେ କ’ଣ ତାଙ୍କ ମୁଣ୍ଡରେ କରଜ ଲଦି ଦେଇଯିବି ? ହଁ, ବାପ ମା’ ଯୋଉଠି ଖୁସି ହୋଇ ଦେଲେ, ସେ ଅଲଗା କଥା-। ହେଲେ, ଯୋଉଠି ହାତରେ ଧନ ନାହିଁ, ପଇସେ ଅଧଲେ ପାଇଁ ପ୍ରାଣ ଯାଉଛି, ମହାଜନ ନାଲିସ କରି ଘରଦ୍ୱାର ନିଲାମ କରିନେବାକୁ ବସିଛି, ସେଠି ବା ମା’ଙ୍କୁ ଆହୁରି କରଜ କରେଇବି କିଆଁ, ବୁଡ଼ି ନ ମରିବି କିଆଁ ? ଝିଅ ଆଗରେ ବାପ ମା ପରଦୁଆରେ ମୂଲ ନାଗିବେ, ଦେଖିଲେ, ଝିଅର ଆଉ କୋଉ ସୁଖ ରହିବ ! ମୁଁ ମଲେ ଜମିବାଡ଼ି ତ ରହିଯିବ, ଯାହିତାହି ହେଲେ ମୁଠେ ଖାଇବାକୁ ତ ପାଇବେ । ହଁ, ମରିଗଲେ ବାପ ମା’ ଦି’ଚାରି ଦିନ ମନେ ପକାଇ କାନ୍ଦିବେ, ତା’ପରେ ପୁଣି ଭୁଲିଯିବେ । ହେଲେ, ଏମିତି ବାହାହେଲେ ତ ଜୀବନସାରା ବସି କାନ୍ଦୁଥିବେ । ଦି’ଚାରି ବର୍ଷରେ ଦି’ଶ ଟଙ୍କା ଯେତେବେଳେ ଚାରିଶ ହୋଇଯିବ, ବାପା ସେତେବେଳେ କୋଉଠୁ ଆଣିକରି ଦେବେ-?

 

ସିଲିଆକୁ କଥାଗୁଡ଼ା ଭାରି ନୂଆ ଜଣାପଡ଼ିଲା । ସୁନାକୁ ସେ ଆଦରରେ କୁଣ୍ଢେଇ ପକାଇ କହିଲା–ହଇ ଲୋ, ତୁ ତ ପିଲାଟା ପରି ଦିଶୁ, ତୋର ପୁଣି ଏତେ ବୁଦ୍ଧି ହେଲା କୋଉଦିନ-?

 

‘ମଲା, ଏଥିରେ ବୁଦ୍ଧି କ’ଣ ଦରକାର ମ ! ମୋର କ’ଣ ଆଖି ନାହିଁ, ନା ମୁଁ ବାୟାଣୀ ହୋଇଛି । ଆଜି ବାହାଘର ପାଇଁ ଦି’ଶ ଟଙ୍କା କରଜ ହେବ, କାଲି ପୁଣି ସେ ଚାରି ଶହ ହୋଇଯିବ-। ପୁଣି ରୂପା ବାହାଘରକୁ ଆଉ ଦି’ଶ । ଏମିତି ହେଲେ ଘରଦ୍ଵାର ସବୁ ନିଲାମ ହୋଇଯିବ, ବାପ ମା’ ଦାଣ୍ଡରେ ବୁଲି ଭିକ ମାଗିବେ । ଏୟା ନା ଆଉ କ’ଣ ? ୟାଠୁ ତ ମରିଯିବା ଶହେଗୁଣ ଭଲ-। ତୁ କାଲି ସକାଳୁ ସୁନାରୀ ଚାଲି ଯା’, ତାଙ୍କୁ ଡାକି ଆଣ । ନାହିଁ କହି ପାରିବି ନାହିଁ, ତୁ ଏ ଖବର ନେଇ ତାଙ୍କ ପାଖକୁ ଯା’, ଦେଖିବା ସେ କ’ଣ କହୁଛନ୍ତି ? ଏଇ ନଈ ଆରପାଖେ ତ, କୋଉ ଅବା ଦୂର ବାଟ ହୋଇଛି ? ସେ ତ ମଇଁଷି ନେଇ ଥରେ ଥରେ ଏପଟକୁ ଚାଲି ଆସନ୍ତି । ଥରେ ଆମ ବିଲରେ ତାଙ୍କ ମଇଁଷି ପଶିଗଲେ ଯେ, ମୁଁ ଭାରି ଗାଳିଦେଲି । ବିଚାରା ହତାଯୋଡ଼ି କେତେ ନେହୁରା ହେଲେ । ହଇ ଲୋ ସିଲିଆ, ୟା’ ଭିତରେ ମାତାଦୀନକୁ ଦେଖିଲୁଣି ନା ନାହିଁ ? ଶୁଣୁଛି, ତାକୁ କୁଆଡ଼େ ଜାତିରୁ ବାହାର କରି ଦେଇଛନ୍ତି ?

 

ସିଲିଆ କହିଲା–ହଁ ମ, ଜାତିରେ କିଆଁ ନିଅନ୍ତେ ନାହିଁ, ଅସଲ କଥା ବୁଢ଼ା ପଇସା ସାରିବାକୁ କୁନ୍ଥୁ କୁନ୍ଥୁ ହେଉଛି । ଏଇନେ ପଇସା କୋଉଠୁ ମିଳିଯାଆନ୍ତା । ବୋଲେ ବୁଢ଼ା ତୁଳସୀ ଧରି ମିଛ ନିଆଁମ କରି ଉଠାଇ ନିଅନ୍ତା । ପୁଅ ତା’ର ଆଜିକାଲି ଦାଣ୍ଡପିଣ୍ଡାରେ ରୋଷେଇ କରି ଖାଉଛି, ତାକୁ ଘର ଭିତରେ ପଶିବାକୁ ମନା ।

 

‘ତୁ କିଆଁ ତାକୁ ଛାଡ଼ି ଦେଉନୁ । ଆପଣା ଜାତିର ଯାହାକୁ ହେଲେ ଧରି ଖୁସିରେ ନ ରହି ତା’ ସଙ୍ଗେ ମାତିଛୁ କିଆଁ ? ସେ ତତେ ଏତେ ହୀନିମାନ କରିବ କିଆଁ, ଏତେଯାଏ କଥା ଯିବ କିଆଁ-?’

 

‘ହଁ, ଯାହା କହିଲୁ ସତ ଯେ, ମୋ’ରି ନାଗି ଯେତେବେଳେ ସେ ଏତେସରି ହେଲାଣି, ମୁଁ ତାଙ୍କୁ ଏବେ ଛାଡ଼ିକରି ଚାଲିଯିବି କେମିତି ? ସେ ଆଜି ପଣ୍ଡିତ ହୋଉ କି ବ୍ରାହ୍ମଣ ହୋଉ, ମୋ’ରି ପାଇଁ ତ ସେଇ ଏକା ମତଇ, ଯିଏ ମୋ ଗୋଡ଼ ଧରି କେତେ ଥର ଭୂଇଁରେ ନାକ ଘଷିଛି । ଜାତିଆ ମାଇପ ହୋଉ କି ବ୍ରାହ୍ମୁଣମାଇପ ହୋଉ, ମୋ’ପରି ଆଉ କିଏ ତା’ର ସେବା କରିବ ? ହଁ, ଆଜି ସିନା ଜାତି ଅଜାତିକୁ ଡରି ମୋତେ ଛାଡ଼ିଦେବ, ହେଲେ ଦେଖିବୁ, ଯେମିତି ହେଲେ ମୋ ପାଖକୁ ଦିନେ ନା ଦିନେ ସେ ଆସିବ, ଯିବ କୁଆଡ଼େ ?’

 

‘ହଁ, ପଡ଼ିଛି ଯେତେବେଳେ ପାଲରେ, ଆଉ ଯିବ କୁଆଡ଼େ ? ହେଲେ, ତତେ ଯଦି ଏଇନେ ପା’ନ୍ତା, ମନେକଲେ ଗୋଟା ପଣେ କଞ୍ଚା ଖାଇଯାନ୍ତା ।’

 

‘ମୁଁ କ’ଣ ତା’ପାଖକୁ ଡାକି ଯାଉଛି, ତା’ ନିଜ ଧରମ ନିଜକୁ ଖାଇବ । ସେ ସିନା ତା’ ଧରମକୁ ନଙ୍ଘି ଯାଉଛି, ମୁଁ ଏବେ ମୋ’ ଧରମ ନଙ୍ଘିବି କିଆଁ ?’

 

ସିଲିଆ ସକାଳୁ ସୁନାରୀ ବାହାରିଲା, କିନ୍ତୁ ହୋରୀ ତାକୁ ଅଟକେଇ ନେଲା, କାରଣ ସେଦିନ ଧନିୟାର ମୁଣ୍ଡ ବଥାଉଥିବାରୁ ସେ ବିଲକୁ ଯାଇପାରିଲା ନାହିଁ । ତା’ କାମ ଉଠାଇବା ପାଇଁ ସିଲିଆ ଗଲା । ଦି’ପହରେ କାମ ଛୁଟୀ ହେଲାମାତ୍ରେ ସିଲିଆ ସିଧା ସୁନାରୀ ଚାଲିଲା ।

 

ଉପରଓଳି ପାଣି ମଡ଼ାଇବା ପାଇଁ ହୋରୀ ଯେତେବେଳେ ଚୁଆଠିକି ଗଲା, ଦେଖିଲା ସିଲିଆ ନାହିଁ । ବିଗିଡ଼ି କରି କହିଲା–କୁଆଡ଼େ ସେ ସିଲିଆ ଗଲା ? ଅଛି, ଅଛି କୁଆଡ଼େ ପଳାଇ ଯାଉଛି, କୋଉ କାମରେ ତା’ର ମନ ନାହିଁ । ସୁନା ତୁ ଜାଣିଛୁ କି ଲୋ, ସେ କୁଆଡ଼େ ଯାଇଛି ?

 

ସୁନା ମିଛରେ କହିଲା–ନାହିଁ, ମୁଁ ତ ଜାଣି ନାହିଁ, କହୁଥିଲା ଧୋବାଘରକୁ ଲୁଗାପାଇଁ ଯିବ ବୋଲି । ସେଇଠିକି ଯାଇଥିଲେ ଯାଇଥିବ ।

 

ଧନିୟା ଖଟିଆରୁ ଉଠି କହିଲା–ଚାଲ, ମୁଁ ଯିବି, ପାଣି ମଡ଼େଇ ଦେଇ ଆସିବି । ସିଲିଆ ଆମର କୋଉ ମଜୁରୀ ଖାଇଛି ଯେ ତା’ଉପରେ ଏଡ଼େ ବିଗୁଡ଼ୁଛ ?

 

‘ମଲା, ମଜୁରୀ ସିନା ଖାଉନି, ମୋ’ ଘରେ ତ ପୁଣି ରହୁଛି । ଏକା ତା’ରିପାଇଁ ପରା ଗାଁଯାକ ମୋର ଶତ୍ରୁ !’

 

‘ହଁ ମ, ଗୋଟେ କୋଉ କଣରେ ପଡ଼ି ରହିଛି ଯେ ସେଥିପାଇଁ କ’ଣ ଆଉ ଭଡ଼ା ଦିଅନ୍ତା-!’

 

‘ମଲା, କଣରେ କିଆଁ ପଡ଼ିବ ମ ! ସଫା ତ ବଖରେ ଘର ମାଡ଼ିକରି ରହିଛି ।’

 

‘ହଉ, ଏବେ ବଖରେ ହେଲେ ବି ମାସକୁ ଏମିତି କେତେ ଭଡ଼ା ହୁଅନ୍ତା କି ?

 

‘ଭଡ଼ା ପଇସେ ହେଲେ ସେଠୁ କ’ଣ ହୋଇଯାଉଛି ? ଯେ ପଚାରିଲେ ତ କହିବ ମୋ’ରି ଘରେ ଅଛି । ଆଜି ଆସୁ ସେ, ମୁଁ ତାକୁ ପଚାରୁଛି ।’

 

ପାଣି ବୁହା ଚାଲିଲା । ବିଲକୁ ଯିବାପାଇଁ ହୋରୀ ଧନିୟାକୁ ମନା କରିଦେଲା । ସୁନା ରୂପା ଦିହେଁଯାକ ବିଲରେ ପାଣି ମଡ଼ାଇବାରେ ସାହାଯ୍ୟ କଲେ । ମଝିରେ ମଝିରେ ରୂପା କାଦୁଅରେ ଚୁଲୀ ତିଆର କରୁଥିଲା ଏବଂ କଂସାବାସନ ତିଆରି କରୁଥିଲା । କିନ୍ତୁ ସୁନା ଚଙ୍ଗ ଚଙ୍ଗ ହୋଇ ସୁନାରୀ ଆଡ଼କୁ ବରାବର ଅନାଇ ରହୁଥିଲା, କେତେବେଳେ ଆସିବ । ଭଲ ହେବ କି ମନ୍ଦ ହେବ ଭଗବାନ ଜାଣନ୍ତି । ଭଲ ଆଶା ତ କମ୍ । ଯା’ର ପଇସା ଅଛି ସେ ତ ଆହୁରି ବେଶି ପଇସା ପାଇଁ ମରୁଛି, ଇଏ ଅବା ଛାଡ଼ିବେ କାହିଁକି ? ଗୌରୀ ତ ତହିଁକି ଭାରି ଲୋଭୀ । ମଥୁରାଙ୍କର ଦୟା ଧରମ ଅଛି, ହେଲେ ତାଙ୍କ ବାପାଙ୍କ ଇଚ୍ଛା ନା, ତାଙ୍କର କ’ଣ ଅଛି ! ଯଦି ଗୌରୀ ପଇସା ମାଗିବେ, ତେବେ ଏମିତି କଥା ବତେଇବି ଯେ, ପୁଣି ଜୀବନଯାକ ମନେଥିବ । କହିବି, ପଇସା ଯଦି ଦରକାର ତେବେ ତମ ପୁଅକୁ ନେଇ କୋଉ ବଡ଼ଲୋକ ଝିଅକୁ ବାହାକର, ଏଠି ମୋ’ ପାଖେ ସେ କଥା ପଟିବ ନାହିଁ । ନାହିଁ, ଯଦି ଭଲରେ ମଙ୍ଗିଯିବେ, ତାଙ୍କ ଗୋଡ଼ଧୋଇ ପାଣି ପିଇବି, ଏମିତି ସେବା କରିବି, ଯାହା ବାପଦାଦିଙ୍କି ବି କେବେ କରିନାହିଁ । ଆଉ ସିଲିଆକୁ ପେଟେହେବ ମିଠେଇ ଖାଇବାକୁ ଦେବି । ଗୋବରା ତାକୁ ଯୋଉ ଟଙ୍କା ଦେଇଥିଲା, ସେ ଟଙ୍କାକୁ ସେ ଆଜିଯାଏ ବି ସଞ୍ଚି କରି ରଖିଥିଲା । ଏହିପରି ନାନା କଳ୍ପନାରେ ଭାସି ଭାସି ତା’ ମୁହଁରେ ଆନନ୍ଦର ଭଜ୍ଜ୍ୱଳ ରେଖା ଫୁଟି ଦିଶୁଥିଲା ।

 

ପୁଣି ଭାବିଲା, ଏଡ଼େ ପାଖଟା, ସିଲିଆ ଏତେବେଳ ଯାଏ ଆସୁ ନାହିଁ କାହିଁକି ? ହଁ, ସେମାନେ ଯଦି ଛାଡ଼ି ନ ଥିବେ, ସେ ଅବା କରିବ କ’ଣ । ହଠାତ୍ ଦେଖାଗଲା, ସିଲିଆ ଆସୁଛି କିନ୍ତୁ ଭାରି ଧୀରେ ଧୀରେ ପାଦ ପକାଇ ଆସୁଛି । ସୁନା ମନ ମରିଗଲା, ଭାବିଲା, କଥା ପଟିଲା ନାହିଁ ବୋଧହୁଏ । ନହିଲେ ତ ଦୌଡ଼ି କରି ଆସୁଥାନ୍ତା । ନହିଲେ ତ ସୁନାକୁ ବାହାହେବ ପୁଅ ମନେ ମନେ ପାନ ଖାଉଥାଉ ।

 

ସିଲିଆ କିନ୍ତୁ କୂଅମୂଳକୁ ନ ଆସି ବିଲ ଭିତରେ କାମରେ ଲାଗିଗଲା । ତାକୁ ଡର ମାଡ଼ିଲା । ହୋରୀ ଯଦି ପଚାରିବ କୁଆଡ଼େ ଯାଇଥିଲୁ ସେ କ’ଣ କହିବ ? ସିଲିଆ ସାଙ୍ଗରେ କଥାବାର୍ତ୍ତା ନ ହେବାଯାଏ ସୁନା ମନ କେମିତି ଉଚ୍ଛନ୍ନ ହେଉଥିଲା ସେକଥା ଏକା ସେହି ଜାଣେ । ପାଣିବୁହା ସରିଲା ମାତ୍ରେ ସେ ସିଲିଆ ପାଖକୁ ଧାଇଁଲା ।

 

‘ସେଠି ଯାଇକରି ତୁ ଏତେବେଳ ଯାଏ କ’ଣ କରୁଥିଲୁ ? ତୋତେ ଅନେଇଁ ଅନେଇଁ ମୋ ଆଖିରୁ ପାଣି ମରିଗଲା !’

 

‘ମଲା ମୋର, ମୁଁ କ’ଣ ଆଉ ସେଠି ଯାଇ ଶୋଇଥିଲି କି ଲୋ ! ଏମିତିଆ କଥା କିଏ କାହାକୁ ହାଟ ବଜାରରେ କହେ, ଓର ଉଣ୍ତି କରି ସିନା ଲୋକେ କଥା କହନ୍ତି । ମଥୁରା ତ ନଈ ସେପାରି ମଇଁଷି ନେଇ ଯାଇଥିଲେ । ତାଙ୍କୁ ପୁଣି କେତେ ଖୋଜି ଖୋଜି ପାଇଲାରୁ ତୋ’ କଥା ଶୁଣି ସେ କେତେ ଖୁସି ହେଲେ କ’ଣ କହିବି ! ମୋ ଗୋଡ଼ ଧରି ପକାଇ କହିଲେ–ଆଲୋ ସିଲ, ଯୋଉ ଦିନୁଁ ମୁଁ ଜାଣିଲିଣି ସୁନା ମୋ’ ଘରକୁ ଆସିବ, ସେଦିନୁ ଆଉ ଆଖିରେ ମୋର ନିଦ ନାହିଁ । ଥରେ ମୋତେ ସେ ଯେଉଁ ଗାଳି ଦେଇଥିଲା, ତାକୁ ସହିଥିଲି ବୋଲି ଆଜି ଜାଣି ଏବେ ଫଳ ପାଇଲି । ମୁଁ ଏବେ କ’ଣ କରିବି, ବାପା ମୋ କଥା ଶୁଣିଲେ ସିନା !

 

ସୁନା କହିଲା–ହଁ, ତାଙ୍କ ବାପା ଯଦି କାହାରି କଥା ନ ଶୁଣିବେ, ଜିଦ୍ କରିବେ, ମୋତେ ବି ସେମିତି ଜିଦ୍ କରି ଆସେ ଯେ ! ମୁଁ ବି କାହାରି କଥା ଶୁଣିବି ନାହିଁ । ମୁଁ ଯାହା କହୁଛି ସେୟା କରିବି, ପୁଏ ଆସି ଏଠୁ ହାତ ମଳି କରି ଫେରିଯିବେ ।

 

ତା’ପରେ ସିଲିଆ କହି ଚାଲିଲା–ମୁଁ ଯେମିତି ତୋ କଥା କହିଲି ସେମିତି ସେ ମୋତେ ଧରି ତାଙ୍କ ବାପାଙ୍କ ପାଖକୁ ଗଲେ । ତାଙ୍କର ସେଠି ଦଶ ବିଘା ହେବ ଆଖୁ ନାଗୁଥିଲା, ଚାରିଜଣ ଲୋକ ପାଣି ବୁହାଉଥିଲେ । କୂଅଟା ତାଙ୍କର ନିଜର । ହେଲେ, ବୁଢ଼ାକୁ ଦେଖିଲା ମାତ୍ରେ ମୋତେ ହସ ମାଡ଼ିଲା; ସତେ ଯେମିତି ସାତ ମୂଲିଆରେ ମୂଲିଆ । ହଁ, ଭାଗ୍ୟ ବଡ଼ ବୋଲି ବଡ଼ଲୋକ ହୋଇଛନ୍ତି । ବାପ ପୁଅଙ୍କ ଭିତରେ ଖୁବ୍ ବଚସା ହେଲା । ବାପ କହିଲେ, ‘ମୁଁ ଟଙ୍କା ପଇସା ନେବି କି ନାହିଁ ସେଥିରେ ତୋର ଯାଏଆସେ କେତେ ?’ ମଥୁରା କହିଲେ, ‘ତମର ଯଦି ପଇସାରେ ଏତେ ଲୋଭ, ତେବେ ମୋ ବାହାଘର ତମେ କରନା, ମୋ କଥା ମୁଁ ନିଜେ ବୁଝିବି । ଏମିତି ଟଣାଓଟରା ହେଉ ହେଉ ଗୌରୀ ଗୋଡ଼ରୁ କଠୋଉ କାଢ଼ି ମଥୁରାଙ୍କୁ ଟାଙ୍କେ ପିଟିଲେ, ହେଲେ ମଥୁରା ଉଁ କି ଚୁଁ କଲେ ନାହିଁ । ସେ ଚାହିଥିଲେ ଧକାଟାଏ ମାରି ଦେଇଥିଲେ ବୁଢ଼ା ତିନି ଗରଗଡ଼ା ଗଡ଼ି ଯାଇଥାନ୍ତା । କିନ୍ତୁ ପଚାଶ ପାହାର ଖାଇକରି ବି ବିଚାରା ଉଁ କି ଚୁଁ ପାଟି ଫିଟାଇଲେ ନାହିଁ, ମୋତେ ଖାଲି ଅନେଇ କାନ୍ଦ କାନ୍ଦ ହୋଇ ଫେରିଗଲେ । ତା’ପରେ ବୁଢ଼ା ମୋ ଉପରେ ଭାରି ରାଗହୋଇ ମୋତେ ବହୁତ ଗାଳିଦେଲା କିନ୍ତୁ ମୋର ସେଗୁଡ଼ା ଶୁଣିଯାଉଥିଲା କିଏ ? ମୁଁ ବା ତାଙ୍କୁ ଡରନ୍ତି କିଆଁ ? ମୁଁ ସଫା ସଫା ବତେଇ ଦେଲି–ହଁ, ଟଙ୍କା ଶହେ ଦି’ଶହ କିଛି ବଡ଼କଥା ନୁହେଁ । ହୋରୀ ସାନ୍ତ ସତେ କ’ଣ ଆଉ ଘର ଭାଙ୍ଗି କୁଆଡ଼େ ପଳାଇବେ ? ଟଙ୍କା ଶହେ ଦି’ଶହ ତ ଏମିତି ନାଟ ତାମସାରେ ବି ଉଡ଼ି ଯାଉଛି, ହେଲେ, ସୁନାପରି ବୋହୂ ତମକୁ ଆଉ ମିଳିବ ନାହିଁ ।

 

ସୁନା କାନ୍ଦ କାନ୍ଦ ହୋଇ ପଚାରିଲା–ଏହି କଥା କହୁ କହୁ ବାପ ତାଙ୍କର ମାଡ଼ଦେଇ ବସିଲେ !

 

ସିଲିଆ ଆଗରୁ ଯେଉଁ କଥା ଛପେଇ ରଖିଥିଲା, ସେ କଥା ଆଉ ପେଟରେ ରଖି ନ ପାରି କହିଲା–ଗୋବରା ଭାଇଙ୍କ ବାହାଘର କଥା ବି ସେଠି ପଡ଼ିଥିଲା । ବୁଢ଼ା କହିଲା, ‘ମିଠା ହେଲେ ସିନା ମଣିଷ ଅଇଁଠା ଚାଟି ଖା’ନ୍ତି । କଳଙ୍କି ନାଗିଲେ ରୂପା ତ କଳା ପଡ଼ିଯାଏ, ଆଉ କଥା ପଚାରୁଛି କିଏ ।’ ମଥୁରା ଜବାବ ଦେଇ କହିଲେ, ‘କଳଙ୍କ ଦୁନିଆରେ କା’ଘରେ ନାହିଁ ? କା’ର ଅବା ପଦାରେ ପଡ଼ିଛି, କା’ର ଅବା ଛପି କରି ରହିଛି, ନହିଲେ ନାହିଁ ପୁଣି କାହାର ?’ ବୁଢ଼ା ତ ଆଗରୁ ଗୋଟାଏ ଚେମାରୁଣୀ ରଖିଥିଲା । ଏକଥା ଶୁଣିଲାମାତ୍ରେ ତ ତା ଦେହରେ ନିଆଁ ଲାଗିଗଲା । ଯେମିତି ଲୋଭୀକୁ ସେମିତି କ୍ରୋଧୀ । ନ ନେଇ କରି କ’ଣ ସେ ଛାଡ଼ିବ ?

 

ଦିହିଁଙ୍କି ଦିହେଁ ଘରମୁହାଁ ଚାଲିଲେ । ସୁନା ମୁଣ୍ଡରେ କୋଡ଼ି, ଦଉଡ଼ି, ଜୁଆଳୀ ମିଶି ଚପାକସ ବୋଝେ ଜିନିଷ ଲଦା ହୋଇଥିଲେ ବି ମନ ଉଲ୍ଲାସରେ ସେଗୁଡ଼ା ତାକୁ ଫୁଲପରି ଲାଗିଲା । ମନ ଭିତରେ ଆନନ୍ଦର ଢେଉ ଖାଲି ଲହଡ଼ା ମାରୁଥିଲା । ଆଖିରେ ଖାଲି ତା’ର ମଥୁରାର ବୀରମୂର୍ତ୍ତି ଦିଶି ଯାଉଥିଲା । ତାକୁ ଜଣାଗଲା, ସତେ ଯେମିତି ସେ ଆପଣା ଲୁହରେ ତା ପାଦ ପଖାଳି ଦେଉଥିଲା ଆଉ ସରଗ ଅପସରୀମାନେ ତାଙ୍କୁ ଲାଲ ଆକାଶ ଭିତରକୁ ଟାଣି ନେଉଥିଲେ ।

 

ସେ ଦିନ ରାତି ସୁନାକୁ ଭାରି ଜର ହେଲା ।

 

ତିନିଦିନ ପରେ ଗୌରୀ ଜଣେ ଭଣ୍ଡାରୀ ହାତରେ ଖଣ୍ଡେ ଚିଠି ପଠାଇଲେ । ସେଥିରେ ଲେଖାଥିଲା–ସ୍ଵସ୍ତ ଶ୍ରୀ ସର୍ବୋତ୍ତମ ଯୋଗରେ ଶ୍ରୀ ହୋରୀଙ୍କୁ ଗୌରୀରାମଙ୍କର ପ୍ରଣାମ–

 

ଲେଖିବାର ଏହିକି ଆଗେ ଆମ ଭିତରେ ଯୌତୁକ ନେଇ ଯେଉଁ କଥାବାର୍ତ୍ତା ହୋଇଥିଲା, ଏବେ ଧୀର ମନ ସ୍ଥିର ଚିତ୍ତରେ ସେ କଥା ବିଚାର କରି ଆମ୍ଭେ ଦେଖୁଅଛୁଁ ଯେ ଏପ୍ରକାର ଯୌତୁକ ଦିଆନିଆ ବରକନ୍ୟା ଉଭୟଙ୍କ ପକ୍ଷରେ ହାନିକାରକ । ଆମ୍ଭମାନଙ୍କ ଭିତରେ ସମ୍ବନ୍ଧ ହୋଇଗଲା ପରେ କେହି କାହାକୁ କ୍ଷତିରେ ପକାଇବା ଉଚିତ ନୁହେଁ । ଆପଣ ଦିଆନିଆ ଦାନଯୌତୁକ କୌଣସି ବିଷୟରେ ମନରେ ଚିନ୍ତା କରିବା ହେବେ ନାହିଁ । କେବଳ ବରଯାତ୍ରୀଙ୍କୁ ମୋଟାସୋଟା ମୁଠାଏ ଅନ୍ନ ଭୋଜନ କରାଇଦେଲେ ହେଲା । ସେଥିପାଇଁ ମଧ୍ୟ ଆପଣ ଚିନ୍ତିତ ହେବେ ନାହିଁ । ଆମ୍ଭେ ଆମ୍ଭ ତରଫରୁ ସମସ୍ତ ରସଦର ବନ୍ଦୋବସ୍ତ କରିଦେବୁ । ଆପଣ ଆପଣା ଖୁସିରେ ବରଯାତ୍ରୀମାନଙ୍କର ଯାହା ଚର୍ଚ୍ଚା କରିବେ, ତାହା ଆମ୍ଭ ଶିରୋଧାର୍ଯ୍ୟ ।’

 

ହୋରୀ ଚିଠି ପଢ଼ିଲାମାତ୍ରେ ଆନନ୍ଦରେ ଉଛୁଳି ପଡ଼ି ଘର ଭିତରକୁ ଦଉଡ଼ିଯାଇ ଚିଠି ପଢ଼ି ଧନିୟାକୁ ସବୁ ଶୁଣାଇ ଦେଲା । ଧନିୟା କିନ୍ତୁ କିଛି ଚିନ୍ତା କଲାପରେ କହିଲା–ହଁ, ସେ ସିନା ଆପଣା ଭଲପଣ ଜଗି କରି ସେମିତି କହୁଛନ୍ତି, ହେଲେ ଆମେ ଯଦି ଆମ ମରଯାଦା ନ ରଖିବା, ତେବେ ଦାଣ୍ଡ ଲୋକେ କ’ଣ କହିବେ ? ଟଙ୍କା ପଇସା ତ ହାତର ମଳି । ଟଙ୍କା ପଇସା ପାଇଁ ଆପଣା ମାନମହତ ତଳେ ପକାଇବ କିଏ ? ଆମକୁ ଯାହା ମିଳିବ ଦୁଃଖେସୁଖେ ଆମେ ଦେବା । ସେ ଯେମିତି ହେଲେ ନେବେ । ଏଇକଥା ତମେ ଲେଖିଦିଅ । ବାପମା’ଙ୍କ ରୋଜଗାରରେ ଝିଅଙ୍କର କ’ଣ ଭାଗ ନାହିଁ ? ହଉ ଥାଉ, ତମେ ଆଉ ଲେଖିବ କ’ଣ । ଚାଲ ମୁଁ ଭଣ୍ଡାରୀ ହାତରେ କହି ଦେଉଛି ।

 

ହୋରୀ ଅଗଣାରେ ସେମିତି ଠିଆ ହୋଇ ରହିଲା । ଧନିୟା ଭଣ୍ଡାରୀକୁ ସବୁ ଖବର ଶୁଣେଇ ଦେଲା । ତା’ପରେ ତାଙ୍କୁ ଖୁଆଇ ପିଆଇ ବିଦାକୀ ଦେଇ ବିଦା କରିଦେଲେ ।

 

ଭଣ୍ଡାରୀ ଚାଲିଗଲା ପରେ ହୋରୀ କହିଲା–ଧନିୟା, ଏତେଦିନ ଗଲା, ହେଲେ ତତେ ଆଉ ମୁଁ ଚିହ୍ନିପାରିଲି ନାହିଁ । ତୋ’ରି ପାଟିରେ ଉଆ, ପୁଣି ତୋ’ରି ପାଟିରେ ଉଷୁନା । ତୁ ତ ନିଜେ କହୁଥିଲୁ ଆମେ କାହାକୁ କିଛି ଦେବୁନାହିଁ କି କରଜବାରଜ କରିବୁ ନାହିଁ । ଭଗବାନ ଜାଣି ଗୌରୀ କଣ୍ଠରେ ବିଜେକରି ଏମିତିଆ ଚିଠିଟିଏ ଲେଖେଇଲେ । ତା’ପରେ ପୁଣି ତୋ’ର ବାହାରିଲା କ’ଣ ନା’ ଆମକୁ ଯାହା ମିଳିବ ଆମେ ଦେବୁ । ତତେ ଚିହ୍ନିବା ସତେ ଭାରି କଷ୍ଟ, କେଜାଣି ଭଗବାନ ତତେ ଚିହ୍ନିଥିଲେ ଅବା ଚିହ୍ନିଥିବେ !

 

ଏକଥା ଶୁଣି ଧନିୟା ଢେଗ ମେଲି ବସିଲା–କ’ଣ କହନ୍ତି ନାଇଁ, ‘ବନ୍ଧୁଦେଖି ଭାର ନା, ମୁହଁ ଦେଖି ତାମ୍ବୁଳ ।’ ଗୌରୀ ସେତେବେଳେ କେତେ ଟାଣ ଦେଖାଉଥିଲା, ଏବେ ଆଉ କାହିଁ ? ଏବେ ସେ ଭଲମଣିଷ ହୋଇ ଗଲାଣି । ଇଟାର ଜବାବ ପଛେ ପଥର ହେଉ, ନମସ୍କାରର ଜବାବ କୋଉଠି ତିରସ୍କାର ହେଲାଣି ?

 

ହୋରୀ ନାକ ଡିଆଇଁ କହିଲା–ହଉ, ତା’ହେଲେ ତୁ ତୋ ଭଲପଣିଆ ଦେଖା, ଦେଖିବି ଯେ କୋଉଠୁ ଟଙ୍କା ଆଣିବୁ ?

 

ଧନିୟା ଭ୍ରୂଲତା ନଚେଇ କହିଲା–ପଇସା ଆଣିବା କାମ ତମର, ମୋର ସେଥିରେ କଣ ଅଛି ?

 

‘ମୁଁ ତ କହୁଛି ମୁଁ ସାହୁଆଣୀ ଠାରୁ ଆଣିବି ।’

 

‘ହଉ ଆଣ, ଯିଏ ତ ହେଲେ ସୁଧ ନେବ, କିଏ ଅବା ମାହୁଳିଆ ଦେଉଛି ? ଯେ ବୁଡ଼ି ମରିବ ତା ପାଇଁ ଗାଡ଼ିଆ ଯାହା, ଗଙ୍ଗା ସେଇଆ ।’

 

ହୋରୀ ବାହାରକୁ ଚାଲିଯାଇ ବସି କରି ଚିଲମ ଟାଣିଲା । ମନେ ମନେ ଭାବିଲା, କେଡ଼େ ସହଜରେ କାମ ହେଇ ଯାଇଥାନ୍ତା, ଧନିୟା କଣ ଛାଡ଼ିବ ଯେ ହେବ ! ଯେତେବେଳେ ଦେଖ, ସେ ଓଲଟି ଚାଲୁଥିବ । ତା ମୁଣ୍ଡରେ ଭୂତ ଚଢ଼ିଯାଏ କି କଣ କେଜାଣି ! ଘର ଅବସ୍ଥା ଜାଣିକରି ବି ତା ଆଖି କେମିତି ଫିଟେ ନାହିଁ, ଭଗବାନ ଜାଣନ୍ତି !

Image

 

ପଞ୍ଚବିଂଶ ପରିଚ୍ଛେଦ

 

ୟାଭିତରେ ଭୋଳା ଆଉ ଗୋଟେ ବାହାହୋଇ ପଡ଼ିଲା, କାରଣ ସ୍ତ୍ରୀ ବିନା ତାର ସଂସାର ଚଳିଲା ନାହିଁ । ଝୁନିଆ ଥିବାଯାକ ହୁକା ପାଣି ଯୋଗାଇ ଦେଉଥିଲା । ତା ଖାଇବା କଥା ବୁଝି ଦେଉଥିଲା କିନ୍ତୁ ସେ ଗଲା ଦିନୁ ତାକଥା ଆଉ କେହି ବୁଝିଲେ ନାହିଁ । ବୋହୂଙ୍କୁ ତ ତାଙ୍କ କାମ କରିବାକୁ ବେଳ ନଥିଲା ବୁଢ଼ାକୁ ପଚାରୁଛି କିଏ ? ଯୋଗକୁ ଭଲ ସ୍ତ୍ରୀ ଜଣେ ଜୁଟିଗଲା । ତା’ ସ୍ଵାମୀ ମୋଟେ ତିନିମାସ ହେଲା ମରି ଯାଇଥିଲା, ପାଖରେ ପୁଅଟିଏ କେବଳ ଥିଲା, ଏମିତି ସୁଯୋଗ ଦେଖି ବୁଢ଼ା ପାଟିରୁ ଲାଳ ବୋହିଲା । ସେ ଆଗପଛ କିଛି ନ ବିଚାରି ବାହା ହୋଇପଡ଼ିଲା ।

 

ଆଜିଯାଏ ବୋହୂମାନେ ତାଙ୍କ ମନଇଚ୍ଛା ଘର ଚଳାଉଥିଲେ । ଯେମିତି ଚାହୁଥିଲେ ସେମିତି ରହୁଥିଲେ । ଜଙ୍ଗୀ ତା ଭାରିଯାକୁ ନେଇ ଲକ୍ଷ୍ନୌ ଚାଲିଯିବାପରେ କାନ୍ତା–ଭାରିଯା ଘରର ମାଲିକ ହୋଇଗଲା । ପାଞ୍ଚ ଛ’ମାସ ଭିତରେ ତା ହାତରେ ପଚାଶ ଷାଠିଏ ଟଙ୍କାର ପାଣ୍ଠି ହୋଇଗଲା । ସେରେ ଅଧେ ଦୁଧ ଦହି ବି କେତେବେଳେ କେମିତି ସେ ଲୁଚେଇ କରି ରଖି ନେଉଥିଲା । କିନ୍ତୁ ଏବେ ଆଉ ସେକଥା ଚଳିଲା ନାହିଁ । ଏବେ ସାବତ–ଶାଶୁ ଘରର ମାଲିକ ହୋଇ ବସିଲା । ବୋହୂ ଦେହରେ ସେଗୁଡ଼ା ସୁହା ଯା’ନ୍ତା କେମିତି ? ସେଥିପାଇଁ ଦିହିଁଙ୍କ ଭିତରେ ସବୁଦିନ ପାଲା ଲାଗିଲା । ଏମିତି ଅବସ୍ଥା ଆସିଗଲା ଯେ ସେମାନଙ୍କୁ ଭିନେ ହେବାକୁ ପଡ଼ିଲା । ବଣ୍ଟାବଣ୍ଟିବେଳେ ସବୁଠି ଯେମିତି ମାରପିଟ ହୁଏ, ସେଠି ବି ସେମିତି ହେଲା । କାନ୍ତା ଯବାନ ଭେଣ୍ଡିଆ । ବାପ ହିସାବରେ ଭୋଳାକୁ ତାର ଯାହା ଟିକିଏ ଡର ଥିଲା କିନ୍ତୁ ବାପ ଯେତେବେଳେ ଦୋହରୀ ବାହା ହେଲା, ତାର ଆଉ ମାନସମ୍ମାନ ରହିଲା କୋଉଠି ? ବାପକୁ ତଳେ ପକାଇ ଖୁବ୍ ଦିଚାରି ଗୋଇଠା ଦେଇ ଘରୁ ବାହାର କରିଦେଲା, ତାକୁ କୌଣସି ଜିନିଷ ଛୁଆଇଁ ଦେଲା ନାହିଁ । ଗାଁ–ବାଲା ବି କେହିହେଲେ ଭୋଳା ପକ୍ଷ ହେଲେ ନାହିଁ, ତା ଦୋହରୀ ବାହାଘରରେ ସମସ୍ତେ ତା ଉପରେ ବିଗିଡ଼ି ଯାଇଥିଲେ । ରାତିଯାକ କୌଣସିମତେ ଗୋଟେ ଗଛମୂଳେ ପଡ଼ିରହି ତହିଁ ଆରଦିନ ସକାଳୁ ନୋଖେରାମ ପାଖକୁ ଯାଇ ଭୋଳା ଫେରାଦି କଲା । ନୋଖେରାମ ସେ ଖଣ୍ଡଚକଡ଼ାର ମାଲିକ, ହର୍ତ୍ତାକର୍ତ୍ତା ଦଇବ ବିଧାତା । ସେ କାହିଁକି ଭୋଳାକୁ ବାସୀରେ ପଚାରନ୍ତା ! କିନ୍ତୁ ଭୋଳା ସାଙ୍ଗରେ ତା’ ଯବାନ ସ୍ତ୍ରୀକୁ ଦେଖି ଚଟକରି ତାକୁ ଆଶ୍ରା ଦେବାପାଇଁ ସେ ରାଜି ହୋଇଗଲା । ଯେଉଁଠି ସେ ଗାଈ ବାନ୍ଧୁଥିଲା ତା’ରି ପାଖରେ ଟୁଙ୍ଗି ବଖରାଟିଏ ତାକୁ ଛାଡ଼ିଦେଲା । ତା’ ଗୋରୁଗାଈଙ୍କୁ ପାଳିବାପାଇଁ କୁଣ୍ଡାତୋରାଣି ଦେବାପାଇଁ ଆଚ୍ଛା ଲୋକଟାଏ ଆସି ଜୁଟିଗଲା ! ସେ ତାକୁ ମାସକୁ ତିନି ଟଙ୍କା ଆଉ ଦିନକୁ ସେରେ ଚାଉଳ ପଡ଼ିଦେଇ ମୂଲିଆ ରଖିନେଲା ।

 

ନୋଖେରାମ ଦେଖିବାକୁ ସାବନା, ଖୁବ୍ ମୋଟାସୋଟା କିନ୍ତୁ ବାଙ୍ଗର । ମୁଣ୍ଡ ଚନ୍ଦା, ନାକ ଲମ୍ବା, ଏଡ଼େ ଟିକିଏ ଟିକିଏ ଆଖି । ତା’ଉପରେ ପୁଣି ମୁଣ୍ଡରେ ଏଡ଼େ ପଗଡ଼ି, ଦେହରେ ଖୁବ୍ ଲମ୍ବା କାମିଜ । ଦେହରେ ତେଲ ମାଲିସ୍ କରିବା ତା’ର ଗୋଟେ ଅଭ୍ୟାସ, ସେଥିପାଇଁ ଲୁଗାଟାଏ ସବୁବେଳେ ତେଲ ଚିକିଟା । ଘରେ ତା’ର ବହୁତ ଲୋକ । ସାତ ଭାଇ ଆଉ ସେମାନଙ୍କର ପିଲାପିଲି ସମସ୍ତେ ଏକାଠି ରହନ୍ତି । ତା’ ନିଜ ପୁଅ ନବମ ଶ୍ରେଣୀରେ ଇଂରେଜି ପଢ଼ୁଥିଲା, କିନ୍ତୁ ତା’ ବାବୁଆନି ଆଡ଼ାକୁ ପଇସା ଯୋଗାଇବା ପାଇଁ କଷ୍ଟ ପଡ଼ୁଥିଲା । ଦରମା ବୋଲି ମୋଟେ ବାରଟା ଟଙ୍କା, କିନ୍ତୁ ମାସକ ଖର୍ଚ୍ଚ ଶହେ ଟଙ୍କାରୁ ପାହୁଲାଟାଏ କମ୍ ନୁହେଁ । ସେଥିପାଇଁ କେହି ତା’ ହାବୁଡ଼େ ପଡ଼ିଗଲେ, ତା’ ରକତ ନ ଖାଇ ସେ ଛାଡ଼େ ନାହିଁ । ଆଗେ ଯେତେବେଳେ ଛ’ଟଙ୍କା ଦରମା ମିଳୁଥିଲା, ସେତେବେଳେ ସେ ଲୋକଙ୍କୁ ବେଶି ହଇରାଣ କରୁ ନଥିଲା । କିନ୍ତୁ ଦରମା ବାର ଟଙ୍କା ବଢ଼ିଯିବାରୁ ପଇସା ବଢ଼ିବା ସାଙ୍ଗେ ସାଙ୍ଗେ ଲୋଭ ବି ବଢ଼ିଲା । ତା’ ବଦମାସୀ ଯୋଗୁ ରାୟସାହେବ ତା’ ଦରମା ଆଉ ବଢ଼ାଉ ନଥିଲେ ।

 

ଗାଁରେ ତ ସବୁ ଲୋକ ତାକୁ ମାନିକରି ଚଳୁଥିଲେ, ଏମିତିକି ଝିଙ୍ଗୁର ସିଂହ ଆଉ ଦାତାଦୀନ ବି ଡରିମରି ତାଜ ଖୁସାମତ କରୁଥିଲେ । ସାରା ଗାଁରେ କେବଳ ପଟେଶ୍ଵରୀ ତାକୁ ଖାତିର କରୁ ନଥିଲା । ସବୁବେଳେ ତା’ ସଙ୍ଗେ ତାଳ ଦେବାପାଇଁ ଅଣ୍ଟାଭିଡ଼ି ତିଆର ରହିଥିଲା । ନୋଖେରାମର ମନେ ମନେ ଭାରି ଗର୍ବ ଯେ, ସେ ଜାତିରେ ବ୍ରାହ୍ମଣ, ଚାହିଲେ ସେ କରଣମାନଙ୍କୁ ଆଙ୍ଗୁଠି ଆଗରେ ନଚେଇ ଦେବ । କିନ୍ତୁ ପଟେଶ୍ଵରୀର ଗର୍ବ ଯେ ସେ ଜାତିରେ କରଣ, ତା’ହାତରେ କଲମ ଥିବାଯାକ ତାକୁ କେହି ପାରିବେ ନାହିଁ । ତା’ଛଡ଼ା ସେ ତା ଜମିଦାରଙ୍କ ଚାକର ନୁହେଁ, ସେ ହେଉଛି ବ୍ରିଟିଶ ବାଦଶାହଙ୍କର ଚାକର ଯେଉଁ ବାଦଶାହଙ୍କ ରାଜ୍ୟରେ କେବେହେଲେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ନୋଖେରାମ ଯଦି ଏକାଦଶୀଦିନ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଖୁଆଏ, ପଟେଶ୍ଵରୀ ପୂର୍ଣ୍ଣମୀ ଦିନ ସତ୍ୟନାରାୟଣ ପୂଜା କରେଇ ଦଶଜଣ ବ୍ରାହ୍ମଣଙ୍କୁ ଖୁଆଏ । ପଟେଶ୍ଵରୀ–ପୁଅ ଯେମିତି ଖଜଣା ଅସୁଲ କାମରେ ରହିଗଲା, ସେହିଦିନୁ ନୋଖେରାମ ଖାଲି ଅନାଇ ରହିଲା ତା’ ପୁଅ କେମିତି ଦଶମ ଶ୍ରେଣୀ ପାସ୍ କରିଦେଲେ କେଉଁଠି ହେଲେ ନବିସନ୍ଦା ଚାକିରି ଖଣ୍ଡେ ପାଇଯିବ । ସେଥିପାଇଁ ସେ ବରାବର ଫଳମୂଳ ନେଇ ହାକିମହୁକୁମାଙ୍କ ପାଖରେ ଭେଟି ଦିଏ । କିନ୍ତୁ ପଟେଶ୍ଵରୀ କେବଳ ଗୋଟେ କଥାରେ ନୋଖେରାମଠାରୁ ବଡ଼ ଥିଲା । ଲୋକେ କହୁଥିଲେ, ତା’ର ଗୋଟାଏ କେଉଟୁଣୀ ଚାକରାଣୀ ଥିଲା । ତାକୁଇ ସେ ରଖିଥିଲା, କିନ୍ତୁ ନୋଖେରାମର ବି ଏହି ବିଷୟରେ ତା’ସଙ୍ଗେ ତାଳ ଦେବାପାଇଁ ବେଶି ଦିନ ବାକି ନ ଥିଲା ।

 

ଭୋଳାକୁ ଆଶ୍ଵାସନା ଦେଇ ନୋଖେରାମ କହିଲା–ତମେ କିଛି ପରୁଆ କର ନାହିଁ । ଏଠି ଆରାମରେ ରହ । ଯେତେବେଳେ ଯାହା ଦରକାର ହେବ ମୋତେ କହିବ । ତମ ସ୍ତ୍ରୀଙ୍କ ପାଇଁ ଯେମିତି ହେଲେ ଯେଉଁଠୁ କାମ ଜୁଟିଯିବ । ଧାନ ପାଛୋରିବା, ଶୁଖେଇବା ଆଦି ଯେତେ କାମ ଅଛି ସେ ଜଣେଲୋକ ପାଇଁ ଢେର ।

 

ଭୋଳା ଆପତ୍ତି କରି କହିଲା–ହଜୁର ଥରୁଟାଏ ଖାଲି କାନ୍ତାକୁ ଟିକିଏ ଡକେଇ ପଚାରି ଦିଅନ୍ତେ, ବାପ ସାଙ୍ଗରେ କ’ଣ ଏମିତି କାରବାର କରିବା ତା’ର ଉଚିତ ? ଘରଦ୍ଵାର ତୋଳିଲି ମୁଁ ଗାଈ ମଇଁଷି ସବୁ କିଣିଲି ମୁଁ, ଏତେବେଳକୁ ମୁଁ କାହିଁରେ ହେଲି ନାହିଁ, ମୋତେ ଅଧିକେ ଧକ୍‍କା ଦେଇ ବାହାର କରିଦେଲା । ଏଗୁଡ଼ା ଅନ୍ୟାୟ ନୁହେଁ ତ ଆଉ କ’ଣ ? ହଜୁର ହେଉଛନ୍ତି ଆମର ମାଲିକ । ହଜୁରଙ୍କ ଦରବାରରେ ଏକଥା ଟିକିଏ ଫଇସଲା ହୋଇଗଲେ ଭଲ ହୁଅନ୍ତା ।

 

ନୋଖେରାମ ତାକୁ ବୁଝେଇ ବସିଲା–ବୁଝିଲ ଭୋଳା, ତା’ ସଙ୍ଗେ ଲଢ଼େଇ କରି ତମେ ଜିତି ପାରିବ ନାହିଁ । କିନ୍ତୁ ସେ ଯେମିତି କାମ କରୁଛି, ଭଗବାନ ଯେମିତି ହେଲେ ଦିନେ ତା ଫଳ ତାକୁ ଦେବେ । ଅନ୍ୟାୟ କରି ଦୁନିଆରେ କେବେ କେହି ବଡ଼ ହୋଇନାହିଁ । ଆଉ ସଂସାରେ ଯଦି ପାପ, ଅନ୍ୟାୟ ସବୁ ନ ଥାନ୍ତା, ଲୋକେ କାହିଁକି ସଂସାରଟାକୁ ନରକ ବୋଲି କହୁଥାନ୍ତେ ? ଆଜିକାଲି ସଂସାରରେ ପାପ ପୁଣ୍ୟ କିଏ ପଚାରି ଯାଉଛି, ହେଲେ ଭଗବାନ ତ ସବୁ ଦେଖୁଛନ୍ତି । ତମ ମନ ଏଇନେ ଯାହା ହେଉଛି, ଭଗବାନ କ’ଣ ଜାଣୁ ନାହାନ୍ତି ? ସେଇଥିପାଇଁ ପରା ଲୋକେ ତାଙ୍କୁ ଅନ୍ତରଯାମୀ ବୋଲି କହୁଛନ୍ତି ! ତାଙ୍କ ହାତରୁ ମୁକୁଳି କରି କିଏ କୁଆଡ଼େ ଯିବ ? ତୁମେ କିଛି ଭାବ ନାହିଁ, ଚୁପ୍ ହୋଇ ବସ । ଭଗବାନ ଚାହିଲେ ସେଠା ଅପେକ୍ଷା ତମେ ଏଠି ଆହୁରି ଭଲରେ ରହିବ ।

 

ସେଠୁ ଚାଲିଯାଇ ଭୋଳା ହୋରୀ ପାଖରେ ବସି ଆପଣା ଦୁଃଖ ଗାଇଲା । ତା’କଥା ଶୁଣି ହୋରୀ କହିଲା–ଆରେ ଭାଇ, ଆଜିକାଲିକା ପୁଅମାନଙ୍କ କଥା ଆଉ କହ ନାହିଁ । ତାଙ୍କରି ପାଇଁ ହଇରାଣ ହୋଇ ତାଙ୍କୁ ପାଳ, ପୋଷ, ଯାହା କର, ଭେଣ୍ଡିଆ ହେଲାମାତ୍ରେ ଶତ୍ରୁ । ହେଇଟି ଆମ ଗୋବରା କଥା ଦେଖୁନା । ମା’ସଙ୍ଗେ କଳି ଲଗେଇ କରି ଗଲା, ବରଷେ ହେଲାଣି, ଚିଠି ନା ପତର ! ତା’ ହିସାବରେ ତ ବାପ ମା’ କୁଆଡ଼େ ମଲେଣି । ଭଉଣୀ ଆସି ବାହାହେବା ଉପରେ, ସେଥିରେ ତା’ର ଯାଏ ଆସେ କେତେ ? ବିଲବାଡ଼ି ଲେଖିଦେଇ ଦି’ଶ ଟଙ୍କା କରଜ ନେଲି । ଆଉ କ’ଣ କରନ୍ତି, ମାନମର୍ଯ୍ୟାଦା ତ ଯେମିତିହେଲେ ପୁଣି ରଖିବାକୁ ହେବ !

 

କାନ୍ତା ସିନା ବାପକୁ ତଡ଼ିଦେଲା, କିନ୍ତୁ ଏବେ ତାକୁ ଠିକ୍ ମାଲୁମ ହୋଇଗଲା, ଘରେ ବୁଢ଼ା ଲୋକ ରହିବା କେତେ ଦରକାର । ସକାଳୁ ଉଠି ଗୋରୁଗାଈଙ୍କୁ କୁଣ୍ଡାତୋଡ଼ାଣି ଦେବା, ଦୁହିଁବା, ଦୁଧ ନେଇ ବଜାର ଯିବା, ପୁଣି ତେଣୁ ଆସି ଗୋରୁଗାଈଙ୍କୁ ପୁଣି ଖୁଆଇବା, ପୁଣି ଦୁହିଁବା କେଡ଼େ କଷ୍ଟ, ସେ କଥା ପନ୍ଦର ଦିନ ଭିତରେ ତାକୁ ବେଶ୍ ମାଲୁମ ହୋଇଗଲା । ସ୍ତ୍ରୀ ପୁରୁଷ ଦିହିଁଙ୍କ ଭିତରେ ବରାବର ଝଗଡ଼ା ହେଲା । ତା’ ସ୍ତ୍ରୀ କହିଲା–ଏତେ କାମ ମୁଁ କରିପାରିବି ନାହିଁ । କାମ କରି ମରିବା ପାଇଁ ମୁଁ ଏଠିକି ଆସି ନାହିଁ । ମୋ’ ଖିଆପିଆ ଯଦି ତମ ଆଖିରେ ବଡ଼ ଦିଶୁଛି, ତେବେ ମୋତେ ନେଇ ମୋ’ ବାପଘରେ ଛାଡ଼ିଦେଇ ଆସ । କାନ୍ତାକୁ ଭାରି ଡର ମାଡ଼ିଲା, ଭାବିଲା, ସେ ଯଦି ଯୋଗକୁ ଚାଲିଯାଏ ତେବେ ନିଜ ହାତରେ ସବୁ କାମ ଉଠେଇବାକୁ ପଡ଼ିବ । ଶେଷକୁ ଗୋଟାଏ ଚାକର ରଖିଲା, କିନ୍ତୁ ସେଥିରେ ବି କାମ ଚଳିଲା ନାହିଁ । ଚାକର କୁଣ୍ଡାକୁଳୁଚି ସବୁ ଲୁଚେଇ କରି ବିକିବାରୁ ତାକୁ ସେ ଘରୁ ବାହାର କରିଦେଲା । ଚାକର ବାହାରି ଗଲାପରେ ପୁଣି ସ୍ଵାମୀ ସ୍ତ୍ରୀରେ ଝଗଡ଼ା ଲାଗିଲା । ତା’ ସ୍ତ୍ରୀ ରୁଷି କରି ବାପଘରକୁ ଚାଲିଗଲା । କାମ କରି କରି କାନ୍ତାର ହାତ ଗୋଡ଼ ଯେତେବେଳେ ଫୁଲିଗଲା, ସେତେବେଳେ ସେ ବାପ ପାଖକୁ ଆସି କାକୁତି ମିନତି କରି କହିଲା–ବାପା, ମୋର ଯାହା ଭୁଲବଟକା ହୋଇଯାଇଛି ମୋତେ ମାଫି ଦିଅ । ଏବେ ଚାଲ, ତମେ ତମ ଘର ସମ୍ଭାଳ । ତମେ ଆମକୁ ଯେମିତି ରଖିବ, ଆମେ ସେମିତି ରହିବାକୁ ରାଜି ।

 

ସେଠି ମୂଲିଆପଣେ ରହିବାକୁ ଭୋଳାକୁ ଭାରି ଖରାପ ଲାଗୁଥିଲା । ପହିଲେ ମାସ ଦି’ ମାସ ଯେଉଁ ଆଦର ସମ୍ମାନ ପାଉଥିଲା ସେ ସବୁ ଆସ୍ତେ ଆସ୍ତେ କମିଗଲା । ନୋଖେରାମ ଦିନେ ତାକୁ ବିଛଣା ଉଠାଇ ଦେବାକୁ ବି କହିଲା । ସେହି ଦିନୁ ଭୋଳା ମନ ଗୋଟାପଣେ ଛିଣ୍ଡିପଡ଼ିଲା । ଘରେ ପୁଅଙ୍କ ସଙ୍ଗେ ଯେତେ କଳିକଜିଆ ହେଲେ ମଧ୍ୟ ପର ଲୋକଙ୍କର ବୋଲହାକ ତ କରିବାକୁ ପଡ଼ୁ ନଥିଲା ।

 

ତା ସ୍ତ୍ରୀ ନୋହରୀ ଏକଥା ଶୁଣିଲାମାତ୍ରେ ଗରଜି ଉଠି କହିଲା–ଯୋଉଠୁ ଗୋଇଠା ମାଡ଼ ଖାଇ କରି ଆସିଛ, ସେଇଠିକି ପୁଣି ଯିବ, ତମକୁ ନାଜ ମାଡ଼ୁ ନାହିଁ !

 

ଭୋଳା କହିଲା–ଏଠି କ’ଣ ଆଉ ସିଂହାସନରେ ବସିଛି !

 

ନୋହରୀ ଛାଉଲୀ ହୋଇ କହିଲା–ତମ ମନ ହେଉଛି ଯଦି ଯା’ ମୁଁ କେଭେ ଯିବି ନାହିଁ-

 

ଭୋଳା ଜାଣିଥିଲା ନୋହରୀ ଯିବାପାଇଁ କେବେହେଲେ ଚାହିବ ନାହିଁ । ତା’ର କାରଣ ତାକୁ ଖୁବ୍ ଜଣା ଥିଲା, କିଛି କିଛି ବି ସେ ଆପଣା ଆଖିରେ ଦେଖିଥିଲା । ସେଇଥିପାଇଁ ଭୋଳା ସେଠୁ ପଳାଇବା ପାଇଁ ଚାହୁଁଥିଲା । ସେଠି ତ କେହି ତାକୁ ବାସୀରେ ବି ପଚାରୁ ନଥିଲେ କିନ୍ତୁ ନୋହରୀକୁ ଭାରି ସମ୍ମାନ ମିଳୁଥିଲା । ନୋଖେରାମଙ୍କ ଚାକର ପିଆଦା ସହିତେ ବି ତା’ କଥାରେ ଚଳୁଥିଲେ । ଭୋଳା ଯଦି ସାହସ କରି ଚାଲି ଯାଇଥାନ୍ତା, ତେବେ ନୋହରୀ ଯେମିତି ହେଲେ ତା ପଛେ ପଛେ ଯାଇଥାନ୍ତା, ତାକୁ ସେଠି ଏକୁଟିଆ ରଖିବାପାଇଁ ନୋଖେରାମର ସାହସ ହୋଇ ନ ଥାନ୍ତା । ସେ ଆଢ଼ୁଆଳରେ ଶିକାର କରିବା ଲୋକ ନା, ସିଧା ସାହସ କରି ପାରନ୍ତା କୁଆଡ଼ୁ ! କିନ୍ତୁ ଭୋଳା ସ୍ତ୍ରୀ ଭୋଳାକୁ ଖୁବ୍ ଭଲ କରି ଜାଣିଥିଲା ।

 

ଭୋଳା ନେହୁରା ହୋଇ କହିଲା–ଦେଖ ନୋହରୀ, ମିଛରେ ଖାଲି ଜିଦ୍ ଧର ନାହିଁ । ଦେଖୁଛ ତ ଘରେ ଆଜିକାଲି ବୋହୂଏ ନାହାନ୍ତି । ତମ ହାତରେ ତ ସବୁ ଜିନିଷ ରହିବ । ଏଠି ମୂଲ ଲାଗିବାରୁ ଜାତିଭାଇଙ୍କ ପାଖରେ ଆମର କେଡ଼େ ଅପମାନ ହେଉଛି ସେ କଥା ଟିକିଏ ଭାବୁନ !

 

ନୋହରୀ ଡରେଇ କରି କହିଲା–ମୁଁ ତ ତମକୁ ମନା କରୁନାହିଁ, ତମ ମନ ହେଉଛି ଯଦି ଯା’ । ତମ ପୁଅଙ୍କ ଗୋଇଠା ତମକୁ ସିନା ସୁଆଦ ନାଗିବ, ମତେ ନାଗିବ କିଆଁ ? ମୋ ରୋଜଗାର ମୋତେ ନଖେ ଟଙ୍କା ।

 

ଶେଷରେ ଭୋଳାକୁ ସେଠି ରହିବାକୁ ପଡ଼ିଲା । କାନ୍ତା ଯାଇ ତା’ ସ୍ତ୍ରୀକୁ ଖୁସାମତ ବରାମଦ କରି ନେଇଆସିଲା । ନୋହରୀ ବିଷୟରେ ଏଣିକି ବହୁତ କଥା ଶୁଣାଗଲା । କିଏ କହିଲା–ସେ ଆଜି ପାଟଶାଢ଼ି ପିନ୍ଧିଛି । କିଏ କହିଲା–ଏତିକି କ’ଣ ? ଚାହିଁଲେ ଦିନକୁ ଗୋଟାଏ ଲେଖା ପିନ୍ଧିବ । ସ୍ଵାମୀ ଯେତେବେଳେ ନିଜେ ଜଗୁଆଳ ହୋଇ ବସିଛି, ଆଉ ପରୁଆ କ’ଣ ? ଭୋଳା ଆଖି କ’ଣ କୁଆଡ଼େ ଫୁଟି ଯାଇଛି !

 

ଶୋଭା ଭାରି ରହସିଆ, ଭାରି ଥଟିଲୀ, ବଡ଼ ନାରଦ ଜଣେ ସେ । ସବୁକଥାକୁ ସେ ରହସ୍ୟ କରି ଜାଣେ । ଥରେ ନୋହରୀ ତାଙ୍କ ଘରକୁ ଆସିଥିଲା ଯେ ଶୋଭା ତାକୁ ହସିକରି କ’ଣ କହିଲା ପରା । ନୋହରୀ ଯାଇ ସତ ମିଛ କ’ଣ ଯୋଡ଼ିଦେଲା ଯେ ନୋଖେରାମ ତାକୁ ଚଉପାଡ଼ୀକୁ ଡକାଇ ଏମିତି ଧମକ ଦେଲା ଯେ ଜୀବନରେ ଆଉ ସେ ତାକୁ ଭୁଲି ପାରିବ ନାହିଁ ।

 

ଆଉଦିନେ ବି ସେମିତି ଲାଲା ପଟେଶ୍ଵରୀ ସଙ୍ଗରେ ହୋଇଥିଲା । ଖରାଦିନ ଲାଲା ପଟେଶ୍ଵରୀ ବଗିଚାରେ ବସି ଆମ୍ବ ତୋଳାଉଥିଲା । ନୋହରୀ ଭାରି ବେଶଭୂଷା ହୋଇ ସେଇବାଟେ ଚାଲିଯାଉଥିବାର ଦେଖି ପଟେଶ୍ଵରୀ ଡାକ ପକାଇଲା–ନୋହରୀ ରାଣୀ, ଇଆଡ଼କୁ ଟିକିଏ ଆସ, ଆମ୍ବ ଗଣ୍ଡେ ନେଇଯା, ଭାରି ମିଠା ଆମ୍ବ ।

 

ନୋହରୀ ଭାବିଲା ତାକୁ ସେ ପରିହାସ କରୁଛି । ନୋହରୀର ମୁହଁ ଆଜିକାଲି ଭାରି ଉପରକୁ । ସେ ଭାବୁଥିଲା ଲୋକେ ତାକୁ ଜମିଦାରିଆଣୀ ପରି ସମ୍ମାନ କରିବା ଉଚିତ । ଗର୍ବୀ ଲୋକଙ୍କର ମନରେ ସବୁବେଳେ ସନ୍ଦେହ । ପୁଣି ମନ ଭିତରେ ଯେ ଚୋର ତାର ତ ସନ୍ଦେହ ଆହୁରି ବେଶି । ମନେ ମନେ ସେ ଭାବିଲା ତାକୁ ଦେଖି କାହିଁକି ସେ ହସିଲା ? ସେ ତ କାହାକୁ କିଛି ମାଗୁନାହିଁ, ଲୋକେ ତାକୁ ଦେଖି ଏମିତି ଜଳି ମରୁଛନ୍ତି କିଆଁ ? କିଏ ଏମିତି ଦୁନିଆରେ ସତୀ ହୋଇ ବସିଛି ! ତା ମୁହଁରେ କିଏ କହନ୍ତା କି ସେ ଦେଖି ଦିଅନ୍ତା । ୟା ଭିତରେ ନୋହରୀ ଗାଁ ଯାକର ସବୁକଥା ଜାଣି ଯାଇଥିଲା । ଭାବିଲା ଲାଲା ପଟେଶ୍ଵରୀ ନିଜେ କେଉଟୁଣୀ ରଖି ବି ପୁଣି ତାକୁ ଅନେଇ ହସୁଛି ! ସେ ବଡ଼ଲୋକ ବୋଲି ତାକୁ କେହି କିଛି କହୁନାହାନ୍ତି । ନୋହରୀ ଗରିବ ମାଇପ ବୋଲି ସମସ୍ତଙ୍କ ଶାଳୀ ହୋଇଛି, ବାପ ଯେମିତି କି ପୁଅ ସେମିତି । ପୁଅ ବି ସିଲିଆ ପଛରେ ପାଗଳ ହୋଇ ଗୋଡ଼େଇ ମରୁଛି । ଚେମାରଙ୍କ ଉପରେ ବଳ ଦେଖାଉଛି, କଣ ନା ଆମେ ଜାତିରେ ବଡ଼ କରଣ !

 

ସେଇଠି ଅଟକିଯାଇ ନୋହରୀ କହିଲା–ଏଡ଼େ ଦାନୀ ତମେ କୋଉଦିନଠୁ ହେଲଣି ମ-! ପାଇଲେ ପରର ଅଇଁଠା ପଛେ ଅଣ୍ଟିବ ନାହିଁ, ଏମିତି ଆମ୍ବ ଦେଲାବାଲା କୋଉଦିନଠୁ ହେଲ-? ମୋ ସାଙ୍ଗରେ ଲାଗିଲେ କାହାରି ମଙ୍ଗଳ ହେବ ନାହିଁ, ଜାଣିଥା ।

 

ଓଃ ! ଏଇ ଗଉଡ଼ୁଣୀର ତ କମ୍ ଦାଢ଼ ନୁହେଁ ! ନୋଖେରାମକୁ ପାଲରେ ପକାଇଦେଲା ବୋଲି ଭାବୁଛି ଏ ଦୁନିଆ ଗୋଟାକଯାକ ତା’ର ! ତା’ପରେ ପଟେଶ୍ଵରୀ କହିଲା–ନୋହରୀ, ତୁ ତ କ’ଣ ଏମିତି ହେଉଛୁ, ସତେ ଯେମିତି କାହାକୁ ଗାଁରୁ ବାହାର କରିଦେବୁ । ଟିକିଏ ମୁହଁ ସମ୍ଭାଳି କରି କଥାବାର୍ତ୍ତା କର । ଆପଣା କଥା ଏମିତି ଭୁଲି ଯାଉଛୁ କିଆଁ ?

 

‘କାହିଁକି, ତମ ଦୁଆରକୁ କେବେ ଭିକ ମାଗିବାକୁ ଯାଇଥିଲି କି ?’

 

‘ହଁ, ନୋଖେରାମ ଯଦି ଆଶ୍ରାଦେଇ ନ ଥାନ୍ତେ, ଭିକ ମାଗି ନ ଥାନ୍ତୁ ଆଉ କୁଆଡ଼େ ଯାଇଥାନ୍ତୁ ?’

 

ନୋହରୀକୁ ଲଙ୍କା ମରିଚ ଖାଇଲାପରି ଲାଗିଲା । ପାଟିରେ ଯାହା ଆସିଲା ବକିଲା–ଛତରା, ମୁହଁପୋଡ଼ା, ଲମ୍ପଟୀ । କେତେ କ’ଣ କହିଲା କିଛି ଠିକଣା ନାହିଁ । ଘରକୁ ଯାଇ ଆପଣା ଲୁଗାପଟା ବାସନ–ବରତନ ସବୁ କାଢ଼ିପକାଇ ବାହାରେ ଗଦେଇ ଦେଲା ।

 

ନୋଖେରାମ ଶୁଣିଲାମାତ୍ରେ ଭାରୀ ବ୍ୟସ୍ତ ହୋଇ ଆସି ପଚାରିଲା–ଇଏ ସବୁ କ’ଣ ହେଉଛି ନୋହରୀ, ଲୁଗାପଟା କାହିଁକି ସବୁ ବାହାର କରୁଛ ? କାହିଁକି, ତମକୁ କିଏ କ’ଣ କହିଲା କି ?

 

ପୁରୁଷଙ୍କୁ କେମିତି ନଚେଇବାକୁ ହୁଏ ସେ ଦିଦ୍ୟା ନୋହରୀକୁ ଖୁବ୍ ଜଣା । ନୋଖେରାମ ପାଠଶାଠ ପଢ଼ିଥିଲା । ଦରକାର ବେଳେ ଓକିଲ, ବାରିଷ୍ଟରଙ୍କ କଥାକୁ ବି କାଟି ଥୋଇ ଦେଉଥିଲା । କିନ୍ତୁ ନୋହରୀ ପାଖରେ ସେ ମୂଷା ବନି ଯାଇଥିଲା । ଆଖି ନଚେଇ ନୋହରୀ କହିଲା–ହଁ, କପାଳ ପଡ଼ିଲା ବୋଲି ଏଠିକି ଆସିଥିଲି ନା, ଆପଣା ଇଜ୍ଜତ ମହତ ସାରିବାକୁ କ’ଣ ଆଉ ଏଠି ରହିବି ?

 

ଏକଥା ଶୁଣି ବ୍ରାହ୍ମଣ ପିଲା ତାତି ଉଠିଲା । ନିଶକୁ ଠିଆ ଠିଆ କରି କହିଲା–ତମକୁ ଯେ ଅନେଇଦେବ ତା’ ଆଖି ଉପାଡ଼ିଦେବି, ଜାଣିଲ ।

 

ନୋହରୀ ନ ଛ କରି ବାରକଥା ବତେଇ କହିଲା–ଲାଲା ପଟେଶ୍ଵରୀ ମୋତେ ଯେତେବେଳେ ଦେଖୁଛି, ଅକଥା କହୁଛି । ମୁଁ କ’ଣ ବେଶ୍ୟା ହୋଇଛି ଯେ ମୋତେ କିଏ ପଇସା ଦେଖାଇ ଠାରିବ । ଗାଁରେ ତ ଏତେ ମାଇପି ଅଛନ୍ତି କାହାକୁ ତ କେହି କିଛି କହୁନାହାନ୍ତି, ମତେ କିଆଁ ସମସ୍ତେ ଚିଡ଼େଇବେ, ମୁଁ କିଆଁ ସହିବି ?

 

ନୋଖେରାମ ସାଙ୍ଗେ ସାଙ୍ଗେ ନିଆଁ ହୋଇଯାଇ ଠେଙ୍ଗା ଧରି ତୋଟାକୁ ଧାଇଁଲା; ହାଣ୍ଟୁଳା ପକାଇ ଡାକ ଛାଡ଼ିଲା–ଆସିବୁ ଦେଖିଆ କେମିତି ଅଣ୍ଡିରା ହେଉଛୁ । ଯଦି ମାରି କରି ପୋତି ନ ଦେବି–ମୁଁ ତ କହୁଛି ଆ । ଆଉ ଦିନେ ଯଦି ନୋହରୀକୁ ପାଟି ଫିଟାଇଥିବୁ, ତେବେ ତୋ ରକତ ପିଇଦେବି । ତୋ ପଟୁଆରିପଣ ଏକାବେଳକେ ଛଡ଼ାଇ ଦେବି । ନିଜେ ଯେମିତି, ଦୁନିଆକୁ ସେମିତି ଭାବୁଛୁ କି ? ପୁଅ, ମନେ ମନେ କ’ଣ ଭାବିଛୁ କି ?

 

ପଟେଶ୍ୱରୀ ତଳକୁ ମୁହଁ ପୋତି କାଠପରି ରହିଗଲା । ପାଟି ଫିଟାଇଲେ ତ ବିପଦ । ଜୀବନରେ ଏମିତି ଅପମାନ ତାକୁ ଆଉ କେବେହେଲେ ମିଳି ନଥିଲା । ଲୋକେ ଥରେ ରାତିରେ ତାକୁ ତାଳ ବୋରେଇରେ ଧରି ପିଟିଥିଲେ କିନ୍ତୁ ଗାଁ ଲୋକଙ୍କୁ ଅବଶ୍ୟ ସେ କଥା ଜଣା ନଥିଲା । ସେ କଥାର କାହା ପାଖରେ ବି କିଛି ପ୍ରମାଣ ନଥିଲା । ଆଜି ଯେ ଦିନ ଦି’ପହରେ ବୀଚ୍ ବଜାରରେ ଏତେ ଲୋକଙ୍କ ଆଗରେ ବେଜିତ ହୋଇଗଲା ! କାଲି ଯେଉଁ ସ୍ତ୍ରୀଲୋକ ଗାଁକୁ ଭିକ ମାଗିବାକୁ ଆସିଥିଲା, ଆଜି ପୁଣି ତାକୁଇ ଦେଖି ଲୋକେ ଥରୁଛନ୍ତି ! ଗାଁରେ ଏମିତି କିଏ ପୁଅ ଅଛି ଯେ ତାକୁ ପାଟି ଫିଟାଇ ପାରିବ ? ପଟେଶ୍ୱରୀ ଭଳିଆ ଲୋକ ଯେତେବେଳେ କିଛି କରିପାରୁ ନାହାନ୍ତି, ଆଉ ଲୋକଙ୍କ କଥା କଣ କହିବା ?

 

ନୋହରୀ ଏବେ ଗାଁରେ ରାଣୀ ପରି ପୂଜା ପାଉଥିଲା । ତାକୁ ଦେଖି ପ୍ରଜାଲୋକେ ଦଶ ହାତ ଦୂରରୁ ଆଡ଼େଇ ହୋଇ ଯାଉଥିଲେ । ଗାଁରେ ସମସ୍ତେ ଜାଣିଥିଲେ ଯେ ନୋହରୀକୁ ଟିକିଏ ଖୁସି କରିଦେଲେ ନୋଖେରାମଠାରୁ ବହୁତ କାମ ହାସଲ କରିହେବ । ଜମିବାଡ଼ି ଭାଗବଣ୍ଟା ହେଉ, ଖଜଣା ମାଗଣରେ ମହଲତ ହେଉ, ଘର କରିବାପାଇଁ ଜମି ମଡ଼ାଣ ହେଉ; ସବୁକଥାରେ ଆଗ ନୋହରୀକୁ ନ ଧରିଲେ କିଛି କାମ ହୁଏ ନାହିଁ । ଆଚ୍ଛା ଆଚ୍ଛା ଲୋକଙ୍କୁ ବି ସେ ରଗଡ଼ ପକାଏ, ଆଉ–ଲୋକଙ୍କ କଥା କିଏ ପଚାରୁଛି, ହାକିମ ଲୋକଙ୍କୁ ବି ଦରକାର ପଡ଼ିଲେ ବତାଇ ଦିଏ ।

 

ସେଠି ଆଉ ନୋହରୀର ବାହୁଛାୟା ତଳେ ରହିବାପାଇଁ ଭୋଳାର ମନ ଲାଗିଲା ନାହିଁ-। ମାଇପ ରୋଜଗାରରେ ଚଳିବାଠାରୁ ବଳି ହୀନ କଥା ଆଉ କିଛି ନାହିଁ ବୋଲି ସେ ଭାବିଲା-। ଦରମା ବୋଲି ତ ମାସକୁ ମୋଟେ ତିନିଟା ଟଙ୍କା । ସେ ପୁଣି ତା ହାତକୁ କେବେ ଆସେ ନାହିଁ-। ଉପରେ ଉପରେ ନୋହରୀ ହାତକୁ ଚାଲିଯାଏ । ତାକୁ ଧୂଆଁ ଖାଇବାକୁ ଦିନକୁ ପଇସାଟାଏ ମିଳେ ନାହିଁ, କିନ୍ତୁ ନୋହରୀର ଦିଅଣାର ପାନ ନ ହେଲେ ନ ଚଳେ । ଯାହାକୁ ଦେଖିବ ସମସ୍ତେ ଭୋଳାଦ୍ଵାରା କାମ କରାନ୍ତି, କିଏ କାଠ ହଣାଏ ତ କିଏ ଚିଲମ ଭରାଏ । ଦିନସାରା ବିଚାରା କାମ କରି କରି ଆସି ଅଗଣାରେ ଗଛତଳେ ଖଣ୍ଡେ ଭଙ୍ଗା ଖଟିଆରେ ପଡ଼ିଯାଏ, କେହି ହେଲେ ତାକୁ ପାଣି ମୁନ୍ଦେ ଦେବାକୁ ନ ଥାନ୍ତି । ସକାଳ–ଭାତ ସଞ୍ଜବେଳକୁ ଖାଏ, ସେଥିପାଇଁ ପୁଣି ଲୁଣ ଛଡ଼ା ଆଉ କିଛି ନ ଥାଏ ।

 

ଶେଷକୁ ବିଚାରା ବାଧ୍ୟହୋଇ କାନ୍ତା ସାଙ୍ଗରେ ଯାଇ ରହିବା ପାଇଁ ଠିକ୍ କଲା । କିଛି ନ ହେଲେ ତ ପେଟକୁ ମୁଠାଏ ଖାଇବାକୁ ପାଇବ ! ଆପଣା ଘର ବୋଲି ତ ଆଗ କହିବ !

 

ନୋହରୀ କହିଲା–ମୁଁ ସେଠିକି ଯାଇ କାହାରି ସେବା କରିପାରିବି ନାହିଁ ।

 

ଭୋଳା ଟାଣ ଦେଖାଇ କହିଲା–ମୁଁ ତ ତମକୁ ଯିବାକୁ କହୁନାହିଁ । ମୁଁ ମୋ ମନକୁମନ କହୁଛି ।

 

‘ମୋତେ ଛାଡ଼ିକରି ଚାଲିଯିବ, ଏକଥା କହିବାକୁ ତମକୁ ଲାଜ ମାଡ଼ୁ ନାହିଁ ।’

 

‘ଲାଜ ତ ଘୋରିକରି ପିଇ ସାରିଲିଣି, ଆଉ ଆସିବ କୁଆଡ଼ୁ ?’

 

‘ତମେ ପିଇଥିଲେ ପିଇଥିବ । ମୁଁ ତ ପିଇନାହିଁ । ମୋତେ ଛାଡ଼ିକରି ଯିବା କଥା ପଟିବ ନାହିଁ ।’

 

‘ତୁ ଯଦି ତୋ ମନେ ମନେ ମାଲିକ ହୋଇ ବସିଛୁ, ମୁଁ ତୋର ସେବା କରିବି କିଆଁ ?’

 

‘ପଞ୍ଚାୟତ ବସାଇ ମୁହଁରେ କଳା ବୋଳିଦେବି, ଜାଣିଥା ଏକା ।’

 

‘ଆଜିଯାଏ କଣ କଳା ଲାଗି ନାହିଁ ଯେ ଆହୁରି ଲାଗିବ । ତୁ କଣ ମୋତେ ଏଠି ଆହୁରି ଓଲୁ କରି ରଖିବାକୁ ଭାବୁଛୁ ?’

 

‘ସତେ ଯେମିତି ମତେ ଦିନକୁ ଥରେଲେଖା ଗହଣା ଗଢ଼େଇ ଦେଉଛୁ, ତୁ ତ କଣ ସେଇମିତି କଥାବାର୍ତ୍ତା କରୁଛୁ ? ଜାଣିଥା ଏକା, ନୋହରୀ କାହାରି ଖାଇନାହିଁ କାହା କଥା ସହିବାକୁ-!’

 

ଭୋଳା ବିରକ୍ତ ହୋଇ ଚାଲିଯିବାପାଇଁ ଠେଙ୍ଗା ଧରି ବାହାରିଲାମାତ୍ରେ ନୋହରୀ ଝଟ୍‍କରି ଉଠିପଡ଼ି ତାକୁ ଧରି ପକାଇଲା । ଭୋଳା ବୁଢ଼ାର କୋଉ ବଳ ଥିଲା ଯେ ସେ ତା ହାତମୁଠାରୁ ଖସିଯାନ୍ତା ? ଚୁପ୍ ହୋଇ ଚୋରଙ୍କ ପରି ବସି ପଡ଼ିଲା । ଦିନ ଥିଲା, ଯେତେବେଳେ ସେ ଏମିତି କେତେ ସ୍ତ୍ରୀଙ୍କୁ ଆଙ୍ଗୁଠିରେ ନଚାଉଥିଲା, ଆଜି କିନ୍ତୁ ଜଣେ ସ୍ତ୍ରୀ ଲୋକର ହାତମୁଠାରୁ ମୁକୁଳି ଯିବାପାଇଁ ତାର ବଳ ନଥିଲା । ନିଜ ବଳ ତ ସେ ବେଶ୍ ଜାଣିଥିଲା, ଆଉ ମୁକୁଳିଯିବାପାଇଁ ମିଛରେ ଚେଷ୍ଟା କରି ଲୋକହସା ହୁଅନ୍ତା କାହିଁକି ? ହେଲେ ତାର ଏତିକି ସାହସ ନ ଥିଲା କହିଦେବାପାଇଁ ଯେ, ତୁ ତ ମୋର କିଛି କାମ କରୁ ନାହୁଁ, ମୁଁ ତତେ ଛାଡ଼ପତ୍ର ଦେଉଛି । ପଞ୍ଚାୟତଙ୍କ ଧମକ ଦେଉଛୁଁ ଯେ, ପଞ୍ଚାୟତ କଣ ମଣିଷ ନା କୁଆଡ଼ିକାର ଭୂତ ? ତୋର ଯଦି ପଞ୍ଚାୟତକୁ ଡର ନାହିଁ ମୁଁ ଏବେ ପଞ୍ଚାୟତକୁ ଡରିବି କିଆଁ ?

 

କିନ୍ତୁ ମନର କଥା ତୁଣ୍ଡରେ କହିବାପାଇଁ ତାର ସାହସ ନଥିଲା । ସତେ ଯେମିତି ନୋହରୀ ତାକୁ କଣ ମନ୍ତ୍ର କରି ଦେଇଥିଲା ।

Image

 

ଷଡ଼ବିଂଶ ପରିଚ୍ଛେଦ

 

ପଟୁଆରୀମାନଙ୍କର ଯେତେ ଗୁଣ, ସବୁଜାଣି ଏକା ଲାଲା ପଟେଶ୍ଵରୀ ପାଖରେ ଥିଲା । କେହି କାହା ଜମିରୁ ଇଞ୍ଚେ ନେଇଯିବ କିମ୍ବା ମହାଜନଠାରୁ ଟଙ୍କା ଖାଇ ତାକୁ ନ ସୁଝିବ, ଏସବୁ କଥା ତା’ ଆଖିରେ କେବେ ଯାଉ ନ ଥିଲା । ସେଥିପାଇଁ ଗାଁରେ ଯେତେ ପ୍ରାଣୀ ଥିଲେ ସମସ୍ତଙ୍କ ଭଲମନ୍ଦ ବୁଝିବା ତା’ର ଏକପ୍ରକାର ଧର୍ମ ଥିଲା । ଆପଣା ଆପଣା ଭିତରେ ବୁଝାଶୁଝା ହୋଇ ତୁନୀତାନ ହୋଇ ରହିବା କଥାକୁ ସେ ମୋଟେ ପସନ୍ଦ କରୁ ନଥିଲା । ସେ ଭାବୁଥିଲା ଏମିତି ରହିବା ଯାହା ମରିବା ତାହା । ଯଦି ଗଣ୍ଡଗୋଳ, ହୋ ହା କିଛି ନ ହେଲା ତେବେ ଜୀବନ ଅଛି ବୋଲି ଜଣା ପଡ଼ିବ କେମିତି ? ସେଥିପାଇଁ ସେ ବରାବର କଳିକଜିଆ, ମାଡ଼ଗୋଳ କରିବାପାଇଁ ଲୋକଙ୍କୁ ତେଜେଇଦେଇ ନିଜେ ବସି ମଜା ଦେଖୁଥିଲା । ସେହି ଗାଁରେ ସବୁଠୁ ବଡ଼ ଧନୀଲୋକ ମଙ୍ଗୁଳି ସାହୁ । ବିଚରା ଜଣେ ସାଦାସିଧା ମରହଟ୍ଟିଆ ଲୋକ । କାହାରି ସଙ୍ଗେ କଳିତକରାଳ କରିବାକୁ ତା’ର ଇଚ୍ଛା ନୁହେଁ । କାହିଁକି କେଜାଣି, ମଙ୍ଗୁଳୁ ସାହୁ ଉପରେ ପଟୁଆରୀ ବାବୁଙ୍କର ଏବେ ଭାରି କୃପାଦୃଷ୍ଟି । ମଙ୍ଗୁଳୁ ବିଚାରା କାହା ଉପରେ ବଡ଼ଲୋକି କିମ୍ବା ହାକିମି ଦେଖାଇବାକୁ ଚାହେଁ ନାହିଁ । ଗାଁ ଭିତରେ ତ ତା’ର ଘର ନ ଥିଲା, ଗାଁ ବାହାରେ ଖଣ୍ଡେ ଘର କରି ସେ ଅଲଗା ରହିଥିଲା-। ନିଜ ହତା ଭିତରେ କୂଅଟାଏ ଖୋଳି ବାଗବଗିଚା ଖଣ୍ଡେ କରିଥିଲା । ପିଲାପିଚିକା କିଛି ନ ଥିବାରୁ ନିର୍ଜଞ୍ଜାଳୀ ହୋଇ ବସି ହରିନାମ ଜପୁଥିଲା । ଟଙ୍କା ପଇସା ଦିଆନିଆରେ ବି ସେ ଲୋକମାନଙ୍କପ୍ରତି ଭାରି ଦୟାଧର୍ମ କରୁଥିଲା । କେତେଲୋକ ଯେ ତା’ ପଇସା ଖାଇ ବସିଥିଲେ ତା’ର ଠିକଣା ନାହିଁ, କିନ୍ତୁ ଦିନେହେଲେ ସେ କାହା ନାଁ’ରେ ମାଲିମକଦ୍ଦମା କରି ନ ଥିଲା । ହୋରୀ ଉପରେ ବି ତା’ର ଦେଢ଼ଶହ ଟଙ୍କାରୁ କମ୍ ନ ଥିଲା । ଥରେ ଦି’ଥର ସେ ମାଗିଲା, ବିରକ୍ତ ହେଲା ମଧ୍ୟ, ତେବେକେ ହୋରୀ କିଛି ଶୁଣିଲା ନାହିଁ, କିମ୍ବା ସେ ଆଉ କିଛି ପଚାରିଲା ନାହିଁ । ହୋରୀର ଅବସ୍ଥା ଯାହା, ସେଥିରେ ଅବା ଆଉ ସେ କହନ୍ତା କ’ଣ, ତୁନୀ ହୋଇ ରହିବାକୁ ବାଧ୍ୟହେଲା-। ଯୋଗକୁ ସେ ବର୍ଷ ଗାଁଯାକରେ ହୋରୀର ସବୁଠୁ ଭଲ ଆଖୁ ହୋଇଥିଲା । ସମସ୍ତେ ଭାବୁଥିଲେ ତାକୁ ଯେମିତିହେଲେ ଦି’ଶ ଅଢ଼େଇଶହ ଟଙ୍କା ମିଳିଯିବ ।

 

ଏକଥା ଦେଖି ମଙ୍ଗୁଳୁ ସାହୁ ପ୍ରତି ପଟେଶ୍ଵରୀ ବାବୁଙ୍କର ଭାରି ଦୟା ହେଲା । ସେ ମଙ୍ଗୁଳୁ ସାହୁକୁ ବୁଝେଇ ଦେଲେ ଯେ ବର୍ତ୍ତମାନ ଯଦି ହୋରୀ ଉପରେ ମକଦ୍ଦମା ଦାଏର ହୋଇଯାଏ, ତେବେ ସବୁ ଟଙ୍କା ଅସୁଲ ହୋଇଯିବ-। ମଙ୍ଗୁଳୁ ସାହୁ ଯେ ଅତି ଧାର୍ମିକ, ସେକଥା ନୁହେଁ; ଅଳସୁଆମି ଯୋଗୁ କଚେରୀବାଚେରୀକୁ ଧାଁଧପଡ଼ କରିବା ତା’ର ଇଚ୍ଛା ନୁହେଁ । କିନ୍ତୁ ପଟେଶ୍ଵରୀ ତାକୁ ବୁଝାଇଦେଲା ଯେ କଚେରୀର ଯେତେ କାମ ସବୁ ସେ ତା’ ପାଇଁ କରିଦେବ, ତାକୁ ନିଜକୁ କଚେରୀ ଯିବା ଦରକାର ପଡ଼ିବ ନାହିଁ-। ଘରେ ବସିକରି ତା’ମକଦ୍ଦମା ଡିଗ୍ରୀ ହୋଇଯିବ । ଏକଥା ଶୁଣି ମଙ୍ଗୁଳୁ ସାହୁ ପାଟିରୁ ଲାଳ ବୋହିଗଲା–ସେ ସାଙ୍ଗେ ସାଙ୍ଗେ ମକଦ୍ଦମା କରିବାପାଇଁ ପଟେଶ୍ଵରୀକୁ ଅନୁମତି ଦେଇଦେଲା ଏବଂ ମକଦ୍ଦମା ଖର୍ଚ୍ଚ ବି ଗଣିଦେଲା ।

 

ୟା’ ଭିତରେ କେତେବେଳେ କ’ଣ ହୋଇଗଲା ହୋରୀ କିଛି ଜାଣିପାରିଲା ନାହିଁ । କେବେ ମକଦ୍ଦମା ହେଲା କେବେ ଡିଗ୍ରୀ ଜାରୀ ହେଲା କିଛି ଜଣା ପଡ଼ିଲା ନାହିଁ । କିନ୍ତୁ ଯେଉଁଦିନ ତା’ ଆଖୁକିଆରୀ ନିଲାମ କରିବା ପାଇଁ କଚେରୀରୁ ପିଆଦା ଆସି ପହଞ୍ଚିଗଲା, ସେଇ ଦିନ ଜାଣି ସେ ମକଦ୍ଦମା ହୋଇଛି ବୋଲି ଜାଣିଲା । ଏକଥା ଶୁଣିଲାମାତ୍ରେ ଗାଁଯାକ ଆସି ଆଖୁ ବିଲଠାରେ ଗଦା ହୋଇଗଲେ, ହୋରୀ ଧାଇଁଲା ମଙ୍ଗୁଳୁ ସାହୁ ପାଖକୁ-। ଏଣେ ଧନିୟା ପଟେଶ୍ଵରୀ ଛଡ଼ା ଆଉ ଇଏ ଅନ୍ୟ କାହାରି କାମ ନୁହେଁ । ମାତ୍ର ହୋରୀ ଗଲାବେଳକୁ ମଙ୍ଗୁଳୁ ସାହୁ ପୂଜାରେ ବସିଥିବାରୁ ଦେଖା ମିଳିଲା ନାହିଁ କିମ୍ବା ଧନିୟା ଗାଳିକୁ ପଟେଶ୍ଵରୀ ମୋଟେ କାନ ଦେଲା ନାହିଁ । ଶେଷରେ ବିଲ ନିଲାମ ହେବା ଛଡ଼ା ଆଉ କିଛି ଉପାୟ ରହିଲା ନାହିଁ । ଗାଁରେ ଏମିତି କିଏ ପୁଅ ଥିଲା ଯେ ଜମିକୁ ନିଲାମ ଡାକନ୍ତା, ଧନିୟା ତ ଗୋଟାପଣେ କଞ୍ଚା ଖାଇଯାନ୍ତା । ଦାତାଦୀନ ବି ଡରିକରି ସାହସ କଲା ନାହିଁ । ଶେଷକୁ ମଙ୍ଗୁଳୁ ସାହୁର ନିଜ ନାମରେ ଆଖୁ ନିଲାମ ହୋଇଗଲା ।

 

ଧନିୟା ହୋରୀକୁ ଚେଙ୍ଗେଇ କରି କହିଲା–ବସିଛ କ’ଣ, ପଟେଶ୍ଵରୀକୁ ପଚାରୁନା କାହିଁକି ? ଆପଣାଆପଣି ଗାଁଲୋକଙ୍କଠାରେ କ’ଣ ତା’ର ଏୟା ଧରମ !

 

ହୋରୀ ଭାରୀ ଦୁଃଖିତ ହୋଇ କହିଲା–ପଚାରିବାପାଇଁ ତୁ କ’ଣ ଆଉ ବାଟ ରଖିଛୁ ଯେ ମୁଁ ଯାଇ ପଚାରିବି । ତୁ ଯେତେ ଗାଳି ଦେଉଛୁ, ସେ କ’ଣ ଆଉ ଶୁଣି ନଥିବ !

 

‘ମଲା, ଯେ ଗାଳି ଖାଇବା କାମ କଲା, ତାକୁ ଗାଳିଦେଲି ଯେ କ’ଣ ହେଲା ।’

 

‘ଏଣେ ଗାଳି ଦେଇ ତେଣେ ଭାଇ ବୋଲି ହାତଗୋଡ଼ ଧରିଲେ ସେ କ’ଣ ଶୁଣିବ ?’

 

‘ଆଚ୍ଛା ହଉ ଦେଖି, ମୋ ବିଲ ପାଖକୁ ଆଗ କିଏ ଆସୁଛି ଆସୁ ।’

 

‘ଦେଖିବୁ କ’ଣ, ଆଖୁକଳ ଲୋକେ ତ ଆସି କାଟି ନେବେ, ତୁ କ’ଣ କରିବୁ ନା ମୁଁ କ’ଣ କରିବି । ଗାଳିଦେଇ ଖାଲି ତୋ’ ଜିଭରେ ଗଲୁ ମରିବ ସିନା, ଆଉ ତା’ର କ’ଣ ହେବ !’

 

‘ଦେଖିଆ, ମୁଁ ଜୀଇ ଥାଉଁ ଥାଉଁ ମୋ ଆଖୁ କେମିତି କିଏ କାଟି ନେବ, ମୁଁ ଦେଖିବି ।’

 

‘ତୁ କ’ଣ ଏକା, ଆମେ ଦିହେଁଯାକ ଜୀଇଁ ଥାଉଁ ଥାଉଁ ବି ଲୋକ ଆସି କାଟି ନେବେ । ଗାଁଯାକ ଚାହିଲେ ବି କିଛି କରିପାରିବେ ନାହିଁ । ସେ ଆଖୁ ତ ଆଉ ଆମର ନୁହେଁ, ସେ ହେଉଛି ମଙ୍ଗୁଳୁ ସାହୁର ।’

 

‘ମଙ୍ଗୁଳୁ ସାହୁ କ’ଣ ଜେଷ୍ଠ ମାସ ଖରାରେ ଆଖୁ କୋଡ଼ିଥିଲା ନା ପାଣି ମଡ଼େଇ ଥିଲା ଯେ ଆଖୁ ତା’ର ହୋଇଗଲା ?

 

‘ମଲା, ସେ କିଆଁ କୋଡ଼ନ୍ତା, ସେ କିଆଁ ପାଣି ମଡ଼ାନ୍ତା ? ତୁ ସବୁ କରିଥିଲୁ । ହେଲେ, ଆମେ ଯେତେବେଳେ ତା’ଠୁ କରଜ ଖାଇଥିଲେ, ସେଇଥିପାଇଁ ସବୁ ଆଜି ତା’ର ହୋଇଗଲା ।’

 

ଆଖୁ ତ ଗଲା । କିନ୍ତୁ ଆଖୁ ଯିବା ସଙ୍ଗେ ସଙ୍ଗେ ଆଉ ଏକ ନୂଆ ବିପତ୍ତି ଆସି ପହଞ୍ଚିଲା । ଦୁଲାରୀ ସାହୁଆଣୀର ଆଗରୁ ଦୁଇଶ ଟଙ୍କା କରଜ ଥିଲେ ବି ସେହି ଆଖୁ କିଆରୀ ଦେଖି ବାହାଘର ପାଇଁ ସେ ଦି’ଶ ଟଙ୍କା ଦେବ ବୋଲି ମଙ୍ଗିଥିଲା । ସେ ଭାବିଥିଲା, ସେହି ଆଖୁରୁ ପୁରୁଣା ପାଉଣା ସେ ପାଇଯିବ, ତେଣିକି ନୂଆ ହିସାବ ଚାଲିବ । କିନ୍ତୁ ଆଖୁ ଯେତେବେଳେ ହାତରୁ ଚାଲିଗଲା, ଆଉ କୋଉ ପତିଆରା ଦେଖି ସେ ଟଙ୍କା ଦିଅନ୍ତା ? ବାହାଘର ଆସି ମୁଣ୍ଡ ଉପରେ । ହୋରୀ କ’ଣ କରିବ ତାକୁ କିଛି ବୁଦ୍ଧି ଦିଶିଲା ନାହିଁ । ଦିନ ତ ଠିକ୍ ହୋଇ ଯାଇଥିଲା । ସମୁଦୀ ତେଣେ ବାହାଘର ପାଇଁ ସବୁ ଯୋଗାଡ଼ କରିସାରିଥିବ ନିଶ୍ଚୟ । ବାହାଘର ଏବେ ଘୁଞ୍ଚିବ କେମିତି ? ହୋରୀ ମନେ ମନେ ଭାବୁଥିଲା, ଯାଇ ଦୁଲାରୀ ସାହୁଆଣୀ–ତଣ୍ଟି ଚିପି, ତାକୁ ମାରି ଦିଅନ୍ତା । ହେଲେ ସେ କଥା ସମ୍ଭବ ହେଉଛି କେଉଁଠି ? ବିଚାରା ଯାଇ କେତେ ଖୁସାମତ ବରାମଦ କଲା, ତଥାପି ସାହୁଆଣୀ ଏତେ ଟିକେ ବି ତରକିଲା ନାହିଁ ! ହୋରୀ ହାତଯୋଡ଼ି ଶେଷକୁ ନେହୁରା ହୋଇ କହିଲା–ଦେଖ ସାହୁଆଣୀ, ତମ ପଇସା କେବେହେଲେ ବୁଡ଼ିବ ନାହିଁ । ମୋ ପାଖରେ ବିଲବାଡ଼ି ଅଛି, ଗଛବୃଛ ଅଛି, ଭେଣ୍ଡିଆ ପୁଅ ଅଛି, ମୁଁ ଯେମିତିହେଲେ ତମ ପଇସା ଶୁଝିଦେବି । ମୁଁ କ’ଣ ସତେ ଏଡ଼େବେଗି ମରି ହଜି ଯାଉଛି । ମୁଁ ତମକୁ ଦାନ୍ତରେ କୁଟାଧରି ନେହୁରା ହେଉଛି ମୋ’ ଇଜ୍ଜତ କେମିତି ରଖିଦିଅ । କିନ୍ତୁ ବ୍ୟବସାୟପତ୍ରରେ ଦୁଲାରୀ ସାହୁଆଣୀକୁ ଦୟାମାୟା କିଛି ଜଣା ନ ଥିଲା । ସେଥିପାଇଁ ହୋରୀ ଯେତେ ନେହୁରା ହେଲେ ବି କିଛି ଫଳ ଫଳିଲା ନାହିଁ ।

 

ହୋରୀ ନିରାଶ ହୋଇ ଘରକୁ ଫେରିଯାଇ ଧନିୟାକୁ କହିଲା–ଏବେ କ’ଣ କରିବା ?

 

ଧନିୟା ତା ଉପରେ ସବୁ ରାଗ ଝାଡ଼ିଦେଇ କହିଲା–ତମରି ଯୋଗୁ ତ ଏହା ହେଲା, ଆଉ କ’ଣ କରିବା ପଚାରୁଛ କ’ଣ ?

 

ଲୁହରେ ଆଖି ଛଳ ଛଳ କରି ହୋରୀ କହିଲା–ମୁଁ କ’ଣ କଲି । ମୋର ଏଥିରେ ଦୋଷ କ’ଣ ?

 

‘ଯେ କରୁ, ଯା’ ଦୋଷ ହେଉ ପଛେ, ତମରି ମନକଥା ଏକା ଫଳିଲା ।’

 

‘ତୁ କହିବୁ ଯଦି, ଜମି ବନ୍ଧାପକାଇ ଦେବି ।

 

‘ଜମି ବନ୍ଧା ପଡ଼ିଲେ ଆମେ ଚଳିବା କେମିତି ?’

 

‘ମୂଲ କରିବା, ଆଉ କ’ଣ କରିବା ।’

 

ଜମି ହେଉଛି ଦିହିଁଙ୍କ ଯାକର ଜୀବନ । ଯେଉଁ ଟିକକ ମାନମହତ ଥିଲା ସେ ଖାଲି ସେହି ଜମି ଟିକକ ଯୋଗୁ । ଯାର ଜମି ବକଟେ ନାହିଁ, ସେ ତ ଆଉ ମଣିଷ ନୁହେଁ, ମୂଲିଆ ।

 

ହୋରୀ କିଛି ଜବାବ ନ ପାଇ ପଚାରିଲା–କ’ଣ କହୁଛୁ କହ ।

 

ଧନିୟା ଆଉ କ’ଣ କହନ୍ତା । ମନ କଷ୍ଟରେ କାନ୍ଦ କାନ୍ଦ ହୋଇ କହିଲା–ହଁ, ଗୌରୀ ତ ଯେମିତି ହେଲେ ବରଯାତ୍ରୀ ସାଙ୍ଗରେ ଆଣିକରି ଆସିବେ । ଯାହିତାହି ତାଙ୍କୁ ରାତିରେ ବକତେ ଖୁଆଇଦେଇ ସକାଳୁ ବିଦା କରିଦେବା, ଆଉ କ’ଣ କରିବା ? ଭଗବାନ ତ ଏମିତି ମୁହଁପୋଡ଼ା କଲେ, କପାଳକୁ କହିବା ନା ଆଉ କାହାକୁ କହିବା ?

 

ସେତିକିବେଳକୁ ଯୋଗକୁ ନୋହରୀ ସେହିବାଟେ ଚାଲି ଯାଉଥିଲା ।

 

ହୋରୀକୁ ସେ ସମୁଦୀ ଲେଖାକରେ । ସେଥିପାଇଁ ତାକୁ ଦେଖି ଟିକିଏ ଉଡ଼ୁଣା ଟାଣି ଦେଲା ।

 

ଧନିୟା ଆଗରୁ ତାକୁ ଚିହ୍ନିଥିଲା । ଦେଖିଲାମାତ୍ରେ ଡାକ ପକାଇଲା–କୁଆଡ଼େ ଯାଉଛ ସମୁଦୁଣୀ ଆସ ମ, ଟିକିଏ ବସିକରି ଯା’ ।

 

ନୋହିରୀ ତ ଆଜିକାଲି ଗାଁରେ ସମସ୍ତଙ୍କୁ ଜିତି ଯାଇଥିଲା ତା’ ନାଁରେ କିଏ କଣ କହୁଛି, ସବୁ ବୁଲି କରି ବୁଝାସୁଝା କରୁଥିଲା । ଡାକ ଶୁଣିଲାମାତ୍ରେ ସାଙ୍ଗେ ସାଙ୍ଗେ ଲେଉଟିପଡ଼ି ଠିଆ ହୋଇଗଲା ।

 

ଧନିୟା ଗୋଡ଼ରୁ ମୁଣ୍ଡଯାଏ ତା’ ରଙ୍ଗଢଙ୍ଗ ସବୁ ଦେଖିସାରି ପଚାରିଲା–ଆଜି କେମିତି ଗଡ଼ିପଡ଼ିଲ ମ ?

 

ନୋହରୀ ଟିକିଏ ମନ ମାରିଦେଇ କହିଲା–ନାହିଁ ମ, ତମମାନଙ୍କୁ ଟିକିଏ ଦେଖିବି ବୋଲି ଖାଲି ବାହାରି ଆସିଲି । ବାହାଘର କଥା କ’ଣ ହେଲା, କେବେ ହୋଉଛି ?

 

ଧନିୟା କହିଲା–ଆଉ ଏଇନେ କାଇଁ, ଭଗବାନ ଯୋଉଦିନ ରହିବେ ।

 

‘ମୁଁ ତ ଶୁଣିଲି କ’ଣ ଏଇ ତିଥିରେ ହବ ବୋଲି, ଦିନ କ’ଣ ଧାରିଯ୍ୟ ହୋଇଗଲାଣି ?’

 

‘ହଁ ଧାରିଯ୍ୟ ହେଇ ଗଲାଣି ଯେ ।’

 

‘ମୋତେ ଏକା ଯେମିତି ହେଲେ ଖବର ଦେବ ।’

 

‘ତମର ତ ସେ ଝିଅ, ଖବର ଦ୍ଵିତୀୟ କ’ଣ ?’

 

‘ଯାନି ଯଉତୁକ ତ ସବୁ କିଣି ସାରିବଣି, ଆଣିବ ଟିକିଏ ଦେଖିଲେ ।’

 

ଧନିୟା ବିଚାରୀ ଅସୁବିଧାରେ ପଡ଼ିଗଲା ଆଉ କିଛି କହି ପାରିଲା ନାହିଁ । ହୋରୀ କଥାକୁ ସମ୍ଭାଳିନେଇ କହିଲା–ଜିନିଷପତ୍ର ତ ଆଜିଯାଏ କିଛି କିଣା ହୋଇ ନାହିଁ । କିଣିବା ଦରକାର ବା କ’ଣ ? ମୁଁ ତ ଭାବିଛି ତମ୍ବା ତୁଳସୀରେ ସୁନାକୁ ମୋର ଟେକି ଦେବି ବୋଲି ।

 

ନୋହରୀ ମନକୁ କଥାଟା ପାଇଲା ନାହିଁ । ଟିକିଏ ଅବିଶ୍ଵାସ କଲାପରି କହିଲା–ମଲା, ବଡ଼ ଝିଅଟାକୁ ତମ୍ବାତୁଳସୀରେ ଟେକି ଦେବ କେମିତି ମ ! ଯାହିତାହି ହାତ ଖୋଲିକରି ଟିକିଏ ନ କଲେ କେମିତି ହବ ?

 

ହୋରୀ ହସିଲା । ଉପର ସିନା ଚକଚକ ଦିଶୁଥିଲା, ଭିତର ଯେ ପୋଡ଼ା ଅଙ୍ଗାର । ସେକଥା ନୋହରୀ ଜାଣନ୍ତା କୁଆଡ଼ୁ ? ତା’ପରେ ସେ କହିଲା–ହାତରେ ତ ଏଇନେ ଅଧଲାଟାଏ ବୋଲି ନାହିଁ, ହାତ ଖୋଲିବା କଥା କହୁଛ କ’ଣ ?

 

‘ମଲା, ପୁଅ ରୋଜଗାର କରୁଛି, ତମେ ରୋଜଗାର କରୁଛ, ଏଥିରେ ପୁଣି ତମ ହାତରେ ପଇସା ନାହିଁ, ଏକଥା ବିଶ୍ଵାସ କରିବ କିଏ ଆଗ କହିଲ ?

 

ହଁ, ପୁଅ ଯଦି ଯୋଗ ହୋଇଥାନ୍ତା, ତା’ହେଲେ ଆଉ ଏତେ ଦୁଃଖ ହୋଇଥାନ୍ତା କିଆଁ ? ଟଙ୍କା ପଇସା ତେଣିକି ଥାଉ, ଚିଠି ପତ୍ର ହେଲେ କ’ଣ ଖଣ୍ଡେ ଅଛି ? ଆଜିକି ଆସି ଦି’ବଷ ହେଲା ଗଲାଣି ଯେ ଖଣ୍ଡେ ଚିଠି ନା ପତ୍ର ।’

 

ସେତିକିବେଳକୁ ସୁନା ବଳଦଙ୍କ ପାଇଁ ମୁଣ୍ଡେହେବ କଞ୍ଚାଘାସ ଆଣି ସେଇଠି ପକାଇ ଦେଇ ଭିତରକୁ ଚାଲିଗଲା । ଏଡ଼େ ସରଳ, ଏଡ଼େ ପିଲାଳିଆ, ସତେ ଯେମିତି ପିଲାଢଙ୍ଗ ଆଜିଯାଏ ତାକୁ ଛାଡ଼ି ନ ଥିଲା ।

 

ନୋହାରୀ କହିଲା–ସୁନା ତ ଖୁବ୍ ବଡ଼ୁଟିଏ ହୋଇଗଲାଣି ।

 

ଧନିୟା କହିଲା–ନାଇଁ ମ ସମୁନ୍ଦୁଣୀ, ଏବେ ସେମିତି ଦିଶୁଛି ନା । ଝିଅଙ୍କ କଥା କ’ଣ ଜାଣି ନ’ଥିବେ, ଥିବେ ଜଡ଼ା ଗଛପରି ବଢ଼ିଯିବେ ।

 

‘ବର ଘର ଠିକ୍ ହୋଇଗଲାଣି ପରା ?’

 

‘ହଁ ହେଇଛି ଯେ, ପଇସା ହେଲେ ସିନା ଯୋଉ କଥା । ଟଙ୍କା ପଇସା କୁଆଡ଼ୁ ହେଇଯା’ନ୍ତା ବୋଲେ ଏଇମାସରେ ଯାହିତାହି ବାହାଘର କରି ଦିଅନ୍ତୁ ।’

 

ଆଉ ଯାହାହେଉ ପଛେ ନୋହରୀ ଭାରି ଖୋଲା ଲୋକ । ତା’ ହାତରେ ଏବେ କିଛି ପଇସା ହେଲାଦିନୁ ମନ ଖୁସିରେ ତା’ ଗୋଡ଼ ଆଉ ତଳେ ପଡ଼ୁ ନଥିଲା । ସେ ଭାବିଲା, ଯଦି କିଛି ଟଙ୍କା ଦେଇ ସୁନା ବାହାଘରଟା ସେ ଉଠାଇଦେବ, ତେବେ ଲୋକେ ତାକୁ କେତେ ପ୍ରଶଂସା କରିବେ । ଗାଁରେ ଚହଳ ପଡ଼ିଯିବ, ଲୋକେ ତାକୁ ଧନ୍ୟ ଧନ୍ୟ କହିବେ । ହୋରୀ ଆଉ ଧନିୟା ତ ସହଜେ ଗାଁ ଗଣ୍ଡା ବୁଲିକରି ତା’ ଗୁଣ ଗାଇବେ । ତା’ର ମାନସମ୍ମାନ ଢେର ବଢ଼ିଯିବ । ଯୋଉ ଲୋକେ ତାକୁ ଆଖିଠାରି ଥଟ୍ଟା ପରିହାସ କରୁଥିଲେ, ସେହି ଲୋକେ ପୁଣି ଆପେ ଆପେ ଶଙ୍କିଯିବେ, ସମସ୍ତେ ତା’ର ଆପଣାର ହୋଇଯିବେ । ଏହି କଥା ଭାବୁ ଭାବୁ ମନ ଆନନ୍ଦରେ ମୁହଁ ତା’ର ପ୍ରସନ୍ନ ହୋଇଉଠିଲା । ତା’ପରେ ସେ ପାଟି ଫିଟାଇ କହିଲା–ଅଳପ ଟଙ୍କାରେ ଯଦି ଯାହିତାହି କାମ ହୋଇଯା’ନ୍ତା, ମୁଁ ଦିଅନ୍ତି । ତମର ପୁଣି ସୁବିଧା ହେଲେ ମୋତେ ସୁଝି ଦିଅନ୍ତ ।

 

ଏକଥା ଶୁଣି ହୋରୀ ଆଉ ଧନିୟା ଦିହେଁଯାକ ଆଶ୍ଚର୍ଯ୍ୟ ହୋଇ ନୋହରୀ ମୁହଁକୁ ଅନାଇ ରହିଲେ । ଭାବିଲେ, ସେ ଆଉ ଥଟ୍ଟା କରୁନାହିଁ ତ । ମନେ ମନେ ତାଙ୍କର ଯେତିକି ସନ୍ଦେହ ହେଲା, ସେତିକି କୃତଜ୍ଞତା ଓ ସେତିକି ଲଜ୍ଜା ବି ହେଲା । ସେମାନେ ଭାବିଲେ ନୋହରୀକୁ ଲୋକେ ଯେତେ ଖରାପ ବୋଲି ଭାବୁଛନ୍ତି, ପ୍ରକୃତରେ ସେ ସେତେ ଖରାପ ନୁହେଁ ।

 

ନୋହରୀ ପୁଣି କହିଲା–ତମ ଇଜ୍ଜତ କିଏ, ଆମ ଇଜ୍ଜତ କିଏ ! ତମକୁ ନୋକ ହସିଲେ କ’ଣ ଆମକୁ ନୋକହସା ହେଲା ନାହିଁ ? କିଛି ନ ହେଲେ ତ ପୁଣି ଆମର ଆପଣାର ସମୁଦୀ ।

 

ହୋରୀ ଭାରି ବିନୟ ହୋଇ କହିଲା–ମଲା, ତମ ଟଙ୍କା ତ ଘରଟଙ୍କା, ସେଥିରେ ଗୋଟାଏ କ’ଣ କଥା ଅଛି, ଯେତେବେଳେ ଚାହିଲେ ମାଗି ଆଣିବି । ମଣିଷ ଆପଣା ଲୋକଙ୍କ ଉପରେ ଭରସା ରଖି ଚଳେ ନା, ଆଉ କ’ଣ ? ହଉ, ଆଗ ଦେଖାଯାଉ, ଯଦି ବାହାରୁ କେଉଁଠୁ ମିଳିଗଲା ତେବେ ଘରଟଙ୍କା ଏଇନେ ଖର୍ଚ୍ଚ କରିବା କାହିଁକି ?

 

ଧନିୟା କହିଲା–ସେୟା ନୁହେଁ ଆଉ କ’ଣ, ଆଗ ବାହାରୁ ଦେଖ, ତା’ପରେ ଯାଇଁ ଯାହାହେବ ।

 

ନୋହରୀ ଭାରି ଆପଣାର ପରି ହୋଇ କହିଲା–ମଲା, ଘରେ ପଇସା ଥାଉଁ ଥାଉଁ ପରକୁ ହାତ ପତାଇବ କିଆଁ ମ ! କରଜ ପାଇଁ ଗଲେ କେତେ ହେଙ୍ଗେମା, ଆଗ ଇଷ୍ଟାମ୍ପ ନେବା, ସାକ୍ଷୀ ଆଣ, ଖରଚା ଦିଅ, ପୁଣି ଖୁସାମତି କର । ମୋ’ ପଇସାରେ କ’ଣ ଛୁଆନ୍ତି ନାଗିଯାଇଛି ?

 

ହୋରୀ କଥାକୁ ସମ୍ଭାଳିନେଇ କହିଲା–ନାହିଁ, ନାହିଁ ସମୁନ୍ଦୁଣୀ, ତମେ ଯାହା କହିଲ ଠିକ୍ କଥା । ଘରେ ପଇସା ଥାଉଁ ଥାଉଁ ପରକୁ ହାତ ପତାଇବା କ’ଣ ଦରକାର । ହେଲେ ଏବର୍ଷ ବିଲବାଡ଼ି ଉପରେ ମୋଟେ ଭରସା ନାହିଁ । ମୁଁ କ’ଣ ଭାବୁଥିଲି କି ଯଦି ହଠାତ୍ ତମର କାମ ପଡ଼ିଯାଏ, ଆଉ ଆମ ପାଖରେ ପଇସା ନ ଜୁଟେ, ତେବେ ତମେ ହଇରାଣ ହେଲେ ଆମକୁ ଭାରି ଖରାପ ଲାଗିବ । ମୋର କହିବା କଥା ହେଉଛି ଏତିକି; ନହିଲେ ସୁନା କ’ଣ ତମ ଝିଅ ନୁହେଁ ନା ତମେ କୋଉ ପରଲୋକ ହୋଇଛ ।

 

‘ମୋର ତ ଏଇନେ ପଇସାରେ କିଛି ଆକଟ ନାହିଁ ।’

 

‘ତା’ ହେଲେ ତମଠୁ ନ ନେଇ ଅନ୍ୟଠୁ ନେବି କାହିଁକି ? କନ୍ୟାଦାନର ଧରମ ଆମ ଘରେ ନ ରହି ଏବେ ପରହାତକୁ ଯିବ କିଆଁ ?’

 

‘ତା’ହେଲେ ତମର କେତେ ଟଙ୍କା ଦରକାର ?’

 

‘ତମେ ଆଗ କେତେ ଦେଇପାରିବ କହୁନ ?’

 

‘ଶହେ ଟଙ୍କା ହେଲେ ହବ ?’

 

କଥା ଶୁଣି ହୋରୀ ପାଟିରୁ ଲାଳ ବୋହିଲା, ଭାବିଲା ଭଗବାନ ଯେତେବେଳ ଦେଉଛନ୍ତି ସେତେବେଳେ ବେଶିକରି ନ ନବ କାହିଁକି ? କହିଲା–ହଁ, ଶହେକରେ ବି ହେବ, ପାଞ୍ଚ ଶହରେ ବି ହେବ, ଯେମିତି ତମକୁ ସୁବିଧା ।

 

‘ହଉ ମୋ’ ପାଖରେ ତ ମୋଟେ ଦି’ଶ ଟଙ୍କା ଅଛି, ମୁଁ ସବୁଯାକ ତମକୁ ଦେଇଦେବି ।’

 

‘ହଉ’ ଏତିକିରେ ଯାହିତାହି କାମ ଚଳାଇଦେବା ଆଉ କ’ଣ କରିବା । ସତ କହୁଛି ସମୁନ୍ଦୁଣୀ ଘରେ ଲକ୍ଷ୍ମୀ ଠାକୁରାଣୀ ବିଜେ କରିଛନ୍ତି । ମୁଁ କେବେ ଭାବି ନ ଥିଲି ତମେ ଏଡ଼େ ଲକ୍ଷ୍ମୀମନ୍ତ ବୋଲି । ଆଜିକାଲି ସଂସାରେ କିଏ କାହା ମୁହଁକୁ ଅନାଉଛି, କହିଲେ ଦେଖି । ଆଉ ଧନ ବା କା’ ପାଖରେ ଅଛି, ହେଲେ ତମେ ଜାଣି ଆଜି ଆମ ମହତ ରଖିଲ, ନହିଲେ ମାନମହତ ଆମର ସବୁ ଯାଇଥିଲା ।

 

ଦେଖୁ ଦେଖୁ ସଞ୍ଜ ହୋଇଗଲା । ଟିକିଏ ଶୀତ ଲାଗିଲା । ଧନିୟା ସାଙ୍ଗେ ସାଙ୍ଗେ ଯାଇ ଉମେଇରେ ନିଆଁ ଆଣିଲା । ସମସ୍ତେ ବସି ଟିକିଏ ସେକି ହେଲେ । ଛଇଳୀ କୁଳଟା ନୋହରୀ ସେମାନଙ୍କ ପାଖରେ ବରଦାତ୍ରୀ ଦେବୀ ପରି ବସି ରହିଲା । ତା’ଆଖିରେ ସେତେବେଳେ କେତେ ସହାନୁଭୂତି କପୋଳରେ କେତେ ଇଚ୍ଛା ଏବଂ ଅଧରରେ କେତେ ସଦ୍ଭାବ, ତା’ ପ୍ରକୃତରେ ଦେଖିବାର କଥା ।

 

ଟିକିଏ ସେକି ହୋଇସାରି ନୋହରୀ ଛିଡ଼ା ହୋଇପଡ଼ି କହିଲା–ହେଉ, ଭାରି ଉଛୁର ହୋଇଗଲାଣି, ଥା’ ମୁଁ ଯାଉଛି, କାଲି ଯାଇକରି ଟଙ୍କା ନେଇ ଆସିବି ।’

 

‘ଆଚ୍ଛା, ଚାଲ ମୁଁ ତମକୁ ଛାଡ଼ିଦେଇ ଆସିବି ।’

 

‘ନାହିଁ ନାହିଁ, ତମେ ବସ, ମୁଁ ଯାଉଛି ।’

 

‘ଆରେ, ମନ ତ ହେଉଛି ସମୁନ୍ଦୁଣୀ, ତମକୁ ଏଇନେ କାନ୍ଧରେ ବସେଇ ନେଇ ଛାଡ଼ିଦେଇ ଆସନ୍ତି ।’

 

ନୋଖେରାମର ଘର ଯାଇଁ ଗାଁ ସେ ମୁଣ୍ଡରେ । ସେଠିକି ବାହାରେ ବାହାରେ ଗୋଟାଏ ରାସ୍ତା ଥିଲା । ଦିହେଁଯାକ ସେହି ରାସ୍ତାରେ ଚାଲିଲେ । ଚାରିଆଡ଼ ସେତେବେଳକୁ ଶୁନଶାନ୍ ହୋଇଯାଇଥିଲା ।

 

ନୋହରୀ କହିଲା–ହଇହେ, ତାଙ୍କୁ ଟିକିଏ ତମେ ବୁଝାସୁଝା କରେଇ ଦିଅନ୍ତ ନାହିଁ । ସେ କିଆଁ ସମସ୍ତିଙ୍କ ସାଙ୍ଗେ ଏତେ ନଢ଼େଇ କରୁଛନ୍ତି । ଯା’ ପାଖରେ ଦିହକ ରହିବ ତା’ ସାଙ୍ଗରେ ସିନା ଭଲରେ ଚଳିଲେ ହେବ, ନିତି ନଢ଼େଇ କଲେ ଦିନ ସରିବ କେମିତି ? ତମେ ତ’ ମତେ କବାଟ କ’ଣରେ ରଖିପାରିଲ ନାହିଁ ବୋଲି ମୁଁ ଆସି ମୂଲ ନାଗିଲି । ସେଥିରେ ପୁଣି ମୋତେ ଯଦି କିଏ ଟିକିଏ ଅନେଇ ହସିକରି କଥାପଦେ କହିଲା କି ପାଖରେ ଟିକିଏ ବସିପଡ଼ିଲା, ସେଇ କଥାକୁ ତମେ ଏତେ ଧରିବସିବ କିଆଁ । ନୋକେ କ’ଣରେ ରହିକରି ବି ଆଉ ନୋକଙ୍କୁ ଅନାଉ ନାହାନ୍ତି, ହସୁ ନାହାନ୍ତି ? ମୁଁ ଯେତେବେଳେ ପରର ମୁଲକରି ଯାଉଛି, ମୋତେ କିଏ ଅନେଇଲା, କିଏ ହସିଲା ସେଥିପାଇଁ କ’ଣ ମୁଁ କା’ ଆଖି ଫୁଟାଇଦେବି ? ପାଞ୍ଚଜଣଙ୍କ ସାଙ୍ଗରେ ମେଳ ହୋଇ, ବେଳକୁ ଚାହିଁ କାମ କଲେ ସିନା ହୁଏ, ତମ ବୋପା ଅଜା କୋଉ ଦିନ ଡାମ୍ପଣ ଆଗରେ ଘିଅ ଖାଉଥିଲେ, ତମ ଦୁଆରେ କୋଉଦିନ ହାତୀ ଝୁଲୁଥିଲା ଯେ କଥା ଆଜି ମନେପକାଇ ଆଉ ନାଭ କ’ଣ ? ଆଜି ତ ଆମେ ତିନିଟଙ୍କାର ମୂଲିଆ । ସେମିତି କହିଲେ ମୋ’ ବୋପା ଘର ଦୁଆରେ ତ ମଇଁଷି ପଲ ବନ୍ଧା ହୋଇଥିଲେ, ମୁଁ ତ ପୁଣି ଆଜି ମୂଲନାଗି ଖାଉଛି । ସେ କିଛି ନ ବୁଝି ଖାଲି ସମସ୍ତିଙ୍କ ସାଙ୍ଗରେ କଳି କରୁଛନ୍ତି । କେତେବେଳେ କହୁଛନ୍ତି ପୁଅଙ୍କ ପାଖକୁ ଯିବି, କେତେବେଳେ କହୁଛନ୍ତି ଜୁଆଇଁ ପାଖକୁ ଯିବି । ଏମିତି କରି କରି ମୋତେ ମାରିସାରିଲେଣି ।

 

ହୋରୀ ନୋହରୀ ପଟ ନେଇ କହିଲା–ଭୋଳାଟା ପ୍ରକୃତରେ ଓଲୁଟାଏ ମ ! ବୁଢ଼ା ହେଲାଣି ଆସି, ଏସବୁ ତା’ର ବୁଝିବା କଥା । ଆଚ୍ଛା ହେଉ, ତାକୁ ସବୁ ମୁଁ ବୁଝାଇ ଦେବି ।

 

‘ଆଚ୍ଛା କାଲି ସକାଳେ ଆସିବ, ଟଙ୍କା ନେଇଯିବ ।’

 

‘ଆଉ ଲେଖାପଢ଼ି ?

 

‘ହଁ ତମେ କ’ଣ ଦବ ନାଇଁ ଯେ ତ’ମ ସାଙ୍ଗରେ ଗୋଟେ ଲେଖାପଢ଼ି କ’ଣ ।’ ଏମିତି କଥା ହେଉ ନୋହରୀ ଘର ଆସି ପହଞ୍ଚିଲା । ନୋହରୀ ଘର ଭିତରକୁ ଚାଲିଗଲା, ହୋରୀ ସେଇଠୁ ଫେରି ଆସିଲା ।

Image

 

ସପ୍ତବିଂଶ ପରିଚ୍ଛେଦ

 

ଗୋବରା ଲକ୍ଷ୍ନୌ ଚାଲିଆସି ଦେଖିଲା ଯେ, ସେ ଆଗେ ଯେଉଁଠି ଦୋକାନ ଦେଇଥିଲା, ସେଠି ଆଉଜଣେ ବସି ବିକୁଛି । ପୁରୁଣା ଗରାକ ସବୁ ତାକୁ ପୁରାପୁରି ପାଶୋରି ପକାଇଛନ୍ତି । ସେ ଆଗେ ଯେଉଁ ଛୋଟ ଘରଟିରେ ରହୁଥିଲା, ଏବେ ଜଣକୁ ତିନିଜଣ ହେବାରୁ ସେ ଘର ଗୋଟେ ପିଞ୍ଜରା ପରି ଲାଗିଲା । ଏସବୁ ଦେଖି ଝୁନିଆ ବସି ସବୁବେଳେ କାନ୍ଦିଲା । ପିଲାଟା ବି ଖେଳିବାକୁ ଯଥେଷ୍ଟ ଜାଗା ନ ପାଇ ଦିନରାତି ତାକୁ ହଇରାଣ କଲା । ଗାଁରେ ବଡ଼ ଫରଚା, ଦୁଆରେ ଦିନରାତି ଖେଳିବାର ତା’ର ଅଭ୍ୟାସ । ଏଠି ତ ମୋଟେ ହାତେ ହେବ ଦୁଆର, ସେଥିରେ ପୁଣି ଦୁର୍ଗନ୍ଧ ଯେ କାହିଁରେ କ’ଣ । ଖରାଦିନେ କୋଉଠି ଟିକିଏ ବସି ପଡ଼ିବାକୁ ବି ଜାଗା ଅଭାବ । ଘରେ ସିନା ଧନିୟା, ସୁନା, ରୂପା, ହୋରୀ ଯାହାକୁ ଯେତେବେଳେ ସୁବିଧା ହେଲା, ପିଲାକୁ ଧରି ଖେଳାଉଥିଲେ । ଏଠି ତ ଝୁନିଆ ଏକା, ପୁଣି ଘରଯାକର କାମ ତା’ରି ଉପରେ । ସେଥିପାଇଁ ଦିନରାତି ପିଲାଟା ଭୂଇଁରେ ପଡ଼ି ଚିହିର ଛାଡ଼ିଲା ।

 

ୟା’ ଭିତରେ ଗୋବରାର ଆଉ କାମରେ ମୋଟେ ମନ ରହିଲା ନାହିଁ । ଖାଲି ଯୌବନ–ଭୋଗରେ ମାତିବା ଛଡ଼ା ଦ୍ୱିତୀୟ କାମ ତାକୁ ଆଉ କିଛି ଭଲ ଲାଗିଲା ନାହିଁ । ଯଦି କେତେବେଳେ କେମିତି ଠେଲା ଦୋକାନ ନେଇ ବାହାରକୁ ଗଲା, ତେବେ ଘଣ୍ଟାକ ଭିତରେ ପଳାଇ ଆସିଲା । ଆଗେ ତ ସାଇପଡ଼ିଶାଙ୍କ ପାଖରେ ବସି ତାସ୍ ପଶା ଖେଳୁଥିଲା । ଏବେ ସେ ସବୁ ଛାଡ଼ି ଝୁନିଆ ସାଙ୍ଗରେ ବସି ଦିନରାତି ହେଁ ହେଁ ଫେଁ ଫେଁ ହେଲା । ଏଇହେଲା ତାର ସବୁଠୁ ବଡ଼ ଆନନ୍ଦ । କିନ୍ତୁ କିଛିଦିନ ପରେ ଝୁନିଆକୁ ଏଗୁଡ଼ା ଆଦୌ ଭଲ ଲାଗିଲା ନାହିଁ । ସେ ଚାହିଲା କେମିତି ଟିକିଏ ଏକୁଟିଆ ବସାଉଠା କରନ୍ତା, ଟିକିଏ ଆରାମ ହୁଅନ୍ତା । କେତେ କେତେ କଥା ଭାବିକରି ସେ ସହରକୁ ଆସିଥିଲା କିନ୍ତୁ ଦେଖିଲାବେଳକୁ ଏୟା । ସେଥିପାଇଁ ସେ ଗୋବରା ଉପରେ ଯେମିତି ପିଲାଟା ଉପରେ ବି ସେମିତି ସବୁବେଳେ ଭାରି ଚିଡ଼ି ଚିଡ଼ି ହେଉଥିଲା । ବେଳେବେଳେ ସେ ଚିଡ଼ିକରି ପିଲାଟାକୁ ଘରୁ ବାହାର କରିଦେଇ କବାଟ ବନ୍ଦ କରିଦେଉଥିଲା ଓ ପିଲାଟା ବିଚାରା କାନ୍ଦି କାନ୍ଦି ଅଣଆୟତ୍ତ ହୋଇଯାଉଥିଲା ।

 

ୟା’ଛଡ଼ା ଝୁନିୟାପାଇଁ ଆଉ ଏକ ନୂଆ ବିପତ୍ତି ଆସି ପହଞ୍ଚିଲା । ୟା’ଭିତରେ ସେ ଗର୍ଭବତୀ ହୋଇ ଯାଇଥିଲା । ଆଗକୁ ପଛକୁ କେହି ନଥିଲେ । ଦିନରାତି ମୁଣ୍ଡ ବଥାଉଥିଲା, ଖାଇବା ପିଇବାରେ ଅରୁଚି ହୋଇ ଯାଇଥିଲା । ତହିଁକି ବାପ ପୁଅ ଦିହିଁଙ୍କଯାକ ତାକୁ କାହିଁରେ କ’ଣ ହଇରାଣ କରୁଥିଲେ । ଗୋବରା ଯେମିତି ତାର ପ୍ରେମ–ଲାଳସା ତୃପ୍ତ କରିବାପାଇଁ ଅନ୍ଧ ହୋଇ ଯାଉଥିଲା, ପିଲାଟି ସେମିତି କ୍ଷୀର ଖାଇବା ପାଇଁ ଉଚ୍ଛନ୍ନ ହୋଇ ପଡ଼ୁଥିଲା । ଝୁନିଆ ଦେହରେ ଏତେ ଟିକିଏ ବଳ ନଥିଲା, କି ସ୍ତନରେ ଏତେ ଟିକିଏ ବି କ୍ଷୀର ନଥିଲା । କିନ୍ତୁ ଦି’ବର୍ଷର ପୁଅଟା ସବୁବେଳେ ତା’ ଛାତି ଉପରେ ଚଢ଼ିବସି ତାକୁ ହଇରାଣ କରୁଥିଲା । ଦି’ବର୍ଷର ପିଲାର ଯେଉଁ ମୁନିଆଁ ଦାନ୍ତ ସେଥିରେ ସେ କ୍ଷୀର ନ ପାଇ ଯେତେବେଳେ ଜୋରରେ କାମୁଡ଼ି ଦେଉଥିଲା ଝୁନିଆର ଜୀବନ ଛାଡ଼ି ଯାଉଥିଲା । କିନ୍ତୁ ବିଚାରୀ ଏମିତି ଦୁର୍ବଳ ହୋଇ ଯାଇଥିଲା ଯେ ପିଲାଟାକୁ ଛାତି ଉପରୁ ତଳକୁ ଠେଲିଦେବାକୁ ବି ତାର ବଳ ନଥିଲା । ସ୍ୱାମୀ ପୁତ୍ର ଉଭୟଙ୍କଠାରୁ ତା’ର ମମତା ଛିଣ୍ଡି ପଡ଼ିଥିଲା । ବାସ୍ତବରେ ନିଜ ଜୀବନକୁ କଷ୍ଟ ହେଲେ, ସଂସାରେ ସ୍ୱାମୀ କ’ଣ ପୁଅ କ’ଣ କିଏ କାହାର । ବରଷା ଦିନ ଆସିଯିବାରୁ ପିଲାଟିର ଭାରି ଝାଡ଼ା ହେଲା । ଝାଡ଼ା ହେବାରୁ ସେ ଆଉ ମା’କ୍ଷୀର ଛୁଇଁଲା ନାହିଁ । ଝୁନିଆକୁ ତା’ ଅତ୍ୟାଚାରରୁ ଟିକିଏ ରକ୍ଷା ମିଳିଗଲା । କିନ୍ତୁ ଦଇବର ଅତ୍ୟାଚାର ଏଇଠି ଶେଷ ହେଲା ନାହିଁ । ଦୁଃଖୀର ସଂଖାଳି ଏକମାତ୍ର ପିଲାଟି ଝୁନିଆକୁ କନ୍ଦାଇ କନ୍ଦାଇ ଚିରଦିନ ପାଇଁ ଚାଲିଗଲା ।

 

ପିଲା ମରିବାର ସାତଦିନ ନ ହେଉଣୁ ଗୋବରା ଯେତେବେଳେ ପୁଣି ପ୍ରଣୟପ୍ରାର୍ଥୀ ହେଲା, ଝୁନିଆ ସେତେବେଳେ ନିଆଁ ହୋଇଯାଇ କହିଲା–ତମେ ଗୋଟାଏ ମଣିଷ ନା ପଶୁ ?

 

ପିଲାଟି ମରିଯିବା ପରେ ଦିନରାତି ତା’ରି ସ୍ମୃତି ଝୁନିଆ ମନରେ ଖେଳିବୁଲିଲା । ଜୀଇଥିଲାବେଳେ ତାକୁ ସେ ଯେତିକି ଭଲ ପାଉଥିଲା, ମରିଯିବା ପରେ ତା’ର ସ୍ମୃତି ଆହୁରି ଭଲ ଲାଗିଲା । ପିଲାଟିର ଶାନ୍ତ ଶୀତଳ ମଧୁର ହସ ଟିକକ ଝୁନିଆର କଳ୍ପନାରେ ଲାଖି ରହିଲା । ମୃତ ପିଲାଟିର–ପ୍ରେତ ଛାୟା ଜାଣି ପୁଣି ଜୀବନଧରି ତା’ ପେଟରେ ଆସି ରହିଗଲା । ମୃତର ଛାୟା ଯେତିକି ଅସତ୍ୟ ଥିଲା, ଆଗନ୍ତୁକର ଆଗମନ ସେତିକି ସତ୍ୟ ହୋଇ ଉଠିଲା । ତାକୁ ସିନା କ୍ଷୀର ଖୁଆଇ ବଞ୍ଚାଇଥିଲା, ୟା’କୁ ତ ରକ୍ତ ଖୁଆଇ ବଞ୍ଚେଇବାକୁ ପଡ଼ିଲା । ସେହି ଅନ୍ଧାରୁଆ ଘର, ଦୁର୍ଗନ୍ଧ ହାୱା, ଦିନରେ ଦି’ଥର ନିଆଁଧୂଆଁରେ କାମ, ସେ ସବୁ ତାକୁ ଆଉ କିଛି ଜଣାପଡ଼ିଲା ନାହିଁ । ସତେ ଯେମିତି ମୃତ ପିଲାଟିର ସ୍ମୃତି ତା’ ଅନ୍ତରରେ ରହି ତାକୁ ଶକ୍ତିଶାଳୀ କରି ଦେଇଥିଲା । ଜୀଇଥିଲାବେଳେ ଯେ ଜୀବନର ଭାରପରି ଜଣା ପଡ଼ୁଥିଲା ମୃତ୍ୟୁପରେ ସେ ପ୍ରାଣଠାରୁ ଅଧିକ ପ୍ରିୟ ହୋଇ ଉଠିଲା । ଅନ୍ତରର ଶିଶୁପାଇଁ ସବୁ ମମତା ଢାଳିଦେଇ ବାହାର ଜଗତପ୍ରତି ଝୁନିଆ ସଂପୂର୍ଣ୍ଣ ଉଦାସୀନ ହୋଇ ପଡ଼ିଲା । ଗୋବରା ଏବେ ଚଞ୍ଚଳ ଆସିଲେ କିମ୍ବା ଡେରିରେ ଆସିଲେ, ଭଲରେ ଖାଇଲେ କିମ୍ବା ମନ୍ଦରେ ଖାଇଲେ, ପ୍ରସନ୍ନ ହେଲେ କିମ୍ବା ଅପ୍ରସନ୍ନ ହେଲେ, କେଉଁ କଥାରେ ହେଲେ ତା’ର ଦୃଷ୍ଟି ନଥିଲା । ଗୋବରା କେତେ କମାଉଥିଲା, କେତେ କ’ଣ ଖର୍ଚ୍ଚ କରୁଥିଲା, କେଉଁଥିରେ ତା’ର ନଜର ନଥିଲା । ପେଟର ପିଲାଟି ପାଇଁ ଯେତେ ଆନନ୍ଦ, ଯେତେ ଉତ୍ସାହ, ସବୁଥିଲା ତାର ମନ ଭିତରେ; ବାହାରେ ସେ ଥିଲା ଏକ ନିର୍ଜୀବ ଯନ୍ତ୍ର ମାତ୍ର ।

 

ଗୋବରା ଯଦି ଝୁନିଆର ଦୁଃଖରେ ସମଦୁଃଖ ପ୍ରକାଶକରି, ତା’ରି ଦୁଃଖରେ ଦୁଃଖୀ ହୋଇ ତା’ର ଅନ୍ତରର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥାନ୍ତା, ତେବେ ଅବା କିଛି ହୋଇଥାନ୍ତା, କିନ୍ତୁ ତା’ ନ କରି ସେ ତା’ର ଜୀବନର ବାହ୍ୟ ବେଳାଭୂମିରେ ଖେଳିବାର ଚେଷ୍ଟାକରି ତୃଷାର୍ତ୍ତ ହୋଇ ଫେରିବାକୁ ବାଧ୍ୟ ହେଉଥିଲା ।

 

ଗୋବରା ଦିନେ ଚିଡ଼ି ଚିଡ଼ି ହୋଇ ଝୁନିଆକୁ କହିଲା–ଆସିକରି ତ ଚାରିପାଞ୍ଚ ମାସ ହେଲାଣି, ଆଉ କେତେ ଦିନଯାଏ ଏମିତି ବସିକରି କାନ୍ଦୁଥିବୁ ?

 

ଝୁନିଆ ଭାରି ଉଦାସ ହୋଇ କହିଲା–ମୋ ଦୁଃଖ ତମେ ବୁଝିବ କୁଆଡ଼ୁ ? ବୁଝିବାର କୌଣସି ଦରକାର ବି ନାହିଁ । ତମ କାମ ତମେ କର, ମୋଠୁ କ’ଣ ପାଇବ ? ମୁଁ ଯେମିତି ଅଛି ମୋତେ ସେମିତି ଛାଡ଼ିଦିଅ ।

 

‘ତୁ କ’ଣ ଆଉ କାନ୍ଦି ବସିଲେ ପୁଅ ଫେରି ଆସିବ ?’

 

ଝୁନିଆ କିଛି ନ କହି, ଆଳୁ ସିଝେଇ ବସିଲା । ଗୋବରା ହୃଦୟ ଏମିତି ପାଷାଣ ବୋଲି ମୋଟେ ତାକୁ ଜଣା ନଥିଲା ।

 

ଗୋବରାର ଏମିତି ହୃଦୟଫଟା କଥା ଶୁଣି ଝୁନିଆ ମନେ ମନେ ମଲାପୁଅକୁ ଆହୁରି ଝୁରି ବସିଲା । ତାକୁ ଜଣାପଡ଼ିଲା, ସତେ ଯେମିତି ସେ ପୁଅରେ ଗୋବରାର ମୋଟେ ଭାଗ ନଥିଲା, ଗୋଟାପଣେ ସେ କେବଳ ତା’ରି ଥିଲା ।

 

ବୁଲାବିକାରେ ଏବେ ଆଉ କିଛି ଲାଭ ନ ହେବାରୁ ଗୋବରା ଦୋକାନ ଉଠେଇଦେଇ ଆଖୁକଳରେ ଯାଇ କାମ କଲା । ଖନ୍ନାସାହେବ ଏବେ ଗୋଟାଏ ନୂଆ ଆଖୁକଳ ବସାଇଥିଲେ । ସକାଳୁ ସଞ୍ଜ ସେଠି ଖଟି ଖଟି ସଂଧ୍ୟାବେଳକୁ ଆସି ଘରେ ପହଞ୍ଚିଲାବେଳକୁ ତା’ ଦେହରେ ଆଉ ଜୀବନ ରହୁ ନଥିଲା । ଗାଁରେ ତାକୁ ଏମିତି କାମ କରିବାକୁ ପଡ଼ୁଥିଲା କିନ୍ତୁ ଏମିତି କେବେ ସେ ଥକି ଯାଉ ନଥିଲା । ଗାଁରେ କାମ କରିବା କଥା ଅଲଗା, କଳରେ କରିବା ଅଲଗା । ସେଠି ହସି ଖେଳି ନୀଳ ଆକାଶତଳେ ଖୋଲା ପବନରେ କାମ କଲାବେଳେ ଦେହ ଥକିଯାଏ ପଛେ, ମନ କିନ୍ତୁ କେବେ ଥକିଯାଏ ନାହିଁ, ମନଖୁସିରେ କାମର ବୋଝ ଜଣାପଡ଼େ ନାହିଁ । କିନ୍ତୁ ସହରୀ କାରଖାନାରେ ବେଶି ଭିଡ଼ କାମ ନ ଥିଲେ ବି କଳକାରଖାନାର ଘୋ’ଘାରେ ଦେହମନ ଅବସନ୍ନ ହୋଇପଡ଼େ, ପୁଣି ମନରେ ସବୁବେଳେ ଡର, କାଳେ କେବେ ମାଲିକ ଆସି କିଛି ଗାଳିମନ୍ଦ କରିବ-। ସେଥିପାଇଁ ଦେହ ଓ ମନ ଉଭୟରୁ ପୀଡ଼ା ଛଡ଼ାଇବା ପାଇଁ କଳର ସବୁ ମଜୁରିଆ ତାଡ଼ି କିମ୍ବା ମଦ ବରାବର ପିଅନ୍ତି । ଆସ୍ତେ ଆସ୍ତେ ଗୋବରାକୁ ବି ସେଇ ରୋଗ ଧରିଲା । ମଦ ପିଇ ମାତାଲ ହୋଇ ସବୁଦିନ ସେ ରାତି ପ୍ରହରେ ବେଳକୁ ଘରକୁ ଫେରିଲା । ନିଶା ଦାଉରେ ପ୍ରତିଦିନ କିଛି’ନା କିଛି ଆଳ କରି କେଉଁଦିନ ଝୁନିଆକୁ ବେଜ୍ଜିତ କଲା ତ କେଉଁଦିନ ମାଡ଼ ଚଢ଼େଇଲା । କେଉଁଦିନ ଅବା ଘରୁ ବାହାରକରି କବାଟ କିଳିଦେଲା ।

ଆସ୍ତେ ଆସ୍ତେ ଝୁନିଆ ମନରେ ଏକପ୍ରକାର ସନ୍ଦେହ ଆସି ପହଞ୍ଚିଲା । ସେ ଭାବିଲା, ଗୋବରା ତାକୁ ବାହା ନ ହୋଇ ରକ୍ଷିତା ଭାବରେ ରଖିଥିବାରୁ ବୋଧହୁଏ ଏମିତି ଖରାପ ବ୍ୟବହାର କରୁଛି । ବାଜା ବଜେଇ ବାହା ହୋଇଥିଲେ ଏମିତି କରିପାରନ୍ତା କୁଆଡ଼ୁ ? ଜାତିଭାଇ ତାକୁ ଜୋରିମନା କରିଦିଅନ୍ତେ, ନିଆଁ ପାଣି ବନ୍ଦ କରିଦେଇ କାନମୋଡ଼ି ବସେଇ ଦିଅନ୍ତେ । ଏମିତି ଭାବି ଭାବି ପ୍ରାଣ ତାର ବିକଳ ହୋଇଉଠେ, କାହିଁକି ସେ ଏହି ଅରକ୍ଷିତ କପଟୀଟା ସାଙ୍ଗେ ପଳାଇ ଆସିଲା । ଦୁଇ କୂଳରୁ ଉଚ୍ଛନ୍ନ ହେଲା । ତେଣେ ଭଗାରୀ ହସିଲେ, ଏଣେ ସୁଖ ବି କିଛି ମିଳିଲା ନାହିଁ । ଏବେ ଆଉ ସେ ଗୋବରାର ଖିଆପିଆ, ଭଲମନ୍ଦ କଥା କିଛି ବୁଝିଲା ନାହିଁ, କି ନିଜ ଖିଆପିଆ ପ୍ରତି ବି ନଜର ଦେଲାନାହିଁ । ଗୋବରା ତାକୁ ମାଡ଼ଗାଳି ଦେଲାବେଳେ ସେ ଭାବୁଥିଲା ତା’ ତଣ୍ଟି ଚିପି ତାକୁ ମାରିଦିଅନ୍ତା । କିନ୍ତୁ କ’ଣ କରିବ ବିଚାରୀ ! ଦିନକୁଦିନ ପେଟରେ ପିଲା ବଢ଼ିବା ସାଙ୍ଗେ ସାଙ୍ଗେ ଚିନ୍ତା ବି ତା’ର ବଢ଼ିଚାଲିଲା । ଭାବିଲା ସେଇଠି ନିଶ୍ଚୟ ମରିଯିବ, କିଏ ଅଛି ଯେ ତାକୁ ପଚାରିବ, ତା’ର ସେବା କରିବ । ଗୋବରା ଯଦି ଏମିତି ଦିନରାତି ତାକୁ ମାରିବ, ପିଟିବ, ତେବେ ତା’ର ଆଉ ଜୀବନ ରହିବ କେଉଁଠି ?

ଦିନେ ଝୁନିଆ କଳ ପାଖକୁ ପାଣି ଆଣିବାପାଇଁ ଯାଇଥିଲାବେଳେ ସାହୀର ଜଣେ ସ୍ତ୍ରୀଲୋକ ପଚାରିଲା–କେତେମାସ ହେଲାଣି କିଲୋ ଝିଅ ?

ଝୁନିଆ ଲାଜ ଲାଜ ହୋଇ କହିଲା–ମୁଁ ତ କିଛି ଜାଣିନାହିଁ ମାଉସୀ । କେତେମାସ ହେଲାଣି, କିଛି ହିସାବ ରଖି ନାହିଁ ।

ଯେଉଁ ସ୍ତ୍ରୀ ଲୋକଟି ଏକଥା ପଚାରିଲା ସେ ଦେଖିବାକୁ ଭାରି ଅସୁନ୍ଦର ଖୁବ୍ କାଳୀ, ଖୁବ୍ ଭୁଷୁଣ୍ଡୀ, ସ୍ତନ ଦୁଇଟା ତା’ର ଖୁବ୍ ବଡ଼ ବଡ଼ । ତା’ର ସ୍ୱାମୀ ଘୋଡ଼ାଗାଡ଼ି ଚଲାଏ ଏବଂ ସେ ନିଜେ ଜାଳେଣିକାଠ ବ୍ୟବସାୟ କରେ । ଝୁନିଆ କେତେଥର ଯାଇ ତା’ଠୁ କାଠ ଆଣିଥିଲା, ସେତିକିମାତ୍ର ତାଙ୍କ ଦିହିଁଙ୍କ ଭିତରେ ଚିହ୍ନାପରିଚୟ ।

ଝୁନିଆ କଥା ଶୁଣି ସ୍ତ୍ରୀଲୋକ ଜଣକ ଟିକିଏ ମୁରୁକି ହସାଦେଇ କହିଲା–ଜଣାପଡ଼ୁଛି, ଦିନ ଆସି ହୋଇଗଲାଣି । ଏଇ ଦିନେ ଦି’ଦିନ ଭିତରେ ହେଇଯିବ । ଧାଈ କାହାକୁ ବୁଝିଲୁଣି ?

ଝୁନିଆ ମନେ ମନେ ଭାରି ଡରିଯାଇ କହିଲା–ମାଉସୀ, ମୁଁ ତ ଏଠି କାହାକୁ ଚିହ୍ନି ନାହିଁ-। ବୁଝିବି କ’ଣ ?

‘ତୋ’ ମରଦଟା ସତେ କେମିତିଆ ଲୋକ ମ ! କିଛି ନ କରି କେମିତି ସେ ଚୁପ୍ ହୋଇ ବସିଛି ?’

‘ମୋ’ ପାଇଁ ତାଙ୍କର କୋଉ ଚିନ୍ତା ଅଛି ଯେ ସେ କରିବେ ।’

‘ହଁ, ସେଇମିତି ଏକା ଜଣା ପଡ଼ୁଛି । ତୁ ତ ଏନ୍ତୁଡ଼ିଶାଳେ ବସି ରହିବୁ, କେହି ଗୋଟିଏ ପାଖକୁ ନଥିଲେ ତୋତେ ପୁଣି କରିବ, ଧରିବ କିଏ ? ଶାଶୁ, ନଣନ୍ଦ କାହାକୁ ହେଲେ ଜଣକୁ ଡକେଇ ଆଣିଥାନ୍ତୁ ହେଲେ ।’

‘ମୋର କିଏ ଅଛି ଯେ ଆସିବ ? ମୋ ପାଇଁ ସମସ୍ତେ ମଲେଣି ।’

ପାଣି ଆଣି ଝୁନିଆ ବାସନ ମାଜିଲାବେଳେ ପ୍ରସବ କଷ୍ଟ କଥା ମନେପଡ଼ି ତା’ ଛାତି ଖାଲି ଧଡ଼ପଡ଼ ହେବାକୁ ଲାଗିଲା । ଭାବିଲା, କେମିତି କ’ଣ ହେବ, ଭଗବାନ ଜାଣନ୍ତି । ହଁ, ଆଉ ହବ କ’ଣ, ଯେମିତି ହେଲେ ତ ମରିବ । ବରଂ ମରିଗଲେ ସବୁଥିରୁ ପାର ପାଇଯିବ ।

ସେଦିନ ସଂଧ୍ୟା ହେଲାମାତ୍ରେ ଝୁନିଆର କଷ୍ଟ ଆରମ୍ଭ ହେଲା । ଏଥର ତା’ର ବିପତ୍ତି ଆସିଲାବୋଲି ସଙ୍ଗେ ସଙ୍ଗେ ସେ ଜାଣିପାରିଲା । କ’ଣ କରିବ ବିଚାରୀ, ଗୋଟେ ହାତରେ ପେଟକୁ ଧରି, ଝାଳନାଳ ହୋଇ ଆଉ ଗୋଟାଏ ହାତରେ ନିଆଁ ଲଗାଇ ରୋଷେଇ କରି ବସିଲା । ହଠାତ୍ ବେଶି କଷ୍ଟ ଲାଗିବାରୁ ସେଇଠି ଭୂଇଁରେ ଗଡ଼ି ପଡ଼ିଲା । ପ୍ରାୟ ରାତି ଦଶ ବାଜିଲାବେଳକୁ ଗୋବରା ଆସି ପହଞ୍ଚିଲା । ତାଡ଼ି ପିଇଥିଲା ଯେ ପାଟି ତା’ର ଭଣ ଭଣ ଗନ୍ଧାଉଥିଲା । ଆସିଲାମାତ୍ରେ କେତେ କ’ଣ ଗପିଲା–ମୁଁ କାହାକୁ ଡରେ ନାହିଁ, ମୁଁ କାହାକୁ ଖାତିର କରେ ନାହିଁ । ମୁଁ ତ ଜନ୍ମକଲା ବାପ ମା’ଙ୍କୁ ଡରି ନାହିଁ, ଏଗୁଡ଼ାକୁ ମୋର ଖାତିର କରିଯାଉଛି କିଏ ? ଜମିଦାର ଗୋଟେ ବି ଛାରଲୋକ, ସେ ପୁଣି ମୋତେ ଆଖି ଦେଖାଇବ । ଆଜି ଯଦି ଲୋକେ ମୋତେ ଧରି ନ ପକାଇଥାନ୍ତେ, ତେବେ ପୁଅର ରକ୍ତ ପିଇଦେଇଥାନ୍ତି । ଦେଖୁଛି ପୁଅକୁ; କାଲି ଯିବ କୁଆଡ଼େ ? ଫାଶୀ ହେଲେ ହେବି ପଛକେ ପୁଅକୁ ମଜା ଚଖେଇ ଦେବି, ମରଦ କେମିତିଆ ପୁଣି ସେ ଚିହ୍ନିବ । ଫାଶୀହେଲେ ନିଶରେ ହାତ ପକାଇ ଯାଇ ଫାଶୀ ଖୁଣ୍ଟରେ ବେକ ଦେଖାଇ ଦେବି । ମୁଁ କ’ଣ ମାଇକିନିଆ ହୋଇଛି ? ଦେଖୁନ, ମାଇକିନିଆଟାଏ କେମିତି ରୋଷାଇ ବସାଇଦେଇ ଗୋଡ଼ହାତ ମେଲେଇ ନିଶ୍ଚିନ୍ତ ହୋଇ ଶୋଇଯାଇଛି । କିଏ ଖାଉ ବା ନ ଖାଉ ତା’ର ଯାଏ ଆସେ କେତେ ? ନିଜେ ଖାଇଲାବେଳକୁ କାହିଁରେ କ’ଣ, ମୋ ବେଳକୁ ଶୁଖିଲା ଖେଚେଡ଼ି । ହଉ, କେତେ ହଇରାଣ କରୁଛୁ କର । ଯେ ଯାଉଛି ଆସୁଛି ସେ ପୁଣି ବୁଝିବ ଯେ ।

ଝୁନିଆକୁ ଆଉ ସେ ଉଠାଇଲା ନାହିଁ । ନିଜେ ଖେଚେଡ଼ି ବାଢ଼ି ଆଣି ଯାହିତାହି ଦି’ଚାରି ଗୁଣ୍ଡା ଖାଇଦେଇ, ଯାଇଁ ବରଣ୍ଡାରେ ଗଡ଼ି ପଡ଼ିଲା । ରାତିରେ ତାକୁ ଶୀତ ଲାଗିବାରୁ ସେ ଯେତେବେଳେ କମ୍ବଳ ଆଣିବାପାଇଁ ଘରକୁଯାଏ, ଦେଖିଲା ଝୁନିଆ ଭାରି କଷ୍ଟରେ କୁନ୍ଥେଇ ହେଉଛି । ସେତେବେଳକୁ ମଦ ନିଶା ତାକୁ ଛାଡ଼ି ଯାଇଥିଲା । ପଚାରିଲା–କ’ଣ ହେଉଛି, ଦେହ କ’ଣ ଖରାପ ଲାଗୁଛି ?

‘ହଁ ପେଟ ଭାରି କାଟୁଛି ।’

 

‘ଆଗରୁ କିଆଁ କହିଲୁ ନାହିଁ, ଏତେବେଳେ ମୁଁ କା’ପାଖକୁ ଯିବି ?’

 

‘କାହାକୁ କହିଥାନ୍ତି ?’

 

‘ମତେ କହିଥାନ୍ତୁ, ମୁଁ କ’ଣ ମରିଗଲିଣି କି ?’

 

‘ମୁଁ ମଲେ କି ଗଲେ ତମର କ’ଣ ଯାଉଛି ଯେ ତମକୁ କହିଥାନ୍ତି !’

 

ଗୋବରା ବଡ଼ ହଇରାଣରେ ପଡ଼ିଗଲା । ଏତେ ରାତିରେ କେଉଁଠିକି ଧାଈ ଡାକିବାକୁ ଯିବ, ଗଲେ ବା ଏତେ ରାତିରେ କିଏ ଆସିବ । ହାତରେ ଅବା କୋଉ ପଇସା ଅଛି ଯେ କାହାକୁ ଡାକିବ । ଆଗରୁ କହିଥିଲେ ଅବା ଦି’ଚାରି ଟଙ୍କା ଯୋଉଁଠୁ ହେଲେ ଧାର ଉଧାର କରି ଜୁଟେଇଥାନ୍ତା । ଭାବିଲା, ଏହି ହାତରେ ସେ ଶହ ଶହ ଟଙ୍କା ଗଣୁଥିଲା, ଲୋକେ ଆସି ହାତ ପତାଇ ନେଉଥିଲେ, କିନ୍ତୁ ଯେଉଁଦିନଠୁ ଅଲକ୍ଷଣୀ ଝୁନିଆ ଆସି ପାଦ ଦେଲା, ସେଇଦିନୁ ଜାଣି ପଇସାଟାଏ ହେଲେ ଆଉ ତା ହାତରେ ରହିଲା ନାହିଁ ।

 

ହଠାତ୍ ଜଣେ କିଏ ପାଟି କରି ପଚାରିଲା–କ’ଣ ହେଉଛି ? ବୋହୂ ଦୁଃଖ ପାଉଛି କି ?

 

ସକାଳେ ଯେଉଁ ମୋଟୀ ସ୍ତ୍ରୀ ଜଣକ ଝୁନିଆକୁ ପଚାରୁଥିଲା ଇଏ ହେଉଛି ସେହି । ଘୋଡ଼ାକୁ ଦାନା ଖୁଆଇବାକୁ ଉଠିଥିଲା ଯେ ଝୁନିଆ କଷ୍ଟ ପାଉଥିବାର ଶୁଣି ପାରିଲା । ସେଇଥିପାଇଁ ଆସି ପଚାରୁଥିଲା ।

 

ଗୋବରା ବାରଣ୍ଡା ପଟକୁ ଚାଲିଯାଇ କହିଲା–ହଁ, ପେଟ ଭାରି ଜୋରରେ କାଟୁଛି, ବିଚାରୀ ଭାରି ଛଟପଟ ହେଉଛି । ଏହି ଧାଈ ଜଣେ କୋଉଠି ମିଳିବେ ?

 

‘ମୁଁ ତ ଆଜି ସକାଳେ ତାଙ୍କୁ ଦେଖିକରି ଠିକ୍ ଏୟା ଭାବିଥିଲି । ଏଇଠି ପାଖରେ ଆଉ ଧାଈ କାହାନ୍ତି ? ବହୁତ ବାଟ ଗଲେ ଯାଇ କଛିପଡ଼ାରେ ମିଳିବେ । ଦଉଡ଼ି କରି ଯା ଡାକି ଆଣିବ, ମୁଁ ଏଠି ଜଗିକରି ବସିଛି ।’

 

‘ମୁଁ ତ କଛିପଡ଼ା ଦେଖି ନାହିଁ, କୋଉଠି ସେଟା ?’

 

‘ଆଚ୍ଛା ତା’ହେଲେ ତମେ ତାଙ୍କୁ ଟିକିଏ ବିଞ୍ଚାବିଞ୍ଚି କରୁଥା, ମୁଁ ଯାଉଛି ଦଉଡ଼ି କରି ନେଇ ଆସିବି । ଅନାଡ଼ୀ ମଣିଷଗୁଡ଼ା କୋଉଥିକି ନେଖା ନୁହନ୍ତି । ମାସ ଆସି ପୂରା ହେଲାଣି, ଧାଈ ଆଡ଼ୁ ଦେଖା ନାହିଁ ।’

 

ଏତିକି କହି ଚୁହିୟା ଦଉଡ଼ି ପଳାଇଲା । ଲୋକେ ତାକୁ ପଛରେ ମୋଟୀ ବୋଲି କହନ୍ତି-। କିନ୍ତୁ ଯଦି କେବେ ସେ ଶୁଣି ପକାଏ, କିଏ ତାକୁ ମୋଟୀ କହୁଛି, ତେବେ ତା ସାତପୁରୁଷ ନ ଖୋଳି ଛାଡ଼େ ନାହିଁ ।

 

କୁଆଡ଼େ ଦଶମିନିଟ ହୋଇନି ଚୁହିୟା ଫେରିଆସି କହିଲା–ଭଗବାନ ଜାଣନ୍ତି, ଗରିବ ଲୋକଙ୍କ ଦୁଃଖ କେବେ ଶୁଣିବେ ସେ କେଜାଣି ? ସେ ଧାଈ ରାଣ୍ଡ କହିଲା, ହାତକୁ ହାତ ପାଞ୍ଚଟଙ୍କା ନେବ, ଆଉ ଦିନକୁ ଆଠଣା ନେଖା ନବ, ପୁଣି ବାରଆତରକୁ ଶାଢ଼ି ଖଣ୍ଡେ ନେବ ।’ ମୁଁ କହିଲି ତୋ ମୁହଁରେ ନିଆଁ କିନା, ପୋଡ଼ିମରୁନୁ ଯାହା । ନ ଯା ତୁ, ମୁଁ କ’ଣ କାମ ଉଠେଇ ଦେବି ନାଇଁ ! ବାରବାରଟା ପିଲାଙ୍କର ମା’ ହେଲିଣି, କ’ଣ ଏତିକି କରିପାରିବି ନାହିଁ ? ତମେ ବାହାରକୁ ଯା’ ଗୋବରା, ମୁଁ ସବୁ ଠିକ୍ କରିଦେବି । ବେଳ ପଡ଼ିଲେ ମଣିଷ କ’ଣ ଏତିକି କରିପାରିବ ନାଇଁ ? ଚାରିଟା ପିଲାଙ୍କର କାମଉଠାଇ ଦେଲେ ନିଜେ ଯେମିତି କି ସେମିତି ଧାଈ, କ’ଣ ନା ପାଞ୍ଚଟଙ୍କା ନେବି । ଛି ଲୋ ଛତରଖାଇ ରାଣ୍ଡ !

 

ଝୁନିଆ ମୁଣ୍ଡକୁ ନିଜ ଜଙ୍ଘ ଉପରେ ରଖି ଚୁହିୟା ତା’ ପେଟ ଉପରେ ହାତ ବୁଲାଉ ବୁଲାଉ କହିଲା–ତତେ ଦେଖିକରି ମୁଁ ପରା ଠିକ୍ ଜାଣିଥିଲି ଏୟା ହବ ବୋଲି । ସେଇଥିପାଇଁ ଆଜି ଏତେବେଳଯାଏ ମୋ ଆଖିରେ ନିଦ ନ ଥିଲା, ଖାଲି ଚାଉଁକା ନାଗୁଥିଲା, ଭାବିଲି ତୋର ଏଠି ଆପଣାର କିଏ ଅଛି ଯେ ତୋତେ କରିବ ?

 

ଝୁନିଆ କଷ୍ଟରେ ଏକଦମ୍ ବିକଳ ହୋଇ କହିଲା–ମାଉସୀ, ମୁଁ ତ ଏଥର କେଭେ ବଞ୍ଚିବି ନାହିଁ । ଭଗବାନ ତ ଗୋଟିଏ ଦେଇଥିଲେ ଯେ ଏତେ କଷ୍ଟରେ ପାଳିଥିଲି, ତାକୁ ବି ଛଡ଼େଇନେଲେ । ଆଉ ପୁଣି କାହିଁକି ଦେଲେ, ସେ ଜାଣନ୍ତି । ମୁଁ ତ କେବେହେଲେ ଏଥର ବଞ୍ଚିବି ନାହିଁ । ମାଉସୀ, ତମେ ଟିକିଏ ପିଲାଟିକି ଦେଖିବ ଭଗବାନ ତମର ଭଲ କରିବେ, ତମର ଧରମ ହେବ !

 

ଚୁହିୟା ତା’ ମୁଣ୍ଡ ଆଉଁସି ଦେଉ ଦେଉ କହିଲା–ମା’ଟା ପରା ମୋର, ଆଉ ଏମିତି ଅଧରିଯା ହ’ ନାହିଁ । ଏଇନେ କୁଆଡ଼େ କଥା ପଦକେ ତୋ’ ଦୁଃଖ ଚାଲିଯିବ । ତୁ ସେମିତି ଚୁପ୍ ହୋଇ ରହିଲୁ । ଏଥିରେ ନାଜ ଗୋଟେ କ’ଣ ଥିଲା, ମତେ ଯଦି ଆଗରୁ ଟିକିଏ କାନକରି ଦେଇଥାନ୍ତୁ, ମୁଁ ତ ଅବଧାନଠୋଉ ଡଉଁରିଆଟାଏ ଆଣି ଦେଇଥାନ୍ତି, ସବୁ କାମ ଛିଣ୍ଡି ଯାଇଥାନ୍ତା ।

 

ତା’ପରେ ଝୁନିଆର ଆଉ ହୋସ ରହିଲା ନାହିଁ ।

 

ତହିଁ ଆରଦିନ ନ’ଟାବେଳକୁ ଚେତା ହେବାରୁ ଦେଖିଲା ଚୁହିଆ କୋଳରେ ପିଲାଟିକୁ ଧରି ବସିଛି ଆଉ ସେ ନିଜେ ଖଣ୍ଡେ ସଫା ଶାଢ଼ି ପିନ୍ଧି ଶୋଇ ରହିଛି । ଏମିତି ଦୁର୍ବଳ ଲାଗୁଥିଲା ସତେ ଯେମିତି ଦେହରେ ରକତ ଟୋପେ ନ ଥିଲା-

 

ଚୁହିୟା ସବୁଦିନେ ସକାଳେ ଆସି ଝୁନିଆପାଇଁ ପଥି ରାନ୍ଧିଦିଏ ଏବଂ ରୋଷାଇ କରିଦିଏ । ଦିନରେ ବି ଦି’ତିନିଥର ଆସି ପିଲାକୁ ଘଷା ଆଉଁସା କରି ଦୁଧ ପିଆଇ ଦେଇଯାଏ । ଅନାଉଁ ଅନାଉଁ ଚାରିଦିନ ହୋଇଗଲା ପଛେ ଝୁନିଆଠାରୁ କ୍ଷୀର ବାହାରିଲା ନାହିଁ । ପିଲାଟି ଆଉଟୁ ପାଉଟୁ ହୋଇ ରଡ଼ି ରଡ଼ି ତା’ ତଣ୍ଟି ପଡ଼ିଗଲା । ବାହାର ଦୁଧ ମୋଟେ ପେଟରେ ଗଲା ନାହିଁ । ଚୁହିୟା ସେଥିପାଇଁ ବେଳେବେଳେ ଆପଣାର ସ୍ତନ ମେଣ୍ଟେଇ ଦିଏ । ପିଲାଟି ମିନିଟିଏ ଅଧେ ତୁନୀ ହୋଇଯାଏ ପୁଣି ଚିହିରି ଉଠେ । ଯେତେବେଳେ ଦେଖାଗଲା ଯେ ଝୁନିଆଠାରୁ କ୍ଷୀର ବାହାରିବା ଏକ ପ୍ରକାର ଅସମ୍ଭବ, ଚୁହିୟା ଯାଇ ଡାକ୍ତର ଡାକି ଆଣିଲା । ଡାକ୍ତର ସାହେବ ସବୁ ଦେଖାଦେଖି କରିସାରି କହିଲେ–ଦେହରେ ତ ମୋଟେ ରକ୍ତ ନାହିଁ; କ୍ଷୀର ଆସିବ କୁଆଡ଼ୁ ? ଆଗ ମାସେ ଖଣ୍ଡେ ଔଷଧ ଖା’ନ୍ତୁ, ତା’ପରେ ଅବା କ୍ଷୀର ହେଲେ ହୋଇଯାଇପାରେ । ସେତେଦିନ ପର୍ଯ୍ୟନ୍ତ ତ ଏ ପିଲା ବଞ୍ଚିବା କଷ୍ଟ ।

 

ସେଦିନ, ପ୍ରହରେ ରାତି ହୋଇଯାଇଥିଲେ ବି ଗୋବରା ଘରକୁ ଫେରି ନଥିଲା । ମଦଖାଇ ରାସ୍ତାରେ କେଉଁଠି ପଡ଼ି ରହିଥିଲା । ଚୁହିୟା ପୁଣି ଆପଣା ସ୍ତନକୁ ପିଲାମୁହଁରେ ଦେଉ ଦେଉ ଦେଖିଲା କ୍ଷୀର ବାହାରୁଛି, ପିଲା ଆନନ୍ଦରେ ତାକୁ ଶୋଷୁଛି । ପ୍ରସନ୍ନ ହୋଇ ସେ ଝୁନିଆକୁ କହିଲ । –ଏଥର ପୁଅର ଆଉ କିଛି ହବ ନାହିଁ ମ ! ମୋଠୁ କ୍ଷୀର ବାହାରିଲାଣି ।

 

ଝୁନିଆ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ସତେ, କ୍ଷୀର ବାହାରିଲାଣି ?

 

‘ସତେ ମା, ମୁଁ କ’ଣ ଆଉ ମିଛ କହୁଛି !’

 

‘କାହିଁ ଦେଖି ?’

 

‘ହେଇଟି ଦେଖୁନୁ ।’

 

ସେ ତା’ ସ୍ତନ ଚିପିକରି ଦେଖାଇଦେଲା, ସତକୁ ସତ କ୍ଷୀର ଧାର ଥୋପି ପଡ଼ିଲା ।

 

ଝୁନିଆ ପଚାରିଲା–ତମ ସାନ ଝିଅକୁ ତ ଆଠବର୍ଷରୁ ଉଣା ହେବ ନାହିଁ ?

 

‘ହଁ, ତାକୁ ଆଠ ବର୍ଷ ହେବ । ହେଲେ ମୋର ଖୁବ୍‍ କ୍ଷୀର ହୁଏ ।’

 

‘ଏବେ ତ ତମର ଆଉ ପିଲାପିଲି କିଛି ହୋଇ ନାହିଁ ?’

 

‘ଆଉ କାହିଁ ହୋଇଛି । ଏଇ ଝିଅ ତ ମୋର କୋଳପୋଛା । କ୍ଷୀର ବିଲ୍‍କୁଲ୍‍ ଶୁଖି ଯାଇଥିଲା, ଫେର୍ ତ ଏଇଟି ହେଇଗଲାଣି । ଭଗବାନ ହେଇ ବଡ଼ନୋକ, ଇଏ ଜାଣି ତାଙ୍କରି ନୀଳା !’

 

ଏଣିକି ଚୁହିୟା ଆସି ଦିନକୁ ଚାରି ପାଞ୍ଚ ଥର କ୍ଷୀର ଖୁଆଇ ଚାଲିଯାଉଥିଲା । ପିଲାଟି ଜନ୍ମବେଳେ ସିନା ଭାରି ରୋଗୀଣା ଦିଶୁଥିଲା କିନ୍ତୁ ଏବେ କ୍ଷୀର ଖାଇ ଖୁବ୍ ମୋଟାସୋଟା ହୋଇଗଲା । ଦିନେ ଚୁହିୟା ଗାଧୋଇବା ପାଇଁ ନଈକୂଳକୁ ଚାଲିଗଲା ଯେ ଆସୁ ଆସୁ ଦଶ ବାଜିଗଲା । ପିଲାଟି ବିଚାରା ଭୋକରେ ଆଉଟପାଉଟ ହୋଇ ଚିହିରି ଛାଡ଼ିବାରୁ ଝୁନିଆ ତାକୁ କାନ୍ଧରେ ପକାଇ ଯେତେ ବୁଲେଇଲେ ବି ସେ ତୁନୀ ହେଲା ନାହିଁ । ଶେଷକୁ ଚୁହିୟା ଆସି ଯେତେବେଳେ ତାକୁ କୋଳକୁ ନେଇ କ୍ଷୀର ପିଆଇବା ପାଇଁ ଚାହିଁଲା, ଝୁନିଆ ଭାରି ଚିଡ଼ିଯାଇ କହିଲା–ହଁ ହଁ, ଆମର ଯେତିକି ହେଲା, ସେତିକି ଥାଉ । ଅରକ୍ଷିତ ଛୁଆଟା ମରିଗଲେ ଯାଇଁ ମଣିଷକୁ ରକ୍ଷା । ମରିଗଲେ ତ ଆଉ କାହାକୁ ଖୁସାମତି କରିବାକୁ ପଡ଼ିବ ନାହିଁ !

 

ଚୁହିୟା ବି ଏଣୁ ତେଣୁ ପାଟି ତୁଣ୍ଡ କଲା । ବହୁତ ଗଣ୍ଡଗୋଳ ପରେ ପୁଣି ଝୁନିଆ ତା ହାତକୁ ପିଲାକୁ ବଢ଼େଇ ଦେଲା ।

 

ପିଲା କଥା ତ ଯାହିତାହି ସବୁ ହୋଇଗଲା । କିନ୍ତୁ ଗୋବରା ଆଉ ଝୁନିଆ ଭିତରେ ମୋଟେ ମେଳ ଖାଇଲା ନାହିଁ । ଝୁନିଆ ମନେ ମନେ ଭାବିଲା, ଗୋବରାଟା ନିହାତି ସ୍ୱାର୍ଥପର, ନିହାତି ପାଷାଣ, ତା’ର ଖାଲି ସୁଖ ଦରକାର । ସେ ମରୁ କି ଜିଉଁ ସେଥିପାଇଁ ତା’ର କୌଣସି ଚିନ୍ତା ନାହିଁ । ମନେମନେ ବୋଧେ ସେ ଭାବିଛି ସେ ମରିଯାନ୍ତା ବୋଲେ ସେ ଆଉ ଗୋଟେ ବାହା ହୋଇପଡ଼ନ୍ତା । ଆଉ ତ ଯାହା ବାହାହେବ, ଭଗବାନ ଜାଣନ୍ତି । ସେ ସିନା ଉଲୀଟା ବୋଲି ତା ଫାନ୍ଦରେ ପଡ଼ିଗଲା, ଆଉ କିଏ କାହିଁକି ମଙ୍ଗିବ । ସେତେବେଳେ ତ ଦିନରାତି ତା ପାଦ ଚାଟୁ ଚାଟୁ ବେଳ ସରୁନଥିଲା, ଏବେ ସେ ଏମିତି ବଦଳିଯିବ ବୋଲି କିଏ ଜାଣିଥିଲା । ଶୀତଦିନ ଆସିଯାଇଥିଲା କିନ୍ତୁ ଲୁଗାପଟା ଖଣ୍ଡେହେଲେ ପାଖରେ ନଥିଲା । ଯାହିତାହି ମୁଠେ ଖାଇପିଇ ଯେଉଁ ଦି’ପାଇସା ବଞ୍ଚୁଥିଲା, ତାହା ମଦପିଆରେ ଉଡ଼ିଯାଉଥିଲା । ଯାହିତାହି ଖଣ୍ଡେ ପୁରୁଣା ଚାଦର ଥିଲା ଯେ ସେଇଥିରେ ଦିହିଁଯାକ ଶୋଉଥିଲେ । ଏକାଠି ଶୋଇଥିଲେ ବି ଦିହିଁଙ୍କ ଭିତରେ ସତେ ଯେମିତି ଶହେ କୋଶ ଅନ୍ତର ରହି ଯାଇଥିଲା । ଏକା କଡ଼କେ ରାତି ପାଇଯାଇଥିଲା, କେହି କାହାକୁ ଅନାଉ ନଥିଲେ ।

 

ପିଲାଟିକୁ କୋଳରେ ଧରି ଗେଲ କରିବାପାଇଁ ଗୋବରାର ଭାରି ଇଚ୍ଛା ହେଉଥିଲେ ବି ସେ ସୁବିଧା ତାକୁ ମିଳୁ ନଥିଲା । ବେଳେବେଳେ ରାତିରେ ଉଠି ପିଲାଟିର ଖେଳକୌତୁକ ସେ ଦେଖି ନେଉଥିଲା । ଝୁନିଆ ପ୍ରତି ମନ ଭାରି ଜୋରରେ ଆକୃଷ୍ଟ ହେଉଥିଲେ ବି କିଛି ଉପାୟ ନଥିଲା । ଝୁନିଆ ତାକୁ ପାଟି ଫିଟାଉ ନଥିଲା ବରଂ ଦିନକୁଦିନ ତାଙ୍କ ଭିତରେ ମନୋମାଳିନ୍ୟ ବଢ଼ି ଚାଲିଥିଲା । ଦିହେଁ ଦୁହିଁଙ୍କ କଥାକୁ ସବୁବେଳେ ଓଲଟି ବୁଝୁଥିଲେ । ପଦେ ପଦେ କଥାକୁ ଦିନ ମାସ ମାସ ଘୋରିସୋରି ହୋଇ ଲଢ଼େଇ କରିବା ପାଇଁ ତିଆର ହୋଇ ଯାଉଥିଲେ । ସତେ ଯେମିତି ଦୁଇଟା ଲଢ଼ୁଆ ଶିକାରୀ କୁକୁର ।

 

ଏଣେ ଗୋବରା ଯେଉଁ ଚିନିକଳରେ କାମ କରୁଥିଲା, ସେଠି ବି ଅବସ୍ଥା ବଡ଼ ଖରାପ ଥିଲା । ଚିନି ଉପରେ କର ବସିଯିବାରୁ ମାଲିକମାନେ କୁଲି ମଜୁରିଆଙ୍କ ମୂଲ କମ୍ କରିଦେଲେ । କରଯୋଗୁ ପାଞ୍ଚଟଙ୍କା କ୍ଷତି ହେଲା ପଛେ ମୂଳିଆଙ୍କ ମୂଲ କମିଯିବାରୁ ଦଶଟାଙ୍କ ବରଂ ତାଙ୍କର ଲାଭ ହେଲା । ଏହି ଗୁଜବ ଉଠିଲାଦିନୁ ମିଲର ମୁଲିଆମାନେ ହରତାଳ କରିବାପାଇଁ ଅନେଇ ବସିଥିଲେ । ଯେମିତି ମଜୁରୀ କମେଇ ଦିଆଗଲା, ସେମିତି ହରତାଳ ଆରମ୍ଭ ହେଇଗଲା । ମୁଲିଆମାନେ ଅଧଲାଟାଏ ବି ଛାଡ଼ିବାକୁ ରାଜି ହେଲେ ନାହିଁ । ଦରଦାମ ବଢ଼ିଲାବେଳେ ଯଦି ପଇସାଟାଏ ଦରମା ନାହିଁ, ଏତେବେଳେ ସେମାନେ ଦରମା କମେଇବା ପାଇଁ ରାଜି ହୁଅନ୍ତେ ଅବା କାହିଁକି । ମିର୍ଜା ସାହେବ ଶ୍ରମିକ ସଂଘର ସଭାପତି, ‘ବିଜୁଳୀ’ ସମ୍ପାଦକ ଓଁକାରନାଥ ସେକ୍ରେଟାରୀ । ଦିହିଁକି ଦିହେଁ ଏହି ହରତାଳକୁ ଜୋରକରି ମାଲିକମାନଙ୍କୁ ହଇରାଣ କରିବାପାଇଁ ଦୃଢ଼ନିଶ୍ଚୟ ହୋଇ ଯାଇଥିଲେ । ଏହି ହରତାଳରେ ମୁଲିଆମାନଙ୍କର କ୍ଷତି ହେବ ଏବଂ ହଜାର ହଜାର ମିଲିଆ ମୁଠେ ଖାଇବାକୁ ପାଇବେ ନାହିଁ, ଏ କଥାକୁ ସେମାନଙ୍କର ମୋଟେ ନଜର ନ ଥିଲା । ମିଳିଆଙ୍କ ଭିତରେ ଗୋବରା ଭାରି ଆଗୁଆ ହୋଇ ବାହାରିଥିଲା । ନିଜ ଉଦ୍ଦଣ୍ଡ ସ୍ଵଭାବ ଯୋଗୁ କିଛି ନ ବୁଝି ନ ବିଚାରି ସେ ଆଗକୁ ଡେଇଁ ପଡ଼ୁଥିଲା । ଏକଥା ଦେଖି ଝୁନିଆ ଦିନେ ତାକୁ କଡ଼ା କଡ଼ା ବତେଇଲା; କହିଲା–ଜାଣିଥା ଏକା, ତମର ପିଲାଛୁଆ ଘର, ତମେ ଯେମିତି ଏସବୁ କଥାରେ ଆଗକୁ ନ ବାହାର । ଗୋବରା ଭାରି ରାଗିଯାଇ କହିଲା–ମୋତେ ତିଆରିବାକୁ ତୁ ଗୋଟେ କିଏ ସେ ? ମୁଁ କ’ଣ ତତେ ପଚାରି ଯାଉଛି ? ଏଇମିତି କଥା ବଢ଼ୁ ବଢ଼ୁ ଗୋବରା ଝୁନିଆକୁ ଭାରି ମୋଡ଼ ଦେଲା । ଚୁହିୟା ଆସି ଝୁନିଆକୁ ଛଡ଼େଇନେଇ ଗୋବରାକୁ ଖୁବ୍ ବକିଲା, ଗୋବରା ମୁଣ୍ଡରେ ତ ସେତେବେଳେ ଭୂତ ଚଢ଼ିଥିଲା, ସେ ଆଖି ଲାଲ ଲାଲ କରି କହିଲା–ତୁ ମୋ ଘରକୁ ଆଜିଠୁ ଆସିବୁ ନାହିଁ ଯା, ତୋଠି ଆମର କିଛି କାମ ନାହିଁ ।

 

ଚୁହିୟା ଭାରି ଉପହାସ କଲାପରି କହିଲା–ମଲା, ମଲା, ତମ ଘରକୁ ନ ଆସିଲେ ତ ମୋ’ ପେଟ ଆପୋଷା ଯାଉଛି, ତମଘରୁ ଯାହିତାହି ମୁଠେ ମାଗିକରି ନେଲେ ସିନା ଚୁଲିରେ ମୋର ହାଣ୍ଡି ବସୁଛି । ଆରେ ପୁଅ, ସେକଥା କୁଆଡ଼େ ପାଶୋର ଗଲାଣି । ମୁଁ ନଥିଲେ ତୁ ଯାହାକୁ ଆଜି ମାଡ଼ ମାରୁଛୁ, ସେ ଥା’ନ୍ତା କୋଉଠେଇ, ଆଉ ତୁ ମାଡ଼ ମାରୁଥାନ୍ତୁ କୋଉଠେଇ ?

 

ଗୋବରା ଭାରି ରାଗିଯାଇ କହିଲା–ମୁଁ ତ କହି ଦେଉଛି ତୁ ମୋ’ ଘରକୁ ଆଉ ଆସିବୁ ନାହିଁ । ତୁ ଆସିକରି ଏଇ ମାଇକିନାର ମୁହଁ ବଢ଼ାଇ ଦେଇଛୁ ।

 

ଚୁହିୟା ଆଣ୍ଟକରି ସେଇଠି ଠିଆହୋଇ କହିଲା–ହଉ, ହଉ, ସେତିକି ଥାଉ ଗୋବରା, ଆଉଗୁଡ଼େ ବେଶି ପାଟି କର ନାହିଁ । ଏଇ ଦରମରା ମାଇକିନିଆଟାକୁ ମାରିକରି ଆଉ ଅଣ୍ଡିରାପଣିଆ ଦେଖା ନାହିଁ । ତୁ ତା’ପାଇଁ କ’ଣ କରିଛୁ ଯେ ସେ ତୋ’ ମାଡ଼ ସହିକରି ରହିବ ? ଖାଇବାକୁ ମୁଠେ ଦଉଛୁ ବୋଲି ? କପାଳ ତୋର ଭଲ ବୋଲି ଏମିତିଆ ସହଣିକ ମାଇପିଟାଏ ତୋତେ ମିଳି ଯାଇଛି, ନହିଲେ ଆଉ କିଏ ହୋଇଥିଲେ, ତୋତେ ଗୋଇଠା ମାରି ଏଠୁ କୋଉଦିନୁ ଯାଆନ୍ତାଣି ।

 

ଏସବୁ କାଣ୍ଡ ଦେଖି ସାହିଯାକ ସମସ୍ତେ ଆସି ଗଦା ହୋଇଗଲେ । ଆପଣା ଘରେ ନିତି ପଛେ ମାଇପକୁ ପିଟୁଥାନ୍ତୁ ଏଠିକି ଆସି କାହିଁରେ କ’ଣ ନ୍ୟାୟ କରି ବସିଲେ ! ଗୋବରାକୁ ଯାହାର ଯାହା ମନ ପାଇଲା ଗାଳି ଦେଲେ । ଏକଥା ଦେଖି ଚୁହିୟାର କାହିଁରେ କ’ଣ ବଳ ବଢ଼ିଗଲା । ଲୋକଙ୍କ ପାଖରେ ଫେରାଦି କରି କହିଲା–ଏ ଛତରାଟା ମୋତେ କହୁଛି, ମୋ’ ଘରୁ ବାହାରିଯା’; ଇଏ ପରା କୁଆଡ଼େ ପୁଅ ମାଇପ ପୋଷିବ ? ପୁଅ ମାଇପ ପୋଷିବା କେଡ଼େ କଷ୍ଟ ଏ ଛତରାଟା ଜାଣିବ କୁଆଡ଼େ ? ତାକୁ ଦେଖି ପଚାରିବ, ମୁଁ ଯଦି ନ ଥାନ୍ତି ତା’ର ଏଇ ମାଇପ ସବୁ ଆଜି ଥା’ନ୍ତେ କୋଉଠି ? ମାଇକିନିଆଟାକୁ ମାଡ଼ମାରି ଅଣ୍ଡିରାପଣିଆ ଦେଖାଉଛି । ମୁଁ ତା’ ମାଇପ ହୋଇଥାନ୍ତି କି ପୁଅ ଆଜି ଦେଖିଥାନ୍ତା । ଏଇଠି ଏଇନେ ମୁଣ୍ଡରେ ଖଡ଼ୁମୁଷାଦେଇ ତଣ୍ଟିଆଦେଇ ଘରୁ ବାହାର କରିଦିଅନ୍ତି । ଏକାଥରକେ କବାଟ ପକାଇ ଦିଅନ୍ତି, ପୁଅ ଭାତମୁଠେ ପାଇଁ ହାତ ପତେଇ ବସିଥାନ୍ତା !

 

ଗୋବରା ରାଗରେ ଗରଗର ହୋଇ କାମ ଉପରକୁ ଚାଲିଗଲା । ଭାବିଲା ଚୁହିୟା ଯଦି ସ୍ତ୍ରୀ ନ ହୋଇ ପୁରୁଷ ହୋଇଥାନ୍ତା, ତା’ହେଲେ ଆଜି ତା’ ମଜା ବାହାରକରି ଦେଇଥାନ୍ତା । ମାଇପି ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରି ଲାଭ କ’ଣ ?

 

ଏଣେ ମିଲ୍ ମୂଲିଆମାନଙ୍କ ଭିତରେ ଅସନ୍ତୋଷ ଭାରି ଜୋରରେ ବଢ଼ି ଚାଲିଥିଲା । ଯେଉଁ ମୂଲିଆକୁ ଦେଖିବ, ପକେଟରେ ଖଣ୍ଡେ ‘ବିଜୁଳୀ’ କାଗଜ । ଯେତେବେଳେ ଟିକିଏ ସମୟ ମିଳିଯାଏ, ଦି’ତିନି ଜଣ ଏକାଠି ହୋଇଯାନ୍ତି, ବସିକରି ‘ବିଜୁଳୀ’ କାଗଜର ବିକ୍ରୀ ଏବେ ଖୁବ୍ ବେଶି-। ସଂଧ୍ୟା ହେଲାମାତ୍ରେ ଶ୍ରମିକନେତାମାନେ ଯାଇ ‘ବିଜୁଳୀ’ ଅଫିସରେ ହାଜର ହୋଇଯାନ୍ତି । ଯାହା ଯାହା ସବୁ ଖବର ଦିଅନ୍ତି, ତହିଁଆରଦିନ ସକାଳେ ତାହା ବଡ଼ ବଡ଼ ଅକ୍ଷରରେ ଛାପା ହୋଇଯାଏ । କାଗଜ କିଣିବାପାଇଁ ଲୋକେ ଗଦା ହୋଇଯାନ୍ତି । ଦି’ତିନି ଗୁଣା ଦାମରେ କାଗଜ ବିକ୍ରୀ ହୋଇଯାଏ । ଏଣେ ମିଲ୍ ଡାଇରେକ୍ଟର ବେପରୁଆ ହୋଇ ବସିଥାନ୍ତି; ଭାବୁଥାନ୍ତି ହରତାଳ ହେଲେ ବରଂ ଭଲ । ଆଜିକାଲି ମଜୁରିଆ ତ ଅଭାବ ନାହାନ୍ତି । ବରଂ ଏଗୁଡ଼ା ଚାଲିଗଲେ ଅଧା ଦାମରେ ୟାଙ୍କଠୁ ଭଲ ଲୋକ ବି ଚାଲିଆସିବେ, ଖର୍ଚ୍ଚ ବହୁତ କମିଯିବ । ସେଥିପାଇଁ ସେ କମ୍ ମଜୁରୀ ଘୋଷଣା କରିବାକୁ ଠିକ୍ କରି ସାରିଥିଲେ, ଘୋଷଣା ସମୟ ଠିକ୍ କରିଦେଇ ତେଣେ ପୁଲିସକୁ ଖବର ଦେଇଦେଲେ । ଏକଥା ମୂଲିଆମାନଙ୍କୁ ଜଣା ନ ଥିଲା । ସେମାନେ ଭାବୁଥିଲେ ଯେତେବେଳେ ମିଲ୍‍ର ମାଲ୍ ସରିଯାଇଥିବ ଏବଂ ଖାଉଟୀଙ୍କର ଚାହିଦା ବଢ଼ିଯାଇଥିବ, ଠିକ୍ ସେତିକିବେଳେ ସେମାନେ ହରତାଳ କରିଦେଲେ ମଜା ହେବ ।

 

ହଠାତ୍ ଦିନେ ମିଲ୍ ଛୁଟୀ ହେଲାବେଳକୁ ମୂଲିଆମାନଙ୍କୁ ଜଣାଇ ଦିଆଗଲା ଯେ, ସେମାନଙ୍କର ମଜୁରୀ କମେଇ ଦିଆଯାଇଛି । ପୁଲିସ ବି ସେତେବେଳକୁ ଆସି ଯାଇଥିଲେ । ଷ୍ଟ୍ରାଇକ୍ କରିବାଛଡ଼ା ମୂଲିଆଙ୍କର କିଛି ଉପାୟ ନଥିଲା । କିନ୍ତୁ ମିଲରେ ସେତେବେଳକୁ ଏତେ ଚିନି ଗଦା ହୋଇଥିଲା ଯେ ମିଲ୍ ଛ’ମାସ ବନ୍ଦ ହେଲେ ବି ମାଲିକଙ୍କର କିଛି ପରୁଆ ନଥିଲା ।

 

ଷ୍ଟ୍ରାଇକ୍ କଥା ଶୁଣି ମିର୍ଜା ସାହେବ ଟିକିଏ ମୁରୁକିହସା ଦେଇ ମନେମନେ ଟିକିଏ ଭାବିଲାପରି ହୋଇ କହିଲେ–ଆଚ୍ଛା ଦେଖାଯାଉ । ବର୍ତ୍ତମାନ ତ ମିଲରେ ବହୁତ ଚିନି ଅଛି, ତେଣୁ ମାଲିକମାନଙ୍କର କିଛି ପରୁଆ ନାଇଁ । ତା’ଛଡ଼ା ସେମାନେ ଭାବିଛନ୍ତି ଅଳ୍ପ ପଇସାରେ ତାଙ୍କୁ ନୂଆଲୋକ ମିଳିଯିବେ । ତେଣୁ ମୂଲିଆମାନଙ୍କର ବର୍ତ୍ତମାନ ପ୍ରଧାନ କାମ ହେଉଛି ନୂଆ ମୂଲିଆଙ୍କୁ ମିଲ୍ ଭିତରକୁ ଛାଡ଼ି ନ ଦେବା ।

 

‘ବିଜୁଳୀ’ ଅଫିସରେ ତା’ପରେ ଗୁପ୍ତ ବୈଠକ ଚାଲିଲା । ସଭାପତି, ସେକ୍ରେଟାରୀ ସବୁ ନିର୍ବାଚିତ ହୋଇଗଲେ । ରାତି ଆଠଟାବେଳକୁ ପ୍ରସେସନ୍ ବାହାରିଲା ଏବଂ ରାତି ଦଶଟାବେଳକୁ କାର୍ଯ୍ୟକ୍ରମ ସବୁ ଠିକ୍ ହୋଇଗଲା । ଲୋକମାନଙ୍କୁ ବୁଝାଇ ଦିଆଗଲା କେହି ଯେମିତି ଅଯଥା ଦଙ୍ଗାହେଙ୍ଗାମା ନ କରନ୍ତି ।

 

କିନ୍ତୁ ସେମାନେ ଯାହା ବିଚାର କରିଥିଲେ ତା’ର ଠିକ୍ ଓଲଟା ହେଲା । ମିଲ୍ ଦୁଆରେ ହଜାର ହଜାର ନୂଆ ମୂଲିଆ ଆସି ଗଦା ହେଲେ । ତାଙ୍କୁ ଦେଖି ଷ୍ଟ୍ରାଇକ୍‍ବାଲାଙ୍କର ଭାରି ହିଂସା ହେଲା । ସେମାନେ ସିନା ଭାବିଥିଲେ ଦିନକୁ ପଚାଶ ଷାଠିଏ ଜଣ ଆସିଲେ ସେମାନେ ବୁଝାଇ ସୁଝାଇ ଫେରାଇଦେବେ କିମ୍ବା ଷ୍ଟ୍ରାଇକ୍‍ ବାଲାଙ୍କୁ ଦେଖିକରି ଆପେ ଆପେ ସେମାନେ ଡରିକରି ହଟିଯିବେ । କିନ୍ତୁ ଏତେ ଲୋକ ଆସି ଜମା ହେବେ ବୋଲି ସେମାନଙ୍କର ଆଦୌ ଧାରଣା ନଥିଲା-। ତେଣୁ ଶେଷରେ ଠିକ୍ କରାଗଲା ଯେ ଜବରଦସ୍ତି ନୂଆ ଲୋକଙ୍କୁ ସେଠୁ ହଟାଇ ଦିଆଯିବ-। ମାତ୍ର ନୂଆ ଲୋକମାନଙ୍କର ଅବସ୍ଥା ଏମିତି ଖରାପ ଥିଲା ଯେ, ଘରେ ପିଲାଛୁଆସବୁ ଭୋକ ଉପାସରେ ଗଡ଼ି ମରୁଥିଲେ । ସେମାନେ ଠିକ୍ କରିଥିଲେ ଯେ, କବାଟ କଣରେ ଭୋକରେ ମରିବା ଅପେକ୍ଷା ମିଲ୍ ଦୁଆରେ ଲଢ଼େଇକରି ମରିବା ବରଂ ଭଲ । ଶେଷରେ ଦୁଇଦଳ ଭିତରେ ଲଢ଼ାଇ ହୋଇଗଲା । ଲଢ଼େଇ ଦେଖି ‘ବିଜୁଳୀ’ ସମ୍ପାଦକ ପ୍ରାଣ ଧରି ସେଠୁ ପଳାଇଗଲେ, କିନ୍ତୁ ମିର୍ଜା ସାହେବ ପହିଲମାନ୍ ଥିବାରୁ ଲଡ଼ି ବସିଲେ । ତାଙ୍କୁ ରକ୍ଷା କରିବାକୁ ଯାଇ ଗୋବରେ ଖୁବ୍‍ ମାଡ଼ ବସିଲା । ମିର୍ଜା ସାହେବ ତ ନିଜ ବୁଦ୍ଧିବଳରେ କୌଣସିମତେ ବଞ୍ଚିଗଲେ, କିନ୍ତୁ ଗୋବରାର ଗୋଟାଏ ହାତ ଭାଙ୍ଗିଗଲା । ମୁଣ୍ଡରୁ ଖପୁରି ଉଡ଼ିଗଲା, ବିଚାରା ସେଇଠି ଭୂଇଁରେ ପଡ଼ିଗଲା-। ଲାଠି ମାଡ଼ରେ ଦେହ ହାତ ତା’ର ପାଚିଗଲା । ଗୋବରାକୁ ପଡ଼ିଯିବାର ଦେଖି ଲୋକସବୁ ହଟିଗଲେ । ନୂଆ ମୂଲିଆସବୁ ଜୟଧ୍ଵନି କରି ପତାକା ଉଡ଼ାଇ ମିଲ୍ ଭିତରେ ପଶିଲେ-। ଷ୍ଟ୍ରାଇକ୍‍ବାଲା ଆପଣା ଦଳର ଖଣ୍ଡିଆଖାବରା ଲୋକଙ୍କୁ ଜଣଜଣ କରି ଉଠାଇନେଇ ଡାକ୍ତରଖାନାକୁ ଚାଲିଲେ । କିନ୍ତୁ ଡାକ୍ତରଖାନାରେ ଏତେ ଲୋକଙ୍କ ପାଇଁ ଜାଗା ନଥିବାରୁ ଗୋବରା ଡାକ୍ତରଖାନାରେ ରହିପାରିଲା ନାହିଁ । ତା’ଠାରେ ଯାହିତାହି ପଟି ବାନ୍ଧିଦେଇ ତାକୁ ନେଇ ଲୋକେ ତା’ ଘରେ ଛାଡ଼ିଦେଇ ଆସିଲେ ।

 

ଗୋବରା ଅବସ୍ଥା ଦେଖି ମୁହୂର୍ତ୍ତକରେ ଝୁନିଆ ପଛକଥା ସବୁ ଭୁଲିଗଲା । ପ୍ରାଣରେ ତା’ର ନାରୀତ୍ଵର ଉଦାରଭାବ ଜାଗି ଉଠିଲା । ଆଗେ ସିନା ସେ ତାକୁ ଶାସନ କରୁଥିଲା, ଅତ୍ୟାଚାର କରୁଥିଲା, ଏବେ ଯେ ସେ ଅଚଳ, ନିଃସହାୟ । ତା’ ପ୍ରତି ଦୟାକରିବା ଛଡ଼ା ଆଉ ଉପାୟ ନଥିଲା । ତାକୁ ଦେଖିଲାମାତ୍ରେ ଝୁନିଆ ଭୋ ଭୋ କାନ୍ଦି ପକାଇଲା । ମନେମନେ ତା’ର ରାଗ ହେଲା ଯେତିକି, ଦୁଃଖ ବି ହେଲା ସେତିକି । କେତେଥର ସେ ତାକୁ ମନା କରିଥିଲା, ଗଣ୍ଡଗୋଳରେ ନ ପଶିବାପାଇଁ । ମୁହଁରେ ଦେବାପାଇଁ ଘରେ ମୁଢ଼ି ମୁଣ୍ଡିଟାଏ ପଛେ ନଥିଲା, ତେବେ ବି ଯାଇ ସେ ଲୋକଙ୍କ ସଙ୍ଗେ ଲଢ଼ାଇ କଲା । କେତେଥର ତାକୁ ସେ ବୁଝେଇଥିଲା–ତମେ କେବେହେଲେ ଗଣ୍ଡଗୋଳକୁ ଯିବ ନାହିଁଟି ! ଲୋକେ ନିଆଁ ଲଗେଇଦେଇ ଆଡ଼େଇ ହୋଇଯିବେ ଶେଷକୁ ସବୁ ଗରିବଙ୍କ ମୁଣ୍ଡରେ ଯିବ ! କିନ୍ତୁ ସେ କ’ଣ ଶୁଣିବା ଲୋକ ଯେ ଶୁଣନ୍ତା । ଏବେ କ’ଣ ହେଲା ! ବଡ଼ଲୋକ ମଟର ଚଢ଼ି ବୁଲିଲେ । ଗରିବ ମୂଲିଆଙ୍କର ମୁଣ୍ଡ ଫାଟିଲା । ପିଲାକୁ ବାରମ୍ବାର ମନାକଲେ ବି ସେ ସେ ଯଦି ଚଉକିରେ ଚଢ଼ି ଗଡ଼ିପଡ଼ି କାନ୍ଦେ, ତେବେ ମନାକରିବା ଲୋକ ମନରେ ଯେ ପ୍ରକାର ସନ୍ତୋଷ ଆସେ, ଗୋବରା ଅବସ୍ଥା ଦେଖି ଝୁନିଆ ମନରେ ଠିକ୍ ସେହି ପ୍ରକାର ଏକ ଈର୍ଷାମିଶ୍ରିତ ସନ୍ତୋଷ ଦେଖାଗଲା ।

 

କିନ୍ତୁ ମୁହୂର୍ତ୍ତକ ପରେ ଗୋବରାର ବିକଳ କାନ୍ଦଣା ଶୁଣି ଝୁନିଆର ପ୍ରାଣ ବିକଳ ହୋଇ ଉଠିଲା । କାନ୍ଦି କାନ୍ଦି ତା’ ଦେହରେ ହାତ ବୁଲାଇଦେଇ କହିଲା–ହାୟରେ ପୋଡ଼ା କପାଳ ! ଦେହ ମୁଣ୍ଡ କ’ଣ ଆଉ କିଛି ଅଛି । କାହାରି ଚିତ୍ତରେ ଏତେ ଟିକେ ହେଲେ ଦୟା ହେଲା ନାହିଁ । ମାରିକରି ମଣିଷଟାକୁ ଗୁଣ୍ଡାକରି ଦେଇଛନ୍ତି ।

 

ଅନେକ ବେଳଯାଏ ଝୁନିଆ ଗୋବରା ମୁହଁକୁ ଅନାଇ ରହିଲା । ସତେ ଯେମିତି ତା’ର ସବୁ ଆଶା ଡୁବି ଯାଉଥିଲା ଏବଂ ଭବିଷ୍ୟତର ଅଜ୍ଞାତ ଅନ୍ଧକାରରେ ଆଶାର କ୍ଷୀଣ ଆଲୋକ ଲିଭିଯିବାକୁ ବସିଥିଲା ।

 

ହଠାତ୍ ଚୁହିୟା ଦୌଡ଼ିଆସି ପଚାରିଲା–ଆଲୋ ବୋହୂ, ଗୋବରାର କ’ଣ ହେଲା କିଲୋ ? ମୁଁ ପରା ଦୋକାନଠୋଉ ଶୁଣିକରି ଏକା ରାହାକେ ଧାଇଁଛି ।

 

ସହାନୁଭୂତି ପାଇ, ଝୁନିଆର ବୁକୁ ଫାଟିପଡ଼ିଲା । ଆଖିରୁ ଲୁହ ଝରଝର ହୋଇ ଖସିପଡ଼ିଲା । ସେ ଆଉ କିଛି କହିପାରିଲା ନାହିଁ । ଦୁଃଖ ଏବଂ ନିରାଶାରେ ଖାଲି ବଲ ବଲ ହୋଇ ଚାହିଁ ରହିଲା ।

 

ଚୁହିୟା, ଗୋବରା ମୁହଁକୁ ଚାହିଁ ତା’ ଛାତିରେ ହାତ ପକାଇ ଝୁନିଆକୁ ଆଶ୍ୱାସନା ଦେଇ କହିଲା–କିଛି ଭାବନା କର ନାହିଁ, ଦିନ ଚାରିଟାରେ ଭଲ ହୋଇଯିବ । ତୋ’ କପାଳ ଭଲ, ଦେଖ କେମିତି ସେ ବଞ୍ଚିଗଲା, କେତେ ଲୋକ ତ ସେଇଠି ପଡ଼ି ମରିଗଲେ । ତୋ’ ହାତରେ ପଇସାପତର କ’ଣ ଅଛି ?

 

ଝୁନିଆ ଲାଜରେ ମୁହଁ ପୋତିଦେଇ ମୁଣ୍ଡ ହଲେଇ, ନାହିଁ କଲା ।

 

‘ଆଚ୍ଛା, ମୁଁ ପଇସା ଆଣି ଦେଉଛି । ତୁ ଟିକିଏ ଦୁଧ ଗରମକରି ଆଣୁଥା ।’

 

ଝୁନିଆ ତା’ ଗୋଡ଼କୁ କୁଣ୍ଢେଇ ପକାଇ କହିଲା–ମାଉସୀ, ତମେ ଜାଣି ମୋର ମା’ । ତମ ଛଡ଼ା ଦୁନିଆରେ ମୋର ଆଉ ସାହା ଭରସା କେହି ନାହାନ୍ତି ।

 

ଶୀତର ଉଦାସ ସଂଧ୍ୟା ଆଜି ଅଧିକ ଉଦାସ ଜଣାପଡ଼ୁଥିଲା । ଝୁନିଆ ଦୁଧ ଗରମ କରିବାକୁ ଚାଲିଗଲା । ଚୁହିୟା ପିଲାଟିକୁ କାଖେଇ ବରଣ୍ଡାରେ ଏପଟ ସେପଟ ବୁଲୁଥିଲା ।

 

ହଠାତ୍ ଝୁନିଆ କାନ୍ଦ କାନ୍ଦ ହୋଇ କହିଲା–ମାଉସି, ବଡ଼ ପୋଡ଼ାକପାଳ ମୋ’ର ! ମୋ’ରି ଯୋଗୁଁ ତାଙ୍କୁ ଏ ଦଶା ଘଟିଲା । ମନରେ ରାଗ ହୋଇଗଲେ, ପାଟିରୁ କ’ଣ ନା କ’ଣ ବାହାରି ଆସେ । ମୋ’ରି ଗାଳି, ମୋ’ରି ଶାଇପ ଜାଣି ତାଙ୍କ ଉପରେ ପଡ଼ିଲା ! କେଡ଼େ ଛୋଟ କପାଳୀଟାଏ ମୁଁ !

 

ଆଉ କିଛି ସେ କହିପାରିଲା ନାହିଁ । ତୋଡ଼ାଣି ପରି ଲୁହଧାର ବହିଗଲା । ଆପେ ଆପେ ମୁହଁ ବନ୍ଦ ହୋଇଗଲା ।

 

ଚୁହିୟା ଲୁଗାକାନିରେ ଝୁନିଆର ଲୁହ ପୋଛିଦେଇ କହିଲା, ତୁ ବାୟାଣୀ ପରି ଏଗୁଡ଼ା କ’ଣ କହୁଛୁ । ଏକଥା କହ, ତୋ’ରି ଧରମ ଯୋଗୁ ଆଗ ତା’ ଜୀବନ ରହିଲା । ହଁ, କଳିକଜିଆବେଳେ ପାଟିରୁ କ’ଣ ନା କ’ଣ ବାହାରି ଆସେ, ହେଲେ ସେଗୁଡ଼ା କ’ଣ ମନରେ ରହେ; ମଣିଷ କୁଆଡ଼େ ପୁଣି ତାକୁ ଭୁଲିଯାଏ । ହେଲେ, କପାଳରେ ଯାହା ନେଖାଥିବ, ତାକୁ ନିଭେଇବ କିଏ ?

 

ଝୁନିଆ କାନ୍ଦି କାନ୍ଦି କହିଲା–ହେଲେ, ମୁଁ ଏବେ କୋଉ ବାଟ କରିବି ମୋତେ ବତେଇ ଦିଅ, ମାଉସୀ !

 

ଚୁହିୟା ତାକୁ ବଳ ଦେଇ କହିଲା–କିଛି ହେବ ନାଇଁ, ତୁ କିଆଁ ସେମିତି ହେଉଛୁ । ଭଗବାନଙ୍କୁ ମୁଣ୍ଡିଆ ମାର । ଗରିବଙ୍କର ସେଇ ଜାଣି ମାଲିକ ।

 

ଏତିକିବେଳକୁ ଗୋବରା ଆଖି ଫିଟାଇ ଝୁନିଆ ଆଡ଼କୁ ଚାହିଁ କହିଲା–ଆଜି ଜାଣି କପାଳରେ ଏ ମାଡ଼ ଲେଖାଥିଲା । ମୁଁ କାହାକୁ କିଛି ହେଲେ ପାଟି ଫିଟାଇ ନାହିଁ । ଅକାରଣରେ ମୋତେ ଏଡ଼େବଡ଼ ଦଣ୍ଡ ମିଳିଲା । ପଛକଥା ସବୁ ପାଶୋରି ପକା । ତତେ କଷ୍ଟ ଦେବାରୁ ଭଗବାନ ଜାଣି ମୋତେ ଏ ଫଳ ଦେଖାଇଲେ । ମୋଟେ ଆଉ ଘଣ୍ଟେ ଦି’ଘଣ୍ଟାର କଥା । ସତେ କ’ଣ ମୁଁ ଆଉ ବଞ୍ଚିବି, ଦେହ ମୁଣ୍ଡ ତ’ ପୀଡ଼ାରେ ପାଚି ଗଲାଣି ।

 

ଚୁହିୟା ଭିତରକୁ ଚାଲିଆସି କହିଲା–ବେଶି କଥାବାର୍ତ୍ତା କର ନାହିଁ, ତୁନୀ ହୋଇ ଶୋଇପଡ଼ । ମୋତେ ବିଶ୍ଵାସ କର, ତୋର କିଛି ହବ ନାହିଁ !

 

ଗୋବରା ମୁହଁରେ ଆଶାର ଜ୍ୟୋତି ଦେଖାଗଲା; କହିଲା–ସତ କହୁଛୁ, ମୋର କିଛି ହେବ ନାହିଁ !

 

‘ମୁଁ ତ କହୁଛି ତୋର କିଛି ହେବ ନାହିଁ । ତୋର କ’ଣ ହେଇଛି କି ? ହାତରେ ମୁଣ୍ଡରେ ଟିକିଏ ଖଣ୍ଡିଆ ହୋଇ ଯାଇଛି । ମରଦ ମଣିଷଙ୍କୁ ଏଗୁଡ଼ା କିଛି ନୁହେଁ । ନିତି ଏମିତି କେତେ ମଣିଷ ଖଣ୍ଡିଆ ଖାବରା ହୋଉଛନ୍ତି । ଏତିକିରେ କୋଉଠି କା’ର କିଛି ହେଲାଣି ?

 

‘ମୁଁ ଆଉ ଝୁନିଆକୁ କେବେହେଲେ ମାରିବି ନାହିଁ ।’

 

‘କିଆଁ ତୋତେ ଡର ମାଡ଼ୁଛି କି, ସେ ତୋତେ ଏଇନେ ମାରିବ ବୋଲି ?’

 

‘ସେ ମାରିଲେ ବି ମୁଁ ଆଉ ପାଟି ଫିଟାଇବି ନାହିଁ ।’

 

‘ପୁଣି ଭଲ ହେଇଗଲେ କ’ଣ ଏକଥା ମନେରହିବ ?’

 

‘ନାହିଁ ମାଉସୀ, ଏଥର ନିଶ୍ଚୟ ମନେ ରହିବ ।’

 

ଗୋବରା ବର୍ତ୍ତମାନ ମଝିରେ ମଝିରେ ପିଲାଙ୍କ ପରି ବାଉଳେଇ ହେଉଥିଲା, ପୁଣି ଘଡ଼ିଏ ପହଡ଼େ ଅଚେତା ହୋଇ ଯାଉଥିଲା । ବେଳେବେଳେ ତାକୁ ଲାଗୁଥିଲା, ସତେ ଯେମିତି ସେ କେଉଁ ନଦୀରେ ବୁଡ଼ିଯାଉଛି । ଝୁନିଆ ତାକୁ ଉଠେଇ ଆଣିବାପାଇଁ ଚାଲି ଆସୁଛି । ତା ଛାତିରେ ଗୋଟେ ଭୂତ ଚଢ଼ି ବସିଛି, ଝୁନିଆ ଦେବୀମୂର୍ତ୍ତି ଧରି ତାକୁ ଘଉଡ଼ି ଦେଉଛି । ପୁଣି ମଝିରେ ମଝିରେ ଚମକିପଡ଼ି ପଚାରୁଥିଲା–ସତ କହିଲୁ ଝୁନିଆ, ମୁଁ ମରିଯିବି ନାହିଁ ତ ?

 

ତିନିଦିନ କାଳ ଗୋବରା ଏହି ଅବସ୍ଥାରେ ପଡ଼ି ରହିଲା । ଦିନ ନାହିଁ ରାତି ନାହିଁ ସେବା କରି କରି ଝୁନିଆ କୌଣସି ମତେ ତାକୁ ବଞ୍ଚେଇ ଦେଲା । ଚୁହିଆ ପିଲାଟିକୁ ଆତେଇ ନେଲା । ଯେଉଁଦିନ ଚାରିଦିନ ହେଲା, ସେହିଦିନ ଗୋବରାକୁ ଗୋଟେ ଘୋଡ଼ାଗାଡ଼ିରେ ବସେଇ ଝୁନିଆ ଯାଇ ଡାକ୍ତରଖାନାରେ ପହଞ୍ଚିଲା । ଡାକ୍ତରଖାନାରୁ ଫେରିଲା ପରେ ଯାଇଁ ଗୋବରା ମନରେ ସତ ଆସିଲା, ଭାବିଲା ଏଥର ଜାଣି ସେ ବଞ୍ଚିଲା । ଲୁହରେ ଆଖି ଛଳଛଳ କରି ସେ କହିଲା–ମୋ’ ଭୁଲବଟକା ସବୁ ଭୁଲିଯା’, ଝୁନ ।

 

ଏଇ ଦୁଇ ତିନି ଦିନ ଭିତରେ ଝୁନିଆ ଚୁହିଆଠାରୁ ତିନି ଚାରିଟଙ୍କା ଉଧାର କରି ପକାଇଥିଲା । ସେଥିପାଇଁ ତାକୁ ଆଉ ମାଗିବାପାଇଁ ତା’ର ସାହସ ହେଲା ନାହିଁ । ସେ ବିଚାରୀ ବା ଏତେ ପଇସା କେଉଁଠୁ ଆଣନ୍ତା ? ତା’ ପାଖେ ଅବା କୋଉ ପୋତାଟଙ୍କା ଥିଲା, କାଠ ବିକ୍ରୀରୁ ଯାହା ପାଞ୍ଚ ଦଶଟଙ୍କା ହେଉଥିଲା ସିନା । ଝୁନିଆ ଭାବିଲା, ଗୋବରା ଭଲ ହେଉ ହେଉ ଆହୁରି ମାସେ । ୟା’ଭିତରେ ସେ କେଉଁଠିକି ହେଲେ କାମ କରିବାକୁ ନ ଗଲେ ଚଳିବ ନାହିଁ । ଯାହିତାହି ତ ମୁଠେ ଆଣି ତା’ ମୁହଁରେ ଦେବ । ପିଲାଦିନେ ସେ ଗାଈ ଚରେଇବା, ଘାସ କାଟିବା କାମ ସବୁ ଜାଣିଥିଲା । କିନ୍ତୁ ସହରରେ ଗାଈ ଚରେଇବ କେଉଁଠି ? କିନ୍ତୁ ସେ ଦେଖୁଥିଲା କେହି କେହି ସ୍ତ୍ରୀଲୋକ ସହର ବାହାରକୁ ଯାଇ ଘାସ ଆଣି ପ୍ରତିଦିନ ବିକୁଥିଲେ, ଦିନକୁ ଯାହିତାହି ଆଠ ଦଶଣା ରୋଜଗାର କରୁଥିଲେ । ସେ ବି ସେୟା କରିବାପାଇଁ ଠିକ୍ କଲା । ସକାଳୁ ଉଠି ଗୋବରାକୁ ଧୁଆଧୁଇ ସଫାସୁତରା କରିଦେଇ ପିଲାଟିକୁ ତା’ ପାଖରେ ଛାଡ଼ିଦେଇ ସବୁଦିନ ଘାସ ରାମ୍ପିବାକୁ ଗଲା । ସକାଳୁ ଯାଇ ପ୍ରାୟ ବେଳ ଗଡ଼ାଗଡ଼ିକୁ ଆସେ, ବଜାରରେ ଘାସ ବିକିଦେଇ ପଇସା ଆଣେ-। ଦିନଯାକ ଖଟି ଖଟି ମଧ୍ୟ ରାତିଯାକ ଗୋବରାକୁ ଜଗିରହେ । ଏତେ କଷ୍ଟରେ ବି ମନରେ ତା’ର ଏତେ ଟିକେ ହେଲେ ଦୁଃଖ ନଥାଏ, ବରଂ ସନ୍ତୋଷ ଥାଏ । ଘାସ ରାମ୍ପିଲାବେଳେ ସାଙ୍ଗ ମାଇପିମାନଙ୍କ ଭିତରେ ଖୁବ୍ ଥଟ୍ଟା ପରିହାସ ଚାଲେ । କଠିନ ପରିଶ୍ରମ କରି ସ୍ୱାଧୀନ ଭାବରେ ଆପଣା–ଲୋକଙ୍କର ସେବା କରିବାରେ ଯେଉଁ ଆନନ୍ଦ, ଯେଉଁ ଉଲ୍ଲାସ ସେଥିରେ ତା ପେଟ ଭରିଯାଏ । ଛୋଟ ପିଲାଟି ନିଜ ଗୋଡ଼ରେ ଛିଡ଼ା ହୋଇପାରିଲେ ଯେମିତି ଆନନ୍ଦରେ ତାଳିମାରେ, ଝୁନିଆ ମନରେ ସେମିତି ଆତ୍ମବିଶ୍ଵାସର ଅପୂର୍ବ ଲହରୀ ନାଚିଉଠେ । ମନ ଖୁସି ରହିଲେ ଦେହ ଭଲରହିବା ସାଧାରଣ କଥା ! ମାସକ ଭିତରେ ଝୁନିଆର ଚେହେରା ଗୋଟାପଣେ ବଦଳିଗଲା-! ଦେହ ମୁଣ୍ଡରେ ତା’ର ଆଉ ଉଦାସୀନତାର ଛାୟାପର୍ଯ୍ୟନ୍ତ ରହିଲା ନାହିଁ, ଶୁଖିଲା ଗାଲରେ ରକ୍ତର ଲାଲିମା ଖିଲୀ ଉଠିଲା । ସତେ ଯେମିତି ଅଭାବ ଅପମାନର ଅନ୍ଧକାରରେ ଦିନକୁଦିନ ମଉଳି ଯାଉଥିବା ଯୌବନ ତା’ର ଉଜ୍ଜଳ ଆଲୋକ ଓ ମଳୟପବନରେ ବଉଳି ଉଠିଲା । ଏବେ ଆଉ ମନରେ ତା’ର କୌଣସି ଦୁଃଖ, କୌଣସି ଚିନ୍ତା ନଥିଲା । ପିଲାର ସାମାନ୍ୟ ପାଟି ଟିକିଏ ଶୁଣିଲେ ସେ ଚିଡ଼ି ଯାଉଥିଲା । ଏବେ ମନରେ ତା’ର ଅସୀମ ଧୈର୍ଯ୍ୟ, ଅସୀମ ପ୍ରେମ ଦେଖା ଦେଇଥିଲା ।

 

ଗୋବରା ଦିନକୁଦିନ ଭଲ ହୋଇ ଯାଉଥିଲେ ବି ମନରେ ତା’ର ବିଶେଷ ପ୍ରସନ୍ନତା ନଥିଲା । ମଣିଷ ଯଦି ଭଲବେଳେ ନିଜ ଲୋକ ଉପରେ ଅତ୍ୟାଚାର କରେ, ତେବେ ବିପଦବେଳେ ସେହିସବୁ କଥା ମନେପଡ଼ି ଭାରି ଖରାପ ଲାଗେ, ପୁଣି ଆସ୍ତେ ଆସ୍ତେ ଜ୍ଞାନ ଉଦୟ ହୋଇଯାଏ । ଅତୀତ ଅତ୍ୟାଚାରକୁ ପାଶୋରି ଦେଇ ସୁନ୍ଦର ଭବିଷ୍ୟତ ଗଢ଼ିବାପାଇଁ ମଣିଷ ତିଆର ହୋଇଯାଏ-। ଗୋବରାର ଏବେ ସେହି ଦଶା ଆସି ପହଞ୍ଚିଲା । ନିଜ ଲୋକଙ୍କର କେମିତି ସେ ସେବା କରିବ ସେହି ଚିନ୍ତାରେ ସେ ବ୍ୟାକୁଳ ହୋଇ ଉଠିଲା । ଅତୀତରୁ ସବୁ କଠିନତା ସବୁ ଅଭିମାନ ଉଭେଇଯିବା ସଙ୍ଗେ ସଙ୍ଗେ କୋମଳ ନମ୍ରତାରେ ପ୍ରାଣ ତା’ର ପୂରି ଉଠିଲା । ଏବେ ସେ ଠିକ୍ ଜାଣିଲା ଯେ ଜୀବନରେ ସେବା କରିବାର ସମୟ ତା’ର ଆସିଛି । ଏ ସୁଯୋଗ ଆଉ ସେ ଛାଡ଼ିବ ନାହିଁ ।

Image

 

Unknown

ଅଷ୍ଟବିଂଶ ପରିଚ୍ଛେଦ

 

ଚିନିକଳ ଷ୍ଟ୍ରାଇକ୍ ଦେଖି ଖନ୍ନା ସାହେବଙ୍କୁ ଭାରି ଖରାପ ଲାଗିଲା । କାରଣ ନିଜକୁ ସେ ଜଣେ ଲୋକପ୍ରତିନିଧି ବୋଲି ଭାବନ୍ତି ଏବଂ ଲୋକଙ୍କ ସଙ୍ଗରେ ମିଳିମିଶିକରି ରହିବାକୁ ଚାହାନ୍ତି । ଗଲା ଆନ୍ଦୋଳନରେ ବିଶେଷ ଭାଗନେଇ ରାଜ୍ୟରେ ତାଙ୍କର ଖୁବ୍ ନାଁ ହୋଇ ଯାଇଥିଲା, ଥରେ ଦି’ଥର ଜେଲ୍ ମଧ୍ୟ ଯାଇଥିଲେ । ତା’ଛଡ଼ା ନିଜର ଯାହାହେଉ ପଛେ କମ୍ପାନୀ ଲୋକଙ୍କର ଲାଭ ଦେଖିବା ତ ପୁଣି ତାଙ୍କର ଗୋଟାଏ କର୍ତ୍ତବ୍ୟ । ଯାହାହେଲେ ବି ତ ସେ ପୁଣି ଗୋଟାଏ ବ୍ୟବସାୟ-। ଶହେକେ କୋଡ଼ିଏ ଲାଭହେବା ଆଶାରେ ସିନା ଲୋକେ କମ୍ପାନୀ ହୋଇ ଟଙ୍କା ଗଢ଼ିଛନ୍ତି, କିଛି ନ ହେଲେ ଶହେକେ ଦଶ ତ ଅନ୍ତତଃ ହେବା ଉଚିତ । ଡାଇରେକ୍ଟରଙ୍କ ସଙ୍ଗରେ ମିଶି ଯଦି ସେ ଏତିକି କରି ନ ପାରିଲେ ଲୋକେ ତାଙ୍କୁ ନିଶ୍ଚୟ ଧପାବାଜ ବୋଲି କହିବେ । କମ୍ପାନୀର ଲାଭପାଇଁ ସେ ନିଜ ଦରମା ବି କମ୍ କରିଦେଇଥିଲେ । ମୋଟେ ହଜାରେ ଟଙ୍କା ନେଉଥିଲେ । ତା’ସାଙ୍ଗକୁ ଅବଶ୍ୟ କମିଶନି କିଛି କିଛି ମିଳୁଥିଲା । ମୂଲିଆମାନଙ୍କ କାମର ସିନା କିଛି ମୂଲ୍ୟ ନାହିଁ ବୋଲି ସେମାନେ କମ୍ ଦରମା ନେବେ, ଡାଇରେକ୍ଟରଙ୍କ ପରି ଲୋକଙ୍କର ମଗଜ ତ ହେଉଛି ଏକା ଲକ୍ଷେ ଟଙ୍କା, ସେଥିପାଇଁ ସେମାନଙ୍କର ଏତେ ଚଢ଼ା ଦାମ । ମୂଲିଆ ଏବଂ ମାଲିକମାନଙ୍କର ଦରମା କେବେହେଲେ ସମାନ ହୋଇପାରିବ ନାହିଁ । ଏଇ ସାମାନ୍ୟ କଥାଟା କାହିଁକି ମୂଲିଆମାନେ ବୁଝି ନ ପାରି ଏତେ ଝଗଡ଼ା କରୁଥିଲେ, ଖନ୍ନା ସାହେବ ମୋଟେ ବୁଝିପାରିଲେ ନାହିଁ । ଯେତେବେଳେ ଜିନିଷପତ୍ରର ଦରଦାମ୍ କମିଯାଇଛି, ଚାରିଆଡ଼େ ଲୋକେ ବେକାର ହୋଇ ବସିଛନ୍ତି, ମୂଲିଆ ଆସି ଉପରେ ପଡ଼ୁଛନ୍ତି, ସେତେବେଳେ କମ୍ ମୂଲରେ କାମ କରି ନ କରି ଗଣ୍ଡଗୋଳ କରି ଲାଭ କ’ଣ-? ସତ କହିବାକୁ ଗଲେ ମୂଲିଆଙ୍କର ବା ଦୋଷ କ’ଣ-? ସେମାନଙ୍କର ତ ସବୁ କଥାରେ ଖୁସି-। ଏଥିରେ ଅସଲ ନାଟର ଗୋବର୍ଦ୍ଧନ ହେଉଛନ୍ତି, ଓଁକାରନାଥ ଓ ମିର୍ଜା ଖୁର୍ଶିଦ୍ । ମୂଲିଆମୁଣ୍ଡ, ସେମାନେ କ’ଣ ବୁଝୁଛନ୍ତି, ଯେ ଯାହା ମତେଇଦେଲା ସେଥିରେ ମାତି ଯାଉଛନ୍ତି । ବଡ଼ ବଡ଼ ଲୋକେ କିଛି ନାଁ ଆଉ ପଇସା ଆଶାରେ ଦିନ ରାତି ତାଙ୍କୁ ନଚେଇବାରେ ଲାଗିଛନ୍ତି । ସେମାନେ କେବେହେଲେ ଟିକିଏ ଭାବୁ ନାହାନ୍ତି ଯେ, ତାଙ୍କର ଯାହା ଖେଳ, ମୂଲିଆଙ୍କର ତା’ କାଳ । କେତେ ଘର ସେମାନଙ୍କ ଯୋଗୁଁ ମାଟିରେ ମିଶିଯାଉଛି-। ଓଁକାରନାଥଙ୍କର କାଗଜ ନ କଟିଲେ କ’ଣ ଖନ୍ନା ସାହେବ ସେଥିପାଇଁ ଦାୟୀ ? ଆଜି ଯଦି ଲକ୍ଷେ କାଗଜ କଟେ ଏବଂ ପାଞ୍ଚ ଲକ୍ଷ ଟଙ୍କା ଆଦାୟ ହୁଏ, ତେବେ କ’ଣ ଓଁ କାରନାଥ ନିଜ ଖର୍ଚ୍ଚ ନେଇ ବାକି ଟଙ୍କା ସବୁ ବାଣ୍ଟିଦେବେ ? ଏଗୁଡ଼ା ଦୁନିଆଁ ବାହାର କଥା ନୁହେଁ ? ଯେଉଁ ମିର୍ଜା ସାହେବ ଆଜି ଏତେ ଭଲଲୋକି ଦେଖାଉଛନ୍ତି ସେ ତ ପୁଣି ଦିନେ ଲକ୍ଷପତି ଥିଲେ ! ତାଙ୍କ ପାଖରେ ତ ପୁଣି ହଜାର ହଜାର ଲୋକ କାମ କରୁଥିଲେ । ସେ କ’ଣ ସେତେବେଳେ ନିଜ ଖର୍ଚ୍ଚ ମୁତାବକ ଟଙ୍କାନେଇ ବାକି ଟଙ୍କା ମୂଲିଆଙ୍କ ଭିତରେ ବାଣ୍ଟି ଦେଉଥିଲେ ? କାହା ପଇସାରେ ସେତେବେଳେ ସେ ସାହେବାଣୀ ଟୋକୀଙ୍କ ସଙ୍ଗେ ମଜା ଉଡ଼ାଉଥିଲେ ? ଅଫିସରଙ୍କ ସାଙ୍ଗରେ ଭୋଜି ଖାଉଥିଲେ ? ହଜାର ହଜାର ଟଙ୍କାର ମଦ ପିଉଥିଲେ, ବର୍ଷକେ ଥରେ ଫ୍ରାନ୍‍ସ ଇଂଲଣ୍ଡ ଯାଇ ମଉଜ କରୁଥିଲେ ? ଏବେ ଫକଡ଼ରାମ କିନା, ସେଥିପାଇଁ ଗରିବ ମୂଲିଆଙ୍କ ପାଇଁ ପ୍ରାଣ ଖାଲି କାନ୍ଦି ଉଠୁଛି !

 

ଓଁ କାରନାଥ ଓ ମିର୍ଜା ସାହେବଙ୍କ ପରି ନେତାଙ୍କ ପାଇଁ ଖନ୍ନାଙ୍କ ମନରେ ଏତେ ଟିକେ ହେଲେ ଡର ବା ଖାତିର ନଥିଲା । ରାୟସାହେବଙ୍କୁ ବି ସେ ମୋଟେ ମନକୁ ଆଣୁ ନଥିଲେ, କାରଣ ସେ ଯାହା କହିଲେ ବି ରାୟସାହେବ ସେଥିରେ ହଁ ମାରିଦେଉଥିଲେ । ତାଙ୍କ ଚିହ୍ନାମାନଙ୍କ ଭିତରେ ଯଦି ସେ କାହାକୁ ନିରପେକ୍ଷ ବୋଲି ଖାତିର କରୁଥିଲେ, ତେବେ ସେହି ହେଉଛନ୍ତି ଏକା ପ୍ରଫେସର ମେହେତା । ଅବଶ୍ୟ ମାଳତୀଙ୍କ ସଙ୍ଗେ ମେହେତାଙ୍କର ବନ୍ଧୁତା ହେଲାଦିନୁ ଖନ୍ନାଙ୍କର ମେହେତାଙ୍କ ପ୍ରତି ଟିକିଏ ଘୃଣା ଆସିଯାଇଥିଲା । କାରଣ କିଛିଦିନ ଆଗେ ମାଳତୀ ଦେବୀ ତାଙ୍କର ହୃଦୟେଶ୍ୱରୀ ହୋଇଯାଇଥିଲେ । ଯଦିଓ ମାଳତୀଙ୍କୁ ସେ ଖେଳର କଣ୍ଢେଇ ବୋଲି ଭାବିଥିଲେ ତଥାପି ସେହି କଣ୍ଢେଇ ହଜିଗଲେ କିମ୍ବା ଭାଙ୍ଗିଗଲେ ସେ ଯେ ବିକଳ ହୋଇ କାନ୍ଦୁଥିଲେ, ଏଥିରେ ସନ୍ଦେହ ନାହିଁ । ମାଳତୀ ତାଙ୍କ ନିଜଆଡ଼ୁ ତାଙ୍କୁ ବାହାହେବାପାଇଁ ପ୍ରସ୍ତାବ ଦେଇଥିଲେ ବି ବାହାହେବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାନ୍ତା । କୌଣସି ବାହାନା କରି ନାହିଁକରି ଦେଇଥାନ୍ତେ । ଅନ୍ୟାନ୍ୟ ଲୋକଙ୍କ ପରି ଖନ୍ନାଙ୍କର ବି ଦୁଇଟି ରୂପ ଥିଲା; ଗୋଟିଏ ଉତ୍ତମ, ଗୋଟିଏ ଅଧମ । ଉତ୍ତମ ରୂପଟି ଦେଶସେବା ତଥା ଲୋକକଲ୍ୟାଣ, ଅନ୍ୟ ରୂପଟି ଆତ୍ମସେବା, ଆତ୍ମକଲ୍ୟାଣ, ସ୍ୱାର୍ଥ ଏବଂ ବିଳାସ । ଏହି ଦୁଇ ସ୍ଵରୂପ ଭିତରେ ବରାବର ଟଣାଓଟରା ଚାଲିଥିଲା । ଅଧିକାଂଶ ସମୟରେ ଅଧମ ସ୍ଵରୂପର ଜିତାପଟ ହେଉଥିଲା । ସେ ମେହେତାଙ୍କୁ ଭାବିଥିଲେ ଉତ୍ତମ; ମାଳତୀଙ୍କୁ ଭାବିଥିଲେ ଅଧମ । କିନ୍ତୁ ଉଭୟ ସ୍ଵରୂପ ମିଳିଯାଇ ଏବେ ଏକ ହୋଇ ଯାଇଥିଲେ । ସେ ମୋଟେ ବୁଝିପାରୁ ନଥିଲେ ମେହେତାଙ୍କ ପରି ଆଦର୍ଶବାଦୀ ଲୋକ କେମିତି ମାଲଟିପରି ସ୍ତ୍ରୀଙ୍କ ପାଲରେ ପଡ଼ିଥିଲେ । ଅବଶ୍ୟ ଯେତେ ଚେଷ୍ଟା କଲେ ବି ସେ କେବେହେଲେ ଭାବିପାରୁ ନ ଥିଲେ ଯେ ମେହେତା ପାପପ୍ରଣୟ ପାଇଁ ମାଳତୀ ପଛରେ ଗୋଡ଼ାଇଛନ୍ତି । ପୁଣି ଭାବୁଥିଲେ ମାଳତୀଙ୍କର ବୋଧହୁଏ ଆଉ ଗୋଟାଏ କିଛି ସ୍ଵରୂପ ଅଛି, ଯାହାକୁ ସେ ଏ ପର୍ଯ୍ୟନ୍ତ ଦେଖିପାରି ନାହାନ୍ତି ।

 

ଏପାଖ ସେପାଖ ନାନା ପ୍ରକାର ବିଚାର କରି କରି ଶେଷରେ ସେ ଠିକ୍ କଲେ ଯେ ଏ ପ୍ରକାର ପରିସ୍ଥିତିରେ ମେହେତାଙ୍କ ଛଡ଼ା ଅନ୍ୟ କାହାଠୁ ସାହାଯ୍ୟ ମିଳିବା ସମ୍ଭବ ନୁହେଁ । ତାଙ୍କରିଠାରୁ କେବଳ ଉପଦେଶ ନିଆଯାଇପାରେ ।

 

ମେହେତା ସବୁବେଳେ ନାନା କାର୍ଯ୍ୟରେ ବ୍ୟସ୍ତ । ଏଣେ ରାତି ଅଧଯାଏ କାମ କରି ତେଣେ ପୁଣି ପାହାନ୍ତାରୁ ଉଠି କାମ କରନ୍ତି । ସବୁ କାମ ପାଇଁ ତାଙ୍କ ପାଖରେ ସମୟ ଥାଏ । ଟେନିସ୍ ଖେଳ ହେଉ, ଇନଭର୍ସିଟି ଡିବେଟ୍ ହେଉ, ଗ୍ରାମ ସଂଗଠନ ହେଉ, ବିଭା ବନ୍ଦାପନା ହେଉ, ସବୁଠି ମେହେତା ହାଜର ଥାନ୍ତି । ଏବେ କେତେଦିନ ହେଲା ସେ ଗୋଟାଏ ବଡ଼ ଦର୍ଶନଶାସ୍ତ୍ର ଲେଖୁଥିଲେ, ସେ ପ୍ରାୟ ସରି ଆସିଥିଲା । ତା’ ପଛକୁ ଏକ ବୈଜ୍ଞାନିକ ପରୀକ୍ଷାରେ ସେ ମାତିଥିଲେ । ବଗିଚାରେ ବସି ଗଛମାନଙ୍କ ଉପରେ ବିଦ୍ୟୁତ୍ ଚଳେଇ ତାର ଫଳାଫଳ ପରୀକ୍ଷା କରୁଥିଲେ । ଏବେ ଅଳ୍ପଦିନ ତଳେ ଗୋଟାଏ ବିଜ୍ଞାନସଭାରେ ସେ କହିଥିଲେ ଯେ, ଗଛମାନଙ୍କ ଦେହରେ ବିଜୁଳି ଚଳାଇ ଫସଲ ଆମଦାନୀ ସହଜରେ ବଢ଼ାଇ ଦିଆଯାଇପାରେ ।

ଖନ୍ନାଙ୍କ କଥା ସବୁ ଶୁଣିସାରି ମେହେତା ସାହେବ ତାଙ୍କ ଆଡ଼କୁ ତୀକ୍ଷ୍ଣ ଦୃଷ୍ଟି ପକାଇ କହିଲେ–ସରକାର କର ବସେଇଦେଲେ ବୋଲି କ’ଣ ଆପଣ ମଜୁରିଆଙ୍କ ମଜୁରି କାଟିନେବେ ? ଆପଣଙ୍କର ଯାହା ଆପତ୍ତି, ଆପଣ ସରକାରଙ୍କୁ ଜଣାଇ ପାରନ୍ତି । କିନ୍ତୁ ସରକାର ନ ଶୁଣିଲେ ବୋଲି କ’ଣ ମୂଲିଆ ସେଥିପାଇଁ ଦାୟୀ ? ଦୋଷ କରିବେ ସରକାର, ଦଣ୍ଡ ପାଇବେ ମୂଲିଆ ! ଆପଣ କ’ଣ ଭାବିଛନ୍ତି ମୂଲିଆଙ୍କ ମଜୁରୀ ଚାରିଭାଗରୁ ଭାଗେ କମେଇଦେଲେ ସେମାନଙ୍କୁ କଷ୍ଟ ହେବ ନାହିଁ ? ଆପଣ କ’ଣ ଦେଖି ନାହାନ୍ତି ଆପଣଙ୍କ କୁଲି ମଜୁରିଆମାନେ କେମିତିଆ ମଇଳା ଅସନା ଘରେ ରହୁଛନ୍ତି ? ଆପଣ ପରା ସେଠି ପାଞ୍ଚ ମିନିଟଆ ଠିଆ ହୋଇ ପାରିବେ ନାହିଁ ! ସେମାନେ ପରା ଯେଉଁ ଲୁଗା ପିନ୍ଧୁଛନ୍ତି, ସେ ଆପଣଙ୍କ ଯୋତାପୋଛା କନାଠାରୁ ବି ନିହାତି । ସେମାନେ ଯାହା ଖା’ନ୍ତି, ଆପଣଙ୍କ କୁକୁର ବି ଛୁଇଁବ ନାହିଁ । କୁଲି ମଜୁରିଆଙ୍କ ଜୀବନ କ’ଣ, ତାହା ମୁଁ ଅଙ୍ଗେ ନିଭେଇଛି । ଆପଣ ଚାହାନ୍ତି ସେମାନଙ୍କ ପେଟରୁ କାଟି ଆପଣା ସହଯୋଗୀ ମାଲିକମାନଙ୍କର ପେଟ ବଢ଼ାଇବା ପାଇଁ..... ।

ଖନ୍ନା ଟିକିଏ ଅଧୀର ହୋଇ କହିଲେ–ଆପଣ ଭୁଲ ବୁଝିଛନ୍ତି । କମ୍ପାନୀର ସବୁ ସହଯୋଗୀ ତ ଧନୀଲୋକ ନୁହନ୍ତି ? ସେମାନଙ୍କ ଭିତରୁ କେତେକ ଆପଣାର ସବୁ ଧନସମ୍ପତ୍ତି ମିଲରେ ଲଗାଇଦେଇ ବସିଛନ୍ତି । ଏହି ମିଲ୍ ରୋଜଗାର ଛଡ଼ା ସେମାନଙ୍କର ଆଉ ଅନ୍ୟ କୌଣସି ପନ୍ଥା ନାହିଁ । ସେମାନଙ୍କ କଥା ତ ପୁଣି ବିଚାର କରିବାକୁ ହେବ ?

ମେହେତା ଏସବୁ ଶୁଣି ଏମିତି ଉତ୍ତର ଦେଲେ, ସତେ ଯେମିତି ଖନ୍ନାଙ୍କ ଯୁକ୍ତିର ପାହୁଲାଟାକର ମୂଲ୍ୟ ନଥିଲା । ସେ କହିଲେ–ଯେଉଁ ଲୋକମାନେ କମ୍ପାନୀରେ ସେଆର୍ କିଣନ୍ତି ସେମାନେ କେବେହେଲେ ମଜୁରୀଆଙ୍କ ପରି ଦରିଦ୍ର ନୁହନ୍ତି, କିମ୍ବା କେବଳ ମିଲ୍ ପଇସାରେ ଚଳିବାପାଇଁ ଅନାଇ ବସି ନ ଥାନ୍ତି । ହଁ, ପଇସା କମିଗଲେ ସେମାନଙ୍କର ଗୋଟେ ଅଧେ ଚାକର କମିଯାଇ ପାରନ୍ତି, କିମ୍ବା ଘିଅ, ଦୁଧ, ଫଳ ଖାଇବାରେ ଟିକିଏ କମ୍ ହୋଇଯାଇପାରେ କିନ୍ତୁ ସେ ତ ଆଉ ମଜୁରିଆଙ୍କପରି ଭୋକ ଉପାସରେ ମରିଯିବେ ନାହିଁ, କିମ୍ଵା ଛିଣ୍ଡା ଲୁଗା ପିନ୍ଧି ଦାଣ୍ଡରେ ବୁଲିବେ ନାହିଁ । ଯେଉଁ ଲୋକମାନେ ଜୀବନ ଖଟାଇ କାମ କରୁଛନ୍ତି ପଇସା ଖଟାଇଥିବା ଲୋକଙ୍କ ଅପେକ୍ଷା ସେମାନଙ୍କର ଦାବୀ, ସେମାନଙ୍କର ହକ ଯଥେଷ୍ଟ ବେଶି ।

 

ମେହେତା ସାହେବ ଯାହା କହିଥିଲେ ସେହିକଥା ବି ଓଁକାରନାଥ କହିଥିଲେ । ସେହିକଥା ବି ମିର୍ଜା ସାହେବ କହିଥିଲେ, ଗୋବିନ୍ଦୀ ଦେବୀ ମଧ୍ୟ ସେଇକଥା କହିଥିଲେ । କିନ୍ତୁ କାହାରି କଥା ଖନ୍ନା ସାହେବଙ୍କ ମନକୁ ଆସି ନ ଥିଲା । ସେ ଭାବିଥିଲେ ଓଁକାରନାଥ ନିତାନ୍ତ ସ୍ଵାର୍ଥପର, ମିର୍ଜାସାହେବ ସଂପୂର୍ଣ୍ଣ ଦାୟିତ୍ଵହୀନ, ଗୋବିନ୍ଦୀ ତ ସହଜେ ସ୍ତ୍ରୀ ହିସାବରେ ନିତାନ୍ତ ଅଯୋଗ୍ୟା । କିନ୍ତୁ ମେହେତାଙ୍କ ପରି ଜ୍ଞାନୀ ପଣ୍ତିତ ଯେତେବେଳେ ସେଇକଥା କହିଲେ, ଖନ୍ନା ସାହେବଙ୍କୁ ଆଉ କିଛି ବୁଦ୍ଧି ଦିଶିଲା ନାହିଁ ।

 

ମେହେତା ସାହେବ ହଠାତ୍ ପଚାରିଲେ–ଆପଣ ଏ ବିଷୟରେ ଆପଣଙ୍କ ସ୍ତ୍ରୀଙ୍କୁ ପଚାରିଥିଲେ କି ?

 

ଖନ୍ନା ଟିକିଏ ସଂକୁଚିତ ହୋଇ କହିଲେ–ହଁ, ପଚାରିଥିଲି ।

 

‘ସେ କ’ଣ କହିଲେ ?’

 

‘ଏଇ ଆପଣ ଯାହା କହିଲେ ସେୟା ?’

 

‘ମୁଁ ତ ଠିକ୍ ଭାବିଥିଲି ସେ ଏୟା କହିବେ, କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗେ, ଆପଣ ତାଙ୍କପରି ବୁଦ୍ଧିମତୀ ସ୍ତ୍ରୀକୁ ବି ଅଯୋଗ୍ୟା ମନେ କରନ୍ତି ! ଠିକ୍ ଏତିକିବେଳକୁ ମାଳତୀ ଆସି ପହଞ୍ଚିଯାଇ କଥାର ଖିଅ ଧରି କହିଲେ–ଓଃ ! ଆପଣ ବି ଏଠି ବିରାଜମାନ ହୋଇଛନ୍ତି । ଆଚ୍ଛା, କିଛି ପରୁଆ ନାହିଁ । ମୁଁ ଆଜି ମେହେତା ସାହେବଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିଛି । ସବୁ ଜିନିଷ ମୁଁ ହାତରେ ରାନ୍ଧିଛି । ଆପଣ ବି ଚାଲନ୍ତୁ, ଆପଣଙ୍କୁ ବି ମୁଁ ନିମନ୍ତ୍ରଣ କରୁଛି । ସେଇଠି ଆମେ ଗୋବିନ୍ଦୀ ଦେବୀଙ୍କୁ କହିଦେବୁ ସେ ଆପଣଙ୍କ ଭୁଲ୍ କ୍ଷମା କରିଦେବେ ।

 

ଏକଥା ଶୁଣି ଖନ୍ନାଙ୍କୁ ଭାରି ଆଶ୍ଚର୍ଯ୍ୟ ଲାଗିଲା । ଯେଉଁ ମାଳତୀ ନିଜ ହାତରେ ଯୋତା ପର୍ଯ୍ୟନ୍ତ ପିନ୍ଧନ୍ତି ନାହିଁ, ବିଜୁଳୀବତୀର ସ୍ଵିଚ୍ ଟିପିବାପାଇଁ ଯାହାଙ୍କର ଚାକର ଦରକାର, ମଉଜମଜଲିସରେ ମାତିବା ଛଡ଼ା ଆଉ ଦ୍ଵିତୀୟ କଥା ଯେ ଜାଣନ୍ତି ନାହିଁ, ସେ ଆଜି ନିଜ ହାତରେ ରୋଷାଇ କରିଛନ୍ତି ଶୁଣି, ଖନ୍ନା ସାହେବ ବିଲକୁଲ୍ ଅବାକ୍ ହୋଇଗଲେ ।

 

ଟିକିଏ ମୁରୁକି ହସାଦେଇ ଖନ୍ନା କହିଲେ–ହଁ, ଆପଣ ଯଦି ହାତରେ ରାନ୍ଧିଥିବେ ତା’ହେଲେ ମୁଁ ନିଶ୍ଚୟ ଯିବି । ଆପଣଙ୍କୁ ରନ୍ଧନକଳା ବି ଜଣାଅଛି ବୋଲି ମୁଁ କେବେ ଭାବି ନଥିଲି-

 

ମାଳତୀ ବେପରୁଆ ଭାବରେ କହିଲେ–କ’ଣ କରିବି, ମେହେତା ସାହେବ ପରା ସବୁବେଳେ ମୋତେ ଚେଙ୍କି ଚେଙ୍ଗି କରି ଶିଖାଇଦେଲେ । ଆଉ କ’ଣ କରାଯାଏ, ପୁରୁଷମାନେ ଯେତେବେଳେ ଦେବତା ହେଉଛନ୍ତି, ତାଙ୍କ କଥା ନ ମାନିଲେ ଚଳୁଛି କେଉଁଠି ?

 

ଏହି ପ୍ରକାର ପରିହାସରେ ଖୁବ୍ ଖୁସିହୋଇ ଖନ୍ନା ସାହେବ ମେହେତାଙ୍କ ଆଡ଼କୁ ଆଖିମାରି ମାଳତୀଙ୍କୁ କହିଲେ–ଆପଣ ତ କେବେ ପରୁଷଙ୍କୁ ଏତେ ସମ୍ମାନ ଦେବାର ମୁଁ ଜାଣି ନ ଥିଲି !

 

ମାଳତୀ କୌଣସି ପ୍ରକାର ଲଜ୍ଜା ବା ସଙ୍କୋଚ ନ କରି ଖନ୍ନାଙ୍କ କଥାର ଅସଲ ମରମ ବୁଝିପକାଇ କହିଲେ–ନାହିଁ, ଆଗେ ଦେଇ ନ ଥିଲି ଯେ, ଏବେ ଦେଉଛି । ଏବେ ଯେଉଁ ପୁରୁଷମାନଙ୍କ ସଙ୍ଗରେ ମୋର ବନ୍ଧୁତା ଥିଲା ସେମାନଙ୍କ ଅପେକ୍ଷା ମେହେତା ସାହେବ ଢେର ସୁନ୍ଦର । ପୁରୁଷ ହୃଦୟ ଏତେ ସୁନ୍ଦର, ଏତେ କୋମଳ..... ।

 

ମେହେତା ଟିକିଏ ଅପ୍ରସ୍ତୁତ ହେଲାପରି ଦୀନଭାବ ପ୍ରକାଶ କରି କହିଲେ–ମାଳତୀ, ଦୟାକରି ମୋତେ ଆଉ ଅଧିକ ଅପମାନିତ କର ନାହିଁ । ତମେ ଯଦି ଆଉ କିଛି କହ, ତା’ହେଲେ ମୁଁ ଏଠୁ ଚାଲିଯିବି ।

କୌଣସି ନୂଆ ଦୀକ୍ଷା ନେଇଥିଲେ ଲୋକେ ଯେମିତି ସ୍ଥାନ ଅସ୍ଥାନ, ଭଲମନ୍ଦ କିଛି ବାଛବିଚାର ନ କରି କେବଳ ଆପଣା ଦୀକ୍ଷା କଥା ଗପିବସନ୍ତି, ମାଳତୀ ସେମିତି ଆଜିକାଲି ଯାହାକୁ ଭେଟୁଥିଲେ ତା ଆଗରେ ମେହେତାଙ୍କ ସଦଗୁଣ ଗାଇ ବସୁଥିଲେ । ଯଦିଓ ମେହେତା ବଡ଼ ବଡ଼ ସମାଲୋଚନା ସହଜରେ ସହି ପାରନ୍ତି, କିନ୍ତୁ ଏ ପ୍ରକାର ଆତ୍ମପ୍ରଶଂସା ସହି ପାରନ୍ତି ନାହିଁ-। ମାଳତୀଙ୍କ କଥା ଶୁଣିଲାମାତ୍ରେ ସେ ଚୁପ୍ ରହିଯାନ୍ତି, ସଙ୍ଗେ ସଙ୍ଗେ ତାଙ୍କ ମୁହଁ କଳା ପଡ଼ିଯାଏ-। ମାଳତୀ ତ ଭାରି ଖୋଲା ଲୋକ, ପେଟରେ ତାଙ୍କର କିଛି ରହେ ନାହିଁ । ସୁନ୍ଦର ଶାଢ଼ିଟିଏ ପାଇଲେ ସାଙ୍ଗେ ସାଙ୍ଗେ ତାକୁ ଯେମିତି ସେ ପିନ୍ଧି ପକାନ୍ତି, ଭଲ କଥାଟାଏ ଶୁଣିଲେ ସାଙ୍ଗେ ସାଙ୍ଗେ ସେମିତି କହି ବୁଲନ୍ତି ।

ମାଳତୀ ମେହେତାଙ୍କ ପାଖକୁ ଆହୁରି ଲାଗିଆସି ତାଙ୍କ ପିଠିରେ ହାତ ପକାଇ ଆଶ୍ଵାସନା ଦେଲାପରି କହିଲେ–ନାହିଁ, ଚାଲିଯିବା ଦରକାର ନାହିଁ । ମୁଁ ତମର କିଛି କ୍ଷତି କରିବି ନାହିଁ । ଜଣାପଡ଼ୁଛି, ପ୍ରଶଂସା ଅପେକ୍ଷା ନିନ୍ଦାକୁ ତମେ ବେଶି ପସନ୍ଦ କର । ତାହେଲେ ନିନ୍ଦା ଏବେ ଦିପଦ ଶୁଣ–ବୁଝିଲେ ଖନ୍ନା ସାହେବ, ଆଜିକାଲି ଏ ମହାଶୟ ମୋ ଉପରେ ତାଙ୍କ ପ୍ରେମ ଜାଲ ପକାଇବା ପାଇଁ...

ସେମାନେ ଯେଉଁଠି ଛିଡ଼ା ହେଇଥିଲେ, ଚିନି କଳର ଚେମିଣୀ ସେଠିକି ସଫା ଦେଖାଯାଉଥିଲା, ସତେ ଯେମିତି ଖନ୍ନା ସାହେବଙ୍କର ଏକ କୀର୍ତ୍ତି–ସ୍ତମ୍ଭ । ତାକୁ ଚାହିଁ ଖନ୍ନା ସାହେବଙ୍କ ଛାତି ଗୌରବରେ ଫୁଲି ଉଠୁଥିଲା । ସେତେବେଳକୁ ତାଙ୍କର ଅଫିସ୍ ଯିବାବେଳ ହୋଇ ଯାଇଥିଲା । ସେଠି ସେଦିନ ଡାଇରେକ୍ଟରମାନଙ୍କର ଗୋଟେ ମିଟିଂ ବସିବାର ଥିଲା । ମିଟିଂକୁ ଯାଇ ଡାଇରେକ୍ଟରମାନଙ୍କୁ ମିଲ୍‍ର ଅବସ୍ଥା ସମ୍ପର୍କରେ ସମ୍ବାଦ ଦେବାର ଦାୟୀତ୍ୱ ଖନ୍ନା ସାହେବଙ୍କ ଉପରେ ଥିଲା ।

ହଠାତ୍ ଦେଖାଗଲା ଚେମିଣୀ ପାଖରେ ଖୁବ୍ ଜୋରରେ ଧୂଆଁ ଉଠୁଛି । ଦେଖୁ ଦେଖୁ ମୁହୂର୍ତ୍ତକ ମଧ୍ୟରେ ଆକାଶ ଗୋଟାଯାକ ଧୂଆଁ ପୂରିଗଲା । କେଉଁଠି ନିଆଁ ଲାଗିଥିଲା ପରି ଜଣାଗଲା । ମିଲ୍ ଆଡ଼କୁ ହଜାର ହଜାର ଲୋକ ଦୌଡ଼ୁଥିବାର ଦେଖି ଖନ୍ନା ସାହେବ ପାଟି କରି ପଚାରିଲେ–ଆରେ ଏ, କୁଆଡ଼େ ଧାଇଁଛକି ସବୁ ?

ଜଣେ ଲୋକ ଅଟକି ଯାଇ କହିଲା–ଆପଣ ଅନେଇଛନ୍ତି କଣ, ତେଣେ ପରା ଚିନି କଳରେ ନିଆଁ ଲାଗିଗଲାଣି ।

ଏକଥା ଶୁଣି ମେହେତା ସାହେବ ଖନ୍ନାଙ୍କୁ ଅନେଇ ରହିଲେ । ମାଳତୀ ଦଉଡ଼ି ଯାଇ ତାଙ୍କ ଯୋତା ପିନ୍ଧି ବାହାରି ଆସିଲେ । କାହାକୁ ଏଥିରେ କହିବାର ବା କଣ ଥିଲା । ଚୁପ୍ ଚାପ୍ ଖନ୍ନାଙ୍କ ଗାଡ଼ିରେ ଚଢ଼ି ତିନିହେଁଯାକ ମିଲ୍ ଆଡ଼କୁ ଦୌଡ଼ିଲେ । ରାସ୍ତାରେ ଏତେ ଲୋକ ଭିଡ଼ ହୋଇଥିଲେ ଯେ ଗାଡ଼ି ନେଇ ବେଶି ବାଟ ଯିବା ସମ୍ଭବ ହେଲାନି ।

ମେହେତା ହଠାତ୍ ପଚାରିଲେ–ମିଲ୍‍ର ନିଆଁ ଇନ୍‍ସୁରାନସ୍ କରେଇ ନେଇଛନ୍ତି ନା ନାହିଁ-?

ଖନ୍ନା ଏକ ଦୀର୍ଘନିଃଶ୍ୱାସ ପକେଇ କହିଲେ–କାହିଁ ଭାଇ, ନିଆଁ ବୀମା ହୋଇଛି କାହିଁ ? ଲେଖାପଢ଼ା ତ ଚାଲିଥିଲା, ହଠାତ୍ ଏମିତି ବିପଦ ଆସି ପଡ଼ିବ ବୋଲି କିଏ ଜାଣିଥିଲା !

ରାସ୍ତାରେ ଗାଡ଼ି ଛାଡ଼ିଦେଇ ତିନିକି ତିନିହେଁ ମିଲ୍ ପାଖକୁ ଦୌଡ଼ିଲେ । ଯାଇ ପହଞ୍ଚିଛନ୍ତି ତ ଦେଖିଲେ ଅଗ୍ନିର ଭୀଷଣ ଶିଖା ଆକାଶକୁବୋଲି ଲାଗି ରହିଛି । ତଳଗୋଟାଯାକ ଧୂଆଁରେ ଶ୍ରାବଣ ମେଘପରି ଛାଇ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସାଙ୍ଗରେ ପୋଲିସ ଦଳ, ଫାୟାର ବିଗ୍ରେଡ଼୍, ସେବା ଦଳ ସମସ୍ତେ ଗଦା ହୋଇଛନ୍ତି । କିନ୍ତୁ ନିଆଁର ପ୍ରତାପ ଦେଖି ସମସ୍ତେ ହାତବାନ୍ଧି ନିରାଶ ହୋଇ ଛିଡ଼ା ହୋଇଛନ୍ତି । ଜଣା ପଡ଼ୁଥିଲା ଯେମିତି ଫାୟାର ବ୍ରିଗେଡ଼ର୍ ପାଣିଛିଟା ନିଆଁରେ ପଡ଼ି କୁଆଡ଼େ ଉଭେଇ ଯାଉଥିଲା । ଇଟା, ପଥର, ଲୁହା, କଡ଼ି ସହିତେ ହାଉ ହାଉ ଜଳି ଉଠୁଥିଲା । ଚିନି ସବୁ ତରଳି ଚାରିଆଡ଼େ ବହି ଯାଉଥିଲା । ଆଉ କଥା ତେଣିକି ଥାଉ, ଭୂଇଁ ସହିତେ ଜଳି ଯାଉଥିଲା ।

ପହିଲେ ତ ମେହେତା ସାହେବ ଆଉ ଖନ୍ନା ସାହେବ ଆଶ୍ଚର୍ଯ୍ୟ ହେଉଥିଲେ, ଏତେ ଲୋକ ଛିଡ଼ା ହୋଇ କିଛି କରୁନାହାନ୍ତି କାହିଁକି, କିନ୍ତୁ ନିଜେ ଯେତେବେଳେ ମିଲ୍ ପାଖକୁ ଚାଲି ଆସିଲେ ସେତେବେଳେ ସବୁକଥା ଠିକ୍ ଜାଣି ପାରିଲେ । ମିଲ୍‍ର ପଚାଶ ଗଜ ଭିତରେ ଛିଡ଼ା ହେବା ଅସମ୍ଭବ ହୋଇ ପଡ଼ିଲା । ଇଟାପଥର ବି ଜଳିକରି ଟିହିଙ୍କି ପଡ଼ୁଥିଲା । ଥରେ ଥରେ ଯେତେବେଳେ ପବନ ପିଟି ଦେଉଥିଲା, ସେତେବେଳେ ଲୋକେ ପ୍ରାଣବିକଳରେ ଭାଗି ପଳାଉଥିଲେ ।

ମେହେତା ଏବଂ ଖନ୍ନା ସାହେବ ଲୋକମାନଙ୍କ ପଛରେ ଛିଡ଼ା ହୋଇଥିଲେ । କଣ କରିବେ କିଛି ବୁଦ୍ଧି ଦିଶୁ ନ ଥିଲା । ନିଆଁ ଲାଗିଲା କେମିତି, ଏତେ ଚଞ୍ଚଳ ଏଡ଼େ ପ୍ରବଳ ହେଲା, କିଛି ବୁଝିପାରୁ ନ ଥିଲେ । ସମସ୍ତେ ଏଇ କଥା ମନେ ମନେ ଭାବୁଥିଲେ କିନ୍ତୁ କେହି କାହାକୁ କିଛି କହିପାରୁ ନ ଥିଲେ । ସମସ୍ତେ ଭାବୁଥିଲେ, ମିଲ୍ କର୍ମଚାରୀ କେହିହେଲେ ନିଆଁ ଲଗେଇଥିବ, କିନ୍ତୁ ଏତେ ହୋ ହା, ଘୋ ଘା, ରେ ସେ କଥା ପଚାରି ଯାଉଛି କିଏ ?

ହଠାତ୍ ଏମିତି ଗରମ ପବନ ପିଟିଲା ଯେ, ଜୀବନ ଧରି ପଳାଉ, ପଳାଉ ଲୋକଙ୍କୁ ତର ସହିଲାନି । ତା’ ଉପରେ ଲୋକ ପଡ଼ି ଖଣ୍ଡିଆଖାବରା ହୋଇଗଲେ । ସତେ ଯେମିତି ନିଆଁ ଭିତରେ ଶତ ସିଂହର ବଳ ଏବଂ ସହସ୍ର ସର୍ପର ବିଷାକ୍ତ ଜ୍ଵାଳା ଭରି ରହିଥିଲା । ଲୋକଙ୍କ ଦଉଡ଼ ଭିତରେ କେତେ ଲୋକ ଯେ ଚିପିହୋଇ ମରିଗଲେ ତା’ର ଠିକଣା ରହିଲା ନାହିଁ । ଠେଲାପେଲାରେ ଖନ୍ନା ସାହେବ ମୁହଁମାଡ଼ି ପଡ଼ିଗଲେ । ମାଳତୀଙ୍କୁ ମେହେତା ସାହେବ ଯଦି ଧରି ନ ପକେଇ ଥାଆନ୍ତେ ତା’ ହେଲେ ସେ ବି ସେହି ଠେଲାପେଲାରେ କୁଆଡ଼େ ଚାପିହୋଇ ଶେଷ ପାଇଯାଇ ଥାଆନ୍ତେ । ତିନିହେଁଯାକ ପଲେଇଆସି ହତା ପାଖରେ ଗୋଟାଏ କଇଁଆଗଛ ମୂଳେ ଛିଡ଼ା ହୋଇଗଲେ । ଖନ୍ନା ସାହେବ ନିର୍ବାକ୍ ହୋଇ ମିଲ୍ ଚେମେଣୀ ଆଡ଼କୁ ଅନେଇ ରହିଲେ ।

ମେହେତା ପଚାରିଲେ–ଆପଣ ଏଡ଼େ ଜୋରରେ ପଡ଼ିଗଲେ, କିଛି ହୋଇନାହିଁ ତ ? ଖନ୍ନା କିଛି ଉତ୍ତର ନ ଦେଇ ଖାଲି ଜଳଜଳ କରି ଅନେଇ ରହିଲେ । ସତେ ଯେମିତି ତାଙ୍କ ଦେହରୁ ନାରାୟଣ ପୁରୁଷ ଉଭେଇ ଯାଇଥିଲେ ।

ମେହେତା ତାଙ୍କ ହାତ ଧରିପକେଇ କହିଲେ–ଆପଣଙ୍କୁ ବୋଧେ ଖୁବ୍ କଷ୍ଟ ହୋଇଛି । ଏଠି ମିଛରେ ଛିଡ଼ା ହୋଇ କିଛି ଲାଭ ନାହିଁ । ଚାଲନ୍ତୁ ଫେରିଯିବା ।

 

ଖନ୍ନା ସାହେବ ମେହେତାଙ୍କୁ ଚାହିଁ କହିଲେ–ଏସବୁ କାଣ୍ଡ ଯେଉଁମାନେ ଭିଆଇଛନ୍ତି, ମତେ ଖୁବ୍ ଜଣା, ହେଲେ, ଏଥିରେ ତାଙ୍କର କିଛି ଲାଭ ହେବ ନାହିଁ । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । କିନ୍ତୁ ମୋର ଏଥିକୁ ମୋଟେ ଖାତିର ନାହିଁ । ମୁଁ ଆଜି ଚାହିଲେ ପୁଣି କାଲି ନୂଆ ମିଲ୍ ଠିଆ କରିଦେବି । ଲୋକମାନେ ମତେ କ’ଣ ବୋଲି ଭାବୁଛନ୍ତି କି ? ମିଲ୍ ତ ମୋତେ ତିଆରି କରି ନ ଥିଲା, ମୁଁ ମିଲ୍‍କୁ ତିଆର କରିଥିଲି । ଚାହିଲେ ପୁଣି ଏମିତି କେତେ ମିଲ୍ ଠିଆ କରିଦେବି । କିନ୍ତୁ ଯେଉଁ ଲୋକମାନେ ମୋର କ୍ଷତି କରିବାକୁ ଚାହିଛନ୍ତି ସେମାନଙ୍କୁ ମୁଁ ମାଟିରେ ମିଶାଇ ଦେଲେ ଯାଇଁ ଛାଡ଼ିବି । ମୋତେ ସବୁ କଥା ଜଣା ଅଛି, କୋଉ କଥା ଅଛପା ନାହିଁ ।

 

ଖନ୍ନାଙ୍କ ଭାବଭଙ୍ଗୀ ଦେଖି ମେହେତା କହିଲେ–ଚାଲନ୍ତୁ ଘରକୁ ଚାଲିଯିବା । ଆପଣଙ୍କ ଦେହ ବୋଧହୁଏ ଭଲ ନାହିଁ ।

 

ଖନ୍ନା ସାହେବ କୁହାଟ ମାରିଲା ପରି କହିଲେ–ଆପଣ କ’ଣ ଭାବିଛନ୍ତି ମିଲ୍‍ରେ ନିଆଁ ଲାଗିଗଲା ବୋଲି ମୋ’ ଦେହ ଖରାପ ହୋଇଗଲା । ମୋର ସେଥିପାଇଁ ତିଳେ ମାତ୍ର ଖାତିର ନାହିଁ-। ମୁଁ ଚାହିଲେ ଆଜିକି ଆଜି ମିଲ୍ ଛିଡ଼ା କରେଇଦେବି । ପ୍ରଥମ ମିଲ୍‍ରେ ମୁଁ ଶତକଡ଼ା କୋଡ଼ିଏ ଟଙ୍କା ଲାଭ ଦେଇଥିଲି । ଏବେ ପୁଣି ମୋର ସବୁଟଙ୍କା ଖଟେଇ ଏହି ନୂଆ ମିଲ୍‍କୁ ତିଆର କରିଥିଲି । ଏହି ମିଲ୍ ପାଇଁ ବ୍ୟାଙ୍କରୁ ମୁଁ ଦୁଇଲକ୍ଷ ଟଙ୍କା କରଜ କରିଛି । ଏହି ଘଣ୍ଟାକ ପୂର୍ବରୁ ମୁଁ ଦଶ ଲକ୍ଷ ଟଙ୍କାର ମାଲିକ ଥିଲି, ଯଦିଓ ବର୍ତ୍ତମାନ ମୁଁ ଫକଡ଼ରାମ । ମୋତେ ବ୍ୟାଙ୍କକୁ ଦି’ ଲକ୍ଷ ଟଙ୍କା ସୁଝିବାକୁ ହେବ । ମୁଁ ଯେଉଁ ଘରେ ରହୁଛି ସେ ଘର ମୋର ନିଜର ନୁହେଁ, କିମ୍ବା ଯେଉଁ ବାସନରେ ମୁଁ ଖାଇଛି ସେ ବି ମୋର ନିଜର ନୁହେଁ, ମୋର ବର୍ତ୍ତମାନ ଆଉ କିଛି ଉପାୟ ନାହିଁ-। ମତେ ଏବେ ବ୍ୟାଙ୍କରୁ ବାହାର କରି ଦିଆଯିବ । ଦୁନିଆରେ ମୋର ଆଉ କେଉଁଠି ଠାବ ରହିବ ନାହିଁ । ବନ୍ଧୁମାନେ ଅବହେଳା କରିବେ ଯେତିକି, ଶତ୍ରୁ ବି ହସିବେ ସେତିକି । ଆପଣ ବୋଧେ ଜାଣନ୍ତି ନାହିଁ ମେହେତା ସାହେବ, ମୋ’ ବିବେକକୁ ମୁଁ କିପରି ଭାବରେ ହତ୍ୟା କରିଛି । ମୁଁ କେତେ ଲାଞ୍ଚ ଖାଇଛି ଓ କେତେ ଦେଇଛି । ଗରିବ ପ୍ରଜାଙ୍କ ଆଖୁ ଚଉଲିଲାବେଳେ ଟାଣୁଲୋକ ରଖି ସେମାନଙ୍କୁ କେତେ ହଇରାଣ କରିଛି । ଆଜି ଶତ୍ରୁମାନେ ପେଟପୁରେଇ ହସନ୍ତୁ, ବନ୍ଧୁବାନ୍ଧବ ଆହା କରନ୍ତୁ, ଯା’ ମନ ଯା’ ପାଉଛି ଗାଳି ଦିଅନ୍ତୁ । ଏସବୁ କଥା ଆଖିରେ ଦେଖିବାପାଇଁ ଓ କାନରେ ଶୁଣିବାପାଇଁ ଖନ୍ନା ଆଉ ବଞ୍ଚିରହିବାକୁ ଚାହେ ନାହିଁ । ଖନ୍ନା ନିର୍ଲଜ୍ଜ ନୁହେଁ, ବେହିୟା ନୁହେଁ-

 

ଏହା କହୁ କହୁ ଖନ୍ନାସାହେବ ମୁଣ୍ଡପିଟି ପାଟିକରି କାନ୍ଦିବାକୁ ଲାଗିଲେ ।

 

ମେହେତା ସାହେବ ତାଙ୍କୁ କୁଣ୍ଢେଇ ପକେଇ ଭାରି ଦୁଃଖିତ ହୋଇ କହିଲେ–ଖନ୍ନା ସାହେବ, ଆପଣ ଏମିତି ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ବୁଝିବାସୁଝିବା ଲୋକ ଏମିତି ଅଧୀର ହେଲେ ଚଳିବ କେମିତି ? ଖାଲି ଟଙ୍କାପଇସା ଯୋଗରୁ ଲୋକଙ୍କୁ ସମ୍ମାନ ମିଳେ ନାହିଁ । ଟଙ୍କା ପଇସାର ସମ୍ମାନ ଖାଲି ଟଙ୍କାପଇସାକୁ ମିଳେ, ଲୋକକୁ ମିଳେ ନାହିଁ । ଆପଣ ଦରିଦ୍ର ହୋଇ ମଧ୍ୟ ଶତ୍ରୁ ମିତ୍ର ଉଭୟଙ୍କର ବିଶ୍ୱାସଭାଜନ ହୋଇପାରନ୍ତି । ବରଂ ଆଜି ଆଉ କେହି ଆପଣଙ୍କର ଶତ୍ରୁ ହୋଇ ରହିବେ ନାହିଁ । ଚାଲନ୍ତୁ ଘରକୁ ଯିବା । ଟିକିଏ ବିଶ୍ରାମ ନେଇଗଲେ ଆପଣଙ୍କ ମନ ସୁସ୍ଥ ହୋଇଯିବ ।

 

ଖନ୍ନା ଚୁପ୍ ରହିଲେ । ତିନିଜଣଯାକ ମଟରରେ ବସି ଖନ୍ନାଙ୍କ ଘରେ ଯାଇ ପହଞ୍ଚିଗଲେ-

 

ଗାଡ଼ିରୁ ଓହ୍ଲାଇଲାମାତ୍ରେ ଖନ୍ନା ଶାନ୍ତଭାବରେ କହିଲେ–ମେହେତା ସାହେବ, ଆପଣ ଏ ଗାଡ଼ିଟିକୁ ନେଇଯାନ୍ତୁ, ମୋର ଆଉ ଏଥିରେ କିଛି ଆବଶ୍ୟକତା ନାହିଁ ।

 

ମାଳତୀ ଓ ମେହେତା ଦୁହେଁଯାକ ବି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ।

 

ମାଳତୀ କହିଲେ–ଚାଲନ୍ତୁ, ଆପଣ ଟିକିଏ ବିଶ୍ରାମ ନିଅନ୍ତୁ । ସମସ୍ତେ ବସି ଆମେ ଗପସପ କରିବା, ଆମର ଘରକୁ ଯିବାପାଇଁ ବର୍ତ୍ତମାନ କିଛି ତରତର ନାହିଁ ।

 

ଖନ୍ନା କୃତଜ୍ଞ ହେଲାପରି ତାଙ୍କୁ ଚାହିଁ କରୁଣ କଣ୍ଠରେ କହିଲେ–ମାଳତୀ ଦେବୀ, ତମ ପାଖରେ ମୁଁ ଯେଉଁ ଭୁଲ୍ କରିଛି ମତେ ନିଶ୍ଚୟ ତମେ କ୍ଷମା ଦେବ । ତମେ ଆଉ ମେହେତା, ତମ ଦୁହିଁଙ୍କ ଛଡ଼ା ଏ ଦୁନିଆରେ ମୋର ଆଉ କେହି ଆଶାଭରସା ନାହିଁ । ମୋର ଆଶା ମୋ’ ପ୍ରତି ତୁମ ମାନସମ୍ମାନ ଅକ୍ଷୁଣ୍ଣ ରହିବ । ବୋଧହୁଏ ପାଞ୍ଚ ଦଶ ଦିନରେ ମୋ’ କୋଠା ବିକ୍ରୀ ହୋଇଯିବ । କପାଳ ସତେ ମୋର କେଡ଼େ ହୀନ !

 

ମେହେତା କହିଲେ–ସତ କହୁଛି ଖନ୍ନା ସାହେବ, ମୋ ଦୃଷ୍ଟିରେ ଆପଣଙ୍କ ସମ୍ମାନ ଆଜି ଯେତେ ବଢ଼ିଯାଇଛି, ଆଉ କେଭେହେଲେ ଏପରି ନ ଥିଲା ।

 

ତିନିହେଁଯାକ ଘରେ ପାଦ ଦେଉ ଗୋବିନ୍ଦୀ ଦେବୀ ସବୁ ଜାଣିପାରି ଘରୁ ବାହାରି ଆସି କହିଲେ–ଆପଣମାନେ କ’ଣ ସେଇଠୁ ଆସିଲେ ? ଚାକର ତ ଆସି ମତେ ସବୁ କଥା କହି ଯାଇଥିଲା ।

 

ଖନ୍ନା ସାହେବଙ୍କ ମନରେ ଏମିତି ଏକ ପ୍ରବଳ ପରିବର୍ତ୍ତନ ଜାଗି ଉଠିଲା, ତାଙ୍କର ମନହେଲା ସେ ଗୋବିନ୍ଦୀଙ୍କ ଗୋଡ଼ତଳେ ପଡ଼ି ଆପଣା ଅଶ୍ରୁରେ ତାଙ୍କ ପାଦ ଧୋଇ ଦିଅନ୍ତେ । ଶେଷରେ କାନ୍ଦ କାନ୍ଦ ହୋଇ ସେ କହିଲେ–ହଁ ରାଣୀ, ଆମର ସବୁ ଏବେ ପୋଡ଼ିଜଳି ପାଉଁଶ ହୋଇଯାଇଛି ।

 

ରୋଗୀର ବଞ୍ଚିବାର ଆଶା କ୍ଷୀଣ ହୋଇଗଲାବେଳେ, ସେ ଯେମିତି କାତର ଦୃଷ୍ଟିରେ ବୈଦ୍ୟର ଆଶୀର୍ବାଦ ଖୋଜି ବୁଲେ, ସେହିପରି ଏହି ହତାଶମୟ ମୁହୂର୍ତ୍ତରେ ଖନ୍ନା ସାହେବଙ୍କ ଆତ୍ମା ବିକଳ ହୋଇ ଗୋବିନ୍ଦୀଙ୍କର ସସ୍ନେହ ଆଶୀର୍ବାଦ ଖୋଜି ବୁଲିଲା । ଯେଉଁ ଗୋବିନ୍ଦୀ ଦେବୀଙ୍କ ଉପରେ ଦିନରାତି, ଅନ୍ୟାୟ, ଅତ୍ୟାଚାର, ଅପମାନର ଝଡ଼ ବୁହାଇ ଦେବାପାଇଁ ଖନ୍ନା କେବେହେଲେ ପଶ୍ଚାତ୍‍ପଦ ହେଉ ନ ଥିଲେ । ପ୍ରତିମୁହୂର୍ତ୍ତ ଯାହାଙ୍କର ମୃତ୍ୟୁ କାମନା କରୁଥିଲେ ଏବଂ ଯାହାଙ୍କୁ ଜୀବନର ପ୍ରଧାନ ଅନ୍ତରାୟ ବୋଲି ମନେ କରୁଥିଲେ ଆଜି ତାଙ୍କର ଆଶୀର୍ବାଦ ପାଇଁ ସେ ବ୍ୟାକୁଳ ହୋଇପଡ଼ିଥିଲେ । ତାଙ୍କୁ ଜଣା ପଡ଼ୁଥିଲା ସତେ ଯେମିତି ଗୋବିନ୍ଦୀଙ୍କର ଚରଣ ତାଙ୍କ ପାଇଁ ବର୍ତ୍ତମାନ ସ୍ଵର୍ଗ, ସତେ ଯେମିତି ଗୋବିନ୍ଦୀ ତାଙ୍କ ମଥାରେ ହାତ ଦେଇ ଆଶୀର୍ବାଦ କରିଦେଲେ, ତାଙ୍କର ମୃତ–ପ୍ରାଣ ପୁଣି ଉଜ୍ଜ୍ଜୀବିତ ହୋଇ ଉଠିବ । ନାଆରେ ଗଲାବେଳେ ଯେଉଁ କୁଦରେ ନାଆ ବାଜିଗଲେ ଭାଙ୍ଗିଯିବ ବୋଲି ମଣିଷ ଏତେ ଡରୁଥାଏ, ଦୈବାତ୍ ଯଦି କୌଣସି କାରଣରୁ ନାଆ ଭାଙ୍ଗିଯାଏ, ତେବେ ସେହି କୁଦକୁ ପୁଣି ଆଶ୍ରାକରିବା ଛଡ଼ା ଆଉ କିଛି ଉପାୟ ରହେ ନାହିଁ ।

 

ଗୋବିନ୍ଦୀଦେବୀ ଖନ୍ନା ସାହେବଙ୍କୁ ସୋଫା ଉପରେ ବସେଇ ଦେଇ ସ୍ନେହଭରା କଣ୍ଠରେ ଆଶ୍ୱାସନା ଦେଇ କହିଲେ–ସାମାନ୍ୟ ଧନ ପାଇଁ ତମେ ମନକୁ ଏତେ ପତଳା କରୁଛ କାହିଁକି ? ଯେଉଁ ପାପ ଧନ ପାଇଁ ସଞ୍ଜ ସକାଳ ଏବେ ଧାଁ ଧପଡ଼, ଏତେ ଚିନ୍ତା, ଯା ପାଇଁ ଧାଇଁ ଧାଇଁ ମଣିଷର ସବୁ ସୁଖ ଶାନ୍ତି ନଷ୍ଟ, ତା’ରି ପାଇଁ ଏତେ ମନ କଷ୍ଟ କାହିଁକି ? ଯାହା ପାଇଁ ପିଲା ଛୁଆଙ୍କୁ ପଦେ ପାଟି ଫିଟାଇବାକୁ ତମକୁ ବେଳ ମିଳୁ ନ ଥିଲା, ବନ୍ଧୁବାନ୍ଧବଙ୍କୁ ଚିଠି ଖଣ୍ଡେ ଲେଖିବାକୁ ବେଳ ଅଣ୍ଟୁ ନ ଥିଲା, ତା’ରି ପାଇଁ ଏତେ ଦୁଃଖ କାହିଁକି ? କେଉଁ ବଡ଼ ପଣଟାଏ ଆମର ନଷ୍ଟ ହୋଇଗଲା କି ? ଅବଶ୍ୟ ଆଜିକାଲି ସଂସାରେ ଲୋକେ ଟଙ୍କାକୁ ବଡ଼ ବୋଲି କହୁଛନ୍ତି । ଟଙ୍କା ନ ଥିଲେ ଲୋକେ ପଚାରିବେ ନାହିଁ । ଧନ ଥିବାଯାକ ସମସ୍ତେ ଆସି ଗୋଡ଼ତଳେ ଠିଆ ହେବେ, ଧନ ସରିଗଲେ ଆଡ଼ ଆଖିରେ ଅନାଇବେ ନାହିଁ, ଗୋଡ଼ରେ ଆଡ଼େଇଦେଇ ଚାଲିଯିବେ । କିନ୍ତୁ ପ୍ରକୃତରେ ଦୁନିଆରେ ଯେ ଭଲ ମଣିଷ, ସେ କେବେହେଲେ ଧନ ପାଖରେ ମୁଣ୍ଡ ନୁଆଏଁ ନାହିଁ । ଲୋକେ ପ୍ରକୃତ ଲୋକକୁ ଚିହ୍ନିବାକୁ ଚାହାନ୍ତି । ପ୍ରକୃତରେ ଯେଉଁଲୋକ ନ୍ୟାୟ କହେ, ସଚ୍ଚା କାରବାର କରେ, ନିଜର କ୍ଷତି ସହି ଅନ୍ୟର ଉପକାର କରେ, ସେହି ଲୋକକୁ ସମସ୍ତେ ଆଦର କରନ୍ତି, ପୂଜା କରନ୍ତି । କିନ୍ତୁ ଯେଉଁ ଲୋକ ତାହା ନ କରେ, ଲୋକେ ତାକୁ ଡକାୟତ ମନେକରି ମୁହଁ ଫେରେଇ ନିଅନ୍ତି, ଏବଂ ତା’ର ଶତ୍ରୁ ହୋଇ ଠିଆ ହୁଅନ୍ତି । ଆପଣଙ୍କର ଏଥିରେ ମତାମତ କ’ଣ ମେହେତା ସାହେବ ? ମୁଁ କ’ଣ ଭୁଲ୍ କହୁଛି ?

 

ମେହେତା ସାହେବ ସତେ ଯେମିତି କିଛି ଗୋଟାଏ ସ୍ଵପ୍ନ ଦେଖୁଥିଲେ । ଚମକି ପଡ଼ିଲା ପରି କହିଲେ–ଆପଣଙ୍କ କଥା ପୁଣି କେବେ ଭୁଲ୍ ହେଲାଣି ? ମହାପୁରୁଷମାନେ ଜୀବନସାରା ସାଧନା କରିସାରି ଯେଉଁ ସତ୍ୟ ପ୍ରଚାର କରିଥାନ୍ତି, ଆପଣଙ୍କ କଥା ଠିକ୍ ସେଇପରି ସତ୍ୟ । ବାସ୍ତବରେ ଏହି ହେଉଛି ଜୀବନର ସଚ୍ଚା ସ୍ଵରୂପ ।

 

ଗୋବିନ୍ଦୀଙ୍କ କଥାକୁ କାଟିଦେଇ ଖନ୍ନା ସାହେବ କହିଲେ–ନାହିଁ ଗୋବିନ୍ଦୀ ଦେବୀ, ଖାଲି ଠକି ଭଣ୍ଡି ସମ୍ପତ୍ତି ରୋଜଗାର ହୁଏ ନାହିଁ । ସେଥିପାଇଁ ମଧ୍ୟ ମଣିଷ ଭିତରେ ସଂସାର ଆବଶ୍ୟକ ହୁଏ-। ବିନା ସାଧନା, ବିନା ତପସ୍ୟାରେ ମଣିଷ ଧନ ରୋଜଗାର କରିପାରେ ନାହିଁ । ଧନପାଇଁ ଯେଉଁ ସାଧନା ଦରକାର ମଣିଷ ଯଦି ସେତିକି କରି ପାରୁଥାନ୍ତା, ତେବେ ଭଗବାନ ବି ମିଳି ଯାଇଥାନ୍ତେ-। ମନୁଷ୍ୟର ସମସ୍ତ ମାନସିକ, ବୌଦ୍ଧିକ ଏବଂ କାୟିକ ବିକାଶର ସମନ୍ଵୟ ହିଁ ଧନ ।

 

ଗୋବିନ୍ଦୀ ଦେବୀ କୌଣସି ପ୍ରତିବାଦ ନ କରି ଏକ ମଧ୍ୟମପନ୍ଥା ଅବଲମ୍ବନ କରି କହିଲେ–ହଁ, ଏକଥା କେହି କହୁନାହିଁ ଯେ ଧନପାଇଁ ସାଧନାର ଆବଶ୍ୟକତା ନାହିଁ, କିନ୍ତୁ ଲୋକେ ଧନକୁ ଯେତେ ବଡ଼ ବୋଲି ଭାବନ୍ତି, ପ୍ରକୃତରେ ତାହା ସେତେ ବଡ଼ ନୁହେଁ । ମୁଁ ବର୍ତ୍ତମାନ ଭାରି ଖୁସି ଯେ ତମ ମୁଣ୍ଡରୁ ଗୋଟାଏ ବଡ଼ ବୋଝ ଗଲା । ତମ ପିଲାଛୁଆ ଏଥର ମଣିଷ ହେବେ, ବୃଥା ଗର୍ବ, ବୃଥା ଅଭିମାନ ଆପେ ଆପେ କମିଯିବ । ବାସ୍ତବରେ ଅନ୍ୟଙ୍କୁ ଲୁଟି କରିବାରେ ପ୍ରକୃତ ସୁଖ ନାହିଁ, ପ୍ରକୃତ ସୁଖ ଅଛି ଅନ୍ୟଙ୍କୁ ସୁଖୀ କରିବାରେ । ତମେ ଯଦି ପ୍ରକୃତରେ କିଛି ଭୁଲ୍ ନ ଭାବ, ତେବେ ମୁଁ କହିବି ଯେ ପର୍ଯ୍ୟନ୍ତ ତମେ ଆତ୍ମସେବା ଓ ଆତ୍ମବିଳାସରେ ବୁଡ଼ି ରହିଥିଲ, ଭଗବାନ ଏବେ ଦୟାକରି ତମକୁ ସେଥିରୁ ବଞ୍ଚିତ କରିଛନ୍ତି, ଜୀବନର ପବିତ୍ରମାର୍ଗ ତମ ଆଗରେ ଖୋଲି ଦେଇଛନ୍ତି । ଯଦିଓ ସେହି ମାର୍ଗରେ ସିଦ୍ଧି ହାସଲ କରିବା କଷ୍ଟକର, ତଥାପି ସେହି ମାର୍ଗରେ ପରିଚାଳିତ ହେବା ସର୍ବଦା ଶ୍ରେୟସ୍କର । ତମେ କାହିଁକି ୟା’କୁ ବିପତ୍ତି ବୋଲି ମନେ କରୁଛ ? ବରଂ ତମର ଭାବିବା ଉଚିତ; ଅନ୍ୟାୟ ସଙ୍ଗେ ଲଢ଼େଇ କରିବାପାଇଁ ତମପାଇଁ ଏହା ଏକ ଅପୂର୍ବ ସୁଯୋଗ । ମୁଁ ତ ଭାବେ ଅନ୍ୟକୁ କଷ୍ଟଦେବା ଅପେକ୍ଷା ନିଜେ କଷ୍ଟ ସହିବା ସର୍ବଥା ଶ୍ରେୟସ୍କର । ଯଦି ଧନ ହରାଇ ମଣିଷ ଆପଣାର ଆତ୍ମାକୁ ଲାଭ କରିପାରେ ତେବେ ତା’ଠୁ ବଳି ଲାଭ କ’ଣ ହୋଇପାରେ ?

 

ଗୋବିନ୍ଦୀଙ୍କ ଶୁଖିଲା ମୁହଁରେ ବର୍ତ୍ତମାନ ଏମିତି ତେଜ ଜଳି ଉଠୁଥିଲା, ଜଣାପଡ଼ୁଥିଲା ସତେ ଯେମିତି ତାଙ୍କ ଦେହରେ କୌଣସି ନୂଆ ଶକ୍ତି ଆସି ଉଦୟ ହୋଇ ଯାଇଥିଲା । ସେଥିପାଇଁ ତାଙ୍କର ଜୀବନବ୍ୟାପୀ ମୌନ ସାଧନା ଆଜି ମୁଖର ହୋଇ ଉଠିଥିଲା ।

 

ମେହେତା ତାଙ୍କୁ ଭକ୍ତିପୂର୍ଣ୍ଣ ଦୃଷ୍ଟିରେ ଅନାଇ ରହିଲେ । ଖନ୍ନା ସାହେବ କୌଣସି ଦେବୀ–ପ୍ରେରଣା ଲାଭ କଲାପରି ମୁଣ୍ଡ ତଳକୁ ପୋତି ବସି ରହିଲେ, ମାଳତୀ ଲଜ୍ଜା ସଙ୍କୋଚରେ ନଇଁ ପଡ଼ିଲେ । ଗୋବିନ୍ଦୀ ଦେବୀଙ୍କର ହୃଦୟ ପ୍ରକୃତରେ କେଡ଼େ ବିଶାଳ, ଚିନ୍ତା ସତେ କେଡ଼େ ଉନ୍ନତ, ଜୀବନ ସତେ କେତେ ଉଜ୍ଜ୍ୱଳ !

Image

 

ଊନତ୍ରିଂଶ ପରିଚ୍ଛେଦ

 

ଭଲ କାମ କରି ଲୁଚେଇରଖିବା ନୋହରୀ ହାତରେ କେବେ ହୁଏ ନାହିଁ । ଯଦି କେବେ ସେ ଭଲକାମ କିଛି କରେ, ତେବେ ଦାଣ୍ଡରେ ଘାଟରେ ବୁଲି ଧେଣ୍ଡୁରା ପିଟେ । ଭଲକାମ ପାଇଁ ଯେତିକି ପ୍ରଶଂସା ତା’ର ହକ, ତା’ଠୁ ବେଶି ପାଇବା ପାଇଁ ସେ ଚେଷ୍ଟାକରେ । ଭଲକାମ ନ କଲେ ବରଂ କିଛି କ୍ଷତି ନାହିଁ; ଯଦି ନିଜର ବଳବହପ ନାହିଁ, ଇଚ୍ଛା ନାହିଁ, ନ କଲେ କେହି କାହାକୁ ବାଧ୍ୟ କରୁନାହିଁ । କିନ୍ତୁ କରିସାରି ଗାଇ ବୁଲିଲେ ବଦନାମ ହେବାଛଡ଼ା ଆଉ କିଛି ଉପାୟ ନାହିଁ । ଦେଇସାରି କହିବୁଲିଲେ ନେଇଥିବା ଲୋକ କୃତଜ୍ଞ ନ ହୋଇ ବରଂ ଶତ୍ରୁ ହୋଇପଡ଼େ । ଯଦି କେହି ଉପକାର କରି ଚୁପ୍ ରହେ, ତେବେ ତ ତା’ର ମୂଲ୍ୟ ରହେ; ନାହିଁ ଯଦି କହି ବୁଲେ, ସେ ତ ଆଉ ଉପକାର ନୁହେଁ, ବରଂ ଅପକାରରେ ପରିଣତ ହୁଏ । ହୋରୀକୁ ଟଙ୍କା ଦେଲା ଦିନୁ ନୋହରୀ ଚାରିଆଡ଼େ ବୁଲି ଧେଣ୍ଡୁରା ପିଟିଲା, କହିଲା–ହୋରୀ ବିଚାରା ବଡ଼ ଅଭାବରେ ପଡ଼ି ଯାଇଥିଲା । ଝିଅ ବାହା କରିବ ବୋଲି ଜମି ବନ୍ଧା ପକାଇବାକୁ ଯାଉଥିଲା । ତା’ ଅବସ୍ଥା ଦେଖି ମୋତେ ଭାରି ବିକଳ ଲାଗିଲା । ସେ ଧନିୟା ରାଣ୍ଡକୁ ଦେଖିଲେ ତ ମୋ ହାଡ଼ ଜଳେ, ରାଣ୍ଡ ଏମିତି ଏମିତି ଉପରମୁହାଁ ଯେ ଗରବରେ ତା ଗୋଡ଼ ଭୂଇଁରେ ପଡ଼େ ନାହିଁ । ହେଲେ, ହୋରୀ ଦଶା ଦେଖି ମୋ ମନ ତରଳି ପଡ଼ିଲା, ଭାବିଲି ତାକୁ ସାହାପକ୍ଷ ନ ହେଲେ ଚଳିବ ନାହିଁ । ଆପଣାଆପଣିରେ ସାହାପକ୍ଷ ନ ହେଲେ ସଂସାର ଚଳିବ କେମିତି ? ଯେତେହେଲେ ତ ସେ ଆପଣାଲୋକ, ଏୟା ବିଚାରି ଘରୁ କାଢ଼ି କରି ଟଙ୍କା ଦେଇଦେଲି । ନ ଦେଇଥିଲେ ଝିଅ ଆଜିଯାଏ ସେମିତି ବସିଥାନ୍ତା ।

 

ଏମିତିଆ କଥା ଶୁଣି ଧନିୟା କି ତୁନୀ ହୋଇ ରହିବା ଲୋକ ? ଟଙ୍କା କ’ଣ କିଏ କାହାକୁ ଖଇରାତ ଦେଇଛି ଯେ ସେ ଡରନ୍ତା ? ଦାଣ୍ଡରେ ଘାଟରେ ସବୁଲୋକ ଯେମିତି ଦିଅନ୍ତି, ସେ ସେମିତି ଦେଇଛି । ଆଉ ଲୋକେ ତ ହେଲେ ସୁଧ ତେଣିକି ଥାଉ, ମୂଳଆଡ଼ୁ ବି ଦେଖାଇବେ ନାହିଁ, ସେ ତ ଟଙ୍କା ହାତରେ ହେଲାମାତ୍ରେ ଅଧଲା ପାହୁରା କରି ଗଣିଦେବ । ଖାଲି ତ ସେତିକି ନୁହେଁ, ତାଙ୍କଯୋଗୁଁ ଜାଣି ଭୋଳା ଆଉ ନୋହରୀଙ୍କ ଇଜ୍ଜତ ରହିଛି, ଯାହା କହନ୍ତି, ଧନିୟା ତାଙ୍କ ବିଷ ପିଇଦେଇ ହଜମ କରିଦେଇଛି । ଝୁନିଆ ଅବସ୍ଥା ଯାହା ହୋଇଥିଲା, ସେତେବେଳେ କିଏ ତାକୁ ଦୁଆରେ ପୂରେଇଥା’ନ୍ତା ! ଧନିୟା ଜାଣି ତାଙ୍କ ମହତ ରଖିଥିଲା ନା ଆଉ କିଏ ?

 

ଶ୍ରାବଣ ମାସ ମେଘ ଅନ୍ଧାର ରାତି । ଗାଁସାରା ନିଶବଦ । ହୋରୀ ଖାଇସାରି ହୁକାଟା ଦିପୁଳା ଟାଣିଦେଇ ଠିକ୍ ଶୋଇବାକୁ ବାହାରିଛି, ଏହି ସମୟରେ ହଠାତ୍ ଭୋଳା ଆସି ପହଞ୍ଚିଲା ।

 

ହୋରୀ ପଚାରିଲା–କିଓ ଭାଇ, ଏତେ ରାତିରେ କୁଆଡ଼େ ଆସିଲ ? ହଁ, ଏହି ଗାଁରେ ଯଦି ତମର ରହିବା କଥା; ତମେ ଅଲଗା କୁରିଆ ଖଣ୍ଡେ ତିଆରି କରୁନା କାହିଁକି ? ଲୋକେ ଯେଉଁ ବାରକଥା କହୁଛନ୍ତି, ତମକୁ କ’ଣ ସେଗୁଡ଼ା ଶୁଣିବାକୁ ଖୁସି ଲାଗୁଛି ? ତମେ ଆମର ବନ୍ଧୁବାନ୍ଧବ ବୋଲି ସେ କଥା ଶୁଣିଲେ ଆମକୁ ବି ଖରାପ ଲାଗୁଛି, ନହିଲେ ମୁଁ କହିବାକୁ ଯା’ନ୍ତି କାହିଁକି ?

 

ଠିକ୍ ସେତିକିବେଳକୁ ହୋରୀ ବିଛଣା ପାଖରେ ପାଣି ଢାଳଟାଏ ରଖିଦେବା ପାଇଁ ଧନିୟା ଆସି ପହଞ୍ଚିଗଲା । ତାଙ୍କ କଥାବାର୍ତ୍ତା ଶୁଣି କହିଲା–ଆଉ କୋଉ ଅଣ୍ଡିରା ହେଇଥିଲେ ତା ମୁଣ୍ଡକାଟି କରି ଫିଙ୍ଗି ଦିଅନ୍ତା । ଇଏ ବୋଲି ସିନା ତୁନୀ ହୋଇ ବସିଛନ୍ତି ।

 

ହୋରୀ ଜବତ କରି କହିଲା–ତୁ ତ ପାଣି ରଖିଦେଇ ଯିବା ଲୋକ, ଏଥିରୁ ବାଜେ କଥାକୁ କ’ଣ ପାଇବୁ ? ତୁ ଯଦି ଏଇନେ ଖରାପ କାମ କରନ୍ତୁ ମୁଁ କ’ଣ ତୋ ମୁଣ୍ଡ କାଟିପକାନ୍ତି ନା ମୁଁ ତୋ ମୁଣ୍ଡ କାଟିବାକୁ ତୁ ରାଜି ହୁଅନ୍ତୁ ?

 

ଧନିୟା ହୋରୀ ଉପରକୁ ପାଣି ଦି’ଟୋପା ଛାଟିଦେଇ କହିଲା–ମୁଁ କାହିଁକି ଖରାପ କାମ କରିବି, ତମ ଭଉଣୀ କରୁନାହିଁ । ମୁଁ ସଂସାର କଥା କହୁଛି ନା, ତମେ ମୋତେ ଗାଳିଦେଉଛ କିଆଁ ? ମରଦ ପୁଅ ଅନେଇ ବସିଥିବ, ମାଇକିନିଆ ମନ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଉଥିବ । ସେମିତିଆ ମରଦ ପୁଣି କୋଉ ମରଦକୁ ନେଖା ?

 

ହୋରୀକୁ ଭାରି ଖରାପ ଲାଗିଲା । ଭାବିଲା ଭୋଳା ବିଚାରା ଆପଣା ଦୁଃଖ କହିବାକୁ ଆସିଛି, ଏତିକିବେଳକୁ ଇଏ ତା’ରି ଉପରକୁ ଚଢ଼ିବସୁଛି । ଟିକିଏ ରାଗିଯାଇ ସେ କହିଲା–ତୁ ଟିକିଏ ନିଜ କଥା କିଆଁ ଭାବୁନୁ ? ଦିନଯାକ ତୋ’ ମନ ଯାହା ହେଉଛି ତୁ କରୁଛୁ । ତୋତେ ପାଟି ଫିଟାଇଲେ ତୁ ତ ପୁଣି ମାରି ଧାଇଁଛୁ । ନିଜ କଥା କିଆଁ ଭୁଲି ଯାଉଛୁ ?

 

କଅଁଳ କଥା ତ ଧନିୟା ପାଟିରେ କେବେ ଆସେ ନାହିଁ, ଟାଉଁ ଟାଉଁ ହୋଇ କହିଲା–ହଁ, ସେ କଥା ଯାହା କହିଲ, ଘରେ ମାଇକିନିଆଁ ଘିଅଘଡ଼ି ଭାଙ୍ଗିଦେଉ ପଛେ, ଘରେ ନିଆଁ ନଗେଇଦେଉ ପଛେ, ମରଦ ନୋକଙ୍କୁ ସେ କଥା ସୁହାଯିବ । ହେଲେ ଆପଣା ନୋକଙ୍କୁ ଛାଡ଼ି ପର ସାଙ୍ଗରେ ବାଟ ଚାଲିଲେ କୋଉ ଅଣ୍ଡିରା ସହିବ ଦେଖି କହିଲ ?

 

ଭୋଳା ଟିକିଏ ଦୁଃଖିତ ହେଲାପରି କହିଲା–ଧନିୟା, ତୁମେ ଯାହା କହୁଛ ସବୁ ସତ । ସତରେ ତା’ ମୁଣ୍ଡ କାଟିଦେଲେ ବି ମଣିଷକୁ ବାଧା ହୁଅନ୍ତା ନାହିଁ, ହେଲେ, ମୋର କ’ଣ ଆଉ ସେ ବଳ ଅଛି ? ତମେ ଟିକିଏ ଚାଲ ଭଲା । ତାକୁ ଦି’ପଦ ବୁଝାସୁଝା କରିଦିଅ । ମୁଁ ତ କହି କହି ଥକିଗଲିଣି ।

 

‘ମଲା, ମାଇପ ରଖିବାକୁ ଯଦି ବଳ ନଥିଲା, ବାହା ହେଉଥିଲ କାହିଁକି ? କ’ଣ ଏଇ ଛି’ଛାକର ଶୁଣିବ ବୋଲି ? ତମେ କ’ଣ ଭାବିଥିଲ ସେ ଆସିକରି ତମ ଗୋଡ଼ ଘସିଥାନ୍ତା, ତମ ଖଟଣି ଖଟିଥାନ୍ତା, ତମେ ବେମାର ପଡ଼ିଲେ ତମ ପଥି ରାନ୍ଧିଥାନ୍ତା ? ଯିଏ ସିନା ତମ ସାଙ୍ଗରେ ବଅସବେଳେ ଭୋଗ କରିଥିବ, ସିଏ ସିନା ତମର ଏ କାମ ଉଠାଇବ, ଆଉ ଭୋକେ କରିବେ କିଆଁ ? ଭଗବାନ ଜାଣନ୍ତି, ତା’ଠେଇ ଏମିତି କ’ଣ ଦେଖିକରି ତମ ମନ ଏମିତି ମୋହି ହୋଇଗଲା-? ଚାଲିଚଳଣ, ରଙ୍ଗଢ଼ଙ୍ଗ, ଟିକିଏ ଦେଖିକରି ସିନା ଆଣିଥିଲେ ହୋଇଥାନ୍ତା ? ତା’ ମୁଣ୍ଡକାଟ କରିବା ଛଡ଼ା ଆଜି ଏଇନେ କିଛି ବାଟ ନାହିଁ । ମୁଣ୍ଡ କାଟିଦିଅ, ଫାଶି ଯା, ସିଏ ପଛେ ଭଲ, ଏଇ ଛି’ଛାକର ଗୁଡ଼ା ଭଲ ନୁହେଁ ।

 

ଭୋଳାଠାରେ ସତେ ଯେମିତି ଟିକିଏ ଜୀବନ ପଶିଗଲା; କହିଲା–ତା’ହେଲେ ଏୟା ତମର ଠିକ୍ ହେଲା ?

 

ଧନିୟା କହିଲା–ହଁ, ମୁ ତ କହୁଛି ଏୟା ମୋର ନିଧାର୍ଯ୍ୟ କଥା । ଆଉ କୋଉ ଶହେ ପଚାଶ ବର୍ଷ ଅବା ତମେ ଜୀଇବ । ଜାଣ, ତମର ଜୀବନ ଏତିକି ଥିଲା, ଆଉ ଏଣିକି ନ ହେଲା ନାଇଁ ତ କ’ଣ ହୋଇଗଲା ।

 

ହୋରୀ ଏକଥା ଶୁଣି ଖୁବ୍ ଜୋରରେ ରଗଡ଼ପକାଇ କହିଲା–ହଁ, ହଁ, ସେତିକି ଥାଉ; କୋଉଠୁ ଆଇଲେ ଇଏ ଭାରି ସତୀ ଜଣେ ! ଜବରଦସ୍ତି ରଖିଲେ ତ ଚଢ଼େଇ ବି ପଞ୍ଜୁରୀରେ ରହୁନାହିଁ, ମଣିଷ କଥା ତ ପୁଣି ଅଛି ! ବୁଝିଲ ଭୋଳାଭାଇ, ତମେ ତାକୁ ଛାଡ଼ିଦେଇ ପୁଅମାନଙ୍କ ପାଖକୁ ଚାଲି ଯା’, ଜାଣ ସେ ମଲାଣି ବୋଲି । ପୁଅଙ୍କ ପାଖରେ ଯାହିତାହି ମୁଠେ ଖାଇପିଇ ବସିକରି ହରିନାମ କର । ଆଉ ସେ ବୟସବେଳର ସୁଖଗୁଡ଼ା ମନେପକାଇ କିଛି ଲାଭ ନାହିଁ । ସେ ମାଇକିନିଆଟା ଟିକିଏ ଚଞ୍ଚଳ ଅଛି । ତାକୁ ଆଉ ବେଶିଦିନ ରଖିଲେ ବଦନାମୀ ହେବା ଛଡ଼ା ଆଉ କିଛି ଲାଭ ନାହିଁ ।

 

ଭୋଳା ନୋହରୀକୁ ଛାଡ଼ିଦେଇ ରହିବ ? ଅସମ୍ଭବ ! ଭୋଳାକୁ ଜଣାପଡ଼ୁଥିଲା ସତେ ଯେମିତି ନୋହରୀ ତାକୁ ଆଖି ତରାଟି ଚାହିଁଛି । କିନ୍ତୁ ନାହିଁ, ଭୋଳା ନିଶ୍ଚୟ ଏଥର ତାକୁ ଛାଡ଼ିଦେବ । ଯେମିତି କାମ କରିଛି, ସେମିତି ଫଳ ପାଉ, କିଏ କ’ଣ କରିବ ।

 

ବିଚାରାର ଆଖିରେ ଲୁହ ଛଳଛଳ ହୋଇଗଲା, କହିଲା–ହୋରୀ ଭାଇ, ଏ ମାଇକିନିଆଟା ଯୋଗୁଁ ମୁଁ ଯାହା ହଇରାଣ ହେଲିଣି ସେ କଥା ଏକା ମୁଁ ଜାଣେ । ଏକା ୟା’ରିପାଇଁ ଜାଣି କାନ୍ତା ସଙ୍ଗରେ ମୋର କଳି । ବୁଢ଼ାକାଳକୁ ଯାହା ଶୁଣିବାକୁ କପାଳେ ଥିଲା ତ ଶୁଣିଲି । ମାଇକିନିଆଟା ନିତି ମୋତେ ଖୁଣ୍ଟା ଦେଉଛି, କହୁଛି, ତୋର ତ ଘରୁ ଝିଅ ପଳାଇଲା, ତୁ ପୁଣି ଚାତର ଦେଖାଉଛୁ କ’ଣ ? ଆରେ ବାବୁ, ମୋର ଏବେ ଝିଅ ପଳାଇଲା; ପଳାଇଲା ଯେ, କ’ଣ ହେଲା ? ଆଉ କୁଆଡ଼େ ତ ଚାଲିଗଲା ନାହିଁ, ଯାଇ ଆପଣାଲୋକଙ୍କ ସାଙ୍ଗରେ ରହି ଘରସଂସାର କଲା । ଏମିତିଆ ଗୋଟେ ମାଇକିନିଆ ଭାଇ, ମୁଁ ଆଉ କୋଉଠି ଦେଖିନାହିଁ । ଆଉ ଲୋକଙ୍କ ସଙ୍ଗେ ହସଖୁସିରେ ସୀମା ନାହିଁ, କିନ୍ତୁ ମୋତେ ଦେଖିଲେ ପେଡ଼ିଟାକର ମୁହଁକରି ବସୁଛି । ହଇଓ, ମୁଁ ତ ଆଜି ଗୋଟେ ଚାରଣା ପଇସାର ମୂଲିଆ, ମୁଁ ତା’ପାଇଁ କୋଉଠୁ ଏତେ, ଦୁଧ, ଦହି, ମାଛ, ମାଉଁସ, ସରଲବଣୀ ଆଣି ଜୁଟେଇବି କହିଲ ?

 

ଭୋଳା ସେଦିନ ନିୟମ କରି ଫେରିଗଲା । କହିଲା, ବହୁତ ଧକ୍କା ଖାଇଲାଣି, ଆଉ ଏଣିକି ଯାଇ ପୁଅମାନଙ୍କ ପାଖରେ ରହିବ, ନୋହରୀ ପାଖେ ରହିବା କଥା ଚଳିବ ନାହିଁ । କିନ୍ତୁ ତହିଁଆରଦିନ ହୋରୀ ଦେଖିଲା ଭୋଳା ଗାଁ ଛାଡ଼ିକରି ଯାଇ ନାହିଁ । ଦୁଲାରୀ ସାହୁଆଣୀ ଦୋକାନରୁ ଗୁଡ଼ାଖୁ କିଣି ଦାଣ୍ଡେ ଦାଣ୍ଡେ କୁଆଡ଼େ ଯାଉଛି ।

 

ସେ ଭାବିଲା, ପଛରୁ ଡାକିବା ଠିକ୍ ହେବ ନାହିଁ । ସ୍ତ୍ରୀ–ଲାଳସା ଥିଲେ ମଣିଷ ନିଜ ଅକତିଆରରେ କେବେହେଲେ ରହିପାରେ ନାହିଁ । ଘରକୁ ଯାଇ ହୋରୀ ଧନିୟାକୁ କହିଲା–କାହିଁ ଭୋଳା ତ ଯାଇ ନାହିଁ, ତାକୁ ଏଇନେ ଦେଖି ଆସିଲି । ନୋହରୀ ବୋଧେ ତାକୁ କ’ଣ ମନ୍ତ୍ର କରିଦେଇଛି ।

 

ଧନିୟା ନାକ ଛିଞ୍ଚାଡ଼ିଦେଇ କହିଲା–ସେ ମାଇକିନିଆ ଯେମିତି ବେହିୟାକୁ ସେ ଅଣ୍ଡିରା ସେମିତି ବେହିୟା, ଦିହିଁକି ଦିହେଁ କେହି କାହାକୁ ଉଣା ନୁହନ୍ତି । ଏମିତିଆ ଅଣ୍ଡିରା ତ ବୁଡ଼ିମରିବା ଭଲ । ଝୁନିଆ ପରା ଚାଲିଆସିଲା ବୋଲି ନାଜ ମାଡ଼ୁଥିଲା । ଇଜ୍ଜତ ଗଲା ବାହାରି ବୋଲି ଠେଙ୍ଗା ଧରିକରି ବୁଲୁଥିଲା । ଏବେ ଇଜ୍ଜତ ଅଛି କୋଉଠି, ଚାଳ ଉପରେ ?

 

ହୋରୀ ମନରେ ଭୋଳାପ୍ରତି ଭାରି ଦୟା ହେଲା । ଭାବିଲା ଏ ବାଳୁଙ୍ଗା ମାଇକିନାଟା ପାଲରେ ପଡ଼ି ବିଚରାର ଜୀବନଟା ମାଟି ହୋଇଗଲା । ଛାଡ଼ିକରି ବିଚାରା ଏବେ ଯିବ କେମିତି ? ଆପଣା ସ୍ତ୍ରୀକୁ ଛାଡ଼ି ଚାଲିଯିବା କ’ଣ ସହଜ ହୋଇଛି ? ଘରକୁ ଫେରିଗଲେ ଅବା ସେଠି କ’ଣ ସେ ଚାଣ୍ଡାଳୁଣୀ ତାକୁ ବସେଇ ଦେବ ? ଖୋରାକ ପୋଷାକ ଦାବି ନ କରି କ’ଣ ଛାଡ଼ିବ ? ଗାଁରେ ଏକଥା କାହାକୁ ଅବା ଅଜଣା ଅଛି ? ଆଜି ସିନା ଗାଁଲୋକେ ଫୁସ୍‍ଫାସ୍ ହେଉଛନ୍ତି, କିନ୍ତୁ ସେତେବେଳେ ତ ହାଟବଜାରରେ ସମସ୍ତେ କହିବେ । ଲୋକେ ତ କହିବେ, ପୁରୁଷ ଯେତେବେଳେ ଛାଡ଼ିଦେଲା, ମାଇପିଲୋକ ବିଚାରୀ ଆଉ କ’ଣ କରନ୍ତା ? ପୁରୁଷ ଖରାପ ହେଲେ ମାଇକିନିଆଙ୍କର ମୁଣ୍ଡ କଟିଯିବା କଥା ! କିନ୍ତୁ ମାଇକିନା ଖରାପ ହେଲେ ପୁରୁଷ ମୁହଁରେ କଳା ବୋଳିହୋଇଯିବା କଥା ।

 

ଏ ଘଟଣାର ଦି’ମାସ ପରେ ଦିନେ ହଠାତ୍ ଶୁଣାଗଲା ଯେ ନୋହରୀ ଭୋଳାକୁ ମାଡ଼ଦେଇ ସାରା କରିଦେଇଛି ।

 

ବର୍ଷା ପରେ ପରେ ରବି ଫସଲ ଦିନ ଆସିଗଲା । ହୋରୀର ଗଲାବର୍ଷ ଆଖୁ ତ ନିଲାମ ହୋଇଯାଇଥିଲା, ଏବର୍ଷ ହାତରେ ପଇସା ନ ଥିବାରୁ ମଞ୍ଜି କିଣାହୋଇ ପାରିଲା ନାହିଁ କି ଆଖୁ ଲାଗିପାରିଲା ନାହିଁ । ତହିଁକି ଡାହୁଣିଆ ବଳଦଟା ବଇତମିଆ ହୋଇଯାଇଥିବାରୁ କାମକୁ ଆଉ ପାରୁ ନଥିଲା । ପୁନିଆର ପଟେ ବଳଦ ନାକରେ ପଡ଼ି ମରିଯାଇଥିବାରୁ ଅବସ୍ଥା ଆହୁରି ଖରାପ ହୋଇଥିଲା । ସେଥିପାଇଁ ଦି’ଘରର ପଟେ ପଟେ ବଳଦ ଏକାଠି କରି, ୟା’ଙ୍କ ବିଲରେ ଦିନେ ତାଙ୍କ ବିଲରେ ଦିନେ ଏମିତି ସାଜିରେ ହଳ ବୁଲାଉଥିଲେ । ସେଥିପାଇଁ ଚାଷ ଯେମିତି ହେବା କଥା ସେମିତି ହୋଇପାରୁ ନଥିଲା ।

 

ହୋରୀ ହଳ ନେଇକରି ବିଲକୁ ଗଲା, କିନ୍ତୁ ଭୋଳା ମାଡ଼ ଖାଇଥିବା କଥା କେବେହେଲେ ତା’ମନରୁ ଗଲା ନାହିଁ । ମାଇପି ଜଣେ, ତା’ ମରଦକୁ ମାଡ଼ଦେବ, ଏମିତି କଥା ତା’ ଦିହକଯାକରେ କେବେ ସେ ଶୁଣି ନଥିଲା । ବିଧା ଚାପୁଡ଼ା କଥା ତ ଶୁଣି ନାହିଁ, ଗୋଇଠା ମାଡ଼ ତ ଦୂରର କଥା । ନୋହରୀ ପୁଣି ଭୋଳାକୁ ମାଡ଼ଦେଲା, ସମସ୍ତେ ଠିଆହୋଇ ରହସ୍ୟ ଦେଖିଲେ, ଆଚ୍ଛା କଥା ହେଲା । ସେହି ମାଇକିନିଆଟା ହାତରୁ ଭୋଳା କେମିତି ଛାଡ଼ ପାଇବ, କିଛି ସେ ଭାବିପାରିଲା ନାହିଁ । ଭାବିଲା ବୁଡ଼ିମରିବା ଛଡ଼ା ଭୋଳାର ବର୍ତ୍ତମାନ ଆଉ କୌଣସି ଉପାୟ ନାହିଁ-। ନିତି ନିତି ଦୁର୍ନାମ ଶୁଣିବା ଅପେକ୍ଷା ମରିଯିବା ପ୍ରକୃତରେ ଶତଗୁଣେ ଭଲ । ସେ ମରିଗଲେ କିଏ ଅବା କାନ୍ଦି ଯାଉଛି ? ପୁଅମାନେ ଖାଲି ଲୋକଦେଖାଣକୁ ଶୁଦ୍ଧ ହୋଇପଡ଼ିବେ । ନହିଲେ, କାହାର ଆଖିରୁ ଲୁହ ଟୋପେହେଲେ ବୋହିବ ନାହିଁ । ସ୍ତ୍ରୀ–ଲାଳସାରେ ପଡ଼ିଲେ ମଣିଷ ଏମିତି ନାରଖାର ହୁଏ । ଯଦି ପଛରେ ଭାଳିବାକୁ କେହି ନାହିଁ, ତେବେ ମରିଗଲେ ଅବା କ୍ଷତି କ’ଣ ?

 

ଗୋଟେ ହେଉଛି ନୋହରୀ, ଆଉ ଗୋଟେ ହେଉଛି ସେ ଚେମାରୁଣୀ ସିଲିଆ । ସିଲିଆ ତ କେତେ ଭଲ । ଦି’ ଦି’ଜଣକୁ ଖୁଆଇ ପିଆଇ ରାଧା ସାଜିକରି ବୁଲୁଛିପଛେ ହାତରେ ରୋଜଗାର କରୁଛି । ଭୋକରେ ମରୁଛିପଛେ ମାତାଦୀନ ନାଁକୁ ଜପାମାଳି କରି ବସିଛି । ମନେମନେ ହୋରୀ ପୁଣି ଭାବିଲା, କିଏ ଜାଣେ ଧନିୟା ମରି ଯାଇଥିଲେ ତା’ ନିଜ ଦଶା ଏବେ କ’ଣ ହୋଇଥାନ୍ତା ? ମରିବା କଥା ମନରେ ହେଲା ମାତ୍ରେ ଧନିୟାର ରୂପ ତା’ ଆଖି ଆଗରେ ନାଚି ଉଠିଲା–ସତେ ଯେମିତି ସେବା ତ୍ୟାଗର ଅପରୂପ ପ୍ରତିମୂର୍ତ୍ତି । ତୁଣ୍ଡଟା ସିନା ଖରାପ, କହିଲେ ହୃଦୟ ତା’ର ଲହୁଣୀଠାରୁ ଆହୁରି କଅଁଳ । ପଇସାଟାଏ ପାଇଁ ବି ଲଢ଼େଇ କରେ ସିନା, କିନ୍ତୁ ମାନମର୍ଯ୍ୟାଦା କଥା ପଡ଼ିଲେ ଆଖି ବୁଜି ଧନ ଖର୍ଚ୍ଚ କରିଦିଏ । ବୟସବେଳେ ସେ ଯେମିତି ସୁନ୍ଦରୀ ଥିଲା ତା’ ଆଗରେ ନୋହରୀ ଛାର ଅବା କ’ଣ ? ଚାଲିଯାଉଥିଲେ ଭୂଇଁ ହସି ଉଠୁଥିଲା, ସତେ ଯେମିତି କେଉଁଠିକା ରାଣୀ । ଯେ ଦେଖୁଥିଲା ସେ ଅନେଇ ରହୁଥିଲା । ସେତେବେଳେ ପଟେଶ୍ୱରୀ ଆଉ ଝିଙ୍ଗୁର ସିଂହର ଭେଣ୍ଡିଆ ବେଳ । ଦିହିଁଙ୍କି ଦିହେଁ ଧନିୟାକୁ ଦେଖି ମୁଣ୍ଡପିଟି ରହିଯାଉଥିଲେ । ଦିନକେ ଶହେଥର ତା’ ଦୁଆରବାଟେ ମିଛରେ ଯିବାଆସିବା କରୁଥିଲେ । ସେ ବରାବର ସେମାନଙ୍କର ବାଟ ଜଗିଥିଲା, କ’ଣ ସୁବିଧା ମିଳିଲେ ପାନେ ଦିଅନ୍ତା । କିନ୍ତୁ କିଛି ସୁବିଧା ମିଳିଲା ନାହିଁ । ବର୍ଷେ କ୍ଷେତ ପୂରାପୂରି ଉଠିଯାଇଥିଲା ଯେ ଘରେ ଖାଇବାକୁ କିଛି ନ ଥିଲା । ସେଥିପାଇଁ ହୋରୀ ଛ’ ପଇସା ମଜୁରୀରେ ଦିନମାକ ଯାଇ ଗୋଟେ କାମ୍ପରେ ଜୁଲିକାମ କରୁଥିଲା । ଧନିୟା ଏକୁଟିଆ ଘରେ ରହୁଥିଲା, ହେଲେ ତାକୁ, ଅନେଇଦେବାକୁ କେହି ପୁଅ ନଥିଲେ । ପଟେଶ୍ୱରୀ ଥରେଅଧେ କ’ଣ ଟିକିଏ କହିଦେଲା ଯେ ଧନିୟା ଏମିତି ଜବାବଦେଲା ଯେ ବିଚାରାକୁ ଲାଙ୍ଗୁଳ ଯାକି ପଳାଉ ପଳାଉ ତର ସହିଲା ନାହିଁ ।

 

ଏମିତି ଭାବୁ ଭାବୁ ହଠାତ୍ ଦେଖିଲା ମାତାଦୀନ ତା’ରି ଆଡ଼କୁ ଆସୁଛି । ଦେହରେ ଖୁବ୍ ଚିତାତିଳକ ହୋଇଛି । ହୋରୀ ମନେମନେ ଭାବିଲା, ବଦମାସୀ ଚିତାକଟା, ଭଗବାନଙ୍କ ଭଗତ ହୋଇଛି । ଲାଜ ଟିକିଏ ନାହିଁ, ଏମିତିଆ ବେହିଆ ବ୍ରାହ୍ମଣଗୁଡ଼ାକୁ ପୁଣି ଓଳଗି ହେବ କିଏ ?

 

ମାତାଦୀନ ପାଖକୁ ଚାଲିଆସି କହିଲା–ହୋରୀ, ତମ ଡାହୁଣିଆଟା ତ ବୁଢ଼ା ହୋଇଗଲାଣି । ଏହି ଚାଷରେ ବୋଧେ ଖତମ ହୋଇଯିବ । ଆଣିବାର ତ ମୋଟେ ପାଞ୍ଚବର୍ଷ ହୋଇଛି, ଆଉ କେତେ ?

 

ହୋରୀ ଡାହୁଣିଆ ଉପରେ ହାତ ମାରିଦେଇ କହିଲା–ପାଞ୍ଚ ବର୍ଷ କାହିଁକି, ଆଠ ବର୍ଷ ହେଲାଣି । ମନ ତ ହେଉଛି ଏଇନେ ୟା’କୁ ପିନସିନ୍ ଦେଇଦିଅନ୍ତି । ହେଲେ, ହଳ ଆଉ ହଳିଆ ୟା’ଙ୍କୁ ଏକା ଯମ ପିନ୍‍ସିନ୍ ଦେଲେ ଦେବ, ଆଉ ଦେଇପାରିବ କିଏ ? ୟା’ କାନ୍ଧରେ ତ ଜୁଆଳି ଦେଲାମାତ୍ରେ ମୋତେ ଖରାପ ଲାଗୁଛି । ମନେ ମନେ ବୋଧହୁଏ ସେ ଭାବୁଥିବ, ମୋତେ ତ ଯୁଚିଲା, କଣ’ ଆଉ ମୋ’ ହାଡ଼କୁ ବି ଯୁଚିବ ? କିନ୍ତୁ ହେଲେ ମୋର ଚାରା କ’ଣ ? ଆଚ୍ଛା, ତମେ ଇଆଡ଼େ କିମିତି ଗଡ଼ିପଡ଼ିଲ ମ ! ଆଉ ସବୁ ଭଲ ତ ?

 

ମାତାଦୀନ ମାସେ ହେଲା ଭାରି ମେଲେରିଆ ଜରରେ ପଡ଼ି ଯାଇଥିଲା । ଏମିତି ହୋଇଗଲା ଯେ, ଦିନେ ତାର ନାଡ଼ୀ ଲାଗିଲା ନାହିଁ । ଖଟରୁ ଓହ୍ଲାଇ ତାକୁ ତଳେ ଶୁଆଇ ଦେଇଥିଲେ । ପୁଣି ଯାହାହେଉ, ଭଗବାନଙ୍କ ଦୟାରୁ ବଞ୍ଚିଗଲା । ମନେ ମନେ ସେ ଭାବିଲା, ସିଲିଆ ପ୍ରତି ଅନ୍ୟାୟ କରିଥିବାରୁ ଭଗବାନ ବୋଧହୁଏ ତାକୁ ଏ ଦଣ୍ଡ ଦେଲେ । ସିଲିଆକୁ ଯେତେବେଳେ ସେ ବାହାର କରି ଦେଇଥିଲା ସେତେବେଳେ ସେ ଗର୍ଭବତୀ ଥିଲା । ବିଚାରୀ ପୂରାପେଟ ବୋହିକରି ମଜୁରୀ କରିବାକୁ ଯାଉଥିଲା । ମାତାଦୀନର ଏତେ ଟିକେ ହେଲେ ବି ଦୟା ହେଲା ନାହିଁ । ଧନିୟା ଯଦି ତାକୁ ଆଶ୍ରା ଦେଇ ନ ଥାନ୍ତା, ତବେ ସେ କେଉଁଦିନୁ ଶେଷପାଇ ଯା’ନ୍ତାଣି । କେତେ କଷ୍ଟରେ ଯେ ସେ ବଞ୍ଚିଛି, ତା କେବଳ ଭଗବାନ ଜାଣନ୍ତି । ପୂରାପେଟ ଯୋଗୁ ସେ ଆଉ ମଜୁରୀ କରିପାରୁ ନଥିବ ଭାବି ମାତାଦୀନ ମନରେ କ’ଣ ହେଲା କେଜାଣି ଟଙ୍କା ଯୋଡ଼ିଏ ଧରିକରି ଆସି ହୋରୀ ପାଖରେ ପହଞ୍ଚିଲା, କହିଲା–ହୋରୀ, ତମେ ଯଦି ଟଙ୍କା ଦି’ଟା ନେଇ ସିଲିଆକୁ ଟିକିଏ ଦେଇଦିଅନ୍ତ, ମୋର ବହୁତ ଉପକାର ହୁଅନ୍ତା ।

 

ହୋରୀ କହିଲା–ତମେ ନିଜେ ଯାଇକରି କାହିଁକି ଦେଉନ ?

 

ମାତାଦୀନ ଭାରି ସଂକୁଚିତ ହୋଇ କହିଲା–ହୋରୀ ଦାଦା, ମୋତେ ଆଉ ସେକଥା କହ ନାହିଁ । ମୋର ଆଉ କେଉଁ ମୁହଁ ଅଛି ଯେ ମୁଁ ଯିବି । ମୋତେ ଭାରି ଡର ମାଡ଼ୁଛି । କାଳେ ଦେଖିଲେ ମୋତେ ସେ ବେଜିତ୍ କରିବ । ମୋତେ ଏତିକି ଦୟାକର, ସେଠିକି ଆଉ ଯିବାପାଇଁ ମୋତେ କହ ନାହିଁ । ଯାହା ଭୋଗିବାର ଥିଲା ତ ମୁଁ ଭୋଗି ସାରିଲିଣି ! ଲୁଚିଛପି କରି ଯେତେ ପାପକର ପଛେ କେହି ପଚାରିବେ ନାହିଁ, କିମ୍ବା କୁଳରେ କଳଙ୍କ ଲାଗିବ ନାହିଁ, କିନ୍ତୁ ଜଣାପଡ଼ିଗଲେ ସବୁଯାକ ପାପ ମାଡ଼ିବସିବ । ଏଇ ଟଙ୍କା ଦି’ଟାପାଇଁ ଧାଇଁ ଧାଇଁ ଜଣେ ଯଜମାନ ଘରକୁ ଯାଇଥିଲି । ମୋ’ ଦାଦାଟା ପରା, ତାକୁ ଟିକିଏ ସବୁକଥା ତମେ ବୁଝାଇ ଦେବ । କ’ଣ କରିବା, ଇଏ ତ ପୁଣି ଜାତିପତି କଥା, ନ ମାନିଲେ ନ ଚଳେ । ଯେଉଁ ଜାତିରେ ମଣିଷ ଜନ୍ମ ହୋଇଛି ତାକୁ ନ ମାନିଲେ କାମ ଚଳୁଛି କୁଆଡ଼ୁ ? ଆଉ ଜାତିକଥା ଅଲଗା, ସେଥିରେ ଯାହିହେଲେ ଅବା ଚଳିଯିବ, କିନ୍ତୁ ବ୍ରାହ୍ମଣ ଜାତିକଥା ତ ତମେ ଜାଣି, ସେଥିରେ ଛୁଞ୍ଚିମାଛି ପରୀକ୍ଷା; ଜାତିରୁ ଥରେ ଗଲେ, ସବୁ ଗଲା । ପ୍ରାୟଶ୍ଚିତ ହେବ ପାଇଁ ମୋତେ ତିନିଶ ଟଙ୍କା ପଡ଼ିଲା ।

 

ସମାଜକୁ ଡରିକରି ସିନା ମଣିଷ କାମ କରେ, ହେଲେ, ମଣିଷପଣିଆ ତ ଗୋଟେ ଅଛି-। ସମାଜ–ଧରମ ପାଳିଲେ ସମାଜଲୋକେ ଯେମିତି ଖୁସି ହୁଅନ୍ତି, ମଣିଷ–ଧରମ ପାଳିଲେ ଭଗବାନ ବି ସେମିତି ଖୁସି ହୁଅନ୍ତି ।

 

ସନ୍ଧ୍ୟାବେଳେ ହୋରୀ ମନେମନେ ଡରି ଡରି ସିଲିଆକୁ ଟଙ୍କା ଦି’ଟା ଦେଇଦେଲା । ସିଲିଆକୁ ଲାଗିଲା, ସତେ ଯେମିତି ତା’ ତପସ୍ୟା ଆଜି ପୂର୍ଣ୍ଣ ହୋଇଗଲା, ଭଗବାନଙ୍କଠାରୁ ବର ମିଳିଗଲା । ଦୁଃଖ ଭାର ସିନା ଏକା ଏକା ବୋହୁଥିଲା, ସୁଖ ଭାର ସେ ଏକା ବୁହନ୍ତା କେମିତି ? ଖୁସିରେ ତା ବୁକୁ କୁଣ୍ଢେମୋଟ ହୋଇଗଲା । ଏ ଖୁସି–ଖବର କେମିତି କା’ ଆଗେ କହିବ କିଛି ଭାବି ପାରିଲା ନାହିଁ । ଗାଁରେ ତ ଆପଣାର ହୋଇ ତା’ର କେହି ନଥିଲେ, ପୁଣି ଧନିୟା ଆଗରେ ତ ମନକଥା କହିବା ସମ୍ଭବ ନୁହେଁ । ତା ଆଖିକି କେବଳ ସୁନା ଦେଖାଗଲା । ସେହି ତା’ର ଏକମାତ୍ର ସାଥୀ । କିନ୍ତୁ ତହିଁଆରଦିନ ସକାଳଯାଏ ସେ ସମ୍ଭାଳିବ କେମିତି ? କଥାଟା ଖାଲିପେଟରେ ତା’ର ଫୁଟିବାକୁ ଲାଗିଲା । ଜୀବନର ସବୁ ଅନ୍ଧାର, ସବୁ କାଳିମା ମୂହୁର୍ତ୍ତକେ ଆଖି ଆଗରୁ ଉଭେଇଗଲା । ଜଣାଗଲା, ସତେ ଯେମିତି ମାତାଦୀନ ପୁଣି ତା’ପାଖକୁ ଫେରି ଆସିଲା । ଆଖି ଆଗରେ ତା’ର ଉଜ୍ଜ୍ୱଳ ଭବିଷ୍ୟତର ନୀଳ–ଲହରୀ ଖେଳି ବୁଲିଲା, ଜୀବନ–ଉଦ୍ୟାନରେ କୋଇଲି ପୁଣି ଗାଇଉଠିଲା, ଝରଣା ଝରିପଡ଼ିଲା ଏବଂ ସ୍ଵର୍ଣ୍ଣ ମୃଗ ନାଚି ଉଠିଲା । ଶୁଷ୍କ–ସ୍ନେହ ଆଜି ପଲ୍ଲବିତ ହୋଇ ଉଠିଲା । ମନେମନେ ତା’ର ଦୁଃଖ ହେଲା, ମାତାଦୀନକୁ ସତେ ସେ କେତେ ଗାଳି ଦେଇଥିଲା, ଗାଁ ଚାରିପାଖ ବୁଲି ବୁଲି ସମସ୍ତଙ୍କ ଆଗରେ ମାତାଦୀନର କେତେ ନିନ୍ଦାକଲା । ଆଜି କିନ୍ତୁ ସେ ମାତାଦୀନକୁ କ୍ଷମା ମାଗିବାକୁ ତିଆର ହୋଇଗଲା । ସେ ତ ଜାତିର ଚେମାରୁଣୀ, ତା’ର ଅବା କ’ଣଟାଏ ହୋଇଗଲା । ଜାତିଭାଇଙ୍କୁ ପୁଣି ମୁଠେ ଖାଇବାକୁ ଦେଇଦେଲେ, ଯେଉଁ ଜାତିକି ସେଇ ଜାତି । କିନ୍ତୁ ମାତାଦୀନ ବିଚାରାର ତ ଚିରଦିନପାଇଁ ଧରମ ବୁଡ଼ିଗଲା । ବ୍ରାହ୍ମଣ ଲୋକ, ଥରେ ମର୍ଯ୍ୟାଦା ଗଲେ, ଆଉ ଫେରିବା କଥା ନୁହେଁ । ସେଥିପାଇଁ ମନରେ ତା’ର ରାଗ ଚଢ଼ିଗଲା । ହେଲେ ସେ ନିଜେ କାହିଁକି ବୁଲି ବୁଲି କରି ଏତେ ଗାଳି ଦେଲା, ସେହି କଥା ମନେପକାଇ ତା’ ମନ କଷ୍ଟ ହେଲା । ସେତେବେଳେ ବୋଧହୁଏ ତା’ର ମୁଣ୍ଡରେ ଭୂତ ଚଢ଼ି ଯାଇଥିଲା । ତୁନୀ ହୋଇ ନିଜ ଘରକୁ ଚାଲି ଯାଇଥିଲେ ଅବା ତା’ର କ’ଣ କ୍ଷତି ହୋଇଯାଇଥାନ୍ତା-। ତାକୁ ତ ଆଉ କେହି ବାନ୍ଧିପକାଇ ନ ଥାନ୍ତା । ମାତାଦୀନ ଧରମରେ ଚଳୁଥିଲେ ବୋଲି ଲୋକେ ସିନା ତାକୁ ଏତେ ଖାତିର କରୁଥିଲେ । ସେଇ ଧରମ ଯେତେବେଳେ ତା’ର ବୁଡ଼ିଗଲା, ସେ ରକ୍ତ ପିଇବାକୁ ବସନ୍ତା ନାହିଁ, ଆଉ କ’ଣ କରିଥାନ୍ତା !

 

କିଛି ସମୟ ଆଗରୁ ସିଲିଆ ସବୁ ଦୋଷ ମାତାଦୀନ ମୁଣ୍ଡରେ ଲଦି ଦେଉଥିଲା । କିନ୍ତୁ ଏବେ ସବୁ ଆପଣାର ଭୁଲ୍ ବୋଲି ମନେମନେ ଠିକ୍ କଲା । ଜଣଙ୍କ ପ୍ରାଣରେ ସହାନୁଭୂତି ହେଲେ ଆଉ ଜଣେ ସହାନୁଭୂତି ଅନୁଭବ ନ କରି ଯିବ କୁଆଡ଼େ ? ଯେଉଁ ପିଲାକୁ ଦେଖି ତାକୁ ଲାଜ ମାଡ଼ୁଥିଲା, ମନରେ ଘୃଣା ଆସୁଥିଲା, ଆଜି ତାକୁ ସେ ପ୍ରାଣର ସବୁ ସ୍ନେହ ମମତା ଦେଇ ବୁକୁତଳେ ଯାକିଧରି ଗେଲ କରିବାକୁ ଲାଗିଲା । ସେହି ଘୃଣିତ ଅବହେଳିତ ଶିଶୁ ପୁଣି ତା’ର ଆଖିରେ ଗୌରବର ସମ୍ପଦରୂପେ ହସିଉଠିଲା । ସମସ୍ତ ମାତୃସ୍ନେହର ପୂର୍ଣ୍ଣ ଅଧିକାର ତାକୁ ମିଳିଗଲା ।

 

କାର୍ତ୍ତିକ ମାସ ଜହ୍ନ । ରାଣୀଫୁଲ ପରି ପୃଥିବୀ ଉପରେ ବିଛେଇ ହୋଇ ଯାଇଥିଲା । ସିଲିଆ ମନ ସମ୍ଭାଳିଲା ନାହିଁ, କେମିତି ସୁନା ସଙ୍ଗେ ଭେଟ ହେବ । ସେହି ଚିନ୍ତାରେ ସେ ଉଚ୍ଛନ୍ନ ହୋଇ ଘରୁ ବାହାରି ପଡ଼ିଲା । ନଈକୂଳକୁ ଯାଇ ଦେଖେ ତ ଡଙ୍ଗା ଆରପାରରେ ଅଛି । ନାଉରିଆ କେହି ଦେଖା ଯାଉନାହାନ୍ତି । ବେଶି ପାଣି ନ ଥିବ ଭାବି ନଈରେ ପଶିଗଲା । ପହିଲେ ଆଣ୍ଠୁଏ, ତା’ପରେ ଦେଖୁ ଦେଖୁ ବେକଯାଏ ପାଣି ଚଢ଼ି ଆସିଲା । ମନେ ମନେ ତା’ର ଭାରି ଡର ହେଲା । ଜଣାଗଲା, ସତେ ଯେମିତି ଆଉ ସେ ରକ୍ଷା ପାଇପାରିବ ନାହିଁ । କିନ୍ତୁ ପିଲାଦିନେ ଯେ ପହଁରି କରି ସେଇ ନଈକୁ କେତେଥର ଏକରସେକର କରିଛି ସେ ଅବା ଡରନ୍ତା କାହିଁକି । ଦେଖୁ ଦେଖୁ ପୁଣି ପାଣି କମି କମି ଆସିଲା । ସିଲିଆ ଆନନ୍ଦରେ ଆରପାରିରେ ପହଞ୍ଚି, ଲୁଗାପଟା ଚିପୁଡ଼ି ଶୀତରେ ଗୋଟାପଣେ ଥରିବାକୁ ଲାଗିଲା । ସବୁଆଡ଼ ଶୁନଶାନ୍ ହୋଇ ଯାଇଥିଲା, ବିଲୁଆଙ୍କ ରଡ଼ି ପର୍ଯ୍ୟନ୍ତ ଶୁଣାଯାଉ ନଥିଲା । କିନ୍ତୁ ସୁନା ସଙ୍ଗେ ଭେଟିବାର ମଧୁକଳ୍ପନା ସତେ ଯେମିତି ସିଲିଆକୁ ଉଡ଼େଇ ନେଇଥିଲା ।

 

କିନ୍ତୁ ସୁନା ଘର ପାଖରେ ପହଞ୍ଚିଲା ପରେ ତାକୁ ଟିକିଏ ଭାରି ସଙ୍କୋଚ ଲାଗିଲା । କାଳେ ମଥୁରା କ’ଣ କହିବ, କିମ୍ବା ତାଙ୍କ ଘର ଲୋକେ କ’ଣ ଭାବିବେ । କାଳେ ସୁନା କହିବ, ଏତେ ରାତିରେ କାହିଁକି ଆସିଲୁ । ସାଧାରଣତଃ ଗାଁମାନଙ୍କରେ ଚାଷୀଲୋକେ ଦିନଯାକ ଖଟି ଖଟି ଥକ୍‍କା ହୋଇ ସଂଜୁ ଶୋଇପଡ଼ନ୍ତି । ସାରା ଗାଁ ସେତେବେଳକୁ ନିଶବଦ ହୋଇଯାଇଥିଲା । ମଥୁରା ଘର ଦାଣ୍ଡ କବାଟ ପଡ଼ିଯାଇଥିଲା । ତାକୁ ଫିଟାଇବା ପାଇଁ ସିଲିଆକୁ ବୁଦ୍ଧି ଦିଶିଲା ନାହିଁ । ଦାଣ୍ଡ ଦୁଆରେ ନିଆଁ ଜଳୁଥିଲା, ସେଇଠି ସିଲିଆ ବସିପଡ଼ି ଟିକିଏ ସେକିସାକି ହୋଇପଡ଼ିଲା । ହଠାତ୍ ମଥୁରା କବାଟ ଫିଟାଇ ପଚାରିଲା–ନିଆଁ ପାଖରେ ସେଠି କିଏ ବସିଛ ?

 

ସିଲିଆ ଚଟକରି ମୁଣ୍ଡରେ ଉଢ଼ୁଣା ଟାଣିଦେଇ ପାଖକୁ ଚାଲିଆସି କହିଲା–ମୁଁ, ସିଲିଆ ।

 

‘କିଏ, ସିଲିଆ ? ତୁ ଏତେ ରାତିରେ କେମିତି ଆସିଲୁ ? ସେଠି ସବୁ ଭଲ ତ ?’

 

‘ହଁ, ସମତେ ଭଲ ଅଛନ୍ତି, ମନଟା କେମିତି କେମିତି ନାଗିଲା, ଭାବିଲି, ଯାଉଛି ଟିକିଏ ହାବୁଡ଼ି ଆସିବି । ଦିନରେ ତ ମୋଟେ ତର ହୋଉନାଇଁ ।’

 

‘ନଈରେ ପଶିକରି ଆସିଲୁ ନା କ’ଣ ?’

 

‘ଆଉ କେମିତି ଆସନ୍ତି ? ବହୁତ ପାଣି ହେଲା ।’

 

ମଥୁରା ତାକୁ ଭିତରକୁ ଡାକିନେଇ ଅନ୍ଧାରିଆ ଜାଗା ଦେଖି ତାକୁ ନିଜ ଆଡ଼କୁ ଟାଣି ଧରିଲା । ସିଲିଆ ସାଙ୍ଗେ ସାଙ୍ଗେ ହାତ ଛିଞ୍ଚାଡ଼ି ଦେଇ କହିଲା–ଦେଖ ମଥୁରା, ଏମିତି କାମ କରିବ ବୋଲେ ସୁନାକୁ ମୁଁ କହିଦେବି । ତମେ ପରା ମୋର ସାନ ଭଉଣୀର–ଜୁଆଇଁ ନେଖା ହେବ । କିଆଁ, ସୁନା କ’ଣ ତମ ମନକୁ ଆସୁନାହିଁ କି ?

 

ମଥୁରା ସିଲିଆ ଅଣ୍ଟାରେ ହାତ ପକାଇ କହିଲା–ସତେ ସିଲିଆ, ତମେ ଭାରି ନିର୍ଦ୍ଦୟ ମଣିଷ, ଏତେବେଳେ କିଏ ଅଛି ଯେ କୋଉ କଥା ଜାଣୁଛି ?

 

‘କିଆଁ, ମୁଁ କଣ ସୁନାଠୋଉ ବେଶି ଅଧିକ ? ଯାହା କହନ୍ତି ଅପସରୀ ନେଖା ଭାରିଯା ପାଇକରି ଆହୁରି ପୁଣି ତମେ ମନ ଏଣେତେଣେ କରୁଛ ? ସୁନାକୁ ଏକଥା କହିଦେବି ବୋଲେ, ଜୀବନଯାକ ସେ ଆଉ ତମ ମୁହଁ ଚାହିଁବ ନାହିଁ ।’

 

ମଥୁରା ସେମିତି କିଛି ଲମ୍ପଟୀ ନୁହେଁ କିମ୍ବା ସୁନା ସାଙ୍ଗରେ ତା’ର ଅମେଳ ନ ଥିଲା । କିନ୍ତୁ ଅନ୍ଧାର ରାତିରେ ଏକୁଟିଆ ଏକୁଟିଆ ସିଲିଆର ଉଚ୍ଛୁଳାଯୌବନ ଦେଖି, ମନ ତା’ର ଟିକିଏ ଚଞ୍ଚଳ ହୋଇଯାଇଥିଲା । ପୁଣି ଧମକ ପାଇ ମନ ଘର ଧରିଗଲା । ହଠାତ୍ ହାତ ଛାଡ଼ିଦେଇ କହିଲା–ସିଲିଆ, ତମ ଗୋଡ଼, ଧରୁଛି, ସୁନାକୁ ଏ କଥା କହିବ ନାହିଁଟି ! ଯାହା ଦଣ୍ଡଦେବ ତମେ ପଛେ ଦିଅ, କିନ୍ତୁ ସୁନାକୁ କେବେ କହିବ ନାଇଁ ।

 

ସିଲିଆ ମନରେ ଟିକିଏ ଦୟା ଆସିଗଲା । ମଥୁରା ଗାଲରେ ଏକ ସରୁଚାପୁଡ଼ା ଦେଇ ସେ କହିଲା–ସାବଧାନ, ମୋ ସାଙ୍ଗରେ ଆଉ ଯେମିତି ଏମିତିଆ କାମ ନ କର । ମନେରଖଥା, ଆଉ କାହା ସାଙ୍ଗରେ ଏମିତି କାମ କରିବ ନାହିଁ । ଏମିତିଆ କାମ କଲେ ସୁନା ତମ ପାଖରୁ ଚାଲିଯିବ, ଜାଣିଥା ଏକା ।

 

‘ମୋ ରାଣ ଆଗ ସିଲିଆ, ନିୟମ କରି କହୁଛି, ଆଉ କେବେହେଲେ ମୁଁ ଏମିତି କରିବି ନାହିଁ ।’

 

ସିଲିଆ ମନରେ ଭାରି ଦୟା ଆସିଗଲା, କହିଲା ଆଉ ଯଦି କେବେ ଏମିତି କର ?

 

‘ସେତେବେଳେ ତମ ମନକୁ ଯାହା ଆସିବ କରିବ ।

 

ଦିହିଁଙ୍କ ମୁହଁ ପାଖକୁପାଖ ଲାଗିଆସିଥିଲା, ଦିହ ହାତ ଥରି ଆସୁଥିଲା; ହଠାତ୍ ସୁନା ଡାକ ପକାଇଲା–କା’ ସାଙ୍ଗେ ସେଠି କଥାବାର୍ତ୍ତା ହେଉଛ କି ?

 

ସିଲିଆ ପଛକୁ ହଟିଗଲା, ମଥୁରା ଦୁଆର–ଆଲୁଅକୁ ବାହାରିପଡ଼ି କହିଲା–ନାହିଁ, କେହି ନାହିଁ, ତମ’ ଗାଁରୁ ସିଲିଆ ଆସିଛି ।

 

ମଥୁରା ପଛେ ପଛେ ସିଲିଆ ବି ଦୁଆର ଭିତରକୁ ଚାଲି ଆସିଲା । ଘର ଦୁଆର ଚାରିଆଡ଼ ଜିନିଷପତ୍ର ପୂରିଛି ଦେଖି ସେ ଭାବିଲା, ସୁନା ସତେ କେଡ଼େ ଆରାମରେ ରହିଛି । ଠିକ୍ ମାତାଦୀନ ତା’ ଖଟରେ ଯେମିତି ରେଜେଇ ତକିଆ ସବୁ ପକାଇଥାଏ, ସେଇମିତିଆ କଅଁଳିଆ ଗଦୀସବୁ ପଡ଼ିଛି । ଦୁଆରେ ଜହ୍ନ–ଆଲୁଅ ରାଣୀଫୁଲ ପରି ଚମକି ଉଠୁଛି । ଦୁଆରେ ତୁଳସୀ ଚଉରା ତିଆରି ହୋଇଛି । ଗୋଟେ ପାଖରେ ମୁଗ ବିରି, ଆଉ ଗୋଟେ ପାଖେ ଧାନ ଗଦା ହୋଇଛି । ଖପରଘର ଉପରେ ସିମଗଛସବୁ ଲଟେଇ ହୋଇ ରହିଛି । ବାରଣ୍ଡାର ଗୋଟେ ଫାଳରେ ଗାଈ ବନ୍ଧାହୋଇଛି, ଆଉ ଗୋଟାଏ ଫାଳରେ ସୁନାହେରିକା ଶୋଇବା ପାଇଁ ଖଟ ପଡ଼ିଛି । ସିଲିଆ ଭାବିଲା, ସତରେ ସୁନା କେଡ଼େ କପାଳିଆ । ୟା’ ଭିତରେ ସୁନା ବି ଦୁଆର ଭିତରକୁ ଚାଲି ଆସିଥିଲା । କିନ୍ତୁ ସିଲିଆକୁ ତ କାହିଁ ଆଦରରେ କୁଣ୍ଢେଇ ପକାଇଲା ନାହିଁ ! ସିଲିଆ ପହିଲେ ଭାବିଲା–ମଥୁରା ଅଛି ବୋଲି ବୋଧହୁଏ ସେ ଲାଜ କରୁଛି । ପୁଣି ଭାବିଲା, ହଁ, ଏବେ ସେ ବଡ଼ଘରେ ରହିଲାଣି, ଛାର ଚେମାରୁଣୀଟାକୁ ଏବେ ଆଦର କରିବ କିଆଁ ? ମନରେ ତା’ର ଯେତେ ଆନନ୍ଦ, ଯେତେ ଉତ୍ସାହ ଥିଲା, ମୁହୂର୍ତ୍ତକେ ସବୁ କୁଆଡ଼େ ଉଭେଇଗଲା; ବରଂ ସୁନାକୁ ଦେଖି ମନରେ ତାର ଈର୍ଷା ହେଲା । ସୁନାର ଢଳ ଢଳ ଯୌବନ ଏବେ ଚମକି ଉଠୁଥିଲା । ଦେହ ମୁହଁ ଗୋଟାପଣେ ଗୋଲ ବୁଲି ଯାଇଥିଲା, ଉଛୁଳା–ଯୌବନ ସଙ୍ଗେ ଗୃହିଣୀର ଗରିମା ସତେ ଯେମିତି ତା’ ଦେହରେ ବିଛେଇହୋଇ ଯାଇଥିଲା । ସିଲିଆ କିଛିସମୟ କାବାହୋଇ ତା’ ଦେହ ହାତକୁ ଅନାଇ ରହିଲା । ମନେ ମନେ ପୁଣି ଭାବିଲା, ଏଇ ସୁନା କାଲି କି କାଲି ହାଡ଼ ଦି’ଖଣ୍ଡ ଧରି ଭୋକ ଉପାସରେ ଗହୀରରେ ବୁଲୁଥିଲା । ମାସକରେ ବି ମୁଣ୍ଡକୁ ତେଲ ଟୋପେ ମିଳୁ ନଥିଲା । ଛିଣ୍ଡା ଗଇଁଠା ପିନ୍ଧି ଦିନ ସରୁଥିଲା । ସେଇ ପୁଣି ଆଜି ବେକରେ ହଂସୁଲୀ ମାଳ, ନାକରେ କାନରେ ନୋଥ, ବାଳିଗୁଣା, ହାତରେ ଗୋଡ଼ରେ ରୂପାଚୁଡ଼ି, ରୂପାପାହୁଡ଼ ପିନ୍ଧି ବସିଛି । କାଲି କି କାଲି, ଯେ’ ପୁଣି ଆଜି ଆଡ଼ଆଖିରେ ଅନେଇବାକୁ ନାହିଁ । ସିଲିଆ ଆଖିରେ ସମ୍ପତ୍ତି ସବୁଠୁ ବଡ଼ ଜିନିଷ । ସେଥିପାଇଁ ମନେ ମନେ ତା’ର ଭାରି ଈର୍ଷାହେଲା । ସେ ସିନା ଭାବିଥିଲା, ସୁନା ତାକୁ ଦେଖିଲାମାତ୍ରେ କାନ୍ଦି ପକାଇବ । ଆଦରକରି ପାଖରେ ବସେଇ ଖୁଆଇ ପିଆଇ ଗାଁଗଣ୍ଡା କଥାସବୁ ପଚାରିବ, ବିବାହ ଜୀବନର ଅନୁଭୂତି ସବୁ କହି ବସିବ । କିନ୍ତୁ ଦେଖିଲାବେଳକୁ ସତେ ଯେମିତି ତା’ ମୁହଁରେ କିଏ ତାଲା ପକାଇ ଦେଇଛି । କାହିଁକି ବିଚାରୀ ମିଛରେ ଏତେ କଷ୍ଟକରି ଆସିଲା, ସେହି କଥା ଭାବି ମନରେ ତା’ର ବରଂ ଭାରି ଦୁଃଖ ହେଲା ।

 

ଶେଷରେ ସୁନା ବିରକ୍ତ ହେଲାପରି ପଚାରିଲା–ଆଲୋ, ଏତେ ରାତିରେ ତୁ ଆସିଲୁ କେମିତି ?

 

ସିଲିଆ କାନ୍ଦ କାନ୍ଦ ହୋଇ କହିଲା–ବହୁତ ଦିନ ହେଲା ତମେ ଆସିଲଣି, ତମକୁ ନ ଦେଖି ମନଟା ଖାଲି ଛଟପଟ ହେଲା । ଟିକିଏ ଖାଲି ଦେଖିବି ବୋଲି ବାହାରି ଆସିଲି ।

 

ସୁନା ଆଉ ଟିକିଏ ଚଢ଼ି ବସି କହିଲା–ମଲା, ଯିଏ ଯାହାକୁ ଦେଖିବାକୁ ଆସେ, ଦିନରେ ଆସେ, ନା ରାତି–ଅଧରେ ଆସେ ?

 

ସତରେ ସିଲିଆ ଉପରେ ସୁନା ଭାରି ବିଗିଡ଼ି ଯାଇଥିଲା । ସେ ଥିଲା ସୁନାର ହସଖୁସି, ମଉଜ ମଜଲିସର ବେଳ । ସେତେବେଳେ ଆସି ତାର ମଉଜ ମଜଲିସରେ ବାଧା ଦେବାରୁ ତାକୁ ଭାରି ଖରାପ ଲାଗିଲା, ସତେ ଯେମିତି ତା’ ଭାତଥାଳୀ ତା’ ହାତରୁ କିଏ ଛଡ଼େଇ ନେଲା ।

 

ସିଲିଆ ତୁନୀ ହୋଇ ତଳକୁ ମୁହଁ ପୋତି ଠିଆ ହୋଇ ରହିଲା । ଭାବିଲା, ବସୁମାତାହେଲେ ଫାଟି ଯା’ନ୍ତା, ସେ ସେଥିରେ ପଶିଯା’ନ୍ତା । ଏତେ ଅପମାନ ମଣିଷ ସହନ୍ତା ନାହିଁ-। ଜୀବନରେ ସେ ବହୁତ ଅପମାନ ସହିଥିଲା, ହେଲେ ଏମିତି ଅପମାନ ଆଉ କେବେ ତାକୁ ମିଳି ନଥିଲା । ଘରେ ମାଠିଆରେ ଗୁଡ଼ ବନ୍ଦକରି ରଖିଦେଲେ ଯେତେ ବର୍ଷାହେଲେ କିଛି ଯାଏଆସେ ନାହିଁ, କିନ୍ତୁ ଖରାରେ ଶୁଖେଇବା ପାଇଁ ପଦାକୁ ନେଇ ଆସିଲେ, ଟୋପାଏ ପାଣି ପଡ଼ିଲେ ବି ସବୁ ନଷ୍ଟ ହୋଇଯାଏ । ସିଲିଆର ସାରା ଅନ୍ତରାତ୍ମା ସେତେବେଳେ ଖୋଲା ରହିଥିଲା, ଭାବବିହ୍ଵଳତାରେ ଭରି ଉଠିଥିଲା । ସେ ସିନା ଭାବିଥିଲା ଅମୃତ ବରଷିବ ବୋଲି, କିନ୍ତୁ ପ୍ରକୃତରେ ବରଷିଲା ବିଷ । ସାରା ଜୀବନ ତା’ର ବିଷାକ୍ତ ହୋଇଗଲା, ଶିରା ପ୍ରଶିରାରେ ବିଷ ଖେଳିଗଲା-। ଘରେ ଉପାସ ଶୋଇଲେ କିଛି ଯାଏଆସେ ନାହିଁ । କିନ୍ତୁ ଜାତିଆଣ ସଭାରେ ପନ୍ତିରୁ ଉଠାଇ ଦିଆଗଲେ, ମହା ଅପମାନ । ସିଲିଆକୁ ଭାରି ଅପମାନ ଲାଗିଲା । କେମିତି ସେଠୁ ସେ ପଳାଇବ କିଛି ବୁଦ୍ଧି ଦିଶିଲା ନାହିଁ । ମନହେଲା, ସେଇଠି ହେଲେ ସେ ମରିଯାନ୍ତା !

 

ମଥୁରା ସିଲିଆକୁ କିଛି ଖାଇବାକୁ ଦେବା ପାଇଁ ଭଣ୍ଡାର ଘର ଚାବି ଧରି ଠିଆ ହୋଇ ରହିଲା । ଗୋଡ଼ ହାତ ତା’ର ଚଳିଲା ନାହିଁ । ଏଣେ ସିଲିଆ କଥା ଖଣ୍ଡାଧାର ପରି ତା’ ମୁଣ୍ଡ ଉପରେ ହଲୁଥିଲା, ଖସି ପଡ଼ିଲେ କଥା ସରିଲା !

 

ସୁନା ଭାବେ ଯେ, କୌଣସି ପୁରୁଷ ପର–ସ୍ତ୍ରୀକୁ ଅନାଇବା କିମ୍ବା କୌଣସି ସ୍ତ୍ରୀ ପର–ପୁରୁଷଙ୍କୁ ଅନାଇବାଠାରୁ ବଳି ବଡ଼ ପାପ ଆଉ ଦୁନିଆରେ କିଛି ନାହିଁ । ଚୋରୀ, ଡକାଇତି, ହତ୍ୟା, ଜାଲ୍ ଏ ସବୁ ତା’ଆଗରେ କିଛି ନୁହେଁ । ହଁ, କିଏ କାହା ସଙ୍ଗେ ଟିକିଏ କଥାବାର୍ତ୍ତା ହେଲା, ହସ କଉତୁକ ହେଲା ସେ ଭିନ୍ନ କଥା । ହେଲେ, ଦେଖେଇ କରି ହସକଉତୁକ ହେଲେ କିଛି ନାହିଁ, କିନ୍ତୁ ଲୁଚେଇ କରି ହେଲେ ବଡ଼ ଖରାପ । ପିଲାଦିନରୁ ବି ତାକୁ ଏସବୁ କଥା ମାଲୁମ ଥିଲା । କିନ୍ତୁ ବାହା ନ ହେବା ପର୍ଯ୍ୟନ୍ତ ଏ ଧାରଣା ତା’ ମନରେ ଦୃଢ଼ୀଭୂତ ହୋଇ ନଥିଲା । କିନ୍ତୁ ବାହାହେବା ପରେ ତାକୁ ସେ ବ୍ରତପରି ମାନିଥିଲା । ପିଲାଦିନେ ସେ ଦେଖିଥିଲା, ଦିନେ ଦିନେ ହୋରୀ ହାଟକୁ ଫେରୁ ଫେରୁ ଯଦି ସାହୁଆଣୀ ଦୋକାନଠାରେ ଅଟକି ଯାଏ, ତେବେ ଧନିୟା ଭାରି ବିଗିଡ଼ିଯାଇ କଳି ଲଗାଏ । ସତରେ କିଛି ଜିନିଷ କିଣିବା ପାଇଁ ଯାଇଥିଲେ ବି ଧନିୟା ସହିପାରେ ନାହିଁ । ଥରେ ଏମିତି ହେଲା ଯେ, ଖାଲି ଏଇ କଥା ଯୋଗୁଁ ସେ ତା ବାପଘରକୁ ଚାଲିଯାଇଥିଲା । ସୁନା ତ ଭାବେ ପରକୁ ଅନାଇଥିବା ସ୍ତ୍ରୀ ପୁରୁଷଙ୍କ ଚମଡ଼ା ଉତ୍ତାରିଦେଲେ ବି କା ମନରେ ଏତେ ଟିକିଏ କଷ୍ଟ ହେବ ନାହିଁ । ଘର ଛଡ଼ା ବାହାରେ ପ୍ରେମ କରିବା ପାଇଁ ସ୍ତ୍ରୀ ପୁରୁଷ କାହାର ହେଲେ ଅଧିକାର ନାହିଁ । ସିଲିଆକୁ ସେ ନିଜ ଭଭଣୀ ପରି ଭଲପାଏ, ବିଶ୍ଵାସ କରେ, ତଥାପି ସିଲିଆ ଏମିତି କାମ କଲା । ଭାବିଲା, ମଥୁରା ଏବଂ ସିଲିଆ ଦିହିଁଙ୍କ ଭିତରେ ଆଗରୁ ବୋଧହୁଏ କିଛି ଭାବହାବ ଥିଲା । ଗାଈଚରାବେଳେ ମଥୁରାର ତା’ର ବିଲବାଡ଼ିରେ ଭେଟାଭେଟି ହୋଇଥାଇ ପାରନ୍ତି । ସେଇଥିପାଇଁ ବୋଧହୁଏ ସିଲିଆ ଏତେ ରାତିରେ ନଦୀ ପାର ହୋଇ ଧାଇଁ ଆସିଛି । ମଥରା ବୋଧହୁଏ ଭାବିଥିଲା, ମିଳନ ପାଇଁ ଇଏ ଠିକ୍ ବେଳ । ଯୋଗକୁ ଆଜି ଯଦି ସେ ତାଙ୍କ ଦିହିଁଙ୍କ କଥାବାର୍ତ୍ତା ନ ଶୁଣିଆନ୍ତା, ତେବେ ତ ତାକୁ କିଛି ଜଣା ପଡ଼ି ନ ଥାନ୍ତା, ଭିତରେ ଭିତରେ ତାଙ୍କର କାମ ଚାଲିଥାନ୍ତା । ସେ ବର୍ତ୍ତମାନ ଚାହୁଁଥିଲା ମଥୁରା କେମିତି ସେଠି ଆଡ଼େଇ ହୋଇଗଲେ ସିଲିଆକୁ ସବୁକଥା ସେ ପଚାରନ୍ତା । କିନ୍ତୁ ଯେତେବେଳେ ସେ ଦେଖିଲା ଯେ ମଥୁରା ସେଠି ଖୁଣ୍ଟଟା ପରି ଠିଆ ହୋଇଛି, ବିରକ୍ତ ହୋଇ ସେ କହିଲା–ଦାଣ୍ଡକୁ ଯାଉନ କିଆଁ, ଏଠି କ’ଣ ଠିଆ ହୋଇ ପହରା ଦେଉଛ ?

 

ମଥୁରା କିଛି ନ କହି ତୁନୀ ହୋଇ ଦାଣ୍ଡକୁ ଚାଲିଗଲା, ମନେ ମନେ ତାକୁ ଭାରି ଡର ମାଡ଼ିଲା, କାଳେ ସିଲିଆ ସବୁ କଥା କହିଦେବ ।

 

ସିଲିଆକୁ ମଧ୍ୟ ଭାରି ଡର ମାଡ଼ିଲା । ଯେଉଁ କଥାକୁ ସେ ଡରୁଥିଲା, ସୁନା କାଳେ ସେଇ କଥା ତାକୁ ପଚାରିବ ।

 

ତା’ ପରେ ସୁନା ଭାରୀ ଗମ୍ଭୀର ହୋଇ କହିଲ । –ଦେଖ ସିଲିଆ, ସବୁ କଥା ତୁ ସଫା ସଫା ମୋତେ କହିଦେ, ନହିଲେ ଦେଖ, ଏଇ ଯୋଉ ଦାଆ ପଡ଼ିଛି ସେଇଥିରେ ବେକ କାଟିଦେଇ ମୁଁ ମରିଯିବି, ତୁ ତେଣିକି ରାଣୀ ହୋଇ ଭୋଗ କରୁଥିବୁ । ହଇଲୋ, କହିଲୁ ଦେଖି ଏକା ଖୋଳରେ କୋଉଠି ଦି’ଟା ଖଣ୍ଡା ରହିଲାଣି ?

 

ସେ ଚଟକରି ଦାଆଟାକୁ ଭୂଇଁରୁ ଉଠାଇ ଆଣି ହାତରେ ଧରି କହିଲା–ତୁ ଭାବ ନାଇଁ, ଯେ ମୁଁ ତତେ ଖାଲି ଡରେଇବା ପାଇଁ ଧମକ ଦେଉଛି । ରାଗ ହେଲେ ମୁଁ କ’ଣ କରିଦେବି, ତା’ର ଠିକଣା ନାହିଁ । ତୁ ମତେ ସଫା ସଫା କଥା କହିଦେ ।

 

ସିଲିଆ ଡରରେ ଗୋଟାପଣେ ଥରିଗଲ । । ରେକର୍ଡ ଦିହରୁ କଥା ବାହାରିଲାପରି ଗୋଟି ଗୋଟି ସବୁ ସେ କହିଗଲା । ଶୁଣୁ ଶୁଣୁ ସୁନାର ଦେହ ହାଡ଼ ସବୁ ନିଆଁ ହୋଇଗଲା । ଜଣାଗଲା ସତେ ଯେମିତି ସେ ରକ୍ତ ପିଇଯିବ ।

 

ସିଲିଆକୁ କଟମଟ କରି ଚାହିଁ ସୁନା କହିଲା–ସବୁ ଠିକ୍ କହୁଛ ତ ?

 

‘ମୋ ପୁଅ ରାଣ ଆଗ, ଯାହା କହୁଛି ସବୁ ଠିକ୍, ଏତେ ଟିକେ ହେଲେ ଭୁଲ ନାହିଁ ।’

 

‘କିଛି ଛପେଇ ନାଉଁ ତ ?’

 

‘ମୁଁ ଯଦି ଏତେ ଟିକେ କ’ଣ ଛପେଇଥିବି, ତେବେ ମୋ ଆଖି ଫୁଟିଯିବ ।’

 

‘ସେ ପାପୀଟାକୁ ତୁ ଗୋଇଠାମାରି ପେଲିଦେଲୁ ନାହିଁ କାହିଁକି, ଦାନ୍ତରେ କାମୁଡ଼ି ତା’ ରକ୍ତ ପିଇଦେଲୁ ନାହିଁ କାହିଁକି ? ପାଟି କରିଦେଲୁ ନାହିଁ କାହିଁକି ?’

 

ସିଲିଆ ଆଉ କ’ଣ ଜବାବ ଦିଅନ୍ତା ଅବା, ତୁନୀ ହୋଇ ରହିଲା ।

 

ସୁନା ରାଗରେ ଜର ଜର ହୋଇ କହିଲା–ମୁଁ ତ କହୁଛି ତୁ କାହିଁକି ତା’ ନାକକୁ କାମୋଡ଼ି ଛିଣ୍ଡାଇ ଦେଲୁ ନାହିଁ ? ତା’ ତଣ୍ଟି ଚିପି କାହିଁକି ତାକୁ ମାରିଦେଲୁ ନାହିଁ ? ତୁ ଯଦି ତା’ କରିଥାନ୍ତୁ ତାହାହେଲେ ମୁଁ ଜାଣିଆନ୍ତି ତୁ ସତୀ । ତୋ’ ଗୋଡ଼ ଧରିକରି ମୁଁ ମୁଣ୍ଡିଆ ମାରିଥାନ୍ତି । ତୁ ଯେତେବେଳେ ସେ କଥା ନ କଲୁ, ତୁ ବି ଜଣେ ସେମିତିଆ ବେଶ୍ୟା । ନିଜର ତ ଗୁଣ କାହିଁରେ କ’ଣ, ମାତାଦୀନ ନାଁରେ ବୁଲିକରି ବଦନାମୀ କରୁଛୁ କାହିଁକି ? ଯାହାକୁ ହେଲେ ଗୋଟାକୁ ଧରିକରି ରହୁନାହୁଁ ? ନହିଲେ ତୋ’ ବାପଘରକୁ ଚାଲି ଯାଉନୁ ? ତୋ’ ବାପ ତ ଚାହୁଥିଲା, ତୁ ଯାଇଥିଲେ ଭଲ ହୋଇଥାନ୍ତା । ତୁ ରୋଜଗାର କରି ଦେଉଥାନ୍ତୁ, ସେ ମଦ ପିଉଥାନ୍ତା । ମିଛରେ ଏଠି ବସି ସେ ବ୍ରାହ୍ମଣଟାକୁ ଏତେ ହଇରାଣ କରୁଛୁ କାହିଁକି, ଏତେ ସତୀପଣ ଦେଖାଇ ହେଉଛୁ କାହିଁକି ? ଯଦି ଏକୁଟିଆ ରହିପାରୁ ନାହୁଁ କାହାକୁ ହେଲେ ଗୋଟାଏ ବାହା ହୋଇପଡ଼ । ନାହିଁ ଯଦି ବାହା ହେବାକୁ କେହି ମିଳୁନାହାନ୍ତି, ତା’ହେଲେ କୂଅ ପୋଖରୀରେ ଯାଇଁ ବୁଡ଼ି ମର, ଆଉ ଲୋକଙ୍କ ଜୀବନ ମିଛରେ ମାଟି କରୁଛୁ କାହିଁକି ? ମୁଁ ତତେ ଆଜି କହିଦେଉଛି, ଯଦି ଆଉଥରେ ପଣି ଏକଥା ହୁଏ, ତେବେ ତୁ, ମୁଁ ଆଉ ସେ ଆମ ତିନିଙ୍କଯାକରୁ ଯେ’ ଜଣେ ହେଲେ ଯିବ ! ହଉ, ଯାହା ତ ହେଲାଣି, ଏଥର ମୁହଁରେ କଳା ବୋଳି କରି ଯା’, ତୋ’ର ମୋ’ର ଆଜିଠୁ ଜାଣି ସବୁ ଛିଡ଼ିଲା ।

 

ସିଲିଆ ବସିଲାଠାରୁ ଉଠି ଠିଆ ହେଲା । ଜଣାଗଲା ସତେ ଯେମିତି ତା’ ଅଣ୍ଟା ଭାଙ୍ଗିପଡ଼ିଛି । କ’ଣ କହିବ କହିବ ବୋଲି ହେଲା, କିନ୍ତୁ କିଛି ତାକୁ ଦିଶିଲା ନାହିଁ । ଚାରିଆଡ଼ ଖାଲି ଅନ୍ଧାର ଦିଶିଲା, ମୁଣ୍ଡ ବୁଲେଇଦେଲା, ତଣ୍ଟି ଶୁଖିଗଲା, ସତେ ଯେମିତି ଦେହରୁ ତା’ର ପ୍ରାଣ ଛାଡ଼ିଯାଉଥିଲା । ଗୋଟିଏ ଗୋଟିଏ ଗୋଡ଼ କାଢ଼ି ବିଚାରୀ ନଈଆଡ଼କୁ ଚାଲିଲା ।

 

ଦୁଆର ପାଖରେ ମଥୁରା ଛିଡ଼ା ହୋଇଥିଲା । କହିଲା–ଏତେବେଳେ କୁଆଡ଼େ ଯାଉଛୁ ସିଲିଆ ?

 

ସିଲିଆ କିଛି ଜବାବ ଦେଲା ନାହିଁ କି ମଥୁରା ବି ଆଉ ସାହସ କରି କିଛି ପଚାରିଲା ନାହିଁ ।

 

ଠିକ୍ ସେଇମିତି ଜହ୍ନ ପଡ଼ିଥିଲା, ଜହ୍ନ ଆଲୁଅରେ ନଈପାଣି ଲହଡ଼ା ମାରୁଥିଲା । ତା’ରି ଭିତରେ ସିଲିଆ ବିକ୍ଷିପ୍ତ ସ୍ଵପ୍ନ ଛାୟାପରି ଚାଲି ଯାଉଥିଲା ।

Image

 

ତ୍ରିଂଶ ପରିଚ୍ଛେଦ

 

ସେ ପୁରୁଣା ମିଲ୍ ତ ପୋଡ଼ି ଜଳି ପାଉଁଶ ହୋଇଗଲା । ଖନ୍ନା ସାହେବ ଏବେ ଗୋଟିଏ ନୂଆ ମିଲ୍ ବସେଇବାପାଇଁ ଲାଗିଗଲେ । ମୁଲିଆମାନଙ୍କର ସେହି ପୁରୁଣା ଷ୍ଟ୍ରାଇକ୍ ସେମିତି ରହିଲା । କିନ୍ତୁ ସେଥିରେ ଖନ୍ନା ସାହେବଙ୍କର କୌଣସି କ୍ଷତି ହେଲା ନାହିଁ । କାରଣ ମୂଲିଆ ଯେତେ ଇଚ୍ଛା ସେତେ ମିଳିଗଲେ, ପୁଣି ପୂର୍ବ ଅପେକ୍ଷା ଢେର କମ୍ ଦାମରେ । ଯେଉଁ ଲୋକସବୁ ବେକାର ହୋଇ ବସି ଭୋକ ଉପାସରେ ମରୁଥିଲେ, ସେମାନେ ଆସି ଖୁସିରେ କମ୍ ପଇସାରେ କାମ କରିବାପାଇଁ ମେଣ୍ଢେଇ ହେଲେ । ତାଙ୍କୁ ତମେ ହାଣ, ମାର, କମ୍ ପଇସା ଦିଅ, ଛୁଟୀ ନ ଦିଅ, ଦିନଯାକ କାମ ଖଟାଅ, ସବୁଥିରେ ସେମାନେ ରାଜି; ଏକରସେକର ହେବାକୁ ତାଙ୍କର କୌଣସି ବାଟ ନ ଥିଲା । ଏକଥା ଦେଖି ଯେଉଁ ମୂଲିଆମାନେ ଷ୍ଟ୍ରାଇକ୍ କରିଥିଲେ ସେମାନଙ୍କର ଆଉ କୌଣସି ଉପାୟ ରହିଲା ନାହିଁ, ଅଳ୍ପ ପଇସାରେ ଯାଚିହୋଇ କାମ କରିବାକୁ ବାଧ୍ୟ ହେଲେ । ଖନ୍ନା ସାହେବଙ୍କର ସମ୍ପାଦକ ଓଁକାରନାଥଙ୍କଠାରୁ ସଂପୂର୍ଣ୍ଣରୂପେ ବିଶ୍ଵାସ ତୁଟିଗଲା-। ଦେଖାହେଲେ କେମିତି ତାଙ୍କୁ ଠିକଣା ଜବାବ ଦିଅନ୍ତେ, ଏହି ଅପେକ୍ଷାରେ ସେ ରହିଲେ-। ଓଁକାରନାଥ ମଧ୍ୟ ସେହିଦିନୁ ଦେହ ଛପେଇ କାରବାର କରିବାକୁ ଲାଗିଲେ । ସଂଧ୍ୟା ହେଲେ ଆଉ ଘରୁ ବାହାରିଲେ ନାହିଁ । ମିର୍ଜା ସାହେବ ଷ୍ଟ୍ରାଇକ୍‍ବାଲାଙ୍କର ଦୁଃଖକଷ୍ଟ ଦେଖି କେମିତି କ’ଣ କରିବେ କିଛି ଉପାୟ ନ ପାଇ ଭାବୁଥିଲେ, ମୂଲିଆମାନେ ଯଦି ପୁଣି କାମ କରିବାକୁ ଚାଲିଯାନ୍ତେ ତାହାହେଲେ ଭଲ ହୁଅନ୍ତା-। କିନ୍ତୁ ସେମାନେ ଗଲେ ନୂଆ ମୁଲିଆମାନେ ପୁଣି ଯିବେ କୁଆଡ଼େ-? ସେଥିପାଇଁ କୌଣସି ଉପାୟ ନ ଦେଖି ସେ ଷ୍ଟ୍ରାଇକ୍‍ବାଲାଙ୍କୁ କହୁଥିଲେ, ଯାହାର ଯେମିତି ଇଚ୍ଛା ହେଉଛି ସେ କରନ୍ତୁ-

 

ଖନ୍ନା ସାହେବ ଯେତେବେଳେ ଦେଖିଲେ ଯେ, ପୁରୁଣା ମୂଲିଆ ବର୍ତ୍ତମାନ କାରଖାନାରେ କାମ କରିବାପାଇଁ ଭାରି ଆଗ୍ରହ କରୁଛନ୍ତି, ସେତେବେଳେ ସେ ପୁଣି ଟିକିଏ ଆଣ୍ଟ କରି ବସିଲେ । ଅବଶ୍ୟ ପୁରୁଣା ମୂଲିଆଙ୍କୁ ନେବାପାଇଁ ତାଙ୍କର ଭାରି ଇଚ୍ଛା ଥିଲା । କାରଣ ନୂଆ ମଜୁରିଆମାନେ ଅଳ୍ପ ପଇସାରେ କାମ କଲେ ବି ପୁରୁଣା ଲୋକଙ୍କ ଆଗରେ ସେମାନେ କିଛି ନୁହନ୍ତି । ନୂଆଲୋକମାନେ ଗାଁଗହଳର ଗରିବ ଚାଷୀ, ଯେଉଁମାନେ କେବେହେଲେ କଳକାରଖାନା ଦେଖି ନଥିଲେ । ସେମାନଙ୍କର ଅଭ୍ୟାସ ହେଉଛି, ଖୋଲା ପଡ଼ିଆରେ ପୁରୁଣା କାଳିଆ କାତି, ଟାଙ୍ଗିଆ ଧରି କାମ କରିବା । କାରଖାନା ଭିତରେ କାମ କଲାବେଳକୁ ତାଙ୍କ ନିଶ୍ୱାସ ବନ୍ଦ ହୋଇଯାଏ, କଳାକାରଖାନାର ରଡ଼ି ଶୁଣି ତାଙ୍କ ପିଳେହି ପାଣି ହୋଇଯାଏ । କିନ୍ତୁ ପୁରୁଣା ଲୋକେ ପିଲାଦିନୁ କଳରେ କାମ କରି କରି ଏତେ ଅଭ୍ୟସ୍ତ ଯେ ସେମାନଙ୍କୁ କିଛି ଲାଗେ ନାହିଁ । ତେଣୁ ସେମାନେ ଯେତେବେଳେ ଏକା ପଇସାରେ କାମ କରିବାକୁ ରାଜି, ତାଙ୍କୁ ନ ରଖି ନୂଆ ଲୋକଙ୍କୁ ରଖିବା କି ଦରକାର । ତେଣୁ ଖନ୍ନା ସାହେବ ଡାଇରେକ୍ଟରମାନଙ୍କୁ ନୂଆ ପୁରୁଣା ମଜୁରିଆମାନଙ୍କୁ ରଖିବା ନ ରଖିବା ବିଷୟରେ ଗୋଟାଏ ପ୍ରସ୍ତାବ ଦେଲେ । ସେଥିରେ ଅଧା ଡାଇରେକ୍ଟର କହିଲେ, ନୂଆ ମଜୁରିଆ ଦରମା ଅଧା କମେଇ ଦେଇ ସେମାନଙ୍କୁ ରଖାଯାଉ, ଆଉ ଅଧେ ଡାଇରେକଟର କହିଲେ, ନୂଆ ମଜୁରିଆଙ୍କ ଦରମାରେ ପୁରୁଣା ଲୋକଙ୍କୁ ରଖାଯାଉ । ଅଳ୍ପ କିଛି ଟଙ୍କା ଅଧିକା ଖର୍ଚ୍ଚ ହୋଇଯାଇପାରେ, କିନ୍ତୁ କାମ ନିଶ୍ଚୟ ବେଶି ହେବ । ଏସବୁ କଥାରେ ଖନ୍ନା ସାହେବ ହେଉଛନ୍ତି ଅସଲ ମାଲିକ, ଡାଇରେକଟରମାନେ କିଛି ନୁହନ୍ତି । ସେମାନେ କେବଳ ତାଙ୍କ ହାତରେ କଣ୍ଢେଇ, ସେ ଯେମିତି ଚାହିବେ ସେମିତି ନଚେଇବେ । ଏସବୁ କଥାରେ ଖନ୍ନା ଭାରି ଚଲାକ, କେବଳ ମିତ୍ରଙ୍କଠାରୁ ନୁହେଁ, ଶତ୍ରୁଙ୍କଠାରୁ ବି ସେ ଉପଦେଶ ନିଅନ୍ତି । ଶେଷରେ ସେ ଗୋବିନ୍ଦୀ ଦେବୀଙ୍କର ମତାମତ ବି ଚାହିଲେ । ଯେଉଁଦିନଠୁ ମାଳତୀଙ୍କ ଆଡ଼ୁ ଖନ୍ନା ସାହେବଙ୍କର ସବୁ ଆଶା ତୁଟିଗଲା ଏବଂ ମେହେତାଙ୍କ ପରି ପଣ୍ଡିତ ଲୋକ ମଧ୍ୟ୍ୟ ଗୋବିନ୍ଦୀ ଦେବୀଙ୍କୁ ଖାତିର କରିବାର ଦେଖାଗଲା, ସେହିଦିନୁ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ଭିତରେ ପ୍ରେମ ନ ହେଉ ବରଂ ପରସ୍ପର ସହିତ ମିଳିମିଶି ଆପଣା ଆପଣାକୁ ସାହାଯ୍ୟ କରି ଚାଲିବାର ଦେଖାଗଲା । ଦୁହିଁଙ୍କ ଭିତରେ ଯେଉଁ ପାଚେରୀ ଛିଡ଼ା ହୋଇଥିଲା ଭାଗବାନଙ୍କ ଦୟାରୁ ସେ ଭାଙ୍ଗି ପଡ଼ିଥିଲା ।

 

ଏଣେ ମାଳତୀଙ୍କଠାରେ ବି ଖୁବ୍ ପରିବର୍ତ୍ତନ ଦେଖା ଦେଇଥିଲା । ମେହେତା ସାହେବ ଜୀବନସାରା ଅଧ୍ୟୟନ ତଥା ଆଲୋଚନାରେ ବ୍ୟସ୍ତ ରହି, ଆତ୍ମବାଦ, ଅନାତ୍ମବାଦ ନାନା ଆଲୋଚନା କରିସାରି, ଶେଷରେ ଦେଖିଲେ ଯେ ପ୍ରବୃତ୍ତି ନିବୃତ୍ତି ଭିତରେ ମଧ୍ୟମ ପନ୍ଥା ହେଉଛି ସେବାମାର୍ଗ । ଯଦିଓ ସେ ସଂପୂର୍ଣ୍ଣ ନାସ୍ତିକ ବି ନଥିଲେ, କାରଣ ଈଶ୍ୱରଙ୍କ ବିଷୟରେ ସପକ୍ଷ ବା ବିପକ୍ଷରେ ଟଙ୍କାର କୌଣସି ସ୍ପଷ୍ଟ ଧାରଣା ନଥିଲା । କିନ୍ତୁ ଟଙ୍କାର ଦୃଢ଼ ଧାରଣା ଥିଲା ଯେ ମନୁଷ୍ୟର ଜନ୍ମ–ମରଣ, ସୁଖଦୁଃଖ, ପାପ ପୂଣ୍ୟ କୌଣସିଥିରେ ଭାଗବାନଙ୍କର ହାତ ନାହିଁ । ମନୁଷ୍ୟ କେବଳ ନିଜର ଅହଂକାର ଯୋଗୁ ତା’ର ପ୍ରତ୍ୟେକ କ୍ଷୁଦ୍ର ଜିନିଷକୁ ଭାଗବାନଙ୍କ ପରି ମହାନ୍ ବ୍ୟକ୍ତିଙ୍କର ଲୀଳା ବୋଲି ଗୌରବ ଅନୁଭବ କରେ; ଏହା ଛଡ଼ା ଅନ୍ୟ କିଛି ନୁହେ । ପ୍ରତ୍ୟେକ ଜିନିଷରେ ଈଶ୍ୱରଙ୍କୁ ଦାୟୀ କରିବା ତାର ଅଭ୍ୟାସ । ଯେଉଁ ଈଶ୍ୱରଙ୍କ ବିଧାନ ଏପରି ଅଜ୍ଞେୟ ଯେ, ମନୁଷ୍ୟକୁ ସେଥିରୁ କିଛିହେଲେ ଆଦିଅନ୍ତ ମିଳେ ନାହିଁ, ସେହିପରି ଏକ ଭାଗବାନଙ୍କୁ ଚିନ୍ତାକରି ସନ୍ତୋଷ ଲାଭ କରିବା ମନୁଷ୍ୟ ପକ୍ଷରେ ଅସମ୍ଭବ ନିଶ୍ଚୟ । ଏକାତ୍ମବାଦ କହ, ସର୍ବାତ୍ମବାଦ କହ କିମ୍ବା ଅହିଂସା ତତ୍ତ୍ୱ କହ, ସେ ସମସ୍ତ ତତ୍ତ୍ୱକୁ ମେହେତା ସାହେବ କୋଣସି ଆଧ୍ୟାତ୍ମିକ ଦୃଷ୍ଟିରୁ ନ ଦେଖି ବରଂ ଭୌତିକ ଦୃଷ୍ଟିରେ ଦେଖନ୍ତି । ସେ ସମସ୍ତ ବାଦର ଏକମାତ୍ର ଉଦ୍ଦେଶ୍ୟ ହେଉଛି ମାନବ ସମାଜରେ ଏକତା ସ୍ଥାପନ କରିବା । ସମସ୍ତ ଏକତ୍ୱବାଦର ଅର୍ଥ ହେଉଛି ମନୁଷ୍ୟମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରିବା, ଆପଣା ଆପଣା ଭିତରେ ପ୍ରୀତି, ମୈତ୍ରୀ, ଭାତୃସ୍ନେହ ଓ ସେବାଭାବ ଜାଗ୍ରତ କରିବା । ଏହି ମାନବିକ ଏକତା ମେହେତାଙ୍କ ମନରେ ଏପରି ଦୃଢ଼ ହୋଇଯାଇଥିଲା ଯେ, କୌଣସି ଆଧ୍ୟାତ୍ମବାଦ ସେଠି ସ୍ଥାନ ପାଇପାରୁ ନଥିଲା । ନିସ୍ଵାର୍ଥ ସେବା ଛାଡ଼ି ତାଙ୍କ ମନରେ ଶାନ୍ତି ଓ ସନ୍ତୋଷର ଅନ୍ୟ କୌଣସି ଆଧାର ନ ଥିଲା । କୌଣସି ପ୍ରକାର ମାନସମ୍ମାନ କିମ୍ବା ଯଶପାଇଁ ତାଙ୍କର ଅଣୁମାତ୍ର ଲୋଭ ନଥିଲା । ମେହେତାଙ୍କର ଏହି ଉଦାର ପ୍ରଭାବ ମାଳତୀଙ୍କୁ ବିଶେଷ ଭାବରେ ପ୍ରଭାବିତ କରିବାକୁ ଲାଗିଲା । ଏପର୍ଯ୍ୟନ୍ତ ମାଳତୀ ଯେତେ ଲୋକଙ୍କୁ ଭେଟିଥିଲେ ସମସ୍ତେ ତାଙ୍କର ଭୋଗ ଲାଳସାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମେହେତାଙ୍କ ସଂପର୍କରେ ଆସି ତାଙ୍କର ସେବା, ତ୍ୟାଗ ମନୋବୃତ୍ତି ଖୁବ୍ ବଢ଼ିଯାଇଥିଲା । ବାସ୍ତବରେ କହିବାକୁ ଗଲେ ମନୁଷ୍ୟ ମାତ୍ରକେ ସମସ୍ତେ ଏହି ପ୍ରବୃତ୍ତିର ଅଧିକାରୀ-। କେବଳ ସୁବିଧା ପାଇଲେ ଏହା ଅନ୍ୟ ଯେ କୌଣସି ପ୍ରବୃତ୍ତି ପରି ଆତ୍ମପ୍ରକାଶ କରିଥାଏ । ଯେ ପର୍ଯ୍ୟନ୍ତ ମନୁଷ୍ୟ ଧନ ଓ ଯଶ ଲାଳସାରେ ପଡ଼ି ରହିଥାଏ, ବୁଝିବାକୁ ହେବ, ସେ ପର୍ଯ୍ୟନ୍ତ ସେ କୌଣସି ପବିତ୍ର ଆତ୍ମାର ସଂପର୍କରେ ଆସି ନାହିଁ । ମେହେତାଙ୍କ ସଂପର୍କରେ ବିଶେଷ ଭାବରେ ଆସିଲା ଦିନୁ ମାଳତୀ ବିନା ଫିସ୍‍ ରେ ଗରିବ ରୋଗୀଙ୍କୁ ଦେଖିବାପାଇଁ ବରାବର ଯଦି ଆସିବା ଆରମ୍ଭ କରି ଦେଇଥିଲେ । ରୋଗୀଙ୍କ ପ୍ରତି ଭାରି ମଧୁର ବ୍ୟବହାର ମଧ୍ୟ କରୁଥିଲେ । ଅବଶ୍ୟ ବେଶ, ପୋଷାକ, ସ୍ନୋ ପାଉଡ଼ରର ମୋହ ସେ ପର୍ଯ୍ୟନ୍ତ ତାଙ୍କୁ ଛାଡ଼ି ନ ଥିଲା । ଅନ୍ତରର ପରିବର୍ତ୍ତନ ବାହାରର ପରିବର୍ତ୍ତନ ଅପେକ୍ଷା ତାଙ୍କୁ ବେଶି କଷ୍ଟକର ଜଣାପଡ଼ୁ ଥିଲା । ମାଳତୀ ଓ ମେହେତା ଆଜିକାଲି ସହର ଛାଡ଼ି ମଝିରେ ମଝିରେ ବେଳେବେଳେ ଗାଁ ଗହଳକୁ ଚାଲି ଯାଉଥିଲେ, ଚାଷୀଙ୍କ କୁଡ଼ିଆରେ ବସି ଖାଇପିଇ, ସେମାନଙ୍କ ସାଙ୍ଗରେ ରହି ଫେରି ଆସୁଥିଲେ-। ଦିନେ ଏମିତି ବୁଲୁ ବୁଲୁ ଦୁହେଁ ଯାଇ ହୋରୀ ଗାଁରେ ପହଞ୍ଚିଲେ । ସେତେବେଳକୁ ହୋରୀ ଦାଣ୍ଡ ପିଣ୍ଡାରେ ବସି ଚିଲମ ଟାଣୁଥିଲା । ମେହେତା ପହଞ୍ଚିଯାଇ ହୋରୀକୁ ଚିହ୍ନି ପକାଇ କହିଲେ–ଏ’ଟା କ’ଣ ତମ ଗାଁ ? ମତେ ଚିହ୍ନିପାରୁଛ ଟି ? ମନେଅଛିଟି ସେଦିନ ରାତିକଥା, ଯେଉଁଦିନ ଆମେ ସବୁ ରାୟସାହେବଙ୍କ ଘରଠାରେ ଏକାଠି ହୋଇଥିଲେ, ଆଉ ତମେ ଧନୁଷଯଜ୍ଞାରେ ମାଳୀ ହୋଇ ବାହାରିଥିଲ ?

 

ହୋରୀର ସବୁକଥା ମନେ ପଡ଼ିଗଲା, ଚଉକୀ ଦି’ଟା ଆଣିବାପାଇଁ ପଟେଶ୍ୱରୀ ଘରକୁ ଯିବାପାଇଁ ସେ ବାହାରି ପଡ଼ିଲା ।

 

ମେହେତା କହିଲେ–ଚଉକୀ କିଛି ଦରକାର ନାହିଁ, ଆମେ ଏଇ ଖଟ ଉପରେ ବସିଯିବୁ-। ଆମେ ଏଠି ଚଉକୀରେ ବସିବାକୁ ଆସି ନାହୁଁ, ଆସିଛୁ ତମଠୁ କିଛି ଶିଖିବୁ ବୋଲି-

 

ଦିହେଁଯାକ ଖଟ ଉପରେ ବସିଗଲେ । କେମିତି କ’ଣ ତାଙ୍କର ଚର୍ଚ୍ଚା କରିବ, ହୋରୀକୁ କିଛି ବୁଦ୍ଧି ଦିଶିଲା ନାହିଁ । ଏମିତି ବଡ଼ ଲୋକଙ୍କର ଚର୍ଚ୍ଚା କରିବାପାଇଁ ତା’ ପାଖରେ ଅବା କ’ଣ ଥିଲା ?

 

ଶେଷକୁ ହୋରୀ ପଚାରିଲା–ଆଜ୍ଞା, ଜଳ ଆଣିବି ?

 

ମେହେତା କହିଲେ–ହଁ ମୁନ୍ଦେ ଆଣ, ଭାରି ଶୋଷ ହେଉଛି ।

 

‘ଆଜ୍ଞା ମିଠା କିଛି ଆଣିବି ?’

 

‘ହଁ, ଘରେ ଅଛି ଯଦି ଆଣ, ନହିଲେ ନାହିଁ ।’

 

ହୋରୀ ତ ପାଣିପାଇଁ ଘର ଭିତରକୁ ଚାଲିଗଲା । ଚିଡ଼ିଆଘରେ ଜନ୍ତୁ ଦେଖିଲା ପରି ଗାଁଯାକ ପିଲା ସବୁ ଆସି ତାଙ୍କ ଦିହିଁଙ୍କୁ ଘେରିଗଲେ ।

 

ସିଲିଆ ବି ତା ପୁଅକୁ କାଖେଇ କୁଆଡ଼େ କାମକୁ ଚାଲିଯାଉଥିଲା, କିନ୍ତୁ ସେମାନଙ୍କୁ ଦେଖିଲାମାତ୍ରେ ସେଠି ଅଟକି ଗଲା ।

 

ମାଳତୀ ଉଠିଆସି ତା’ଠୁ ପିଲାକୁ ନେଇଯାଇ ଗେଲକରି କହିଲେ ୟା’କୁ କେତେ ବୟସ ହେଲାଣି ?

 

ସିଲିଆ କିଛି କହିପାରିଲା ନାହିଁ । ଆଉ ଜଣେ କହିଲା–ବରଷେ ଖଣ୍ଡେ ହେବ ।

 

ମାଳତୀ ଥଟ୍ଟା କରି କହିଲେ–ଭାରି ବଢ଼ିଆ ପିଲାଟିଏ ହୋଇଛି, ଆମକୁ ଦେଇଦିଅ ।

 

ସିଲିଆ ଟିକିଏ ଗର୍ବ ଅନୁଭବ କରି କହିଲା–ଦେଇଦେବି କ’ଣ, ସେ ତ ହଜୁରଙ୍କର ।

 

‘ତା ହେଲେ ମୁଁ ନେଇଯାଉଛି ।’

 

‘ନିଅନ୍ତୁ, ହଜୁରମାନଙ୍କ ସାଙ୍ଗରେ ରହିଲେ ତ ହେଲେ ମଣିଷ ହୋଇଯିବ ।’

 

ୟା’ ଭିତରେ ଆଉ ମାଇପେ ବି ଆସି ପହଞ୍ଚି ଯାଇଥିଲେ । ଦାଣ୍ଡରେ କଥାବାର୍ତ୍ତା ହେବାକୁ ସୁବିଧା ନ ହେବାରୁ ମାଳତୀଦେବୀଙ୍କୁ ସେମାନେ ଘର ଭିତରକୁ ଡାକିନେଲେ । ଦୁଆରେ ଖଣ୍ଡେ ଖଟିଆ ଉପରେ ଗୋଟାଏ ଶତରଞ୍ଜି ପରା ହୋଇଥିଲା । ପଟେଶ୍ୱରୀ ଘରଠାରୁ ସେଟା ମଗା ହୋଇ ଆସିଥିଲା । ମାଳତୀଦେବୀ ଖଟ ଉପରେ ବସିଗଲେ, ପିଲା ପାଳିବା କଥା ସବୁ ପଡ଼ିଲା । ମାଇପି ଲୋକମାନେ ଖୁବ୍ ମନଦେଇ ଶୁଣିଲେ ।

 

ଧନିୟା କହିଲା–ହଜୁର ଯାହା କହିଲେ, ଆମକୁ ତ ମୁଠେ ଖାଇବାକୁ ମିଳୁ ନାହିଁ, ଆମେ ଏତେ କଥା କୁଆଡ଼ୁ କରିପାରିବୁ ?

 

ମାଳତୀ ଦେବୀ ବୁଝେଇ ବସିଲେ–ସଫା ସୁତୁରା ହେବାପାଇଁ ପଇସା ତ କିଛି ଦରକାର ନାହିଁ, ଟିକିଏ ମିହନ୍ତ ଦରକାର । ଟିକିଏ ଖାଲି ସାବଧାନ ହେଲେ ହେଲା ।

 

ଦୁଲାରୀ ସାହୁଆଣୀ ପଚାରିଲା–ହଜୁରଙ୍କର ତ ଆଜିଯାଏ, ବାହା ଗଣ୍ଠି ଫିଟି ନାଇଁ, ହଜୁର ଏତେ କଥା ଜାଣିଲେ କେମିତି ?

 

ମାଳତୀ ଟିକିଏ ହସିଦେଇ କହିଲେ–ତମେ କେମିତି ଜାଣିଲ ମୁଁ ବାହା ହୋଇନାହିଁ ବୋଲି ?

 

ଏକଥା ଶୁଣି ମାଇପେ ସବୁ ଟିକିଏ ପଛକୁ ମୁହଁ ଫେରେଇ ହସିଲେ । ପୁନିୟା କହିଲା–ହଜୁର, ଏଗୁରା କ’ଣ ଛପି ରହିବା କଥା ? ମୁହଁକୁ ଅନେଇଦେଲେ ତ ସବୁ ଜଣା ପଡ଼ିଯିବ ।

 

ମାଳତୀ ଟିକିଏ ଲାଜ କଲା ପରି କହିଲେ–ମୁଁ ଯଦି ବାହା ହୋଇଥାନ୍ତି ଆପଣମାନଙ୍କ କାମ କେମିତି କରିଥାନ୍ତି ?

 

ସମସ୍ତେ ଏକା ପାଟିରେ ହୋ ହୋ ହୋଇ କହିଲେ–ଭଗବାନ ହଜୁରଙ୍କର ମଙ୍ଗଳ କରନ୍ତୁ ।

 

ସିଲିଆ ମାଳତୀଙ୍କ ଗୋଡ଼ ଧରିପକାଇ ଆଉଁସି ଦେବାକୁ ଲାଗିଲା । କହିଲା–କେତେ ବାଟରୁ ଚାଲି ଚାଲି ଆସିଲେଣି ହଜୁର, ଗୋଡ଼କୁ ବାଧା ହେବଣି ।

 

ମାଳତୀ ଗୋଡ଼କୁ ଘୁଞ୍ଚେଇ ନେଇ କହିଲେ–ନାହିଁ, ନାହିଁ, ମୋତେ ମୋଟେ ବାଧା ହୋଇନାହିଁ । ମୁଁ ତ ମଟର ଗାଡ଼ିରେ ଆସିଛି । ବରଂ ମୁଁ ଚାହୁଁଛି, ଆପଣମାନଙ୍କ ପିଲାଙ୍କୁ ଆଣନ୍ତୁ, ମୁଁ ତାଙ୍କୁ ଦେଖିକରି ବତେଇଦେବି ଆପଣମାନେ ତାଙ୍କୁ କେମିତି ସାଇତିବେ ।

 

ୟା’ ଭିତରେ କୋଡ଼ିଏ ପଚିଶ ହେବ ପିଲା ଆସିଗଲେ । ଯେଉଁମାନଙ୍କର ଆଖି ଧରିଥିଲା, ମାଳତୀ ସଙ୍ଗେ ସଙ୍ଗେ ସେମାନଙ୍କ ଆଖିରେ ଔଷଧ ପକାଇ ଦେଲେ । ବାକି ପିଲାଗୁଡ଼ିକ ସମସ୍ତେ ଦୁର୍ବଳ । ଅସଲ କଥା ହେଉଛି ପିଲାଙ୍କ ମା’ମାନଙ୍କର ଖୋରାକ ଅଭାବ । ଦୁଧ ଘିଅ ତ ସହଜେ ଦର୍ଶନ କରିବାକୁ ନାହିଁ । ମାଳତୀଙ୍କୁ ଆଜିଯାଏ ଜଣା ନଥିଲା ଯେ ଗାଁ ଗଣ୍ଡାର ଗରିବ ଲୋକଙ୍କୁ ଦୁଧ, ଘିଅ ମିଳେ ନାହିଁ । ଏଇ ପ୍ରଥମ କରି ସେ ଜାଣିଲେ ।

 

ସବୁଠି ଯେମିତି ଖାଇବା ପିଇବା କଥା ବୁଝାଇ ବସନ୍ତି, ଏଠି ବି ସେମିତି ମାଳତୀ ଦେବୀ ବୁଝାଇ ବସିଲେ । ଲୋକମାନେ କାହିଁକି ଭଲ ଖାଇବାକୁ ଚେଷ୍ଟା କରୁ ନାହାନ୍ତି, ସେଥିପାଇଁ ସେ ମନେ ମନେ ଭାରି ବିଗଡ଼ନ୍ତି । ଗାଁ ଲୋକେ ଦିନରାତି ଏତେ ଖଟନ୍ତି, ଅଥଚ ଭଲ କରି ଗଣ୍ଡେ ଖାଇବା ପାଇଁ ଚେଷ୍ଟା କରନ୍ତି ନାହିଁ କାହିଁକି ସେ କିଛି ବୁଝିପାରନ୍ତି ନାହିଁ । ଦି’ଦିଟା ବଳଦ କିଣିବାକୁ ତାଙ୍କୁ ପଇସା ମିଳେ, ସେମାନଙ୍କୁ ପୋଷିବାପାଇଁ ପାଳ ନଡ଼ା ମିଳେ, କିନ୍ତୁ ଗାଈ ମଇଁଷି ରଖିଲାବେଳକୁ କିଛି ମିଳେ ନାହିଁ କେମିତି ? ଖାଇବାଟା ମଣିଷର ଅସଲ, ଏ କଥାଟା ଲୋକେ ବୁଝନ୍ତି ନାହିଁ କାହିଁକି ? କାହିଁକି ଲୋକମାନେ ଅଳପ ସୁଧରେ ସରକାରଙ୍କୁ ଋଣ ନ ମାଗି ଏହି ସୁଧଖୋର ଗାଁ ମହାଜନଙ୍କ ପାଲରେ ପଡ଼ି ଅଯଥା ହଇରାଣ ହୋଇ ମରନ୍ତି ? ମାଳତୀ ଦେବୀ ଯାହାକୁ ପଚାରିଲେ ତା’ଠୁ ଶୁଣିଲେ ସେହି ଏକାକଥା, ଖାଲି ଭାଇ ଭାଇ ଭିତରେ କଳି, ଘରଭଙ୍ଗା, ମହାଜନଙ୍କ ଅତ୍ୟାଚାର । ଏହି ବିଷୟ ନେଇ ମାଳତୀ ଦେବୀ ଗାଁ ମାଇପିମାନଙ୍କୁ ବହୁତ କଥା ବୁଝାଇଲେ । ଲୋକଙ୍କର ଶ୍ରଦ୍ଧା ଦେଖି ତାଙ୍କ ମନରେ ସେବାଭାବ ଏମିତି ପ୍ରବଳ ହୋଇ ଉଠିଲା ଯେ, ଆଜି ଜାଣି ବନାରସୀ ଶାଢ଼ି, ଆୟଅଳଙ୍କାର, ଅତର ପାଉଡ଼ର ସବୁ ବିଳାସରୁ ମନ ତାଙ୍କର ଏକାଥରେ ଛିଣ୍ଡିପଡ଼ିଲା । ଜଣାଗଲା ସତେ ଯେମିତି ତାଙ୍କ ହାତରେ ବନ୍ଧା ହୋଇଥିବା ସୁନା ଘଡ଼ିଟା ତାଙ୍କ ମୁଣ୍ଡକୁ ବୁଲେଇ ଦେଉଛି, ବେକର ସୁନାହାର ତାଙ୍କ ତଣ୍ଟିକୁ ଚିପି ପକାଉଛି । ସେବା, ତ୍ୟାଗର ପ୍ରତିମୂର୍ତ୍ତି ଗାଁର ସେହି ସ୍ତ୍ରୀମାନଙ୍କ ନିକଟରେ ତାଙ୍କର ନିଜର କୌଣସି ମୂଲ୍ୟ ନାହିଁ । ମନେ ମନେ ସେ ଭାବିଲେ, ହଁ, ସେ ସିନା ବେଶି ପାଠ ପଢ଼ିଛନ୍ତି, ବେଶି କଥା ଶିଖିଛନ୍ତି, କିନ୍ତୁ ଗାଁ ମାଇପିମାନେ ଯେଉଁ ପରିସ୍ଥିତିରେ ସେହି ସେବା, ତ୍ୟାଗର ଜୀବନ କାଟୁଛନ୍ତି, ସେ କ’ଣ ଦିନେ ହେଲେ ସେହି ପରିସ୍ଥିତିରେ ରହିପାରନ୍ତେ ? ଯେଉଁମାନେ ଦିନରାତି ଭୋକଉପାସରେ କାମ କରୁଛନ୍ତି, ଯେଉଁମାନଙ୍କର ପେଟକୁ ଦାନା, ପିଠିକି କନା ନାହିଁ, ଏତେ କଷ୍ଟ ସହି ମଧ୍ୟ ଯେଉଁମାନେ ଏତେ ପ୍ରସନ୍ନ ରହୁଛନ୍ତି, ସେମାନଙ୍କ ସଙ୍ଗେ ସମାନ ହେବ କିଏ ! ସେମାନଙ୍କର ନିଜର ସୁଖ ବୋଲି କିଛି ନାହିଁ । ନିଜ ସ୍ୱାମୀ, ନିଜ ପୁଅଝିଅ ତଥା ବନ୍ଧୁବାନ୍ଧବଙ୍କର ମୁଖ ହିଁ ସେହିମାନଙ୍କର ସୁଖ । ଏହି ପ୍ରକାର ସେବା, ଏହି ପ୍ରକାର ତ୍ୟାଗ ହିଁ ଭବିଷ୍ୟତ ନାରୀର ଆଦର୍ଶ । କିନ୍ତୁ ଆଧୁନିକ ନାରୀମାନଙ୍କ ଭିତରେ ଯେଉଁ ଆତ୍ମସେବା ତଥା ଆତ୍ମବିଳାସ ଆଜି ଦେଖା ଦେଇଛି ତାହା ଅତ୍ୟନ୍ତ ହୀନ, ତାହା କଦାପି ନାରୀ ଜୀବନର ଆଦର୍ଶ ହୋଇପାରେ ନାହିଁ । ପୁରୁଷ ନିର୍ଦ୍ଦୟ ହୋଇପାରେ, କିନ୍ତୁ ସେ ତ ପୁଣି ଏହି ଦେବୀପ୍ରତିମ ନାରୀଠାରୁ ଜନ୍ମ । ମାତା ରୂପରେ ନାରୀ ଯଦି ପୁରୁଷକୁ ଯଥାବିଧି ଶିକ୍ଷା ଦେଇପାରୁଥାନ୍ତା, ତେବେ ପୁରୁଷ ଏପରି ହୁଅନ୍ତା କାହିଁକି ? କିନ୍ତୁ ପ୍ରକୃତରେ ନାରୀ ନିଜେ ମାଟିରେ ମିଶି ଆପଣାର ସବୁ ସୁଖ ସମ୍ଭୋଗ ତ୍ୟାଗ କରି ଉଚ୍ଚ ଆସନ ଦେଇ ବସିଛି ବୋଲି ଆଜି ପୁରୁଷର ପ୍ରକୃତ ବ୍ୟକ୍ତିତ୍ୱ ନଷ୍ଟ ହୋଇଯାଇଛି । କିନ୍ତୁ ପ୍ରକୃତରେ ଯଦି ଏହି ସାମଜକୁ ଉଠାଇବାକୁ ହୁଏ, ତେବେ ନାରୀକୁ ଜାଗ୍ରତ ହେବାକୁ ହେବ, ନିଜକୁ ଏପରି ଅବହେଳିତ କରି ମାଟିରେ ମିଶାଇଦେବାକୁ ହେବ ନାହିଁ । ଗାଁର ଚାଷୀ ମୂଲିଆଙ୍କୁ ଉନ୍ନତ ହେବାକୁ ହେଲେ ସେମାନଙ୍କୁ ଯେପରି ଜାଗ୍ରତ ହେବାକୁ ପଡ଼ିବ, ସାହୁ ମହାଜନଙ୍କ ଅତ୍ୟାଚାରରୁ ନିଜକୁ ମୁକ୍ତ କରିବାକୁ ପଡ଼ିବ, ମନୁଷ୍ୟ ସମାଜର ଉନ୍ନତି କରିବାକୁ ହେଲେ ନାରୀ ଜାତିକୁ ଏହିପରି ଜାଗ୍ରତ କରିବାକୁ ହେବ ।

ଏମିତି ଗପ କରୁ କରୁ ସନ୍ଧ୍ୟା ହୋଇଗଲା । ମାଳତୀଙ୍କ କଥାରେ ଗାଁ ମାଇପିଙ୍କ ମନ ଏମିତି ଲାଖି ରହିଲା ଯେ, ସେମାନେ ତାଙ୍କୁ ଛାଡ଼ିବାକୁ ରାଜି ହେଲେନାହିଁ । ସେଦିନ ରାତି ସେଠି ରହିବା ପାଇଁ ସେମାନେ ଆଗ୍ରହ କରିବାରୁ ମାଳତୀ ଦେବୀ ରାଜି ହୋଇଗଲେ । ତା’ପରେ ଘର ଘର ବୁଲି ସମସ୍ତଙ୍କ ହାଲଚାଲ ସବୁ ବୁଝିଲେ । ମାଳତୀଙ୍କର ଏ ପ୍ରକାର ନିଷ୍କପଟ ସ୍ନେହ, ଦୟା ଦେଖି ସ୍ତ୍ରୀ ଲୋକମାନଙ୍କୁ ଜଣାଗଲା, ସତେ ଯେମିତି ତାଙ୍କ ପାଖକୁ ସରଗରୁ କେଉଁ ଦେବୀ ଚାଲି ଆସିଛନ୍ତି ।

ଏଣେ ମେହେତା ସାହେବ ଦାଣ୍ଡ ଖଟରେ ବସି ଗାଁବାଲାଙ୍କ କୁସ୍ତି ପରୀକ୍ଷା ଦେଖୁଥିଲେ ଏବଂ ମନେ ମନେ ଭାବୁଥିଲେ ମିର୍ଜା ସାହେବଙ୍କୁ ସାଙ୍ଗରେ ଆଣିଥିଲେ ଭାରି ଭଲ ହୋଇଥାନ୍ତା; ସେ ବି ଏଠି କୁସ୍ତି ଲଢ଼େଇ କିଛି ଦେଖାଇଥାନ୍ତେ । ମନେ ମନେ ତାଙ୍କର ଅନେକ ପ୍ରକାର ଭାବନା ଖେଳିଗଲା, କାହିଁକି ସହର ବଜାରର ତଥା ଶିକ୍ଷିତ ଲୋକେ ଏପରି ସରଳ ସୁନ୍ଦର ଗାଁ ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି । ଏପରି ସରଳ ମନୁଷ୍ୟଙ୍କ ପ୍ରତି ନିର୍ଦ୍ଦୟ ଆଚରଣ କରିବା ବାସ୍ତବରେ କେଡ଼େ ନୀଚତା, କେଡ଼େ ହୀନତା ! ଗାଁର ଏହି ନିରୀହ ଜନତା ଆପଣାର ଆଦର୍ଶ ସଂସାର ସୃଷ୍ଟିକରି ତାହାରି ଭିତରେ ବୁଡ଼ି ରହେ । ଅଥଚ ମେଣ୍ଢାର ନିରୀହତାକୁ ହେଟାବାଘ ନଖଦନ୍ତରେ ଜବାବ ଦେଲାପରି ସହରର ସଭ୍ୟ ମଣିଷ ଦେବପ୍ରତିମ ଏହି ନିରୀହ ଜନତାକୁ ଅତ୍ୟାଚାରର ନଖଦନ୍ତରେ ଛିନ୍ନଭିନ୍ନ କରେ । ଦୁନିଆର ବୈଚିତ୍ର୍ୟ ବାସ୍ତବରେ କିପରି ଅବୋଧ୍ୟ, ଦୁର୍ଜ୍ଞେୟ ମେହେତା ବସି ସେହି କଥା କେବଳ ଭାବୁଥାନ୍ତି । ମନେ ମନେ ଦୁଃଖ କରୁଥାନ୍ତି, ଗାଁଗଣ୍ଡାରେ କାହିଁକି ଏତେ ଦୁଃଖଦୁର୍ଦ୍ଦଶା ଭରି ରହିଛି, ବାସ୍ତବ ସତ୍ୟ ଦେଖିବା ପାଇଁ ଲୋକେ ଏତେ ପଶ୍ଚାତ୍ପଦ କାହିଁକି ? ଦେଶରେ ଯାବତୀୟ ବିପ୍ଳବ, ଯାବତୀୟ ପରିବର୍ତ୍ତନ ହେଲେ ମଧ୍ୟ ସେମାନେ ଏତେ ଉଦାସୀନ କାହିଁକି ? ଯେକୌଣସି ଦଳ ସେମାନଙ୍କ ନିକଟକୁ ଚାଲି ଆସିଲେ ତାଙ୍କ କଥାରେ ସେମାନେ ପହଁରି ଯାଉଛନ୍ତି କାହିଁକି ? ବୋଧହୁଏ, ଦୁଃଖ କଷ୍ଟ ସହି ସହି ସେମାନେ ଏତେ ଜଡ଼ ହୋଇଗଲେଣି ଯେ, ହଜାର ଆଘାତରେ ମଧ୍ୟ ସେମାନଙ୍କର ଚେତନା ସୃଷ୍ଟି ହେବାର ଆଉ ଉପାୟ ନାହିଁ । ସତେ ଯେମିତି, ସବୁ ଦିନରୁ ନିରାଶ ହୋଇ ସେମାନଙ୍କର ଆତ୍ମା ସଙ୍କୁଚିତ ହୋଇ ନୀରବରେ ନିଶ୍ଚେଷ୍ଟ ହୋଇ ପଡ଼ିରହିଛି । ସତେ ଯେମିତି, ଜୀବନରେ କୌଣସି ସକ୍ରିୟତା ଆଉ ନାହିଁ ।

ସଂଧ୍ୟା ହେଲାମାତ୍ରେ ବିଲବାଡ଼ିରୁ ଫେରିଆସି ଆହୁରି ଅନେକ ଲୋକ ଜମିଗଲେ । ମେହେତା ଦେଖିଲେ ମାଳତୀ ଗୋଟିଏ ପିଲାକୁ କାଖେଇ ଗାଁ ମାଇପିଙ୍କ ଭିତରେ ବୁଲୁଛନ୍ତି, ସତେ ଯେମିତି ସେ ସେମାନଙ୍କ ସାଙ୍ଗରେ ମିଶିଯାଇ ଗୋଟାପଣେ ତାଙ୍କର ହୋଇଯାଇଛନ୍ତି । ମାଳତୀଙ୍କର ଏପ୍ରକାର ପରିବର୍ତ୍ତନ ଦେଖି ମେହେତାଙ୍କର ଆନନ୍ଦର ଆଉ ସୀମା ରହିଲା ନାହିଁ । ମେହେତା ଭଲଭାବରେ ଜାଣିଥିଲେ ଯେ ମାଳତୀ ଗୋଟାପଣେ ନିଜକୁ ତାଙ୍କ ଉପରେ ସମର୍ପଣ କରିଦେଇଛନ୍ତି । କିନ୍ତୁ ଯେଉଁ ପ୍ରକାର ମମତା କିମ୍ଵା ଆଗ୍ରହ ହେଲେ ମାଳତୀଙ୍କୁ ସେ ବିବାହ କରିପାରନ୍ତେ ସେ ପ୍ରକାର ଚିନ୍ତା ଏପର୍ଯ୍ୟନ୍ତ ତାଙ୍କ ମନକୁ ଛୁଇଁପାରି ନଥିଲା । ମାଳତୀ ଆପେ ଆପେ ଆସି ତାଙ୍କ ଦୁଆରେ ଛିଡ଼ା ହୋଇଥିଲେ ସତ, ମେହେତା ତାଙ୍କୁ ପୁରୁଷ ହିସାବରେ ସ୍ୱାଗତ କରିଥିଲେ ସତ, କିନ୍ତୁ ତାଙ୍କ ପ୍ରତି ମେହେତାଙ୍କର କୌଣସି ବିଶେଷ ଆକର୍ଷଣ କିମ୍ବା ନବିଡ଼ତା ନ ଥିଲା । ଯଦିଓ ମାଳତୀ ମନେ ମନେ ଭାବୁଥିଲେ ଯେ, ସେ ତାଙ୍କଆଡ଼ୁ ପ୍ରସ୍ତାବ ଦେଲେ ମେହେତା ସାହେବ ଅସ୍ଵୀକାର କରିପାରନ୍ତେ ନାହିଁ, ତଥାପି ମେହେତା ଠିକ୍ କରିଥିଲେ ଯେତେଦିନ ପର୍ଯ୍ୟନ୍ତ ମାଳତୀ ଦେବୀ ଗୋବିନ୍ଦୀ ଦେବୀଙ୍କ ରାସ୍ତାରୁ ଆଡ଼େଇ ହୋଇ ନ ଯାଇଛନ୍ତି, ସେତେଦିନ ପର୍ଯ୍ୟନ୍ତ ସେ କୌଣସି ପନ୍ଥା ଅବଲମ୍ବନ କରିବେ ନାହିଁ । ଯଦିଓ ମେହେତାଙ୍କୁ ବେଶ୍ ଜଣାଥିଲା ଯେ, ମାଳତୀଙ୍କ ସଙ୍ଗେ ଛଳନା କରି, ସେ ଆପଣା ଆଦର୍ଶର ଅବମାନନା କରୁଛନ୍ତି, ତଥାପି ତାଙ୍କର କୌଣସି ଭପାୟ ନ ଥିଲା । କିନ୍ତୁ ଏବେ ମାଳତୀଙ୍କୁ ସେ ଯେତିକି ଯେତିକି ପାଖରୁ ଦେଖିବାକୁ ପାଇଲେ ସେତିକି ସେତିକି ତାଙ୍କର ଆକର୍ଷଣ ବଢ଼ି ଚାଲିଲା । ରୂପର ଆକର୍ଷଣ ତ କେବେ ତାଙ୍କ ପାଖରେ ନ ଥିଲା, ଏବେ ଗୁଣର ପ୍ରକୃତ ଆକର୍ଷଣ ଆସନ ଜମେଇ ବସିଲା । ଅବଶ୍ୟ ସେ ଭଲକରି ଜାଣିଥିଲେ ଯେ, କୌଣସି ଏକ ବନ୍ଧନ ମଧ୍ୟରେ ପ୍ରବେଶ ନ କଲା ପର୍ଯ୍ୟନ୍ତ ପ୍ରକୃତ ପ୍ରେମ ଜାଗ୍ରତ ହୁଏ ନାହିଁ, କିନ୍ତୁ କୌଣସି ବନ୍ଧନରେ ପ୍ରବେଶ କରିବା ପୂର୍ବରୁ ଭଲମନ୍ଦ ଟିକିଏ ଆଗରୁ ପରୀକ୍ଷା କରିନେଲେ କ୍ଷତି ବା କ’ଣ ! ସବୁ ପଥରରେ ତ ମୂର୍ତ୍ତି ଗଢ଼ା ହୁଏ ନାହିଁ । ତେଣୁ ମୂର୍ତ୍ତି ଗଢ଼ିବା ଆଗରୁ ପଥରକୁ ଟିକିଏ ପରୀକ୍ଷା କରିନେଲେ କ୍ଷତି କ’ଣ ? ନଚେତ୍ ଗଢ଼ୁ ଗଢ଼ୁ ପୂଣି ଭାଙ୍ଗି ଚୂନା ହୋଇଯିବ । ଆଜି ପର୍ଯ୍ୟନ୍ତ ମାଳତୀ ଦେବୀ ମେହେତାଙ୍କ ଉପରେ ବିକ୍ଷିପ୍ତ ଆଲୋକପାତ କରିଥିଲେ ମାତ୍ର । ଆଜି କିନ୍ତୁ ସେ ସମସ୍ତ ଆଲୋକ ଏକତ୍ର ହୋଇ ସତେ ଯେମିତି ତାଙ୍କର ସମସ୍ତ ଅନ୍ତ ସ୍ଥଳକୁ ଆଲୋକିତ କରିଦେଲ । । ଆଜି ଜାଣି ଗାଁଲୋକଙ୍କ ସଙ୍ଗେ ମିଳିମିଶି ଆପଣାର ସମସ୍ତ ଅଭିଯାନକୁ ବଳି ଦେଇ, ମେହେତାଙ୍କ ଅନ୍ତରରେ ମାଳତୀ ଦେବୀ ଏକ ଅପୂର୍ବ ଆଲୋକ ଜାଳିଦେଇ ବସିଲେ । ଫଳରେ ଏତେଦିନ ପରେ, ମେହେତା ସାହେବ ଆଜି ମାଳତୀଙ୍କ ସହିତ ଏକାତ୍ମୀୟତା ଅନୁଭବ କରିବାକୁ ଆରମ୍ଭ କଲେ । ମାଳତୀ ଗାଁ ବୁଲାରୁ ଫେରିଲାମାତ୍ରେ ମେହେତା ସାହେବ ତାଙ୍କୁ ସାଙ୍ଗରେ ନେଇ ନଦୀ କୂଳକୁ ବୁଲି ଚାଲିଗଲେ । ସେହି ଗାଁରେ ସେଦିନ ରାତି ରହିବାର ଠିକ୍ ହୋଇଗଲା । କେଜାଣି କାହିଁକି, ମାଳତୀଙ୍କ ଛାତି ଖାଲି ଆଜି ପଡ଼ିଲା, ଉଠିଲା; ମେହେତାଙ୍କ ମୁଖମଣ୍ଡଳରେ ସେ ଏକ ପ୍ରକାର ନୂତନ ଜ୍ୟୋତିର ଆଭାସ ପାଇଲେ ।

ନଦୀ ଜଳରେ ଚନ୍ଦ୍ରର ଉଜ୍ଜଳ ଚାନ୍ଦିନୀ ଗୋଳିହୋଇ ବହି ଯାଉଥିଲା । ଚନ୍ଦ୍ରାଲୋକର ଯାଦୁ ସ୍ପର୍ଶରେ ଉନ୍ମତ୍ତ ନଦୀ–ପ୍ରବାହ ସ୍ଵପ୍ନଶାନ୍ତ ବୃକ୍ଷମାନଙ୍କୁ ଆପଣାର ମଧୁ ସଂଗୀତ ଶୁଣାଇ ଚାଲି ଯାଉଥିଲା । ପ୍ରକୃତିର ସେହି ଅପୂର୍ବ ସୌନ୍ଦର୍ଯ୍ୟ ଭିତରେ ମେହେତା ପାଗଳ ହୋଇ ଉଠିଲେ । ପିଲାଦିନର ସମସ୍ତ ମଧୁ–ସ୍ମୃତି ପୁଣି ସଜୀବ ହୋଇ ଉଠିଲା । ନଦୀବାଲିରେ କୁଦାମାରି ଦୌଡ଼ିଯାଇ ଆଣ୍ଠୁଏ ପାଣିରେ ଛିଡ଼ାହୋଇ ସେ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିଲେ ।

ମାଳତୀ କହିଲେ–ପାଣିରେ ଛିଡ଼ା ହୁଅ ନାହିଁ, ଥଣ୍ଡା ଲାଗି ଯାଇପାରେ ।

ମେହେତା ପାଣିକୁ ଚହଲାଇ ଦେଇ କହିଲେ–ମୋ’ର ତ ବର୍ତ୍ତମାନ ଇଚ୍ଛା ହେଉଛି ନଦୀ ସେ ପାରିକୁ ମୁଁ ଭାସିଯା’ନ୍ତି ।

‘ନାହିଁ ନାହିଁ, ପାଣିରୁ ଚାଲିଆସ, ମୁଁ ତମକୁ ସେ ପାରିକୁ ଛାଡ଼ିବି ନାହିଁ ।’

‘ତମେ ତା’ହେଲେ ମୋ’ ସଙ୍ଗରେ ଯିବ ନାହିଁ ? ଦେଖିଲ ମାଳତୀ, ସେ ପାରିରେ ସେହି ନୀରବ ନିଶ୍ଚଳ ଗାଁଟି କେମିତି ଚାନ୍ଦିନୀ–ସ୍ଵପ୍ନରେ ବିଭୋର ହୋଇ ରହିଛି ।’

‘ମୁଁ ତ ପହଁରି ଜାଣେ ନାହିଁ, ଯିବି କେମିତି ?’

‘ଆସ, ତା’ ହେଲେ ଗୋଟାଏ ପଟାଳି ତିଆରକରି, ସେଇଥିରେ ବସିକରି ଯିବା ।’

ମେହେତା ବୁଲିପଡ଼ି ଦେଖନ୍ତି ତ ନଈ କୂଳେ କୂଳେ ଗୋଟାଏ ବଡ଼ ଝାଉଁବଣ ଠିଆ ହୋଇଛି । ସାଙ୍ଗେ ସାଙ୍ଗେ ପକେଟରୁ ଛୁରୀ ବାହାରକରି ଗୁଡ଼ାଏ ଡାଳ କାଟି ଜମା କରିଦେଲେ । ତା’ପରେ ଗଛରେ ଓହଳିଥିବା ପଟ ଆଣି ଦଉଡ଼ିବଳି ପଟାଳି ବାନ୍ଧି ବସିଲେ । ସତେ ଯେମିତି ନିହାତି ପିଲା, ହାତ କଟିଯାଉ, ଗୋଡ଼ ଛିଣ୍ଡିଯାଉ କିଛି ପରୁଆ ନାହିଁ ! ସବୁ ଦର୍ଶନ, ସବୁ ବିଜ୍ଞାନ ସତେ ଯେମିତି ମୁଣ୍ଡରୁ କୁଆଡ଼େ ଉଭେଇ ଯାଇଛି ! ମାଳତୀ ଯେତେ ମନାକଲେ ବି ଗାଁକୁ ଫେରିଯିବାପାଇଁ, ଯେତେ କହିଲେ ବି ସେ ମୋଟେ ଶୁଣିଲେ ନାହିଁ । ସେହି ଏକାଜିଦ୍, ସେଇ ଏକାକଥା, ନିଶ୍ଚୟ ଡଙ୍ଗା ଖେଳିବାକୁ ହେବ ।

ଡାଳପତ୍ର ବନ୍ଧାବନ୍ଧି କରି କୌଣସିମତେ ଡଙ୍ଗା ତିଆର ହୋଇଗଲା । ସ୍ଵପ୍ନର ଚାନ୍ଦିନୀରାତି ଆହୁରି ସ୍ଵପ୍ନିଳ ହୋଇଉଠିଲା ।

ମେହେତା ସାହେବ ପଟାଳିକୁ ପାଣିରେ ପକାଇଦେଇ ମାଳତୀଙ୍କ ହାତ ଧରି କହିଲେ–ଆସ, ଏଥର ବସ ।

ମାଳତୀ ଟିକିଏ ଡରିଯାଇ କହିଲେ–ଦି’ଜଣ ବସିଲେ ସମ୍ଭାଳିବ ତ ?

ମେହେତା ସାହେବ ଦାର୍ଶନିକଙ୍କପରି ମୁରୁକିହସା ଦେଇ କହିଲେ–ଆମେ ଯେଉଁ ନାଆରେ ବସି ଜୀବନ–ଯାତ୍ରା କରୁଛେ ସେ ତ ୟା’ଠୁ ଆହୁରି କେତେ ନା କେତେ ଖରାପ । ୟା’କୁ ଏତେ ଡରୁଛ କ’ଣ ?

‘ହଁ, ତମେ ପାଖରେ ଥିଲେ ପୁଣି ଡର ଗୋଟାଏ କ’ଣ ?’

‘ସତ କହୁଛ ନା ଥଟ୍ଟାକରୁଛ ?’

‘ଆଜିଯାଏ ତ ମୁଁ ଏକା ସବୁ ବାଧାବିଘ୍ନ ଆଡ଼େଇଦେଇ ଚାଲିଆସିଛି; କିନ୍ତୁ ଆଜିଠାରୁ ଜାଣି ତମେ ମୋ’ର ସାହା ।’

ଦିହିଁଯାକ ପଟାଳି ଉପରେ ବସିଗଲେ । ମେହେତା ଖଣ୍ଡେ ଡାଳିଆ ଧରି ଆହୁଲା କରିବାକୁ ଲାଗିଲେ । ଟଳମଟଳ ହୋଇ କୌଣସିମତେ ପଟାଳି ଚାଲିଲା ।

ପଟାଳି–ଡରରୁ ମନକୁ ଭୁଲେଇବାପାଇଁ ମାଳତୀ ପଚାରିଲେ–ତମେ ତ ସହରର ଲୋକ, ଗାଁର ଏସବୁ ଖେଳ କୌତୁକ ଜାଣିଲ କେମିତି ? ମୁଁ ତ କେବେହେଲେ ଏମିତି ଗୋଟାଏ ପଟାଳି ତିଆରି କରିପାରି ନ ଥାନ୍ତି !

ମେହେତା ସ୍ନେହଭରା ଦୃଷ୍ଟିରେ କହିଲେ । ଇଏ ବୋଧହୁଏ ମୋ’ର ପୂର୍ବଜନ୍ମର ସଂସ୍କାର । ପ୍ରକୃତିକୁ ଦେଖିଲାମାତ୍ରେ ମୋର ନୂତନ ଜୀବନ ଜାଗ୍ରତ ହୋଇଉଠେ, ମୁଁ ଶିରା ପ୍ରଶିରାରେ ଶିହରଣ ଅନୁଭବ କରେ । ପ୍ରକୃତିର ସାମାନ୍ୟ ପଶୁଟାଏ ସାମାନ୍ୟ ପକ୍ଷୀଟାଏ ବି ମୋ ପ୍ରାଣରେ ଅପୂର୍ବ ଆନନ୍ଦ ସୃଷ୍ଟିକରେ । ମନେହୁଏ, ସତେ ଯେମିତି କେଉଁ ଏକ ବିସ୍ମୃତ ଜୀବନର ସ୍ମୃତି ଫେରିଆସେ । ସେ ପ୍ରକାର ଆନନ୍ଦ ମୋତେ ଆଉ କେଉଁଠି ହେଲେ ମିଳେ ନାହିଁ । ସଙ୍ଗୀତର ହୃଦୟଦ୍ରବୀ–ମୂର୍ଚ୍ଛନାରେ, କିମ୍ବା ଦର୍ଶନର ଉନ୍ନତ ବିଳାସରେ ମଧ୍ୟ ମୁଁ ତାହା ପାଇପାରେ ନାହିଁ । ସେହି ଆନନ୍ଦ ଅନୁଭବ କଲାବେଳେ ମୋତେ ଲାଗେ, ସତେ ଯେମିତି ମୁଁ ନିଜକୁ ଫେରିପାଇଛି, ସତେ ଯେମିତି ପଥହରା ପକ୍ଷୀ ତା’ର ନୀଡ଼କୁ ପୁଣି ଫେରି ଆସିଛି ।

ହଠାତ୍ ମାଳତୀ କାତର କଣ୍ଠରେ ପଚାରିଲେ–ମୁଁ କ’ଣ କେବେ ହେଲେ ତମର ମନେପଡ଼େ ନାହିଁ ?

ମେହେତା ତାଙ୍କ ହାତ ଧରିପକାଇ କହିଲେ–ମନେ ଯେ ନ ପଡ଼, ଏମିତି ନୁହେଁ ମାତ୍ର ତମେ ଆସ ଅଳ୍ପ ସମୟପାଇଁ । କେବେ କେବେ ପୁଷ୍ପର ସୁଗନ୍ଧ କିମ୍ବା କଳ୍ପନାର ଛାୟାପରି ତମେ ମୋ’ର ଜୀବନ ଦୁଆରେ ଆଘାତକରି ପୁଣି ଚାଲିଯାଅ । ତମକୁ ଆଲିଙ୍ଗନ କରିବାପାଇଁ ବାହୁ ପ୍ରସାରକରି ଆଗେଇ ଯାଏ, କିନ୍ତୁ ଶୂନ୍ୟବାହୁ ସେହିପରି ଶୂନ୍ୟ ରହିଯାଏ, ତୁମେ ପୁଣି କୁଆଡ଼େ ଅଦୃଶ୍ୟ ହୋଇଯାଅ ।

ମାଳତୀ ଉନ୍ମତ୍ତ ହେଲାପରି ପଚାରିଲେ–ତମେ ତାହାହେଲେ ଏହାର କାରଣ କିଛି କେବେ ଭାବିଛ ? କେବେ ବୁଝିବାକୁ ଚେଷ୍ଟା କରିଛ ?

‘ହଁ ମାଳତୀ, ବହୁତବାର ଭାବିଛି, ବହୁତ ଚିନ୍ତା କରିଛି ।’

‘ତେବେ କ’ଣ ଭାବିଛ ଦେଖି କହିଲ, ଶୁଣେ ।’

‘ଭାବିଛି, ମୁଁ ଯେଉଁ ଭିତ୍ତି ଉପରେ ଗୃହ ନିର୍ମାଣ କରିବାକୁ ଚାହେ, ତାହା ଏପର୍ଯ୍ୟନ୍ତ ଅସ୍ଥିର ରହିଛି । ସେମିତି କିଛି ବିଶାଳ ମନ୍ଦିର ନୁହେଁ, ସାମାନ୍ୟ କୁଟୀରମାତ୍ର । କିନ୍ତୁ ସେଥିପାଇଁ ତ ସ୍ଥିର–ଭିତ୍ତି ସର୍ବପ୍ରଥମେ ଆବଶ୍ୟକ ।

ମାଳତୀ ଅଭିମାନ କଲାପରି ହାତ ଛଡ଼େଇନେଇ କହିଲେ–ଏଗୁଡ଼ା ସବୁ ତମର ବୃଥା ଆକ୍ଷେପ । ତମେ ଚିରଦିନ ମୋତେ କେବଳ ପରୀକ୍ଷା ଚକ୍ଷୁରେ ଦେଖି ଆସିଛ, ପ୍ରଣୟ ଚକ୍ଷୁରେ ନୁହେଁ । ତମେ କ’ଣ ଏତକ ଜାଣ ନାହିଁ, ନାରୀ କେବେ ପରୀକ୍ଷା ଚାହେ ନାହିଁ, ସେ ଚାହେ ପ୍ରେମ । ପରୀକ୍ଷା ସୁନ୍ଦରକୁ ଅସୁନ୍ଦର କରେ, ଗୁଣକୁ ଦୋଷରେ ପରିଣତ କରେ, କିନ୍ତୁ ପ୍ରେମ କରେ ତା’ର ଠିକ୍ ଓଲଟା । ପ୍ରେମ ଅସୁନ୍ଦରକୁ ସୁନ୍ଦର କରେ, ଅଗୁଣକୁ ଗୁଣରେ ପରିଣତ କରେ । ମୁଁ ତୁମକୁ ଚିରଦିନ ପ୍ରଣୟ ଚକ୍ଷୁରେ ଦେଖି ଆସିଛି । ସେଥିପାଇଁ ତୁମେ ମୋ ଚକ୍ଷୁରେ ଚିର–ସୁନ୍ଦର । ତୁମଠି କିଛି ଅସୁନ୍ଦରର କଳ୍ପନା ପର୍ଯ୍ୟନ୍ତ ମୁଁ କରିପାରେ ନାହିଁ । କିନ୍ତୁ ତମେ ଠିକ୍ କରିଛ ଓଲଟା । ତମେ ମୋତେ ବରାବର ପରୀକ୍ଷା ଚକ୍ଷୁରେ ଦେଖି ଆସିଛ, ସେଥିପାଇଁ ତମ ଆଖିରେ ମୁଁ ଚଞ୍ଚଳ, ମୁଁ ଅସ୍ଥିର । ସେଇଥିପାଇଁ ତମେ ମୋତେ ବରାବର ଭୁଲ୍ ବୁଝି ଚିରଦିନ ମୋ’ଠାରୁ ଦୂରରେ ରହିବାକୁ ଚେଷ୍ଟା କରିଛ, ମୋ’ ପାଖରୁ ଦୂରକୁ ଦୂରକୁ ପଳାଇଯାଇଛ ! ନାହିଁ, କେବଳ ସେତିକି ନୁହେଁ, ମୋର ଯେତେ ଯାହା କହିବାର ଅଛି, ମୋତେ ଆଜି କହିବାକୁ ଦିଅ । ମୁଁ କାହିଁକି ଏତେ ଅସ୍ଥିର, ଏବେ ଚଞ୍ଚଳ, ତମେ କ’ଣ ତା’ ଜାଣ ନାହିଁ ? ଯେଉଁ ପ୍ରେମ ମନୁଷ୍ୟଠାରେ ସ୍ଥିରତା ଆଣିଦିଏ, ମନୁଷ୍ୟକୁ ଅଚଞ୍ଚଳ ସ୍ଥିର କରିଦିଏ, ସେହି ପ୍ରେମ ଜୀବନରେ କେବେହେଲେ ମୋତେ ମିଳି ନାହିଁ । ସେଇଥିପାଇଁ ମୁଁ ଆଜି ଏତେ ଚଞ୍ଚଳ, ଏତେ ଅସ୍ଥିର । କିନ୍ତୁ ତୁମ ନିକଟରେ ମୁଁ ଯେମିତି ଆତ୍ମସମର୍ପଣ କରିଥିଲି, ତମେ ଯଦି ମୋ’ ନିକଟରେ ସେମିତି କରିଥାନ୍ତ, ତେବେ ଆଜି ଏପ୍ରକାର ଆକ୍ଷେପ କରିବାର ସୁଯୋଗ ତୁମକୁ ମିଳି ନ ଥାନ୍ତା ।

 

ମେହେତା ସାହେବ ମାଳତୀଙ୍କ ଅଭିମାନକୁ ବେଶ୍ ଉପଭୋଗ କରି କହିଲେ–ସତ କହୁଛ, ତମେ କେବେହେଲେ ମୋତେ ପରୀକ୍ଷା କରିନ ?

 

‘କେବେ ନାହିଁ ।’

 

‘ତା’ହେଲେ ତମେ ଭୁଲ୍ କରିଛ !’

 

‘ଯଦି ଭୁଲ କରିଥାଏ ତେବେ ସେଥିପାଇଁ ମୋ’ର କୌଣସି ଖାତିର ନାହିଁ ।’

 

‘ଏତେ ସେଣ୍ଟିମେଣ୍ଟାଲ ହେଲେ ଚଳିବ ନାହିଁ ମାଳତୀ ଦେବୀ ! ପ୍ରେମ କରିବା ପୂର୍ବରୁ ଦୁନିଆରେ ସମସ୍ତେ ପରୀକ୍ଷା କରିଥାନ୍ତି । ତମେ ଯେ କରିଛ ତା’ ନୁହେଁ । ହୁଏତ ଅପ୍ରତ୍ୟକ୍ଷଭାବରେ କରିଥାଇପାର । ସତ କହୁଛି ମାଳତୀ, ପ୍ରଥମେ ପ୍ରଥମେ ତମକୁ ଯେତେବେଳେ ମୁଁ ଦେଖିଲି ଅନ୍ୟ ସାଧାରଣ ସ୍ତ୍ରୀଲୋକଙ୍କ ପରି ତମକୁ ଭାବିଥିଲି । ହୁଏତ ମୋର ସେପରି ଭାବିବା ଭୁଲ୍ ହୋଇ ପାରିଥାଏ । ତମେ ବି ମୋତେ ପ୍ରଥମେ ଦେଖି ଆଉ–ଲୋକଙ୍କ ପରି ଏକ ନୂଆ ଖେଳନା ବୋଲି ଭାବିଥିବ ।’

 

ମାଳତୀ ଏଥିରେ ବାଧାଦେଇ କହିଲେ–ତମର ଏ ପ୍ରକାର ଧାରଣା ସଂପୂର୍ଣ୍ଣ ଭୁଲ । ମୁଁ କେବେହେଲେ ତମକୁ ସେମିତି ଭାବି ନାହିଁ । ବରଂ ତମ ଛବି ଏ ଆଖିରେ ପଡ଼ିଲା ଦିନଠୁ, ଭଗବାନ ଜାଣନ୍ତି, ତମକୁ କେମିତି ମୁଁ ହୃଦୟର ଦେବତା......

 

ମେହେତା ମାଳତୀଙ୍କ କଥାକୁ ଖଣ୍ଡନ କରି କହିଲେ–ପୁଣି ସେଇ ଭାବୁକତା ମାଳତୀ । ଜୀବନର ଏପରି ସନ୍ଧିକ୍ଷଣରେ, ସମାଧାନ ବେଳରେ ତମର ଭାବୁକତାକୁ ମୁଁ ପସନ୍ଦ କରେ ନାହିଁ । ଯଦି ପ୍ରଥମ ଦେଖାରେ ତମେ ମତେ ଏତେ ବଡ଼ ଆସନ ପ୍ରକୃତରେ ଦେଇଥାଅ, ତା’ହେଲେ ବୋଧହୁଏ, ମୋ’ ବେଶପୋଷାକ, ମୋ’ ସାଜସଜା ତମକୁ ଭୁଲାଇଥିବ ନିଶ୍ଚୟ । ନଚେତ୍ ମୁଁ ଯାହା ଦେଖିଛି ସ୍ତ୍ରୀମାନେ ପ୍ରେମ ବିଷୟରେ ବେଶି ପରୀକ୍ଷା କରନ୍ତି, ବେଶି ଚାଷକରି ଜିନିଷ ଚିହ୍ନନ୍ତି । ପୂର୍ବକାଳେ ତ ପୁଣି ସ୍ଵୟମ୍ବର ହୋଇ ପୁରୁଷମାନଙ୍କୁ ପରୀକ୍ଷା କରାଯାଉଥିଲା । ସେହି ପରୀକ୍ଷାରେ ଖାଲି ରୂପ ବଦଳି ଯାଇଛି ସିନା ନୋହିଲେ ପରୀକ୍ଷା ସେଇମିତି ଅଛି । ମୁଁ ସେହିଦିନୁ ତୁମ ନିକଟରେ ନିଜକୁ ସଂପୂର୍ଣ୍ଣରୂପେ ଉନ୍ମୁକ୍ତ ରଖି ତମର ଆତ୍ମାକୁ ସ୍ପର୍ଶ କରିବାକୁ ଚେଷ୍ଟା କରି ଆସିଛି । ସେତେବେଳେ ତ ଟିକିଏ ଥଟ୍ଟା ପରିହାସ, ମଉଜ ମଜଲିସ ପାଇଁ ତମ ପାଖକୁ ଆସିଥିଲି, କିନ୍ତୁ ଆଜି ଆସିଛି ତମର ନିରୋଳା ଭକ୍ତ ତଥା ପୂଜାରୀ ରୂପରେ । ମୋ’ ଭିତରେ ତମେ କ’ଣ ଦେଖିଛ ସେ କଥା ଏକା ତମକୁ ଜଣା ।

 

ଏମିତି ଯାଇ ଯାଇ ପଟାଳି ଆର ପାଖ ଧାରରେ ପହଞ୍ଚିଲାମାତ୍ରେ ମେହେତା ସାହେବ ଓହ୍ଲାଇପଡ଼ି ବାଲିରେ ବସିଯାଇ କହିଲେ–ମୁଁ ଆଜି ତମକୁ ଏୟା ପଚାରିବି ବୋଲି ତମକୁ ଏଠିକି ଆଣିଛି । ମାଳତୀ କମ୍ପିତ କଣ୍ଠରେ ଉତ୍ତର ଦେଇ କହିଲେ–ଆହୁରି ପୁଣି ଏତେକଥା ପଚାରିବାକୁ ବାକି ଥିଲା ?

 

‘ହଁ, ତା’ର କାରଣ ହେଉଛି, ଆଜି ପର୍ଯ୍ୟନ୍ତ ମୋର ଯେଉଁ ରୂପ, ମୁଁ ତମକୁ ଲୁଚେଇ ରଖିଥିଲି, ସେହି ରୂପ ଆଜି ମୁଁ ତମକୁ ଦେଖାଇବାକୁ ଚାହେ । ଆଚ୍ଛା ଧର, ଆଜି ଯଦି ମୁଁ ତମକୁ ବିଭାହୋଇ କାଲି ତମ ପ୍ରତି ଅନ୍ୟାୟ କରେ, ତେବେ ତମେ ମୋତେ କି ଦଣ୍ଡ ଦେବ କହିଲ ?

 

ମାଳତୀ ଏ କଥାରୁ କିଛି ବୁଝିପାରିଲେ ନାହିଁ, ଖାଲି ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ ।

 

‘ଏମିତି ପ୍ରଶ୍ନର ଉଦ୍ଦେଶ୍ୟ ? ‘

 

‘ହଁ, ମୋର ଏଥିରେ ଉଦ୍ଦେଶ୍ୟ ଅଛି ।’

 

‘ଏମିତି କେବେ ହେବ, ଏକଥା ତ ମୁଁ ମୋଟେ ଭାବିପାରୁ ନାହିଁ ।’

 

‘ସଂସାରେ ଅସମ୍ଭବ ବୋଲି କିଛି ନାହିଁ । ବଡ଼ ବଡ଼ ମହାତ୍ମା ବି ମୁହୂର୍ତ୍ତକରେ ବାଟ ଭୁଲିଯାନ୍ତି, ସାଧାରଣ କଥା ପଚାରୁଛି କିଏ ?’

 

‘ଆଚ୍ଛା, ତା’ହେଲେ ମୁଁ ଭାବିକରି କହିବି ।’

 

‘ଧର, ମୋର ଯେଉଁସବୁ ଅଭ୍ୟାସ ଅଛି, ତା’ଯଦି ମୁଁ ନ ଛାଡ଼େ ?

 

‘ତାହେଲେ ମୁଁ କ’ଣ କରିବି ସେ କଥା ଭଗବାନ ଜାଣନ୍ତି । ହୁଏତ ବିଷ ଖାଇ ଆତ୍ମହତ୍ୟା କରିବି ।’

 

‘ତମେ ସିନା ବିଷ ଖାଇବା କଥା କହିଲ, କିନ୍ତୁ ତମେ ଯଦି ମତେ ପ୍ରଶ୍ନ ପଚାରିଥାନ୍ତ, ତେବେ ମୁଁ ତା’ର ଭିନ୍ନ ଉତ୍ତର ଦେଇଥାନ୍ତି ।’

 

ମାଳତୀ ଟିକିଏ ଶଙ୍କିଯାଇ କହିଲେ–କ’ଣ ଉତ୍ତର ଦେଇଥାନ୍ତି ଦେଖି କହିଲ ।

 

ମେହେତା ଜୋର୍ କରି କହିଲେ–ପହିଲେ ମୁଁ ତମକୁ ହତ୍ୟା କରନ୍ତି, ତା’ପରେ ନିଜକୁ ହତ୍ୟା କରି କାମ ଶେଷ କରି ଦିଅନ୍ତି ।

 

କଥା ଶୁଣି ମାଳତୀ ଖୁବ୍ ଜୋରରେ କୁହାଟ ମାରିଲାପରି ହସି ଉଠିଲେ । ଦେହ ହାତ ତାଙ୍କର ଉଲ୍ଲସି ଉଠିଲା ।

 

ମେହେତା ପଚାରିଲେ–ତମେ ହସିଲ କାହିଁକି ?

 

‘କାରଣ ତମ ପରି ଦାର୍ଶନିକ ଲୋକ ତ ଏକଥା କେବେ କରି ପାରନ୍ତେ ନାହିଁ ।’

 

‘ନାହିଁ ମାଳତୀ’ ତମେ ବୋଧହୁଏ ଠିକ୍ ଜାଣ ନାହିଁ । ପ୍ରେମ ବିଷୟରେ ମୁଁ ସଂପୂର୍ଣ୍ଣ ପଶୁ ଏବଂ ନିଜକୁ ପଶୁ କହିବାରେ ମୁଁ ଆଦୌ ଲଜ୍ଜିତ ନୁହେ । ଲୋକେ ଯେଉଁ ଆଧ୍ୟାତ୍ମିକ ପ୍ରେମ, ତ୍ୟାଗମୟ ନିସ୍ୱାର୍ଥ ପ୍ରେମ କଥା କହନ୍ତି, ସେଥିରେ ମୋର ତିଳେହେଲେ ଆସ୍ଥା ନାହିଁ । ଦୁନିଆରେ ଏମିତି ପ୍ରେମିକ ଅଛନ୍ତି, ଯେଉଁମାନେ କହନ୍ତି ଯେ, ସ୍ତ୍ରୀର ସୁଖ ହିଁ ତାଙ୍କର ନିଜର ସୁଖ । ତାଙ୍କର ନିଜର ସୁଖବୋଲି କିଛି ନାହିଁ । ସ୍ତ୍ରୀ ଯାହା କଲେ ବି ସେମାନେ ତାଙ୍କ ଚରଣତଳେ ଆତ୍ମସମର୍ପଣ କରି ସୁଖୀ ହୁଅନ୍ତି । ନିଜର ଯାହାହେଉ ପଛେ ସ୍ତ୍ରୀଙ୍କର ଯେଉଁଥିରେ ସୁଖ, ତାଙ୍କର ସେଇଥିରେ ସୁଖ । ମାତ୍ର ମୁଁ ସେଗୁଡ଼ା ବିଶ୍ୱାସ କରେନାହିଁ । ବହିରେ ମୁଁ ଅନେକ ପ୍ରେମ କାହାଣୀ ପଢ଼ିଛି, ଯେଉଁଥିରେ ସ୍ଵାମୀ ସ୍ତ୍ରୀକୁ ଖୁସି କରିବାପାଇଁ ସ୍ତ୍ରୀର ନୂତନ ପ୍ରେମିକପାଇଁ ନିଜକୁ ବଳିଦେଇଛି । ସେ ପ୍ରକାର ପ୍ରେମକୁ ମୁଁ ଶ୍ରଦ୍ଧା କହିପାରେ, ସେବା କହିପାରେ, ଅନ୍ୟ କିଛି କହିପାରେ, ମାତ୍ର ପ୍ରକୃତ ପ୍ରେମ ବୋଲି କେବେ ମୁଁ ସ୍ଵୀକାର କରିବି ନାହିଁ । ପ୍ରେମ ନିରୀହ ଗାଈ ନୁହେଁ, ବରଂ ଶିକାରୀ ଶାର୍ଦ୍ଦୁଳ । ନିଜ ଶିକାର ଉପରେ ଅନ୍ୟ କେହି ଆଖି ପକାଇଲେ ତାହା ସେ ବରଦାସ୍ତ କରିପାରେ ନାହିଁ ।’

 

‘ପ୍ରେମ ଯଦି ପ୍ରକୃତରେ ଶାର୍ଦ୍ଦୁଳ ହୋଇଥାଏ, ତେବେ ମୋର ଦୂରରେ ରହିବା ଉଚିତ । ମୁଁ ତ ପ୍ରେମକୁ ନିରୀହ ଗାଈବୋଲି ଭାବେ । ପ୍ରେମ କେବେ ଦେହର ବସ୍ତୁ ନୁହେଁ ବରଂ ଆତ୍ମାର ବସ୍ତୁ । ତାହା ସବୁପ୍ରକାର ସନ୍ଦେହର ଉପରେ, ଯେଉଁଠି ଆତ୍ମସମର୍ପଣ, ଆତ୍ମନିବେଦନ ହିଁ ଏକମାତ୍ର ପନ୍ଥା, ସେଠି ପୁଣି ସନ୍ଦେହର ଅବକାଶ କାହିଁ ? କିନ୍ତୁ ଶାର୍ଦ୍ଦୁଳର ହିଂସା ଧର୍ମ ହିଁ ସନ୍ଦେହର ପରିଣତି ଛଡ଼ା ଅନ୍ୟକିଛି ନୁହେଁ । ପ୍ରେମ–ମନ୍ଦିରରେ ବରଲାଭ କରିବାପାଇଁ ପରୀକ୍ଷକ ନ ହୋଇ ବରଂ ଉପାସକ ହେଲେ ବରଲାଭର ମାର୍ଗ ସରଳ ହୁଏ ।’

 

ଏତିକିରେ ମାଳତୀ ଛିଡ଼ାହୋଇପଡ଼ି ନଦୀ ଭିତରଆଡ଼କୁ ଚାଲିଗଲେ; ସତେ ଯେମିତି ତାଙ୍କର ଭୁଲବାଟ ପୁଣି ତାଙ୍କୁ ମିଳିଗଲା । ତାଙ୍କର ଏକାକୀ ନିଃସଙ୍ଗ ଜୀବନରେ ଏକପ୍ରକାର ଦୁର୍ବଳତା, ନିଃସହାୟତା ସବୁବେଳେ ଅନୁଭବ କରିଥିଲେ, ମନ ତାଙ୍କର କେବେହେଲେ ସ୍ଥିର ରହୁ ନ ଥିଲା । ମନେ ମନେ ଏପରି ଏକ ଶକ୍ତିର ସହାୟତା ସେ ଖୋଜି ବୁଲୁଥିଲେ ଯାହାକୁ ପାଇ ଦୁନିଆ ସାମନାରେ ସେ ଛିଡ଼ାହୋଇ ପାରନ୍ତେ । ନିଜ ଭିତରେ ତାଙ୍କର ଏ ଶକ୍ତି କେବେ ନ ଥିଲା । ସେଥିପାଇଁ ଯେଉଁଠି ସେ ବୁଦ୍ଧି ଏବଂ ସୌନ୍ଦର୍ଯ୍ୟର ମିଳନ ଦେଖୁଥିଲେ ସେଇଠି ଲାଖି ରହୁଥିଲେ । ତାଙ୍କର ନିଜର କୌଣସି ସ୍ଵତନ୍ତ୍ର ରୂପ ନ ଥିଲା । ପାଣିକୁ ଯେଉଁ ପାତ୍ରରେ ରଖିବ ତା’ର ରୂପ ଯେମିତି ସେହି ପାତ୍ର ଅନୁସାରେ ବଦଳିଯିବ, ମାଳତୀଙ୍କର ରୂପ ଆଜିପର୍ଯ୍ୟନ୍ତ ଠିକ୍ ସେଇପରି ଥିଲା ।

 

ଆଜି ପର୍ଯ୍ୟନ୍ତ ମାଳତୀଙ୍କ ମନର ଅବସ୍ଥା ପରୀକ୍ଷାର୍ଥୀ ଛାତ୍ରଙ୍କ ମନର ଅବସ୍ଥା ପରି ରହିଥିଲା । ବହି ପଢ଼ି ପଢ଼ି ଯଦିଓ ଛାତ୍ରର ବହି ପ୍ରତି ଏକପ୍ରକାର ମମତା ଆସିଯାଏ, ତଥାପି ଯେଉଁ ଯେଉଁ ପ୍ରଶ୍ନ ପରୀକ୍ଷାରେ ପଡ଼ିବା କଥା, ସେହି ଅଂଶକୁ ଛାତ୍ର ବେଶି ମନଦେଇ ପଢ଼େ । ଅବଶ୍ୟ ଯଦି ସେ ଜାଣେ ଯେ, ପରୀକ୍ଷକ ଅତି ଦୟାଳୁ, କିମ୍ବା ଅତି ମୂର୍ଖ, ଖାତା ନ ଦେଖି ବି ପିଲାଙ୍କୁ ପାଶ୍ କରାଇଦିଏ, ତେବେ ଆଉ ବହି ପଢ଼ିବା ତା’ର ଆବଶ୍ୟକ ହୁଏ ନାହିଁ । ମାଳତୀ ଆଜି ପର୍ଯ୍ୟନ୍ତ ଯାହା କରୁଥିଲେ, ସବୁବେଳେ ମେହେତାଙ୍କୁ ଖୁସି କରିବାପାଇଁ, ତାଙ୍କଠୁ ପ୍ରେମ ପାଇବାପାଇଁ, ତାଙ୍କ ହୃଦୟର ରାଣୀ ହେବାପାଇଁ । ମାତ୍ର ଛାତ୍ର ଯେଉଁ ଅବସ୍ଥାକୁ ଆସିଲେ ପରୀକ୍ଷକ ଆପେ ଆପେ ଖୁସିହୋଇ ପାସ୍ କରେଇ ଦିଅନ୍ତି, ସେ ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ମାଳତୀଙ୍କଠାରେ ଏତେ ଧୈର୍ଯ୍ୟ ନ ଥିଲା ।

 

ମେହେତା ଆଜି ମାଳତୀଙ୍କ ଆତ୍ମଶକ୍ତିକୁ ଏକପ୍ରକାର ନୂତନ ଜାଗରଣ ଦେଇ ଦେଇଥିଲେ । ମେହେତାଙ୍କୁ ଦେଖିଲାଦିନୁ ମାଳତୀ ମେହେତାଙ୍କ ଆଡ଼କୁ ସ୍ଵତଃ ଢଳି ପଡ଼ିଥିଲେ । ତାଙ୍କର ସବୁ ଜଣାଶୁଣା ବନ୍ଧୁମାନଙ୍କ ଭିତରେ ମେହେତାଙ୍କ ତୀକ୍ଷଣ ବୁଦ୍ଧି ତଥା ଉଚ୍ଚ ଦୃଷ୍ଟିକୋଣ ଯୋଗୁ ତାଙ୍କୁଇ ସେ ସବୁଠୁ ବେଶି ଭଲ ପାଉଥିଲେ । ବୁଦ୍ଧି ବିଚାର ତୁଳନାରେ ଧନକୁ ମାଳତୀ ମାଟିଗୋଡ଼ି ବୋଲି ବିଚାର କରନ୍ତି । ପ୍ରକୃତରେ ସେ ମେହେତାଙ୍କ ପରି ଜଣେ ବୁଦ୍ଧିମାନ ଲୋକଙ୍କର ଆଶ୍ରୟ ଖୋଜି ବୁଲୁଥିଲେ, ଯାହାକୁ ପାଇ ସେ ନିଜକୁ ମଣିଷ କରି ଗଢ଼ନ୍ତେ । ତେଣୁ ପ୍ରଥମରୁ ମେହେତାଙ୍କ ତୀକ୍ଷ୍ଣ ବୁଦ୍ଧି ପ୍ରତି ତାଙ୍କର ଯେଉଁ ମମତା ସୃଷ୍ଟି ହୋଇ ଯାଇଥିଲା ସେଥିପାଇଁ ସେ ତାଙ୍କୁ ଖୁସି କରିବାକୁ ବାରମ୍ବାର ଚେଷ୍ଟା କରୁଥିଲେ । ଯେଉଁ ପ୍ରକାର ଶକ୍ତିର ସହାୟତା ମାଳତୀଙ୍କର ଆବଶ୍ୟକ ଥିଲା, ତାଙ୍କୁ ତାହା ମିଳିଯାଉଥିଲା । ଦିନକୁଦିନ ସେ ନିଜର ଆଦର୍ଶ ଆଡ଼କୁ ଅଧିକ ଅଧିକ ବଢ଼ିଯାଉଥିଲେ ଏବଂ ଦିନେ ନା ଦିନେ ମେହେତାଙ୍କୁ ଆପଣାର କରି ପାଇବେ ଏହି କଳ୍ପନାରେ, ସାଧନାର କଣ୍ଟକିତ ପଥ ତାଙ୍କପାଇଁ ସରଳ ହୋଇ ଯାଇଥିଲା ।

 

ଏପର୍ଯ୍ୟନ୍ତ ମେହେତାଙ୍କ ବୁଦ୍ଧି ଉପରେ ମାଳତୀଙ୍କର ଅତ୍ୟଧିକ ବିଶ୍ୱାସ ଥିଲା । ମାତ୍ର, ଆଜି ତାଙ୍କର ଅପୂର୍ବ ପ୍ରେମତଥ୍ୟ ଶୁଣି ମନ ତାଙ୍କରି ଛିଣ୍ଡି ପଡ଼ିଲା । ମେହେତା ସାହେବ ପ୍ରେମକୁ ଆତ୍ମସମର୍ପଣ, ତଥା ଆତ୍ମ–ନିବେଦନ ଭାବରେ ନ ଦେଖି ବରଂ ହିଂସା, ଦ୍ୱେଷ, ସନ୍ଦେହର ଲୀଳାଭୂମି ଭାବରେ ଦେଖିବା ଫଳରେ ମାଳତୀଙ୍କର ତାଙ୍କ ପ୍ରତି ଯେତେ ଶ୍ରଦ୍ଧା ଥିଲା ସବୁ ଆଜି ଏକାଥରକେ ଉଭେଇ ଗଲା । ଶିକ୍ଷକଙ୍କୁ କୌଣସି ମନ୍ଦକାର୍ଯ୍ୟ କରିବାର ଦେଖିଲେ ଛାତ୍ର ମନରେ ଯେପରି ଧକ୍କା ଲାଗିଯାଏ, ମେହେତାଙ୍କର ବୌଦ୍ଧିକ ବ୍ୟାଖ୍ୟାନ ଶୁଣି, ମାଳତୀଙ୍କ ମନରେ ଠିକ୍ ସେମିତି ଧକ୍କା ଲାଗିଗଲା । ଜଣାଗଲା, ଯେମିତି ମେହେତାଙ୍କର ପାର୍ଥିବ ବୁଦ୍ଧି, ତାଙ୍କୁ ଦେବତ୍ଵପ୍ରତି ଅନ୍ଧ କରିଦେଇ ପଶୁତା ଆଡ଼କୁ ଟାଣି ନେଉଛି । ଏତିକିରେ ମାଳତୀଙ୍କର ମନରେ ସମସ୍ତ ଶ୍ରଦ୍ଧା ଦୂର ହୋଇଗଲା ।

 

ମେହେତା ଟିକିଏ ଲଜ୍ଜିତ ହେଲାପରି କହିଲେ–ଆସ, ଆଉ ଟିକିଏ ବସ ! ଯିବା ତ, ତରତର କାହିଁକି ?

 

ମାଳତୀ କହିଲେ–ନାହିଁ, ଆଉ ବସିବା ନାହିଁ, ଡେରି ହୋଇଯାଉଛି, ଚାଲ ଫେରିଯିବା ।

Image

 

Unknown

ଏକତ୍ରିଂଶ ପରିଚ୍ଛେଦ

 

ରାୟସାହେବଙ୍କ ଭାଗ୍ୟ ଏବେ ଖୁବ୍ ଖୋଲି ଯାଇଥିଲା । ସବୁ ମନସ୍କାମନା ତାଙ୍କର ଗୋଟି ଗୋଟି ହୋଇ ପୂର୍ଣ୍ଣ ହୋଇଯାଇଥିଲା । ଝିଅ ବାହାଘର ଯେମିତି ଧୁମଧାମରେ ହୋଇଗଲା, ମକଦ୍ଦମାରେ ବି ସେଇମିତି ଜିତାପଟ ହୋଇଗଲା । ଇଲେକସନରେ ନ ଜିତିଲେ ବି ଘରୋଇ ମେମ୍ବର ହିସାବରେ କାଉନସିଲରେ ଜାଗା ମିଳିଗଲା । ମକଦ୍ଦମା ଜିତିଲା ଦିନଠୁ ପ୍ରଥମ ଶ୍ରେଣୀ ଜମିଦାରଙ୍କ ଭିତରକୁ ତାଙ୍କ ନାଁ ଚାଲି ଆସିଲା । ଏମିତି ତ ରାୟସାହେବଙ୍କର ଖାତିର କାହିଁରେ କ’ଣ ଥିଲା, ପୁଣି ଏସବୁ ହୋଇଗଲା ପରେ ମାନସମ୍ମାନ ଆହୁରି ବଢ଼ିଗଲା । ଖବର କାଗଜମାନଙ୍କରେ ତାଙ୍କ ଫଟ ବରାବର ବାହାରିଲା । କରଜ ତ ଏବେ ଖୁବ୍ ବଢ଼ିଯାଇଥିଲା, କିନ୍ତୁ ସେଥିପାଇଁ ତାଙ୍କର ତିଳେହେଲେ ଖାତିର ନ ଥିଲା । ଚାହିଁଥିଲେ, ନୂଆ ସମ୍ପତ୍ତିର କିଛି ଅଂଶ ବିକ୍ରୀକରି ସେସବୁ କରଜ ସୁଝିଦେଇ ପାରିଥାନ୍ତେ । ମାତ୍ର କରଜ ସୁଝିବା ପୂର୍ବରୁ ତାଙ୍କ ମନରେ ଆହୁରି ଅନେକ କଳ୍ପନା ଆସି ଜୁଟି ଯାଇଥିଲା । ତାଙ୍କର ଆଗେ ଲକ୍ଷ୍ନୌରେ କେବଳ ଗୋଟିଏ କୋଠି ଥିଲା, କିନ୍ତୁ ଏବେ ସେ ମସୁରୀ, ନୈନିତାଳ, ସିମଲା ପ୍ରତ୍ୟେକ ଜାଗାରେ ଆଉ ଏକ ଏକ କୋଠି ତିଆର କରିବାକୁ ବସିଲେ । ସେଠି ଯାଇଁ କୌଣସି ହୋଟେଲରେ, କିମ୍ଵା କୌଣସି ରଜା ମହାରଜାଙ୍କ ଘରେ ଅତିଥିହୋଇ ରହିବାପାଇଁ ଆଉ ସେ ପସନ୍ଦ କଲେ ନାହିଁ । ସୂର୍ଯ୍ୟପ୍ରତାପ ସିଂହଙ୍କର ଯେତେବେଳେ ସବୁଯାଗାରେ ନିଜର କୋଠି ଥିଲା, ସେତେବେଳେ ରାୟସାହେବଙ୍କର ନ ଥିବା ବଡ଼ ଲଜ୍ଜାର କଥା । ଭାଗ୍ୟକୁ ତାଙ୍କୁ ନୂଆ କୋଠି ତିଆର କରିବାକୁ ପଡ଼ିଲା ନାହିଁ, ଖୁବ୍ ଭଲ ଭଲ ତିଆରି କୋଠି କିଣିବାକୁ ମିଳିଗଲା । ସେଥିରେ ସେ ପୂଜାରୀ, ଚାକର, ଖାନସମା, ଚପରାସୀ ସବୁ ରଖିନେଲେ । ସବୁଠୁ ବଡ଼ କଥା ହେଲା, ହିଜ୍ ମାଜେଷ୍ଟ୍ରି ଇଂରେଜ ଲାଟ ବାହାଦୂରଙ୍କ ଜନ୍ମ ଦିବସରେ ତାଙ୍କୁ ରାଜା ଉପାଧି ମିଳିଗଲା । ମନ କାମନା ଜାଣି ଏବେ ପୂରାପୂରି ପୂର୍ଣ୍ଣ ହୋଇଗଲା । ସେଥିପାଇଁ ଏମିତି ଆଡ଼ା ଚୌଡ଼ାରେ ଉତ୍ସବ କରାଯାଇଥିଲା ଏବଂ ଏମିତି ବଢ଼ିଆ ଭୋଜି ଦିଆଯାଇଥିଲା ଯେ, ଆଗର ସବୁ ରେକର୍ଡ଼ ବ୍ରେକ୍ ହୋଇଯାଇଥିଲା । ଯେଉଁଦିନ ଲାଟସାହେବ ତାଙ୍କୁ ରାଜା ଉପାଧିରେ ଭୂଷିତ କଲେ, ସେଦିନ ଗର୍ବ ତଥା ରାଜଭକ୍ତିର ଆନନ୍ଦରେ ତାଙ୍କର ଆଉ ସୀମା ରହିଲା ନାହିଁ, ପ୍ରତ୍ୟେକ ଲୋମକୂପ, ପୂରା ଉଛୁଳି ଉଠିଲା । ମନେହେଲା, ସେହି ହେଉଛି ପ୍ରକୃତ ଜୀବନ । ବିଦ୍ରୋହୀଗୁଡ଼ାକଙ୍କର ପାଲରେ ପଡ଼ି, ଦଙ୍ଗାହଙ୍ଗାମା କରି ଜେଲ ଯାଇ ଅଫିସରମାନଙ୍କର ଚକ୍ଷୁଶୂଳହୋଇ କିଛି ଲାଭ ନାହିଁ । ସେଇଠି ତାଙ୍କ ପାଖରେ ଯେଉଁ ଡି.ଏସ୍.ପି. ଆଜି ଠିଆ ହୋଇଥିଲେ ସେଇ ବି ଦିନେ ତାଙ୍କୁ ଆରେଷ୍ଟ କରିଥିଲେ, ଆଜି କିନ୍ତୁ ତାଙ୍କରି ସାମନାରେ ଯୋଡ଼ହସ୍ତ ହୋଇ ଠିଆ ହୋଇଥିଲେ । ସତେ ଯେମିତି ପୂର୍ବ ଅପରାଧ ପାଇଁ କ୍ଷମା ମାଗୁଥିଲେ ।

 

କିନ୍ତୁ ରାୟସାହେବଙ୍କ ଜୀବନରେ ଯେତେ ବିଜୟ ହାସଲ ହୋଇଥିଲା, ସବୁଠୁ ବଡ଼ ବିଜୟ ହେଲା ଯେଉଁଦିନ ତାଙ୍କର ପୂର୍ବଶତ୍ରୁ ସୂର୍ଯ୍ୟପ୍ରତାପ ରାୟସାହେବଙ୍କ ପୁଅ ରୁଦ୍ରପାଳଙ୍କ ସହିତ ନିଜ କନ୍ୟାର ବିବାହ ପ୍ରସ୍ତାବ ପଠାଇଥିଲେ । ଜୀବନରେ ଏମିତି ଗୌରବ ତାଙ୍କୁ ଆଉ କେବେହେଲେ ମିଳି ନ ଥିଲା । ମକଦ୍ଦମା ଜିତିବାରେ କିମ୍ବା ମନ୍ତ୍ରୀ ହେବାରେ ବି ଏତେ ଆନନ୍ଦ ନ ଥିଲା । ଆଉ ସବୁ କଥା ତ ସେ ଆଶା କରିପାରୁଥିଲେ । କିନ୍ତୁ ଏକଥା ତ ଆଶା କରିବା ଦୂରେଥାଉ, କଳ୍ପନା ପର୍ଯ୍ୟନ୍ତ ସେ କରିପାରୁ ନ ଥିଲେ । ମନେ ମନେ ତାଙ୍କୁ ହସ ମାଡ଼ିଲା, ସେହି ସୂର୍ଯ୍ୟପ୍ରତାପ ସିଂହ ଯେ ଦୁଇମାସ ତଳେ ତାଙ୍କୁ କୁକୁରଠାରୁ ବି ହୀନ ମନେ କରୁଥିଲା, ସେ ପୁଣି ଏବେ ଯାଚିକରି କନ୍ୟାଦାନ କରିବାକୁ ବସିଛି । ୟା’ଠୁ ବଳି ଆଉ ଅସମ୍ଭବ କଥା କ’ଣ ହୋଇପାରେ ? ରୁଦ୍ରପାଳ ସିଂହ ସେତେବେଳକୁ କଲେଜରେ ଏମ୍.ଏ. ପଢ଼ୁଥିଲେ । ସେ ବଡ଼ ନିର୍ଭୀକ, ବଡ଼ ଆଦର୍ଶବାଦୀ, ଯେମିତି ରସିକ, ସେମିତି ଅଳସୁଆ । ବାପାଙ୍କର ଧନ ସମ୍ମାନର ଲାଳସାପ୍ରତି ତାଙ୍କର ଭାରି ଘୃଣା ।

 

ବାହାଘର ଖବର ପହଞ୍ଚିଲାବେଳକୁ ରାୟସାହେବ ନୈନିତାଲରେ ଥିଲେ । ଖବର ପାଇ ଗର୍ବ ତଥା ଆନନ୍ଦରେ ସେ ଫାଟି ପଡ଼ିଲେ । ବାହାଘରେ ବିଷୟରେ ପୁଅକୁ କୌଣସି ପ୍ରକାର ବାଧ୍ୟ କରିବାରେ ତାଙ୍କର ଇଚ୍ଛା ନ ଥିଲେ ବି ସେ ଏତିକି ଜାଣିଥିଲେ ଯେ, ସେ ଯାହା ଠିକ୍ କରିବେ, ପୁଅ ସେଥିରୁ ବାହାରି ଯିବ ନାହିଁ । ତା’ଛଡ଼ା ସୂର୍ଯପ୍ରତାପ ସିଂହଙ୍କ ସହିତ ବନ୍ଧୁତା ହେବା ଆଶାରେ ସେ ଏମିତି ଉଚ୍ଛୁଳି ପଡ଼ିଥିଲେ ଯେ, ପୁଅକୁ ପଚାରିବା ନ ପଚାରିବା କଥା ପୂରାପୂରି ଭୁଲି ଯାଇଥିଲେ । ସାଙ୍ଗେ ସାଙ୍ଗେ ସେ ସୂର୍ଯ୍ୟପ୍ରତାପଙ୍କୁ ଜବାବ ଦେଇ ଏଣେ ରୁଦ୍ରପାଳକୁ ଫୋନ୍ କରି ବସିଲେ ।

 

ରୁଦ୍ରପାଳ ଉତ୍ତର ଦେଲେ–ମୋର ସେଠି ରାଜି ନାହିଁ ।

 

ରାୟସାହେବ ଜୀବନରେ କେବେହେଲେ ଏତେ ହତାଶ ହୋଇ ନ ଥିଲେ କିମ୍ବା ଏତେ ରାଗି ନ ଥିଲେ । ବିରକ୍ତ ହୋଇ ପଚାରିଲେ–କାହିଁକି ରାଜିନୁହଁ ?

 

‘ସମୟ ଆସିଲେ ଆପଣ ମନକୁ ଜାଣିପାରିବେ ।’

 

‘ମୁଁ କିନ୍ତୁ ବର୍ତ୍ତମାନ ଜାଣିବାକୁ ଚାହେଁ ।’

 

‘ମୁଁ ବର୍ତ୍ତମାନ କିଛି କହିବାପାଇଁ ରାଜି ନୁହେଁ ।’

 

‘ତମକୁ କିନ୍ତୁ ମୋ ହୁକୁମ ମାନିବାକୁ ପଡ଼ିବ ।’

 

‘ଯେଉଁ କଥାରେ ମୋର ଆତ୍ମାର ସ୍ଵୀକୃତି ନାହିଁ, ସେ କଥାରେ ଆପଣ ମୋତେ ବାଧ୍ୟ କରି ପାରିବେ ନାହିଁ ।

 

ତା’ ପରେ ରାୟସାହେବ ଥଣ୍ଡା ପଡ଼ିଯାଇ ବଡ଼ ବିନୟ ହୋଇ ବୁଝେଇବାକୁ ଲାଗିଲେ–ଆରେ ବାପ, ବୃଥା ଆଦର୍ଶବାଦରେ ମାତି, ଆପଣା ଗୋଡ଼ରେ ଆପଣା ଟାଙ୍ଗିଆ ହାଣିବା ଉଚିତ ନୁହେଁ । ତମକୁ ବୋଧହୁଏ ଜଣା ନାହିଁ, ସୂର୍ଯ୍ୟପ୍ରତାପଙ୍କ ସଙ୍ଗେ ସମ୍ବନ୍ଧ ହୋଇଗଲେ ସମାଜରେ ତମ ଆସନ କେତେ ଉପରକୁ ଉଠିଯିବ । ମୁଁ ତ’ ଭାବୁଛି ଏହା ଭଗବାନଙ୍କର ଏକ ଆଶୀର୍ବାଦ ଛଡ଼ା ଅନ୍ୟ କିଛି ନୁହେଁ । ସେହି ବଂଶର ଗରିବ କନ୍ୟାଟିଏ ମିଳିଥିଲେ ବି ମୁଁ ନିଜକୁ ଭାଗ୍ୟବାନ ମନେ କରିଥାନ୍ତି । ରାଜା ସୂର୍ଯ୍ୟପ୍ରତାପ ତ ସହଜେ ଆମମାନଙ୍କର ମୁକୁଟମଣି ତା’ଛଡ଼ା କନ୍ୟାକୁ ତ ମୁଁ ନିତି ଦେଖୁଛି, ତମେ ବି ଦେଖିଥିବ । ରୂପ, ଗୁଣ, ଚରିତ୍ର କେଉଁଥିରେ କମ୍ ନୁହେଁ, ଏମିତି କନ୍ୟା ତ ମୁଁ ଆଜିଯାଏ କେଉଁଠି ଦେଖିନାହିଁ । ମୋର ସିନା ଆଉ ଦିନ କେତେଟା, ତମ’ ଆଗରେ ତ ଦୀର୍ଘ ଜୀବନ ପଡ଼ି ରହିଛି । ସେଥିପାଇଁ ମୁଁ ତମକୁ କୌଣସି କଥାରେ ବାଧ୍ୟ କରିବାକୁ ଚାହେ ନାହିଁ । ତମେ ତ’ ଜାଣ ବାହାଘର ଇତ୍ୟାଦି ବିଷୟରେ ମୁଁ କେତେ ଉଦାର । ତଥାପି ମୁଁ ଯଦି କେବେ ଦେଖେ ଯେ, ତମେ ଭୁଲବାଟରେ ଯାଉଛ, ତେବେ ତମକୁ ଉପଦେଶ ଦେବା ମୋର ପ୍ରଥମ କର୍ତ୍ତବ୍ୟ ।

 

ରୁଦ୍ରପାଳ କହିଲେ–ବିବାହ ବିଷୟରେ ଆଗରୁ ମୋର ଯାହା ଠିକ୍ କରିବା କଥା ମୁଁ ତା’ କରିନେଇଛି । ସେଥିରେ ମୁଁ ଆଉ କୌଣସି ପରିବର୍ତ୍ତନ କରିପାରିବି ନାହିଁ ।

 

ପୁଅର ଏ ପ୍ରକାର ନିର୍ବୋଧତା ଦେଖି ରାୟସାହେବ ପୁଣି ରାଗିଯାଇ ଗର୍ଜନ କରି କହିଲେ–ଜଣାପଡ଼ୁଛି, ତମ ମୁଣ୍ଡ କିଛି ଖରାପ ହୋଇଯାଇଛି । ଚଞ୍ଚଳ ମୋ’ ସଙ୍ଗେ ଆସି ଦେଖା କର । ମୁଁ ରାଜା ସାହେବଙ୍କୁ ଜବାବ ଦେଇ ସାରିଛି ।

 

ରୁଦ୍ରପାଳ ଜବାବ ଦେଲେ–ଦୁଃଖର କଥା, ବର୍ତ୍ତମାନ ମୋତେ ସମୟ ନାହିଁ ।

 

ରାୟସାହେବ ଆଉ କିଛି ଉପାୟ ନ ଦେଖି ତହିଁଆରଦିନ ଯାଇ ପୁଅ ପାଖରେ ହାଜର ହେଲେ । ଦିହିଁଙ୍କ ଭିତରେ ଖୁବ୍ ବଚସା ହେଲା । ଜଣେ ଯେତିକି ପୁରୁଖା, ଯେତିକି ଅନୁଭବୀ, ସେତିକି ସଂସାର–ବୁଦ୍ଧିସମ୍ପନ୍ନ, ଆଉଜଣେ ସେତିକି ନୂତନ, ସେତିକି ଆଦର୍ଶବାଦୀ, ସେତିକି ଅନଭିଜ୍ଞ, ସେତିକି ଜିଦଖୋର ଉଦଣ୍ଡ ।

 

ରାୟସାହେବ ଶେଷରେ ସିଧାସିଧା ପଚାରିଲେ–ମୁଁ ଜାଣିବାକୁ ଚାହେ, କେଉଁ ଝିଅକୁ ତମେ ପସନ୍ଦ କରିଛ ?

 

ରୁଦ୍ରପାଳ ଧୀରସ୍ଥିର ହୋଇ କହିଲେ, ଯଦି ଆପଣଙ୍କ ଜାଣିବାପାଇଁ ଏତେ ଇଚ୍ଛା, ତେବେ ଜାଣିନିଅନ୍ତୁ ! ସେ ହେଉଛି ମାଳତୀଦେବୀଙ୍କ ଭଉଣୀ ସରୋଜ ।

 

ସତେ ଯେମିତି ରାୟସାହେବ ଧକ୍କା ଖାଇ ଗଡ଼ିପଡ଼ିଲେ–ଓଃ, ସେ !

 

‘ଆପଣ ତ ସରୋଜକୁ ଦେଖିଥିବେ ।’

 

‘ଖୁବ୍ ଦେଖିଛି, ତମେ ରାଜକୁମାରୀଙ୍କୁ ଦେଖିଛ କି ନାହିଁ ?’

 

‘ହଁ, ମୁଁ ଖୁବ୍ ଦେଖିଛି !’

 

‘ତେବେ......’

 

‘ଖାଲି ରୂପକୁ ମୁଁ ବେଶି ପସନ୍ଦ କରେନାହିଁ ।’

 

‘ତମ ବୁଦ୍ଧି ଦେଖି ପ୍ରକୃତରେ ମୋତେ ଭାରି ଦୁଃଖ ଲାଗୁଛି । ମାଳତୀ କେମିତିଆ ଲୋକ ତମେ କ’ଣ ଜାଣନାହିଁ ? ତା’ ଭଉଣୀ ସେଇମିତିଆ ହୋଇଥିବ ନା ଆଉ କ’ଣ ?’

 

ରୁଦ୍ରପାଳ ଏଡ଼େ ଏଡ଼େ ଆଖି ଦେଖେଇ କହିଲେ–ଏ ବିଷୟରେ ଆପଣଙ୍କ ସଙ୍ଗେ ମୁଁ ଆଉ ବେଶି କଥାବାର୍ତ୍ତା ହେବାକୁ ଚାହେ ନାହିଁ । କିନ୍ତୁ ମୁଁ ଯଦି ବାହାହୁଏ, ତେବେ ସରୋଜକୁଇ ବିଭାହେବି ।

 

‘ମୁଁ ବଞ୍ଚିଥିବାଯାକ ତା’ କେବେ ହୋଇପାରିବ ନାହିଁ ।’

 

‘ତା’ ହେଲେ ଆପଣଙ୍କ ପରେ ହେବ ।’

 

‘ତମ ମନରେ, ତା’ହେଲେ ଏମିତି ବିଚାର ଅଛି, ମୁଁ ମଲେଯାଇଁ ତୁମେ ବାହାହେବ । ଆଚ୍ଛା ତା’ହେଲେ ଦେଖାଯାଉ ।’

 

ରାୟସାହେବଙ୍କ ଆଖିରେ ଲୁହ ଭରି ଆସିଲା । ସାରାସଂସାର ତାଙ୍କୁ ଶୂନ୍ୟ ଦେଖାଗଲା-। ସବୁ ମାନସମ୍ମାନ, ସବୁ ଧନସମ୍ପତ୍ତି ବାସି ଫୁଲପରି ତୁଚ୍ଛ ମନେହେଲା । ଜୀବନର ସବୁ ସାଧନା ଆଜି ବ୍ୟର୍ଥ ହୋଇଗଲା । ସ୍ତ୍ରୀ ମଲାବେଳକୁ ତାଙ୍କୁ ମୋଟେ ଛତିଶବର୍ଷ ହୋଇଥିଲା । ଚାହିଁଥିଲେ ସେ ପୁଣି ବିଭାହୋଇ ଭୋଗବିଳାସରେ ରହିପାରିଥାନ୍ତେ । ବାହାହେବାପାଇଁ ସମସ୍ତେ ତାଙ୍କୁ ଲଗାଇଥିଲେ । କିନ୍ତୁ ସେ କେବଳ ପିଲା ଦୁଇଟିଙ୍କ ମୁହଁକୁ ଅନେଇ ରହିଗଲେ । ଯେଉଁ ପୁଅ ଉପରେ ଜୀବନର ସବୁ ମାୟାମମତା ସମର୍ପି ଦେଇଥିଲେ, ଯାହାକୁ ଅନେଇ ସବୁ ଦୁଃଖ ସେ ଭୁଲି ଯାଉଥିଲେ, ସେହି ପୁଅ ଆଜି ଏମିତି କଥାବାର୍ତ୍ତା କଲା, ସତେ ଯେମିତି ତାଙ୍କ ସହିତ ତା’ର କୌଣସି ସମ୍ପର୍କ ନାହିଁ । ପୁଅଲାଗି ସିନା ସେ ଏତେ ଧନ, ସମ୍ମାନ ପାଇଁ ଲଢ଼େଇ କରୁଥିଲେ, ପୁଅ ଯଦି ଆପଣାର ନ ହେଲା, ତେବେ ଏତେ କଷ୍ଟକରି ଆଉ ଲାଭ କ’ଣ ? ସଂସାରେ ଆଉ କେଇଟା ଦିନ ଯେ ଆରାମ ନ କରି ମିଛରେ ଏତେ ଧାଁ ଧପଡ଼ କରି ଲାଭ କ’ଣ ? ତାଙ୍କ ସମାସ୍କନ୍ଧ ଲୋକେ ଯେମିତି ଭୋଗବିଳାସ କରି ଦିନ କାଟୁଛନ୍ତି, ସେ ଏବେ ସେମିତି ଭୋଗବିଳାସ କରି ବାକି ଦିନ କେଇଟା କଟେଇ ନ ଦେବେ କାହିଁକି ? କିନ୍ତୁ ରାୟସାହେବ ବୋଧହୁଏ ଭୁଲି ଯାଇଥିଲେ ଯେ ସବୁକଥା ସେ କେବଳ ପୁଅ ଝିଅଙ୍କ ପାଇଁ କରୁ ନ ଥିଲେ, ଆପଣା ଯଶ, ଆପଣା ମାନସମ୍ମାନ ପାଇ ମଧ୍ୟ କରୁଥିଲେ । ତା’ ଛଡ଼ା ବଞ୍ଚିରହିବାପାଇଁ ହେଲେ କିଛି ନା କିଛି କାମ ତ କରିବାକୁଇ ହେବ, ବିଶେଷତଃ ମଣିଷର ଯେତେବେଳେ ମାନସମ୍ମାନର ଲାଳସା ରହିଛି । ଅକର୍ମଣ୍ୟ ହୋଇ ଘରେ ବସିରହି କେହି କେବେ ସୁଖୀ ହୋଇ ପାରେ ନାହିଁ । ତାଙ୍କୁ ବୋଧହୁଏ ଜଣା ନ ଥିଲା ଯେ ସଂସାରେ ଏମିତି ଢେର ଲୋକ ଅଛନ୍ତି, ଯେଉଁମାନଙ୍କୁ ଭୋଗବିଳାସରେ ମାତି ରହିବାକୁ ଭଲ ଲାଗେ ନାହିଁ । ଜୀବନରେ ଆପଣା ଜିଦ, ଆପଣା ଲକ୍ଷ୍ୟ ହାସଲ କରିବାକୁ ସେମାନଙ୍କୁ ବେଶି ଭଲ ଲାଗେ । ସେଥିପାଇଁ ଶେଷନିଃଶ୍ୱାସ ପର୍ଯ୍ୟନ୍ତ ସେମାନେ ନିଜ ଲକ୍ଷ୍ୟ ପଛରେ ଗୋଡ଼ାଇଥାନ୍ତି-

 

ପୁଅର ଏ ପ୍ରକାର ବ୍ୟବହାର ରାୟସାହେବଙ୍କୁ ଭାରି ବାଧିଲା । କାରଣ ମନୁଷ୍ୟ ଯଦିଓ ପୁଅଝିଅଙ୍କ ପାଇଁ ଏତେ ତ୍ୟାଗସ୍ୱୀକାର କରି ମଧ୍ୟ ପ୍ରତିଦାନ କିଛି ଚାହେଁ ନାହିଁ, ତଥାପି ସେ ପୁତ୍ରକନ୍ୟାଙ୍କ ମନ ଉପରେ ଶାସନ ଚଳାଇବାକୁ ଲାଳାୟିତ ହୁଏ । ଯେଉଁଠି ତ୍ୟାଗ ଯେତେ ବଡ଼, ସେଠି ଶାସନ କରିବାର ଲାଳସା ସେତେ ତୀବ୍ର । ତା’ଛଡ଼ା ଯେଉଁଠି ପୁତ୍ରକନ୍ୟାଙ୍କର ସ୍ଵାର୍ଥ, ଆପଣା ସ୍ୱାର୍ଥର ପରିପୂରକ, ସେଠି ଶାସନ ଆହୁରି ତୀବ୍ର । କିନ୍ତୁ ସମସ୍ତ ତ୍ୟାଗ ପରେ ପୁତ୍ରକନ୍ୟା ଯଦି ଶାସନକୁ ସ୍ୱୀକାର କରିବାପାଇଁ ରାଜି ନ ହୁଅନ୍ତି, ତେବେ ମନୁଷ୍ୟର ସମସ୍ତ ତ୍ୟାଗ ପ୍ରବଳ ହିଂସାରେ ପରିଣତ ହୋଇ ଆତ୍ମପ୍ରକାଶ କରେ । ରାୟସାହେବଙ୍କ ମନରେ ଏବେ ଏକ ପ୍ରବଳ ପ୍ରତିଜ୍ଞା ଆସି ପହଞ୍ଚିଲା । ସେ ମନେ ମନେ ଠିକ୍ କଲେ, ପୁଲିସ–ସାହାଯ୍ୟ ନେଇହେଉ, କିମ୍ବା ଆପଣାର ସମସ୍ତ ନୀତିରେ ଜଳାଞ୍ଜଳି ଦେଇ ହେଉ, ସରୋଜ ସଙ୍ଗରେ ରୁଦ୍ରପାଳର ବିଭାଘର କେବେହେଲେ ସେ କରେଇଦେବେ ନାହିଁ ।

 

ଶେଷରେ ରାୟସାହେବ କହିଲେ–ହଁ, ମୋ’ ପରେ ବାହାଘର ହେବ ବୋଲି ଯାହା ଭାବୁଛ, ସେଥିପାଇଁ ଆହୁରି ଅନେକ ଦିନ ଡେରି ଅଛି ।

 

ରୁଦ୍ରପାଳ କହିଲେ–ହଁ, ଭଗବାନ କରନ୍ତୁ, ଆପଣ ଅମର ହୁଅନ୍ତୁ, କିନ୍ତୁ ଜାଣିଥାନ୍ତୁ, ସରୋଜ ସାଙ୍ଗରେ ମୋର ବାହାଘର ହୋଇ ସାରିଛି ।

 

ଏକଥା ଶୁଣି ରାୟସାହେବଙ୍କୁ ଜଣା ପଡ଼ିଲା, ସତେ ଯେମିତି ତାଙ୍କ ଛାତିରେ ଗୁଳି ଗଳିଗଲା । ସେ କହିଲେ–ମିଛ କଥା, ଅସମ୍ଭବ ।

 

‘ମୋଟେ ମିଛ ନୁହେଁ, ପ୍ରମାଣପତ୍ର ମୋ ସଙ୍ଗେ ସଙ୍ଗେ ରହିଛି ।’

 

ଏକଥା ଶୁଣି ରାୟସାହେବ ସତେ ଯେମିତି ରସାତଳରେ ଖସି ପଡ଼ିଲେ । ଜୀବନରେ କୌଣସି ଶତ୍ରୁକୁ ମଧ୍ୟ ସେ କେବେହେଲେ ଏତେ ହିଂସା ଦୃଷ୍ଟିରେ ଦେଖି ନ ଥିବେ । ଶତ୍ରୁ ସିନା ଧନସମ୍ପତ୍ତି, ତଥା ମାନସମ୍ମାନ ଉପରେ ଆଘାତ କରେ, ପୁଅ ଯେ ସିଧା ମର୍ମସ୍ଥଳ ଉପରେ ଆଘାତ କରି ବସିଲା, ଯେଉଁଠି ଜୀବନର ସମସ୍ତ ସୂତ୍ର ସଞ୍ଚିତ ହୋଇ ରହିଥିଲା । ସତେ ଯେମିତି ଝଞ୍ଜା ପବନରେ ଜୀବନବୃକ୍ଷ ସମ୍ପୂର୍ଣ୍ଣ ଉନ୍ମୁଳ ହୋଇପଡ଼ିଲା । ସବୁ ପ୍ରକାର ଶକ୍ତି, ଶାସନ, ପୁଲିସ୍, ଧନ, କ୍ଷମତା ସବୁ ଥାଇ ମଧ୍ୟ ସେ ନିଃସହାୟ ହୋଇପଡ଼ିଲେ । ତାଙ୍କର ତ ଶେଷ ଭାବନା ଥିଲା ବଳପ୍ରୟୋଗ କରିବା । କିନ୍ତୁ ବାହାଘର ଯେତେବେଳେ ହୋଇସାରିଲାଣି, ଆଉ ବଳପ୍ରୟୋଗ ପାଇଁ ବାଟ କାହିଁ ? ରୁଦ୍ରପାଳ ଏବେ ପିଲା ନୁହେଁ, କି ସରୋଜ ବି ଏବେ ପିଲା ନୁହେଁ । ପ୍ରକୃତରେ ଦେଖିବାକୁ ଗଲେ ରୁଦ୍ରପାଳ ହେଉଛି ବର୍ତ୍ତମାନ ସବୁ ସମ୍ପତ୍ତିର ମାଲିକ । ତା’ ଉପରେ ରାୟସାହେବଙ୍କର ଆଉ କୌଣସି ଅଧିକାର ନାହିଁ । ଯଦି ସେ ଜାଣିଥାନ୍ତେ ପୁଅ ଏମିତି ବିଦ୍ରୋହ କରିବ, ତେବେ ସେ କେବେହେଲେ ଏତେ କଷ୍ଟରେ ମକଦ୍ଦମା କରି ସମ୍ପତ୍ତି ଆଣି ନ ଥାନ୍ତେ । ଏତେ କଷ୍ଟ, ଏତେ ଚେଷ୍ଟା ସବୁ ଅକାରଣ ଗଲା, ପୁଅକୁ ବର୍ତ୍ତମାନ ଖୁସାମତି କରିବା ଛଡ଼ା ଆଉ ଉପାୟ କ’ଣ ଥିଲା ? ଯଦି କୌଣସିମତେ ସେ ନ ମାନିଲା ତେବେ ଜାଣ ସବୁ ମାନମହତ ମାଟିରେ ମିଶିଗଲା । ଏତେ କଷ୍ଟ କରି ସମ୍ପତ୍ତି ରୋଜଗାର କରି ଶେଷକୁ ଫଳ ଏୟା ହେଲା । ହାୟରେ କପାଳ ! ସାରା ଜୀବନ ଆଜି ନଷ୍ଟ ହୋଇଗଲା, ସାରା ଜୀବନ !

 

ତା’ପରେ ରାୟସାହେବ ମଟର ଧରି ସିଧା ମେହେତାଙ୍କ ପାଖକୁ ଚାଲିଲେ । ଭାବିଲେ ତାଙ୍କୁ ଅବା କହିଲେ କିଛି ହେବ । ସରୋଜ ନିଶ୍ଚୟ ତାଙ୍କ କଥା ମାନିବ । ଦରକାର ପଡ଼ିଲେ ବାହାଘର ଭାଙ୍ଗିଦେବା ପାଇଁ କୋଡ଼ିଏ ପଚିଶ ହଜାର ଟଙ୍କା ଖର୍ଚ୍ଚ କରିବାପାଇଁ ମଧ୍ୟ ସେ ତିଆର । କିନ୍ତୁ ଦୁଃଖର କଥା, ରାୟସାହେବ ବୋଧହୁଏ ଭୁଲି ଯାଇଥିଲେ ଯେ ମେହେତା ସାହେବ ଏସବୁ ବିଷୟରେ ସାହାଯ୍ୟ କରିବା ଲୋକ ନୁହନ୍ତି ।

 

ମେହେତା ସବୁ କଥା ଶୁଣିସାରି ଟିକିଏ ଗମ୍ଭୀର ହୋଇ କହିଲେ–ହଁ, ଇଏ ତ କେବଳ ଆପଣଙ୍କର ମାନସମ୍ମାନର କଥା ।

 

ରାୟସାହେବ ମେହେତାଙ୍କ ପ୍ରକୃତ ଉଦ୍ଦେଶ୍ୟ ବୁଝି ନ ପାରି ଟିକିଏ ଉତ୍ସାହିତ ହେଲାପରି କହିଲେ–ହଁ, ସେହି ମାନସମ୍ମାନ କଥା ତ ଆଉ କ’ଣ ? ଆପଣ ତ ରାଜା ପ୍ରତାପସିଂହଙ୍କୁ ଜାଣନ୍ତି ।

 

‘ହଁ, ମୁଁ ତ ତାଙ୍କ ଝିଅଙ୍କୁ ବି ଦେଖିଛି, ସରୋଜ ତାଙ୍କ ପାଦଧୂଳିକୁ ବି ସରି ହେବ ନାହିଁ ।’

 

‘ହେଲେ ମୁଁ କ’ଣ କରିବି । ଦେଖୁଛନ୍ତି ତ ଏ ଟୋକାଟାର ବୁଦ୍ଧି କୁଆଡ଼େ ମାଟିରେ ମିଶିଗଲାଣି ।’

 

‘ତା’ହେଲେ ଛାଡ଼ି ଦିଅନ୍ତୁ, ତା’କଥା ସେ ବୁଝୁ । ସେହି ପୁଣି ପଛରେ ପସ୍ତେଇ ହେବ, କାହାର କ’ଣ ହେଉଛି ।’

 

‘ଆପଣ ତ ବୁଝୁ ନାହାନ୍ତି । କଥା ହେଉଛି ଅସଲ ମାନସମ୍ମାନ । ଯେଉଁ ମାନସମ୍ମାନ ମଣିଷକୁ ମିଳିଥାଏ, ତାକୁ ଛାଡ଼ିବା ପ୍ରକୃତରେ ଭାରି କଷ୍ଟ ମୁଁ ତ କେବଳ ଏହି ମାନସମ୍ମାନ ପାଇଁ ସମ୍ପତ୍ତିର ଅଧା ବି ଖର୍ଚ୍ଚ କରିଦେବାପାଇଁ ରାଜି । ଆପଣ ଟିକିଏ ମାଳତୀ ଦେବୀଙ୍କୁ କଥାଟା ବୁଝେଇ ଦିଅନ୍ତୁ । ସେ କହିଲେ କାମଟା ନିଶ୍ଚୟ ହୋଇଯିବ । ରୁଦ୍ରପାଳ ଦଶ ପାଞ୍ଚ ଦିନ ମୁଣ୍ଡ ପିଟି ପୁଣି ତୁନୀତାନ ହୋଇ ରହିଯିବ । ସେଥିରେ ପ୍ରେମଫ୍ରେମ ସେମିତି କିଛିନାହିଁ, ଖାଲି ଗୋଟାଏ ଏମିତି ପିଲାଳିଆ ମମତା ।’

 

‘କିନ୍ତୁ ମାଳତୀଙ୍କୁ କିଛି ଲାଞ୍ଚ ରିସିବତ ନ ମିଳିଲେ ତ ସେ କରିବେ ନାହିଁ ।’

 

‘ଆପଣ ଯାହା ଠିକ୍ କରିଦେବେ, ମୁଁ ଦେବି । ଯଦି ସେ ଚାହାନ୍ତି ତେବେ ତାଙ୍କୁ ଡଫରିନ୍ ହସ୍ପିଟାଲର ଇନଚାର୍ଜ କରେଇ ଦେବି ।’

 

‘ଧରନ୍ତୁ, ସେ ଯଦି ଆପଣଙ୍କୁ ଚାହିବେ, ଆପଣ କ’ଣ ରାଜି ହେବେ ? ଆପଣଙ୍କୁ ହୋମ୍ ମିନିଷ୍ଟ୍ରିରେ ଜାଗା ମିଳିଲା ଦିନୁ ଆପଣଙ୍କ ପ୍ରତି ତାଙ୍କ ଧାରଣା ବହୁତ ବଦଳି ଯାଇଛି ।’

 

ରାୟସାହେବ ଆଶ୍ଚର୍ଯ୍ୟ ହୋଇ ମେହେତାଙ୍କୁ ଚାହିଁ ଦେଖିଲେ, ସେ ମୁରୁକି ମୁରୁକି ହସୁଛନ୍ତି । ବିଶେଷ ଆହତ ହେଲାପରି ସେ କହିଲେ–ମୁଁ ସିନା ଆସିଥିଲି ଆପଣ ମୋତେ ଏ ବିପତ୍ତିବେଳେ ଟିକିଏ ସାହାଯ୍ୟ କରିବେ ବୋଲି, ଆପଣ ଓଲଟି ମୋତେ ପରିହାସ କରୁଛନ୍ତି । ମୁଁ ଭାବିଥିଲି ଆପଣ ସବୁକଥା ଶୁଣିସାରି ନ୍ୟାୟବିଚାର କରିବେ ବୋଲି, କିନ୍ତୁ ଫଳ ହେଲା ଓଲଟା । ଯାହା କହନ୍ତୁ, ପ୍ରସୂତି ସିନା ଜାଣେ ପ୍ରସବ କଷ୍ଟ, ବନ୍ଧ୍ୟା ଜାଣିବ କୁଆଡ଼ୁ ?

 

ମେହେତା ଟିକିଏ ଗମ୍ଭୀର ହୋଇ କହିଲେ–କ୍ଷମା କରିବେ ରାୟାସାହେବ, ଆପଣ ଏମିତି ସମସ୍ୟା ଧରି ଆସିଛନ୍ତି, ଯାହା ସମ୍ପର୍କରେ ବିଚାର କରିବାକୁ ମୁଁ ହାସ୍ୟାସ୍ପଦ ମନେ କରୁଛି । ନିଜ ବିବାହ ଉପରେ ସିନା ଆପଣଙ୍କର ଅଧିକାର ଅଛି, ଜଣେ ବୟସ୍କ ପୁତ୍ରର ବିବାହ ଉପରେ ଆପଣଙ୍କର କି ଅଧିକାର ଅଛି ? ତା’ ଲାଭକ୍ଷତି ପାଇଁ ସେ ଦାୟୀ, ଆପଣଙ୍କର ସେଥିରେ ଯାଏ ଆସେ କେତେ ? ବିବାହ ବିଷୟରେ ମୁଁ ତ ମାନସମ୍ମାନ କିଛି ବୁଝେନାହିଁ । ମାନସମ୍ମାନ ଯଦି କେବଳ ଧନରୁ ମିଳୁଥାନ୍ତା, ତେବେ ରାଜାସାହେବ ଯାଇ ସେ ଲଙ୍ଗଳା ବାବାଙ୍କ ପାଖରେ ଘଣ୍ଟା ଘଣ୍ଟା ହାତ ଯୋଡ଼ିକରି ଠିଆ ହୋଇଥାନ୍ତେ କାହିଁକି ? କେତେଦୂର ସତ, ଭଗବାନ ଜାଣନ୍ତି, କିନ୍ତୁ ମୁଁ ତ ଶୁଣେ, ରାଜାସାହେବ ତାଙ୍କ ଇଲାକାର ଦାରୁଗାଙ୍କୁ ବି ହାତ ଯୋଡ଼ କରିଥାନ୍ତି । ୟାକୁଇ ଆପଣ ମାନସମ୍ମାନ କହନ୍ତି ? ଲକ୍ଷ୍ନୌରେ ଆପଣ ଯାହାଙ୍କୁ ପଚାରନ୍ତୁ, ଦୋକାନୀ ହେଉ, ବ୍ୟବସାୟୀ ହେଉ, ବାଟୋଇ ହେଉ, ଯାହାକୁ ପଚାରିବେ, ରାଜାସାହେବଙ୍କ ନାଁ ଶୁଣିଲାମାତ୍ରେ ସେମାନେ ବେଜିତ କରିବେ । ୟା’କୁଇ ଆପଣ ବଡ଼ଲୋକି ବୋଲି ଭାବନ୍ତି ? ଯାଇ ଚୁପ୍ ଚାପ୍ ଘରେ ବସନ୍ତୁ । ସରୋଜ ଅପେକ୍ଷା ଭଲ ବୋହୂ ଆପଣଙ୍କୁ ଆଉ କେଉଁଠି ମିଳିବେ ନାହିଁ ।

 

ରାୟାସାହେବ ଟିକିଏ ଅଭିଯୋଗ କଲା ପରି କହିଲେ–ଯେତେ ଯାହା ହେଲେ ବି ମାଳତୀଙ୍କ ଭଉଣୀ ନା, ସେଇଥିପାଇଁ ମୋର ଆପତ୍ତି ।

 

ମେହେତା ଟିକିଏ ଗରମ ହୋଇଯାଇ କହିଲେ–ମାଳତୀଙ୍କ ଭଉଣୀ ହେଲେ ସେଠୁ କ’ଣ ହୋଇଗଲା ? ଆପଣ ବୋଧହୁଏ ମାଳତୀଙ୍କ ସ୍ଵରୂପ ଦେଖି ନାହାନ୍ତି କି ଦେଖିବାକୁ କେବେ ଚେଷ୍ଟା କରି ନାହାନ୍ତି । ମୋର ବି ମାଳତୀଙ୍କ ବିଷୟରେ ସେଇ ପ୍ରକାର ଧାରଣା ଥିଲା । କିନ୍ତୁ ଏବେ ମୁଁ ଜାଣିଲି, ମାଳତୀ ହେଉଛନ୍ତି ପକ୍କା ସୁନା, ନିଆଁରେ ପଡ଼ି ସେ ପୋଡ଼ିଯିବା ଜିନିଷ ନୁହନ୍ତି, ବରଂ ଚମକି ଉଠିବା ଜନିଷ । ଦରକାର ପଡ଼ିଲେ ସେ ଆପଣା ସ୍ଵରୂପ ଦେଖାଇ ପାରନ୍ତି । ଆପଣ ଖନ୍ନାଙ୍କ ବର୍ତ୍ତମାନ ଅବସ୍ଥା ଜାଣନ୍ତି ତ ?

 

ରାୟସାହେବ ସହାନୁଭୂତି ପ୍ରକାଶ କରି କହିଲେ–ହଁ ଶୁଣିଛି, ନିଆଁ ଲାଗି ତାଙ୍କ ମିଲ୍ ଗୋଟାପଣେ ପାଉଁଶ ହୋଇଯାଇଛି । କେତେଥର ଭାବିଲିଣି ଯାଇ ଟିକିଏ ଦେଖିଆସିବି ବୋଲି କିନ୍ତୁ କେବେ ସମୟ ହେବ ନାଇଁ । ନିଆଁ ଲାଗି ବିଚାରାଙ୍କର ସର୍ବନାଶ ହୋଇଯାଇଛି ।

 

‘ହଁ, ବିଚାରାଙ୍କର ସବୁ ନଷ୍ଟ ହୋଇଯାଇଛି । ସେ ବର୍ତ୍ତମାନ ଆପଣା ବନ୍ଧୁବାନ୍ଧକମାନଙ୍କ ଦୟା ଉପରେ ନିର୍ଭର କରି ଚଳୁଛନ୍ତି । ଗୋବିନ୍ଦୀ ଦେବୀ ଆଜିକି କେତେମାସହେଲା ବିଛଣାରେ ପଡ଼ି ରହିଛନ୍ତି । ବିଚାରୀ ଜୀବନସାରା ଖନ୍ନାଙ୍କର ନିଃସ୍ଵାର୍ଥ ସେବା କରିଆସିଛନ୍ତି । ଅଥଚ ସେହି ପଶୁ ଖନ୍ନା ତାଙ୍କପ୍ରତି ବରାବର ନିର୍ମମ ବ୍ୟବହାର କରିଆସିଛନ୍ତି । ଆଜି ବିଚାରୀ ମରଣକୁ ଅପେକ୍ଷାକରି ମୃତ୍ୟୁଶଯ୍ୟାରେ ପଡ଼ି ରହିଛନ୍ତି । ଯେଉଁ ମାଳତୀ ରଜା ମହାରାଜାଙ୍କଠାରୁ ପାଞ୍ଚଶହ ଫିସ୍ ପାଇ ବି ପାଦେ ଘୁଞ୍ଜିବା ଲୋକ ନୁହନ୍ତି, ସେହି ମାଳତୀ ପୁଣି ସାରାରାତି ଗୋବିନ୍ଦୀଙ୍କ ମୁଣ୍ଡ ପାଖରେ ବସି ସେବା କରିବାରେ ଲାଗିଛନ୍ତି । ସେହି ପୁଣି ଗୋବିନ୍ଦୀଙ୍କର ପିଲାଛୁଆଙ୍କ ଭାର ଆପଣା ହାତରେ ନେଇଛନ୍ତି । ମାଳତୀଙ୍କ ଅନ୍ତରରେ ଏପରି ଅପୂର୍ବ ମାତୃତ୍ଵ ଆଜିଯାଏ କେଉଁଠି ଲୁଚି ରହିଥିଲା, ମୋତେ ଜଣା ନ ଥିଲା । ଏସବୁ ଦେଖି ମାଳତୀଙ୍କ ପ୍ରତି ମୋ’ର ଶ୍ରଦ୍ଧା ସ୍ଵତଃ ଜାଗ୍ରତ ହୋଇଛି । ମାଳତୀଙ୍କ ନାରୀତ୍ଵରେ ମୁଁ ଦେବତ୍ଵର ସନ୍ଧାନ ପାଇଛି । ମନୁଷ୍ୟର ପ୍ରକୃତି କେଡ଼େ ବିଚିତ୍ର, ହୃଦୟ କେଡ଼େ ବିଶାଳ, ତାହା ମୁଁ ଆଜି ଅନୁଭବ କରୁଛି । ଆପଣ ଯଦି ମାଳତୀଙ୍କ ସହିତ କଥାବାର୍ତ୍ତା ହେବାକୁ ଚାହାନ୍ତି, ତେବେ ଖନ୍ନାଙ୍କୁ ଦେଖିବା ବାହାନାରେ ଚାଲନ୍ତୁ ଯିବା, ମୋ’ର କୌଣସି ଆପତ୍ତି ନାହିଁ ।’

 

ରାୟସାହେବ ଟିକିଏ ସନ୍ଦିଗ୍‍ଧ ହୋଇ କହିଲେ–ନାହିଁ, ଆପଣ ଯେତେବେଳେ ମୋ’ ଦୁଃଖ ବୁଝିପାରିଲେ ନାହିଁ, ଆଉ ମାଳତୀ ଦେବୀ କ’ଣ ସତେ ବୁଝିପାରିବେ ? ମିଛରେ ଯାଇ ଅପମାନ ପାଇବା କଥା ହେବ । ତା’ଛଡ଼ା ଆପଣ ଯଦି ମାଳତୀଙ୍କ ସହିତ ଭେଟ ହେବାକୁ ଚାହାନ୍ତି, ତେବେ ବାହାନା କରିବାର ଆବଶ୍ୟକତା କ’ଣ ? ସେ ତ ଆପଣଙ୍କ ଲୋକ, ଆପଣ ତ ତାଙ୍କୁ ଗୋଟାପଣେ କୁହୁକ କରି କିଣି ନେଇଛନ୍ତି ।

 

ମେହେତା ସାହେବ ହସି ହସି କହିଲେ–ସେକାଳ ପଖାଳ ଗଲାଣି ରାୟସାହେବ, ଆଜି ତ ତାଙ୍କୁ ଦେଖିବା ସାତସପନ । ତାଙ୍କୁ ଆଜିକାଲି ମୁହୂର୍ତ୍ତେ ସମୟ ନାହିଁ । ଦି’ ଚାରିଥର ମୁଁ ଗଲିଣି, କିନ୍ତୁ ଦେଖିଲି ମୋ’ ସଙ୍ଗେ ଦେଖା ହେବାପାଇଁ ସେ ଆଉ ଚାହୁଁ ନାହାନ୍ତି । ସେଥିପାଇଁ ଆଜିକାଲି ଆଉ ତାଙ୍କ ପାଖକୁ ଯିବାପାଇଁ ମୋତେ ଭଲ ଲାଗୁ ନାହିଁ । ହଁ, ଆଚ୍ଛା କଥା ମନେପଡ଼ିଲା, ଆଜି ମହିଳା ବ୍ୟାୟାମଶାଳାର ସଭା ଅଛି, ଆପଣ ଯିବେ ?

 

ରାୟସାହେବ ଟିକିଏ ଆନମନା ହୋଇ କହିଲେ–ନାହିଁ, ଆଜ୍ଞା, ମୋତେ ଆଜି ସମୟ ନାହିଁ । ମୋର ତ ଆଜି ମୁଣ୍ଡ ଘୁରୋଉଛି–ମୁଁ ରାଜାସାହେବଙ୍କୁ କଣ ଉତ୍ତର ଦେବି । ଆଗରୁ ତାଙ୍କୁ ମୁଁ ଜବାବଦେଇ ସାରିଛି ।

 

ଏତିକି କହୁ କହୁ ରାୟସାହେବ ଉଠି ଠିଆ ହୋଇପଡ଼ିଲେ । ଯେଉଁ ସମସ୍ୟା ସମାଧାନ କରିବାକୁ ଆସିଥିଲେ, ସେ ବରଂ ଆହୁରି ଜଟିଳ ହୋଇ ଉଠିଲା । ରାସ୍ତା ଆହୁରି ଅନ୍ଧକାର ଦେଖାଗଲା । ତାପରେ ସେ ଧୀରେ ଧୀରେ ଘରୁ ବାହାରି ଆସିଲେ, ମେହେତା ତାଙ୍କ ପଛେ ପଛେ ଆସି ତାଙ୍କ କାର୍ ପାଖରେ ତାଙ୍କୁ ଛାଡ଼ିଦେଇ ଗଲେ ।

 

ରାୟସାହେବ ସିଧା ଘରକୁ ଆସି, ଖବର କାଗଜ ଉଠାଉ ଉଠାଉ ଦେଖିଲେ, ଓକିଲ ଶ୍ୟାମବିହାରୀଙ୍କର ଖଣ୍ଡେ କାର୍ଡ଼ ଆସି ପହଞ୍ଚିଛି । ଶ୍ୟାମବିହାରୀଙ୍କ ପ୍ରତି ତାଙ୍କର ଭାରି ଘୃଣା, ତାଙ୍କ ନାଁ ଶୁଣିଲେ ତାଙ୍କ ନାହି ଡିଏଁ । କିନ୍ତୁ ବର୍ତ୍ତମାନ ରାୟସାହେବଙ୍କର ଯେଉଁ ଦଶା, ସେଥିରେ ସେ ଯେକୌଣସି ଲୋକର ସହାନୁଭୂତି ଚାହାନ୍ତି, କେହି କିଛି ସାହାଯ୍ୟ କରି ମନକୁ ସାନ୍ତ୍ୱନା ଦେଇ ପାରିଲେ ସେ ଟିକିଏ ଶାନ୍ତି ପାଇପାରନ୍ତେ । ସେଥିପାଇଁ କିଛି ସାହାଯ୍ୟ ପାଇବାପାଇଁ ଓକିଲଙ୍କୁ ସେ ଡକାଇଲେ ।

ଓକିଲ ସାହେବ ଧୀରେ ଧୀରେ ପାଦ ପକାଇ କାନ୍ଦ କାନ୍ଦ ହୋଇ ଆସି ଭୂମିଷ୍ଠ ପ୍ରଣାମକରି କହିଲେ–ମୁଁ ତ ହଜୁରଙ୍କ ଦର୍ଶନ ପାଇଁ ନୈନିତାଳ ଯାଉଥିଲି । ସୌଭାଗ୍ୟକୁ ଏଇଠି ଦେଖା ହୋଇଗଲା । ଆପଣଙ୍କ ସବୁ ଭଲ ତ ?

ତା’ପରେ ରାୟସାହେବଙ୍କ ପ୍ରତି ନିଜର ସବୁ ପୂର୍ବ–ଦୁର୍ବ୍ୟବହାର ଭୁଲିଯାଇ, ହାତ ମଳି ମଳି ଖୁସାମତି ଆରମ୍ଭ କରିଦେଲେ, କହିଲେ–ଆଜ୍ଞା, ଦୁନିଆରେ ହୋମମେମ୍ୱର ହେବାଠାରୁ ବଳି ବଡ଼ ଜିନିଷ ଆଉ କଣ ଅଛି ? ଆଜି ଯେଉଁଠି ଶୁଣିବ ଖାଲି ଆପଣଙ୍କ କଥା । ଆପଣଙ୍କ ପରି ଲୋକଙ୍କୁ ସିନା ଏସବୁ ପଦ ଶୋଭାପାଏ ।

ତାଙ୍କ କଥା ଶୁଣି ରାୟସାହେବଙ୍କ ମନେ ମନେ ଭାରି ରାଗହେଲା । ଭାବିଲେ, ଲୋକଟା କେଡ଼େ ବଦମାସ, କେଡ଼େ କପଟୀ । ଦରକାରବେଳେ ଗଧକୁ ବି ବାପ ବୋଲି ଡାକିବାଲୋକ, ପକ୍‍କା ବେହିୟା, ପକ୍‍କା ନିର୍ଲଜ୍ଜ । ତଥାପି ତାଙ୍କ ଉପରେ ରାଗ ନ ହୋଇ ବରଂ ଦୟା ଆସିଲା । ପଚାରିଲେ–ଆଜିକାଲି ଆଉ କଣ କାମ ଲାଗିଛି ?

‘କିଛି ନାହିଁ ହଜୁର, ବେକାର ହୋଇ ବସିଛି । ଆପଣଙ୍କ ଦର୍ଶନପାଇଁ ନୈନିତାଳ ଯାଉଥିଲି ଭାବିଲି ପୁରୁଣା ଲୋକଙ୍କ ପ୍ରତି ହଜୁରଙ୍କର ଦୟା ଅବଶ୍ୟ ଫେରିବ । ଆଜିକାଲି ବଡ଼ କଷ୍ଟରେ ଅଛି । ଆପଣ ତ ରାଜା ସୂର୍ଯ୍ୟପ୍ରତାପଙ୍କୁ ଜାଣନ୍ତି । ସେ ନିଜ ଛଡ଼ା ଦୁନିଆରେ ଆଉ କାହାକୁ ବଡ଼ ବୋଲି ଭାବନ୍ତି ନାହିଁ । ଦିନେ ସେ ମୋ ଆଗରେ ଆପଣଙ୍କର ନିନ୍ଦା ଗାଇ ବସିଲେ । ମୁଁ କି ସହିବା ଲୋକ ! ମୁଁ କହିଲି, ଆଜ୍ଞା ସେତିକି ହୋଇଥାଉ, ଆଉ ବେଶି କହନ୍ତୁ ନାହିଁ । ଆପଣ ଯେତେ ଯାହା ବାହାର ଆଡ଼ମ୍ବର କଲେ ବି ରାୟସାହେବଙ୍କ ସମ୍ମାନ ଆପଣଙ୍କୁ ମିଳିବ କୁଆଡ଼ୁ ? ମାନସମ୍ମାନ ଖାଲି ତ ଉପର ଆଡ଼ମ୍ବରରୁ ମିଳେ ନାହିଁ, ମିଳେ ପ୍ରକୃତ ଯୋଗ୍ୟତାରୁ । ଆପଣଙ୍କର ଯୋଗ୍ୟତା ଏ ଦୁନିଆରେ ଅଛପା ଅଛି କାହାକୁ !’

ରାୟସାହେବ ଟିକିଏ ଛଳନାକରି କହିଲେ–ଆପଣ ତ ତାହେଲେ ସିଧା ସିଧା ତାଙ୍କ ଚୁଟୀରେ ନିଆଁ ଲଗେଇଦେଇ ବସିଲେ ।

ଓକିଲ ସାହେବ ଟିକିଏ ଫୁଲିଯାଇ କହିଲେ–ଆପଣ ତ ଜାଣନ୍ତି, ଲୋକଙ୍କୁ ଭଲ ଲାଗୁ ବା ନ ଲାଗୁ ମୁଁ ମୁହେଁ ମୁହେଁ ସବୁ ବତାଇ ଦିଏ । ହଜୁରଙ୍କ ପାଦତଳେ ଆଶ୍ରା କରିବାଯାକ ମୁଁ ତ ଆଉ କାହାକୁ ଖାତିର ତଳକୁ ଆଣେ ନାହିଁ । ଆପଣଙ୍କ ନା ଶୁଣିଲାମାତ୍ରେ ସେ ନିଆଁ । ଯେତେବେଳେ ଶୁଣିବ ଖାଲି ନିଆଁ ଜଳୁଛି । ଦବା କଥା ତ ହାତରେ କେବେ ହୁଏ ନାହିଁ, ମୋର ଯାହାସବୁ ପାଉଣା ଥିଲା ସେଥିରୁ ଗୋଟାଏ ହେଲେ ପଇସା ମିଳିଲା ନାହିଁ । ଅତ୍ୟାଚାରରେ ତ ଆଉ ସୀମା ନାହିଁ । କାହାର ଆଉ ଇଜ୍ଜତ ହୋଇ ପାହୁଲାଟାକର ନାହିଁ । ଦିନେ ଦିପ୍ରହରେ ବି ସ୍ତ୍ରୀମାନଙ୍କ....

ଠିକ୍ ସେତିକିବେଳକୁ ମଟର୍ ହର୍ଣ୍ଣ୍ ଶୁଣାଗଲା । ଦେଖିଲାବେଳକୁ ରାଜା ସୂର୍ଯ୍ୟପ୍ରତାପ ଗାଡ଼ିରୁ ଓହ୍ଲାଉଛନ୍ତି । ରାୟସାହେବ ଧାଇଁ ଧାଇଁ ତାଙ୍କୁ ସ୍ଵାଗତ କରି ଆଣି ଅତି ବିନୟ ହୋଇ କହିଲେ–ମୁଁ ତ ଏଇ ବର୍ତ୍ତମାନ ଆପଣଙ୍କ ପାଖକୁ ଯିବାକୁ ବାହାରୁଥିଲି ।

ବଡ଼ ସୌଭାଗ୍ୟ, ପ୍ରଥମ ଥର ପାଇଁ ରାଜା ସୂର୍ଯ୍ୟପ୍ରତାପଙ୍କର ପାଦଧୂଳି ରାୟସାହେବଙ୍କ ଦୁଆରେ ପଡ଼ିଲା ।

ସୂର୍ଯ୍ୟପ୍ରତାପଙ୍କୁ ଦେଖି ଓକିଲ ଶ୍ୟାମବିହାରୀଙ୍କ ପିଳେଇ ପାଣି । ବିଚାରା ଆଶ୍ଚର୍ଯ୍ୟ ହୋଇଗଲେ, କଥା କଣ ? ସୂର୍ଯ୍ୟପ୍ରତାପ କେମିତି ଆସି ଏଠି ଜୁଟିଲେଣି । କଣ ୟାଙ୍କ ଭିତରେ କିଛି ବନ୍ଧୁତା ହୋଇଗଲାଣି କି ? ସେ ସିନା ଭାବିଥିଲେ, ରାୟସାହେବଙ୍କ ଈର୍ଷାଗ୍ନିକୁ ତେଜେଇ ସେଥିରେ ଟିକିଏ ନିଜକୁ ଗରମ କରିବାପାଇଁ । ପୁଣି ଭାବିଲେ, ନା, ସତେ କ’ଣ ସୂର୍ଯ୍ୟପ୍ରତାପ ବନ୍ଧୁତା କରିବାପାଇଁ ଏଠିକି ଆସିଛନ୍ତି ? ଅସମ୍ଭବ । ଭିତରେ ତ ତେଣେ କୁମ୍ଭାରଭାଟିପରି ନିଆଁ ଜଳୁଛି, ଉପରେ ଖାଲି ମାଟି ଲଦିଲେ ସେ କଣ ରହିବ !

ରାଜାସାହେବ ସିଗାରେଟ୍ ଲଗାଉ ଲଗାଉ ଓକିଲଙ୍କ ଆଡ଼କୁ ଚାହିଁ କହିଲେ–କିଓ ଶ୍ୟାମ ବିହାରୀ, ତମର ତ ଆଜିକାଲି ଦେଖାଦର୍ଶନ ନାହିଁ । ଭୋଜିପାଇଁ ହୋଟେଲବାଲାକୁ ଦେବାପାଇଁ ଯେତେ ଟଙ୍କା ମୋ’ଠୁ ନେଇଥିଲ, ଅଧଲଟାଏ ତ ତାକୁ ଦେଇନ । ସେ ବିଚାରା ଦିନରାତି ଆସି ମୋ’ ଜୀବନ ଖାଉଛି । ଏଗୁଡ଼ା କି ଧପାବାଜି କଥା । ମୁଁ ଚାହିଁଲେ ଏଇଠୁ ବର୍ତ୍ତମାନ ତମକୁ ପୁଲିସ ଥାନାକୁ ଚାଲାଣ କରିଦେବି ।

ଏତିକି କହୁ କହୁ ସୂର୍ଯ୍ୟପ୍ରତାପ ରାୟସାହେବଙ୍କୁ ସମ୍ବୋଧନ କରି କହିଲେ–ବୁଝିଲେ ରାୟସାହେବ, ଏତିକି ବଦମାସ୍, ବେଇମାନ୍, ଲୋକ ମୁଁ ଆଉ ଦୁନିଆରେ ଦେଖିନାହିଁ । ସତ କହୁଛି, ମୁଁ କେବେହେଲେ ଆପଣଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବାକୁ ଠିଆହୋଇ ନ ଥାନ୍ତି । ଏହି ବଦମାସ୍ ମୋତେ ନାନା ପ୍ରକାର ଭୁଲେଇ ବହପେଇ ମୋ’ର ଲକ୍ଷେ ଟଙ୍କା ବରବାଦ୍ କରିଦେଲା । ମୋରି ପଇସାରେ ବଙ୍ଗଳା କିଣିଲା, ଗାଡ଼ି କିଣିଲା । ଏବେ ଗୋଟାଏ ବେଶ୍ୟାକୁ ବି ରଖିଛି । ସବୁପ୍ରକାର ଧନୀ ହୋଇସାରି ଏବେ ଧପାବାଜି ଆରମ୍ଭ କରିଛି । ୟା’ର ବର୍ତ୍ତମାନ କାମ ହେଉଛି, ଆପଣା ଲୋକଙ୍କ ଆଖିରେ ଧୂଳିପକାଇ କିଛି ମାରିବା ।

ରାୟସାହେବ ତିରସ୍କାରପୂର୍ଣ୍ଣ ଦୃଷ୍ଟିରେ ଶ୍ୟାମବିହାରୀଙ୍କୁ ଅନାଇ କହିଲେ–କ’ଣ ଓକିଲ ସାହେବ, ତୁନିହୋଇ ରହିଲେ କାହିଁକି, କିଛି କହନ୍ତୁ । ରାଜାସାହେବ ପରା ଆପଣଙ୍କର ସବୁ ପାଉଣା ରଖି ନେଇଥିଲେ, ଅଧଲାଟାଏ ଦେଇ ନଥିଲେ, ୟା’ର ଜବାବ ଏବେ ଦେଉ ନାହାନ୍ତି କାହିଁକି ? ଦୟାକରି ଏଠୁ ବାହାରିଯାନ୍ତୁ, ଜୀବନରେ ଆଉ କେବେହେଲେ ଯେମିତି ଏଠି ମୁହଁ ନ ଦେଖାନ୍ତି । ମନେ ରଖିଥାନ୍ତୁ, ଦୁଇପକ୍ଷ ଭିତରେ କଳି ଲଗାଇ ପଇସା ରୋଜଗାର କରିବାଠୁ ବଳି ବେହିୟାମି ଆଉ ଦୁନିଆରେ ଆଉ କିଛି ନାହିଁ ।

ମୁହଁ ଉପରକୁ କରିବାର ଆଉ ସାହସ ନ ଥିଲା । ସେଇଠୁ ସେମିତି ମୁହଁକୁ ତଳକୁକରି ଶ୍ୟାମବିହାରୀ ଧୀରେ ଧୀରେ ପାଦପକାଇ ଚୋରଙ୍କ ପରି ବାହାରିଗଲେ ।

ସେ ଚାଲିଗଲା ପରେ ରାଜାସାହେବ ପଚାରିଲେ–ସେ ବଦମାସ୍, ମୋ’ ବିଷୟରେ କିଛି କହୁଥିଲା କି ?

‘ହଁ କହୁଥିଲା ଯେ, ମୁଁ ତାକୁ ଖୁବ୍ ଦେଇଛି ।’

‘ବଡ଼ ବଦମାସ୍ ସେଟା ।’

‘ପୂରା ବଦମାସ୍ ନା, ଟିକିଏ !’

‘ବାପ ପୁଅ, ସ୍ତ୍ରୀ ପୁରୁଷ ସମସ୍ତଙ୍କ ଭିତରେ କଳି ଲଗାଇ ଘର ଭାଙ୍ଗିବା ବିଷୟରେ ଜଣେ ବଡ଼ ଓସ୍ତାତ୍ ସେ, ହେଲେ, ପୁଅ ଆଜି ଆଚ୍ଛା କରି ପାନେ ପାଇଛି ।’

 

ତା’ପରେ ରୁଦ୍ରପାଳ କଥା ପଡ଼ିଲାମାତ୍ରେ ରାୟସାହେବଙ୍କ ପ୍ରାଣ ଶୁଖି ଆସିଲା । ସତେ ଯେମିତି କେହି ତାଙ୍କୁ ଗୁଳି ମାରିଦେବାପାଇଁ ବସିଥିଲା । ଭାରି ଲାଜମାଡ଼ିଲା, କେମିତି ସେ କହିବେ, ନିଜ ପୁଅ ଉପରେ ତାଙ୍କର ଅକତ୍ୟାର ନାହିଁ, କିଛି ବୁଦ୍ଧି ଦିଶିଲା ନାହିଁ । କିନ୍ତୁ ସୂର୍ଯ୍ୟପ୍ରତାପଙ୍କୁ ସବୁକଥା ଆଗରୁ ମାଲୁମ ହୋଇ ସାରିଥିଲା । ରାୟସାହେବଙ୍କୁ ନିଜଆଡ଼ୁ କିଛି କହିବାର ଆବଶ୍ୟକ ପଡ଼ିଲା ନାହିଁ । ବିଚରା କୌଣସିମତେ ରକ୍ଷା ପାଇଗଲେ ।

 

ରାୟସାହେବ ପଚାରିଲେ–ଆପଣ ଏ ସବୁ କଥା କିମିତି ଜାଣିଲେ ?

 

‘ରୁଦ୍ରପାଳ ଆଜି ଝିଅ ପାଖକୁ ଖଣ୍ଡେ ଚିଠି ପଠାଇଥିଲା ଯେ, ସେ ମୋତେ ଦେଖାଉଥିଲା ।’

 

‘ହଁ ଆଜିକାଲିକା ଟୋକାଙ୍କର ତ ଆଉ କିଛି ସଦ୍‍ଗୁଣ ନାହିଁ । ଖାଲି ଏହି ପ୍ରକାର ସ୍ଵେଚ୍ଛାଚାରିତା ଖୁବ୍ ଅଛି ।’

 

‘କିନ୍ତୁ ତାଙ୍କ ସ୍ଵେଚ୍ଛାଚାରୀତା ପାଇଁ ମୋ’ପାଖରେ ଖୁବ୍ ଭଲ ଔଷଧ ଅଛି । ମୁଁ ସେ ଟୋକୀକୁ ଏମିତି ଛପେଇଦେବି ଯେ, ଚାରି ପାଞ୍ଚ ଦିନରେ ସବୁ ପାଗଳାମି ଏକାବେଳକେ ବନ୍ଦ ହୋଇଯିବ । ସହି ସମ୍ଭାଳିକରି ବୁଝାଇବାରେ କିଛି ଲାଭ ନାହିଁ ।’

 

ଏକଥା ଶୁଣି ରାୟସାହେବଙ୍କର ଟିକିଏ ଆଶଙ୍କା ହେଲା । ରାଜା ସାହେବଙ୍କର ଏପରି ପ୍ରସ୍ତାବକୁ ସମର୍ଥନ କରିବାପାଇଁ ତାଙ୍କର ଇଚ୍ଛା ହେଲା ନାହିଁ । ଯଦିଓ ଦୁହିଁଙ୍କ ଭିତରେ ଆଦିମ ପଶୁ ପ୍ରବୃତ୍ତିରେ ଅଭାବ ନ ଥିଲା, ତଥାପି ରାୟସାହେବ ନିଜ ପ୍ରବୃତ୍ତିକୁ ବେଶ୍ ଲୁଚାଇ ରଖି ପାରୁଥିଲେ, କିନ୍ତୁ ସୂର୍ଯ୍ୟପ୍ରତାପଙ୍କଠାରେ ତାହା ନଗ୍ନ ଅବସ୍ଥାରେ ଥିଲା । ଏତିକିବେଳେ ନିଜର ବଡ଼ପଣ ଦେଖାଇବାକୁ ରାୟସାହେବଙ୍କୁ ଗୋଟାଏ ସୁବିଧା ମିଳିଗଲା । ସେ ଟିକିଏ ଲଜ୍ଜିତ ହେଲା ପରି କହିଲେ–ବୁଝିଲେ ରାଜାସାହେବ, ଇଏ ତ ଆଉ ଦ୍ଵାଦଶ ଶତାବ୍ଦୀ ନୁହେଁ, ବିଂଶ ଶତାବ୍ଦୀ । ଏମିତି କଲେ ରୁଦ୍ରପାଳର କି ପ୍ରକାର ପ୍ରତିକ୍ରିୟା ହେବ ଭଗବାନ ଜାଣନ୍ତି । କିନ୍ତୁ ମନୁଷ୍ୟତା ଦୃଷ୍ଟିରୁ.........

 

ରାଜାସାହେବ ରାୟସାହେବଙ୍କ ଯୁକ୍ତିକୁ ଖଣ୍ଡନ କରି କହିଲେ–ଆପଣ ଯେଉଁ ମନୁଷ୍ୟତା କଥା କହୁଛନ୍ତି, ଆପଣ କ’ଣ ଆଖି ଆଗରେ ଦେଖୁ ନାହାନ୍ତି, ଆଜି ଦୁନିଆରେ ପଶୁବଳ କେମିତି ମନୁଷ୍ୟତା ଉପରେ ବିଜୟ ହାସଲ କରି ବସିଛି । କହୁ ନାହାନ୍ତି, ରାଜ୍ୟ ରାଜ୍ୟ ଭିତରେ କାହିଁକି ଆଜି ଏତେ ଲଢ଼େଇ ହେଉଛି, ପଞ୍ଚାୟତ ଦ୍ୱାରା କାହିଁକି କାମ ହୋଇପାରୁ ନାହିଁ ? ମନେ ରଖିଥାନ୍ତୁ, ଯେତେଦିନ ପର୍ଯ୍ୟନ୍ତ ମଣିଷ ରହିଛି, ସେତେଦିନ ପର୍ଯ୍ୟନ୍ତ ତାର ପଶୁଶକ୍ତି ରହିବଇ ରହିବ ।

 

ଏମିତି ଛୋଟ ବଡ଼ କଥାରୁ ଆରମ୍ଭ ହୋଇ ଶେଷରେ ଦୁହିଁଙ୍କ ଭିତରେ କିଛି ବାଦତର୍କ ବି ହୋଇଗଲା । ରାଜା ସୂର୍ଯ୍ୟପ୍ରତାପ ବିରକ୍ତ ହୋଇ ଫେରିଗଲେ । ତହିଁଆର ଦିନ ରାୟସାହେବ ନୈନିତାଲ ଚାଲିଗଲେ । ତା’ର ଦିନକ ପରେ ରୁଦ୍ରପାଳ ସରୋଜକୁ ନେଇ ବିଲାତ ଚାଲିଗଲେ । ଏସବୁ ବିଷୟରେ ଓକିଲ ଶ୍ୟାମବିହାରୀ ରୁଦ୍ରପାଳଙ୍କର ଉପଦେଷ୍ଟା ହୋଇ ତାଙ୍କ ଭାଗ ପାଇଁ ରାୟସାହେବଙ୍କ ବିରୁଦ୍ଧରେ ମକଦ୍ଦମା ଦାଏର କରି ଦେଇଥିଲେ । ଶେଷରେ ରୁଦ୍ରପାଳଙ୍କର ଦଶ ଲକ୍ଷ ଟଙ୍କା ଡିଗ୍ରୀ ହେଲା । ଦଶଲକ୍ଷ ଟଙ୍କା ଯେତେ ବାଧିଲା ନାହିଁ, ତା’ଠୁ ବେଶି ବାଧିଲା ଅପମାନ-। ନିଜ ପୁଅ ପୁଣି ନିଜ ବାପ ନାଁରେ ମକଦ୍ଦମା କରି ଜବରଦସ୍ତି ଭାଗ ଛଡ଼େଇ ନେବାଠାରୁ ବଳି ଅପମାନ ଆଉ କ’ଣ ହୋଇପାରେ । ନିଜ ପୁଅ ପୁଣି ଦିନେ ଏମିତି ଦଗା ହେବ, ସେ କଥା କ’ଣ ସ୍ଵପ୍ନରେ କେବେ ସେ ଭାବିଥିଲେ ! ଆଜ୍ଞାକାରୀ ପୁତ୍ରର ପିତା ହେବାର ଗୌରବ ସତେ ଯେମିତି ଜବରଦସ୍ତି କେହି ତାଙ୍କଠୁ ଛଡ଼ାଇ ନେଇଗଲା ।

 

ଏତିକିରେ ବି ରାୟସାହେବଙ୍କ ଦୁଃଖ ସରିଲା ନାହିଁ । ଝିଅଜୁଆଇଁ ଦୁହିଁଙ୍କ ବିଚ୍ଛେଦରେ ଜାଣି ସେ ଦୁଃଖ–ପାତ୍ର ପୂର୍ଣ୍ଣ ହେବାପାଇଁ ବାକି ଥିଲା । ସାଧାରଣତଃ ହିନ୍ଦୁଝିଅମାନେ ଯେମିତି ଆପଣା ବାହାଘର ବିଷୟରେ ପାଟି ଫିଟାନ୍ତି ନାହିଁ, ମିନାକ୍ଷୀ ବି ସେମିତି ପାଟି ଫିଟାଇ ନ ଥିଲେ । ଦିଗ୍‍ବିଜୟ ସିଂହଙ୍କ ସାଙ୍ଗରେ ବାହାଘର ହୋଇଗଲା । କିନ୍ତୁ ସ୍ଵାମୀ ସ୍ତ୍ରୀ, ଦୁହିଁଙ୍କ ଭିତରେ ପ୍ରେମ ବୋଲି କୌଣସି ଜିନିଷ ନ ଥିଲା । ଦିଗବିଜୟ ସିଂହ ଯେମିତି ବିଳାସୀ, ସେମିତି ମଦୁଆ । ମିନାକ୍ଷୀ କେବଳ ବହି ଏବଂ ଖବର କାଗଜ ପଢ଼ି କୌଣସିମତେ ମନକୁ ଭୁଲେଇ ରଖିଥିଲେ । ଦିଗବିଜୟ ସିଂହଙ୍କର ବୟସ ମୋଟେ ତିରିଶି ଥିଲା । ଲେଖାପଢ଼ା ବି ଖୁବ୍ ଭଲ ଥିଲା । କିନ୍ତୁ ଆପଣା ବଂଶ ଗୁଣ ଗାଇବାରେ ସେ ଯେମିତି ବାହାପିଆ, ସେମିତି ନିର୍ଦ୍ଦୟ, ଟଙ୍କା ପଇସାରେ ସେମିତି କୃପଣ । ଗାଁର ଛୋଟ ଜାତିର ଝିଅ ବୋହୁଙ୍କ ସଙ୍ଗେ ତାଙ୍କର କାରବାର । ସବୁବେଳେ ଖୁସାମତିଆସବୁ ତାଙ୍କୁ ଘେରି ବସିଥାନ୍ତି । ଏସବୁ କାଣ୍ଡ କାରଖାନା ମିନାକ୍ଷୀଙ୍କ ଆଖିରେ ମୋଟେ ଯାଉ ନ ଥିଲା ବିଶେଷତଃ ଖବରକାଗଜରୁ ନାରୀ ସ୍ଵାଧୀନତା କଥା ପଢ଼ି ଦିନକୁଦିନ ତାଙ୍କର ଆଖି ଫିଟି ଯାଉଥିଲା-। ତା’ପରେ ସେ ଆସ୍ତେ ଆସ୍ତେ ମହିଳା ସମିତିକୁ ଯିବାଆସିବା କଲେ । ସେଠିକୁ ଖୁବ୍ ବଡ଼ବଡ଼ଘର ଝିଅବୋହୂ ସବୁ ଆସୁଥିଲେ; ଭୋଟ, ସ୍ଵାଧୀନତା, ନାରୀ ଜାଗରଣ ପ୍ରଭୃତି ପୃଥିବୀଯାକର କଥା ପଡ଼ୁଥିଲା । ମନେ ହେଉଥିଲା ସତେ ଯେମିତି ପୁରୁଷଙ୍କ ବିରୁଦ୍ଧରେ କୌଣସି ଗୋଟାଏ ଷଡ଼ଯନ୍ତ୍ର ଚାଲିଥିଲା, ସମିତିର ମେମ୍ବରମାନଙ୍କ ମଧ୍ୟରୁ ଅନେକଙ୍କର ସେମାନଙ୍କ ସ୍ଵାମୀମାନଙ୍କ ସାଙ୍ଗରେ ପଟୁ ନଥିଲା । ନୂତନ ଶିକ୍ଷାର ନବୀନ ଆଲୋକ ପାଇ, ସେମାନେ ସବୁ ପୁରୁଣା ଆଇନ କାନୁନ୍ ଭାଙ୍ଗିଦେବାପାଇଁ ବସିଥିଲେ । ଆଉ କେତେକ ମେମ୍ବର ଭାବୁଥିଲେ ଯେ ନାରୀର ବ୍ୟକ୍ତିଗତ ସ୍ଵାଧୀନତା ପଥରେ ବିବାହ ଏକ ବିରାଟ ପ୍ରତିବନ୍ଧକ । ସେମାନଙ୍କ ଭିତରେ ମିସ୍ ସୁଲତାନା ବୋଲି ଜଣେ ବାରିଷ୍ଟର ଥିଲେ । ସେ ବିଲାତରୁ ବାରିଷ୍ଟରି ପଢ଼ିକରି ଆସିଥିଲେ । ସ୍ତ୍ରୀମାନଙ୍କୁ ପୁରୁଷମାନଙ୍କ ବିରୁଦ୍ଧରେ ଆଇନକାନୁନ୍ ବତାଇ ପଇସା ରୋଜଗାର କରିବା ଏକପ୍ରକାର ତାଙ୍କର ବ୍ୟବସାୟ ଥିଲା । ତାଙ୍କର ଶିକ୍ଷାରେ ପଡ଼ି ମିନାକ୍ଷୀ ନିଜ ସ୍ଵାମୀ ଉପରେ ଖୋରାକପୋଷାକ ଦାବି କଲେ । ଅବଶ୍ୟ ମିନାକ୍ଷୀଙ୍କର ଖୋରାକ ପୋଷାକରେ କୌଣସି ଆବଶ୍ୟକତା ନଥିଲା । କାରଣ ସେ ସିଧା ବାପଘରକୁ ଫେରିଯାଇବି ଆରାମରେ ରହି ପାରିଥାନ୍ତେ-। କିନ୍ତୁ ଦିଗ୍‍ବିଜୟ ସିଂହଙ୍କ ମୁହଁରେ କାଳି ବୋଳିଦେଇ ଯିବାପାଇଁ ମନେ ମନେ ସେ ଠିକ୍ କରିଥିଲେ । ମିନାକ୍ଷୀ ଯେମିତି ମକଦ୍ଦମା ଆରମ୍ଭ କଲେ ଦିଗବିଜୟ ସିଂହ ସେମିତି ତାଙ୍କ ଚରିତ୍ର ନେଇ ଆଉ ଏକ ମକଦ୍ଦମା ଆରମ୍ଭ କରିଦେଲେ । ଝିଅଜୁଆଇଁକୁ ମିଳାଇ ଦେବାପାଇଁ ରାୟସାହେବ ଯେତେ ଚେଷ୍ଟା କଲେ ବି କିଛି ହୋଇପାରିଲା ନାହିଁ, କାରଣ ମିନାକ୍ଷୀ ଆଉ ଦିଗବିଜୟ ସିଂହଙ୍କ ମୁହଁ ଚାହିଁବେ ନାହିଁ ବୋଲି ଠିକ୍ କରିଥିଲେ । ଯଦିଓ ଦିଗ୍‍ବିଜୟଙ୍କ ମକଦ୍ଦମା ଖାରଜ ହୋଇଗଲା ଏବଂ ଖୋରାକପୋଷାକ ଦେବାପାଇଁ ସେ ବାଧ୍ୟ ହେଲେ, ତଥାପି ମିନାକ୍ଷୀଙ୍କ ମନରୁ ଅପମାନଟା ଆଉ ଲିଭିଲା ନାହିଁ । ସେ ଏକ ସ୍ଵତନ୍ତ୍ର ବଙ୍ଗଳାରେ ରହି ସମାଜବାଦୀ ଆନ୍ଦୋଳନରେ ଭାଗ ନେଲେ । ଅପମାନର ତୀବ୍ରତା କିନ୍ତୁ ମନରୁ କେବେ ପାଶୋର ଗଲା ନାହିଁ-

 

ଦିନେ ହଠାତ୍ ମିନାକ୍ଷୀଙ୍କ ମନରେ ଏମିତି ରାଗ ଆସି ପହଞ୍ଚିଗଲା ଯେ, ସେ ଏକ ଚାବୁକ ଧରି ଯାଇ ଦିଗବିଜୟଙ୍କ ଆଖଡ଼ା ଘରେ ପହଞ୍ଚିଗଲେ । ସେଠି ଖୁସାମତିଆସବୁ ଘେରି ବସିଥିଲେ, ବେଶ୍ୟାନାଚ ଚାଲିଥିଲା । ମିନାକ୍ଷୀ ରଣଚଣ୍ଡୀ ପରି ପହଞ୍ଚିଯାଇଁ ଖୁସାମତିଆଙ୍କ ପିଠିରେ ଯେମିତି ଚାରି ଚାରି କୋରଡ଼ା ବସେଇ ଦେଇଛନ୍ତି, ସେମିତି କିଏ କୁଆଡ଼େ ଯେ ଭାଗିଲେ, ତା’ର କିଛି ଟେର ମିଳିଲା ନାହିଁ । ତା’ପରେ ସେ ଦିଗବିଜୟ ସିଂହଙ୍କୁ କୋରଡ଼ାରେ ପିଟି ପିଟି ଭୂଇଁରେ ଗଡ଼େଇଦେଲେ । ଯେତେବେଳେ ବେଶ୍ୟାର ପାଳି ଆସିଲା ସେ ବିଚାରୀ ଲମ୍ବଦଣ୍ଡା ହୋଇ ଗୋଡ଼ତଳେ ପଡ଼ିଯାଇ କାକୁତିମିନତି କରି କହିଲା–ବୋହୂ ସା’ନ୍ତାଣୀ, ଏଥରଟା ମୋର ଜୀବନ ରଖନ୍ତୁ । ମୋର କିଛି ଦୋଷ ନାହିଁ, ମୁଁ ନିୟମ କରୁଛି, ଆଉ କେବେ ହେଲେ ଏଠିକି ଆସିବି ନାହିଁ ।

 

ମିନାକ୍ଷୀ ଘୃଣାପୂର୍ଣ୍ଣ ଦୃଷ୍ଟିରେ ତାକୁ ଚାହିଁ କହିଲେ—ଆଚ୍ଛା ତୁ ନିର୍ଦ୍ଦୋଷ, ଯା’ ଏଠୁ ଶୀଘ୍ର ପଳା । ତୁ ଜାଣୁ ତ ମୁଁ କିଏ ସେ । ଆଉ ଯେମିତି ଏଠିକି ନ ଆସୁ । ପ୍ରକୃତରେ ତୋର କିଛି ଦୋଷ ନାହିଁ । ନାରୀ ତ ଏ ପର୍ଯ୍ୟନ୍ତ ପୁରୁଷର ଭୋଗବିଳାସର ବସ୍ତୁ ହୋଇ ରହିଛି, ଆଉ ଉପାୟ କ’ଣ ?

 

ବେଶ୍ୟା ତାଙ୍କ ପାଦତଳେ ମୁଣ୍ଡରଖି କାନ୍ଦ କାନ୍ଦ ହୋଇ କହିଲା–ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । ମୁଁ ଆପଣଙ୍କ କଥା ଯାହା ଶୁଣିଥିଲି ଆଜି ଆଖିରେ ବି ସେୟା ଦେଖିଲି ।

 

‘ଭଗବାନ ମୋର ମଙ୍ଗଳ କଲେ ତୋର କ’ଣ ହେବ ?’

 

‘ମହାରାଣୀ ଯାହା ବୁଝୁଛନ୍ତି, ଆଉ ଅଧିକ କ’ଣ କହିବି ।’

 

‘ନାହିଁ, ତୁ କହ ତୋର କ’ଣ ହେବ ।’

 

ମାଡ଼ରୁ ପ୍ରାଣ ବଞ୍ଚେଇ ଚାଲି ଯାଇଥିଲେ କାମ ଛିଣ୍ଡିଥାନ୍ତା, ଏବେ କଥାବାର୍ତ୍ତାରେ କ’ଣ ଲାଭ ଥିଲା । କାହିଁକି ସେ ଏତେ କଥା କହନ୍ତା, ପୁଣି ଏତେ ଅଡ଼ୁଆରେ ପଶନ୍ତା । ଶେଷରେ ଡରି ଡରି ବିଚାରୀ କହିଲା–ହଜୁରଙ୍କର ବଡ଼ତିରୁ ବଡ଼ତି ହେଉ, ନାମ ଫେରୁ ।

 

‘ମିନାକ୍ଷୀ ମୁରୁକି ହସା ଦେଇ କହିଲେ–ଆଚ୍ଛା ହଉ ଯା’ ।

 

ସାଙ୍ଗେ ସାଙ୍ଗେ ମିନାକ୍ଷୀ ମଟର ଧରି ଜିଲା ହାକିମଙ୍କ ପାଖକୁ ଯାଇ ସବୁ ଖବର ଦେଇସାରି ଘରକୁ ଫେରି ଆସିଲେ । ସେହିଦିନୁ ସ୍ତ୍ରୀ ପୁରୁଷ ଦୁହିଁକିଦୁହେଁ ରକ୍ତଚାଉଳ ଚୋବାଉଥାନ୍ତି, ସୁବିଧା ପାଇଲେ ଆଚ୍ଛା କରି ଦେଖି ନିଅନ୍ତେ । ଦିଗବିଜୟ ସିଂହ ବରାବର ଓର ଉଣ୍ଡି ରହିଥାନ୍ତି । ସୁବିଧା ପାଇଲେ ରିଭଲଭର ଚଳାଇ ମିନାକ୍ଷୀକୁ ସେଇଠି ଶୁଆଇ ଦିଅନ୍ତେ । ମିନାକ୍ଷୀ ବି ସେଥିପାଇଁ ଦି’ଜଣ ପହିଲିମାନଙ୍କୁ ଘର ଜଗେଇଥାନ୍ତି । ଯୁଆଡ଼େ ବାହାରିଲେ ଦି’ଜଣଙ୍କୁ ସାଙ୍ଗରେ ଧରି ବାହାରନ୍ତି । ତେଣେ ରାୟସାହେବ ମନେମନେ ସୁଖର ଯେଉଁ ସ୍ଵର୍ଗ–କଳ୍ପନା କରିଥିଲେ ଦିନକୁଦିନ ସେ ଭାଙ୍ଗି ପଡ଼ିବାର ଦେଖି ଜୀବନ ତାଙ୍କର ପ୍ରତି ମୁହୂର୍ତ୍ତରେ ବିକଳ ହୋଇ ଉଠିଲା । ଜୀବନର ସମସ୍ତ ଆଶା ଆକର୍ଷଣ ନଷ୍ଟ ହୋଇ ଯିବା ଫଳରେ ଆତ୍ମା ତାଙ୍କର ଦିନକୁଦିନ ଅନ୍ତର୍ମୁଖୀ ହୋଇପଡ଼ିଲା । ବାହ୍ୟ ଆକର୍ଷଣରୁ ମନ ଛିଣ୍ଡିପଡ଼ିଲେ ଭକ୍ତି ଆଡ଼କୁ ସାଧାରଣତଃ ମଣିଷ ଯେମିତି ଚଳିଥାଏ, ରାୟସାହେବଙ୍କର ଠିକ୍ ସେହି ଦଶା ହୋଇଥିଲା । ଯେଉଁ ନୂଆ ସମ୍ପତ୍ତିରୁ କରଜ ସୁଝି ଦେବେବୋଲି ସେ ବିଚାର କରିଥିଲେ, କରଜ ସୁଝା ନ ହେଉଣୁ ସେ ସମ୍ପତ୍ତି ହାତରୁ ଖସିଗଲା । କରଜ ଯେମିତି କି ସେମିତି ରହିଗଲା । ମନ୍ତ୍ରୀ ହେବାରୁ ଯେଉଁ ପଇସା ମିଳୁଥିଲା, ସେ ସେମିତି ଆପଣା ସମ୍ମାନ ଅନୁଯାୟୀ ଦାନପୁଣ୍ୟ ତଥା ଭୋଜିଭାତରେ ଉଡ଼ି ଯାଇଥିଲା । ତହିଁକି ରାଜାରାଜୁଡ଼ାଙ୍କ ଆଡ଼ମ୍ବର ନେଇ ରହିଲାବେଳକୁ ପଇସା ମୋଟେ ଅଣ୍ଟୁ ନ ଥିଲା । ସେଥିପାଇଁ ଇଚ୍ଛା ବିରୁଦ୍ଧରେ ବି ତାଙ୍କୁ ପ୍ରଜାଙ୍କ ଉପରେ ଅତ୍ୟାଚାର କରିବାକୁ ପଡ଼ୁଥିଲା; ଲଗାଣ, ମାଗଣ, କୋରଖି, ଜୋରିମନା ସବୁପ୍ରକାର ଅତ୍ୟାଚାର କରିବା ଦରକାର ହେଉଥିଲା । ଫଳରେ ନିଜପ୍ରତି ନିଜ ମନରେ ଏକ ପ୍ରକାର ଘୃଣା ଆସି ଯାଇଥିଲା । ଅସଲ କଥା ହେଉଛି, ଏ ପ୍ରକାର ଭକ୍ତି ଆଉ ପୂଜାପାଠରେ ବିଚାରାଙ୍କୁ କୌଣସି ପ୍ରକାର ଶାନ୍ତି ମିଳୁ ନ ଥିଲା । ସେ ମୋହମାୟାକୁ ଯେତିକି ଛାଡ଼ିବାକୁ ଚେଷ୍ଟା କରୁଥିଲେ, ମୋହମାୟା ସେତିକି ତାଙ୍କ ପଛରେ ଲାଗି ରହିଥିଲା । ଏହି ପ୍ରକାର ଟଣାଓଟରା ଭିତରେ, ଅପମାନ, ଅଶାନ୍ତି ତଥା ଅଭାବରୁ ମୁହୂର୍ତ୍ତଟାଏ ହେଲେ ମୁକ୍ତି ମିଳୁ ନ ଥିଲା । ମନରେ ଶାନ୍ତି ନ ଥିଲେ ଦେହ ବା ସୁସ୍ଥ ରହନ୍ତା କୁଆଡ଼ୁ ? ଯେତେ ଉପାୟ କଲେ ବି କିଛି ନା କିଛି ଗୋଟାଏ ସବୁବେଳେ ଲାଗି ରହିଲା । ଘରେ ବଢ଼ିଆ ଖାନା ରନ୍ଧା ହେଉଥିଲେ ବି ରୁଟୀ ଆଉ ମୁଗ ଡାଲି ଛଡ଼ା ଅନ୍ୟ କିଛି ତାଙ୍କୁ ଦିଆଯାଉ ନ ଥିଲା । ଆପଣା ଶ୍ରେଣୀର ଭାଇବନ୍ଧୁ ଭୋଗବିଳାସରେ ମାତିଥିବାର ଦେଖି ତାଙ୍କୁ ଯେତିକି ଦୁଃଖ ସେତିକି ଅପମାନ ବି ଲାଗୁଥିଲା । ଏତେ ଦୁଃଖ କଷ୍ଟରେ ବି ତାଙ୍କ ମନରୁ ଉଚ୍ଚ ସଂସ୍କାର କେବେ ଲିଭିଯାଇ ନ ଥିଲା । ପ୍ରଜାଙ୍କ ଉପରେ ଜୁଲମ ଅତ୍ୟାଚାର କରିବାକୁ କେବେ ସେ ଜମିଦାରଙ୍କ ବଡ଼ିମା ବୋଲି ଭାବୁ ନ ଥିଲେ । ବରଂ ସେଥିପାଇଁ ସବୁବେଳେ ତାଙ୍କ ମନରେ ଦୁଃଖ ଥିଲା । ଜୀବନ ନିକଟରେ ଏକପ୍ରକାର ସେ ହାର ମାନି ଯାଇଥିଲେ କହିଲେ ଚଳେ ।

Image

 

ଦ୍ୱାତ୍ରିଂଶ ପରିଚ୍ଛେଦ

 

ମିର୍ଜା ସାହେବ ଚୁପ୍ ହୋଇ ବସି ରହିବା ଲୋକ ନୁହନ୍ତି । ଡାକ୍ତରଖାନାରୁ ଯେମିତି ଛୁଟୀ ପାଇଛନ୍ତି, ସେମିତି ଗୋଟାଏ ନୂଆ କାମରେ ଲାଗିଗଲେ । କାମ ହେଉଛି, ସହରରେ ବେଶ୍ୟାମାନଙ୍କୁ ଏକାଠି କରି ଏକ ନାଟକମଣ୍ଡଳି ଗଢ଼ିବା । ଯୌବନ ସମୟରେ ତ ବିଳାସର ସୀମା ନ ଥିଲା, କେତେଥର ଯେ ଡାକ୍ତରଖାନାରେ ପଡ଼ି ଅକୁହା ଘା ଘଉଡ଼କୁ ଲୁଚେଇ ଚପେଇ ଭଲ ହୋଇଛନ୍ତି ଠିକଣା ନାହିଁ । ସେହି କଥା ସବୁ ଆଜି ମନେପକାଇ ବେଶ୍ୟାମାନଙ୍କର ଉଦ୍ଧାର ପାଇଁ ବୋଧହୁଏ ବାହାରି ପଡ଼ିଥିଲେ । ଯେତେବେଳେ ହାତରେ ଧନ ସମ୍ପତ୍ତି ଥିଲା, ସେତେବେଳେ ପର ଉପକାର କରିବାକୁ ଇଚ୍ଛା କରିଥିଲେ, କେତେ କାମ କରିପାରିଥାନ୍ତେ କିନ୍ତୁ କ’ଣ କରାଯିବ । ମଣିଷର ତ ଦୁର୍ଭାଗ୍ୟ ହେଉଛି, ସେ ସବୁ ଭୁଲ କରିସାରିଲା ପରେ ଶେଷକାଳକୁ ତା’ର ଚେତା ଆସେ । ପିଲାଦିନ କଥା ଭାବି ବୁଢ଼ାକାଳେ ପସ୍ତେଇ ନ ହେବା ଲୋକ କେଇଜଣ ଦୁନିଆରେ ଅଛନ୍ତି । ମଣିଷ ଯଦି ବୟସବେଳେ ସବୁ ସମ୍ପତ୍ତି, ସବୁ ଶକ୍ତି ଭଲ କାମରେ ଲଗେଇ ଦିଅନ୍ତା, ତେବେ ବୁଢ଼ାକାଳକୁ ମନରେ କେତେ ଶାନ୍ତି କେତେ ଆନନ୍ଦ ନ ହୁଅନ୍ତା ସତେ ! ମିର୍ଜା ସାହେବଙ୍କ ମନେ ମନେ ଭାରି ଦୁଃଖ ହେଲା, ଦୁନିଆରେ ତାଙ୍କର ନିଜର ବୋଲି ଏବେ କେହି ନ ଥିଲେ । ସେ ମରିଗଲେ ବି ତାଙ୍କ ପାଇଁ ଲୁହ ଟୋପାଏ ଗଡ଼ାଇବା ପାଇଁ କେହି ନ ଥିଲେ । ବେଳେବେଳେ ଅତୀତର ସବୁ କଥା ଗୋଟି ଗୋଟି ହୋଇ ତାଙ୍କର ମନେ ପଡ଼ି ଯାଉଥିଲା । ଥରେ ସେ ମଫସଲ ଗାଁରେ କାମ୍ପ୍ କରିଥିଲାବେଳେ, ତାଙ୍କୁ ଭାରି ମେଲେରିଆ ହୋଇଥିଲା । ସେତେବେଳେ ଜଣେ ଗାଉଁଲୀ ଝିଅ ତାଙ୍କର ସବୁ ପ୍ରକାର ସେବା ଶୁଶ୍ରୂଷା କରି ତାଙ୍କୁ ବଞ୍ଚେଇ ନେଲା । କିନ୍ତୁ ସେ ସମସ୍ତ ସ୍ନେହ ମମତା ଓ ସେବାପାଇଁ ମିର୍ଜାସାହେବ ତାଙ୍କୁ ଯେତେବେଳେ କେତେ ଟଙ୍କା ଓ କିଛି ଅଳଙ୍କାର ଦେଲେ ସେତେବେଳେ ସେ ମୁହଁକୁ ତଳକୁ ପୋତି ଲୁହ ପୋଛି ପୋଛି ମନା କରିଦେଲା । ନର୍ସମାନଙ୍କ ସେବାରେ ନିୟମ ଥାଇପାରେ, ସାଧୁତା ଥାଇପାରେ, ମାତ୍ର ସେଥିରେ ସେହି ଗାଁ ଝିଅର ସରଳ ସ୍ନେହ ମମତା ନଥାଏ । ଅଳ୍ପ ଦିନରେ ମିର୍ଜା ସାହେବ ସେହି ସରଳା ବାଳିକାର ପ୍ରେମମୂର୍ତ୍ତି କୁଆଡ଼େ ପାଶୋରି ଦେଇଥିଲେ । ପୁଣି ତା’ ନିକଟକୁ ଫେରିଯିବାପାଇଁ କଥା ଦେଇ ମଧ୍ୟ ଆଉ କେବେ ଫେରି ନ ଥିଲେ; କିମ୍ବା ଉନ୍ମତ୍ତ ଭୋଗବିଳାସ ଭିତରେ ତାକୁ କେବେହେଲେ ମୁହୂର୍ତ୍ତକ ପାଇଁ ମନେ ପକାଇ ନ ଥିଲେ । କେତେବେଳେ କେମିତି ମନେ ପଡ଼ୁଥିଲେ ବି ସେଥିରେ ପ୍ରେମ ନ ଥାଇ ବରଂ ଦୟା ଥିଲା । ଭଗବାନ ଜାଣନ୍ତି, ସେ କୁଆଡ଼େ ଗଲା-। କିନ୍ତୁ ଏବେ ତା’ର ଶାନ୍ତ, କାନ୍ତ ବିନମ୍ର ଭାବ ଗୋଟି ଗୋଟି ହୋଇ ମିର୍ଜା ସାହେବଙ୍କ ଆଖିଆଗରେ ଭାସି ଯାଉଥିଲା । ଯଦି ସେତେବେଳେ ତାକୁ ସେ ବାହା ହୋଇଥାନ୍ତେ, ତେବେ ଜୀବନ ଆଜି ଆଉ ଏତେ ନୀରସ ହୋଇଥାନ୍ତା କାହିଁକି ? ଉଛୁଳା ନଈର ଗୋଳିଆ ପାଣିର ଫେଣରେ ସିନା ସୂର୍ଯ୍ୟାଲୋକ ଛପିଯାଏ, କିନ୍ତୁ ଧାର ଯେତେବେଳେ ସ୍ଥିର ଆଉ ନିର୍ମଳ ହୋଇଯାଏ ସେତେବେଳେ ସେହି ଆଲୋକ ପୁଣି ଝଲସି ଉଠେ ।

ବସନ୍ତ ଋତୁର ଏକ ଶୀତଳ ସଂଧ୍ୟା । ମିର୍ଜା ସାହେବ ନିଜ ବାରଣ୍ଡାରେ ବସି ବେଶ୍ୟାମାନଙ୍କ ସାଙ୍ଗରେ ଗପ କରୁଛନ୍ତି, ଠିକ୍ ଏହି ସମୟରେ ମେହେତା ସାହେବ ଆସି ପହଞ୍ଚିଗଲେ । ମିର୍ଜା ସାହେବ ବଡ଼ ଫୁର୍ତ୍ତିରେ ତାଙ୍କ ସଙ୍ଗେ ହାତ ମିଳାଇ ଦେଇ କହିଲେ–ଆପଣଙ୍କ ସମ୍ମାନପାଇଁ ତ ସବୁ ଜିନିଷ ଯୋଗାଡ଼ କରି ମୁଁ ଅନେଇ ବସିଛି ।

ବେଶ୍ୟା ଦୁହେଁ ହସିଦେଲେ । ମେହେତାଙ୍କୁ ଟିକିଏ ଭାରି ଲାଜ ମାଡ଼ିଲା ।

ମିର୍ଜା ସାହେବ ସେହି ବେଶ୍ୟା ଦୁହିଁଙ୍କୁ ସେଠୁ ଚାଲିଯିବାପାଇଁ ଠାରି ଦେଇ ଓ ମେହେତାଙ୍କୁ ଯଥା ସ୍ଥାନରେ ବସାଇ ଦେଇ କହିଲେ–ମୁଁ ତ ଏଇ ବର୍ତ୍ତମାନ ଆପଣଙ୍କ ପାଖକୁ ଯିବାପାଇଁ ବାହାରୁଥିଲି । ମୋର ଧାରଣା, ମୁଁ ବର୍ତ୍ତମାନ ଯେଉଁ କାମରେ ହାତ ଦେଇଛି ଆପଣଙ୍କ ସାହାଯ୍ୟ ବ୍ୟତୀତ ତାହା ସଫଳ ହୋଇପାରିବ ନାହିଁ । ଆପଣ ଖାଲି ମୋ ପିଠିରେ ଟିକିଏ ହାତ ପକାଇ ଦେଲେ, ତେଣିକି ମୁଁ ଆଉସବୁ କରିନେବି ।

ମେହେତା ଟିକିଏ ହସିଦେଇ କହିଲେ–ଆପଣଙ୍କ ପରି ଲୋକଙ୍କ କାମରେ ମୋ ଭଳିଆ ପୁସ୍ତକ କୀଟ କ’ଣ ସାହାଯ୍ୟ କରି ପାରିବ ? ଆପଣ ମୋଠୁ ବୟସରେ ବଡ଼, ବିଷୟ ଅନୁଭୂତିରେ ବଡ଼, ଦୁନିଆରେ ବହୁତ କଥା ଆପଣ ଅଙ୍ଗେ ଲିଭାଇ ସାରିଲେଣି । ଆପଣ ଛୋଟଠୁ ବଡ଼ ସମସ୍ତଙ୍କୁ ଯେମିତି ଆପଣାର କରି ପାରନ୍ତି, ମୋର ଯଦି ସେମିତି ଶକ୍ତି ଥାଆନ୍ତା ତେବେ ମୁଁ ଦୁନିଆରେ ଅନେକ କିଛି କରି ସାରନ୍ତିଣି ।

ମିର୍ଜାସାହେବ ମେହେତାଙ୍କ ଆଗରେ ତାଙ୍କ ସ୍କିମ୍ ବଖାଣି ବସିଲେ, କହିଲେ–ଅଧିକାଂଶ ସ୍ତ୍ରୀଲୋକ ସମ୍ଭବତଃ ଦୁଇଟି କାରଣରୁ ବେଶ୍ୟାବୃତ୍ତି କରିବାପାଇଁ ବାଧ୍ୟ ହେଉଛନ୍ତି । ଏକେ ତ ଯେଉଁମାନଙ୍କୁ ନିଜ ପରିବାରରେ ଉପଯୁକ୍ତ ଆଶ୍ରୟ ମିଳୁନାହିଁ, କିମ୍ବା ଯେଉଁମାନଙ୍କର ବଞ୍ଚିବାର ଅନ୍ୟ କିଛି ଉପାୟ ନାହିଁ । ଯଦି ଆମେ ଏହି ଦୁଇଟି ସମସ୍ୟାର ଉପଯୁକ୍ତ ସମାଧାନ କରିଦେଇ ପାରିବା, ତେବେ ଲୋକେ ଏସବୁ କାମ କରିବାରୁ ରହିତ ହେବେ ।

ଅନ୍ୟ ବୁଦ୍ଧିମାନ ଲୋକଙ୍କ ପରି ମେହେତା ଏ ସମ୍ପର୍କରେ ଅନେକ ବାର ଭାବି ସ୍ଥିର କରିଥିଲେ ଯେ, ମନର ସଂସ୍କାର ଓ ଯୌନଲାଳସାର ପ୍ରାଦୁର୍ଭାବହିଁ ଏହି ପ୍ରକାର ଦୁର୍ଗତିର କାରଣ । ଦୁଇ ବନ୍ଧୁଙ୍କ ଭିତରେ ଖୁବ୍ ବାଦତର୍କ ଚାଲିଲା, ଦୁହେଁ ଦୁହିଁଙ୍କ ପକ୍ଷରେ ଖୁବ୍ ଲଢ଼ିଲେ ।

ମିର୍ଜା ସାହେବ ନିଶକୁ ଠିଆ ଠିଆ କରି କହିଲେ–ଆପଣ ଯାହା କହନ୍ତୁ ଏହା କେବଳ ହେଉଛି ଅଭାବର ଫଳ । ଅବଶ୍ୟ କାହାର ଅଭାବ କେମିତିଆ ସେ ସ୍ଵତନ୍ତ୍ର କଥା । ଗରିବ ଲୋକର ଭାତ ଡାଲିର ଅଭାବ, ଓକିଲଙ୍କର ମଟରଗାଡ଼ି ତଥା ଚାକରବାକରଙ୍କ ଅଭାବ । ତା’ଛଡ଼ା ଗରିବ ହେଉପଛେ ଲୋକ ତ କେବଳ ଭାତ ମୁଠାକୁ ଅନାଇ ବସି ନଥାଏ, ତାର ତ ପୁଣି ଆହୁରି କେତେ ରକମର ଅଭାବ ଥାଏ । ସେହିପରି ସ୍ତ୍ରୀମାନଙ୍କ କଥା ଭାବିଲେ ସେମାନଙ୍କର ବି କେତେପ୍ରକାର ଅଭାବ ରହିଛି । ଅଭାବ ହେଲେ ନାନାପ୍ରକାର କଥା ଲୋକେ କହନ୍ତି, ସେଥିରେ ଅବା ସ୍ତ୍ରୀଲୋକମାନଙ୍କର ଦୋଷ କ’ଣ ?

 

ମେହେତା ଯଦି ଟିକିଏ ସ୍ଥିର ମନରେ କଥାଟାକୁ ବୁଝି ନେଇଥାନ୍ତେ, ତେବେ ଦେଖିଥାନ୍ତେ ତାଙ୍କ କଥା ଆଉ ମିର୍ଜାଙ୍କ କଥା ଭିତରେ କୌଣସି ଅନ୍ତର ନାହିଁ, କେବଳ ଶବ୍ଦରେ ଯାହା ଭିନ୍ନତା ଅଛି ମାତ୍ର । କିନ୍ତୁ କଳିକଜିଆ ଯୁକ୍ତିତର୍କ ସମୟରେ ଧୀରସ୍ଥିର ଭାବରେ କିଛି ବୁଝିବା କଷ୍ଟକର । ସେଥିପାଇଁ ମେହେତା ସାହେବ ଟିକିଏ ଗରମ ହୋଇଯାଇ କହିଲେ–କ୍ଷମା କରିବେ ମିର୍ଜା ସାହେବ, ଏ ଦୁନିଆରେ ଯେତେଦିନ ଯାଏ ଧନୀଲୋକ ଥିବେ, ସେତେଦିନ ପର୍ଯ୍ୟନ୍ତ ବେଶ୍ୟା ବରାବର ରହିଥିବେ । ଯଦି ଆପଣଙ୍କ କହିବା ଅନୁସାରେ ବେଶ୍ୟାମାନଙ୍କର ଏହି ନାଟ୍ୟମଣ୍ଡଳୀ କୌଣସିମତେ ରହିଯାଏ–ମୋ’ର ତ ସନ୍ଦେହ ହେଉଛି ଏହା କେଭେହେଲେ ରହି ପାରିବ ନାହିଁ–ରହିଲେ ବି ସେଥିରେ କେତେଜଣ ଅବା ରହିବେ ! ଖୁବ୍ ହେଲେ ଦଶ ବାରଜଣ ରହିବେ । ତା’ଛଡ଼ା ନାଟ କରିବା କ’ଣ ସମସ୍ତଙ୍କ ହାତରେ ହୋଇପାରିବ, ଯଦି ବା ଆପଣଙ୍କର ନାଟକମଣ୍ଡଳୀ କୌଣସିମତେ ରହିଗଲା, ତେବେ କ’ଣ ସେତିକିରେ ବେଶ୍ୟା ବଂଶ ଲୋପ ହୋଇଯିବ ? ବଜାରରେ ଏମାନଙ୍କର ଜାଗା ଖାଲି ରହିଯିବ ? କେଭେ ନୁହେଁ, ଏମାନେ ଚାଲିଗଲେ ପୁଣି ଏମାନଙ୍କର ଜାଗାରେ ଆଉ ସ୍ତ୍ରୀଲୋକ ଆସିଯିବେ । ଯେ ପର୍ଯ୍ୟନ୍ତ ମୂଳ ଉପୁଡ଼ା ନ ହୋଇଛି ସେ ପର୍ଯ୍ୟନ୍ତ କେବଳ ଡାଳରୁ ପତ୍ର ଛିଣ୍ଡାଇ ଲାଭ କ’ଣ ? ଧନୀଲୋକମାନଙ୍କ ଭିତରେ ଅବଶ୍ୟ ଏମିତି ଲୋକ ଅଛନ୍ତି ଯେଉଁମାନେ ସବୁ ସମ୍ପତ୍ତି ଛାଡ଼ି ଭଗବାନଙ୍କ ଚିନ୍ତାରେ ଦିନରାତି ଲାଗିଛନ୍ତି । ମାତ୍ର ସେମିତି ଧନୀଲୋକ ଦୁନିଆରେ କେତେଜଣ ? ଧନର ଆତ୍ୟାଚାରରୁ ଦୁନିଆ ଆଜି ଏତେଟିକେ ବି ମୁକ୍ତି ପାଇପାରି ନାହିଁ ।

 

ମେହେତାଙ୍କ ଜିଦଦେଖି ମିର୍ଜା ସାହେବଙ୍କୁ ଭାରି ଖରାପ ଲାଗିଲା । ମେହେତାଙ୍କ ପରି ଶିକ୍ଷିତ, ବୁଦ୍ଧିମାନ, ବିଚାରବନ୍ତ ଲୋକ ବି ଏମିତି କଥାବାର୍ତ୍ତା କରନ୍ତି ! ସାମାଜିକ ବ୍ୟବସ୍ଥା ତ ଦିନକ ଭିତରେ ବଦଳିଯିବା କଥା ନୁହେଁ । ତାହା ବଦଳିବାପାଇଁ ଯୁଗ ଯୁଗ ବିତିଯିବ । ତା’ହେଲେ କ’ଣ ସାମାଜିକ ବ୍ୟବସ୍ଥା ନ ବଦଳିବାଯାଏ ଏହି ପ୍ରକାର ଖରାପ ବ୍ୟବସ୍ଥା ଚାଲିଥିବ । ତାକୁ ବନ୍ଦ କରିବାପାଇଁ ଚେଷ୍ଟା କରାଯିବ ନାହିଁ ? ନିଃସହାୟ ନାରୀ ଚିରଦିନ ପୁରୁଷର ଭୋଗଲାଳସାର ଶିକାର ହୋଇ ସଢ଼ି ମରୁଥିବ । ବାଘ ନିଜେ ନିଜେ ଅହିଂସାବ୍ରତ ନେବାପର୍ଯ୍ୟନ୍ତ କ’ଣ ମଣିଷ ଅନେଇ ବସିଥିବ; ଆଗରୁ ତାକୁ ପିଞ୍ଜରାରେ ଭର୍ତ୍ତିକରି ତା’ର ନଖଦନ୍ତର ବଳ ଭାଙ୍ଗିଦେବ ନାହିଁ ? ଧନୀଲୋକେ ତାଙ୍କ ସମ୍ପତ୍ତି ଯେମିତି ଉଡ଼ାନ୍ତୁ, ସେଥିରେ ଆମର ଯାଏଆସେ କେତେ । ସେ ମଦ ପିଅନ୍ତୁ, ମଟର ଚଢ଼ନ୍ତୁ, ମନ୍ଦିର ମସଜିଦ୍ ତିଆରି କରନ୍ତୁ, ଯାହା କରନ୍ତୁ, ସେଥିପାଇଁ ମିର୍ଜା ସାହେବଙ୍କର କୌଣସି ଖାତିର ନାହିଁ । ସେମାନେ ନାରୀ ଜୀବନକୁ ନଷ୍ଟ ନ କରନ୍ତୁ, ଏତିକି କେବଳ ତାଙ୍କର ଦେଖିବାର କଥା । ରୂପ ବଜାରକୁ ସେ ଏମିତି ଖାଲି କରିଦେବାକୁ ଚାହାନ୍ତି, ଯେମିତିକି ଧନୀଲୋକ ଯେତେ ପଇସା ଖର୍ଚ୍ଚ କଲେ ବି ତାଙ୍କ ପଇସାରେ ଛେପ ପକାଇବାକୁ ଲୋକ ନ ଥିବେ-। ଯେତେବେଳେ ମଦଦୋକାନ ଆଗରେ ପିକେଟିଂ ହେଲା, ସେତେବେଳେ ତ ପୁଣି ଆଚ୍ଛା ଆଚ୍ଛା ମଦୁଆମାନେ ପାଣିପିଇ ରହିଗଲେ ନା ଆଉ କୁଆଡ଼େ ପଳାଇଗଲେ ? ମିର୍ଜାଙ୍କ ବୋକାମି ଦେଖି ମେହେତା ହସି ହସି କହିଲେ–ଦୁନିଆରେ ଏମିତି ବହୁତ ଦେଶ ଅଛି, ଯେଉଁଠି ବେଶ୍ୟା ନାହାନ୍ତି, କିନ୍ତୁ ଧନବଳରେ ଲୋକେ ଅନ୍ୟପ୍ରକାର ବିଳାସ ସାମଗ୍ରୀ ସବୁ ତିଆରିକରି ନେଇଛନ୍ତି ।

 

ମିର୍ଜା ସାହେବ ମେହେତାଙ୍କ କଥା ଶୁଣି ପରିହାସ କରି କହିଲେ–ବୁଝିଲେ ଆଜ୍ଞା, ଆପଣଙ୍କ ଦୟାରୁ ମୁଁ ବହୁତ ଦେଶ ବିଦେଶ ବୁଲିଛି । ମାତ୍ର ଆପଣ ବୋଧହୁଏ ଭୁଲି ଯାଇଛନ୍ତି ଯେ, ଏଟା ୟୁରୋପ ନୁହେଁ, ଏଟା ହେଉଛି ଭାରତ ।

 

‘କିନ୍ତୁ ମନୁଷ୍ୟ ଚରିତ୍ର ସବୁଠି ସମାନ ।’

 

‘କିନ୍ତୁ ସବୁ ସତ୍ଵେ ପ୍ରତ୍ୟେକ ଦେଶର ନିଜର କିଛି ନା କିଛି ସ୍ଵାତନ୍ତ୍ର ଅଛି, ଏକଥା ଅବଶ୍ୟ ମାନିବାକୁ ହେବ । ହିନ୍ଦୁସ୍ଥାନର ନାରୀର ସତୀତ୍ୱ ହେଉଛି ଏକ ବଡ଼ ଜିନିଷ ।’

 

‘ହଁ ଆପଣଙ୍କ ପାଟିକୁ ଯାହା ଆସୁଛି, ଆପଣ କହିଯାଇ ପାରନ୍ତି । ସେଥିରେ କାହାରି କିଛି ଆପତ୍ତି କରିବାର ନାହିଁ ।’

 

‘ଆପଣ ତ ଧନର ଏତେ ନିନ୍ଦାକରନ୍ତି, କିନ୍ତୁ ଖନ୍ନା ସାହେବଙ୍କୁ ସାହାଯ୍ୟ କରିବାରେ ତ ଆପଣ ଏତେ ଟିକେ ହେଳାକରନ୍ତି ନାହିଁ । ମୁଁ କହିଲି ଯେ କଣ ହେଇଗଲା ?’

 

ଏତିକିରେ ମେହେତା ଚୁପ୍ ହୋଇଯାଇ ଟିକିଏ ନମ୍ର ହୋଇ କହିଲେ–ଖନ୍ନା ଯେତେବେଳେ ଧନ ଦଉଲତରେ ଭାସୁଥିଲେ, ମୁଁ ତ ସେତେବେଳେ ତାଙ୍କୁ ସାହାଯ୍ୟ କରିନାହିଁ । ବରଂ ଯେତେବେଳେ ତାଙ୍କର ସବୁ ସମ୍ପତ୍ତି ନଷ୍ଟ ହୋଇଗଲା, ସେତେବେଳେ ତାଙ୍କୁ ମୁଁ ସାହାଯ୍ୟ କରିଛି । ଆପଣ ଯଦି ତାଙ୍କ ଦଶା ବର୍ତ୍ତମାନ ଦେଖନ୍ତେ, ତେବେ ଆପଣଙ୍କ ମନରେ ବି ଦୟା ଆସନ୍ତା । ପାଟିରେ ଖାଲି ଶୁଖିଲା ସହାନୁଭୂତି ଦେଖାଇବା ଛଡ଼ା ମୋ ପରି ଲୋକ ତାଙ୍କୁ ଅବା କି ସାହାଯ୍ୟ କରିପାରିବ । ଯଦି କେହି ତାଙ୍କୁ ସାହାଯ୍ୟ କରିଥାଏ, ତେବେ ମାଳତୀ ଦେବୀ କରିଛନ୍ତି, ମନୁଷ୍ୟର ଅନ୍ତରାତ୍ମାରେ ସେବା ତ୍ୟାଗର ଗଭୀର ଭାବନା କିପରି ଲୁଚି ରହିପାରେ ପୁଣି ସୁବିଧା ପାଇଲେ ତାହା କିପରି ଆତ୍ମପ୍ରକାଶ କରିପାରେ ତାର ନିଦର୍ଶନ ଏବେ ଜାଣି ମୁଁ ଦେଖିଲି । ଆପଣ ବି ଦିନେ ଯାଇ ଖନ୍ନା ସାହେବଙ୍କୁ ଦେଖି ଆସନ୍ତୁ । ଏତେବେଳେ ସହାନୁଭୂତି ତାଙ୍କର ବିଶେଷ ଦରକାର ।

 

ମିର୍ଜା ସାହେବ ଆପଣା ଇଚ୍ଛା ବିରୁଦ୍ଧରେ କହିଲେ–ଆଚ୍ଛା ହେଉ, ଆପଣ ଯଦି କହୁଛନ୍ତି, ଯାଇ ଦେଖିଆସିବା । ଆପଣଙ୍କ ସାଙ୍ଗରେ ନରକକୁ ଯିବାପାଇ ମଧ୍ୟ ମୋର କୌଣସି ଆପତ୍ତି ନାହିଁ-। ଆଚ୍ଛା, ଏବେ ତ ଖୁବ୍ ଶୁଣାଯାଉଥିଲା ମାଳତୀଙ୍କ ସାଙ୍ଗରେ ଆପଣଙ୍କର ବାହାଘର ହେଉଛି, ସେକଥା କେଉଁଯାଏ ଗଲା ?

 

ମେହେତା ଟିକିଏ ସଙ୍କୁଚିତ ହୋଇ କହିଲେ–ହଁ, ତପସ୍ୟା ତ ଚାଲିଛି, ଦେଖାଯାଉ କେବେ ବର ମିଳୁଛି ।

 

‘ମଲା, ସେ ତ ଆପଣଙ୍କପାଇଁ ପାଗଳ ହେଉଥିଲେ, ଆପଣ ଏବେ ଏମିତି କହୁଛନ୍ତି କଣ ?’

 

ମୋତେ ତ ଆଗେ ସେମିତି ଜଣାପଡ଼ୁଥିଲା । କିନ୍ତୁ ଠିକ୍ ବେଳରେ ଯେତେବେଳେ ମୁଁ ହାତ ବଢ଼ାଏ, ଦେଖିଲି ସେ ହାତ ଭିତରର ଜିନିଷ ନୁହନ୍ତି, ସେ ଯାଇଁ ଆକାଶରେ କେତେଦୂରରେ ବସିଛନ୍ତି । ମୁଁ ତ ବର୍ତ୍ତମାନ ଏହି ଚେଷ୍ଟାରେ ଅଛି, କେମିତି ସେ ଟିକିଏ ତଳକୁ ଆସନ୍ତେ । ଆଜିକାଲି ତ ମୋତେ ସେ କଥା ବି କହନ୍ତି ନାହିଁ ।’

 

ଏତିକି କହୁ କହୁ ମେହେତା ସାହେବ ତାଙ୍କ ମଉଳା ମୁହଁରେ ସାମାନ୍ୟ ହସ ଫୁଟେଇ, ଯିବାପାଇଁ ଉଠି ଛିଡ଼ାହେଲେ ।

 

ମିର୍ଜା ପଚାରିଲେ–ପୁଣି କେବେ ଦେଖାହେବ ?

 

‘ଆପଣଙ୍କୁ ଟିକିଏ କଷ୍ଟ ହୋଇପାରେ, କିନ୍ତୁ ଖନ୍ନାଙ୍କ ପାଖକୁ ଯେମିତି ହେଲେ ନିଶ୍ଚୟ ଯିବେ ।’

 

‘ହଁ ମୁଁ ନିଶ୍ଚୟ ଯିବି ।’

 

ମେହେତା ସାହେବ ଯିବାବେଳେ ମିର୍ଜା ସାହେବ ଝରକା ପାଖରେ ଛିଡ଼ା ହୋଇ ତାଙ୍କୁ ଅନାଇଁ ରହିଥିଲେ । ସତେ ଯେମିତି ପାଦରେ ତାଙ୍କର ବଳ ନ ଥିଲା, ମନଭିତରେ କୌଣସି ପ୍ରବଳ ଚିନ୍ତା ତାଙ୍କୁ ଘାରି ପକାଉଥିଲା ।

Image

 

Unknown

ତ୍ରୟତ୍ରିଂଶ ପରିଚ୍ଛେଦ

 

ଆଗେ ସିନା ମେହେତା ସାହେବ ମାଳତୀଙ୍କୁ ପରୀକ୍ଷା କରୁଥିଲେ, ଏବେ କିନ୍ତୁ ମେହେତା ସାହେବଙ୍କୁ ନିଜକୁ ପରୀକ୍ଷା ଦେବାକୁ ପଡ଼ିଲା । ମାଳତୀଙ୍କଠାରୁ ଦୂରରେ ରହୁ ରହୁ, କାଳେ ସେ ହାତରୁ ଖସିଯିବେ, ଏଇ ଚିନ୍ତାରେ ସେ ବିହ୍ଵଳ ହୋଇ ପଡ଼ିଲେ । ମାସ ମାସ ଧରି ମାଳତୀ ତାଙ୍କ ପାଖକୁ ଆସିଲେ ନାହିଁ । ବିକଳ ହୋଇ ମେହେତା ସାହେବ ତାଙ୍କ ଦୁଆର ପର୍ଯ୍ୟନ୍ତ ଯେତେବେଳେ ଦଉଡ଼ିଲେ, ସେଠି ବି ତାଙ୍କ ଭେଟ ପାଇଲେ ନାହିଁ । ଆଗେ ଯେତେବେଳେ ରୁଦ୍ରପାଳ ଏବଂ ସରୋଜର ବାହାଘର କଥା ଚାଲିଥିଲା, ସେତେବେଳେ ମାଳତୀ ଦିନକୁ ଥରେ ଦି’ଥର ଯିବା ଆସିବା କରୁଥିଲେ, ମାତ୍ର ସେମାନେ ବିଲାତ ଚାଲିଯିବା ପରେ ମାଳତୀଙ୍କର ଆଉ ଦେଖା ନ ଥିଲା । ତାଙ୍କ ଘରକୁ ଗଲେ ବି ଦେଖା ମିଳୁ ନ ଥିଲା । ଜଣା ପଡ଼ୁଥିଲା, ସତେ ଯେମିତି ସେ ବଳପୂର୍ବକ ନିଜକୁ ମେହେତାଙ୍କଠାରୁ ହଟାଇ ନେବାପାଇଁ ସେମିତି ଲାଗିଥିଲେ, ତାକୁ ବି ଲେଖିପାରୁ ନ ଥିଲେ କାରଣ, ମନ ତାଙ୍କର ସମ୍ପୂର୍ଣ୍ଣ ବିକ୍ଷିପ୍ତ ହୋଇଯାଇଥିଲା । ଭଲବେଳେ ତ ଘରସଂସାର କଥା ସେ କିଛି ବୁଝନ୍ତି ନାହିଁ, ଏତେବେଳେ ତ ସହଜେ ମନ ଖରାପ । ଏଣୁତେଣୁ ମିଶାଇ ହଜାର ଟଙ୍କା ପା’ନ୍ତି ଯେ ସେ କୁଆଡ଼େ କୁଆଡ଼େ ଯାଏ, ଭାତ ଡାଲି ଖାଇବା ଛଡ଼ା ଅଧଲାଟାଏ ଆଉ ବଞ୍ଚେ ନାହିଁ । ମଟର ଗାଡ଼ି ଯେ ତା’ର ଦିନକେ ଦଶ ରୋଗ । ଟଙ୍କା ପଇସା ତ କିଛି ଚାନ୍ଦାରେ ଯାଏ, କିଛି ଗରିବ ପିଲାଙ୍କୁ ଦାନଧର୍ମ କରିବାରେ ଯାଏ, କିଛି ବହିପତ୍ର କିଣିବାରେ ଯାଏ । ସଉକୀ ବୋଲି ଖଣ୍ଡେ ବଗିଚା । ସେଥିରେ ଦେଶ ବିଦେଶରୁ ବହୁତ ଦାମିକା ଗଛଲତା ଆଣି ଲଗାଇଥିଲେ । ଏବେ ସେଥିପ୍ରତି ବି ଆଉ ନଜର ନ ଥିଲା । ଭଲବେଳେ ତ ଘରସଂସାରରେ କିଛି ଠିକ୍ ଠିକଣା ନ ଥିଲା, ଏତେବେଳେ ପଚାରୁଛି କିଏ ? ଖାଆନ୍ତି ତ ମୋଟେ ଦି’ଖଣ୍ଡ ମାଖରା ରୁଟୀ, ଘିଅ ନ ଥାଏ । ସେଥିରେ ପୁଣି ଶହେ ଟଙ୍କା ଖରଚ । ଟିଣ ଟିଣ ଘିଅ ଆସେ ଯେ, ସେ କୁଆଡ଼େ ଯାଏ ତା’ର ହିସାବ ନ ଥାଏ । ପୁରୁଣା ପ୍ୟାଣ୍ଟ୍ ଫାଟି ଯାଇଥିଲା ଯେ, ସେଥିରେ କୌଣସିମତେ ଶୀତଟା କଟିଗଲା, ନୂଆ ଖଣ୍ଡେ କରିବାର ଆଉ ସୁବିଧା ହେଲା ନାହିଁ । ତିନିଚାରି ଥର ନିରାଶ ହୋଇ ଫେରିଲାପରେ ଶେଷରେ ଥରେ ଯେତେବେଳେ ମାଳତୀଙ୍କ ସଙ୍ଗେ ଦେଖାହେଲା, ମେହେତାଙ୍କ ଅବସ୍ଥା ଦେଖି ମାଳତୀ ଆଉ ସହି ନ ପାରି କହିଲେ–ଏଇ ଶୀତଟା କ’ଣ ତମେ ଏଇ ପାଣ୍ଟ ପିନ୍ଧିକରି କଟେଇ ଦେବ ? ୟା’କୁ ପିନ୍ଧିକରି ତମକୁ ଟିକିଏ ଲାଜ ମାଡ଼ୁ ନାହିଁ-?

 

ମାଳତୀ ତାଙ୍କର ସ୍ତ୍ରୀ ନ ହେଲେ ବି ସେମାନେ ପରସ୍ପରର ଏତେ ଆପଣାର ଯେ ସେ ଏମିତି ପ୍ରଶ୍ନ ପଚାରିବାରେ କୌଣସି ଅସ୍ଵାଭାବିକତା ନ ଥିଲା ।

 

ମେହେତା ଏତେ ଟିକିଏ ବି ଲଜ୍ଜିତ ନ ହୋଇ କହିଲେ–କ’ଣ କରିବି ମାଳତୀ, ପଇସା ତ ମୋଟେ ଅଣ୍ଟୁ ନାହିଁ ।

 

ମାଳତୀ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲେ–କ’ଣ, ତମେ ହଜାର ଟଙ୍କାରୁ ଅଧିକ ଦରମା ପାଉଛ, ତେବେ ବି ତମକୁ ପାଣ୍ଟ୍ ଖଣ୍ଡେ ତିଆର କରିବାକୁ ପଇସା ଅଣ୍ଟୁ ନାହିଁ । ମୁଁ ତ ମୋଟେ ଚାଳିଶ ଟଙ୍କା ପାଉଛି । ସେଥିରେ ସାରା ପରିବାର ଚଳି ତେବେ ବି କିଛି ବଞ୍ଚି ଯାଉଛି । ପ୍ରକୃତରେ ଏତେ ପଇସା ତମେ କରୁଛ କ’ଣ ?

 

‘ମୁଁ ତ ଗୋଟେ ପଇସା ବି ଏଣେତେଣେ ଖର୍ଚ୍ଚ କରିବାକୁ ନାହିଁ । ତମେ ତ ଜାଣ ମୋର କୌଣସି ପ୍ରକାର ସଉକୀ ନାହିଁ ।’

 

‘ଆଚ୍ଛା, ତା’ହେଲେ ମୋଠୁ ଟଙ୍କାନେଇ ଗୋଟାଏ ସୁଟ୍ କରିପକା ।’

 

ମେହେତା ଲଜ୍ଜିତ ହୋଇ କହିଲେ–ଆଚ୍ଛା, ମୁଁ ଏବେ ଗୋଟେ ସୁଟ୍ ତିଆର କରେଇନେବି ।

 

‘ଯଦି ତମେ ଏଠିକି କେବେ ଆସ, ତା’ହେଲେ ମଣିଷ ପରି ହୋଇକରି ଆସିବ ।’

 

‘ଇଏ ବଡ଼ ମୁସ୍କିଲ କଥା ।’

 

‘ହଁ, ମୁସ୍କିଲ ନିଶ୍ଚୟ, କିନ୍ତୁ ତମଭଳି ଲୋକଙ୍କ ସଙ୍ଗେ କଡ଼ା କାରବାର ନ କଲେ ତମେ କେବେହେଲେ ଠିକ୍ ହେବ ନାହିଁ ।’

 

ଘରେ ତ ଅଧଲାଟାଏ ନ ଥିଲା, କେଉଁ ସାହସରେ ବିନା ପଇସାରେ ସେ ଦୋକାନକୁ ଅବା ଯା’ନ୍ତେ ? ମାଳତୀଙ୍କୁ ଅବା କେମିତି ମାଗନ୍ତେ । ୟା’ ଭିତରେ ପୁଣି ଆଉ ଏକ ବିପତ୍ତି ଆସି ଜୁଟିଗଲା । ଗଲା କେତେମାସ ହେଲା ମେହେତା ସାହେବ ଘରଭଡ଼ା ଦେଇ ପାରୁ ନ ଥିଲେ । ମାସକୁ ପଞ୍ଚସ୍ତରି ଟଙ୍କା ଲେଖା ବଢ଼ି ଚାଲିଥିଲା । ଘର ମାଲିକଙ୍କୁ ବେଶ୍ ଜଣାଥିଲା ଯେ ମେହେତା ଜଣେ ଖୁବ୍ ଭଲ ଲୋକ । ତଥାପି ସେ ବା କ’ଣ କରନ୍ତେ । ଛ’ ମାସ ଅପେକ୍ଷା କଲାପରେ ଏକ ନାଲିସ୍ ଦାଏର କରିବାକୁ ବାଧ୍ୟ ହେଲେ । ମେହେତା କୌଣସି ଜବାବ ନ ଦେବାରୁ ଏକତରଫା ଡିଗ୍ରୀ ହୋଇଗଲା । ଏଣିକି କେବଳ ଘର କୋରଖ ହେବା କଥା । କୋରଖି–ପିଆଦାର ଜଣେ ପୁଅ କଲେଜରେ ପଢ଼ୁଥିଲା । ମେହେତା ତାକୁ କିଛି ଟଙ୍କା ସାହାଯ୍ୟ ଦେଉଥିଲେ । ସେଥିପାଇଁ ବିଚାରା କୋରଖି–ଖବର ଆଗରୁ ଦେଇଦେବା ପାଇଁ ମେହେତାଙ୍କ ପାଖକୁ ଚାଲି ଆସିଥିଲା । ଠିକ୍ ସେତିକିବେଳକୁ ମାଳତୀ ମେହେତାଙ୍କ ପାଖରେ ବସିଥିଲେ ।

 

ମାଳତୀ ପଚାରିଲେ–କି କୋରଖ୍ କେଉଁଥିପାଇଁ କୋରଖ ?

 

କୋରଖ ପିଆଦା କହିଲା–ଘରଭଡ଼ା ବାବଦରେ ଯେଉଁ ଡିଗ୍ରୀଜାରୀ ହୋଇଛି ସେହି କୋରଖ । ମୁଁ ଟିକିଏ ଆଗରୁ ଖବର ଦେଇଦେବା ପାଇଁ ଆସିଛି । ମୋଟେ ତ ପାଞ୍ଚଶହ ଟଙ୍କା, ଦେଇଦେଲେ ଯା’ନ୍ତା, ଏତେ ଗଣ୍ଡଗୋଳରୁ କ’ଣ ମିଳିବ । କହିଲେ ବି ମୁଁ ଘରବାଲାକୁ ଆଠ ଦଶଦିନ ଅଟକେଇ ଦେଇପାରିବି ।

 

ପିଆଦା ଚାଲିଗଲା ପରେ ମାଳତୀ ତିରସ୍କାର କରି କହିଲେ–ତମ ଅବସ୍ଥା ଏତେଦୂର ଆସି ପହଞ୍ଚିଗଲାଣି ! ମୁଁ ତ ବଡ଼ ଆଶ୍ଚର୍ଯ୍ୟ ହେଉଛି, ତମେ ଏଡ଼େ ଏଡ଼େ ମୋଟା ମୋଟା ବହି କେମିତି ଲେଖୁଛ ? ଅଥଚ ଛ ଛ ମାସର ଘରଭଡ଼ା ଦେବାକୁ କେମିତି ତମର ମନେ ପଡ଼ୁ ନାହିଁ ?

 

ମେହେତା ଲାଜରେ ତଳକୁ ମୁହଁ ପୋତିଦେଇ କହିଲେ–ମନେ ପଡ଼ୁଛି ଯେ, କିନ୍ତୁ ପଇସା କାହିଁ ? ମୁଁ ତ ଗୋଟାଏ ପଇସା ବି ବାଜେ ଖର୍ଚ୍ଚ କରୁନାହିଁ, ତେବେ ବି ତ ମୋ’ ପାଖେ ଅଧଲାଟାଏ ନାହିଁ ।

 

‘ହିସାବପତ୍ର କିଛି ତମେ ଲେଖୁଛ ନା ନାହିଁ ?’

 

‘ହଁ, ହିସାବ ରଖୁଛି । ଯାହା ପାଉଛି ସବୁ ଲେଖୁଛି, ନହିଲେ ଇନକମ୍‍ଟାକ୍‍ସବାଲା ଆଉ ଜୀବନ ରଖିବେ ?’

 

‘ଅସଲ, ଖର୍ଚ୍ଚ’ ଲେଖୁଛ କି ନାହିଁ ?’

 

‘ତା’ର କୌଣସି ହିସାବ ନାହିଁ ।’

 

‘କାହିଁକି ?’

 

‘କିଏ ପ୍ରତିଦିନ ଏତେ ଲେଖୁଛି ?’

 

‘ଏଡ଼େ ଏଡ଼େ ବହି ପୁଣି କେମିତି ଲେଖୁଛ ?

 

‘ବହି ଲେଖିବାରେ ତ ବିଶେଷ କିଛି କଷ୍ଟ ନାହିଁ, କଲମ ଧରିଲେ ତ ଲେଖା ଚାଲିଲା । କିନ୍ତୁ ଖର୍ଚ୍ଚ ଖାତା ଏତେ କଷ୍ଟକରି ଖୋଲୁଛି କିଏ ?’

 

‘ତା’ ହେଲେ, ବର୍ତ୍ତମାନ ଏ କରଜ ସୁଝିବ କେମିତି ?’

 

‘ଯେଉଁଠୁ ହେଲେ କରଜ କରିବା, ଆଉ ଉପାୟ କ’ଣ ! ତମ ପାଖେ ଯଦି ଅଛି, କିଛି ଦେଇଥା ।’

 

‘ହଁ, ମୁଁ ଦେଇପାରେ, କିନ୍ତୁ ତମକୁ ଏତିକି କରିବାକୁ ହେବ ଯେ, ପ୍ରତି ମାସରେ ଦରମା ପାଇଲାମାତ୍ରେ ସବୁଟଙ୍କା ମୋତେ ଦେଇଦେବାକୁ ହେବ, ଆଉ ଖର୍ଚ୍ଚ କରିବାପାଇଁ ମୋଠୁ ମାଗିକରି ନେବାକୁ ହେବ ।’

 

ମେହେତା ଖୁସି ହୋଇ କହିଲେ–ତମେ ଯଦି ଏ ଭାର ନେଇଯା’ନ୍ତ, ତାହାହେଲେ ମୁଁ ବହୁତ ଆରାମ ହୋଇଯାନ୍ତି, ବଡ଼ ଆନନ୍ଦରେ ରହନ୍ତି ।

 

ଶେଷରେ ମାଳତୀଦେବୀ ତାଙ୍କର ସବୁ ପାଉଣା ସୁଝିଦେଇ, ତାଙ୍କୁ ସେ ଘରୁ ବାହାରି ଆସିବାକୁ ବାଧ୍ୟ କଲେ । ନିଜ ଘରେ ଦୁଇ ବଖରା ଘର ତାଙ୍କୁ ଛାଡ଼ିଦେଲେ ଏବଂ ନିଜ ରୋଷେଇରେ ତାଙ୍କ ଖାଇବା ପିଇବା ସବୁ ବନ୍ଦୋବସ୍ତ କରିଦେଲେ । ମେହେତାଙ୍କ ପାଖରେ ଆଉ ଜିନିଷ ତ ବେଶି କିଛି ନ ଥିଲା, କେବଳ ଦୁଇ ତିନିଗାଡ଼ି ବହିଥିଲା, ସେତିକିରେ ଦୁଇ ବଖରାଯାକ ପୂରିଗଲା । ବଗିଚାଟା ଛାଡ଼ିଆସିବା ପାଇଁ ବିଚାରାଙ୍କର ମୋଟେ ମନ ନ ଥିଲା, କିନ୍ତୁ ନିଜ ଇଚ୍ଛା ଅନୁସାରେ ଗଛପତ୍ର ଲଗାଇବା ପାଇଁ ମାଳତୀ ତାଙ୍କୁ ହତା ଗୋଟାଯାକ ଛାଡ଼ିଦେଲେ ।

 

ମେହେତା ସାହେବ ତ ଆସି ଆରାମରେ ରହିଗଲେ କିନ୍ତୁ ମାଳତୀଙ୍କୁ ବଡ଼ ବିପଦରେ ପଡ଼ିବାକୁ ହେଲା । ମେହେତା ହଜାରେ ଟଙ୍କା ଉପରେ ଦରମା ପାଉଥିଲେ ମଧ୍ୟ ଦାନପୁଣ୍ୟ ଯୋଗୁ ପଇସା ମୋଟେ ଅଣ୍ଟୁ ନ ଥିଲା । ଦଶ କୋଡ଼ିଏ ଜଣ ଛାତ୍ର, କେତେଜଣ ବିଧବା ଏମିତି ମିଶି ଅନେକ ଲୋକ ତାଙ୍କଠୁ ସାହାଯ୍ୟ ପାଇ ଚଳୁଥିଲେ । କ’ଣ କରିବେ ମାଳତୀଙ୍କୁ କିଛି ବୁଦ୍ଧି ଦିଶିଲା ନାହିଁ । ଯଦି କିଛି କରୁଛନ୍ତି, ତା’ହେଲେ ସବୁ ଦୋଷ ତାଙ୍କରି ମୁଣ୍ଡରେ ଯିବ । ସେଥିପାଇଁ ବେଳେବେଳେ ସେ ନିଜ ଉପରେ ଯେମିତି ରାଗନ୍ତି, ମେହେତାଙ୍କ ଉପରେ ବି ସେମିତି ରାଗନ୍ତି । ଯେଉଁମାନେ ସାହାଯ୍ୟ ନେବାପାଇଁ ଆସନ୍ତି, ସେମାନଙ୍କ ଉପରେ ବି ରାଗନ୍ତି । କିନ୍ତୁ କ’ଣ କରିବେ କିଛି ଉପାୟ ପା’ନ୍ତି ନାହିଁ । ଦିନେ ମେହେତାଙ୍କୁ ବି ମୁହାଁମୁହିଁ ସେ ଭାରି ବିରକ୍ତ ହେଲେ ।

 

ମେହେତା ତାଙ୍କ ଆକ୍ଷେଣ ଶୁଣି ବେପରୁଆ ଭାବରେ କହିଲେ–ତମ’ ହାତରେ ଟଙ୍କା ପଇସା ସବୁ, ଯାହାକୁ ତମ ମନ ପାଇବ, ଦେବ, ଯାହାକୁ ମନ ନ ପାଇବ, ନ ଦେବ । ସେ କଥା ତମେ ବୁଝିବ, ମତେ କହି ଲାଭ କ’ଣ ?

 

ମାଳତୀ ଭାରି ଚିଡ଼ିଯାଇ କହିଲେ–ହଁ, ନାଁ ହେଲାବେଳକୁ ତମର, ବଦନାମୀ ହେଲାବେଳକୁ ହେବ ମୋର । ମୁଁ ତ ବୁଝିପାରୁ ନାହିଁ ତମେ କେଉଁ ଯୁକ୍ତିରେ ଲୋକଙ୍କୁ ଏମିତି ଟଙ୍କା ପଇସା ବାଣ୍ଟୁଛ । ଏହି ପ୍ରକାର ଦାନଯୋଗୁ ଆଜି ଏ ଦେଶରେ ଲୋକେ ଏତେ ଅଳସୁଆ, ଏତେ ନିଷ୍କର୍ମା; ସେମାନଙ୍କ ଭିତରେ ଆତ୍ମଗୌରବର ଏତେ ଅଭାବ ! ଏ ପ୍ରକାର ଦାନ, ଅନ୍ୟାୟ ଅତ୍ୟାଚାରଠାରୁ ମଧ୍ୟ ଆହୁରି ଖରାପ । ଅନ୍ୟାୟ ତ ବରଂ ଏକପ୍ରକାର ଭଲ, କାରଣ ଅନେକ ସମୟରେ ଅନ୍ୟାୟ ଯୋଗୁ ଦେଶରେ ବିପ୍ଳବ ହୋଇଥାଏ, ଫଳତଃ ଦେଶର ଦୁରବସ୍ଥାର ପରିବର୍ତ୍ତନ ହୋଇଥାଏ, କିନ୍ତୁ ଏ ପ୍ରକାର ଦାନରେ ଲାଭ କ’ଣ ?

 

ମେହେତା କହିଲେ–ମୋର ବି ଧାରଣା ଠିକ୍ ସେୟା ।

 

‘ତମର ଏ ଧାରଣା କେବେହେଲେ ନୁହେଁ ।’

 

‘ନାହିଁ ମାଳତି, ତମେ ବିଶ୍ଵାସ ନ କରିପାର, କିନ୍ତୁ ପ୍ରକୃତରେ ମୋର ହେଉଛି ଏହି ଧାରଣା ।’

 

‘ତମର ଯଦି ଏ ପ୍ରକାର ଧାରଣା ଅଛି, ତା’ହେଲେ ତମେ ଏମିତି କାମ କରୁଛ କାହିଁକି-?’

 

ତୃତୀୟ ମାସରେ ମାଳତୀ ଦେବୀ ବହୁତ ସାହାଯ୍ୟପ୍ରାର୍ଥୀଙ୍କୁ ହତାଶ କରିଦେଲେ । କାହାକୁ ଗାଳିଦେଲେ, କାହାକୁ ଅବା ସଫାସଫା ନାହିଁ କରିଦେଲେ ।

 

ତୃତୀୟ ମାସବେଳକୁ ମେହେତାଙ୍କର ପ୍ରାୟ ତିନିଶଖଣ୍ଡେ ଟଙ୍କା ବଳି ପଡ଼ିଲା । ପଇସା ବଳିପଡ଼ିଲା ସତ, କିନ୍ତୁ ମନେ ମନେ ତାଙ୍କୁ ଭାରି ଖରାପ ଲାଗିଲା । ମାଳତୀ ଯେତେବେଳେ ତାଙ୍କୁ ହିସାବ ଦେଖାଇଲେ, ସେ କିଛି ନ କହି ତୁନୀ ହୋଇ ରହିଲେ । ବରଂ ତାଙ୍କ ଦୃଷ୍ଟିରେ ମାଳତୀଙ୍କ ମାନସମ୍ମାନ ଟିକିଏ କମିଗଲା । କାରଣ ମେହେତା ଭାବନ୍ତି ଦାନପୁଣ୍ୟ କରିବା ନାରୀର ଭୂଷଣ, ନାରୀର ମହତ୍ତ୍ଵ । ସେହି ମହତ୍ତ୍ଵ ଉପରେ ସାରା ମନୁଷ୍ୟ-ସମାଜର ଭରା । ନାରୀ ଯଦି ଉଦାର ନ ହୋଇ ବ୍ୟବସାୟ ବୁଦ୍ଧିରେ ପରିଚାଳିତ ହେଲା, ତେବେ ଆଉ ମହତ୍ତ୍ଵ ରହିଲା କ’ଣ ?

 

ଯେଉଁଦିନ ମେହେତା ସାହେବଙ୍କ ନୂଆ ପ୍ୟାଣ୍ଟ୍, ନୂଆ ଘଡ଼ି ତିଆର ହୋଇ ଆସିଲା, ସେ ଦିନ ମେହେତାଙ୍କୁ ଭାରି ସଂକୋଚ ଲାଗିଲା, କେତେଦିନଯାଏ ସେ ଘରୁ ବାହାରିଲେ ନାହିଁ । ତାଙ୍କ ଦୃଷ୍ଟିରେ ନିଜକୁ ସୁଖୀ କରିବାଠୁ ବଳି ବଡ଼ ଅପରାଧ ଆଉ କିଛି ହୋଇପାରେ ନାହିଁ ।

 

କିନ୍ତୁ, ମଜାକଥା ହେଉଛି ମାଳତୀ ଦେବୀ ଏଣେ ମେହେତାଙ୍କ ଲେଖାପଢ଼ା ତଥା ଦାନପୁଣ୍ୟର ସବୁ ରାସ୍ତା ବନ୍ଦ କରିଦେଇ ତେଣେ ନିଜେ ନିଜର ସମସ୍ତ ସମୟ ଏବଂ ଜୀବନ ପରଉପକାରରେ ଲଗାଇଥାନ୍ତି । ବଡ଼ ବଡ଼ ଲୋକଙ୍କ ଘରକୁ ଗଲେ ପଇସା ନିଅନ୍ତି, ନଚେତ୍ ଗରିବଙ୍କଠାରୁ ପଇସାଟାଏ ବି ଛୁଅନ୍ତି ନାହିଁ, ବରଂ ହାତରୁ ପଇସା ଦେଇ ଔଷଧ କିଣି ଦିଅନ୍ତି । କିନ୍ତୁ ଦୁହିଁଙ୍କ ଭିତରେ ତଫାତ୍ ହେଉଛି, ମାଳତୀଙ୍କର ଘର ବାହାର ଉଭୟ ଆଡ଼କୁ ଦୃଷ୍ଟି ଥିଲା, କିନ୍ତୁ ମେହେତାଙ୍କର ଘର ବୋଲି କିଛି ଜିନିଷ ନଥିଲା, ସେ କେବଳ ବାହାର ସଂସାରକୁ ଦେଖୁଥିଲେ । ତାଙ୍କର ଦୁନିଆରେ, ଜାତି ପତି, ଭାଇବନ୍ଧୁ କେହି ନ ଥିଲେ; ସେଥିପାଇଁ ମନଇଚ୍ଛା କାମ କରିବାପାଇଁ ତାଙ୍କ ରାସ୍ତା ସଫା ଥିଲା । କିନ୍ତୁ ମାଳତୀଙ୍କ ଉପରେ ଘର ସଂସାରର ସମସ୍ତ ଦାୟିତ୍ଵ ଥିଲା, ସେଥିପାଇଁ ବନ୍ଧନ ଭିତରେ ରହି ଯେତିକି କରିହେବ, ସେତିକି କେବଳ ସେ କରୁଥିଲେ । ମେହେତାଙ୍କୁ ପାଖକୁ ଆଣି ମାଳତୀଙ୍କୁ ଲାଗୁଥିଲା, ସତେ ଯେମିତି ବଣର ଏକ ମୁକ୍ତ ଜୀବକୁ ଆଣି ସେ ପିଞ୍ଜରାରେ ପୂରେଇ ରଖିଛନ୍ତି । ମୁକ୍ତ ଜୀବକୁ ସୁନା ପିଞ୍ଜରାରେ ରଖି ସ୍ଵର୍ଗସୁଖ ଯୋଗାଇ ଦେଲେ ବି ସେଥିରେ ତା’ର ତୃପ୍ତି ହେବ ନାହିଁ । ବରଂ କିଛିଦିନ ପରେ ସେ ବିରକ୍ତ ହୋଇ କାମୁଡ଼ି ଗୋଡ଼ାଇବ । ମେହେତା ଯେମିତି ଲୋକ, ଦୁନିଆର କିଛି କଥା ତାଙ୍କୁ ଜଣା ନ ଥିଲା । ଘରସଂସାର ବରଂ ତାଙ୍କୁ ବିଷ ପରି ଲାଗୁଥିଲା ।

 

ମେହେତା ସାହେବ ସଂସାରକୁ କେବଳ ବାହାରୁ ଦେଖିଥିଲେ । ସେଥିପାଇଁ ସେ ଭାବୁଥିଲେ ଯେ, ସଂସାରେ ଖାଲି ଖରାପ କଥା ଭରି ରହିଛି, କିନ୍ତୁ ଯେତେବେଳେ ସେ ସମାଜର ଭିତରକୁ ଯିବାପାଇଁ ଚେଷ୍ଟା କଲେ, ଦେଖିଲେ, ସେଥିରେ ସେବା, ତ୍ୟାଗ, ସାହସ କୌଣସି ଗୋଟିଏ ଗୁଣର ବି ଅଭାବ ନାହିଁ, ଯଦିଓ ଆବଶ୍ୟକବେଳେ ତାହା ମିଳିବା କଷ୍ଟକର ହୋଇଥାଏ । ସେ ଯେତେବେଳେ ଦିନକୁଦିନ ମାଳତୀଙ୍କର ଦେବୀ–ଦୁର୍ଲଭ ଗୁଣସବୁ ଦେଖିବାକୁ ପାଇଲେ ସେତେବେଳେ ସେ ଉନ୍ମତ୍ତ ହୋଇ ଉଠିଲେ, ସମସ୍ତ ଧୈର୍ଯ୍ୟ ତାଙ୍କର ଲୋପ ହୋଇଗଲା । ସେହି ଦୁର୍ବଳତାକୁ ଅନ୍ୟଠାରୁ ଛପେଇବା ପାଇଁ ସେ ବହୁତ ଚେଷ୍ଟା କଲେ । କିନ୍ତୁ ତାଙ୍କୁ ଏତିକି ଜଣା ନ ଥିଲା ଯେ, ପ୍ରେମପରି ବଳିଷ୍ଠ ବସ୍ତୁକୁ ବାନ୍ଧିକରି ଅନ୍ଧକାରରେ ଲୁଚାଇରଖିବା ଅସମ୍ଭବ । କ୍ଷେତ୍ର ପାଇଲେ ସେ ତ ଆପେଆପେ ବଢ଼ିଯିବା ବସ୍ତୁ, ଯାହାର ପ୍ରାଣ ଅଛି, ତାକୁ ପ୍ରସାରରୁ ବଞ୍ଚିତ କରିପାରିବ କିଏ ?

 

ମାଳତୀଙ୍କ ବଙ୍ଗଳାରେ ଆସି ରହିଲା ଦିନଠୁ ତାଙ୍କ ସଙ୍ଗେ ଭେଟ ହେବାପାଇଁ ମେହେତାଙ୍କୁ ଦିନକେ ତିନି ଚାରିଥର ସୁବିଧା ମିଳୁଥିଲା । ଲୋକେ ଭାବୁଥିଲେ ତାଙ୍କ ଦିହିଁଙ୍କ ଭିତରେ ଚଞ୍ଚଳ ବାହାଘର ହୋଇଯିବ, ଆଉ ବେଶି ଦିନ ଡେରି ନାହିଁ । ମେହେତା ବି ମନେମନେ ସେହି ସ୍ଵପ୍ନ ଦେଖୁଥିଲେ । ଭାବୁଥିଲେ, ମାଳତୀଙ୍କର ଯଦି ସେପରି କୌଣସି ଆଶା ନ ଥାନ୍ତା, ତା’ହେଲେ ସେ କାହିଁକି ତାଙ୍କର ଏତେ ଆଦର ଯତ୍ନ କରୁଥାନ୍ତେ ? ବୋଧହୁଏ, ଶେଷଥରପାଇଁ ବିଚାର କରିନେବାପାଇଁ ତାଙ୍କୁ ସେ ଏ ପ୍ରକାର ମହଲତ ଦେଇଥିଲେ । ୟା ଭିତରେ ମେହେତାଙ୍କ ମନରେ ଏ ଧାରଣା ଦୃଢ଼ ହୋଇଯାଇଥିଲା ଯେ, ମାଳତୀଙ୍କ ବିନା ତାଙ୍କ ଜୀବନ କେବେହେଲେ ପୂର୍ଣ୍ଣ ହୋଇପାରିବ ନାହିଁ । ବାହାରକୁ ମାଳତୀ ଦେବୀ ବିଳାସପ୍ରିୟ ଜଣାପଡ଼ୁଥିଲେ ମଧ୍ୟ ଅନ୍ତରର ଶକ୍ତି ତାଙ୍କର ଯଥେଷ୍ଟ ବେଶି । ଆପଣାର ଅନ୍ତର୍ନିହିତ ଶକ୍ତି ବଳରେ ମେହେତାଙ୍କୁ ସେ ପୂର୍ଣ୍ଣତାପ୍ରାପ୍ତିରେ ସାହାଯ୍ୟ କରିପାରିବେ । କିନ୍ତୁ ଅବସ୍ଥାର ଏବେ ବହୁତ ପରିବର୍ତ୍ତନ ହୋଇଯାଇଥିଲା । ଆଗେ ସିନା ମାଳତୀଙ୍କ ଉତ୍ସାହ ଦେଖି ମେହେତାଙ୍କ ପଟ ପଡ଼ିଥିଲା, ଏବେ କିନ୍ତୁ ମେହେତାଙ୍କ ଅଧୀରତା ଦେଖି ମାଳତୀ ଦେବୀ ଟିକିଏ ଧୀର ହୋଇ ବସିଯାଇଥିଲେ । ଯେଉଁଦିନୁ ମାଳତୀ ମୁହେଁ ମୁହେଁ ଜବାବ ଦେଲେଣି, ସେଦିନୁ ତାଙ୍କୁ ଆଉ କିଛି କହିବାପାଇଁ ମେହେତାଙ୍କର ସାହସ ହେଉ ନ ଥିଲା, କିନ୍ତୁ ପାଖେ ପାଖେ ରହିବାରୁ ଦିନକୁଦିନ ଆକର୍ଷଣ ବଢ଼ି ଯାଉଥିଲା । ଦୂରରୁ ବହି ଅକ୍ଷର ସିନା ଝାପ୍‍ସା ଦେଖାଯାଉଥିଲା, କିନ୍ତୁ ପାଖରୁ ଦେଖିଲାରୁ ସବୁ ସ୍ପଷ୍ଟ ଦେଖାଗଲା, ସବୁ ଶବ୍ଦର ଅର୍ଥ ସହଜରେ ବୁଝା ପଡ଼ିଗଲା ।

 

ୟା’ ଭିତରେ ମାଳତୀ ଦେବୀ ଗୋବରାକୁ ମାଳୀ କାମପାଇଁ ରଖି ନେଇଥିଲେ । ଦିନେ ଏକ ମାଘମାସ ଶୀତରାତିରେ ମାଳତୀ ଜଣେ ରୋଗୀଘରୁ ଫେରୁଥିବାବେଳେ ହଠାତ୍ ରାସ୍ତାରେ ତାଙ୍କ ମଟରରୁ ପେଟ୍ରୋଲ ସରିଗଲା । ଶୀତ ରାତିରେ କେହି କୁଆଡ଼େ ଦେଖାଯାଉ ନଥିଲେ, ସବୁ ନିଛାଟିଆ ଜଣାପଡ଼ୁଥିଲା । ଲୋକ ଜଣେ ମିଳିଥିଲେ ଗାଡ଼ିଟାକୁ ଅନ୍ତତଃ ପେଟ୍ରୋଲ ଦୋକାନ ପର୍ଯ୍ୟନ୍ତ ପେଲି ନେଇ ଯାଇଥାନ୍ତା । ମାଳତୀ ଠିକ୍ ଏମିତି ଭାବୁଛନ୍ତି, ହଠାତ୍ ଗୋବରା ଆସି ପହଞ୍ଚିଗଲା । ଗାଡ଼ିକୁ ପେଲି ପେଲି ନେଇ ପେଟ୍ରୋଲ ଦୋକାନରେ ପହଞ୍ଚାଇଦେଲା । ମାଳତୀ ଭାରି ଖୁସି ହୋଇ ତାକୁ ପଚାରିଲେ–ତମର ଚାକେରୀ ଦରକାର ? ଗୋବରା ହଁ କଲାରୁ ମାସକୁ ପନ୍ଦର ଟଙ୍କାରେ ମାଳୀକାମ ତାକୁ ମିଳିଗଲା । ମିଲରେ ବେଶି ପଇସା ମିଳୁଥିଲେ ବି ସେଠି ନାନା ଗଣ୍ଡଗୋଳ ଦେଖି ଗୋବାରାର ଆଉ ସେଥିରେ ମନ ନ ଥିଲା, ବରଂ ବଗିଚା କାମ ତାକୁ ଭଲ ଆସୁଥିବାରୁ ସେହି କାମକୁ ସେ ଅଧିକ ପସନ୍ଦ କଲା ।

 

ତହିଁଆରଦିନଠୁ ଗୋବରା କାମ ଆରମ୍ଭ କରିଦେଲା । ରହିବାପାଇଁ ବଖରାଏ ଘର ବି ତାକୁ ମିଳିଗଲା । ଝୁନିଆ ବି ଆସି ସେଇଠି ରହିଲା । ମାଳତୀ ବଗିଚାକୁ ବୁଲିଗଲାବେଳେ ଗୋବରା ପୁଅକୁ ଧୂଳିମାଟି ହୋଇ ସେଠି ଗଡ଼ୁଥିବାର ସବୁଦିନେ ଦେଖନ୍ତି । ଦିନେ ଯେମିତି ତାକୁ ସେ ମିଠାଇଟାଏ ଦେଇଛନ୍ତି, ସେଇଦିନୁ ପିଲାଟା ତାଙ୍କୁ ଚିହ୍ନିଗଲା ଏବଂ ପ୍ରତିଦିନ ମିଠାଇ ନ ପାଇଲା ପର୍ଯ୍ୟନ୍ତ ତାଙ୍କ ପିଛା ଛାଡ଼ିଲା ନାହିଁ ।

 

ଦିନେ ମାଳତୀ ବଗିଚାରେ ବୁଲୁ ବୁଲୁ ପିଲାଟାକୁ ନ ଦେଖି ଝୁନିଆକୁ ପଚାରିବାରୁ ଜଣାଗଲା ଯେ, ପିଲାଟାକୁ ଜ୍ଵର ହୋଇଛି ।

 

ମାଳତୀ ଟିକିଏ ବ୍ୟସ୍ତ ହୋଇ କହିଲେ–ଜ୍ଵର ହୋଇଛି ଯଦି, ମୋ’ ପାଖକୁ ଆଣିଲ ନାହିଁ କାହିଁକି ? ଆଚ୍ଛା ଚାଲ, ମୁଁ ଦେଖେ ।

 

ମାଳତୀ ଯାଇ ଦେଖିଲାମାତ୍ରେ ପିଲାଟି ଅଚେତ ହୋଇ ଖଣ୍ଡେ ଖଟିଆ ଉପରେ ପଡ଼ିଛି-। ଘରଭିତର ଏମିତି ଅନ୍ଧାର, ଏମିତି ଥଣ୍ଡା, ଏତେ ଶିଉଳୀ ଏବଂ ଏତେ ମଶା ଯେ, ତା’ ଭିତରେ ମିନିଟିଏ ଛିଡ଼ାହେବା କଷ୍ଟକର । ସାଙ୍ଗେ ସାଙ୍ଗେ ଯାଇ ମାଳତୀ ଦେବୀ ଥର୍ମୋମିଟର ଆଣି ଦେଖନ୍ତି ତ ଜ୍ଵର ୧୦୪; ଭାବିଲେ ହୁଏତ ହାଡ଼ଫୁଟି ବାହାରିପାରେ । ତା’ପରେ ପୁଣି ଭାବିଲେ, ଯଦି ଅନ୍ଧାରୁଆ କୋଠରୀରେ ପିଲା ରହେ, ତେବେ ଜ୍ଵର ଆହୁରି ବଢ଼ି ଯାଇପାରେ ।

 

ସେତିକିବେଳକୁ ପିଲାଟା ଆଖି ମେଲେଇ ମାଳତୀ ଦେବୀଙ୍କୁ ସାମନାରେ ଛିଡ଼ା ହୋଇଥିବାର ଦେଖି ଅତି କରୁଣ ଭାବରେ ହାତ ବଢ଼ାଇଲା । ମାଳତୀ ସାଙ୍ଗେ ସାଙ୍ଗେ ତାକୁ କାଖକୁ ନେଇଆସି ପିଠିରେ ଥାପୁଡ଼େଇବାକୁ ଲାଗିଲେ ।

 

ମାଳତୀଙ୍କ କାଖକୁ ଆସି ପିଲାଟାକୁ ଭାରି ଭଲ ଲାଗିଲା । ତାଙ୍କ ବେକରେ ଥିବା ମୋତି ହାରଟାକୁ ସେ ଟାଣିବାରୁ ମାଳତୀ ଦେବୀ ସାଙ୍ଗେ ସାଙ୍ଗେ କାଢ଼ି ତା ବେକରେ ପିନ୍ଧାଇଦେଲେ । ପିଲାମାତ୍ରକେ ଭାରି ଲୋଭୀ । କାଳେ ସେ ପୁଣି ଛଡ଼ାଇନେବେ ଏଇ ଭୟରେ ସେ ଝୁନିଆ ପାଖକୁ ଯିବାକୁ ଚେଷ୍ଟାକଲା ।

 

ମାଳତୀ ଟିକିଏ ହସିଦେଇ କହିଲେ–ବଡ଼ ଚାଲାକ୍, ଜିନିଷ ହାତରେ ପଡ଼ିଗଲା ନା, ଆଉ ରହିବ ନାହିଁ ।

 

ଝୁନିଆ କହିଲା–ବାପଟା ପରା ଦେଇଦେ, ସେଟା ଆମର ନୁହେ, ମେମ୍ ସାହେବଙ୍କର ପରା ।

 

ପିଲାଟି ଦି’ହାତରେ ହାରକୁ ମୁଠେଇଧରି ଛାଡ଼ିବାକୁ ନାରାଜ ହେଲା ।

 

ମାଳତୀ କହିଲେ–ତୁ ପିନ୍ଧ, ମୁଁ ତୋତେ ମାଗୁନାହିଁ ।

 

ମାଳତୀ ଫେରିଆସି ସାଙ୍ଗେ ସାଙ୍ଗେ ଆପଣା ବୈଠକଖାନାକୁ ସଫା କରେଇଦେଇ ସେ ପିଲାକୁ ଏବଂ ଝୁନିଆକୁ ସେଠି ରଖାଇଦେଲେ ।

 

ସେ ଘରେ ପହଞ୍ଚିବାମାତ୍ରେ ସବୁ ଜିନିଷ ଦେଖି ମଙ୍ଗଳକୁ ଭାରି କୌତୁକ ଲାଗିଲା । ଇଲେକଟ୍ରି ପଖା, ରଙ୍ଗିନ ଆଲୁଅ, କାନ୍ଥ ଦେହରେ ଅନେକ ଚିତ୍ର । ସବୁ ଜିନିଷ ଦେଖି କୌତୁହଳରେ ସେ ଅନାଇ ରହିଲା । ମାଳତୀ ବଡ଼ ଆଦରରେ ଡାକ ପକାଇଲେ–ମଙ୍ଗଳ !

 

ମଙ୍ଗଳ ଖାଲି ଟିକିଏ ମୁରୁକି ହସିଦେଇ, ତାଙ୍କ ଆଡ଼କୁ ଚାହିଁଦେଇ ପୁଣି ନିଶ୍ଚେଷ୍ଟ ହୋଇ ପଡ଼ିରହିଲା ।

 

ମାଳତୀ ଦେବୀ ଝୁନିଆକୁ କହିଲେ–ମୋତେ ଲାଗୁଛି, ତାଠି ହାଡ଼ଫୁଟି ବାହାରିବ କି କଣ ? ଗୋବରାକୁ କହ ତମର ଘରଠେଇ ଯଦି କେହି ସ୍ତ୍ରୀଲୋକ ଥିବେ, ତେବେ ଦିଚାରିଦିନପାଇଁ ତାକୁ ଡକାଇ ଆଣିବ ଆଚ୍ଛା ତମ ଘର ଏଠିକି କେତେ ବାଟ ?

 

ଝୁନିଆ ଅନ୍ଦାଜକରି କହିଲା–ଅଠର କି କୋଡ଼ିଏ କୋଶ ହେବ ।

 

ମାଳତୀଙ୍କର ବୋଲାରୀ ଗା କଥା ମନେଥିଲା । ସେ କହିଲେ ସେହି ଗାଁ ନୁହେଁ ତ, ଯେଉଁଠି ଅଧମାଇଲ ଦୂରରେ ଗୋଟେ ନଦୀ ଅଛି ?

 

‘ହଁ ଆଜ୍ଞା, ସେଇ ଗାଁ, ହଜୁର ସେ ଗାଁ–କଥା କେମିତି ଜାଣିଲେ ?’

 

‘ଥରେ ଆମେ ସେ ଗାଁକୁ ଯାଇଥିଲୁ, ସେଠି ହୋରୀଘରେ ରାତିଏ ରହିଥିଲୁ । ତୁ ସେହି ହୋରୀକୁ ଜାଣୁ ?’

 

‘ହଜୁର, ସେ ତ ମୋ ଶ୍ଵଶୁର । ମୋ ଶାଶୁଙ୍କୁ ତାହେଲେ ତ ହଜୁର ଦେଖିଥିବେ ।’

 

‘ହଁ, ହଁ, ଦେଖିଛି । ସେତ ଭାରି ଚାଲାକ ଜଣାପଡ଼େ । ମୋ ସଙ୍ଗେ ବହୁତ କଥାବାର୍ତ୍ତା ହେଲା । ତାହେଲେ ଗୋବରାକୁ ପଠାଇଦେ, ତା ମାଆକୁ ଡାକି ଆଣିବ ।’

 

‘ସେ ତାଙ୍କୁ ଡାକିବାକୁ ଯିବେ ନାହିଁ ।’

 

‘କାହିଁକି ?’

 

‘ତା ଭିତରେ କଥା ଅଛି ।’

 

ଦିନଯାକ ଘରର ସବୁ କାମ ଝୁନିଆକୁ ଏକୁଟିଆ କରିବାକୁ ପଡ଼ୁଥିଲା । ସେଥିପାଇଁ ରନ୍ଧାରାନ୍ଧି କିଛି କରି ନ ପାରି ଯାହିତାହି ମୁଠେ ମୁହଁରେ ଦେଇ ରହିଯାଉଥିଲା । ସନ୍ଧ୍ୟାବେଳେ ମାଳତୀ ଡାକ୍ତରଖାନାରୁ ଫେରିଆସି ପିଲାଟି ପାଖରେ ବସିଲେଯାଇଁ ଝୁନିଆ ରନ୍ଧାବଢ଼ା କରୁଥିଲା । ବେଳେବେଳେ ମଙ୍ଗଳକୁ କାଖରେ ଧରି ଘଣ୍ଟା ଘଣ୍ଟା ସେ ଘରେ ଟହଲ କରୁଥିଲେ । ତିନି ଚାରି ଦିନରେ ହାଡ଼ଫୁଟି ଗୋଟି ଗୋଟି ବାହାରିବାକୁ ଲାଗିଲା । ମାଳତୀ ଦେବୀ ସାଙ୍ଗେ ସାଙ୍ଗେ ଘରେ ସମସ୍ତଙ୍କୁ ଟୀକା ଦେଇଦେଲେ । ଚାକରବାକରଙ୍କଠୁ ଆରମ୍ଭ କରି ମେହେତାଙ୍କ ପର୍ଯ୍ୟନ୍ତ କେହିହେଲେ ଛାଡ଼ ପାଇଲେ ନାହିଁ । ପହିଲେ ଦିନେ, ଛୋଟ ଛୋଟ ଦାନା ବାହାରିଥିଲା କିନ୍ତୁ ଆସ୍ତେ ଆସ୍ତେ ବରକୋଳିଆ ସବୁ ବାହାରି ଦି ଦିଟା ତିନି ତିନିଟା ଏକାଠି ଲାଗିଯାଇ ଭୟଙ୍କର ରୂପ ହୋଇଗଲା । ଦେହ ପୋଡ଼ି ଏବଂ ପୀଡ଼ାରେ ବିକା ହୋଇ ମଙ୍ଗଳ ଖାଲି ମାଳତୀଙ୍କ ଆଡ଼କୁ କରୁଣ ଦୃଷ୍ଟିରେ ଅନାଇ ରହିଲା । ବଡ଼ ମଣିଷ ଯେମିତି ବିକଳ ହୁଅନ୍ତି, ସେଇମିତି ହେଲା । ଏକା ମାଳତୀ ଦେବୀ ତାକୁ ରଖିଲେ ରଖିବେ, ଆଉ କେହି ପାରିବେ ନାହିଁ । ଏହିପରି ଭାବ ତା ଆଖିରେ ଫୁଟି ଦେଖାଯାଉଥିଲା । ମାଳତୀ ଦେବୀ ଟିକିଏ ଛାଡ଼ିଗଲେ ସେ ପାଟିକରେ, ପୁଣି ସେ ଫେରି ଆସିଲେ, ତୁନୀ ହୋଇଯାଏ । ରାତିରେ ତାକୁ ବେଶି କଷ୍ଟଦିଏ । ମାଳତୀଙ୍କୁ ସାରା ରାତି ଜଗି ବସିବାକୁ ପଡ଼େ, କିନ୍ତୁ କେବେ ସେ ଏତେ ଟିକେହେଲେ ବିରକ୍ତ ହୁଅନ୍ତି ନାହିଁ । କିନ୍ତୁ ବେଳେବେଳେ ସେ ଝୁନିଆ ଉପରେ ଭାରି ବିଗିଡ଼ନ୍ତି, କାରଣ ଝୁନିଆ ନ ବୁଝି ନ ବିଚାରି ଖାଲି ଆତୁର ହୋଇ, ନ କରିବା କଥା କରିବସେ । ତା’ର ତ ଫୁଙ୍କାଫୁଙ୍କି ଝଡ଼ାଝଡ଼ିରେ ଭାରି ବିଶ୍ୱାସ, କିନ୍ତୁ ସେ କଥା ଏଠି ହୋଇପାରୁ ନ ଥାଏ । ଦି’ ଦିଟା ପିଲାର ମା ହେଲେ ବି ପିଲା ପାଳିବାର ଢଙ୍ଗ ତାକୁ ଜଣା ନଥାଏ । ମଙ୍ଗଳ ଟିକିଏ କଣ ଅଳିକଲେ ପାଟିକରି ମିଶେ । ଗୋବରା ତ ସହଜେ ମାଳତୀଙ୍କ ଖାତିରରେ ସେ ଘରେ କେବେ ପଶେ ନାହିଁ । ଝୁନିଆଠୁ ସବୁ ଖବର ବୁଝି ବାହାରେ ଖାଇ ବାହାରେ ପଡ଼ିରହେ-। ମିଲରେ ମାଡ଼ଖାଇଲା ଦିନୁ ଗୋବରା ବଳବହପ ଭାଙ୍ଗି ଯାଇଥିଲା, ସେ ଆଉ ବେଶି କାମ କରିପାରୁ ନ ଥିଲା । ଅବଶ୍ୟ ଝୁନିଆ ଯେତେବେଳେ ବଜାରକୁ ଯାଇ ଘାସବିକି ପଇସାଆଣି ତାକୁ ଖୁଆଇପିଆଇ ଯତନରେ ରଖିଥିଲା, ସେତେବେଳେ ସେ ଟିକିଏ ଭଲ ଦିଶୁଥିଲା । କିନ୍ତୁ ଦେହ ଭଲହେଲା ପରେ, ବୋଝ ବୋହିବୋହି, ଇଟା ଚୂନରେ କାମ କରିକରି ବିଚାରାର ଅବସ୍ଥା ପୁଣି ଖରାପ ହୋଇ ଯାଇଥିଲା । ତାପରେ ଏଠି ମାଳତୀଙ୍କ ଘରେ ବହୁତ କାମ କରିବାକୁ ପଡ଼ୁଥିଲା-। ପାଣି ବୁହାଇବା, ବିଲ କୋଡ଼ିବା, ଘାସ ବାଛିବା ଗୋରୁଗାଈଙ୍କୁ କୁଣ୍ଡାତୋରାଣି ଦେବା, ଦୁହିଁବା ନାନାକାମ । ତା ଛଡ଼ା ମାଳତୀଙ୍କ ପରି ମାଲିକ, ଯେ ଦିନରାତି ତାର ଉପକାର କରିବାରେ ଲାଗିଥିଲେ, ତାଙ୍କ କାମରେ ଢିଲାମାରିବାକୁ ମନ ହୁଅନ୍ତା ଅବା କେମିତି । ନିଜେ ମାଲିକ ମେହେତା ଯେତେବେଳେ ଖୁରୁପି ଧରି ଘଣ୍ଟା ଘଣ୍ଟା ଘାସ ଉପାଡ଼ନ୍ତି, ସେଠି ଗୋବରା ଅବା ବସିରହନ୍ତା କେମିତି । ସେଦିନୁ ଦିନକୁଦିନ ବାଗ ବଗିଚା ଯେତିକି ଉଜ୍ଜ୍ୱଳ ଦେଖାଗଲା, ଗୋବରା ସେତିକି ସେତିକି ଶୁଖି ଆସିଲା ।

 

ମେହେତା ସାହେବ ବି ମଙ୍ଗଳକୁ ଭାରି ଭଲ ପାଉଥିଲେ । ଦିନେ ମାଳତି ତାକୁନେଇ ମେହେତାଙ୍କ ନିଶକୁ ଧରେଇଦେଲେ । ମଙ୍ଗଳ ଜୋରରେ ଟାଣି ଧରିଲା ଯେ, ମେହେତା ସିନା ମୁହଁରେ କିଛି କହିପାରିଲେ ନାହିଁ, କିନ୍ତୁ ମନେ ମନେ କାନ୍ଦି ପକାଇଲେ ।

 

ମେହେତା ଟିକିଏ ବିଗିଡ଼ିଯାଇ କହିଲେ–ବଡ଼ ସଇତାନ ଟୋକା ।

 

ମାଳତୀ କହିଲେ–ତମେ ନିଶ କଟେଇ ନ ଦେଇ ପିଲାଟା ଉପରେ ରଗୁଛ କାହିଁକି ?

 

‘ମୋ’ ନିଶ ମୋତେ ଭଲ ତମେ ସେଥିରୁ କ’ଣ ପାଇବ ।’

 

‘ଜାଣିଥା’ ଏକା, ଆଉଥରେ ଧରିବବୋଲେ ଉପାଡ଼ି ଦେଲେ ଯାଇଁ ଛାଡ଼ିବ ।’

 

‘ମୁଁ ତା’ ହେଲେ ତା’ କାନ ଉପାଡ଼ି ଦେବି ।’

 

ମଙ୍ଗଳକୁ ବୋଧହୁଏ ନିଶ ଉପାଡ଼ିବାକୁ ଭଲ ଲାଗେ, ସେଥିପାଇଁ ଧରିଲାମାତ୍ରେ ଜୋରରେ ଟାଣିବସେ । କାଳକ୍ରମେ ମେହେତାଙ୍କୁ ଭଲ ଲାଗିଲା କି କ’ଣ ନିଶ ଟାଣିଲେ ସେ ଆଉ କିଛି କହୁ ନଥିଲେ ।

 

ବର୍ତ୍ତମାନ ମଙ୍ଗଳର ଦୂରବସ୍ଥା ଦେଖି ମେହେତାଙ୍କୁ ଭାରି ଖରାପ ଲାଗିଲା । ବିଚାରା ନିତି ଆସି ଦେଖିଯାନ୍ତି । ମନେ ମନେ ଭାରି ଦୁଃଖିତ ହୁଅନ୍ତି । ତାଙ୍କ ଧାଁ ଧପଡ଼ରେ ଯଦି ସେ ଭଲ ହୋଇଯାନ୍ତା, ତେବେ ଯେତେ ଦୌଡ଼ିବାକୁ ପଡ଼ିଲେ ମଧ୍ୟ ସେ ଆପତ୍ତି କରନ୍ତେ ନାହିଁ, କିମ୍ବା ପଇସାପତ୍ରରେ ଯଦି ଭଲ ହୁଅନ୍ତା, ତେବେ ଭିକମାଗିବା ପର୍ଯ୍ୟନ୍ତ ଦରକାର ପଡ଼ିଲେ ବି ସେ କରନ୍ତେ । କିନ୍ତୁ ସେଥିରେ କ’ଣ ଭଲ ହେବାର କିଛି ଉପାୟ ଥିଲା ? ପିଲାଟି ହାତରେ ଟିପଦେବାକୁ ମେହେତା ସାହେବଙ୍କୁ ଡର ଲାଗୁଥିଲା, କାଳେ ଗୋଟାଏ ଫୋଟକା ଫାଟିଯିବ । କିନ୍ତୁ ମାଳତୀ ତା’କୁ ହାତରେ କାନ୍ଧରେ ଧରି ଘଣ୍ଟା ଘଣ୍ଟା ବୁଲାଉଥିଲେ, ଦୁଧ ପିଆଉଥିଲେ । ଏସବୁ ଦେଖି ତାଙ୍କ ପ୍ରତି ମେହେତାଙ୍କର ସମ୍ମାନ କେତେ ଯେ ବଢ଼ିଗଲା, ତା’ର ସୀମା ରହିଲା ନାହିଁ । ସତେ ଯେମିତି ମାଳତୀ ଏକ ଜୀବନ୍ତ ଦେବୀମୂର୍ତ୍ତି, ମାୟାମୟୀ ଓ ମାତୃତ୍ଵର ଅବିକଳ ପ୍ରତିମୂର୍ତ୍ତି; ଯେ ପରଆପଣା ସବୁ ଭୁଲିଯାଇ ପରପାଇଁ ସବୁ ତ୍ୟାଗ କରି ପାରନ୍ତି । ସତେ ଯେମିତି ଆଜିପର୍ଯ୍ୟନ୍ତ ଅନ୍ତରରେ ସଞ୍ଚିତ ସବୁ ମାତୃତ୍ଵ ସେ ଦୁଇ ହାତରେ ଅନ୍ୟ ଉପରେ ଅଜାଡ଼ି ଦେଇଛନ୍ତି-। ମାତୃତ୍ଵର ଅପରୂପ ସୌନ୍ଦର୍ଯ୍ୟ ସତେ ଯେମିତି ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରୁ ଝରି ପଡ଼ୁଛି-। ମାଳତୀଙ୍କର ଉପର ଚାକଚକ୍ୟ, ଉପର ସୌନ୍ଦର୍ଯ୍ୟ କେବଳ ଅନ୍ତର୍ନିହିତ ସୌନ୍ଦର୍ଯ୍ୟର ଯୋଗ୍ୟ ଆବରଣ ଛଡ଼ା ଅନ୍ୟ କିଛି ନୁହେ ।

 

ସେଦିନ, ରାତି ଗୋଟାଏ ବାଜିଯାଇଥିଲା । ହଠାତ୍ ପିଲାର ଖୁବ୍ ପାଟି ଶୁଣି ମେହେତା ସାହେବ ଚମକି ପଡ଼ିଲେ । ଭାବିଲେ, ମାଳତୀ ବିଚାରା ବାରଟା ପର୍ଯ୍ୟନ୍ତ ଅନିଦ୍ରା ହୋଇଥିବେ ନିଶ୍ଚୟ । ତାକୁ ପୁଣି ଉଠାଇବା ଅପେକ୍ଷା ନିଜେ ଯାଇ ତୁନୀ କରିଦେଇ ଆସିଲେ ଭଲ । ଉଠିକରି ଯାଇ କାଚ ଝରକା ଦେହରେ ଅନେଇ ଦେଖନ୍ତି ତ’ ମାଳତୀ ପିଲାକୁ କୋଳରେ ଧରି, ଯେତେ ତୁନୀ କରୁଛନ୍ତି, ଯେତେ ଭୁଲାଉଛନ୍ତି, ସେ କେଉଁଥିରେ ହେଲେ ତୁନୀ ହେଉନାହିଁ । ବିଚାରୀ ତା’କୁ କୋଳରେ ଧରି ଘରଭିତରେ ବୁଲୁଛନ୍ତି । ପିଲା ବୋଧହୁଏ କୌଣସି କାରଣରୁ ଡରିଯାଇଥିଲା କିମ୍ବା ସ୍ଵପ୍ନ ଦେଖିଥିଲା । ମାଳତୀଙ୍କର ଏପରି ଗଭୀର ବାତ୍ସଲ୍ୟ, ଅକୃତିମ ମାତୃତ୍ଵ ଦେଖି ମେହେତାଙ୍କ ଆଖି ଛଳ ଛଳ ହୋଇଗଲା । ମନେ ମନେ ଭାବିଲେ ସେହି ମୁହୂର୍ତ୍ତରେ ଯାଇ ମାଳତୀଙ୍କ ପାଦତଳେ ପଡ଼ି ସେ କହନ୍ତେ–ପ୍ରିୟେ, ମୋ ସ୍ଵର୍ଗ ଅଧିଷ୍ଠାତ୍ରି, ହୃଦୟର ରାଣୀ, ମାଇଁ ଡାର୍ଲିଙ୍ଗ୍ !

 

ଏହିପରି ପ୍ରେମୋନ୍ମତ୍ତ ହୋଇ ମେହେତା ଡାକ ପକାଇଲେ–ମାଳତୀ, ଟିକିଏ କବାଟ ଫିଟା’ ତ ।

 

ମାଳତୀ କବାଟ ଖୋଲିଦେଇ ପ୍ରଶ୍ନସୂଚକ ଦୃଷ୍ଟିରେ ତା’ଙ୍କୁ ଅନାଇ ରହିଲେ । ମେହେତା ପଚାରିଲେ–ଝୁନିଆ ଉଠି ନାହିଁକି ? ପିଲାଟା ତ ଭାରି କାନ୍ଦୁଛି ।

 

ମାଳତୀ ସହାନୁଭୂତି ଦେଖାଇ କହିଲେ–ଆଜି ଅଷ୍ଟମ ଦିନ ନା, ଭାରି କଷ୍ଟ ହେବା କଥା, ସେଥିପାଇଁ କାନ୍ଦୁଛି ।

 

ତା’ହେଲେ ଆଣ, ମୁଁ ଟିକିଏ ଧରେ, ତମକୁ ଭାରି କଷ୍ଟ ହେବଣି ।’

 

ମାଳତୀ ଟିକିଏ ହସିଦେଇ କହିଲେ–ଅଳ୍ପ ଟିକିଏ ଧରୁ ଧରୁ ତମକୁ କାଟିବ, ତମେ ପୁଣି ବିଗିଡ଼ିଯିବ ।

 

କଥାଟା ସତ, ହେଲେ ଆପଣା ଦୁର୍ବଳତା କିଏ ସ୍ଵୀକାର କରିବ କାହିଁକି ?

 

ମେହେତା ଜିଦ୍ କରି କହିଲେ–ତମେ କ’ଣ ମୋତେ ଏଡ଼େ ନିକମା ବୋଲି ଭାବିଛ ?

 

ମାଳତୀ ମେହେତାଙ୍କ ହାତକୁ ପିଲାଟିକୁ ବଢ଼ାଇଦେଲେ । ପିଲାଟି ତାଙ୍କ କୋଳକୁ ଗଲାମାତ୍ରେ ଚୁପ୍ ହୋଇଗଲା । ସତେ ଯେମିତି ପିଲାଟିର ଅନ୍ତରଭିତରୁ ତା’କୁ କିଏ ଜ୍ଞାନ ଦେଇଦେଲା ଯେ, ପୁରୁଷଲୋକ ବଡ଼ ନିର୍ଦ୍ଦୟ । ତାଙ୍କ ପାଖରେ କାନ୍ଦିକରି କିଛି ଲାଭ ନାହିଁ । ବରଂ କାନ୍ଦିଲେ ବିରକ୍ତ ହୋଇ ଅନ୍ଧାରରେ ବାହାରେ ଶୁଆଇଦେଇ ସେ ଚାଲିଯିବେ, ଆଉ କେହି ସାହାଭରସା ହେବେ ନାହିଁ ।

 

ମେହେତା ଗର୍ବରେ ଫୁଲିଯାଇ କହିଲେ–ଦେଖିଲ, କେମିତି ତୁନୀ କରିଦେଲି ।

 

ମାଳତୀ କହିଲେ–ହଁ, ଏ ବିଦ୍ୟା ତମକୁ ବେଶ୍ ଜଣା, ହେଲେ, କେଉଁଠୁ ଶିଖିଲ ୟା’କୁ ?

 

‘ତମରି ଠାରୁ ତ, ପୁଣି କେଉଁଠୁ ?’

 

‘ମୁଁ ସ୍ତ୍ରୀଲୋକ, ମୋ’ ଉପରେ ବିଶ୍ୱାସ କରିବା ତମର ଉଚିତ ନୁହେଁ ।’

 

‘ମେହେତା ଟିକିଏ ଲଜ୍ଜିତ ହୋଇ କହିଲେ–ମାଳତୀ, ମୁଁ ହାତ ଯୋଡ଼ି କରି କହୁଛି ସେ ପୁରୁଣା କଥାଗୁଡ଼ା ଆଉ ମନେପକା ନାହିଁ । ଏଇ କେତେମାସ ହେଲା ମୁଁ କେତେ ପସ୍ତେଇଛି, କେତେ ଲଜ୍ଜିତ ହୋଇଛି, କେତେ ଦୁଃଖିତ ହୋଇଛି, ତାହା ଏକା ଭଗବାନ ଜାଣନ୍ତି ।’

 

ମାଳତୀ କହିଲେ–ସତ କହୁଛି, ମୁଁ ସବୁ ଭୁଲି ଯାଇଛି ।

 

‘ତମେ ଭୁଲିଯାଇଛି ବୋଲି ପ୍ରମାଣ କ’ଣ ?’

 

‘ତା’ର ପ୍ରମାଣ ହେଉଛି, ଆମେ ଏକାଘରେ ରହୁଛେ, ଏକାଠି ପାଉଛେ ଏକାଠି କଥାବାର୍ତ୍ତା, ହସଖେଳ ସବୁ କରୁଛେ ।’

 

‘ଆଚ୍ଛା, କିଛି ମାଗିବାପାଇଁ ତମେ ମୋତେ ଅନୁମତି ଦେବ କି ?’

 

ତା’ପରେ ସେ ପିଲାଟିକୁ ଖଟରେ ଶୁଆଇଦେଇ ଅତି କରୁଣ ଦୃଷ୍ଟିରେ ମାଳତୀଙ୍କ ଆଡ଼କୁ ଅନାଇ ରହିଲେ । ସତେ ଯେମିତି ମାଳତୀଙ୍କ ବରଦାନ ଉପରେ ତାଙ୍କ ଜୀବନର ସମସ୍ତ ସୁଖ ନିର୍ଭର କରୁଥିଲା ।

 

ମାଳତୀ କାନ୍ଦ କାନ୍ଦ ହୋଇ କହିଲେ–ତମେ ଜାଣ, ଏ ଦୁନିଆରେ ତମଛଡ଼ା ମୋ’ର ଆଉ ନିକଟର ହୋଇ କେହି ନାହିଁ । ଅନେକ ଦିନୁ ତମ ପାଦତଳେ ମୁଁ ନିଜକୁ ସମର୍ପଣ କରିଦେଇଛି । ତମେ ହେଉଛ ମୋ’ର ସବୁ, ମୋ’ର ଦେବତା, ମୋ’ର ଗୁରୁ ମୋ’ର ପଥପ୍ରଦର୍ଶକ-। ମୋ’ଠୁ ମାଗିବାର କିମ୍ବା ଅନୁମତି ଭିକ୍ଷା କରିବାର ତମର କିଛି ନାହିଁ । ତମର କେବଳ ଅଙ୍ଗୁଳି ନିର୍ଦ୍ଦେଶ କରିବାର କଥା । ଯେତେଦିନଯାଏ ମୁଁ ତମକୁ ଜାଣି ନ ଥିଲି, କିମ୍ବା ତୁମ ସ୍ଵରୂପ ଦେଖି ନଥିଲି, ସେତେଦିନଯାଏ ମୁଁ କେବଳ ଆତ୍ମସେବା ଓ ଆତ୍ମସୁଖରେ ମାତି ରହିଥିଲି । ମାତ୍ର ତମ ସଙ୍ଗେ ଦେଖାହେବାଦିନୁ ମୋ’ର ସବୁ ପରିବର୍ତ୍ତନ ହୋଇଯାଇଛି । ମୁଁ କେବେହେଲେ ଜୀବନରେ ତମର ଏ ଋଣ ସୁଝିପାରିବି ନାହିଁ । ସେଦିନ ନଦୀ କୂଳରେ ତମେ ଯାହା ସବୁ କହିଲ ମୁଁ ତାକୁ କାନିରେ ବାନ୍ଧି ରଖିଛି । ମୋତେ ନ ଜାଣିଥିବା ଲୋକେ ମୋ’ ବିଷୟରେ ଯାହା କହନ୍ତେ, ତମେ ମୋତେ ଏତେ ଜାଣିକରି ବି ସେୟା କହିଲ । ସେଥିପାଇଁ ମୋତେ ଭୟଙ୍କର କଷ୍ଟହେଲା । ଅବଶ୍ୟ ତମେ ଯାହା କହିଲ ସେଥିପାଇଁ ଦାୟୀ ନିଶ୍ଚୟ ମୁଁ, ହେଲେ, ତମଠାରୁ ଅମୂଲ୍ୟ ପ୍ରେମ ପାଇକରି ମଧ୍ୟ ମୁଁ ପୂର୍ବପରି ରହିବି, ଏକଥା ତମ ମନକୁ ଆସିଲା କେମିତି ? ମୁଁ ତମଠୁ ଏପରି କଥା କେବେହେଲେ ଆଶା କରି ନ ଥିଲି । ଏକଥା କହି ତମେ ମୋ ପ୍ରତି ବଡ଼ ନିଷ୍ଠୁରତା କରିଛ । ତମର ସ୍ନେହ ମମତା ଲାଭକରି ବର୍ତ୍ତମାନ ମୁଁ କେତେ ଗୌରବ ଅନୁଭବ କରୁଛି, ସେକଥା ଏକା ମୁଁ ଜାଣେ । ଏ ଦୁନିଆରେ ଆଉ ତା’ଠୁବଳି ମୂଲ୍ୟବାନ ବସ୍ତୁ ମୋ’ ପକ୍ଷରେ କିଛି ନାହିଁ । ସେତିକି ମିଳିଲେ ମୋର ଅପୂର୍ଣ୍ଣ ଜୀବନ ପୂର୍ଣ୍ଣହୋଇ ଉଠିବ, ନିରର୍ଥକ ଜୀବନ ସାର୍ଥକ ହେବ ।

 

ମାଳତୀ ଦେବୀ ଏକଥା କହୁ କହୁ ଭାବାବେଶରେ ଏମିତି ଉଚ୍ଛୁଳି ପଡ଼ିଲେ ଯେ, ମନହେଲା, ମେହେତାଙ୍କ ଛାତିରେ ସେ ଲୋଟିଯା’ନ୍ତେ । ଭିତରର ଆନନ୍ଦ, ବାହାର ଅଙ୍ଗପ୍ରତ୍ୟଙ୍ଗରେ ସବୁଆଡ଼େ ଫୁଟି ଉଠିଲା । ରୋମମୂଳ ସବୁ ଟାଙ୍କୁରି ଉଠିଲା, ମୁହଁରେ ଏକପ୍ରକାର ଅପୂର୍ବ ଜ୍ୟୋତି ବିକାଶି ଉଠିଲା । ସତେ ଯେମିତି ସେ ସାମାନ୍ୟ ନାରୀ ନୁହନ୍ତି, ପବିତ୍ରତାର ଏକ ପରମ ପ୍ରତିମା–ଏକ ଦେବୀ ।

 

ୟା’ଭିତରେ ଝୁନିଆ ଉଠିପଡ଼ିବାରୁ ମେହେତା ସାହେବ ଆପଣା କୋଠରୀକୁ ଚାଲିଗଲେ । ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମାଳତୀଙ୍କ ସାଙ୍ଗରେ ତାଙ୍କର ଆଉ ଦେଖାହେଲା ନାହିଁ । ମାଳତୀ ତାଙ୍କୁ ଆଉ ଏକାନ୍ତରେ ଦେଖାଦେଲେ ନାହିଁ । ତାଙ୍କର ସେହି ରାତିରେ କଥାସବୁ ମେହେତାଙ୍କ କାନରେ ବାରମ୍ବାର ଗୁଞ୍ଜରି ଉଠୁଥିଲା । ସେଥିରେ କେତେ ବିନୟ କେତେ ସାନ୍ତ୍ଵନା, କେତେ ନିରାଶା ଯେ ଭରି ରହିଥିଲା ତାହା ସେହି କେବଳ ଜାଣନ୍ତି ।

 

ପନ୍ଦର ଦିନ ଭିତରେ ମଙ୍ଗଳ ପୂରାପୂରି ଭଲ ହୋଇଗଲା । ତା’ ମୁହଁରେ ହାଡ଼ଫୁଟିର ଦାଗ ପର୍ଯ୍ୟନ୍ତ ରହିଲା ନାହିଁ । ମାଳତୀ ଦେବୀ ଖୁସି ହୋଇ ସାଇପଡ଼ିଶା ପିଲାଙ୍କୁ ଖୁବ୍ ମିଠାଇ ଖୁଆଇଲେ, ଆଉ ଯାହାସବୁ ମାନସିକ କରିଥିଲେ ସବୁ ପୂରଣ କଲେ । ପରସେବାରେ ଯେଉଁ ନିର୍ମଳ ଆନନ୍ଦ, ଆଜି ଜାଣି ସେ ତାହା ଉପଭୋଗ କଲେ । ଗୋବରା ଓ ଝୁନିଆ ଦୁହିଁଙ୍କର ମିଳିତ ଆନନ୍ଦ, ସତେ ଯେମିତି ମାଳତୀଙ୍କ ଅନ୍ତରରେ ବିକଶି ଉଠିଲା । ଜୀବନରେ ସେ ଯେତେ ଭୋଗବିଳାସ କରିଥିଲେ, ସେବା ନିକଟରେ ସେ ସମସ୍ତ ଆଜି ତାଙ୍କୁ ତୁଚ୍ଛ ମନେହେଲା । ଫଳ ଲାଗିଲେ ଫୁଲ ଯେମିତି ମଉଳି ପଡ଼େ, ସେବା, ତ୍ୟାଗର ଅନୁଭବରେ ଭୋଗବିଳାସର ସମସ୍ତ ସ୍ଵପ୍ନ ମନରୁ ତାଙ୍କର ମଉଳି ପଡ଼ିଲା । ଜୀବନର ସମସ୍ତ ସ୍ଥୁଳ ସୁଖ ତାଙ୍କ ନିକଟରେ ବିଭତ୍ସ ରୂପରେ ଦେଖାଦେଲା । ଏବେ ଆଉ ମଟର ଚଢ଼ାରେ କିଛି ସୁଖ ନଥିଲା କିମ୍ବା ସାଇପଡ଼ିଶାର ଶହ ଶହ ଭଙ୍ଗା କୁଡ଼ିଆ ପାଖରେ କୋଠା ମହଲାରେ ରହିବାର ଆନନ୍ଦ ନଥିଲା । ଛୋଟପିଲା ମଙ୍ଗଳ, ଜାଣି ତାଙ୍କ ଆଖି ଫିଟାଇ ଦେଇଥିଲା, ପ୍ରକୃତ ସୁଖର ସ୍ଵାଦ ତାଙ୍କୁ ଚଖାଇ ଦେଇଥିଲା ।

 

ଦିନେ ମେହେତାଙ୍କର ଖୁବ୍ ମୁଣ୍ଡ ବଥାଇଥିଲା । ବିଚରା ଖଟରେ ପଡ଼ି ଛଟପଟ ହେଉଥାନ୍ତି, ହଠାତ୍ ମାଳତୀ ଆସି ମୁଣ୍ଡରେ ହାତଦେଇ ପଚାରିଲେ–କେତେବେଳୁ ଆରମ୍ଭ ହେଲାଣି-

 

ମେହେତାଙ୍କୁ ଜଣାଗଲା, ମାଳତୀଙ୍କ କୋମଳ ହାତ ବାଜିଲାମାତ୍ରେ ସତେ ଯେମିତି ସବୁ ବ୍ୟଥା କୁଆଡ଼େ ଉଡ଼ିଗଲା । ମେହେତା ଉଠିପଡ଼ି କହିଲେ–ଆଜି ଦୁଇ ପ୍ରହରୁ ଆରମ୍ଭ ହେଲାଣି । ଏମିତି ବ୍ୟଥା ମୋର ଆଉ କେବେହେଲେ ହୋଇ ନଥିଲା । କିନ୍ତୁ ତମ ହାତ ବାଜିଲାମାତ୍ରେ କୁଆଡ଼େ ସବୁ ଉଡ଼ିଗଲା । ଯାହା ଦେଖୁଛି ଏସବୁ ତମ ହାତର କାରସାଦି ।

 

ମାଳତୀ ସାଙ୍ଗେ ସାଙ୍ଗେ ଔଷଧ ଆଣି ତାଙ୍କୁ ଖୁଆଇ ଦେଲେ । ବେଶି କଥାବାର୍ତ୍ତା ନ କରିବାପାଇଁ କହିଦେଇ ବାହାରିଯିବାକୁ ବସିଥିଲେ କିନ୍ତୁ ମେହେତା ସାହେବ କହିଲେ–କ’ଣ ମୋ’ ପାଖରେ ଟିକିଏ ବସିବ ନାହିଁ ?

 

ମାଳତୀ କବାଟ ପାଖରୁ ଫେରିଆସି କହିଲେ–ଏତେବେଳେ କଥାବାର୍ତ୍ତା କଲେ ମୁଣ୍ଡ ପୁଣି ବଥାଇପାରେ, ସେଥିପାଇଁ ମୁଁ କହୁଛି ତୁନୀ ହୋଇ ଶୋଇପଡ଼ । ମୁଁ ତ ଦେଖୁଛି ଆଜିକାଲି ତମେ ସବୁବେଳେ ଲେଖପଢ଼ାରେ ଲାଗିଛ । ଦୁଇ ଚାରି ଦିନ ଲେଖାପଢ଼ା ଛାଡ଼ିଦେଲେ ବରଂ ଭଲ ହୁଅନ୍ତା ।

 

‘କ’ଣ ତମେ ଏତେ ଟିକିଏ ବି ବସିବ ନାହିଁ ?’

 

‘ମୋତେ ବର୍ତ୍ତମାନ ଜଣେ ରୋଗୀ ଦେଖିଯିବାକୁ ଅଛି ।’

 

‘ଆଚ୍ଛା, ତା’ହେଲେ ଯା’ ।’

 

ମେହେତାଙ୍କ ଚେହେରାଟା ହଠାତ୍ ଏମିତି ମଉଳି ପଡ଼ିଲାପରି ଦେଖାଗଲା ଯେ, ମାଳତୀ ଆଉ ଯାଇ ନ ପାରି ଫେରିଆସି କହିଲେ–ଆଚ୍ଛା, କ’ଣ କହୁଛ କୁହ ।

 

ମେହେତା ଟିକିଏ ଆନମନା ହୋଇ କହିଲେ–ନାହିଁ, ସେମିତି କିଛି ନାହିଁ, କିନ୍ତୁ ଏତେ ରାତିରେ ତମେ କେଉଁ ରୋଗୀକୁ ଦେଖିବାକୁ ଯାଉଛ ?

 

‘ଏହି ରାୟସାହେବ ଝିଅଙ୍କୁ । ଅବସ୍ଥା ତାଙ୍କର ଭାରି ଖରାପ ହୋଇ ଯାଇଥିଲା, ଏବେ ଟିକିଏ ବାଟକୁ ଆସିଗଲାଣି ।’

 

ମାଳତୀ ଚାଲିଯିବା ପରେ ମେହେତା ପୂର୍ବପରି ଖଟରେ ପଡ଼ି ରହିଲେ । ମନରେ ତାଙ୍କର କେତେ ଚିନ୍ତା, କେତେ କଳ୍ପନା ଖେଳିଗଲା । ଭାବିଲେ, ମାଳତୀଙ୍କ ହାତ ବାଜିବାମାତ୍ରେ କେମିତି ମୁଣ୍ଡବ୍ୟଥା ବନ୍ଦ ହୋଇଗଲା । ନିଶ୍ଚୟ ମାଳତୀଙ୍କ ହାତରେ କୌଣସି କୁହୁକ ଅଛି । ଆପଣା ତପସ୍ୟା, ଆପଣା ସାଧୁତା ଛଡ଼ା କୁହୁକ ଅବା ଆଉ କ’ଣ ହୋଇପାରେ । ତାଙ୍କ ଆଖିରେ ମାଳତୀ ଆଉ ସାମାନ୍ୟ ନାରୀ ନ ଥିଲେ, ସେ ଥିଲେ ଏକ ଦୀପ୍ତିମୟୀ ତାରକା; ପ୍ରେମର ବସ୍ତୁ ନୁହନ୍ତି, ବରଂ ଶ୍ରଦ୍ଧାଭକ୍ତିର ବସ୍ତୁ । ମେହେତା ସାହେବ ପ୍ରେମରେ ଯେତିକି ସୁଖ–କଳ୍ପନା କରିଥିଲେ, ତା’ଠୁ ଅଧିକ କରିଥିଲେ ଶ୍ରଦ୍ଧାରେ । ପ୍ରେମରେ ଅଭିମାନ ଥାଏ, ଆପଣା ମହତ୍ତ୍ୱ ବି କିଛି ଥାଏ, କିନ୍ତୁ ଶ୍ରଦ୍ଧାରେ ଥାଏ କେବଳ ଆତ୍ମସମର୍ପଣ; ତହିଁରେ ଆତ୍ମବଡ଼ିମାର ପ୍ରଶ୍ନ ପଯ୍ୟନ୍ତ ନଥାଏ । ପ୍ରେମରେ ତ ମନୁଷ୍ୟ ପ୍ରତିଦାନ ଚାହେଁ, ମାତ୍ର ଶ୍ରଦ୍ଧାରେ ଆତ୍ମଦାନ ତଥା ଆତ୍ମସତାର ଲୋପରେ ହିଁ ମନୁଷ୍ୟ ସୁଖ ଅନୁଭବ କରିଥାଏ ।

 

ମେହେତା ତିନି ବର୍ଷ ହେଲା ଦର୍ଶନପୁସ୍ତକ ଲେଖୁଥିଲେ ଓ ଯହିଁରେ ପୃଥିବୀର ସମସ୍ତ ଦର୍ଶନର ସମନ୍ୱୟ କରିଥିଲେ, ତାଙ୍କୁ ସେ ମାଳତୀଙ୍କ ନାମରେ ଉତ୍ସର୍ଗ କରିଥିଲେ । ବିଲାତରୁ ଯେତେବେଳେ ସେ ବହି ଛପାହୋଇ ଆସିଲା ଏବଂ ମେହେତା ଯେତେବେଳେ ପ୍ରଥମ ଖଣ୍ଡ ମାଳତୀଙ୍କୁ ଭେଟି ଦେଲେ, ମାଳତୀ ସେଥିରେ ନିଜ ନାଁ ଦେଖି ଆଶ୍ଚର୍ଯ୍ୟ ହେଲେ ସେତିକି ଦୁଃଖ ବି କଲେ ।

 

ମେହେତା କହିଲେ–ତୁମେ କେଡ଼େ ବଡ଼ ଭୁଲ କଲ ସତେ ! ମୁଁ ତ ନିଜକୁ କେବେହେଲେ ଏତେ ଯୋଗ୍ୟ ମନେ କରିନାହିଁ ।

 

ମେହେତା ଗର୍ବରେ ଫୁଲିଯାଇ କହିଲେ–ମୁଁ ତ ଭାବୁଛି ଏହା କିଛି ନୁହେଁ । ଗୋଟାଏ କାହିଁକି, ମୋଟ ଯଦି ଶହେଟା ଜୀବନ ଥା’ନ୍ତା, ତେବେ ସମସ୍ତ ଜୀବନକୁ ତମ ପାଦତଳେ ଉତ୍ସର୍ଗ କରିଦେଇ ମୁଁ ସୁଖୀ ହୋଇଥାଆନ୍ତି ।

 

‘ମୋ’ରି ପାଦତଳେ, ଯେ ଜୀବନରେ ଆପଣା ସ୍ଵାର୍ଥ, ଆପଣା ସେବା ଛଡ଼ା ଅନ୍ୟ କିଛି ଜାଣେ ନାହିଁ !”

 

‘ତମ ନିଃସ୍ଵାର୍ଥ ସେବା, ତମ ତ୍ୟାଗରୁ ଯଦି ମୋତେ ଏତେ ଟିକେ ବି ମିଳିଥାନ୍ତା, ମୁଁ ଜୀବନକୁ ସାର୍ଥକ ମନେ କରିଥାନ୍ତି । ପ୍ରକୃତରେ ମାଳତି, ତୁମେ ନାରୀ ନୁହ, ଦେବୀ ।’

 

‘ପଥର ତିଆରି ଦେବୀ ବୋଲି ତାହାହେଲେ କହୁନ’ କାହିଁକି ?

 

‘ପଥର ନୁହଁ, ତ୍ୟାଗ, ସେବା, ପବିତ୍ରତା ଯାହା କିଛି କହ ।’

 

‘ତମେ ତା’ହେଲେ ତ ମତେ ଆଚ୍ଛା ବୁଝିଛ । ମୁଁ ଆଉ ତ୍ୟାଗ, ଇଏ କେବେ ସମ୍ଭବ ହୋଇପାରେ । ସେବା, ତ୍ୟାଗର ଚିନ୍ତା ତ ଦିନେହେଲେ କେବେ ମୋ ମନରେ ଆସି ନାହିଁ । ମୁଁ ଯାହା କିଛି କରିଛି, ସବୁ ଆପଣା ସ୍ଵାର୍ଥ ପାଇଁ । ଯଦି କେତେବେଳେ ମୁଁ କରୁଣ ଗାନ ଗାଇଛି, ତା’ ଦୁଃଖୀ ମନରେ ଶାନ୍ତ୍ଵନା ଦେବାପାଇଁ ନୁହେଁ, ବରଂ ନିଜ ମନକୁ ସୁଖୀ କରିବାପାଇଁ । ସେହିପରି ଯଦି ଦୁଃଖୀରଙ୍କିଙ୍କୁ କେବେ ଔଷଧ ପତ୍ର ଦେଇଛି, ତେବେ ତାହା ତ୍ୟାଗ ପାଇଁ ନୁହେଁ, ବରଂ ଆପଣା ମନକୁ ଖୁସି କରିବାପାଇଁ । ବୋଧହୁଏ, ମନୁଷ୍ୟ ପ୍ରାଣରେ ଯେଉଁ ସୁପ୍ତ ଅହଂକାର ଅଛି, ତାକୁଇ ପୁଷ୍ଟ କରିବାପାଇଁ ମୁଁ ଏସବୁ କରିଛି । ଏଥିରେ ପୁଣି ତମେ ମୋତେ ଦେବୀ ବନେଇ ଦେଇଛ ! ଦେବୀ ତ କହି ସାରିଲେଣି, ଏବେ ଖାଲି ଧୂପଦୀପ ଦେଇ ପୂଜା କରିବାଟା ବାକି ରହିଛି-

 

ମେହେତା କାତର ହୋଇ କହିଲେ–ନୂଆ ଆଉ କରିବି କ’ଣ, ମୁଁ ତ ବର୍ଷ ବର୍ଷ ଧରି ତମକୁ ପୂଜା କରିଆସୁଛି । ଯେତେଦିନ ପର୍ଯ୍ୟନ୍ତ ତମଠୁ ବର ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ ଏମିତି କରୁଥିବି ।

 

ମାଳତୀ ଟିକିଏ ପରିହାସ କରି କହିଲେ–ତା’ହେଲେ ବର ମିଳିଗଲା ପରେ ଦେବୀଙ୍କୁ ମନ୍ଦିରରୁ ବାହାରକରି ଫିଙ୍ଗିଦେବ ନା କ’ଣ ?

 

ମେହେତା କହିଲେ–ବରଦାନ ମିଳିବା ପରେ ମୋର ତ ଆଉ କୌଣସି ସ୍ଵତନ୍ତ୍ର ସତ୍ତା ରହିବ ନାହିଁ । ଦେବତାଙ୍କ ଦେହରେ ଭକ୍ତ ଆପେ ଆପେ ମିଳାଇ ଯିବ ।

 

ମାଳତୀ ଟିକିଏ ଗମ୍ଭୀର ହୋଇ କହିଲେ–ଦେଖ ମେହେତା ସାହେବ, ମୁଁ ତ ଗଲା କେତେମାସ ହେଲା ଏକଥା ବରାବର ଭାବୁଛି ଯେ, ସ୍ୱାମୀ–ସ୍ତ୍ରୀ ହୋଇ ରହିବା ଅପେକ୍ଷା ବନ୍ଧୁ ହୋଇ ରହିବା ଯଥେଷ୍ଟ ଭଲ । ତମେ ମୋତେ ଭଲପାଉଛ, ମୋ’ ଉପରେ ତମର ବିଶ୍ଵାସ ଅଛି, ଆଜି ହୁଏତ ଦରକାର ପଡ଼ିଲେ ମୋପାଇଁ ତମେ ପ୍ରାଣ ବି ଦେଇପାର । ମୁଁ ତମକୁ କେବଳ ମୋର ପଦପ୍ରଦର୍ଶକ ବୋଲି ଭାବିନାହିଁ, ବରଂ ପ୍ରାଣରକ୍ଷକ ବୋଲି ଭାବିଛି । ମୁଁ ତମକୁ ଭଲପାଏ, ତମକୁ ବିଶ୍ଵାସ କରେ, ଦୁନିଆରେ ଏମିତି କୌଣସି ତ୍ୟାଗ ନାହିଁ, ଯାହା ମୁଁ ତମପାଇଁ କରି ନ ପାରିବି । ଭଗବାନଙ୍କଠାରେ ମୋର ଏହି ପ୍ରାର୍ଥନା ଯେ, ଚିରକାଳ ସେ ମୋତେ ଏହି ବୁଦ୍ଧି ଦିଅନ୍ତୁ । ଆତ୍ମବିକାଶ ପାଇଁ ୟା’ଠୁ ଅଧିକ ଆଉ ମଣିଷର କ’ଣ ଦରକାର । ସ୍ତ୍ରୀ–ପୁରୁଷ ଏକାଠି ହୋଇ, ଘର–ସଂସାରର ଛୋଟ ପିଞ୍ଜରାଟିରେ ନିଜକୁ ଭର୍ତ୍ତିକରି, ଖାଲି ନିଜ ସୁଖଦୁଃଖ ଚିନ୍ତାକରି, ମଣିଷ କେବେହେଲେ ବିକଶିତ ହୋଇପାରେ ନାହିଁ, କିମ୍ବା କେବେ ସେହି ଅସୀମର ସତ୍ତା ଅନୁଭବ କରିପାରେ ନାହିଁ । ସଂସାର କେବଳ ବନ୍ଧନ ଛଡ଼ା ଅନ୍ୟ କିଛି ନୁହେଁ । ହଁ, ଦୁନିଆରେ ଏମିତି କେତେ ମହାପୁରୁଷ ଅଛନ୍ତି, ଯେଉଁମାନେ ସଂସାର ବନ୍ଧନରେ ରହି ମଧ୍ୟ ଅସୀମର ସେବା କରିପାରିଛନ୍ତି । ପରିବାର ବନ୍ଧନରେ ଥାଇ ମଧ୍ୟ ପରିବାରପାଇଁ ଆତ୍ମବଳୀ ଦେଇ ନିଜକୁ ବିକଶିତ କରିପାରିଛନ୍ତି । ମାତ୍ର ସେଥିପାଇଁ ଆତ୍ମାର ଯେଉଁ ଦୃଢ଼ତା ଦରକାର ତାହା ମୋ’ଠାରେ ନାହିଁ । ପାରିବାରିକ ତଥା ଆତ୍ମସ୍ୱାର୍ଥପାଇଁ ଲଢ଼ିବାପାଇଁ ହେଲେ, ମୋହ ଆବଶ୍ୟକ । କିନ୍ତୁ ଯେଉଁଦିନ ମଣିଷ ମୋହ ମାୟାର ବଶବର୍ତ୍ତୀ ହୋଇପଡ଼ିବ, ସେହିଦିନ ତା’ର ମାନବତାର ଅସୀମ କ୍ଷେତ୍ର ସସୀମ ହୋଇପଡ଼ିବ ଏବଂ ସଂସାର–ଜଞ୍ଜାଳରେ ସେ ଏମିତି ବାନ୍ଧିହୋଇ ପଡ଼ିବ ଯେ, ସେହି ବନ୍ଧନକୁ ପୂର୍ଣ୍ଣ କରୁ କରୁ ତା’ର ସମସ୍ତ ଶକ୍ତି କ୍ଷୀଣ ହୋଇପଡ଼ିବ । ତମପରି ବିଚାରବାନ୍ ପ୍ରତିଭାଶାଳୀ ଲୋକଙ୍କୁ ମୁଁ ଏପ୍ରକାର କ୍ଷୁଦ୍ର ବନ୍ଧନରେ ବାନ୍ଧି ରଖିବାକୁ ଚାହେ ନାହିଁ । ଅଳ୍ପକିଛି ସ୍ଵାର୍ଥ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜୀବନକୁ ତମେ ପରପାଇଁ ବଳି ଦେଇଆସିଛ । ତମର ଏହି ପବିତ୍ର ଜୀବନକୁ ମୁଁ ପୁଣି ସ୍ଵାର୍ଥଆଡ଼କୁ ଟାଣିନେବାକୁ ଚାହେ ନାହିଁ । ମୁଁ ଚାହେ, କ୍ଷୁଦ୍ର ବନ୍ଧନ ଛାଡ଼ି ତମ ଜୀବନ ଏପରି ବିସ୍ତୃତହେଉ ଯେ, ସେହି ବିସ୍ତୃତି ମଧ୍ୟରେ ବିଶ୍ଵର ସମସ୍ତ ପ୍ରାଣୀଙ୍କୁ ଅଭୟ ଆଶ୍ରୟ ମିଳୁ । ଦୁନିଆରେ ଭୟ, ଅନ୍ୟାୟ, ଅତ୍ୟାଚାର ଭରି ରହିଛି । ମିଥ୍ୟା, ପ୍ରବଞ୍ଚନା, କପଟ, ଅବିଶ୍ଵାସରେ ସାରାସଂସାର ରୁଗ୍‍ଣ ହୋଇ ପଡ଼ିଛି । ଏ ପର୍ଯ୍ୟନ୍ତ ତମେ ଦୁଃଖ, ଦୈନ୍ୟର ଆର୍ତ୍ତ ଚିତ୍କାର ବରାବର ଶୁଣି ଆସିଛ । ଆଜି ଯଦି ହଠାତ୍ ତମେ ଶୁଣିବା ବନ୍ଦ କରିଦିଅ, ତା’ହେଲେ ଶୁଣିବା ଲୋକ ପୁଣି ଆସିବେ କେଉଁଠୁ ? ଅନ୍ୟାନ୍ୟ ମିଥ୍ୟାଚାରୀ ଲୋକଙ୍କପରି ଅନ୍ୟର ଆର୍ତ୍ତନାଦ ନିକଟରେ ବଧିରହେବା ତମପକ୍ଷରେ ସମ୍ଭବ ନୁହେଁ । ଯଦି ତମେ ବାଧ୍ୟହୋଇ ତାହା କର, ତେବେ ଆତ୍ମା ତମର ଭାରଭୂତ ହୋଇପଡ଼ିବ । ବରଂ ମୁଁ ଚାହେ, ତମେ ତମର ବିଦ୍ୟା ବୁଦ୍ଧି ତଥା ଜାଗ୍ରତ ମନୁଷ୍ୟତାକୁ ଚିର ଜାଗ୍ରତ, ଚିର ଉନ୍ନତ କରିବାରେ ପ୍ରୟାସୀ ହୁଅ । ମୁଁ ବରାବର ତମ ପଛେ ପଛେ ରହି ଆପଣ ଜୀବନକୁ ମଧ୍ୟ ସାର୍ଥକ କରିବାକୁ ଚେଷ୍ଟା କରିବି । ମୋର ତ ଏହି ଇଚ୍ଛା, କିନ୍ତୁ ତୁମେ ଯଦି ଏହି ଉନ୍ନତ ମାର୍ଗ ଛାଡ଼ି ସଂସାର–ପଥର ପଥିକ ହୁଅ, ତେବେ ମୁଁ ତୁମକୁ ଯଥାସାଧ୍ୟ ସେଥିରୁ ନିବୃତ୍ତ କରିବାକୁ ଚେଷ୍ଟା କରିବି । ଯଦି ମୁଁ ସେଥିରେ ବିଫଳ ହୁଏ, ତେବେ ତୁମପାଇଁ ଦୁଇବିନ୍ଦୁ ଅଶ୍ରୁ ତ୍ୟାଗକରି ଅନ୍ୟପନ୍ଥା ଅନ୍ଵେଷଣ କରିବି । ସେ ପନ୍ଥା ଆଉ ଯାହାହେଉ ପଛେ, ସଂସାରବନ୍ଧନ କେବେ ନୁହେଁ, ଏହା ତିନିବାର ସତ୍ୟ । ଆଚ୍ଛା, ବର୍ତ୍ତମାନ ତମର କ’ଣ କହିବାର ଅଛି, କହ ।

 

ମେହେତା ଚୁପହୋଇ ମୁଣ୍ଡ ନୁଆଇଁ ବସି ସବୁ ଶୁଣିଗଲେ । ମାଳତୀଙ୍କର ଏକ ଏକ ଶବ୍ଦରେ ସତେ ଯେମିତି ତାଙ୍କ ଅନ୍ତରର ଏକ ଏକ ଜ୍ଞାନଚକ୍ଷୁ ଫିଟି ଯାଉଥିଲା । ଯେଉଁ ଭାବନା ଏପର୍ଯ୍ୟନ୍ତ ତାଙ୍କ ମନରେ ପ୍ରେତ ଛାୟାପରି ଘୂରି ବୁଲୁଥିଲା, ତାହା ଏବେ ରକ୍ତମାଂସର ଶରୀର ଧରି ସତ୍ୟ ହୋଇଉଠିଲା । ସତ୍ୟର ଆଲୋକ ତାଙ୍କର ପ୍ରତ୍ୟେକ ରୋମ ମୂଳରେ ଭରିଗଲା । ସେହି ମହାନ୍ କଳ୍ପନାର ଆବର୍ତ୍ତରେ ଅତୀତ ଶୈଶବର ମଧୁସ୍ମୃତି ଜାଗ୍ରତ ହୋଇଉଠିଲା । ବିଧବା ମା’ କୋଳରେ ବସି ସେ ଯେଉଁ ସୁଖ ଅନୁଭବ କରିଥିଲେ ତାହାସବୁ ଗୋଟି ଗୋଟି ହୋଇ ମନେ ପଡ଼ିଗଲା । ପ୍ରାଣ ତାଙ୍କର କାନ୍ଦି ଉଠିଲା । କାହିଁ ଆଉ ସେ ମା’ । ଆଜି ଯଦି ପୁଣି ସେ ତାଙ୍କ ଜିଦଖୋର ପୁଅକୁ ଦେଖନ୍ତେ, ତେବେ ସେ ଆଶୀର୍ବାଦ କରନ୍ତେ, ଦେଖି ଖୁସି ହୁଅନ୍ତେ, ପୁଅ ତାଙ୍କର ଆଜି କେମିତି ଏକ ନୂତନ ଜନ୍ମ ଗ୍ରହଣ କରିଛି ।

 

ତା’ପରେ ମେହେତା ମାଳତୀ ଦେବୀଙ୍କ ଦୁଇଗୋଡ଼ ଧରି ଥରି ଥରି କହିଲେ–ମାଳତୀ ଦେବୀ, ତୁମରି ଆଦେଶ ହିଁ ମୋର ଶିରୋଧାର୍ଯ୍ୟ ।

 

ନିର୍ଜନ ନିରବତା ମଧ୍ୟରେ ଦୁହେଁ ଦୁହିଁଙ୍କର ପ୍ରଗାଢ଼ ଆଲିଙ୍ଗନରେ ବାନ୍ଧି ହୋଇଗଲେ । ଚାରି ଚକ୍ଷୁରୁ ଅବିରଳ ଅଶ୍ରୁଧାରା ଝରିପଡ଼ିଲା ।

Image

 

ଚତୁତ୍ରିଂଶ ପରିଚ୍ଛେଦ

 

ଆଜିକୁ ସିଲିଆ ପୁଅକୁ ଦୁଇବର୍ଷ ହୋଇଯାଇଥିଲା । ସବୁବେଳେ ସେ ଗାଁ ଦାଣ୍ଡରେ ଧାଇଁ ଧପଡ଼ି ଖେଳୁଥିଲା । ସେ ଏମିତି ଏକ ମଧୁର ଖନିଭାଷା କହୁଥିଲା ଯେ, ସମସ୍ତେ ସେଥିରେ ଖୁସି ହୋଇଯାଉଥିଲେ । ସେ ଦୁଧକୁ କହୁଥିଲା ତୁତ, ଶାଗକୁ କହୁଥିଲା ଛାଗ । ସବୁ ପ୍ରକାର ଜନ୍ତୁଙ୍କର ରଡ଼ି ତାକୁ ମାଲୁମ ଥିଲା । କୁକୁର ବୋବାଇବା ପାଇଁ କେହି ତାକୁ କହିଲେ, ସେ କୁକୁରପରି ଭୋ ଭୋ କରି ମିଶିଆସୁଥିଲା । ବିଲେଇ ରଡ଼ି କହିଲେ, ମ୍ୟାଉଁ ମ୍ୟାଉଁ କରି ରାମ୍ପୁଡ଼ିବାକୁ ଧାଇଁ ଆସୁଥିଲା । ଏମିତି ବଢ଼ିଆ ପିଲାଟାଏ ହୋଇଥିଲା ଯେ, ଦେଖିଲେ ଆଖି ଲାଖିରହୁଥିଲା । ତା’ର ଖିଆପିଆ ଚିନ୍ତା ନ ଥିଲା, କିମ୍ବା କାଖରେ କୋଳରେ ରହିବାପାଇଁ ତାକୁ ଭଲ ଲାଗୁ ନ ଥିଲା, ତା’ର ଦିନଯାକ କାମ ଥିଲା, ଖାଲି ଖେଳିବା । ତା’ର ସବୁଠୁ ବଡ଼ କାମ ଥିଲା ଘରସାମନା ନିମଗଛ ମୂଳରେ ବସି ଧୂଳିଖେଳିବା, ଧୂଳିରେ ଗାଧୋଇବା, ଧୂଳିରେ ଗଡ଼ିବା, ଧୂଳିଘର ତିଆରକରି ବାରମ୍ବାର ଭାଙ୍ଗିବା । ଆପଣା ବୟସର ପିଲାଙ୍କୁ ସେ ମୋଟେ ସଙ୍ଗରେ ଖେଳାଇ ଦେଉ ନ ଥିଲା, ସତେ ଯେମିତି କାହାକୁ ସେ ଆପଣାର ଯୋଗ୍ୟ ମନେକରୁ ନ ଥିଲା ।

 

କେହି ଯଦି ତାକୁ ପଚାରେ–ତୋ’ ନାଁ କ’ଣ ?

 

ସେ ସାଙ୍ଗେ ସାଙ୍ଗେ ଉତ୍ତର ଦିଏ–ଲାମୁ ।

 

‘ତୋ’ ବାପ ନାଁ କ’ଣ ?’

 

‘ମାତାଦୀନ ।’

 

‘ଆଉ ତୋ’ ମା’ ନାଁ ?

 

‘ଛିଲିଆ ।’

 

‘ଆଉ ଦାତାଦୀନ କିଏ ସେ ।’

 

‘ସେ ମୋଲ ଛଲା ।’

 

ଦାତାଦୀନ ସଙ୍ଗରେ ତା’ର ଏ ସମ୍ପର୍କ କିଏ ବତାଇ ଦେଇଥିଲା କେଜାଣି ।

 

ରାମୁ ଆଉ ରୂପା ଦିହିଁଙ୍କ ଭିତରେ ଖୁବ୍ ପଟୁଥିଲା । ରୂପା ତାକୁ ହଳଦୀ ଲଗେଇ ଦିଏ, କଜ୍ଜଳ ଲଗେଇ ଦିଏ, ମୁଣ୍ଡ କୁଣ୍ଡେଇ ଦିଏ, ବେଶ କରେଇ ଦିଏ । ହାତରେ ଗୁଣ୍ଡା ବଳି ତାକୁ ଖୁଆଇ ଦିଏ । ବେଳେବେଳେ କୋଳରେ ବି ଶୁଆଇ ନିଏ । ଧନିୟା ଭାରି ଚିଡ଼ି ପାଟିକରେ–କାହିଁକି ତୁ ଘରଦ୍ଵାର ସବୁ ଛୁଆଁଛୁତି କରି ମାରା କରୁଛୁ । କିନ୍ତୁ ରୂପା କିଛି ଶୁଣେ ନାହିଁ । ଆଗେ ସିନା ରୂପା ଖେଳ କଣ୍ଢେଇର ମା ହୋଇଥିଲା, ଏବେ କିନ୍ତୁ ଜୀବନ୍ତ ମଣିଷ ପିଲାଟିଏ ପାଖରେ ପାଇ ସତକୁସତ ମା’ ସାଜିକରି ବସିଥିଲା ।

 

ହୋରୀ–ଘରେ ଅବା ସିଲିଆ ଆଉ କେତେକାଳ ରହିଥାନ୍ତା । ସେଥିପାଇଁ ହୋରୀର ବାରି ପଛପଟେ ଯାହିତାହି ଖଣ୍ଡେ ଚାଳିଆ କରି ସେ ରହି ଯାଇଥିଲା ।

 

ଶେଷରେ ବନାରସର ପଣ୍ଡିତମାନେ କେତେ ଶହ ଟଙ୍କା ନେଇ ମାତାଦୀନକୁ ପୁଣି ବ୍ରାହ୍ମଣ କରିଦେଲେ । ବହୁତ ବ୍ରାହ୍ମଣ ଖାଇଲେ, ହୋମ ହେଲା, ବହୁତ ଶ୍ଳୋକ ପଢ଼ାହେଲା । ଗୋବର ଏବଂ ଗୋରୁମୂତ ପିଇବାକୁ ପଡ଼ିଲା । ଗୋବରରେ ତା’ର ମନ ପବିତ୍ର ହୋଇଗଲା ଏବଂ ଗୋରୁମୂତରେ ତା’ର ଆତ୍ମାରୁ ସମସ୍ତେ ଅଶୁଚି କୀଟାଣୁ ମରିଗଲେ ।

 

ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଜଣାଯିବ ଯେ, ଏହି ପ୍ରାୟଶ୍ଚିତ୍ତ ଦ୍ଵାରା ହିଁ ମାତାଦୀନଠାରେ ପ୍ରକୃତ ମନୁଷ୍ୟତା ଆସିଯାଇଥିଲା । ସତେ ଯେମିତି ହୋମନିଆଁରେ ତା’ର ଅମନୁଷ୍ୟତା ପୋଡ଼ିଜଳି ସେ ପ୍ରକୃତ ମନୁଷ୍ୟ ହୋଇଯାଇଥିଲା । ସେହିଦିନୁ ଧର୍ମର ନାଁ ଧରିଲେ ସେ ଚିଡ଼ୁଥିଲା । ସେହିଦିନୁ ପଇତା ଫିଙ୍ଗିଦେଇ ସେ ପକ୍କା ଚାଷୀହୋଇ ଯାଇଥିଲା । ବଡ଼ ବଡ଼ ପଣ୍ଡିତେ ସିନା ଶ୍ଳୋକ ପଢ଼ି ଟଙ୍କାନେଇ ତାକୁ ପବିତ୍ର କରିଦେଲେ, କିନ୍ତୁ ଲୋକସାଧାରଣଙ୍କ ମନରୁ ତା’ ପ୍ରତି ବିକାର ଗଲା ନାହିଁ । ପ୍ରାୟଶ୍ଚିତ୍ତ ହେଲେ ବି ଲୋକେ ତା’ ହାତରୁ ପାଣି ଛୁଇଁଲେ ନାହିଁ । ଅବଶ୍ୟ ଗାଁଲୋକେ ଏବେ ତା’ଠାରେ ଲଗ୍ନଆଦି ଗଣାପୋଛା କାମ କରେଇ ନିଅନ୍ତି । କିନ୍ତୁ ପଡ଼ି ବରତନ କିଛି ଦିଅନ୍ତି ନାହିଁ ।

 

ଯେଉଁଦିନ ସିଲିଆର ପୁଅ ଜନ୍ମହେଲା, ସେଦିନ ମାତାଦୀନ ଦୋହରା ଭାଙ୍ଗ ଖାଇ ନିଶରେ ହାତ ପକାଇ, ଗର୍ବରେ ଛାତି ଫୁଲାଇ କହିଲା–ଦେଖାଯାଉ ପିଲା କାହାପରି ହେଉଛି !

 

ଦୁଇ ତିନିଦିନ ପରେ ରୂପାକୁ ବିଲରେ ଦେଖି ମାତାଦୀନ ପଚାରିଲା–ତୁ ସିଲିଆ ପୁଅକୁ ଦେଖିଛୁ ?

 

ରୂପା କହିଲା–ଦେଖି ନାହିଁ, ଆଉ କ’ଣ ନାହିଁ କରୁଛି ! କେଡ଼େ ସୁନ୍ଦର ଗୋରା ତକତକ ପିଲାଟିଏ, ଖୁବ୍ ମୋଟାସୋଟା, ଏଡ଼େ ଏଡ଼େ ଆଖି, ମୁଣ୍ଡରେ ବୋଝେ ବାଳ । କି ସୁନ୍ଦର ଜଳଜଳ କରି ଅନାଉଛି ।

 

ମାତାଦୀନକୁ ଲାଗିଲା, ସତେ ଯେମିତି ପିଲାଟି ଆସି ତା’ ଛାତିରେ ହାତଗୋଡ଼ ପିଟି ଖେଳୁଛି । ଆନନ୍ଦରେ ଅଧୀର ହୋଇ ସେ କିଶୋରୀ ରୂପାକୁ କୁଣ୍ଢେଇ ପକାଇ କାନ୍ଧରେ ବସାଇଦେଲା, ପୁଣି ଓହ୍ଲାଇଦେଇ ତା’ କପାଳରେ ଚୁମା ଦେଇଦେଲା ।

 

ରୂପା ନିଜ ମୁଣ୍ଡବାଳକୁ ସମ୍ଭାଳି ନେଇ କହିଲା–ଚାଲୁନ, ମୁଁ ତୁମକୁ ଦେଖାଇଦେବି, ପିଲାଟା ତ ପଦାରେ ରହିଛି । କେଜାଣି କାହିଁକି, ସିଲିଆ ଅପା ସବୁବେଳେ ବସି କାନ୍ଦୁଛି ।

 

ମାତାଦୀନ ମୁହଁ ବୁଲେଇଦେଲା । ଆଖିରେ ତା’ର ଲୁହ ଭରିଗଲା, ଏବଂ ଓଠ ଥରିଉଠିଲା ।

 

ସେଇଦିନ ରାତି, ମାତାଦୀନ ଆସି ସିଲିଆ ଦୁଆରେ ଛିଡ଼ାହୋଇ ତନ୍ମୟହୋଇ ପିଲାଟିର କାନ୍ଦ ଶୁଣିଲା । ସେହି କାନ୍ଦ ଭିତରେ ସତେ ଯେମିତି ତାକୁ ସଂସାରର ସର୍ବଶ୍ରେଷ୍ଠ ମଧୁର ସଙ୍ଗୀତ ଶୁଣାଗଲା ।

 

ସିଲିଆ ହୋରୀ–ଘର ଖଣ୍ଡେ ଖଟରେ ପିଲାଟିକୁ ଶୁଆଇଦେଇ କାମକୁ ଚାଲିଯାଉଥିଲା-। ମାତାଦୀନ ପ୍ରତିଦିନ କୌଣସି ନା କୌଣସି ବାହାନାରେ ଆସି ପିଲାଟିକୁ ଉଣ୍ଡିଦେଇ ମନେ ମନେ ଖୁସି ହୋଇ ଫେରିଯାଉଥିଲା ।

 

ବେଳେବେଳେ ଧନିୟା ମୁରୁକିହସା ଦେଇ କହୁଥିଲା–କେଡ଼େ କାଠୁଆ ମଣିଷ ସତେ ତମେ ମ ! ନାଜ ଗୋଟେ କ’ଣ, ପାଖକୁ ଆସି କାଖ କରୁନା କିଆଁ ? ସାକ୍ଷାତ୍ ତମରିପରି ହୋଇଛି–ସାକ୍ଷାତ୍ ତମେ କି ତମେ !

 

ବେଳେବେଳେ ମାତାଦୀନ ଆସି ସିଲିଆର ଖର୍ଚ୍ଚ ପାଇଁ ପିଲା ପାଖରେ ଟଙ୍କାଏ ଦି’ଟଙ୍କା ପକାଇଦେଇ ଚାଲିଯାଉଥିଲା । ପିଲାଟିଲାଗି ପ୍ରାଣରେ ତା’ର ଆନନ୍ଦ ଉଛୁଳି ପଡ଼ୁଥିଲା । ତା’ଠି ଏବେ ଏକ ପ୍ରକାର ସଂଯମ ତଥା ଦାୟିତ୍ଵଜ୍ଞାନ ଆସି ଉପସ୍ଥିତ ହୋଇଯାଇଥିଲା ।

 

ଦିନେ ହୋରୀଘରଠି କେହି ନଥିଲେ । ଧନିୟା କୁଆଡ଼େ ଚାଲିଯାଇଥିଲା । ରୂପା ବି ଖେଳିବାପାଇଁ ପଦାକୁ ଚାଲିଯାଇଥିଲା । ନିଛାଟିଆ ଦୁଆରଟାରେ ପିଲାଟି ଖଣ୍ଡେ ଖଟରେ ପଡ଼ି ନୀଳ ଆକାଶକୁ ଅନାଇ ଆନନ୍ଦରେ ହାତଗୋଡ଼ ବାଡ଼େଇ ବୁବୁ ଶବ୍ଦକରି ଖେଳୁଥିଲା । ମାତାଦୀନକୁ ଦେଖିଲାମାତ୍ରେ ପିଲାଟି ଟିକିଏ ହସିଦେବାରୁ ମାତାଦୀନ ଅଧୀରିହୋଇ ତାକୁ ଛାତିଉପରକୁ ନେଇଗଲା । ପିଲାଟିର ପରଶ ପାଇ ମାତାଦୀନର ଅଙ୍ଗ ପ୍ରତ୍ୟଙ୍ଗ ରୋମାଞ୍ଚିତ ହୋଇଉଠିଲା । ପାଣିଲହରୀ ଦେହରେ ସୂର୍ଯ୍ୟର ଆଲୋକ ଯେମିତି ଝଲସି ଉଠେ, ତା’ର ସାରାଦେହରେ ଆନନ୍ଦର ଉଚ୍ଛୁଳା ସ୍ରୋତ ସେମିତି ଝଲସି ଉଠିଲା । ତା’ପରେ ପିଲାର ଉଜ୍ଜଳ ଆଖି ଦୁଇଟିକୁ ଯେମିତି ସେ ନିରେଖିକରି ଦେଖିଦେଲା, ତା’ମନରେ ଏକପ୍ରକାର ଭୟ ଆସିଗଲା । ଭାବିଲା, ଭଗବାନଙ୍କର ଏହି ପବିତ୍ର ପ୍ରସାଦକୁ ତା’ ପରି ଅପବିତ୍ର ଲୋକର ଛୁଇଁବାର ଅଧିକାର ନାହିଁ । ତା’ ପରେ କ’ଣ ଭାବିଲା କେଜାଣି, ପିଲାଟିକୁ ପୁଣି ଖଟରେ ଶୁଆଇଦେଲା । ସେତିକିବେଳକୁ ରୂପା ଆସି ପହଞ୍ଚିଯିବାରୁ ସେ ସେଠୁ ଚୁପକରି ଖସି ଚାଲିଗଲା ।

 

ଦିନେ ଭାରି ବର୍ଷାହୋଇ କୁଆପଥର ପଡ଼ିଲା । ସେଦିନ ସିଲିଆ ଘାସ ବିକିବାପାଇଁ ବଜାରକୁ ଚାଲିଯାଇଥିଲା । ସେତେବେଳକୁ ରାମୁ ଗୁରୁଣ୍ଡୁଥିଲା । ସେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଚିନିମିଠାଇ ଭାବି କୁଆପଥର କେଇଟା ଖାଇଦେଲା । ସେ ଦିନ ସଂଧ୍ୟାରେ ତାକୁ ଜର ହେଲା । ଦେଖୁ ଦେଖୁ ଦୁଇ ଦିନରେ ତାକୁ ନିମୋନିୟା ହୋଇ ତୃତୀୟ ଦିନରେ ସିଲିଆ ଛାତିରେ ତା’ର ପ୍ରାଣବାୟୁ ଉଡ଼ିଗଲା ।

 

ମରିଗଲା ପରେ ସେହି ପିଲା କଥା ସିଲିଆ ମନରେ ବରାବର ଘୂରି ବୁଲିଲା । ମାତୃସ୍ନେହରେ ବକ୍ଷରୁ ତା’ର ଧାର ଧାର କ୍ଷୀର ବହି ଲୁଗାପଟା ତିନ୍ତିଯାଉଥିଲା । ବକ୍ଷରେ କ୍ଷୀର ସହିତ ନୟନର ନୀର ମଧ୍ୟ ଝରିପଡ଼ୁଥିଲା । ଆଗେ ଆଗେ ସିଲିଆ ଯେତେବେଳେ କାମରୁ ଛୁଟି ପାଇ ଫେରିଆସୁଥିଲା, ପିଲା ମୁହଁରେ କ୍ଷୀର ଦେଇ ସେ ସ୍ଵର୍ଗସୁଖ ଉପଭୋଗ କରୁଥିଲା । ସବୁ ଦୁଃଖ, ସବୁ ନିରାଶା ଭୁଲିଯାଇ ସୁନେଲୀ ସ୍ଵପ୍ନରେ ମଜ୍ଜି ଯାଉଥିଲା । କିନ୍ତୁ ପିଲାଟି ଚାଲିଯିବା ପରେ ସଂସାର ତା’ର ପୋଡ଼ିଜଳି ପାଉଁଶ ହୋଇଗଲା । ଶୂନ୍ୟ କୁଡ଼ିଆରେ ପଡ଼ିରହି ଯେଉଁ ରାଇଜକୁ ପିଲାଟି ତା’ର ଚାଲିଯାଇଥିଲା, ସେହି ରାଇଜକୁ ଚାଲିଯିବା ପାଇଁ ପ୍ରାଣ ତା’ର ବିକଳ ହୋଇଉଠୁଥିଲା । ପିଲାଟିର ମଧୁର ରୂପ ତା’ ଆଖି ଆଗରେ ଆହୁରି ଜୀବନ୍ତ ଆହୁରି ପ୍ରିୟ ହୋଇଉଠିଥିଲା ।

 

ପିଲାଟି ଯେଉଁଦିନ ମରିଗଲା, ସେହିଦିନ ମାତାଦୀନ ସବୁ ଲଜ୍ଜା, ସବୁ ସଙ୍କୋଚ ତଳକୁ ପକାଇଦେଲା । ହାଲୁକା ପବନ ପାଇଁ ଲୋକେ ସିନା ପରଦା ପକାଇଥାନ୍ତି, କିନ୍ତୁ ଝଡ଼ ପବନ ହେଲେ ଉଡ଼େଇ ନେବ ବୋଲି ତୋଳି ରଖି ଦିଅନ୍ତି । ସେହି ମୃତ୍ୟୁଝଡ଼ରେ ମାତାଦୀନର ଅବସ୍ଥା ଠିକ୍ ସେୟା ହେଲା । ମୃତ ପିଲାଟିକୁ ହାତରେ ଧରି ସେଦିନ ସେ ଏକା ଏକା ମାଇଲିଏ ବାଟ ନଦୀକୂଳକୁ ଚାଲିଗଲା । ଆଠଦିନଯାଏ ବିଚରା ହାତ ସିଧା କରିପାରିଲା ନାହିଁ । କିନ୍ତୁ ସେଥିପାଇଁ ତା’ର ଏତେ ଟିକେ ହେଲେ ଲଜ୍ଜା କିମ୍ବା କ୍ଷୋଭ ନ ଥିଲା ।

 

ଏକଥା ଦେଖି କେହି କିଛି କହିଲେ ନାହିଁ, ବରଂ ଲୋକେ ତା’ର ସାହସ ଦେଖି ତାକୁ ପ୍ରଶଂସା କଲେ ।

 

ହୋରୀ କହିଲା–ୟା’ ନାଁ ଯେ ପୁରୁଷପଣିଆ । ଥରେ ଯା’ ହାତ ଧରିବ ତାକୁ ପୁଣି ଛାଡ଼ିବ କାହିଁକି ?

 

ଧନିୟା ଆଖିମିଟିକା ମାରି କହିଲା–ଆଉ ବେଶିଗୁଡ଼େ ଚାତର ଦେଖାନି । ଯେଉଁ ପୁରୁଷପଣିଆ, ହାତ ଧରିଲାବେଳେ ସେ କ’ଣ ଜାଣି ନ ଥିଲା, ସିଲିଆ ଚେମାରୁଣୀ ବୋଲି ।

 

ପିଲାଟି ମରିବାର ମାସକ ପରେ ସିଲିଆ ପୁଣି ମଜୁରୀ ଲାଗିବାକୁ ଗଲା । ଦିନେ କ୍ଷେତରେ କାମ କରୁ କରୁ ସଂଧ୍ୟା ହୋଇଗଲା । ପୁନେଇ ଚାନ୍ଦ ହସି ହସି ଉଠି ଆସୁଥିଲା । ଚାନ୍ଦକୁ ଦେଖିଲାମାତ୍ରେ ସିଲିଆ ପ୍ରାଣରେ ପୁରୁଣା ସ୍ମୃତିର ଉଚ୍ଛୁଳା ଧାର ବହିଗଲା । ବକ୍ଷରୁ ଯେମିତି କ୍ଷୀର, ନୟନରୁ ସେମିତି ନୀର ଧାର ଧାର ହୋଇ ଝରିପଡ଼ିଲା, ସତେ ଯେମିତି ଅଶ୍ରୁରେ ତା’ର ଶ୍ରାନ୍ତପ୍ରାଣ ଶୀତଳ ହୋଇଯାଉଥିଲା ।

 

ହଠାତ୍ କାହାର ଶବ୍ଦ ଶୁଣିକରି ସିଲିଆ ଚମକି ପଡ଼ିଲା । ଦେଖିଲାବେଳକୁ ମାତାଦୀନ ଆସି ଆଗରେ ଛିଡ଼ା ହୋଇପଡ଼ି କହିଲା–କେତେଦିନ ଆଉ ଏମିତି କାନ୍ଦିବୁ ସିଲିଆ ? କାନ୍ଦିଲେ କ’ଣ ଆଉ ହଜିଲା ଧନ ସତେ ଫେରି ଆସିବ ? ଏତିକି କହୁ କହୁ ମାତାଦୀନ ନିଜେ ମଧ୍ୟ ଲୁହ ସମ୍ଭାଳି ପାରିଲା ନାହିଁ, କାନ୍ଦି ପକାଇଲା ।

 

ସିଲିଆ ମନରେ ଯେତେ ରାଗ, ଯେତେ ଅଭିମାନ ଥିଲା ସବୁ ଏକାଥରେ ପାଣି ହୋଇଗଲା । ମନ କଥାକୁ ମନରେ ଚାପିନେଇ ସେ କହିଲା–ତମେ ପୁଣି ମୋ’ ପାଖକୁ ଆଜି ଆସିଲ କେମିତି ?

 

କାତର ହୋଇ ମାତାଦୀନ କହିଲା–ନାହିଁ, ଏଇବାଟେ ଯାଉଥିଲି ଯେ ତୋତେ ଦେଖି ଚାଲିଆସିଲି ।

 

‘ଦିନେହେଲେ ତ ତାକୁ ଟିକିଏ କୋଳରେ ନେଇ ଖେଳାଇଲ ନାହିଁ ।’

 

‘ନାହିଁ ସିଲିଆ, ତୁ ଜାଣୁ ନାହିଁ, ଦିନେ ତାକୁ ମୁଁ ଖେଳାଇଥିଲି ।’

 

‘ସତ କହୁଛ ?’

 

‘ହଁ, ସତ କହୁଛି ।’

 

‘ମୁଁ ସେତେବେଳେ କୋଉଠି ଥିଲି ?’

 

‘ତୁ ବଜାର ଯାଇଥିଲୁ ।’

 

‘ତମ କୋଳରେ କାନ୍ଦିଲା ନାହିଁ ତ ?’

 

‘ନାହିଁ ତ, ହସିଲା ଅଧିକ ।’

 

‘ସତ କହୁଛ ?’

 

‘ହିଁ ସତ ।’

 

‘ମୋଟେ ଦିନଟେ ଖେଳେଇଥିଲି ?’

 

‘ହଁ, ମୋଟ ଦିନଟେ । କିନ୍ତୁ ଦେଖିବାକୁ ପ୍ରତିଦିନ ଯାଉଥିଲି । ଖଟ ଉପରେ ତାକୁ ଖେଳୁଥିବାର ଦେଖି ଖୁସି ହୋଇ ଚାଲିଆସୁଥିଲି ।’

 

‘ଠିକ୍ ତମରି ପରି ହୋଇଥିଲା ।’

 

‘ମୋର ଦୁଃଖ ହେଉଛି, ଅକାରଣରେ ତାକୁ ମୁଁ ସେଇ ଦିନ ଛୁଇଁଲି । ମୋ’ରି ପାପପାଇଁ ଜାଣି ତାକୁ ସେହି ଦଣ୍ଡ ମିଳିଲା ।’

 

ସିଲିଆ ଆଖିରେ କ୍ଷମାର ଆଲୋକ ଝଲସି ଉଠିଲା । ବୋଝକୁ ମୁଣ୍ଡ ଉପରେ ରଖି ସେ ଘରମୁହା଼ଁ ଚାଲିଲା, ମାତାଦୀନ ବି ତା’ ତା ପଛେ ପଛେ ଚାଲିଲା ।

 

ସିଲିଆ କହିଲା–‘ସେ କୁଡ଼ିଆଟା ମୋତେ ଆଉ ଭଲ ଲାଗୁନାହିଁ ମୁଁ ଏବେ ଧନୀୟା ଖୁଡ଼ି ଘର ବାରଣ୍ଡାରେ ଶୋଉଛି ।’

 

‘ଧନୀୟା ମୋତେ ସବୁବେଳେ ବୁଝାଉଥିଲା ।’

 

‘ସତେ ।’

 

‘ହଁ ଦେଖିଲାମାତ୍ରେ ସବୁଦିନ ବୁଝାଉଥିଲା ।’

 

ଗାଁ ପାଖ ହେଲାରୁ ସିଲିଆ କହିଲା–ଆଚ୍ଛା, ଏଇଠୁ ଏଥର ଚାଲିଯା’ ନାଇଁ ତ ପୁଣି ବାପା ଦେଖିବେ ବୋଲେ.....

 

ମାତାଦୀନ ଜୋରକରି କହିଲା–ମୋର ବର୍ତ୍ତମାନ କାହାକୁ ଖାତିରି ନାହିଁ ।

 

‘ଘରୁ ବାହାର କରିଦେଲେ ପୁଣି ଯିବ କୁଆଡ଼େ ?’

 

‘ମୁଁ ମୋ ନିଜ ଘର ତିଆରି କରିସାରିଲିଣି ।’

 

‘ସତ ନା ମିଛ ?’

 

‘ନାହିଁ, ବିଲକୁଲ୍ ସତ ।’

 

‘କାହିଁ ମୁ ତ ତମର ଘର ଦେଖିନାହିଁ ?’

 

‘ଚାଲ, ଏଇନେ ଦେଖାଇଦେବି ।’

 

ଦିହେଁ ଚାଲିଲେ, ମାତାଦୀନ ସିଲିଆ ପଛରେ । ମାତାଦୀନ ହୋରୀଘର ପଛପଟ ସିଲିଆ ଯେଉଁ କୁଡ଼ିଆ ତିଆରି କରିଥିଲା ତା’ରି ଦୁଆରେ ଛିଡ଼ାହୋଇ କହିଲା–ଏହି ହେଉଛି ମୋ’ ଘର ।

 

ସିଲିଆ ମନରେ ଅବିଶ୍ଵାସ କ୍ଷମା, ବ୍ୟଙ୍ଗ, ଦୁଃଖ ସବୁ ଏକାବେଳେ ଆସି ଜୁଟିଗଲା । ସେ କହିଲା–‘ଏଇ ତ ସିଲିଆ ଚେମାରୁଣିର ଘର । ତମ ଘର ହେଲା କେମିତି ?’

 

ମାତାଦୀନ କୁଡ଼ିଆର ତାଟି ଫିଟାଇ ଦେଇ କହିଲା–‘ଏହି ହେଉଛି ମୋ ଦେବୀଙ୍କ ମନ୍ଦିର ।’

 

ସିଲିଆ ପ୍ରସନ୍ନ ହୋଇ କହିଲା–‘ମନ୍ଦିର ଯଦି, ଦେବୀଙ୍କ ଉପରେ ପାଣି ଲୋଟାଏ ଚଢ଼ାଇକରି ଯାଉନ ।’

 

ସିଲିଆ ମୁଣ୍ଡରୁ ବୋଝ ଉତାରିଦେଇ ମାତାଦୀନ କହିଲା–‘ନାହିଁ ସିଲିଆ, ପାଣି ଲୋଟାଏ ଖାଲି ଚଢ଼େଇ ଦେବି କ’ଣ, ଜୀବନ ଥିବାଯାକ ତୋ’ରି ଆଶ୍ରା ନେଇ ରହିବି । ତୋ’ରି ପୂଜା କରିବି ।’

 

‘ମିଛ କହୁଛ ।’

 

‘ନାହିଁ, ତୋ’ ଦେହ ଛୁଇଁ କହୁଛି । ଶୁଣିଲି ପାଟୁଆରୀ ପୁଅ ଭୁନେସରୀ କୁଆଡ଼େ ତୋ’ ପଛରେ ଖୁବ୍ ଲାଗିଥିଲା, କିନ୍ତୁ ତୁ ତାକୁ ଖୁବ୍ ଆଚ୍ଛାକରି ପାନେ ଦେଲୁ ।’

 

‘ତମକୁ ଏ କଥା କିଏ କହୁଥିଲା ?’

 

‘ଆଉ କିଏ କହିବ, ଭୁନେସରୀ ନିଜେ ପରା ମୋତେ କହୁଥିଲା ।’

 

‘ସତେ ?

 

‘ସତ ନୁହଁ, ଆଉ କ’ଣ ମିଛ ?’

 

ସିଲିଆ ଡିଆସିଲି ମାରି ଡିବି ଲଗେଇଲା । ଘରେ ଗୋଟାଏ କଣରେ ଦୁଇଖଣ୍ଡ ଲୁହାବାସନ ମଜାହୋଇ ରଖାହୋଇଥିଲା । ଗୋଟାଏ କଣକୁ ପାଳ ଗୋଛାଏ ପରାହୋଇଥିଲା । ସେଇ ଥିଲା ସିଲିଆର ବିଛଣା । ତାରି ପାଖକୁ ପୁଅର ଶୂନ୍ୟ ଖଟୁଲିଟା ପଡ଼ି ରହିଥିଲା । ପାଖରେ ଦୁଇ ତିନିଟା ଭଙ୍ଗା ଘୋଡ଼ା ହାତୀ ପଡ଼ିରହିଥିଲେ । ମାଲିକ ଯେତେବେଳେ ଚାଲିଯାଇଥିଲା ଘୋଡ଼ା ହାତୀଙ୍କୁ ଅବା ପଚାରୁଥିଲା କିଏ ? ମତାଦୀନ ପାଳ ଉପରେ ବସିପଡ଼ି ଦୀର୍ଘନିଃଶ୍ଵାସ ପକାଇଲା । ମନ ହେଉଥିଲା, ଗୁଡ଼ାଏ କାନ୍ଦିଦେଇ ପ୍ରାଣକୁ ଶୀତଳ କରିଦିଅନ୍ତା ।

 

ସିଲିଆ ମାତାଦୀନ ପିଠିରେ ହାତ ପକାଇ କହିଲା–‘ମୋ କଥା କ’ଣ କେବେ ତମର ମନେପଡ଼େ ?’

 

ସିଲିଆ ହାତକୁ ଆପଣା ଛାତିରେ ଲଗାଇଦେଇ ମାତାଦୀନ କହିଲା–‘ମନେ ପକାଇବା କଥା ଯାହା କହିଲୁ, ଦିନରାତି କେବେହେଲେ ତୋ’ କଥା ମନରୁ ଯାଏ ନାହିଁ । ତୁ କ’ଣ କେବେ ମୋ’ କଥା ମନେପକାଉ ?’

 

‘ମୁଁ ତ ତମ ଉପରେ ସବୁବେଳେ ରାଗ ହେଉଥିଲି ।’

 

‘ମୋ’ ପ୍ରତି କେବେହେଲେ କ’ଣ ତୋ’ ମନରେ ଦୟା ଆସୁ ନଥିଲା ?’

 

‘ନାହିଁ ।’

 

‘ଆଉ ଭୁନେସରୀ....... ।’

 

‘ଆଚ୍ଛା ଥାଉ, ଆଉ ଗାଳିଦିଅ ନାହିଁ । ମୋତେ ତ ଡର ମାଡ଼ୁଛି । ତମେ ଆସିଲେ ପୁଣି ଗାଁ ଲୋକେ ତମକୁ କ’ଣ କହିବେ ?’

 

‘ମୋର ସେଥିକି ଖାତିର ନାହିଁ । ଭଲଲୋକେ କହିବେ ଭଲ କଲା । ଖରାପଲୋକଙ୍କ କଥାଗୁଡ଼ା ଶୁଣିଯାଉଛି କିଏ ?’

 

‘ତମ ରୋଷେଇ ପୁଣି କିଏ କରିବ’ ?’

 

‘ମୋ’ ରାଣୀ ସିଲିଆ କରିବ ।’

 

‘ତା’ହେଲେ ତମେ ପୁଣି ବାହ୍ମୁଣ ହେବ କେମିତି ?’

 

‘ମୁଁ ଆଉ ବ୍ରାହ୍ମଣ ହେବାକୁ ଚାହେ ନାହିଁ । ମୁଁ ଚାହେ ଚେମାର ହୋଇ ରହିବା ପାଇଁ । ଯେ ଆପଣା ଧରମ ରଖେ ସେହି ହେଉଛି ପ୍ରକୃତ ବ୍ରାହ୍ମଣ, ଯେ ଆପଣା ଧରମକୁ ବୁଡ଼ାଇ ଦିଏ, ସେହି ହେଉଛି ଚେମାର ।’

 

ଆନନ୍ଦରେ ସିଲିଆ ତା’ ବେକକୁ କୁଣ୍ଢେଇ ପକାଇଲା ।

Image

 

ପଞ୍ଚତ୍ରିଂଶ ପରିଚ୍ଛେଦ

 

ହୋରୀର ଅବସ୍ଥା ଦିନକୁ ଦିନ ଖରାପ ହୋଇଗଲା । ଆଜିପର୍ଯ୍ୟନ୍ତ ଭାଗ୍ୟ ସଙ୍ଗେ ଲଢ଼ି ଲଢ଼ି ଥରକୁ ଥର ସେ ହାରିଯାଉଥିଲା, କିନ୍ତୁ ମନରୁ ଦମ୍ଭ ତା’ର କେବେ ହରାଇ ନଥିଲା । ସେ ଯେତିକି ଯେତିକି ହାରୁଥିଲା, ସେତିକି ଲଢ଼େଇ କରିବାପାଇଁ ତା’ର ସାହସ ବଢ଼ି ଯାଉଥିଲା । କିନ୍ତୁ ଦିନ ଆସିଲା, ଯେତେବେଳେ ସେ ସଂପୂର୍ଣ୍ଣରୂପେ ହାରିଗଲା । ମନର ସବୁ ବଳ, ସବୁ ଦମ୍ଭ କୁଆଡ଼େ ମାଟିରେ ମିଶିଗଲା ? ଯଦି ଭଲବାଟରେ ରହି କାମ କରିଥାନ୍ତା, ତେବେ ଅବା କ’ଣ ହୋଇଥାନ୍ତା । କିନ୍ତୁ ଆସ୍ତେ ଆସ୍ତେ ସେ ସବୁପ୍ରକାର ଅନୀତି, ଅନ୍ୟାୟ କରିବସିଲା । ତଥାପି ଜୀବନର କୌଣସି ଆଶା ପୂର୍ଣ୍ଣ ହେଲା ନାହିଁ, ବରଂ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା । ଶେଷକୁ ଜୀବନରେ ନୈରାଶ୍ୟ ଛଡ଼ା ଆଉ କିଛି ରହିଲା ନାହିଁ । ସବୁଦିଗ ଶୂନ୍ୟ ଦେଖାଗଲା । ଯୁଦ୍ଧରେ ହାରିଗଲେ ରଜା ଯେମିତି ନିଜ ଦୁର୍ଗଖଣ୍ଡକୁ ଖାଲି କାମୁଡ଼ି ପଡ଼ି ରହିଥାଏ, ହୋରୀ ସେମିତି ସବୁଠୁ ନିରାଶହୋଇ କେବଳ ନିଜ ତିନିବିଘା ଜମିକୁ କାମୁଡ଼ି ପଡ଼ିରହିଲା । କେତେ ଅପମାନ ସହିଲା, କେତେ ବଦନାମ ହେଲା, ମୂଲ ଲାଗିଲା, ତେବେ ବି ସେ ଜମିକୁ ହାତରୁ ଛାଡ଼ିଲା ନାହିଁ । କିନ୍ତୁ ଶେଷକୁ ଦିନ ଆସିଲା, ଯେତେବେଳେ ସେ ଖଣ୍ଡକ ବି ହାତରୁ ଯିବାକୁ ବସିଲା । ତିନି ବର୍ଷର ବାକି ଖଜଣା ଲାଗି ନୋଖେରାମ ବେଦଖଲି ନୋଟିସ୍ ବାହାର କରିଦେଲା । ହୋରୀ ଭାବିଲା, ଜମି ଏଥର ନିଶ୍ଚୟ ହାତରୁ ଯିବ । ବୁଢ଼ାକାଳେ ତାକୁ ମୂଲ ଲାଗି ବଞ୍ଚିବାକୁ ହେବ । କିନ୍ତୁ ଏ ଅତ୍ୟାଚାର ପାଇଁ ରାୟସାହେବଙ୍କ ଉପରେ ତା’ର କୌଣସି ରାଗ ହେଲା ନାହିଁ । କାରଣ ସେ ଭାବିଲା, ରାଜାପିଲା ତ ପ୍ରଜାଙ୍କ ଉପରେ ଚଳିବା କଥା । ଯଦି ତାଙ୍କ ଗୁଜରାଣ ନ ମେଣ୍ଡିଲା, ତେବେ ସେ ପ୍ରଜାଙ୍କଠୁ ନେବେ ନାହିଁ ତ ଚଳିବେ କେମିତି ? ତା’ ଛଡ଼ା ବେଦଖଲି ତ ତା’ର ଏକା ହୋଇ ନ ଥିଲା, ଗାଁର ପ୍ରାୟ ଅଧା ତିନିପା’ ଲୋକଙ୍କର ହୋଇଥିଲା । ସମସ୍ତଙ୍କର ଯାହା ହେବ, ତା’ର ସେୟା ହେବ, ଏବେ କ’ଣ କରାଯାଏ । ଭାଗ୍ୟ ଯଦି ଭଲ ହୋଇଥାନ୍ତା, ଆପଣା ପୁଅ କ’ଣ ଆଉ ହାତରୁ ଖସି ଯାଇଥାନ୍ତା ! ଭାଗ୍ୟ ହେଉଛି ଅସଲ !

 

ପ୍ରାୟ ସଂଧ୍ୟା ହୋଇଯାଇଥିଲା । ହୋରୀ ଏମିତି ବସି ଚିନ୍ତା କରୁଥିଲାବେଳେ ଦାତାଦୀନ ଆସି ପଚାରିଲା–ହୋରୀ, ତମ ବେଦଖଲି କଥା କ’ଣ ହେଲା ? ଆଜିକାଲି ତ ନୋଖରାମ ସାଙ୍ଗେ ମୋ’ର କଥାବାର୍ତ୍ତା ନାହିଁ । ଶୁଣୁଛି ବାଇଦା ଆହୁରି ପନ୍ଦରଦିନ ଘୁଞ୍ଚି ଗଲାଣି ।

 

ଦାତାଦୀନ ବସିବାପାଇଁ ଖଣ୍ଡେ ଖଟ ପକେଇଦେଇ ହୋରୀ କହିଲା–ହଁ, ସେ ତ ଆଜିକାଲି ମାଲିକ, ତାଙ୍କ ଇଚ୍ଛା ଯାହା ହେବ କରିବେ । ପାଖରେ ପଇସା ଥିଲେ ମଣିଷ କାହିଁକି ଏତେ ହଇରାଣ ହୁଅନ୍ତା ? କ’ଣ ଖାଇଲି ନା’ ଉଡ଼ାଇଲି । ଅସଲ ତ, ଜମିରେ ଫଳ ଫଳିଲା ନାହିଁ, ଯାହା ବା ଫଳିଲା ବଜାରରେ ତ ସେ ମାଟି ସଙ୍ଗେ ସମାନ ହେଲା । ସେଥିରେ ଚାଷୀ ଏବେ କରିବ କ’ଣ ?

 

ହେଲେ ଜମିଟିକକ ତ ଯେମିତି ହେଲେ ବଞ୍ଚାଇବାକୁ ହେବ । ବାପଦାଦିଙ୍କ ଏଇ ଅର୍ଜନତକ ହାତରୁ ଖସିଗଲେ ଆଉ ପୁଣି ଚଳିବ କେମିତି ?

 

‘ଭଗବାନ ଯାହା କରିବେ । ମଣିଷ ହାତରେ କ’ଣ ଅଛି ?’

 

‘ଗୋଟାଏ ବାଟ ଅଛି, କଲେ ଏଇନେ ହେବ ।’

 

ସତେ ଯେମିତି ହୋରୀକୁ ଦେବତାଙ୍କଠୁ ବର ମିଳିଗଲା । ଦାତାଦୀନର ପାଦତଳେ ପଡ଼ି କହିଲା–ହଜୁରଙ୍କର ବହୁତ ଧରମ ହେବ । ହଜୁରଙ୍କ ଛଡ଼ା ମୋର ଆଉ କିଏ ଅଛି ? ମୁଁ ତ ସବୁ ଆଶା ଛାଡ଼ିକରି ବସିଛି ।

 

‘ନିରାଶ ହେବାର ଦରକାର ନାହିଁ । ସୁଖ ଦୁଃଖ ତ ସଂସାରେ ଏମିତି ଲାଗିଛି । ସବୁବେଳେ ମଣିଷ ଯାହା କରେ, ଦୁଃଖବେଳେ ତ ଆଉ କରିପାରେ ନାହିଁ । ଧନ ଥିଲେ ଲୋକ ହାତ ଟେକି ଯେମିତି ଦାନ ଦିଏ, ଧନ ସରିଗଲେ ପୁଣି ସେମିତି ହାତ ପତେଇ ଭିକ ମାଗେ । ତଳଉପର ତ ଲାଗିଛି, ସେଥିପାଇଁ ଗୋଟାଏ ଚିନ୍ତା କ’ଣ ? ଦିହ ଭଲ ଥିଲାବେଳେ ପୂଜା ହଜା ନ କରି ମଣିଷ ପାଣି ଛୁଏଁ ନାହିଁ, କିନ୍ତୁ ସେହି ମଣିଷ ତ ପୁଣି ରୋଗରେ ପଡ଼ିଲେ ଅଗାଧୁଆ ଅପାଧୁଆ ବିଛଣାରେ ପଡ଼ି ପଥି ଖାଇଯାଏ । ଯେତେବେଳେ ଯେଉଁ କଥା ନା ! ଏଠି ତ ତମ ଆମ ଭିତରେ ଏତେ ଛାଡ଼ବାଡ଼ । କିନ୍ତୁ ପୁରୀ ଜଗନ୍ନାଥଙ୍କ ମୁକ୍ତିମଣ୍ଡପରେ କାହିଁ ? ଛୋଟବଡ଼ ସମସ୍ତେ ଏକା ଧାଡ଼ିରେ ବସି ସେଠି ଖାଇଯାଉଛନ୍ତି । ବିପତ୍ତିବେଳେ ତ ପୁଣି ଭଗବାନ ରାମଚନ୍ଦ୍ର ଶବରୀ ଅଇଁଠା ଖାଇଥିଲେ, ଲୁଚିକରି ପୁଣି ବାଳୀକୁ ବଧ କରିଥିଲେ । ବିପଦବେଳେ ତ ବଡ଼ବଡ଼ଙ୍କ କଥା ରହୁ ନାହିଁ । ତମ ଆମ କଥା ପଚାରୁଛି କିଏ ? ଆଚ୍ଛା, ରାମସେବକକୁ ତମେ ଚିହ୍ନିଛ ନା ନାହିଁ ?’

 

ହୋରୀ ଟିକିଏ ମନ ପତଳା କରି କହିଲା–‘ହଁ, ଚିହ୍ନି ନାହିଁ ଆଉ କ’ଣ ଅଚିହ୍ନା ଅଛି ?’

 

‘ସେ ହେଉଛି ମୋର ଯଜମାନ, ଆଜିକାଲି ଖୁବ୍ ଘର କରୁଛି । ଜମିବାଡ଼ି ଯେମିତି, ଦିଆନିଆ ବି ସେମିତି । ତା’ ଭଳି ଲୋକ ଏ ଖଣ୍ଡରେ ଆଉ କେହି ନାହାନ୍ତି । ଦୁଇ ତିନିମାସ ହେବ ବିଚାରୀର ସ୍ତ୍ରୀ ମରିଯାଇଛି, ପିଲାପିଲି ତାର କିଛି ନାହିଁ । ତମେ ଯଦି ରୁପାକୁ ତା’ ସଙ୍ଗେ ବାହା କରିବାକୁ ରାଜି ହୁଅନ୍ତ, ମୁଁ ତାକୁ ମଙ୍ଗେଇ ଦିଅନ୍ତି । ମୋ’ କଥା ସେ ଟାଳିପାରନ୍ତା ନାହିଁ । ଦେଖୁଛ ତ ଆଜିକାଲି ଯୁଗ କେମିତି ! ଝିଅ ଆସି ଠେକ ହୋଇଗଲାଣି । ନାହିଁ ନାହିଁ, ଆଜି କୋଉ ଭଲମନ୍ଦ ହୋଇଯିବ ବୋଲେ ମହର୍ଗରୁ ଯାଇ ପୁଣି କାନ୍ତାରେ ପଡ଼ିବ । ତମେ ଯଦି ହୁଅନ୍ତ, ତମ ଜମିକୁ ଜମି ରହିଯା’ନ୍ତା, ବିନା ପଇସାରେ ବି ବାହାଘର ହୋଇଯା’ନ୍ତା ।’

 

ହୋରୀଠାରୁ ରାମସେବକ ମୋଟେ ଦି’ ଚାରି ବରଷ ସାନ । ତା’ ପାଖରେ ଏମିତି ଗୋଟାଏ ପ୍ରସ୍ତାବ କରିବା ହିଁ ତା’ ପକ୍ଷରେ ଯଥେଷ୍ଟ ଅପମାନ । ରୂପା ପରି ଷୋଳବରଷି ସୁନ୍ଦରୀ କନ୍ୟାରତ୍ନ ପାଇଁ ରାମସେବକ ପରି ଲେଙ୍ଗଡ଼ା ବୁଢ଼ା ! ୟା’ଠୁ ବଳି ଆଉ ଅପମାନ କ’ଣ ହୋଇପାରେ ? ଜୀବନରେ ସେ ଅନେକ ଅପମାନ ସହିଥିଲା । ହେଲେ, ୟା’ଠୁ ବଳି ବଡ଼ ଅପମାନ କେବେ ତାକୁ ମିଳି ନ ଥିଲା । ରାମ ସେବକକୁ ଝିଅଦେବା ମାନେ, ଝିଅ ବିକିବା ଛଡ଼ା ଆଉ କ’ଣ ହୋଇପାରେ ! କପାଳ ପୁଣି ତାଙ୍କୁ ଆଣି ଏମିତି ଖାଲରେ ପକାଇଥିଲା ଯେ, ଆଉ ଉଁ ଚୁଁ କରିବାପାଇଁ ବାଟ ନ ଥିଲା । ବିଚାରା ଆଉ କ’ଣ କହନ୍ତା । ଚିନ୍ତା ଏବଂ ଅପମାନରେ ମୁଣ୍ଡ ନୁଆଇଁ ବସିଗଲା ।

 

ମିନିଟକ ପରେ ଦାତାଦୀନ କହିଲା–‘ତା’ ହେଲେ କ’ଣ କହୁଛ ?’

 

ହୋରୀ ଟିକିଏ ଗୁଁ ପୁଁ ହୋଇ କହିଲା–‘ହଉ, ବୁଝିକରି କହିବି ।’

 

‘ଏଥିରେ ପୁଣି ଗୋଟେ ବୁଝିବାର କ’ଣ ଅଛି ?’

 

‘ଧନିୟାକୁ ଆଗ ଥରେ ପଚାରିଦିଏ ।’

 

‘ତମେ ଆଗ ରାଜି ନା ନାହିଁ, କହିଲ ?’

 

‘ମୁଁ ଟିକିଏ ଭାବିକରି କହିବି । ଏ କୂଳରେ ତ ଆଜିଯାଏ ଏମିତିଆ କାମ ହେଇନି । କୁଳ ମହତ ତ ପୁଣି ଗୋଟେ ଅଛି । ହଁ, ଦେଖି ଚାହିଁକରି କରିବାକୁ ହେବ ।’

 

‘ହଉ, ତା’ ହେଲେ ଦି’ଚାରି ଦିନରେ ଠିକକରି ମୋତେ କହିବ । ନାହିଁ ତ ତମେ ଏଣେ ବସି ବିଚାର କରୁକରୁ ତେଣେ ବେଦଖଲି ଆସି ପହଞ୍ଚିଯିବ ।’

 

ଦାତାଦୀନ ଉଠି ଚାଲିଗଲା । ହୋରୀଠାରେ ତା’ର କୌଣସି ସନ୍ଦେହ ନ ଥିଲା, ସନ୍ଦେହ ଥିଲା କେବଳ ଧନିୟା ଉପରେ । ଭାରି ଏକଜିଦିଆ ମାଇକିନିଆ ସେ । କାଉଁରିଆ କାଠି, ଭାଙ୍ଗିଯିବ ପଛେ, ନଇଁବ ନାହିଁ । ହୋରୀ ଯଦି ହଁ କରିଦିଏ, ତେତେ ଧନୀୟା ଯେତେ ବାଡ଼େଇ ପିଟି ହେଲେ ବି ହଁ କରିବାକୁ ବାଧ୍ୟ ହେବ । ଏମିତି ସିନା ଅପମାନ ହେବ, ଜମି ବେଦଖଲି ହୋଇଗଲେ ତ ପୁଣି ଅପମାନ ହେବ ।

 

ଧନିୟା ଆସି ପଚାରିଲା–‘ପଣ୍ଡିତେ କ’ଣ ପାଇଁ ଆସିଥିଲେ କି ?’

 

‘ନାହିଁ କିଛି ନାହିଁ, ଏଇ ବେଦଖଲି କଥା ପଡ଼ିଥିଲା ।’

 

‘ହଁ, ଲୁହ ପୋଛିବାକୁ ଯଦି ଆସିଥିଲେ, ଶହେ ଟଙ୍କା ଉଧାର ଦେଇଦେଇ ନାହାନ୍ତି କିଆଁ-?’

 

‘ହଁ ଆମର ଅବା ମାଗିବାକୁ କେଉଁ ମୁହଁ ଅଛି ?’

 

‘ଆମର ତ ମୁହଁ ନାହିଁ, ସେ ଏଠିକି ଧାଉଁଛନ୍ତି କାହିଁକି ?’

 

‘ହଁ ରୂପା ବାହାଘର କଥା ପଡ଼ିଥିଲା ଯେ’ ।

 

‘କା’ ସାଙ୍ଗେ ମ’ ?

 

‘ରାମ ସେବକ ସାଙ୍ଗରେ, ତୁ ତାକୁ ଚିହ୍ନିଛୁ କି ?’

 

‘କେବେ ଦେଖିଥିଲି ମନେ ନାହିଁ, ହେଲେ ତା ‘କଥା ତ ମୁଁ କୋଉକାଳୁ ଶୁଣି ଆସୁଛି । ସେ ବୁଢ଼ା ହବଣି କି କ’ଣ ।’

 

‘ନାହିଁ, ଠିକ ବୁଢ଼ା ନୁହେ ଯେ, ହେଲେ ଆଉ ବୟସ ନାହିଁ ।’

 

‘ତମେ ତାକୁ କିଛି କହିଲ ନାହିଁ, ମୁଁ ହୋଇଥିଲେ ତା ‘ମୁହଁ ଭାଙ୍ଗି ଦେଇଥାନ୍ତି । ଏମିତି ଜବାବ ଦେଇଥାନ୍ତି ଯେ, ପୁଣି ସାତପୁରୁଷ ଯାଏ ପୁଅ ମନେ ପକେଇଥାଆନ୍ତା ।’

 

‘ନାହିଁ କିଛି କହିଲି ନାହିଁ ଯେ, ମନା କରିଦେଲି । କହୁଥିଲା ବିନା ଖରଚରେ ବାହାଘର ହୋଇଯାଆନ୍ତା, ଜମିକୁ ଜମି ଆମର ବଞ୍ଚିଯାଆନ୍ତା ।’

 

‘କିଆଁ ମ, ସିଧାସଳଖ ସେ କହିଦେଉ ନାହିଁ, ପଇସା ନେଇକରି ଆମେ ଝିଅ ବିକିଦେବୁ-। ଏକଥା କହିବା ପାଇଁ ଆଗ ତା, ତୁଣ୍ଡ ନେଉଟିଲା କେମିତି ।’

 

କିନ୍ତୁ ହୋରୀ ସେ କଥାକୁ ଯେତିକି ଅଧିକ ଅଧିକ ବିଚାର କଲା, ସେତିକି ସେତିକି ତା ‘ମନରୁ ଗ୍ଲାନି କମିଗଲା । କୁଳମର୍ଯ୍ୟାଦା ତା’ର ଥିଲା ସତ; କିନ୍ତୁ ଅସାଧ୍ୟ ବେମାର ପହଞ୍ଚିଲେ, ପଥି ଅପଥି ମଣିଷ ବାରିବ କ’ଣ ସବୁ ତ ଖାଇ ଚାଲିଯିବ । ଦାତାଦୀନ ଯେତେବେଳେ ବାହାଘର ପ୍ରସ୍ତାବ ଦେଲା, ହୋରୀ ପ୍ରକୃତରେ ତାକୁ ସ୍ଵୀକାର କରି ନ ଥିଲା, ହେଲେ ତା ‘ମନ ଭିତର ଟିକିଏ ତରଳି ଯାଇଥିଲା । ଭାବିଲା ବୟସରେ ଗୋଟାଏ କ’ଣ ଅଛି । ଯା’ର ଯେଉଁଦିନ ମାଣିକ ପୂରିବ ସେଦିନ ସେ ଚାଲିଯିବ । ଦୁନିଆରେ ତ ପୁଣି କେତେ ବୁଢ଼ା ବସିଛନ୍ତି, ତାଙ୍କ ଆଗରେ ଭେଣ୍ଡିଆ ମଣିଷ ଚାଲିଯାଉଛନ୍ତି । ତା’ଛଡ଼ା କପାଳେ ଲେଖା ନଥିଲେ ଯେତେ ଖୋଜିଲେ ସୁଖ ମିଳିବ କୁଆଡ଼ୁ ? ରୂପା କପାଳେ ଯଦି ସୁଖ ଥିବ, ତାହେଲେ ସେ ସୁଖ ନିଶ୍ଚୟ ପାଇବ, ନାହିଁ ଯଦି ଦୁଃଖ ଅଛି, ସୁଖ ତାକୁ ଦେଇପାରିବ କିଏ ? ତା’ ଛଡ଼ା ଝିଅ ବିକିବାର ତ ପ୍ରଶ୍ନ ଉଠୁ ନାହିଁ । ଟଙ୍କା ତ ସେ ସେମିତି ନେବେ ନାହିଁ ଉଧାର ନେବ, ପୁଣି ହାତରେ ପଇସା ହେଲେ ସୁଝି ଦେବ । ଏଥିରେ ଗୋଟାଏ ଲାଜସରମ କ’ଣ ? ଅପମାନ କ’ଣ ? ହଁ ପାଖରେ ଯଦି ସେମିତି ଧନ ଥାନ୍ତା, ତେବେ ସେ ପିଲା ବର ଦେଖି ଦେଇଥାନ୍ତା । ହେଲେ ଭଗବାନ ଯେତେବେଳେ ସେତକ ଦେଇନାହାନ୍ତି ତମ୍ବା–ତୁଳସୀରେ କନ୍ୟାକୁ ଉଠାଇଦେବା ଛଡ଼ା ଆଉ ଉପାୟ କ’ଣ ? ହଁ ଲୋକେ ହସିପାରନ୍ତି । କିନ୍ତୁ ଯେଉଁଲୋକ କିଛି ସାହାଯ୍ୟ ନ କରି କେବଳ ହସନ୍ତି, ତାଙ୍କ ହସକୁ ଶୁଣିଯାଉଛି କିଏ ? ହଁ ଏଥିରେ ଅସଲ ତ ହେଉଛି ଧନିୟା, ସେ ମଙ୍ଗିଲେ ସିନା ! ସେ ତ ଏଇନେ କେତେ କୁଳମରଯଦା ଦେଖେଇ ବସିବ । ଆରେ ବାବୁ, ହାତରେ ଧନ ଥିଲେ ସିନା ହେବ । ମରଯଦାକୁ ଧରି ବସିଲେ କ’ଣ ହେବ ? ଏତେବେଳେ ତ କୌଣସିମତେ ବଞ୍ଚିଯିବା କଥା । ହଁ, ଏମତି ଯଦି ଲାଜ ମାଡ଼ୁଛି, ଦେଖି ପାଞ୍ଚଶହ ଟଙ୍କା କେଉଁଠୁ କାଢ଼ୁ ତ !

 

ଦି’ ଦିନ ଚାଲିଗଲା, ଏ ବିଷୟରେ ଦୁହିଁଙ୍କ ଭିତର ଆଉ ବେଶି କିଛି କଥାବାର୍ତ୍ତା ହୋଇ ନ ଥିଲା । ଅବଶ୍ୟ ଠାରଠରା ହେଇ ପଦେଅଧେ କ’ଣ ହୋଇଥିଲେ !’

 

ଧନୀୟା କହିଲା–‘ବରକନ୍ୟା ଠିକ୍ ଯୋଡ଼ ହେଲେ ସିନା ବାହାଘର ଭଲ ନାଗେ !’

 

ହୋରୀ କହିଲା–‘ବାହାଘର ତ ଭଲ ଲାଗିଲା ଜିନିଷ ନୁହେଁ, ବାହାଘର ହେଉଛି ଏକ ତପସ୍ୟା ।’

 

‘ହଁ ତପସ୍ୟା ନା, ଆଉ କ’ଣ !’

 

‘ପ୍ରକୃତରେ ମୁଁ ଯାହା କହୁଛି, ତପସ୍ୟା । ଭଗବାନ ଯାହାକୁ ଯେଉଁଠି ଯୋଡ଼ିଦେବେ, ସେଇଠି ରହି ସୁଖ ପାଇବାକୁ ଚେଷ୍ଟାକରିବା ତପସ୍ୟା ନୁହେ, ଆଉ କ’ଣ ?’

 

ତହିଁଆର ଦିନ ଆଉ ଏକ କଥା ଭାବି ଧନିୟା କହିଲା–‘ଯୋଉଠି ଶାଶୁ ଶ୍ଵଶୁର, ନଣନ୍ଦ ଦିଅର, ଯା’ ଯେଉଳା ଥା’ନ୍ତି ସେଠି ସିନା ସୁଖ ନାଗେ । ଝିଅ ଆଗ କେତେଦିନ ବୋହୂ ପରି ସୁଖ ପାଏ । ଯୋଉଠି ସେ କଥା ନାହିଁ, ସେଠି ଆଉ ସୁଖ କ’ଣ ?’

 

ହୋରୀ କହିଲା–‘ସେ କଥା ଯାହା କହିଲୁ, ସେ ସୁଖ ନୁହେଁ ଯେ, ସେ ଗୋଟାଏ ଦଣ୍ଡ ।’

 

ଧନିୟା ଚମକି ପଡ଼ି କହିଲା–‘ତମେ ଆଚ୍ଛା କହୁଛ, ଯେଉଁଠି ଆଗକୁ ପଛକୁ କେହି ନାହିଁ, ସେଠି ଝିଅ ବୋହୂ ହେଇ ରହିବ କେମିତି ?’

ହୋରୀ କହିଲା–‘ତୁ ତ ଆସିଲାବେଳେ ଏ ଘରେ ଯୋଡ଼ା ଯୋଡ଼ା ଦିଅର, ଶାଶୁ, ଶ୍ୱଶୁର, ନଣନ୍ଦ ସବୁଥିଲେ, ତୋର କୋଉ ସୁଖଟା ହୋଇଥିଲା ମୋତେ କହିଲୁ ଦେଖି ?’

‘ମଲା, ସବୁ ଘରେ କ’ଣ ଏକା ମଣିଷ ଥା’ନ୍ତି ?’

‘ମଲା, ମଣିଷଗୁଡ଼ା ଏକା ନୁହନ୍ତି କ’ଣ ଆଉ କେଉଁଠୁ ଆକାଶରୁ ଛିଣ୍ଡି ପଡ଼ିଥାନ୍ତି ? ଗୋଟିଏ ବୋହୂକୁ ଘରେ ହଜାର ମାଲିକ । କା’ କଥା ଏବେ ସେ କରିବ । ଯା’ କଥା ନ କରିବ ସେ ଏଡ଼େ ମୁହଁ କରି ବସିବ । ସବୁଠୁ ଭଲ ହେଉଛି ଏକୁଟିଆ ବୋହୂହୋଇ ରହିବା ।’

କଥା ଏତିକିରେ ସେଦିନ ରହିଲା । କିନ୍ତୁ ଧନିୟାର ବଳ ଦିନକୁ ଦିନକୁ ହଟିଗଲା । ତହିଁଆରଦିନ ରାମସେବକ ଗୋଟାଏ କଳା ଘୋଡ଼ାରେ ଚଢ଼ି ଆସି ପହଞ୍ଚିଗଲା । ସାଙ୍ଗରେ ଜଣେ ଭଣ୍ଡାରୀ, ଜଣେ ଚାକର, ସତେ ଯେମିତି କେଉଁଠିକା ଜମିଦାର । କଚେରୀକୁ ଗୋଟାଏ ମକଦ୍ଦମାରେ ଯାଉଥିଲା ଯେ, ଭାରି ଖରାହୋଇ ଝାଞ୍ଜି ପିଟିବାରୁ ହୋରୀ ଘରଠି ଟିକିଏ ଅଟକିଗଲା । ରାମସେବକ ଦେଖିବାକୁ ସେମିତି କିଛି ବୁଢ଼ା ନୁହେଁ । ଅଧାବାଳ ପାଚି–ଯାଇଥିଲେ ବି ଦେହରେ ଖୁବ୍ ତାକତ ଥିଲା । ହୋରୀ ଆଗରେ ସେ ଭେଣ୍ଡିଆ ପିଲାଟାଏ ପରି ଦିଶୁଥିଲା । ତାଙ୍କୁ ଦେଖିଲାମାତ୍ରେ ସାହୁଆଣୀ ଦୋକାନରୁ ଅଟା ଘିଅ ଆଣିଲା, ପୁରୀ ଛଣା ହେଲା । ତିନିଜଣଯାକ କୁଣିଆ ଖାଇଲେ । ୟା’ ଭିତରେ ଦାତାଦୀନ ମହାଶୟ ବି ଆସି ପହଞ୍ଚିଗଲେ, କଥାବାର୍ତ୍ତା ଚାଲିଲା ।

ଦାତାଦୀନ ପଚାରିଲା–‘କି ମକଦ୍ଦମା ଅଛି ?’

ରାମସେବକ ଖୁବ୍ ଆଡ଼ମ୍ବର କରି କହିଲା–ମକଦ୍ଦମା କଥା କ’ଣ ପଚାରୁଛନ୍ତି, ସବୁଦିନ ତ ଗୋଟେ ନା ଗୋଟେ ମକଦ୍ଦମା ଲାଗିରହିଛି । ଆଜିକାଲି ଯୁଗରେ ତମେ ଯେତିକି ଡରିବ, ଲୋକେ ତମକୁ ସେତିକି ଡରେଇବେ । ଦାରୁଗା, ପୁଲିସ, କଚେରୀ, ହାକିମ ସମସ୍ତେ ଆମକୁ ରକ୍ଷା କରିବାପାଇଁ ଅଛନ୍ତି । କିନ୍ତୁ ରକ୍ଷାକରିବା ତେଣିକି ଥାଉ, ଖାଲି ଆମକୁ ଲୁଟି କରିବା ପାଇଁ ଟାକି ବସିଛନ୍ତି, ଗରିବଙ୍କ ତଣ୍ଟି ଚିପିବାରେ ଦିନରାତି ଲାଗିଛନ୍ତି । ଅନ୍ୟାୟ କରିବା ପାପ, ହେଲେ ନିଜ ନ୍ୟାୟପାଇଁ ଲଢ଼ାଇ ନ କରିବା ତା’ଠୁ ବଳି ପାପ । କେତେ ଏବେ ମଣିଷ ଡରିକରି ଚଳିବ ! ଗରିବ ଚାଷୀଙ୍କୁ ତ ସବୁବେଳେ ମାରି ଖାଇଲେ । ପଟୁଆରୀକୁ କିଛି ନ ଦେଲେ ତ ଗାଁରେ ରହିବା ମୁସ୍କିଲ-। ଜମିଦାରଙ୍କ ଚଉକିଆ, ଚପରାସୀଙ୍କୁ ଯଦି ନ ଦେଲେ ଚଳିବା କଷ୍ଟ । ଦାରୁଗା କନେଷ୍ଟବଲଙ୍କ କଥା ତ ଛାଡ଼ । ସେ ତ ଜାଣି ଗାଁ ବାଲାଙ୍କର ଜୁଆଇଁ । ସେ ଗାଁ ଭିତରେ ଖାଲି ଥରେ ଚାଲିଗଲେ ଯେତେଇଚ୍ଛା । ଥରେ ପାଉଣା ନ ଦେଲେ ଗାଁଯାକ ପୁଣି ବନ୍ଧା ହୋଇଯିବେ । ତହସିଲଦାର, ଡେପୁଟି, କମିଶନର ପ୍ରତିଦିନ ତ ଜଣେ ନା ଜଣେ କେହି ଆସୁଥିବେ । ତାଙ୍କପାଇଁ ଅଣ୍ଡା, କୁକୁଡ଼ା, ଖାସି, ଘିଅ, ଦୁଧ ଯୋଗାଇବା ଦରକାର । ଦିନକୁ ଦିନ ତ ନୂଆ ନୂଆ ଚାକେରିଆ ବଢ଼ିବାରେ ଲାଗିଛନ୍ତି । ଏବେ ପୁଣି ଡାକ୍ତର ଆସିଲେଣି କୂଅରେ ଔଷଧ ପକାଇବା ପାଇଁ । କେତେ ଯେ ଅଫିସର ହେଲେଣି; କିଏ ଜଙ୍ଗଲ ଦେଖିବାପାଇଁ, କିଏ ମଦତାଡ଼ି ଦେଖିବାପାଇଁ, କିଏ ଖେତବାଡ଼ି ଦେଖିବାପାଇଁ ଦିନକୁ ଦିନ ତ ବଢ଼ି ଚାଲିଛନ୍ତି । କାହାକୁ କେତେ ଦେବ । ଏବେ ପୁଣି ଗୁଡ଼ାଏ ପାଦ୍ରୀ ସାହେବ ଆସିଲେଣି; ତାଙ୍କୁ ବି ରସଦ ନ ଦେଲେ ନ ଚଳେ । ହଁ ହେଲେ, ଏତେ ଅଫିସରଙ୍କଠାରୁ ଲୋକଙ୍କର ଅଧଲାଟାକର ଉପକାର ହେଉଥାନ୍ତା ! କିଛି ତ ନାହିଁ । ଏବେ ଜଣେ କେଉଁ ବଡ଼ ହାକିମଙ୍କୁ ଭୋଜି ଦେବାପାଇଁ ଜମିଦାର ହଳପିଛା ଦି’ଟଙ୍କା–ଲେଖା ଚାନ୍ଦା କରିଥିଲେ । ଲୋକେ ନ ଦେବାରୁ ପୁଣି ଜୋରିମନା ହେଲା । ଜମିଦାର ଯେମିତିକୁ ତାଙ୍କ ହାକିମହୁକୁମା ସେମିତି-। କେହି ତ ହେଲେ ଟିକିଏ ବୁଝନ୍ତି ନାହିଁ ଯେ, ଗରିବ ଲୋକଙ୍କର ପୁଣି ଘର ସଂସାର ଅଛି, ମାନ–ମର୍ଯ୍ୟାଦା ଅଛି, ସେମାନେ ବିଚାରା ଚଳିବେ କେମିତି ? ଆମେ ଡରିଲାରୁ ଏ ସବୁ ହେଉଛି । ମୁଁ ତ ଏବେ ଗାଁରେ ସମସ୍ତଙ୍କୁ କହିଦେଇଛି ଯେ, କେହି କିଛି ଦେବେ ନାହିଁ । ଜୋର ଜବରଦସ୍ତି ହେଲେ, ପୁଣି ତେଣିକି ଦେଖାଯିବ । ସମସ୍ତେ ମିଶି ନାହିଁ କରିଦେବାରୁ ଜମିଦାର ଆଉକିଛି କରିପାରିଲେ ନାହିଁ, ତୁନୀ ରହିଲେ । ବିଲ ସିନା ବେଦଖଲି କରିଦେବେ, କିନ୍ତୁ ଆମେ ସବୁ ଏକାଠି ହେଲେ ବେଦଖଲି ଜମି ଚଷିବ କିଏ ? ଏ ଦୁନିଆରେ ଦବିଲେ ଚଳିବ ନାହିଁ । କଡ଼ା ହେଲେ ଯାଇଁ ଲୋକେ ଡରିବେ-। ପିଲା ନ କାନ୍ଦିଲେ ମା’ ତ ଦୁଧ ଦିଏ ନାହିଁ । ଆଉକଥା ପଚାରୁଛି କିଏ-?

 

ବେଳ ଗଡ଼ାଗଡ଼ିକୁ ରାମସେବକ ଚାଲିଗଲା । କିନ୍ତୁ ହୋରୀ ଆଉ ଧନିୟାଙ୍କ ମନ ମାନିଗଲା । ଦାତାଦୀନର ମନ୍ତ୍ର ଏଥର ଖୁବ୍ କାଟିଲା ।

 

ଦାତାଦୀନ ପଚାରିଲା–କ’ଣ ଏଥର କହୁଛ ?

 

ହୋରୀ ଧନିୟା ଆଡ଼କୁ ହାତବଢ଼ାଇ କହିଲା–ତାକୁ ଆଗ ପଚାର ।

 

‘ତାକୁ କ’ଣ ପଚାରିବି, ମୁଁ ତ ଦୁହିଁଯାକୁ ପଚାରୁଛି ।’

 

ଧନିୟା କହିଲା–ହଁ, ବୟସ ତ ବଳେଇ ଗଲାଣି, ହେଲେ, ତମମାନଙ୍କ ମନକୁ ଯଦି ଆସୁଛି, ମୁଁ ଆଉ କହିବି କ’ଣ ? ଯାହା କପାଳେ ନେଖାଥିବ, ତାକୁ ନିଭେଇବ କିଏ ? ହେଲେ ମଣିଷ ତ ଖୁବ୍ ଭଲ ଜଣା ପଡ଼ୁଛନ୍ତି ।

 

ହୋରୀର ତ ରାମସେବକ ଉପରେ ଖୁବ୍ ବିଶ୍ଵାସ ଆସିଯାଇଥିଲା, ମନେ ମନେ ସେ ବହୁତ କଳ୍ପନାଜଳ୍ପନା କରିସାରିଥିଲା । ହୁଏତ ଏମିତିଆ ଜଣେ ଲୋକର ଆଶ୍ରା ପାଇଲେ, ତା ଭାର କିଛି ଊଣା ହୋଇଯାଇପାରେ ।

ବାହାଘର ଦିନ ଠିକ୍ ହୋଇଗଲା । ଗୋବରା ପାଖକୁ ଲେଖିବାକୁ ଠିକ ହେଲା, ନହିଲେ ଭବିଷ୍ୟତରେ ସେ ଖୁଣ୍ଟାଦେବ । ସୁନାକୁ ବି ଡକାହେଲା ।

 

ଧନିୟା କହିଲା–ଗୋବରା ତ ସେମିତି ପିଲା ନୁହେଁ, ହେଲେ ଝୁନିଆ ସିନା ତାକୁ ଛାଡ଼ିଲେ ! ଏତଦିନହେଲା ଗଲାଣି ଯେ, କୋଉ ଚିଠି ନା ପତର । ଭଗବାନ ଜାଣନ୍ତି, କିଏ ତାକୁ ଏମିତି କଲା । ଏତିକି କହୁ କହୁ ଆଖି ତାର ଲୁହରେ ଭରିଗଲା ।

 

ଚିଠି ମିଳିଲାମାତ୍ରେ ଗୋବରା ଘରକୁ ଆସିବାପାଇଁ ସଜବାଜ ହେଲା । ଝୁନିଆର ଇଚ୍ଛା ନ ଥିଲେ ବି ସେ ଆଉ କିଛି କହିପାରିଲା ନାହିଁ । ଭଉଣୀ ବାହାଘରକୁ ଭାଇକୁ ଯିବାକୁ ଅବା ସେ ମନା କରନ୍ତା କେମିତି ? ସୁନା ବାହାଘରକୁ ତ ଯାଇ ନଥିଲା ବୋଲି କେତେ କଥା ତାକୁ ଶୁଣିବାକୁ ପଡ଼ିଥିଲା ।

 

ଗୋବରା କାନ୍ଦ କାନ୍ଦ ହୋଇ କହିଲା–ବାପ ମା’ ଙ୍କ ସଙ୍ଗରେ ଅଭାବ ହେଇ ରହିବା ଉଚିତ୍ ନୁହେଁ । ଯେତେହେଲେ ତ ସେ ବାପ ମା’ ଜନ୍ମ ଦେଇଛନ୍ତି, ପାଳି ପୋଷିକରି ଏଡ଼ିଟିରୁ ଏଡ଼ିଟିଏ କରିଛନ୍ତି । ସେ ପାଞ୍ଚ କଥା କହିଲେ ବି ଆମର ଚୁପ୍ ହେଇ ଶୁଣିବା ଉଚିତ । ବାପ ମା’ଙ୍କ କଥା ଆଜି କାଲି ଭାରି ମନେପଡ଼େ । ମନରେ ଭାରି କଷ୍ଟହୁଏ, ସେତେବେଳେ ମୋ ମୁଣ୍ଡରେ କଣ ଆସିଲା କେଜାଣି, ମୁଁ ସେମିତିଆ କଥାଗୁଡ଼ା କହିଦେଲି । ତୋ’ରି ପାଇଁ ମୋତେ ବାପ ମାଆଙ୍କୁ ବି ଛାଡ଼ିବାକୁ ପଡ଼ିଲା ।

 

ଝୁନିଆ ରାଗିଯାଇ କହିଲା–ହଁ ଏତେବେଳେ ସବୁ ଦୋଷ ମୋର । ତମର ତ ମନେ ହେଲା ତମେ କଳି ଲାଗିଲ, ମୋର କ’ଣ ଗଲା ? ମୁଁ ତ ଏତେଦିନ ଥିଲି, କେତେ କଳି ଲଗେଇଥିଲି ?

 

‘ତୋ’ରି ଯୋଗୁ କଳି ହେଲା ନା କାହିଁକି ?’

 

‘ହଉ ମୋରି ଯୋଗୁ ଏବେ ହେଲା । ମୁଁ ତ ପୁଣି ତମରି ପାଇଁ ମୋ’ ବାପ ଭାଇଙ୍କି ଛାଡ଼ି ଚାଲି ଆସିଲି ।’

 

‘ତମ ଘରେ ତୋତେ ପଚାରୁଥିଲା କିଏ ? ଭାଇ ଭାଉଜ ତ ଛେଇ ଛେଇ ମାର ମାର କରୁଥିଲେ । ଭୋଳା ତ ପାଇଲେ କଞ୍ଚା ଖାଇ ଯାଇଥାନ୍ତା ।’

 

‘ସବୁ ତମରି ଯୋଗୁ ।’

 

‘ଯା ତ ହେଲାଣି ହେଲାଣି, ଏଣିକି ଯେତିକି ଦିନ ଅଛି, ତାଙ୍କରି ବୋଲରେ ଚଳିବାକୁ ହେବ । ବାପା ତ ଏତେ ଭଲ ଲୋକ ଯେ, ଦିନେ ହେଲେ ମୋତେ କଡ଼ା କରି ପଦେ କଥା କହି ନାହାନ୍ତି । ମା ଅବଶ୍ୟ କେତେଥର ମାରିଛି । କିନ୍ତୁ ମାରିକରି ସାଙ୍ଗେ ସାଙ୍ଗେ ପୁଣି ଖାଇବାକୁ ଦେଇ ଭୁଲାଇ ଦିଏ । ମାରିଦିଏ ସିନା କିନ୍ତୁ ପୁଣି ନ ହସାଇଲା ଯାଏ ମନରେ ତାର ଶାନ୍ତି ନ ଥାଏ ।’

ଦିହେଁଯାକ ଯାଇ ମାଳତୀଙ୍କୁ ଯେମିତି ଛୁଟି ମାଗିଲେ ମାଳତୀ ସଙ୍ଗେ ସଙ୍ଗେ ଛୁଟି ମଞ୍ଜୁର କରିଦେଇ କନ୍ୟା ପାଇଁ ହାତକୁ ଚୁଡ଼ି, ଆଉ ଶାଶୁଘରକୁ ନେବାପାଇଁ ଗୋଟାଏ ଚରଖା ଉପହାର ଦେଲେ । ସେ ନିଜେ ଯିବାପାଇଁ ବି ତାଙ୍କର ଭାରି ମନ ଥିଲା, ଦି’ ଚାରି ଜଣ ରୋଗୀଙ୍କ ଯୋଗୁ ଯିବା ସମ୍ଭବ ହେଲା ନାହିଁ । ତଥାପି ବାହାଘର ଦିନ କିଛି ସମୟ ପାଇଁ ଯିବେ ବୋଲି କହି ଗୁଡ଼ାଏ ଖେଳନା ଆଣି ପିଲା ପାଖରେ କୁଢ଼େଇ ଦେଲେ । ପିଲାକୁ କୋଳ କରି ବହୁତ୍ ଗେଲ କଲେ । କିନ୍ତୁ ଗାଁକୁ ଯିବାପାଇଁ ପିଲାଟି ଏଡ଼େ ପାଗଳ ହୋଇପଡ଼ିଲା ଯେ, ଆଉ କିଛି ତାକୁ ଭଲ ଲାଗୁ ନଥିଲା । ଯଦିଓ ତା ‘ଜୀବନରେ ଗାଁ କେବେ ସେ ଦେଖି ନଥିଲା, ତଥାପି ତା କଳ୍ପନାରେ ଗାଁଟା ସ୍ଵର୍ଗଠାରୁ ଆହୁରି ସୁନ୍ଦର ଥିଲା ।

 

ଗୋବରା ଘରେ ପହଞ୍ଚିଯାଇ ଯାହା ଦେଖିଲା ସେଥିରେ ସମ୍ପୂର୍ଣ୍ଣ ନିରାଶ ହୋଇପଡ଼ିଲା, ମନହେଲା, ସେହି ମୁହୂର୍ତ୍ତରେ ପୁଣି ଫେରିଯାଆନ୍ତା । ଘରୁ ଫାଳେ ଖସିପଡ଼ିବା ଉପରେ ରହିଥିଲା, ଦୁଆରେ କେବଳ ପଟେ ବୁଢ଼ାହଡ଼ା ବନ୍ଧା ହୋଇଥିଲା । ପୁଅକୁ ଦେଖି ହୋରୀ ଆଉ ଧନୀୟା ଯେତେ ଖୁସିହେଲେ ବି ଗୋବରା ମନରେ କିଛି ସୁଖ ନ ଥିଲା କି କୌଣସି ଆଶା ନ ଥିଲା । ଆଉ ଯାହା ହେଉପଛେ ଚାକିରି କରି ମୁଠେ ଖାଇବାକୁ ତ ଅନ୍ତତଃ ମିଳୁଛି । ଲୋକ ଗୋଲାମ କରନ୍ତୁ ପଛେ ସେ ବରଂ ଭଲ । ଚାକେରୀ ମାଲିକ ଜଣେ । କିନ୍ତୁ ଗାଁରେ ତ ହଜାରେ ମାଲିକ । ମଣିଷ ଏତେ କଷ୍ଟକରି ଖେତବାଡ଼ି କରିବ, ପଇସା ରୋଜଗାର କରିବ, ଶେଷକୁ ପର ଆସି ତା ‘ଝାଳବୁହା ଧନକୁ ମାରିନେଇ ଚାଲିଯିବ । ଆଉ ସେ ଜଳକା ହୋଇ ଅନେଇ ବସିଥିବ । ତା ବାପା ଚାହେଁ ଯେ, ସେ ସବୁ ଦେଖୁଥିବ କିନ୍ତୁ କାହାକୁ କିଛି ପାଟି ଫିଟାଇବ ନାହିଁ । କିନ୍ତୁ ଗୋବରା କି ସହିବା ଲୋକ ! ଖାଲି ତ ହୋରୀର ନୁହଁ, ଗାଁଯାକ ସମସ୍ତଙ୍କର ସେହି ଦଶା । ଯାହାକୁ ଦେଖିବ ସେ ଚିନ୍ତାରେ କଳା ପଡ଼ି ଯାଇଛି । ଯେମିତି ପିଣ୍ଡରେ ପ୍ରାଣ ନାହିଁ, ଖାଲି ଦୁଃଖ ପୂରି ରହିଛି । ଦୁଃଖରେ ଜୀବନ ଯାଉଛି ଆସୁଛି । ଦିନରାତି ବାଡ଼େଇ କୁଟି ହୋଇ ଲୋକେ କାମ କରୁଛନ୍ତି, ଖଳାରେ ଧାନ–କଳେଇ ଗଦାହୋଇ ରହିଛି, ତଥାପି କାହାରି ମନରେ ଆଶା ନାହିଁ, କି ମୁହଁରେ ହସ ନାହିଁ । କାମ କରୁଛନ୍ତି ଖାଲି କାମ କରିବା ପାଇଁ, ଖାଲି ଜୀବନ ଅଛି ବୋଲି । ଖଳା ନ ସରୁଣୁ ତ ଅଧାଅଧି ସାହୁ ମହାଜନ, ପିଅନ, ପିଆଦା ଖଳମୁଣ୍ଡରୁ ନେଇଯାଉଛନ୍ତି, ବାକି ଯାହାଅଛି ଆଉ ଆଉ ଦେ’ଣାଦାର ନେଇଯିବେ । ଆଶା ଉତ୍ସାହର ପ୍ରଶ୍ନ ନାହିଁ, ଖାଲି ଅନ୍ଧକାର ଭବିଷ୍ୟତ ସାମନାରେ ଛିଡ଼ା ହୋଇଛି । ସେଥିରେ କୁଆଡ଼େ ରାସ୍ତା ଦେଖାଯାଉ ନାହିଁ । ଦୁଆର ମୁହଁରେ ଆଣ୍ଠୁଏ ଅଳିଆ ଗଦା ହୋଇଛି ଅଥଚ ଆଖିକୁ ଦେଖାଯାଉ ନାହିଁ, କିମ୍ବା ନାକରେ ଗନ୍ଧ ବାଜୁ ନାହିଁ । ସଞ୍ଜହେଲେ ଦୁଆରେ ବିଲୁଆ ବୋବାଉଛି କିନ୍ତୁ ସେଥିପାଇଁ କୌଣସି ଚିନ୍ତା ନାହିଁ । ଇଞ୍ଜିନ୍ କୋଇଲା ଖାଇଲାପରି ଯେତେବେଳେ ଯାହା ମୁଠେ ମିଳିଲା ଖାଇଲେ, ସେଥିରେ କୌଣସି ବାଛବିଚାର ନାହିଁ । ଜିଭରେ ତାଙ୍କର ଆଉ ରସ ନାହିଁ କି ଜୀବନରେ ଆଉ ସ୍ଵାଦ ନାହିଁ । ଅଧଲା ପାହୁଲାଟାଏ ପାଇଁ ଅନ୍ୟାୟ, ଧାନ ମୁଠେପାଇଁ ମାରପିଟ୍; ଲଜ୍ଜାସରମର କୌଣସି ପ୍ରଶ୍ନ ନାହିଁ ।

 

ଗୋବରା ପିଲାଦିନୁ ଏଇସବୁ ଦୁଃଖ ଦେଖି ଦେଖି ତାର ଅଭ୍ୟାସ ହୋଇ ଯାଇଥିଲା କିନ୍ତୁ ଏଇ ଦି, ଚାରିବର୍ଷ ସହରରେ ରହି ସେହି ପୁରୁଣା କଥାଗୁଡ଼ା ଆଜି ତାକୁ ଭାରି ନୂଆ ଲାଗିଲା-। ବଡ଼ ବଡ଼ ଲୋକଙ୍କ ପାଖରେ ରହି ସତେ ଯେମିତି ତା’ର ବୁଦ୍ଧି ନୂଆ ହୋଇ ଯାଇଥିଲା-। ସହରରେ କେତେଥର ସେ ମିଟିଂକୁ ଯାଇଛି । ସେଠି ବରାବର ଶୁଣିଛି ଯେ ମଣିଷ ନିଜେ ନିଜର ଭାଗ୍ୟବିଧାତା । ନିଜ ଭାଗ୍ୟକୁ ନିଜେ ଠିକ୍ କରିବାକୁ ହେବ, ସେଥିପାଇଁ କୌଣସି ଦିଅଁ ଦେବତାଙ୍କର ଆବଶ୍ୟକତା ନାହିଁ । କେବଳ ନିଜର ବୁଦ୍ଧି ଆଉ ସାହସ ଦରକାର । ଗାଁ ଲୋକଙ୍କର ଦୁଃଖ ଦେଖି ପ୍ରାଣରେ ତା’ର ଗଭୀର କଷ୍ଟ ହେଲା, କିନ୍ତୁ ତା’ର ସେ ପୂର୍ବ ଉଦଣ୍ଡପଣିଆ ଆଉ ନ ଥିଲା, ସଂସାରର ବହୁତ କଥା ଦେଖି ଶୁଣି ସେ ଖୁବ୍ ଶାନ୍ତ ହୋଇଯାଇଥିଲା । ଭାବୁଥିଲା ଲୋକମାନେ ଏତେ ଦୁଃଖରେ ରହି ମଧ୍ୟ୍ୟ, ସ୍ଵାର୍ଥରେ ପଡ଼ି, ଏତେ ମାରପିଟ ହେଉଛନ୍ତି କାହିଁକି ? ସେମାନଙ୍କର ଏତିକି ବୁଝିବା ଉଚିତ୍ ଯେ, ଭଗବାନ ସେମାନଙ୍କୁ ଯେତେବେଳେ ସମାନ ଦୁଃଖ ସମାନ କଷ୍ଟ ଦେଇଛନ୍ତି, ସେତେବେଳେ ସମସ୍ତେ ସମାନ, ବଡ଼ ସାନ କେହି ନାହିଁ । ସମସ୍ତେ ସମସ୍ତଙ୍କର ବନ୍ଧୁ । ତେଣୁ ସମସ୍ତେ ଏକାଠି ମିଳିମିଶି ଲଢ଼େଇ କରିବା ଉଚିତ । ଆଜିକାଲି ହୋରୀକୁ କୌଣସି କାମ କରିବାର ଦେଖିଲେ ଗୋବରା ଛଡ଼ାଇନେଇ ନିଜେ କରେ । ଆଗେ ବାପମା’ଙ୍କ ପ୍ରତି ଯେତେ ଅନ୍ୟାୟ କରିଥିଲା, ସବୁ ଜାଣି ଆଜି ସେ ପ୍ରାୟଶ୍ଚିତ କରୁଥିଲା । ହୋରୀକୁ ସେ ବରାବର କହେ–ବାପା, ତମେ ଆଉ ଏଣିକି କଷ୍ଟ ନ କରି ଚୁପଚାପ୍ ହୋଇ ବସ । ମୁଁ ତମ ପାଇଁ ମାସକୁ ମାସ ଖର୍ଚ୍ଚ ପଠାଇବି, ଜୀବନଯାକ ତ ଏମିତି ପର ପାଉଣା ସୁଝି ସୁଝି କଟିଗଲା: କିଛିଦିନ ହେଲେ ସୁଖ ମିଳିଥାଉ । ମୁଁ ଥାଉଁ ଥାଉଁ ତୁମକୁ ଏତେ କଷ୍ଟ କରିବାକୁ ପଡ଼ିଲା, ୟା’ଠୁ ବଳି ଦୁଃଖ ମୋ’ର ଆଉ କିଛି ନାହିଁ । ଏକଥା ଶୁଣି, ହୋରୀର ରୋମ ଟାଙ୍କୁରି ଉଠେ, ମନରେ ଉତ୍ସାହ ଭରିଯାଏ । ସେ ତା କରଜର ଟିକିନିଖି ହିସାବ ଦେଇ ପୁଅ ମନରେ ଦୁଃଖ ଦେବାକୁ ମୋଟେ ଚାହେଁନାହିଁ, କିମ୍ବା ଆରାମରେ ବସି ମାଳି ଜପିବାକୁ ଚାହେଁ ନାହିଁ । କୋଡ଼ି କୋଦାଳରେ ଯାର ଜୀବନ କଟିଛି, ମାଳି ଗଡ଼େଇ ତା’ର କିଛି ଲାଭ ନାହିଁ ।

 

ହୋରୀକୁ ଗୋବରା କହିଲା–ମୁଁ ଭାବୁଛି, ସବୁ ସାହୁକାରଙ୍କ ସଙ୍ଗରେ ମୁଁ କଥାବାର୍ତ୍ତା କରି କିସ୍ତି ବାନ୍ଧିଦେଇ ଯିବି । ମାସକୁ ମାସ ସେଇ କିସ୍ତିରେ ତାଙ୍କ ପାଖକୁ ଟଙ୍କା ପଠାଇଦେବି । କହିଲ ଦେଖି, ସମୁଦାୟ କେତେ ଟଙ୍କା ହେବ ?

 

ହୋରୀ ମୁଣ୍ଡ ହଲେଇ କହିଲା–ନାହିଁ ବାପ, ତୁ କାହିଁକି ଏତେ କଷ୍ଟ କରିବୁ ? ସେ କଥା ମୁଁ ବୁଝିବି । ସବୁଦିନେ କ’ଣ ଏହି ଅବସ୍ଥା ଥିବ ? ରୂପା ଚାଲିଗଲା ପରେ ସବୁ ରୋଜଗାର କରଜ ସୁଝାରେ ଲାଗିଯିବ । ମୋ’ ପାଇଁ କିଛି ଚିନ୍ତା ନ କରି ଆରାମରେ ଖାଇପିଇ ତୋ’ ନିଜ ଦେହକୁ ତୁ ଠିକ୍ କରିନେ । ମୋ ‘କଥା କ’ଣ, ମୋ’ର ତ ଏମିତି ଦିହକ ଗଲାଣି । ମୁଁ ବର୍ତ୍ତମାନ ତୋତେ ଆଣି କାଦୁଆ ମାଟିରେ ମିଶାଇବାକୁ ଚାହେଁ ନାହିଁ । ତୋତେ ଆଚ୍ଛା ମାଲିକ ମିଳିଯାଇଛନ୍ତି । ଯଦି ତାଙ୍କରି ସେବା କିଛିଦିନ କରିନେବୁ, ତେବେ ତୁ ମଣିଷ ହୋଇଯିବୁ । ସେ ତ ଥରେ ଏଠିକି ଆସିଥିଲେ, ସାକ୍ଷାତ୍ ଯେମିତି ଦେବୀ ମୂର୍ତ୍ତି ।

 

‘ପୁଣି ବାହାଘର ଦିନ ଆସିବେ ବୋଲି କହିଛନ୍ତି ।’

 

‘ସେ ଆମର ଭାଗ୍ୟ । ପଇସା କମ୍ ମିଳୁ ପଛେ ସେମିତିଆ ଲୋକଙ୍କ ସଙ୍ଗେ ରହିଲେ ଆଖି ଫିଟିଯିବ ଆଗ ।’

 

ଏତିକିବେଳକୁ ଦାତାଦୀନ ଆସି ହୋରୀକୁ ଠାରିଦେବାରୁ ହୋରୀ ତା’ ପାଖକୁ ଚାଲିଗଲା । ଦାତାଦୀନ ସାଙ୍ଗେ ସାଙ୍ଗେ ଅଣ୍ଟାରୁ ଦି’ଖଣ୍ଡ ଶହେ ଟଙ୍କିଆ ନୋଟ୍ କାଢ଼ି, ହୋରୀ ହାତରେ ଗୁଞ୍ଜିଦେଇ କହିଲା–ବୁଝିଲ ହୋରୀ, ମୋ କଥା ମାନିଗଲ ଭାରି ଭଲକଲ । ଦି’କଥାକୁ ପାଇଲା, ଏଣେ ଝିଅକୁ ଝିଅ ଗଲା, ତେଣେ ଜମିକୁ ଜମି ରହିଗଲା । ମୋ’ ହାତରେ ଯେତିକି ହେଲା ମୁଁ କଲି, ଏଣିକି ତମକଥା ତମେ ବୁଝ ।

 

ହୋରୀ ଟଙ୍କା ନେଲାବେଳେ ତା ହାତ ଗୋଟାପଣେ ଥରିଗଲା, ମୁହଁ ତା’ର ତଳକୁ ହୋଇଗଲା, ପାଟିରୁ ଆଉ କଥା ବାହାରିଲା ନାହିଁ । ଅପମାନରେ ବିଚାରା ସଢ଼ିଗଲା । ତିରିଶ ବର୍ଷ କାଳ ଜୀବନ ସଙ୍ଗରେ ଲଢ଼ି ଲଢ଼ି ଆଜି ଜାଣି ସେ ପରାସ୍ତ ହେଲା । ସତେ ଯେମିତି ତାକୁ ଦାଣ୍ଡରେ ଛିଡ଼ା କରାଇଦେଇ ଜଣକୁ ଜଣ ତା ମୁହଁରେ ଛାପ ପକାଇ ଚାଲି ଯାଉଛନ୍ତି, ଆଉ ସେ ବିକଳ ହୋଇ ପାଟିକରି କାନ୍ଦୁଛି, ନିଜକୁ ଦୟାରପାତ୍ର ବୋଲି ମନେକରୁଛି । ଜୀବନରେ ଖରା ବର୍ଷା କ’ଣ ଦିନେହେଲେ ସେ କାମରୁ ଛୁଟି ପାଇନି । ଯଦି କେହି ତା’ର ଛାତି ଚିରି ଦେଖନ୍ତା, ତେବେ ଦେଖିପାରନ୍ତା ସେଥିରେ ପ୍ରାଣ ନାହିଁ, ଖାଲି ଅତ୍ୟାଚାର ଅପମାନର ବୋଝ ଲଦାହୋଇ ରହିଛି, ପ୍ରତି ପ୍ରାଣତନ୍ତୁ ଜୀବନ ଆଘାତରେ ଛିହ୍ନଭିନ୍ନ ହୋଇ ପଡ଼ିଛି; ଦିନେହେଲେ ସୁଖ ମିଳିନାହିଁ, ମୁହୂର୍ତ୍ତେ ହେଲେ ବିଶ୍ରାମ ମିଳିନାହିଁ । ସବୁ ଶ୍ରମ, ସବୁ ସାଧନାର ଏକମାତ୍ର ଫଳ ମିଳିଛି ମର୍ମଦାହୀ ଅପମାନ-। ସେସବୁ ସତ୍ତ୍ୱେ ବି ସେ ନିଜର ନିର୍ଲଜ୍ଜ, ଅଧମ ଜୀବନର ଲୋଭ ଛାଡ଼ିପାରି ନାହିଁ । ଜୀବନ ଉପରେ ତା’ର ସମସ୍ତ ବିଶ୍ୱାସ ତିଳ ହୋଇ ନଷ୍ଟ ହୋଇ ଯାଇଛି ।

 

ଦାତାଦୀନ କହିଲା–ତା’ ହେଲେ ମୁଁ ଯାଉଛି । ତମେ ସାଙ୍ଗେ ସାଙ୍ଗେ ନୋଖେରାମ ପାଖକୁ ଯାଇ ହିସାବପତ୍ର ଛିଣ୍ଡାଇଦେଇ ଆସ ।

 

ହୋରୀ କରୁଣ କଣ୍ଠରେ କହିଲା–ହଁ ଆଜ୍ଞା, ମୁଁ ଯାଉଛି । କିନ୍ତୁ ମୋ’ର ସବୁ ଇଜ୍ଜତ ଆପଣଙ୍କ ହାତରେ ।

Image

 

ଷଟ୍‍ତ୍ରିଂଶ ପରିଚ୍ଛେଦ

 

ଦୁଇ ଦିନଯାଏ ଗାଁରେ ଖୁବ୍ ଚହଳ ପଡ଼ିଲା । ବାଜା ବାଜିଲା, ବାହାଘର ହେଲା । କାନ୍ଦି ବୋବେଇ ରୂପା ବିଦା ହୋଇଗଲା । କିନ୍ତୁ ହୋରୀ ଆଉ ମୁହୂର୍ତ୍ତକ ପାଇଁ ଦାଣ୍ଡକୁ ବାହାରିଲା ନାହିଁ, ଘରେ ସେମିତି ଛପି ରହିଲା, ସତେ ଯେମିତି ତା’ ମୁହଁରେ କିଏ କାଳି ବୋଳି ଦେଇଛି । ମାଳତୀ ଦେବୀ ଆସି ପହଞ୍ଚିଗଲାରୁ ଧୁମଧାମ୍ ଆହୁରି ବଢ଼ିଗଲା, ଗାଁଯାକ ମାଇପେ ଆସି ରୁଣ୍ଡ ହୋଇଗଲେ ।

 

ଗୋବରା ୟା’ ଭିତରେ ଗାଁ ଲୋକଙ୍କୁ ସମସ୍ତଙ୍କୁ ଏମିତି ଆପଣାର କରି ନେଇଥିଲା ଯେ, ଜଣେ ଆଉ କେହି ବାକି ନ ଥିଲେ । ଭୋଳା ତ ତାକୁ ଦେଖି ଆନନ୍ଦରେ ତା’ ଗୋଡ଼ତଳେ ପଡ଼ିଗଲା । ନୋହରୀ ତାକୁ ପାନ ଦେଇ ଟଙ୍କାଟାଏ ବିଦାକୀ ତା’ ହାତରେ ଧରେଇ ଦେଲା । ଲକ୍ଷ୍ନୌ ଗଲେ ତା’ ସଙ୍ଗେ ଦେଖାହେବ ବୋଲି ଭୋଳା ତା’ ଠିକଣା ଲେଖି ରଖିଲା । କରଜ ଟଙ୍କା କଥା ଆଉ କିଛି ପକାଇଲା ନାହିଁ ।

 

ଗୋବରା ଯେତେବେଳେ ଲକ୍ଷ୍ନୌ ଯିବାପାଇଁ ଦିନ ଆସିଗଲା, ହୋରୀ ଧନିୟା ଆଗରେ ଲୁହ ଛଳଛଳ କରି ଛିଡ଼ା ହେଲା; କାନ୍ଦି କାନ୍ଦି କହିଲା–ବାପ, ଜମି ତିନି ବିଘା ପାଇଁ ଜୀବନରେ ମୁଁ ବଡ଼ ପାପଭାରା ମୁଣ୍ଡେଇ ନେଲି । ଏଥିପାଇଁ ମୋତେ କି ଦଣ୍ଡ ଭୋଗିବାକୁ ପଡ଼ିବ, ଏକା ଭଗବାନ ଜାଣନ୍ତି । ଆଜିଯାଏ ଯେଉଁ କଥା ତା’ ମନ ଭିତରେ ଓଲଟପାଲଟ ହୋଇ ତା’ ଜୀବନକୁ ଜାଳି ପକାଉଥିଲା, ସେଇ କଥା ଆଜି ହୋରୀ ନ କହି ରହି ପାରିଲା ନାହିଁ ।

 

ଗୋବରା କୌଣସିପ୍ରକାର ବିରକ୍ତ ନ ହୋଇ ବରଂ ଶ୍ରଦ୍ଧା ପ୍ରକାଶ କରି କହିଲା–ଏଥିରେ ଗୋଟାଏ ପାପ କ’ଣ ମୁଁ ତ କିଛି ବୁଝିପାରୁ ନାହିଁ । ରାମସେବକର ଟଙ୍କା ସୁଝିଦେଲେ କାମ ଛିଣ୍ଡିଲା । ଆମର ବା ଆଉ ଉପାୟ କ’ଣ ଥିଲା ? ମୁଁ ତ ଏମିତି ଯୋଗ୍ୟ ହୋଇନି ଯେ ସବୁ ଟଙ୍କା ଦେଇ ପାରିଥାନ୍ତି । ବିଲରେ ତ ଫସଲ ଆଡ଼ୁ ନାଇଁ, ମାସେ ହେଲା ତ ଘରେ ଖାଇବାକୁ ନ ଥିଲା । ଏମିତି ଅବସ୍ଥାରେ ଆଉ ଉପାୟ କ’ଣ ଥିଲା ? ତା’ଛଡ଼ା ଜମିବାଡ଼ି ଖଣ୍ଡକ ଯଦି ରକ୍ଷା କରି ନ ଥାନ୍ତେ, ତେବେ ବଞ୍ଚିଥାନ୍ତେ କେମିତି ? ମଣିଷର ଯେତେବେଳେ କୌଣସି ଚାରା ନାହିଁ, ସେ ଭାଗ୍ୟ ଉପରେ ସବୁ ଛାଡ଼ିଦେବାକୁ ବାଧ୍ୟ ହୁଏ । ଭଗବାନ ଜାଣନ୍ତି ଏମିତି କେତେ ଯୁଗ ଆଉ ଚାଲିବ । ତା’ଛଡ଼ା ପେଟକୁ ମୁଠେ ଯା’ର ଦାନା ନାହିଁ, ତା’ର ପୁଣି ଗୋଟାଏ ମାନମହତ କ’ଣ ? ତମେ ଯଦି ପରତଣ୍ଟି ଚିପି ପରଘର ବୁଡ଼େଇଥାନ୍ତ, ତେବେ ତମେ ବି ଆଜି ଭଲ ମଣିଷ ହୋଇ ବସିଥା’ନ୍ତ । ସବୁଦିନେ ଅନ୍ୟାୟକୁ ଡରି ଡରି ଶେଷରେ ଏହି ଫଳ ପାଇଲ । ମୁଁ ଯଦି ହୋଇଥାନ୍ତି, ତା’ହେଲେ ମୁଁ ଜିହଲ ଖଟିଥାନ୍ତି, ନ ହେଲେ ଫାଶୀ ଯାଇଥାନ୍ତି । ମୁଁ ରୋଜଗାର କରି କରି ମରିଥାନ୍ତି, ଆଉ ଲୋକେ ମୋ’ ରୋଜଗାର ଖାଇ ମୋଟା ହୋଇଥାନ୍ତେ, ଅଥଚ ମୋ ପିଲାଏ ଜଳଜଳ କରି ଅନାଇଥାନ୍ତେ, ସେକଥା କେଭେ ମୁଁ ସହି ନଥା’ନ୍ତି ।

 

ଝୁନିଆକୁ ଛାଡ଼ିବାପାଇଁ ଧନିୟାର ମୋଟେ ମନ ନ ଥିଲା । ଝୁନିଆ ମନ ମଧ୍ୟ ଟିକିଏ ବଦଳି ଯାଇଥିଲା, ତା’ର ଇଚ୍ଛା ଥିଲା, ଗାଁରେ କିଛିଦିନ ରହିବ ବୋଲି । ଶେଷକୁ ଠିକ୍ ହେଲା ଯେ, ଗୋବରା ଏକୁଟିଆ ଯିବ ।

 

ତହିଁଆରଦିନ ସମସ୍ତଙ୍କଠାରୁ ବିଦାହୋଇ ଗୋବରା ଯେତେବେଳେ ଲକ୍ଷ୍ନୌ ବାହାରିଲା, ହୋରୀ ତାକୁ ଗାଁମୁଣ୍ଡ ପର୍ଯ୍ୟନ୍ତ ଛାଡ଼ିବାକୁ ଗଲା । ଗୋବରା ଯେତେବେଳେ ତା’ ପାଦ ଛୁଇଁ ନମସ୍କାର କଲା, ହୋରୀ ଭୋ ଭୋ କାନ୍ଦି ପକାଇଲା, ସତେ ଯେମିତି ପୁଅ ସଙ୍ଗେ ତା’ର ଆଉ ଦେଖା ହେବ ନାହିଁ । ହୋରୀ ମନରେ ଆଗରୁ ଯେଉଁ ଆଶା, ଯେଉଁ କଠୋର କଳ୍ପନା ସବୁ ପୁଞ୍ଜୀଭୂତ ହୋଇ ରହିଥିଲା, ପୁଅଠାରୁ ସ୍ନେହ ଓ ଶ୍ରଦ୍ଧାର ପ୍ରତିଦାନ ପାଇ ସେସବୁ ପୁଣି ଫୁଲି ଉଠିଲା, ପ୍ରାଣ ତା’ର ବିଶାଳ ହୋଇ ଉଠିଲା । କେତେଦିନ ଆଗରୁ ତା’ ପ୍ରାଣରେ ଯେଉଁ ଅନ୍ଧକାର ଛାଇହୋଇ ରହିଥିଲା, ନୂତନ ବିଶ୍ଵାସର ଆଲୋକରେ ତାହା ଆଜି ସଂପୂର୍ଣ୍ଣରୂପେ ଲିଭିଗଲା ।

 

ରୂପା ଶାଶୁଘରକୁ ଯାଇ ଖୁବ୍ ସୁଖରେ ରହିଲା । ପିଲାଦିନେ ଯେଉଁ କଷ୍ଟରେ ସେ ଦିନ କାଟିଥିଲା, ସେଥିରେ ପଇସା ତା’ ଆଖିରେ ସବୁଠୁ ବଡ଼ ଜିନିଷ ଥିଲା । କିନ୍ତୁ ଆଜି ତା’ ହାତରେ ପଇସା, ଯାହାକୁ ଯେତେ । ପିଲାଦିନର ଯେତେ ଆଶା ମନ ଭିତରେ ତା’ର ମରି ରହିଥିଲା, ସେ ସବୁ ରୂପା ଆଜି ପୂରା କରିଦେଲା । ରାମସେବକ ବୁଢ଼ା ହେଉ କି ଭେଣ୍ଡିଆ ହେଉ ସେଥିପାଇଁ ତା’ର କୌଣସି ଚିନ୍ତା ନ ଥିଲା । କିନ୍ତୁ ନିଜ ଧରମ ପାଳିବାରେ ସେ ଏତେ ଟିକେ ବି ହେଲା କରୁ ନ ଥିଲା । ସ୍ଵାମୀ ତା’ର ବୁଢ଼ା କି ଟୋକା ସେ ଚିନ୍ତା ଅପେକ୍ଷା ସ୍ଵାମୀର ଧନସମ୍ପତ୍ତି ତା’ ଆଖିରେ ଖୁବ୍ ବଡ଼ ଥିଲା । ସେଥିପାଇଁ ସେ ଆଉସବୁ ଭୁଲି ଯାଇଥିଲା । ସେ ଯେ ବେଷଭୂଷଣ ହେଉଥିଲା ସ୍ଵାମୀକୁ ଖୁସି କରିବ ବୋଲି, ତା’ନୁହେ ବରଂ ସେ ଆପଣା ଯୌବନକୁ ସାର୍ଥକ କରିବା ପାଇଁ, ଆପଣା ମନର ଆନନ୍ଦପାଇଁ ସେସବୁ କରୁଥିଲା । ବରଂ ସ୍ଵାମୀ ପାଖରେ ତା’ର ରୂପ ଭିନ୍ନ ପ୍ରକାର ଥିଲା । ସ୍ଵାମୀ ନିକଟରେ ସେ ଥିଲା ଗୃହିଣୀ, ସଞ୍ଜ ସକାଳ କାମ କରି ଧନସମ୍ପତ୍ତି ସମ୍ଭାଳିବା ତା’ର ଥିଲା କାମ । ନିଜର ଯୌବନ, ନିଜର ରୂପସୌନ୍ଦର୍ଯ୍ୟ ଦେଖାଇ ସ୍ଵାମୀ ମନରେ ବିଗତ ଯୌବନର କ୍ଷୋଭ ଜାଗ୍ରତ କରାଇବାପାଇଁ ସେ କେବେହେଲେ ଚେଷ୍ଟା କରୁ ନ ଥିଲା । ଘରବାହାର ଚାରିଆଡ଼ ଧନସମ୍ପଦ ଫୁଟି ପଡ଼ୁଥିବାର ଦେଖି ମନରେ ତା’ର କୌଣସି ପ୍ରକାର ଅପୂର୍ଣ୍ଣତାର ଆଶଙ୍କା ପର୍ଯ୍ୟନ୍ତ ନ ଥିଲା । ଗାଁ ସେପାର ପର୍ଯ୍ୟନ୍ତ ବିସ୍ତୃତ ରାମସେବକର ବିଲବାଡ଼ି ଦେଖି ରୂପା ମନରେ ରୂପେଲୀ ସ୍ଵପ୍ନ ଭରି ଉଠୁଥିଲା, ଅଭାବ ଅସୁବିଧାର ପ୍ରଶ୍ନପର୍ଯ୍ୟନ୍ତ ନଥିଲା ।

 

ରୂପା ମନରେ ଗୋଟିଏ ଚିନ୍ତା ଥିଲା, ନିଜ ବାପଘରକୁ କେମିତି ଉଠେଇବ, ସେମାନଙ୍କୁ କେମିତି ସୁଖରେ ରହିବାର ଦେଖିବ । ସେଇ ଗାଈ କଥା ବି ଆଜିଯାଏ ତା ମନରୁ ଯାଇ ନ ଥିଲା । ଦି’ଦିନର କୁଣିଆ ପରି ସେ ଆସି ସମସ୍ତଙ୍କୁ କନ୍ଦେଇ କନ୍ଦେଇ ଚାଲିଗଲା । ସ୍ଵାମୀଘରକୁ ଯେପର୍ଯ୍ୟନ୍ତ ସେ ଆପଣାର ବୋଲି ଭାବି ନ ଥିଲା, ନିଜ ଘର ତା’ ପାଇଁ ବେଶି ଆପଣାର ଥିଲା । ବାପଭାଇଙ୍କ ସୁଖ ଦୁଃଖରେ ତା’ର ଆପଣାର ସୁଖ ଦୁଃଖ । ଶାଶୁଘରେ ଶହ ଶହ ଛେଳି ମେଣ୍ଢା ଦେଖି ତାକୁ ସେତେ ଖୁସି ଲାଗୁ ନ ଥିଲା, ବାପଘର ଦୁଆରେ ଗାଈ ପଟେ ଦେଖି ଯେତେ ଖୁସି ଲାଗୁଥିଲା । ତା’ର ମନେପଡ଼ିଲା ସେଥର ଗାଈ ଆସିଲାବେଳେ ତା’ ବାପା କେତେ ଖୁସି ହୋଇଥିଲେ । ଆନନ୍ଦରେ ପାଦ ତା’ର ଭୂଇଁରେ ପଡ଼ୁ ନ ଥିଲା । ସତେ ଯେମିତି ସ୍ଵର୍ଗରୁ କେଉଁ ଦେବତା ଆସିଯାଇଥିଲା । କିନ୍ତୁ ସେହି ଗାଈ ଗଲାଦିନୁ ଆଉ ପଟେ ଗାଈ କରିବାର ସୌଭାଗ୍ୟ କେବେ ମିଳିଲା ନାହିଁ । ସେହିଦିନୁ ଗାଈ ଗୋଟିଏ ପାଇଁ ମନ ଭିତରେ ବରାବର ସେ ଘୋରିସୋରି ହେଉଥିଲା । ସେ ଭାବୁଥିଲା, ଗଲାଦିନ ସାଙ୍ଗରେ ଗାଈଟାଏ ନେଇକରି ଯିବ । ପୁଣି ଭାବିଲା, ଏତେଦିନ ଡେରି ନ କରି ବରଂ ଶୀଘ୍ର ପଠାଇଦେଲେ ଭଲ । ରାମସେବକକୁ କହିଲାମାତ୍ରେ, ସେ ହିଁ କରିଦେଲା । ଜଣେ ଗଉଡ଼ ହାତରେ ରୂପା, ହୋରୀ ପାଖକୁ ଗାଈଟାଏ ପଠାଇ ଦେଲା । କହିଲା, ‘ବାପାଙ୍କୁ କହିବ, ମଙ୍ଗଳ ଦୁଧ ଖାଇବ ବୋଲି ପଠାଇଛି ।’ ହୋରୀର ଯଦିଓ ଗାଈଟାଏ ପାଇଁ ଭାରି ଇଚ୍ଛା ଥିଲା ତଥାପି ସେଥିପାଇଁ ସେ ତରତର ହେଉ ନ ଥିଲା । କିନ୍ତୁ ମଙ୍ଗଳ ଆସିଲାଦିନୁ ଦୁଧ ପାଇଁ ଟିକିଏ ଚିନ୍ତା ପଡ଼ିଥିଲା । କାରଣ ମଙ୍ଗଳ ତ ଆଉ ତା’ ନାତି ନୁହେ କି ଗୋବରାର ପୁଅ ନୁହେ । ବରଂ ମାଳତୀ ଦେବୀଙ୍କ ସ୍ନେହର ଖେଳନା । ତାକୁ ଠିକରୂପେ ଲାଳନପାଳନ କରିବା ତା’ର ପ୍ରଧାନ କର୍ତ୍ତବ୍ୟ ।

 

କିନ୍ତୁ ଏତେ ଆଦର ଯତ୍ନ ପାଇଁ ପଇସା ଆସିବ କୁଆଡ଼ୁ ? ଯୋଗକୁ ସେତେବେଳକୁ ଜଣେ ଠିକାଦାର ଆସି ସଡ଼କ ତିଆର କରିବା ପାଇଁ ମାଟି ଖୋଳାଉଥିଲା । ହୋରୀ ଶୁଣିଲା ମାତ୍ରେ ଦିନକୁ ଆଠଅଣା ମଜୁରୀରେ କାମ କରିବା ପାଇଁ ସେଠି ଯାଇ ହାଜର ହୋଇଗଲା । ଭାବିଲା, ଯଦି ଦି’ ମାସ କାଳ ସେଠି କାମ ଲାଗିଯାଏ, ତେବେ ଗାଈଟାଏ କିଣିବା ପାଇଁ ତା’ ପାଖରେ ଯଥେଷ୍ଟ ପଇସା ହୋଇଯିବ । ସେଥିପାଇଁ ବିଚାରା ଖରାତରା ଝାଞ୍ଜି କିଛି ନ ମାନି ଯାଇ କାମ କଲା । ଦିନଯାକ ଖରାରେ ତରାରେ କାମ କରି ସନ୍ଧ୍ୟାବେଳକୁ ଫେରିଆସେ । କିନ୍ତୁ ମନରେ ଏତେ ଉତ୍ସାହ ଥାଏ ଯେ, ତାକୁ ଏତେ ଟିକେ ହେଲେ କଷ୍ଟ ଲାଗେନି । ଖାଲି ସେତିକି ନୁହେଁ, ରାତିରେ ଖାଇସାରି ରାତି ଗୋଟାଏ ଦିଟା ପର୍ଯ୍ୟନ୍ତ ବସି ସୂତା କାଟେ । ଗାଈ କିଣିବା ପାଇଁ ଧନିୟା ଏବେ ଏମିତି ପାଗଳୀ ହୋଇ ଯାଇଥିଲା ଯେ, ଅଧିକା କାମ କରିବା ପାଇଁ ହୋରୀକୁ ମନାକରିବ କ’ଣ, ଆପେ ବସି ତା’ ସାଙ୍ଗରେ ସୂତା କାଟୁଥିଲା । ଏକେ ତ ଗାଈ କିଣିବାକୁ ଥିଲା; ତା ଛଡ଼ା ରାମସେବକର ଟଙ୍କା ବି ସୁଝିବାକୁ ଥିଲା । ପୁଅ ଯେତେବେଳେ କହି ଯାଇଥିଲା, ସେହିକଥା ଦିହିଁଙ୍କଯାକଙ୍କୁ ଭାରି ଚିନ୍ତା ହୋଇଥିଲା ।

 

ରାତି ବାର । ଦିହେଁଯାକ ବସି ସୂତା କାଟୁଛନ୍ତି, ହଠାତ୍ ଧନିୟା କହିଲା–ଯଦି ନିଦ ମାଡ଼ିଲାଣି, ଯା’ ଶୋଇପଡ଼ିବ, ସକାଳୁ ତ ପୁଣି କାମକୁ ଯିବାକୁ ପଡ଼ିବ ।

 

ହୋରୀ ଟିକେ ଉପରକୁ ଅନାଇ ଚିନ୍ତା କଲାପରି କହିଲା–ହଁ, ଯାଉଛି ରାତି ତ ମୋଟେ ଦଶ ବାଜିଛି, ତୁ ଯା’ ଶୋଇପଡ଼ିବୁ, ମୁଁ ଯାଉଛି ।

 

‘ହଁ, ମୋ କଥା କ’ଣ । ମୁଁ ତ ଦିହିପହରେ ଯାହିତାହି ହେଲେ ଟିକେ ଗଡ଼ପଡ଼ ହୋଇପଡ଼ୁଛି । ତମେ ହେଲେ ଯା’ ଶୋଇ ପଡ଼ିବ ।’

 

‘ହଁ, ମୁଁ ବି ସେମିତି ଦିହିପହରେ ଗଛ ଛାଇରେ ଟିକେ ବିଶ୍ରାମ ନେଇଯାଉଛି ।’

 

‘ସେଠି ଭାରି ଝାଞ୍ଜି ପିଟୁଥିବ ତ ।’

 

‘ନାହିଁ, ଝାଞ୍ଜି ସେମିତି କିଛି ନାହିଁ, ଗଛତଳ ଭାରି ଥଣ୍ଡା ।’

 

‘ମତେ ତ ଭାରି ଡର ଲାଗୁଛି, କାଳେ କଦବା ଝାଞ୍ଜି ଲାଗି ତମ ଦେହ ଖରାପ ହୋଇଯିବ ।’

 

‘ହଅ, ଯାହାର ସିନା ବେଳ ଥାଏ, ତାକୁ ବେମାରୀ ହୁଏ । ଆମକୁ କେଉଁ ବେଳ ଅଛି ନା ବେମାର ଅଛି । ଗୋବରା ଆସିଲାବେଳକୁ ରାମସେବକ ଟଙ୍କା କେମିତି ଯୋଗାଡ଼ ହୋଇ ଯାଇଥିବ ସେହି ହେଉଛି ମୋର ଅସଲ ଚିନ୍ତା । ଏବର୍ଷ କେମିତି ତା’ ଟଙ୍କା ଦେଲେ ଯାଇଁ ରକ୍ଷା ।’

 

‘ଗୋବରା କଥା କିଆଁ ଆଜି ଭାରି ମନେ ପଡ଼ୁଛି ! କେଡ଼େ ଭଲ ପିଲା ହୋଇଗଲାଣି ସତେ ସେ !’

 

‘କାନ୍ଧରେ ପଡ଼ିଲେ ଲୋକେ ବଜେଇ ଶିଖନ୍ତି, ଯିବ କୁଆଡ଼େ ?’

 

‘ଏଠିକି ଆସିଲା ଦିନ ମଙ୍ଗଳ କେମିତି ତାକତ ଥିଲା, ଏଠିକି ଆସିକରି ଗୋଟାପଣେ ଝଡ଼ିଗଲାଣି ।’

 

‘ହଁ, ସେଠି ଦୁଧ ଦହିରେ ଭାସୁଥିଲା । ଏଠି ଖାଲି ଶୁଖିଲା ଭାତ ମୁଠେ । ଠିକାଦାରି ଟଙ୍କା ଦେଲାମାତ୍ରେ ତା’ ପାଇଁ ଯେମିତି ହେଲେ ଗାଈଟାଏ ଆଣିବାକୁ ହେବ ।’

 

‘ଗାଈ ତ କୋଉଦିନୁ ଆସି ସାରନ୍ତାଣି, ତମେ ସିନା କା’ କଥା ମାନିଲେ ହ’ନ୍ତା । ନିଜ ଖେତ ତ ଉଜୁଡ଼ି ଯାଉଛି, ତମେ ପୁଣି ପୁନିଆ ଖେତକୁ ଧରିବସିଛ ।’

 

‘କ’ଣ କରିବା କହ । ନିଜ ଧରମ ତ ପୁଣି ଗୋଟେ ଅଛି । ସେ ସିନା ଗୋଟେ ମନ୍ଦବୁଦ୍ଧି କରିଦେଲା, ହେଲେ, ତା’ ପିଲାଛୁଆ ପାଳିବା ପାଇଁ ଆମ ଛଡ଼ା ଆଉ କିଏ ଅଛି କହ । ମୁଁ ନଥିଲେ, ଆଜି ତାଙ୍କ ଅବସ୍ଥା କ’ଣ ହ’ନ୍ତାଣି କିଏ ଜାଣିଛି । ଏତେ କଲି, ତେବେକେ ତ ଦେଖୁଛି ମଙ୍ଗୁଲୁ ସାହୁ ତା’ ନାଁରେ ନାଲିଶ ଦାଏର କରିଦେଇ ବସିଛି ।’

 

‘ହଁ, ନ ଦେଇକରି ଟଙ୍କା ପୋତିକରି ରଖିଲେ, ମକଦ୍ଦମା ହବନାଇଁ ଆଉ କ’ଣ ହେବ ?’

 

‘କ’ଣ ଗୁଡ଼ାଏ ବାଜେକଥା କହୁଛୁ, ଖାଇବାକୁ ତ ମୁଠେ ମିଳିଲେ ଢେର, ପଇସା ପୋତୁଛି କିଏ ।’

 

‘ହୀରା ତ ସଂସାରୁ କୁଆଡ଼େ ଚାଲିଗଲାଣି ଜଣାପଡ଼ୁଛି ।’

 

‘କିନ୍ତୁ ମତେ ଲାଗୁଛି, ସେ ଯେଉଁଠି ହେଲେ ଅଛି, ଯେଉଁଦିନ ହେଲେ ଆସିବ ।’

 

ଦିହିଁଯାକ ଶୋଇବାକୁ ଗଲେ । ହୋରୀକୁ ଛାଇନିଦ ମାଡ଼ିଆସୁଛି, ହଠାତ୍ ମୁହଁଟେକି ଦେଖିଲାବେଳକୁ ହୀରା ଆସି ସାମନାରେ ଛିଡ଼ା ହୋଇଛି; ଛିଣ୍ଡା ଲୁଗା, ମୁଣ୍ଡରେ ବୋଝେ ବାଳ, ଦେହହାତ ଶୁଖି ଶୁଖୁଆ ହୋଇ ଯାଇଛି । ହାଡ଼ ମାଉଁସ କୁଆଡ଼େ ମିଳାଇ ଯାଉଛି । ଚଟକରି ଚାଲିଆସି ହୀରା ହୋରୀ ଗୋଡ଼କୁ କୁଣ୍ଢେଇ ପକାଇ ଭୂଇଁରେ ଲୋଟିଗଲା ।

 

ହୋରୀ ତାକୁ କୁଣ୍ଢେଇ ପକାଇ କହିଲା–ହଇରେ, ତୋ ଦେହରେ ତ ଆଉ କିଛି ନାହିଁ, କଣ ବେମାର ହୋଇଥିଲା କି ? କେତେବେଳେ ଆସିଲୁ ? ଆଜି ଏଇନେ ତୋ କଥା ମନେପଡ଼ି ମନ ଭାରି ଗୋଳେଇ ଘାଣ୍ଟି ହେଉଥିଲା ।

 

ହୀରାର ଗାଈ ମାରିବାକଥା ହୋରୀ ଆଜି ସଂପୂର୍ଣ୍ଣରୂପେ ଭୁଲି ଯାଇଥିଲା । ବାପା ମା ମରିଗଲା ପରେ ହୀରା ଯେମିତି ଛେଉଣ୍ଡ ଅବସ୍ଥାରେ ଥିଲା, ହୋରୀ ଯେମିତି ତାକୁ ପୁଅପରି ପାଳିପୋଷି ବଢ଼େଇଥିଲା, ସେହି କଥା ଆଜି କେବଳ ତା ମନରେ ଥିଲା । ମଝି କୋଡ଼ିଏ ପଚିଶ ବର୍ଷର ସ୍ମୃତି କୁଆଡ଼େ ମାଟିରେ ମିଶି ଯାଇଥିଲା ।

 

ହୀରା କିଛି ଉତ୍ତର ନ ଦେଇ ଠିଆହୋଇ ଖାଲି କାନ୍ଦିଲା ।

 

ହୋରୀ କରୁଣ କଣ୍ଠରେ କହିଲା–ଆରେ ଭାଇ, କାହିଁକି ଏତେ ଆଉ କାନ୍ଦୁଛୁ ? ମଣିଷ ତ ବେଳେବେଳେ ଏମିତି ଭୁଲରେ ପଡ଼ିଯାଏ । କହିଲୁ କହିଲୁ, ଆଜିଯାଏ କେମିତି କେଉଁଠି ରହିଥିଲୁ !

 

ହୀରା କାତର ହୋଇ କହିଲା–ସେ କଥା ଆଉ କଣ କହିବି । ତମକୁ ଦେଖିବାପାଇଁ ଜାଣ ଜୀବନ ଆଜିଯାଏ ରହିଗଲା । ମାରିଦେଲି ସିନା, ଆଉ ଯାଏ କୁଆଡ଼େ ! ସତେ ଯେମିତି ସେ ଗାଈ ମୋ ପଛେ ପଛେ ଦିନରାତି ଗୋଡ଼େଇଲା । ଯୁଆଡ଼େ ଗଲି, ଶୋଇଲେ କଣ ବସିଲେ କଣ ତାରି ଛାଇ ଆସି ମୋ ଆଗରେ ଛିଡ଼ା ହେଲା, ମୁଁ ପାଗଳ ହୋଇଗଲି । ପାଞ୍ଚ ବରଷ ଯାଇଁ ପାଗଳଖାନାରେ ରହିଲି । ସେଠୁ ଛ’ମାସ ହେଲା ଫିଟିଲିଣି । ଆଜିଯାଏ ମାଗିଯାଚି କରି ରାସ୍ତାରେ ବୁଲି ଖାଉଥିଲି । ଏଠିକି ଆସିବାକୁ ଡର ମାଡ଼ୁଥିଲା । ଶେଷକୁ ଆଉ ମନ ମାନିଲା ନାହିଁ । ମନକୁ ଟାଣ କରି ଚାଲିଆସିଲି । ତମେ ପୁଣି ମୋ ପିଲାଛୁଆଙ୍କୁ କେତେଦିନ... ।

 

ହୋରୀ କହିଲା–ତୁ ଓଲୁଟାଏ ବୋଲି ପଳାଇଗଲୁ । କଣଟାଏ ହୋଇଥାନ୍ତା ? ଦାରୁଗାକୁ ଦଶପଚାଶ ଦେଇ ମାମଲା ରଫା କରିଦେଇଥିଲେ ଯାଇଥାନ୍ତା । କଣ କିଏ ମୁଣ୍ଡ କାଟି ନେଇଥାନ୍ତା ?

 

‘ଜୀବନଯାକ ଭାଇ, ତମ ଋଣ ମୁଁ ସୁଝିପାରିବି ନାହିଁ ।’

 

‘ଆରେ, ମୁଁ କଣ କିଏ ପର ହୋଇଛି କିରେ ?’

 

ହୋରୀ ଭାରି ପ୍ରସନ୍ନ ହୋଇଗଲା । ସବୁ ଦୁଃଖ, ସବୁ ନିରାଶ ସତେ ଯେମିତି ମାଟିରେ ମିଶିଗଲା । କିଏ କହେ, ହୋରୀ ଜୀବନରେ ହାରି ଯାଇଥିଲା ବୋଲି । ହାରିଯିବା ଲୋକ କେବେହେଲେ ଏତେ ଆନନ୍ଦ, ଏତେ ଉତ୍ସାହ ଅନୁଭବ କରିପାରେ ନାହିଁ । ଜୀବନର ସାନ ବଡ଼ ସେହି ସମସ୍ତ ପରାଜୟ ପ୍ରକୃତରେ ତା’ର ବିଜୟ । ଏସବୁ ଭାବୁଭାବୁ ଛାତି ତାର କୁଣ୍ଢେମୋଟ ହୋଇଗଲା, ମୁହଁରେ ହସ ଫୁଟିଉଠିଲା । ହୀରାର କୃତଜ୍ଞତା ତାକୁ ଜୀବନର ଚରମ ସଫଳତା ପରି ଜଣାପଡ଼ିଲା । ଆଜି ଯଦି ସେ ହୀରାକୁ ସାହାଯ୍ୟ ନ କରି ଦଶ ପନ୍ଦର ଭରଣ ଧାନ ରଖି ନେଇଥାନ୍ତା, କିମ୍ବା ଟଙ୍କା ପାଞ୍ଚଶ ହଜାରେ ରଖିନେଇଥାନ୍ତା, ତାକୁ ଏବେ କେଉଁ ସ୍ଵର୍ଗଟାଏ ମିଳିଯାଇଥାନ୍ତା ?

 

ହୋରୀକୁ ଗୋଡ଼ରୁ ମୁଣ୍ଡଯାଏ ଚାହିଁ ହୀରା କହିଲା–ଭାଇ, ତମେ ବି ତ ଭାରି ଝଡ଼ିଯାଇଛ !

 

ହୋରୀ ହସି ହସି କହିଲା–ଆରେ, ଆଉ କଣ ମୋଟାହେବାକୁ ମୋ ଦିନ ଆସୁଛି ? ଜୀବନଯାକ ଯାର ଋଣ ଚିନ୍ତା, ମାନମହତ ଚିନ୍ତା, ସେ ପୁଣି ମୋଟା ହେବ କୁଆଡ଼ୁ ? ଆଜି ଯୁଗରେ ହଜାରେ ଲୋକଙ୍କୁ ପତଳା କଲେ ଯାଇଁ ସିନା ତାଙ୍କରି ରକ୍ତରେ ତମେ ମୋଟା ହେବ । ସେମିତିଆ ବେହିୟାଲୋକ ସିନା ମୋଟା ହେଉଛନ୍ତି, ଆମେ ମୋଟା ହେବା କୁଆଡ଼ୁ ? ସଂସାରେ ସବୁ ଲୋକ ସିନା ମୋଟା ହେଲେ ଯାଇଁ ସୁଖ, ଜଣେ ଅଧେ ମୋଟା ହେଲେ ଲାଭ କଣ ? ଆଚ୍ଛା, ଶୋଭାକୁ ଦେଖିଲୁଣି ତ ?

 

ହଁ, ତାକୁ ସଞ୍ଜବେଳେ ଦେଖିଥିଲି । ତମେ ତ ନିଜ ଘର ସମ୍ଭାଳି ମୋ ଘର ବି ସମ୍ଭାଳିଲ-। ସଂସାର କାମସବୁ କଷ୍ଟେମଷ୍ଟେ ଛିଣ୍ଡାଇ ଦେଲ । ସେ ତ କିଛି ନକରି ଜମିବାଡ଼ି ସବୁ ବିକ୍ରିବଟା କରିବସିଛି । ଏଣିକି କେମିତି ସେ ଚଳିବ ଭଗବାନ ଜାଣନ୍ତି !

 

ତହିଁଆରଦିନ ସକାଳେ ହୋରୀ ଯେତେବେଳେ ମାଟି ଖୋଳିବାକୁ ବାହାରି ଗଲା, ତା ଦେହ ଟିକିଏ ଭାରି ଭାରି ଲାଗୁଥିଲା, କାରଣ ଗଲାରାତିରେ ଭଲକରି ସେ ଶୋଇ ନଥିଲା । କିନ୍ତୁ କାମକୁ ଗଲାବେଳେ ଖୁବ୍ ଫୁର୍ତ୍ତି ଦେଖାଯାଉଥିଲା, ଦେହରେ କୌଣସି ପୀଡ଼ା ଥିଲାପରି ଜଣାପଡ଼ୁ ନ ଥିଲା ।

 

ସେଦିନ ଦଶଟା ନ ବାଜୁଣ ଝାଞ୍ଜି ପିଟିଲା । ଦିହିପହରବେଳକୁ ସତେ ଯେମିତି ନିଆଁ ବରଷିଲା । ହୋରୀ ଗାଡ଼ରୁ ମାଟି ଆଣି ଗାଣ୍ଡୁଆ ଗାଣ୍ଡୁଆ କରି ଶଗଡ଼ରେ ଲଦୁଥିଲା । ଛୁଟୀ ହେଲାବେଳକୁ ସେ ଗୋଟାପଣେ ଥକି ଯାଇଥିଲା । ଆଗରୁ କେବେହେଲେ ତାକୁ ଏତେ ଦୁର୍ବଳ ଲାଗି ନ ଥିଲା । ତାର ଆଉ ପାଦ ଚଳିଲା ନାହିଁ କି ଦେହଭିତର ଭଲ ଲାଗିଲା ନାହିଁ । ବିଚାରା ଅଗାଧୁଆ ଅଖିଆ ଗଛମୂଳରେ ପୋଛାଟି ପାରି ଶୋଇରହିଲା । କିନ୍ତୁ ତାକୁ ଭାରି ଶୋଷ ହେଲା । ଖାଲି ପେଟରେ ପାଣି ପିଇଲେ ଖରାପ ହେବ ଜାଣିକରି ସୁଦ୍ଧା ସେ ଆଉ ସମ୍ଭାଳି ପାରିଲା ନାହିଁ । ପାଖରେ ଜଣେ କୁଲି ପାଣି ବାଲଟିଏ ରଖି ଜଳଖିଆ ଖାଉଥିଲା । ତା’ରି ବାଲିଟିରୁ ପାଣି ଢାଳେ ଆଣି ଢକଢ଼କ କରି ପିଇଦେଇ ପୁଣି ସେ ଶୋଇରହିଲା । କିନ୍ତୁ ଅଧଘଣ୍ଟା ଭିତରେ ତା’ର ଖୁବ୍ ବାନ୍ତି ହୋଇଗଲା ଏବଂ ମୁହଁ ହାତ ସବୁ କଳାକାଠ ପଡ଼ିଗଲା ।

 

ପାଖରେ ଯେଉଁ କୁଲି ଜଣକ ଥିଲା, କହିଲା–ଆରେ ଭାଇ, ଦେହ କେମିତି ଲାଗୁଛି ?

 

ହୋରୀ ମୁଣ୍ଡ ସେତେବେଳେ ଖୁବ୍ ଜୋରରେ ବୁଲାଉଥିଲ, କହିଲା–ନାହିଁ, କିଛି ନାହିଁ, ଭଲ ଅଛି ।

 

ଏକଥା କହୁ କହୁ ପୁଣି ବାନ୍ତି ହେଲା ଏବଂ ହାତଗୋଡ଼ ସବୁ ଥଣ୍ଡା ପଡ଼ିଆସିଲା । ମୁଣ୍ଡ ବୁଲେଇ ଦେଲା, ଆଖି ବୁଜି ହୋଇଗଲା, ସବୁଆଡ଼ ଅନ୍ଧାର ଦେଖାଗଲା । ଜୀବନର ସବୁ ପଛକଥା ଏଣୁତେଣୁ ହୋଇ ତା’ର ମନେ ପଡ଼ିଗଲା । ସତେ ଯେମିତି ସେ ସପନ ଦେଖୁଥିଲା । ପିଲାଦିନ କଥା ମନେ ପଡ଼ିଗଲା, ଯେତେବେଳେ ସେ ବାଟି ଖେଳୁଥିଲା, ପୁଣି ଦୌଡ଼ିଆସି ମା’ କୋଳରେ ବସି ହାତୀ ଝୁଲୁଥିଲା, ପୁଣି ଦେଖିଲା ଗୋବରା ଆସି ତା ‘ଗୋଡ଼କୁ କୁଣ୍ଢେଇ ଭୂଇଁରେ ଗଡ଼ୁଛି । ସେ ସବୁ ବଦଳିଯାଇ ପୁଣି ଦେଖିଲା ଧନିୟା ଘରକୁ ବୋହୂ ହୋଇ ଆସିଛି । ପାଟ ଶାଢ଼ି ପିନ୍ଧି ତାକୁ ଭୋଜନ ପରଶୁଛି । ପୁଣି ଦେଖିଲା ଘରକୁ ଗୋଟାଏ ଗାଈ ଆସିଛି, ତା’ଠୁ ଦୁଧ–ଦୁହିଁ ମଙ୍ଗଳକୁ ପିଆଇଲାବେଳକୁ ଗାଈ ଦେବୀମୂର୍ତ୍ତି ଧରି ଠିଆ ହୋଇଯାଇଛି...... ।

 

ପାଖ କୁଲିଜଣକ ପୁଣି କହିଲା–ହୋରୀ ଭାଇ, ବେଳ ଗଡ଼ିଗଲାଣି, ଚାଲ୍ ଯିବା ମାଟି ବୋହିବା ।

 

ହୋରୀ କିଛି କହିପାରିଲା ନାହିଁ । ଜୀବନ ତ ତା’ର କେଉଁ ରାଇଜରେ ଉଡ଼ୁଥିଲା, ତା’ର ଠିକଣା ନଥିଲା । ଦେହ ଭିତର ଜଳି ଉଠିଥିଲା, ହାତଗୋଡ଼ ସବୁ କାକର ହୋଇଆସୁଥିଲା । ବଡ଼ଜୋରରେ ଝାଞ୍ଜି ବି ବୋହୁଥିଲା ।

 

ତା’ ଘରକୁ ଖବର ପଠା ହେଲା, ଧନିୟା ସାଙ୍ଗେ ସାଙ୍ଗେ ଦୌଡ଼ି କରି ଆସି ପହଞ୍ଚିଲା । ଶୋଭା ଆଉ ହୀରା ଗୋଟାଏ ହାନ୍ଦୋଳା ତିଆରି କରି ପଛରେ ଆସିଲେ ।

 

ଧନିୟା ହୋରୀ ଦେହକୁ ଛୁଇଁଲାମାନେ ତା’ କଲିଜା ଭିତରେ କ’ଣ ହୋଇଗଲା, ଚେହେରା ଗୋଟାପଣେ କଳା ପଡ଼ିଗଲା ।

 

ଥରି ଥରି ଧନିୟା ପଚାରିଲା–ଦିହ କେମିତି ନାଗୁଛି ?

 

ହୋରୀ ଡୋଳା ଏକରସେକର କରି କହିଲା–ଆରେ ଗୋବରା, ତୁ ଆସିଗଲୁ କିରେ, ମଙ୍ଗଳ ପାଇଁ ମୁଁ ଗୋଟାଏ ଗାଈ କିଣିଛି, ସେଇଟି ଠିଆ ହୋଇଛି ଦେଖ ।

 

ଶାଶୁ, ଶଶୁର, ଦି’ ଦିଟା ପିଲା, ଗାଁର ଆଉ ଆଉ ବହୁତ ଲୋକ ମରିବାର ଧାନିୟା ଆଖିରେ ଦେଖିଥିଲା । ତେଣୁ ହୋରୀର ଅବସ୍ଥା ଦେଖି ତା’ଚେତା ଶୁଖିଗଲା । ଯେଉଁ ନାଆରେ ସେ ବସିଥିଲା, ସେହି ନାଆ ବୁଡ଼ିଗଲା ପରି ତାକୁ ଲାଗିଲା । ପୁଣି ଭାବିଲା, ଅଧୈର୍ଯ୍ୟ ହେଲେ ଚଳିବ ନାହିଁ । ଇଏ ବୋଧେ କିଛି ନୁହେଁ । ଟିକିଏ ଝାଞ୍ଜିବଳା ହୋଇ ସେମିତି ଅଚେତା ହୋଇ ଯାଇଛି ।

 

ଲୁହ ପୋଛିଦେଇ ଧନିୟା କହିଲା–ମୋତେ ଟିକିଏ ଅନା, ମୁଁ ପରା ବସିଛି, ମୋତେ କ’ଣ ଚିହ୍ନିପାରୁନ ?

 

ସେତେବେଳକୁ ହୋରୀର ଚେତନା ଟିକେ ଫେରି ଆସିଥିଲା । ମରଣ ଡାକରା ବି ପାଖେଇ ଆସିଥିଲା । ସେଥିପାଇଁ ଧୂଆଁ ବନ୍ଦହୋଇ ନିଆଁ ଜଳିବାକୁ ଆରମ୍ଭ କରିଥିଲା । ଧନିୟାକୁ ଜଳଜଳ କରି ଚାହିଁ ଦି’ ଆଖିରୁ ଦୁଇଟୋପା ଲୁହ ଗଡ଼େଇ ଦେଈ ଖୁବ୍ କ୍ଷୀଣ କଣ୍ଠରେ ସେ କହିଲା–ଧନିୟା, ଏବେ ମୁଁ ଯାଉଛି, ମୋର ସବୁ ଭୁଲଭଟକା ମନରୁ ପାଶୋରି ଦେବୁ । ଗାଈ ଆଶା ଆଉ ପୂରଣ ହେଲା ନାହିଁ । ମନର ଆଶା ମନରେ ରହିଲା । ଗାଈ ଟଙ୍କା ଜାଣି ଏବେ ମୋ’ ଶୁଦ୍ଧକାମରେ ଲାଗିବ । କାନ୍ଦ ନାହିଁ ଧନିୟା, ଆଉ କାହିଁକି ? ସବୁ ଦୁଃଖଦୁର୍ଦ୍ଦଶା ତ ଭୋଗ ହୋଇଗଲା । ଏବେ ମୁଁ ମରେ ।

 

ହୋରୀ ଆଖି ପୁଣି ବୁଜି ହୋଇଗଲା । ସେତିକିବେଳକୁ ଶୋଭା ଆଉ ହୀରା ହାନ୍ଦୋଳା ଧରିଆସି ପହଞ୍ଚିଗଲେ । ସାଙ୍ଗେ ସାଙ୍ଗେ ତାକୁ ଉଠାଇନେଇ ଘରକୁ ଚାଲିଗଲେ ।

 

ଗାଁରେ ଖବର ହେଲାମାତ୍ରେ ପିଲା ବୁଢ଼ାସବୁ ଆସି ଜମା ହୋଇଗଲେ । ହୋରୀ ସବୁ ଦେଖୁଥାଏ, ସବୁ ଶୁଣୁଥାଏ, କିନ୍ତୁ କିଛି କହିପାରୁ ନ ଥାଏ, ପାଟି ପଡ଼ିଯାଇଥାଏ । ଆଖିରୁ ଲୁହ ଧାର ଧାର ବହି ଯାଉଥାଏ, ସତେ ଯେମିତି ସଂସାରବନ୍ଧନ ଛାଡ଼ିଯିବା ଭାରି କଷ୍ଟ । ମୋହ ହେଉଛି ମନୁଷ୍ୟର କଷ୍ଟ । ମନୁଷ୍ୟ ଯେଉଁ କାମ କରିସାରିଥାଏ ସେଥିପାଇଁ ତା’ର ମୋହ କିମ୍ବା କଷ୍ଟ ନ ଥାଏ । କଷ୍ଟ ଥାଏ, ଯେଉଁ କାମ ନ କରିପାରି ସେ ଛାଡ଼ି ଯାଇଥାଏ । ସେଥିପାଇଁ ପୁଅ, ଝିଅ, ଭାରିଯାଙ୍କୁ ପର–ହାତରେ ଛାଡ଼ିଦେଇ ଯିବାରେ ମଣିଷର କଷ୍ଟ । ସେହି ହେଉଛି ମୋହ, ସେହି ହେଉଛି ବନ୍ଧନ ।

 

ଧନିୟା ସବୁ ଜାଣୁଥାଏ ତଥାପି ମନରୁ ଆଶା ତୁଟି ନଥାଏ । ଏପାଖ ସେପାଖ ହୋଇ ପଣା ଆଣି ଦେଉଥାଏ, ଦିହହାତ ମାଲିସ କରି ଦେଉଥାଏ । ପାହୁଲାଟାଏ ତ ହାତରେ ନ ଥିଲା, ଆଉ କ’ଣ କରିଥାନ୍ତା ବିଚାରୀ । ନହିଲେ ଅବା କେଉଁ ଡାକ୍ତରକୁ ଦେଖେଇଥାନ୍ତା ।

 

ହୀରା କାନ୍ଦି କାନ୍ଦି କହିଲା–ଭାଉଜ ଟିକିଏ ଥୟ ଧର । ଗାଈଟିଏ ଦାନ କରେଇ ଦିଅ । ଭାଇ ତ ଆଉ..... ।

 

ଧନିୟା କଟମଟ କରି ହୀରାକୁ ଚାହିଁଲା । ମନକୁ ସେ ଆଉ କେତେ ଅବା ଟାଣ କରନ୍ତା-! ନିଜ ସ୍ଵାମୀପାଇଁ କ’ଣ କରିବାକୁ ହେବ ସେ କଥା କ’ଣ ତାକୁ ଅଛପା ଥିଲା ଯେ, ତାକୁ ପୁଣି ଲୋକେ ବତେଇବେ !

 

ଆଉ ଲୋକେ ବି କହିଲେ–ନାହିଁ, ଏଇ ହେଉଛି ଠିକ୍ ବେଳ, ଏତିକିବେଳେ ଗାଈ ଦାନ କରିଦିଅ ।

 

ଧନିୟା କାଠପିତୁଳା ପରି ଘର ଭିତରକୁ ଚାଲିଯାଇ ପଇସା ବାରଣା ନେଇ ଆସିଲା । ସେଦିନ ସକାଳେ ହାତକଟା ସୁତୁଲୀ ବିକି ସେତିକି ପଇସା ସେ ରଖିଥିଲା । ପଇସା ଆଣି ହୋରୀ ହାତରେ ରଖିଦେଇ କାନ୍ଦି କାନ୍ଦି ପଣ୍ଡିତ ଦାତାଦୀନକୁ ଅନାଇ କହିଲା–ପଣ୍ଡିତ ଆଜ୍ଞା, ଘରେ ଗାଈ ଅଛି ନା ବାଛୁରୀ ଅଛି, ନା କୋଉ ଟଙ୍କାପଇସା ଅଛି; ପଇସା ବୋଲି ଏଇ ବାରଣା ଅଛି । ଏଇ ଜାଣି ତାଙ୍କର ଗୋଦାନ ।

 

ଏତିକି କହି ଧନିୟା ଭୂଇଁରେ ଖସିପଡ଼ିଲା ।

Image